Unknown

 

 

 

 

 

 

 

 

 

 

ଓଡ଼ିଆ ସାହିତ୍ୟର ଇତିହାସ

ସାମାଜିକ-ସାଂସ୍କୃତିକ ଭିତ୍ତିଭୂମି

ଶ୍ରୀ ଚିତ୍ତରଞ୍ଜନ ଦାସ

 

ମୁଖବନ୍ଧ

 

ଓଡ଼ିଆ ଭାଷା ଯେଉଁମାନଙ୍କର ନିଜର ଭାଷା, ଓଡ଼ିଆ ସାହିତ୍ୟ ମଧ୍ୟ ସେମାନଙ୍କର ନିଜର ସାହିତ୍ୟ । ଏହାକୁ ଜାଣିବାର ପ୍ରୟୋଜନ କେବଳ ପରୀକ୍ଷାପାଇଁ ନୁହେଁ, ତାହା ସହିତ ସ୍ଥାୟୀଭାବରେ ସଂଶ୍ଳିଷ୍ଟ ହୋଇ ରହିବାପାଇଁ । ପାଠ୍ୟପୁସ୍ତକଟିଏ ପାଠ ପଢ଼ୁଥିବା ଛାତ୍ରର କାର୍ଯ୍ୟରେ ଲାଗେ । ପରୀକ୍ଷାରେ ଘାଟି ପାରିହେବା ପାଇଁ ତାହା ଛାତ୍ରକୁ ସାହାଯ୍ୟ କରେ । ପରୀକ୍ଷା ସରିଗଲେ ଆଉ ତାହାର କୌଣସି ପ୍ରୟୋଜନ ନଥାଏ । ଅର୍ଥାତ୍, କେବଳ ପ୍ରୟୋଜନରେ ପଡ଼ି ଛାତ୍ରଛାତ୍ରୀମାନେ ତାହାକୁ ପଢ଼ନ୍ତି, ଚଟାପଟ କାମ ସାରିଦେବାକୁ ସେମାନେ ତାକୁ ପଢ଼ନ୍ତି ।

 

ପାଠ୍ୟପୁସ୍ତକଟିଏ ଲେଖିବା, ଅର୍ଥାତ୍ ଅଧିକ ଅର୍ଥ ଉପାର୍ଜନ କରିବା । ସାହିତ୍ୟ ଅପେକ୍ଷା ସାହିତ୍ୟର ସହଚର ଲେଖି ଆମ ଶିକ୍ଷାର ବର୍ତ୍ତମାନ ବଜାରରେ ଅଧିକ ଅର୍ଥ ମିଳେ । ସାହିତ୍ୟ ଅପେକ୍ଷା ସହଚରଟିଏ ଅଧିକ ସହଜରେ ଲେଖିହୁଏ । ସମ୍ଭବତଃ ଛାତ୍ରଛାତ୍ରୀଙ୍କର ଅସହାୟତାର ସୁଯୋଗ ନେଇ ଯାହା ତାହା ଲେଖିଲେ ମଧ୍ୟ ଚଳିଯାଏ ।

 

ମାତ୍ର, ଏପରି ପାଠ୍ୟପୁସ୍ତକ ମଧ୍ୟ ଲେଖା ଯାଇପାରେ, ଯାହା ଛାତ୍ରଛାତ୍ରୀମାନଙ୍କର ଜିଜ୍ଞାସାକୁ ବଢ଼ାଇବ, ସେମାନଙ୍କ ମନ ଭିତରେ ଆଗ୍ରହର ଉଦ୍ରେକ କରିବ, ସେମାନଙ୍କୁ ପ୍ରଶ୍ନ ପଚାରି ଶିଖାଇବ, ଅର୍ଥାତ୍ ନିଜେ ଚିନ୍ତା କରିବାକୁ ଶିଖାଇବ । ସାହିତ୍ୟ ପ୍ରତି, ସଂସ୍କୃତି ପ୍ରତି ଏବଂ ନିଜର ଭୂମିଟି ପ୍ରତି ଏକ ସ୍ଥାୟୀ ଅନୁରାଗ ସୃଷ୍ଟି କରିବାପାଇଁ ଗୋଟିଏ ପାଠ୍ୟପୁସ୍ତକ କିପରି ସହାୟକ ହୋଇପାରିବ, ପୁସ୍ତକଟି ମୁଖ୍ୟତଃ ତାହାରି ଏକ ପ୍ରଚେଷ୍ଟା । ତଥାପି ଅନୁସନ୍ଧିତ୍ସୁ ଛାତ୍ରଛାତ୍ରୀଙ୍କ ପରି ଗୁଣୀ ଅଧ୍ୟାପକ ଏବଂ ସାହିତ୍ୟପ୍ରେମୀ ସାଧାରଣ ପାଠକ ମଧ୍ୟ ଏହାଦ୍ୱାରା ଉପକୃତ ହେବେ ବୋଲି ଆଶା କରୁଛି ।

 

ଲେଖକ

Image

 

ଦ୍ୱିତୀୟ ପ୍ରକାଶନ ସମ୍ପର୍କରେ ପଦେ

 

ଓଡ଼ିଆ ସାହିତ୍ୟର ଇତିହାସ ରଚନା କିଛି ନୂଆ କଥା ନୁହେଁ । ବିଦ୍ୱାନ ଲେଖକମାନେ ଓଡ଼ିଆ ସାହିତ୍ୟର ସୃଷ୍ଟି ଓ କ୍ରମବିକାଶ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି । ସମ୍ପୃକ୍ତ ବିଷୟରେ ଏକାଧିକ ପୁସ୍ତକ ପ୍ରକାଶ ପାଇସାରିଛି । ତନ୍ମଧ୍ୟରୁ କେତେକ ପାଠ୍ୟପୁସ୍ତକର ମାନ୍ୟତା ପାଇଛନ୍ତି ଅଥବା ଏପରି କୁହାଯାଇପାରେ ପାଠ୍ୟପୁସ୍ତକରୂପେ ପ୍ରଚଳିତ ହେବାର ଉଦ୍ଦେଶ୍ୟ ରଖି ସେସବୁ ଲେଖାଯାଇଛି । ବଜାରରେ ସେଇ ବହିଗୁଡ଼ିକ ମଧ୍ୟ ବେଶ୍ ସହଜଲଭ୍ର, ମାତ୍ର ଛାତ୍ରଛାତ୍ରୀମାନଙ୍କର ଜିଜ୍ଞାସା ଓ ଅନୁରାଗକୁ ଉଦ୍ଦୀପିତ କଲାଭଳି ଓଡ଼ିଆ ସାହିତ୍ୟର ଇତିହାସ ଆଧାରିତ ପାଠ୍ୟପୁସ୍ତକ ଯେ ଆମ ଭାଷାରେ ଏଯାବତ୍ କ୍ୱଚିତ ସମ୍ଭବ ହୋଇଛି, ଏଥିରେ ଏତେଟିକେ ଅତିଶୟୋକ୍ତି ନାହିଁ ।

 

ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାର କୃତବିଦ୍ୟ ଗଦ୍ୟଶିଳ୍ପୀ, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟର ଲବ୍‍ଧପ୍ରତିଷ୍ଠ ଲେଖକ, ବିଶିଷ୍ଟ ଚିନ୍ତାନାୟକ ଓ ଶିକ୍ଷାବିତ୍ ଶ୍ରୀଯୁକ୍ତ ଚିତ୍ତରଂଜନ ଦାସଙ୍କ ରଚିତ ‘‘ଓଡ଼ିଆ ସାହିତ୍ୟର ଇତିହାସ : ସାମାଜିକ-ସାଂସ୍କୃତିକ ଭିତ୍ତିଭୂମି’’ ନାମକ ପାଠ୍ୟପୁସ୍ତକଟି ପ୍ରଥମେ ‘ଶବ୍ଦାଲୋକ’ ପ୍ରକାଶନ ସଂସ୍ଥାଦ୍ୱାରା ୧୯୯୩ ମସିହାରେ ଆଲୋକକୁ ଆସିଥିଲା । ଆଲୋଚନାର ଅନନ୍ୟ ଶୈଳୀ ତଥା ବିଷୟଗତ ସ୍ୱତନ୍ତ୍ର ଦୃଷ୍ଟିକୋଣ ପାଇଁ ଉକ୍ତ ବହିଟି ଇତିମଧ୍ୟରେ ଅନୁସନ୍ଧିତ୍ସୁ ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନଙ୍କ ମହଲରେ ବିଶେଷ ଆଦୃତ ହୋଇପାରିଛି । ବହିଟି ଏବେ ଦୁଷ୍ପ୍ରାପ୍ୟ । ଏହାର ଉପାଦେୟତାକୁ ଉପଲବ୍ଧି କରି ଏହାକୁ ପୁଣିଥରେ ପ୍ରକାଶ କରିବାପାଇଁ ସର୍ବତ୍ର ବିପୁଳ ଆଗ୍ରହ ପରିଲକ୍ଷିତ ହେଉଛି । ସୁତରାଂ ପୁସ୍ତକର ଦ୍ୱିତୀୟ ସଂସ୍କରଣଟି ପ୍ରସ୍ତୁତ ହୋଇ ସଂପ୍ରତି ‘ପଥିକ ପ୍ରକାଶନୀ’ କର୍ତ୍ତୃକ ପ୍ରକାଶ ପାଉଛି । ଏଥିନିମିତ୍ତ ସମ୍ମାନସ୍ପଦ ଲେଖକ ଓ ପ୍ରଥମ ପ୍ରକାଶନ ମହୋଦୟ ସେମାନଙ୍କର ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ସେମାନଙ୍କୁ ଏଇ ଅବସରରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଯେଉଁ ଶ୍ରଦ୍ଧାଶୀଳ ଛାତ୍ରଛାତ୍ରୀ, ଗୁଣୀ ଅଧ୍ୟାପକ ତଥା ସହୃଦୟ ପାଠକଙ୍କର ଅଶେଷ ଆଗ୍ରହ ଓ ପ୍ରେରଣା ବହିଟିର ପୁନଃ ରୂପାୟନ ପାଇଁ ଦାୟୀ ସେମାନଙ୍କୁ ମଧ୍ୟ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି ।

 

–ପ୍ରକାଶକ

Image

 

ସୂଚିପତ୍ର

 

ପ୍ରଥମ ପରିଚ୍ଛେଦ

ସାହିତ୍ୟ, ସମାଜ ଓ ସଂସ୍କୃତି

ଦ୍ଵିତୀୟ ପରିଚ୍ଛେଦ

ସାହିତ୍ୟ-ସମାଜ-ସଂସ୍କୃତି

ତୃତୀୟ ପରିଚ୍ଛେଦ

ଓଡ଼ିଶାର ସମାଜ-ସାଂସ୍କୃତିକ ଭୂମି

ଚତୁର୍ଥ ପରିଚ୍ଛେଦ

ଲିଖିତ ସାହିତ୍ୟର ଆରମ୍ଭକାଳ

ପଞ୍ଚମ ପରିଚ୍ଛେଦ

ଆଦିସାହିତ୍ୟ ଓ ଆଦିକବି ସାରଳା ଦାସ

ଷଷ୍ଠ ପରିଚ୍ଛେଦ

ଓଡ଼ିଶାର ପଞ୍ଚସଖା

ସପ୍ତମ ପରିଚ୍ଛେଦ

ସାହିତ୍ୟରେ ରୀତିଯୁଗ ଏବଂ...

ଅଷ୍ଟମ ପରିଚ୍ଛେଦ

ଆଧୁନିକ ସାହିତ୍ୟର ପ୍ରଥମ ଶହେବର୍ଷ (୧୮୫୦-୧୯୫୦)

Image

 

ପ୍ରଥମ ପରିଚ୍ଛେଦ

ସାହିତ୍ୟ, ସମାଜ ଓ ସଂସ୍କୃତି

 

ସାହିତ୍ୟ

 

ମଣିଷମାତ୍ରକେ ସମସ୍ତେ ଏହି ଜଗତରେ ଜୀବନଧାରଣ କରି ରହିଥାନ୍ତି, ମାତ୍ର ସେମାନଙ୍କ ଭିତରୁ ଅତ୍ୟନ୍ତ ଅଳପ ମଣିଷ ଜୀବନଟିଏ ବଞ୍ଚନ୍ତି । ଅଧିକାଂଶ ମଣିଷ ଆଗରୁ ନିର୍ଦ୍ଦିଷ୍ଟ ହୋଇ ରହିଥିବା କୌଣସି ଏକ ଗୁଳାକୁ ଆଦରି ନେଇ ଜୀବନକୁ ବଞ୍ଚନ୍ତି । ସମାଜର ଗୁଳା, ସଂସ୍କୃତିର ଗୁଳା, କୌଣସି ଏକ ସମାଜରେ ଚଳି ଆସୁଥିବା ଆଚାରଗୁଡ଼ିକର ଗୁଳା, ଧର୍ମର ଗୁଳା, ବିଶ୍ଵାସଗୁଡ଼ିକର ଗୁଳା–ଏହିପରି ଭାବରେ ତୁମେ ଯେଉଁଭଳି ମନ କରିବ, ତୁମକୁ ସେଭଳି ଗୁଳାଟିଏ ଅବଶ୍ୟ ମିଳିଯିବ । ପୃଥିବୀରେ ମଣିଷର ସମାଜ ଏପରି ଭାବରେ ସତେଅବା ତିଆରି ହୋଇ ରହିଛି ଯେ, ତାହା ଅଧିକାଂଶ ମଣିଷକୁ କୌଣସି ଏକ ଗୁଳା ବାଛିନେଇ ସେହି ଅନୁସାରେ ବାଟ ଚାଲିବାକୁ କେତେ ନା କେତେ ପ୍ରଲୋଭନ ଓ ଆକର୍ଷଣ ଯୋଗାଇ ଦେଉଛି । ଖୁବ୍ ଅଳପ ମଣିଷ ଅଛନ୍ତି, ଯେଉଁମାନେ କି ଗୁଳାରେ ଯିବାକୁ ମୋଟେ ମନ କରିପାରନ୍ତି ନାହିଁ । ଗୁଳାକୁ ଡେଇଁ ଯିବାକୁହିଁ ଯଥାର୍ଥ ଜୀବନ ବୋଲି ଅନୁଭବ କରନ୍ତି । ସେମାନେ ନିଜ ଭିତରେ ଅଧିକ ଗଭୀରକୁ ଯିବାକୁ ମନ କରନ୍ତି । ଅନ୍ୟ ଅନେକ ଯେତିକି ଦେଖନ୍ତି, ସେମାନେ ତା’ଠାରୁ ଅନେକ ଗୁଣ ଅଧିକ ଦେଖନ୍ତି । ଆପଣାର ଆଖିଗୁଡ଼ିକ ଜାଣିଶୁଣି ଅନେକ ଆଡ଼କୁ ଓ ଅନେକ ଦୂରକୁ ପ୍ରଲମ୍ବିତ କରିଦିଅନ୍ତି । ସେମାନଙ୍କର ବାହାର ଆଉ ଭିତର ମଧ୍ୟରେ ସତେଅବା କ୍ରମେ ଏକ ମିତ୍ରତା ସୃଷ୍ଟି ହୋଇଯାଏ । ବାହାରଟା ଭିତରେ ଅଧିକ ଗଭୀରକୁ ଯିବାଲାଗି ପ୍ରେରଣା ଓ ପୁଞ୍ଜି ଯୋଗାଇ ଦିଏ ଏବଂ ଭିତରଟା ମଧ୍ୟ ବାହାରେ ଆହୁରି ଅନେକନେତ୍ର ହୋଇ ଧାଇଁ ଯିବାକୁ ଏବଂ ସମ୍ବନ୍ଧ ସ୍ଥାପନ କରିବାକୁ ବଳ ଆଣି ଯୋଗାଇଦିଏ ।

 

ଜଣେ ବ୍ୟକ୍ତି ଯେତେବେଳେ ତା’ ଜୀବନର ସର୍ବୋତ୍ତମ ଅନୁଭବକୁ ଭାଷାର ବେଢ଼ଣା ଦେଇ ବ୍ୟକ୍ତ କରିବାକୁ ବାହାରେ, ସମ୍ଭବତଃ ସେତିକିବେଳେ ସାହିତ୍ୟର ଉନ୍ମେଷଣ ହୁଏ । ଏହି ଅନୁଭବ ପୁଣି କ’ଣ, ସର୍ବୋତ୍ତମ ଅନୁଭବ କହିଲେ ଆମେ ପୁଣି କ’ଣ ବୁଝିବା ? ଅନୁଭବ କ’ଣ ଖାଲି ଜଣେ ମଣିଷର ତଥାକଥିତ ଅନୁଭବ ଭିତରର ବସ୍ତୁଟିଏ ? ନିର୍ମଳ ହ୍ରଦଟିଏ ? କୂଳରେ ଗୋଟିଏ ପର୍ବତ ଶ୍ରେଣୀ, କେତେ ଶାନ୍ତ ଓ ନୀଳ ସ୍ଥିର ହୋଇ ସେହି ପର୍ବତଶ୍ରେଣୀ ହ୍ରଦଟିର ଜଳରେ ପ୍ରତିବିମ୍ବିତ ହୋଇ ରହିଥାଏ । ପ୍ରତିବିମ୍ବିତ ପର୍ବତଟିରେ ବାହାରର ପ୍ରକୃତ ପର୍ବତଟିର କୌଣସି ବିକ୍ଷୁବ୍ଧତା ନଥାଏ, କୌଣସି ବନ୍ଧୁରତା ନଥାଏ । ତଥାପି ତାହା ବାହାର ପର୍ବତଟିର ତୁଳନାରେ ଆଦୌ କୌଣସି ଗୁଣରେ ଅପ୍ରକୃତ ଲାଗେ ନାହିଁ । ଆମେ ଉପଯୁକ୍ତ ହୋଇପାରିଲେ ତାହା ବାହାରଟି ଅପେକ୍ଷା ଅଧିକ ସୁନ୍ଦର ଦିଶେ, ଅଧିକ ଅର୍ଥପୂର୍ଣ୍ଣ ମନେହୁଏ, ଅନେକ ଅଧିକ ସନ୍ଦେଶକୁ ବହନ କରି ଆଣୁଥାଏ, ସେହି ଗୋଟିଏ ବିମ୍ବ ଭିତରେ ସତେଅବା ପୃଥିବୀର ସବୁ ପର୍ବତର ବିମ୍ବଟି ଅତ୍ୟନ୍ତ ନିବିଡ଼ ଭାବରେ ଅନୁଭୂତ ହେଉଥାଏ । ବାହାରର ପର୍ବତଟି ନଥିଲେ ଏହି ବିମ୍ୱଟି କଦାପି ସମ୍ଭବ ହୁଅନ୍ତା ନାହିଁ ଏବଂ ସ୍ୱଚ୍ଛଜଳ ଗ୍ରହଣଶୀଳ ହ୍ରଦଟିଏ ନଥିଲେ ମଧ୍ୟ ବିମ୍ବଟି ସମ୍ଭବ ହୁଅନ୍ତା ନାହିଁ-। ଆମ ଅନୁଭବଗୁଡ଼ିକ ସମ୍ଭବତଃ ଅନେକାଂଶରେ ସେହିପରି । ବାହାରର ପର୍ବତଟି ନଥିଲେ ଆମେ ଅନୁଭବ ଲାଗି ଖାଦ୍ୟ ପାଇ ପାରନ୍ତେ ନାହିଁ । ପୁନଶ୍ଚ, ଆମ ଦ୍ଵାରଟି ଯଥେଷ୍ଟ ପରିପାଟୀରେ ଓ ଯଥାର୍ଥଭାବେ ଗ୍ରହଣଶୀଳ ହୋଇ ନଥିଲେ ଆମେ ଅନୁଭବ କଲାଭଳି ହୁଏତ ଆଦୌ କିଛିହେଲେ ଅନୁଭବ କରିପାରନ୍ତେ ନାହିଁ ।

 

ଆମେ ମଣିଷମାନେ ପୃଥିବୀରେ ଯେତିକି ଦେଖିବାକୁ ଇଚ୍ଛାକରୁ, କେବଳ ସେତିକି ଦେଖିପାରୁ । ଆମେ ଅଧିକତର କ୍ଷେତ୍ରରେ କେବଳ ଉପରଠାଉରିଆ ଭାବରେ ଦେଖୁ, କେବଳ ଆମ ନିଜ ପ୍ରୟୋଜନଗୁଡ଼ିକଦ୍ଵାରା ପ୍ରେରିତ ହୋଇ ଦେଖୁ । କେବଳ ବସ୍ତୁଗୁଡ଼ିକୁ ନୁହେଁ, ପ୍ରକୃତିକୁ ନୁହେଁ, ମନୁଷ୍ୟମାନଙ୍କୁ ମଧ୍ୟ ପ୍ରାୟ ସେହିପରି ଭାବରେ ଦେଖୁ । ତେଣୁ ଦେଖିଲାଭଳି ପ୍ରାୟ ଆଦୌ କିଛିହେଲେ ଦେଖୁନାହିଁ । ତେଣୁ, ଅନୁଭବ କଲାଭଳି ପ୍ରାୟ କିଛିହେଲେ ଅନୁଭବ କରିପାରୁନାହିଁ । ଆତ୍ମୀୟତା ଦେଇ ଦେଖିବା–ସିଏ ହେଉଛି ଏକ ଅନ୍ୟ ଅନୁରାଗର କଥା, ଏକାବେଳକେ ଏକ ଅନ୍ୟ ଆସ୍ପୃହାର କଥା । ଆତ୍ମୀୟତା ଦେଇ ଦେଖିଲେ ପୃଥିବୀ ସହିତ, ଜୀବନ ସହିତ ଆମର ଯାବତୀୟ ସାକ୍ଷାତ୍‍କାର ଏକାବେଳକେ ଅନ୍ୟ ପ୍ରକାରର ହୋଇଯାଏ । ଆତ୍ମୀୟତାହିଁ ଆନନ୍ଦ ଦିଏ, ଆପଣାର ନାନା ମୋହରୁ ଆତ୍ମୀୟତା ଆମକୁ ମୁକ୍ତ କରିଆଣେ । ସାଧାରଣ ଜୀବନରେ ଆମେ କେତେକେତେ ମୋହକୁ ସତ୍ୟ ବୋଲି ଜାବୁଡ଼ି ଧରିଥାଉ, କେତେ ମିଛ ବିଶ୍ୱାସକୁ ଅସଲ ବିଶ୍ଵାସ ବୋଲି ଭ୍ରମ କରୁଥାଉ, ଅଳପଗୁଡ଼ାକୁ ସବୁକିଛି ବୋଲି ଭାବୁଥାଉ । ଅସଲ ଆତ୍ମୀୟତା ଆମ ହାତରେ ସେହିସବୁ ମୋହ, ମିଛ ବିଶ୍ଵାସ ଏବଂ ଅଳପର କବଳରୁ ରକ୍ଷା ପାଇବାର ଉପାୟଟିଏ ଆଣି ଧରାଇଦିଏ । ଆମକୁ ଅନେକ ମିଛ ଉତ୍ସାହ ଏବଂ ଉତ୍ତେଜନାରୁ ରକ୍ଷା କରେ । ତା’ପରେ ଆମ ଅନୁଭବର ରାଜ୍ୟରେ ମଧ୍ୟ ପରିବର୍ତ୍ତନ ଆସି ପହଞ୍ଚେ । ଅନୁଭବର ସିଡ଼ିରେ ଆମେ ସତେଅବା ଏକାବେଳକେ କେତେକେତେ ପାହାଚ ଉଠିଯାଉ । ନୂଆ ନୂଆ ଉଚ୍ଚତାକୁ ଆରୋହଣ କରୁ, ନୂଆ ନୂଆ ଗଭୀରତାକୁ ଆରୋହଣ କରୁ । ଆମର ସର୍ବୋତ୍ତମ ଅନୁଭବଗୁଡ଼ିକ ତାହାରିଦ୍ଵାରା ସମ୍ଭବ ହୁଏ ।

 

ଅନେକେ ମନେକରନ୍ତି, କବିମାନେ, ଲେଖକମାନେ ପୃଥିବୀରେ ଜନ୍ମଗ୍ରହଣ କରିବା ପୂର୍ବରୁ ସିଆଡ଼ୁ କବି ବା ଲେଖକ ହୋଇ ଆସିଥାନ୍ତି । କବିତ୍ଵକୁ ପ୍ରାଚୀନ ସାହିତ୍ୟ ପରମ୍ପରାରେ ଏକ ଜନ୍ମଜାତ ଗୁଣ ବୋଲି କୁହାଯାଇ ଆସିଛି । ଦେବୀ ସରସ୍ଵତୀଙ୍କୁ ସକଳ ସାରସ୍ଵତ ସାମର୍ଥ୍ୟର ଉତ୍ସ ବୋଲି କଳ୍ପନା କରାଯାଇଛି । ବ୍ୟାସ, ବାଲ୍ମୀକି ପ୍ରଭୃତି ପ୍ରାଚୀନ କବିମାନେ ସରସ୍ଵତୀଙ୍କ କରୁଣା ଲାଭ କରି କାବ୍ୟ ଲେଖିବାକୁ ସମର୍ଥ ହୋଇଥିଲେ ବୋଲି ଅପବାଦ ରହିଛି, ସେହି ଅନୁସାରେ କେତେକେତେ କାହାଣୀ ମଧ୍ୟ ରହିଛି । କବି କାଳିଦାସଙ୍କ ସହିତ ମଧ୍ୟ କେତେ କାହାଣୀ ଯୋଡ଼ା ହୋଇ ରହିଛି । ଏଗୁଡ଼ିକ ବିଶ୍ଵାସ । ଅନ୍ଧବିଶ୍ଵାସ ଆଦୌ ନୁହେଁ । ପାଶ୍ଚାତ୍ୟ ସାହିତ୍ୟରେ ମଧ୍ୟ ସେହି ବିଶ୍ଵାସର କେତେକେତେ ଉଦାହରଣ ରହିଛି । ବିଶ୍ଵାସ ପ୍ରେରଣା ଦିଏ, ଏବଂ ଜଣେ କବି ସେହି ପ୍ରେରଣାରୁ ପ୍ରଭୂତ ଭାବରେ ଲାଭବାନ୍ ହୋଇଥାଏ । ବିଶ୍ଵାସ ଆଗକୁ ଆଗକୁ ପରିଚାଳିତ କରିନିଏ-। ମାତ୍ର ସେଗୁଡ଼ିକୁ ଆମେ ପୃଥିବୀରେ ଘଟିଥିବା ପ୍ରକୃତ ଘଟଣା ବୋଲି କଦାପି ସ୍ଵୀକାର କରିବା ନାହିଁ । ପୁରାଣ ଯେପରି ଇତିହାସ ନୁହେଁ, ବିଶ୍ଵାସର ସତ୍ୟଗୁଡ଼ିକ ସେହିପରି ଆଦୌ ଇତିହାସ ନୁହେଁ । ମାତ୍ର, ଯାହା ଜୀବନରେ ସେହି ବିଶ୍ଵାସ ସମ୍ଭବ ହୋଇଛି ଏବଂ ଯିଏ ସେହି ବିଶ୍ଵାସ ଅନୁସାରେ ପରିଚାଳିତ ହୋଇଛି, ତା’ପାଇଁ ତାହା ଅବଶ୍ୟ ଏକ ସତ୍ୟ ଘଟଣା । ତା’ର ଅନ୍ତଃପୃଥିବୀରେ ଘଟିଥିବା ଏକ ଘଟଣା । ଆମେ ତାହାକୁ କଦାପି ଅସ୍ଵୀକାର କରିପାରିବା ନାହିଁ-। ମାତ୍ର ତାହାହିଁ ଯାବତୀୟ ସାହିତ୍ୟ–ସମ୍ଭାବନାର ଏକମାତ୍ର ଉତ୍ସ ବା କାରଣ ବୋଲି ଯଦି କେହି ଦାବି କରି ବାହାରିବ, ତେବେ ତାହାକୁ ଭ୍ରାନ୍ତ ବୋଲି କୁହାଯିବ । ଆମ ଦେବତାମାନେ ସମସ୍ତେ ଆମରିଦ୍ଵାରା ତିଆରି । ଠିକ୍ ସେହିପରି ଆମର ସାହିତ୍ୟ ମଧ୍ୟ ଆମରିଦ୍ଵାରା ତିଆରି । ଆମରିଦ୍ଵାରା ଏହି ପୃଥିବୀରେ ତିଆରି । ପୃଥିବୀକୁ ଅନୁଭବ କରି ଓ ପୃଥିବୀକୁ ବଞ୍ଚି ଆମ ଭିତରେ ସେଗୁଡ଼ିକର ଯେଉଁ ସୃଜନାତ୍ମକ ଅନୁସ୍ପନ୍ଦନମାନ ହୋଇଛି ଏବଂ ଆମ ଭିତରୁ କେତେ ବ୍ୟକ୍ତି ସେହି ଅନୁସ୍ପନ୍ଦନଗୁଡ଼ିକୁ ଯେତେବେଳେ ଭାଷାରେ ବ୍ୟକ୍ତ କରିବାକୁ ନିଜ ଭିତରୁ ଏକ ପ୍ରୟୋଜନ ଅନୁଭବ କରିଛନ୍ତି, ସେତିକିବେଳେ ସାହିତ୍ୟ ସମ୍ଭବ ହୋଇଛି ।

 

ସେହି ପ୍ରୟୋଜନର ଏକ ପରମ୍ପରା ରହିଛି । ସମ୍ଭବତଃ ସେହି ଅନୁସ୍ପନ୍ଦନର ମଧ୍ୟ ଏକ ପରମ୍ପରା ରହିଛି । ବହୁ ପ୍ରାଚୀନ ଯୁଗର ମନୁଷ୍ୟମାନେ ସେହି ପରମ୍ପରା ମଧ୍ୟରେ ବଢ଼ି ଆସିଛନ୍ତି, ଲାଳିତ ହୋଇ ଆସିଛନ୍ତି । ଏକ କ୍ରମ-ବିକାଶଧାରାର ଅଲଗାଅଲଗା ସ୍ଥାନୀୟ ସ୍ରୋତର ପ୍ରଭାବରେ ପୃଥିବୀରେ ବିଭିନ୍ନ ଭାଷାର ସୃଷ୍ଟି ହୋଇଛି । ଭାଷାମାନେ ମନୁଷ୍ୟର ଅଭିବ୍ୟକ୍ତ-ବାସନାକୁ ମାଧ୍ୟମ ଯୋଗାଇ ଦେଇଛନ୍ତି, ଏବଂ ସେହି ଅନୁସାରେ ସାହିତ୍ୟକୁ କ୍ରମେ ଅମୁକ ବା ସମୁକ ଭାଷାର ସାହିତ୍ୟ ବୋଲି କହିଛନ୍ତି । ଆପଣାର ଭାଷା, ଭୂମି ତଥା ସ୍ଥାନୀୟ ସ୍ଵତନ୍ତ୍ରତାଗୁଡ଼ିକ ବିଷୟରେ ମନୁଷ୍ୟ ଅଧିକ ସଚେତନ ହେବା ସଙ୍ଗେ ସଙ୍ଗେ ଏବଂ ସେଗୁଡ଼ିକ ସହିତ ତା’ର ଆତ୍ମୀୟତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସିଏ ତାହାକୁ ମୋ ସାହିତ୍ୟ, ମୋ ଭାଷାର ସାହିତ୍ୟ ଅଥବା ମୋ ଜାତିର ସାହିତ୍ୟ ବୋଲି କହିଛି । ଏପରି କହି ଗର୍ବ ଅନୁଭବ କରିଛି । ନିଜ ଭିତରେ ଏକ ପ୍ରସାରଣ ଅନୁଭବ କରିଛି । ଆପଣାର ସେହି ସାହିତ୍ୟ ମାଧ୍ୟମରେ ସେ ନିଜର ଭୂମି, ଭାଷା ଏବଂ ସ୍ଥାନୀୟ ସ୍ଵତନ୍ତ୍ରତାଗୁଡ଼ିକ ସହିତ କେତେ ଏକାତ୍ମତା ଅନୁଭବ କରିଛି, ଏକାତ୍ମତା ଅନୁଭବ କରି ଧନ୍ୟ ହୋଇଛି । କୌଣସି ଭାଷାର ସାହିତ୍ୟ କିମ୍ବା କୌଣସି ଜାତିର ସାହିତ୍ୟ କହିଲେ ଆମେ ସବା ଆଗ ସେହି ଏକାତ୍ମକତାକୁହିଁ ବୁଝିବା । ‘ମୋ’ ସାହିତ୍ୟ ଅର୍ଥାତ୍‍ ମୁଁ ଯେଉଁ ଭୂମିରେ ଜନ୍ମଗ୍ରହଣ କରିଛି ଓ ଯେଉଁ ଭୂମିକୁ ମୁଁ ମୋ’ ଭୂମି ବୋଲି କହି ଶିଖିଛି, ସେହି ଭୂମିର ସାହିତ୍ୟ, ଯେଉଁ ଭାଷାରେ ମୁଁ ଯାବତୀୟ ଭାବନାକୁ ଭାବିଛି, ଯେଉଁ ଭାଷାରେ ମୁଁ ସ୍ୱପ୍ନ ଦେଖିଛି ଅର୍ଥାତ୍ ଅତୀତ ଏବଂ ଭବିଷ୍ୟତ ମଧ୍ୟକୁ କେତେକେତେ ପ୍ରବେଶ କରି ମୁଁ ତାହାରି ପରିପ୍ରେକ୍ଷୀରେହିଁ ମୋ ବର୍ତ୍ତମାନଟିର କଳନା ଓ ଅବଧାରଣା କରିଛି, ମୋ ସାହିତ୍ୟ ହେଉଛି ସେହି ଭାଷାର ସାହିତ୍ୟ । ସେଥିଲାଗି ତାହା ମୋର ଏତେ ପ୍ରିୟ, ମୋ’ ଲାଗି ଏତେ ବଡ଼ ଓ ଏତେ ପ୍ରେରଣାମୟ । ମୋ’ ଭୂମି ଓ ମୋର ଭୂମି ଯେପରି କେବଳ ମୋର ସମ୍ପତ୍ତି ନୁହେଁ, ମୋର ସାହିତ୍ୟ ମଧ୍ୟ ସେହିପରି କେବଳ ମୋର ସମ୍ପତ୍ତି ନୁହେଁ, ଅର୍ଥାତ୍‍, ମୁଁ ସେଗୁଡ଼ିକୁ ଆଦୌ ଅଧିକାର କରି ରହିନାହିଁ, ବରଂ ଅନେକ ଦୃଷ୍ଟିରୁ ମୁଁ ସେଗୁଡ଼ିକଦ୍ଵାରା ଅଧିକୃତ ହୋଇ ରହିଛି । ଅଧିକୃତ ହୋଇ ଧନ୍ୟ ହୋଇଛି । ମୋ’ ଭୂମିଦ୍ୱାରା ଅଧିକୃତ ହୋଇ ମୁଁ ଛିଡ଼ା ହେବାପାଇଁ ନିଜ ଗୋଡ଼ତଳେ ଭୂଇଁଟିଏ ପାଇଛି । ମୋ’ ଭାଷାଦ୍ୱାରା ଅଧିକୃତ ହୋଇ ମୁଁ ଭିତରର କଥାଗୁଡ଼ିକୁ ବାହାରେ କହିପାରିବା ଲାଗି ନିର୍ମଳ ମାଧ୍ୟମଟିଏ ପାଇଛି । ମୋ’ କଥାକୁ ଯେ ଅନ୍ୟ ଅନେକେ ଶୁଣିପାରିବେ ଏବଂ ବୁଝିବେ, ସେହି ଅମୂଲ୍ୟ ପ୍ରତ୍ୟୟଟିକୁ ପାଇଛି । ଏବଂ ମୋ’ ସାହିତ୍ୟଦ୍ୱାରା ଅଧିକୃତ ହୋଇ ମୁଁ ନିଜ ଜୀବନରେ ଏକ ନିର୍ଦ୍ଦିଷ୍ଟ ସୃଜନାତ୍ମକ ପରମ୍ପରାର ଦାୟାଦ ହୋଇପାରିଛି ।

 

ସମାଜ

 

ମଣିଷର ସମାଜ ମଣିଷଦ୍ୱାରା ଗଢ଼ାଯାଇଛି । ଜୀବନରେ ବହୁ ପ୍ରୟୋଜନଦ୍ଵାରା ପରିଚାଳିତ ଓ ପ୍ରେରିତ ହୋଇ ମନୁଷ୍ୟମାନେ ସେମାନଙ୍କର ସମାଜକୁ ଗଢ଼ିଛନ୍ତି । ଏହି ଗଢ଼ା ଆଦୌ କେଇଟା ଦିନରେ ହୋଇନାହିଁ, ପୂର୍ବରୁ ତିଆରି ହୋଇଥିବା କୌଣସି ଯୋଜନା କିମ୍ବା ଚିଠା ଅନୁସାରେ ହୋଇନାହିଁ । ସମାଜ ଏବେ ମଧ୍ୟ ଗଢ଼ା ହେଉଛି । ଆବହମାନ କାଳ ଲାଗି ତାହା ଏହି ମଣିଷଦ୍ୱାରା ଗଢ଼ା ହେଉଥିବ । ଯେକୌଣସି କଳାକାର ଏବଂ କାରିଗର ପରି ମଣିଷ ତା’ ସମାଜରେ କେତେକଅଣ ଭାଙ୍ଗୁଥିବ ଓ କେତେକଅଣ ଗଢ଼ି ଦେଉଥିବ । ଏହି ଭାଙ୍ଗିବା ଓ ଗଢ଼ିବାର, ପୁଣି ଭାଙ୍ଗି ପୁଣି ଗଢ଼ିବାର କାହାଣୀଟି ହେଉଛି ମଣିଷର ଇତିହାସ, ଏହି ପୃଥିବୀରେ ମାନବ-ସମାଜର ଇତିହାସ । ସମାଜ ହେଉଛି ଏକ ପ୍ରକ୍ରିୟା । ମନୁଷ୍ୟର ଅନ୍ତର୍ଗତ ତଥା ବହିଃସ୍ଥ ଉଭୟ ଆବଶ୍ୟକତାଦ୍ଵାରା ସଞ୍ଚାଳିତ ହୋଇ ଏହି ପ୍ରକ୍ରିୟା ଲାଗିରହି ଆସିଛି, କାଳକାଳକୁ ଲାଗି ରହିଥିବ । ପୃଥିବୀର ଅଧିକାଂଶ ଧର୍ମ ସମାଜ ବିଷୟରେ ଏହି ବ୍ୟାଖ୍ୟାଟିକୁ ମୋଟେ ସ୍ଵୀକାର କରି ନାହାନ୍ତି । ଭଗବାନ ଆଦେଶ ଦେଇ ଏତେଟା ବା ସେତେଟା ଦିନରେ ଏହି ଜଗତକୁ ତିଆରି କରିଛନ୍ତି ବୋଲି ପୃଥିବୀର ପବିତ୍ର ଧର୍ମପୁସ୍ତକମାନଙ୍କରେ ଲେଖା ହୋଇଛି । ଆମର ଏହି ବିଜ୍ଞାନ ଯୁଗରେ ମନୁଷ୍ୟମାନେ ଅନ୍ୟ ଆହ୍ଵାନ ଏବଂ ଅନ୍ୟ ବିଶ୍ଵାସଗୁଡ଼ିକ ଭିତରକୁ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଧର୍ମପୁସ୍ତକଗୁଡ଼ିକରେ ଲେଖା ହୋଇଥିବା ସେହି ପୁରାତନ ବିଶ୍ଵାସଟି ମଣିଷମାନଙ୍କର ପ୍ରତ୍ୟୟକୁ ଆଉ ସେତେବେଶୀ ପରିମାଣରେ ଛୁଇଁ ପାରୁନାହିଁ । ସ୍ଵର୍ଗବାସୀ କୌଣସି ଦେବତା ଅଥବା ଦିବ୍ୟକର୍ତ୍ତାଙ୍କର ବରାଦରେ ପୃଥିବୀସ୍ଥ ମଣିଷର ଏହି ସମାଜର ଦୈର୍ଘ୍ୟ ପ୍ରସ୍ଥଗୁଡ଼ିକୁ ନିର୍ଦ୍ଧାରିତ କରାଯାଇଛି ବା କରାଯାଉଛି ବୋଲି ଗ୍ରହଣ କରିନେବାକୁ ମଣିଷର ବିବେକ ଆଉ ଆଦୌ ମାନିନେବାକୁ ରାଜି ହେଉନାହିଁ । ନିଜ ଭିତରେ ସିଏ ସତେଅବା ଅନ୍ୟ ଏକ ଦେବତାର ସନ୍ଧାନ ପାଇଛି । ତାହାକୁ ସେ ନିଜର ଚେତନା ବୋଲି ଜାଣୁଛି । ସେହି ଚେତନା ତାକୁ ଏହି ପୃଥିବୀର ବାଟକୁ ଚାଲିବାପାଇଁ ନୂଆ ନୂଆ ମୂଲ୍ୟବୋଧ ଆଣି ଯୋଗାଇ ଦେଉଛି । ସେହି ଚେତନା ତା’ ବାହାରେ ତାଙ୍କୁ ଅନ୍ୟ ମଣିଷମାନଙ୍କ ସହିତ ଏକ ପାରସ୍ପରିକତାରେ ବାନ୍ଧି ରଖିଛି ।

 

ଏହି ପାରସ୍ପରିକତା ହେଉଛି ମଣିଷର ସମାଜ । ପ୍ରତ୍ୟେକ ବ୍ୟକ୍ତି ହେଉଛି ଏହି ସମାଜରେ ଗୋଟିଏ ଗୋଟିଏ ଏକକ, ଯେଉଁମାନେ କି ନାନା ପାରସ୍ପରିକତାର ପ୍ରୟୋଜନରେ ପରସ୍ପର ସହିତ ବାନ୍ଧି ହୋଇ ରହିଛନ୍ତି । ଅନେକ ଦର୍ଶନ ରହିଛି, ଯେଉଁମାନେକି ବ୍ୟକ୍ତିକୁ ସମାଜଠାରୁ ଅଲଗା କରି ଦେଖିଛନ୍ତି । ଏପରି ଅନେକ ବାଦ ବା ସିଦ୍ଧାନ୍ତ ରହିଛି, ଯେଉଁମାନେ କି ବ୍ୟକ୍ତି ଆଗ ଏବଂ ସମାଜ ପଛ, ଅର୍ଥାତ୍‍ ବ୍ୟକ୍ତି ମୁଖ୍ୟ ଏବଂ ସମାଜ ଗୌଣ ବୋଲି କହିଥାନ୍ତି । ଆହୁରି ଅନ୍ୟମାନେ ଅନ୍ୟ ପକ୍ଷରେ ରହି ସମାଜକୁ ଆଗ ଏବଂ ବ୍ୟକ୍ତିକୁ ପଛ ବୋଲି କହିଥାନ୍ତି । ଏହି ଦୁଇଟିଯାକ ମତକୁ ନେଇ ପୃଥିବୀର ଇତିହାସରେ ଦୁଇଭଳି ରାଷ୍ଟ୍ରବାଦ ଏବଂ ରାଷ୍ଟ୍ରୀୟତା ଗଢ଼ି ଉଠିଛି । ମାଳିମାନେ ଥିବେ ଅଥଚ ସୂତା ନଥିବ କିମ୍ବା ସୂତାଟିଏ ଥିବ, ଅଥଚ ମାଳିମାନେ ନଥିବେ,–ତେବେ ଆଦୌ କୌଣସି ମାଳା ଗୁନ୍ଥାହୋଇ ପାରିବ ନାହିଁ । ତେବେ ଆମେ କାହାକୁ ଆଗ ବୋଲି କହିବା ଓ କାହାକୁ ପଛ ବୋଲି କହିବା, ଆମର ସାମୂହିକ ଜୀବନରେ କାହାକୁ ଅଧିକ ଗୁରୁତ୍ଵ ଦେବା ଓ କାହାକୁ କମ୍ ଗୁରୁତ୍ଵ ଦେବା ? ହୁଏତ ଏପରି ଗୋଟିଏ ସିଦ୍ଧାନ୍ତରେ ଆସି ପହଞ୍ଚିବାକୁ ହେବ ଯେ, ଏଇଟି ଅଛି, ତେଣୁ ସେଇଟି ଅଛି; ସେଇଟି ଅଛି, ତେଣୁ ଏଇଟି ଅଛି । ଦୁଇଟିଯାକ ଆବହମାନ କାଳରୁ ରହିଛନ୍ତି । ଗୋଟିଏ ଗୋଟିଏ ସମାଜ ନାନାବିଧ ପାରିବେଶିକ ନିୟନ୍ତ୍ରଣଦ୍ଵାରା ବାଧ୍ୟ ହୋଇ ଦୁଇଟି ମଧ୍ୟରୁ ଏଇଟିକୁ ବା ସେଇଟିକୁ ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ମାନିଛନ୍ତି ଏବଂ ସେହି ଅନୁସାରେ ଗୋଟିଏ ସମାଜରେ ବ୍ୟକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଦିଶିଛି ଏବଂ ସେହିପରି ଆଉ ଗୋଟିଏ ସମାଜରେ ସମାଜ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଦିଶିଛି । ଏକ ଭାଗ୍ୟବାଦୀ ସମାଜରେ, ଅର୍ଥାତ୍‍ ପ୍ରତ୍ୟେକ ମଣିଷକୁ ତା’ର ପୂର୍ବନିର୍ଦ୍ଧାରିତ କର୍ମଟିକୁ ଭୋଗ କରିବାକୁ ଅବଶ୍ୟ ପଡ଼ିବ ବୋଲି ଘୋଷଣା କରୁଥିବା ସମାଜରେ ଏକ ଅମୂର୍ତ୍ତ, ଅଦୃଶ୍ୟ ନିୟତି ବ୍ୟକ୍ତି ତଥା ସମୂହ ଉଭୟଙ୍କର ପଥ ଉପରେ ସତେଅବା ଅଲଂଘ୍ୟ ପଥରପରି ଛିଡ଼ା ହୋଇରହିଛି, ବ୍ୟକ୍ତି ଏବଂ ସମୂହ ଉଭୟର ଉଦୟକୁ ତାହା ବାଟ ଓଗାଳି ରହିଛି, ଏବଂ ଜାଗୃତ ବ୍ୟକ୍ତି ଚିରକାଳ ତା’ର ସମାଜକୁ କେତେକେତେ ଆଡ଼କୁ ଅଗ୍ରସର ଏବଂ ସନ୍ଦୀପିତ କରି ନେବାରେ ସବୁଠାରୁ ଅଧିକ ଶକ୍ତିଶାଳୀ କାରଣ ଭାବରେ କାର୍ଯ୍ୟ କରିଛି ଓ ଏକ ଚେତନାବନ୍ତ ଜାଗରୁକ ସମାଜହିଁ ସେହି ସମାଜରେ ବାସ କରୁଥିବା ବ୍ୟକ୍ତିମାନଙ୍କୁ ଅଧିକ ସାମର୍ଥ୍ୟଯୁକ୍ତ ହୋଇପାରିବା ନିମନ୍ତେ ସମର୍ଥ ପରିବେଶଗୁଡ଼ିକୁ ଆଣି ଯୋଗାଇ ଦେଇଛି । ଏକ ସୁସ୍ଥ ସମାଜରେ ବ୍ୟକ୍ତି ତଥା ସମାଜ ପରସ୍ପରକୁ କେବେହେଲେ ଈର୍ଷା କରନ୍ତି ନାହିଁ ।

 

ଗୋଟିଏ ସମାଜ କହିଲେ ଯେ ସେହି ସମାଜରେ ବାସ କରୁଥିବା ମନୁଷ୍ୟମାତ୍ରକେ ପ୍ରତ୍ୟେକଙ୍କୁ ବୁଝାଏ, ତାହା ହେଉଛି ଏକାବେଳକେ ଏବର କଥା । ବହିରେ ତ କେତେକଅଣ ଲେଖାଯାଇଛି ଏବଂ ମହାନ୍ ଆତ୍ମାମାନେ କେତେକଅଣ ସ୍ଵପ୍ନ ଦେଖିଛନ୍ତି; ମାତ୍ର ଗୋଟିଏ ସମାଜ କହିଲେ, ସେହି ସମାଜରେ ବାସ କରୁଥିବା ଅଧିକାଂଶତଃ ମାତ୍ର କେତେ ଜଣଙ୍କୁ, କେତେକ ଶ୍ରେଣୀ ବା କେତେକ ଗୋଷ୍ଠୀଙ୍କୁ ବୁଝାଇଛି । ଆମ ଭାରତବର୍ଷର ମହା ମହା ଋଷିମାନେ ପ୍ରତ୍ୟେକ ମଣିଷ ଏପରିକି ପ୍ରତ୍ୟେକ ପଦାର୍ଥ ଭିତରେ ଭଗବାନ ବିରାଜିତ ରହିଛନ୍ତି ବୋଲି କହିଛନ୍ତି ଏବଂ ଆମ ଦେବ-ମନ୍ଦିରଗୁଡ଼ିକରେ ସେଗୁଡ଼ିକ ଦେବତାମାନଙ୍କର ସ୍ତୁତିରୂପେ ବୋଲାଯାଉଛି । ମାତ୍ର ସମାଜରେ ଜାତିପ୍ରଥା ରହିଛି,, ଜାତିଭେଦ ରହିଛି । ବଡ଼ ସାନ ରହିଛନ୍ତି, ଭାଗ୍ୟବନ୍ତ ଓ ଭାଗ୍ୟହୀନମାନେ ରହିଛନ୍ତି, ସବର୍ଣ୍ଣ ଓ ଅସବର୍ଣ୍ଣ ରହିଛନ୍ତି । ସେହି ଭେଦଗୁଡ଼ାକର ପଙ୍କ କାଦୁଅ ଏବେ ମଧ୍ୟ ଆମ ଦେହରେ ଲାଗିଛି । ପୁରାତନ ଗ୍ରୀସ୍‍ରେ ଯେଉଁ ଗଣତନ୍ତ୍ର ଚଳୁଥିଲା, ସେଥିରେ ନାଗରିକଙ୍କ ଡିହରେ ସମସ୍ତଙ୍କୁ ସ୍ଵୀକାର କରାଯାଉ ନଥିଲା । କ୍ରୀତଦାସମାନେ ନାଗରିକ ନଥିଲେ, ଜଣେ ନାଗରିକ ତା’ର ଜୀବନକୁ ନିଜ ମନମୁତାବକ ବଞ୍ଚିବ ବୋଲି ତା’ ପାଖରେ ହାରାହାରି ଚାରିଜଣ କ୍ରୀତଦାସ ପରିକର ହୋଇ ରହିବା ଆବଶ୍ୟକ ହେଉଥିଲା । ସମାଜର ପୁରୁଷମାନେ ସଚରାଚର ନାରୀମାନଙ୍କୁ ଭଗବାନଙ୍କର ଏକ ନିକୃଷ୍ଟତର ସୃଷ୍ଟି ବୋଲି ଜ୍ଞାନ କରି ଆସିଛନ୍ତି । ଏବେ ମଧ୍ୟ ଜ୍ଞାନ ଏବଂ ବିଜ୍ଞାନର ଯାବତୀୟ ଆହ୍ଵାନ ଏବଂ ଅବଦାନ ଏକାବେଳକେ ଆମ ଦୁଆରବନ୍ଧ ପାଖରେ ଆସି ପହଞ୍ଚି ଯାଇଥିଲେ ମଧ୍ୟ ପୃଥିବୀର ଅଧିକାଂଶ ସମାଜରେ ନାନାବିଧ ଦୂରତା ରହିଛି, ଅଳପ ମଣିଷ ଅଧିକରୁ ଅଧିକ ଭୋଗ ଭିତରେ ରହିବେ ବୋଲି ଅଧିକ ମଣିଷକୁ ଅଳପ ମଧ୍ୟରେ ରହିବାକୁ ବାଧ୍ୟ କରାଯାଉଛି । ପୃଥିବୀର ସର୍ବାଧିକ ବିକ୍ଷୋଭ ଏବଂ ବିଦ୍ରୋହ ଏହି ଅସମତା ବିରୋଧରେ ହୋଇଛି । ତଥାପି ଅସମାନତା ଯାଇନାହିଁ ।

 

ଇଉରୋପର କାର୍ଲ୍ ମାର୍କସ୍‍ହିଁ ସମ୍ଭବତଃ ସମାଜ କହିଲେ ସେଥିରେ ବାସ କରୁଥିବା ସବୁ ମଣିଷଙ୍କୁ ବିଚାରକୁ ନେବାଲାଗି ବିଶ୍ଵର ବିବେକକୁ ବିଶ୍ଵର ଇତିହାସରେ ସର୍ବପ୍ରଥମେ ବାଧ୍ୟ କରିଥିଲେ । ସେ ଏପରି ଏକ ସାମୂହିକତା ଓ ସମୂହ-ବ୍ୟବସ୍ଥାର ସ୍ଵପ୍ନ ଦେଖିଥିଲେ, ଯେଉଁଥିରେ କି ମଣିଷ ମଣିଷ ମଧ୍ୟରେ ରହିଥିବା ଅସମାନତା ହୁଏତ ଆଦୌ ରହିବ ନାହିଁ । ପ୍ରତ୍ୟେକ ବ୍ୟକ୍ତିର ମୁକ୍ତ ବିକାଶକୁ ମାଧ୍ୟମ କରି ସମସ୍ତଙ୍କର ମୁକ୍ତ ବିକାଶ ସେତେବେଳେ ସମ୍ଭବ ହେବ । ମାର୍କସ୍‍ଙ୍କ ପରବର୍ତ୍ତୀ ଶହେବର୍ଷ ଭିତରେ ସେହି ବିଚାର ପୃଥିବୀରେ ଅଧିକରୁ ଅଧିକ ମନୁଷ୍ୟଙ୍କର ବିବେକକୁ ଓ ଚେତନାକୁ ସ୍ପର୍ଶ କରୁଛି, କ୍ରମେ ତାହା ସତେଅବା ଗୋଟିଏ ବିଶ୍ୱମୟ ଆସ୍ପୃହାରେ ପରିଣତ ହୋଇଛି । ପୃଥିବୀର ଅଧିକାଂଶ ଉଦ୍‍ବେଳନ ସେହି ବିଚାରଟାକୁ କେନ୍ଦ୍ର କରି ହୋଇଛି । ସେଭଳି ଏକ ସ୍ତରକୁ ନିଜ ଭିତରେ ଆରୋହଣ କରିପାରି ନାହାନ୍ତି ବୋଲି ମନୁଷ୍ୟମାନେ ସେହି ବିଚାରଟିକୁ ନେଇ ରାଜନୀତି ଓ ରାଷ୍ଟ୍ରୀୟ କ୍ଷମତାର କ୍ଷେତ୍ରରେ ବିଡ଼ମ୍ବିତ ହୋଇଛନ୍ତି ଓ ବାଟଗୁଡ଼ିକ ଅବାଟ ବୋଲି ପ୍ରମାଣିତ କରିଛନ୍ତି । ତଥାପି ସମାଜ, ଦେଶ ଓ ରାଷ୍ଟ୍ର କହିଲେ ଯେ ସର୍ବଦା ସବୁ ମଣିଷକୁ ବୁଝାଇବ, ସେହି ବିଶ୍ଵାସଟି ଅଧିକ ବଳବତ୍ତର ହେବାରେ ଲାଗିଛି । ପୃଥିବୀର ରାଜନୀତିକ ବିବର୍ତ୍ତନରେ ସେଇଟିହିଁ ସବୁଠାରୁ ଅଧିକ ଶକ୍ତିଶାଳୀ ଚୁମ୍ବକରୂପେ କାର୍ଯ୍ୟ କରିଛି ।

 

ଆମ ସମାଜ ଜଣେ ଜଣେ ବ୍ୟକ୍ତି ହିସାବରେ ଆମ ପ୍ରତ୍ୟେକଙ୍କର ଉଦୟ ଲାଗି ଉତ୍ତରୋତ୍ତର ଅନୁକୂଳ ପରିବେଶ ଯୋଗାଇ ଦେବ, ଆଧୁନିକ ଜ୍ଞାନ ଓ ବିଜ୍ଞାନ ସେହିଭଳି ଗୋଟିଏ ପରିବେଶକୁ ସମ୍ଭବ କରାଇ ଆଣିବାରେ ଆମର କାମରେ ଲାଗିଥିବ; ଏବଂ ବ୍ୟକ୍ତି ଆପଣାର ଉତ୍ତରୋତ୍ତର ବିକାଶ ସାଧନ କରି, ଅଧିକରୁ ଅଧିକ ଯୋଗ୍ୟତା ଏବଂ ପରିପୂର୍ଣ୍ଣତା ହାସଲ କରି ନିଜର ସମାଜକୁ ଅଧିକ ଅଗ୍ରସର ଏବଂ ଅଧିକ ଅନୁକୂଳ କରାଇ ନେବାରେ ପୂର୍ଣ୍ଣ ଇଚ୍ଛୁକ ରହି କାର୍ଯ୍ୟ କରୁଥିବ-ଏକ ସୁନ୍ଦର ଓ ସୁଷମ ସମାଜ କହିଲେ ସେହିଭଳି ଏକ ସ୍ଥିତିକୁ ବୁଝିବା । ନୂଆ ସମ୍ଭାବନାର ବୃହତ୍ତର ପରିଧିଗୁଡ଼ିକ କ୍ରମଶଃ ଖୋଲି ଯାଉଥିବା ସଙ୍ଗେ ସଙ୍ଗେ ପୁରୁଣା ବାଡ଼ଗୁଡ଼ିକର ଯାବତୀୟ ମୋହ ଆମ ଲାଗି ଅନାବଶ୍ୟକ ବୋଧ ହେଉଥିବ । ଭବିଷ୍ୟତ ଭିତରକୁ ମଣିଷର ସ୍ଵପ୍ନଗୁଡ଼ିକ ସାକାର ଭାବରେ ପ୍ରସାରିତ ହୋଇଯାଉଥିବା ସଙ୍ଗେ ସଙ୍ଗେ ମନୁଷ୍ୟ ତା’ ଅତୀତର ଯାବତୀୟ ଫାଶ ଭିତର ସତକୁସତ ମୁକୁଳି ଆସି ପାରୁଥିବ । ନୂଆ ଆତ୍ମାଟିଏ ଲାଭ କରିବା ଲାଗି ସେ ପୁରୁଣା ଖୋଳଗୁଡ଼ାକୁ ଛାଡ଼ି ଦେଇ ଆସି ପାରୁଥିବ, ପୂର୍ଣ୍ଣରୁ ପୂର୍ଣ୍ଣତର ହେବା ଲାଗି ଯଥାର୍ଥ ଶ୍ରଦ୍ଧା ରଖିଥିବ, ଯଥାର୍ଥ ଭାବନାଗୁଡ଼ିକୁ ଗ୍ରହଣ କରିପାରୁଥିବ । ତେବେଯାଇ ବ୍ୟକ୍ତି ଆଗକୁ ଯିବ, ସମାଜ ମଧ୍ୟ ଆଗକୁ ଯିବ । ଉଭୟ ଉଭୟଙ୍କର ପରିପୂରକ ହୋଇ ରହିଥିବେ, ଆଗକୁ ଯାଉଥିବେ-

 

ସଂସ୍କୃତି

 

ଯଦି ସମାଜକୁ ଦେହ ବୋଲି ଧରାଯାଏ, ତେବେ ସଂସ୍କୃତି ହେଉଛି ସେହି ଦେହର ଆଖି । ଆଖିଟିଏ ଥାଏ, କାରଣ ଦେହ ଭିତରେ ହୃଦୟଟିଏ ରହିଥାଏ । ଯେଉଁ ସବୁ ସାମଗ୍ରୀକୁ ନେଇ କୌଣସି ସମାଜ ରହିଛି, ତାହା ହେଉଛି ସଭ୍ୟତା । ଯାହାପାଇଁ ମଣିଷ ବଞ୍ଚୁଛି, ସେଇଟି ହେଉଛି ମଣିଷର ସଂସ୍କୃତି । ସଭ୍ୟତା ହେଉଛି ବାହନ, ସଂସ୍କୃତି ହେଉଛି ସେହି ବାହନ ଉପରେ ପ୍ରତିଷ୍ଠିତ ହୋଇ ରହିଥିବା ଓ ବାହନକୁ ଚଳାଉଥିବା ଦେବତା-ମଣିଷ ନିଜେ, ତା’ର ଯାବତୀୟ ମୂଲ୍ୟବୋଧ । ସେହି ମୂଲ୍ୟବୋଧ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇପାରେ, ଅତ୍ୟନ୍ତ ପ୍ରଶସ୍ତ ହୋଇପାରେ । ମଣିଷର ସଂସ୍କୃତି ସଂକୀର୍ଣ୍ଣ ହେଲେ ମଣିଷର ଚାରିପଟେ କୁବେରପୁରୀ ତାକୁ ଘେରି ରହିଥିବା ସଭ୍ୟତା ବହୁତ ପ୍ରମୋଦରବି କାରଣ ହୋଇପାରେ ।

 

ପୃଥିବୀ ସଭ୍ୟତା ସତତ ଆଗକୁ ବଢ଼ି ବଢ଼ି ଯାଉଛି । ଆଗେ ମଣିଷମାନଙ୍କ ପାଖରେ ସାମଗ୍ରୀ କମ୍ ଥିଲା । ତଥାପି ସେତିକିରେ ଚଳିବାକୁ ପଡ଼ୁଥିଲା । ଆବଶ୍ୟକତା କମ୍ ଥିଲା, କାରଣ ନୂତନ ଆବଶ୍ୟକତାର ବୋଧ ଆଣି ଦେବାକୁ ଏବଂ ମନୁଷ୍ୟର ବୁଦ୍ଧିକୁ ସେହି ଦିଗରେ ତତ୍ପର କରି ରଖିବାକୁ ମଣିଷ ପାଖରେ ସାଧନ ମଧ୍ୟ ଅତ୍ୟନ୍ତ କମ୍ ଥିଲା । ନିଜର ସାମର୍ଥ୍ୟ ଓ ସମ୍ବଳ ଅତ୍ୟଳ୍ପ ଥିବାରୁ ମନୁଷ୍ୟମାନେ ପ୍ରାୟ ଧର୍ମତଃ ଭାଗ୍ୟବାଦୀ ଥିଲେ, କର୍ମବାଦୀ ଥିଲେ । ସମାଜରେ ମଣିଷର ସମ୍ବଳଗୁଡ଼ିକ ଅଳ୍ପ ଥିବାରୁ ଭାଗ୍ୟବାଦ ଓ କର୍ମବାଦରେ ବିଶ୍ଵାସହିଁ ତତ୍କାଳୀନ ସମାଜମାନଙ୍କରେ ମନୁଷ୍ୟର ସର୍ବପ୍ରଧାନ ଅବଲମ୍ବନ ହୋଇ ରହିଥିଲା । ମଧ୍ୟଯୁଗ ପର୍ଯ୍ୟନ୍ତ ସାଧାରଣତଃ ପୃଥିବୀଯାକର ମଣିଷମାନେ ଭାଗ୍ୟବାଦୀ ଥିଲେ, କର୍ମବାଦୀ ଥିଲେ । ସେମାନେ ରଜାର, ଭାଗ୍ୟବାନ ଅଳ୍ପସଂଖ୍ୟକ ମନୁଷ୍ୟଙ୍କର ଏବଂ ଭଗବାନଙ୍କର ଦୟା ଉପରେ ନିର୍ଭର କରି ରହୁଥିଲେ-। ସବଳ ରଜା ବା ସବଳ ଦୟାବନ୍ତ ପରି ଭଗବାନଙ୍କୁ ମଧ୍ୟ ଅତ୍ୟନ୍ତ କ୍ରୂର ବୋଲି ବିଚାର କରାଯାଉଥିଲା । ଭଗବାନଙ୍କୁ ନାନାଭାବେ ତୁଷ୍ଟ କରି ତାଙ୍କୁ ଯଥାସମ୍ଭବ କମ୍ କ୍ରୂର କରି ରଖିବାକୁ ପ୍ରୟାସ କରାଯାଉଥିଲା । ସେତେବେଳେ ବନ୍ୟା, ବାତ୍ୟା, ଭୂମିକମ୍ପ, ପ୍ରଭୃତି ପ୍ରାକୃତିକ ଘଟଣାକୁ ମଧ୍ୟ ଭଗବାନଙ୍କର କୋପ ବୋଲି କୁହାଯାଉଥିଲା । ଫଳିତ ଜ୍ୟୋତିଷର ସାହାଯ୍ୟ ନେଇ ରୋଗ ଓ ମହାମାରୀ ପ୍ରଭୃତିକୁ ମଧ୍ୟ ଗ୍ରହମାନଙ୍କର କୋପ ବୋଲି ବ୍ୟାଖ୍ୟା କରାହେଉଥିଲା-। ମନୁଷ୍ୟମାନେ ସେହି କଥାଗୁଡ଼ିକୁ ମାନି ନେଉଥିଲେ । ଅତ୍ୟନ୍ତ ଅଳପ ମଣିଷଙ୍କର ଜ୍ଞାନ ଅର୍ଜନ ଲାଗି ଅଧିକାର ଥିଲା । ଅଳପ ମଣିଷ ଭୋଗର ଅଧିକାରୀ ହେବାର ସ୍ଵୀକୃତି ପାଇଥିଲେ-। ଅଧିକାଂଶ ମଣିଷ ଅସହାୟ ହୋଇ ରହିଥିଲେ ।

 

ବିଜ୍ଞାନଦ୍ଵାରାହିଁ ମନୁଷ୍ୟ ଆଧୁନିକ ସଂସାର ଭିତରକୁ ଆସିଲା । ବିଜ୍ଞାନ ମଣିଷ ଭିତରେ ନୂଆ ପ୍ରତ୍ୟୟ ଯୋଗାଇ ଦେଲା । ନିଜର ସଂଗ୍ରାମଟିରେ ଜୟୀ ହେବାକୁ ତା’ ହାତରେ ନୂତନ ଆୟୁଧ ଆଣି ଦେଲା, ତା’ ହୃଦୟରେ ତଥା ଦେହରେ ନୂଆ ନୂଆ ଆଖି ଆଣି ଖଞ୍ଜି ଦେଲା । ତା’ ଚେତନାର ପ୍ରସ୍ଥ ବଦଳିଗଲା ଏବଂ ତେଣୁ ଦୂରତାଗୁଡ଼ିକ କ୍ରମେ ହଟିଯିବାକୁ ଲାଗିଲେ । ବାହାରର ଦୂରତାମାନେ ହଟିଯିବା ସଙ୍ଗେ ସଙ୍ଗେ ମଣିଷର ଭିତରେ ରହିଥିବା ବହୁଦୂରତା ମଧ୍ୟ ଏଣିକି ହଟିଯାଉ ବୋଲି ବିଜ୍ଞାନ ସଙ୍ଗେ ସଙ୍ଗେ ଅବା ଏକ ନୂତନ ଆହ୍ଵାନ ବହନ କରି ମଣିଷ ପାଖରେ ପହଞ୍ଚିଲା । ଆପଣାର ଭାଗ୍ୟ, ଆପଣାର ଧର୍ମ ଆପଣାର ସାମର୍ଥ୍ୟ ଏବଂ ଆପଣାର ବିବେକ–ମଣିଷଗୁଡ଼ିକୁ ସତେଅବା ଏକ ନୂତନ ଅନ୍ତର୍ଦୃଷ୍ଟି ସହିତ ଦେଖିବାକୁ ଆରମ୍ଭ କଲା । ଆପଣାକୁ ଅକିଞ୍ଚନ ବୋଲି ଭାବିବାକୁ ତାକୁ ଆଉ ଭଲ ଲାଗିଲା ନାହିଁ, ଅତ୍ୟଧିକ ପରିମାଣରେ ଦୈବନିର୍ଭର ହୋଇ ରହିବାକୁ ସେ ଏକ ଲଜ୍ଜାକର ବ୍ୟାପାର ବୋଲି ଅନୁଭବ କଲା । ସେ ନିଜ ଭିତରେ ଭଗବାନକୁ ଦେଖିଲା । ବାହାରର ଭଗବାନମାନେ ତାକୁ ଗୋଟିଏ ଗୋଟିଏ ପିତୁଳା ପ୍ରାୟ ମନେ ହେଲେ । ଆଧୁନିକ ମଣିଷ ପୌତ୍ତଳିକ ହେବାକୁ ମନା କରିଦେଲା । ନିଜ ବିଷୟରେ, ନିଜର ଜୀବନ ବିଷୟରେ ତା’ ଭିତରେ ଏକ ନୂତନ ସମ୍ମାନବୋଧ ଜନ୍ମଗ୍ରହଣ କଲା । ଅନ୍ୟମାନଙ୍କୁ ମଧ୍ୟ ସେ ସେହି ସମ୍ମାନ ଦେଇ ଦେଖିବାକୁ ଶିକ୍ଷା କଲା । ଏକାବେଳକେ ଏକ ନୂତନ ଆଧ୍ୟାତ୍ମିକତା ପୃଥିବୀ ଉପରେ ସମ୍ଭବ ହୋଇ ଆସିଲା । ଏକାଧିକ କାରଣରୁ ଯେଉଁମାନେ ଅର୍ଥାତ୍‍ ଯେଉଁସବୁ ସମାଜ ଏହିସବୁ ନବଘଟନ ଓ ନବଉଦ୍‍ବେଳନର ପରିଧି ବାହାରେ ରହିଗଲେ, ସେମାନେ ସେହି ପୁରୁଣା ସହିତ ବାନ୍ଧି ହୋଇ ରହିଲେ; ପୁରୁଣା ବିଧି,ପୁରୁଣା ଅସହାୟତା ଏବଂ ପୁରାତନ ମୋହଗୁଡ଼ିକ ଭିତରେ ରହିଗଲେ ।

 

ବିଜ୍ଞାନର ପ୍ରୟୋଗ ଓ କୌଶଳମାନ ପୃଥିବୀରେ ମନୁଷ୍ୟର ସଭ୍ୟତାକୁ ଉତ୍ତରୋତ୍ତର ଭାବରେ ଆଗେଇ ନେଇ ଯାଉଥିବ ଏବଂ ଏକ ବୈଜ୍ଞାନିକ ଦୃଷ୍ଟିକୋଣ ମନୁଷ୍ୟର ସଂସ୍କୃତିକୁ ନୂଆ ନୂଆ ଅବୟବ ଅର୍ଥାତ୍‍ ନୂଆ ନୂଆ ସାକାରତା ଦେବାରେ ଲାଗିଥିବ । ମନୁଷ୍ୟର ସମାଜ ନୂଆ ନୂଆ ସ୍ୱପ୍ନ ଦେଖିବାଲାଗି ସାହସୀ ହେବାରେ ଲାଗିଥିବ, ଅତି ପ୍ରାଚୀନ କାଳରେ ମାନବସମାଜର କ୍ରାନ୍ତଦର୍ଶୀମାନେ ମନୁଷ୍ୟକୁ ଭୂମି କରି ଯେଉଁ ବଳ, ଯେଉଁ ଶୌର୍ଯ୍ୟ ଓ ଯେଉଁ ମହନୀୟତାର କଳ୍ପନା କରିଥିଲେ, ପୃଥିବୀରେ ସମସ୍ତେ ସୁଖୀ ହୋଇ ରହିବେ, ନିରାମୟ ରହିବେ, ଶୁଭହିଁ ଦେଖିବେ ଏବଂ ତେଣୁ ଯାବତୀୟ ଦୁଃଖରୁ ମୁକ୍ତ ହୋଇ ରହିବେ ବୋଲି କେତେ ଉଲ୍ଲାସର ସହିତ ଯାହା ଘୋଷଣା କରିଥିଲେ, ଆଧୁନିକ ପୃଥିବୀର ମନୁଷ୍ୟ ଅଧିକରୁ ଅଧିକ ସଂସ୍କୃତିସଚେତନ ହୋଇ ସେହିସବୁ ସ୍ଵପ୍ନକୁ ମୂର୍ତ୍ତ ରୂପ ଦେବାଲାଗି ପ୍ରୟାସ କରିବ, ସତ୍ୟଯୁଗକୁ କୃତଯୁଗରେ ପରିଣତ କରିବ, ଧରଣୀପୃଷ୍ଠରେ ଦେବତାର ଅବତରଣ ଘଟାଇବ । ବିଷୟ ବଢ଼ୁଛି, ବଢ଼ିବାରେ ଲାଗିଥିବ,-ମାତ୍ର ମଣିଷ ତା’ ଭିତରେ ବୁଡ଼ି ଯିବ ନାହିଁ, ପଙ୍କ ପିଇ ସ୍ଥୂଳ ହୋଇ ରହିବ ନାହିଁ,–ସିଏ ସେହି ସଭ୍ୟତା ଉପରେ ପହଁରି ଶିଖିବ, ପୃଥିବୀକୁ ଏକ ନୂଆ ଲକ୍ଷ୍ୟରେ ନେଇ ପହଞ୍ଚାଇ ପାରିବାକୁ ସିଏ ନିଜ ଜୀବନରେ ପାହାଚ ପାହାଚ ହୋଇ ଉଠିଯିବ । ଶ୍ରଦ୍ଧାରେ ବଢ଼ୁଥିବ, ଆତ୍ମଉନ୍ମୋଚିତରେ ବଢ଼ୁଥିବ, ଆପଣାର ବୋଧ୍ୟ ଓ ସାଧ୍ୟ ଯାବତୀୟ ପରିଧିଠାରୁ ଆହୁରି ବୃହତ୍ତର ହୋଇ ରହିଥିବା କୌଣସି ସତ୍ୟକୁ ଭୁବନରୂପୀ ଏହି ଭୂମି ଉପରେ ଅବତୀର୍ଣ୍ଣ କରାଇ ଆଣିବା ଲାଗି ସେ ଜୀବନ ବଞ୍ଚୁଥିବ । ଅଧିକରୁ ଅଧିକ ନିବିଡ଼ ଭାବରେ ପରସ୍ପରକୁ ଲୋଡ଼ୁଥିବ; ସତତ ବାଟ ଚାଲୁଥିବ । ଏଇଟି ତା’ର ସଂସ୍କୃତି । ତା’ ସହିତ ତା’ ଭଗବାନ ମଧ୍ୟ ବାଟ ଚାଲୁଥିବେ, ତାକୁ ଉତ୍ସାହିତ ଏବଂ ଉଚ୍ଚାରିତ କରି ବାଟ ଚାଲୁଥିବେ । ଏହିପରି ଭାବରେ ଦେଖିଲେ, ଆମ ସଂସ୍କୃତି ହେଉଛି ଏକ ଚେତନାର କାହାଣୀ, ଏକ ବାଟ ଚାଲିବାର କାହାଣୀ, ସଚେତନ ନିତ୍ୟସଚଳତାର କାହାଣୀ ।

 

ଅନେକ ମଣିଷ ଏପରି ଅଛନ୍ତି ଯେଉଁମାନେ କି ଆଖିକୁ ଯାହା ଯିଏ ଭାବୁଥାଉ ପଛକେ, ଆଖି ଉପରେ ପିନ୍ଧା ଯାଇଥିବା ଚଷମାଟିକୁହିଁ ସଂସ୍କୃତି ବୋଲି ଭାବନ୍ତି । ଦେହଟା ଉପରେ ସଜାହୋଇ ରହିଥିବା ଅଳଙ୍କାରଗୁଡ଼ିକୁ ସେମାନେ ସଂସ୍କୃତି ବୋଲି କହନ୍ତି ଓ ତେଣୁ ଅଧିକରୁ ଅଧିକ ଅଳଙ୍କାର ପଛରେ ଧାଇଁଥାନ୍ତି ଓ ଅଧିକରୁ ଅଧିକ ମଣ୍ଡନଦ୍ଵାରା ଆପଣାକୁ ଭୂଷିତ କରି ରଖିଥାନ୍ତି । ପ୍ରାୟ ସେହିପରି ଏକ ଯୁକ୍ତିଦ୍ଵାରା ପରିଚାଳିତ ହୋଇ ସେମାନେ ସଙ୍ଗୀତ, ନୃତ୍ୟ, ଆସର ଓ ବାସରଗୁଡ଼ିକୁ ସଂସ୍କୃତି ବୋଲି କହନ୍ତି । କମ, କାରିଗରୀ, ପଥର ମୂର୍ତ୍ତି, ପୁରୁଣା ମୂର୍ତ୍ତି,–ଏସବୁକୁ ଘର ଭିତରେ ଆଣି ଭିଡ଼ କଲେ ମଣିଷ ଅଧିକ ସଂସ୍କୃତିସମ୍ପନ୍ନ ହୋଇଥାଏ ବୋଲି ଲୋକମାନେ ବିଶ୍ଵାସ କରନ୍ତି । ସୌନ୍ଦର୍ଯ୍ୟର ଉପାସନା କହିଲେ କେତେ ମଣିଷ କେତୋଟି ସୁନ୍ଦର ବସ୍ତୁକୁ ଆଣି ନିଜ ଘର ଭିତରେ ଜମାକରି ରଖିବାର ଏକ ବିଶେଷ ସଉକକୁ ବୁଝନ୍ତି । ସେମାନଙ୍କର କାନ୍ଥରେ ଅମୁକ ଝୁଲୁଥାଏ, ଘରର ଚଟାଣ ଉପରେ ଅମୁକ ପଡ଼ିଥାଏ ଅଥବା ଘରର କଣକୁ ଏକ ବୃହତ୍ ପ୍ରସ୍ତରନିର୍ମିତ ନର୍ତ୍ତକୀ ମୂର୍ତ୍ତି କେଉଁଠି ରଖାହୋଇ ତୁମ ଆଡ଼କୁ ନିର୍ନିମେଷ ନେତ୍ରରେ ଅନାଇ ରହିଥାଏ । ଏହି ବସ୍ତୁଗୁଡ଼ିକ ତୁମ ଘରକୁ ଆସିଲେ ତୁମର ସଂସ୍କୃତି ଯେ ଅବଶ୍ୟ ବଢ଼ିଯାଏ, ସେକଥା କଦାପି କୁହାଯାଇପାରିବ ନାହିଁ । ବସ୍ତୁର ସଂଗ୍ରହ ସଂସ୍କୃତି ନୁହେଁ, ଅଧିକାର ଓ ଭୋଗ ମଧ୍ୟ ସଂସ୍କୃତି ନୁହେଁ । ଯୋଗ୍ୟ ହେବା ହେଉଛି ସଂସ୍କୃତି । ଯେଉଁ ମାଳୀ ଦେହାଶ୍ରମ ସହିତ ଅନୁରାଗ ମିଶାଇ ବଗିଚା ଭିତରେ ଫୁଲ ଫୁଟାଉଛି ଓ ଯେଉଁ ଗୃହସ୍ଵାମୀ ସେହି ଫୁଲଟିକୁ ଖିଆଲ ହେବାମାତ୍ରକେ ଛିଣ୍ଡାଇ ନେଇ ଭୋଗ କରିପାରୁଛି, ଦୁହିଁଙ୍କ ମଧ୍ୟରୁ କାହାକୁ ସଂସ୍କୃତିର ପରିମଳ କ୍ଷେତ୍ରରେ ପ୍ରକୃତରେ ଭଦ୍ର ଓ ପ୍ରକୃତରେ ରୁଚିଯୁକ୍ତ ବୋଲି କୁହାଯିବ ? ଯାବତୀୟ କୃଷ୍ଟି ପଛରେ ଏକ ଅନୁରାଗଯୁକ୍ତ କର୍ଷଣ ଅବଶ୍ୟ ରହିଥାଏ । ସଂସ୍କୃତି ଭିତରେ ପ୍ରବେଶ କରି ଜଣେ ମନୁଷ୍ୟ ସବାଆଗ କିଛି ହେବାକୁ ମନ କରେ, କିଛି ଦେବାକୁ ମନ କରେ, ଏକାତ୍ମକ ହେବାକୁ ମନ କରେ, ଏକାତ୍ମକତାରୁ ଆନନ୍ଦ ଲାଭ କରେ ।

 

ବ୍ୟକ୍ତିର ସଂସ୍କୃତି ପରି ଗୋଟିଏ ସମୂହରବି ସଂସ୍କୃତି । ଯେଉଁ ସମୂହ ସେଥିରେ ବାସ କରୁଥିବା ବ୍ୟକ୍ତିମାନଙ୍କୁ କିଛି ହେବାଲାଗି, ବୃହତ୍ତର କୌଣସି ଜୀବନମୂଲ୍ୟକୁ ଚକ୍ଷୁ ସମକ୍ଷରେ ରଖି ବାଟ ଚାଲିବାକୁ ଉଦ୍‍ବୁଦ୍ଧ କରେ ଓ ସେଥିଲାଗି ପରିପାର୍ଶ୍ଵଟିକୁ ଅଧିକରୁ ଅଧିକ ଅନୁକୂଳ କରି ରଖିବାଲାଗି ଉଦ୍ୟମ କରୁଥାଏ, ସେହି ସମୂହରେ ସଂସ୍କୃତି ଅଧିକ ପ୍ରାଣୋଚ୍ଛଳ ଓ ଅଧିକ ଚାକ୍ଷୁଷ ହୋଇ ରହିଥାଏ । ଯେଉଁ ସମୂହଟିର ଯାବତୀୟ ପ୍ରବର୍ତ୍ତନା ବ୍ୟକ୍ତିକୁ ଭୋଗ ଆଡ଼କୁ, ଆତ୍ମସାତ କରିବା ଆଡ଼କୁ, ଅନ୍ୟ ଅନେକଙ୍କୁ ବଞ୍ଚିତ କରି ଆପେ ଅଧୀଶ୍ଵର ହୋଇ ବସିବାକୁ, ଅଧିକରୁ ଅଧିକ ଆତ୍ମକାମୀ ଓ ବସ୍ତୁକାମୀ ହେବାକୁ ଫୁସଲାଇବାରେ ଅଥବା ଉତ୍ତେଜିତ କରି ରଖିବାରେ ଲାଗିଥାଏ, ସେଠାରେ ସକଳ ଆଡ଼ମ୍ବର ସତ୍ତ୍ୱେ ଅସଲ ସଂସ୍କୃତି ମାଡ଼ ଖାଇଯାଏ । ମଣିଷର ଅସଲ ବାଟ ଚାଲିବା ହେଉଛି ତା’ର ଭିତରେ; ଯେଉଁ ସମୂହ ଓ ସାମୂହିକ ବ୍ୟବସ୍ଥା ମନୁଷ୍ୟମାନଙ୍କୁ ସବାଆଗ ସେଇଥିଲାଗି ଉଦ୍‍ବୁଦ୍ଧ କରି ରଖିଥାଏ, ତାହା ମଣିଷ ସକାଶେ ଅତ୍ୟନ୍ତ ସ୍ଵାସ୍ଥ୍ୟକର ହୁଏ । ନଚେତ୍, ପରିସ୍ଥିତି ଅତ୍ୟନ୍ତ ହାସ୍ୟକର ହୋଇ ରହିଥାଏ; ବସ୍ତୁଗୁଡ଼ାକ ସାତ ମଣିଷର ଉଚ୍ଚରେ ଗଦାହୋଇ ରହିଥାଆନ୍ତି, ଅଥଚ ପ୍ରାୟ କାହାରି ପାଖରେ ଜୀବନଟିଏ ବଞ୍ଚିବାର ଆସ୍ପୃହା ନଥାଏ; ଯଥାସମ୍ଭବ ଅଧିକରୁ ଅଧିକ ଉଚ୍ଚତାନରେ କହିପାରିବାର ଯନ୍ତ୍ର ମଧ୍ୟଦେଇ ଶବ୍ଦଗୁଡ଼ିକ, ମନ୍ତ୍ରଗୁଡ଼ିକ, ସ୍ତୋତ୍ରଗୁଡ଼ିକ କାନ ଉପରେ ଅଜାଡ଼ି ହୋଇ ପଡ଼ୁଥାଏ । ମାତ୍ର କେହି ଜଣେହେଲେ ତପସ୍ୟାରେ ବସି ନଥାନ୍ତି; ମନ୍ଦିରମାନଙ୍କରେ ପ୍ରଦର୍ଶନ ଲାଗିଥାଏ; ଭିଡ଼ ଲାଗିଥାଏ, ପ୍ରମତ୍ତ ପୁଣ୍ୟକାମୀ ଓ ପ୍ରମତ୍ତ ପୂଜକମାନଙ୍କର ଉଚ୍ଚ ରାବରେ ସତେଅବା ସମୁଦ୍ରରେ ଅତଡ଼ା ଖସୁଥିବା ପରି ବୋଧ ହେଉଥାଏ । ମାତ୍ର ଉତ୍ସର୍ଗୀକୃତ କେହି ଜଣେହେଲେ ସେଠାକୁ ଆସି ନଥାନ୍ତି । ସେଠାରେ ଭଗବାନଙ୍କ ନାମରେ ବଜାର ବସିଥାଏ; ଏବଂ ହୁଏତ ବହି ପରେ ବହି ଲେଖା ହେଉଥାଏ, ଶଗଡ଼ ପରେ ଶଗଡ଼ ଭର୍ତ୍ତି ହୋଇ କାମୁକମାନଙ୍କୁ ଆହୁରି କାମାର୍ତ୍ତ କରିବାର କାରଣ ହୋଇଥାଏ ସତ, ମାତ୍ର ସାହିତ୍ୟ କୋଉଠି ହେଲେ ନଥାଏ ।

Image

 

ଦ୍ଵିତୀୟ ପରିଚ୍ଚେଦ

ସାହିତ୍ୟ-ସମାଜ-ସଂସ୍କୃତି

 

ସମାଜ ଓ ସାହିତ୍ୟ

 

ସମାଜ କେବଳ ମଣିଷର ଅଛି । କେବଳ ମଣିଷହିଁ ଜଣେ ବ୍ୟକ୍ତି ହିସାବରେ ଆପଣା ବିଷୟରେ ସଚେତନ ହୋଇପାରେ । ଇତର ପ୍ରାଣୀମାନଙ୍କର ସମାଜ ନାହିଁ; ସେମାନେ ପଲଭିତରେ ରହନ୍ତି, ପଲଭିତରେହିଁ ଜୀବନଧାରଣ କରିଥାନ୍ତି । ସେମାନଙ୍କର ଭାବନା ନଥାଏ, କଳ୍ପନାବି ନଥାଏ; ତେଣୁ ଆମେ ମନୁଷ୍ୟ-ସମାଜରେ ଯାହାକୁ ଆତ୍ମସଚେତନତା ବୋଲି କହୁ, ସେଇଟି ଇତର ପ୍ରାଣୀମାନଙ୍କର ନଥାଏ । ଏକ ସହଜାତ ପ୍ରବୃତ୍ତିଦ୍ୱାରା ପରିଚାଳିତ ହୋଇ ସେମାନେ ଯାହାକିଛି କରନ୍ତି । ନିଜ ପ୍ରକୃତିଦ୍ଵାରାହିଁ ଚାଳିତ ହୁଅନ୍ତି । ସେଥିଲାଗି ଗୋଟିଏ ପ୍ରାଣୀଜାତି ଭିତରେ ଗୋଟିଏ ପ୍ରାଣୀ ଓ ଆଉ ଗୋଟିଏ ପ୍ରାଣୀର ଆଚରଣ ମଧ୍ୟରେ ମୂଳଭୂତ କୌଣସି ଫରକ ନଥାଏ । ଗୋଟିଏ ପିମ୍ପୁଡ଼ି ଯେଉଁଭଳି ଆଚରଣ କରେ, ଆଉ ଗୋଟିଏ ପିମ୍ପୁଡ଼ି ନ୍ୟାୟତଃ ପ୍ରାୟ ସେହିଭଳି ଆଚରଣ କରିଥାଏ । ଗୋଟିଏ ହାତୀ ବା ବାଘ ଯେଉଁଭଳି ଆଚରଣ କରେ, ଆଉ ଗୋଟିଏ ହାତୀ ବା ବାଘ ନ୍ୟାୟତଃ ପ୍ରାୟ ସେହିପରି ଆଚରଣ କରିଥାଏ । ମଣିଷବେଳକୁ ଏକ କଥାଟି ଏକାବେଳକେ ଅଲଗା ପ୍ରକାରର ହୁଏ । ପୃଥିବୀରେ ଏପରି ଦୁଇଜଣ ମଣିଷ ମଧ୍ୟ ଆମକୁ କଦାପି ମିଳିବେ ନାହିଁ, ଯେଉଁମାନେ କି ଭିତରେ ବାହାରେ ସମ୍ପୂର୍ଣ୍ଣ ଏକାଭଳି ହୋଇ ରହିଥାନ୍ତି । ସେମାନେ ହୁଏତ ଗୋଟିଏ ସମାଜରେ ଥାଇପାରନ୍ତି, ଗୋଟିଏ ଭାଷା କହୁଥାଇପାରନ୍ତି, ଏପରିକି ଏକା ବାପା ମାଆଙ୍କଠାରୁ ଜନ୍ମ ହୋଇଥାଇପାରନ୍ତି । ପ୍ରତ୍ୟେକ ବ୍ୟକ୍ତିର ଅନ୍ୟ ଯେକୌଣସି ବ୍ୟକ୍ତିଠାରୁ ଏକ ଅନନ୍ୟତା, ଏକ ସ୍ଵତନ୍ତ୍ରତା ବା ଏକ ନିଜସ୍ଵତା ଥାଏ । ତାହାକୁ ତାହାର ବ୍ୟକ୍ତିତ୍ୱ ବୋଲି କୁହାଯାଏ ।

 

ମନୁଷ୍ୟର ସମାଜ ବହୁହଜାର ବର୍ଷର ପୁରୁଣା । ପ୍ରତ୍ୟେକ ମନୁଷ୍ୟ ଯେପରି ଜଣେ ବ୍ୟକ୍ତି ହିସାବରେ ତା’ର ସ୍ଵକୀୟ ବ୍ୟକ୍ତିତ୍ୱର ବିକାଶ କରିପାରିବ, ପ୍ରତ୍ୟେକ ସମାଜ ସେଥିଲାଗି ତାକୁ ଯଥାସମ୍ଭବ ଅନୁକୂଳ ପରିବେଶ ଓ ଅନୁକୂଳ ପ୍ରେରଣା ଯୋଗାଇ ଦେବ, ମନୁଷ୍ୟର ଯାବତୀୟ ସାମାଜିକତାର ତାହାକୁହିଁ ଧର୍ମ ବୋଲି କୁହାଯିବ । ପ୍ରତ୍ୟେକ ମନୁଷ୍ୟର ଅନନ୍ୟତାକୁ ସ୍ଵୀକାର କରିବା, ସେହି ଅନନ୍ୟତାକୁ ସମ୍ମାନ ଦେବା ଓ ତାହାର ବିକାଶ ନିମନ୍ତେ ତାକୁ ଆବଶ୍ୟକ ପରିବେଶ ଓ ଆବଶ୍ୟକ ସ୍ଵାଧୀନତା ଯୋଗାଇଦେବା,–ଏହିପରି ଗୋଟିଏ ମାନଦଣ୍ଡ ଉପରେ ଆମେ ହୁଏତ ଯେକୌଣସି ସମାଜ ଏକ ମୂଲ୍ୟାଙ୍କନ କରିପାରିବା । ପୃଥିବୀର ଆଦିମଯୁଗରେ ମନୁଷ୍ୟମାନଙ୍କର ଯେଉଁ ସମାଜ ରହିଥିଲା ଏବଂ ଆମର ଏ ଯୁଗରେ ମଧ୍ୟ ପୃଥିବୀର ନାନା ଦେଶରେ ଯେଉଁସବୁ ଆଦିମ ସମାଜ ରହିଛି, ସେଠାରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପ୍ରାୟ କୌଣସି ବିଶେଷତ୍ଵ ଦେଖିବାକୁ ମିଳେନାହିଁ । ସେହିସବୁ ସମାଜରେ ଏକ ଚିରାଚରିତ ସାମୂହିକତାହିଁ ସତେଅବା ମନୁଷ୍ୟମାନଙ୍କର ଏକମାତ୍ର ଧର୍ମ ହୋଇ ରହିଥାଏ । ସମସ୍ତେ ଏକାଭଳି ଆଚରଣ କରନ୍ତି, ଏକାଭଳି ବଞ୍ଚନ୍ତି, ଏକାଭଳି ପର୍ବ ପାଳନ କରନ୍ତି ଓ ପ୍ରାୟ ଏକାଭଳି ଚିନ୍ତା କରନ୍ତି । ବ୍ୟକ୍ତିର ସ୍ତରରେ ବିଚାର ଅଥବା ବିବେକ ନାମକ କୌଣସି ବସ୍ତୁର ଉନ୍ମୋଷହିଁ ହୋଇ ନଥାଏ । ସମୂହରେ ନିୟମଗୁଡ଼ିକୁ ମାନି ଚଳିବାକୁହିଁ ଏକମାତ୍ର ଭଦ୍ରତା ବୋଲି କୁହାଯାଏ, ସେହି ନିୟମରୁ ଏତେଟିକିଏ ବ୍ୟତିକ୍ରମ ଘଟାଇଲେ ତାହାକୁ ସତେଅବା ସବୁଠାରୁ ବଡ଼ ପାପ ବୋଲି ବିଚାର କରାଯାଏ ।

 

ସମାଜର ବିବର୍ତ୍ତନରେ ମନୁଷ୍ୟ ଯେତିକି ଯେତିକି ଆଗକୁ ଆସିଛି, ସମାଜରେ ମନୁଷ୍ୟ ଆପଣାକୁ ଜଣେ ବ୍ୟକ୍ତି ହିସାବରେ ସେତିକି ଅଧିକ ଆବିଷ୍କାର କରିବାକୁ ସମର୍ଥ ହେଉଛି । ଆଗକାଳରେ ଯିଏ ଅନ୍ୟ ସମସ୍ତଙ୍କ ପରି ଚିନ୍ତା କରୁ ନଥିଲା, ଅନ୍ୟ ସମସ୍ତଙ୍କ ପରି ଆଚରଣ କରିପାରୁ ନଥିଲା; ପଲରୁ ବାହାର ବୋଲି ଧରାପଡ଼ି ଯାଉଥିଲା, ସମାଜର ଶାସନ ତାହାକୁ ଅପରାଧୀ ବୋଲି ଘୋଷଣା କରୁଥିଲା । ପ୍ରାଚୀନ ଓ ମଧ୍ୟଯୁଗର ରାଜତନ୍ତ୍ର ପ୍ରଧାନତଃ ସେହି ଆଚାର ଅନୁସାରେ ଚଳୁଥିଲେ । ସେତେବେଳେ ରାଜ୍ୟମାନଙ୍କରେ ଧର୍ମରେ ବ୍ୟବସ୍ଥା ମଧ୍ୟ ପ୍ରାୟ ସେହିପରି ଥିଲା, ଶାସ୍ତ୍ରଗୁଡ଼ାକ ମଧ୍ୟ ସେହିଭଳି ଲେଖା ହେଉଥିଲା । ସେହିସବୁ ସମାଜରେ ଠାକୁରମାନଙ୍କୁ ମଧ୍ୟ ଅନୁରୂପ ଭାବରେ କ୍ରୂର ବୋଲି କଳ୍ପନା କରାଯାଉଥିଲା । ଆମର ଏହି ବିଂଶ ଶତାବ୍ଦୀରେ ମଧ୍ୟ ନାନାଭଳି ରାଜନୈତିକ ଏକାଦର୍ଶର ଦ୍ଵାହି ଦେଇ ଯେଉଁସବୁ ଦେଶରେ ଏକଛତ୍ରବାଦ ଶାସନ କରୁଥିଲା ବା ଏବେ ମଧ୍ୟ କରୁଛି, ସେଠାରେ ରାଜ୍ୟର ଯାବତୀୟ ବେଭାର ଓ ବ୍ୟବସ୍ଥା ସେହିପରି ଭାବରେ ଚାଲୁଥିଲା ବା ଏବେ ମଧ୍ୟ ଚାଲିଛି । ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ କରି ବିଂଶ ଶତାବ୍ଦୀ ମଧ୍ୟକୁ ସଂକ୍ରାମିତ ହୋଇ ଜାତୀୟତାବାଦ ନାମରେ ଯେଉଁ ତଥାକଥିତ ଆଦର୍ଶଟି କେତେକେତେ ସମାଜର ମନୁଷ୍ୟମାନଙ୍କୁ ନାନାଭାବେ ଉତ୍‍ପ୍ରେରିତ କରି ରଖିଥିଲା ଓ ଏବେ ମଧ୍ୟ ଅଳ୍ପବହୁତେ ଉତ୍‍ପ୍ରେରିତ ଏବଂ ଉତ୍ତେଜିତ କରି ରଖିଛି, ସେଠାରେ ମଧ୍ୟ ବ୍ୟକ୍ତି ଉପରେ ସମୂହକୁ ଘୋଡ଼ା ଚଢ଼ାଇ ଦିଆଯାଇଛି ଓ ଯାଉଛି । ମାତ୍ର, ଅସଲ କଥା ହେଉଛି, ସମୂହ କଦାପି ଭାବେ ନାହିଁ, ସମୂହ ସ୍ଵପ୍ନ ଦେଖେ ନାହିଁ ବା କୌଣସି କଳ୍ପନା କରେ ନାହିଁ; ବ୍ୟକ୍ତିହିଁ ଭାବେ, କଳ୍ପନା କରେ ବା ସ୍ଵପ୍ନ ଦେଖେ । ଯେଉଁ ସମାଜରେ ବ୍ୟକ୍ତିର ସେହି ସ୍ଵାଭାବିକ ଅଧିକାରଟିକୁ ଯଥାର୍ଥ ମୂଲ୍ୟ ଦେଇ ସ୍ଵୀକାର କରିନିଆ ଯାଇଥାଏ, ସେହିଠାରେହିଁ ସାହିତ୍ୟରୂପୀ ଫୁଲବଗିଚାଟି ଅଧିକ ଉଜ୍ଜ୍ୱଳ ଏବଂ ଅଧିକ ମହିମାନ୍ୱିତ ହୋଇ ଅଭିବ୍ୟକ୍ତି ଲାଭ କରିବାରେ ସୁଯୋଗ ପାଏ ।

 

ଅନେକାନେକ ସମାଜ ରହିଥିଲା ଓ ଏବେ ମଧ୍ୟ ରହିଛି, ଯେଉଁଠାରେ ମାତ୍ର କେତେକ ବ୍ୟକ୍ତିଙ୍କର ପ୍ରତିଭାକୁ ବିଶେଷ ଭାବରେ ସୁଯୋଗ ଦେବାର ଅଭିପ୍ରାୟରେ ଅନ୍ୟମାନଙ୍କୁ ଅବର ଏବଂ ଇତର କରି ରଖାଯାଇଥିଲା ଓ ଏବେ ମଧ୍ୟ ରଖାଯାଇଛି । ଏହି କ୍ଷେତ୍ରରେ ପାରମ୍ପରିକ ଭାରତବର୍ଷକୁ ଏକ ଦୃଷ୍ଟାନ୍ତରୂପେ ଗ୍ରହଣ କରାଯାଇପାରିବ । ଭାରତବର୍ଷର କେତେକ ଦର୍ଶନ ମନୁଷ୍ୟମାତ୍ରକେ ସମସ୍ତଙ୍କ ଭିତରେ ପରମସତ୍ତା ବା ପରମସତ୍ୟ ନିହିତ ହୋଇ ରହିଛି ବୋଲି ଘୋଷଣା କରୁଥିଲେ; ମାତ୍ର ଯେଉଁ ସମାଜରେ ମନୁଷ୍ୟମାନେ ସେମାନଙ୍କର ବାସ୍ତବ ଜୀବନଗୁଡ଼ିକୁ ବଞ୍ଚୁଥିଲେ, ସେଠାରେ ଭିନ୍ନ ଭିନ୍ନ ଜାତି ରହୁଥିଲେ, ଜାତି ଅନୁସାରେ ମନୁଷ୍ୟମାନେ ଉଚ୍ଚନୀଚ ହୋଇ ରହିଥିଲେ ଏବଂ ଅନୁରୂପ ଭାବରେ ସୁବିଧାଗୁଡ଼ିକୁ ଭୋଗ କରୁଥିଲେ ଅଥବା ସୁବିଧାଗୁଡ଼ିକରୁ ବଞ୍ଚିତ ହୋଇ ରହିଥିଲେ । ସେତେବେଳେ ସାହିତ୍ୟକାରମାନେ ପ୍ରାୟ ନିୟମତଃ ରାଜସଭାରେ ଥିଲେ, ରାଜାକୁ ନରରୂପୀ ଦେବତା ବୋଲି କହୁଥିଲେ; ସେମାନେ ସେହି ରାଜ୍ୟର ଖାଉଥିଲେ, ରାଜ୍ୟର ଗାଉଥିଲେ । ସାମନ୍ତବାଦୀ ସମାଜମାନଙ୍କରେ ସାହିତ୍ୟ ମଧ୍ୟ ସାମନ୍ତମାନଙ୍କ ଆଡ଼କୁ ଆଉଜି କରି ରହିଥାଏ । ଅଳପ ମଣିଷଙ୍କୁ ଭାଗ୍ୟବାନ ପରି ବଞ୍ଚିବାର ପ୍ରାୟ ସବୁମନ୍ତେ ସୁଯୋଗ ଦେଇ ଏବଂ ସେଥିପାଇଁ ଅଧିକରୁ ଅଧିକ ମନୁଷ୍ୟଙ୍କୁ ସେମାନଙ୍କର ସର୍ବନିମ୍ନ ସୁଯୋଗଗୁଡ଼ିକରୁ ମଧ୍ୟ ବଞ୍ଚିତ କରି ଭାରତବର୍ଷ ଏକ ଜନସମୂହ ହିସାବରେ ଆପଣାକୁ ଯେ କେତେଭାବେ ପ୍ରଦୂଷିତ ଓ ବିଡ଼ମ୍ଵିତ କରି ରଖିଆସିଛି, ଭାରତର ଆଧୁନିକ ଓ ସାଂପ୍ରତିକ କାଳ ପର୍ଯ୍ୟନ୍ତ ମଧ୍ୟ ସେହି କଥାଟା ଆମ ଆଖି ଭିତରେ ସତେଅବା କେହି ଆଙ୍ଗୁଠି ଗେଞ୍ଚି କହି ଦେଉଥିଲା ପରି ମନେ ହୋଇଥାଏ ।

 

ସାହିତ୍ୟ ଯେ ସବୁ ଯୁଗରେ କେବଳ ରାଜାର ସ୍ତୁତିକରି ଆସିଛି, ସେକଥା ଆଦୌ ନୁହେଁ-। ସମାଜର ବ୍ୟବସ୍ଥା ଯେଉଁଭଳି ରହିଛି, ତଦ୍ଦ୍ଵାରା ସାହିତ୍ୟ ଅବଶ୍ୟ ପ୍ରଭାବିତ ହୋଇଛି । ଅନେକ ସମୟରେ ହୁଏତ ଏପରି ହୋଇଛି ଯେ ଜଣେ ସାହିତ୍ୟକାରର ଲେଖନୀରେ ତା’ର ବିବେକ କମ୍ କଥା କହିଛି ଏବଂ ତା’ ପ୍ରୟୋଜନଗୁଡ଼ାକହିଁ ଅଧିକ କହିଛି । ସମ୍ଭବତଃ ଏକଥା ମଧ୍ୟ କୁହାଯାଇପାରେ ଯେ ଗୋଟିଏ ଯୁଗର ଅଧିକାଂଶ ସାହିତ୍ୟିକ ଏବଂ ଲେଖକ ପ୍ରୟୋଜନ ଅନୁସାରେ ଯୁଗର ବୋଲକୁ, ରାଜ୍ୟର ବୋଲକୁ ଅର୍ଥାତ୍‍ କ୍ଷମତାଧୀଶର ବୋଲକୁ ମାନି ଯାଇଛନ୍ତି ଏବଂ ସେହି ଅନୁସାରେ ସାହିତ୍ୟ ଲେଖିଛନ୍ତି । ତଥାପି ଯୁଗକୁ ବଦଳାଇବାରେ ବା ସମାଜକୁ ବଦଳାଇବାରେ ମଧ୍ୟ ପୃଥିବୀର ସାହିତ୍ୟ ଯୁଗେଯୁଗେ କମ୍ ଶକ୍ତିମତ୍ତାର ପରିଚୟ ଦେଇନାହିଁ । ପ୍ରାୟ ପ୍ରତ୍ୟେକ ମଣିଷ ଭିତରେ ଯେପରି ସବୁକଥାକୁ ମାନି ଯାଉଥିବା ଓ ବୋଲ ଅନୁସାରେ ବାଟ ଚାଲୁଥିବା ବାଧ୍ୟଟିଏ ବା ସୁନା ପିଲାଟିଏ ରହିଛି, ତଥାପି ସମାନ୍ତର ଭାବରେ ସ୍ଵୀକୃତ ସତ୍ୟହିଁ ଚଳଣିଗୁଡ଼ିକର ଔଚିତ୍ୟକୁ ପ୍ରଶ୍ନ କରିପାରୁଥିବା ଓ ସେଗୁଡ଼ିକ ବିଷୟରେ ସଂଶୟ ପ୍ରକାଶ କରୁଥିବା ସାହସୀଟିଏ ମଧ୍ୟ ରହିଛି, ଠିକ୍‍ ସେହିପରି ପ୍ରତ୍ୟେକ ସାହିତ୍ୟିକ ମଧ୍ୟରେ ମାନି ଯାଉଥିବା ଓ ତଥାପି ଆହୁରି ସେ ପାଖକୁ ଦେଖୁଥିବା ଉଭୟ ଉପାଦାନ ପରସ୍ପରର ସମାନ୍ତର ହୋଇରହିଛି । ସାଧାରଣ ମାପକାଠି ଓ ମାନଦଣ୍ଡରେ ଯେତିକି ଦେଖାଯାଏ, ସାହିତ୍ୟକାରମାନେ ସଚରାଚର ତା’ଠାରୁ ଅଧିକ ଦେଖନ୍ତି । ସାଧାରଣ ମନୁଷ୍ୟମାନେ ଯେତିକିଯାଏଁ ଅନୁଭବ କରି ଅଟକି ରହିଯାଆନ୍ତି, ସାହିତ୍ୟିକ ତା’ଠାରୁ ଅଧିକ ଅନୁଭବ କରେ । ଅଧିକ ଭିତରକୁ ଯାଏଁ ଓ ଅଧିକ ନିବିଡ଼ ଭାବରେ ଅଙ୍ଗେ ନିଭାଏ-। ଅଧିକ ସମଗ୍ର ଭାବରେ ଦେଖିପାରିବା ସକାଶେ ସିଏ ସାଧାରଣଙ୍କଠାରୁ କିଞ୍ଚିତ୍‍ ଊର୍ଦ୍ଧ୍ୱକୁ ଯାଇପାରିବାର ଅନୁରାଗ ରଖିଥାଏ । ସାହିତ୍ୟିକ ତା’ର ସେପାଖକୁ ଦେଖିପାରେ, ତା’ର ସେପାଖକୁ ଅନୁଭବ କରିପାରେ । ସେଥିଲାଗି ସର୍ବଦା ତତ୍ପର ହୋଇ ରହିଥାଏ । ଭାରତୀୟ ଶାସ୍ତ୍ରରେ କବିକୁ ସେଥିପାଇଁ କ୍ରାନ୍ତଦର୍ଶୀ ବୋଲି ବ୍ୟାଖ୍ୟା କରାଯାଇଛି । କବି ବାହାରକୁ ଦେଖିବାପାଇଁ ଆମ ସମସ୍ତଙ୍କ ଭିତରେ ଥାଏ,–ତଥାପି ଆମରି ଗାରଗୁଡ଼ାକ ଭିତରେ ଆଦୌ ନଥାଏ । ଦୃଷ୍ଟ ଭିତରେ ରହି ଅଦୃଷ୍ଟ ଭିତରକୁ ବାହୁ ବଢ଼ାଇବା ଲାଗି ଅନୁକ୍ଷଣ ଇଚ୍ଛା କରୁଥାଏ-। ବର୍ତ୍ତମାନକୁ ସେ କେବଳ ବର୍ତ୍ତମାନ ଭିତରେହିଁ କିଳି କରି ଆଦୌ ଦେଖେନାହିଁ, ବର୍ତ୍ତମାନକୁ ଅତୀତ ମଧ୍ୟରୁ ପ୍ରଲମ୍ବିତ ହୋଇ ଆସିଥିବାର ଏବଂ ଅନ୍ୟପକ୍ଷରେ ଭବିଷ୍ୟତ ମଧ୍ୟକୁ ପ୍ରଲମ୍ଵିତ ହୋଇ ରହିଥିବାର ପ୍ରତ୍ୟକ୍ଷ କରିଥାଏ । ସାହିତ୍ୟର ଆଖି ହେଉଛି ଏକ ସ୍ଵତନ୍ତ୍ର ଆଖି, ଯାହା ସ୍ରଷ୍ଟାର ଆଖି । ଶାସକମାନେ ସମ୍ଭବତଃ ସେହି କାରଣରୁ ଯୁଗେଯୁଗେ ସାହିତ୍ୟକାରମାନଙ୍କୁ ଭାରି ଭୟ କରି ଆସିଛନ୍ତି । ଏକଥାରେ ଆଦୌ କୌଣସି ସନ୍ଦେହ ନାହିଁ ଯେକୌଣସି ରାଜ୍ୟରେ ବା ଦେଶରେ ଜଣେ ସାହିତ୍ୟକାର ମଧ୍ୟ ଅନ୍ୟ ନାଗରିକମାନଙ୍କ ସହିତ ଜଣେ ନାଗରିକ ହୋଇ ବାସ କରୁଥାଏ । ସାହିତ୍ୟିକ ରାଜ୍ୟର ରାଜାକୁ ରାଜା ବୋଲି ଅବଶ୍ୟ ସ୍ଵୀକାର କରେ, ମାତ୍ର ସେହି ରାଜା ତା’ ନିଜର ଭାବନାକୁ, କଳ୍ପନାକୁ ଓ ତା’ର ଦୁଃସାହସଗୁଡ଼ିକୁ ମଧ୍ୟ ଯେ ଆପଣାର ନିୟନ୍ତ୍ରଣରେ ରଖିବ, ଜଣେ ଯଥାର୍ଥ ସାହିତ୍ୟକାର ତାହାକୁ ସହଜରେ ମାନି ନିଏନାହିଁ । କାରଣ ସିଏ ସତେଅବା ଆଉ କାହାକୁ ସର୍ବୋଚ୍ଚ ବୋଲି ମାନୁଥାଏ । ତା’ ନିଜ ଭିତରେ ରହିଥିବା କଳାତ୍ମକତା ବା ସୃଜନଶୀଳତାକୁ ସର୍ବୋଚ୍ଚ ବୋଲି ମାନୁଥାଏ । ସୃଜନଶୀଳତାକୁହିଁ ଆପଣାର ଅସଲ ଗୌରବ ବୋଲି ଅନୁଭବ କରୁଥାଏ । ମନୁଷ୍ୟର ଅସଲ ସାହସ ହେଉଛି ସମ୍ଭବତଃ ଏହି ସୃଜନଶୀଳ ଭାବରେ ଜୀବନ ବଞ୍ଚିବାର ସାହସ, ଅର୍ଦ୍ଧସତ୍ୟଗୁଡ଼ିକୁ ସମସ୍ତେ ସତେଅବା ପୂର୍ଣ୍ଣ ସତ୍ୟ ବୋଲି ମାନି ଯାଉଥିବା ସମୟରେ ଅସଲ ଓ ସମଗ୍ର ସତ୍ୟଟିଏ ଆଡ଼କୁ ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରାଇବାର ସାହସ । ଆମ ପୃଥିବୀରେ ସାହିତ୍ୟ ଯେତିକି ସାହସ କରିଛି, ଚକ୍ରବର୍ତ୍ତୀ ପରମ ଦିଗ୍‍ବିଜୟୀ ରାଜା ଓ ଶାସନମାନେ ସମ୍ଭବତଃ ସେତେ ସାହସ କରିପାରିନାହାନ୍ତି । ଅସି ଓ ମସୀ ପୃଥିବୀରେ ଦୁଇଟି ବଳ ଭିତରେ ମସୀହିଁ ଚିରକାଳ ଅସି ଉପରେ ବିଜୟଲାଭ କରେ ବୋଲି ସମ୍ରାଟ ନେପୋଲିଅନ ଏକଦା ସ୍ଵୀକାର କରିଛନ୍ତି ବୋଲି କୁହାଯାଏ ।

 

ଶାସକ ସାହିତ୍ୟକୁ ଡରେ, ସମ୍ରାଟମାନେ ସାହିତ୍ୟକୁ ଡରନ୍ତି,–ଏବଂ ସେଥିଲାଗି ସେମାନେ ହୁଏତ ସାହିତ୍ୟକୁ ଦବାଇ ଦେବାକୁ ଚେଷ୍ଟା କରନ୍ତି, ସାହିତ୍ୟକାରକୁ ନାନା ଉତ୍ପୀଡ଼ନର ଧମକ ଦିଅନ୍ତି ଅଥବା ତାହାର ତୋଷଣ କରି ତାକୁ ଶୀତଳ କରି ରଖନ୍ତି । ପୃଥିବୀରେ ସମ୍ଭବତଃ ଏପରି କୌଣସି ରାଜସଭା ନାହିଁ, ଯେଉଁଠାରେ କି କବି ଓ ସାହିତ୍ୟକାରମାନଙ୍କୁ ସ୍ଥାନ ଦିଆଯାଇ ନାହିଁ । ରାଜାମାନେ ସାହିତ୍ୟର ଆଦର କରନ୍ତି, ତେଣୁ ରାଜାର ଆଶ୍ରିତ ହୋଇ ନ ପାରିଲେ ସାହିତ୍ୟ କଦାପି ସମ୍ଭବ ହୋଇପାରିବ ନାହିଁ ବୋଲି ଭାରତବର୍ଷର ପ୍ରାଚୀନ ପଣ୍ଡିତମାନେ ଶ୍ଳୋକ ରଚନା କରିଛନ୍ତି । ଯାହା ଯେମିତି ରହିଛି, ରାଜା କି ଶାସକମାନେ ହେଉଛନ୍ତି ସେହି ସ୍ଥିତାବସ୍ଥାର ପ୍ରତୀକ । ଦୃଢ଼ ଶାସନର ଅର୍ଥ ହେଉଛି ସ୍ଥିତାବସ୍ଥାକୁ ଦୃଢ଼ କରି ରଖିବାଲାଗି ଚେଷ୍ଟା କରୁଥିବା ଶାସନ । ସାହିତ୍ୟ ଅପରପକ୍ଷରେ ସ୍ଥିତାବସ୍ଥାକୁ ବଦଳାଇ ଦେବାରେହିଁ ଅଧିକତର କ୍ଷେତ୍ରରେ ମଣିଷମାନଙ୍କୁ ପ୍ରେରଣା ଦେଇଆସିଛି । ବର୍ତ୍ତମାନ ଭିତରେ ନୁହେଁ, ଭବିଷ୍ୟତ ଭିତରେହିଁ ମଣିଷମାନେ ଖୋଜୁଥିବା ଅସଲ ଈପ୍‍ସିତ ଓ ଅସଲ ଆଦର୍ଶଗୁଡ଼ିକ ନିହିତ ହୋଇ ରହିଛି ବୋଲି ସାହିତ୍ୟ ମଣିଷମାନଙ୍କୁ ସର୍ବଦା ଉଦ୍‍ବୁଦ୍ଧ କରାଇବାକୁ ପ୍ରୟାସ କରିଛି । ସେଥିଲାଗି ପୃଥିବୀର ସବୁ ସମାଜ ସାହିତ୍ୟକୁ ମୋଟେ ସହ୍ୟ କରିନାହିଁ । ପରମ୍ପରାକୁହିଁ ସର୍ବସତ୍ୟ ବୋଲି ମାନୁଥିବା ରକ୍ଷଣଶୀଳ ସମାଜମାନେ ସାହିତ୍ୟକାରକୁ ସହ୍ୟ କରିନାହାନ୍ତି । ସେମାନେ ସାହିତ୍ୟକୁ ସମାଜପାଇଁ ଏକ ବିପଦ ବୋଲି କହିଛନ୍ତି ଓ ତେଣୁ ତାହାର ମୁଖକୁ ବନ୍ଦ କରି ରଖିବାଲାଗି ଚେଷ୍ଟା କରିଛନ୍ତି ।

 

କେଉଁ ସମାଜ ତା’ର ସାହିତ୍ୟକାରମାନଙ୍କ ପ୍ରତି କିଭଳି ବ୍ୟବହାର ଦେଖାଉଛି, ସେଥିମଧ୍ୟରୁ ଆମେ ହୁଏତ କୌଣସି ଏକ ସମାଜର ବିଚାର କରିପାରିବା । ସେହି ସମାଜ ସାହିତ୍ୟିକର ସ୍ୱାଧୀନତାକୁ ସ୍ଵୀକାର କରୁଛି କି ? ସେହି ସମାଜରେ ସାହିତ୍ୟିକର ଆଦର ଅଛି କି ? ଯଦି ସେସବୁ ରହିଥାଏ, ତେବେ ସେହି ସମାଜକୁ ଆମେ ଏକ ପ୍ରଗତିଶୀଳ ସମାଜ ବୋଲି ଅବଶ୍ୟ କହିପାରିବା । ଯଦି ସେପରି ହୋଇ ନଥାଏ, ତେବେ ତାହାକୁ ଆମେ ଏକ ପରିବର୍ତ୍ତନକାତର ସମାଜ ବୋଲି କହିପାରିବା । ସବୁ ସାହିତ୍ୟଲେଖକଙ୍କ ଭିତରେ ଯେ ଯଥାର୍ଥ ସାହିତ୍ୟ ସେମାନଙ୍କଠାରୁ ଦାବି କରୁଥିବା ସାହସ ଏବଂ ସତ୍ୟଦୃଷ୍ଟି ରହିଥାଏ, ସେକଥା ଆଦୌ ନୁହେଁ । କେତେକ ସାହିତ୍ୟିକ ସମାଜର ସେହି ପ୍ରଚଳିତ ମୂଲ୍ୟକାଠିଗୁଡ଼ିକ ଅନୁସାରେହିଁ ସଫଳ ହେବାକୁ ଅଭିଳାଷ ରଖିଛନ୍ତି । ସେମାନେ ନିଜକୁ ଆଗ ଜଣେ ରାଜଶାସିତ ନାଗରିକ ବୋଲି ଅନୁଭବ କରନ୍ତି ଓ ତା’ପରେ ଯାଇ ସାହିତ୍ୟକୁ ସତେଅବା ଏକ ଦ୍ଵିତୀୟ କାର୍ଯ୍ୟ ଓ ଏକ ଗୌଣ କାର୍ଯ୍ୟ ବୋଲି ଗ୍ରହଣ କରିଥାନ୍ତି । ଏମାନେ ଶାସକକୁ ଅନୁସରଣ କରନ୍ତି ଏବଂ ଶାସକମାନେ ମଧ୍ୟ ଏହିଭଳି ସାହିତ୍ୟିକଙ୍କୁ ନେଇ ପାଖରେ ବସାନ୍ତି, ସଭାରେ ପୁରସ୍କୃତ କରନ୍ତି । ଅସଲ ସାହସ କ୍ଷତିଗ୍ରସ୍ତ ହୋଇ ରହିଥାଏ, ଅସଲ ସାହିତ୍ୟ ମଧ୍ୟ ଅବମାନିତ ହୋଇ ରହିଯାଏ । ଏହିପରି ଏକ ସ୍ଥିତିରେ ଗଦାଗଦା ସାହିତ୍ୟ ଲେଖା ଯାଉଥାଏ ସତ, ମାତ୍ର ମନୁଷ୍ୟର ହୃଦୟ ଭିତରେ ସତକୁସତ ଏକ ଉଦ୍‍ବେଳନ ଘଟାଇ ତାକୁ ଅସଲ ଦୃଷ୍ଟିଗୁଡ଼ିକ ମଧ୍ୟକୁ ଜାଗ୍ରତ କରାଇ ନେଇ ପାରିବାର ସାହିତ୍ୟ ହୁଏତ କଂସର ବନ୍ଦିଶାଳାରେ ବନ୍ଦୀ ହୋଇ ରହିଥାଏ । ଶାସକମାନଙ୍କୁ କାନ୍ଧରେ ବସାଇ ସାହିତ୍ୟ ଶୋଭାଯାତ୍ରାରେ ବାହାରିଥାଏ, ମାତ୍ର ଅସଲ ହୃଦୟଟି ଅର୍ଥାତ୍‍ ଅସଲ ସାହସଗୁଡ଼ିକ ମୁହଁ ଲୁଚାଇ ରହିଥାନ୍ତି ।

 

ସମାଜ ଅର୍ଥନୀତିଦ୍ଵାରା ଚାଲେ । ଅର୍ଥନୀତି ଯେ ସବୁ ସମାଜରେ ସବୁଯାକ ମଣିଷଙ୍କୁ ନିଜ ବିଚାର ଭିତରେ ରଖିଥାଏ ଓ ସମସ୍ତଙ୍କର କଲ୍ୟାଣ ଲାଗି ପରିଚାଳିତ ହୁଏ, ସେକଥା ଆଦୌ ନୁହେଁ । ସମାଜରେ କେତେ ମନୁଷ୍ୟ ଅଧିକରୁ ଅଧିକ ସୁଖ ଓ ଭୋଗ ଭିତରେ ରହିବେ ବୋଲି ଆହୁରି କେତେକେତେ ମନୁଷ୍ୟଙ୍କୁ ଅନେକ ସମୟରେ ସେମାନଙ୍କର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକରୁ ମଧ୍ୟ ବଞ୍ଚିତ କରି ରଖାଯାଇଥାଏ । ଏପରି ସମାଜ ପୂର୍ବକାଳରେ ଥିଲା, ଏବେ ମଧ୍ୟ ରହିଛି । ପ୍ରତ୍ୟେକ ସମାଜରେ ଶୋଷକ ଅଛନ୍ତି, ତେଣୁ ଶୋଷିତମାନେ ମଧ୍ୟ ରହିଛନ୍ତି । ମଣିଷ ସ୍ଵାର୍ଥପର ଭାବରେ ଅନେକ ଅସମାନତାକୁ ନିଜର ସମାଜରେ ପ୍ରାୟ ସ୍ଥାୟୀ କରି ରଖିଛି । ଆର୍ଥିକ ଅସମାନତାକୁ ସ୍ଥାୟୀ କରି ରଖିବାଲାଗି ରାଜନୈତିକ ଅସମାନତାମାନ ରହିଛି । ସଚରାଚର ମଣିଷର ଧର୍ମମାନେ ମଧ୍ୟ ଅସମାନତାଗୁଡ଼ିକୁ ସତେଅବା ଈଶ୍ଵରଙ୍କର ଏକ ବ୍ୟବସ୍ଥାରୂପେ ମାନି ନେଇଛନ୍ତି । ପରମେଶ୍ଵର ସିଆଡ଼ୁହିଁ କେତେ ମଣିଷଙ୍କୁ ଭାଗ୍ୟବାନ ଓ ଆଉ କେତେ ମଣିଷଙ୍କୁ ଭାଗ୍ୟହୀନ କରି ପୃଥିବୀକୁ ପଠାଇଛନ୍ତି ବୋଲି ଶାସ୍ତ୍ରମାନଙ୍କରେ କେତେକେତେ ଛନ୍ଦରେ କୁହାଯାଇଛି ଏବଂ ଆର୍ଥିକ ଓ ରାଜନୀତିକ ଶୋଷଣ ସମାଜରେ ବହୁ ସାଂସ୍କୃତିକ ଶୋଷଣ ଲାଗି କାରଣ ହୋଇଛି । ଯୁଗେଯୁଗେ ପୃଥିବୀର କବି ଓ ସାହିତ୍ୟିକମାନେ ଏପରି ଏକ ଅନ୍ୟ ସମାଜର ସ୍ଵପ୍ନ ଦେଖିଛନ୍ତି, ଯେଉଁଥିରେ କି କେହି ଦୈନ୍ୟ ଭୋଗିବେ ନାହିଁ, ଯେଉଁଠି ଅନ୍ୟାୟ ରହିବ ନାହିଁ, ମନୁଷ୍ୟମାନେ ଗୋଟିଏ କୁଟୁମ୍ବପରି ଚଳିବେ, ପରସ୍ପର ପ୍ରତି ସହାନୁଭୂତି ରହିଥିବ, କେହି କାହାରିକୁ ହେୟ ମନେକରିବେ ନାହିଁ । ପୃଥିବୀ ଲାଗି ଏପରି ଏକ ସର୍ବୋତ୍ତମ ବ୍ୟବସ୍ଥାର କଳ୍ପନାକୁ ଅଧିକ ପ୍ରତୀତି ଆଣିଦେବା ପାଇଁ ଯୁଗେଯୁଗେ କବିମାନେ ଏକ ସ୍ଵର୍ଗର ମଧ୍ୟ କଳ୍ପନା କରିଛନ୍ତି । ପ୍ରାଚୀନ ଭାରତବର୍ଷର ଋଷିମାନେ ଉପଯୁକ୍ତ ସମୟରେ ଦୃଷ୍ଟି ହେଉ, ଭଲ ଫସଲ ଫଳୁ, ମନୁଷ୍ୟମାତ୍ରକେ ସମସ୍ତେ ଭଲରେ ରହନ୍ତୁ, ନିରୋଗ ହୁଅନ୍ତୁ ଓ କେବଳ ଭଲହିଁ ଦେଖନ୍ତୁ ବୋଲି କେତେ ମନ୍ତ୍ର ଉଚ୍ଚାରଣ କରି ଯାଇଛନ୍ତି ।

 

ଭାରତବର୍ଷରେ ଆମର ଏହି ଶତାବ୍ଦୀରେ ପ୍ରାୟ ଅଧେ ମନୁଷ୍ୟ ନିରକ୍ଷର ହୋଇ ରହିଛନ୍ତି । ଅର୍ଥାତ୍‍ ଭାରତବର୍ଷରେ ସାହିତ୍ୟରେ ସେମାନଙ୍କର ପ୍ରାୟ କୌଣସି ଭାଗ ନାହିଁ । ଆର୍ଥିକ, ସାମାଜିକ ଓ ରାଜନୈତିକ ଜୀବନରେ ମଧ୍ୟ ସେମାନେ ସବାତଳେ ରହିଛନ୍ତି । ସେମାନେ ଖଟୁଛନ୍ତି ବେଶୀ, ଭୋଗ କରୁଛନ୍ତି କମ୍ । ଯେଉଁମାନେ ସାହିତ୍ୟ ଲେଖୁଛନ୍ତି, ସେମାନେ କେହି ଏମାନଙ୍କ ଭିତରେ ନାହାନ୍ତି । ଯେଉଁମାନେ ସାହିତ୍ୟ ପଢ଼ିପାରିବେ, ପ୍ରାୟ ସେହିମାନଙ୍କୁ ଆଖି ଆଗରେ ରଖିହିଁ ଆମ ଦେଶର ସାହିତ୍ୟିକମାନେ ସାହିତ୍ୟ ଲେଖୁଛନ୍ତି । ତେଣୁ, ଏହି ମତରେ ଆମ ଦେଶର ଅଧିକାଂଶ ସାହିତ୍ୟ ପ୍ରଧାନତଃ ଶ୍ରେଣୀ ସାହିତ୍ୟ ହୋଇରହିଛି । ଅଧିକାଂଶ ମଣିଷଙ୍କର ଅସଲ ପ୍ରଶ୍ନ ଓ ଅସଲ ବକ୍ତବ୍ୟଗୁଡ଼ିକୁ ନେଇ ସାହିତ୍ୟ ହୁଏତ ଲେଖାହିଁ ଯାଉନାହିଁ । ଯେଉଁମାନେ ଉପରେ ଥାଇ ମଧ୍ୟ କଳ୍ପନାରେ ତଳକୁ ଓହ୍ଲାଇ ଆସି ପାରୁଛନ୍ତି, ସେମାନେ ବେଳେବେଳେ ଅପାଂକ୍ତେୟ ମନୁଷ୍ୟମାନଙ୍କୁ ସାହିତ୍ୟର ପଂକ୍ତିରେ କିଛି ପରିମାଣରେ ସ୍ଥାନ ଦେଉଛନ୍ତି ସତ, ମାତ୍ର ସେମାନେ ପ୍ରାୟ ଦୂରରେ ରହି ଏବଂ ବାହାରେ ଠିଆହୋଇ ଦୟା ବହି ସେକଥା କରୁଛନ୍ତି । ତେଣୁ, ଆମ ସାହିତ୍ୟରେ ଆବେଦନଗୁଡ଼ିକ ଅନେକ ସମୟରେ ଏକ ଶ୍ରେଣୀ ଭିତରେ ସୀମାବଦ୍ଧ ହୋଇ ରହିଯାଉଛି, କେବଳ କେତେକଙ୍କର ହୃଦୟ-ବିନୋଦନ ଲାଗି ପ୍ରାୟ ଏକ କଳାତ୍ମକ ପଣ୍ୟ ହୋଇ ରହିଯାଉଛି । ଭାରତବର୍ଷରେ ରାଜନୀତି, ରାଷ୍ଟ୍ରଶାସନ, ଜଣେ ନାଗରିକ ନିମନ୍ତେ ଉପଲବ୍ଧ ହେଉଥିବା ସୁଯୋଗ ଓ ସୁବିଧାମାନ ଯେପରି ଅଧିକାଂଶ ମଣିଷଙ୍କ ଯାଏଁ ମୋଟେ ପହଞ୍ଚି ପାରୁନାହିଁ, ଠିକ୍‍ ସେହିପରି ଭାରତବର୍ଷର ସାହିତ୍ୟ ମଧ୍ୟ ଅନେକଙ୍କ ସକାଶେ ଆକାଶମଣ୍ଡଳର କଇଁଆ ଗଛ ପରି ହୋଇଛି । ସେମାନଙ୍କର ଜୀବନର ଚିତ୍ରଣ କରି ବାହାରେ ଥିବା ଉତ୍ତମମାନେ ସାହିତ୍ୟ ଲେଖୁଛନ୍ତି ଓ ତାହାକୁ ପରିବେଷଣ କରି ଆପ୍ୟାୟିତ ହୋଇପାରୁଛନ୍ତି ସତ, ମାତ୍ର ଯେଉଁମାନେ ସେହି ସାହିତ୍ୟର ପାତ୍ରରୂପେ ବର୍ଣ୍ଣିତ ହେଉଛନ୍ତି, ସେମାନଙ୍କର ବ୍ୟାସଗୁଡ଼ିକ ସେହି ପରିଧିକୁ ସ୍ପର୍ଶ କରିପାରୁ ନାହିଁ ।

 

ବର୍ତ୍ତମାନ ଆମ ଭାରତବର୍ଷରେ ସମାଜରେ, ଆର୍ଥିକ ବ୍ୟବସ୍ଥାରେ ଏବଂ ସାହିତ୍ୟରେ ମୋଟାମୋଟି ଯେଉଁଭଳି ସ୍ଥିତି ରହିଛି, ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଇଉରୋପ ମହାଦେଶରେ ପ୍ରାୟ ସେହିଭଳି ଏକ ସ୍ଥିତି ବିଦ୍ୟମାନ ରହିଥିଲା । ସମ୍ଭବତଃ ସେଇଥିଲାଗି ସେହି ସମୟର ଜଣେ ମନୀଷୀ କାର୍ଲ୍ ମାର୍କସ୍ ନାନା ଶ୍ରେଣୀରେ ଭାଗ ଭାଗ ଏବଂ ଉପର ତଳ ହୋଇ ରହିଥିବା ସମାଜର ସାହିତ୍ୟକୁ ପ୍ରଧାନତଃ ଶ୍ରେଣୀ ସାହିତ୍ୟ ବୋଲି କହି ତାହାର ଟୀକା କରିଥିଲେ । ଯେଉଁମାନେ ସମାଜରେ ସବା ଆଗରେ ଥାଆନ୍ତି, ସବା ଉପରେ ଥାଆନ୍ତି ଓ ପ୍ରାୟ ସବୁକିଛି ସୁଯୋଗର ଅଧିକାରୀ ହୋଇ ରହିଥାନ୍ତି, ସେହି ସମାଜର ସାହିତ୍ୟ ପ୍ରଧାନତଃ ସେହିମାନଙ୍କର ସ୍ୱାର୍ଥକୁ ଓ ସୁଖଭୋଗକୁ ସ୍ଥାୟୀ କରି ରଖିବାର ଅଭିପ୍ରାୟରେ ଲେଖା ହୋଇଥାଏ ବୋଲି ସେ ଅଭିଯୋଗ କରିଥିଲେ । ଯେଉଁ ସମାଜରେ ଶ୍ରେଣୀ ରହିବ ନାହିଁ, ଭବିଷ୍ୟତର ସେହି ଶ୍ରେଣୀହୀନ ଆଦର୍ଶ ସମାଜର ସାହିତ୍ୟକୁହିଁ ଯଥାର୍ଥରେ ସର୍ବମାନବର ସାହିତ୍ୟ କୁହାଯାଇପାରିବ ବୋଲି ମାର୍କସ୍‍ଙ୍କ ମତ ଥିଲା ।

 

ସାହିତ୍ୟ ଓ ସଂସ୍କୃତି

 

ସାମାଜିକ ଜୀବନର ଅଭିବ୍ୟକ୍ତି ହେଉଛି ସଂସ୍କୃତି । ସମାଜ ଭିତରେ ବ୍ୟକ୍ତିମାନେ ଥାଆନ୍ତି; ତେଣୁ ସାମାଜିକ ଜୀବନ ବ୍ୟକ୍ତିର ଜୀବନକୁ ସମ୍ଭାଳି ଧରିଥାଏ ଏବଂ ସାମାଜିକ ଜୀବନ ମଧ୍ୟରେ ବ୍ୟକ୍ତିର ଜୀବନ ମଧ୍ୟ ପ୍ରତିଫଳିତ ହେବାରେ ଲାଗିଥାଏ । ଠିକ୍ ସେହିପରି ଗୋଟିଏ ସମାଜର ସଂସ୍କୃତି ବ୍ୟକ୍ତିର ସଂସ୍କୃତିକୁ ସମ୍ଭାଳି ଧରିଥାଏ ଏବଂ ସାମାଜିକ ସଂସ୍କୃତି ମଧ୍ୟରେ ବ୍ୟକ୍ତିର ସଂସ୍କୃତି ପ୍ରତିଫଳିତ ହେବାରେ ଲାଗିଥାଏ । କୌଣସି ସମାଜର ସାହିତ୍ୟ ସେହି ସମାଜର ସଂସ୍କୃତି ଲାଗି ଏକ ଦର୍ପଣରୂପେ କାର୍ଯ୍ୟ କରେ । ଅର୍ଥାତ୍ ଗୋଟିଏ ସମାଜର ସାହିତ୍ୟରୁ ସେହି ସମାଜର ସଂସ୍କୃତି ବିଷୟରେ ଅଳ୍ପ ବହୁତ ପରିମାଣରେ ଏକ ଅବଧାରଣ ମଧ୍ୟ କରାଯାଇପାରେ ।

 

ମନୁଷ୍ୟ ଜୀବନର ଆବଶ୍ୟକତାଗୁଡ଼ିକୁ ଭାରତୀୟ ଉପନିଷଦରେ ପାଞ୍ଚଟି ସୋପାନର ଏକ ସମଗ୍ରରୂପେ କଳନା କରାଯାଇଛି । ଏହି ପାଞ୍ଚଟିଯାକ ସୋପାନ ଗୋଟିଏ ଆରଟିର ଉପର ବା ତଳ ହୋଇ ରହିନାହିଁ । ଏଥିରୁ କେଉଁଟିକୁ ଅଧିକ ମୂଲ୍ୟ ଦେଇ ଆଉ କେଉଁଟିକୁ ଅପେକ୍ଷାକୃତ କମ୍ ମୂଲ୍ୟ ଦେବାକୁ ହେବ, ଏହି କ୍ଷେତ୍ରରେ ଆଦୌ ସେଭଳି କୌଣସି ବିଚାର କରାଯାଇପାରିବ ନାହିଁ । ଗୋଟିଏ ଆଉ ଗୋଟିଏକୁ ସତେଅବା ବେଷ୍ଟନ କରି ରହିଛି ଏବଂ ଏହିପରି ଭାବରେ ପାଞ୍ଚୋଟି ବୃତ୍ତ ଗୋଟିଏ ଜୀବନକୁ କେନ୍ଦ୍ରରୂପେ ବ୍ୟବହାର କରି ଆଗପଛ ହୋଇ ରହିଛନ୍ତି । ମନୁଷ୍ୟର ସର୍ବପ୍ରଥମ ଆବଶ୍ୟକତା ହେଉଛି ତା’ର ଜନ୍ମଗତ ଆବଶ୍ୟକତା, ତା’ର ଶରୀରରୂପୀ ସର୍ବପ୍ରଥମ ବୃତ୍ତଟିର ଯାବତୀୟ ଆବଶ୍ୟକତା । ଏଇଟି ସର୍ବପ୍ରଥମ, ଏଇଟି ହେଉଛି ମୂଳଦୁଆ । ଶରୀରଗତ ଜୀବନ ହେଉଛି ଜୀବନର ଅନ୍ୟ ଯାବତୀୟ ଉତ୍କର୍ଷ ଓ ସମ୍ଭାବନାର ସର୍ବପ୍ରଥମ ମୂଳଦୁଆ । ଉପନିଷଦରେ ଏଇଟିକୁ ଅନ୍ନମୟ କୋଷ ବୋଲି କୁହାଯାଇଛି । ଅନ୍ନକୁ ସେହି ନ୍ୟାୟରେ ବ୍ରହ୍ମ ବୋଲି କୁହାଯାଇଛି । ମଣିଷର ପେଟ ପୂରିବ, ସର୍ବନିମ୍ନ ଶାରୀରିକ ଆବଶ୍ୟକତାଗୁଡ଼ିକ ପୂରଣ ହେବ । ଏଇଟି ସର୍ବନିମ୍ନ ଆବଶ୍ୟକତା । ପେଟଟାକୁ ପୂରାଇବାର ବ୍ୟସ୍ତତା ଏବଂ ଆଶଙ୍କାରେ ଯେଉଁ ମନୁଷ୍ୟକୁ ନାନା ଅନିଶ୍ଚିତତା ମଧ୍ୟରେ ନିରନ୍ତର ଧନ୍ଦି ହେବାକୁ ପଡ଼ୁଥିବ, ତା’ଠାରୁ ଆମେ ଜୀବନର ଅନ୍ୟାନ୍ୟ ସ୍ତରରେ ଆଦୌ ଖୁବ୍ ବେଶୀ ଉତ୍କର୍ଷ ଆଶା କରିପାରିବା ନାହିଁ ।

 

ଅନ୍ନମୟ କୋଷ ପରେ ପ୍ରାଣମୟ କୋଷ, ମନୁଷ୍ୟର ପ୍ରାଣଶକ୍ତି । ପ୍ରାଣର ସ୍ତରରେ ଏକ ସୁସ୍ଥ ସମଞ୍ଜସତା ଅର୍ଜନ କରିପାରିଥିଲେ ମନୁଷ୍ୟ ନିଜର ଜୀବନରେ ଯଥାର୍ଥ ଭାବରେ କ୍ରିୟାଶୀଳ ହୋଇପାରିବ । ଅନେକ ସମାଜରେ ମନୁଷ୍ୟର ପ୍ରାଣଶକ୍ତିକୁ ସତେଅବା ଏକ ଆତଙ୍କ ପରି ଦେଖାଯାଏ ଏବଂ ତାହାକୁ ଯଥାସମ୍ଭବ ଦବାଇ ରଖିବାକୁହିଁ ନୈତିକତା ବୋଲି କୁହାଯାଏ । ଭାରତବର୍ଷର ପାରମ୍ପରିକ ଦୃଷ୍ଟିରେ ପ୍ରାୟ ସେହିଭଳି ଏକ ଅସୁସ୍ଥତା ଅତ୍ୟନ୍ତ କ୍ରୂର ଭାବରେ ରହିଆସିଛି ବୋଲି ଭାରତୀୟ ମନୁଷ୍ୟ ସତେଅବା ଯୁଗେଯୁଗେ ଶକ୍ତିହୀନ ଏବଂ ପ୍ରାଣହୀନ ହୋଇରହିଛି । ପ୍ରାଣଶକ୍ତିକୁ ଦବାଇ ରଖିବା ନୁହେଁ, ପ୍ରାଣଶକ୍ତିର ପ୍ରକାଶ ଲାଗି ସୁସ୍ଥ ମାର୍ଗମାନ ଯୋଗାଇଦେବା ଯେ ଯଥାର୍ଥ ସମାଧାନ, ଆଧୁନିକ ମନୋବିଜ୍ଞାନ ମନୁଷ୍ୟକୁ ସେହି ବିଷୟରେ ସାବଧାନ କରିଦେଇଛି । ଆଧୁନିକ ଶିକ୍ଷାବିଜ୍ଞାନ ମଧ୍ୟ ସେହି କାରଣରୁ ଶିଶୁର ଶିକ୍ଷା ଏବଂ ବିକାଶ ନିମନ୍ତେ ଏକ ନୂତନ ଦୃଷ୍ଟିଭଙ୍ଗୀର ପ୍ରସ୍ତାବନା ଦେଉଛି । ପ୍ରାଣ ପରେ ମନ, ମନୁଷ୍ୟର ମାନସିକତା-। ମନୁଷ୍ୟ ଭିତରେ ତା’ର ମାନସିକତାହିଁ ମୂଳଭୂତ ଭାବରେ ତାକୁ ଇତର ପ୍ରାଣୀଙ୍କଠାରୁ ପୃଥକ୍ କରି ରଖିଛି । ମଣିଷ ଜାଣିବ, ବୁଝିବ ସ୍ଵାଧୀନ ଭାବରେ ଚିନ୍ତା କରି ଶିଖିବ, କେବଳ ଅନୁକରଣ ନକରି ସେ ନିଜର ସ୍ଵକୀୟ ବିଚାର ଏବଂ ବିବେକଦ୍ଵାରା ପୃଥିବୀରେ, ଗୋଷ୍ଠୀଗତ ଜୀବନରେ ବାଟ ଚାଲିପାରିବ । ସେ ସ୍ଵାଧୀନ ଭାବରେ ନିଜର ବିଚାରଶକ୍ତିକୁ ପ୍ରୟୋଗ କରି କେତେ କଥାକୁ ନିଜ ନିମନ୍ତେ ଗ୍ରହଣ କରିପାରିବ ଏବଂ ଆହୁରି କେତେ କଥାକୁ ବର୍ଜନ ମଧ୍ୟ କରିପାରିବ । ସେ ନିଜର ଯାବତୀୟ କାର୍ଯ୍ୟଲାଗି ନିଜେହିଁ ଦାୟୀ ରହିବ । ସେ ଏକ ଯନ୍ତ୍ରପରି ଅଥବା ଯେକୌଣସି ଇତର ପ୍ରାଣୀପରି ନିଜକୁ ନିଜର ପରିବେଶ ସହିତ ଖାପ ଖୁଆଇ ନେବାକୁହିଁ ଚେଷ୍ଟା କରିବ ନାହିଁ ! ସେ ପୃଥିବୀର ଯାବତୀୟ ଜ୍ଞାନ ଓ ବିଜ୍ଞାନର ଯୋଗ୍ୟ ଦାୟାଦ ହେବ । ପରମ୍ପରା ଭିତରେ ରହି ମଧ୍ୟ ପରମ୍ପରା ଭିତରୁ ବାହାରିଯାଇ ପାରିବାକୁ ନୂଆ ନୂଆ ବାଟ ଫିଟାଇ ପାରିବା ଲାଗି ସତତ ଚେଷ୍ଟା କରୁଥିବ ।

 

ପରବର୍ତ୍ତୀ ସୋପାନଟିକୁ ଶାସ୍ତ୍ରରେ ବିଜ୍ଞାନମୟ ସ୍ତର ବୋଲି କୁହାଯାଇଛି । ଏଇଟି ଆତ୍ମାର ସ୍ତର, ଆତ୍ମଜ୍ଞାନର ସ୍ତର । ସମଗ୍ର ପୃଥିବୀ ସହିତ ଏକାତ୍ମତା ଅର୍ଜନ କରିବାର ସ୍ତର । ଆତ୍ମୀୟତାକୁହିଁ ଜୀବନର ଅସଲ ସମ୍ପତ୍ତି ଏବଂ ଅସଲ ଶୈଳୀ ବୋଲି ଉପଲବ୍ଧି କରିବାର ସ୍ତର । ଏହି ସୋପାନଟିକୁ ଆସି ମନୁଷ୍ୟ ଅହଂମୟ ଜୀବନର ଯାବତୀୟ ଭୟ ଓ ଯାବତୀୟ ସଙ୍କୋଚନକୁ ଅତିକ୍ରମ କରିଯିବ । ନିଜକୁ ସମସ୍ତଙ୍କ ଭିତରେ ଦେଖିବ ଓ ସମସ୍ତଙ୍କୁ ନିଜ ଭିତରେ ଦେଖିବ । ତେଣୁ ସକଳ ଶୋକ ଓ ସକଳ ମୋହରୁ ମୁକ୍ତ ହେବ । ସକଳ ଜୁଗୁପ୍‍ସା ଅର୍ଥାତ୍‍ ଘୃଣାକୁ ସେ ଅତିକ୍ରମ କରିଯିବ । ପୃଥିବୀର ଯାବତୀୟ ଧର୍ମ ଏହିପରି ଏକ ଆଧ୍ୟାତ୍ମିକ ସ୍ଥିତି ପୃଥିବୀରେ ସମ୍ଭବ ହେବ ବୋଲି ସ୍ଵପ୍ନ ଦେଖି ଆସିଛନ୍ତି । ଅବଶ୍ୟ ଅଧିକାଂଶ କ୍ଷେତ୍ରରେ ତଥାପି ନାନାଭଳି ବିଭେଦ ଓ ଭେକର ସୃଷ୍ଟି କରି ବଣା ହୋଇଯାଇଛନ୍ତି, ମନୁଷ୍ୟମାନଙ୍କୁ ନାନା ଫାଶ ଭିତରେ ଆଣି ଛନ୍ଦି ଦେଇଛନ୍ତି । ଆତ୍ମାର ଅର୍ଥାତ୍‍ ଆତ୍ମୀୟତାର ସ୍ତରଟିକୁ ନିଜର ଉପଲବ୍ଧି ମଧ୍ୟକୁ ଆଣିପାରିଲେ ମନୁଷ୍ୟ ଯେଉଁ ସୋପାନକୁ ଉନ୍ନୀତ ହୋଇଯାଏ, ଶାସ୍ତ୍ର ତାହାକୁ ଆନନ୍ଦମୟ କୋଷ ବା ଆନନ୍ଦମୟ ସୋପାନ ବୋଲି କହି ବର୍ଣ୍ଣନା କରିଛି । ଆନନ୍ଦର ଉପଲବ୍ଧି ଅର୍ଥାତ୍‍ ଭୂମାର ଉପଲବ୍ଧି, ଏହି ସବୁକିଛି ସହିତ ସ୍ଵୟଂସଂଯୁକ୍ତ ହୋଇ ରହିଥିବାର ଉପଲବ୍ଧି । ଭୂମାରେ ସୁଖ, ଅଳପରେ ସୁଖ ନାହିଁ-। ପୃଥିବୀରେ ଅଧିକାଂଶ ମନୁଷ୍ୟ କେବଳ ଅଳପ ଦେଖନ୍ତି, ଅଳପ ଶୁଣନ୍ତି, ଅଳପ ଅନୁଭବ କରନ୍ତି; ଅଳପକୁହିଁ ନିଜର ବୋଲି କହନ୍ତି । ତେଣୁ ସେମାନଙ୍କର ଜୀବନରେ ନାନା ଗାର ପଡ଼ିଥାଏ, ପାଚେରୀମାନ ଛିଡ଼ା ହୋଇ ରହିଥାଏ । ପାଚେରୀ ଏ ପାଖରେ ମୁଁ, ପାଚେରୀ ସେ ପାଖରେ ଅନ୍ୟମାନେ; ଗାର ଏ ପାଖରେ ଯାହାସବୁ, ସେଗୁଡ଼ିକ ମୋ’ ନିଜର ଏବଂ ଯାହାକିଛି ଗାରଟିର ସେ ପାଖରେ, ତାହା ମୋର ନୁହେଁ । ପୃଥିବୀର ସାମାଜିକତା, ରାଜନୀତି, ଧର୍ମ ଓ ନୈତିକତାକୁ ନାନାବିଧ କାରଣରୁ କେତେଭଳି ଗାର ଟାଣିଦେଇ ଏବଂ କେତେକେତେ ପାଚେରି ଉଠାଇ ଭାଗ ଭାଗ କରି ରଖାଯାଇଛି । ମଣିଷ ଅଳପ ଭିତରେ ରହିଛି, କିଳିହୋଇ ରହିଛି, ସେଇଥିଲାଗି ନାନା ଭୟର ଭାବନା ଭିତରେ ସମାକୁଳ ଓ ନିତ୍ୟଭୀତ ହୋଇରହିଛି । ସେହି କାରଣରୁ ଯାବତୀୟ ଦୂରତା, ଯାବତୀୟ ବିଷମତା, ଯାବତୀୟ ଶତ୍ରୁତା ଏବଂ ଯାବତୀୟ ସଂଘାତ ଓ ସଂଘର୍ଷ-। ସେଗୁଡ଼ିକର ପରିଣାମରେହିଁ ମନୁଷ୍ୟର ଜୀବନ ଅତ୍ୟନ୍ତ ନିରାନନ୍ଦମୟ ହୋଇରହିଛି, ଅର୍ଥାତ୍ ମନୁଷ୍ୟ ଯାବତୀୟ ଯଥାର୍ଥ ଆନନ୍ଦରୁ ବଞ୍ଚିତ ହୋଇରହିଛି । ନାନା ଭେକ ଓ ନାନା ବିଭିନ୍ନତାଦ୍ଵାରା ପୃଥିବୀ ବିଭକ୍ତ ହୋଇରହିଛି, ଯାବତୀୟ ଅକଲ୍ୟାଣର କାରଣ ହୋଇରହିଛି । ଆନନ୍ଦର ଚେତନାହିଁ ଆମ ସମସ୍ତଙ୍କୁ ଏକତ୍ର ଯୋଡ଼ି ରଖିଥିବା ଡୋରଟିର ପରିଚୟ ଆଣି ଦେଇପାରିବ, ସମଗ୍ର ପୃଥିବୀକୁ ପୁନର୍ବାର ଯୋଡ଼ିଦେଇ ପାରିବ । ଆତ୍ମୀୟତାର ଡୋରରେ ମଣିଷ ସହିତ ମଣିଷ ବାନ୍ଧିହୋଇ ରହିବ, ତା’ ଜୀବନର ସାନ ବଡ଼ ପ୍ରତ୍ୟେକ କ୍ଷେତ୍ରରେ ଏବଂ ଅବସରରେ ଭଗବାନ ପ୍ରତ୍ୟକ୍ଷ ହୋଇ ରହିଥିବେ ।

 

ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ମାନବ-ବାସନାର ଏହି ଯେଉଁ ସିଡ଼ିଟି ଲାଗି ରହିଛି, ସେହି ସିଡ଼ିଟିକୁ ଗୋଟିଏ କରି ଦେଖିବା, ଆଦୌ ଅସଂଲଗ୍ନ କରି ନ ଦେଖିବା, ଭାରତୀୟ ଉପନିଷଦ ତାହାକୁହିଁ ବ୍ରହ୍ମର ଦର୍ଶନ କରିବା ବୋଲି କହିଛି । ଏହିପରି ଏକ ଚେତନାଦ୍ଵାରା ଆମେ ବ୍ରହ୍ମକୁ ସ୍ପର୍ଶ କରିପାରିବା । ଭାରତୀୟ ଅଧ୍ୟାତ୍ମରେ ସେହି ବ୍ରହ୍ମ ସଂସ୍ପର୍ଶକୁ ‘ଅତ୍ୟନ୍ତଂ ସୁଖଂ’ ବୋଲି ଘୋଷଣା କରାହୋଇଛି । ପୃଥିବୀର ସାହିତ୍ୟ ଯେଉଁଠି ଆପଣାର ଉଚ୍ଚତମ ଶୀର୍ଷକୁ ସ୍ପର୍ଶ କରିପାରିଛି, ସେଠାରେ ମଧ୍ୟ ତାହା ଏହି ଅତ୍ୟନ୍ତ ସୁଖଟି ବିଷୟରେ କହିଛି ଓ ମନୁଷ୍ୟମାନଙ୍କୁ ସେଥିଲାଗି ପ୍ରେରଣା ଦେଇଛି । ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ଏହି ସମଗ୍ର ପ୍ରାପ୍ତିକୁ ସାହିତ୍ୟ ମନୁଷ୍ୟ ଲାଗି ସର୍ବୋଚ୍ଚ ଏବଂ ସର୍ବଶ୍ରେଷ୍ଠ ପ୍ରାପ୍ତି ବୋଲି ଘୋଷଣା କରିଛି । ଏହି ପାଞ୍ଚୋଟିଯାକକୁ ଏକତ୍ର ଗୋଟିଏ ସମଗ୍ର ଭିତରେ ଦେଖିବା ଓ ବଞ୍ଚିବା ହେଉଛି ସର୍ବଶ୍ରେଷ୍ଠ ସଂସ୍କୃତି । ଏଥିମଧ୍ୟରୁ କୌଣସିଟି ଆଗ ନୁହେଁ କି କୌଣସିଟି ପଛ ନୁହେଁ, କୌଣସିଟି ବଡ଼ ନୁହେଁ କି କୌଣସିଟି ସାନ ନୁହେଁ । ଗୋଟିଏ ଆଉ ଗୋଟିଏ ତୁଳନାରେ କମ୍ ବା ଅଧିକ ମହତ୍ତ୍ଵପୂର୍ଣ୍ଣ ଆଦୌ ନୁହେଁ । ଅନେକ ସଂସ୍କୃତିରେ ଅନ୍ନଟାକୁହିଁ ସବୁକିଛି ବୋଲି କୁହାଯାଏ । ବସ୍ତୁର ପ୍ରାଚୁର୍ଯ୍ୟ ଏବଂ ଆଧିକ୍ୟହିଁ ସୁଖର ସକଳ କାରଣ ବୋଲି ଅତ୍ୟନ୍ତ ଏକତରଫା ଭାବରେ ଧରି ନିଆଯାଏ । ସେଇଥିରୁହିଁ ଏକ ବସ୍ତୁବାଦୀ ଦୃଷ୍ଟି ମନୁଷ୍ୟର ଆଖିକୁ ଭାରି ସଙ୍କୁଚିତ କରିପକାଏ ଏବଂ ତା’ ଜୀବନରେ ବହୁବିଧ ବ୍ୟାଧିର କାରଣ ମଧ୍ୟ ହୋଇଥାଏ । ଆମର ଏହି ଆଧୁନିକ ଯୁଗରେ ସମ୍ଭବତଃ ମନୁଷ୍ୟ ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ପରିମାଣରେ ବସ୍ତୁ ଆଡ଼କୁ ଆକୃଷ୍ଟ ହୋଇପଡ଼ୁଛି, ସୁଖର କାମନାଦ୍ଵାରା ଉତ୍ତେଜିତ ହୋଇ ସେ ସୁଖବାଦୀ ହୋଇପଡ଼ୁଛି । ପୃଥିବୀର ସାହିତ୍ୟ ଯୁଗେଯୁଗେ ମନୁଷ୍ୟର ଏହି ପ୍ରବୃତ୍ତି ବିଷୟରେ ତାକୁ ସାବଧାନ କରିଦେଇ ଆସିଛି । ‘ନ ବିତ୍ତେନ ତର୍ପଣୀୟୋ ମନୁଷ୍ୟଃ’ ବୋଲି ତାକୁ ସତର୍କ କରିଦେଇଛି । ଏବଂ, ଏକ ଅନ୍ୟସ୍ତରର ବିତ୍ତଲାଗି ବାସନା କରିବା ସକାଶେ ତାହା ମଣିଷକୁ ଉଦ୍‍ବୋଧନ ଦେଇଛି । ଗୋଟାଏ ପାଖରେ to have ଏବଂ ଆଉ ଗୋଟିଏ ପାଖରେ to be, to be ବା ସାର୍ଥକ ଭାବରେ କିଛି ହେବାଲାଗି ମନୁଷ୍ୟ ଭିତରେ ଏକ ଆକାଂକ୍ଷା ନଥିବା ପର୍ଯ୍ୟନ୍ତ to have ବା ବାହାରେ ଗୁଡ଼ାଏ ବସ୍ତୁ ଜମାକରି ରଖିବାଦ୍ଵାରା ମନୁଷ୍ୟ ପ୍ରକୃତରେ ମ୍ଳେଚ୍ଛ ହୋଇଯିବ, ଆପଣାର ଅସଲ ବୃତ୍ତିଗୁଡ଼ିକୁ ପାସୋରି ପକାଇବ । ବସ୍ତୁବାଦୀ ମନୁଷ୍ୟମାନେ ଜଣେ ଆଉ ଜଣକୁ ଗିଳି ପକାଇବା ନିମନ୍ତେ ଧାଇଁବାରେ ଲାଗିଥିବେ । ଆଧୁନିକ ପୃଥିବୀରେ ପୁଞ୍ଚିବାଦ ଏବଂ ସାମ୍ରାଜ୍ୟବଦର ଲାଙ୍ଗୁଡ଼ ଧରି ଯେତେ ଯାହା ଅନ୍ୟାୟ ଓ ଅନିଷ୍ଟ ଦେଖିବାକୁ ମିଳୁଛି, ତାହା ହେଉଛି ମୂଳତଃ ବସ୍ତୁବାଦୀ ମନୁଷ୍ୟର ଅପକୀର୍ତ୍ତି, ବସ୍ତୁବାଦୀ ସମାଜ ଓ ବସ୍ତୁବାଦୀ ରାଷ୍ଟ୍ରଗୁଡ଼ିକଦ୍ଵାରା ଘଟା ଯାଇଥିବା ଅମଙ୍ଗଳ । ଊନବିଂଶ ଏବଂ ବିଂଶ ଶତାବ୍ଦୀର ସାହିତ୍ୟ ଏହି ଦୃଷ୍ଟବୃତ୍ତି ଓ ଦୃଷ୍ଟ ସଂସ୍କୃତିର ବିରୋଧରେ କେତେ ପ୍ରତିବାଦ କରିଛି । ଭାରତରେ ମଧ୍ୟ ସାହିତ୍ୟର କ୍ଷେତ୍ରରେ ପ୍ରତିବାଦ ହୋଇଛି । ସାହିତ୍ୟ, ଯଥାର୍ଥ ସାହିତ୍ୟ ଯେଉଁ ସଂସ୍କୃତିକୁ ମନ କରେ, ତାହା ବସ୍ତୁବାଦର କବଳରେ ପଡ଼ି ସତେଅବା ଏଡ଼େବଡ଼ ହୋଇ ଦିଶୁଥିବା କୌଣସି ଆସୁରିକତା ଆଦୌ ନୁହେଁ । ସାହିତ୍ୟ ମନୁଷ୍ୟକୁ ଓ ତା’ର ସମାଜକୁ ଅଧିକ ଗଭୀରକୁ ଯିବାଲାଗି ଉଦ୍‍ବୋଧନ ଦିଏ, ଅଧିକ ଊର୍ଦ୍ଧ୍ୱକୁ ଉଠି ଯଥାସମ୍ଭବ ଅଧିକ ଦେଖିପାରିବାକୁ ଏବଂ ଅଧିକ ଅନୁଭବ କରିପାରିବାକୁ ସମର୍ଥ ଆଖିଟିଏ ଯୋଗାଇ ଦେବାର ପ୍ରୟାସ କରୁଥାଏ । କେବଳ ଅନ୍ନ ଭିତରେ ଉଗ୍ର ହୋଇ ରହିବା ଯେ ସଂସ୍କୃତି ନୁହେଁ, ମନୁଷ୍ୟକୁ ସେହି ଚେତାବନୀ ଦେଉଥାଏ ।

 

ଗୋଟିଏ ପାଖରେ ବସ୍ତୁବାଦ, ଆଉ ଗୋଟିଏ ପାଖରେ ମାୟାବାଦ । ଏହି ସଂସାରଟା ହେଉଛି ମିଥ୍ୟା ଆଉ ମାୟା । ଏହି ଜୀବନ ମାତ୍ର ଦୁଇଦିନର । ସ୍ଵର୍ଗ ହେଉଛି ପୁଣ୍ୟାତ୍ମାମାନଙ୍କର ଅସଲ ନିବାସ, ଅସଲ ସଦନ । ତେଣୁ ଏହି ପୃଥିବୀରେ ମନୁଷ୍ୟର ଆଦୌ କିଛିହେଲେ କରିବାର ନାହିଁ । ଆମ ଦେଶରେ କାଳକାଳ ଧରି ଲେଖାହୋଇ ଆସିଥିବା ଶ୍ଳୋକ ଏବଂ ବୋଲାହୋଇ ଆସୁଥିବା ଗାଡ଼ି ଗାଡ଼ି ଭଜନ ପାଠକଲେ କିମ୍ବା ଶୁଣିଲେ ସତେଅବା ମାୟାବାଦର ପ୍ରତ୍ୟକ୍ଷ ଦର୍ଶନ ମିଳିଥାଏ । ଏହି ଜୀବନ ଅସାର, ଏହି ସଂସାର ଅସାର, କେବଳ ପ୍ରଭୁଭଜନହିଁ ସାର,–ତେଣୁ ସଂସାର ପ୍ରତି ଉଦାସୀନ ରହି ମନୁଷ୍ୟ ନାମକ ଜୀବ କେବଳ ପ୍ରଭୁଙ୍କୁ ଆଶ୍ରୟ କରିବ । ଭାରତବର୍ଷରେ ତଥାକଥିତ ବୈରାଗ୍ୟ ଏବଂ ବାନପ୍ରସ୍ଥ ଧର୍ମର ପ୍ରେରଣା ପ୍ରଧାନତଃ ଏହି ମାୟାବାଦରୁ ମିଳିଛି । ଏହି ଉଦାସୀନତାହିଁ ଭାରତବର୍ଷରେ ମନୁଷ୍ୟକୁ ଅତ୍ୟନ୍ତ କ୍ରୂର ଏବଂ ସହାନୁଭୂତିହୀନ କରି ରଖିଛି, ନିଜ ବିଷୟରେ ଏବଂ ସମାଜ ବିଷୟରେ ଅତ୍ୟନ୍ତ କ୍ରୂର କରି ରଖିଛି ଏବଂ ଭାରତବର୍ଷର ଜ୍ଞାନ, ଭାରତବର୍ଷର ଧର୍ମ ଓ ସଂସ୍କୃତି ଅତ୍ୟନ୍ତ ଅଲକ୍ଷଣା ଅର୍ଥାତ୍‍ ଜୀବନକାତର ହୋଇ ରହିଛି । ମାୟାବାଦରୁହିଁ ସମ୍ଭବତଃ ଭାଗ୍ୟବାଦକୁ ଅନେକ ପ୍ରଶ୍ରୟ ମିଳିଛି । ଉପସ୍ଥିତ ବର୍ତ୍ତମାନର ସମ୍ମୁଖୀନ ନହୋଇ ଏବଂ ସାହସର ସହିତ ବ୍ୟତିକ୍ରମଗୁଡ଼ିକର ପ୍ରତିକାର ନ ଖୋଜି ଭାରତବର୍ଷର ମନୁଷ୍ୟ ଏକାଧିକ ଆଳରେ କର୍ମକ୍ଷେତ୍ରରୁ, ନିଜ କର୍ତ୍ତବ୍ୟର ଭୂମିରୁ ପଳାୟନହିଁ କରିବାକୁ ଉତ୍ସାହ ପାଇଛି । କେତେବେଳେ ଅତୀତ ଭିତରକୁ ପଳାୟନ କରିଛି ତ ପୁଣି କେତେବେଳେ ଭବିଷ୍ୟତର ନାନା ତୁଙ୍ଗ କଳ୍ପନା ଭିତରକୁ ପଳାୟନ କରିଛି । ଏହିପରି ଏକ ଜୀବନଦୃଷ୍ଟିଦ୍ଵାରା ଭାରତବର୍ଷର ସଂସ୍କୃତି ଦାରୁଣ ଭାବରେ କ୍ଷତିଗ୍ରସ୍ତ ହୋଇଆସିଛି । ଏବେ ମଧ୍ୟ କମ୍ ହେଉନାହିଁ । ଯାହା କିଛି ଭଲ ଥିଲା, ତାହା ଅତୀତରେ ଥିଲା,–ଅତୀତକୁ ନେଇ ଏହି ଅତିପ୍ରୀତି ଭାରତୀୟ ମନୁଷ୍ୟକୁ ଆପଣାର ନାନାବିଧ କର୍ମ ଓ ଆହ୍ୱାନର ଭୂମିରେ ରୁଷି ବସିବାର, ଏକ ବିଷାଦଯୋଗର ବାହାଦୁରି ନେବାଲାଗି ବହୁ ପ୍ରଶ୍ରୟ ଯୋଗାଇ ଆସିଛି । ଭାରତୀୟ ସାହିତ୍ୟ ମଧ୍ୟ ଅତ୍ୟଧିକ ପରିମାଣରେ ସେହି ବ୍ୟାଧିର ଶିକାର ହୋଇ ରହିଛି । ଇଉରୋପୀୟ ବିଚାର କିମ୍ବା ଇଉରୋପୀୟ ସଂସ୍କୃତିରେ ଏହି ଉଦାସୀନତାବାଦ ମନୁଷ୍ୟର ଚେତନାକୁ ବିଶେଷ ଭାବରେ ମାଡ଼ିବସି ନାହିଁ । ଇଉରୋପୀୟ ମଣିଷ ଯୁଗେଯୁଗେ ତା’ ସାଧ୍ୟମତେ ତା’ ପରିବେଶର ଓ ପରିସ୍ଥିତିର ସମ୍ମୁଖୀନ ହୋଇଛି, ଭାଗ୍ୟବାଦୀ ହେବାଲାଗି ବିଶେଷ ପ୍ରେରଣା ପାଇନାହିଁ । ସିଏ ପ୍ରକୃତି ସହିତ ଲଢ଼ିଛି, ପ୍ରକୃତି ଉପରେ ବିଜୟ ହାସଲ କରିଛି । ତେଣୁ ସମଗ୍ର ପୃଥିବୀଲାଗି ଆଧୁନିକ ବିଜ୍ଞାନକ୍ଷେତ୍ରରେ ୟୁରୋପରହିଁ ସବୁଠାରୁ ଅଧିକ ଅବଦାନ ରହିଛି । ଇଉରୋପୀୟ ସାହିତ୍ୟ ମଧ୍ୟ ଏହି ପୃଥିବୀକୁ ଏବଂ ଏଠାରେ ମନୁଷ୍ୟ ବଞ୍ଚୁଥିବା ତା’ର ଜୀବନକୁ ବିଶେଷ ଭାବରେ ତୁଚ୍ଛ ବୋଲି, ମୂଲ୍ୟହୀନ ବୋଲି କହିନାହିଁ । ଇଉରୋପୀୟ ସାହିତ୍ୟ ଇଉରୋପୀୟ ମନୁଷ୍ୟଲାଗି ଶକ୍ତିର ଉତ୍ସ ହୋଇ ରହିଛି । ନିଜ ଭିତରେ ତଥା ବାହାରେ ତାହା ମନୁଷ୍ୟକୁ କେତେ ନୂତନ ଶକ୍ତି ଏବଂ ନୂତନ ସମ୍ଭାବନାର ସନ୍ଧାନ ଦେଇଯାଇଛି । କେବଳ ଇଉରୋପୀୟ ବିଜ୍ଞାନ ନୁହେଁ, ଇଉରୋପୀୟର ସଭ୍ୟତା, ଇଉରୋପର ରାଜନୀତି ତଥା ଇଉରୋପୀୟ ସମାଜ ଓ ସଂସ୍କୃତି-ଚିନ୍ତା ଆମର ଏହି ବିଂଶ ଶତାବ୍ଦୀରେ ସମଗ୍ର ପୃଥିବୀକୁ ନାନାଭାବେ ଆଲୋଡ଼ିତ କରିବାରେ ଲାଗିଛି । ମନୁଷ୍ୟର ସଭ୍ୟତାକୁ ତାହା ସତେ ଯେପରି ମାତ୍ର ଅଳ୍ପ କେତୋଟି ଶତାବ୍ଦୀରେ ଏକାବେଳକେ କେତେ ପହଣ୍ଡ ଡିଆଁଇ ନେଇ ଚାଲିଯାଇଛି ।

 

ଅସଲ ସଂସ୍କୃତି ନିମନ୍ତେ ଭଗବାନ କେବଳ ଉପରେ, ପୃଥିବୀ ବାହାରେ ନାହାନ୍ତି, ପରମସତ୍ୟ ମନୁଷ୍ୟର ଜୀବନକୁ ଛାଡ଼ି ଆଉ କେଉଁ କଳ୍ପିତ ଦର୍ଶନ ଭିତରେ ନାହିଁ; ସୁଖ ମୋଟେ ସ୍ୱର୍ଗରେ ନାହିଁ । ଭଗବାନ ଏହି ପୃଥିବୀରେ ଅଛନ୍ତି, ମନୁଷ୍ୟର ସର୍ବଶ୍ରେଷ୍ଠ ଚେତନା ଏବଂ ସର୍ବଶ୍ରେଷ୍ଠ ପ୍ରେରଣାରୂପେ ସେ ମନୁଷ୍ୟର ହୃଦୟ ଭିତରେ, ସ୍ଵପ୍ନ ଭିତରେ ବିଦ୍ୟମାନ ରହିଛନ୍ତି ଓ ମନୁଷ୍ୟର ଏହି ପୃଥିବୀଟିକୁ, ତା’ର ସମଗ୍ର ନିୟତିଟିକୁ ବର୍ତ୍ତମାନ ଭିତରୁ ଭବିଷ୍ୟ ମଧ୍ୟକୁ ବିବର୍ତ୍ତିତ କରି ନେଉଛନ୍ତି । ସେହି ଅଧ୍ୟାତ୍ମର ପ୍ରେରଣାଦ୍ଵାରା ପ୍ରେରିତ ହୋଇ ମନୁଷ୍ୟ କାଳକାଳରୁ କେତେ ପୁରୁଣାକୁ ଭାଙ୍ଗି ଆସିଛି, ନୂଆ ନୂଆ ସୋପାନକୁ ଉଠି ଉଠି ଆସିଛି । ତେଣୁ ଏହି ପୃଥିବୀ ମିଥ୍ୟା ନୁହେଁ, ମନୁଷ୍ୟର ଯାବତୀୟ ସ୍ଵପ୍ନ ଏବଂ ଉଦ୍ୟମ ଆଦୌ ମିଥ୍ୟା ନୁହେଁ । ଆଧ୍ୟାତ୍ମିକତା କହିଲେ, ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ସମଗ୍ରଟିକୁ ବୁଝାଏ । ଅନ୍ନ ଭିତରେ ବହଳ ହୋଇ ରହିବ ବୋଲି ଏକ ବସ୍ତୁବାଦୀ ଭ୍ରମ ଭିତରେ ବୁଡ଼ି ରହିବା ମନୁଷ୍ୟଲାଗି ଯେତିକି କ୍ଷତିକାରକ, ତଥାକଥିତ ଆନନ୍ଦର କେଉଁ କଳ୍ପିତ ହାଣ୍ଡି ଭିତରେ ଯାଇ ପରମ ସୁଖ ଅର୍ଥାତ୍‍ ପରମ ନିର୍ବାଣ ଭୁଞ୍ଜିବ ବୋଲି ଅନ୍ନକୁ ଅସ୍ଵୀକାର କରିବା ଏବଂ ଉଦାସୀନ ହୋଇ ରହିବା ମଧ୍ୟ ମନୁଷ୍ୟର ସଂସ୍କୃତି ଲାଗି ସେତିକି କ୍ଷତିକାରକ । ଯଥାର୍ଥ ସିଡ଼ିଟି ଏହି ଭୂମି ଉପରେ ଛିଡ଼ା ହୋଇଛି ଏବଂ ଭଗବାନଙ୍କ ଯାଏଁ ଲମ୍ବି କରି ରହିଛି । ମନୁଷ୍ୟଲାଗି ସତେ ଆରୋହଣର ଏକ ଆହ୍ଵାନ ହୋଇ ରହିଛି ଏବଂ ପୃଥିବୀର ସର୍ବଶ୍ରେଷ୍ଠ ସାହିତ୍ୟମାନେ ଯୁଗେଯୁଗେ ସେହି ଆହ୍ଵାନ ଲାଗି ଏକ ବାହନର କାର୍ଯ୍ୟ କରି ଆସିଛନ୍ତି । ଗୋଟିଏ ସମାଜର ସଂସ୍କୃତି ସେହି ସମାଜର ସାହିତ୍ୟକୁ ଅବଶ୍ୟ ପ୍ରଭାବିତ କରୁଛି, ତଥାପି ବେଳେବେଳେ ସାହିତ୍ୟ ମଧ୍ୟ କୌଣସି ଜଣେ ଜଣେ ସାହିତ୍ୟିକଙ୍କର ଆଖିକୁ ତଥା ଲେଖନୀକୁ ମାଧ୍ୟମ କରି ସମ୍ପୃକ୍ତ ସମାଜଟିର ପୁରୁଣା ବିଶ୍ୱାସଗୁଡ଼ିକୁ ଭାଙ୍ଗି ଦେଇଛି, ସତେଅବା ଏକୁଟିଆ ନଦୀଟି ମଧ୍ୟକୁ ଏକ ମହାସମୁଦ୍ରର ସନ୍ଦେଶକୁ ବହନ କରି ଆଣିଛି । ସଂସ୍କୃତିର ଉତ୍ତରଣରେ ସାହିତ୍ୟ ନିମିତ୍ତରୂପେ କାର୍ଯ୍ୟ କରିଛି, ମନୁଷ୍ୟମାନଙ୍କ ଲାଗି ଏକ ନୂତନ ଉଚ୍ଚାଟନ ଆଣିଦେଇଛି ।

 

ଏବେ ବିଶ୍ଵସଂସ୍କୃତି କଥା କୁହାଗଲାଣି । ସେହି ଅନୁସାରେ ଏକ ବିଶ୍ୱ-ସାହିତ୍ୟର କଥା ମଧ୍ୟ କୁହାଗଲାଣି । ଆଧୁନିକ ବିଜ୍ଞାନର ଅବଦାନଗୁଡ଼ିକ ଫଳରେ କେବଳ ଭୌଗୋଳିକ ଦୂରତାମାନ ନୁହେଁ, ମାନସିକ ତଥା ଆତ୍ମିକ ଦୂରତାର ପ୍ରତିବନ୍ଧକମାନ ମଧ୍ୟ କ୍ରମେ ଦୂର ହୋଇଯିବାରେ ଲାଗିଛି । ରାଜନୀତିରେ ଏବେ ବିଶ୍ଵରାଷ୍ଟ୍ରର ପ୍ରଶ୍ନ ଉଠିଲାଣି କେତେକ ଦୂରଦୃଷ୍ଟି ବିଶିଷ୍ଟ ବ୍ୟକ୍ତି ଏକ ବିଶ୍ଵ-ପାର୍ଲିଆମେଣ୍ଟ୍‍ର କଳ୍ପନାବି କଲେଣି । ମନୁଷ୍ୟମାନେ ଏବେ ବିଶ୍ୱ-ନାଗରିକ ହେବାର ସ୍ଵପ୍ନ ଦେଖିଲେଣି । ସମସ୍ତ ବିଶ୍ଵରୁ ଖାଦ୍ୟାଭାବ, ରୋଗ ଏବଂ ନିରକ୍ଷରତା ଦୂର କରିବା ଲାଗି ଏବେ ମନୁଷ୍ୟମାନେ ଏକାଠି ବସି ଚିନ୍ତା କଲେଣି । ବିଶ୍ୱଯାକର ସବୁ ପିଲାଙ୍କ ନିମନ୍ତେ ହିତୈଷୀ ବିଜ୍ଞାନୀମାନେ ଏକାଠି ବସି ଯୋଜନା କଲେଣି । ମନୁଷ୍ୟର ସହାନୁଭୂତି, ଭ୍ରାତୃଭାବନା ଏବଂ ପାରସ୍ପରିକ ସହଯୋଗ କ୍ରମେ ବିଶ୍ଵସ୍ତରକୁ ପ୍ରଲମ୍ବିତ ହୋଇଯିବାରେ ଲାଗିଛି । ଏହି ଶତାବ୍ଦୀର ପ୍ରଥମାର୍ଦ୍ଧରେ ମଣିଷମାନେ, ରାଜାମାନେ ଓ ରାଷ୍ଟ୍ରମାନେ ବିଶ୍ଵଯୁଦ୍ଧର ଭୂତ ଦେଖୁଥିଲେ । ସର୍ବଦା ଯୁଦ୍ଧ ଲାଗି ପ୍ରସ୍ତୁତ ହୋଇ ରହିବାଦ୍ୱାରାହିଁ କୌଣସି ରାଷ୍ଟ୍ର ଶାନ୍ତିରେ ବାସ କରିପାରିବ ବୋଲି ସେତେବେଳେ ରାଷ୍ଟ୍ରନେତାମାନେ କେଡ଼େ ବିଦ୍ଵାନଙ୍କପରି କହୁଥିଲେ ଓ ସମସ୍ତେ ସେମାନଙ୍କର କଥାକୁ ବିଶ୍ୱାସ କରୁଥିଲେ । ଏବେ ଚକ ବଦଳି ଯିବାରେ ଲାଗିଛି, ତେଣୁ ଚିନ୍ତାବି ବଦଳି ଯାଉଛି । କୌଣସି ଗୋଟିଏ ସଂସ୍କୃତି ଆପଣାର ଅଭ୍ୟସ୍ତ ସଂସ୍କାରର ଆୟତନ ଭିତରେ ଏଣିକି ଯେ ମୋଟେ ନିବୁଜ ହୋଇ ରହିପାରିବ ନାହିଁ, ସେକଥା ସମଗ୍ର ପୃଥିବୀରେ ଅଧିକରୁ ଅଧିକ ସ୍ପଷ୍ଟ ହୋଇଯାଉଛି । ସେହି ଅନୁସାରେ ସାହିତ୍ୟର ଆକାଶଗୁଡ଼ିକ ମଧ୍ୟ ବଦଳି ଯାଉଛି । ଆପଣାର ଭାଷାକୁ ଭଲ ପାଇବା, ଆପଣାର ଭୂମିଟିକୁ ଭଲ ପାଇବା,-ଆପଣାର ସାହିତ୍ୟକୁ ଭଲପାଇବା,-ଏହିସବୁ କ୍ଷେତ୍ରରେ କ୍ରମେ ପୁରୁଣା ସଂଜ୍ଞାଗୁଡ଼ିକ ବଦଳି ଯାଉଛି, ପୁରୁଣା ବାଡ଼ ସବୁ ଉଠି ଉଠି ଯାଉଛି । ନିଜର ସାନ ଗଡ଼ିଆଟିରେ ନିଜକୁ କିଳି ରଖି, ଅସଂକ୍ରାମିତ କରି ରଖି ଆପଣାର ସେଗୁଡ଼ିକୁ ଭଲପାଇବା ଆଉ ଆଦୌ ସମ୍ଭବ ହେଲାପରି ମୋଟେ ଲାଗୁନାହିଁ ।

 

ପାରମ୍ପରିକ ସଂସ୍କୃତିରେ ଥୋକେ ଆପଣାକୁ ଶୁଦ୍ଧ ବୋଲି ଭାବୁଥିଲେ, ତେଣୁ ସେହି ନ୍ୟାୟରେ ଅନ୍ୟମାନଙ୍କୁ ଅଶୁଦ୍ଧ ବୋଲି କହିବାର କାରଣ ଓ ପ୍ରମାଣ ପାଇଯାଉଥିଲେ । ପ୍ରତ୍ୟେକ ଧର୍ମ ଆପଣାକୁ ସ୍ଵପରମ୍ପରାର ଚାରିକାନ୍ଥ ଭିତରେ ନିବୁଜ କରି ରଖିଥିଲା,-ସେତେବେଳେ ଜାତିର ଅଭିମାନ ଥିଲା, ଦେଶର ଅଭିମାନ ଥିଲା, ନାନା ସ୍ଥାନୀୟତାର ନାନା ଅଭିମାନ ପ୍ରବଳ ହୋଇ ରହିଥିଲା । ସତେଅବା ଅନ୍ୟର ସବୁକିଛିକୁ ଘୃଣା କରିବାହିଁ ନିଜଟିକୁ ଭଲ ପାଇବାର ସର୍ବପ୍ରଧାନ ମାପକାଠି ହୋଇ ରହିଥିଲା । ଆଗତପ୍ରାୟ ବିଶ୍ଵସଂସ୍କୃତି ପାରମ୍ପରିକ ମଣିଷମାନଙ୍କର ସେହି ଦମ୍ଭକୁ ସତେଅବା ଗୋଟାଏ ମୁଷ୍ଟି ପ୍ରହରରେ ଏକାବେଳକେ ଭାଙ୍ଗିଦେବାକୁ ଆସିଛି । ସତେଅବା ଗବାକ୍ଷଗୁଡ଼ିକ ସ୍ଵେଚ୍ଛାପ୍ରବୃତ୍ତ ହୋଇ ଖୋଲିଦେବା ବ୍ୟତୀତ ଆଉ ଅନ୍ୟ ଗତି ନାହିଁ । ଆପଣାର ଭୂମିଟି ଆପଣାର ଗୋଡ଼ତଳେ ସ୍ଥିର ଓ ଦୃଢ଼ ରହିଥିବା ପର୍ଯ୍ୟନ୍ତ ଝରକାଗୁଡ଼ିକୁ ଖୋଲିଦେବା ଲାଗି ମଣିଷ ଆଉ କାହିଁକି ଭୟ କରିବ ? ସମ୍ଭବତଃ ଏଭଳି ହୋଇଥାଏ ଯେ, ଯାହାର ପାଦତଳ ଭୂଇଁଟି ଉପରେ ଯଥେଷ୍ଟ ବିଶ୍ଵାସ ନଥାଏ, ସେଇ ନିଜ ଘରର ଝରକାଗୁଡ଼ିକ ଖୋଲିଦେବାକୁ ଯାବତ୍‍ ଭୟ କରୁଥାଏ, ପୃଥିବୀଯାକର ପବନ ଆସି ତାକୁ ଏକାବେଳକେ ଓଲଟାଇ ପକାଇବେ ବା କୁଆଡ଼େ ମନ କୁଆଡ଼େ ଉଡ଼ାଇ ନେଇଁଯିବେ ବୋଲି ତା’ ଭିତରେ ଏକ ବାସ୍ତବ ଆତଙ୍କ ରହିଥାଏ । ତା’ର ଜାତି ଚାଲିଯିବ ବୋଲି ସିଏ ଭୟ କରୁଥାଏ । ମଣିଷମାନେ ଯେତେବେଳେ ଏହିପରି ଜାତି ବାରୁଥାନ୍ତି, ଅଲଗା ହୋଇ ରହିବାକୁହିଁ ଶୁଦ୍ଧ ହୋଇ ରହିବାର ଏକମାତ୍ର ଉପାୟ ବୋଲି ବିଚାରନ୍ତି ଏବଂ ସଂକ୍ରମଣକୁ ଭୟ କରନ୍ତି, ସେତେବେଳେ ସେମାନଙ୍କର ସଂସ୍କୃତିରେ କୌଣସି ନା କୌଣସି ଅବକ୍ଷୟ ଆସି ପହଞ୍ଚି ଯାଇଥାଏ । ଗଡ଼ିଆଟିଏ ହୋଇ, ଅସ୍ପୃଶ୍ୟ ହୋଇ ରହିବାକୁ ମନ କରୁଥିବା ସଂସ୍କୃତିମାନେ ନିଜଲାଗି ପ୍ରମାଦ ହୋଇ ରହନ୍ତି ।

 

ଯେଉଁ ବିଶ୍ଵସଂସ୍କୃତି ପୃଥିବୀସାରା ମନୁଷ୍ୟର ଜୀବନ ତଥା ସମ୍ବନ୍ଧଗୁଡ଼ିକ ମଧ୍ୟରେ ପ୍ରବେଶ କରିବାଲାଗି ଅପେକ୍ଷା କରି ରହିଛି, ତାହାକୁ ସୁସ୍ଥ ଭାବରେ ଆମନ୍ତ୍ରିତ କରି ଆଣିବା ନିମନ୍ତେ ବିଭିନ୍ନ ସାହିତ୍ୟର ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଦାୟିତ୍ଵ ରହିଛି । ସାହିତ୍ୟିକ ନିଜ ଭାଷାରେହିଁ ସାହିତ୍ୟ ଲେଖିବ, ନିଜ ଭୂମିଟି ଉପରେ ରହିହିଁ ସିଏ ସାହିତ୍ୟ ସୃଷ୍ଟି କରିବ, ମାତ୍ର ସମଗ୍ର ବିଶ୍ଵର ସେହି ଅପେକ୍ଷମାଣ ନିୟତିକୁ ଚକ୍ଷୁ ସମକ୍ଷରେ ଦର୍ପଣ ପରି ଧରି ରଖିହିଁ ସିଏ ସାହିତ୍ୟ ଲେଖିବ । ଏକାଧିକ ସମାଜରେ ଏବେ ମଧ୍ୟ ବହୁ ମନୁଷ୍ୟ ଉପେକ୍ଷିତ ହୋଇ ରହିଛନ୍ତି, ଉତ୍ତମମାନଙ୍କର ବହୁ ଉଦାସୀନତାର ଶିକାର ହୋଇ ରହିଛନ୍ତି । ସାହିତ୍ୟ ସେମାନଙ୍କୁ ମଧ୍ୟ ସାଙ୍ଗରେ ଆଣିବାକୁ ଚେଷ୍ଟା କରିବ, ପରବର୍ତ୍ତୀ ଭବିଷ୍ୟତଟି ଲାଗି ସେମାନଙ୍କୁ ପ୍ରସ୍ତୁତ କରି ଆଣିବ । ସେମାନଙ୍କର ସମ୍ମାନବୋଧକୁ ସିଏ ଜାଗୃତ କରି ଆଣିବ । ସାହିତ୍ୟ ଯାବତୀୟ ଅଳ୍ପତା ଏବଂ ସଂକୀର୍ଣ୍ଣତା ଉପରେ ସାହସର ସହିତ ପ୍ରହାର କରିବ । ସାହିତ୍ୟ ବିଶ୍ଵସଂସ୍କୃତିର ଯୋଗ୍ୟ ହେବ, ଏବଂ ସେହି ଅନୁସାରେ ପାହାଚ ଉଠିଯିବ । ଏକ ନୂଆ ପୃଥିବୀର ଆହ୍ଵାନ, ଏକ ନୂତନ ଉଦ୍ୟମ ଓ ନୂତନ ଆସ୍ପୃହାଗୁଡ଼ିକର ଆହ୍ଵାନ, ତାହା ଆମ ସାହିତ୍ୟ ଲାଗି ମଧ୍ୟ ଏକ ଆହ୍ଵାନ । ସାହିତ୍ୟ ସେହି ଆହ୍ଵାନର ଜବାବ ଦେବ ।

 

ସାହିତ୍ୟର ଅଭିପ୍ରାୟ

 

ଓଡ଼ିଶାର ସାହିତ୍ୟତତ୍ତ୍ଵକାର ଶ୍ରୀଯୁକ୍ତ ବିଶ୍ଵନାଥ କବିରାଜ କାବ୍ୟାନନ୍ଦକୁ ‘ବ୍ରହ୍ମାନନ୍ଦସହୋଦର’ ବୋଲି କହିଛନ୍ତି । କାବ୍ୟାନନ୍ଦ ଅର୍ଥାତ୍‍ କାବ୍ୟରଚନାଜନିତ ଆନନ୍ଦ ଏବଂ କାବ୍ୟପଠନଜନିତ ଆନନ୍ଦ । ସେକାଳରେ କାବ୍ୟ କହିଲେ, ସମଗ୍ରତଃ ସାହିତ୍ୟକୁ ବୁଝାଉଥିଲା । ସାହିତ୍ୟରସକୁ କାବ୍ୟରସ ବୋଲି କୁହାଯାଉଥିଲା । ବ୍ରହ୍ମାନନ୍ଦ ଅର୍ଥାତ୍‍ ବ୍ରହ୍ମର ଉପଲବ୍ଧିଜନିତ ଆନନ୍ଦ, ବ୍ରହ୍ମାନୁଭବର ଆନନ୍ଦ । ବିଶ୍ଵନାଥ ଧର୍ମତତ୍ତ୍ଵବିତ ଥିଲେ କି ନାହିଁ, ସେକଥା କହିହେବ ନାହିଁ-। ତେଣୁ ଆମେ ବ୍ରହ୍ମକୁ ଏଠାରେ ଆମର ପୂର୍ବାଲୋଚିତ ‘ଭୂମା’ର ଅର୍ଥରେ ଗ୍ରହଣ କରିପାରିବା-। କାବ୍ୟଜନିତ ଆନନ୍ଦ ହେଉଛି ଏକ ସମଗ୍ର ଉପଲବ୍ଧିର ଆନନ୍ଦ ।

 

ତତ୍ତ୍ୱକାର ବିଶ୍ଵନାଥଙ୍କ ସମୟରେ ସାହିତ୍ୟ ବା କାବ୍ୟର ଏକ ଅତ୍ୟନ୍ତ ସୀମିତ ଅର୍ଥ ଥିଲା । ସେତେବେଳେ ପ୍ରଧାନତଃ ପଦ୍ୟରେ ସବୁକିଛି ଲେଖା ହେଉଥିଲା । ପ୍ରାୟ ସବୁଯାକ ସାହିତ୍ୟ ପଦ୍ୟସାହିତ୍ୟ ଥିଲା । ମଣିଷମାନେ ଗଦ୍ୟରେ କଥାବାର୍ତ୍ତା ହେଉଥିଲେ, ଗଦ୍ୟରେ ଚିନ୍ତା କରୁଥିଲେ ଏବଂ ଗଦ୍ୟରେ ସ୍ଵପ୍ନ ଦେଖୁଥିଲେ ସତ, ମାତ୍ର ଗଦ୍ୟକୁ ସେତେବେଳେ ସାହିତ୍ୟରୁ ବହିଷ୍କୃତ କରି ରଖାଯାଇଥିଲା । ଗଦ୍ୟ ତ ସାଧାରଣ ଜୀବନରେ ଭାଷା; ତେଣୁ ସାହିତ୍ୟକୁ ଯଥାସାଧ୍ୟ ଅଧିକରୁ ଅଧିକ ଏକ ବିଶେଷ ଓ ଅସାଧାରଣ ବ୍ୟାପାର କରି ରଖିବାଲାଗି କେବଳ ପଦ୍ୟକୁହିଁ ସାହିତ୍ୟରେ ପ୍ରବେଶ କରିବାର ଅନୁମତି ମିଳୁଥିଲା । ଏବେ ତ ସାହିତ୍ୟ କହିଲେ ଗଦ୍ୟ ଓ ପଦ୍ୟ ଉଭୟକୁ ବୁଝାଇଲାଣି । ଏବେ କବିତା କେବଳ ପଦ୍ୟରେ ଲେଖା ହେଉନାହିଁ, ଗଦ୍ୟରେ ମଧ୍ୟ ଲେଖାଯାଉଛି । ଅର୍ଥାତ୍‍ କବିତାର ସଂଜ୍ଞା ଏବେ ବଦଳି ଗଲାଣି । ଆଧୁନିକ କାଳରେ ସାହିତ୍ୟ ଭିତରକୁ ଗଳ୍ପ ଆସିଲାଣି, ଉପନ୍ୟାସ ଆସିଲାଣି, ପ୍ରବନ୍ଧ, ରମ୍ୟରଚନା ଓ ଭ୍ରମଣ କାହାଣୀ କେତେକଅଣ ଆସିଲାଣି । ସେ କାଳରେ ସାହିତ୍ୟ ଲେଖିବା ପଛରେ ଯେଉଁ ପ୍ରୟୋଜନ ବା ଅଭିପ୍ରାୟ ରହିଥିଲା, ତାହାର ପରିସର ବଦଳି ଗଲାଣି । ବଦଳି ଗଲାଣି ଅର୍ଥାତ୍‍ କେତେକେତେ ଆଡ଼କୁ ପ୍ରସାରିତ ହୋଇଗଲାଣି । ସେ କାଳର ସାହିତ୍ୟ ପ୍ରଧାନତଃ ଜଣସାହିତ୍ୟ ହୋଇ ରହିଥିଲା, ଏବେ ତାହା ଜନସାହିତ୍ୟରେ ପରିଣତ ହେଲାଣି । ଅର୍ଥାତ୍‍, ସେତେବେଳେ ସମସ୍ତେ ସାହିତ୍ୟ ମଧ୍ୟକୁ ଅଧିକାର ପାଇ ନଥିଲେ, କେତୋଟି ବିଶିଷ୍ଟବର୍ଗରହିଁ ସାହିତ୍ୟ ଉପରେ ଅଧିକାର ରହିଥିଲା-। ସାହିତ୍ୟ ପ୍ରଧାନତଃ ସଭାର ସାହିତ୍ୟ ଥିଲା । ଯେଉଁମାନେ ରାଜାଙ୍କ ପାଖରେ ସଭାରେ ବସୁଥିଲେ, ଅର୍ଥାତ୍‍ ରାଜାଙ୍କର ପସନ୍ଦ ଅନୁସାରେ ତାଙ୍କର ସାହିତ୍ୟସଭାକୁ ପ୍ରବେଶାଧିକାର ପାଉଥିଲେ, ସାହିତ୍ୟର ପୃଥିବୀଟି ପ୍ରଧାନତଃ ସେହିମାନଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିଥିଲା-। ବର୍ତ୍ତମାନ ବିବିଧ କାରଣରୁ ସାହିତ୍ୟ ସର୍ବଜନର ସମ୍ପତ୍ତି ହେଲାଣି । ବିଶେଷକରି ମୁଦ୍ରଣଯନ୍ତ୍ରର ଉତ୍ତାବନ ଏବଂ ପ୍ରସାର ପରେ ଇଚ୍ଛୁକ ପ୍ରତ୍ୟେକ ବ୍ୟକ୍ତି ସାହିତ୍ୟର ଅଳିନ୍ଦ ଭିତରେ ଆସି ବସି ପାରିଲେଣି । ସହସ୍ର ସହସ୍ର ସଂଖ୍ୟାରେ ଛାପାବହିମାନ କୋଟି କୋଟି ମଣିଷଙ୍କର ହାତପାହାନ୍ତାରେ ଯାଇ ପହଞ୍ଚି ପାରିଲାଣି । ତେଣୁ ସାହିତ୍ୟିକ ପ୍ରଯୋଜନର ସଂଜ୍ଞାଗୁଡ଼ିକ ମଧ୍ୟ ଯେ କାଳ ଅନୁସାରେ ବଦଳି ଯାଇଥିବ, ସେଥିରେ ଆମର ଆଦୌ କୋଣସି ସନ୍ଦେହ ରହିବା ଉଚିତ ନୁହେଁ ।

 

ଭାରତବର୍ଷରେ ପ୍ରାଚୀନ ସାହିତ୍ୟକାରମାନେ ମୋକ୍ଷକୁ ସାହିତ୍ୟ ଲେଖିବାର ଏକ ମୁଖ୍ୟ ଅଭିପ୍ରାୟ ବୋଲି ବର୍ଣ୍ଣନା କରିଛନ୍ତି । ସେତେବେଳେ ସଂସାରରେ ଜନ୍ମ ହେବାକୁ ସତେଅବା ଦୈବର ଏକ ଶାସ୍ତିବିଧାନ ବୋଲି ମନେ କରାଯାଉଥିଲା ଏବଂ ଏହିପରି ଶାସ୍ତି ଭୋଗ କରୁଥିବା ମନୁଷ୍ୟ ଇହଜନ୍ମରୁ ମୁକ୍ତିଲାଭ କରିବାକୁ ଅର୍ଥାତ୍‍ ମୋକ୍ଷ ପାଇବାକୁହିଁ ଆପଣାର ସର୍ବବୃହତ୍ ଓ ସର୍ବପ୍ରଥମ ଅଭୀଷ୍ଟ ବୋଲି ଗଣନା କରୁଥିଲା ଏବଂ ଉତ୍ତମ କାର୍ଯ୍ୟ କଲେ ମନୁଷ୍ୟକୁ ଆଉ ସଂସାରରେ ପୁନର୍ଜନ୍ମର ଫାଶରେ ପଡ଼ିବାକୁ ହେଉ ନଥିଲା । ପୁସ୍ତକ-ରଚନାକୁ ସମ୍ଭବତଃ ସଂଯୁକ୍ତ ସମସ୍ତେ ଏକ ଉତ୍ତମ କାର୍ଯ୍ୟ ବୋଲି ବିଚାର କରୁଥିଲେ ଏବଂ ତେଣୁ, ଏକ ପୁସ୍ତକ ଲେଖିବାଦ୍ଵାରା ସେମାନେ ପୃଥିବୀରେ ପୁନର୍ବାର ଜନ୍ମ ହେବାର ଅଭିଶାପ ଓ ଅପଦଶାରୁ ମୁକ୍ତି ପାଇଯିବେ ବୋଲି ବିଶ୍ଵାସ କରୁଥିଲେ । କେବଳ ତଥାକଥିତ ଧର୍ମଶାସ୍ତ୍ର ନୁହେଁ, ଯେକୌଣସି ଶାସ୍ତ୍ର ଲେଖିଲାବେଳେ ମଧ୍ୟ ଗ୍ରନ୍ଥକାରମାନେ ମୋକ୍ଷର ଉଦ୍ଦେଶ୍ୟକୁହିଁ ନିଜ ସମ୍ମୁଖରେ ରଖୁଥିଲେ । ବାତ୍ସାୟନ ମୁନି କାମଶାସ୍ତ୍ର ଭଳି ଏକ ନିତାନ୍ତ ଐହିକ ଶାସ୍ତ୍ର ଲେଖିବା ସମୟରେ ମଧ୍ୟ ମୋକ୍ଷକୁ ସେହି ଶାସ୍ତ୍ରଟିକୁ ରଚନା କରିବାର ଅଭୀଷ୍ଟ ବୋଲି ମାନିଥିଲେ । ଅଶ୍ଵଶାସ୍ତ୍ର ଅର୍ଥାତ୍‍ ଅଶ୍ଵମାନଙ୍କର ପାଳନ, ପ୍ରଶିକ୍ଷଣ, ତଥା ଅଶ୍ଵମାନଙ୍କର ବିଭିନ୍ନ ରୋଗର ଚିକିତ୍ସା ବିଷୟରେ ଲେଖା ହେଉଥିବା ଶାସ୍ତ୍ରର ରଚନା ପଛରେ ମୋକ୍ଷହିଁ ମୁଖ୍ୟ ଈପ୍‍ସିତ ହୋଇ ରହିଥିଲା । ସେହିପରି ଜ୍ୟୋତିର୍ବିଦ୍ୟା ଓ ଧନୁର୍ବିଦ୍ୟା ପ୍ରଭୃତି ଯାବତୀୟ ଗ୍ରନ୍ଥରଚନା ପଛର ମୋକ୍ଷ ଜଣେ ଗ୍ରନ୍ଥକାରର ପ୍ରଧାନ ଉଦ୍ଦେଶ୍ୟ ଥିଲା । ଆଧୁନିକ ଯୁଗ ଏବଂ ଆଧୁନିକ ସାହିତ୍ୟର ପରିପ୍ରେକ୍ଷୀରେ ଆମେ ପୁରାତନ କାଳର ସେହି ଲକ୍ଷ୍ୟଟିରୁ କେତେଦୂର ବିହିତ ବୋଲି ଗ୍ରହଣ କରିପାରିବା ? ଏକ ବ୍ୟଞ୍ଜନାତ୍ମକ ଅର୍ଥରେ ସମ୍ଭବତଃ ମୋକ୍ଷ ଯାବତୀୟ ସାହିତ୍ୟ-ରଚନାର ଏକ ତାତ୍କାଳିକ ଫଳଲାଭ ବୋଲି ଗ୍ରହଣ କରାଯାଇପାରିବ । ପ୍ରତ୍ୟେକ ସାହିତ୍ୟକାର ବ ଗ୍ରନ୍ଥକାର ତା’ର ରଚନାଟିକୁ ଲେଖି ନିଜ ଭିତରେ ଗୋଟିଏ ପ୍ରକାରର ବିମୋଚନ ଅନୁଭବ କରିଥାଏ । ଯାବତୀୟ ସାହିତ୍ୟିକ ଅଭିବ୍ୟକ୍ତି ସାହିତ୍ୟିକ ଲାଗି ଅନେକ ବିମୋଚନର କାରଣ ହୋଇଥାଏ । ତା’ର ହୃଦୟଗ୍ରନ୍ଥିମାନ ସତେଅବା ଫିଟିଗଲା ପରି ଅନୁଭୂବ ହୁଏ । ଗ୍ରନ୍ଥଟିଏ ଲେଖିଲା ପରେ ଜଣେ ଗ୍ରନ୍ଥକାର କଦାପି ସେହି ପୁରୁଣା ମଣିଷଟି ହୋଇ ରହେନାହିଁ । ସେ ସତେଅବା ନିଜର ପଥଯାତ୍ରାରେ କେତୋଟି ପାହାଚ ଉଠି ଯାଇଥିବା ପରି ଏବଂ ସତେଅବା ଏକ ନୂତନ ଆଖିରେ ନିଜକୁ ଅବଲୋକନ କରୁଥିବା ପରି ଅନୁଭବ କରିଥାଏ ।

 

ସାହିତ୍ୟକୁ ଅନେକ ସମୟରେ ଚିତ୍ତନିନୋଦନର ଏକ ମାଧ୍ୟମ ବୋଲି ଗ୍ରହଣ କରାଯାଇଥାଏ । ଏହା ପୂର୍ବକାଳରେ ହେଉଥିଲା, ଏବେ ମଧ୍ୟ ହେଉଛି । ସାହିତ୍ୟର ଆସ୍ଵାଦନ ବା ଅନୁଶୀଳନ ହେଉଛି ପ୍ରଧାନତଃ ସାହିତ୍ୟ-ରସିକମାନଙ୍କ ନିମନ୍ତେ, ଏପରି ଏକ ସୁଧୀବାଣୀ ଏକାଧିକ ସାହିତ୍ୟ-ପରମ୍ପରାରେ ରହିଆସିଛି । ସାହିତ୍ୟ, ସଙ୍ଗୀତ, ବାଦ୍ୟ ଓ ନୃତ୍ୟକୁ ସେକାଳର ଟୀକାକାରମାନେ ବାଗ୍‍ଦେବୀଙ୍କର ଚତୁରଙ୍ଗ ବିଳାସ ବୋଲି ମଣିଛନ୍ତି । ବାଗ୍‍ଦେବୀ ସ୍ଵର୍ଗର ଦେବୀ, ମର୍ତ୍ତ୍ୟର ମନୁଷ୍ୟମାନେ ତାଙ୍କୁ ପ୍ରାର୍ଥନା କଲେ ସେ ସେମାନଙ୍କ ଉପରେ ମଧ୍ୟ ପ୍ରସନ୍ନ ହୁଅନ୍ତି-। ବାଗ୍‍ଦେବୀ ପ୍ରସନ୍ନ ହେଲେ ମର୍ତ୍ତ୍ୟମଣିଷର ଜ୍ଞାନ ସ୍ଫୁରେ, ଚକ୍ଷୁରୁନ୍ମୀଳନ ଘଟେ ଓ ସେ ସେହି ଦେବୀଙ୍କର ପ୍ରସାଦ ଲାଭ କରି ପଣ୍ଡିତ ହୁଏ, ଲେଖକ ହୁଏ, କାବ୍ୟକାର ହୁଏ,-ଏହିଭଳି ଏକ ଅପବାଦ ଭାରତବର୍ଷରେ କାଳକାଳରୁ ରହିଆସିଛି । ସ୍ଵର୍ଗରେ ଶ୍ରମ ନାହିଁ, ଉଦ୍ୟମ ନାହିଁ, ସଂଘର୍ଷ ନାହିଁ କିମ୍ବା ସାଧନା ମଧ୍ୟ ନାହିଁ । ଖାଲି ଅସୁମାରି ସୁଖଭୋଗ ରହିଛି । ଦୁଃଖରେ ଭର୍ତ୍ତିହୋଇ ରହିଥିବା ଏହି ପୃଥିବୀର ମନୁଷ୍ୟ ପ୍ରାୟ ଏକ ଆତ୍ମବିରକ୍ତିଦ୍ଵାରା ପ୍ରେରିତ ହୋଇ ସାହିତ୍ୟ ଓ ସଙ୍ଗୀତାଦିଦ୍ଵାରା ଯେ ଆପଣାର ଚିତ୍ତବିନୋଦନ କରାଇବାକୁ ସ୍ଵର୍ଗସୁଖତୁଲ୍ୟ ମନେକରିବ, ସେଥିରେ ବିସ୍ମିତ ହେବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ । ବିନୋଦନ ଅର୍ଥାତ୍‍ ଅନ୍ତତଃ କେତେକ ସମୟ ଲାଗି ସମସ୍ତ କ୍ଳେଶରୁ ଛୁଟି, ପୃଥିବୀ-ଚିନ୍ତାରୁ ଏକ ମୁକ୍ତି ବା ନିଷ୍କୃତି । ଜୀବନକୁ ଏକ ବୋଝପରି ଅନୁଭବ କରୁଥିଲା ପର୍ଯ୍ୟନ୍ତ ଅନ୍ତତଃ କେତେ ସମୟଲାଗି ସେହି ବୋଝକୁ ନିଜ ପିଠିରୁ ଓହ୍ଲାଇ ଦେବାରେ କିଏ ଉଶ୍ୱାସ ଅନୁଭବ ନ କରିବ ? ସମ୍ଭବତଃ ସେଇଥିଲାଗି ପୂର୍ବକାଳେ ରାଜାମାନେ ଆପଣାର କର୍ତ୍ତବ୍ୟ କରିବାଲାଗି ଦରବାରକୁ ଯାଉଥିଲେ, ସେଠାରେ ସେମାନେ ଆପଣା ପରାକ୍ରମର ଓ ପ୍ରଭାବଶାଳୀତାର ପରିଚୟ ଦେଉଥିଲେ ଏବଂ ତା’ପରେ ସତେଅବା କ୍ଳେଶ ଭୁଲିବାକୁ ଚିତ୍ତବିନୋଦନ ନିମନ୍ତେ ପଣ୍ଡିତ, କବି ଓ ବିଦୂଷକମାନଙ୍କୁ ଡକାଇ ସଭା ମଣ୍ଡାଉଥିଲେ । କାବ୍ୟଶାସ୍ତ୍ରର ଶ୍ରବଣ ଏବଂ ପ୍ରୋତ୍ସାହନକୁ ସେତେବେଳର ପରିଭାଷାରେ ବିନୋଦ ବୋଲି କୁହାଯାଉଥିଲା । ସିଏ ପ୍ରକୃତରେ ଏକ ଅନ୍ୟ ସମୟ ଥିଲା ।

 

ଆମର ଏହି ସମୟରେ ମଧ୍ୟ ଏପରି ଅନେକ ମନୁଷ୍ୟ ଅଛନ୍ତି, ଯେଉଁମାନେ କି ସାହିତ୍ୟକୁ ପ୍ରାୟ ପ୍ରଧାନତଃ ଚିତ୍ତକୁ ଘଡ଼ିକ ଲାଗି ରଞ୍ଜାଇ ରଖିବାର ଏକ ମାଧ୍ୟମ ବା ଉପଜୀବ୍ୟରୂପେ ଗ୍ରହଣ କରନ୍ତି । ସମଗ୍ରତଃ ସଂସ୍କୃତି କହିଲେ ମଧ୍ୟ ସେମାନେ ଏହିଭଳି ମନୋରଞ୍ଜନକାରୀ ପ୍ରକରଣଗୁଡ଼ିକୁ ବୁଝନ୍ତି । ଜୀବନରୁ ଅର୍ଥାତ୍‍ ଜୀବନ ନାମକ ଜଞ୍ଜାଳରୁ ତଥା ଜାଲରୁ ଘଡ଼ିଏ ଫିଟି ବାହାରିଯିବା ପାଇଁ ସେମାନେ ସାହିତ୍ୟକୁ ଲୋଡ଼ନ୍ତି, ଅର୍ଥାତ୍‍ ସାହିତ୍ୟ ଲେଖନ୍ତି କିମ୍ବା ସାହିତ୍ୟ ପାଠ କରନ୍ତି । କାଳେକାଳେ ସାହିତ୍ୟ ପ୍ରାୟ ଏକ ବିଶିଷ୍ଟ ବର୍ଗ ବା ଶ୍ରେଣୀର ଫୁରୁସତ୍‍କାଳୀନ ସମ୍ପତ୍ତି ପରି ହୋଇ ରହିଆସିଅଛି । ବିଶେଷକରି ଯେଉଁଠାରେ ଏକ ସମାଜକୁ ମନୁଷ୍ୟକୃତ ନାନାବିଧ ଅସମାନତା କାମୁଡ଼ି ଧରି ରହିଥାଏ, ସେହି ସମାଜରେ କେତେକ ମନୁଷ୍ୟ ଆପଣାକୁ ଅନ୍ୟମାନଙ୍କର ପରିପ୍ରେକ୍ଷୀରେ ସତେଅବା ଏକ ବିଶେଷ ବର୍ଗ ବା ଶ୍ରେଣୀ ବୋଲି ମନେକରନ୍ତି ଏବଂ ଚିତ୍ତବିନୋଦନ ନିମନ୍ତେ ସାହିତ୍ୟକୁ ଲୋଡ଼ନ୍ତି । ଯେଉଁସବୁ ସମାଜରେ ସବୁ ମଣିଷ ଜୀବନ ଭଳି ଜୀବନଟିଏ ବଞ୍ଚିବାର ଆୟତନ ଭିତରକୁ ଆସି ନଥାନ୍ତି, କେବଳ ଉଦରଭରଣ ନିମନ୍ତେହିଁ ଜୀବନଧାରଣ କରିଥାନ୍ତି ଏବଂ ସେହି କାରଣରୁ ନାନା ଜୀବିକା ଗ୍ରହଣ କରିଥାଆନ୍ତି, ସେହି ସମାଜମାନଙ୍କରେ ଯେଉଁ ଭାଗ୍ୟବାନମାନେ ଉପରେ ଥାଆନ୍ତି, ଉପଲବ୍ଧ ପ୍ରାୟ ସମସ୍ତ ଭୋଗର ତଥା ସୁଯୋଗର ଅଧିକାରୀ ହୋଇ ରହିଥାଆନ୍ତି, ସେଠାରେ ସେହି ବିଶେଷମାନେହିଁ ସତେଅବା ଏକ ବିଶେଷ ଅଧିକାରରୂପେ ସାହିତ୍ୟକୁ ତଥା ସଂସ୍କୃତିକୁ ଭୋଗ କରନ୍ତି । ସେମାନେ ସଂସ୍କୃତିକୁ ଏକ ସମ୍ପତ୍ତି ବୋଲି ଭାବନ୍ତି । ସମ୍ପତ୍ତି ତ ଭୋଗ କରିବାକୁ, ତେଣୁ ସାହିତ୍ୟ ସମେତ ସଂସ୍କୃତି ପର୍ଯ୍ୟାୟର ଯାବତୀୟ ସବୁକିଛି ସେହି ଭୋଗଲାଗି, ଚିତ୍ତବିନୋଦନ ଲାଗି । ସାଧାରଣ ଚେତନାରେ ଅନେକ ସମୟରେ ସକଳ ପ୍ରକାରର ମନୋରଞ୍ଜନକୁ ଅନେକ ମଣିଷ ଯେଉଁ ଆନନ୍ଦ ବୋଲି କହନ୍ତି, ପ୍ରାୟ ସେହି ଆନନ୍ଦ ଲାଗି । ପୃଥିବୀର ସବୁ ମଣିଷଙ୍କର ସାହିତ୍ୟରେ ଭାଗ ରହିବା ଉଚିତ ନୁହେଁ ବୋଲି ଯେଉଁମାନେ ଚିନ୍ତା କରୁଥାନ୍ତି, ସମ୍ଭବତଃ ସେହି ଲୋକମାନେହିଁ ସାହିତ୍ୟକୁ ବିନୋଦନର ଏକ ସାମଗ୍ରୀ ବୋଲି ଭାବନ୍ତି । ସାହିତ୍ୟର ସକଳ ଅବସରକୁ ସେମାନେ ସତେଅବା ପୂର୍ବକାଳର ରାଜାମାନଙ୍କର ସାହିତ୍ୟ ଅବସରଗୁଡ଼ିକ ପରି ଭାବନ୍ତି ଏବଂ ସେଥିରୁ ଅଶେଷ ଆନନ୍ଦ ପାଇଥାନ୍ତି । ଯେଉଁ ସମାଜମାନଙ୍କରେ ସୁଯୋଗ ଏବଂ ଅବସରଗୁଡ଼ିକର କ୍ଷେତ୍ରର ଅଧିକାଂଶ ମଣିଷଙ୍କୁ ପ୍ରାୟ ବଞ୍ଚିତ କରି ରଖାଯାଇଥାଏ, ଯେଉଁ ସମାଜମାନଙ୍କରେ ଅଧିକସଂଖ୍ୟକ ମଣିଷ ଜୀବନଟାକୁ ପ୍ରାୟ ଏକ କଷଣ ପରି ଅଙ୍ଗେ ନିଭାଇବାକୁ ବାଧ୍ୟହୋଇ ରହିଥାନ୍ତି, ସଚରାଚର ସେହିସବୁ ସମାଜରେ ସାହିତ୍ୟଭୋଗୀମାନେ ସାହିତ୍ୟକୁ ଅବସର ବିନୋଦନ ଏବଂ ଚିତ୍ତଉଲ୍ଲାସନର ଏକ ସାଧନ ବା ଉପକରଣ ବୋଲି ଗ୍ରହଣ କରିଥାନ୍ତି ।

 

ଯାବତୀୟ ବିନୋଦନ ଯେ ମଣିଷକୁ ତା’ ଜୀବନର ଯଥାର୍ଥ ଆନନ୍ଦଟିକୁ ଆଣି ଯୋଗାଇ ଦେଇପାରିବ, ସେକଥା ଆଦୌ ନୁହେଁ । ଜୀବନଟିକୁ ଯଥାର୍ଥଭାବେ ବଞ୍ଚିପାରିଲେ ଯାଇ ମନୁଷ୍ୟ ଯଥାର୍ଥ ଆନନ୍ଦ ଲାଭ କରିବାର ଯୋଗ୍ୟ ହୋଇଥାଏ । ଯଥାର୍ଥଭାବେ ବଞ୍ଚିବାର ଅର୍ଥ ଯଥାସମ୍ଭବ ଅଧିକ ସମଗ୍ର ଭାବରେ ଜୀବନ ବଞ୍ଚିବା, ସମସ୍ତଙ୍କ ସହିତ ଗଭୀର ଆତ୍ମୀୟତା ସହିତ ସମ୍ମିଳିତ ହୋଇ ଜୀବନର ବାଟଟିକୁ ଚାଲିବା । ସମସ୍ତଙ୍କୁ ସ୍ଥାନ ଦେଇପାରୁଥିବା ଭଳି ଜୀବନଟିଏ ବଞ୍ଚିବା ଏବଂ ସେଥିଲାଗି ଆପଣାକୁ ସମସ୍ତଙ୍କ ଆଡ଼କୁ ପ୍ରସାରିତ କରି ରଖିଥିବା । ଏକ ଅସମାନ ସମାଜରେ ସେହି ପ୍ରସାରଣ ସାଧାରଣତଃ ସମ୍ଭବ ହୋଇପାରେ ନାହିଁ । ସମାଜରେ ଯେଉଁ ବ୍ୟକ୍ତିମାନେ ଅପେକ୍ଷାକୃତ ଅଧିକ ପରିମାଣରେ ସମ୍ବେଦନାଯୁକ୍ତ ହୋଇ ତିଆରି ହୋଇଥାଆନ୍ତି, ସେମାନେ ନିଜ ଅବଚେତନରେ ଏହାକୁ ପ୍ରାୟ ଏକ ଦୁର୍ଦ୍ଦଶା ବୋଲି ଅନୁଭବ କରନ୍ତି, ଆପଣାକୁ ସତେଅବା ଉପବାସୀ ଏବଂ ଅସମର୍ଥପ୍ରାୟ ମନେ କରୁଥାନ୍ତି ଏବଂ ସେହି ଅସମର୍ଥତାକୁ ଏକ ଗ୍ଳାନି ପରି ଅନୁଭବ କରନ୍ତି । ସେହି ଗ୍ଳାନିକୁ ଭୁଲିବାକୁ ସତେ ଯେପରି ଏକ କ୍ଷତିପୂରଣ ହିସାବରେ ସେମାନେ ସାହିତ୍ୟରେ ଅନୁରାଗ ରଖିଥାଆନ୍ତି, ସାହିତ୍ୟ ଲେଖନ୍ତି ବା ପାଠ କରନ୍ତି । ଏହି ଦୃଷ୍ଟିରୁ ସାହିତ୍ୟ ସେମାନଙ୍କର ଭାବଜୀବନରେ ସତେଅବା ଏକ ବିରେଚନ ପରି କାର୍ଯ୍ୟ କରିଥାଏ ଏବଂ ସେମାନେ ଏହାଦ୍ଵାରା ଅନ୍ତତଃ ସାମୟିକ ଭାବରେ ଉଶ୍ଵାସ ମନେକରନ୍ତି, ଆପଣାକୁ ଦୋଷମୁକ୍ତ ବୋଲି ଭାବନ୍ତି । ସେମାନେ ଯେଉଁସବୁ ଭାବକୁ ଏବଂ ଯେଉଁସବୁ ସଙ୍ଗକୁ ଜୀବନରେ ବଞ୍ଚିପାରନ୍ତି ନାହିଁ, ସାହିତ୍ୟ ପଢ଼ି ଅଥବା ସାହିତ୍ୟ ରଚନା କରି ସେମାନେ ସେହିସବୁ ଭାବ ଓ ସେହିସବୁ ସଙ୍ଗର ଆସ୍ଵାଦନ କରୁଥିବା ପରି ମଣନ୍ତି, ଆପଣାକୁ ଧନ୍ୟ ମଣନ୍ତି ।

 

ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଅଥବା ମତବାଦର ପ୍ରଚାର କରାଯିବାର ଅଭିପ୍ରାୟରେ ମଧ୍ୟ ସାହିତ୍ୟ ଲେଖାଯାଇପାରେ । ପ୍ରାଚୀନ କାଳରେ ନାନାବିଧ ଧର୍ମ ଏବଂ ମତର ଅନୁଗାମୀମାନେ ନିଜ ନିଜ ସମ୍ପ୍ରଦାୟର ପ୍ରଚାର କିମ୍ବା ପ୍ରସାର ନିମନ୍ତେ କେତେକଅଣ ଲେଖିଯାଇଛନ୍ତି ଏବଂ ତଦ୍ଦ୍ଵାରା ସତେଅବା କେତେକେତେ ଗଡ଼ ଉପରେ ବିଜୟ ହାସଲ କରିଥିବା ପରି ହୁଏତ ଅନୁଭବ କରିଛନ୍ତି-। ପ୍ରାଚୀନ ଭାଷାକାର ଏବଂ ଟୀକାକାରମାନଙ୍କୁ ଆମେ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ କରି ବିଚାର କରିପାରିବା । ଭାରତର ପୁରାଣ ସାହିତ୍ୟ, ଦେବୀ ଓ ଦେବତାମାନଙ୍କର ସ୍ତୁତି ପ୍ରଧାନତଃ ଏହି ଅଭିପ୍ରାୟଟିର ପୂରଣ ନିମନ୍ତେ କଳ୍ପିତ ଓ ଲିଖିତ ହୋଇଥିଲେ । ଇଉରୋପୀୟ ଧର୍ମ ତଥା ଧର୍ମସଂସ୍କାର ପର୍ବର ଏକାଧିକ ପର୍ଯ୍ୟାୟରେ ଯେଉଁ ଗଦାଗଦା ଶାସ୍ତ୍ର ରଚିତ ଓ ଭଣିତ ହୋଇଥିଲା, ସେଗୁଡ଼ିକ ମଧ୍ୟ ସେହି ଶ୍ରେଣୀର । ଆଧୁନିକ ଯୁଗରେ ମଧ୍ୟ ଆମେ ତାହାର ଅନେକ ଦୃଷ୍ଟାନ୍ତ ପାଇପାରିବା । ଜର୍ମାନୀରେ ହିଟ୍‍ଲର୍ ଶାସନ କରୁଥିବା ସମୟରେ ସତ୍‍ସାହିତ୍ୟ ନାମରେ ବରାଦ ଦିଆଯାଇ କେତେ ସାହିତ୍ୟ ଲେଖାଯାଇଥିଲା ଏବଂ ସେହି କାରଣରୁ ପ୍ରାୟ ଏକ ତଦନୁରୂପ କର୍ତ୍ତବ୍ୟର ଅନୁରୋଧରେ କେତେ ତଥାକଥିତ ଅସତ୍ ସାହିତ୍ୟକୁ ଅଗ୍ନିରେ ବିସର୍ଜନ କରାଯାଇଥିଲା-। ରାଜକର୍ତ୍ତୃତ୍ଵର ଆଦେଶରେ ଭୀରୁ ପଣ୍ଡିତମାନଙ୍କୁ ନିୟୋଜିତ କରାଇ ଧର୍ମପୁସ୍ତକ ବାଇବେଲରେ ମଧ୍ୟ ଅନୁରୂପ ସଂଶୋଧନ ଏବଂ ସଂଯୋଜନମାନ କରାଯାଇଥିଲା । । ଅନୁଗତ ବୈଜ୍ଞାନିକମାନେ ଆଜ୍ଞାପ୍ରମାଣେ ବିଜ୍ଞାନର ନୂତନ ଶାସ୍ତ୍ରମାନ ଲେଖିଲେ । ଋଷିଆ ଏବଂ ପୂର୍ବ ଇଉରୋପରେ କମ୍ୟୁନିଷ୍ଟ ରାଜତ୍ଵ ବସିଥିଲାବେଳେ ଏକ ନିର୍ଦ୍ଦିଷ୍ଟ ଧିସାରେ ସାହିତ୍ୟିକମାନଙ୍କୁ ନାଚିବାକୁ ପଡ଼ିଥିଲା । ସରକାରୀ କମିଟିଗୁଡ଼ିକ ଯେଉଁସବୁ ପୁସ୍ତକ ଛପାହେଉ ବୋଲି ଅନୁମୋଦନ କରୁଥିଲେ, କେବଳ ସେହି ପୁସ୍ତକମାନ ଛପାହୋଇ ପାରୁଥିଲା । ଏବେ ମଧ୍ୟ ଯେଉଁସବୁ ଦେଶରେ ଧର୍ମୀୟ ଶାସନ ଜାରି ରହିଛି, ସେଠାରେ ଆଦେଶ ମୁତାବକ ସାହିତ୍ୟ ଲେଖାଯାଉଛି, ମଣିଷର ହୃଦୟ ଉପରେ କୁହୁଣ୍ଡା ଲାଗିଛି । ଯେଉଁ ସାହିତ୍ୟଦ୍ଵାରା ଶାସକମାନଙ୍କର ପ୍ରଚାର ଏବଂ ପ୍ରଶସ୍ତି ସମ୍ଭବ ହୋଇପାରିବ, କେବଳ ସେହି ସାହିତ୍ୟ ଅବତାର ଗ୍ରହଣ କରିପାରୁଛି । ଇସ୍କୁଲ୍‍ରେ ପାଠ ପଢ଼ୁଥିବା ପିଲାମାନେ ମଧ୍ୟ କେଉଁଭଳି ବହି ପଢ଼ିବେ, ଶାସନାନୁଗତ ଉତ୍ତମମାନେ ତାହା ନିର୍ଣ୍ଣୟ କରିଦେଉଛନ୍ତି ।

 

ସାହିତ୍ୟର ଅସଲ ଅଭିପ୍ରାୟ ହେଉଛି ମନୁଷ୍ୟକୁ ମୁକ୍ତିଦେବା । ମନୁଷ୍ୟ ବ୍ୟକ୍ତିକୁ ମୁକ୍ତିଦେବା ଏବଂ ମନୁଷ୍ୟ-ସମାଜକୁ ମୁକ୍ତିଦେବା । ପ୍ରତ୍ୟେକ ମନୁଷ୍ୟ ଭିତରେ ଏପରି ଏକ ଉପାଦାନ ଅର୍ଥାତ୍‍ ଅମୂଲ୍ୟ ସମ୍ଭାବନାଂଶ ରହିଛି, ଯାହାକି କୌଣସି କାଳର ଅଧୀନ ନୁହେଁ, କୌଣସି ସମାଜର ଅଧୀନ ନୁହେଁ, କୌଣସି ସ୍ଥାନୀୟ ଚଳଣି ଅଥବା ସ୍ଥାନୀୟ ସଂସ୍କାରର ମଧ୍ୟ ଅଧୀନ ନୁହେଁ । ସେ ସେହି ଭୂମିରେ କୌଣସି ରାଜାର ଅଧୀନ ନୁହେଁ,-ସେ ସ୍ଵୟଂଭୂ, ସ୍ଵାଧୀନ । ସାହିତ୍ୟ ସେହି ସ୍ଵାଧୀନତା ଲାଗି ବାଟ ଫିଟାଇବ । ପ୍ରତ୍ୟେକ ମନୁଷ୍ୟ ଭିତରେ ଯେଉଁ ସୃଜନକାରୀ ଶକ୍ତିଅଂଶଟି ରହିଛି ଏବଂ ଆପଣାର ଯଥାର୍ଥ ଅଭିବ୍ୟକ୍ତି ଲାଗି ଅପେକ୍ଷା କରିଛି, ବାଟ ଖୋଜୁଛି, ଅସଲ ସାହିତ୍ୟ ତାହାରି ପତାକାକୁ ଉତ୍ତେଜିତ କରି ଧରିବ, ତାହାରି ଆଗମନୀକୁ ଘୋଷଣା କରିବ-। ଯେଉଁ ସମାଜ ବା ସାମୂହିକ ଜୀବନର ପ୍ରତିଷ୍ଠା ହେଲେ ପୃଥିବୀରେ ମଣିଷମାତ୍ରକେ ସମସ୍ତେ ଆପଣାର ସେହି ସମ୍ଭାବନାମୟ ଦେବତ୍ଵକୁ ଆପଣା ଭିତରେ ସୁନିଶ୍ଚିତ ଭାବରେ ଅନୁଭବ କରିପାରିବେ, ତାହାରି ପରିପୂର୍ଣ୍ଣ ବିକାଶକୁହିଁ ଆପଣାର ସର୍ବପ୍ରଧାନ ଧର୍ମ ବୋଲି ଗ୍ରହଣ କରିବେ ଓ ସେହି ଦିଗରେ ସତକୁସତ କ୍ରିୟାଶୀଳ ହୋଇ ରହିପାରିବେ, ସାହିତ୍ୟ ସେହି ସମାଜର ଯାଚନା କରିବ, ସେହିପରି ଏକ ସାମୂହିକ ଜୀବନର ସ୍ଵପ୍ନ ଦେଖିବ, ସେଥିଲାଗି ପ୍ରେରଣା ଦେବ । ମନୁଷ୍ୟର ସେହି ଯଥାର୍ଥ ବିମୋଚନର ପଥରେ ଯେଉଁସବୁ ଖଣ୍ଡ-ସତ୍ୟ, ଖଣ୍ଡମତ, ଯେଉଁସବୁ ଉଗ୍ରତା ଓ ଅହଂକାମିତା ପ୍ରତିବନ୍ଧକ ହୋଇ ଛାଡ଼ି ହୋଇଛି, ସାହିତ୍ୟ ଓ ସାହିତ୍ୟିକ ସେ ସବୁର ପ୍ରତିବାଦ କରିବ, ସେଗୁଡ଼ିକର ବିରୋଧରେ ସଂଗ୍ରାମ କରିବାଲାଗି ମଣିଷକୁ ବଳ ଦେବ, ସାହସ ଦେବ । ବିଭିନ୍ନ ଧର୍ମରେ ଭଗବାନଙ୍କର ଯେଉଁ ରାଜ୍ୟଟି ପୃଥିବୀ ପୃଷ୍ଠରେ ଦିନେ ନା ଦିନେ ଅବତୀର୍ଣ୍ଣ ହୋଇ ଆସିବ ବୋଲି ବ୍ୟାକୁଳ ଭାବରେ ଆବାହନ କରାଯାଇଛି, ସାହିତ୍ୟ, ପୃଥିବୀର ସର୍ବଶ୍ରେଷ୍ଠ ସାହିତ୍ୟ ସେହି ରାଜ୍ୟର କାମନା କରିଆସିଛି, ସେହି ରାଜ୍ୟଲାଗି ମନୁଷ୍ୟ ଭିତରେ ଏକ ବ୍ୟାକୁଳତା ସୃଷ୍ଟି କରାଇଛି, ମନୁଷ୍ୟ ଭିତରେ ତା’ର ସେହି ଶ୍ରେଷ୍ଠତମ ସମ୍ଭାବନାଟିକୁ ଉଦ୍‍ବୁଦ୍ଧ କରାଇଆଣିଛି । ଯେଉଁ ଲେଖକ ଓ ସାହିତ୍ୟିକମାନେ ବିଶ୍ଵସାହିତ୍ୟରେ ଯୁଗେଯୁଗେ ପୁରୋଭାଗରେ ସମଗ୍ର ବିଶ୍ଵର ବନ୍ଦନୀୟ ହୋଇ ରହିଛନ୍ତି, ସେମାନେ ତାହାହିଁ କରିଛନ୍ତି । ସେମାନେ ଆଦୌ ରୁଷି ବସିନାହାନ୍ତି, ଆଦୌ ଅଭିଯୋଗ କରିନାହାନ୍ତି କିମ୍ବା ଆପଣାକୁ ନିଃସଙ୍ଗ ଏକାକୀଟିଏ ବୋଲି ଅଭିମାନ କରି ମୋଟେ ଫୁଲେଇ ହେବାକୁ ମନ କରିନାହାନ୍ତି । ସେମାନେ ଏକ ଅନ୍ୟ ମଣିଷର, ଅନ୍ୟ ପୃଥିବୀର ଏବଂ ଅନ୍ୟ ଅନ୍ତରଙ୍ଗତାର କାମନା କରିଛନ୍ତି ଏବଂ ଏହି ମଣିଷ ଭିତରେ ସେହି ମଣିଷଟି ଅବଶ୍ୟ ରହିଛି ବୋଲି ପୃଥିବୀର ମଣିଷମାନଙ୍କୁ ନିର୍ଭର ଦେଇଆସିଛନ୍ତି । ମଣିଷକୁ ଦିବ୍ୟ ଅଭୟ ଦେଇଆସିଛନ୍ତି । ‘ଏବଂ ମେ ପ୍ରାଣ ମା ବୀଭେ’ ବୋଲି ଉଚ୍ଚାରଣ କରିଛନ୍ତି, ଆମକୁ ସତେଅବା ଜଣେ ବ୍ରତଚାରୀ ପରି ଆଗେଇ ନେଇଛନ୍ତି ।

 

ଏହି ପୃଥିବୀର, ଏହି ଜୀବନର ବ୍ୟାପ୍ତି ଯେତିକି, ଆମ ସାହିତ୍ୟର ବ୍ୟାପ୍ତି ମଧ୍ୟ ସେତିକି-। ଯାହା ଥିଲା, ଯାହା ବିଦ୍ୟମାନ ରହିଛି ଓ ଯାହା ସମ୍ଭାବ୍ୟରୂପେ ଆମଲାଗି ଅପେକ୍ଷା କରିଛି, ଏହି ସବୁକିଛିକୁ ନେଇ ସାହିତ୍ୟର ଏବଂ ସାହିତ୍ୟିକର ବଣିଜ ଓ କାରବାର । ତେଣୁ ସାହିତ୍ୟକୁ ଆମେ ଏକ ବିଶେଷ ବିଷୟ ଅଥବା ବିଶେଷ କ୍ଷେତ୍ର ପରି କେବେହେଲେ ବିଚାର କରିପାରିବା ନାହିଁ । ଜୀବନ ବଞ୍ଚିବାର କ୍ଷେତ୍ର; ଏହାର ଅନେକ ପ୍ରସ୍ଥ, ଅନେକ ଗବାକ୍ଷ । ଠିକ୍ ସେହିପରି ସାହିତ୍ୟର କ୍ଷେତ୍ର ମଧ୍ୟ ଅନୁରୂପ ଭାବରେ ସମଗ୍ର ହେବାକୁ ବାଧ୍ୟ ହେବ । ଯିଏ ସାହିତ୍ୟ ଲେଖିବ, ସିଏ ଅନେକନେତ୍ର ହେବ, ଅନେକ-ଦ୍ଵାର ହୋଇ ଗ୍ରହଣ କରିବ ଏବଂ ଅନେକ-ସମ୍ବେଦନ ହୋଇ ଜୀବନ ଭିତରେ, ଜଗତ ଭିତରେ ପ୍ରବେଶ କରିବାକୁ ସମର୍ଥ ହେଉଥିବ । ଏପରି କୌଣସି କ୍ଷେତ୍ର ନାହିଁ, ଯାହାକୁ କି ସାହିତ୍ୟ ଆପଣାର ବହିର୍ଭୂତ ବୋଲି କହି ନାକ ଟେକିବ । ଯେତିକି ସହାନୁଭୂତି ରହିଥିଲେ ଜଣେ ମଣିଷ ସବୁ କ୍ଷେତ୍ରରେ ପ୍ରବେଶ କରିପାରନ୍ତା, ଜାତି ବାରନ୍ତା ନାହିଁ, ସଂସ୍କାର ବାରନ୍ତା ନାହିଁ କିମ୍ବା ଭେକ ବାରନ୍ତା ନାହିଁ, ସାହିତ୍ୟ ତଥା ସାହିତ୍ୟିକ ସେତିକି ସହାନୁଭୂତିରେ ଯୋଗ୍ୟ ହୋଇ ପାରୁଥିବ । ଏପରି ଏକ ଯୁଗ ଥିଲା, ଯେତେବେଳେ ଶବ୍ଦଦ୍ଵାରା ଏକ ସୁଶ୍ରାବ୍ୟ ଅଳଙ୍କାରମଣ୍ଡନକୁ କାବ୍ୟ ବା ସାହିତ୍ୟ ବୋଲି କୁହାଯାଉଥିଲା । ଗୀତ ଓ କାବ୍ୟର ଅର୍ଥ ଠଉରାଇବା ଲାଗି ସ୍ଵତନ୍ତ୍ର ଗୀତାଭିଧାନମାନ ରହିଥିଲା । ଅଳଙ୍କାରଶାସ୍ତ୍ରୀମାନେ କାବ୍ୟକାରମାନଙ୍କର ସୁବିଧା ନିମନ୍ତେ ଆଳଙ୍କାରିକତା ସୂତ୍ରଗୁଡ଼ିକୁ ସରି ସରି କରି ଖଞ୍ଜି ରଖିଥିଲେ-। ସେହି ସୂତ୍ର ସହିତ ମେଳ ଖାଇଲେ କୌଣସି କାବ୍ୟକୁ ଯଥାର୍ଥ କାବ୍ୟ ବୋଲି କୁହାଯାଉଥିଲା ଏବଂ ମେଳ ନ ଖାଇଲେ ତାହା ନୀରସ ଏବଂ ନିକୃଷ୍ଟ ବୋଲି ପ୍ରତିପାଦିତ ହେଉଥିଲା । ରାଜସଭା ଯାବତୀୟ କାବ୍ୟାଚାର ଲାଗି ସତେଅବା ମୁକ୍ତିମଣ୍ଡପ ପରି କାର୍ଯ୍ୟ କରୁଥିଲା ।

 

କେବଳ ବିନୋଦନ କରିବା ଯଦି ସାହିତ୍ୟର କାର୍ଯ୍ୟ ହୋଇ ନଥାଏ, କେବଳ ଭୁଲାଇନେବା ଓ ଉଡ଼ାଇନେବା ଯଦି କାବ୍ୟକାରିତାର ଏକମାତ୍ର କାରିଗରୀ ବୋଲି ସ୍ୱୀକୃତ ହେଉ ନଥାଏ ଏବଂ ଜୀବନର ଯଥାର୍ଥ ଉଦୟ ନିମନ୍ତେ ପ୍ରେରଣା ଯୋଗାଇ ଦେବା ଯଦି ସାହିତ୍ୟର ଅସଲ ଧର୍ମ ହୁଏ, ତେବେ ସାହିତ୍ୟକୁ ଆଉ ସେହି ପୁରାତନ ଓ ପାରମ୍ପରିକ ସଂଜ୍ଞାଗୁଡ଼ିକର ବାଡ଼ ଭିତରେ କିଳି କରି କଦାପି ରଖାଯାଇପାରିବ ନାହିଁ । ପ୍ରତ୍ୟେକ ମନୁଷ୍ୟର ଏକ ଚେତନ ଜୀବନ ଅଛି, ଏକ ଅବଚେତନ ଜୀବନ ମଧ୍ୟ ରହିଛି । ସଚରାଚର ଏକ ସମାଜ ଭିତରେ ଅନୁରୂପ ମୁଖାମାନ ପିନ୍ଧି ଜଣେ ମନୁଷ୍ୟକୁ ଏକାବେଳକେ ଅନେକ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ୁଥିବାରୁ ତା’ର ଚେତନ ଏବଂ ଅବଚେତନ ମଧ୍ୟରେ ସତେଅବା ଏକ ନିତ୍ୟ-କଳହ ଲାଗି ରହିଛି-। ତା’ର ଅନେକ ଦ୍ଵନ୍ଦ୍ୱ ଓ ଅନେକ ଅସମର୍ଥତା ସେଇଥିରୁହିଁ ଜନ୍ମଲାଭ କରୁଛି । ସିଏ ଯାହା ହେବାକୁ ଇଚ୍ଛା କରୁଛି, ତାହା ହୁଏତ ହୋଇ ପାରୁନାହିଁ ଏବଂ ଯାହା ହେବାକୁ ଆଦୌ ଇଚ୍ଛା ନ କରୁଛି, ସେହିପରି ଗୋଟାଏ ବେଶରେ ବାହାରେ ନିଜର ପରିଚୟ ଦେବାକୁ ବାଧ୍ୟ ହେଉଛି । ସାହିତ୍ୟ ଏହି ମନୁଷ୍ୟର ଅସଲ ଦୁଃଖଟିକୁ ବୁଝିବ, ଆପଣାର ଦୁଇଟାଯାକ ଫାଳ ଭିତରେ ଗୋଟିଏ ସେତୁ ସମ୍ଭବ କରିପାରିବା ଲାଗି ସାହିତ୍ୟ ମନୁଷ୍ୟକୁ ଆବଶ୍ୟକ ଅନ୍ତର୍ବଳ ଯୋଗାଇ ଦେବ, ମଣିଷ ଭିତରେ ରହିଥିବା ତା’ ଅସଲଟିର ନିକଟବର୍ତ୍ତୀ କରାଇ ଆଣିବ । ଏ ଯୁଗର ମଣିଷର ଜୀବନରେ ତା’ର ପ୍ରାୟ ସବୁଯାକ ଆହ୍ଵାନ ହେଉଛି ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଆହ୍ଵାନ, ଆଧୁନିକ ସାହିତ୍ୟରେ ସେଗୁଡ଼ିକୁ ଅସ୍ତିତ୍ଵବାଦୀ ଆହ୍ଵାନ ବୋଲି କୁହାଯାଉଛି । ସାହିତ୍ୟ ସେହି ଆଧ୍ୟାତ୍ମିକ ଓ ଅସ୍ତିତ୍ୱବାଦୀ ଭୂମିରେହିଁ ସେଗୁଡ଼ିକର ସମାଧାନ ଖୋଜିବ, ତେବେଯାଇ ଉଚିତ ସମାଧାନ ପାଇପାରିବ । ନୀତିବାଦୀ ମଣିଷର ନୀତିବାଦୀ ଆକଟ ଓ ଭର୍ତ୍ସନାଗୁଡ଼ିକ ମନୁଷ୍ୟକୁ ଆଉ କୌଣସି ସାହାଯ୍ୟ କରିପାରିବ ନାହିଁ । ଯେତେବେଳେ ମଣିଷମାନେ ସାନ ସାନ ସମାଜରେ ବଞ୍ଚିଥିଲେ ଓ ସେହି ସମାଜକୁ ଏକମାତ୍ର ସମାଜ ବୋଲି ମାନୁଥିଲେ, ସେତେବେଳେ ନୀତିବାଦଦ୍ଵାରା ହୁଏତ କାମକୁ ପାଇଲା ଭଳି କିଛି ସମାଧାନ ମିଳି ଯାଉଥିଲା । ଆମର ଏହି ବର୍ତ୍ତମାନର ଯୁଗରେ ପୃଥିବୀ ନାମକ ସମଗ୍ର ଗ୍ରହଟିହିଁ ମନୁଷ୍ୟର ଅସଲ ସମାଜରେ ପରିଣତ ହେଲାଣି ଏବଂ ସେହି ବୃହତ୍ତର ସ୍ତରରେହିଁ ମନୁଷ୍ୟକୁ ନାନା ନୂତନ ଆହ୍ୱାନର ସମ୍ମୁଖୀନ କରାଇଲାଣି । ସାହିତ୍ୟକୁ ମଧ୍ୟ ଅନୁରୂପ ଭାବରେ ବୃହତ୍ ଏବଂ ଅନେକାନ୍ତ ହେବାକୁ ପଡ଼ିବ । ତେବେ ଯାଇ ତା’ର କୌଣସି ପ୍ରାସଙ୍ଗିକତା ରହିବ । ତା’ ନହେଲେ ତାହା ମାତ୍ର କେତେକଙ୍କ ଲାଗି କେବଳ ଆତ୍ମରମଣର ଏକ ବସ୍ତୁରେ ପରିଣତ ହୋଇଯିବ ଏବଂ ସେତେବେଳଯାଏଁ ପଳାୟନପନ୍ଥୀ କେତେକ ନିର୍ଦ୍ଦିଷ୍ଟ ମନୁଷ୍ୟଜୀବଙ୍କୁ ସାହିତ୍ୟିକ ବୋଲି କୁହାଯାଉଥିବ ।

 

ଆଧୁନିକ ସାହିତ୍ୟ ବିଜ୍ଞାନରୁ ପ୍ରେରଣା ନେବ, ବିଜ୍ଞାନ ପରି ସାହିତ୍ୟ ମଧ୍ୟ ଆପଣାର ଦ୍ଵାରଗୁଡ଼ିକୁ ଯଥାସମ୍ଭବ ଅଧିକ ଗ୍ରହଣଶୀଳ ଏବଂ ଅଧିକ ଉନ୍ମୋଚିତ କରିରଖିବ । ଆଧୁନିକ ବିଜ୍ଞାନ ଯେପରି ଆପଣାର ମାର୍ଗରେ ଆଗକୁ ଆଗକୁ ଯାଇ ଜୀବନ ଓ ଜଗତ ସମ୍ବନ୍ଧରେ ପୃଥିବୀର ପ୍ରାଚୀନ ପ୍ରଜ୍ଞାଗୁଡ଼ିକର ପୁନରାବିଷ୍କାର କରୁଛି, ସାହିତ୍ୟ ତା’ର ଅବଶ୍ୟ ଖବର ରଖିବ । ମନୋବିଜ୍ଞାନ, ନୃତତ୍ତ୍ଵବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ-ଏମାନେ ମଧ୍ୟ ଆଧୁନିକ ସାହିତ୍ୟ ଓ ସାହିତ୍ୟିକକୁ ଅନେକ ନୂତନ ଆଖି ଯୋଗାଇ ଦେଇପାରିବେ । ଯାବତୀୟ ସାହିତ୍ୟ ଏକ ନିର୍ଦ୍ଦିଷ୍ଟ ଭାଷାରେ ଆପଣାକୁ ଅଭିବ୍ୟକ୍ତ କରିବ ଏବଂ ସେହି ଅର୍ଥରେ ସତକୁସତ ସ୍ଥାନୀୟ ହୋଇ ରହିଥିବ ସତ, ମାତ୍ର ତା’ର ଦୃଶ୍ୟପଟଟି ମଧ୍ୟରେ ସମଗ୍ର ବିଶ୍ଵର ଯାବତୀୟ ନିୟତି ଓ ପ୍ରତିଶ୍ରୁତି ଉକୁଟି ଉଠି ପାରୁଥିବ । ବିଭିନ୍ନ ଭାଷାରେ କଥା କହୁଥିଲେ ଓ ବିଭିନ୍ନ ରୀତିରେ ନିଜର ଜୀବନକୁ ବଞ୍ଚୁଥିଲେ ମଧ୍ୟ ଭୁବନସାରା ମନୁଷ୍ୟର ଯାବତୀୟ ବିଚରଣ ଓ ଜୀବନ ମର୍ମତଃ ଯେ ଗୋଟିଏ ଆସ୍ପୃହାଦ୍ୱାରା ତା’ ଭିତରୁ ପରିଚାଳିତ ହେଉଛି ଏବଂ ସେହି ଗୋଟିଏ ନିୟତିକୁ ସାକାରତା ଯୋଗାଇ ଦେବାରେ ଲାଗିଛି, ଆଧୁନିକ ସାହିତ୍ୟ ତାହାକୁ ପ୍ରତିପାଦନ କରିପାରୁଥିବ । ଜଣେ ସାହିତ୍ୟିକର ଚେର ଓ ପାଦଗୁଡ଼ିକ ଅବଶ୍ୟ ତା’ ନିଜ ମାଟିରେ ଦମ୍ଭ ହୋଇ ରହିଥିବ ସତ, ମାତ୍ର ତା’ର ଶାଖାଗୁଡ଼ିକ ସମଗ୍ର ବିଶ୍ଵମଧ୍ୟକୁ ବିସ୍ତୃତ ହୋଇ ରହିଥିବ । ବୃହତ୍ ଆକାଶଟିକୁ ମଧ୍ୟ ତାହା ନିଜର ଏକ ସଦନ ପରି ଅନୁଭବ କରୁଥିବ । ବିବର୍ତ୍ତନବାଦୀମାନେ କହୁଛନ୍ତି, ମନୁଷ୍ୟ ବର୍ତ୍ତମାନ ଏକ ଅନ୍ୟ ବୃହତ୍ତର ଚେତନା ମଧ୍ୟକୁ ପ୍ରବିଷ୍ଟ ହେବାକୁ ଯାଉଛି । ଆମ ସାହିତ୍ୟ ସେହି ଚେତନାର ସନ୍ଦେଶ ଆଣିଦେବ ଏବଂ ସେଇଟିଲାଗି ମଣିଷକୁ ପ୍ରସ୍ତୁତ କରି ନେଉଥିବ ।

 

ସାହିତ୍ୟ ଓ ସାହିତ୍ୟକାର

 

ସାହିତ୍ୟରେ ଗୋଟିଏ ପାଖରେ ସାହିତ୍ୟକାର ନିଜେ ଏବଂ ଆଉ ଗୋଟିଏ ପାଖରେ ତା’ର ପାଠକମାନେ । ନିଜର ସମ୍ଭାବ୍ୟ ପାଠକମାନଙ୍କୁ ସାହିତ୍ୟକାର ଜାଣି ନଥାଏ କି ଚିହ୍ନି ନଥାଏ-। ତଥାପି ସେମାନଙ୍କୁ ତା’ର କିଛି କହିବାକୁ ରହିଥାଏ । ନିଜର ବୋଲି କିଛି ପାଇଥାଏ ବୋଲି ସେ କିଛି କହିବାକୁ ଇଚ୍ଛା କରୁଥାଏ । ନ କହି ରହିପାରେ ନାହିଁ ବୋଲି ସେ ତାହାକୁ କହିବାକୁ ଇଚ୍ଛା କରୁଥାଏ । ନିଜର ଉପଲବ୍ଧିଦ୍ଵାରା ସେ ସତକୁସତ କ’ଣ ଏପରି କିଛି ପାଇଥାଏ, ଯାହାକୁ କି ସେ ନକହି ରହିପାରେ ନାହିଁ ? ଆପଣା ଭିତରେ ଅନ୍ତରତମ କରି ସମ୍ପଦଟିଏ ପାଇବା ଲାଗି ସାହିତ୍ୟକାରର ମନରେ ଯେତିକି ବ୍ୟାକୁଳତା ରହିଥାଏ, ସେଇଟିକୁ ଯଥାର୍ଥ ଭାବରେ ଅନ୍ୟ ସମସ୍ତଙ୍କ ପାଖରେ ନିବେଦନ କରିଦେଇ ପାରିବ ବୋଲି ଠିକ୍ ସେତିକି ବ୍ୟାକୁଳତା ରହିଥାଏ । ସାହିତ୍ୟକାରମାତ୍ରକେ ପ୍ରତ୍ୟେକ ସେହି କଥାଟିକୁ, ସେହି ସତ୍ୟଟିକୁ ଅବଶ୍ୟ ଅଙ୍ଗେ ନିଭାଇଥିବେ । ଲେଖକ କବିତାଟିଏ ଲେଖେ, ଗଳ୍ପ ବା ଉପନ୍ୟାସଟିଏ ଲେଖେ, ଅଥବା ନାଟକ କିମ୍ବା ପ୍ରବନ୍ଧଟିଏ ଲେଖେ । ଆପଣାର ଅନୁରାଗ-ଗହନରୁ ସେଇଟିକୁ ସିଏ ସାଉଁଟି ଆଣିଥାଏ । ସେଇଟିକୁ ଯଥାସମ୍ଭବ ସୁନ୍ଦର ଓ ଯୋଗ୍ୟ ଭାବରେ ଦେଇପାରିବା ଲାଗି ସେ ନିଜପାଇଁ ଶୈଳୀଟିଏ ମଧ୍ୟ ପାଇଥାଏ । ଲେଖକର ନିଜର ଶୈଳୀ, ଅର୍ଥାତ୍ ନିଜ କଥାଟିକୁ ସମସ୍ତଙ୍କ ଆଗରେ କହିପାରିବାର ତା’ର ଏକାନ୍ତ ନିଜସ୍ଵ ଏକ ଅନନ୍ୟ ଧାରା;-ସେହି ଶୈଳୀ ଭିତରେ ଲେଖକର ଏକାନ୍ତ ନିଜର ବୋଲି କହିଦେବା ଭଳି ଭାଷା ରହିଥାଏ, ସଜ୍ଜା ରହିଥାଏ ଏବଂ ଆତ୍ମାଟିଏ ମଧ୍ୟ ରହିଥାଏ । ସାହିତ୍ୟର ଆଲୋଚନାରେ ସାହିତ୍ୟ-ରଚନାର ବାହାରଟିକୁ ଆଙ୍ଗିକ ବୋଲି କୁହାଯାଏ ଓ ଭିତରଟିକୁ ଆତ୍ମିକ ବୋଲି କୁହାଯାଏ । ଅନେକ ଆଲୋଚକ ଆଙ୍ଗିକ ଏବଂ ଆତ୍ମିକକୁ ସତେଅବା ଦୁଇଟା ଅଲଗାଅଲଗା ପଦାର୍ଥ ପରି ଦେଖାଇବାକୁ ଚେଷ୍ଟା କରିଥାଆନ୍ତି । ସତେ ଯେପରି ଆଙ୍ଗିକ ଏବଂ ଆତ୍ମିକ ଦୁଇଟା ଏକାବେଳକେ ଅଲଗାଅଲଗା ରାଜ୍ୟରୁ ଆସିଥାନ୍ତି ! ଆତ୍ମିକ ସେହି ଲେଖକର, ଆଙ୍ଗିକ ମଧ୍ୟ ସେହି ଲେଖକର । ଦୁଇଟିଯାକ ଉପଲବ୍ଧିଦ୍ଵାରା ପ୍ରାପ୍ତ ହୁଅନ୍ତି । ଦୁଇଟିପାଇଁ ନିଜ ପାଖରେ ପ୍ରାର୍ଥନା କରିବାକୁ ପଡ଼େ, ସମସ୍ତ ପୃଥିବୀ ଏବଂ ପୃଥିବୀସ୍ଥ ଜୀବନକୁ ପରିପୂର୍ଣ୍ଣ ଆଖିରେ ଦେଖିପାରିବାକୁ ହୁଏ ଏବଂ ଆପଣାର ପ୍ରକାଶବେଦୀ ଉପରକୁ ଆବାହନ କରି ଆଣିବାକୁ ହୁଏ । ଅନ୍ୱେଷଣର ଏବଂ ଆସ୍ପୃହାର ଏହି ପ୍ରକ୍ରିୟାରେ ଆପଣାକୁ ଗୋଟାସୁଦ୍ଧା ଦେଇ ଦେଇପାରିଲେ ଯାଇ ଆତ୍ମିକଟିଏ ସମ୍ଭବ ହୁଏ, ଏବଂ ଆଙ୍ଗିକଟିଏ ମଧ୍ୟ ସମ୍ଭବ ହୁଏ । କେଉଁଟାକୁ ଅଧିକ ବା କମ୍ ମହତ୍ତ୍ୱପୂର୍ଣ୍ଣ ବୋଲି କହିବାକୁ ଆଦୌ ମନ ବଳେ ନାହିଁ ।

 

ଆତ୍ମିକ ଦେହଟିଏ ଲୋଡ଼େ ଏବଂ ଆଙ୍ଗିକ ମଧ୍ୟ ଆତ୍ମାଟିଏ ଲୋଡ଼େ । ଗୋଟିଏ ଆରଟିକୁ ପାଇପାରିଲେ ଯାଇ ସତକୁସତ ପରିପୂର୍ଣ୍ଣ ହୁଅନ୍ତି । ତେଣୁ ଆତ୍ମିକରୁ ଆଙ୍ଗିକକୁ ଚିହ୍ନିହୁଏ ଏବଂ ଆଙ୍ଗିକରୁ ଆତ୍ମିକକୁ ଚିହ୍ନିହୁଏ ଏବଂ ଦୁଇଟିଯାକର ମାଧ୍ୟମରେ ସ୍ଵୟଂ ସାହିତ୍ୟକାରକୁ ଚିହ୍ନିହୁଏ-। ଆତ୍ମିକ ଏବଂ ଆଙ୍ଗିକ ଯେତେବେଳେ ପରସ୍ପରର ପରିପୂରକ ହୋଇ ରହିଥାନ୍ତି, ନିଜ ନିଜର ପ୍ରାଧାନ୍ୟ କିମ୍ବା ପରାକ୍ରମ ଦେଖାଇ ଯେତେବେଳେ ସେମାନେ ଗୋଟିଏ ଆଉ ଗୋଟିକୁ ଗୋଟାସୁଦ୍ଧା ପୋତି ପକାଇବାକୁ କିମ୍ବା ଗିଳିଦେବାକୁ ଇଚ୍ଛା କରୁ ନଥାନ୍ତି, ଆମେ ସେତେବେଳେହିଁ ଜଣେ ଲେଖକକୁ ତା’ର ସମ୍ପୂର୍ଣ୍ଣ ମହିମାରେ ଦେଖିପାରିବାର ସୌଭାଗ୍ୟ ଲାଭକରୁ । ତେଣୁ ଏପରି କୁହାଯାଇପାରିବ ଯେ; ଜଣେ ଲେଖକ ତା’ର ଆଙ୍ଗିକଟିର ମାଧ୍ୟମରେ ଆତ୍ମିକଟିର ନିବେଦନ କରିଥାଏ ଏବଂ ଆତ୍ମିକର ମାଧ୍ୟମରେ ଆଙ୍ଗିକଟିକୁ ମଧ୍ୟ ନିବେଦନ କରିଥାଏ । ଗୋଟିକୁ ଛାଡ଼ି ଆଉ ଗୋଟିକୁ ମୋଟେ ଚିହ୍ନିହୁଏ ନାହିଁ । ଦେଉଳଟିର ମାଧ୍ୟମରେ ଯେପରି ଦେଉଳ ଭିତରେ ଥିବା ଦେବତାଟିର ପରିଚୟ ମିଳିଥାଏ ତଥା ଦେବତାଟିର ମାଧ୍ୟମରେ ଦେଉଳଟିକୁ ମଧ୍ୟ ସ୍ଵତନ୍ତ୍ର କରି ବରଦେବା ସମ୍ଭବ ହୋଇଥାଏ, ଏହା ପ୍ରାୟ ସେହିପରି ଗୋଟିଏ କଥା । ଜଣେ ପାଠକକୁ ଜଣେ ସାହିତ୍ୟକାର ପ୍ରକୃତରେ କ’ଣ କହିବାକୁ ଇଚ୍ଛା କରୁଥାଏ ? କ’ଣ ପାଇଁ ଲେଖକ ସତେଅବା ସାଥୀଟିଏ ବା ସାଥୀଗୁଡ଼ିକୁ ଖୋଜୁଥାଏ ଏବଂ ପାଠକମାନଙ୍କୁ ପାଇ କୃତକୃତ୍ୟ ହୁଏ, କୃତଜ୍ଞ ହୁଏ ? ପୃଥିବୀରେ ଯାହାକିଛି ସତକୁସତ ନିବିଡ଼, ସତକୁସତ ଅନ୍ତରଙ୍ଗ, ଆହୁରି ଅନ୍ୟମାନଙ୍କ ସହିତ ଭାଗ ବସାଇ ତାହାକୁ ଏକାଠି ଅନୁଭବ ନକଲେ, ନଭୁଞ୍ଜି ପାରିଲେ ମୋଟେ ମନବୋଧ ହୁଏନାହିଁ । ଯଦି ଖାଇବାକୁ କେହି ନଥିବେ, ତେବେ ରାନ୍ଧୁଣିଆ ରାନ୍ଧିବ କାହିଁକି ? ଯଦି ପତରରେ ବସିବାପାଇଁ ଲୋକ ନଥିବ, ତେବେ ପତର ପଡ଼ିବ କାହିଁକି ? ସାହିତ୍ୟକାରର ବାଟ ଚାଲିବା ସାର୍ଥକ ହୁଏ ତା’ ପାଠକ ଭିତରେ ଆଉ ଜଣେ ବାଟ ଚାଲୁଥିବା ସମଧର୍ମୀକୁ ପାଇଲେ । ତେଣୁ, ସାହିତ୍ୟ ଲେଖିବା, ସାହିତ୍ୟିକ ହେବା, ଆପଣାର ସକଳ ବେଦନା ଏବଂ ଚେତନାକୁ ଖଟାଇ ପୃଥ୍ଵୀମୟ ଜୀବନର ଅନ୍ତର ଭିତରୁ ସାଉଁଟି ଆଣିବାର ଯୋଗ୍ୟ ସତକୁସତ କିଚ୍ଛି ସାଉଁଟି ଆଣିପାରିଲେ ଜଣେ ବ୍ୟକ୍ତି ସତେଅବା ଅତ୍ୟନ୍ତ ଆନ୍ତରିକତା ସହିତ ସମଧର୍ମୀଟିଏ ଖୋଜି ବାହାରେ । ପାଠକ ଭିତରେ ସମଧର୍ମୀଟିଏ ପାଇ ଲେଖକ ଧନ୍ୟ ହୁଏ, କୃତକାମ ହୁଏ ।

 

ତେଣୁ, ଯଥାର୍ଥରେ ଦେଇପାରିବା ଭଳି ହେବାକୁ ହେଲେ, ସମଧର୍ମୀମାନଙ୍କୁ ଠାବକରି ସେମାନଙ୍କୁ ଆମନ୍ତ୍ରଣ କରି ଘରକୁ ଡାକିଆଣି ପାରିବାକୁ ହେଲେ ଜଣେ ସାହିତ୍ୟକାର ଯାହା ଲେଖିବ, ତାହା ସତକୁସତ ତା’ ବଞ୍ଚୁଥିବା ଜୀବନର ଏକ ଉପଲବ୍ଧି ହୋଇପାରିଥିବା ଆବଶ୍ୟକ । ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ମୁଖା ପିନ୍ଧି ଆପଣାର ମୁହଁଟିକୁ ଲୁଚାଇ ରଖିବାକୁ ଇଚ୍ଛା କରୁଥାଆନ୍ତି, ମୁହଁଟିକୁ ଲୁଚାଇ ରଖିପାରିଲେ ସଫଳକାମ ହେଲେ ବୋଲି ଭାବୁଥାନ୍ତି । ଅନେକ ସାହିତ୍ୟିକ ଅଛନ୍ତି, ଯେଉଁମାନେ ମୁଖା ପିନ୍ଧି ମର୍ମଗୁଡ଼ିକୁ ଲୁଚାଇ ରଖିବାକୁ ଆଗ୍ରହ ପ୍ରକାଶ ରଖିଥାନ୍ତି, ସେମାନେ ଭଳିଭଳି ପୋଷାକିତାର ବାଣ ମାରି ଆଠପହରୀଟାକୁ ଘୋଡ଼ାଇ ରଖିବାକୁ ମନ କରୁଥାନ୍ତି, ବହୁ ପ୍ରକାରର ମିଛ ପ୍ରଗଳ୍‍ଭତାତଳେ ଅସଲ ହୃଦୟଟିକୁ ଲୁଚାଇ ରଖିଥାନ୍ତି । ସେମାନେ ଅସଲ ସତ୍ୟ ଓ ଧର୍ମକୁ ଅର୍ଥାତ୍‍ ଅସଲ ପରିଚୟଟିକୁ ଲୁଚାଇ ରଖିବେ ବୋଲି କେତେ ପ୍ରକାରର ହିରଣ୍ମୟ ପାତ୍ରକୁ ଢାଙ୍କୁଣିରୂପେ ବ୍ୟବହାର କରୁଥାନ୍ତି । ସଭାରେ ପ୍ରାୟ ସେହିମାନେହିଁ ଅଧିକ ଦର୍ପରେ ପହୁଣ୍ଡ କଚାଡ଼ୁଥାନ୍ତି, ସତେଅବା କାଳିସୀ ଲାଗିଥିଲା ପରି କ’ଣ ମନ କ’ଣ କହିଯାଉଥାନ୍ତି ଓ ବହୁ ଭାବପ୍ରବଣତାର ଉଜ୍ଜ୍ଵଳ କୁବ୍‍ଝଟିକା ଭିତରେ ଆପଣାକୁ ଲୁଚାଇ ରଖିଥାନ୍ତି । ଜଣେ ମଣିଷକୁ କାଳିସୀ ମାଡ଼ି ବସିଥିବା ସମୟରେ ସିଏ ନିଜେ ସତେଅବା କୋଉ ତଳେ ଯାଇ ପୋତିହୋଇ ରହିଥାଏ, ଉପରେ ତାକୁ ଗୋଟାସୁଦ୍ଧା ଅଣଅକ୍ତିଆର କରି କାଳିସୀଟାର ଉପଦ୍ରବହିଁ ଲାଗିଥାଏ । ସାହିତ୍ୟଶକ୍ତି ଅଥବା କଳାଶକ୍ତିକୁ ଅନେକେ ଏହି କାଳିସୀଶକ୍ତିର ସମତୁଲ ଓ ସମବାଚୀ ଭାବରେ ସୁମାରି କରିଥାନ୍ତି । ସାହିତ୍ୟ-ସର୍ଜନାର ସମସ୍ତ ବ୍ୟାପାରଟିକୁ ସେମାନେ ସତେଅବା କୌଣସି ଭେଳିକି ଲାଗିବାର ପ୍ରକରଣ ବୋଲି ବିଚାର କରିଥାନ୍ତି । ସେହି ଭେଳିକି ବେଳେବେଳେ ଲାଗେ । କାଳିସୀ ଯେମିତି ବେଳେବେଳେ ଲାଗେ, ଠିକ୍ ସେହିପରି ।

 

ଭାରତୀୟ ଯୋଗସାଧନାରେ ରାଜଯୋଗ ବୋଲି ଯେଉଁ ବିଶେଷ ମାର୍ଗ ବା ପଦ୍ଧତିଟି ରହିଛି, ସେଥିରେ ସର୍ବଶେଷ ଉପଲବ୍ଧିଟିକୁ ଅର୍ଥାତ୍‍ ଶିଖର ଅନୁଭୂତିଟିକୁ ସମାଧି ବୋଲି କୁହାଯାଏ-। ସମାଧିରେ ସ୍ଥାୟୀଭାବରେ ଅବସ୍ଥାନ କରିହୁଏ ନାହିଁ । ସେହି ଅବସ୍ଥାଟି ମଧ୍ୟରେ ପ୍ରବେଶ କରାଯାଏ । ସତେଅବା ଏ ପାଖଟିକୁ ଛାଡ଼ି କୌଣସି ଏକ ସେପାଖକୁ ଚାଲିଯିବାକୁ ହୁଏ ଓ ପୁନର୍ବାର ସେଠାରୁ ଫେରି ଆସିବାକୁ ପଡ଼େ । ସମାଧିପୂର୍ବ ଅବସ୍ଥାର ସମାଧି-ଅବସ୍ଥାଟି ସହିତ କୌଣସି ସମ୍ବନ୍ଧ ନଥାଏ, ଦୁଇଟି ମଧ୍ୟରେ କୌଣସି ଡୋର ଲାଗି ନଥାଏ । ଗୋଟିଏ ଜୀବନରେ ଜଣେ ମନୁଷ୍ୟ ସତେଅବା ଦୁଇଟି ଖୋଳ ପିନ୍ଧିଥାଏ । ଗୋଟିଏ ଖୋଳକୁ ସେ ଏ ପାଖରେ ପିନ୍ଧିଥାଏ, ସଂସାରରେ ସେ ତା’ର ନିତ୍ୟନୈମିତ୍ତିକ ସାଧାରଣ ଜୀବନଟିକୁ ବଞ୍ଚୁଥାଏ, ଅତ୍ୟନ୍ତ ନିତ୍ୟନୈମିତ୍ତିକ ଭାବରେ ବିଚରଣ କରୁଥାଏ ଏବଂ ବେଳେବେଳେ ସେପାଖକୁ ଯାଏଁ, ସତେଅବା ଏପାଖର ଖୋଳଟିକୁ ବାହାର କରି ସେପାଖର ଖୋଳଟିକୁ ପରିଧାନ କରେ । ସେପାଖକୁ ପ୍ରସ୍ଥାନ କରେ । ସେହି ପ୍ରସ୍ଥାନ-ପର୍ଯ୍ୟାୟରେ ଏପାଖ ସହିତ ତା’ର କୌଣସି ସମ୍ପର୍କ ନଥାଏ । ଏପାଖଟି ସମ୍ପୂର୍ଣ୍ଣ ଭାବରେ ହଜିଯାଇଥାଏ । ପୁନର୍ବାର ଏପାଖକୁ ଫେରିଆସିଲେ ସେପାଖଟି ହଜିଯାଏ । ସତେଅବା ସେ ଏପଖାଟିର ଖୋଳଟିକୁ ଓହ୍ଲାଇଦେଇ ସେପାଖକୁ ଯାଏଁ ଏବଂ ସେପାଖର ଖୋଳଟିକୁ ଓହ୍ଲାଇଦେଇ ସିଆଡ଼େ ରଖି ଏପାଖକୁ ଫେରିଆସେ । ଅର୍ଥାତ୍‍ ଦୁଇଟି ଜୀବନ ବଞ୍ଚେ । ପ୍ରାୟ ସେହିପରି ଭାବରେ ଅନେକ ଆଲୋଚକ ସାହିତ୍ୟ ରଚନା କରିବାର ପ୍ରକ୍ରିୟାଟିର ବିଶ୍ଳେଷଣ କରିଥାନ୍ତି । ଗୋଟାଏ ମଣିଷ ଭିତରେ, ସେମାନଙ୍କ ମତରେ, ଏକାବେଳକେ ଦୁଇଟା ମଣିଷ ଥାଏ । ଗୋଟାଏ ହେଉଛି ସଂସାରର ମଣିଷ, ନିତ୍ୟନୈମିତ୍ତିକ ମଣିଷ ଏବଂ ଆଉ ଗୋଟିଏ ହେଉଛି ସାହିତ୍ୟ ଲେଖୁଥିବା ମଣିଷ । କାଳିସୀ ଲାଗିବା ପରି ସାହିତ୍ୟ ବେଳେବେଳେ ଲାଗେ । ସାଂସାରିକ ସାଧାରଣ ମଣିଷଟା ସତେଅବା ଆଉ କିଏ ହୋଇଯାଏ, ଆଉ କାହା ଭିତରେ ଯାଇ ଲମ୍ଫପ୍ରଦାନ କରେ, ବୁଡ଼ିଯାଏ । ଅସାଧାରଣ ହୋଇଯାଏ । ସୃଜନଶୀଳ ହୁଏ । ସାହିତ୍ୟ ଲେଖେ । ସେତେବେଳେ କୁଆଡ଼େ ଏପାଖର ଏହି ସାଧାରଣଟା ବିଷୟରେ ତା’ର କୌଣସି ସୋର୍ ନଥାଏ । ସେ ସତେ ଯେପରି ତାକୁ ଅଧିକାର କରି ନେଇଥିବା ଆଉ କାହାର ଅକ୍ତିଆରରେ ରହିଥାଏ, ସତେଅବା କୋଉ କାଳିସୀର ବୋଲ ମାନୁଥାଏ ।

 

ଏହି ସିଦ୍ଧାନ୍ତଟି ପ୍ରକୃତରେ ଏକ ବିପଜ୍ଜନକ ସିଦ୍ଧାନ୍ତ । ସାହିତ୍ୟକୁ ଏକ ସାମୟିକ ବିଳାସ ବା ମୃଗୟା ବୋଲି ଧରି ନେଇଥିଲେ ମଣିଷ ସେହିପରି ଗୋଟିଏ ସିଦ୍ଧାନ୍ତର ଆଶ୍ରୟ ନେବାକୁ ମନ କରେ । ନିଜ ଭିତରେ ସେ ସତେଅବା ଦୁଇଭାଗ ହୋଇ ରହିଥିବା ପର୍ଯ୍ୟନ୍ତ ମନୁଷ୍ୟ ଯେ କଦାପି ସୁସ୍ଥ ହୋଇପାରେ ନାହିଁ ଏବଂ ସୁସ୍ଥ ଏବଂ ସମଗ୍ର ନ ହୋଇ ପାରିବା ପର୍ଯ୍ୟନ୍ତ ସିଏ ଯେ ଆଦୌ ଯଥାର୍ଥରେ କିଛି ସୃଷ୍ଟି କରିପାରେ ନାହିଁ, ସିଏ ସେହି କଥାଟିକୁ ଆଦୌ ସ୍ଵୀକାର କରିପାରେ ନାହିଁ । ଆପଣାର ସାହିତ୍ୟ-ପ୍ରେରଣାକୁ ଜଣେ ଜଣେ ଏହିପରି ଆପଣାର ବାହାରେ ଠାବ କରିଥାନ୍ତି । ଏକ ସୃଜନଶୀଳ ପ୍ରେରଣା ବାହାରୁ ଆସେ ଓ ତଥାପି ଆମ ଜୀବନର ଭୂମିରେ ଆଦୌ କୌଣସି ପରିବର୍ତ୍ତନ ବା ଉତ୍ତୋଳନ ଘଟାଇ ପାରେନାହିଁ, ତାହା ପ୍ରକୃତରେ ଏକ ବିଚିତ୍ର ପ୍ରେରଣା ହୋଇଥିବ-! କାବ୍ୟର ଦେବୀ ମୋ’ ଠାରେ ପ୍ରସନ୍ନ ହେଲେ, ମୋତେ କିଛି ସମୟପାଇଁ ନିଜ କାବୁରେ ରଖି ମୋ’ଦ୍ୱାରା କିଛି ଲେଖାଇନେଲେ ଏବଂ ତା’ପରେ ମୋତେ ପୁନର୍ବାର ଏପାଖରେ କଚାଡ଼ିଦେଇ ଚାଲିଗଲେ, ଏହା ପ୍ରକୃତରେ ଏକ ବିଚିତ୍ର ପ୍ରକ୍ରିୟା ହୋଇଥିବ ! ପ୍ରେରଣା ମୋ’ ଘରକୁ ଆସିଲା, ମୋତେ ଅନୁସିକ୍ତ କଲା, ସ୍ପନ୍ଦିତ କଲା, ସଞ୍ଚାଳତ କଲା, ମୋ’ଦ୍ଵାରା କିଛି ଘଟାଇଲା, ଅଥଚ ମୋ’ ଜୀବନର ନୀଡ଼ଟି ତା’ର ସେହି ଆଗମନଦ୍ଵାରା କୌଣସି ପ୍ରକାରେ ପ୍ରଭାବିତ ହେଲାନାହିଁ, ଏଇଟି ପୁଣି କିପରି ଏକ ବ୍ୟାପାର ହୋଇଥିବ !

 

ଆଧୁନିକ ମନୋବିଜ୍ଞାନ ଜଣେ ଜଣେ ମନୁଷ୍ୟ ହିସାବରେ ଆମ ଜୀବନର ଗଭୀରକୁ ଯେତିକି ଯେତିକି ଭେଦିବାଲାଗି ସମର୍ଥ ହେଲାଣି, ଯାବତୀୟ ପ୍ରକାରର ବିଭକ୍ତ ହୋଇ ରହିବାକୁ ତାହା ଅଧିକତର ପରିମାଣରେ ଏକ ବ୍ୟାଧିତ ଜୀବନ ବୋଲି କହୁଛି । ଜଣେ ଜଣେ ମଣିଷ ଅଛନ୍ତି, ଯେଉଁମାନେ କି ଏକାବେଳକେ ଦୁଇଟା ବା ସାତଟା ଜୀବନ ବଞ୍ଚୁଥାନ୍ତି । ଗୋଟାଏ ଜୀବନରେ ନର ହୁଅନ୍ତି ତ ଆଉ ଗୋଟାଏ ଜୀବନରେ ବାନର ହୁଅନ୍ତି । ଗୋଟାଏ ପ୍ରହରରେ ଗନ୍ଧର୍ବ ହୁଅନ୍ତି ତ ଆଉ ଗୋଟାଏ ପ୍ରହରରେ ରାକ୍ଷସ ହୁଅନ୍ତି । ଅନେକ ସାହିତ୍ୟକାର ମଧ୍ୟ ଏହି ଜାତିର ଅବଶ୍ୟ ଅଛନ୍ତି, ସବୁ ଭାଷାର ସାହିତ୍ୟରେ ରହିଛନ୍ତି । ସାହିତ୍ୟ-ରଚନାକୁ ସେମାନେ ସମ୍ଭବତଃ ପୋଷାକୀ ପ୍ରହରର ଏକ ମଉଜ କିମ୍ବା ମୃଗୟା ବୋଲି ଗ୍ରହଣ କରିଥାଆନ୍ତି । ସଂସାରର ଅରଣ୍ୟ ମଧ୍ୟରୁ ବେଳେବେଳେ ସତେଅବା କୌଣସି ଅଭାବବୋଧକ କ୍ଷତିପୂରଣ ପାଇଁ ସାହିତ୍ୟର ଅରଣ୍ୟ ଭିତରକୁ ପ୍ରବେଶ କରନ୍ତି । ଏବଂ ପୁଣି ସାଧାରଣ ଅନ୍ୟ ପରିଧାନଟି ପିନ୍ଧି ଏପାଖକୁ ଫେରି ଆସନ୍ତି । ଫରାସୀ ସାହିତ୍ୟର କବି ରବୋଁଙ୍କୁ ଆମେ ସମ୍ଭବତଃ ସେହିପରି ଗୋଟିଏ ଦୃଷ୍ଟାନ୍ତରୂପେ ଗ୍ରହଣ କରିପାରିବା-। ତାଙ୍କ ଜୀବନରେ ଅଳ୍ପ କେତେବର୍ଷ ପାଇଁ କବିତା ଲେଖିବାର ଋତୁଟିଏ ଆସିଥିଲା । ତାଙ୍କୁ ଅତ୍ୟନ୍ତ ଅଣଅକ୍ତିଆର ଭାବରେ ସୃଜନଶୀଳ କରି ରଖିଥିଲା । ତା’ପରେ ବାହୁଡ଼ି ଚାଲିଗଲା । ତା’ପରେ ସେ ଅତ୍ୟନ୍ତ ସାଧାରଣ ହୋଇ ରହିଲେ । ତାଙ୍କଦ୍ଵାରା ଏକଦା କ’ଣ ସବୁ ଯେ ସମ୍ଭବ ହୋଇଥିଲା, ତାହାର ହିସାବ ମଧ୍ୟ ରଖିଲେ ନାହିଁ । ପୃଥିବୀର ପ୍ରାୟ ପ୍ରତ୍ୟେକ ସାହିତ୍ୟରେ ସାନବଡ଼ ପ୍ରତ୍ୟେକ ଆକୃତିର ରାବୋଁମାନେ ରହିଛନ୍ତି । ଯୁଗେଯୁଗେ ରହିଥିଲେ, ଏବେ ମଧ୍ୟ ଅଛନ୍ତି, ବେଳେବେଳେ ବଂଶୀସ୍ଵନ ଶୁଣି ଘରୁ ବାହାରି ଯାଉଛନ୍ତି ।

 

ସାହିତ୍ୟର ଶକ୍ତିକୁ ଅନେକ ଦୃଷ୍ଟିରୁ ଆମେ ରସବିଦ୍ୟା ବା Alchemyର ଶକ୍ତି ସହିତ ତୁଳନା କରିପାରିବା । ରସବିଦ୍ୟାରେ ଏପରି ଏକ ରସୋପାଦନର ସନ୍ଧାନ କରାଯାଉଥିଲା, ଯାହାକି ସିଏ ସମ୍ପର୍କରେ ଆସୁଥିବା ଅନ୍ୟ ସକଳ ଧାତୁକୁ ସୁନାରେ ଅର୍ଥାତ୍‍ ଏକ ରୂପାନ୍ତରିତ ନୂତନ ଧାତୁରେ ପରିଣତ କରିଦେଉଥିଲା । ମୁଁ ଯଦି ପ୍ରକୃତରେ କୌଣସି ଦେବତାକୁ ମୋର ଚେତନାନୁରାଗର ମାର୍ଗଟି ଦେଇ ଆବାହନ କରି ଆଣିପାରିଲି, ତେବେ ସେହି ପ୍ରକ୍ରିୟା ମୋତେ ଅବଶ୍ୟ ସେହି ଦେବତାର ଆସ୍ଥାନରେ ପରିଣତ କରି ଦେଇପାରିବ । ସାହିତ୍ୟକୁ ମାର୍ଗ ବୋଲି ଗ୍ରହଣ କରିଥିବା ଜଣେ ଲେଖକ କ୍ରମେ ସାହିତ୍ୟର ହୋଇଯିବ, ସାହିତ୍ୟ ଆବାହନ କରିପାରୁଥିବା ଜୀବନର ହୋଇଯିବ । ସିଏ କଦାପି ଆଗର ସେହି ପୁରୁଣା ମଣିଷଟି ହୋଇ ରହିପାରିବ ନାହିଁ, ସାହିତ୍ୟ ଭିତରେ ଘଡ଼ିଏ ରହି, ଭୁଲି, ନାଚି ବା କଚାଡ଼ି ହୋଇ ପୁଣି ତା’ର ପୁରୁଣା ଖୋଳଟାକୁ ଫେରିଆସି ପାରିବ ନାହିଁ । ସାହିତ୍ୟ ନାମକ ପ୍ରଭୁଙ୍କୁ ଆଶ୍ରାକଲେ ସେ କ୍ରମେ ସେହି ପ୍ରଭୁର ହୋଇଯିବ; ସୁନ୍ଦରର ଅନୁଭବ ତାକୁ ସ୍ଵୟଂ ସୁନ୍ଦର ହେବାକୁ ପ୍ରେରଣା ଦେବ, ଶିବର ସ୍ପର୍ଶଲାଭ କରି ସେ ଭୁବନମୟ ଶିବଟି ସହିତ ସହଯୋଗୀ ସହଚାରୀ ହୋଇ ବାହାରିବାକୁ ବଳେ ବଳେ ପ୍ରସ୍ତୁତ ହୋଇଯିବ ଏବଂ ସତ୍ୟର ମହିମା-ସିନ୍ଧୁଟିକୁ ଆପଣା ଚେତନାର ବିନ୍ଦୁଟି ଭିତରେ କଳନା କରୁ କରୁ ଓ ସମ୍ଭାଳି ଧରୁ ଧରୁ ସେ ସତେଅବା ନିଜ ଭିତରୁ କାହାର ସୁନିଶ୍ଚିତ ପ୍ରେରଣା ପାଇ ସତ୍ୟଲାଗି ସମର୍ପିତ ହୋଇଯିବ । ସମ୍ଭବତଃ ପ୍ରଥମ ଅବସ୍ଥାରେ ତାକୁ ଏହି ସବୁକିଛି ଏକ କାଳିସୀର କାଣ୍ଡ ପରି ମନେହେବ, ତାକୁ କିଏ ସତେଅବା ବାହାରୁ ଆସି ଅଧିକାର କରିନେଉଛି ଓ ନିମିତ୍ତରୂପେ ବ୍ୟବହାର କରୁଛି ବୋଲି ଲାଗିବ ଓ ତାକୁ ଆଚମ୍ବିତ କରି ଦେଉଥିବ । ମାତ୍ର, ସେ ଯହୁଁ ଯହୁଁ ଅଧିକରୁ ଅଧିକ ନିବିଡ଼ ଭାବରେ ସେହି ଆଡ଼କୁ ସମ୍ମତ ହୋଇ ଚାଲିଯାଉଥିବ, ସେ ସତେଅବା ଏକ ନୂତନ ରାଜ୍ୟ ମଧ୍ୟକୁ ଦୀକ୍ଷିତ ହୋଇଯାଉଥିବ, ତା’ର ପୁରୁଣା ସଂସ୍କାର ଏବଂ ପୁରୁଣା ନାନା ଜଡ଼ତାର କାତିଗୁଡ଼ିକ ତା’ ଚେତନା ଉପରୁ ଛାଡ଼ି ଛାଡ଼ି ଯାଉଥିବ ଏବଂ ସାହିତ୍ୟର ମାଧ୍ୟମରେ ସେ ଯାହାର ଆରାଧନା କରୁଛି, ସିଏ କ୍ରମେ ଅଧିକରୁ ଅଧିକ ନିବିଡ଼ ଭାବରେ ତାହାରି ହୋଇଯାଉଥିବ-

 

ଜଣେ ସାହିତ୍ୟିକ ମନକଲେ ଅର୍ଥାତ୍‍ ଅନୁରୂପ ଆସ୍ପୃହା ରଖିଥିଲେ ତା’ ସାହିତ୍ୟ ତା’ ଲାଗି ସତକୁସତ ଏକ ମନ୍ତ୍ରରେ ପରିଣତ ହୋଇଯାଇପାରିବ ବୋଲି ଶ୍ରୀ ଅରବିନ୍ଦ ତାଙ୍କର କାବ୍ୟାଲୋଚନାରେ ମତ ଦେଇଛନ୍ତି । ଯାବତୀୟ ମନ୍ତ୍ର ମଧ୍ୟରେ ସର୍ବଦା ଏକ ଉତ୍ତୋଳନକାରୀ ଏବଂ ଉନ୍ମୋଚନକାରୀ ଶକ୍ତି ରହିଥାଏ । ମନ୍ତ୍ର ଆମକୁ ପ୍ରାୟ ଯୁଗପତ୍ ଭାବରେ ବିଶ୍ଵଚେତନା ମଧ୍ୟରେ ଥିବା ଉଚ୍ଚତାଗୁଡ଼ିକ ଆଡ଼କୁ ଅନୁପ୍ରେରିତ କରି ନେଇଯାଏ ଏବଂ ଆମ ଭିତରେ ରହିଥିବା ଆମର ଅଜସ୍ର ଗଭୀରତାଗୁଡ଼ିକ ଆଡ଼କୁ ମଧ୍ୟ ହାତ ଧରି ନେଇଯାଏ । ଭିତର ଆଉ ବାହାର ମଧ୍ୟରେ ଡୋର ଲଗାଏ, ଆମକୁ ସତେଅବା ଆଉ କେଉଁ ବିରାଟ ସହିତ ଛନ୍ଦି ଦେଇ ମୁକ୍ତ କରିଦିଏ-। ଜଣେ ସାହିତ୍ୟକାର ତା’ର ସାହିତ୍ୟକୁ ଇଚ୍ଛା କଲେ ସେହିଭଳି ଏକ ଆଧ୍ୟାତ୍ମିକ ମାଧ୍ୟମରୂପେ ଉନ୍ନୀତ କରିନେଇ ପାରିବ । ଆପଣାର ସାହିତ୍ୟ ତାକୁ ସାହିତ୍ୟ-ସୃଜନର ପୃଥିବୀଟି ମଧ୍ୟରେ ଯେତିକି ଆରୋହଣ ଓ ଅବଗାହନ ଲାଗି ସମର୍ଥ କରାଉଥିବ, ଏଣେ ସେ ନିଜ ଭିତରେ, ଅର୍ଥାତ୍‍ ନିଜର ଶ୍ରଦ୍ଧାରେ, କର୍ମରେ ଏବଂ ଜ୍ଞାନନୁରାଗରେ ମଧ୍ୟ ସେତିକି ଗଭୀର ଭିତରକୁ ପ୍ରବେଶ କରିପାରୁଥିବ ଓ ସେତିକି ବ୍ୟାପ୍ତି ଭିତରେ ବାଟ ଚାଲିପାରୁଥିବ, ଏବଂ ଆପଣାର ନିଜ ଜୀବନଟିକୁ ଏହିପରି ଉତ୍ତୋଳିତ କରି ନେଉଥିବା ସଙ୍ଗେ ସଙ୍ଗେ ସେ ସମଗ୍ର ଜଗତକୁ ମଧ୍ୟ ଉତ୍ତୋଳିତ ହୋଇଯିବାରେ ସହାୟତା କରୁଥିବ । ଯଥାର୍ଥ ସାହିତ୍ୟ ଯୁଗେଯୁଗେ ପୃଥିବୀର ପରିବର୍ତ୍ତନରେ ଏହିଭଳି ସହାୟତା କରି ଆସିଛି । ଯୁଗେଯୁଗେ ମଣିଷର ଏହି ପୃଥିବୀରେ ବହୁ ବିମୋଚନର କାରଣ ହୋଇଛି ।

 

ଜଣେ ସାହିତ୍ୟକାରର ସାହିତ୍ୟ ତା’ ଜୀବନର ପାହାଚଉଠାରେ ସର୍ବଦା ସହୋଦର ପରି କାର୍ଯ୍ୟ କରିପାରିବ । ଅର୍ଥାତ୍‍ ଜଣେ ସାହିତ୍ୟିକ ତା’ ଜୀବନରେ, ଜୀବନର ସର୍ବବିଧ ପରିମଳ ତଥା ସମ୍ପର୍କରେ କେତେଦୂର ପାହାଚ ଉଠିଛି; ଅଥବା ଆଦୌ ଉଠିଛି କି ନାହିଁ, ତା’ ସାହିତ୍ୟର ସମୀକ୍ଷା ସେହି ଘଟଣାଟିକୁ ମଧ୍ୟ ଏକ ମାନଦଣ୍ଡରୂପେ ବ୍ୟବହାର କରିପାରିବ । ଜଣେ ଜଣେ ସାହିତ୍ୟକାର ନିଜ ସାହିତ୍ୟ ସହିତ ପ୍ରଥମେ କେତେ ବାଟ ଯାଇଛନ୍ତି, ମାତ୍ର ତା’ପରେ ସେମାନଙ୍କର ଜୀବନରେ କ’ଣ ସବୁ ଅଘଟନ ଘଟେ ଅଥବା କ’ଣ ସବୁ କୁଣ୍ଠା ପ୍ରବେଶ କରେ କେଜାଣି, ସେମାନେ ଖଣ୍ଡେ ଦୂର ଯାଇ ସତେଅବା ଗୋଟାସୁଦ୍ଧା ଅଟକି ଯାଇଥାନ୍ତି । ଲେଖା ଚାଲିଥାଏ, ତଥାପି ସେମାନେ ଅଟକି ଯାଇଥାନ୍ତି । ଲେଖା ମୁତାବକ ହୋଇପାରନ୍ତି ନାହିଁ । ଅର୍ଥାତ୍‍ ବଦଳି ପାରନ୍ତି ନାହିଁ । ବଦଳିବା ଲାଗି ଅସମ୍ମତ ହୁଅନ୍ତି । ନୂଆ ନୂଆ ଶୈଳୀର ଉଦ୍ଭାବନ କରନ୍ତି, ନୂଆ ନୂଆ ପ୍ରୟୋଗ କରିବାରେ କେତେ ନା କେତେ ଧୁରନ୍ଧରତାର ପ୍ରମାଣ ଦିଅନ୍ତି । ତଥାପି ଅଟକି ଯାଇଥାନ୍ତି । ସେମାନେ ନିଜ ପାଖରେ ନିଃସଙ୍ଗ ହୁଅନ୍ତି । ପୃଥିବୀରେ ସ୍ନେହ ଥାଏ, ସଙ୍ଗ ଥାଏ, କରୁଣା ରହିଥାଏ ଓ ଲୋକମାନେ ତଥାପି ବାଟ ଚାଲୁଥାନ୍ତି; ତଥାପି ସେମାନେ ଆପଣାକୁ ନିଃସଙ୍ଗ ବୋଲି ଅନୁଭବ କରନ୍ତି । ଅଟକି ଯାଇଥିବା ମଣିଷ ସଚରାଚର ନିଃସଙ୍ଗ ହେବାକୁ ବାଧ୍ୟ ହୁଏ । କବାଟ କିଳି, ଗବାକ୍ଷଗୁଡ଼ିକୁ ବନ୍ଦ କରିଦେଇ ସେ ନିଜର ଗୁମ୍ଫା ଭିତରେ ଯାଇ ପ୍ରାୟ ଏକୁଟିଆ ହୋଇ ବସିଥାଏ । ଆଧୁନିକ ସାହିତ୍ୟରେ ଆମେ ଅନେକ ସାହିତ୍ୟକାରଙ୍କ କ୍ଷେତ୍ରରେ ଅନେକ ସମୟରେ ଏହିପରି ଏକ ନିଃସଙ୍ଗତା ଦେଖିବାକୁ ପାଇବା । ସେମାନେ କେଉଁଠି ନା କେଉଁଠି ଅଟକି ଯାଇଥାନ୍ତି । ନିଜ ଭିତରେ କେଉଁଠି କି ବାଦ ଲାଗି ରହିଥାଏ କେଜାଣି, ସେମାନେ ସତେଅବା ସେହି କାରଣରୁ ବଡ଼ ହନ୍ତସନ୍ତ ଓ ଉତ୍ତେଜିତ ହୋଇ ରହିଥାନ୍ତି । ଅଧବାଟରେ ଯାଇଥିବାର ଲାଜ ସେମାନଙ୍କୁ ନିଜ ଭିତରେ ବଡ଼ ଅସଂହତ କରି ରଖିଥାଏ ।

 

ଅସଲ ସାହିତ୍ୟିକର ଜୀବନରେ ତା’ର ସାହିତ୍ୟ ସର୍ବଦା ଏକ ଆହ୍ଵାନ ପରି କାର୍ଯ୍ୟ କରୁଥାଏ ଏବଂ ପ୍ରତି ମୁହୂର୍ତ୍ତରେ ସେହି ଆହ୍ୱାନର ଜବାବ ଦେଇ ପାରିବାକୁ ହୁଏ । ଆହ୍ୱାନର ପ୍ରସ୍ଥଗୁଡ଼ିକ ପ୍ରସାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ସାହିତ୍ୟିକର ଦୃଷ୍ଟି ଓ ମେଦିନୀଟି ମଧ୍ୟ ସେହିପରି ପ୍ରସାରିତ ହେବାରେ ଲାଗିଥାଏ । ସାହିତ୍ୟର ବାଟ ଚାଲିବା, ତାହା ହେଉଛି ପ୍ରକୃତରେ ନିଜ ଭିତରେ ଅନୁକ୍ଷଣ ବାଟଟିଏ ଚାଲୁଥିବା । ତେଣୁ ପ୍ରତ୍ୟେକ ସାହିତ୍ୟିକର ଜୀବନରେ ଆମେ ଅନେକ ସମୟରେ ଏପରି ଏକ ଗତିଶୀଳତା ଲକ୍ଷ୍ୟ କରିପାରିବା, ତା’ ସାହିତ୍ୟଲେଖାରୁ ଯାହାର କି ଏକ ଅନ୍ଦାଜ ବା ଅନୁଶୀଳନ ମଧ୍ୟ କରାଯାଇପାରିବ । ବିଶ୍ଵକବି ରବୀନ୍ଦ୍ରନାଥଙ୍କର ପଦ୍ୟ ଏବଂ ଗଦ୍ୟ ଉଭୟ ମଧ୍ୟରେ ଆମେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ତାଙ୍କ ଜୀବନର କ୍ରମୋପଲବ୍‍ଧି ତଥା କ୍ରମୋତ୍ତରଣର ଏହିପରି ଏକ ନକ୍ସାର ପରିଚୟ ପାଇପାରିବା । ସବୁ ସାହିତ୍ୟକାରଙ୍କ ଜୀବନରେ ଅବଶ୍ୟ ତାହା ସମ୍ଭବ ହୋଇପାରି ନଥାଏ । ସମସ୍ତେ ଅର୍ଥାତ୍‍ ସବୁ ସାହିତ୍ୟକାର ଆପଣାର ଚାରିପାଖରେ ରହି ସେମାନଙ୍କୁ ଉଦ୍‍ବେଳିତ କରିବାକୁ ଇଚ୍ଛା କରୁଥିବା ଆହ୍ଵାନଗୁଡ଼ିକୁ ଯଥାର୍ଥ ପ୍ରତିସ୍ପନ୍ଦନ ସହିତ ଘ୍ରାଣ କରିପାରନ୍ତି ନାହିଁ । ଆହ୍ଵାନମାନେ ମହଜୁଦ୍ ରହିଥାନ୍ତି, ମାତ୍ର ସେମାନେ ସତେଅବା ଅଳ୍ପ ଭିତରେ ଆପଣାକୁ ବାନ୍ଧି ରଖିଥାନ୍ତି । ଅନୁରୂପ ସାହସ କରିପାରନ୍ତି ନାହିଁ । ଭାରତବର୍ଷକୁ ରାଜନୀତିକ ସ୍ଵାଧୀନତା ଆସିବା ପରେ ଆମେ ଭାରତୀୟ ଏକାଧିକ ସାହିତ୍ୟକାରଙ୍କ ଜୀବନରେ ଏହିପରି ଏକ ଅପାରଗତା ଦେଖିବାକୁ ପାଇବା । ସ୍ଵାଧୀନ ଭାରତବର୍ଷ ସେତେବେଳେ ଏହି ଦେଶର ପ୍ରତ୍ୟେକ ସଚେତନ ନାଗରିକଠାରୁ ଆହ୍ଵାନଗୁଡ଼ିକର ଯେପରି ଜବାବ ଆଶା କରୁଥିଲା, ଭାରତୀୟ ସାହିତ୍ୟିକାରମାନେ ଅନେକ ସ୍ଥଳରେ ସେହି ଜବାବଟିକୁ ଦେଇପାରିଲେ ନାହିଁ । ସାହିତ୍ୟ ଏହି ଦେଶରେ ଆହ୍ୱାନଗୁଡ଼ିକର ଅନୁରୂପ ହୋଇ ଆମକୁ ଯେଉଁ ନେତୃତ୍ଵ ଦେଇପାରିଥାନ୍ତା, ତାହା ସେ ଦେଇପାରିଲା ନାହିଁ । ପ୍ରତାରଣା କଲା, ପ୍ରତାରିତ ହେଲା, ସମ୍ଭବତଃ ସ୍ଥବିର ହୋଇଗଲା ।

 

ସ୍ଵାଧୀନ ଭାରତବର୍ଷରେ ବାହାରକୁ ସାହିତ୍ୟ ଘରେ ଆନୁଷ୍ଠାନିକ ଭାବରେ କେତେକଅଣ ଘଟିଲାପରି ବୋଧ ହେଲା । ସାହିତ୍ୟର ମାହାଲ ବିଷୟରେ ଦେଶର ନୂତନ ସରକାର ମଧ୍ୟ ଚିନ୍ତା କଲେ, ସାହିତ୍ୟର ପୃଷ୍ଠପୋଷକତା କଲେ, ନବୀନ ଉତ୍ସାହରେ ଏକାଡ଼େମୀ ଓ ଆହୁରି କେତେକଅଣ ଗଢ଼ା ହେଲା । ସେଗୁଡ଼ିକ ସତେଅବା କାହାର ଉଆସ ବ କଚେରି ପରି ଦେଖାଗଲେ । ସାହିତ୍ୟରେ ନାନା ନୂତନ ଯୋଜନାର ସୂତ୍ରପାତ କରାଗଲା । ସାହିତ୍ୟକାରକୁ ଆନୁଷ୍ଠାନିକ ଭାବରେ ସମ୍ମାନ ଦିଆଗଲା । ଏହିପରି ଭାବରେ ସାହିତ୍ୟ ପୋଷା ମାନିଗଲା । କାଳର ଅସଲ ଆସ୍ପୃହାଗୁଡ଼ିକୁ ପ୍ରକାଶ କରିବାରେ ଆଉ ସମର୍ଥ ହେଲା ନାହିଁ । ସାହିତ୍ୟରେ ଏକ ଅବକ୍ଷୟ-କାଳ ଆସିଲା । ରାଜପୁତ୍ର ଭଳି ଦେଖାଯାଉଥିବା ସାହିତ୍ୟକାରମାନେ ସଭାରେ ବସି ନିଃସଙ୍ଗତାର ପ୍ରଶସ୍ତି ଗାନ କଲେ । ଯେତେ ନ ଖୋଜିଲେ, ଯେତେ ଅନୁଭବ ନ କଲେ, ତାହାଠାରୁ ଅଧିକ ଅନୁକରଣ କଲେ । ଭେସରା ହେଲେ, ବହୁ ଶକ୍ତିହୀନତାର ସନ୍ତକ ହୋଇ ରହିଲେ । ଯଥାର୍ଥ ଆହ୍ଵାନଗୁଡ଼ିକ ସେମାନଙ୍କ ପାଖରେ ଅଲୋଡ଼ା ହୋଇ ରହିଲେ । ଯଥାର୍ଥ ଆହ୍ଵାନଗୁଡ଼ିକୁ ସତକୁସତ ଘ୍ରାଣ କରିପାରିବା ନିମନ୍ତେ ଜଣେ ସାହିତ୍ୟକାରକୁ ଯେ କେତେ ଅଧିକ ସଚେତନ ଏବଂ ସମ୍ବେଦନଶୀଳ ହୋଇରହିବା ଆବଶ୍ୟକ, ସତେଅବା ତାହାହିଁ ପ୍ରତିପାଦିତ ହୋଇଗଲା ।

 

ଯିଏ ଆହ୍ୱାନର ଜବାବ ଦେବ, ତାକୁ ଅଙ୍ଗୀକାରବଦ୍ଧ ହୋଇ ରହିବାକୁ ପଡ଼ିବ । ସାହିତ୍ୟକାର ସାହିତ୍ୟ ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିବାର ଅର୍ଥ ହେଉଛି, ସେ ସର୍ବପ୍ରଥମେ ନିଜ ଭିତରେ ନିଜ ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିବ, ଆପଣାର ମୂଳଭୂତ ଜୀବନଦୃଷ୍ଟିରେ ସେ ସମର୍ପିତ ମଣିଷଟିଏ ହୋଇ ରହିବ, ସମର୍ପିତ ଜୀବନଟିଏ ବଞ୍ଚୁଥିବ । ନିଜ ଭିତରେ ସେ କୌଣସି ପ୍ରକାରର ଦୁଇ ଭାଗ ବା ଏକାବେଳକେ କେତେ ଭାଗ ହୋଇ ରହିବାକୁ ସବୁଠାରୁ ବଡ଼ ପ୍ରମାଦ ବୋଲି ବୁଝିଥିବ । ଆପଣାର ପ୍ରଭୁ ପରି ସେ ନିଜର ବୁଦ୍ଧିକୁ ମଧ୍ୟ ସେଡ଼ିକି ବଡ଼, ସେତିକି ଅଧିକ ଗ୍ରହଣଶୀଳ ଏବଂ ସେତିକି ସମ୍ମତ କରି ରଖିଥିବ । ସାହିତ୍ୟକାର ନିଜର ସର୍ବଶ୍ରେଷ୍ଠ ଆକୁତିଗୁଡ଼ିକ ସହିତ ଆପଣାର ପ୍ରଭୁଟି ପାଖରେ ଅର୍ଥାତ୍‍ ଆପଣାର ସର୍ବୋଚ୍ଚ ଜୀବନମୂଲ୍ୟଗୁଡ଼ିକ ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିଥିବ । ଏତିକି ସମ୍ଭବ ହୋଇପାରିଲେ ତାକୁ ପୃଥିବୀଟାଯାକ ଏକାନ୍ତ ନିଜର ବୋଲି ଲାଗିବ, ପୃଥିବୀର ମଣିଷମାନେ ସାଥୀ ବାଟୋଇ ପରି ଲାଗିବେ । ସମସ୍ତେ ସତେଅବା କୌଣସି ଅଭିପ୍ରେତ ବିବର୍ତ୍ତନର ସ୍ରୋତ ଉପରେ ବସି ଅଗ୍ରସର ହେଉଥିବା

 

ପରି ମନେ ହେବେ । ଏକ ସ୍ଵତଃପ୍ରେରିତ ଆନନ୍ଦଦ୍ଵାରା ପ୍ରେରିତ ହୋଇ ସାହିତ୍ୟକାର ସେହି ବିବର୍ତ୍ତନରେ ସହଯୋଗ କରିବ, ତା’ କାଳଟିର ଯାବତୀୟ ପ୍ରୟାସ ସହିତ ସେ ଆପଣାକୁ ଏକାତ୍ମକ କରି ରଖିବ । ପରିବର୍ତ୍ତନର ସମସ୍ତ ପ୍ରକ୍ରିୟା ସହିତ ସେ ଏକାତ୍ମକତା ଅର୍ଜନ କରିବ । ଅଙ୍ଗୀକାରବଦ୍ଧ ସାହିତ୍ୟିକ କଦାପି ଆହ୍ଵାନଗୁଡ଼ିକର ସମ୍ମୁଖରୁ ଖସି ପଳାଏ ନାହିଁ । ସେ ଯାବତୀୟ ପ୍ରକାରର ଖସି ପଳାଇବାକୁ ଏବଂ ଲୁଚି ରହିଯିବାକୁ ଆତ୍ମଦ୍ରୋହ ତଥା ଈଶ୍ଵରଦ୍ରୋହ ସଦୃଶ ମନେକରେ । ବର୍ତ୍ତମାନ ପୃଥିବୀରେ ସେହିଭଳି ସାହିତ୍ୟକାରମାନଙ୍କର ଏକାନ୍ତ ଆବଶ୍ୟକତା ରହିଛି, ଯେଉଁମାନେ ମନୁଷ୍ୟ-ଜଗତର ପରବର୍ତ୍ତୀ ନିୟତିଟି ଲାଗି ଅଙ୍ଗୀକାରବଦ୍ଧ ହୋଇ ରହିବେ, ଆପଣାର ଶବ୍ଦଗୁଡ଼ିକୁ ଏକ ଅନୁରୂପ ଶକ୍ତିଦ୍ଵାରା ଶକ୍ତିମନ୍ତ କରିରଖିବେ । ସେମାନେ ଏ ଯୁଗର ଯାବତୀୟ ସଂଶୟ ଏବଂ ଅବିଶ୍ଵାସ ମଧ୍ୟରେ ତଥାପି ବିଶ୍ଵାସ ଆଣିଦେବେ, ସାହସର ସହିତ ଆତ୍ମକାମୀ ଅଳପମାନଙ୍କୁ ଭୀରୁ ବୋଲି ଘୋଷଣା କରିବେ, ମନୁଷ୍ୟର ଅସଲ ଶକ୍ତି ତା’ ସଙ୍ଗେ ସଙ୍ଗେ ରହିଛି ବୋଲି ତାକୁ ଏକ ପ୍ରତ୍ୟୟ ଆଣି ଦେଇପାରିବେ ।

Image

 

Unknown

ତୃତୀୟ ପରିଚ୍ଛେଦ

ଓଡ଼ିଶାର ସମାଜ-ସାସ୍କୃତିକ ଭୂମି

 

ପ୍ରଥମେ ଭୂମିଟିଏ ଥିଲା, ମାତ୍ର ତାହାର ଓଡ଼ିଶା ବୋଲି ନାମକରଣ ହୋଇ ନଥିଲା । ପଣ୍ଡିତ ଓ ଗବେଷକମାନେ ଅତୀତ ଭିତରକୁ ଶବ୍ଦ ସହିତ ଶବ୍ଦର ଖିଅ ଲଗାଇ ‘ଉଡ଼ୁ’, ‘ଓକ୍‍କଳ’ ଓ ‘ଓଡ଼ିସ’ ପ୍ରଭୁତି କେତେ ସୁରାଖର ଆବିଷ୍କାର କରିଛନ୍ତି । ସେମାନଙ୍କ ମତରେ ତାମିଲ ଭାଷାରେ ‘ଚାଷ କରିବାକୁ’ ଉଡ଼ୁ ବୋଲି କୁହାଯାଏ ଏବଂ ଚାଷ କରୁଥିବା ବ୍ୟକ୍ତିକୁ ‘ଓକ୍‍କଳ’ ବୋଲି କହନ୍ତି । କନ୍ନଡ଼ ଭାଷାରେ ‘ଓଡ଼ିସ’ କହିଲେ ଚାଷ କରୁଥିବା ଲୋକକୁ ବୁଝନ୍ତି । ଏହିସବୁ ଶବ୍ଦ ସହିତ ‘ଓଡ଼ିଶା’ ଶବ୍ଦଟିର କୌଣସି ସମ୍ବନ୍ଧ ରହିଛି ସେମାନେ ଅନୁମାନ କରିଥାନ୍ତି । ପ୍ରାଚୀନ ତିବ୍ବତୀୟ ଶାସ୍ତ୍ରରେ ବର୍ତ୍ତମାନର ଓଡ଼ିଶାର ଭୂମିଟିକୁ ‘ଓଟିବିଶା’ ବୋଲି କୁହାଯାଇଛି । ସେତେବେଳେ ଭୂମି ଭୂମି ମଧ୍ୟରେ ପ୍ରାୟ କୌଣସି ସମ୍ବନ୍ଧ ନଥିଲା । ରାଜାମାନେ ଯେତିକି ରାଜ୍ୟ ଜୟ କରୁଥିଲେ, ସେହି ଅନୁସାରେ ଭୂମିଗୁଡ଼ିକର ନାମକରଣ ହେଉଥିଲା । ରାଜାମାନଙ୍କର ଜୟ ଓ ବିଜୟ ଅନୁସାରେ ରାଜ୍ୟଗୁଡ଼ିକର ସୀମା ବଦଳି ଯାଉଥିଲା । ଗଠନ, ବିଗଠନ ଏବଂ ପୁନର୍ଗଠନ ଲାଗି ରହିଥିଲା । ଲୋକମାନେ ମର୍ମତଃ ପ୍ରଜା ଥିଲେ, ନାଗରିକ ହୋଇ ନଥିଲେ । ସେମାନେ ଭୂମିପ୍ରତି ଅନୁଗତ ନଥିଲେ, ସେମାନଙ୍କର ମୂଳ ଆନୁଗତ୍ୟ ରାଜାଙ୍କ ପ୍ରତି ଥିଲା । ରାଜାଙ୍କୁ ଅନେକ ସମୟରେ ଭଗବାନଙ୍କର ସମତୁଲ ବୋଲି ଦେଖାଯାଉଥିଲା । ମାତୃଭୂମି, ଜନ୍ମଭୂମି, ଦେଶ ଓ ଜାତି ପ୍ରଭୃତି ଶବ୍ଦ ସେତେବେଳେ ଲୋକଚଳଣିର ଅଭିଧାନକୁହିଁ ଆସି ନଥିଲା ।

 

ସେହି ପ୍ରଥମ କାଳରେ କଳିଙ୍ଗ ଏକ ରାଜ୍ୟ ଥିଲା ନା ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା କେତେକ ଜନଗୋଷ୍ଠୀଙ୍କୁ ବୁଝାଉଥିଲା ? ପ୍ରାଚୀନ ଶାସ୍ତ୍ରଗୁଡ଼ିକରେ କଳିଙ୍ଗ ଶବ୍ଦଟିକୁ ପ୍ରଧାନତଃ ବହୁବଚନରେ ବ୍ୟବହାର କରାଯାଇଛି । କେଉଁଠି ‘ଏତେ କଳିଙ୍ଗାଃ’ ବୋଲି କୁହାଯାଇଛି ତ ଆଉ କେଉଁଠି ‘କଳିଙ୍ଗାନ୍’ ବୋଲି ଉଲ୍ଲେଖ କରାଯାଇଛି । ସେତେବେଳର ଗ୍ରନ୍ଥମାନଙ୍କରେ ଏହି ଭୂମିର ବିଭିନ୍ନ ଅଂଶକୁ ସୂଚାଇ ଦେଇ କୋଶଳ, ଉତ୍କଳ, କଳିଙ୍ଗ ଓଡ଼୍ର ପ୍ରଭୃତି ନାମଗୁଡ଼ିକୁ ବ୍ୟବହାର କରାଯାଇଛି । କଳିଙ୍ଗ ନାମରେ ସେତେବେଳେ ପ୍ରକୃତରେ କେତୋଟି ରାଜ୍ୟ ରହିଥିଲା ? ଏହି ଭୂମିଟିର ବିଭିନ୍ନ ଶାସକରାଜା ଗ୍ରହଣ କରିଥିବା ପଦବୀରୁ ଏଭଳି ଏକ ସନ୍ଦେହ କରିବାର କିଞ୍ଚିତ୍ କାରଣ ମଧ୍ୟ ରହିଛି । ଏହି ନରପତିମାନଙ୍କ ମଧ୍ୟରୁ କେହି ନିଜକୁ ଖାଲି ‘କଳିଙ୍ଗାଧିପତି’ ବୋଲି କହିଛନ୍ତି । କେହି ତ୍ରିକଳିଙ୍ଗାଧିପତି ବୋଲି କହିଛନ୍ତି ଏବଂ ଆଉ କେହି ହୁଏତ ସବୁଯାକ କଳିଙ୍ଗକୁ ନିଜର ଅଧୀନକୁ ଆଣି ଆପଣାକୁ ସକଳ-କଳିଙ୍ଗାଧିପତି ବୋଲି ଘୋଷଣା ମଧ୍ୟ କରିଛନ୍ତି । ତ୍ରିକଳିଙ୍ଗ କହିଲେ ଆଲୋଚକମାନେ ଅନେକ ସମୟରେ କଳିଙ୍ଗ, କୋଙ୍ଗଦ ଏବଂ ଉତ୍କଳ ନାମକ ତିନୋଟି ରାଜ୍ୟର ସମାହାରକୁ ବୁଝିଛନ୍ତି । ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠାତା ରାଜା ଚୋଳଗଙ୍ଗଦେବଙ୍କର ଗୋଟିଏ ଘୋଷଣା ଅନୁସାରେ ଜଣେ କାମାର୍ଣ୍ଣବଦେବ କଳିଙ୍ଗ ନାମକ ଏକ ରାଜ୍ୟର ପ୍ରତିଷ୍ଠା କରିଥିଲେ ବୋଲି ଜଣାଯାଉଛି ।

 

ଅଶୋକଙ୍କର କଳିଙ୍ଗ ବିଜୟ ଓଡ଼ିଶାରେ ଏକ ସୁପରିଚିତ କିମ୍ବଦନ୍ତୀ ହୋଇ ସେହି କାଳରୁ ରହିଛି । ଏହା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର କଥା । ମଗଧରାଜ ଅଶୋକ କଳିଙ୍ଗ ଉପରେ ବିଜୟଲାଭ କରିଥିଲେ ବୋଲି ତାଙ୍କ ଶିଳାଲେଖରେ ଖୋଦିତ ହୋଇଛି ସତ, ମାତ୍ର କଳିଙ୍ଗର କେଉଁ ରାଜାଙ୍କୁ ପରାସ୍ତ କରି ସେ ଏହି ବିଜୟଟିକୁ ହାସଲ କରିଥିଲେ, ଏପର୍ଯ୍ୟନ୍ତ ସେହି ସନ୍ଧାନଟି ମିଳିନାହିଁ । ଅଶୋକଙ୍କର ସାମ୍ରାଜ୍ୟ ଭାରତବର୍ଷର ବହୁ ଭୂଖଣ୍ଡକୁ ବିସ୍ତାରିତ ହୋଇଯାଇଥିଲା ସତ, ମାତ୍ର ତାଙ୍କର ମୃତ୍ୟୁ ଅନ୍ତେ ମଗଧର ରାଜାମାନେ ଆଉ ସେହି ସାମ୍ରାଜ୍ୟକୁ ସେହିଭଳି ଗୋଟିଏ କରି ରଖିପାରି ନଥିଲେ । ଗୋଟିଏ ସାମ୍ରାଜ୍ୟ ଖଣ୍ଡଖଣ୍ଡ ହୋଇ ବହୁ ରାଜ୍ୟରେ ବିଭକ୍ତ ହୋଇଯାଇଥିଲା । ଗୋଟିଏ ମତ ଅନୁସାରେ କଳିଙ୍ଗର ପୂର୍ବ ରାଜାମାନଙ୍କର ବଂଶଧର ଚୈତ୍ର ଐର କୋଶଳରୁ ଆସି କଳିଙ୍ଗରେ ନିଜର ସ୍ଵାଧୀନ ରାଜ୍ୟ ସ୍ଥାପନ କରିଥିଲେ । ଐରଙ୍କର ପୁତ୍ର ହେଉଛନ୍ତି ଖାରବେଳ । ଏହି ଖାରବେଳ ଓ ତାଙ୍କର ଦୁଇ ପୁତ୍ରଙ୍କର ନାମରୁ ସିଏ ଦ୍ରାବିଡ଼ ଥିଲେ ବୋଲି ମଧ୍ୟ ଏକ ଅନୁମାନ କରାଯାଇଛି । ତାଙ୍କର କୀର୍ତ୍ତି ସମ୍ବନ୍ଧରେ ଭୁବନେଶ୍ୱର ପାଖ ହାତୀଗୁମ୍ଫାର କାନ୍ଥରେ ତାଙ୍କରି ଆଦେଶରେ ଯେଉଁସବୁ ବିବରଣୀ ଖୋଦିତ ହୋଇ ରହିଛି, ସେଥିରେ ଖାରବେଳ ମଗଧରାଜ୍ୟର ଲୋକମାନଙ୍କର ମନରେ ବିପୁଳ ଭୟ ଜନ୍ମାଇ ନିଜ ଅଶ୍ଵମାନଙ୍କୁ ନେଇ ସୁଦୂର ଗଙ୍ଗାନଦୀରେ ପାଣି ପିଆଇଥିଲେ ବୋଲି ଲେଖା ହୋଇଛି । ସେହି ଶିଳାଲେଖାରେ ଖାରବେଳ ଆପଣାକୁ କ୍ଷମାର ରାଜା ଓ ବଡ଼ ରାଜା ବୋଲି ଘୋଷଣା କରିଛନ୍ତି, ଭିକ୍ଷୁମାନଙ୍କ ଭିତରେ ଆପଣାକୁ ଶ୍ରେଷ୍ଠ ବୋଲି କହିଛନ୍ତି, ଧର୍ମ ଆଚରଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ଥିଲେ ବୋଲି କହିଛନ୍ତି ।

 

ବର୍ତ୍ତମାନର ଓଡ଼ିଶାର ଅତୀତ ଗୌରବକୁ ଆମର ମନୋମତ ବଡ଼ କରି ଦେଖାଇବା ପାଇଁ ଆମେ ସେକାଳର ସେହି ଇତିହାସଗାଥା ସହିତ ଓଡ଼ିଶାକୁ ନେଇ ଯୋଡ଼ିଦେବାର କୌଣସି ଚେଷ୍ଟା କରିବା ନାହିଁ । ଓଡ଼ିଶା କହିଲେ ଆଜି ଆମେ ଯାହାକୁ ବୁଝୁଛୁ ଏବଂ ଯେଉଁ ଏକତ୍ୱଟିକୁ ଅନୁଭବ କରୁଛୁ, ସେହି ଓଡ଼ିଶା ସେତେବେଳେ କେଉଁଠି ହେଲେ ନଥିଲେ । ଭୂଇଁଗୁଡ଼ିକ ରହିଥିଲା, ରାଜାମାନେ ଥିଲେ, ମାତ୍ର ଭୂଇଁଟିର ପାଶ୍ଚାତ୍ୟରେ କୌଣସି ଅନୁଭୂତି ନଥିଲା । ଖାରବେଳଙ୍କ ପରେ ଆମ ଅନୁଭବର ଓଡ଼ିଶାଟି ଉପରେ କେତେ ରାଜା ଓ ରାଜବଂଶ ଆସିଲେ, କେତେ ଯୁଦ୍ଧ ଲାଗି ଏକାଧିକ ବାର କେତେ ଜୟ ପରାଜୟ ଘଟିଲା । କେତେ ରାଜ୍ୟବୃଦ୍ଧି ହେଲା, ରାଜ୍ୟହ୍ରାସ ହେଲା । ଜଣେ ଜଣେ ପ୍ରତାପଶାଳୀ ରାଜାଙ୍କ ଅମଳରେ ସାନ ସାନ ବହୁଖଣ୍ଡ ମିଶି ଗୋଟିଏ ହୋଇଯାଉଥିଲା । ପୁଣି ଗୋଟିଏ ରାଜ୍ୟ ମଉକା ଆସିବାମାତ୍ରକେ ସାତଖଣ୍ଡ ବା ସତରଖଣ୍ଡରେ ବିଭକ୍ତ ମଧ୍ୟ ହୋଇଯାଉଥିଲା । ସେଗୁଡ଼ିକ ମଧ୍ୟରେ ଆମେ ଆମର ଏ ଓଡ଼ିଶାଟିକୁ ଖୋଜିବାକୁ ଗଲେ କେବଳ ଭ୍ରମରେହିଁ ପଡ଼ି ରହିଥିବା ।

 

ସାଂସ୍କୃତିକ ଓଡ଼ିଶା ଅତୀତର ଯେଉଁ ଯୁଗରେ ଯେତେ ଖଣ୍ଡ ହୋଇ ରହିଥାଉ ପଛକେ, ତାହା ଯେ ସର୍ବଦା ବୃହତ୍ତର ଭାରତ-ଭୂଖଣ୍ଡର ଅନ୍ତର୍ଗତ ହୋଇ ରହିଥିଲା, ସେଥିରେ ସନ୍ଦେହ କରିବାର କୌଣସି ଅବକାଶ ନାହିଁ । ସଂସ୍କୃତିର ପରିଭାଷାରେ ଭାରତବର୍ଷକୁ ଯଦି ଏକ ‘ବୃହତ୍ ପରମ୍ପରା’ ବୋଲି କୁହାଯାଏ, ତେବେ ଓଡ଼ିଶାକୁ ଆମେ ଯାବତୀୟ ଦୃଷ୍ଟିକୋଣରୁ ତାହାର ଏକ ‘କ୍ଷୁଦ୍ର ପରମ୍ପରା’ ବୋଲିହିଁ କହିବା ଏବଂ ସେହି ଅନୁସାରେ ସମଗ୍ର ପ୍ରସଙ୍ଗଟିର ବିଚାର କରିବା । ଯେଉଁମାନେ ଭାରତରେ ଆପଣାକୁ ଗର୍ବର ସହିତ ଆର୍ଯ୍ୟ ବୋଲି କହିଥାନ୍ତି, ସେମାନେ ଭାରତବର୍ଷକୁ ଆର୍ଯ୍ୟଭୂମି ବୋଲି କହିଥାନ୍ତି । ମାତ୍ର, ଆମ ଇତିହାସ କହୁଛି ଯେ, ଆର୍ଯ୍ୟମାନଙ୍କ ପୂର୍ବରୁ ମଧ୍ୟ ଭାରତବର୍ଷରେ ମଣିଷମାନେ ଥିଲେ; ସେମାନଙ୍କ ସଭ୍ୟତା ଥିଲା, ସଂସ୍କୃତି ଥିଲା । ଆର୍ଯ୍ୟମାନେ ବାହାରୁ ଭାରତବର୍ଷକୁ ଆସିଥିଲେ । ଭାରତ ଭିତରକୁ ଆସିବା ପୂର୍ବରୁ ସେମାନେ ଯାଯାବର ଥିଲେ । ସବୁ ଆର୍ଯ୍ୟ ଯେ ଗୋଟିଏ ମୁଥରେ ଭାରତବର୍ଷକୁ ଆସିଥିଲେ, ସେକଥା ଆଦୌ ନୁହେଁ । ସେମାନେ ବହୁ ଦଳରେ ବିଭିନ୍ନ ସମୟରେ ଭାରତବର୍ଷରେ ପ୍ରବେଶ କରିଥିଲେ ସେମାନେ ଭାରତକୁ ଆସିବା ପୂର୍ବରୁ ଭାରତବର୍ଷରେ ଦ୍ରାବିଡ଼ ସଭ୍ୟତା ଥିଲା, ଅଷ୍ଟ୍ରିକ୍ ଅର୍ଥାତ୍‍ ଆଗ୍ନେୟ ଅର୍ଥାତ୍‍ ଆଦିବାସୀମାନଙ୍କର ସଭ୍ୟତା ଥିଲା । ସଂସ୍କୃତ ଶାସ୍ତ୍ରରେ ଅଷ୍ଟ୍ରିକ୍‍ମାନଙ୍କୁ ନିଷାଦ, ଦ୍ରାବିଡ଼ମାନଙ୍କୁ ଦ୍ରବିଡ଼, ଇଣ୍ଡୋ-ଇଉରୋପୀୟମାନଙ୍କୁ ଆର୍ଯ୍ୟ ଏବଂ ମଙ୍ଗୋଲୀୟମାନଙ୍କୁ କିରାତ ବୋଲି କୁହାଯାଇଛି । ଏମାନେ ସମସ୍ତେ ବାହାରୁ ଭାରତକୁ ଆସିଛନ୍ତି । ସମସ୍ତେ ମିଶି ପ୍ରାଚୀନ ଭାରତର ଜନଗୋଷ୍ଠୀକୁ ଗଠନ କରିଛନ୍ତି । ସଂସ୍କୃତ ଭାଷାର ଦ୍ରାବିଡ଼ ଶବ୍ଦଟି କାଳକ୍ରମେ ଦ୍ରମିଳ ହୋଇ ବର୍ତ୍ତମାନର ‘ତାମିଲ’ରେ ପରିଣତ ହୋଇଛି । ଅଷ୍ଟ୍ରିକ୍ ବା ନିଶାଦମାନଙ୍କର ଶ୍ରେଣୀରେ ଆମେ କୋହ୍ଲ ମୁଣ୍ଡା, ଭୂମିଜ, ସାନ୍ତାଳ, ହୋ, ଶବର ଓ ଗଦବା ପ୍ରଭୃତି ଜାତିକୁ ସୁମାରି କରିପାରିବା-। ଆର୍ଯ୍ୟମାନେ ବସ୍ତୁତଃ ଆକ୍ରମଣକାରୀ ଭାବରେ ଭାରତବର୍ଷକୁ ଆସିଥିଲେ ଏବଂ ଏଠାରେ ଆଗରୁ ଥିବା ସଭ୍ୟତାଟିକୁ ପରାସ୍ତ କରି ବସତି ସ୍ଥାପନ କରିଥିଲେ ସତ, ମାତ୍ର ସେମାନେ ସେଇଟିରୁ କେତେକେତେ ଉପାଦାନକୁ ନିଜର ସଭ୍ୟତା ମଧ୍ୟକୁ ଗ୍ରହଣ କରି ନେଇଛନ୍ତି ଓ ସେଗୁଡ଼ିକ କ୍ରମେ ଆର୍ଯ୍ୟସଭ୍ୟତାରୂପେ ପରିଗଣିତ ହୋଇଛି । ଆର୍ଯ୍ୟେତର ସଂସ୍କୃତିଦ୍ଵାରା ଆର୍ଯ୍ୟମାନଙ୍କର ସଂସ୍କୃତି ପରିପୁଷ୍ଟ ହୋଇଛି । ଆର୍ଯ୍ୟମାନଙ୍କର ଯାବତୀୟ ଧର୍ମାଚାର, ଶ୍ରାଦ୍ଧ, ବିବାହ, ଜନ୍ମ ଓ ମୃତ୍ୟୁସହିତ ସମ୍ବନ୍ଧିତ ସକଳ ବିଶ୍ଵାସ, ସଂସ୍କାର ଏବଂ ଆଚାର, ବିଭିନ୍ନ ଦେବାଦେବୀଙ୍କର ରୂପ ଓ କଳ୍ପନା ତଥା ଆହାର ଏବଂ ଆଚରଣ ବିଷୟରେ ବହୁବିଧ ନିଷେଧ ଓ ବାରଣକୁ ଆର୍ଯ୍ୟମାନେ ଆଦିବାସୀମାନଙ୍କଠାରୁ ଆହରଣ କରିଛନ୍ତି । ଗ୍ରାମର ରକ୍ଷା କରୁଥିବା ଗ୍ରାମଦେବତାଙ୍କର କଳ୍ପନା ଆର୍ଯ୍ୟମାନଙ୍କର ଆସିବା ପୂର୍ବରୁ ରହିଥିବା ଗ୍ରାମଗୋଷ୍ଠୀଗୁଡ଼ିକର ବିଶ୍ୱାସରୁ ଜନ୍ମଲାଭ କରିଛି । ଶୀତଳା, ବନଦୁର୍ଗା, ଷଷ୍ଠୀ, ବହୁ ପ୍ରକାରର ଚଣ୍ଡୀ, ନରମୁଣ୍ଡର ମାଳା ପରିଧାନ କରି ଶ୍ମଶାନରେ ବୁଲୁଥିବା କାଳୀ, ଶ୍ମଶାନଚାରୀ ଶିବ ଓ ପର୍ଣ୍ଣଶବରୀ ପ୍ରଭୃତି ଆର୍ଯ୍ୟେତର ଦେବାଦେବୀମାନେ ଆର୍ଯ୍ୟମାନଙ୍କର ଗୋଷ୍ଠୀବିଶ୍ଵାସ ଭିତରକୁ ଆମଦାନୀ ହୋଇ ଆସିଛନ୍ତି । ନାନାବିଧି ବ୍ରତ, ଓଷା ଓ ପୂଜା ସେହିଠାରୁ ଆସିଛି । ରଜପର୍ବର ବିଧିଟି ମଧ୍ୟ ସର୍ବପ୍ରଥମେ ସେହି ଆଦିବାସୀମାନଙ୍କର ଥିଲା-। ଭାରତୀୟ ସଂସ୍କୃତିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେବାରେ ଦ୍ରାବିଡ଼ମାନଙ୍କର ମଧ୍ୟ ପ୍ରଭୂତ ଅବଦାନ ରହିଛି । କେତେ ସମୀକ୍ଷକ ମତ ଦେଇ କହିଛନ୍ତି ଯେ, ଭାରତୀୟ ସଭ୍ୟତା ଓ ଭାରତୀୟ ଜୀବନ ଆର୍ଯ୍ୟମାନଙ୍କର ଅବଦାନ ପ୍ରଧାନତଃ ବୁଦ୍ଧିର କ୍ଷେତ୍ରରେ ଏବଂ ଆର୍ଯ୍ୟେତର ଅଷ୍ଟ୍ରିକ୍ ଓ ଦ୍ରାବିଡ଼ ସଭ୍ୟତା ତାହାକୁ ତା’ର ହୃଦୟର ପ୍ରସ୍ଥଟିକୁ ଆଣି ଯୋଗାଇ ଦେଇଛି । ଦ୍ରାବିଡ଼ମାନେ କୃଷିକାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କର ସମାଜ-ବ୍ୟବସ୍ଥା ପ୍ରଧାନତଃ ମାତୃକୈନ୍ଦ୍ରିକ ଥିଲା । ଏହି ଦୁଇଟିଯାକ କାରଣହିଁ ପରବର୍ତ୍ତୀ କାଳରେ ତାନ୍ତ୍ରିକ ସାଧନାର ଉଦୟ ଓ ବିକାଶକୁ ବହୁ ଉପାଦାନ ଅବଶ୍ୟ ଯୋଗାଇ ଦେଇଥିବ । ଭାରତର ମାନଚିତ୍ରରେ ଓଡ଼ିଶା ଦକ୍ଷିଣ ଓ ଉତ୍ତର ମଧ୍ୟରେ ଏକ ସେତୁପରି ହୋଇରହିଛି । କେବଳ ଏହି ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ନୁହେଁ, ଭାଷା, ସାମୂହିକ ଜୀବନ, ଧର୍ମ ଓ ସାହିତ୍ୟର କ୍ଷେତ୍ରଗୁଡ଼ିକରେ ମଧ୍ୟ ଓଡ଼ିଶା ଦକ୍ଷିଣ ଓ ଉତ୍ତର ମଧ୍ୟରେ ସେତୁ ହୋଇ ରହିଛି । ଉଭୟଆଡ଼ୁ ରାଜା ଓ ଶାସକମାନେ ଓଡ଼ିଶାକୁ ଆକ୍ରମଣ କରିଛନ୍ତି; ପଣ୍ଡିତ ଓ ଧର୍ମପ୍ରଚାରକମାନେ ମଧ୍ୟ ଉଭୟଆଡ଼ୁ ଆସିଛନ୍ତି । ବହୁ ଶତାବ୍ଦୀ ଧରି ଉତ୍ତରର ଆର୍ଯ୍ୟମାନେ ଅଙ୍ଗ ଓ ବଙ୍ଗ ସହିତ କଳିଙ୍ଗକୁ ପତିତମାନଙ୍କର ଭୂମି ବୋଲି କହୁଥିଲେ । କେବଳ ତୀର୍ଥଯାତ୍ରା ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଏହି ସବୁ ଭୂମିକୁ ଯାତ୍ରା କଲେ ଘରକୁ ଫେରି ସେମାନଙ୍କୁ ଶୁଦ୍ଧ ହେବାକୁ ପଡ଼ୁଥିଲା । ଅଙ୍ଗ, ବଙ୍ଗ ଓ କଳିଙ୍ଗର ଅଧିବାସୀମାନେ ଆର୍ଯ୍ୟମାନଙ୍କ ଆଖିରେ ଇତର ବା ବ୍ରାତ୍ୟ ଥିଲେ, ଅର୍ଥାତ୍ ସେମାନେ ଆର୍ଯ୍ୟମାନଙ୍କର ବିଧି, ନିୟମ ଓ ଧର୍ମୀୟ ସଂସ୍କାରଗୁଡ଼ିକୁ ମାନୁ ନଥିଲେ । ମତ୍ସ୍ୟପୁରାଣରେ ଉଡ଼୍ରଦେଶକୁ ମ୍ଳେଚ୍ଛ ଦେଶ ବୋଲି କୁହାଯାଇଛି । କୌଣସି ଜୈନ ଶାସ୍ତ୍ରରେ ଉଡ଼୍ରଦେଶର ଭାଷାକୁ ମଧ୍ୟ ମ୍ଳେଚ୍ଛ ଭାଷା ବୋଲି କୁହାହୋଇଛି ।

 

ଓଡ଼ିଶା ନାମକ ଭୂମିଟିର ପ୍ରାଚୀନତମ ଅଧିବାସୀ ଅଷ୍ଟ୍ରିକ୍ ଥିଲେ । ଗବେଷକମାନେ ତୋଷଳ, ଧୌଳି, କଳିଙ୍ଗ, ତ୍ରିଲିଙ୍ଗ ଏବଂ ଉତ୍କଳ ଶବ୍ଦଗୁଡ଼ିକୁ ପ୍ରଥମେ ଅଷ୍ଟ୍ରିକ୍ ଶବ୍ଦ ଥିବାର ଅନୁମାନ କରିଛନ୍ତି । ଖ୍ରୀଷ୍ଟ ଜନ୍ମର ଅବ୍ୟବହିତ ପୂର୍ବରୁ ଏହି ଭୂମିକୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ଦ୍ରାବିଡ଼ମାନେ ଆସିଛନ୍ତି ଏବଂ ତା’ପରେ ରାଢ଼ ଏବଂ ମହାକୋଶଳ ଦେଇ ଦୁଇଟି ଶାଖାରେ ଆର୍ଯ୍ୟମାନେବି ଆସିଛନ୍ତି । ଏହିପରି ଭାବରେ ଅଷ୍ଟ୍ରିକ୍ ଏବଂ ଦ୍ରାବିଡ଼ ଭାଷାର ମୂଳ ପରସ୍ତଟି ଉପରେ ମଗଧ ଏବଂ ମହାକୋଶଳର ଆର୍ଯ୍ୟଭାଷା ଆପଣାକୁ ବିସ୍ତୃତ କରି ଆଣିବାର ଚେଷ୍ଟା କରି ପ୍ରାଚୀନ ଓଡ଼ିଆ ଭାଷାକୁ କ୍ରମବିବର୍ତ୍ତିତ କରିଆଣିଛି । ପାତଞ୍ଜଳି ଯୋଗଶାସ୍ତ୍ରରେ ପାତଞ୍ଜଳି ସଂସ୍କୃତ ଭାଷାକୁ ଶିଷ୍ଟମାନଙ୍କର ଭାଷା ବୋଲି ବର୍ଣ୍ଣନା କରିଛନ୍ତି । ଶିଷ୍ଟ କହିଲେ ଯେ ପ୍ରଧାନତଃ ଆର୍ଯ୍ୟାବର୍ତ୍ତର ବ୍ରାହ୍ମଣମାନଙ୍କୁ ବୁଝିଛନ୍ତି । ପ୍ରାଚୀନ ଯୁଗରେ ସଂସ୍କୃତ ଭାଷାରେ ସବୁ ପୋଥି ଲେଖା ହେଉଥିଲା ସତ, ମାତ୍ର ତାହା କେବେହେଲେ କଥିତ ଭାଷା ନଥିଲା । କେବେହେଲେ ଲୋକସ୍ତରକୁ ଆସି ନଥିଲା । ଲୋକମାନେ କହୁଥିବା ଭାଷା ହେଉଛି ପ୍ରାକୃତ । ଗୌତମ ବୁଦ୍ଧହିଁ ଭାରତବର୍ଷରେ ସମ୍ଭବତଃ ସର୍ବପ୍ରଥମେ ପ୍ରାକୃତ ଭାଷାକୁ ଧର୍ମପ୍ରଚାରର ମାଧ୍ୟମରୂପେ ବ୍ୟବହାର କରିଥିଲେ ଏବଂ ଶାସ୍ତ୍ରର ଭାଷାରୂପେ ସ୍ଵୀକାର କରିଥିଲେ । ବୌଦ୍ଧଶାସ୍ତ୍ରଗୁଡ଼ିକ ପ୍ରାକୃତର ସର୍ବପ୍ରାଚୀନ ରୂପ ପାଲିଭାଷାରେହିଁ ଲିପିବଦ୍ଧ ହୋଇ ରହିଛି ।

 

ବୌଦ୍ଧଧର୍ମ କ୍ରମେ ରାଜଧର୍ମରେ ପରିଣତ ହୋଇଯିବା ପରେ ଏବଂ ପାଲିଭାଷା ରାଜସଭାକୁ ଆସିବାପରେ ତଥାପି ଲୋକମାନେ ଯେଉଁ ଭାଷା ବ୍ୟବହାର କରୁଥିଲେ, ଭାରତବର୍ଷରେ ସେହି ଯୁଗରେ ସେଗୁଡ଼ିକୁ ଅପଭ୍ରଂଶ ବୋଲି କୁହାଯାଇଛି । ସେହି ଭାଷାଗୁଡ଼ିକ ବ୍ୟବହୃତ ହେଉଥିବା ଅଞ୍ଚଳଗୁଡ଼ିକର ନାମ ଅନୁସାରେ ସେଗୁଡ଼ିକୁ କ୍ରମେ ସୌରସେନୀ, ମହାରାଷ୍ଟ୍ର, ମାଗଧୀ ପ୍ରଭୃତି ନାମରେ ଚିହ୍ନଟ କରାଯାଇଛି । ଓଡ଼୍ରଦେଶରେ ଲୋକମୁଖରେ କଥିତ ଭାଷା ଏବଂ ସୌରସେନୀ ପ୍ରଭୃତି କେତେକ ଅପଭ୍ରଂଶର ପଦ ସହିତ ଶବରୀ ଭାଷାର ମିଶ୍ରଣରେ ଔଡ଼୍ରୀ ଭାଷା ଏକ ସ୍ଵତନ୍ତ୍ର ରୂପ ଗ୍ରହଣ କରିଛି । ଭରତମୁନିଙ୍କର ନାଟ୍ୟଶାସ୍ତ୍ରରେ ଔଡ଼୍ରୀ ବିଭାଷା ଏବଂ ଔଡ଼୍ରୀ ମାଗଧୀର ଉଲ୍ଲେଖ ଅଛି । ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାର ଜନ୍ମଗ୍ରହଣ କରିଥିବା ଜଣେ ପଣ୍ଡିତ ଶ୍ରୀ ମାର୍କଣ୍ଡେୟ କବିଚନ୍ଦ୍ର ତାଙ୍କ ‘ପ୍ରାକୃତ-ସର୍ବସ୍ଵ’ ଗ୍ରନ୍ଥରେ ଔଡ଼୍ରୀକୁ ଏକ ଭାଷାରୂପେ ଗ୍ରହଣ କରିଛନ୍ତି ।

 

ଅର୍ଥାତ୍‍, ଓଡ଼ିଶାର ମୂଳ ଭାଷା ହେଉଛି ଶାବରୀ ଭାଷା । ସଂସ୍କୃତ ପଣ୍ଡିତମାନେ ଶବରମାନଙ୍କୁ ସେକାଳରେ ଆଟବିକ ଅର୍ଥାତ୍‍ ଅଟବୀବାସୀ ବୋଲି କହିଛନ୍ତି । ଓଡ଼ିଶାର ପ୍ରାୟ ସବୁ ପ୍ରାଚୀନ ଦେବାଦେବୀ ସେହି ଶାବରକାଳରୁ ଆମ ସଂସ୍କୃତି ଭିତରକୁ ଉଦ୍‍ଭୁତ ହୋଇ ଆସିଛନ୍ତି । ଶବରମାନଙ୍କର ସମଲାଇ ହେଉଛନ୍ତି ଆମ ସମଲେଶ୍ଵରୀ । ବୁଢ଼ାରାଜା ପ୍ରଭୃତି ଦେବତାମାନଙ୍କର ନାମ ସେହି ଆଦିବାସୀମାନଙ୍କଠାରୁ ଆସିଛି ଏବଂ ଏପରି ଗୋଟିଏ ମତ ରହିଛି ଯେ, ଶବରଭାଷାର ଜଗନ୍ନାଲୋ ଓ ଜଗନ୍ତା ପ୍ରଭୃତି ଈଶ୍ଵରବାଚକ ଶବ୍ଦରୁ ଓଡ଼ିଶାର ଇଷ୍ଟଦେବତା ଜଗନ୍ନାଥ ନାମିତ ହୋଇଛନ୍ତି । ଶବରମାନଙ୍କର ଶବରୀ ବିଦ୍ୟା ସମ୍ଭବତଃ ପରବର୍ତ୍ତୀ କାଳର ଆୟୁର୍ବେଦକୁ ମୂଳ ପ୍ରେରଣାଗୁଡ଼ିକ ଆଣି ଯୋଗାଇ ଦେଇଛି । ଠିକ୍‍ ସେହିପରି ଅଷ୍ଟ୍ରିକ୍ ଶାବରୀ ଭାଷାର ମୂଳ ପଞ୍ଜରଟି ଉପରେ ଦ୍ରାବିଡ଼, ମାଗଧୀ ଓ ସୌରସେନୀ ପ୍ରଭୃତି ଅପଭ୍ରଂଶଗୁଡ଼ିକର ପରିପୂରକ ଭଣ୍ଡାରମାନ ଆସି ମିଳିତ ହୋଇଛି । ତା’ପରେ ସଂସ୍କୃତ ଆସିଛି, ଆରବୀ, ଫାର୍ସୀ ଓ ଊର୍ଦ୍ଧୁ ଆସିଛି । ସର୍ବଶେଷରେ ପାଶ୍ଚାତ୍ୟ ଭାଷାଗୁଡ଼ିକ ଆସିଛି । ସବୁ ମିଶି ବର୍ତ୍ତମାନର ଓଡ଼ିଆ ଭାଷାକୁ ରୂପ ଦେଇଛନ୍ତି ଓ ଏବେ ମଧ୍ୟ ଦେବାରେ ଲାଗିଛନ୍ତି ।

 

ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ ମୋଗଲମାନେ ଉପକୂଳ ଅଞ୍ଚଳର ଓଡ଼ିଶାକୁ ନିଜ ଅଧୀନକୁ ଜୟ କରିନେବା ପରେ ଯାଇ ସମ୍ଭବତଃ ଓଡ଼ିଶା ଶବ୍ଦ ବ୍ୟବହାରକୁ ଆସିଲା । ତା’ ପୂର୍ବରୁ କଳିଙ୍ଗ ଥିଲା, ଉତ୍କଳ ଥିଲା, କୋଶଳ ଥିଲା; ମାତ୍ର ଓଡ଼ିଶା ନଥିଲା । ସେହି ନାମଗୁଡ଼ିକ ଭିନ୍ନ ଭିନ୍ନ ଅଞ୍ଚଳରୁ ସୂଚିତ କରି ଦେଉଥିଲା । ଓଡ଼ିଶାର ଉପକୂଳ ଅଞ୍ଚଳକୁ ଇଂରେଜ ଅମଳରେ ମଧ୍ୟ ମୋଗଲବନ୍ଦି ବୋଲି କୁହାଯାଉଥିଲା । ୧୯୩୬ ମସିହାରେ ଓଡ଼ିଆ ଭାଷାଭାଷୀ ଛବିଶି ଗଡ଼ଜାତ ଏହି ଉପକୂଳ ଅଞ୍ଚଳ ସହିତ ଆସି ମିଶିଲେ ଏବଂ ଏହି ନୂତନ ଏକକଟିକୁ ଆମେ ଓଡ଼ିଶା ବୋଲି କହିଲୁ । ପ୍ରାଚୀନ ଓ ମଧ୍ୟଯୁଗ ଓଡ଼ିଶାରେ ରାଜାମାନଙ୍କ ଅନୁସାରେହିଁ ପ୍ରଜାମାନେ ଗଣା ହେଉଥିଲେ । ପ୍ରଜାମାନଙ୍କର ଏକ ଜୀବନ ଅବଶ୍ୟ ଥିଲା, ଏକ ସମାଜ ମଧ୍ୟ ରହିଥିଲା । ମାତ୍ର ସେମାନେ ଅଜ୍ଞାତ ହୋଇ ରହିଥିଲେ । ଇନ୍ଦ୍ରର ନ୍ୟାୟରେ ଇନ୍ଦ୍ରର ରାଜ୍ୟ ଚାଲୁଥିଲା । ଠାକୁରମାନେ ଇନ୍ଦ୍ରଙ୍କପାଇଁ ରହିଥିଲେ । କବିମାନେ ରାଜାମାନଙ୍କ ପାଇଁ ଗୀତ ଲେଖୁଥିଲେ, ଗାୟକ ରାଜାର ପ୍ରୀତ୍ୟର୍ଥେ ଗୀତ ଗାଉଥିଲେ, ବିଦୂଷକମାନେ ସତେଅବା ବାଧ୍ୟହୋଇ ରାଜାମାନଙ୍କୁ ହସାଇବା ନିମନ୍ତେ ରାଜସଭାରେ ଭଳିଭଳି ବ୍ୟଙ୍ଗ ଓ ଆମୋଦର ସୃଷ୍ଟି କରୁଥିଲେ । ମଣିଷ ହିସାବରେ ପ୍ରତ୍ୟେକ ମନୁଷ୍ୟକୁ ସ୍ଵୀକାର କରିବା, ସେତେବେଳେ ତାହାର ସ୍ଵପ୍ନ ହୋଇ ରହିଥିଲା ।

 

ଓଡ଼ିଶାର ରାଜାମାନଙ୍କଦ୍ଵାରା ପ୍ରଦତ୍ତ ତାମ୍ରଶାସନଗୁଡ଼ିକରୁ ଜଣାପଡ଼େ ଯେ, ସେତେବେଳେ ଶୂଦ୍ରମାନଙ୍କୁ ଆଟବିକ ବୋଲି କୁହାଯାଉଥିଲା । ସେମାନେ ପଶୁମାଂଶ ବିକ୍ରି କରୁଥିଲେ, ପକ୍ଷୀ ଶିକାର କରୁଥିଲେ ଓ ଧୀବର-ବୃତ୍ତି କରୁଥିଲେ । ବଡ଼ ଜାତିମାନେ ସେମାନଙ୍କଠାରୁ ମାଂସ କ୍ରୟ କରୁଥିଲେ ଓ ତାହାକୁ ଭକ୍ଷଣ କରୁଥିଲେ; ମାତ୍ର ଜୀବହତ୍ୟାଜନିତ ଦୋଷ ବା ପାପ କେବଳ ଶୂଦ୍ରମାନଙ୍କୁ ଲାଗୁଥିଲା । ଚଣ୍ଡାଳ ବା ଅସ୍ପୃଶ୍ୟମାନେ ଗ୍ରାମ ଓ ସହର ବାହାରେ ସେମାନଙ୍କ ପାଇଁ ନିରୂପିତ କରିଦିଆଯାଇଥିବା ବସତିମାନଙ୍କରେ ବାସ କରୁଥିଲେ । ଗ୍ରାମ ଓ ନଗରରେ ବାସ କରୁଥିବା ସ୍ପୃଶ୍ୟମାନେ ଚଣ୍ଡାଳମାନଙ୍କ ସେବା ଉପରେ ହୁଏତ ଏକାନ୍ତ ନିର୍ଭରଶୀଳ ହୋଇ ରହିଥିଲେ, ମାତ୍ର ସେମାନଙ୍କୁ ଆପଣା ସଙ୍ଗରେ ଆଦୌ ଗଣନା କରୁ ନଥିଲେ । କେତେକ ତାମ୍ରଶାସନରୁ ଜାଣିବାକୁ ମିଳେ ଯେ, ନଗରମାନଙ୍କରେ ଧନୀମାନେ ବାସ କରୁଥିଲେ ଏବଂ ସେମାନଙ୍କ ଧବଳବର୍ଣ୍ଣ ଅଟ୍ଟାଳିକାଗୁଡ଼ିକଦ୍ଵାରା ନଗର ଶୋଭା ବୃଦ୍ଧି ପାଉଥିଲା । ଗଙ୍ଗମାନଙ୍କର ରାଜଧାନୀ କଳିଙ୍ଗନଗର ଏହି କାରଣରୁ ସତେଅବା ଏକ ସ୍ଵର୍ଗପୁର (ଅମରପୁର) ପରି ମନେ ହେଉଥିଲା ଏବଂ ବର୍ଷଯାକର ସବୁଯାକ ଋତୁରେ ଅତ୍ୟନ୍ତ ସୁଖପ୍ରଦ ଓ ରମଣୀୟ ଥିଲା-। ଦରିଦ୍ର ଶ୍ରେଣୀର ଲୋକେ ସାଧାରଣତଃ ଗ୍ରାମାଞ୍ଚଳରେ ବାସ କରୁଥିଲେ । ସେହି ଯୁଗରେ ରାଜାମାନେ ଓଡ଼ିଶାରେ ପ୍ରଜାମାନଙ୍କ ଉପରେ ମାଲିକ ହୋଇ ରହିଥିଲେ । ପ୍ରଜା ଉପରେ ପଚିଶି ପ୍ରକାରର କର ବସାଇ ନିଜ ରାଜପଣକୁ ସାର୍ଥକ କରୁଥିଲେ; ତେଣେ ବଦାନ୍ୟ ଭାବରେ ଦାନ କରୁଥିଲେ, ଉଦାର ହୋଇ ଅନୁଗ୍ରହ ପ୍ରଦର୍ଶନ କରୁଥିଲେ । ଯୁଦ୍ଧ କରି ବାହାରୁଥିଲେ ଏବଂ ଯୁଦ୍ଧରେ ଜିତି ଲୁଟି ଆଣୁଥିବା ଧନରେ ପ୍ରଜାମାନଙ୍କର ପ୍ରୀତ୍ୟର୍ଥେ ମନ୍ଦିରମାନ ନିର୍ମାଣ କରୁଥିଲେ । ଓଡ଼ିଶାର ରାଜାମାନେ କର ବସାଇବାରେ ବିଶେଷ ଭାବରେ ପ୍ରବୀଣ ଥିଲେ । ସେତେବେଳେ ଜମିମାଲିକଙ୍କ ଉପରେ ଭୋଗଭାଗ କର ବସୁଥିଲା ଏବଂ ଅନ୍ୟର ଜମିରେ ଚାଷ କରି ଜୀବିକା ନିର୍ବାହ କରୁଥିବା ଭୂମିହୀନଙ୍କ ଉପରେ ଉପରି କର ମଧ୍ୟ ବସୁଥିଲା । ଲୁଣ ଉପରେ କର ବସିଥିଲା । ଏତଦ୍‍ବ୍ୟତୀତ ଅନ୍ଧାରୁଆ କର, ପ୍ରତ୍ୟନ୍ଧାରୁଆ କର ଓ ହଳଦଣ୍ଡ କର ମଧ୍ୟ ରହିଥିଲା । ଗାଁମାନଙ୍କରେ ଥିବା ଆମ୍ବ ଓ ମହୁଲଗଛ ଉପରେ ରାଜାର ଅଧିକାର ରହିଥିଲା । ପାଟ, ଯୋର ଜଳଭଣ୍ଡାର, କୂପ, ତଡ଼ାଗ ବାମ୍ଫୀ ଉପରେ ରାଜାହିଁ ଅଧିକାରୀ ହୋଇ ରହିଥିଲେ । ମାଛ ଧରିବା ଏବଂ ଶିକାର କରିବା କେବଳ ରାଜାର ଏକାଧିକାର ହୋଇ ରହିଥିଲା । ଅନ୍ୟମାନେ ସେଗୁଡ଼ିକୁ ମନ କଲେ ସେମାନଙ୍କୁ ସେଥିଲାଗି କର ଦେବାକୁ ପଡ଼ୁଥିଲା । ଓଡ଼ିଶା ଏକ ଦରିଦ୍ର ପ୍ରାନ୍ତ ହୋଇ ରହିଥିଲା ।

 

ବୌଦ୍ଧ ଜାତକମାନଙ୍କରେ ସେତେବେଳେ ଯେତେଗୁଡ଼ିଏ ରାଜ୍ୟ ଓ ଜନପଦର ଉଲ୍ଲେଖ ରହିଛି, ସେଗୁଡ଼ିକ ମଧ୍ୟରୁ କଳିଙ୍ଗହିଁ ଏପରି ଏକମାତ୍ର ଅଞ୍ଚଳ ଥିଲା, ଯେଉଁଠାରେ ବୃଷ୍ଟିପାତ ଅତ୍ୟନ୍ତ ଅନିଶ୍ଚିତ ଥିଲା । ତେଣୁ ଦୁର୍ଭିକ୍ଷହିଁ ପ୍ରଜାମାନଙ୍କ ନିତ୍ୟସାଥୀ ହୋଇ ରହିଥିଲା । ବର୍ଣ୍ଣନାଗୁଡ଼ିକରୁ ଜାଣିବାକୁ ମିଳୁଛି ଯେ ଅନାଟନ ସମୟରେ କ୍ଷୁଧାର୍ତ୍ତ ପ୍ରଜାଗଣ ରାଜା ଓ ମନ୍ତ୍ରୀମାନଙ୍କର ପ୍ରାସାଦତୋରଣ ସମ୍ମୁଖରେ ରୁଣ୍ଡ ହୋଇ ଅନ୍ନଲାଗି ବ୍ୟାକୁଳ ଚିତ୍କାର କରୁଥିଲେ ଏବଂ ବୃଷ୍ଟି କରାଇବା ଲାଗି କୌଣସି ଦୈବୀକୃପାକୁ ଅପେକ୍ଷା କରି ରହୁଥିଲେ । କେତେକ ବ୍ୟକ୍ତି ଅବଶ୍ୟ ଧନୀ ଥିଲେ, ସାଧବ ଥିଲେ ଓ ବୋଇତ ନେଇ ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜଗୁଡ଼ିକୁ ଯାଉଥିଲେ । ସେହି କାହାଣୀଟିର ସପକ୍ଷରେ ଓଡ଼ିଶାରେ ତଥା ଜାଭା, ବାଲି ସୁମାତ୍ରାରେ ମଧ୍ୟ ଅନେକ ତଥ୍ୟ ଏବଂ କିମ୍ବଦନ୍ତୀ ରହିଛି । ତା’ ବୋଲି ସମଗ୍ର ରାଜ୍ୟଟି ଯେ ଧନଶାଳୀ ଥିଲା, ସେ କଥା ଆଦୌ ନୁହେଁ ।

 

ସେକାଳରେ ଧର୍ମ ସମ୍ପୂର୍ଣ୍ଣ ଭାବରେ ରାଜାନୁଗତ ହୋଇ ରହିଥିଲା । କୌଣସି କାରଣରୁ ଯଦି ରାଜା ନିଜକୁ ଗୋଟିଏ ଧର୍ମରୁ ଆଉ ଗୋଟିଏ ଧର୍ମକୁ ଦୀକ୍ଷିତ କରୁଥିଲେ, ତେବେ ସେହି ଘଟଣାଟିଦ୍ଵାରା ସେହି ରାଜ୍ୟର ପ୍ରଜାମାନେ ମଧ୍ୟ ନୂତନ ଧର୍ମଟିରେ ଦୀକ୍ଷିତ ହୋଇଗଲେ ବୋଲି ଘୋଷଣା କରାଯାଉଥିଲା । ଓଡ଼ିଶାର ତତ୍କାଳୀନ ରାଜାମାନେ ମଧ୍ୟ ସେହି ନିୟମଟିର କୌଣସି ବ୍ୟତିକ୍ରମ କରି ନଥିଲେ । କଳିଙ୍ଗ ବିଜୟ ପରେ ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କଲେ । ତେଣୁ ତାଙ୍କର ସମଗ୍ର ସାମ୍ରାଜ୍ୟର ପ୍ରଜାମାନେ ମଧ୍ୟ ବୌଦ୍ଧ ବୋଲି ଘୋଷିତ ହୋଇଥିଲେ । ମଗଧ ସହିତ କଳିଙ୍ଗ ମଧ୍ୟ ବୌଦ୍ଧ ହେଲା । ପରବର୍ତ୍ତୀ ପ୍ରତାପଶାଳୀ ରାଜା ଖାରବେଳ ମେଘବାହନ ଜୈନ ଥିଲେ, ଅର୍ଥାତ୍‍ ଜୈନମାନଙ୍କର ପୃଷ୍ଠପୋଷକତା କରୁଥିଲେ । ତେଣୁ ଉତ୍କଳରେ ଜୈନଧର୍ମର ଉଦୟ ହେଲା । ଖାରବେଳଙ୍କ ପରେ ଜୈନଧର୍ମ ମାନ୍ଦା ପଡ଼ିଗଲା ଏବଂ ପରବର୍ତ୍ତୀ ଶାସକମାନଙ୍କର ଅନୁଗମନ କରି ପୁନର୍ବାର ବୌଦ୍ଧ ଧର୍ମର ପାଳି ପଡ଼ିଲା । ସ୍ଵୟଂ ରାଜାହିଁ ଆପଣାକୁ ନିଜେ ଗ୍ରହଣ କରିଥିବା ଧର୍ମର ସର୍ବଶ୍ରେଷ୍ଠ ଅନୁଗାମୀ ବୋଲି ଦାବି କରୁଥିଲେ ଏବଂ ପ୍ରଜାମାନେ ତାହାକୁ ମାନି ନେଉଥିଲେ । ସେମାନେ ଦେଇଥିବା ସନନ୍ଦଗୁଡ଼ିକରୁ ତାହାର ଭୂରି ଭୂରି ପ୍ରମାଣ ମିଳିଯିବ । ଉତ୍ତର କଳିଙ୍ଗର ମାଠର ରାଜାମାନେ ଆପଣାକୁ ପରମ ଭାଗବତ ଏବଂ ପରମ-ଦୈବ ବୋଲି କହିଛନ୍ତି; ସେମାନେ ବିଷ୍ଣୁପୂଜକ ଥିଲେ । ଶୈଳୋଦ୍ଭାବମାନେ ଶିବପୂଜକ ଥିଲେ, ସେମାନେ ଆପଣାକୁ ପରମ-ମାହେଶ୍ଵର ବୋଲି ଘୋଷଣା କରିଛନ୍ତି । ଭୌମକର ବଂଶର ରାଜତ୍ଵ ସମୟରେ ବୌଦ୍ଧ ଧର୍ମ ରାଜଧର୍ମ ଥିଲା, ତେଣୁ ତାହାର ରାଜାମାନେ ପରମ-ସୌଗତ, ପରମ-ତଥାଗତ ଓ ପରମୋପାସକ ବୋଲି ନିଜର ପରିଚୟ ଦେଇଛନ୍ତି । ଖ୍ରୀଷ୍ଟ ପଞ୍ଚମ ଶତାବ୍ଦୀରେ କୋଶଳର ନନ୍ଦବଂଶୀ ରାଜାମାନେ ଶିବଉପାସକ ଥିଲେ । ସେମାନଙ୍କର ସନନ୍ଦରେ ଲିଖିତ ହୋଇଛି ଯେ, ସ୍ଵୟଂ ମହେଶ୍ଵରଙ୍କଠାରୁହିଁ ସେମାନେ ଆପଣାର ରାଜ୍ୟଟିକୁ ଲାଭ କରିଥିଲେ ।

 

ଆପଣାକୁ ପରମ-ଉପାସକ ବୋଲି ଘୋଷଣା କରିଥିବା ରାଜାମାନେ ଦେବତାମାନଙ୍କ ଲାଗି ମନ୍ଦିର ନିର୍ମାଣ କରି ଦେଉଥିଲେ । ଦେବତାମାନଙ୍କର ମହିମାକୁ ପ୍ରତିଷ୍ଠିତ କରାଇବା ନୁହେଁ, ସମ୍ଭବତଃ ନିଜ ନିଜ ଗୌରବକୁ ପ୍ରତିଷ୍ଠିତ କରିବା ନିମନ୍ତେ ସେହି ମନ୍ଦିରଗୁଡ଼ିକରେ ନିର୍ମାଣ କରାଯାଉଥିଲା । ସପ୍ତମ ଶତାବ୍ଦୀର ଦ୍ଵିତୀୟ ଦଶକରେ ଉତ୍କଳ ରାଜ୍ୟକୁ ଅଧିକାର କରିଥିବା ରାଜା ଶଶାଙ୍କଙ୍କର କଥାରୁ ଏଠାରେ ଉଦାହରଣରୂପେ ଗ୍ରହଣ କରାଯାଇପାରେ । ସିଏ ଶୈବ ଥିଲେ, ଶୈବ ଧର୍ମର ପୃଷ୍ଠପୋଷକତା କରୁଥିଲେ । ଖୁବ୍ ସମ୍ଭବ ତାଙ୍କର ବରାଦ ଅନୁସାରେ ସଂସ୍କୃତ ଭାଷାରେ ଲିଖିତ ହୋଇଥିବା ‘ଏକାମ୍ର ପୁରାଣ’ରେ ଉଲ୍ଲେଖ ରହିଛି ଯେ ସେ ଏକାମ୍ର କ୍ଷେତ୍ରରେ ତ୍ରିଭୁବନେଶ୍ୱରଙ୍କ ଲିଙ୍ଗର ସ୍ଥାପନା କରିଥିଲେ । ଏହି ଗ୍ରନ୍ଥର ତ୍ରୟୋଦଶ ଅଧ୍ୟାୟରେ ବ୍ରହ୍ମା ଏବଂ ଶିବଙ୍କ ମଧ୍ୟରେ ହୋଇଥିବା ଯେଉଁ କଥୋପକଥନର ବର୍ଣ୍ଣନା ଦିଆଯାଇଛି, ସେଥିରେ ବ୍ରହ୍ମା ଶିବଙ୍କ ସକାଶେ ଗୋଟିଏ ସୁନ୍ଦର ମନ୍ଦିର ନିର୍ମାଣ କରିଦେବ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ମାତ୍ର ଭଗବାନ ଶିବ କଳିଯୁଗ ଆରମ୍ଭ ହେବା ପର୍ଯ୍ୟନ୍ତ ସେହିପରି ପଦାରେ କୈଳାସ ପର୍ବତରେ ରହିବେ ବୋଲି ଅଭିଳାଷ ରଖିଛନ୍ତି ବୋଲି ଉତ୍ତରରେ କହିଛନ୍ତି । ସେ ବ୍ୟାଖ୍ୟା କରିଦେଇ କହିଛନ୍ତି ଯେ କଳିଯୁଗରେ ତାଙ୍କର ପରମଭକ୍ତ ଚକ୍ରବର୍ତ୍ତୀ ରାଜା ଚନ୍ଦ୍ରମା (ଶାଶାଙ୍କ) ତାଙ୍କପାଇଁ ଗୋଟିଏ ସୁନ୍ଦର, ଶୁଭ୍ର ଏବଂ ପବିତ୍ର ମନ୍ଦିର ନିର୍ମାଣ କରିଦେବାର କଥା ରହିଛି । ଏହିପରି ଆଉ ଗୋଟିଏ ଦୃଷ୍ଟାନ୍ତ ଆମକୁ ଓଡ଼ିଶାରେ ଗଙ୍ଗ ବଂଶର ରାଜତ୍ଵ ସମୟରୁ ମଧ୍ୟ ମିଳିବ । ପୁରୀ ଶ୍ରୀମନ୍ଦିରର ଉତ୍ତର ଦ୍ଵାରରେ ଅବସ୍ଥିତ ତିରୁମଲ ମନ୍ଦିରରେ ନରସିଂହ ଦେବ ଚତୁର୍ଥଙ୍କର ଯେଉଁ ତାମ୍ରଲେଖ ମିଳିଛି, ସେଥିରେ ଲିଖିତ ଶ୍ଳୋକଟିର ଅର୍ଥ ହେଉଛି ଯେ, ନିର୍ବେଦଯୁକ୍ତ ଦେବ ଶ୍ରୀ ପୁରୁଷୋତ୍ତମ ଏହି ନୂତନ ଗୃହଟିକୁ ଲାଭ କରି ଅତୀବ ଆନନ୍ଦିତ ହୋଇଥିଲେ ଏବଂ ଅତି ଆନନ୍ଦିତା ଲକ୍ଷ୍ମୀଦେବୀ ମଧ୍ୟ ନିଜ ପିତୃଗୃହଠାରୁ ଅଧିକ ଶ୍ରେଷ୍ଠ ସ୍ୱାମୀଙ୍କର ଏହି ଗୃହଟି ପ୍ରତି ଅତ୍ୟନ୍ତ ଅନୁରାଗିଣୀ ହୋଇ ଏଠାରେ ରହିଥିଲେ । ମଣିଷର କବଳରେ ପଡ଼ିଲେ ଦେବତାମାନେ ଏହିପରି ଅବମାନନା ପାଇଥାନ୍ତି ।

 

ଉତ୍କଳ ଦେଶକୁ ଜୟ କରିବା ପୂର୍ବରୁ ଗଙ୍ଗବଂଶର ପ୍ରଥମ ରାଜା ଚୋଳଗଙ୍ଗ ଦେବ ଶିବ ଉପାସକ ଥିଲେ । ଉତ୍କଳକୁ ଜୟ କରିବା ପରେ ସେ ବିଷ୍ଣୁପୂଜନ ହେଲେ । ଏପରି ଶୁଣାଯାଏ ଯେ ସେ ତାଙ୍କର ସମସାମୟିକ ଧର୍ମପ୍ରଚାରକ ରାମାନୁଜଙ୍କର ପ୍ରଭାବକୁ ଆସି ବୈଷ୍ଣବ ହୋଇଥିଲେ । ବିଷ୍ଣୁଭକ୍ତ ହୋଇ ମୁଖଲିଙ୍ଗମ୍, ଶ୍ରୀକୁର୍ମ ଏବଂ ସିଂହାଚଳମ୍ ଠାରେ ବିଷ୍ଣୁମନ୍ଦିରମାନ ନିର୍ମାଣ କରାଇଥିଲେ । ଓଡ଼ିଶାରେ ଶ୍ରୀମନ୍ଦିରର ନିର୍ମାଣ ସହିତ ମଧ୍ୟ ତାଙ୍କର ନାମ ଜଡ଼ିତ ହୋଇ ରହିଛି । ଆଦ୍ୟରେ ଶିବ-ଉପାସକ ଥିବାବେଳେ ୧୦୮୪ ମସିହାରେ ପ୍ରଦତ୍ତ ଏକ ଦାନପତ୍ରରେ ସେ ନିଜକୁ ‘ପରମ-ମାହେଶ୍ଵର’ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ବିଷ୍ଣୁମାର୍ଗକୁ ଆସିବା ପରେ ୧୧୨୨ରେ ପ୍ରଦତ୍ତ ଆଉ ଗୋଟିଏ ଦାନପତ୍ରରେ ସେ ଆପଣାକୁ ଏକାବେଳକେ ‘ପରମ-ମାହେଶ୍ଵର’ ଏବଂ ‘ପରମ-ବୈଷ୍ଣବ’ ବୋଲି କହିଛନ୍ତି । ଏବଂ ଆହୁରି ଛଅବର୍ଷ ପରେ ୧୧୧୮ ମସିହାରେ ନିଜକୁ କେବଳ ‘ପରମ-ବୈଷ୍ଣବ’ ବୋଲି ପରିଚୟ ଦେଇଛନ୍ତି । ‘ପରମ-ମାହେଶ୍ଵର’ ପଦବୀଟିକୁ କାଟି ଦେଇଛନ୍ତି ।

 

ଓଡ଼ିଶାର ଉପକୂଳ-ଭୂଖଣ୍ଡରେ ସେହି ପୁରାତନ ସମୟରୁ ଭୁବନେଶ୍ୱରରେ ମହାଦେବ ଅଛନ୍ତି, ପୁରୀ ଶ୍ରୀକ୍ଷେତ୍ରରେ ବିଷ୍ଣୁ-ଜଗନ୍ନାଥ ରହି ଆସିଛନ୍ତି ଏବଂ ଯାଜପୁର ଠାରେ ଦେବୀ ବିରଜା ବିଜେ କରିଛନ୍ତି । ଗଙ୍ଗମାନେ ସକଳ ଉତ୍କଳର ଅଧିକାରୀ ହେବାପରେ ଯେତେବେଳେ ଏହି ତିନୋଟିଯାକ ଉପାସନା ପୀଠ ଗୋଟିଏ ରାଜତ୍ୱର ଅଧୀନକୁ ଆସିଲା, ସେତେବେଳେ ଓଡ଼ିଶାର ରାଜାମାନେ ପୁରୁଷୋତ୍ତମ-ପୁତ୍ର, ଦୁର୍ଗା-ପୁତ୍ର ଏବଂ ରୁଦ୍ର-ପୁତ୍ର, ଏହିପରି ତିନୋଟିଯାକ ପଦବୀର ବ୍ୟବହାର କରିପାରିଲେ । ଗଙ୍ଗବଂଶର ରାଜା ଅନଙ୍ଗଭୀମ ପୁରୁଷୋତ୍ତମ ଜଗନ୍ନାଥଙ୍କୁହିଁ ଉତ୍କଳର ସମ୍ରାଟ ଓ ଆପଣାରୁ ତାଙ୍କର ପୁତ୍ରତୁଲ୍ୟ କେବଳ ଜଣେ ପ୍ରତିନିଧି ବୋଲି ଘୋଷଣା କରିଥିଲେ । ରାଜା ପୁରୁଷୋତ୍ତମ ଦେବ ବ୍ରାହ୍ମଣମାନଙ୍କଦ୍ଵାରା ଆପଣାରୁ ‘ନାରାୟଣ-ଅବତାର’ ବୋଲି ଘୋଷିତ କରାଇଥିଲେ । ତାଙ୍କର ପିତା ଓ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ରାଜା କପିଳେନ୍ଦ୍ର ଦେବ ମଧ୍ୟ ନିଜକୁ ଜଗନ୍ନାଥଙ୍କର ସେବକ ବୋଲି କହିଥିଲେ । ଗଜପତି ରାଜାମାନେ ପ୍ରାୟ ପରମ୍ପରା କ୍ରମେ ପ୍ରଭୁ ଜଗନ୍ନାଥଙ୍କର ଅଦ୍ୟସେବକ ହୋଇ ରହିଥିଲେ, ଅନେକ ସମୟରେ ପୁରୁଷୋତ୍ତମ ବରପୁତ୍ର ପଦବୀଟିକୁ ବ୍ୟବହାର କରୁଥିଲେ ।

 

ଏହିପରି ଭାବରେ ତତ୍‍କାଳୀନ ଓଡ଼ିଶାରେ ଧର୍ମ ପ୍ରାୟ ଏକ ଉପନ୍ୟାସ ହୋଇ ରହିଥିଲା । ଠାକୁରମାନେ ସମ୍ପତ୍ତି ପ୍ରାୟ ହୋଇ ରହିଥିଲେ । ସବୁଠାରୁ ଅଧିକ ପାର୍ଥିବ ସମ୍ପତ୍ତିର ଅଧିକାରୀ ସ୍ଵୟଂ ରାଜା ସତେଅବା ସେହି ଅଧିକାରଟି ବଳରେହିଁ ଠାକୁରମାନଙ୍କ ଉପରେ ମଧ୍ୟ ମାଲିକ ହୋଇ ରହିଥିଲେ । ଧର୍ମକୁ ଏକ ଯଥାର୍ଥ ଜୀବନର ଅନୁଶୀଳନରୁ ଉପନ୍ୟାସ ସ୍ତରକୁ ଖସାଇ ଆଣିବାରେ ଓଡ଼ିଶାରେ ରାଜାମାନେହିଁ ହୁଏତ ସର୍ବମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏବଂ ସେତେବେଳେ ବିଭିନ୍ନ ସମୟରେ ପୁରୀରେ ଆପଣାର ଧର୍ମପ୍ରଚାର କରିବାପାଇଁ ଆସିଥିବା ପରିବ୍ରାଜକ ଧର୍ମଗୁରୁମାନଙ୍କର ମଧ୍ୟ ସେଥିରେ ପୂର୍ଣ୍ଣ ସହଯୋଗ ରହିଥିଲା । ଏକ ବୃହତ୍ ଉପନ୍ୟାସର ଅନେକ ପୃଷ୍ଠାପରି ଓଡ଼ିଶାରେ ବହୁସଂଖ୍ୟକ ମନ୍ଦିର ନିର୍ମିତ ହୋଇଥିଲା । ପ୍ରାୟ ଶହେବର୍ଷତଳେ ଇଂଲଣ୍ଡର ଜଣେ ଗବେଷକ ବିସ୍ମିତ ହୋଇ ଏକଦା କହିଥିଲେ ଯେ, ଓଡ଼ିଶାକୁ ଛାଡ଼ି ଅବଶିଷ୍ଟ ସମଗ୍ର ଭାରତବର୍ଷରେ ସର୍ବମୋଟ ଯେତିକିଟି ମନ୍ଦିର ରହିଛି, ଏକୁଟିଆ ଓଡ଼ିଶାରେ ତା’ଠାରୁ ଅଧିକସଂଖ୍ୟକ ମନ୍ଦିର ରହିଛି । ମନ୍ଦିରଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଲେ ଯେ ପୃଥିବୀରେ କିମ୍ବା କୌଣସି ରାଜ୍ୟରେ ଯଥାର୍ଥ ଧର୍ମଭାବ ଏବଂ ଧର୍ମଚେତନା ମଧ୍ୟ ଅନୁରୂପ ଭାବରେ ବୃଦ୍ଧି ପାଏ, ଯଦି ଏହି କଥାଟି ସତ୍ୟ ହୋଇଥାନ୍ତା, ତେବେ ଓଡ଼ିଶାବାସୀ ପ୍ରକୃତରେ ଖୁସି ହେବାଲାଗି ଅବଶ୍ୟ ଏକ କାରଣ ରହିଥାନ୍ତା । ଓଡ଼ିଶାର ମନ୍ଦିରମାନଙ୍କରେ ଯେଉଁ କାରୁକାର୍ଯ୍ୟମାନ ଖଚିତ ହୋଇରହିଛି, ତାହା ଆଜି ମଧ୍ୟ ପୃଥିବୀର କାରୁପ୍ରେମୀମାନଙ୍କୁ ମୁଗ୍ଧ କରୁଛି । ଓଡ଼ିଶାର କାରିଗରମାନେ ଯେ ସେକାଳରେ ପଥର ଉପରେ ସୌନ୍ଦର୍ଯ୍ୟ ଫୁଟାଇବାରେ କେଡ଼େ ସିଦ୍ଧହସ୍ତ ଥିଲେ, ଓଡ଼ିଶାର ମନ୍ଦିର ମୂର୍ତ୍ତିମାନେ ତାହାର ପ୍ରମାଣ ହୋଇ ରହିଛନ୍ତି । ମାତ୍ର ଓଡ଼ିଶାର ଧର୍ମଚେତନା ବିଷୟରେ ତାହା ଆମକୁ ଆଦୌ ଅସନ୍ତୁଷ୍ଟ କରି ରଖିବା ଉଚିତ ନୁହେଁ ।

 

ଓଡ଼ିଶାରେ ପ୍ରଥମେ ଅଷ୍ଟ୍ରିକ୍‍ମାନେ ଥିଲେ, ଶବରମାନେ ବାସ କରୁଥିଲେ । ଓଡ଼ିଶାର ଆଦି ଧର୍ମ ହେଉଛି ସେହି ଶବରମାନଙ୍କର ଧର୍ମ । ଚତୁର୍ଦ୍ଦଶ ଶତାବ୍ଦୀରେ ଲିଖିତ ଏକାମ୍ର ପୁରାଣରୁ ସୂଚିତ ହୁଏ ଯେ, ଏକାମ୍ର ପୀଠରେ ମୂଳ ଦେବତାଗ୍ରହଟି ଗୋଟିଏ ଆମ୍ବ ଗଛ ମୂଳରେ ଶବରମାନଙ୍କଦ୍ଵାରା ପୂଜା ପାଉଥିଲେ । ରଣପୁରର ମଣିନାଗ ପର୍ବତ ଉପରେ ମଣିନାଗେଶ୍ଵରୀ ନାମରେ ବର୍ତ୍ତମାନ ଯେଉଁ କୌଣସି ମୂର୍ତ୍ତି ଗଢ଼ାହୋଇ ନଥିବା ପ୍ରସ୍ତରଖଣ୍ଡଟିର ପୂଜା ହେଉଛି, ତାହାର ପୂଜକମାନେ ହେଉଛନ୍ତି ଦାନି, କନ୍ଧ ବଂଶର ଲୋକ । ପଶ୍ଚିମ ଓଡ଼ିଶାର ରାଣୀପୁର ଝରିଆଲ୍‍ଠାରେ ପ୍ରସ୍ତର ଚଟାଣଟିର ଦାଢ଼ରେ ଯେଉଁସବୁ ଭଙ୍ଗା ଦେଉଳରେ ଶିବଙ୍କର ପୂଜା କରାଯାଉଛି, ଦାନିମାନେହିଁ ବଂଶାନୁକ୍ରମିକ ଭାବରେ ପୂଜକ ହୋଇ ରହିଆସିଛନ୍ତି । ବ୍ରିଟିଶ ଭାରତରେ ଓଡ଼ିଶାରେ ଯେଉଁସବୁ ରାଜ୍ୟକୁ ଗଡ଼ଜାତ ବୋଲି କୁହାଯାଉଥିଲା, ସେହିସବୁ ଅଟବୀ-ରାଜ୍ୟରେ ସର୍ବପ୍ରଥମେ ଆଦିବାସୀ ପ୍ରମୁଖମାନେହିଁ ଶାସନ କରୁଥିଲେ । ପ୍ରାୟ ସବୁଠାରେ ସେମାନଙ୍କୁ ହତ୍ୟା କରାଯାଇଛି ଏବଂ ବାହାରୁ ଆସିଥିବା ହତ୍ୟାକାରୀମାନେ ଆପଣାର ତଥାକଥିତ ରାଜବଂଶଗୁଡ଼ିକୁ ସ୍ଥାପନ କରିଛନ୍ତି । ଆଦିବାସୀମାନଙ୍କର ଦେବତାମାନଙ୍କୁ ନୂଆ ନାମ ଓ କାହାଣୀ ଦେଇ ଅଭିଷେକ କରାଇ ଦିଆଯାଇଛି । ସ୍ଵୟଂ ଜଗନ୍ନାଥ ଯେ ସର୍ବପ୍ରଥମେ ଆଦିବାସୀମାନଙ୍କର ଦେବତା ଥିଲେ, ପ୍ରାୟ ସବୁ ଗବେଷକ ସେକଥା ସ୍ଵୀକାର କରିଛନ୍ତି । ଜଗନ୍ନାଥ ଜଗନାଲ୍ଲୋ ଥିଲେ ଶୁଭଦ୍ରାଦେବୀ ଖମ୍ବେଶ୍ଵରୀ ଥିଲେ, ବଳଭଦ୍ର ସଂକର୍ଷଣ ଶିବ ଥିଲେ ଏବଂ ସେହି ଅଷ୍ଟ୍ରିକ୍ ଉପାସନା ଭିତରୁ ଉଦ୍‍ଭୁତ ହୋଇ ଆସିଥିଲେ । ମାତ୍ର ଏବେ ଜଗନ୍ନାଥ ତୀର୍ଥର ଆଚାର ଅନୁସାରେ ଆଦିବାସୀମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବାର ଅଧିକାରରୁ ମଧ୍ୟ ବଞ୍ଚିତ ହୋଇରହିଛନ୍ତି ।

 

ଏକଦା ଭାରତବର୍ଷରେ ଶୈବସାଧନା ଥିଲା, ଶାକ୍ତସାଧନା ଥିଲା, ବୈଷ୍ଣବସାଧନା ମଧ୍ୟ ରହିଥିଲା । ଏହି ସାଧନାଗୁଡ଼ିକର ସ୍ଖଳନ ଘଟି କ୍ରମେ ସେହିସବୁ ନାମରେ ଗୋଟିଏ ଗୋଟିଏ ସମ୍ପ୍ରଦାୟ ଜନ୍ମଲାଭ କଲେ । ସେହି ପ୍ରକ୍ରିୟାରେ ସମ୍ପ୍ରଦାୟ ବାହାରିଥିଲା । ତଦନୁରୂପ ଗୁରୁମାନେ ମଧ୍ୟ ବାହାରିଥିଲେ, ଯେଉଁମାନେ କି ସାଧନାର ଉପଲବ୍ଧି ଅପେକ୍ଷା ଗୋଟାଏ ଗୋଟାଏ ଶାକ୍ତ ଶୈବ ଅଥବା ବୈଷ୍ଣବ ସମ୍ପ୍ରଦାୟ ଗଢ଼ି ଛିଡ଼ା କରାଇବାରେ ଅଧିକ ଉତ୍ସାହ ଏବଂ ପରାକ୍ରମ ଦେଖାଇଥିଲେ । ଏହି ଅକାର୍ଯ୍ୟରେ ସଚରାଚର ରାଜାମାନେହିଁ ସେମାନଙ୍କୁ ସବୁଠାରୁ ଅଧିକ ପରିମାଣରେ ସାହାଯ୍ୟ କରିଛନ୍ତି । ସମ୍ପ୍ରଦାୟ ଅନୁସାରେ ମନ୍ଦିର ଗଢ଼ା ହୋଇଛି, ମଠମାନଙ୍କର ସ୍ଥାପନା ହୋଇଛି । ରାଜାମାନଙ୍କ ପରି ଏହିସବୁ ସମ୍ପ୍ରଦାୟର ଗୁରୁମାନେ ମଧ୍ୟ ଡିଣ୍ଡିମ ବଜାଇ ଦିଗ୍‍ବିଜୟ କରି ବାହାରିଛନ୍ତି ଓ ଅନ୍ୟ ସମ୍ପ୍ରଦାୟର ପ୍ରତିନିଧିମାନଙ୍କୁ ତର୍କଣାରେ ପରାଚିତ କରି ନିଜ ନିଜ ମାର୍ଗର ବାନା ଉଡ଼ାଇଛନ୍ତି ଓ ପବିତ୍ର ଧାମମାନଙ୍କରେ ପୀଠମାନ ସ୍ଥାପନ କରିଛନ୍ତି । ଭାରତବର୍ଷର ଚାରିଧାମ ମଧ୍ୟରୁ ଓଡ଼ିଶାରେ ମଧ୍ୟ ଗୋଟିଏ ଧାମ ରହିଥିବାରୁ ଏଠାରେ ମଧ୍ୟ ସେହି ଢେଉଗୁଡ଼ିକର ଆଘାତ ଆସି ବାଜିଛି । ଭକ୍ତିର, ଈଶ୍ଵରାର୍ଚ୍ଚନାର ଅସଲ ଆହ୍ଵାନଗୁଡ଼ିକ ନାନା କୋଳାହଳ ମଧ୍ୟରେ ଅତ୍ୟନ୍ତ ଗୌଣ ହୋଇ ଯାଇଛନ୍ତି ଏବଂ ସମ୍ପ୍ରଦାୟଗତ ଦର୍ପଗୁଡ଼ାକ ପ୍ରବଳ ହେବାଲାଗି ଅତ୍ୟନ୍ତ ପ୍ରଶ୍ରୟ ପାଇଛନ୍ତି ।

 

ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ପରୀକ୍ଷା ହୋଇଛି । ରାଜାଙ୍କୁ ମଝିରେ ବସାଇ ପଣ୍ଡିତ ପଣ୍ଡିତ ମଧ୍ୟରେ ତର୍କଯୁଦ୍ଧମାନ ହୋଇଛି । ପ୍ରତ୍ୟେକ ସମ୍ପ୍ରଦାୟ ଆପଣାକୁ ଅନ୍ୟ ସବୁଯାକ ସମ୍ପ୍ରଦାୟର ଉପରେ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛି । ସେଇଥିରୁ ଅସହିଷ୍ଣୁତା ଓ ଘୃଣା ଜନ୍ମଲାଭ କରିଛି । ଯିଏ ଯେତେ ବେଶୀ ଅସହିଷ୍ଣୁତା ପ୍ରଦର୍ଶନ କରିପାରିଲା, ସିଏ ଆପଣାକୁ ସେତେ ଖାଣ୍ଟି ବୋଲି ଅନୁଭବ କରିଛି । ଅସଲ ଧର୍ମ କହିଲେ ଯେ ଆପଣାର ଅନ୍ତର ଭିତରେ ପ୍ରବେଶ କରିବାକୁ ସର୍ବପ୍ରଥମେ ବୁଝାଏ ଏବଂ ସମ୍ବନ୍ଧର କ୍ଷେତ୍ରରେ ଗ୍ରହଣଶୀଳତାର ଓ ସହିଷ୍ଣୁତାର ଏକ ନିରନ୍ତର ମନୋଦୃଷ୍ଟିକୁ ବୁଝାଏ, ନିଜ ନିଜ ସମ୍ପ୍ରଦାୟକୁ ବଡ଼ ଓ ଆହୁରି ବଡ଼ କରି ଦେଖାଇ ପାରିବାର ଉତ୍ସାହରେ ସେହି କଥାଟି ପ୍ରାୟ ପାସୋରି ହୋଇରହିଛି । ତାହା ଫଳରେ ବାହ୍ୟାଚାରଗୁଡ଼ାକ ଅତିରିକ୍ତ ଭାବରେ ବୃଦ୍ଧି ପାଇଛି, ବାହ୍ୟିକତାର ବିବିଧ ବିଳାସ ଉପରେ ଅଧିକ ମହତ୍ତ୍ଵ ଦିଆଯାଇଛି । ସମଗ୍ର ଭାରତବର୍ଷରେ ଏପରି ହୋଇଛି, ତେଣୁ ଓଡ଼ିଶାରେ ମଧ୍ୟ ହୋଇଛି ।

 

ଓଡ଼ିଶାରେ ସବୁ ସମ୍ପ୍ରଦାୟର ଦେବତାଙ୍କୁ ନେଇ ମନ୍ଦିର ତୋଳା ହୋଇଛି । ସବୁ ମତକୁ ନେଇ ସମ୍ପ୍ରଦାୟ ଗଢ଼ାଯାଇଛି । ବିଭିନ୍ନ ସମ୍ପ୍ରଦାୟର ମହାବକ୍ତାମାନେ ବାହାରୁ ଆସି ଓଡ଼ିଶାରେ କେତେ କୋଳାହଳ ରଚନା କରିଛନ୍ତି । ସେମାନେ ରାଜାମାନଙ୍କୁ ନିଜ ପକ୍ଷକୁ ଟାଣି ସାଧାରଣ ଧର୍ମ ଜୀବନରେ କେତେ ଉପଦ୍ରବର କାରଣ ହୋଇଛନ୍ତି । ବିଭିନ୍ନ ଦେବତାଙ୍କୁ ଇଷ୍ଟଦେବତାରୂପେ ଗ୍ରହଣ କରିନେଇ ଅଲଗାଅଲଗା ମନ୍ଦିର ନିର୍ମାଣ କରାହୋଇଛି ଏବଂ ଦେବତା ସହିତ ଦେବତାଙ୍କୁ ମିଶାଇ ସ୍ଥାନେ ସ୍ଥାନେ ସାନେ ଏକ ସମ୍ମିଶ୍ରଣ କରିବାକୁ ମଧ୍ୟ ଚେଷ୍ଟା କରାହୋଇଛି । ତଦ୍ଦ୍ୱାରା ଦୃଷ୍ଟିର କ୍ଷେତ୍ରରେ ଯେକୌଣସି ଆଖିଦୃଶିଆ ସମନ୍ୱୟ ସ୍ଥାପିତ ହୋଇଛି, ସେକଥା ଆଦୌ ନୁହେଁ । ଯଥାର୍ଥ ଆଧ୍ୟାତ୍ମିକତା ଅବକାଶ ପାଇଥିଲେ ହୁଏତ କିଛି ସମନ୍ୱୟ ନିମନ୍ତେ ବାଟ ଫିଟିଥାନ୍ତା । ମାତ୍ର, ଅନେକ ସମୟରେ ସମନ୍ୱୟ ନାମରେ ନୂଆ ପରିଚ୍ଛଦମାନ ପିନ୍ଧି ସେହି ପୁରୁଣା ସଂକୀର୍ଣ୍ଣତାମାନେ ଥାନ ମାଡ଼ି ବସିଛନ୍ତି । ତେଣୁ ଯାହା ହୋଇପାରିଥାନ୍ତା, ତାହା ହୋଇପାରିନାହିଁ । ଦେବତାଭୀରୁ ଏବଂ ଧର୍ମଭୀରୁ ସାଧାରଣ ମନୁଷ୍ୟମାନଙ୍କ ଭିତରେ ଦେବତାମାତ୍ରକେ ସମସ୍ତଙ୍କ ପାଖରେ ପ୍ରଣିପାତ କରି ଆସିବାର ଏକ ଉଦାରତା ସମ୍ଭବ ହୋଇଛି ସତ, ମାତ୍ର ଏକ ସଚେତନ ସମନ୍ୱୟ କହିଲେ ଯାହା ବୁଝାଇବାର କଥା, ତାହା ସମ୍ଭବ ହୋଇ ନାହିଁ । ପଣ୍ଡିତ ଏବଂ ଧର୍ମଗୁରୁମାନଙ୍କର କ୍ଷେତ୍ରରେ ହୁଏତ ଆଦୌ ସମ୍ଭବ ହୋଇନାହିଁ ।

 

ହିନ୍ଦୁ ଧର୍ମର ପଞ୍ଚଦେବତା ଓଡ଼ିଶାରେ ଦୀର୍ଘକାଳରୁ ପୂଜା ପାଇ ଆସୁଛନ୍ତି । ଗଣପତିଙ୍କର କ୍ଷେତ୍ରରୂପେ ମହାବିନାୟକ ରହିଛି, ସୂର୍ଯ୍ୟଦେବତାଙ୍କର କ୍ଷେତ୍ରରୂପେ କୋଣାର୍କ ସୂର୍ଯ୍ୟମନ୍ଦିର ରହିଛି । ଆଉ ଗୋଟିଏ ମତ ଅନୁସାରେ, ମହାବିନାୟକ ପାହାଡ଼ ଉପରେ ଥିବା ମନ୍ଦିରରେ ସ୍ଥାପିତ ହୋଇଥିବା ବିରାଟ ପ୍ରସ୍ତର-ଖଣ୍ଡଟିର ବିଭିନ୍ନ ଅଂଶକୁ ଶିବ, ଦୁର୍ଗା, ବିଷ୍ଣୁ, ଗଣପତି ଏବଂ ସୂର୍ଯ୍ୟ ବୋଲି ଚିହ୍ନିତ କରାଯାଇ ପ୍ରାୟ ଏକ ହଜାରବର୍ଷ ହେଲା ପୂଜା କରାଯାଇ ଆସିଛି । ଫୁଲବାଣୀ ଜିଲ୍ଲାର କୌଣସି ଏକ ଧର୍ମପୀଠରେ ମଧ୍ୟ ଶିବ ଏବଂ ବିଷ୍ଣୁଙ୍କର ଯମଜ ମନ୍ଦିର ରହିଛି । ବଡ଼ାମ୍ବାର ସିଂହନାଥ ମନ୍ଦିରକୁ ମଧ୍ୟ ଏହି ପ୍ରକାରର ଆଉ ଗୋଟିଏ ଦୃଷ୍ଟାନ୍ତରୂପେ ଚିହ୍ନିତ କରାଯାଇଛି । ସେଠାରେ ସେହି ଗୋଟିଏ ଶିବ ମନ୍ଦିରରେ ବୈଷ୍ଣବ ଏବଂ ଶାକ୍ତ ଦେବତାଙ୍କର ମୂର୍ତ୍ତି ପ୍ରତିଷ୍ଠିତ ହୋଇ ପୂଜା କରାଯାଉଛି । ସର୍ବୋପରି ଭାଗବତ ବୈଷ୍ଣବ ଧର୍ମର ଚାରୋଟି ବିଗ୍ରହ ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ ରୂପାନ୍ତରିତ ହୋଇ ପୁରୀ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରୂପରେ ପୂଜା ପାଉଛନ୍ତି । ବଳଭଦ୍ରଙ୍କଠାରେ ଶିବଙ୍କର ଏବଂ ସୁଭଦ୍ରାଙ୍କଠାରେ ଦୁର୍ଗାଙ୍କର ଶକ୍ତି ଆରୋପିତ ହେଉଥିବାରୁ ଜଗନ୍ନାଥ-ଉପାସନାରେ ଶୈବ, ଶାକ୍ତ ଏବଂ ବୈଷ୍ଣବ ଧର୍ମର ସମ୍ମିଳନ ଘଟିଛି ବୋଲି ଗବେଷକମାନେ ବ୍ୟାଖ୍ୟା କରୁଛନ୍ତି ।

 

ବାହାରେ ଏହିସବୁ ନାନାଭଳି ସମ୍ମିଳତ କରାଯାଇଥିଲେ ମଧ୍ୟ ଓଡ଼ିଶାରେ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ କମ୍ କଳହ ହୋଇନାହିଁ । ତୀର୍ଥରାଜ ଶ୍ରୀକ୍ଷେତ୍ରରେହିଁ ଏହି ପ୍ରକାରର ସବୁଠାରୁ ଅଧିକ କନ୍ଦଳ ଲାଗିଛି । ଭିନ୍ନ ଭିନ୍ନ ଉପାସକ-ଗୋଷ୍ଠୀଙ୍କର ଶକ୍ତି ପରୀକ୍ଷା କରାଯାଇଛି ଏବଂ ରାଜା ଯେଉଁ ସମ୍ପ୍ରଦାୟଟି ପ୍ରତି ପ୍ରତିକୂଳ ମନୋଭାବ ଦେଖାଇଛନ୍ତି, ଅର୍ଥାତ୍‍ ଯେଉଁମାନେ ଆପଣାର ଶାସ୍ତ୍ରଯୁକ୍ତ ଅଥବା ଅଲୌକିକ ସିଦ୍ଧି-ଶକ୍ତିଗୁଡ଼ିକୁ ଦେଖାଇ ରାଜାଙ୍କୁ ଚମତ୍କୃତ କରି ନ ପାରିଛନ୍ତି, ସେମାନେ ରାଜକ୍ରୋଧର ଶିକାର ହୋଇଛନ୍ତି, ବିତାଡ଼ିତ ହୋଇଛନ୍ତି ଏବଂ ରାଜାଙ୍କର ସମର୍ଥନ ଲାଭ କରିଥିବା ଅନ୍ୟ ସମ୍ପ୍ରଦାୟଙ୍କଠାରୁ ବହୁତ ଉତ୍ପୀଡ଼ନ ସହ୍ୟ କରିଛନ୍ତି । ଈଶ୍ଵର ଦାସଙ୍କର ଚୈତନ୍ୟ ଭାଗବତରେ କୁହାଯାଇଛି ଯେ, ସୋମବଂଶୀ ରାଜାମାନଙ୍କ ଅମଳରେ ସାତଶହ ବୌଦ୍ଧକୁ ହତ୍ୟା କରାଯାଇଥିଲା । ପୁରୀଧାମରୁ ବିତାଡ଼ିତ ହୋଇ ଏକଦା ବୁଦ୍ଧଙ୍କର ଉପାସକମାନେ ବାଙ୍କୀର ମହାପର୍ବତ ଯାଏଁ ପ୍ରାଣ ନେଇ ପଳାଇ ଯାଇଥିବାର ଏକ ପ୍ରବାଦ ମଧ୍ୟ ସେହି କାଳରୁ ରହିଛି । ଶଙ୍କରାଚାର୍ଯ୍ୟଙ୍କର ଅଦ୍ୱୈତ-ବିଜୟ ସମୟରେ ବୌଦ୍ଧମାନଙ୍କ ଉପରେ ଅତ୍ୟାଚାର ହୋଇଛି । ଭୁବନେଶ୍ଵରଠାରେ ଥିବା ଭାସ୍କରେଶ୍ଵର ମନ୍ଦିରରେ ଗୋଟିଏ ଭଗ୍ନ ବୌଦ୍ଧସ୍ତମ୍ଭକୁ ଏବେ ମଧ୍ୟ ଶିବଲିଙ୍ଗ କରି ପୂଜା କରାଯାଉଛି ।

 

ବଙ୍ଗଳାର ପ୍ରଖ୍ୟାତ ପଣ୍ଡିତ ଓ ଗବେଷକ ଶ୍ରୀଯୁକ୍ତ ନୀହାରରଞ୍ଜନ ରାୟ ଇତିହାସରେ ଘଟି ଆସିଥିବା ପ୍ରାୟ ଏକ ସାଧାରଣ ବ୍ୟାପାରଟି ବିଷୟରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଅନ୍ୟର ଧର୍ମପ୍ରତି ବିଦ୍ଵେଷ ବା ତା’ ପ୍ରତି ଅସହିଷ୍ଣୁତା-ଭାବର ପ୍ରଦର୍ଶନ ପ୍ରାୟ ସବୁଠାରେ ସମାଜର ଉଚ୍ଚ ବର୍ଗର ରହିଥିବା ବ୍ୟକ୍ତିମାନଙ୍କଠାରୁ ଆରମ୍ଭ ହୋଇଛି । ଧନୀ ଓ ପଣ୍ଡିତମାନେହିଁ ଚିରଦିନ ସେଗୁଡ଼ିକୁ ସମର୍ଥନ ଦେଇ ଆସିଛନ୍ତି । ଆପଣାର ସ୍ଵାର୍ଥସିଦ୍ଧି ଲାଗି ସେମାନେ ତାହାକୁ କ୍ରମଶଃ ଅଜ୍ଞାନ, ନିରୀହ ଏବଂ ନିରକ୍ଷର ଲୋକମାନଙ୍କର ସ୍ତରକୁ ଚତୁରତାର ସହିତ ସଂକ୍ରାମିତ କରି ଆଣିଛନ୍ତି । ଶ୍ରୀଯୁକ୍ତ ରାୟଙ୍କ ମତରେ ଅର୍ଥନୈତିକ ତଥା ରାଜନୀତିକ ସ୍ଵାର୍ଥହିଁ ସର୍ବତ୍ର ଏହି ବିଦ୍ଵେଷ ପଛରେ ସବୁଠାରୁ ଅଧିକ ସକ୍ରିୟ ହୋଇ ରହିଆସିଛି । ଓଡ଼ିଶାରେ ମଧ୍ୟ ତାହାହିଁ ଘଟିଛି । ସମ୍ପ୍ରଦାୟର ଗୁରୁ ଓ ପଣ୍ଡିତମାନଙ୍କର ସ୍ତରରେ ମତଭେଦ ହୋଇଛି, ମତଭେଦରୁ କଳହ ଉପୁଜିଛି, ନାନାବିଧ ସ୍ଵାର୍ଥ ଏବଂ ଆତ୍ମଗର୍ବକୁ ପ୍ରଶ୍ରୟ ଦେଇ ଘୃଣା ଓ ବିଦ୍ଵେଷକୁ ବାଟ ଛାଡ଼ି ଦିଆଯାଇଛି । ସାଧାରଣ ମନୁଷ୍ୟମାନେ ଏସବୁର ପ୍ରାୟ ବାହାରେ ରହିଛନ୍ତି, ଦୂରରେ ଦରିଦ୍ର, ଅକିଞ୍ଚନ ଏବଂ ଶୂଦ୍ରପ୍ରାୟ ହୋଇ ରହିଛନ୍ତି । ଉପରେ ଥିବା ଉତ୍ତରମାନେ ସେମାନଙ୍କୁ ମଣିଷର ଧାଡ଼ିରେ ସୁମାରି କରିନାହାନ୍ତି । କେତେଗୁଡ଼ାଏ ଆଚାର ଏବଂ ସଂସ୍କାର-ବିଧାନର ଜଙ୍ଗଲ ଭିତରେ ସେମାନେ ପ୍ରାୟ ଆଟବିକ ହୋଇ ରହିଯାଇଛନ୍ତି । ଆପଣାର ଭାଗ୍ୟ ଆଦରି ରହିଛନ୍ତି । ମନୁଷ୍ୟର ଜୀବନରେ ଅଧିକ ଆଉ କିଛି ସମ୍ଭବ ହୋଇପାରେ ବୋଲି ସମ୍ଭବତଃ କେବେ ଚିନ୍ତା ମଧ୍ୟ କରିନାହାନ୍ତି । ବର୍ତ୍ତମାନ ପରି ଯେତେବେଳେ ମଧ୍ୟ ସେହିମାନେହିଁ ଅଧିକତର ସଂଖ୍ୟାରେ ଯେ ରହିଥିଲେ, ଯାବତୀୟ ଆଲୋଡ଼ନ ଏବଂ ଉନ୍ମୀଳନରୁ ବଞ୍ଚିତ ହୋଇ ରହିଥିଲେ, ଆମ ସମସ୍ତଙ୍କ ପାଖରେ ସେହି କଥାଟି ଅତ୍ୟନ୍ତ ସୃଷ୍ଟ ହୋଇଯିବା ଉଚିତ ।

 

ପୁରୀର ଜଗନ୍ନାଥ-ଧାମ ଓଡ଼ିଶାର ସଂସ୍କୃତିକୁ ବହୁକାଳରୁ ପ୍ରଭାବିତ କରି ଆସିଛି । ଜଗନ୍ନାଥ ମନ୍ଦିରର ଏକ ଇତିହାସ ରହିଛି, ଜଗନ୍ନାଥଙ୍କର ମଧ୍ୟ ଏକ ଇତିହାସ ରହିଛି । ପୁରୀ ମନ୍ଦିରର ପୂଜା ଓ ଉପାସନାରେ ଯେଉଁ ନିର୍ଦ୍ଦିଷ୍ଟ ପଦ୍ଧତିଟିର ଅନୁସରଣ କରାଯାଏ, ତାହାର ନାନା ସମୟରେ ବିବର୍ତ୍ତନ ଓ ଅଦଳବଦଳ ହୋଇଆସିଛି । ଭାରତବର୍ଷର ଚାରିଧାମରେ ପୁରୀ ଅନ୍ୟତମ ହୋଇଥିବାରୁ ଭାରତବର୍ଷର ପ୍ରଖ୍ୟାତ ଧର୍ମଗୁରୁମାନେ ଧର୍ମପ୍ରଚାର ଏବଂ ଧର୍ମବଖାଣର ଉଦ୍ଦେଶ୍ୟରେ ଏଠାକୁ ଆସିଛନ୍ତି, ବିଭିନ୍ନ ସମ୍ପ୍ରଦାୟମାନେ ଏଠାରେ ବାନା ପୋତିବାଲାଗି ଆସିଛନ୍ତି-। ସେମାନେ ଏଠାରେ ନିଜ ନିଜ ସମ୍ପ୍ରଦାୟର ମଠମାନ ସ୍ଥାପନ କରିଛନ୍ତି । ଜଗନ୍ନାଥଙ୍କର ଖ୍ୟାତି କାଳେ କାଳେ ଓଡ଼ିଶାର ସୀମାରୁ ଡେଇଁ ସମଗ୍ର ଭାରତବର୍ଷକୁ ବ୍ୟାପ୍ତ ହୋଇଯାଇଛି । ଜଗନ୍ନାଥଧାମର ନାମ ଭାରତୀୟ ତନ୍ତ୍ରଶାସ୍ତ୍ରରେ ରହିଛି, ବୈଷ୍ଣବମାନେ ତାହାକୁ ବିଶେଷ ଭାବରେ ଏକ ବୈଷ୍ଣବକ୍ଷେତ୍ର ବୋଲି ଭାବିବାକୁ ମନ କରିଛନ୍ତି । ଧର୍ମ ଏବଂ ଧର୍ମସନ୍ତକଗୁଡ଼ିକର ସମୀକ୍ଷା କରୁଥିବା ପଣ୍ଡିତମାନେ ପୁରୀର ମନ୍ଦିର ଏବଂ ସେହି ମନ୍ଦିର ମଧ୍ୟରେ ପ୍ରତିଷ୍ଠିତ ତଥା ପୂଜିତ ହେଉଥିବା ଦେବତାମାନଙ୍କଠାରେ ଶାକ୍ତ, ଶୈବ, ବୌଦ୍ଧ ଓ ଜୈନ ସମସ୍ତଙ୍କର ଭାଗ ରହିଛି ବୋଲି ମତ ଦେଇଛନ୍ତି । ଜଗନ୍ନାଥଙ୍କ ନାମରେ ଯୁଗେଯୁଗେ କେତେକେତେ ଭଜନ ଓ ଜଣାଣ ଲେଖାଯାଇଛି, ଏବେ ମଧ୍ୟ କମ୍ ଲେଖାଯାଉନାହିଁ । ଜଗନ୍ନାଥଙ୍କୁ ବିଭିନ୍ନ କଳ୍ପନା ଭିତରକୁ ଢଳାଇ ନେଇ ତାଙ୍କୁ ଏକାବେଳେ ନିଜ ସମ୍ପ୍ରଦାୟର ବୋଲି କହିବାକୁ ଏହିସବୁ ଭଜନ ଲେଖାଯାଇଛି । ଶ୍ରୀଚୈତନ୍ୟ ଲେଖିଛନ୍ତି, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି ଏବଂ ଯବନ ସାଲବେଗ ମଧ୍ୟ ଲେଖିଛନ୍ତି । ଏବେ ମଧ୍ୟ ତାହାଠାରୁ କେତେକଅଣ ଆରୋପ କରି ସେସବୁ ଲେଖାଯାଉଛି । ଜଗନ୍ନାଥ ସତେଅବା ଓଡ଼ିଶାବାସୀଙ୍କର ସମ୍ପତ୍ତି ହୋଇ ରହିଛନ୍ତି, ଗୋଟାସୁଦ୍ଧା ମନ୍ନାଥରେ ପରିଣତ ହୋଇଯାଇଛନ୍ତି ।

 

ଜଗନ୍ନାଥ ତଥା ଜଗନ୍ନାଥ-ଧର୍ମ ଓଡ଼ିଶା ସାହିତ୍ୟରେ ଏକ ଅତିବିସ୍ତୃତ ସ୍ଥାନ ଅଧିକାର କରି ରହିଆସିଛନ୍ତି । ଓଡ଼ିଆ ସାହିତ୍ୟର ଆରମ୍ଭ ଯୁଗରେ ଜଗନ୍ନାଥ ଓଡ଼ିଆ ସାହିତ୍ୟରେ ଥିଲେ, ଏବେ ମଧ୍ୟ ରହିଛନ୍ତି । ସେ କେବଳ ପଦ୍ୟରେ ନାହାନ୍ତି, ଗଦ୍ୟରେ ମଧ୍ୟ ଅଛନ୍ତି । ଜଗନ୍ନାଥଙ୍କୁ ନେଇ ନାଟକ ଲେଖା ହୋଇଛି । ଆଧୁନିକ ଯୁଗରେ ଉପନ୍ୟାସ ମଧ୍ୟ ଲେଖାଯାଇଛି ଅନେକ । ଅନେକ ଉତ୍ସାହୀ ଗବେଷକ ଓଡ଼ିଶାର ଧର୍ମକୁହିଁ ଜଗନ୍ନାଥ ଧର୍ମ ବୋଲି କହିଛନ୍ତି । ଦିଲ୍ଲୀରେ ଏବଂ ଭାରତବର୍ଷର ବିଭିନ୍ନ ସ୍ଥାନରେ ଏବେ ଜଗନ୍ନାଥଙ୍କର ବିଗ୍ରହମାନ ସ୍ଥାପିତ ହେଲାଣି, ରଥଯାତ୍ରା ସମୟରେ ରଥଯାତ୍ରା ହେଲାଣି । ଭାରତ ବାହାରେ ମଧ୍ୟ ଯେଉଁଠାରେ ଓଡ଼ିଆମାନେ ଆପଣାର ସଂସ୍ଥାନଟିଏ ଗଢ଼ି ରହିଛନ୍ତି, ଏବେ ଜଗନ୍ନାଥ ସେଠାକୁ ମଧ୍ୟ ଗଲେଣି । ପୃଥିବୀର ଏହି ଘୋର ସଙ୍କଟ ସମୟରେ କେବଳ ଜଗନ୍ନାଥ-ଧର୍ମ ଯେ ଉଚିତ ବାଟ ଦେଖାଇ ପାରିବ, ମାନବ-ସମାଜର ହିତ ଆକାଂକ୍ଷା କରୁଥିବା ମହାନ୍ ବ୍ୟକ୍ତିମାନେ ଏକଥା ମଧ୍ୟ କହିଲେଣି । ଜାତୀୟତାର ଯୁଗଟିକୁ ଆସି ଜଗନ୍ନାଥ ଆମ ଓଡ଼ିଆ ଜାତିର ଦେବତା ମଧ୍ୟ ହୋଇସାରିଲେଣି । କେତେ ସ୍ଥାନରେ ତାଙ୍କୁ ଓଡ଼ିଶାର ରାଷ୍ଟ୍ରପତି ଏବଂ ଓଡ଼ିଆ ଜାତିର ପିତା ବୋଲି ମଧ୍ୟ କୁହାଗଲାଣି । ଏସବୁଥିରେ କୌଣସି ଅତିରଞ୍ଜନ ପଶିଯାଇ ନାହିଁ ତ ? ଆମ ଭିତରୁ କେତେ ବ୍ୟକ୍ତି ଅତିରିକ୍ତ ଭାବରେ ଭାବପ୍ରବଣ ହୋଇ ଏପରି କହୁନାହାନ୍ତି ତ ? ଓଡ଼ିଶା ଓ ଓଡ଼ିଆ ସାହିତ୍ୟକୁ ନେଇ କରାଯାଉଥିବା ଯେକୌଣସି ସମୀକ୍ଷାରେ ସେହି କଥାଟିର ବିଶଦ ଆଲୋଚନା ହେବା ଉଚିତ । ଜଗନ୍ନାଥ ନାମକ ଅନୁଷ୍ଠାନଟିକୁ ଦର୍ପଣ ସଦୃଶ ଧରି ରଖି ଯଥାସମ୍ଭବ ଅଧିକ ସମଗ୍ର ଭାବରେ ତାହାର ଆଲୋଚନା ହେବା ଉଚିତ ଏବଂ ଆମ ନିଜକୁ ମଧ୍ୟ ଦର୍ପଣ ପରି ଧରି ରଖି ଜଗନ୍ନାଥ ନାମକ ଅନୁଷ୍ଠାନଟିର ଯଥାସମ୍ଭବ ଅଧିକ ସମଗ୍ର ଭାବରେ ବିଧିବଦ୍ଧ ଆଲୋଚନା ମଧ୍ୟ ହୋଇପାରିବା ଉଚିତ ।

 

ଆମେ ଶ୍ରୀକ୍ଷେତ୍ର ପୁରୀଠାରେ ଯାହାକୁ ଜଗନ୍ନାଥଙ୍କର ମନ୍ଦିର ବୋଲି ଚିହ୍ନୁଛୁ, ତାହାକୁ ଗଙ୍ଗବଂଶର ରାଜା ଅନଙ୍ଗ ଭୀମଦେବ ନିର୍ମାଣ କରିଥିଲେ । ତାହାର ଆହୁରି ପୂର୍ବରୁ, ଅର୍ଥାତ୍‍ ଦ୍ଵାଦଶ ଶତାବ୍ଦୀର ଦ୍ଵିତୀୟ ପାଦରେ ଗଙ୍ଗବଂଶର ପ୍ରଥମ ରାଜା ଚୋଳଗଙ୍ଗ ଦେବ ସେହି ମନ୍ଦିରଟିକୁ ତିଆରି କରିଥିଲେ ବୋଲି ଗଙ୍ଗବଂଶୀମାନଙ୍କର ତାମ୍ରଶାସନଗୁଡ଼ିକରୁ ଏକ ସୂଚନା ମିଳିଥାଏ । ଜର୍ମାନୀର ଗବେଷକ ହେର୍‍ମାନ୍ କୁଲ୍‍କେଙ୍କ ମତରେ ଆମେ ଯାହାକୁ ପୁରୁଷୋତ୍ତମ ଜଗନ୍ନାଥଙ୍କର ମନ୍ଦିର ବୋଲି ଜାଣିଛୁ, ଜଣେ ସୋମବଂଶୀ ନରପତି ତାହାର ନିର୍ମାଣ କରାଇଥିଲେ-। ଆମକୁ ତାହାର ଆହୁରି ଅଧିକ ପୂର୍ବକୁ ଟାଣି ନେବାକୁ ଏକ ପରିଚିତ କିମ୍ବଦନ୍ତୀରୂପେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର କାହାଣୀଟି ମଧ୍ୟ ଆମ ଆଗରେ ମହଜୁଦ୍ ରହିଛି । ଇନ୍ଦ୍ରଦ୍ୟୁମ୍ନ ସୁଦୂର ମାଳବର ରାଜା ଥିଲେ । କିମ୍ବଦନ୍ତୀ କହୁଛି ଯେ ସିଏ ସ୍ଵୟଂ ଭଗବାନଙ୍କଦ୍ଵାରା ସ୍ଵପ୍ନାବିଷ୍ଟ ହୋଇ ଏହି ମନ୍ଦିରର ନିର୍ମାଣ କରାଇଥିଲେ । ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ଗୁନ୍ଥା ହୋଇଥିବା କାହାଣୀଟିରୁ ଏପରି ମଧ୍ୟ ଅନୁମାନ କରାଯାଉଛି ଯେ, ସ୍ଥାନୀୟ ଅର୍ଥାତ୍‍ ଓଡ଼ିଶାର ଶବରମାନେ କେବଳ ଜଗନ୍ନାଥଙ୍କୁ ନୀଳମାଧବରୂପେ ପୂଜା କରୁଥିଲେ । ଆର୍ଯ୍ୟମାନେ ଆଦିବାସୀମାନଙ୍କର ଅନେକ ଦେବତାଙ୍କୁ ଆତ୍ମସାତ କରି ଆଣିଥିବା ପରି ସମ୍ଭବତଃ ଜଗନ୍ନାଥଙ୍କୁ ମଧ୍ୟ ଆଣିଥିବେ ଏବଂ ଏହି ପ୍ରକ୍ରିୟାଦ୍ଵାରାହିଁ ଜଗନାଲ୍ଲୋ ସଂସ୍କୃତିକୃତ ଜଗନ୍ନାଥରେ ପରିଣତ ହୋଇଥିବେ । ଆର୍ଯ୍ୟ ବା ବ୍ରାହ୍ମଣ୍ୟ ସମାଜର ସମ୍ପତ୍ତିରେ ପରିଣତ ହୋଇଯାଇଥିବେ ।

 

ପ୍ରାୟ ସମସ୍ତେ ଅର୍ଥାତ୍‍ ସବୁ ଗବେଷକ, ମତ ଦେଉଛନ୍ତି ଯେ ଜଗନ୍ନାଥ ସର୍ବପ୍ରଥମେ ଆର୍ଯ୍ୟେତର ଥିଲେ, ସେ ଆଦିବାସୀମାନଙ୍କର ଦେବତା ଥିଲେ । ସେତେବେଳେ ସେ ଏକାକୀ ଜଗନ୍ନାଥ ଥିଲେ; ତା’ପରେ ଦ୍ଵିମୂର୍ତ୍ତି ଆସିଲା, ତା’ପରେ ଯାଇ ତ୍ରିମୂର୍ତ୍ତି ଆଗମନ ହୋଇଗଲା । ଆଉ ଗୋଟିଏ ମତ କହୁଛି ଯେ, ତ୍ରିମୂର୍ତ୍ତି ପ୍ରକୃତରେ ଜୈନମୂର୍ତ୍ତି ଥିଲେ । ପଣ୍ଡିତ ନୀଳକଣ୍ଠ ଦାସଙ୍କର ଅନୁମାନ ଅନୁସାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ହେଉଛନ୍ତି ଜୈନଧର୍ମୀୟ କଳ୍ପନାର ସମ୍ୟକ୍ ଜ୍ଞାନ, ସମ୍ୟକ ଚରିତ ଏବଂ ସମ୍ୟକ ଦୃଷ୍ଟି । ବୌଦ୍ଧ ଧର୍ମ ଆଡ଼କୁ କିଞ୍ଚିତ୍‍ ଅଧିକ ଢଳି କରି ରହିଥିବା ପଣ୍ଡିତମାନେ କହନ୍ତି ଯେ, ଜଗନ୍ନାଥ ବୌଦ୍ଧଧର୍ମର ତ୍ରିରତ୍ନ, ଅର୍ଥାତ୍‍ ବୁଦ୍ଧ, ଧର୍ମ ଓ ସଂଘର ରୂପାନ୍ତର ବ୍ୟତୀତ ଆଉ କିଛି ନୁହଁନ୍ତି । ରାଜା ଓ ଧର୍ମପ୍ରଚାରକମାନଙ୍କ ହାତରେ ପଡ଼ି ସ୍ଵୟଂ ବୁଦ୍ଧଦେବଙ୍କର ପବିତ୍ର ଦନ୍ତ କିପରି ପୁରୀଧାମକୁ ଆସିଛି ଏବଂ ଜଗନ୍ନାଥ-ବିଗ୍ରହ ମଧ୍ୟରେ ଅବସ୍ଥାପିତ ହୋଇ ରହିଛି, ସେମାନେ ସେହି କଥାଟିକୁ ଏକାନ୍ତ ବିଶ୍ଵାସର ସହିତ ସୂଚାଇ ଦେଇଥାନ୍ତି । ବୌଦ୍ଧ-ଶାସ୍ତ୍ରକାର ଇନ୍ଦ୍ରଭୂତି ଆପଣାର ରଚିତ ଗ୍ରନ୍ଥ ‘ଜ୍ଞାନସିଦ୍ଧି’ରେ ପୁରୀର ଏହି ଜଗନ୍ନାଥଙ୍କୁ ଯେ ପ୍ରଥମେ ସ୍ତୁତି କରି ଗ୍ରନ୍ଥଟିକୁ ଆରମ୍ଭ କରିଛନ୍ତି ଏବଂ ଗ୍ରନ୍ଥର ବିଭିନ୍ନ ସ୍ଥାନରେ ବୁଦ୍ଧରୂପୀ ଜଗନ୍ନାଥଙ୍କର ଉଲ୍ଲେଖ କରିଛନ୍ତି, ସେମାନେ ନିଜ ମତକୁ ସମର୍ଥନ କରି ତାହା ଦର୍ଶାଇ ଦିଅନ୍ତି ।

 

ଶାସ୍ତ୍ରରେ ଉକ୍ତ ଏକ ଆଖ୍ୟାନ ଅନୁସାରେ, ସୃଷ୍ଟିର ଆରମ୍ଭରେ ଆଦିମାତାଙ୍କର ଗର୍ଭରୁ ବ୍ରହ୍ମା, ବିଷ୍ଣୁ ଏବଂ ହର ଜନ୍ମଗ୍ରହଣ କରିଥିଲେ । ସନ୍ତାନମାନେ ଜାତ ହେବାପରେ ଆଦିମାତା ସେମାନଙ୍କ ମଧ୍ୟରୁ ଜଣକ ରୂପରେ ଅର୍ଥାତ୍‍ ହର ବା ଶିବଙ୍କ ରୂପରେ ମୁଗ୍ଧ ହୋଇଯାଇଥିଲେ ଏବଂ ତାଙ୍କ ସହିତ ସମ୍ଭୋଗ କରିଥିଲେ । ସେଥିରେ ଅତ୍ୟନ୍ତ ରୁଷ୍ଟ ହୋଇ ଅନ୍ୟ ଦୁଇ ପୁତ୍ର ବ୍ରହ୍ମା ଓ ବିଷ୍ଣୁ ପ୍ରତିବାଦ କଲେ । ଆଦିମାତା ଏଥିରେ ଅପମାନିତା ବୋଧ କଲେ ଏବଂ କ୍ରୋଧର ବଶବର୍ତ୍ତୀ ହୋଇ ଅଭିଶାପ ଦେବାରୁ ବ୍ରହ୍ମା ଜଣେ ନାରୀରୂପେ ଜନ୍ମ ହେଲେ । ସେହି ନାରୀ ହେଉଛନ୍ତି ତ୍ରିବିଗ୍ରହର ସୁଭଦ୍ରା ଦେବୀ । ଶିବଙ୍କର ବଳରାମ ରୂପ ଧାରଣ କରିବା ପଛରେ ମଧ୍ୟ କୌଣସି ପୁରାଣରେ ପ୍ରତୀତିଦାୟକ କାହାଣୀଟିଏ ରହିଛି । ଓଡ଼ିଆ ମହାଭାରତରେ କବି ସାରଳା ଦାସ ପୁରୀର ତିନିମୂର୍ତ୍ତିଙ୍କୁ ହଳୀ, ହଳ ଓ ବ୍ରହ୍ମା ବୋଲି ବର୍ଣ୍ଣନା କରିଛନ୍ତି । ସାରଳା ଦାସ ଜଗନ୍ନାଥଙ୍କୁ ଅବତାରୀ ବୋଲି ମାନିଛନ୍ତି । ତାଙ୍କର ବର୍ଣ୍ଣନା ଅନୁସାରେ ଜଗନ୍ନାଥ ମହାପ୍ରଭୁହିଁ ଭିନ୍ନ ଭିନ୍ନ କାଳରେ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ ଓ କଳ୍‍କି ଆଦି ଅବତାରଗୁଡ଼ିକୁ ଗ୍ରହଣ କରିଛନ୍ତି । ସାରଳା ଦାସ ଏକଥା ମଧ୍ୟ କହିଛନ୍ତି ଯେ ଜଗନ୍ନାଥ ନରକାସୁର ନାମକ ଗୋଟିଏ ଅସୁରକୁ ବଧ କରି ତା’ ଅନ୍ତଃପୁରରେ ବନ୍ଦୀ ହୋଇ ରହିଥିବା ଷୋଳସହସ୍ର ରାଜକନ୍ୟାଙ୍କୁ ମୁକ୍ତି ଦେଇଥିଲେ ଏବଂ ତା’ପରେ ସେମାନଙ୍କୁ ଯଥାବିଧି ବିବାହ କରିଥିଲେ । ଦ୍ଵାପର ଯୁଗର ଗୋପଲୀଳାରେ ଶ୍ରୀକୃଷ୍ଣ ଯେଉଁ ଷୋଳସହସ୍ର ଗୋପନାରୀଙ୍କ ସହିତ ଲୀଳା କରିଥିଲେ, କବି ସେମାନଙ୍କୁ ଏହିପରି ଭାବରେ ପ୍ରଭୁ ଜଗନ୍ନାଥଙ୍କ ସହିତ ଆଣି ଛନ୍ଦି ଦେଇଛନ୍ତି ।

 

ଜଗନ୍ନାଥ ତଥା ଅନ୍ୟ ଦୁଇଟିଯାକ ମୂର୍ତ୍ତି କାହିଁକି ଏପରି ଭାବରେ ଖଣ୍ଡିତ ଅବୟବ ହୋଇ ତିଆରି ହୋଇଛନ୍ତି, ସେହି ବିଷୟରେ ବହୁ ପ୍ରଚଳିତ ଇନ୍ଦ୍ରଦ୍ୟୁମ୍ନ ଏବଂ ବିଶ୍ଵକର୍ମାଙ୍କର କାହାଣୀ ଆମ ସମସ୍ତଙ୍କୁ ଭଲ ଭାବରେ ଜଣାଅଛି । ଏହି ସମ୍ବନ୍ଧରେ ସୂଚିତ ଆଉ ଗୋଟିଏ କାହାଣୀ ମଧ୍ୟ ରହିଆସିଛି । କଥିତ ଅଛି ଯେ, ଜ୍ଞାନମିତ୍ର ନାମକ ଜଣେ ସିଦ୍ଧ ସାଧକ ଏକଦା ଓଡ଼ିଶାରେ ରହି ବହୁ ଯୋଗତନ୍ତ୍ରର ସାଧନା କରିଥିଲେ । ବୌଦ୍ଧ ଗବେଷକ ତାରାନାଥଙ୍କ ବର୍ଣ୍ଣନା ଅନୁସାରେ, ଜ୍ଞାନମିତ୍ର ପ୍ରତିଦିନ ପୁରୀ ଶ୍ରୀକ୍ଷେତ୍ରରେ ଥିବା ଜଗନ୍ନାଥ ମନ୍ଦିରକୁ ଦେବତା ଦର୍ଶନ କରିବାକୁ ଯାଉଥିଲେ । ଦିନେ ଶ୍ରୀମନ୍ଦିରର ସେବକମାନେ ତାଙ୍କ ପ୍ରତି ଅତ୍ୟନ୍ତ ଦୁର୍ବ୍ୟବହାର କଲେ ଏବଂ ଜ୍ଞାନମିତ୍ର ସେଥିରେ ଅତିଶୟ ବ୍ୟଥିତ ଓ କୁପିତ ହୋଇ ଜଗନ୍ନାଥଙ୍କୁ ଉଦ୍ଦେଶ୍ୟ କରି ଅଭିଶାପ ଦେଇଥିଲେ । କାହାଣୀଟି କହୁଛି ଯେ ଉକ୍ତ ଅଭିଶାପ ଫଳରେ ବିଗ୍ରହମାନଙ୍କର ହସ୍ତପଦ ନଷ୍ଟ ହୋଇଗଲା ଓ ସେମାନଙ୍କଠାରୁ ସେମାନଙ୍କର ପୂର୍ବଶକ୍ତି ଅପସାରିତ ହୋଇଯାଇଥିଲା । ବିଭିନ୍ନ ସମ୍ପ୍ରଦାୟଦ୍ଵାରା ଠାକୁରମାନେ ଯେ କେଡ଼େ ଦୟନୀୟ ଭାବରେ କେତେକଅଣ ଭୋଗିଛନ୍ତି, ତାହା ଭାବିଲେ ପ୍ରକୃତରେ ଭାରି ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ବଙ୍ଗଳାରୁ ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସିଥିଲେ । ଚୈତନ୍ୟଙ୍କର ଭକ୍ତମାନଙ୍କ ସମେତ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିବା ଓଡ଼ିଶାର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବ ତାଙ୍କୁ ‘ସଚଳ ଜଗନ୍ନାଥ’ରୂପେ ବିବେଚନା କରିଥିଲେ । ସେହି ସମୟଠାରୁ ଜଗନ୍ନାଥ ଅନୁଷ୍ଠାନଟିରେ ନାନା ମନୁଷ୍ୟଗୁଣର ଆରୋପ ହେବାକୁ ଆରମ୍ଭ ହେଲା । ମନୁଷ୍ୟର ଅନେକ ଭାବନା ଓ କଳ୍ପନାକୁ ନେଇ ଜଗନ୍ନାଥଙ୍କ ଉପରେ ଲଦି ଦିଆଯାଇଥିଲା । ଶ୍ରୀଚୈତନ୍ୟଙ୍କର ଇଚ୍ଛାରେ ଏବଂ ରାଜାଙ୍କର ଆଦେଶରେ ଜଗନ୍ନାଥଙ୍କର ସମ୍ମୁଖରେ କବି ଜୟଦେବଙ୍କର ରଚିତ ‘ଗୀତଗୋବିନ୍ଦ’ ଗାନ କରାଯିବାର ପଦ୍ଧତି ପ୍ରଚଳିତ ହେଲା । ଶ୍ରୀଚୈତନ୍ୟ ତ ଜଗନ୍ନାଥଙ୍କୁ ଦେଖୁଦେଖୁ ତାଙ୍କୁ କୃଷ୍ଣ ବୋଲିହିଁ ଗ୍ରହଣ କରି ନେଇଥିଲେ । ଗୀତଗୋବିନ୍ଦର କୃଷ୍ଣକଳ୍ପନାରେ ମାନବଭାବର ଆରୋପ କରୁଥିବା ଯେତେ ଯାହା ଭୂଷଣ ଓ ବିଶେଷଣ ରହିଥିଲା, କ୍ରମେ ସେଗୁଡ଼ିକୁ ମଧ୍ୟ ଜଗନ୍ନାଥଙ୍କ ନାମରେ ଆଣି ଯୋଡ଼ି ଦିଆଗଲା । ଜଗନ୍ନାଥଙ୍କର ଆଧ୍ୟାୟ ବିଭବଟି ଗୌଣ ହୋଇ ଅଧ୍ୟାସଗୁଡ଼ିକର ତଳେ ପୋତି ହୋଇ ରହିଲା । ତାହାରି ପ୍ରଭାବରେ ଜଗନ୍ନାଥଙ୍କର ନୀତି ଏବଂ ସେବାଚାରରେ ନାନା ପରିବର୍ତ୍ତନ କରି ଦିଆଗଲା । ଜଗନ୍ନାଥ ମଣିଷ ପରି ଶୋଇଲେ, ମଣିଷ ପରି ନିଦରୁ ଉଠିଲେ; ମଣିଷ ପରି ବେଶ ହେଲେ; ସ୍ନାନ କଲେ ଓ ମଣୋହି କଲେ, ବିଡ଼ିଆ ସେବନ କଲେ । ଏବେ ମଧ୍ୟ ରାମନବମୀ ତିଥିରେ ଜଗନ୍ନାଥଙ୍କ ହାତରେ ଧନୁର୍ବାଣ ଧରାଇ ଦିଆଯାଏ ଓ ତାଙ୍କୁ ରାମାବତାର ବେଶରେ ସଜାଇ ଦିଆଯାଏ । ପୁନଶ୍ଚ, ଆଉଗୋଟିଏ ପର୍ବ ଅବସରରେ ତାଙ୍କ ମୁହଁରେ ଶୁଣ୍ଢଟିଏ ଲଗାଇଦେଇ ତାଙ୍କୁ ଗଣପତି ବୋଲି କଳ୍ପନା କରାଯାଏ ।

 

ଏହିପରି ଭାବରେ ନାନା ସାମ୍ପ୍ରଦାୟିକ ଦୌରାତ୍ମ୍ୟର ଶିକାର ହୋଇ ଜଗନ୍ନାଥ ସତେଅବା ଗୋଟିଏ କଣ୍ଢେଇ ପରି ବ୍ୟବହୃତ ହୋଇଆସିଛନ୍ତି । ପ୍ରାୟ ପୌତ୍ତଳିକମାନଙ୍କ ହାତରେ ସେ ପିତୁଳାଟିଏ ପରି ହୋଇ ରହିଆସିଛନ୍ତି । ସମ୍ପ୍ରଦାୟୀମାନଙ୍କର ହାତରେ ପଡ଼ି ଜଗନ୍ନାଥ ଭାରି ଛୋଟ ହୋଇ ଯାଇଛନ୍ତି । ଜଗନ୍ନାଥ ଚେତନା ହେଉଛି ଏକ ଚେତନା । ସେହି ଚେତନା ଜଗନ୍ନାଥ ନାମକ ବିଗ୍ରହଟିଠାରୁ ଅନେକ ଅଧିକ । ରାଜା, ଧର୍ମଗୁରୁ ଏବଂ ସେବକମାନେ ତାଙ୍କୁ ଯେତିକି କରି ରଖିଛନ୍ତି, ସିଏ ତାହାଠାରୁ ଅନେକ ବେଶୀ । ସାଧନା ବା ଅଧ୍ୟାତ୍ମ ଉପଲବ୍ଧିରେ ପ୍ରାୟ ଆଦୌ କୌଣସି ଆଗ୍ରହ ନଥିବା ଏକ ସାମନ୍ତ-ପରମ୍ପରା କାଳକ୍ରମେ ମନ୍ଦିର, ନୀତି, ଭୋଗ ଏବଂ ଫଳପ୍ରାପ୍ତିର ଏକ ଜାଲ ବିଛାଇ ଦେଇ ସେହି ଚେତନାକୁ ଅତ୍ୟନ୍ତ ଅସମ୍ମାନକର ଭାବରେ ତୁଚ୍ଛା ଧାର୍ମିକତାର ନାନାବିଧ କଳ୍ପନା ମଧ୍ୟରେ ଆଣି କିଳି ରଖିଛି । ଅସଲ ଆଧ୍ୟାତ୍ମିକ ଆହ୍ଵାନଟିକୁ ଏଡ଼ାଇ ଦେବାର ଚେଷ୍ଟା କରିଛି । ଓଡ଼ିଶା ଜଗନ୍ନାଥଙ୍କୁ ଆପଣାର ନିଜ ସମ୍ପତ୍ତି କହି ଏକ ଆତ୍ମସନ୍ତୋଷ ଅନୁଭବ କରିଛି ସତ, ମାତ୍ର ଅସଲ ଆଧ୍ୟାତ୍ମ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ନିଜକୁ ବଞ୍ଚିତ କରିରଖିଛି ।

 

ଶ୍ରୀକ୍ଷେତ୍ର ପୁରୀକୁ ବିଭିନ୍ନ ଶତାବ୍ଦୀରେ ବିଭିନ୍ନ ଧର୍ମପ୍ରଚାରକ ଆସିଛନ୍ତି । ସେମାନେ ମୂଳତଃ ଦିଗ୍‍ବିଜୟ କରିବାକୁ ଆସିଛନ୍ତି, ଅର୍ଥାତ୍‍ ଆପଣାର ମାର୍ଗ ଓ ଆପଣାର ଦର୍ଶନକୁ ସବୁଠାରୁ ଅଧିକ ଉପାଦେୟ ବୋଲି ପ୍ରତିପାଦିତ କରିବାକୁ ଆସିଛନ୍ତି । ଜଗନ୍ନାଥଚେତନା ସେମାନଙ୍କୁ ଆଦୌ ଟାଣି ଆଣି ନାହିଁ, ଓଲଟି ସେମାନେ ନିଜ ନିଜ ପ୍ରଚକ୍ଷୁରେହିଁ ଜଗନ୍ନାଥଙ୍କୁ ଦେଖିଛନ୍ତି । ଶଙ୍କରାଚାର୍ଯ୍ୟ ଆସିଛନ୍ତି, ରାମାନୁଜ ଆସିଛନ୍ତି ଓ ଆହୁରି କେତେ କିଏ ଆସିଛନ୍ତି । ଅଦ୍ଵୈତବାଦୀ, ବିଶିଷ୍ଟାଦ୍ଵୈତବାଦୀ ଏବଂ ଦ୍ଵୈତବାଦୀ ସମସ୍ତେ ଆସିଛନ୍ତି । ପ୍ରଧାନତଃ ଧର୍ମୀୟ ତର୍କ ଉପରେ ନିର୍ଭର କରିଛନ୍ତି ଅର୍ଥାତ୍‍ ବିରୋଧୀ ପକ୍ଷର ପଣ୍ଡିତମାନଙ୍କୁ ତର୍କଦ୍ଵାରା ପରାଜିତ କରିଛନ୍ତି ଓ ତାହାରି ଅଧିକାରରେ ସମସାମୟିକ ଗଜପତିମାନଙ୍କୁ ମଧ୍ୟ ସ୍ୱପକ୍ଷକୁ ଟାଣି ଆଣି ପାରିଛନ୍ତି । ଏହି ପଣ୍ଡିତ ଓ ପ୍ରଚାରକମାନଙ୍କୁ ନିଜ ନିଜର ମଠ ସ୍ଥାପନା କରିବାଲାଗି ରାଜାମାନେ ଜମି ଛାଡ଼ି ଦେଇଛନ୍ତି ଏବଂ ପ୍ରଚାରକମାନେ ସେମାନଙ୍କର ସମ୍ମତି ନେଇ ଜଗନ୍ନାଥଙ୍କ ମନ୍ଦିରରେ ନିଜ ମତବାଦର କେତେକ ପଦ୍ଧତି ଓ ରୀତିକୁ ଆଣି ପ୍ରବେଶ କରାଇ ଦେଇଛନ୍ତି । ଏହି ରୀତିରେହିଁ ପୁରୀ ମନ୍ଦିରରେ ଶଙ୍କର ପଶିଛନ୍ତି, ରାମାନୁଜ ପଶିଛନ୍ତି, ନିମ୍ବାର୍କ ପଶିଛନ୍ତି, ତାମିଲ ବୈଷ୍ଣବ ଧର୍ମ ପଶିଛି, ତନ୍ତ୍ର ପଶିଛି ଏବଂ ପ୍ରାୟ ସବାଶେଷକୁ ଗୌଡ଼ୀୟ ବୈଷ୍ଣବ ଧର୍ମ ପଶିଯାଇଛି । ଏକଦା ଭାରତବର୍ଷର ଧର୍ମ ଓ ଦର୍ଶନକୁ ନାନାଭାବେ ଆନ୍ଦୋଳିତ କରିଥିବା ଏଡ଼େ ଏଡ଼େ ପଣ୍ଡିତ ଏବଂ ପ୍ରଚାରକ କିପରି ଯେ ଉପାସନା ଓ ଅର୍ଚ୍ଚନାର କେତେଟା ବାହ୍ୟିକ ପଦ୍ଧତିକୁ ଏକ ମନ୍ଦିରର ଦୈନିକ କର୍ମକାଣ୍ଡ ଭିତରେ ପୂରାଇଦେଇ ତାହାରିଦ୍ଵାରାହିଁ ଏକ ନୂତନ ମାର୍ଗର ସଂସ୍ଥାପନା ହୋଇଗଲା ବୋଲି ବିଶ୍ୱାସ କରିଛନ୍ତି ଏବଂ ସମ୍ପୃକ୍ତ ଅନ୍ୟମାନଙ୍କୁ ଯଥେଷ୍ଟ ବିଶ୍ୱାସ ଦିଆଇ ପାରିଛନ୍ତି, ସେକଥା ଚିନ୍ତା କଲେ ପ୍ରକୃତରେ ଭାରି ବିସ୍ମିତ ହେବାକୁ ପଡ଼ିଥାଏ ।

 

ଇତିହାସରୁ ଜଣାଯାଇଛି ଯେ, ଓଡ଼ିଶାର ରାଜାମାନେ ବହିଃଶତ୍ରୁମାନଙ୍କଦ୍ଵାରା ବିପର୍ଯ୍ୟୟର ସମ୍ମୁଖୀନ ହେବା କାରଣରୁ ରାଜାମାନଙ୍କର ଇଷ୍ଟଦେବ ଜଗନ୍ନାଥଙ୍କୁ ମଧ୍ୟ ବହୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି । ବିଗ୍ରହଗୁଡ଼ିକୁ ଶ୍ରୀମନ୍ଦିର ମଧ୍ୟରୁ ଅନ୍ୟତ୍ର ନେଇଯିବା ଆବଶ୍ୟକ ହୋଇଛି, ଜଙ୍ଗଲ ଭିତରେ ନେଇ ଲୁଚାଇ ରଖିବାକୁ ପଡ଼ିଛି । ଖ୍ରୀଷ୍ଟ ପ୍ରଥମ ଦଶ ଶତାବ୍ଦୀ ମଧ୍ୟରେ ପୁରୀଠାରେ ଆଦୌ କୌଣସି ମନ୍ଦିର ନଥିଲା ଏବଂ ସେଠାରେ ଜଗନ୍ନାଥଙ୍କର ବିଗ୍ରହ ପୂଜା ପାଉଥିଲା କି ନାହିଁ, ସେହି ବିଷୟରେ ଇତିହାସକାରମାନଙ୍କ ମଧ୍ୟରେ ସଂଶୟ ରହିଥିବା ସତ୍ତ୍ଵେ ଏପରି ଗୋଟିଏ ମତ ପ୍ରକାଶ ପାଇଛି ଯେ, ୩୧୮ ଖ୍ରୀଷ୍ଟାବ୍ଦରେ ପୁରୀ ମନ୍ଦିରର ପଣ୍ଡାମାନେ ଜଗନ୍ନାଥଙ୍କୁ ନେଇ ଜଙ୍ଗଲକୁ ପଳାଇ ଯାଇଥିଲେ । ଅନୁମାନ କରାଯାଏ ଯେ, ସେତେବେଳେ ହୁନ ଅଥବା କୁଶାଣମାନଙ୍କ ଆକ୍ରମଣ ଭୟରେ ପଣ୍ଡାମାନେ ହୁଏତ ଏପରି କରିଥିବେ । ସେତେବେଳେ ପଶ୍ଚିମାଞ୍ଚଳର କୌଣସି ଅରଣ୍ୟ ଭିତରେ ଜଗନ୍ନାଥ ପ୍ରାୟ ଦେଢ଼ଶହବର୍ଷ ରହିଥିଲେ । ପୁନର୍ବାର, ଭୌମକାରମାନଙ୍କ ରାଜତ୍ଵ ସମୟରେ ଅର୍ଥାତ୍‍ ଅଷ୍ଟମ ନବମ ଶତାବ୍ଦୀରେ ମଧ୍ୟ ଶ୍ରୀକ୍ଷେତ୍ରରେ ତିନି ବିଗ୍ରହ ସ୍ଥାନାନ୍ତରିତ ହୋଇ ସୋନପୁର ଅଞ୍ଚଳର ଗୋପାଳିଆ ନାମକ ସ୍ଥାନରେ ଲୁକ୍କାୟିତ ହୋଇ ରହିଥିଲେ । ସୂର୍ଯ୍ୟବଂଶୀ ରାଜା ପ୍ରତାପରୁଦ୍ରଙ୍କ ସମୟରେ ମଧ୍ୟ ଆଉଥରେ ସେହି ଘଟଣା ଘଟିଥିଲା-। ପ୍ରତାପରୁଦ୍ର ରାଜ୍ୟ ବିଜୟର ଅଭିଯାନରେ ଦକ୍ଷିଣଆଡ଼େ ଯାଇଥିବାର ସମ୍ବାଦ ପାଇ ଗୌଡ଼ର ନବାବ ହୁସେନ ଶାହ ଓଡ଼ିଶା ଆକ୍ରମଣ କରିଥିଲେ ଏବଂ ବହୁ ହିନ୍ଦୁ ମନ୍ଦିର ନଷ୍ଟ କରି ଦେଇଥିଲେ-। ସେତେବେଳେ ପୁରୀ ମନ୍ଦିରର ସେବକମାନେ ଜଗନ୍ନାଥଙ୍କୁ ନେଇ ଚିଲିକା ହ୍ରଦ ଭିତରେ ଅବସ୍ଥିତ ଗୋଟିଏ ପର୍ବତ ଖୋଲରେ ଲୁଚାଇ ରଖିଥିଲେ ଏବଂ ଗଜପତିଙ୍କୁ ଖବର ପଠାଇଥିଲେ । ମୋଗଲ ସମ୍ରାଟ ଔରଙ୍ଗଜେବଙ୍କର ଶାସନକାଳରେ ଏହିପରି ଆଉଥରେ ମଧ୍ୟ ଘଟିଥିଲା । ତଥ୍ୟରୁ ଜଣାଯାଉଛି ଯେ, ଗୋଟିଏ ହୁକୁମନାମା ଜାରି କରି ଦିଲ୍ଲୀର ସମ୍ରାଟ ୧୬୯୨ ଖ୍ରୀଷ୍ଟାବ୍ଦରେ ପୁରୀରେ ଥିବା ମନ୍ଦିରଟିକୁ ନଷ୍ଟ କରିଦେବା ପାଇଁ ସେତେବେଳେ ଓଡ଼ିଶାରେ ଥିବା ତାଙ୍କର ସ୍ଥାନୀୟ ଶାସକ ପ୍ରତିନିଧିଙ୍କୁ ଗୋଟିଏ ଆଦେଶ ପଠାଇଥିଲେ । ମାତ୍ର, ସେତେବେଳେ ଖୋର୍ଦ୍ଧାରେ ଅବସ୍ଥାନ କରୁଥିବା ଗଜପତି ରାଜା ଦିବ୍ୟସିଂହ ଦେବ ସ୍ଥାନୀୟ ସୁବେଦାରଙ୍କ ସହିତ କଥାବାର୍ତ୍ତା କରି ମନ୍ଦିରର କେବଳ ଏକ ମିଛ ଧ୍ଵଂସ ଲାଗି ତାଙ୍କୁ ସମ୍ମତ କରାଇଥିଲେ । ତା’ପରେ ମନ୍ଦିରର କେତେକ ଅଂଶରୁ ପ୍ରାୟ ନାମକୁମାତ୍ର କିଛି ଭଙ୍ଗାରୁଜା କରାଗଲା ଏବଂ ଔରଙ୍ଗଜେବଙ୍କ ନିକଟକୁ ଏକ ନକଲି ଜଗନ୍ନାଥ ମୂର୍ତ୍ତି ପଠାଇ ଦିଆଗଲା । ଦେଉଳର ସିଂହଦ୍ଵାରକୁ ବନ୍ଦ କରିଦିଆଗଲା । ମାତ୍ର ଦିଅଁଙ୍କର ଦୈନନ୍ଦିନ ପୂଜା ଓ ନୀତି ଅବ୍ୟାହତ ରହିଲା ଏବଂ ସେବକମାନେ ଦକ୍ଷିଣ ପଟେ ଥିବା କୌଣସି ପାର୍ଶ୍ଵଦୁଆର ବାଟେ ଗୋପନରେ ମନ୍ଦିର ଭିତରକୁ ଯିବାଆସିବା କରୁଥିଲେ । ଏହି ଖବରଟି ମଧ୍ୟ ଦିଲ୍ଲୀ ଯାଏଁ ଯାଇ ପହଞ୍ଚିଥିଲା ଏବଂ ମୋଗଲ ସମ୍ରାଟ କୋପ କରି ଆଉ ଜଣେ ଉଚ୍ଚସ୍ତରୀୟ କର୍ମଚାରୀକୁ ପ୍ରକୃତ ଘଟଣାଟିର ଅନୁସନ୍ଧାନ କରିବା ଲାଗି ଓଡ଼ିଶାକୁ ପଠାଇ ଥିଲେ । ଖୋର୍ଦ୍ଧାର ରାଜା ତାଙ୍କୁ ମଧ୍ୟ ହାତଗୁଞ୍ଜା ଦେଇ ସନ୍ତୁଷ୍ଟ କରି ଦେଇଥିଲେ । ୧୭୦୭ ଖ୍ରୀଷ୍ଟାବ୍ଦରେ ଔରଙ୍ଗଜେବ ମଲାପରେ ଯାଇ ମନ୍ଦିରର ସିଂହଦ୍ଵାର ଖୋଲା ଯାଇଥିଲା ।

 

ଓଡ଼ିଶା ରାଜ୍ୟକୁ ଯିଏ ଯେତେବେଳେ ଶାସନ କରିଛି, ପୁରୀର ମନ୍ଦିର ଓ ମନ୍ଦିରର ଦେବତା ଜଗନ୍ନାଥଙ୍କ ଉପରେ ସେଇ ମାଲିକ ବୋଲି ସ୍ଵୀକୃତ ହୋଇ ଆସିଛି । ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠା ପୂର୍ବରୁ ଜଗନ୍ନାଥଙ୍କର ମନ୍ଦିର କାହାର ହେପାଜତରେ ରହିଥିଲା ଓ କିଏ ତାହାର ମାଲିକ ଥିଲେ, ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିବ ନାହିଁ । ଗଙ୍ଗମାନେ ଦକ୍ଷିଣପଟୁ ଆସି ଓଡ଼ିଶାର ରାଜା ହେଲେ, ଜଗନ୍ନାଥ ନାମକ ସମ୍ପତ୍ତିର ମାଲିକ ହୋଇ ରହିଲେ । ସୂର୍ଯ୍ୟବଂଶୀ ରାଜାମାନଙ୍କର ଶାସନକାଳରେ ସେହି ପରମ୍ପରାଟି ରହିଲା । ମୋଗଲ ଅମଳରେ ମୋଗଲ ସମ୍ରାଟହିଁ ଦେବତାମାନଙ୍କର ତତ୍ତ୍ଵାବଧାରକ ହେଲେ । ଜଣେ ଇଂରେଜ ପରିବ୍ରାଜକଙ୍କର ବିବରଣୀରୁ ସୂଚନା ମିଳିଛି ଯେ, ୧୬୩୩ ଖ୍ରୀଷ୍ଟାବ୍ଦରେ ହୋଇଥିବା ରଥଯାତ୍ରା ସମୟରେ ଜଣେ ମୋଗଲ ଶାସକ-ପ୍ରତିନିଧି ରଥ ଉପରେ ଆସୀନ ଥିଲେ; ସେଠାରେ ତାଙ୍କ ଲାଗି ଉପଯୁକ୍ତ ସ୍ଥାନଟିଏ କରି ଦିଆଯାଇଥିଲା ଏବଂ ତାଙ୍କ ମୁଣ୍ଡରେ ଯେପରି ଖରା ନ ପଡ଼ିବ, ସେଥିଲାଗି ଗୋଟିଏ ଚାନ୍ଦୁଆ ଟାଣି ଦିଆଯାଇଥିଲା । ଶ୍ରୀଯୁକ୍ତ ମାୟାଧର ମାନସିଂହଙ୍କର ବର୍ଣ୍ଣନା ଅନୁସାରେ, ୧୮୦୩ ଖ୍ରୀଷ୍ଟାବ୍ଦରେ ଯେତେବେଳେ ଇଂରେଜମାନେ ଓଡ଼ିଶା ଅଧିକାର କଲେ, ସେତେବେଳେ ପୁରୀ ଜଗନ୍ନାଥ ମନ୍ଦିରର ପୁରୋହିତ-ମଣ୍ଡଳୀ ନୂତନ ବିଜୟକର୍ତ୍ତାମାନଙ୍କୁ ମଞ୍ଜୁଳ ପଦସଂଯୁକ୍ତ ସଂସ୍କୃତ ଭାଷାରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରବର୍ତ୍ତୀ ବର୍ଷ, ଅର୍ଥାତ୍‍ ୧୮୦୬ ଖ୍ରୀଷ୍ଟାବ୍ଦରେ ଯେତେବେଳେ ବ୍ରିଟିଶ ଶାସନ ଅମଳର ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା, ସେତେବେଳେ ଓଡ଼ିଶାରେ ନିଯୁକ୍ତ ଇଂରେଜ କମିଶନର ହାର୍‍କୋର୍ଟ୍ ସାହେବ ସେହି ଉପଲକ୍ଷରେ ସ୍ଵୟଂ ଶ୍ରୀକ୍ଷେତ୍ର ଆସିଥିଲେ । ସିଏ ନଗରର ଉପାନ୍ତରେ ଆସି ପହଞ୍ଚିବାମାତ୍ରକେ ଶ୍ରୀମନ୍ଦିରର ବରିଷ୍ଠ ପୁରୋହିତମାନେ ତାଙ୍କୁ ସେଠାରୁ ଅଭ୍ୟର୍ଥନା ଜଣାଇ ନଗର ଭିତରକୁ ପାଛୋଟି ଆଣିଥିଲେ-। ରଥଯାତ୍ରା ସମୟରେ ମଧ୍ୟ ପଣ୍ଡା ଓ ଯାତ୍ରୀମଣ୍ଡଳୀ ଉଭୟେ ଜୟଧ୍ଵନୀ ଏବଂ କରତାଳିଦ୍ଵାରା ବଡ଼ଦାଣ୍ଡରେ କମିଶନର ବାହାଦୁରଙ୍କର ସ୍ଵାଗତ କରିଥିଲେ ଏବଂ ଏହିସବୁ ଯାବତୀୟ ସମ୍ମାନ ପ୍ରଦର୍ଶନରେ ଅତୀବ ପ୍ରୀତ ହୋଇ ହାର୍‍କୋର୍ଟ୍‍ ସାହେବ ଉତ୍ତର ଦେଇ ‘ପୁରୋହିତ ଓ ଯାତ୍ରୀମାନଙ୍କର ଏହି ଆଚରଣରୁ ସେମାନଙ୍କର ସାଧାରଣ ମନୋଭାବଟି ଯାହା ପ୍ରକାଶ ପାଉଛି, ତାହା ବ୍ରିଟିଶ ସରକାରଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଅନୁକୂଳ ହେବ’ ବୋଲି କହିଥିଲେ ।

 

ଏହି କଥାଗୁଡ଼ିକର ତାତ୍ପର୍ଯ୍ୟ ହେଉଛି, ଯେତେବେଳେ ଇଂରେଜ କମ୍ପାନୀ ଓଡ଼ିଶା ଦାଖଲ କଲେ ଓ ଓଡ଼ିଶା ଏଣିକି ସେମାନଙ୍କର ଦଖଲରେ ରହିବ ବୋଲି ସ୍ପଷ୍ଟ ହୋଇଆସିଲା, ସେତେବେଳେ ଜଗନ୍ନାଥ ଅନୁଷ୍ଠାନର ସେବକମାନେ ସେହିମାନଙ୍କୁହିଁ ଗଜପତିରୂପେ ଗ୍ରହଣ କରିନେଇଥିଲେ, ସେମାନଙ୍କର ସେହି ଆସନରେ ରହିବା ଏଣିକି ସ୍ଵୟଂ ପ୍ରଭୁଙ୍କର ଇଚ୍ଛା ବୋଲି ମାନି ନେଇଥିଲେ । ମୁକ୍ତିମଣ୍ଡପର ପଣ୍ଡିତମାନେ ମଧ୍ୟ ସେମାନଙ୍କ ପକ୍ଷରେ ରହିଥିଲେ । ସମସ୍ତେ ମିଶି ପୂର୍ଣ୍ଣ ଔପଚାରିକ ଭାବରେ ଜୀଉମାନଙ୍କର ତତ୍ତ୍ଵାବଧାନ କରିବାର ଦାୟିତ୍ଵକୁ ମହାମହିମ କମ୍ପାନୀ ସରକାରଙ୍କ ହାତରେ ସମର୍ପଣ କରି ଦେଇଥିଲେ । ପୁନଶ୍ଚ ଖ୍ରୀଷ୍ଟିଆନ ମିସନାରୀମାନଙ୍କ ଗୋଟିଏ ପତ୍ରିକାରେ ୧୮୫୮ ମସିହାରେ ଉଲ୍ଲେଖ ଅଛି ଯେ, ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ସମୟରେ ସ୍ଵୟଂ ଜଗନ୍ନାଥ ଇଂରେଜ ଶାସକ ବାହାଦୁରଙ୍କର ତତ୍ତ୍ୱାବଧାନରେ ରହିବାପାଇଁ ନିଜର ଇଚ୍ଛା ପ୍ରକାଶ କରିଥିଲେ ଏବଂ ଜଗନ୍ନାଥଙ୍କର ପୂଜକମାନଙ୍କୁ ଆବଶ୍ୟକ ଉତ୍କୋଚ ଦିଆଯାଇ ସମସ୍ତଙ୍କର ହୃଦ୍‍ବୋଧ କରାଇପାରିଲା ଭଳି ତାହା କରାଯାଇପାରିଥିଲା ।

 

ଉପରେ ଶାସକ ଓ ମାଲିକ ବଦଳିବା ସଙ୍ଗେ ସଙ୍ଗେ ପୂଜକ ଓ ସେବକମାନଙ୍କର ଆନୁଗତ୍ୟ ମଧ୍ୟ କେଡ଼େ କ୍ଷିପ୍ର ଗତିରେ ବଦଳିଯାଏ ଏବଂ ତାହାକୁହିଁ କିପରି ଅତ୍ୟନ୍ତ ନିଷ୍ଠାପର ଭାବରେ ଠାକୁରଙ୍କର ଇଚ୍ଛା ବୋଲି ପ୍ରକଟ କରାଇ ଦିଆଯାଏ, ଗୋବିନ୍ଦ ବିଦ୍ୟାଧରଙ୍କ ଅମଳରେ ଆମକୁ ସେହି କଥାଟିର ମଧ୍ୟ ଆଉ ଗୋଟିଏ ନମୁନା ମିଳିଯାଇ ପାରିବ । ଇଂରେଜମାନେ ଓଡ଼ିଶା ଅଧିକାର କରିବାର ମାତ୍ର ଚଉଦବର୍ଷ ପରେ, ଅର୍ଥାତ୍‍ ୧୮୧୭ ଖ୍ରୀଷ୍ଟାବ୍ଦରେ ଯେତେବେଳେ ଶ୍ରୀ ଗୋବିନ୍ଦ ବିଦ୍ୟାଧର ଅଳ୍ପ କେତେ ହଜାର ପାଇକଙ୍କ ସହିତ ପୁରୀ ମନ୍ଦିର ଭିତରେ ଯାଇ ପ୍ରବେଶ କଲେ, ସେତେବେଳେ ଚଉଦବର୍ଷ ପୂର୍ବେ ଠାକୁର ଜଗନ୍ନାଥଙ୍କ ଇଚ୍ଛାରେ ଯେଉଁ ପଣ୍ଡା ଓ ସେବକମାନେ ଇଂରେଜ ଶାସକକୁ ମନ୍ଦିରର ଅଧିକାରୀ ଭାବରେ ବରଣ କରିନେଇଥିଲେ, ସେମାନେ ପ୍ରକାଶ୍ୟ ଭାବରେ ଘୋଷଣା କରିଥିଲେ ଯେ, ଏଥର ପ୍ରଭୁଙ୍କ ଇଚ୍ଛାରେ ବିଦେଶୀ ବ୍ରିଟିଶ ଶାସନର ଅନ୍ତ ହେଲା ଏବଂ ଓଡ଼ିଶାର ପୁରାତନ ରାଜବଂଶର ଧାରାଟି ପୁନର୍ବାର ପ୍ରତିଷ୍ଠିତ ହୋଇଗଲା । ଏହିପରି ଭାବରେ ଆମେ ଲକ୍ଷ୍ୟ କରିପାରିବା ଯେ, ସେବକ ଏବଂ ଶାସକମାନଙ୍କ ମଧ୍ୟରେ ଏକ ପାରସ୍ପରିକ ବୁଝାମଣା କାଳେ କାଳେ ରହିଆସିଛି । ଶାସକମାନେ କାଳ ଅନୁସାରେ ବଦଳି ଯାଉଛନ୍ତି କିନ୍ତୁ ସେବକମାନଙ୍କର ଶାସନଟି ସବୁବେଳେ ବଳବତ୍ତର ରହିଛି । ଅର୍ଥାତ୍‍ ଜଗନ୍ନାଥ ତାଙ୍କ ସେବକମାନଙ୍କୁ ପାଳି ଆସୁଛନ୍ତି ଓ ସେବକମାନେ ଜଗନ୍ନାଥଙ୍କୁ ମଧ୍ୟ ପାଳି ଆସୁଛନ୍ତି । ଜଗତର ନାଥ ଜଗନ୍ନାଥ ଏକ ସାମନ୍ତବାଦର ରଜ୍ଜୁରେ ଭାରି ସନ୍ତର୍ପଣ ସହିତ ବନ୍ଧା ହୋଇ ରହିଛନ୍ତି । ଉପରକୁ ସିନା ସିଏ ଜଗତର ବୋଲି ପ୍ରକଟ କରାଯାଇଛି, ମାତ୍ର ସମସ୍ତଙ୍କ ଲାଗି ତାଙ୍କ ଦ୍ଵାର ଆଦୌ ଉନ୍ମୁକ୍ତ ହୋଇ ରହିନାହିଁ ।

 

ଜଗନ୍ନାଥ ପ୍ରାୟ ସବୁ ଦେବତାଙ୍କ ପରି କେତେ ଜଣଙ୍କର ସମ୍ପତ୍ତି ହୋଇ ରହିଛନ୍ତି । ଏପରି ମଧ୍ୟ କୁହାଯାଇଥାଏ ଯେ, ପୁରୀ ମନ୍ଦିରରେ ସିଂହଦ୍ୱାରର ଦକ୍ଷିଣକୁ ବଡ଼ଠାକୁରଙ୍କ ଗୋଟିଏ ପତିତପାବନ ମୂର୍ତ୍ତି ଥାପିତ ହୋଇ ରହିଛି । କ୍ଷେତ୍ରର ନିୟମ ଅନୁସାରେ ଯେଉଁମାନେ ଦେବଦର୍ଶନର ଅଧିକାରୀ ନୁହଁନ୍ତି, ହିନ୍ଦୁ ସମାଜରେ ଅପାଂକ୍ତେୟ ଏବଂ ଅସ୍ପୃଶ୍ୟ ହିସାବରେ ଗଣ୍ୟ ହେଉଥିବା ସେମାନେ ସେହି ବିକଳ୍ପ ମୂର୍ତ୍ତିଟିକୁ ଦର୍ଶନ କରିବେ ଏବଂ ସେତିକିଦ୍ଵାରାହିଁ ପ୍ରକୃତରେ ଠାକୁରଙ୍କୁ ଦର୍ଶନ କଲେ ବୋଲି ଆପଣାକୁ ବୋଧ ଦେବାକୁ ବାଧ୍ୟ ହେବେ । ଆମର ଏହି ଶତାବ୍ଦୀଟିରେ ମଧ୍ୟ ଜଗନ୍ନାଥ ସମସ୍ତଙ୍କର ପହଞ୍ଚ ଏବଂ ଦର୍ଶନ ଭିତରକୁ ଆସି ନାହାନ୍ତି, ସମସ୍ତଙ୍କୁ ଦର୍ଶନ ଦେଇପାରିବା ଲାଗି ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇ ପାରିନାହାନ୍ତି । ଉଲ୍ଲେଖ ରହିଛି ଯେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର କନ୍ୟା ଖ୍ରୀଷ୍ଟିଆନ ହୋଇ ମଧ୍ୟ ଥରେ ମନ୍ଦିର ଭିତରକୁ ପଶି ଯାଇଥିଲେ ବୋଲି ବାବାଜି ଏବଂ ପଣ୍ଡାମାନଙ୍କର ଚକ୍ଷୁରେ ମନ୍ଦିର ଦୂଷିତ ହୋଇ ଯାଇଥିଲା । ମଧୁବାବୁଙ୍କର କନ୍ୟା ଆପଣାର ଏକ ସଂସ୍କରଣରେ ଲେଖିଛନ୍ତି ଯେ, ଥରେ ଭାରତବର୍ଷର ତତ୍‍କାଳୀନ ବଡ଼ଲାଟ୍ ଲର୍ଡ଼ କର୍ଜନ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବା ଲାଗି ଅଭିଳାଷ ପୋଷଣ କରିଥିଲେ ଏବଂ ସେଥିଲାଗି ପଣ୍ଡାମାନଙ୍କର ଅନୁମତି ଲାଭ କଲେ ତାହାର ପ୍ରତିବଦଳରେ ଶ୍ରୀମନ୍ଦିରର ଯାବତୀୟ ମରାମତି କାର୍ଯ୍ୟ ସରକାରୀ ତହବିଲରୁ କରାଇଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ । ତଥାପି ମନ୍ଦିରର କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରି ନଥିଲେ ।

 

ନାନା ଭେଦରେ ଆପଣାକୁ କଳୁଷିତ କରିରଖିଥିବା ଗୋଟିଏ ସମାଜରେ ପୂଜା ପାଉଥିବା ଦେବତା ମଧ୍ୟ ଯେ ସେହି ସମାଜର ନିୟନ୍ତ୍ରଣଦ୍ଵାରା ପରିଚାଳିତ ହେବାକୁ ବାଧ୍ୟ ହେବେ, ଏହି ଦୃଷ୍ଟାନ୍ତଟିରୁ ଆମକୁ ତାହାର ପ୍ରମାଣ ମିଳି ଯାଉଥିବ । ଭଗବାନଙ୍କୁ ଆମେ ପ୍ରକୃତରେ ଯେତେ ସ୍ଵାଧୀନ ବୋଲି ମନେ କରିଥାଉ ଏବଂ ସିଏ ଇଚ୍ଛା କଲେ ସବୁକିଛି କରିପାରିବେ ବୋଲି ଯେପରି ତାଙ୍କର ସ୍ତୁତି କରିଥାଉ, ବାସ୍ତବ କ୍ଷେତ୍ରରେ ସେ କେଉଁଠି ହେଲେ ସେତେ ସ୍ଵାଧୀନ ହୋଇ ରହି ନଥାନ୍ତି । ତାଙ୍କୁ ସମାଜର ବହୁ ସଂକୀର୍ଣ୍ଣ ଚଳଣିର ଏବଂ ଅବିବେକର ଅଧୀନ ହୋଇ ରହିବାକୁ ପଡ଼େ । ପ୍ରଭୁ ଜଗନ୍ନାଥ ଏକାନ୍ତ କାଳାନୁଗତ ଭାବରେ ପ୍ରାୟ ସେହିଭଳି ଏକ ବାଡ଼ ଭିତର ବନ୍ଦୀ ହୋଇ ରହିଆସିଛନ୍ତି । ଆମେ ଯେଉଁମାନେ ତାଙ୍କୁ ଭୋଗ କରୁଛୁ, ତାଙ୍କୁ ଆମର ଇଷ୍ଟଦେବ ବୋଲି କହୁଛୁ, ପ୍ରାୟ ଏକ ଭାବପ୍ରବଣ ଉତ୍‍ଫୁଲ୍ଲତା ସହିତ ସେମାନେ ତାଙ୍କୁ ସମଗ୍ର ଜଗତର ଠାକୁର ବୋଲି କହି କେଡ଼େ ପାଟି କରୁଛୁ ସିନା, ମାତ୍ର ଏଣେ ଆମେ ତାଙ୍କପାଇଁ କରି ଦେଇଥିବା ନିୟମଗୁଡ଼ିକଦ୍ୱାରା ତାଙ୍କୁ ଅନେକ ମଣିଷଙ୍କଠାରୁ ବଞ୍ଚିତ କରି ରଖିଛୁ । ଅଥବା, ଜଗତ କହିଲେ ଯେ କେବଳ ଆମକୁହିଁ ବୁଝାଇବ, ଆମେ ସେହିଭଳି ଗୋଟିଏ ଭ୍ରମ ଭିତରେ ନିଜକୁ ଜୁଆଇ ରଖିଛୁ ଏବଂ ସେଇଥିରୁ ସତେଅବା କେତେ ଆନନ୍ଦ ଲାଭ କରୁଛୁ । ଜଗତର ନାଥ ଯଦି ସତକୁସତ ସାରା ଜଗତର ହୋଇଥାନ୍ତେ, ତେବେ ଜଗତ କଦାପି ବର୍ତ୍ତମାନ ଭଳି ଅଲକ୍ଷଣା ହୋଇ ରହି ନଥାନ୍ତା । ଜଗତରେ, ଅର୍ଥାତ୍‍ ସମାଜରେ ବଡ଼ମାଛମାନେ କଦାପି ଏପରି ଉଲ୍ଲସିତ ବିବେକମୁକ୍ତ ଚିତ୍ତରେ ସାନମାଛମାନଙ୍କୁ ଗିଳି ପକାଇବା ପାଇଁ ଉଦ୍ୟତ ହୋଇ ରହି ନଥାନ୍ତେ । ଆଧ୍ୟାତ୍ମିକ ସତ୍ୟଗୁଡ଼ିକୁ ହୁଏତ କାଳେକାଳେ ଏହିପରି ଠାକୁର କରି ବସାଇ ଦିଆଯାଇଛି ଏବଂ ସତେଅବା ଆଖି ହରାଇ ବସିଥିବା କେତେକ ଉଗ୍ର ମଣିଷ ସେହି ଠାକୁରହିଁ ସବୁ କରିଦେବେ ବୋଲି ସଂସାରରେ ଏକ ମିଛ ପ୍ରତୀତି ସୃଷ୍ଟି କରିବାରେ ଲାଗିଛନ୍ତି । ଓଡ଼ିଶାକୁ ଜଗନ୍ନାଥ ଦେଖୁଥିଲେ ଓଡ଼ିଶାରେ ଏତେ ମଣିଷ ଏପରି ବଞ୍ଚିତ ଏବଂ ଅବହେଳିତ ହୋଇ ରହି ନଥାନ୍ତେ । ସମାଜ ସମସ୍ତଙ୍କର ଉଦୟ ଲାଗି ଏକ ଅନୁକୂଳ କ୍ଷେତ୍ର ହୋଇ ରହିଥାନ୍ତା । ମଣିଷମାତ୍ରକେ ସମସ୍ତେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସେମାନଙ୍କ ନିଜ ଭିତରେ ଉନ୍ମୋଚନ ଲାଗି ଅପେକ୍ଷା କରୁଥିବା ଅସଲ ଠାକୁରଙ୍କର ପରିଚୟ ପାଇପାରୁଥାନ୍ତେ ।

 

କେବଳ ଓଡ଼ିଶାର ଜଗନ୍ନାଥ ମନ୍ଦିରରେ ଯେ ଦେବଦାସୀ ପ୍ରଥା ରହିଥିଲା ବା କେବଳ ଓଡ଼ିଶାର କେତେକ ମନ୍ଦିରରେ ରହିଥିଲା, ସେକଥା ଆଦୌ ନୁହେଁ । ଭାରତର ପଶ୍ଚିମ ଉପକୂଳରେ ଅବସ୍ଥିତ ପ୍ରାଚୀନ ସୋମନାଥ ମନ୍ଦିରରେ ମଧ୍ୟ ତାହା ଚାଲି ଆସୁଥିଲା । ଭାରତ ଆକ୍ରମଣ କରିଥିବା ଗଜନୀର ସୁଲତାନ ମାମୁଦ ସୋମନାଥ ମନ୍ଦିର ଲୁଣ୍ଠନ କଲାବେଳେ ତାଙ୍କର ପରିଚର୍ଯ୍ୟା ଲାଗି ତାଙ୍କ ପାଖରେ କୁଆଡ଼େ ତିନିଶହ ପଚାଶ ଜଣ ବାଳିକାଙ୍କୁ ଅର୍ପଣ କରାଯାଇଥିଲା । ଗୁଜୁରାଟର ସେହି ପ୍ରସିଦ୍ଧ ମନ୍ଦିରରେ ସେତେବେଳେ ପ୍ରାୟ ଦୁଇହଜାର ବାଳିକା ଦେବଦାସୀ ହୋଇ ରହିଥିଲେ-। ସେମାନେ ଗୀତ ଗାଉଥିଲେ, ଦେବତାମାନଙ୍କର ସେବା କରୁଥିଲେ, ତାଙ୍କପାଇଁ ଫୁଲ ଆଣି ଦେଉଥିଲେ । ଐତିହାସିକ ଅଲ୍‍ବରୁନିଙ୍କର ଉକ୍ତି ଅନୁସାରେ ସ୍ଵୟଂ ରାଜା ଏହି ବାଳିକାମାନଙ୍କର ଭରଣପୋଷଣ ହେବାର ଦାୟିତ୍ଵ ବହନ କରୁଥିଲେ ଓ ସାଧାରଣ ପ୍ରଜାମାନଙ୍କ ଲାଗି ତାହା ଏକ ଅତ୍ୟନ୍ତ ଆକର୍ଷଣୀୟ ବ୍ୟାପାର ହୋଇ ରହିଥିଲା । ଦେବଦାସୀମାନଙ୍କ ବାବତରୁ ମନ୍ଦିରରେ ଯେଉଁ ଶୁଳ୍କ ଆଦାୟ ହେଉଥିଲା, ତାହା ସୈନ୍ୟବାହିନୀର ଭରଣପୋଷଣରେ ବ୍ୟୟ କରାଯାଉଥିଲା ।

 

ସଂସ୍କୃତର ଦେବଦାସୀ ଶବ୍ଦଟିକୁ ଓଡ଼ିଆରେ ମାହାରୀ ବୋଲି କୁହାଯାଏ । ମାହାରୀ ଶବ୍ଦ ମହତ୍ ନାରୀରୁ ଆସିଛି । ତଥ୍ୟବିତ୍‍ମାନେ କହନ୍ତି ଜଗନ୍ନାଥ ମନ୍ଦିରର ମାହାରୀମାନେ ବୈଷ୍ଣବ ଥିଲେ, କାରଣ ସେମାନେ ବିଷ୍ଣୁରୂପୀ ଜଗନ୍ନାଥଙ୍କର ସେବାରେ ନିଯୁକ୍ତ ରହିଥିଲେ । ଭୁବନେଶ୍ଵରର ବିଭିନ୍ନ ମନ୍ଦିରରେ ମାହାରୀମାନେ ଶୈବ ମନ୍ଦିରଗୁଡ଼ିକରେ ନିୟୋଜିତ ଥିଲେ ଏବଂ ସେହି ନିୟମରେ, ଝଙ୍କଡ଼ର ସାରଳା ଏବଂ କାକଟପୁରର ମଙ୍ଗଳାଙ୍କ ପାଖରେ ସେବା ଖଟୁଥିବା ମାହାରୀମାନେ ଶକ୍ତିଙ୍କ ପାଖରେ ସମର୍ପିତ ହୋଇ ରହିଥିଲେ । ଏହି ମାହାରୀମାନେ ପ୍ରକୃତରେ ଶକ୍ତି ଉପାସିକା ଅଥବା ବୈଷ୍ଣବୀ ଥିଲେ କି ନାହିଁ, ସେକଥା କେହି କହିପାରିବେ ନାହିଁ । ପ୍ରକୃତ କଥା ହେଉଛି, ସେମାନେ ଯେଉଁ ମନ୍ଦିରରେ ନିୟୋଗରେ ରହୁଥିଲେ, ସେହି ନିୟୋଗର ଆବଶ୍ୟକତା ତଥା ସଂସ୍କାରଟି ଅନୁସାରେ ସେମାନେ ଏଇଟି ବା ସେଇଟି ହେଉଥିଲେ । ମାହାରୀମାନେ ଗୀତ ଗାଉଥିଲେ, ଦେବତାଙ୍କର ଅଙ୍ଗଭୋଗ ଏବଂ ଚିତ୍ତବିଳାସର ଏକ ଅଂଶରୂପେ ନୃତ୍ୟର ପ୍ରଦର୍ଶନ କରୁଥିଲେ । ବ୍ରହ୍ମେଶ୍ଵର ମନ୍ଦିରରୁ ମିଳିଥିବା ଏକ ଶିଳାଲିପି ଅନୁସାରେ ସୋମବଂଶର ରାଜା ଉଦ୍ୟୋତକେଶରୀ ମାଆ କୋଳାବତୀ ଶିବଙ୍କର ଉପାସନା କରୁଥିଲେ ଏବଂ ସେହି ଦେବତାଙ୍କର ପ୍ରୀତି ନିମନ୍ତେ ନିଜ ନିଜର ଲାବଣ୍ୟମୟ ଅବୟବ ଉପରେ ରତ୍ନାଳଙ୍କାରଦ୍ଵାରା ଖଚିତା ହୋଇ ରହିଥିବା କେତେକ ବାଳିକାଙ୍କୁ ମନ୍ଦିରଲାଗି ଦାନ କରିଥିଲେ । ଆଉ ଗୋଟିଏ ଶିଳାଲେଖ ଅନୁସାରେ ଗଙ୍ଗବଂଶର ଜଣେ ରାଜାଙ୍କର ଶ୍ୟାଳକ ମଧ୍ୟ ମେଘେଶ୍ଵର ମନ୍ଦିର ନିମନ୍ତେ କେତେଜଣ ଦେବଦାସୀ ପ୍ରଦାନ କରିଥିଲେ ଦେବତାଙ୍କର ତୃପ୍ତିବିଧାନ ସକାଶେ ନାନାବିଧ ସାଧନ ଓ ସରଞ୍ଜାମ ଖଞ୍ଜି ଦେଇ ଦେବତାର ଆରାଧନା କରୁଥିବା ମନୁଷ୍ୟ ନିଜର ଅଙ୍ଗଭୋଗ ଏବଂ ନିଜର ତୃପ୍ତି ଲାଗି ମଧ୍ୟ ଏକ ଚମତ୍କାର ଅନୁମୋଦନ ଲାଭ କରିଥାଏ । ଏହି କ୍ଷେତ୍ରରେ ସେଭଳି ଗୋଟିଏ ଅନୁମାନ କରିବାଲାଗି ହୁଏତ ଯଥେଷ୍ଟ କାରଣ ରହିଛି ।

 

ରାଜା ପ୍ରତାପରୁଦ୍ର ଦେବଙ୍କର ଏକ ଆଦେଶଦ୍ୱାରା ଜଗନ୍ନାଥ ମନ୍ଦିରର ମାହାରୀମାନେ ଜୟଦେବଙ୍କର ‘ଗୀତଗୋବିନ୍ଦ’ ଗାନ କରିବାକୁ ବାଧ୍ୟ ହୋଇଥିଲେ । ତାହା ପୂର୍ବରୁ ଓଡ଼ିଶୀ ନୃତ୍ୟର କେବଳ ନୃତ୍ୟ-ଅଂଶଟି ପରିବେଷିତ ହେଉଥିଲା ଏବଂ ଅଭିନୟ ଅଂଶଟିରେ ମନ୍ତ୍ର ଓ ସ୍ତୋତ୍ରମାନ ଗାନ କରାହେଉଥିଲା । ସ୍ତ୍ରୀଲୋକେ ଦେବତା ମନ୍ଦିରରେ ନୃତ୍ୟ କରିବେ, ଏହି ରୀତିଟିକୁ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟ ବ୍ୟକ୍ତିମାନେ କ୍ରମେ ଏକ ଅସୁନ୍ଦର ରୀତି ବୋଲି ଅନୁଭବ କଲେ । ସେହି କାରଣରୁ ଝିଅମାନଙ୍କ ସ୍ଥାନରେ ପୁଅମାନେ ନାଚିଲେ । ଓଡ଼ିଶାରେ ଗୋଟିପୁଅ-ନାଚ ପ୍ରଥା ଆରମ୍ଭ ହୋଇଥିଲା । ପୁଆମାନେ ନାରୀବେଶ ହୋଇ ନାଚିଲେ । ପ୍ରଥମେ ଦେବତାମାନଙ୍କ ଆଗରେ ନାଚୁଥିଲେ, ତା’ପରେ ସାମନ୍ତମାନଙ୍କ ପାଇଁ ନାଚିଲେ । ସାଧାରଣ ଲୋକମାନେ ମଧ୍ୟ ସେହି ନୃତ୍ୟର ଆନନ୍ଦଟିକୁ ଆସ୍ୱାଦନ କଲେ । ସେହି ପ୍ରଥମ କାଳର ଗୋଟିପୁଅମାନେ ବୈଷ୍ଣବମାନେ ସେହି ଉଦ୍ଦେଶ୍ୟରେ ରଚନା କରି ଦେଉଥିବା କୃଷ୍ଣଗୀତଗୁଡ଼ିକୁ ଗାନ କରୁଥିଲେ ଏବଂ ତଦ୍ଦ୍ଵାରା ବୈଷ୍ଣବ ସମ୍ପ୍ରଦାୟର ଏକ ପ୍ରଚାର ମଧ୍ୟ ହୋଇ ଯାଉଥିଲା । ଓଡ଼ିଶୀ ନୃତ୍ୟରେ ଏବେ ମଧ୍ୟ ସେହି ସନ୍ତକଟି ଏକ ଅବଶେଷରୂପେ ବଞ୍ଚି ରହିଛି । ଅର୍ଥାତ୍‍, ସମ୍ପୂର୍ଣ୍ଣ ଭାବରେ ଆମୋଦ ତଥା ମନୋରଞ୍ଜନ ନିମନ୍ତେ ଆୟୋଜିତ ଓଡ଼ିଶୀ ନୃତ୍ୟର ଏକ କାର୍ଯ୍ୟକ୍ରମରେ ମଧ୍ୟ ସେହି ପୁରାତନ ରୀତିଟିକୁ ଲାଙ୍ଗୁଡ଼ରୂପେ ବ୍ୟବହାର କରି ପ୍ରଭୁ ଜଗନ୍ନାଥଙ୍କର ମୂର୍ତ୍ତିଟିଏ ଆଣି ମଞ୍ଚ ଉପରେ ଥାପନା କରାଯାଉଛି । ପୁଣି ତା’ପରେ ଅଭିନୟ-ପ୍ରକରଣର ଏକ ଅଙ୍ଗରୂପେ ଶୃଙ୍ଗାର ଉଦ୍ରେକକାରୀ ଗୋଟିଏ କୃଷ୍ଣ-ଗୀତ ମଧ୍ୟ ବୋଲାଯାଉଛି ।

 

ଏକ ପୁରାତନ ଅର୍ଥାତ୍‍ ଶାସ୍ତ୍ରୀୟ ନୃତ୍ୟ ହିସାବରେ ଓଡ଼ିଶାରେ ଓଡ଼ିଶୀ ପରି କେରଳରେ କଥାକଳି ନୃତ୍ୟର ପ୍ରଚଳନ ରହିଛି । କେରଳ କଳାମଣ୍ଡଳମ୍‍ର ମାଧ୍ୟମରେ ମହାକବି ଭଲ୍ଲଥୋଳ୍‍ଙ୍କଦ୍ଵାରା କଥାକଳି ନୃତ୍ୟପଦ୍ଧତିରେ ଏକ ପୁନରଭ୍ୟୁଦୟ ଘଟିବା ପରେ ସେଠାରେ ସମଗ୍ର ନୃତ୍ୟାଂଶଟିରେ କେତେକେତେ ପ୍ରକାରର ପରିବର୍ତ୍ତନ ଅଣାଗଲାଣି, ତାହାର ପରିସରଟି ମଧ୍ୟ ନୂଆ କେତେକେତେ ସମ୍ଭାବନା ମଧ୍ୟକୁ ସମ୍ପ୍ରସାରିତ ହୋଇଗଲାଣି । କଥାକଳି ନୃତ୍ୟରେ ଏକ ବୁଦ୍ଧଚରିତ ଅଭିନୀତ ହେଲାଣି । ବାଇବେଲର ଏକାଧିକ କାହାଣୀ ଅଭିନୀତ ହେଲାଣି । ସୋରାବ୍‍ରୁସ୍ତମ୍ ପରି ପାରସ୍ୟ ଦେଶର କାହାଣୀ ଓ କବି ରବୀନ୍ଦ୍ରନାଥଙ୍କର କେତେ ନାଟକ ମଧ୍ୟ ଅଭିନୀତ ହେଲାଣି । ରାଜନୈତିକ ଦଳମାନେ ନିଜର ପ୍ରଚାରରେ କଥାକଳି ନୃତ୍ୟର ମାଧ୍ୟମକୁ ସାଂପ୍ରତିକ ସମାଜର ଚିତ୍ର ଏବଂ ଭବିଷ୍ୟ ସମାଜର କଳ୍ପନାଗୁଡ଼ିକୁ ପ୍ରଦର୍ଶନ କରାଇବାର କାର୍ଯ୍ୟକ୍ରମରେ ବ୍ୟବହାର କଲେଣି । ମାତ୍ର ଓଡ଼ିଶୀ ନୃତ୍ୟ ଯେଉଁଠି ଥିଲା, ସେହିଠାରେ ରହିଛି । କେହି ସେଥିରେ ସାମାନ୍ୟତମ ପରିବର୍ତ୍ତନ ଘଟାଇବାକୁ କିଞ୍ଚିତ୍‍ ପ୍ରୟାସ କଲେ ତାହାର ପ୍ରତିବାଦ ହେଉଛି । ଶୃଙ୍ଗାରପ୍ରଧାନ ଓଡ଼ିଶୀ ନୃତ୍ୟକୁ ନିଜର ଶାରୀରିକ ବିକାଶ ଦୃଷ୍ଟିରୁ ଆଦୌ କୌଣସି ଶୃଙ୍ଗାର ଅନୁଭୂତି ସମ୍ଭବ ହେବାର ବହୁ ପୂର୍ବରୁ ମଧ୍ୟ ଅଳ୍ପବୟସ୍କା ବାଳିକାମାନେ ଯନ୍ତ୍ରବତ୍ ନାଚୁଛନ୍ତି ଏବଂ ଗୁରୁମାନଙ୍କ ସହିତ ସମ୍ପୃକ୍ତ ଗୁରୁଜନମାନେ ତାହାକୁ ଉପଭୋଗ କରୁଛନ୍ତି । ମାତ୍ର ଆଙ୍ଗିକ ଓ ପରିସରର କ୍ଷେତ୍ରରେ ସେହି ନୃତ୍ୟରେ ଆଦୌ କୌଣସି ପରିବର୍ତ୍ତନ ହୋଇନାହିଁ ।

 

ଓଡ଼ିଶୀ ନୃତ୍ୟ ଓଡ଼ିଶାର ମନ୍ଦିରମାନଙ୍କରେ ରହିଥିବା ସ୍ଥପତିରୁ ଉଦ୍‍ଭୁତ ହୋଇ ଆସିଛି ବୋଲି ସେହି କ୍ଷେତ୍ରରେ ବିଶାରଦମାନେ କହିଥାନ୍ତି । ଭାରତୀୟ ଶାସ୍ତ୍ରୀୟ ମୂର୍ତ୍ତିକଳାର ଯେଉଁସବୁ ବିଭବ ଓଡ଼ିଶାର ସ୍ଥାନୀୟ ବିଶେଷତାଗୁଡ଼ିକୁ ଭୂମି କରି ମନ୍ଦିରମାନଙ୍କର ଗାତ୍ରରେ ଜୀବନ୍ତ ହୋଇ ଫୁଟି ଉଠିଛି, ଓଡ଼ିଶୀ ନୃତ୍ୟ ମୁଖ୍ୟତଃ ତାହାରି ମୁଦ୍ରା ଏବଂ ବ୍ୟଞ୍ଜନାଗୁଡ଼ିକୁ ନାନାଭାବେ ବିକଶିତ କରାଇ ଆପଣା ଲାଗି ଏକ ଅବୟବ ଗଠନ କରି ଆଣିଛି । ଦେବତାମାନଙ୍କର ଆସ୍ଥାନ ହେବାଲାଗି ନିର୍ମିତ ଓଡ଼ିଶାର ମନ୍ଦିରମାନଙ୍କରେ ଏକାନ୍ତ ଶୃଙ୍ଗାରପ୍ରଧାନ ଜୀବନର ଭୋଗମୟ ଚିତ୍ରଗୁଡ଼ିକୁ କାହିଁକି ଖୋଦିତ କରାଯାଇଛି, ସେହି ବିଷୟରେ କଳା-ଗବେଷକମାନେ କେତେ ତତ୍ତ୍ଵ ବାହାର କରିଛନ୍ତି । ଅନେକ ସମୟରେ କେତେ କୈଫିୟତ୍ ମଧ୍ୟ ଦେଇଛନ୍ତି । ଏହିପରି ଶୃଙ୍ଗାରପ୍ରଧାନ ସ୍ଥପତି ଓଡ଼ିଶା ବ୍ୟତୀତ ଭାରତର ଅନ୍ୟ କେତେକ ସ୍ଥାନରେ ରହିଛି । ବ୍ରହ୍ମଦେଶରେ ଅଛି, ଚୀନ, ତିବ୍ବତ ଏବଂ ନେପାଳରେ ମଧ୍ୟ ରହିଛି । ବୌଦ୍ଧ ତନ୍ତ୍ରଯାନଦ୍ଵାରା ପ୍ରଭାବିତ ହୋଇ ଏସବୁ ସ୍ଥାପତ୍ୟ ଭାତରକୁ ଆସିଛି ବୋଲି ପଣ୍ଡିତମାନେ ମତ ଦେଇଛନ୍ତି । ତନ୍ତ୍ରଯାନ ଏହିସବୁ ଦେଶର ଧର୍ମସାଧନାରେ ଏକ ବିଶେଷ ପର୍ଯ୍ୟାୟ ହୋଇ ରହିଥିଲା । ଏହି ସନ୍ଦର୍ଭରେ ଆମକୁ ସମ୍ଭବତଃ ଆଉ ଗୋଟିଏ କଥା ସ୍ମରଣରେ ରଖିବାକୁ ହେବ । ସେକାଳର ଯାବତୀୟ ମନ୍ଦିର ମୂଳତଃ ରାଜାମାନଙ୍କର ଅଭିଳାଷ ପୂରଣ ଏବଂ କୀର୍ତ୍ତିବର୍ଦ୍ଧନ ପାଇଁ ନିର୍ମିତ ହେଉଥିଲା । ରାଜାମାନଙ୍କର ବରାଦ ଅନୁସାରେହିଁ ନିର୍ମିତ ହେଉଥିଲା । ଶିଳ୍ପୀମାନେ ହୁଏତ ସେହି ବରାଦଗୁଡ଼ିକର ପୂରଣ ନିମନ୍ତେ ଯନ୍ତ୍ରପରି ନିୟୋଜିତ ହେଉଥିଲେ, ବରାଦମୁତାବକ କାର୍ଯ୍ୟ କରୁଥିଲେ । ଶିଳ୍ପୀ ରାଜାଙ୍କର ପ୍ରଜାହିଁ ଥିଲା । ଜଣେ ଶିଳ୍ପୀ ହିସାବରେ ସ୍ଵାଧୀନ ଭାବରେ ଆପଣାର କଳ୍ପନାଗୁଡ଼ିକୁ ଖଟାଇବା ଲାଗି ସମ୍ଭବତଃ ତା’ରି ସେତେ ବେଶୀ ସୁଯୋଗ ନଥିଲା ।

 

ଏବଂ ଏକଥା ମଧ୍ୟ ହୋଇପାରେ, ରାଜାମାନଙ୍କର କଳ୍ପନାବୃତ୍ତଟି ମଧ୍ୟରେ ଦେବତାମାନଙ୍କ ନିମନ୍ତେ ଯେତିକି ସ୍ଥାନ ଥିଲା, ଶୃଙ୍ଗାର ତାହାର ଆନୁଷଙ୍ଗିକ ବିବିଧ ପ୍ରଦର୍ଶନ ଲାଗି ମଧ୍ୟ ହୁଏତ ସମାନ ଭାବରେ ସେତିକି ସ୍ଥାନ ରହିଥିଲା । ରାଜାମାନଙ୍କର ଇଚ୍ଛା ବିରୋଧରେ ବା ରୁଚିର ବିରୋଧ କରି ଭିତରେ ଦେବତାକୁ ବେଦୀରେ ବସାଇ ମନ୍ଦିରର ବାହାରେ ସ୍ଵୟଂ ଏକ ବିଚିତ୍ର ଶୃଙ୍ଗାର-ଅରଣ୍ୟ ଆଣି ଥାପି ଦେବାକୁ ଶିଳ୍ପୀମାନଙ୍କର ଯେକୌଣସି ସ୍ଵାଧୀନତା ରହିଥିଲା, ସେହି ଯୁଗରେ ତାହା ସମ୍ଭବ ହୋଇଥିବ ବୋଲି କଦାପି କଳ୍ପନା କରାଯାଇପାରିବ ନାହିଁ । ଅଥବା ଏପରି ମଧ୍ୟ କଳ୍ପନା କରାଯାଇପାରିବ ଯେ, ସେତେବେଳର ସାମାଜିକ ଜୀବନରେ ନାନାବିଧ ବାହ୍ୟ ନୈତିକତାର ନିୟମ ଭିତରେ ସମ୍ପୃକ୍ତ ସମସ୍ତେ ଏପରି ବାଧ୍ୟ ହୋଇ ବନ୍ଧା ହୋଇ ରହିଥିଲେ ଏବଂ ମନୁଷ୍ୟମାନଙ୍କ ନିମନ୍ତେ ଆପଣାର ସ୍ଵାଧୀନ ଅଭିବ୍ୟକ୍ତି ସକାଶେ ଏତେ କମ୍ ଅବକାଶ ରହିଥିଲା ଯେ, ନିଜର ଅବଚେତନ ସ୍ତରରେ ରାଜା ଅରାଜା ସମସ୍ତେ ଯେକୌଣସି ଉତ୍ପୀଡ଼ିତ ମନୁଷ୍ୟ ପରି ଅତ୍ୟନ୍ତ ଶୃଙ୍ଗାରଲୋଲୁପ ହୋଇ ରହିଥିଲେ ଏବଂ ଏକ ସୁଯୋଗ ଆସି ମିଳିଯିବାମାତ୍ରକେ ଦେବତାମାନଙ୍କର ଉଦ୍ଦେଶ୍ୟରେ ମନ୍ଦିର ତଥା ମୂର୍ତ୍ତି ଗଢ଼ିବାର ଆଳରେ ଆତୁରତାଗୁଡ଼ାକୁ କଳାର ଆଲିମ୍ପନ ମାଧ୍ୟମରେ ପ୍ରକାଶ କରିବା ଲାଗି ଉତ୍ସୁକ ହୋଇ ଉଠୁଥିଲେ ।

 

ଜଣେ ବ୍ୟକ୍ତି ବା ଗୋଟିଏ ସମୂହର ଧର୍ମ ତାହାକୁ ଏକ ନିର୍ଦ୍ଦିଷ୍ଟ ବିବେକ ଏବଂ ପାରସ୍ପରିକତା ସହିତ ଜୀବନ ବଞ୍ଚିବା ନିମନ୍ତେ ସତେ ଆହ୍ଵାନ ଦେଇପାରୁଥାନ୍ତା । ମାତ୍ର ଅନ୍ତତଃ ଭାରତବର୍ଷରେ ଧର୍ମର ଇତିହାସରେ ସେପରି ହୋଇପାରିନାହିଁ । ଭାରତବର୍ଷରେ ଧର୍ମ ମଣିଷମାନଙ୍କୁ ପୌତ୍ତଳିକ ହେବାଲାଗି ସମ୍ଭବତଃ ସବୁଠାରୁ ଅଧିକ ପ୍ରେରଣା ଯୋଗାଇ ଦେଇଆସିଛି । ପୃଥିବୀରେ ଆପଣାର ଜୀବନକୁ ଅଧିକରୁ ଅଧିକ ଉଜ୍ଜ୍ଵଳ ଏବଂ ଚେତନାଯୁକ୍ତ କରି ରଖିବା ଲାଗି ଭାରତୀୟ ଧର୍ମର ଆନୁଷ୍ଠାନିକତାଗୁଡ଼ିକ ମଣିଷକୁ ଯେତେ ସାହାଯ୍ୟ କରି ନାହାନ୍ତି, ନାନା ଅନ୍ଧବିଶ୍ଵାସର ତଥା ଅତିବିଶ୍ୱାସର ଜଡ଼ତା ମଧ୍ୟରେ ଶୀତଳ ଏବଂ ସ୍ପୃହାହୀନ ହୋଇ ରହିବା ଲାଗି ସମ୍ଭବତଃ ତାକୁ ଅଧିକ ମନ୍ଦ ଉତ୍ସାହମାନ ଆଣି ଯୋଗାଇ ଦେଇଛନ୍ତି । ଯେଉଁମାନେ ନିଜ ଭିତରୁ ସତେଅବା ଏକ ଅନ୍ୟ ଡାକରା ପାଇ ଅଧ୍ୟାତ୍ମ ଆଡ଼କୁ ଆକୃଷ୍ଟ ହୋଇଛନ୍ତି, ସେମାନେ ଅଧିକାଂଶ କ୍ଷେତ୍ରରେ ସଂସାର ଛାଡ଼ି ବାହାରି ଯାଇଛନ୍ତି । ପର୍ବତର କନ୍ଦରକୁ ପଳାଇଛନ୍ତି, ଆଶ୍ରମ ବା ମଠ ଗଢ଼ି ସେହିଠାରେ ରହିଛନ୍ତି । ଏହି ସଂସାର ଭିତରେ କଦାପି ଈଶ୍ୱରଙ୍କର ଉପଲବ୍ଧି ସମ୍ଭବ ହେବ ନାହିଁ ବୋଲି ପ୍ରାୟ ଏକ ନକାରାତ୍ମକ ଭାବନା ସେମାନକୁ ସଂସାର ଭିତରୁ ବିତାଡ଼ିତ କରି ନେଇଯାଇଛି । ଅଥବା, ସଂସାରର ବିଭିନ୍ନ ଆହ୍ଵାନର ସମ୍ମୁଖୀନ ହେବାଲାଗି ସେମାନେ ନିଜକୁ ସତେଅବା ଅସମର୍ଥ ବୋଲି ଭାବିଛନ୍ତି ଏବଂ ସଂସାରରୁ ବାହାରି ଯାଇଛନ୍ତି । ସଂସାର ବାହାରେ ରହି ସଂସାରବାସୀଙ୍କୁ ପରାମର୍ଶ ଓ ଧର୍ମୋପଦେଶ ଦେଇଛନ୍ତି । ପୃଥିବୀ ଉପରେ ସେହି ପରାମର୍ଶର ବିଶେଷ ଫଳ ଫଳିନାହିଁ । ସଂସାର ଅର୍ଥାତ୍‍ ପୃଥିବୀ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିଛି, ସେମାନଙ୍କୁ ମହାନ୍ ତ୍ୟାଗୀ ବୋଲି କହିଛି, ଗୁରୁ ବୋଲି କହି ବାରଣ କରିଛି ଓ ତଦ୍ଦ୍ଵାରା ଆପଣାର କେଡ଼େ ଆହ୍ଲାଦିତ ପରି ଅନୁଭବ କରିଛି । ମାତ୍ର ସେମାନଙ୍କର ଉପଦେଶକୁ ଗ୍ରହଣ କରିନାହିଁ ।

 

ମହାନ୍ ଧର୍ମସ୍ଥମାନେ ଶାସ୍ତ୍ର ଲେଖିଛନ୍ତି । ଜୀବନର ସତ୍ୟଗୁଡ଼ିକ ସେହି ଶାସ୍ତ୍ର ଭିତରେ ବନ୍ଦୀ ହୋଇ ରହିଯାଇଛନ୍ତି । ଜୀବନର ସ୍ତରକୁ ଆଦୌ ଆସିନାହାନ୍ତି । ତେଣୁ ଭାରତବର୍ଷର ଯାବତୀୟ ଚିନ୍ତା ଏବଂ ଯାବତୀୟ ଅନୁରାଗ ଆଦର୍ଶ ଓ ବାସ୍ତବ ମଧ୍ୟରେ କାଳକ୍ରମେ ଦୁଇଫାଳ ହୋଇଯାଇଛି । ଆଦର୍ଶ ଶାସ୍ତ୍ରରେ ରହିଛି, ସେହି ଶାସ୍ତ୍ରଗୁଡ଼ିକୁ ନେଇ ଭାରତବର୍ଷ ଗର୍ବ କରିଆସିଛି ଏବଂ ତାହାକୁ ଆପଣାର ଅସଲ ସଂସ୍କୃତି ବୋଲି କହିଛି ଏବଂ ବାସ୍ତବ ଜୀବନରେ ଏକାନ୍ତ ଅଧମ ଏବଂ ଏକାନ୍ତ ତାମସିକ ହୋଇ ରହିଛି । ଉପନିଷଦ ଆଦର୍ଶ କଥା କହିଛି, ଦେବଯାନର କଥା କହିଛି ଏବଂ ସମାଜ ମନୁସଂହିତା ଅନୁସାରେ ଚଳିଛି, ନାନା ଅବିବେକୀ ଉଦାସୀନତା ଏବଂ ଦୂରତାର ଅଧର୍ମଦ୍ଵାରା ପରିଚାଳିତ ହେବାକୁ ବାଧ୍ୟ ହୋଇଛି । ଆଦର୍ଶ ଆକାଶରେ ଯାଇ ରହିଛି, ଶାସ୍ତ୍ରକାର ଏବଂ ଶାସ୍ତ୍ରପ୍ରବକ୍ତାମାନଙ୍କର ବଚନ ଏବଂ ପ୍ରବଚନ ଭିତରେ ରହିଛି । ସତେଅବା ମାଟିକୁ ଆଦୌ ସ୍ପର୍ଶ କରିପାରିନାହିଁ । ଏହିପରି ଏକ ସମାଜରେ ସାହିତ୍ୟକୁ ପ୍ରାୟ ନିରନ୍ତର ଏକ ବିଡ଼ମ୍ବନାମୟ ଅବସ୍ଥା ମଧ୍ୟଦେଇ ଗତି କରିବାକୁ ହୋଇଛି । ସାହିତ୍ୟର ସର୍ବମୂଳ କଥା ହେଉଛି ଏକ ସମ୍ବେଦନଶୀଳତା, ସାହିତ୍ୟର ଯାବତୀୟ ଆରୋହଣ ହେଉଛି ମୂଳତଃ ଏକ ଅବତରଣ ନିମନ୍ତେ । ପ୍ରତ୍ୟେକ ସୃଜନାତ୍ମକ ବ୍ୟାକୁଳତା ଆଗ ପାହାଚ ପାହାଚ ହୋଇ ଉପରକୁ ଉଠିଥାଏ, ଚେତନାର କ୍ଷେତ୍ରରେ ନୂଆ ନୂଆ ଏକାତ୍ମତା ଲାଗି ସାହସ କରେ, ଗଭୀରରୁ ଆହୁରି ଗଭୀରକୁ ଯାଏଁ ଏବଂ ତା’ପରେ ସତେଅବା ସେଇଠାରୁ ଏକ ନୂତନ ସନ୍ଦେଶକୁ ବହନ କରି ତାହା ପୃଥିବୀ ମଧ୍ୟକୁ ଅବତରଣ କରେ । ଭୂମିକୁ ଏକ ନୂତନ ଉପନୟନ ଅର୍ଥାତ୍‍ ପରିବର୍ତ୍ତନ ଲାଗି ଉଦ୍‍ବୋଧନ ଦିଏ । ଯାହା ଅଛି ତାହାକୁ ନାନା ନୂତନ ସମ୍ଭାବ୍ୟତା ଆଡ଼କୁ ଉଦ୍‍ବୋଧନ କରିନିଏ ।

 

ଗୋଟିଏ ସାହିତ୍ୟକୁ ବୁଝିବା ସକାଶେ ଆମେ ଯେତେବେଳେ ସେହି ସାହିତ୍ୟ ବିକଶିତ ହୋଇ ଆସିଥିବା ସମାଜ ଓ ସଂସ୍କୃତିକୁ ଭିତ୍ତିରୂପେ ଅଧ୍ୟୟନ କରିବାପାଇଁ ବାହାରିବା ସେତେବେଳେ ଆମକୁ ସେହି କଥାଗୁଡ଼ିକ ସ୍ମରଣ ରଖିବାକୁ ପଡ଼ିବ । ଯେଉଁସବୁ ସମାଜରେ ପ୍ରତ୍ୟେକ ମନୁଷ୍ୟକୁ ମୂଳତଃ ଜଣେ ମଣିଷ ହିସାବରେ ଉପଯୁକ୍ତ ସ୍ୱୀକୃତି ମିଳିନାହିଁ, ଯେଉଁଠାରେ ନାନା ପାତରଅନ୍ତର ଓ ଭେଦଭାବ ମଣିଷକୁ ମଣିଷଠାରୁ ଦୂରରେ ରଖିବାର ଚକ୍ରାନ୍ତ କରିଛି, ସର୍ବୋପରି, ଭାଗ୍ୟର ବରାଦ ଅଥବା ଈଶ୍ଵରଙ୍କର ଇଚ୍ଛା ହେତୁ ମଣିଷମାନେ ସଂସାରରେ ବଡ଼ ସାନ, ଉଚ୍ଚ ନିମ୍ନ ଏବଂ ଭାଗ୍ୟବାନ ବା ଭାଗ୍ୟହୀନ ହୋଇ ଜନ୍ମଗ୍ରହଣ କରନ୍ତି ବୋଲି ଯେଉଁ ସଂସ୍କୃତିରେ ବିଶ୍ଵାସ କରାଯାଇଛି, ସେହି ସମାଜ ଓ ସଂସ୍କୃତି ସାଧାରଣତଃ ଯେଉଁ ସାହିତ୍ୟକୁ ଜନ୍ମ ଦେବ, ତାହା ନିଶ୍ଚୟ ଏକ ଅଲଗା ପ୍ରକାରର ହେବାକୁ ବାଧ୍ୟ ହେବ । ସାହିତ୍ୟ ସଚରାଚର ସୌନ୍ଦର୍ଯ୍ୟର ସ୍ଵପ୍ନ ଦେଖେ, ଶିବର ଓ ସତ୍ୟର ସ୍ଵପ୍ନ ଦେଖେ ଏବଂ ସେହି ସ୍ଵପ୍ନ ଦେଖିବାଦ୍ଵାରାହିଁ ମନୁଷ୍ୟକୁ ଯୋଗ୍ୟ କରିନିଏ, ଅନୁପ୍ରାଣିତ କରିନିଏ, ସତେଅବା ଏକ ଅନ୍ୟ ଓ ଅଧିକ ସୁନ୍ଦର ଜୀବନଲାଗି ମଣିଷମାନଙ୍କୁ ଉଦ୍‍ବୁଦ୍ଧ କରୁଥାଏ । ମାତ୍ର, ଯେଉଁ ସମାଜ ନାନା ଦୂରତାକୁ ନିୟତିର ବିଧାନ ବୋଲି କହି ମନୁଷ୍ୟମାନଙ୍କୁ ବିଭାଜିତ କରି ରଖିଥାଏ ଓ ଯେଉଁ ସଂସ୍କୃତି ଭାଗ୍ୟବାଦକୁ ମାନି ନେଉଥିବାରୁ ସବୁ ମଣିଷଙ୍କୁ ଆଦୌ ଏକାଠି ପରସ୍ପରର ନିକଟକରି ବସାଇବା ନିମନ୍ତେ ସାହସ କରିପାରୁ ନଥାଏ, ସେଠାରେ ସାହିତ୍ୟକୁ ମଧ୍ୟ ପ୍ରାୟ କପଟୀ ହୋଇ ରହିବାକୁ ପଡ଼ିଥାଏ । ସେହି ସମାଜ ଓ ସଂସ୍କୃତିଦ୍ଵାରା ପରିଚାଳିତ ସାହିତ୍ୟ ଭୀରୁ ହୋଇ ରହିବା ଲାଗି ବହୁତ ପ୍ରଶ୍ରୟ ପାଇଥାଏ । ସୌନ୍ଦର୍ଯ୍ୟ, ଶିବ ଏବଂ ସତ୍ୟର ଅର୍ଥଗୁଡ଼ିକ ସେଠାରେ ଅତ୍ୟନ୍ତ ବିକୃତ ହୋଇ ରହିଥାନ୍ତି ।

 

ଭାରତୀୟ ସାହିତ୍ୟ ସମ୍ଭବତଃ ସେହି କାରଣରୁ ତା’ ସମ୍ମୁଖରେ ଆସି ଉପସ୍ଥିତ ହେଉଥିବା ଆହ୍ଵାନଗୁଡ଼ିକର ଯଥେଷ୍ଟ ଉପଯୁକ୍ତ ଭାବରେ ଯୋଗ୍ୟ ହୋଇପାରିନାହିଁ । ଅର୍ଥାତ୍‍ ଯଥାର୍ଥରେ ଶକ୍ତିମନ୍ତ ଭାବରେ ସେଗୁଡ଼ିକର ଜବାବ ଦେଇପାରିନାହିଁ । କେବଳ ଅତୀତର ଯୁଗମାନଙ୍କର ନୁହେଁ, ଆମର ଏହି ଆଧୁନିକ ଯୁଗରେ ମଧ୍ୟ ଭାରତୀୟ ସାହିତ୍ୟ ଅନୁରୂପ ଭାବରେ ଆପଣାର ଉଚ୍ଚତାଗୁଡ଼ିକୁ ସ୍ପର୍ଶ କରିପାରିନାହିଁ । ପ୍ରାଚୀନ କାଳ ପରି ଆମର ଏହି ଆଧୁନିକ କାଳରେ ମଧ୍ୟ ଏଠାରେ ସାହିତ୍ୟ ଯେପରି ଥୋକେ ମନୁଷ୍ୟଙ୍କର ଅଥବା, ଆହୁରି ସ୍ପଷ୍ଟ କରି କହିଲେ, କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀରହିଁ ସମ୍ପତ୍ତି ହୋଇରହିଛି । ସବୁଶ୍ରେଣୀର ସବୁ ମଣିଷଙ୍କୁ ଆଦୌ ସ୍ପର୍ଶ କରିନାହିଁ, ସବୁ ମଣିଷଙ୍କର ଆୟତନକୁ ଦୃଷ୍ଟି ସମକ୍ଷରେ ଧରି ରଖିବା ନିମନ୍ତେ ତାହା ସମର୍ଥ ହୋଇନାହିଁ ଏବଂ ଭବିଷ୍ୟତର ଏକ ସମ୍ପୂର୍ଣ୍ଣ ଚିତ୍ର ଆଙ୍କିବା ଲାଗି ସାହସ କରିପାରିନାହିଁ ବୋଲି ବାରବାର ପଛକୁ ଚାହିଁଛି, ବାରବାର ଅତୀତ ଭିତରକୁ ଧାଇଁ ପଳାଇଛି ଏବଂ ସେହି ଅତୀତ ମଧ୍ୟରେହିଁ ସବୁ ରହିଥିଲା ବୋଲି ବିଳାପ କରି ଆପଣାକୁ କେତେ ସାନ୍ତ୍ଵନା ଦେଇଆସିଛି ।

 

ଭାରତୀୟ ପାରମ୍ପରିକ ଧର୍ମମାନଙ୍କ ପରି ଭାରତର ସାହିତ୍ୟ ମଧ୍ୟ ଅଧିକାଂଶ କ୍ଷେତ୍ରରେ ପଛକୁ ଅନାଇଛି ଏବଂ ଭବିଷ୍ୟତ ଲାଗି ସାହସ କରିନାହିଁ । ଏପରିକି, ଏହି ବର୍ତ୍ତମାନ ମୁହୂର୍ତ୍ତଟିରେ ମଧ୍ୟ ଜୀବନ ତାକୁ ଯେତିକି ଆହ୍ଵାନର ସମ୍ମୁଖୀନ ହେବାଲାଗି ଉଦ୍‍ବୁଦ୍ଧ କରାଇପାରନ୍ତା, ଭାରତୀୟ ସାହିତ୍ୟ ତାହା ଯୋଗ୍ୟ ହୋଇ ପାରୁନାହିଁ । ବର୍ତ୍ତମାନ ଯୋଗ୍ୟ ହୋଇ ପାରୁନାହିଁ ବୋଲି ଆପଣାର ତଥାକଥିତ ଅତୀତ ସହିତ ଅଧିକରୁ ଅଧିକ ପରିମାଣରେ ବାନ୍ଧି ହୋଇ ରହିବାକୁ ସତେଅବା ଭାରି ନିରାପଦ ମନେ କରୁଛି । ବର୍ତ୍ତମାନ ପ୍ରତି ଅକ୍ରିୟ ଓ ଉଦାସୀନ ରହି ଅତୀତ ମଧ୍ୟକୁ ଢଳିପଡ଼ିବା ଏବଂ ତାହାରିଦ୍ଵାରା ଗୌରବ ଅନୁଭବ କରିବା, ଏହା ଯେପରି ଭାରତୀୟ ସାହିତ୍ୟର ଏକ ସ୍ଵଭାବଗତ ବ୍ୟାଧି ହୋଇ ଆସିଛି । ଅତୀତ ମଧ୍ୟରେହିଁ ଯେକୌଣସି ସମାଜ ଓ ସଂସ୍କୃତିର ମୂଳଗୁଡ଼ିକ ରହିଥାଏ । ମାତ୍ର, ସେହି ମୂଳ ବା ଚେରଗୁଡ଼ିକ ଆମକୁ ଆମ ବର୍ତ୍ତମାନ ଆହ୍ଵାନଗୁଡ଼ିକର ସମ୍ମୁଖୀନ ହୋଇ ଭବିଷ୍ୟତ ମଧ୍ୟକୁ ଆପଣାର ଶାଖାପ୍ରଶାଖାଗୁଡ଼ିକୁ ବିସ୍ତାରିତ କରି ଦେବାଲାଗି ଯଥେଷ୍ଟ ଉତ୍ସାହ ଏବଂ କ୍ରିୟାଶୀଳତା ଅବଶ୍ୟ ଯୋଗାଇ ଦେବା ଉଚିତ । ଭାରତୀୟ ସମାଜରେ ଅଧିକାଂଶତଃ ସେହି କଥାଟି ଘଟି ପାରିନାହିଁ । ବାହାରୁ ଯେତେବେଳେ ଗବେଷକ ଆସି ଭାରତବର୍ଷର ସମାଜ ତଥା ସଂସ୍କୃତିର କୌଣସି ଅଧ୍ୟୟନ କରିବାକୁ ମନ କରିଛନ୍ତି, ସେମାନେ ପ୍ରାୟ ସମସ୍ତେ ସେହି କଥାଟିକୁ କହିଛନ୍ତି ଏବଂ ଆମକୁ ଚେତାଇ ଦେବାର ପ୍ରୟାସ ମଧ୍ୟ କରିଛନ୍ତି । ସେମାନଙ୍କର ସେହି ସମୀକ୍ଷାଗୁଡ଼ିକ ମଧ୍ୟ ହୁଏତ ଆମର ଯଥେଷ୍ଟ ମୋହଭଙ୍ଗ କରାଇପାରିନାହାନ୍ତି-

 

ଆମର ଏହି ଯୁଗଟି ହେଉଛି ତୁଳନାତ୍ମକ ସାହିତ୍ୟର ଯୁଗ । ଏକ ତୁଳନାତ୍ମକ ସଂସ୍କୃତିର ଯୁଗ, ତୁଳନାତ୍ମକ ସମାଜ-ଅଧ୍ୟୟନର ଯୁଗ । ସମଗ୍ର ମାନବସମାଜ ଲାଗି ଏହାକୁ ଆମେ ଏକ ବିଶେଷ ସୁଯୋଗ ବୋଲି ଅବଶ୍ୟ ଗ୍ରହଣ କରିବା । ଆଗେ ଅଧିକାଂଶ ସମାଜ, ଅଧିକାଂଶ ସଂସ୍କୃତି ଏବଂ ଅଧିକାଂଶ ଧର୍ମ ପ୍ରାୟ ଏକ ଦ୍ୱୀପର ଜୀବନଯାପନ କରୁଥିଲେ । ସମୁଦ୍ର ଭିତରେ ଆପଣାକୁ ପ୍ରାୟ ଏକମାତ୍ର ଦ୍ଵୀପ ବୋଲି ମନେ କରୁଥିଲେ ଏବଂ ସେଥିରେ ଉତ୍‍ଫୁଲ୍ଲ ଅନୁଭବ କରୁଥିଲେ । ପ୍ରତ୍ୟେକ ଜାତି ଆପଣାକୁ ଏକମାତ୍ର ଶିଷ୍ଟ ଜାତି ବୋଲି ଭାବୁଥିଲା, ପ୍ରତ୍ୟେକ ଧର୍ମ ଭଗବାନରୂପୀ ପଣ୍ୟର ସ୍ଵତନ୍ତ୍ର ଅନୁମତିପ୍ରାପ୍ତ ଏକମାତ୍ର ବେପାରୀ ବୋଲି ନିଜକୁ ମନେ କରୁଥିଲା । ଭାଷାମାନେ ଆପଣାକୁ ଆକାଶ ଭିତରେ ରହିଥିବା ସତେଅବା ଏକମାତ୍ର ତାରା ବୋଲି କହି କେତେ ଆନନ୍ଦ ପାଉଥିଲେ । ସେମାନଙ୍କ ଚାରିପଟେ ଅଳ୍ପତାର ଉଚ୍ଚ କାନ୍ଥମାନ ଛିଡ଼ା ହୋଇ ରହିଥିଲା, ସେମାନଙ୍କର କଳ୍ପନାରେ ସମ୍ଭବତଃ ଅନେକ ଅସହିଷ୍ଣୁତା ଭର୍ତ୍ତି ହୋଇ ରହିଥିଲା । ସେମାନେ କେହି ସାଙ୍ଗ ଖୋଜୁ ନଥିଲେ । ଆମର ଏହି ଯୁଗଟି ହେଉଛି ପ୍ରଧାନତଃ ସାଙ୍ଗ ଖୋଜିବାର ଯୁଗ, ଏକ ଅଭୂତପୂର୍ବ ଯୁଗ । ପରସ୍ପରଠାରୁ ପ୍ରେରଣା ପାଇବାର ଯୁଗ ଏବଂ ପରସ୍ପରଦ୍ଵାରା ପ୍ରେରିତ ହୋଇ ପାରିବାର ଯୁଗ । ଆମର ଏହି ଯୁଗଟିକୁ ବିଜ୍ଞାନର ଯୁଗ ବୋଲି କହିବା ସମୟରେ ଆମେ ସବା ଆଗ ଏହି କଥାଟିକୁ ବୁଝିବା ଏବଂ ସେହି ଅନୁସାରେ ଆପଣାର ଅବଲୋକନଗୁଡ଼ିକୁ ମଧ୍ୟ ବଦଳାଇବାକୁ ଚେଷ୍ଟା କରିବା । ଆପଣାର ସମାଜକୁ, ଆପଣାର ସଂସ୍କୃତିକୁ ତଥା ସାହିତ୍ୟକୁ ଆମେ ଆଉ ଆଦୌ ଏକ ଦ୍ଵୀପ ପରି ଏକାନ୍ତ ଅସଂଲଗ୍ନ ଭାବରେ ଦେଖିପାରିବା ନାହିଁ । ତେଣୁ ସାହିତ୍ୟ ବିଷୟରେ ଆମର ଯାବତୀୟ ଆଲୋଚନା ଏକାବେଳକେ ଅନ୍ୟ ପ୍ରକାରର ଓ ଅନ୍ୟ ଆୟାମର ହେବାକୁ ବାଧ୍ୟ ହେବ । ଅଧ୍ୟୟନ ଯାବତୀୟ ଦୃଷ୍ଟି କାନ୍ଥଗୁଡ଼ିକୁ ଡେଇଯିବାକୁ ବାଧ୍ୟ ହେବ-। ଆପଣାକୁ ଏକ ବୃହତ୍ତର ପରିପ୍ରେକ୍ଷୀରେ ଦେଖିହିଁ ଆମେ ଯଥାର୍ଥ ଭାବରେ ଦେଖିପାରିବା, ଯଥାର୍ଥ ଭାବରେ ଉପକୃତ ହେବା ।

 

ଯେକୌଣସି ଭାଷା ପରି ଓଡ଼ିଶାର ଭାଷା ମଧ୍ୟ ବିବର୍ତ୍ତିତ ହୋଇ ଆସିଛି । ବର୍ତ୍ତମାନ ଆମେ ଯେଉଁ ଭାଷାକୁ ଓଡ଼ିଆ ଭାଷା ବୋଲି ଚିହ୍ନିଛୁ, ତାହା ଗତ ବହୁ ଶତାବ୍ଦୀ ଧରି ବିବର୍ତ୍ତିତ ହୋଇ ଆସିଥିବା ଏହି ଭୂମିରେ କଥିତ ଭାଷାଟିର କ୍ରମପରିଣତି । ଏହି ଭାଷା ମୂଳରୁ ଆଦୌ ଏଭଳି ନଥିଲା, ଆଗକୁ ସବୁଦିନ ଲାଗି ମୋଟେ ଏହିପରି ହୋଇ ରହିବ ନାହିଁ । ତଥାପି ଏହି ଭୂଇଁର ଅଧିବାସୀମାନେ ତାହାକୁ ଓଡ଼ିଆ ଭାଷା ବୋଲି କହିବେ, ଏହାକୁ ନିଜ ଭାଷା ବୋଲି ଚିହ୍ନିବେ । ଓଡ଼ିଆ ଭାଷା ପରି ଓଡ଼ିଆ ସାହିତ୍ୟର ମଧ୍ୟ ଏକ ଇତିହାସ ରହିଛି । ସେହି ଇତିହାସ ହେଉଛି ଏକ କ୍ରମବିବର୍ତ୍ତନର ଇତିହାସ । ଓଡ଼ିଆ ଭାଷା ଯେପରି କୌଣସି ଦେବତାଙ୍କଦ୍ଵାରା ଆଦେଶ ପାଇ ଓଡ଼ିଶା ନାମକ ଏହି ଭୂଖଣ୍ଡଟିକୁ ଖସି ପଡ଼ି ନାହିଁ, ଠିକ୍‍ ସେହିପରି ଓଡ଼ିଶାକୁ ସ୍ଵତନ୍ତ୍ର ଭାବରେ ଜାଣିଥିବା ଓ ଓଡ଼ିଶା ପ୍ରତି ବିଶେଷ କରୁଣା ରଖିଥିବା କୌଣସି ଦେବୀ ମଧ୍ୟ ଓଡ଼ିଆ ସାହିତ୍ୟକୁ କଦାପି ଜନ୍ମ ଦେଇ ନାହାନ୍ତି । ଓଡ଼ିଆ ସାହିତ୍ୟକୁ ଓଡ଼ିଶାର ମଣିଷହିଁ ବିବର୍ତ୍ତିତ କରିଆସିଛି ଏବଂ ସେହି ମଣିଷ ଆବହମାନ କାଳରୁ ଏକ ସମାଜ ଭିତରେ ବାସ କରିଆସିଛି, ଏକ ନିର୍ଦ୍ଦିତ ଅଞ୍ଚଳ ସତତ ପରିବର୍ତ୍ତିତ ହେବାରେ ଲାଗିଥିବା ସଂସ୍କୃତି ଭିତରେ ଆତଯାତ ହୋଇଆସିଛି । ମଣିଷମାତ୍ରକେ ସମସ୍ତେ ଏକ ସମାଜରେ ଅବଶ୍ୟ ବାସ କରନ୍ତି ଓ ଏକ ସଂସ୍କୃତିଦ୍ଵାରା ପରିପାଳିତ ମଧ୍ୟ ହୋଇଥାନ୍ତି । ମାତ୍ର, ମଣିଷମାତ୍ରକେ ସମସ୍ତେ କବି ବା ସାହିତ୍ୟିକ ହୁଅନ୍ତି ନାହିଁ । କେତେକ ବ୍ୟକ୍ତି ହୁଏତ ଏକ ବିଶେଷ ସମ୍ବେଦନଶୀଳତା ଜାଗରୁକତା ବହନ କରି ଏହି ପୃଥିବୀରେ ଜୀବନ ବଞ୍ଚୁଥାନ୍ତି, ଆପଣାର ସମାଜ ତଥା ସଂସ୍କୃତି ସେମାନଙ୍କର ସମ୍ବେଦନଶୀଳତାକୁ ଜାଗୃତ କରି ଆଣେ, ସାହିତ୍ୟରୂପେ ଅଭିବ୍ୟକ୍ତ କରି ଆଣିଥାଏ ।

 

ଏପର୍ଯ୍ୟନ୍ତ ଗବେଷକମାନେ ଯେତିକି ଅନୁମାନ କରିପାରିଛନ୍ତି, ଓଡ଼ିଆ ସାହିତ୍ୟକୁ ସେହି ଅନୁସାରେ ଆମେ ବିଗତ ପାଞ୍ଚ ବା ଛଅଶହବର୍ଷର ଏକ ସାହିତ୍ୟ ବୋଲି କହିପାରିବା । ଏହି କେତୋଟି ଶତାବ୍ଦୀର ଅବଧି ମଧ୍ୟରେ ଓଡ଼ିଶାର ସାମାଜିକ ଏବଂ ସାଂସ୍କୃତିକ ଭୂମି କେତେ ପ୍ରକାରେ ବଦଳି ବଦଳି ଆସିଛି; ଅର୍ଥାତ୍‍ କେତେକେତେ ଆହ୍ଵାନର ସମ୍ମୁଖୀନ ହୋଇଛି ଓ କେତେ ପ୍ରକାରେ ସମାଧାନ ଖୋଜି ଆଗକୁ ଆଗକୁ ଆସିଛି । ଲେଖକମାତ୍ରକେ ସମସ୍ତେ ଯେ ସେହି ଆହ୍ଵାନଗୁଡ଼ିକୁ ଗୋଟିଏ ପ୍ରକାରେ ଆଘ୍ରାଣ କରିଛନ୍ତି ଏବଂ ଗୋଟିଏ ପ୍ରକାରେ ସାହିତ୍ୟର ମାଧ୍ୟମରେ ଆପଣାର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି, ସେକଥା ମୋଟେ ନୁହେଁ । ଯିଏ ଯେତିକି ଦେଖିଛି, ସିଏ ସେତିକି ଅନୁପ୍ରେରିତ ହୋଇଛି; ଆପଣାର ସମ୍ବେଦନଶୀଳତା ବା ଅନୁରାଗର ଦ୍ଵାରକୁ ଯିଏ ଯେତିକି ଅଧିକ ପରିମାଣରେ ଉନ୍ମୋଚିତ କରିଦେଇ ପାରିଛି, ସିଏ ହୁଏତ ସେତିକି ଅଧିକ ଦେଖିଛି, ସେତିକି ଗଭୀରକୁ ଘ୍ରାଣ କରିପାରିଛି । କେହି କେହି ସ୍ଵୀକୃତ ଗୁଳାଗୁଡ଼ିକ ଭିତରେ ପଶି ଯାଇଛନ୍ତି, କେହି ଗୁଳାଗୁଡ଼ିକର ଆହୁରି ସେପାଖକୁ ଦେଖିଛନ୍ତି । ଗୁଳାଗୁଡ଼ିକୁ ଭାଙ୍ଗିଛନ୍ତି । ସତକୁସତ ନୂଆ କରି କିଛି ସୃଷ୍ଟି କରିଛନ୍ତି । ଗୋଟିଏ ଗୋଟିଏ ଯୁଗରେ ଜୀବନର, ଜଗତର ବିଶେଷ ଦିଗହିଁ ସାହିତ୍ୟ ଲାଗି ଏକ ପ୍ରଧାନ ଆବେଦନ ପରି କାର୍ଯ୍ୟ କରିଛି । ଗବେଷକମାନେ ସେହି ଅନୁସାରେ ସେହି ଯୁଗଟିର ଏକ ବିଶେଷ ନାମକରଣ ମଧ୍ୟ କରିଛନ୍ତି । ସେହି ଯୁଗାନୁକ୍ରମରେ ସେମାନେ ସାହିତ୍ୟର ଏକ ଇତିହାସ ଲେଖିବାକୁ ମଧ୍ୟ ପ୍ରୟାସ କରିଛନ୍ତି । ସେମାନେ ନିଜ ନିଜର ରୁଚି ଏବଂ ମୂଲ୍ୟ-କଳନା ଅନୁସାରେ ଗୋଟିଏ ଯୁଗକୁ ହୁଏତ ଆଉ ଗୋଟିଏ ଯୁଗର ତୁଳନାରେ ଅଧିକ ମହତ୍ତ୍ଵ ଦେଇଛନ୍ତି । ଜଣେ ସାହିତ୍ୟକାରକୁ ବା କବିକୁ ଆଉ ଜଣେ ସାହିତ୍ୟକାର ବା କବିର ତୁଳନାରେ ଅଧିକ ମହତ୍ତ୍ଵ ମଧ୍ୟ ଦେଇଛନ୍ତି ।

 

ଓଡ଼ିଆ ଭାଷା ଆମର ଭାଷା, ଓଡ଼ିଆ ସାହିତ୍ୟ ଆମର ସାହିତ୍ୟ । ତେଣୁ ଏହି ସାହିତ୍ୟର ଆଲୋଚନା କରୁଥିବା ସମୟରେ ଟିକିଏ ଅନୁକୂଳତା ପାଇଲେ ଆମେ କିଞ୍ଚିତ୍‍ ଭାବପ୍ରବଣ ହୋଇପଡ଼ିବା ଅତ୍ୟନ୍ତ ସ୍ଵାଭାବିକ । ବିଶେଷତଃ ଜାତି ସହିତ ଅତ୍ୟନ୍ତ ଆସକ୍ତ ଭାବରେ ସାହିତ୍ୟକୁ ଯୋଡ଼ି ଦେଇ ଯେତେବେଳେ ସାହିତ୍ୟର ଆଲୋଚନା କରାଯାଏ, ସେତେବେଳେ ଆମର ଉତ୍ସାହ ଅଧିକତର କ୍ଷେତ୍ରରେ ଏକ ଅତ୍ୟୁତ୍ସାହରେ ପରିଣତ ହୋଇ ପଡ଼ିବାର ପ୍ରବଳ ଆଶଙ୍କା ମଧ୍ୟ ସର୍ବଦା ରହିଥାଏ । ଭାରତବର୍ଷରେ ସାହିତ୍ୟର ଆଲୋଚନା-ପଦ୍ଧତି ପ୍ରଧାନତଃ ଉତ୍ସାହଦ୍ଵାରା ପରିପ୍ରେରିତ ହୋଇଥାଏ ବୋଲି ଭାରତର ସାହିତ୍ୟକୁ ଯଥାସମ୍ଭବ ଦୂରରେ ରହି ଓ ଭାବପ୍ରବଣତାରୁ ମୁକ୍ତ ରହି ଦେଖୁଥିବା ସମୀକ୍ଷକମାନେ ମତ ଦେଇଥାନ୍ତି । ଆଲୋଚନାର କ୍ଷେତ୍ରରେ ଗୋଟିଏ ହେଉଛି ଉତ୍ସାହପ୍ରଧାନ ଆଲୋଚନା ଏବଂ ଆଉ ଗୋଟିଏ ସମୀକ୍ଷାପ୍ରଧାନ ଆଲୋଚନା । ଦ୍ଵିତୀୟ ପଦ୍ଧତିଟିକୁ ଆମ ଯାବତୀୟ ସାହିତ୍ୟ-ଅଧ୍ୟୟନର ମାପକାଠି ବୋଲି ଗ୍ରହଣ କଲେ ଆମକୁ ଯେ ସବୁପ୍ରକାର ଅନୁରାଗ ବା ଉତ୍ସାହ ଭିତରୁ ବାହାରି ଆସିବାକୁ ପଡ଼ିବ, ସେକଥା ଆଦୌ ନୁହେଁ । ଅସଲ ଅନୁରାଗ ହେଉଛି ଯଥାସମ୍ଭବ ଅଧିକ ସମ୍ପୂର୍ଣ୍ଣ ଭାବରେ ଦେଖିପାରିବାର ଅନୁରାଗ । ସେହି ସମ୍ପୂର୍ଣ୍ଣ ଭାବରେ ଦେଖିବା, ତାହାହିଁ ସମୀକ୍ଷକର ଦୃଷ୍ଟିରେ ଦେଖିବା । ସମୀକ୍ଷାତ୍ମକ ଭାବରେ ସାହିତ୍ୟକୁ ଦେଖୁଥିଲେ ସର୍ବଦା ଆଗକୁ ଆଗକୁ ବାଟ ଦିଶି ଯାଉଥିବ, ସର୍ବଦା ଆଗକୁ ଆଗକୁ ଦୁଆର ଖୋଲି ଯାଉଥିବ । କେବଳ ଉତ୍ସାହଦ୍ଵାରା ବା ମୋର ଭାଷା, ମୋର ସାହିତ୍ୟ ବୋଲି କହି ସାହିତ୍ୟ ଭିତରକୁ ପ୍ରବେଶ କରୁଥିବା ଜଣେ ବ୍ୟକ୍ତିକୁ ନାନାପ୍ରକାର ମୋହ ଆଚ୍ଛନ୍ନ କରି ପକାଇବ ଏବଂ ସେ ଅସଲ ଦେଖିପାରିବାର ଆଖିଗୁଡ଼ିକୁ ଆଦୌ କାମରେ ଲଗାଇ ପାରିବ ନାହିଁ ।

 

ପରବର୍ତ୍ତୀ ଅଧ୍ୟାୟଗୁଡ଼ିକରେ ଆମେ କାଳାନୁକ୍ରମେ ଓଡ଼ିଆ ସାହିତ୍ୟର ପର୍ଯ୍ୟାୟଗୁଡ଼ିକର ଆଲୋଚନା କରିବା । ପ୍ରତ୍ୟେକ ପର୍ଯ୍ୟାୟର ସାମାଜିକ ଏବଂ ସାଂସ୍କୃତିକ ଭୂମି ଉପରେହିଁ ସେଗୁଡ଼ିକର ଆଲୋଚନା କରିବା । ଉତ୍ସାହ ଏବଂ ଅନୁରାଗର ସହିତ ଆଲୋଚନା କରିବା, ତଥାପି ଯଥାସମ୍ଭବ ଅଧିକ ମୋହମୁକ୍ତ ଭାବରେ ସେଗୁଡ଼ିକର ଆଲୋଚନା କରିବା । ତେବେଯାଇ ଆମେ ଆମ ସାହିତ୍ୟ ନାମକ ଦୀର୍ଘ ବହୁ ଶତାବ୍ଦୀବ୍ୟାପୀ ସମ୍ପଦଟିର ଦାୟାଦ ହୋଇପାରିବା, ଆପଣାର ଏହି ସାହିତ୍ୟ ନାମକ ଐତିହ୍ୟଟି ବିଷୟରେ ଯଥାର୍ଥଭାବେ ସଚେତନ ହୋଇପାରିବା । ଆମ ସାହିତ୍ୟକୁ ନେଇ ଆହୁରି ଆଗକୁ ଚିନ୍ତା କରିପାରିବା । ଏହାରିଦ୍ୱାରା ଆମେ ନିଜ ଭିତରେ ଯେଉଁ ସାହିତ୍ୟିକ ଆଗ୍ରହଟିକୁ ସୃଷ୍ଟି କରିପାରିବା, ତାହା ଆମକୁ ଯଥାର୍ଥରେ ସୃଜନଶୀଳ ଭାବରେ ଭାବିବାକୁ ଓ ଅନୁଭବ କରିବାକୁ ଶିଖାଇବ, ଆମକୁ ଉପଯୁକ୍ତ ଲୋଚନଗୁଡ଼ିକର ଅଧିକାରୀ କରାଇବ । ହୁଏତ ତେବେଯାଇ ଓଡ଼ିଆ ସାହିତ୍ୟ ଆମଦ୍ଵାରା ମଧ୍ୟ ଆଗକୁ କେତେ ପାଦ ଆଗେଇ ଯାଇପାରିବ ।

Image

 

Unknown

ଚତୁର୍ଥ ପରିଚ୍ଛେଦ

ଲିଖିତ ସାହିତ୍ୟର ଆରମ୍ଭକାଳ

 

ଓଡ଼ିଶାର ଲୋକସଂଖ୍ୟା ତିନି କୋଟିରୁ କିଞ୍ଚିତ୍‍ ଅଧିକ । ଭାରତବର୍ଷର ମୋଟ ଲୋକସଂଖ୍ୟାର ଅନୁପାତରେ ଏହା ଶହେରୁ ଚାରିଭାଗବି ହେବ ନାହିଁ । ତିନିକୋଟିଯାକ ସମସ୍ତେ ଓଡ଼ିଆ ଭାଷା କହନ୍ତି ନାହିଁ । ଓଡ଼ିଶାରେ ମୋଟ ଲୋକସଂଖ୍ୟାର ଚାରିଭାଗରୁ ଭାଗେ ହେଉଛନ୍ତି ଓଡ଼ିଶାର ଆଦିବାସୀମାନେ । ଏମାନେ ନିଜ ଘରେ ଓଡ଼ିଆ ଭାଷାରେ କଥା କହନ୍ତି ନାହିଁ । ବଜାରରେ ଅର୍ଥାତ୍‍ ବିଭିନ୍ନ ପ୍ରୟୋଜନର କ୍ଷେତ୍ରରେ ଅଣଆଦିବାସୀମାନଙ୍କର ସମ୍ୱନ୍ଧରେ ଆସୁଥିବା ସମୟରେ ସେମାନେ ଓଡ଼ିଆ କହନ୍ତି । ଆଦିବାସୀମାନେହିଁ ସର୍ବପ୍ରଥମେ ଓଡ଼ିଶାରେ ବାସ କରୁଥିଲେ । ଓଡ଼ିଶା ନାମକ ଭୂମିର ସର୍ବପ୍ରଥମ ସଭ୍ୟତା ହେଉଛି ଆଦିବାସୀ ସଭ୍ୟତା ବା ଅଷ୍ଟ୍ରିକ୍ ସଭ୍ୟତା । ତେଣୁ ଏହା ଏକ ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ଓଡ଼ିଆ ଭାଷା ଓଡ଼ିଶାର ଆଦୌ ସର୍ବପ୍ରଥମ ଭାଷା ମଧ୍ୟ ନୁହେଁ । ମୂଳ ଆଦିବାସୀ ଭାଷା-ସ୍ତରଟି ସହିତ ବିଭିନ୍ନ କାଳର ଅନୁକ୍ରମରେ ଆହୁରି କେତେ ଭାଷା, ବୋଲି ଏବଂ ଉପଭାଷା ମିଶି ଓଡ଼ିଆ ନାମକ ଭାଷା କ୍ରମଗଠିତ ହୋଇ ଆସିଛି । ଏହି କ୍ରମଗଠନକୁ କେହି ଯୋଜନା କରି କରିନାହିଁ । କୌଣସି ଭାଷା ଯୋଜନା କରି କରାଯାଏ ନାହିଁ । ଲୋକମୁଖରେହିଁ ଯେକୌଣସି ଭାଷା ନିରନ୍ତର ବିବର୍ତ୍ତିତ ହୋଇ ଚାଲିଥାଏ । ଗୋଟିଏ ଭୂମିରେ ଆସି ବାସ କରୁଥିବା ମନୁଷ୍ୟମାନେ ପରସ୍ପର ସହିତ ସମ୍ପର୍କ ସ୍ଥାପନ କରି କ୍ରମଶଃ ପ୍ରାୟ ଗୋଟିଏ ଏକକରେ ପରିଣତ ହୋଇ ଆସୁଥିବାର ପ୍ରକ୍ରିୟା ମଧ୍ୟରେହିଁ କୌଣସି ଏକ ଭାଷା ଗଠିତ ହୋଇ ଆସୁଥାଏ । ମଝିରେ ମଝିରେ ଏପରି ପଣ୍ଡିତମାନେ ବାହାରନ୍ତି, ଯେଉଁମାନେ କି ଚଳନ୍ତି ଭାଷାକୁ ଏକ ସୂତ୍ରରେ ପକାଇବାକୁ ଚେଷ୍ଟା କରନ୍ତି, ଲୋକମାନେ ବ୍ୟବହାର କରୁଥିବା ଭାଷାରୁହିଁ ସେମାନେ ସେହି ସୂତ୍ରଗୁଡ଼ିକୁ ବାହାର କରନ୍ତି ଓ ସେହି ଭାଷାକୁ ଅନ୍ୟ ଭାଷାଗୁଡ଼ିକର ତୁଳନାରେ ସ୍ଵତନ୍ତ୍ର ବୋଲି କହନ୍ତି । ସୂତ୍ରଗୁଡ଼ିକୁ ସେହି ଭାଷାର ବ୍ୟାକରଣ ବୋଲି କୁହାଯାଏ ।

 

ତେଣୁ ଓଡ଼ିଆ ନାମକ ଭୂମି ଓ ସେହି ଭୂମିରେ ବାସ କରୁଥିବା ମଣିଷମାନଙ୍କର ବୟସ ତୁଳନାରେ ଓଡ଼ିଆ ଭାଷାକୁ ଆଦୌ ଖୁବ୍ ବେଶୀ ଦିନର ଭାଷା ବୋଲି କୁହାଯାଇପାରିବ ନାହିଁ । ପୃଥିବୀର ସବୁ ଭାଷା ଆଦୌ ଲିଖିତ ଭାଷା ନୁହେଁ । ଅର୍ଥାତ୍‍ ପୃଥିବୀର ଅଧିକସଂଖ୍ୟକ ଭାଷା କେବଳ କଥିତ ଭାଷା, ତାହାର ଲିପି ନାହିଁ । ଯେଉଁଗୁଡ଼ିକର ଲିପି ରହିଛି, ସଚରାଚର ସେହିଗୁଡ଼ିକରହିଁ ଲିଖିତ ସାହିତ୍ୟ ରହିଛି । ଯେକୌଣସି ଭାଷାର ତୁଳନାରେ ସେହି ଭାଷାରେ ଲିଖିତ ସାହିତ୍ୟର ବୟସ ଅନେକ କମ୍ । ଓଡ଼ିଶାର ସାହିତ୍ୟ ଅର୍ଥାତ୍ ଓଡ଼ିଆ ସାହିତ୍ୟର ଆଲୋଚନା କରିବା ସମୟରେ ଆମେ ଏହି କଥାଗୁଡ଼ିକୁ ଅବଶ୍ୟ ସ୍ମରଣ ରହିବା । ବିଂଶ ଶତାବ୍ଦୀର ଏହି ଶେଷ ଦଶନ୍ଧିରେ ମଧ୍ୟ ଓଡ଼ିଶା ରାଜ୍ୟରେ ଅଧରୁ ଅଧିକ ଲୋକ ନିରକ୍ଷର ରହିଛନ୍ତି । ତାହାର ଅର୍ଥ ହେଉଛି, ସେମାନେ ଓଡ଼ିଆ ଭାଷା ବୁଝିପାରନ୍ତି ଏବଂ ଓଡ଼ିଆରେ କଥା କହିପାରନ୍ତି ସତ, ମାତ୍ର ଓଡ଼ିଆ ପଢ଼ି ପାରନ୍ତି ନାହିଁ । ଓଡ଼ିଆ ଲିଖିତ ସାହିତ୍ୟରେ ଏମାନଙ୍କର ଆଦୌ କୌଣସି ଭାଗ ନାହିଁ-। ଓଡ଼ିଆ ଭାଷାରେ ସାକ୍ଷରମାତ୍ରେ ସମସ୍ତଙ୍କର ଯେ ଏହି ଲିଖିତ ସାହିତ୍ୟ ଭିତରକୁ ପ୍ରବେଶ ଅଥବା ଦଖଲ ଅଛି, ସେକଥା ମଧ୍ୟ ନୁହେଁ । ସରକାରୀ ହିସାବ ଅନୁସାରେ ଏବେ ମଧ୍ୟ ଓଡ଼ିଶାର ଅଧେ ପିଲା ସ୍କୁଲ୍ ଯାଆନ୍ତି ନାହିଁ । ଯେତିକି ଯାଆନ୍ତି, ସେଥିରୁ ପ୍ରାୟ ଅଧେ ବା ଅଧକରୁ ଅଧିକ ପିଲାଙ୍କର ପାଠ ପ୍ରଥମ ପାଞ୍ଚବର୍ଷ ମଧ୍ୟରେହିଁ ବନ୍ଦ ହୋଇଯାଏ । ଯେଉଁମାନେ ଏହିପରି ଭାବରେ ସାହିତ୍ୟ ବାହାରେ ରହିଥିବା ନାନା ସାମାଜିକ କାରଣରୁ ଅଧବାଟରେ ରହିଯାଆନ୍ତି, ଏହି ଭୂମିର ଭାଷାରେ ଏବଂ ଏହି ଭୂମିର ସଂସ୍କୃତିରେ ସେମାନଙ୍କର ଏକ ଭାଗ ଅତ୍ୟନ୍ତ ସୁନିଶ୍ଚିତ ଭାବରେ ରହିଥିଲେ ମଧ୍ୟ ଲିଖିତ ଓଡ଼ିଆ ସାହିତ୍ୟର ପରିଧି ଭିତରେ ସେମାନଙ୍କୁ କଦାପି ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ । ସଂସ୍କୃତି ତଥା ଭାଷାର ପରିସରଟି ସାଧାରଣତଃ ଯେତିକି ବ୍ୟାପ୍ତ ହୋଇ ରହିଥାଏ ଏବଂ ସମ୍ପୃକ୍ତ ପ୍ରାୟ ସମସ୍ତଙ୍କର ପ୍ରତିନିଧିତ୍ଵ କରୁଥାଏ, ସାହିତ୍ୟବେଳକୁ ସେକଥାଟି କଦାପି ସତ ବୋଲି ଗ୍ରହଣ କରାଯିବ ନାହିଁ । ଏପରିକି, ଗୋଟିଏ ଦେଶ ବା ଗୋଟିଏ ଭୂମିର ସାହିତ୍ୟ ମଧ୍ୟ ସବୁ କ୍ଷେତ୍ରରେ ଯେ ସେହି ଭୂମିର ପୂର୍ଣ୍ଣ ପ୍ରତିନିଧିତ୍ଵ କରୁଛି, ସେକଥା ମଧ୍ୟ କୁହାଯାଇପାରିବ ନାହିଁ । ବିଶେଷକରି ପୃଥିବୀର ବିକାଶଶୀଳ ଅର୍ଥାତ୍ ଅବିକଶିତ ଦେଶ ଓ ସମାଜମାନଙ୍କରେ, ଯେଉଁଠାରେ ଆର୍ଥିକ, ସାମାଜିକ ତଥା ସାଂସ୍କୃତିକ କୌଣସି କ୍ଷେତ୍ରରେ ମଧ୍ୟ ସବୁ ମଣିଷଙ୍କୁ ଗୋଷ୍ଠୀଜୀବନର ସ୍ୱୀକୃତ ଚଳଣିଗୁଡ଼ିକର ମଣିଷ ବୋଲି ଗ୍ରହଣ କରାଯାଏ ନାହିଁ, ତେଣୁ ଗୋଷ୍ଠୀର ଜୀବନ, ବିଚାର ଏବଂ ମୂଲ୍ୟବୋଧ ବହୁଖଣ୍ଡ ଓ ବହୁପାହାଚ ହୋଇ ରହିଥାଏ, ସେହିସବୁ ଦେଶ ଓ ସମାଜର ଲିଖିତ ସାହିତ୍ୟ ସମ୍ପୃକ୍ତ ଭୂମିଗୁଡ଼ିକର ସଚରାଚର କୌଣସି ପ୍ରତିନିଧିତ୍ଵ କରୁ ନଥାଏ । ଭାରତବର୍ଷ ଏବେ ମଧ୍ୟ ପାହାଚ ପାହାଚ ହୋଇ ରହିଥିବା ଏକ ମନୁଷ୍ୟ-ସମାଜ ଏବଂ ଆମ ଓଡ଼ିଶା ସେହି ଭାରତବର୍ଷରହିଁ ଗୋଟିଏ ଅଂଶ । ଭୂଗୋଳ ଅନୁସାରେ ଅଂଶ, ସଂସ୍କୃତିର ପରମ୍ପରା ଅନୁସାରେ ମଧ୍ୟ ଏକ ଅଂଶ ।

 

ତେଣୁ ମୋଟାମୋଟି ଭାବରେ କୁହାଯାଇପାରିବ ଯେ, ଓଡ଼ିଶା ରାଜ୍ୟର ଚାରିଭାଗରୁ ତିନିଭାଗ ମନୁଷ୍ୟଙ୍କ ଜୀବନବୃତ୍ତିର ପରିଧି ବାହାରେହିଁ ଓଡ଼ିଶାର ଲିଖିତ ସାହିତ୍ୟ ବାସନ୍ଦ ହୋଇ ରହିବାକୁ ବାଧ୍ୟ ହୁଏ ଏବଂ ଚାରିଭାଗରୁ ତିନିଭାଗ ମନୁଷ୍ୟ ପ୍ରାୟ ଏକ ସାମାଜିକ ଭାଗ୍ୟଦ୍ଵାରା ବାଧ୍ୟ ହୋଇ ସେମାନଙ୍କର ରାଜ୍ୟର ଲିଖିତ ସାହିତ୍ୟ ଭିତରୁ ବାସନ୍ଦ ହୋଇ ରହିଥାଆନ୍ତି । ଏହି ଅବସ୍ଥାକୁ ଆଦୌ ଏକ ସୁଖକର ଅବସ୍ଥା ବୋଲି କଦାପି କୁହାଯିବ ନାହିଁ । ଏବଂ ଏଥିରେ ଓଡ଼ିଶାର ସାହିତ୍ୟ କିମ୍ବା ଓଡ଼ିଶାର ମନୁଷ୍ୟ-ସମାଜ, କାହାରି ହେଲେ ହୃଷ୍ଟ ଅନୁଭବ କରିବାର ଆଦୌ କୌଣସି କାରଣ ନାହିଁ । ପୁନଶ୍ଚ, ସରକାରୀ ସୁମାରି ଅନୁସାରେ ଭାରତବର୍ଷ ଭଲ ଓଡ଼ିଶାରେ ଶହେରୁ ଅଶୀ ମଣିଷ ଗ୍ରାମାଞ୍ଚଳରେ ବାସ କରନ୍ତି ଏବଂ ଗ୍ରାମାଞ୍ଚଳବାସୀଙ୍କର ପ୍ରାୟ ତିନି ଚଉଠ ଦାରିଦ୍ର୍ୟର ସୀମାରେଖାତଳେ ଜୀବନଧାରଣ କରୁଥାନ୍ତି । ସେମାନଙ୍କର ସଂସ୍କୃତି, ନୀତି ଏବଂ ଯାବତୀୟ ସ୍ଥୂଳ ତଥା ପାରସ୍ପରିକ ସମ୍ୱନ୍ଧ ପ୍ରଧାନତଃ ତାହାରିଦ୍ଵାରା ନିର୍ଦ୍ଧାରିତ ହୁଏ । ଗାଁରୁ ଯେଉଁମାନେ ପାଠ ପଢ଼ି ଉପରକୁ ଉଠନ୍ତି, ସେମାନେ ପ୍ରାୟ ସମସ୍ତେ କ୍ଷେତ୍ର ଏବଂ ସୁଯୋଗ ପାଇବାମାତ୍ରକେ ସହରରେ ବସା ବାନ୍ଧିବାକୁ ମନ କରନ୍ତି । ସହର ନାମକ ଅନ୍ୟ ମୂଲ୍ୟବୋଧକୁହିଁ ଏକମାତ୍ର ଯଥାର୍ଥ ରୁଚି ବୋଲି ଗ୍ରହଣ କରନ୍ତି ଏବଂ ଗାଁରୁ ଚେର ଛିଣ୍ଡାଇ ନିଅନ୍ତି । ତଥାକଥିତ ସହରମାନଙ୍କରେ ଯେଉଁ ଶତକଡ଼ା କୋଡ଼ିଏ ଜଣ ମଣିଷ ସଂସ୍ଥାନଟିଏ ଯୋଗାଡ଼ କରି ଜୀବନଟିଏ ବାନ୍ଧି ରହିଥାନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଗୋଟିଏ ଗୋଡ଼ ଗାଁ ଭିତରେ ଥାଏ ତ ଆଉ ଗୋଟିଏ ଗୋଡ଼ ସହର ଭିତରେ ରହିଥାଏ । ଏହି ମଝିମଝିଆ ଲୋକମାନେ ସାହିତ୍ୟ କରନ୍ତି, ସଂସ୍କୃତି କରନ୍ତି, ଅର୍ଥାତ୍‍ ସାହିତ୍ୟ ତଥା ସଂସ୍କୃତିର ଯାବତୀୟ ଉପଚାରରେ ଏହିମାନେହିଁ ରହିଥାନ୍ତି । ଗାଁମାନଙ୍କରେ ସମସ୍ତଙ୍କ ସକାଶେ ଭଲ ପିଇବା ପାଣି ନଥାଏ, କେତେକେତେ ଗାଁକୁ ସବୁଦିନିଆ ଭଲ ଓ ଭଦ୍ର ରାସ୍ତାଟିଏ ମଧ୍ୟ ନଥାଏ । ସହରରେ ବାସ କରୁଥିବା ମନୁଷ୍ୟମାନେହିଁ ବୃହତ୍ତର ସଂସାରରେ ବାର୍ତ୍ତା ପାଆନ୍ତି, ଛାପା ବହିସବୁ ପଢ଼ନ୍ତି, ଏବଂ ସାହିତ୍ୟ ବୋଇଲେ ପ୍ରାୟ ସେହିମାନଙ୍କର ଏକଚାଟିଆ ହୋଇ ରହିଥିବା ଏକ ସମ୍ପତ୍ତିକୁ ବୁଝନ୍ତି । ସେହି ସାହିତ୍ୟକୁ ଏକ ବିଚିତ୍ର ଉତ୍ସାହର ବଶବର୍ତ୍ତୀ ହୋଇ ଜାତୀୟସାହିତ୍ୟ ବୋଲି କହନ୍ତି, କେତେ ବର୍ଗ ଅନୁଭବ କରନ୍ତି । ଜାତି କହିଲେ ଯେ ନ୍ୟାୟତଃ ଗୋଟିଏ ନିର୍ଦ୍ଦିଷ୍ଟ ସଂସ୍କୃତି ଅଥବା ଭାଷାର ଚଉହଦି ଭିତରେ ଜୀବନ ବଞ୍ଚିଥିବା ସବୁ ମଣିଷଙ୍କୁ ବୁଝାଏ, ସେମାନେ ସେକଥା ସ୍ଵୀକାର କରୁ ନଥାନ୍ତି ।

 

ଓଡ଼ିଆ ସାହିତ୍ୟର ଆଦିକବି ମହାଭାରତକାର ସାରଳା ଦାସ ଓଡ଼ିଆ ଭାଷା ଦ୍ଵାପର ଯୁଗରେ ମଧ୍ୟ ପ୍ରଚଳିତ ରହିଥିଲା ବୋଲି ସୂଚନା ଦେଇଛନ୍ତି । ତାଙ୍କର କଥନିକା ଅନୁସାରେ, ଶ୍ରୀକୃଷ୍ଣ ଓ ବଳରାମ ଯେତେବେଳେ ସଂଦୀପନି ମୁନିଙ୍କ ଆଶ୍ରମରେ ବିଦ୍ୟାଶିକ୍ଷା କରୁଥିଲେ, ସେତେବେଳେ ସେମାନେ ସେଠାରେ ଓଡ଼ିଆ ସମେତ ତେଲେଙ୍ଗୀ, ନାଗରୀ, ଦକ୍ଷିଣୀ, କନୌଜୀ, ଦ୍ରାବିଡ଼, ଆଦିଭାଷା ସଂସ୍କୃତି, ବଙ୍ଗଳା, ଫାର୍ସୀ, ଦର୍ପଣୀ, ମହାରାଷ୍ଟ୍ରୀ, ଉଡ଼ଙ୍ଗ, ହିନ୍ଦୁସ୍ଥାନୀ, କାମରୂପୀ ଓ ଭାରଥୀ ଇତ୍ୟାଦି ଭାଷା ଶିକ୍ଷା କରିଥିଲେ । ସାରଳା ଦାସଙ୍କର ଲେଖନୀରୁ ଏହି କଥାଟି ନିଷ୍କୃତ ହୋଇଥିଲେ ମଧ୍ୟ ଭାଷା ସମ୍ୱନ୍ଧରେ କୌଣସି ଧ୍ୟାନ ଧାରଣ ରଖିଥିବା ବ୍ୟକ୍ତି ଏହି କଥାଟିକୁ ସତ୍ୟ ବୋଲି କଦାପି ସ୍ଵୀକାର କରିବ ନାହିଁ । ପ୍ରାୟ ଶହେବର୍ଷତଳେ ବ୍ୟାସକବି ଫକୀରମୋହନ ମଧ୍ୟ ଓଡ଼ିଆ ଭାଷାକୁ ଗୌତମ ବୃଦ୍ଧଙ୍କର କାଳ ପର୍ଯ୍ୟନ୍ତ ଲମ୍ବାଇ ନେଇଛନ୍ତି । ଗୌତମ ବୃଦ୍ଧଙ୍କର କାଳ ଅର୍ଥାତ୍‍ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ । ଫକୀରମୋହନ ଲେଖିବା ଗୋଟିଏ ପ୍ରବନ୍ଧରେ କୁହାଯାଇଛି ଯେ, ଅଢ଼େଇ ହଜାରବର୍ଷ ପୂର୍ବେ କପିଳବାସ୍ତୁର ଯୁବରାଜ ଶାକ୍ୟସିଂହ ତାଙ୍କର ଭାବୀ ଶ୍ଵଶୁରଙ୍କ ପାଖରେ ଆପଣା ବିଦ୍ୟାର ପରିଚୟ ଦେବା ନିମନ୍ତେ ଯେଉଁ ଚଉଷଠି ପ୍ରକାର ଭିନ୍ନ ଭିନ୍ନ ଅକ୍ଷର ଲେଖିଥିଲେ, ସେଥିମଧ୍ୟରେ ଉତ୍କଳାକ୍ଷର ମଧ୍ୟ ରହିଥିଲା । ଫକୀରମୋହନ ମହାଯାନ ବୌଦ୍ଧଧର୍ମର କେଉଁ ଗ୍ରନ୍ଥରୁ ଏହି ତଥ୍ୟଟିକୁ ପାଇଥିଲେ କେଜାଣି ?

 

ଅଶୋକଙ୍କର କଳିଙ୍ଗ ଆକ୍ରମଣ ପରେ ବୌଦ୍ଧ ଧର୍ମ ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା, ସେତେବେଳେ ତାହାରି ସୂତ୍ରକୁ ଧରି ଉତ୍ତର ଭାରତ ସହିତ ପ୍ରାଚୀନ ଓଡ଼ିଶା ଭୂମିର ସମ୍ପର୍କ ସ୍ଥାପିତ ହୋଇଥିଲା ବୋଲି କେତେକ ଗବେଷକ ଅନୁମାନ କରିଛନ୍ତି । ମାତ୍ର, ତାହାର ବହୁ ଶତାବ୍ଦୀ ପୂର୍ବରୁ ଦକ୍ଷିଣର ଦ୍ରାବିଡ଼ ସଂସ୍କୃତି ଓଡ଼ିଶାର ସାମାଜିକ ଜୀବନକୁ ପ୍ରଭାବିତ କରିଥିଲା । ଓଡ଼ିଶାର ଲିପି ଏବଂ ଭାଷା ଭିତରକୁ ମଧ୍ୟ ସେହି ପ୍ରଭାବ ସଂକ୍ରମିତ ହୋଇ ଆସିଥିଲା । ଦ୍ରାବିଡ଼ ଧର୍ମାଚରଣର ବହୁ ପ୍ରଭାବ ଓଡ଼ିଶାର ତତ୍‍କାଳୀନ ଧର୍ମଜୀବନକୁ ମଧ୍ୟ ନିର୍ଦ୍ଦିଷ୍ଟ କେତୋଟି ଛାଞ୍ଚ ଆଣି ଦେଇଥିଲା । ଦେବାନାଂ ପ୍ରିୟ ସମ୍ରାଟ ଅଶୋକ ଏବଂ ମହାମେଘ-ବାହନ ଖାରବେଳ ଉଭୟେ ଓଡ଼ିଶାର ବାହାରୁ ଆସି ଏହି ଭୂମିରେ ଅଧିପତି ହୋଇଥିଲେ । ସେମାନେ ଯେ ଓଡ଼ିଶାର ତତ୍କାଳୀନ ଭାଷା ଏବଂ ଲିପିକୁ ଯଥାର୍ଥ ସ୍ଵୀକୃତି ଦେଇ ନଥିଲେ, ସେମାନଙ୍କ ନିର୍ଦ୍ଦେଶରେ ଖୋଦା ହୋଇଥିବା ଧଉଳି ଏବଂ କୁମାରୀ ପର୍ବତର ଶିଳାନୁଶାସନରୁ ତାହାର ସୂଚନା ମିଳିଯାଇଛି । ସେମାନଙ୍କର କାଳରେ ଓଡ଼ିଶାର ରାଜଭାଷା ତଥା ଧର୍ମର ଭାଷା ଅଲଗା ଥିଲା । ମାତ୍ର ତଥାପି ଓଡ଼ିଆ ଭାଷା ଅବଶ୍ୟ ଥିଲା । ଓଡ଼ିଆ ଭାଷା ଲୋକମୁଖରେ ରହିଥିଲା ସମ୍ଭବତଃ ଲିଖିତବି ହେଉଥିଲା । ଲିଖିତ ଭାବରେ ସେହି ଭାଷାର କୌଣସି ସାହିତ୍ୟ ନଥିଲେ ମଧ୍ୟ ମୌଖିକ ସାହିତ୍ୟର ପରମ୍ପରା ଅବଶ୍ୟ ରହିଥିଲା । ଓଡ଼ିଶାର ବିଭିନ୍ନ ଅଂଶ ବା ଅଞ୍ଚଳକୁ ସେତେବେଳେ ଶାସନ କରୁଥିବା ଶାସକମାନେ ହୁଏତ ସମସ୍ତେ ବାହାରୁ ଆସିଥିଲେ ଓ ଏହି ଭୂମିର ମୂଳ ଅଷ୍ଟ୍ରିକ୍ ଶାସକମାନଙ୍କୁ ଯୁଦ୍ଧରେ ପରାସ୍ତ କରି ବା ହତ୍ୟା କରି ଏଠାରେ ରାଜତ୍ଵ କରୁଥିଲେ । ସେମାନଙ୍କ ଭିତରେ ନିରନ୍ତର ଯୁଦ୍ଧ ଲାଗି ରହିଥିଲା ଏବଂ ସେମାନଙ୍କର ଜୟପରାଜୟ ଅନୁସାରେ ଏହି ଭୂମିର ରାଜନୈତିକ ଓ ଶାସନଗତ ଭାଗ୍ୟସୀମାଗୁଡ଼ିକ ମଧ୍ୟ ବଦଳି ଯାଉଥିଲା । ଆର୍ଯ୍ୟମାନଙ୍କ ସହିତ ଉତ୍ତର ଦିଗରୁ ଯେଉଁ ଅପଭ୍ରଂଶଗୁଡ଼ିକ ଉଡ଼୍ର ଦେଶରେ ଆସି ପ୍ରବେଶ କରିଥିଲା, ତାହାର ସେତେବେଳର ଅଷ୍ଟ୍ରିକ୍ ଭାଷାଟି ସହିତ ମିଶ୍ରତ ହୋଇଥିଲା । ତେଣେ, ଦକ୍ଷିଣରୁ ଆସିଥିବା ଚୋଳ ରାଜ୍ୟାଧିକାରୀମାନଙ୍କର ଆର୍ଯ୍ୟପ୍ରଭାବ କଳିଙ୍ଗାଞ୍ଚଳମାନଙ୍କର ଭାଷା ଓ ସଂସ୍କୃତିକୁ ମଧ୍ୟ ସାକାର ଛାଞ୍ଚମାନ ଯୋଗାଇ ଦେଇଥିଲେ । ସଂସ୍କୃତ ଭାଷା ପ୍ରତିନିଧି ଅସଲ ଆର୍ଯ୍ୟମାନେ ଉଡ଼୍ରଦେଶ ଆଡ଼କୁ ମାଡ଼ି ଆସିଥିବା ଓ ସେମାନଙ୍କ ଆଖିରେ ଊଣା ଭଳି ଦିଶୁଥିବା ଆର୍ଯ୍ୟ ଶାଖାଗୁଡ଼ିକୁ ଆପଣାଠାରୁ ଭିନ୍ନ ଭିନ୍ନ ବୋଲି ଦେଖୁଥିଲେ । ଶୁଦ୍ଧ ସଂସ୍କୃତଶାସ୍ତ୍ରଗୁଡ଼ିକ ମଧ୍ୟରେ ଅପଭ୍ରଂଶ ବା କଥିତ ଭାଷାର ଆଦୌ କୌଣସି ପ୍ରବେଶ ନଥିଲା । ଭରତମୁନିଙ୍କଦ୍ଵାରା ଲିଖିତ ‘ନାଟ୍ୟଶାସ୍ତ୍ର’ରୁ ଜଣାଯାଉଛି ଯେ, ଉଡ଼୍ର ଭାଷା ହେଉଛି ମାଗଧୀ ଭାଷାର ଏକ ଅପଭ୍ରଂଶ ରୂପ ଏବଂ ତାହା ସେମାନଙ୍କର ପ୍ରତିବେଶୀ ଶବରମାନଙ୍କଦ୍ଵାରା ଗୃହୀତ ହୋଇଥିଲା ।

 

ସେହି କାରଣରୁ ଭରତମୁନି ଏପରି ପରାମର୍ଶ ମଧ୍ୟ ଦେଇଥିଲେ ଯେ, କୌଣସି ନାଟକରେ ଯଦି ସେହି ଦୁଇଟି ଜାତି ସମେତ ଅନ୍ୟ ବର୍ବର ଜାତିମାନଙ୍କର କୌଣସି ଭୂମିକା ରହିଥିବ, ତେବେ ସେମାନେ ସଂସ୍କୃତ ଭାଷାରେ କଥା ନ କହି ସେହି ନିଜ ଭାଷାରେହିଁ କଥା କହିବେ । ପ୍ରତ୍ୟେକ ଅପଭ୍ରଂଶ ପ୍ରଥମ ଅବସ୍ଥାରେ ଏକ କଥିତ ଭାଷା ଥିଲା, ମାତ୍ର ତାହାର ସ୍ୱୀକୃତି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସେଥିରେ ମଧ୍ୟ ପଣ୍ଡିତମାନେ ବାହାରିଲେ । ଅପଭ୍ରଂଶ ସ୍ଥାନୀୟ ବୋଲିଗୁଡ଼ିକ ସହିତ ଖୁବ୍ ଅନାୟାସରେ ମିଶିଯାଇ ପାରୁଥିଲା ଏବଂ ସମାଜର ଉପରସ୍ତରରେ ବାସ କରୁଥିବା ପଣ୍ଡିତମାନେ ସେହି ମିଶ୍ରଣ ଓ ସଂକ୍ରମଣର ଭୟରେ ଆପଣାକୁ ସେଗୁଡ଼ିକଠାରୁ ଯଥାସମ୍ଭବ ଅଧିକ ଦୂରରେ ରଖିବାକୁ ଇଚ୍ଛା କରୁଥିଲେ । ଏହିପରି ଭାବରେ ଶିଷ୍ଟ ଅପଭ୍ରଂଶ ଏବଂ ଗ୍ରାମ୍ୟ ଅପଭ୍ରଂଶ-ଏହିପରି ଦୁଇ ପ୍ରକାରର ଉଦ୍‍ଭବ ହୋଇ ଆସିଥିଲା ଏବଂ ସାମାଜିକ ଜୀବନରେ ବିଦ୍ୟମାନ ରହିଥିବା ଦୂରତାଗୁଡ଼ିକ ଅନୁସାରେ ଏ ଦୁହିଁଙ୍କ ମଧ୍ୟରେବି ଏକ ଦୂରତା କାଳକ୍ରମେ ପ୍ରତିଷ୍ଠିତ ହୋଇଯାଇଥିଲା । ଶିଷ୍ଟ ଅପଭ୍ରଂଶ ହେଉଛି ସମାଜର ଉଚ୍ଚ ଜନ ବା ଶିଷ୍ଟବର୍ଗର ଭାଷା । ଜୈନଧର୍ମର ପଣ୍ଡିତମାନେ ପ୍ରଧାନତଃ ଏହି ଭାଷାକୁ ବ୍ୟବହାର କରି ଶାସ୍ତ୍ର ଲେଖିଥିଲେ । ଦ୍ଵିତୀୟଟିକୁ ଗ୍ରାମ୍ୟ ଅପଭ୍ରଂଶ ବୋଲି କୁହାଯାଉଥିଲା ଏବଂ ତାହା ସାଧାରଣ ଲୋକମାନଙ୍କର ଚଳନ୍ତି ଭାଷା ହୋଇ ରହିଥିଲା ।

 

ବିଭିନ୍ନ ସମୟରେ କଳିଙ୍ଗରେ ରାଜତ୍ଵ କରିଥିବା ପ୍ରାଚୀନ ବଂଶଧରମାନଙ୍କର ଅର୍ଥାତ୍‍ ମାଠର ବଂଶର ପୂର୍ବରୁ ଶାସନ କରିଥିବା କୌଣସି ରାଜାଙ୍କର ଯେତେଗୁଡ଼ିଏ ଅଭିଲେଖ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଛି, ସେଗୁଡ଼ିକ ପ୍ରାକୃତ ଭାଷାରେ ଲିଖିତ ହୋଇଛି । ଅନୁମାନ କରାଯାଉଛି ଯେ, ଖ୍ରୀଷ୍ଟ ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ବିଶାଖବର୍ମନଙ୍କର ଗୋଟିଏ ଅଭିଲେଖରେ ସମ୍ଭବତଃ ଓଡ଼ିଶାରେ ସଂସ୍କୃତ ଭାଷାକୁ ପ୍ରଥମେ ବ୍ୟବହାର କରାଯାଇଥିଲା । ସେହି ସମୟଠାରୁ ଗଙ୍ଗବଂଶର ରାଜତ୍ଵ ପର୍ଯ୍ୟନ୍ତ ରାଜାମାନଙ୍କଦ୍ଵାରା ପ୍ରଦତ୍ତ ସବୁଯାକ ଅଭିଲେଖ କେବଳ ସଂସ୍କୃତରେହିଁ ଲେଖା ହୋଇଛି । କେତେକ ଗବେଷକଙ୍କର ମତ ଅନୁସାରେ ଭୌମକରମାନଙ୍କର ଶାସନ ସମୟରୁ ପ୍ରଦତ୍ତ ତାମ୍ରଶାସନଗୁଡ଼ିକରେ ବ୍ୟବହୃତ ସଂସ୍କୃତ ଭାଷାରେ ଲୋକମୁଖରେ ପ୍ରତଳିତ କେତେକ ଓଡ଼ିଆ ଶବ୍ଦ ପ୍ରବେଶ କରିବାକୁ ଆରମ୍ଭ କରିଛି । କେବଳ ରାଜାମାନଙ୍କର ଆଦେଶରେହିଁ ତାମ୍ରପତ୍ରମାନ ଲେଖା ହେଉଥିଲା । ତାମ୍ରପତ୍ରରେ କ’ଣ ଲେଖାଯିବ, ରାଜାଙ୍କ ପଣ୍ଡିତମାନେ ତାହାର ସଂସ୍କୃତ ପାଠକୁ ଠିକ୍‍ କରି ଦେଉଥିଲେ ଏବଂ ଯେଉଁ କାରିଗରମାନେ ଆଦେଶ ପ୍ରମାଣେ ହତିଆରଦ୍ଵାରା ସେହି ପାଠକୁ ତମ୍ଵାପଟା ଉପରେ ଖୋଳିବାକୁ ନିଯୁକ୍ତ ହେଉଥିଲେ, ସେମାନେ ସ୍ଵୟଂ ସଂସ୍କୃତ ଭାଷା ଜାଣି ନଥିବାରୁ ସମ୍ଭବତଃ ସେମାନେ ସେଗୁଡ଼ିକୁ ଲେଖୁ ଲେଖୁ ଅଧିକାଂଶ ସମୟରେ ସଂସ୍କୃତ ଭିତରେ କଥିତ ଭାଷା ପଶି ଯାଉଥିଲା । ଏହିପରି ଭାବରେ କ୍ରମଶଃ ଏକ ପରିବର୍ତ୍ତନ ଲାଗି ବାଟ ମଧ୍ୟ ଫିଟି ଯାଉଥିଲା ।

 

ଗଙ୍ଗବଂଶର ରାଜତ୍ଵ ସମୟରୁ ଏହିସବୁ ଅଭିଲେଖ ଓଡ଼ିଆରେ ଲେଖା ହେବାକୁ ଆରମ୍ଭ କରିଥିଲା ବୋଲି କେତେକ ପ୍ରମାଣ ରହିଛି । ଗଙ୍ଗରାଜା ନରସିଂହ ଦେବ (ଖ୍ରୀଷ୍ଟ ତ୍ରୟୋଦଶ ଶତାବ୍ଦୀର ମଧ୍ୟଭାଗ)ଙ୍କର ଗୋଟିଏ ଶିଳାଲେଖରେ ଓଡ଼ିଆ ଲିପିର କେତେକ ପ୍ରାଥମିକ ସଙ୍କେତ ମଧ୍ୟ ମିଳିଥାଏ । ସେହି ପ୍ରଥମ କାଳରେ ଓଡ଼ିଆ ଲିପିର ଉପରିଭାଗଟିକୁ ବର୍ତ୍ତୁଳ ଭାବରେ ନ ଲେଖି ରେଖା କାଟି ଲେଖା ଯାଉଥିଲା । ଏବେ ବଙ୍ଗଳା ଓ ହିନ୍ଦୀ ଲିପି ଯେପରି ଭାବରେ ଲେଖାଯାଉଛି, ପ୍ରାୟ ସେହିପରି । ଓଡ଼ିଶାର ଇତିହାସ ଗବେଷକ ଶ୍ରୀଯୁକ୍ତ ପରମାନନ୍ଦ ଆଚାର୍ଯ୍ୟ କହନ୍ତି ଯେ ସୂର୍ଯ୍ୟବଂଶୀ ରାଜାମାନଙ୍କ ସମୟ ପର୍ଯ୍ୟନ୍ତ ମଧ୍ୟ ଓଡ଼ିଆ ଅଭିଲେଖାଗୁଡ଼ିକର ଅକ୍ଷର ତଥାପି ବର୍ତ୍ତୁଳାକାର ହୋଇ ନଥିଲା । ସୂର୍ଯ୍ୟବଂଶର ସ୍ଥାପୟିତା ଶ୍ରୀ କପିଳେନ୍ଦ୍ର ଦେବ ରାଜ୍ୟଜୟଦ୍ଵାରା ନିଜ ସାମ୍ରାଜ୍ୟକୁ ଦକ୍ଷିଣ ଆଡ଼କୁ ବହୁଦୂର ଯାଏଁ ବିସ୍ତୃତ କରିଦେଇଥିଲେ । ସମ୍ଭବତଃ ତଦ୍ଦ୍ଵାରା କଳିଙ୍ଗର ଓଡ଼ିଆ ଭାଷା ଏବଂ ଦ୍ରାବିଡ଼ ଭାଷା ଭିତରେ ଏକାଧିକ ସମ୍ମିଶ୍ରଣ ଘଟିବାର ଅବସର ଆସି ପହଞ୍ଚିଥିଲା । ଦ୍ରାବିଡ଼ ଲିପି ଓଡ଼ିଆ ଲିପିକୁ ପ୍ରଭାବିତ କରିଥିଲା । ସ୍ଵୟଂ ରାଜା କପିଳେନ୍ଦ୍ର ଦେବଙ୍କର ମାତୃଭାଷା ତେଲେଗୁ ଥିଲା ବୋଲି ମଧ୍ୟ ଏକ ସଂଶୟ ରହିଛି । କପିଳେନ୍ଦ୍ର ଦେବ ତେଲେଗୁ ଏବଂ ଓଡ଼ିଆ ଉଭୟ ଭାଷାରେ ଶିଳାଲେଖା ଲେଖାଇଛନ୍ତି । ଦକ୍ଷିଣ ଭାରତରୁ ପ୍ରାପ୍ତ ଓ ତାଙ୍କଦ୍ଵାରା ପ୍ରଦତ୍ତ ଗୋଟିଏ ଶିଳାଲେଖ ଏକାବେଳକେ ସଂସ୍କୃତ, ଓଡ଼ିଆ ଏବଂ ତେଲୁଗୁ ତିନୋଟିଯାକ ଭାଷାରେ ଖୋଦିତ ହୋଇଛି । ଏହିପରି କେତେକ କାରଣରୁ ଦ୍ରାବିଡ଼ ଭାଷା ଓ ଓଡ଼ିଆ ଭାଷା ପରସ୍ପରର ନିକଟବର୍ତ୍ତୀ ହୋଇ ଆସିଥିଲେ ଏବଂ ସେହି ସମ୍ମିଶ୍ରଣର ପ୍ରଭାବଦ୍ଵାରାହିଁ ଓଡ଼ିଆ ଲିପି କାଳକ୍ରମେ ବର୍ତ୍ତୁଳାକାର ଧାରଣ କରିଥିଲା ।

 

ରାଜା କପିଳେନ୍ଦ୍ର ଦେବ ନିଜେ କବି ଥିଲେ । ସଂସ୍କୃତ ଭାଷାରେ ସେ ଏକାଧିକ କାବ୍ୟ ଓ ନାଟକ ରଚନା କରିଛନ୍ତି । ତାଙ୍କଦ୍ଵାରା ରଚିତ ଗୋଟିଏ ସଂସ୍କୃତ ନାଟକର ନାମ ହେଉଛି ‘ପର୍ଶୁରାମ ବିଜୟ’ । ମାତ୍ର ସେହି ନାଟକର ଜଣେ ପାତ୍ରୀ ରାଣୀ ଚନ୍ଦ୍ରବଦନା ଓଡ଼ିଆ ଭାଷାରେ ଗୋଟିଏ ଗୀତ ଗାଇଛନ୍ତି । ରାଣୀ ରାଣୀ ହୋଇଥିଲେ ମଧ୍ୟ ତଥାପି ନାରୀ ଏବଂ ସେହି କାରଣରୁ ତାଙ୍କର ସ୍ଥାନ ପୁରୁଷଠାରୁ ନିମ୍ନରେ । କବି କାଳିଦାସଙ୍କ ଅମଳରୁ ଭାରତରେ ସଂସ୍କୃତ ନାଟକ ପରମ୍ପରା ମଧ୍ୟରେ ଯେପରି ଚଳି ଆସୁଥିଲା, ସେଥିରେ ନିମ୍ନତର ଦରଜାର ପାତ୍ରମାନେ ନାଟକରେ ସଂସ୍କୃତରେ କଥା ନ କହି କଥିତ ଭାଷାରେ କଥା କହୁଥିଲେ । ହୁଏତ ସେହି ରୀତିଟିରୁ ପ୍ରେରଣା ପାଇ ରାଜା କପିଳେନ୍ଦ୍ର ନିଜଦ୍ଵାରା ରଚିତ ନାଟକରେ ରାଣୀଙ୍କର ମୁହଁରୁ ଓଡ଼ିଆ ଭାଷାରେ ଗୀତଟିଏ ବୋଲାଇବାକୁ ମନ କରିଛନ୍ତି । ଗବେଷକ ଆଚାର୍ଯ୍ୟଙ୍କର ଅନୁମାନକୁ ଆଶ୍ରୟ କରି ପୁନର୍ବାର କହିଲେ, ଗଙ୍ଗବଂଶର ରାଜାମାନେ ସଂସ୍କୃତକୁ ଅଧିକ ଆଦର ଦେଖାଉଥିଲେ ଓ ସୂର୍ଯ୍ୟବଂଶର ଶ୍ରୀ କପିଳେନ୍ଦ୍ର ଦେବ ଓଡ଼ିଆକୁ ଏକ ରାଜକୀୟ ଭାଷାରୂପେ ସ୍ୱୀକୃତି ଦେଇଥିଲେ । ଏହି ଅନୁମାନ ଭିତରେ କିଞ୍ଚିତ୍ ଅତିରଞ୍ଜନ ରହିଯାଇଥିବା ପରି ମନେ ହେଉଛି । ସେକାଳର ରୀତିରେ ରାଜାମାନଙ୍କର ଲୋକଜୀବନ, ଲୋକଭାବନା ଏବଂ ତେଣୁ ଲୋକମାନଙ୍କର ଭାଷା ସହିତ ଖୁବ୍ ବେଶୀ ସମ୍ପର୍କ ନଥିଲା । ସେମାନେ ଏଗୁଡ଼ିକଠାରୁ ବହୁ ପରିମାଣରେ ଦୂରବର୍ତ୍ତୀ ହୋଇ ରହିଥିଲେ । ସେହି ନିରାଟ ସାମନ୍ତବାଦୀ କାଳରେ ହୁଏତ ପ୍ରଜାମାନଙ୍କୁ ଜଣେ ଜଣେ ମନୁଷ୍ୟ ବୋଲିହିଁ ସ୍ଵୀକାର କରାଯାଉ ନଥିଲା ଏବଂ ପ୍ରଜାମାନଙ୍କର କଥିତ ଭାଷାକୁ, ଯାହାକୁ ତତ୍‍କାଳୀନ ପଣ୍ଡିତମାନେ ସତେଅବା ନିଜର ଗୋତ୍ର-ବହିର୍ଭୂତ ବୋଲି ବିଚାର କରୁଥିଲେ, ତାହାକୁ ଯଥା-ଉପଯୁକ୍ତ ଅନୁରାଗ ଦେଖେଇବା ଏହି ସମ୍ଭାବନାଟି ମଧ୍ୟ ତତ୍‍କାଳୀନ ରାଜତନ୍ତ୍ରର ମେଦିନୀବାହାର ହୋଇ ରହିଥିଲା । ସଂସ୍କୃତ ଭାଷାକୁ ତାହାର ଏକାସନରୁ ହଟାଇହିଁ ଓଡ଼ିଆ ଭାଷା ଆପଣାକୁ ସାହିତ୍ୟର କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ଭାଷାରୂପେ ପ୍ରତିଷ୍ଠିତ କରିଥିଲା । ଏହି ଘଟଣା ରାଜସଭାମାନଙ୍କର ବାହାରେହିଁ ଘଟିଥିଲା । ସେଥିନିମନ୍ତେ କେତେ ଲେଖକଙ୍କୁ ନିନ୍ଦା ଓ ଉତ୍ପୀଡ଼ନ ସହିବାକୁ ହୋଇଥିଲା, ପଣ୍ଡିତମାନଙ୍କଠାରୁ କେତେକେତେ କଟାଳ ସହ୍ୟ କରିବାକୁ ପଡ଼ିଥିଲା । ସେହି ବିପ୍ଳବଟି ରାଜା କପିଳେନ୍ଦ୍ର ଦେବଙ୍କର ଶାସନକାଳରେ ଆରମ୍ଭ ହୋଇଥିଲା ସତ, ମାତ୍ର ସେଇଟି ସହିତ ତାଙ୍କର ସେପରି କୌଣସି ସମ୍ପର୍କ ନଥିଲା । ରାଜଧାନୀ ଏବଂ ରାଜସଭାଠାରୁ ଅନେକ ଦୂରରେ ସେ କଥା ଘଟିଥିଲା । ରାଜସଭାରେ କେବଳ ସଂସ୍କୃତ ପଣ୍ଡିତମାନେ ରହିଥିଲେ ।

 

କଥିତ ଓଡ଼ିଆ ଭାଷା ଓଡ଼ିଶାର କୋଉ ସମୟରୁ ଥିଲା ସେକଥା କେହି ହିସାବକୁ ହିସାବ ଯୋଡ଼ି କହିପାରିବ ନାହିଁ । ମାତ୍ର ଲିଖିତ ଓଡ଼ିଆ ସାହିତ୍ୟ ବିଷୟରେ ଅବଶ୍ୟ ଏକ ଅନୁମାନ କରାଯାଇପାରିବ । କଥିତ ଓଡ଼ିଆ ନିରନ୍ତର ବିବର୍ତ୍ତିତ ହୋଇ ଆସୁଥିଲା । ଲିଖିତ ଓଡ଼ିଆ ସାହିତ୍ୟର ଭାଷା ସେହି ଅନୁସାରେ ନୂଆ ନୂଆ ସାକାରତା ଲାଭ କରୁଥିଲା । ଏହି ବିବର୍ତ୍ତନରେ ଉଚ୍ଚ ବର୍ଗ ଓ ପଣ୍ଡିତମାନେ ଯେତେ ସହାୟତା କରୁ ନଥିଲେ, ସାଧାରଣ ଜନଗଣ ସମ୍ଭବତଃ ଅଧିକ ଅନୁକୂଳତା ସୃଷ୍ଟି କରୁଥିଲେ । ଯାହା ଅଛି, ତାହାକୁ ସେହିଭଳି ରଖିବା ନିମନ୍ତେ ପୃଥିବୀରେ ସଚରାଚର ଉଚ୍ଚବର୍ଗ ଏବଂ ପଣ୍ଡିତମାନେହିଁ ଅଧିକ ଆଗ୍ରହ ଦେଖାଇ ଆସିଛନ୍ତି । ଭାଷାର କ୍ଷେତ୍ରରେ ମଧ୍ୟ ତାହାହିଁ ଘଟିଛି । ସଭାଦ୍ଵାରା ଯେତେ ଅସ୍ଵୀକୃତ ହୋଇ ରହିଥିଲେ ମଧ୍ୟ କଥିତ ଭାଷା ଲୋକମାନଙ୍କର ମୁଖରେ ରହିଥାଏ ଏବଂ କ୍ରମବିକଶିତ ହେବାରେ ଲାଗିଥାଏ । ସଭାର ଭାଷା ତୁଳନାରେ ଲୋକମୁଖର ଭାଷା ଆପଣାକୁ କମ୍ ଅସ୍ପୃଶ୍ୟ କରି ରଖିଥାଏ । ତେଣୁ ଅଧିକ ଜୀବନ୍ତ ହୋଇ ରହିଥାଏ । ସେଥିରେ ଅଧିକ ଗତିଶୀଳତା ରହିଥାଏ, ଗ୍ରହଣଶୀଳତା ଏବଂ ଗ୍ରହଣ-ସାମର୍ଥ୍ୟ ମଧ୍ୟ ରହିଥାଏ । ତାହା ଅବାଧରେ ଗ୍ରହଣ କରିପାରେ, ଆଦୌ ଜାତି ବାରେ ନାହିଁ । ସେହି ଦୃଷ୍ଟିରୁ ବିଚାର କଲେ ଓଡ଼ିଆ ଭାଷା ମଧ୍ୟ ସଦା ବିବର୍ତ୍ତିତ ହୋଇଆସିଛି ଓ ନାନା ଭାଷାରୁ ନାନା ଅବକାଶରେ ଶବ୍ଦ ଓ ଶୈଳୀ ଆଣି ଆପଣାକୁ ଧନାଢ଼୍ୟ କରିଛି । ଓଡ଼ିଆ ଭାଷାକୁ ଅଷ୍ଟ୍ରିକ୍‍ରୁ ଶବ୍ଦ ଆସିଛି, ଦ୍ରାବିଡ଼ ଭାଷାରୁ କେତେ ଶବ୍ଦ ଆସିଛି, ମାଗଧୀ ଓ ସୌରସେନୀ ଅପଭ୍ରଂଶଗୁଡ଼ିକର ମାଧ୍ୟମରେ ସଂସ୍କୃତରୁ ମଧ୍ୟ ଶବ୍ଦ ଆସିଛି । ଦେଶଜ, ତଦ୍ଭବ ତଥା ତତ୍‍ସମ ସମସ୍ତେ ଜାତି ହରାଇ ଏକାଠି ହେବାର ପ୍ରକ୍ରିୟାଟି ଫଳରେ ଓଡ଼ିଆ ଭାଷା କ୍ରମଶଃ ସ୍ଵତନ୍ତ୍ର ଭାବରେ ଆପଣା ଲାଗି ଗୋଟିଏ କଳେବର ଗଠିତ କରି ଆଣିଛି । ସବୁ ଭାଷା ପରି ଓଡ଼ିଆ ଭାଷା ଏବେ ମଧ୍ୟ ସେହି ଗଠନଶୀଳ ଅବସ୍ଥାରେ ରହିଛି, ନୂଆ ନୂଆ ଶବ୍ଦ ଆହରଣ କରିବାରେ ଲାଗିଛି । ବହୁ ନୂତନ ସମ୍ପର୍କ ଫଳରେ ତାହାର ବାକ୍ୟ-ଶୈଳୀ ମଧ୍ୟ ବଦଳି ଯାଇଛି । ପଣ୍ଡିତମାନେ, ରକ୍ଷଣଶୀଳମାନେ ଓ ସ୍ପର୍ଶକାତରମାନେ ସତର୍କବାଣୀ ଶୁଣାଉଛନ୍ତି, ତଥାପି ଭାଷା ଗତିଶୀଳ ହୋଇ ରହିଛି ।

 

ତଥାପି ମନେ ରଖି ପାରିବାକୁ ଆମେ ଏପରି କହିବା ଯେ, ଅଷ୍ଟ୍ରିକ୍, ଦ୍ରାବିଡ଼ ଏବଂ ସଂସ୍କୃତ, ଏହି ତିନୋଟିଯାକ ହେଉଛନ୍ତି ଓଡ଼ିଆ ଭାଷାର ଆଦି ଉତ୍ସ, ଅସଲ ନଦୀଟିର ତିନୋଟି ଉପନଦୀ । ଓଡ଼ିଆ ଭାଷା ପ୍ରଥମ କାଳରେ ଲୋକମୁଖରେ ରହିଥିଲା, ଏକ ପରବର୍ତ୍ତୀ କାଳରେ ତାହା ଲିଖିତ ଭାଷାରେ ପରିଣତ ହେଲା ଏବଂ ତା’ପରେ ଯାଇ ସେଥିରେ ସାହିତ୍ୟ ଲେଖା ହେଲା-। ସେତେବେଳେ ଯାଇ ରାଜାମାନେ ସେହି ଭାଷାକୁ ଗ୍ରହଣ କଲେ । ଉତ୍ତର ଭାରତର ଅନ୍ୟ ଭାଷାଗୁଡ଼ିକ ଖ୍ରୀଷ୍ଟ ଏକାଦଶ-ଦ୍ଵାଦଶ ଶତାବ୍ଦୀବେଳକୁ ସ୍ଵତନ୍ତ୍ର ଅବୟବ ଧରି ପ୍ରତିଷ୍ଠିତ ହୋଇ ଆସୁଥିଲେ ବୋଲି ଅନୁମାନ କରାଯାଇଛି । ଓଡ଼ିଆ ଭାଷାର ଆଗମନକୁ ମଧ୍ୟ ଆମେ ସେହି ଶୈଳୀ ଅନୁସାରେ ବୁଝିବା । ଖ୍ରୀଷ୍ଟ ଚତୁର୍ଦ୍ଦଶ ଶତାବ୍ଦୀରେ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଆ ଭାଷା ଅଭିଲେଖ ଭିତରକୁ ଆସିଲା । ତାଙ୍କ ସଭାର ପଣ୍ଡିତମାନେ ସେହି ବ୍ୟାପାରଟିକୁ ସମ୍ଭବତଃ ଆଦୌ ପ୍ରସନ୍ନ ମୁଖରେ ଗ୍ରହଣ କରି ନଥିବେ । ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରାଧାନ୍ୟ ସମୟରେ ହୁଏତ ଲୋକମୁଖର ଓଡ଼ିଆ ଭାଷା ଆଗକୁ ଆସିବାପାଇଁ ଅଧିକ ପ୍ରୋତ୍ସାହନ ପାଇଥିବ-। ଗୌତମ ବୁଦ୍ଧହିଁ ତ ଆପଣାର ଧର୍ମପ୍ରଚାର ସମୟରେ ସଂସ୍କୃତକୁ ଛାଡ଼ି ପାଲି ଭାଷାର ବ୍ୟବହାର ଉପରେ ଅନେକ ଗୁରୁତ୍ଵ ଦେଇଥିଲେ । ଓଡ଼ିଆ ଭାଷାର ସ୍ଵୀକୃତ ହୋଇ ଆସିବାରେ ବ୍ରାହ୍ମଣ୍ୟଧର୍ମ ମଝିରେ ମଝିରେ କେତେ ବାଧା ଦେଇଥିବ । ରାଜାମାନେ ମଧ୍ୟ ପ୍ରାୟ ଧର୍ମତଃ ବ୍ରାହ୍ମଣ୍ୟ ଧର୍ମର ପରାମର୍ଶଦ୍ଵାରା ପ୍ରଭାବିତ ହୋଇଥିବେ । ତେଣୁ, ରାଜାଙ୍କର ସ୍ଵୀକୃତି ଲାଭ କଲାପରେ ଯାଇ ଯେ ଓଡ଼ିଆ ଭାଷାର ପ୍ରାଣପ୍ରତିଷ୍ଠା ହୋଇଥିଲା, ଆମେ କେବେହେଲେ ସେକଥା କହିପାରିବା ନାହିଁ-

 

ଓଡ଼ିଆ ସାହିତ୍ୟର ସାମ୍ପ୍ରତିକ ଗବେଷକମାନେ ପଛକୁ ଯାଇ ଯାଇ ଯେଉଁଠି ଆମ ଲାଗି ସର୍ବପ୍ରଥମ ଲିଖିତ ଓଡ଼ିଆ ସାହିତ୍ୟର ଏକ ନମୁନାକୁ ଆବିଷ୍କାର କରିଛନ୍ତି, ଆମେ ସେହିଠାରେହିଁ ଆମର ଆଲୋଚନାଟିକୁ ଆରମ୍ଭ କରିବା । ଆମ ଇତିହାସରୁ ଜଣାଯାଉଛି ଯେ, ଖ୍ରୀଷ୍ଟ ଅଷ୍ଟମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ପୂର୍ବ ଓ ଉତ୍ତର ଭାରତବର୍ଷର କେତେକ ଅଞ୍ଚଳରୁ ସିଦ୍ଧାଚାର୍ଯ୍ୟମାନେ ନେପାଳ ଓ ତିବ୍ବତ ଆଡ଼କୁ ଚାଲି ଯାଇଥିଲେ । କେଉଁ ପରିସ୍ଥିତିର ସମ୍ମୁଖୀନ ହୋଇ ସେମାନେ ଯେ ନିଜର ଭୂମିକୁ ଛାଡ଼ି ତେଣେ ଗଲେ, ସେକଥା ବିଷୟରେ ଏବେ ମଧ୍ୟ କେତୋଟି ଅନୁମାନହିଁ କରାଯାଇପାରୁଛି । ମାତ୍ର, ଗୋଟିଏ କଥା ଅବଶ୍ୟ ସ୍ଵୀକାର କରିବାକୁ ପଡ଼ିବ ଯେ, ଏହି ସିଦ୍ଧାଚାର୍ଯ୍ୟମାନେ ଅନ୍ତତଃ ଧର୍ମପ୍ରଚାରର ଉଦ୍ଦେଶ୍ୟ ନେଇ ଏକ ସ୍ଵାଭାବିକ ପରିବେଶ ମଧ୍ୟରେ ସେହି ଅଞ୍ଚଳକୁ ଯାଇ ନଥିଲେ । ଗୋଟିଏ ମତ ଅନୁସାରେ, ଯେତେବେଳେ ବଙ୍ଗଳା ଓ ତାହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବୌଦ୍ଧ ଧର୍ମ ଉପରେ ଦମନ ଆରମ୍ଭ ହେଲା, ବ୍ରାହ୍ମଣ୍ୟ ଧର୍ମହିଁ ରାଜଧର୍ମରେ ପରିଣତ ହେଲା, ବ୍ରାହ୍ମଣ୍ୟ ପଣ୍ଡିତମାନେ ଧାମ ଧାମ ବୁଲି ଦିଗ୍‍ବିଜୟଦ୍ଵାରା ବୌଦ୍ଧମାର୍ଗୀମାନଙ୍କୁ ବାକ୍‍ଯୁଦ୍ଧରେ ପରାଜିତ କରିଥିଲେ, ସେତେବେଳେ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ଆପଣାର ରଚିତ ଚର୍ଯ୍ୟାପଦଗୁଡ଼ିକୁ ନେଇ ପାର୍ବତ୍ୟ ଅଞ୍ଚଳକୁ ପଳାଇ ଯାଇଥିଲେ । ସେମାନେ ନେପାଳ ଗଲେ, ତିବ୍ବତ ମଧ୍ୟ ଗଲେ । ସେହିସବୁ ଭୂଖଣ୍ଡ ସେମାନଙ୍କର ଧର୍ମବିଚରଣ ଲାଗି ହୁଏତ ଅପେକ୍ଷାକୃତ ଅଧିକ ନିରାପଦ ଓ ଅନୁକୂଳ ଥିଲା । ପରବର୍ତ୍ତୀ ଶତାବ୍ଦୀଗୁଡ଼ିକରେ ସେହି ଚର୍ଯ୍ୟାପଦଗୁଡ଼ିକର ଅବସ୍ଥା କ’ଣ ହେଲା, ଭାରତର ପଣ୍ଡିତମାନେ ତାହାର ଆଉ କୌଣସି ଖବର ରଖି ନଥିଲେ । ଏବେ, ଅର୍ଥାତ୍ ଏହି ବିଂଶ ଶତାବ୍ଦୀର ଆରମ୍ଭରେ ଯାଇ ସେହି ପଦଗୁଡ଼ିକରୁ ନେପାଳରେ କେତୋଟିକୁ ଆବିଷ୍କାର କରାଗଲା ଓ ଭାରତବର୍ଷକୁ ଆଣି ସେଗୁଡ଼ିକର ଅଧ୍ୟୟନ କରାଗଲା । ସେଗୁଡ଼ିକର ଆବିଷ୍କାର କରିଥିବା ପଣ୍ଡିତ ସ୍ଵୟଂ ବଙ୍ଗବାସୀ ହୋଇଥିବାରୁ ସିଏ ଚର୍ଯ୍ୟାପଦଗୁଡ଼ିକର ଭାଷାକୁ ବଙ୍ଗୀୟ ଏବଂ ସାହିତ୍ୟର ପ୍ରାଚୀନତମ ନମୁନା ବୋଲି ପ୍ରତିପାଦିତ କରି ସନ୍ଦର୍ଭମାନ ଲେଖିଲେ । ସେତେବେଳେ ଅନ୍ୟମାନେ ସେହି ଗବେଷଣାକୁ ପ୍ରାୟ ସତ୍ୟ ବୋଲିହିଁ ଗ୍ରହଣ କରି ନେଇଥିଲେ ।

 

ମାତ୍ର କ୍ରମେ ସେହି ପଦଗୁଡ଼ିକୁ ନେଇ ଆଲୋଚନା ଓ ଗବେଷଣା କରିବାର ଆଗ୍ରହଟି ପାଖରେ ଥିବା ଅନ୍ୟ ପ୍ରଦେଶଗୁଡ଼ିକୁ ମଧ୍ୟ ବ୍ୟାପିଲା । ହିନ୍ଦୀଭାଷୀ, ଓଡ଼ିଆଭାଷୀ, ଆସାମୀଭାଷୀ ବିଭିନ୍ନ ଗବେଷକ ସେଗୁଡ଼ିକର ଗବେଷଣା କଲେ ଏବଂ ସମସ୍ତେ ସେହି ଗୋଟିଏ ଜାଲରେ ଯାଇ ପଡ଼ିଗଲେ । ସେମାନେ ସମ୍ଭବତଃ କ’ଣ ପ୍ରମାଣ କରି ଦେଖାଇବେ, ସେ କଥା ପୂର୍ବରୁହିଁ ସ୍ଥିର କରି ନେଇଥିଲେ କି କ’ଣ କେଜାଣି, ସେମାନଙ୍କର ଗବେଷଣା ସେମାନଙ୍କୁ ଠିକ୍‍ ସେହି ସ୍ଥାନରେ ନେଇ ପହଞ୍ଚାଇ ଦେଲା । ହିନ୍ଦୀଭାଷୀ ଗବେଷକମାନେ ଘୋଷଣା କଲେ, ଚର୍ଯ୍ୟାପଦର ଭାଷା ପ୍ରାଚୀନ ବଙ୍ଗଳା ଭାଷା ଆଦୌ ନୁହେଁ, ତାହା ହେଉଛି ପ୍ରାଚୀନ ହିନ୍ଦୀ ଭାଷା । ମୈଥିଳୀ ଭାଷାର ଗବେଷକମାନେ ତାହାକୁ ମୈଥିଳୀର ଆଦ୍ୟରୂପ ବୋଲି ଚିହ୍ନିଲେ । ଏକ ସମାନ୍ତରାଳ ଉତ୍ସାହରେ ଆସାମୀ ପଣ୍ଡିତମାନେ ସିଦ୍ଧାଚାର୍ଯ୍ୟମାନେ ଆସାମରୁହିଁ ଯାଇଛନ୍ତି ବୋଲି ମତ ଦେଲେ ଏବଂ ଏହି ପ୍ରକରଣରେ ଓଡ଼ିଆର ପାଳି ସବାଶେଷକୁ ପଡ଼ିଲା । ଚର୍ଯ୍ୟାଚୟ ସମ୍ବନ୍ଧରେ ଓଡ଼ିଶାରେ ଅନୁରୂପ ଗବେଷଣା କରାଗଲା ଏବଂ ଅନୁରୂପ ତଥ୍ୟଗୁଡ଼ିକୁ ବାହାର କରି ସିଦ୍ଧାଚାର୍ଯ୍ୟମାନେ ଓଡ଼ିଆ ଭାଷାରେହିଁ ସେମାନଙ୍କର ପଦଗୁଡ଼ିକୁ ରଚନା କରିଛନ୍ତି ବୋଲି କୁହାଗଲା । ଆମର ଏହି ଆଧୁନିକ ଯୁଗକୁ ଅନେକ ସମୟରେ ଜାତୀୟତାର ଯୁଗ ବୋଲି କୁହାଯାଇଥାଏ । ଜାତୀୟତାର ମୂଳ ଆବେଦନଟି ହେଉଛି ଭାରତୀୟତା । ମାତ୍ର, ଗବେଷକମାନଙ୍କ ମଧ୍ୟରୁ ଏପରି କେତେ ସବୁକାଳେ ଥାଆନ୍ତି, ଯେଉଁମାନେ କି ସ୍ଥାନୀୟତାକୁ ଜାତୀୟତା ବୋଲି ଅନୁଭବ କରନ୍ତି । ଭାଷାକୁ ମୂଳ କରି ସାହିତ୍ୟର ଗବେଷକ ହୋଇଥାଏ ଏବଂ ଅନେକ ବ୍ୟକ୍ତି ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀ ଅଞ୍ଚଳର ଲୋକମାନଙ୍କୁହିଁ ଜାତି ବୋଲି କହିଥାନ୍ତି । ଚର୍ଯ୍ୟାପଦଗୁଡ଼ିକ ବିଷୟରେ ହୋଇଥିବା ଗବେଷଣାଗୁଡ଼ିକୁ ସମ୍ଭବତଃ ସେହି ଜାଲଟି ଭିତରେ ଯାଇ ପଡ଼ି ଯାଇଥିଲା । ଏପରିକି, ପାରମ୍ପରିକ ବଙ୍ଗ ପ୍ରଦେଶର ଯେଉଁ ଅଧ ବା ଅଂଶଟି ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ପୂର୍ବ ପାକିସ୍ଥାନ ହେଲା ଏବଂ ଏବେ ଯାହାକୁ ଆମେ ବଙ୍ଗଳାଦେଶ ବୋଲି ଜାଣୁଛୁ, ସମ୍ପ୍ରତି ସେଠାରେ ମଧ୍ୟ ଚର୍ଯ୍ୟାପଦ ଓ ସେଗୁଡ଼ିକର ରଚୟିତାମାନଙ୍କ ସମ୍ବନ୍ଧରେ ଗବେଷଣା କରାଯାଇଛି ଏବଂ ଅନୁରୂପ ସତ୍ୟମାନ ବାହାର କରାଯାଇଛି । ଅର୍ଥାତ୍‍ ଗବେଷକମାନେ ମତ ଦେଇଛନ୍ତି ଯେ, ଚର୍ଯ୍ୟାପଦଗୁଡ଼ିକର ଲେଖକ ସିଦ୍ଧାଚାର୍ଯ୍ୟମାନେ ପ୍ରାଚୀନ ବଙ୍ଗଳା ଭାଷାରେହିଁ ସେମାନଙ୍କର ପଦଗୁଡ଼ିକୁ ରଚନା କରିଛନ୍ତି, ମାତ୍ର ସେମାନେ ପ୍ରଧାନତଃ ବଙ୍ଗୀୟ ପୂର୍ବାଞ୍ଚଳର ଅର୍ଥାତ୍‍ ବର୍ତ୍ତମାନ ବଙ୍ଗଳାଦେଶ ବୋଲି କୁହାଯାଉଥିବା ଅଞ୍ଚଳଗୁଡ଼ିକର ଅଧିବାସୀ ଥିଲେ । ତେଣୁ ଏହି ପୂର୍ବବଙ୍ଗର ପ୍ରାଚୀନ ଭାଷାରେହିଁ ସେମାନେ ପଦଗୁଡ଼ିକ ଲେଖିଛନ୍ତି ।

 

ଅସଲ କଥା ହେଉଛି, ଚର୍ଯ୍ୟାପଦଗୁଡ଼ିକ ରଚିତ ହୋଇଥିବା ସେହି କାଳରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଅଥବା ଆସାମୀ ଗୋଟିଏ ଗୋଟିଏ ସ୍ଵତନ୍ତ୍ର ଭାଷାରୂପେ ପ୍ରତିଷ୍ଠିତ ହୋଇ ନଥିଲା । ତେଣୁ, ଚର୍ଯ୍ୟାପଦର ଭାଷାରେ ଆମକୁ ଏହି ପୂର୍ବାଞ୍ଚଳ ପ୍ରଦେଶଗୁଡ଼ିକରେ ସେତେବେଳେ ପ୍ରଚଳିତ ମାଗଧୀ, ମୈଥିଳୀ, ଭୋଜପୁରୀ, ବଙ୍ଗଳା, ଆସାମୀ ଏବଂ ଓଡ଼ିଆ ସବୁଯାକ ଭାଷାର ସଙ୍କେତଗୁଡ଼ିକ ମିଳିଯାଇପାରୁଛି । ସେତେବେଳେ ଅପଭ୍ରଂଶର ଯୁଗ, ଅପଭ୍ରଂଶର ବିଭିନ୍ନ ନମୁନାଗୁଡ଼ିକ ଏହି ଅଞ୍ଚଳର ବିଭିନ୍ନ ଭାଗରେ ପରସ୍ପର ସହିତ ଅତ୍ୟନ୍ତ ଘନିଷ୍ଠ ଭାବରେ ମିଶାମିଶି ହୋଇ ରହିଥିଲେ । ଭାଷାଗୁଡ଼ିକ ମିଶି ମିଶି ରହିଥିଲା ଏବଂ ଅଧିବାସୀମାନେ ଭୌଗୋଳିକ ସୀମାଗୁଡ଼ିକ ବିଷୟରେ ସଚେତନ ହୋଇ ନଥିଲେ । କୌଣସି ସମୂହ ନିଜକୁ ଗୋଟିଏ ସ୍ଵତନ୍ତ୍ର ଜାତି ବୋଲି ଅନୁଭବ କରିବାର ସେତେବେଳେ ଅବସର ନଥିଲା । ସେହି ଅବସର ଏବେ ହେଲା, ତେଣୁ ବିବାଦଟି ଲାଗି ଗୋଟିଏ ଅବକାଶ ମଧ୍ୟ ମିଳିପାରିଲା । ସମସ୍ତେ ସେକାଳର ଭାଷାଟି ଭିତରେ ସତେଅବା ଖାଲି ନିଜ ନିଜ ଭାଷାର ପ୍ରାଚୀନ ରୂପଟିକୁ ଠାବ କରିପାରିଲେ ଏବଂ ଏକ ସବୁଯାକ ଭାଷା ପରସ୍ପର ଭିତରକୁ ମାଡ଼ିଯାଇ ଅବସ୍ଥାନ କରୁଥିଲେ ବୋଲି ମନେରଖି ପାରିଲେ ନାହିଁ । ଅର୍ଥାତ୍‍, ସିଦ୍ଧାଚାର୍ଯ୍ୟମାନେ ପୂର୍ବାଞ୍ଚଳରୁ ସବୁ ରାଜ୍ୟରୁ ଯାଇଥିଲେ । ଯେଉଁ ସିଦ୍ଧମାନେ ଯେଉଁ ଅଞ୍ଚଳର ଥିଲେ, ସେମାନଙ୍କର ପଦଗୁଡ଼ିକରେ ସେହି ଅଞ୍ଚଳର ଅପଭ୍ରଂଶଟି ଅପେକ୍ଷାକୃତ ଅଧିକ ପରିମାଣରେ ପରିଲକ୍ଷିତ ହେଉଥିବା ଅତ୍ୟନ୍ତ ସ୍ଵାଭାବିକ ।

 

ସୂଚନା ମିଳୁଛି ଯେ, ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ଯେଉଁ ଦୋହା ଓ ପଦଗୁଡ଼ିକୁ ଆପଣା ସହିତ ନେପାଳ ଓ ତିବ୍ବତକୁ ନେଇ ଯାଇଥିଲେ, ସେଗୁଡ଼ିକୁ ସେହି ରାଜ୍ୟର ଅନୁରାଗୀ ପଦରସିକମାନେ ଗାନ କରୁଥିଲେ ଏବଂ ଅନେକ ସମୟରେ ଟିପି ରଖୁଥିଲେ । ଅର୍ଥାତ୍‍ ସେହି ପଦଗୁଡ଼ିକର ଭାଷାକୁ ସେମାନେ ଅନ୍ତତଃ କିଛି କିଛି ବୁଝି ପାରୁଥିଲେ । ଏହି ଶତାବ୍ଦୀରେ ଯେଉଁ ପଦଗୁଡ଼ିକର ସନ୍ଧାନ ମିଳିଛି, ସେଗୁଡ଼ିକ ନେପାଳୀ ଗୃହସ୍ଥମାନଙ୍କ ଘରେ ସଞ୍ଚିତ ହୋଇ ରହିଥିବା ଟିପାଖାତାଗୁଡ଼ିକରୁହିଁ ମିଳିଛି । ଯଦି ନେପାଳୀମାନେ ତାହାକୁ ବୁଝିପାରୁ ନଥାନ୍ତେ, ତେବେ ସେଗୁଡ଼ିକର ନେପାଳୀ ଅନୁବାଦ କରାଯାଇଥାନ୍ତା । ଯେପରି ତିବ୍ବତ ଭାଷାରେ ସେଗୁଡ଼ିକର ଅନୁବାଦ କରାଯାଇଛି, ଠିକ୍‍ ସେହିପରି । ସଂସ୍କୃତ ଭାଷାରେ ଯେପରି ସେଗୁଡ଼ିକ ବୋଧଗମ୍ୟ ହୋଇପାରିବ; ସେଥିଲାଗି ମୁନିଦତ୍ତ ନାମକ ଜଣେ ପଣ୍ଡିତ ପଦଗୁଡ଼ିକର ସଂସ୍କୃତ ଅନୁବାଦ ମଧ୍ୟ କରିଛନ୍ତି । ମାତ୍ର ନେପାଳର ଭାଷାରେ ସେଗୁଡ଼ିକର କୌଣସି ଅନୁବାଦ ନାହିଁ । ସମ୍ପୂର୍ଣ୍ଣ ନିରପେକ୍ଷ ଏବଂ ମୋହମୁକ୍ତ ଭାବରେ ଚର୍ଯ୍ୟାପଦଗୁଡ଼ିକର ଅଧ୍ୟୟନ କରିପାରିବାକୁ ହେଲେ ଗବେଷକମାନଙ୍କୁ ନିଜ ଭାଷାଟି ବ୍ୟତୀତ ସଂସ୍କୃତ ତିବ୍ବତୀ ତଥା ପୂର୍ବ-ଭାରତୀୟ ଅପଭ୍ରଂଶଗୁଡ଼ିକର ଅଧ୍ୟୟନ କରିବାକୁ ପଡ଼ିବ । ତେବେଯାଇ ସତ୍ୟର କିଞ୍ଚିତ୍ ନିକଟବର୍ତ୍ତୀ ହେବା ସମ୍ଭବ ହେବ ।

 

ମୁନିଦତ୍ତ ଦ୍ଵାଦଶ କିମ୍ବା ତ୍ରୟୋଦଶ ଶତାବ୍ଦୀବେଳକୁ ଚର୍ଯ୍ୟାଗୀତଗୁଡ଼ିକର ସଂସ୍କୃତଟୀକା ରଚନା କରିଛନ୍ତି । ସିଦ୍ଧାଚାର୍ଯ୍ୟମାନେ କେବଳ ଯେ ଅପଭ୍ରଂଶରେ ଆପଣାର ପଦଗୁଡ଼ିକୁ ଲେଖିଛନ୍ତି ସେକଥା ଆଦୌ ନୁହେଁ । ସେମାନେ, ସେମାନଙ୍କ ମଧ୍ୟରୁ କେତେଜଣ ସିଧା ସଂସ୍କୃତ ଭାଷାରେ ମଧ୍ୟ ଏକାଧିକ ଗ୍ରନ୍ଥ ଲେଖିଯାଇଛନ୍ତି । ସେମାନେ ତନ୍ତ୍ର ଓ ଯୋଗ ବିଷୟରେ ସଂସ୍କୃତ ଗ୍ରନ୍ଥ ଲେଖିଛନ୍ତି ଏବଂ ସେଗୁଡ଼ିକର ତିବ୍ବତୀ ଅନୁବାଦ ଆବିଷ୍କୃତ ହୋଇଛି । ଏହା ହେଉଛି ବଜ୍ରଯାନ ଓ ତନ୍ତ୍ରଯାନ ବୌଦ୍ଧ ଧର୍ମର ସମୟ; ତେଣୁ ସେତେବେଳକୁ ବୌଦ୍ଧ ଶାସ୍ତ୍ରଗୁଡ଼ିକୁ ପାଲି ପରିବର୍ତ୍ତେ ସଂସ୍କୃତ ଭାଷାରେ ଲେଖିବାର ରୀତିଟି ମଧ୍ୟ ଆରମ୍ଭ ହୋଇ ସାରିଥିଲା । ସଂସ୍କୃତହିଁ ସେତେବେଳେ ଶାସ୍ତ୍ରର ଭାଷା ହୋଇ ରହିଥିଲା । ଅପଭ୍ରଂଶମାନେ କ୍ରମଶଃ ବୟଃପ୍ରାପ୍ତ ହୋଇ ଆସୁଥିଲେ ସତ, ମାତ୍ର, ସେଗୁଡ଼ିକୁ ସାହିତ୍ୟ ମଧ୍ୟକୁ ପୂର୍ଣ୍ଣ ସ୍ଵୀକୃତି ମିଳି ନଥିଲା । ସମାଜର ଉଚ୍ଚତର ବର୍ଗର ଲୋକମାନେ ସମ୍ଭବତଃ ଅପଭ୍ରଂଶକୁହିଁ କଥୋପକଥନରେ ଭାଷାରୂପେ ଘରେ ଓ ବାହାରେ ବ୍ୟବହାର କରୁଥିଲେ ସତ, ମାତ୍ର ଶାସ୍ତ୍ରର ଭାଷା ହିସାବରେ ସଂସ୍କୃତ ଭାଷାକୁ ବିଶେଷ ସ୍ଵୀକୃତି ଦେଉଥିଲେ । ନିମ୍ନ ବର୍ଗର ଲୋକେ ସଂସ୍କୃତ ଭାଷାଠାରୁ ବହୁଦୂରରେ ରହୁଥିଲେ । ସିଦ୍ଧାଚାର୍ଯ୍ୟମାନେ ପ୍ରଧାନତଃ ନିମ୍ନ ବର୍ଗରେ ଜନ୍ମଲାଭ କରିଥିଲେ; ତଥାପି ଉଚ୍ଚ ବର୍ଗ ତଥା ପଣ୍ଡିତମାନଙ୍କର ଚକ୍ଷୁର ବିଦଗ୍ଧ ଓ ଯୋଗ୍ୟ ବୋଲି ଦେଖାଯିବା ନିମନ୍ତେ ସେମାନେ ବେଳେବେଳେ ସଂସ୍କୃତରେ ପଦ ରଚନା କରିବାକୁ ମନ ବଳାଉ ଥିଲେ କି ?

 

ରାଜାମାନଙ୍କଠାରୁ ପୃଷ୍ଠପୋଷକତା ଲାଭ କରି ବ୍ରାହ୍ମଣ୍ୟଧର୍ମ ଯେଉଁସବୁ ଅଞ୍ଚଳରେ ବୌଦ୍ଧ ଧର୍ମ ଉପରେ ଉତ୍ପୀଡ଼ନ ଆରମ୍ଭ କଲା, ସିଦ୍ଧାଚାର୍ଯ୍ୟମାନେ ସେହିସବୁ ଅଞ୍ଚଳରୁ ହିମାଳୟ ଭିତରେ ସେମାନଙ୍କୁ ଅଧିକ ନିରାପଦ ବୋଲି ମନେ ହେଉଥିବା ନେପାଳ ଓ ତିବ୍ବତ ଆଡ଼େ ପଳାଇ ଯାଇଥିଲେ । ସିଦ୍ଧାଚାର୍ଯ୍ୟମାନେ ବଜ୍ରଯାନୀ ଥିଲେ, ସହଜଯାନୀ ଥିଲେ । ରାଜାମାନଙ୍କର ଆଶ୍ରୟ ଲାଭ କରି ଗୌତମ ବୁଦ୍ଧଙ୍କଦ୍ଵାରା ପ୍ରଚାରିତ ମୂଳ ବୌଦ୍ଧ ଧର୍ମଟି କାଳକ୍ରମେ କିପରି ଗୋଡ଼ ଖସାଇ ଖସାଇ ଅଧୋଗତ ହୋଇଆସିଥିଲା, ତାହାର ଏକ ଇତିହାସ ରହିଛି । ବ୍ରାହ୍ମଣ୍ୟ ଧର୍ମରେ ରହିଥିବା ଯେଉଁ ଅରୀତିଗୁଡ଼ିକର ପ୍ରତିବାଦ କରି ଗୌତମ ବୁଦ୍ଧ ଆପଣାର ବାଣୀପ୍ରଚାର କରିଥିଲେ, ପରବର୍ତ୍ତୀ କାଳରେ ବୌଦ୍ଧ ଧର୍ମ ସେହି ଅରୀତିଗୁଡ଼ିକରେ ମିଶିଗଲା । ମୂର୍ତ୍ତି, ମନ୍ତ୍ର ଏବଂ ସଂସ୍କୃତ ଭାଷା ପ୍ରତି ଆକୃଷ୍ଟ ହେଲା । ପ୍ରଧାନତଃ ଏହି ବଜ୍ରଯାନହିଁ ଓଡ଼ିଶା ଭିତରେ ପରାକ୍ରମୀ ହୋଇଥିଲା ଏବଂ ଏବେ ଓଡ଼ିଶାରେ ଆବିଷ୍କୃତ ହେଉଥିବା ବୌଦ୍ଧ ଧର୍ମର ପୀଠଗୁଡ଼ିକୁ ଆମେ ପ୍ରଧାନତଃ ସେହି ବଜ୍ରଯାନରହିଁ ପୀଠ ବୋଲି ଚିହ୍ନିବା ଏବଂ ମୂଳ ବୌଦ୍ଧ ସନ୍ଦେଶଟି ସହିତ ତାହାକୁ ଗୋଳେଇ ଘାଣ୍ଟି ପକାଇଲେ ଆମେ ପ୍ରକୃତରେ ବହୁ ଭ୍ରମରେ ପଡ଼ିଯିବା । ଗୋଟିଏ ଶାକ୍ତ ପୁରାଣ ଅନୁସାରେ ଓଡ଼ିଶା ଉଡ଼୍ରଯାନ ବା ଉଡ଼୍ଡୀୟାନ ତନ୍ତ୍ରମାର୍ଗର ଏକ ପ୍ରଖ୍ୟାତ ପୀଠ ହୋଇ ରହିଥିଲା । ସେହି ପୀଠ ଅସଲ ମୂଳ ବୌଦ୍ଧ ଧର୍ମର କୌଣସି ପ୍ରତିନିଧିତ୍ଵ କରୁ ନଥିଲା । ବୁଦ୍ଧଦେବ ତା’ ଭିତରେ ଜଣେ ଠାକୁର ହୋଇ ବସିଥିଲେ । ଗୌତମ ବୁଦ୍ଧଙ୍କର ସନ୍ଦେଶ ସେଗୁଡ଼ିକରୁ ଲୁପ୍ତ ହୋଇ ଯାଇଥିଲା ।

 

ପ୍ରାୟ ସବୁକାଳ ପରି ସେତେବେଳେ ମଧ୍ୟ ଏହି ଭୂମିର ସମାଜ ନିମ୍ନ ଓ ଉଚ୍ଚ ଏହିପରି ଦୁଇଟା ବର୍ଗରେ ବିଭକ୍ତ ହୋଇ ରହିଥିଲା । ବ୍ୟବଧାନ ଥିଲା, ତେଣୁ ଘୃଣା ମଧ୍ୟ ରହିଥିଲା । ଉଚ୍ଚତର ବର୍ଗ ଆପଣାକୁ ସମ୍ଭ୍ରାନ୍ତ ଆର୍ଯ୍ୟ ସଭ୍ୟତାର ପ୍ରତିନିଧି ବୋଲି ଅନୁଭବ କରୁଥିଲେ, ନିମ୍ନବର୍ଗମାନେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇ ବାସ କରୁଥିଲେ । ଧର୍ମ-ଆଚରଣ କ୍ଷେତ୍ରରେ ଉଚ୍ଚତର ବର୍ଗ ଶୂନ୍ୟବାଦୀ ବୌଦ୍ଧ ଥିଲେ, ପୁରାଣଧର୍ମୀ ହିନ୍ଦୁ ମଧ୍ୟ ଥିଲେ; ନିମ୍ନତର ବର୍ଗ ସହଜଯାନୀ ଓ ନାଥପନ୍ଥୀ ଥିଲେ । ହିନ୍ଦୁ ତଥା ବୌଦ୍ଧ ଉଭୟ ସମ୍ପ୍ରଦାୟର ନିମ୍ନସ୍ଥମାନେ ନାଥଧର୍ମ ଗ୍ରହଣ କରିଥିଲେ । ନାଥଧର୍ମର ଦୁଇଗୁରୁଙ୍କ ମଧ୍ୟରେ ଗୋରଖନାଥ ବୌଦ୍ଧ ଏବଂ ମତ୍ସ୍ୟେନ୍ଦ୍ରନାଥ ହିନ୍ଦୁ ଥିଲେ । ଉଚ୍ଚବର୍ଗର ହିନ୍ଦୁ ଓ ବୌଦ୍ଧଙ୍କ ମଧ୍ୟରେ ସେପରି କୌଣସି ପ୍ରଭେଦ ନଥିଲା । ଉଭୟେ ମନୁସଂହିତାର ପରାମର୍ଶଗୁଡ଼ିକୁ ମାନୁଥିଲେ ଏବଂ ସାମାନ୍ୟ କେତେଟା ସଂସ୍କାର ଗ୍ରହଣ କରିନେବାଦ୍ଵାରାହିଁ ଜଣେ ବୌଦ୍ଧ ହିନ୍ଦୁ ହୋଇପାରୁଥିଲେ । ସୂଚନା ମିଳୁଛି ଯେ, ଉଚ୍ଚ ବର୍ଗରେ ରହିଥିବା ବୌଦ୍ଧମାନେ ବ୍ରାହ୍ମଣ ପୁରୋହିତ ଡକାଇ ଦଶକର୍ମ କରାଉଥିଲେ ଏବଂ ଅନ୍ୟ ପକ୍ଷରେ ବୁଦ୍ଧଙ୍କ ମନ୍ଦିରରେ ଧୂପ ଓ ଝୁଣା ପ୍ରଭୃତି ଲାଗି କରୁଥିଲେ ।

 

ଏକଥା ଅନୁମାନ କରାଯାଇପାରିବ ଯେ, ସେତେବେଳେ ଯେଉଁ ସହଜଯାନୀ ସିଦ୍ଧାଚାର୍ଯ୍ୟମାନେ ପାରମ୍ପରିକ ସମାଜ ଭିତରୁ ବାହାରି ଅନ୍ୟ ଚର୍ଯ୍ୟାମାନ ଗ୍ରହଣ କରିଥିଲେ ଏବଂ ଚର୍ଯ୍ୟାପଦଗୁଡ଼ିକର ରଚନା କରିଥିଲେ, ସେମାନେ ସମାଜର ନିମ୍ନବର୍ଗର ଥିଲେ । ଉଚ୍ଚତର ବର୍ଗଗୁଡ଼ିକ ଯେଉଁ ଜୀବନଯାପନ କରୁଥିଲେ, ତାହାର ନ୍ୟାୟତଃ ଏକ ସମାନ୍ତର ଭାବରେ ଧର୍ମର ଆଉ ଗୋଟିଏ ପରମ୍ପରା ସୃଷ୍ଟି କରି ସେମାନେ ନିମ୍ନ ବର୍ଗର ମଣିଷମାନଙ୍କୁ ଧର୍ମଜନିତ କିଞ୍ଚିତ୍ ସନ୍ତୋଷ ଏବଂ ସାନ୍ତ୍ଵନା ଦେବାକୁହିଁ ଚର୍ଯ୍ୟାପଦଗୁଡ଼ିକର ରଚନା କରିଥିଲେ । ଏହିସବୁ ପଦଗୁଡ଼ିକର ନିମ୍ନ ବର୍ଣ୍ଣର ନାରୀମାନଙ୍କୁ ଭୈରବୀ ଅର୍ଥାତ୍‍ ସାଧନାର ସହଚରୀରୂପେ ଗ୍ରହଣ କରାଯାଇଅଛି । ସ୍ମରଣ କରାଯାଇପାରେ ଯେ, ମୂଳ ବୌଦ୍ଧଧର୍ମର ନାରୀମାନେ ବୌଦ୍ଧ ଭିକ୍ଷୁସମାଜ ଭିତରେ ପ୍ରବେଶ କରିବା ଲାଗି କୌଣସି ଅନୁମତି ନଥିଲା । କିମ୍ବଦନ୍ତୀ କହୁଛି ଯେ, ସ୍ଵୟଂ ବୁଦ୍ଧଦେବ ସେମାନଙ୍କର ସେହି ପ୍ରବେଶକୁ ସମର୍ଥନ କରି ନଥିଲେ । ତଥାପି, ନିଜ ଅନ୍ତରଙ୍ଗ ଶିଷ୍ୟମାନଙ୍କର ଅନୁରୋଧକୁ ଏଡ଼ାଇ ନ ପରି ତାଙ୍କୁ ଏକଦା ସେହି ଅନୁମତି ଦେବାକୁ ହୋଇଥିଲା ଏବଂ ଖେଦ ପ୍ରକାଶ କରି ସେ କହିଥିଲେ ଯେ, ତାଙ୍କ ପ୍ରବର୍ତ୍ତିତ ଧର୍ମ ପାଞ୍ଚ ହଜାରବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିଥାନ୍ତା । ମାତ୍ର, ନାରୀମାନଙ୍କୁ ସଂଘରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା ଫଳରେ ତାହା କେବଳ ପାଞ୍ଚ ଶହବର୍ଷ ଯାଏଁ ରହିବ ।

 

ନାରୀମାନେ ସଂଘକୁ ଆସିବା ପରେ ଭିକ୍ଷୁଣୀ ସଂଘମାନ ଗଢ଼ି ଉଠିଲା । ତଥାପି, ସେହି କାଳର ବୃହତ୍ତର ସମାଜର ବିଧି ମାନି ଭିକ୍ଷୁଣୀ ସଂଘଗୁଡ଼ିକ ଭିକ୍ଷୁ ସଂଘମାନଙ୍କର ତତ୍ତ୍ଵାବଧାନରେ ରହୁଥିଲା । ଅର୍ଥାତ୍‍, ଭିକ୍ଷୁମାର୍ଗରେ ପ୍ରବେଶ କରିବା ପରେ ମଧ୍ୟ ନାରୀମାନେ ନାରୀ ହୋଇ ରହିଲେ, ପୁରୁଷମାନଙ୍କର ଅଧୀନ ହୋଇ ରହିଲେ, ବାହାର ସମାଜର ସେହି ପୁରୁଣା ସଂସ୍କାର ଅନୁସାରେ ଭିକ୍ଷୁ ପୁରୁଷମାନେ ଭିକ୍ଷୁଣୀମାନଙ୍କୁ ମୂଳତଃ ନାରୀ ପରି ଦେଖିଲେ । ତନ୍ତ୍ର ଓ ସହଜଯାନରେ ମଧ୍ୟ ନାରୀକୁ ସାଧନାର ସଙ୍ଗିନୀ ବୋଲି କୁହାଯାଏ, ଶାସ୍ତ୍ର ଅନୁସାରେ ଭୈରବୀ ବୋଲି କୁହାଯାଇଥାଏ । ଭୈରବୀ ହେଉଛନ୍ତି ତନ୍ତ୍ର ସାଧନାରେ ପୁରୁଷ ସାଧକ ଲାଗି ଏକ ଆବଶ୍ୟକତା, ସେ ସ୍ଵୟଂ ସାଧିକା ନୁହଁନ୍ତି । ପୁରୁଷ ହେଉଛି ସାଧକ, ପୁରୁଷହିଁ ସାଧନା କରିବ । ସାଧନାର ସବୁ ଫଳ ସେହି ପୁରୁଷ ପାଇବ । ସାଧନାର ଦୁର୍ଗମ ପଥରେ ନାରୀ ପ୍ରଧାନତଃ ଏକ ସାଧନରୂପେ ବ୍ୟବହୃତ ହେବ । ସେଥିଲାଗି ସେତେବେଳର ଶାସ୍ତ୍ର ଅନୁସାରେ ସାଧକପାଇଁ ନାରୀକୁ ‘ଆତ୍ମାର ଗାଭୀ’ ବୋଲି ବର୍ଣ୍ଣନା କରାଯାଇଛି । ଚର୍ଯ୍ୟାଗୀତିଗୁଡ଼ିକରେ ଅନେକ ଆଚାର୍ଯ୍ୟଙ୍କର ଦୋହାରେ ନାରୀମାନଙ୍କର ଉଲ୍ଲେଖ ରହିଛି ଏବଂ ନାରୀମାନଙ୍କୁ ସମ୍ବୋଧନ କରି କେତେଗୁଡ଼ିଏ ପଦ ଲେଖାଯାଇଛି । କାହାକୁ ଶବରୀ ବୋଲି କୁହାଯାଇଛି ତ କାହାକୁ ଡୋମ୍ବୀ ବୋଲି କୁହାଯାଇଛି । ଏମାନେ ସମସ୍ତେ ଜଣେ ଜଣେ ଆଚାର୍ଯ୍ୟଙ୍କର ଆତ୍ମା ଲାଗି ଗାଭୀ ପରି କାର୍ଯ୍ୟ ସାଧନ କରୁଥିଲେ ଓ ସେଇଥିଲାଗିହିଁ ସେମାନଙ୍କ ଲାଗି ସମ୍ପୂର୍ଣ୍ଣ ସାଧନାଟିରେ ଆଦୌ କୌଣସି ତାତ୍ପର୍ଯ୍ୟ ରହି ନଥିଲା ।

 

ଏହି ସିଦ୍ଧାଚାର୍ଯ୍ୟମାନେ ଓଡ଼ିଶା, ବିହାର, ବଙ୍ଗ ଓ ଆସାମ–ଏହିସବୁ ବିଭିନ୍ନ ଅଞ୍ଚଳରୁ ନେପାଳ ଓ ତିବ୍ବତକୁ ଯାଇଥିଲେ । ସେମାନଙ୍କ ଭିତରୁ କେଉଁମାନେ ଅବଶ୍ୟ ଓଡ଼ିଆ ଅଞ୍ଚଳରୁ ଯାଇଥିଲେ, ଗବେଷକମାନେ ବିଭିନ୍ନ ଚର୍ଯ୍ୟାପଦଗୁଡ଼ିକରେ ବ୍ୟବହୃତ ଭାଷାରୁ ସେହି ବିଷୟରେ କେତେକ ଅନୁମାନ କରିଛନ୍ତି । କାହ୍ନୁପା, ଲୋହିପା ଏବଂ ସରାହପା ଆଦି କେତେ ଜଣ ସିଦ୍ଧାଚାର୍ଯ୍ୟ ଓଡ଼ିଶାର ଥିଲେ ବୋଲି ଅନୁମାନ କରାଯାଏ । ସେମାନଙ୍କର ପଦଗୁଡ଼ିକରେ ଥିବା କେତୋଟି ଶବ୍ଦ ମୌଳିକ ଭାବରେ ଓଡ଼ିଆ ଭାଷାର ଶବ୍ଦ ବୋଲି ବାରି ହୋଇପଡ଼ନ୍ତି । ପଦଗୁଡ଼ିକରେ ବର୍ଣ୍ଣିତ ଦୃଶ୍ୟ ମଧ୍ୟ ଓଡ଼ିଶାର ନଦୀପ୍ରଧାନ ଭୂମିର ଦୃଶ୍ୟ ବୋଲି ମଧ୍ୟ ଅନୁମିତ ହୁଏ । ବଜ୍ରଯାନ ବୌଦ୍ଧ ଧର୍ମ, ଶରୀର-ସାଧନା ସେତେବେଳେ ଭାରତୀୟ ସାଧନାର ବୃହତ୍ ପରମ୍ପରା ହିସାବରେ ଭାରତବର୍ଷର ସବୁଆଡ଼େ ଅଳ୍ପବହୁତ ରହିଥିଲା । ତେଣୁ, ଓଡ଼ିଶାରେ ମଧ୍ୟ ଅବଶ୍ୟ ରହିଥିଲା । ଆମେ ଅବଶ୍ୟ ମନେରଖିବା ଯେ, ଆଲୋଚିତ ସିଦ୍ଧାଚାର୍ଯ୍ୟମାନେ ଓଡ଼ିଆ ହିସାବରେ ନୁହେଁ, ବଜ୍ରଯାନୀ ସିଦ୍ଧାଚାର୍ଯ୍ୟରୂପେହିଁ ଓଡ଼ିଶାରେ ଥିଲେ ଏବଂ ଏକ ପରବର୍ତ୍ତୀ କାଳରେ ଅନ୍ୟ ସାଧନା-ମାର୍ଗଗୁଡ଼ିକରୁ ଉତ୍ପୀଡ଼ନର ସମ୍ମୁଖୀନ ହୋଇ ଏବଂ ତତ୍କାଳୀନ ରାଜାମାନଙ୍କର ରୋଷଦୃଷ୍ଟିରେ ପଡ଼ି ଓଡ଼ିଶାରୁ ନେପାଳ ଅଥବା ତିବ୍ବତକୁ ପଳାଇ ଯାଇଥିଲେ । ସେମାନଙ୍କଦ୍ଵାରା ରଚିତ ପଦଗୁଡ଼ିକରେ ବ୍ୟବହୃତ ହୋଇଥିବା କେତୋଟି ଶବ୍ଦ ତଥା ବାକ୍ୟ-ଶୈଳୀ ପ୍ରାଚୀନ ଓଡ଼ିଆ ଭାଷାରେ କିଛି ନମୁନା ପାଇବାରେ ଆମକୁ ଅବଶ୍ୟ ଏକ ଅନ୍ତର୍ଦୃଷ୍ଟି ଯୋଗାଇ ଦେବ, ମାତ୍ର ସେହି ସିଦ୍ଧାଚାର୍ଯ୍ୟମାନଙ୍କୁ ଓଡ଼ିଆ ବୋଲି ବା ଓଡ଼ିଶାର ବୋଲି କହି ଗର୍ବ ଅନୁଭବ କରିବାର ହୁଏତ ଆଦୌ କୌଣସି କାରଣ ନାହିଁ । ସେତେବେଳେ ଓଡ଼ିଆ ଶବ୍ଦଟି କେଉଁଠାରେ ଥିଲା ଯେ, ସିଦ୍ଧାଚାର୍ଯ୍ୟମାନଙ୍କୁ ଆମେ ଓଡ଼ିଆ ବୋଲି କହିବା ?

 

ଓଡ଼ିଆ କବିତାର ଉତ୍ସ ବା ଆଦି ରୂପଗୁଡ଼ିକର ନିର୍ଣ୍ଣୟ କରିବାକୁ ଯାଇ କେତେକ ଆଲୋଚକ କେତେକ ସିଦ୍ଧାଚାର୍ଯ୍ୟଙ୍କର ରଚିତ ପଦଗୁଡ଼ିକୁ ଦୃଷ୍ଟାନ୍ତରୂପେ ଦେଖାଇ ଦେଇଥାନ୍ତି । କେତେକ ଆଲୋଚନାରେ ସେଗୁଡ଼ିକୁ ଓଡ଼ିଆ ସାହିତ୍ୟରେ ରହିଥିବା ଅର୍ଥାତ୍‍ ମିଳିଥିବା ସର୍ବପ୍ରଥମ ପ୍ରେମକବିତା ବୋଲି କୁହାଯାଏ । ଏପରି ଦାବିକରିବା ପ୍ରକୃତରେ ଏକ ଅତ୍ୟନ୍ତ ହାସ୍ୟାସ୍ପଦ କଥା । ଏକଥା ସତ ଯେ ପଦମାନଙ୍କରେ ଡୋମ୍ଵୀ ଓ ଶବରୀମାନଙ୍କୁ ସତେଅବା ନିଜର ପ୍ରେମିକା ବୋଲି କଳ୍ପନା କରି ସେମାନଙ୍କର ଦେହ ସୌନ୍ଦର୍ଯ୍ୟ ଏବଂ ସେମାନେ ଦେହରେ ପିନ୍ଧିଥିବା ଭୂଷଣ ଏବଂ ବେଶର କେତେ ବର୍ଣ୍ଣନା କରାଯାଇଛି । ସେମାନଙ୍କର ଉପସ୍ଥିତିକୁ ଅଧିକ ମନୋରମ କରି ଦର୍ଶାଇବା ନିମନ୍ତେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଧ୍ୟ କେତେକ ବର୍ଣ୍ଣନା ରହିଛି । ମାତ୍ର, ପ୍ରେମକବିତା କହିଲେ ଯଦି ପ୍ରକୃତରେ କୌଣସି ପ୍ରେମ-ସମ୍ବନ୍ଧର କବିତାକୁ ବୁଝାଏ, ତେବେ ଚର୍ଯ୍ୟାପଦଗୁଡ଼ିକକୁ କଦାପି ପ୍ରେମକବିତା ବୋଲି କୁହାଯାଇପାରିବ ନାହିଁ । ଯାବତୀୟ ପ୍ରେମ ପ୍ରସଙ୍ଗରେ ଯେଉଁ ମୂଳଭୂତ ଆକାଂକ୍ଷାଗୁଡ଼ିକ ରହିବା ଉଚିତ, ଚର୍ଯ୍ୟାପଦଗୁଡ଼ିକରେ ତାହାର ଆଦୌ କୌଣସି ଆଭାସ ମଧ୍ୟ ନାହିଁ । ତନ୍ତ୍ରଯାନରେ ଓ ବଜ୍ରଯାନରେ ସାଧନାର ଅଙ୍ଗରୂପେ ନାରୀର ଏକ ଆବଶ୍ୟକତା ରହିଥିଲା ଏବଂ ସେଥିଲାଗି ନାରୀକୁ ସେହିଭଳି ଏକ ଭୂମିକାରେ ଆଣି ରଖାଯାଉଥିଲା । ସାଧନାର ଗାମ୍ଭୀର୍ଯ୍ୟକୁ ରକ୍ଷା କରି ସେହି ନାରୀକୁ ଭୈରବୀ ବୋଲି କୁହାଯାଉଥିଲା ସତ, ମାତ୍ର ସିଏ ପ୍ରକୃତରେ ସମସ୍ତ ପ୍ରସଙ୍ଗ ବା ବ୍ୟାପାରଟିରେ ସମ୍ଭବତଃ ଅତ୍ୟନ୍ତ ଅଶାଳୀନ ଭାବରେ ଏକ ଗାଭୀ ପରି ଯୋଚା ହୋଇ ରହୁଥିଲା । ସେ ପୁରୁଷର ଆତ୍ମାଲାଗି, ତା’ ଆତ୍ମାର ମୁକ୍ତିଲାଭ ଲାଗି ଗାଭୀ ପରି ବ୍ୟବହୃତ ହେଉଥିଲା । ନାରୀ ମଧ୍ୟ ଏକ ମନୁଷ୍ୟ ଏବଂ ନାରୀର ମଧ୍ୟ ଯେ ଏକ ଆତ୍ମା ରହିଛି, ସ୍ଵୟଂ ପୁରୁଷରୂପୀ ସାଧକ ମଧ୍ୟ ସେହି କଥାଟିକୁ ବିଶ୍ଵାସ କରୁ ନଥିଲା । ସାଧନାର ଯଜ୍ଞରେ ନାରୀ ସତେଅବା ଏକ ସମିଧ ପରି ବ୍ୟବହୃତ ହେଉଥିଲା, ଏକ ଆବଶ୍ୟକ ସାମଗ୍ରୀ ଭଳି ବ୍ୟବହୃତ ହେଉଥିଲା । ପ୍ରେମ ସମ୍ପର୍କରେ କୌଣସି ପ୍ରଶ୍ନ ନଥିଲା, ତେଣୁ ପ୍ରେମକବିତାର ମଧ୍ୟ କୌଣସି ଅବକାଶ ନଥିଲା । ତତ୍କାଳୀନ ସମାଜ-ବ୍ୟବସ୍ଥା ପରି ସାଧନାରେ ମଧ୍ୟ ନାରୀ ଏକ ପ୍ରୟୋଜନୀୟ ପଣ୍ୟ ହୋଇ ରହିଥିଲା ।

 

ଚର୍ଯ୍ୟାପଦରେ ସିଦ୍ଧାଚାର୍ଯ୍ୟମାନେ ଯେଉଁ ଭାଷାର ବ୍ୟବହାର କରିଛନ୍ତି; ସାଧନାର ଭାଷାରେ ଭାରତବର୍ଷରେ ତାହାକୁ ସନ୍ଧ୍ୟାଭାଷା ବୋଲି କୁହାଯାଇଛି । ସନ୍ଧ୍ୟା ଭାଷା ବା ସନ୍ଧା ଭାଷା ହେଉଛି ଏକ ନିର୍ଦ୍ଦିଷ୍ଟ ଅର୍ଥକୁ ସୁଚାଇ ଦେଉଥିବା ଭାଷା । ଉପରକୁ ପଦଗୁଡିକ ଯେଉ ଭାଷା ରଚନା କରାଯାଇ ଥିବା ସେଥିରେ ଅସଲ ଅର୍ଥକୁ ସୂଚାଇ ଦେଉଥିବା ଭାଷା । ଉପରକୁ ପଦଗୁଡ଼ିକ ଯେଉଁ ଭାଷାରେ ରଚନା କରାଯାଇଥିବ, ସେଥିରେ ଅସଲ ଅର୍ଥଟି ଆଦୌ ପ୍ରକାଶ ପାଉ ନଥିବ । ଅସଲ ଅର୍ଥ ଭିତରେ ଥିବ; ଉପର ଅର୍ଥଟା ପାଠକକୁ ସତେଅବା କେଉଁ ଜାଲ ଭିତରେ ନେଇ ପକାଇ ଦେଉଥିବ, ଭିତରକୁ ଭେଦି ପାରିଲେ ଯାଇ ଅସଲ ଅର୍ଥାତ୍ ଅଭିପ୍ରେତ ଅର୍ଥଟିର ସନ୍ଧାନ ମିଳୁଥିବ । ପଦ ଲେଖିବାର ଏହି ପରମ୍ପରାଟି ଓଡ଼ିଆ ସାହିତ୍ୟର ପରବର୍ତ୍ତୀ କାଳମାନଙ୍କରେ ଲେଖା ହୋଇଥିବା ଅନେକ ଭଜନରେ ମଧ୍ୟ ରହିଛି । ମଧ୍ୟଯୁଗରେ ଭାରତୀୟ ସନ୍ଥମାନେ ପଦରଚନାର ଏହି ବିଶେଷ ରୀତିଟି ସହିତ ସର୍ବଦା ସୁପରିଚିତ ହୋଇ ରହିଥିଲେ । ଅସଲ କଥାଟିକୁ ଅନ୍ତରାଳରେ ରଖି ବାହାରେ ସତେଅବା ଭ୍ରମରେ ପକାଇ ଦେଉଥିବା ଏହି ପଦଗୁଡ଼ିକ ବିଷୟରେ ଏପରି କୁହାଯାଇଥାଏ ଯେ, ସାଧନାର ଗୁପ୍ତ ମର୍ମଗୁଡ଼ିକୁ ସାଧାରଣ ମନୁଷ୍ୟମାନେ ବୁଝିପାରିଲେ ସେମାନେ କାଳେ ସାଧନାର ଅପବ୍ୟବହାର କରିବେ ଓ ତାହାକୁ ଭ୍ରଷ୍ଟ କରି ପକାଇବେ, ସେଥିଲାଗି ସାଧକମାନେ ସନ୍ଧ୍ୟାଭାଷାର ବ୍ୟବହାର କରୁଥିଲେ । ସନ୍ଧ୍ୟା ସମୟ ହେଉଛି ଏକ ମଝିମଝିଆ ସମୟ । ଦିନ ବା ଆଲୋକ ସମ୍ପୂର୍ଣ୍ଣ ଭାବରେ ଯାଇ ନଥିବ ଏବଂ ରାତ୍ରି ବା ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଆସି ନଥିବ, ସେହି ସମୟଟି ହେଉଛି ସନ୍ଧ୍ୟା ସମୟ । ସେହିପରି ପଦଗୁଡ଼ିକ ଯେଉଁ ଭାଷାରେ ଲେଖାଯାଇଥିବ, ତାହାର ଉପର ଅର୍ଥରେ ହୁଏତ କିଛି ବୁଝାଯାଉ ନଥିବ, ଅର୍ଥ ସହିତ କୌଣସି ସଙ୍ଗତି ନଥିବ; ତଥାପି ଭିତରକୁ ଭେଦି ପାରିଲେ, ଗୁପ୍ତ ହୋଇ ରହିଥିବା ଅର୍ଥ-ସୂତ୍ରଟିକୁ ଧରିପାରିଲେ, ସାଧକ ବା ଶିଷ୍ୟକୁ ସେଥିରୁ ସାଧନାମାର୍ଗରେ କୌଣସି ଏକ ଗୂଢ଼ ବିଷୟରେ ପରିଚୟ ମିଳିଯାଉଥିବ । ବିଭିନ୍ନ ସମ୍ପ୍ରଦାୟରୁ ସାଧନର କ୍ଷେତ୍ରରେ ଅନୁପଯୁକ୍ତ ଏବଂ ଅନଧିକାରୀମାନେ କାଳେ ବିଭ୍ରାଟ ସୃଷ୍ଟି କରିବାକୁ ଆସିବେ, ସେଥିଲାଗି ସନ୍ଧ୍ୟା ଭାଷାରେହିଁ ଗୁରୁମାନେ ଆପଣାର କଥାଗୁଡ଼ିକୁ କହିବା ଲାଗି ଅଧିକ ଉଚିତ ବୋଲି ମନେ କରୁଥିଲେ । ସନ୍ଧ୍ୟାଭାଷାକୁ ଆମେ ଏକ ପ୍ରତୀକାତ୍ମକ ଭାଷା ବୋଲି ବୁଝିବା । ପ୍ରତୀକର ଉପର ଅର୍ଥଟିଏ ରହିଥାଏ, ଭିତରେ ତାହା ଆଉ ଗୋଟିଏ ଅର୍ଥମର୍ମକୁ ସୂଚାଇ ଦେଉଥାଏ । ଯିଏ ଅସଲ ଶିଷ୍ୟ, ଯାହାର ପ୍ରକୃତ ବାସନା ରହିଛି, ସେ କେବଳ ଉପର ଅର୍ଥରେ ଉପରେ ଉପରେ ବାଉଳା ହୋଇ ରହିଯିବ ନାହିଁ, ସେ ଭିତର ଅର୍ଥକୁ ବୁଝିବ, ମର୍ମାର୍ଥଟିକୁ ଗ୍ରହଣ କରିବ । ବାହ୍ୟ ଅର୍ଥଟିର ବାହ୍ୟ ଆକର୍ଷଣଟିକୁ ପାର ହୋଇ ସେ ବ୍ୟଞ୍ଜନାର୍ଥରେ ଯାଇ ପ୍ରବେଶ କରିବ । ତେବେ ଯାଇ ଉଦ୍ଦିଷ୍ଟ ଅର୍ଥଟିକୁ ବୁଝିବ, ଅଭିପ୍ରେତ ପ୍ରେରଣାଟିକୁ ପାଇପାରିବ ।

 

ବୁଦ୍ଧଦେବଙ୍କ ପରେ ବୌଦ୍ଧ ଧର୍ମ ହୀନଯାନ ଓ ମହାଯାନ ନାମରେ ଦୁଇଖଣ୍ଡ ହୋଇ ଯାଇଥିଲା । ଦୁହେଁ ଗୌତମ ବୁଦ୍ଧଙ୍କ କଥା କହିଲେ, ମୂଳତଃ ତାଙ୍କୁହିଁ ମାନୁଛନ୍ତି ବୋଲି ଘୋଷଣା କଲେ । ଉଭୟ ପକ୍ଷରୁ ନିଜ ନିଜ ଧର୍ମର ପ୍ରଚାର ମଧ୍ୟ କରାଯାଇଥିଲା । କେତେକ ବିଶେଷ କାରଣରୁ ମହାଯାନ ବୌଦ୍ଧଧର୍ମ ପ୍ରଚଳିତ ବ୍ରାହ୍ମଣ୍ୟ ଧର୍ମର ନିକଟବର୍ତ୍ତୀ ହୋଇ ଆସିଲା । ଗୌତମ ବୁଦ୍ଧ ସଂସ୍କୃତ ଭାଷାକୁ ବର୍ଜନ କରି ପାଲି ଭାଷାର ବ୍ୟବହାର କରିଥିଲେ । ମହାଯାନ ଭିତରେ କ୍ରମେ ସଂସ୍କୃତ ଭାଷା ଆସି ପ୍ରବେଶ କଲା । ବୁଦ୍ଧଦେବ ମୂର୍ତ୍ତିପୂଜାକୁ ସ୍ୱୀକାର କରି ନଥିଲେ, କ୍ରମେ ବୁଦ୍ଧଦେଙ୍କର ମୂର୍ତ୍ତି ଗଢ଼ା ହେଲା ଓ ପୂଜା ପାଇଲା । ହିନ୍ଦୁ ରାଜାଙ୍କ ପରି ବୌଦ୍ଧ ରାଜାମାନେ ମଧ୍ୟ ଭବ୍ୟ ବୌଦ୍ଧ ମନ୍ଦିରମାନ ଗଢ଼ି ଥୋଇଦେଲେ । ଗୌତମ ବୁଦ୍ଧଙ୍କର ଅବତାର-କଳ୍ପନା ହୋଇପାରିଲା । ତାଙ୍କୁ ମଝିରେ ବସାଇ ଏକ ସ୍ଵର୍ଗପୁରର କଳ୍ପନା ମଧ୍ୟ କରାଗଲା । କାଳକ୍ରମେ ହିନ୍ଦୁ ଧର୍ମ ପରି ବୌଦ୍ଧ ଧର୍ମ ବହୁ ମାର୍ଗ ଓ ସମ୍ପ୍ରଦାୟରେ ବିଭକ୍ତ ହୋଇଗଲା । ଭେଦ ଅନୁସାରେ ବିଭିନ୍ନ ଶାସ୍ତ୍ରମାନ ଲିଖିତ ହେଲା । ମହାଯାନରୁ ବଜ୍ରଯାନ, ତା’ପରେ ପ୍ରତ୍ୟେକ-ବୁଦ୍ଧଯାନ, ମହାସୁଖଯାନ ଏବଂ ସହଜଯାନ । ସହଜ ଶବ୍ଦଟି ଭାରତୀୟ ସାଧନା ପରମ୍ପରାରେ କ୍ରମେ ବିବିଧ ଅର୍ଥକୁ ବୁଝାଇଥିଲେ ମଧ୍ୟ ଏହା ପଛରେ ସନ୍ଥମାନଙ୍କର ସର୍ବଦା ଏକ ବିଶେଷ ଆଧ୍ୟାତ୍ମିକ ଅର୍ଥ ମଧ୍ୟ ରହିଆସିଛି । ସାଧନାରେ କୌଣସି କୃତ୍ରିମତା ଅର୍ଥାତ୍ ବାହ୍ୟିକତା ରହିବ ନାହିଁ, ପରମାତ୍ମା କଳ୍ପନାରେ ମଧ୍ୟ କୌଣସି ଅତି-ବୌଦ୍ଧିକତା ରହିବ ନାହିଁ । ସାଧନା ସହଜ ହେବ, ସ୍ଵାଭାବିକ ହେବ, ମନୁଷ୍ୟର ନିବିଡ଼ତମ ଆକାଂକ୍ଷାଟିକୁ ତାହା ସ୍ପର୍ଶ କରିପାରୁଥିବ, ତାକୁ କ୍ରମଶଃ ଅଧିକରୁ ଅଧିକ ସ୍ଵଚ୍ଛନ୍ଦ ଭାବରେ ବିକଶିତ କରି ଆଣୁଥିବ । ଭେକପ୍ରଧାନ ହେବ ନାହିଁ, ବିଧିପ୍ରଧାନ ହେବ ନାହିଁ, ବାଦ ମଧ୍ୟ ପ୍ରଧାନ ହେବ ନାହିଁ । ଜୀବନ କ୍ରମଶଃ ଅଧିକରୁ ଅଧିକ ସରଳ ଓ ସାବଲୀଳ ହୋଇ ଆସୁଥିବ, ବାହାରର ସକଳ ଆଭରଣ ଖସି ଆସୁଥିବ,-ସନ୍ଥ କବୀର ଏହିପରି ଏକ ସମାଧିସ୍ଥ ଜୀବନଯାପନକୁ ସହଜ ସମାଧି ବୋଲି କହିଛନ୍ତି । ସେହି ଅବସ୍ଥାରେ ମନୁଷ୍ୟର ପ୍ରତ୍ୟେକ କର୍ମ ପୂଜାରେ ପରିଣତ ହେବ, ପ୍ରତ୍ୟେକ ବାକ୍ୟ ମନ୍ତ୍ରରେ ପରିଣତ ହେବ ।

 

ସିଦ୍ଧାଚାର୍ଯ୍ୟ ସରାହପାଦଙ୍କର ଗୋଟିଏ ପଦରେ ମଧ୍ୟ ସେହି ଭାବଟିର ସୂଚନା ମିଳୁଛି । ସେଥିରେ ରହିଛି-ପଣ୍ଡିତ କେତେ ଶାସ୍ତ୍ର ବଖାଣିବାରେ ଲାଗିଥାଏ; ମାତ୍ର ଦେହ ଭିତରେ ଯେ ସ୍ଵୟଂ ବୁଦ୍ଧ ବାସ କରୁଛନ୍ତି, ସେ ସେହି କଥାଟିକୁ ଜାଣି ନଥାଏ । ସେ ଜନ୍ମମୃତ୍ୟୁର ବନ୍ଧନ ଭିତରୁ ବାହାରି ଆସି ନଥାଏ, ତଥାପି ନିର୍ଲଜ୍ଜ ଭାବରେ ଆପଣାକୁ ପଣ୍ଡିତ ବୋଲି କହୁଥାଏ । ଯାବତୀୟ ଧର୍ମ ଓ ସାଧନାର ମାର୍ଗରେ ଯେତେବେଳେ ବାହ୍ୟିକତା ଆସି ପ୍ରବଳ ଭାବରେ ପଶିଯାଏ, ସେତେବେଳେ ଧର୍ମ ଭିତରେ ବହୁ ପ୍ରକାରର ଉପଦ୍ରବ ଆରମ୍ଭ ହୋଇଯାଏ, ଅଧ୍ୟାତ୍ମ ଚାରଣା ସତେଅବା ଏକ ଅଭିନୟରେ ପରିଣତ ହୁଏ । ସେତେବେଳେ ତାହାର ପ୍ରତିବାଦ ହୁଏ, ବାହ୍ୟଗୁଡ଼ାକୁ ଛାଡ଼ି ଅନ୍ତର ଭିତରକୁ ଆସିବାର ଉଦ୍‍ବୋଧନ ଦିଆଯାଏ, ଯୁଗର ଦୃଷ୍ଟିକୁ ଅନ୍ତର୍ମୁଖୀ କରିବା ଲାଗି ପ୍ରୟାସ କରାଯାଏ । ତଦ୍ଦ୍ଵାରା କିଞ୍ଚିତ୍ ମୋହଭଙ୍ଗବି ହୋଇଥାଏ । ତଥାପି ପୁନର୍ବାର ନୂତନ ସତ୍ୟଟି ମଧ୍ୟ ପୁରୁଣା ହୋଇଥାଏ; ନୂତନ ସତ୍ୟଟିରେ କଳ୍ପନାର ମାଟି ବୋଳିଦେଇ ତାହାକୁ ମୂର୍ତ୍ତିରେ ପରିଣତ କରିଦିଏ । ପୁଣି ପୁରୁଣା ବାହ୍ୟକତାଗୁଡ଼ିକର ଜୟ ଜୟକାର ହୁଏ । ପୃଥିବୀ ପ୍ରଥମେ ଯେଉଁଠାରେ ଥିଲା, ସତେଅବା ସେହିଠାକୁ ଫେରିଆସେ । ପୃଥିବୀର ଯାବତୀୟ ଧର୍ମରେ ସେହି ଘଟଣାଟି ଘଟିଛି । କେତେକେତେ ସାଧନା ସମ୍ପ୍ରଦାୟର ମତ୍ତତା ଭିତରେ ଅଧୋଗତ ହୋଇ ପଡ଼ିରହିଛି, ଜଣେ ଜଣେ ମହାପୁରୁଷ ଓ ଯୁଗପୁରୁଷଙ୍କର ଲବ୍ଧ ସତ୍ୟଟିଏ ପରବର୍ତ୍ତୀ କାଳରେ ଠାକୁରଟିଏ ହୋଇ, ପିତୁଳାଟିଏ ହୋଇ ପୂଜା ପାଇଛି । ସମ୍ପ୍ରଦାୟମାନେ ମଧ୍ୟ ସାହିତ୍ୟ କରିଛନ୍ତି ଓ ସେଗୁଡ଼ିକୁ ଅଧ୍ୟାତ୍ମ ସାହିତ୍ୟ ବୋଲି କହିଛନ୍ତି । ଓଡ଼ିଆ ସାହିତ୍ୟର ସେହି ପ୍ରାଚୀନ କାଳରେ ଆମକୁ ଏହିପରି ଅନେକ ସାମ୍ପ୍ରଦାୟିକ ସାହିତ୍ୟର ପରିଚୟ ମିଳିବ । ସେମାନେ ପ୍ରତ୍ୟେକେ ଆପଣାକୁ ଅଧ୍ୟାତ୍ମ ସାହିତ୍ୟ ବୋଲି ଦାବି କରିଛନ୍ତି, ମାତ୍ର ମନୁଷ୍ୟମାନଙ୍କୁ ସମ୍ପ୍ରଦାୟ ଭିତରେ, ଉଗ୍ରତା ଭିତରେ ନେଇ ପୂରାଇ ଦେଇଛନ୍ତି । ବାହ୍ୟିକତାଗୁଡ଼ିକ ଅସଲ ଧର୍ମ ବୋଲି କୁହାଯାଇଛି ଏବଂ ତଦ୍ଦ୍ଵାରା ଗୋଟାଏ ଗୋଟାଏ ସମ୍ପୂର୍ଣ୍ଣ କାଳକୁ ଭଣ୍ଡାଇ ଦିଆଯାଇଛି ।

 

ଓଡ଼ିଆ ପ୍ରାଚୀନ ସାହିତ୍ୟର ସେହି ଆଦିଯୁଗର ଆଲୋଚନା କଲାବେଳେ ମଧ୍ୟ ଆମେ ସେହି କଥାଟିକୁ ସର୍ବଦା ସ୍ମରଣ ରଖିବା । ଯାହାକିଛି ଓଡ଼ିଆ ଭାଷାରେ ଲେଖାଯାଇଛି, ତାହା ଓଡ଼ିଆ ସାହିତ୍ୟର କଦାପି ଗୌରବ ବଢ଼ାଇ ନାହିଁ । ଯାହାକିଛି ଓଡ଼ିଆ ସାହିତ୍ୟରେ ବର୍ତ୍ତମାନ ମଧ୍ୟ ଲେଖାଯାଉଛି, ତାହା ଓଡ଼ିଆ ସାହିତ୍ୟର ଗୌରବ କଦାପି ବଢ଼ାଉ ନାହିଁ । ସାହିତ୍ୟର ଗୌରବ ବଢ଼ାଉ ନାହିଁ, ତେଣୁ ଓଡ଼ିଆ ସାହିତ୍ୟର ମଧ୍ୟ ଗୌରବ ବଢ଼ାଉ ନାହିଁ । ସେହି ପ୍ରାଚୀନ ସାହିତ୍ୟକୁ ମଧ୍ୟ ଆମେ ଏହିପରି ଗୋଟିଏ ମାପକାଠି ଦେଇ ବିଚାର କରିବାକୁ ଚେଷ୍ଟା କରିବା । ଯେଉଁମାନେ ଜାତୀୟତାବାଦକୁ ଜୀବନର ଓ ଜୀବନଦର୍ଶନର ସର୍ବମହିମ ଧର୍ମ ଓ ଅବଲମ୍ଵନ ବୋଲି ଗ୍ରହଣ କରି ନିଅନ୍ତି, ସେମାନେ ସାଧାରଣତଃ ଭାବପ୍ରବଣ ହୋଇ ଯାବତୀୟ କଥାର ବିଚାର କରନ୍ତି । ଓଡ଼ିଆ ସାହିତ୍ୟରେ, ଓଡ଼ିଆ ସାହିତ୍ୟର ଆଲୋଚନାରେ ମଧ୍ୟ ଏହି ଜାତୀୟତାବାଦୀ ଦୃଷ୍ଟିଟି ଦୃଷ୍ଟିଗୋଚର ହୋଇଥାଏ । ତେଣୁ, ଭାବପ୍ରବଣ ମଣିଷମାନେ ମଧ୍ୟ ଓଡ଼ିଆ ସାହିତ୍ୟର ଆଲୋଚନା କରିବାକୁ ଅନେକ ସମୟରେ ମନ ବଳାଇଥାନ୍ତି । ଯାହାକିଛି ଓଡ଼ିଆ ଭାଷାରେ ଲେଖାଯାଇଛି, ସେମାନେ ସେଗୁଡ଼ିକୁ ସତେଅବା କେତେ ପୁଲକରେ କେଡ଼େ ଗଦ୍‍ଗଦ ହୋଇ ଦେଖାଇ ବାହାରନ୍ତି ଏବଂ ସାହିତ୍ୟକୁ ଦେଖିବାର ଲୋଚନଗୁଡ଼ିକୁ ଆମଠାରୁ ହରଣ କରି ନେଇଯିବାକୁ ପ୍ରୟାସ କରୁଥାନ୍ତି । ଓଡ଼ିଆ ସାହିତ୍ୟକୁ ସେମାନେ ସତେଅବା ଏକ ସ୍ଵର୍ଗୀୟ ଧନ ବୋଲି ଦେଖନ୍ତି, ପିତୁଳାଟିଏ ଦେଖିଲେ ତାହାକୁ ବ୍ରହ୍ମ ବ୍ୟତୀତ ଆଉ କିଛି ବୋଲି କହନ୍ତି ନାହିଁ । ନିତାନ୍ତ ଅଧ୍ୟାତ୍ମଗୁଡ଼ାକ ବୋଲି କହିବା ଲାଗି ବାହାରି ପଡ଼ନ୍ତି । ସାହିତ୍ୟର ସମୀକ୍ଷା ମୂଳତଃ ସାହିତ୍ୟର ମାଧ୍ୟମରେ ଅଭିବ୍ୟକ୍ତି ଲାଭ କରିଥିବା ଜୀବନ ମୂଳଗୁଡ଼ିକର ସମୀକ୍ଷା । ଓଡ଼ିଆ ସାହିତ୍ୟର ସର୍ବଦା ଏକ ସାମାଜିକ ଭୂମି ରହିଆସିଛି, ଏକ ସାଂସ୍କୃତିକ ଭୂମି ରହିଆସିଛି । ଜଣେ ସାହିତ୍ୟକାର, କବି ବା ଗଦ୍ୟଲେଖକ ସେହି ଭୂମିଗୁଡ଼ିକୁ ଯେତିକି ଅଧିକ ଅଥବା ଅଳପ ଗଭୀର ଭାବରେ ଭେଦି ପାରିଛି, ଆପଣାର ଚେତନା ମଧ୍ୟରେ ତାହାର ଯେତିକି ପରିପାଚନ କରିପାରିଚି ଏବଂ ଯେତିକି ସମ୍ପୂର୍ଣ୍ଣତା ସହିତ ଆପଣାର କୃତିଗୁଡ଼ିକର ମଧ୍ୟ ଦେଇ ସେଗୁଡ଼ିକୁ ବ୍ୟକ୍ତ କରିପାରିଛି, ଆମେ ସେହି ଅନୁସାରେ ତାକୁ ସେତିକି ଅଧିକ ଅଥବା ଅଳପ ସିଦ୍ଧି ଲାଭ କରିଥିବା ଜଣେ ସ୍ରଷ୍ଟା ବୋଲି କହିପାରିବା । ତେବେଯାଇ ଆମେ ଯାବତୀୟ ସାହିତ୍ୟ ଭିତରକୁ ଗଲେ ହୁଏତ ସାହିତ୍ୟର ବାହାରେ ବାହାରେ ରହିଥିବା ।

Image

 

Unknown

ପଞ୍ଚମ ପରିଚ୍ଛେଦ

ଆଦିସାହିତ୍ୟ ଓ ଆଦିକବି ସାରଳା ଦାସ

 

ଓଡ଼ିଆ ମହାଭାରତକାର ସାରଳା ଦାସଙ୍କୁ ଓଡ଼ିଆ ସାହିତ୍ୟରେ ଆଦିକବି ବୋଲି କୁହାଯାଏ । ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଯେତେ ପ୍ରାଚୀନ ଗ୍ରନ୍ଥ ଆବିଷ୍କୃତ ହୋଇଛି, ସେଥିମଧ୍ୟରେ ସାରଳା ଦାସଙ୍କର ମହାଭାରତ ହେଉଛି ସର୍ବପ୍ରାଚୀନ । ଆଉ କେତେକ ପୋଥିକୁ ସେହି ମହାଭାରତ ତୁଳନାରେ ଆହୁରି ଅଧିକ ପ୍ରାଚୀନ ବୋଲି କୁହାଯାଉଛି ବା ଅନୁମାନ କରାଯାଉଛି ସତ, ମାତ୍ର ଏଗୁଡ଼ିକ ସେହି ଅନ୍ୟଟି ସମ୍ମୁଖରେ ପ୍ରାୟ କିଛି ନୁହେଁ ବୋଲି କୁହାଯାଇପାରିବ ଏବଂ ସାରଳା ଦାସଙ୍କର ମହାଭାରତରେ ଯେଉଁ ପରିପକ୍ଵତା ରହିଛି, ଯେପରି ସମ୍ପୂର୍ଣ୍ଣ ବିଶ୍ୱାସ ସହିତ ଭାଷାର ବ୍ୟବହାର କରାଯାଇଛି ଏବଂ ଯେଉଁ ଦକ୍ଷତାର ସହିତ ସମ୍ପୂର୍ଣ୍ଣ ନିଜସ୍ଵ ଭାବରେ ଚରିତ୍ରଗୁଡ଼ିକର ଚିତ୍ରଣ କରାଯାଇଛି, ସେଥିରୁ ଅତ୍ୟନ୍ତ ନିଶ୍ଚିତ ଭାବରେ କୁହାଯାଇପାରିବ ଯେ, ସାରଳା ଦାସଙ୍କର ସମୟକୁ ଓଡ଼ିଆ ଭାଷା ସାହିତ୍ୟର ଭାଷାରୂପେ ସେତେବେଳେ ଆଦୌ ଏକ ଅର୍ବାଚୀନ ଭାଷା ହୋଇ ରହି ନଥିଲା । ମହାଭାରତରେ ସାରଳା ଦାସ ଯେଉଁ ସ୍ଵଚ୍ଛନ୍ଦତାର ସହିତ ଓଡ଼ିଆ ଭାଷାକୁ ବ୍ୟବହାର କରିଛନ୍ତି, ସେଥିରୁ ସେତେବେଳେ ମଧ୍ୟ ଓଡ଼ିଆ ଭାଷା ଏକ ପୋଖତ ଭାଷା ହିସାବରେ ଅବଶ୍ୟ ରହିଥିଲା ଏବଂ ସେହି ଭାଷାରେ ପୋଥିମାନ ଲେଖା ହେଉଥିଲା ବୋଲି ଯୁକ୍ତିର ସହିତ କୁହାଯାଇପାରିବ ।

 

ସାରଳା ଦାସଙ୍କର ସମୟ ହେଉଛି ପଞ୍ଚଦଶ ଶତାବ୍ଦୀ । ସେତେବେଳେ ଓଡ଼ିଆ ଭାଷା ଲୋକମୁଖରେ ଥିଲା ଏବଂ ଲୋକସାହିତ୍ୟର ମାଧ୍ୟମରେ ବିକଶିତ ହୋଇ ଆସୁଥିଲା । ସେହି ଭାଷା ସଭାଠାରୁ ଦୂରରେ ରହିଥିଲା, ପଣ୍ଡିତମାନେ ଅର୍ଥାତ୍‍ ଶାସ୍ତ୍ରର ଭାଷା ସଂସ୍କୃତକୁ ଏକମାତ୍ର ଯୋଗ୍ୟ ଭାଷା ବୋଲି ଗଣନା କରୁଥିବା ପଣ୍ଡିତମାନେ ଓଡ଼ିଆ ଭାଷା ପ୍ରତି ଯାବତୀୟ ବିଚାର ବା ବୈରଭାବ ଦେଖାଉଥିଲେ ମଧ୍ୟ ତାହା ଏକାଧିକ ଶତାବ୍ଦୀରୁ କ୍ରମପରିଣତ ହୋଇ ଆସୁଥିଲା । ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ପଣ୍ଡିତମାନେ ଘରେ ନିଜ ଗୃହିଣୀମାନଙ୍କ ସହିତ ଓଡ଼ିଆ ଭାଷାରେହିଁ କଥାବାର୍ତ୍ତା କରୁଥିଲେ, ଓଡ଼ି ଭାଷାରେହିଁ ସମସାମୟିକ ବୃହତ୍ତର ସମାଜର ଯାବତୀୟ ବେଭାର ଚଳୁଥିଲା । ତଥାପି ବ୍ରାହ୍ମଣମାନେ ଓଡ଼ିଆକୁ ଏକ ଅଶୁଦ୍ଧ ଭାଷା ବୋଲି କହୁଥିଲେ ଏବଂ ତାହାକୁ ଧର୍ମୀୟତନ ଓ ରାଜଦରବାର ଭିତରକୁ ପୂରାଇ ଦେଉ ନଥିଲେ । ସମାଜରେ ଶ୍ରେଣୀ ଶ୍ରେଣୀ ମଧ୍ୟରେ ଯେଉଁ ଦୂରତା ରହିଥିଲା, ସମ୍ଭବତଃ ସେହି କାରଣରୁହିଁ କଥିତ ଭାଷାଟିକୁ ସଭାରୁ ଏବଂ ସାହିତ୍ୟ ଭିତରୁ ବାସନ୍ଦ କରି ରଖାଯାଇଥିଲା । ଏହି ରୀତିଟି ସେହି ଆଦିକାଳରୁ ଏବେଯାଏଁ ମଧ୍ୟ ଓଡ଼ିଶାର ସମାଜରେ ପ୍ରଚଳିତ ହୋଇ ରହିଛି । ସାମ୍ପ୍ରତିକ କାଳରେ ଯେଉଁମାନେ ସମାଜର ଉଚ୍ଚ ଧାଡ଼ିମାନଙ୍କରେ ରହିଛନ୍ତି, ସେମାନେ ମଧ୍ୟ ନିଜ ଘରେ ଓଡ଼ିଆ ଭାଷାକୁ ବ୍ୟବହାର କରୁଛନ୍ତି, ଆପଣାର ଭାବନାଗୁଡ଼ିକୁ ଓଡ଼ିଆରେ ଭାବୁଛନ୍ତି, ଓଡ଼ିଆରେ ସ୍ଵପ୍ନ ଦେଖୁଛନ୍ତି ଓ ଆପଣାର ଯାବତୀୟ ଆବେଗଗୁଡ଼ିକୁ ଅନୁଭବ କରୁଛନ୍ତି, ମାତ୍ର ସେମାନେ ସେହି ଭାଷାଟିକୁ ଦରବାର ଯାଏଁ ନେବାକୁ ଭାରି ଭୟ କରୁଛନ୍ତି; ଶିକ୍ଷା, ଶାସନ ଏବଂ ସଭ୍ୟତାର ଏକ ଉଚ୍ଚ ଦରବାର ବସାଇ ନିଜ ଚାରିପାଖେ ଉଚ୍ଚ ପାଚେରୀମାନ ଘେରାଇ ରଖି ସେମାନେ ସେଠି ଆଉ ଗୋଟିଏ ଭାଷାର ବ୍ୟବହାର କରୁଛନ୍ତି । ଏହି ଆଉ ଗୋଟାଏଟାକୁ ସେମାନେ ଶିକ୍ଷିତମାନଙ୍କର ଭାଷା ବୋଲି କହୁଛନ୍ତି, ସଂସ୍କୃତିର ଭାଷା ଏବଂ ତେଣୁ ଅସଲ ଭାଷା ବୋଲି କହୁଛନ୍ତି ।

 

ଗଙ୍ଗବଂଶର ରାଜାମାନେ ଓଡ଼ିଶାରେ ସଂସ୍କୃତ ଭାଷାରହିଁ ପୃଷ୍ଠପୋଷକତା କରୁଥିଲେ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ସଂସ୍କୃତ ଭାଷାର ଅସହିଷ୍ଣୁତା ଲୋକଭୂମିରେ ରହିଥିବା ଓଡ଼ିଆ ଭାଷାକୁ ନାନାପ୍ରକାରେ ସଙ୍କୁଚିତ କରି ରଖିଥିଲା । ଷୋଡ଼ଶ ଶତାବ୍ଦୀରେ କବି ନରସିଂହ ସେଣ ଲେଖିଥିବା ‘ପରିମଳା’ କାବ୍ୟରେ ମଧ୍ୟ ଆମେ ଓଡ଼ିଆ ଭାଷାର ସାହିତ୍ୟିକ ବ୍ୟବହାର ବିଷୟରେ ସେହି ସଙ୍କୋଚର ପରିଚୟ ପାଇବା । ଏକ ପରବର୍ତ୍ତୀ କାଳରେ କବି ଅଭିମନ୍ୟୁ ସାମନ୍ତସିଂହାର ତାଙ୍କର ‘ବିଦଗ୍ଧ ଚିନ୍ତାମଣି’ରେ ସଂସ୍କୃତ ଭାଷାକୁ ଦିବ୍ୟ ଭାଷା ଏବଂ ଓଡ଼ିଆ ଭାଷାକୁ ଅଦିବ୍ୟ ଭାଷା ବୋଲି କହିଛନ୍ତି । ଏହିଭଳି ଏକ ପରମ୍ପରାକୁ ପୃଷ୍ଠଭୂମିରେ ରଖି ଆମେ ଅତ୍ୟନ୍ତ ନିଃସନ୍ଦେହ ଭାବରେ କଳ୍ପନା କରିପାରିବା ଯେ, ଓଡ଼ିଆ ଭାଷାର ବ୍ୟବହାର କରି ମହାଭାରତ ଏବଂ ଆପଣାର ଅନ୍ୟ ଗ୍ରନ୍ଥଗୁଡ଼ିକୁ ଲେଖିବା ଲାଗି ସାରଳା ଦାସଙ୍କୁ ଅନେକ ସଂଗ୍ରାମ କରିବାକୁ ପଡ଼ିଥିବ ଓ ଅନେକ ସାହସ ବାନ୍ଧିବାକୁ ପଡ଼ିଥିବ । ମାତ୍ର, ଇତିହାସରେ ଯାହା ଘଟିବାର ଥିଲା, ତାହାହିଁ ଘଟିଲା-। ଏତେ ଏତେ ଅସୂୟା ପ୍ରଦର୍ଶନ କରି ଏବଂ ଏତେ ପ୍ରକାରେ ବାଟ ଓଗାଳି ମଧ୍ୟ ସଂସ୍କୃତ ଭାଷା ତଥାପି କଥିତ ଭାଷାକୁ ଆଦୌ ଅଟକାଇ ରଖିପାରିଲା ନାହିଁ । ଓଡ଼ିଶାରେ ରଖିପାରିଲା ନାହିଁ କିମ୍ବା ସମଗ୍ର ଭାରତବର୍ଷରେ ମଧ୍ୟ ଅଟକାଇ ରଖିପାରିଲା ନାହିଁ । ସତେଅବା ଆପଣାର ସାନ ଗଡ଼ିଆଟି ଭିତରେ ଆବଦ୍ଧ ରହି ପୁରୁଣା ସଂସ୍କୃତ ପୋଥିଗୁଡ଼ାକ ପରି ସଂସ୍କୃତ ଭାଷା ମଧ୍ୟ ଖତ ହୋଇଗଲା, ପଚିଶଢ଼ି ଗଲା । ଯଦି କେବଳ କୁଳୀନ ବର୍ଗଗୁଡ଼ିକ ମଧ୍ୟରେ ସଂସ୍କୃତ ଭାଷାକୁ କିଳି ନ ରଖି ତାହାକୁ ଏକ ସର୍ବଜନଙ୍କର ଭାଷାରୂପେ ପହୁଞ୍ଚ ଭିତରକୁ ଆଣି ବିକାଶ ଲାଭ କରିବାକୁ ଦିଆଯାଇଥାନ୍ତା, ତେବେ ତାହା ଏହି ଯୁଗ ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ଜୀବନ୍ତ ଓ ସରଳ ଭାଷା ହୋଇ ରହିଥାନ୍ତା-। କେବଳ ସେତିକି ନୁହେଁ, ତଦ୍ଦ୍ଵାରା ଭାରତବର୍ଷରେ ତଥା ଓଡ଼ିଶାରେ ଆମ ସମାଜ, ଆମ ସଂସ୍କୃତି ଏବଂ ଆମର ଜୀବନଦୃଷ୍ଟି ମଧ୍ୟ ହୁଏତ ଅନ୍ୟପ୍ରକାରର ହୋଇଥାଆନ୍ତା । ଏଠି ମଣିଷ ସହିତ ମଣିଷର ସମ୍ବନ୍ଧ ଅନ୍ୟ ପ୍ରକାରର ହୋଇଥାନ୍ତା ।

 

ସାରଳା ଦାସଙ୍କର ଆହୁରି ପୂର୍ବରୁ ଓଡ଼ିଆ ସାହିତ୍ୟର ଯେଉଁସବୁ ନମୁନା ଏପର୍ଯ୍ୟନ୍ତ ମିଳିଛି, ତାହା ଅତ୍ୟନ୍ତ ଅଳ୍ପ । ଚର୍ଯ୍ୟାପଦଗୁଡ଼ିକ ମଧ୍ୟରେ ସେହି ନମୁନାର ପ୍ରଥମ ଠାବ କରିବା ପରେ ଗବେଷକମାନେ ଏହି ପର୍ଯ୍ୟାୟରେ ରୁଦ୍ରସୁଧାନିଧି ଓ କଳସା ଚଉତିଶାର ଆଲୋଚନା କରିଛନ୍ତି । ‘ରୁଦ୍ରସୁଧାନିଧି’ର ଲେଖକ ହେଉଛନ୍ତି ନାରାୟଣାନନ୍ଦ ଅବଧୂତ ସ୍ଵାମୀ । ଏହାର ଲିଖନ-ଶୈଳୀକୁ ପଦ୍ୟାତ୍ମକ ଗଦ୍ୟ ବୋଲି କୁହାଯାଇପାରିବ । ସେହି ଗଦ୍ୟକୁ ପୁରାତନ କାହାଣୀ କହିବାର ଗଦ୍ୟ ବୋଲି ଗ୍ରହଣ କରାଯାଇପାରେ । ଆପଣାର ରଚନାଟିର ମାଧ୍ୟମରେ ଅବଧୂତ ସ୍ଵାମୀ ଆମକୁ ପ୍ରକୃତରେ କାହାଣୀଟିଏ କହିଛନ୍ତି । କାହାଣୀଗୁଡ଼ିକ ଠାକୁରମାନଙ୍କୁ ନେଇ ରଚିତ ହୋଇଛି । ସେଗୁଡ଼ିକରେ ଠାକୁରମାନଙ୍କୁ ଆଶ୍ରୟ କରିରହିଥିବା ରାଜାମାନଙ୍କର କଥାମାନ କୁହାଯାଇଛି । ‘ରୁଦ୍ରସୁଧାନିଧି’ରେ ଠାକୁରମାନଙ୍କର ବର୍ଣ୍ଣନାମାନ ରହିଥିବାରୁ ତାହାକୁ କେତେ ଆଲୋଚକ ଏକ ଧର୍ମସାହିତ୍ୟ ବୋଲି କହିଛନ୍ତି । ମାତ୍ର ଅଧିକ ଯୁକ୍ତିର ସହିତ ଆମେ ତାହାକୁ ହୁଏତ ଗୋଟିଏ ଉପନ୍ୟାସର ପୁରାତନ ନମୁନା ଗ୍ରହଣ କରିପାରିବା । ଅଥବା, ଅତ୍ୟନ୍ତ ମୁକ୍ତ ଭାବରେ ଲେଖା ହୋଇଥିବା ଗଦ୍ୟ-କଳେବରଧାରୀ ଏକ ରୀତିସାହିତ୍ୟ ବୋଲି ମଧ୍ୟ କହିପାରିବା । ‘ରୁଦ୍ରସୁଧାନିଧି’କୁ ପାଠ କରିବା ସମୟରେ ତାହାର ଏକ ସମଧର୍ମୀ ଓ ସମତୁଲ ଗ୍ରନ୍ଥରୂପେ ଆମର କବି ବ୍ରଜନାଥ ବଡ଼ଜେନାଙ୍କର ‘ଚତୁର ବିନୋଦ’ ଗଦ୍ୟୋପନ୍ୟାସଟି ମନେ ପଡ଼ିଯାଏ । ଶୃଙ୍ଗାର ଏବଂ କାମସମ୍ଭୋଗକୁ ନେଇ ଏଡ଼େ ସୁନିପୁଣ ଭାବରେ ‘ରୁଦ୍ରସୁଧାନିଧି’ରେ ଏଭଳି କବିତ୍ଵ କରାଯାଇଛି ଯେ, ଅନେକ ଗବେଷକ ପୋଥିଟିକୁ ଅନେକ ପରବର୍ତ୍ତୀ କାଳର ବୋଲି ସନ୍ଦେହ ମଧ୍ୟ କରିଥାନ୍ତି । ଓଡ଼ିଆ ସାହିତ୍ୟରେ ଏକ ରୀତିଯୁଗ ସିନା ଆହୁରି କେତେ ଶତାବ୍ଦୀ ପରେ ଆସିଲା, ମାତ୍ର ‘ରୁଦ୍ରସୁଧାନିଧି’ରୁହିଁ ଓଡ଼ିଆ ରୀତି ସାହିତ୍ୟର ଆରମ୍ଭ ହୋଇଛି ବୋଲି ମଧ୍ୟ କେତେ ଗବେଷକ ମତ ଦେଇଥାନ୍ତି ।

 

‘ରୁଦ୍ରସୁଧାନିଧି’ରେ ବିଭିନ୍ନ ଦେବତାମାନଙ୍କର ଯେଉଁସବୁ ବର୍ଣ୍ଣନା ଦିଆଯାଇଛି, ସେଥିରୁ ତାହାର ଲେଖକ ଅବଧୂତ ସ୍ଵାମୀ ରୁଦ୍ର; ଜଗନ୍ନାଥ ଓ ବିଷ୍ଣୁଙ୍କର ଭକ୍ତ ଥିଲେ ବୋଲି ଅନୁମାନ କରାଯାଇପାରେ । ଗ୍ରନ୍ଥରେ ଏହି ତିନି ଦେବତାଙ୍କର ସ୍ତୁତି କରାଯାଇଛି । ଏଥିରୁ ଧର୍ମ-ଉପାସନାର କ୍ଷେତ୍ରରେ ଲେଖକଙ୍କର ସମ୍ଭବତଃ ଏକ ସମନ୍ଵୟ-ଦୃଷ୍ଟି ରହିଥିଲା ବୋଲି ମଧ୍ୟ କେହି କେହି ଅନୁମାନ କରିଛନ୍ତି । ମାତ୍ର, ଏହି କଥାଟିକୁ ହୁଏତ ଅନ୍ୟ ଏକ ଦୃଷ୍ଟିରୁ ମଧ୍ୟ ବିଚାର କରାଯାଇପାରିବ । ପ୍ରାଚୀନ ତଥା ମଧ୍ୟଯୁଗର ସାହିତ୍ୟରେ କବି ଓ ଲେଖକମାନେ ଯାହାକିଛି ଲେଖୁଥିଲେ, ସେଥିରେ ଧର୍ମକୁ ସର୍ବଦା ଏକ ପରିଚ୍ଛଦରୂପେ ବ୍ୟବହାର କରାଯାଉଥିଲା । ଦେବତାମାନଙ୍କୁ ମାଧ୍ୟମ କରିହିଁ ଯାହାକିଛି କୁହାଯାଇପାରୁଥିଲା ଏବଂ ସେହି ଦେବତାମାନଙ୍କର ନାଆଁରେ ସବୁକିଛି ଲେଖିହୋଇ ଯାଉଥିଲା । ସାଧାରଣ ମନୁଷ୍ୟର ସାଂସାରିକ ଜୀବନରେ ପ୍ରେମ, ବିରହ, ଶୃଙ୍ଗାର ଓ ଆହୁରି କେତେକଅଣକୁ ସେତେବେଳର ନୈତିକତାରେ ଅତ୍ୟନ୍ତ ନିମ୍ନସ୍ତରରେ ବୋଲି ବିଚାର କରାଯାଉଥିଲା ଏବଂ ସେଗୁଡ଼ିକୁ ସାହିତ୍ୟ ଭିତରକୁ ଆଣି ବର୍ଣ୍ଣନା କରିବା ସେତେବେଳର ସଂସ୍କାରରେ ଆଦୌ ସମ୍ଭବ ହେଉ ନଥିଲା । ମାତ୍ର, ଦେବତାମାନଙ୍କୁ ପାତ୍ର ଓ ପାତ୍ରୀରୂପେ ବ୍ୟବହାର କରି ସେହିମାନଙ୍କ ମାଧ୍ୟମରେ ସେଗୁଡ଼ିକର ବର୍ଣ୍ଣନା କଲେ ଆଉ ତାହାକୁ କେହି ଆଦୌ ଗର୍ହିତ ବୋଲି ବିଚାର କରୁ ନଥିଲେ । ଏଥିରୁ ତତ୍କାଳୀନ ଲେଖକମାନଙ୍କୁ କମ୍ ପରିତୃପ୍ତି ମିଳି ନଥିବ ଓ ସେମାନେ କମ୍ ଉଶ୍ଵାସ ଅନୁଭବ କରି ନଥିବେ ଏବଂ ଠିକ୍‍ ସେହି କାରଣରୁ, ତତ୍କାଳୀନ ପାଠକମାନଙ୍କୁ ମଧ୍ୟ କମ୍ ତୃପ୍ତି ମିଳି ନଥିବ ଓ ସେମାନେ କମ୍ ଉଶ୍ଵାସ ଅନୁଭବ କରି ନଥିବେ । ଭାରତୀୟ ପୁରାଣ ସାହିତ୍ୟରେ ଆମେ ହୁଏତ ସେହି ପ୍ରବୃତ୍ତିଟିକୁ ସର୍ବାଧିକ ପରିମାଣରେ ଦେଖିବାକୁ ପାଇବା । ଶ୍ଳୀଳ ଅଶ୍ଳୀଳ ଆଦୌ କୌଣସି ବାରଣ ନ ରଖି ମନୁଷ୍ୟ କବି ଦେବତାମାନଙ୍କୁ ପାତ୍ରରୂପେ ବ୍ୟବହାର କରି ଆପଣାର ଏପରି ଅନେକ କଥା କହିପାରିଛି ଓ କୋପନକୁ ବ୍ୟକ୍ତ କରିପାରିଛି, ଯାହାକି ସେ ଅନ୍ୟ ପ୍ରକାରେ ଆଦୌ କହିପାରିନଥାନ୍ତା । ଏହି ଦୃଷ୍ଟିରୁ ଦେଖିବାକୁ ଓ ବିଚାର କରିବାକୁ ଚେଷ୍ଟା କଲେ ଆମ ପୁରାଣଗୁଡ଼ିକୁହିଁ ଆମ ସାହିତ୍ୟରୂପୀ ଭଣ୍ଡାରଘରେ ସର୍ବପ୍ରଥମ ଉପନ୍ୟାସ ବୋଲି କୁହାଯାଇପାରିବ-। ଆପଣାର ସଂସାର-ଜୀବନର ଯାବତୀୟ କାମନା ଓ ଆବେଗକୁ ଦେବତାମାନଙ୍କ ଉପରେ ଆରୋପିତ କରିଦେଇ ମଣିଷ ସେମାନଙ୍କର ହୁଏତ କେତେ ନିକଟବର୍ତ୍ତୀ ବୋଲି ଅନୁଭବ କରିଥିବ ଏବଂ ସେମାନଙ୍କୁ ଊର୍ଦ୍ଧ୍ୱରୁ ଏହି ତଳକୁ ଟାଣି ଆଣି ସେ ସେମାନଙ୍କ ସହିତ ଏକ ଚମତ୍କାର ଏକାତ୍ମତା ଅବଶ୍ୟ ଅନୁଭବ କରିଥିବ । ଲୌକିକକୁ ଅଲୌକିକ ମଧ୍ୟକୁ ଉତ୍ତୋଳିତ କରିନେଇ ଏବଂ ଅଲୌକିକକୁ ଲୌକିକ ସ୍ତରକୁ ଟାଣିଆଣି ରୁଦ୍ରସୁଧାନିଧିର ଲେଖକ ଅତ୍ୟନ୍ତ ନିପୁଣତାର ସହିତ ଧର୍ମୀୟ କଥାଗୁଡ଼ିକୁ ଉପନ୍ୟାସର ମୋହକତାଦ୍ଵାରା ମଧୁର କରିପାରିଛନ୍ତି ।

 

ଏହି ଆରୋପଦ୍ଵାରା ମନୁଷ୍ୟ ତା’ର ଇହଜୀବନରେ ସମ୍ଭବତଃ ଚିରକାଳ ଅନେକ ଆନନ୍ଦ ଓ ଅନେକ ଶାନ୍ତି ଲାଭ କରିଆସିଛି । ଏହାଦ୍ଵାରା ତା’ର ଜୀବନ ଅନେକ ସରସ ହୋଇଛି, ସାଂସାରିକ ଜୀବନର ଜାଲରେ ଟାଣି ହୋଇ ରହିଥିବା ଭିତରେ ମଧ୍ୟ ସେ ସତେଅବା କେତେ ନା କେତେ ସାନ୍ତ୍ଵନା ଲାଭ କରିଛି । ଠିକ୍‍ ସେହି ଯୁକ୍ତିରେ ସାରଳା ଦାସଙ୍କର ମହାଭାରତକୁ ମଧ୍ୟ ଆମେ ଗୋଟିଏ ଧର୍ମକାବ୍ୟ କିମ୍ବା ଦେବଚରିତ ବୋଲି ନ କହି ଅଧିକ ସଙ୍ଗତି ସହିତ ଏକ ଉପନ୍ୟାସ ବୋଲି ଗ୍ରହଣ କରିପାରିବା । ସଂସ୍କୃତ ମହାଭାରତ ପରି ଗୋଟିଏ ନୀତି-ସଂହିତାର ଗ୍ରନ୍ଥକୁ ସାରଳା ଦାସ ଆପଣା କଳ୍ପନାର କିମିଆଦ୍ଵାରା ଏକ ନିର୍ମଳ ଭାବରେ ଉପଭୋଗ୍ୟ ଉପନ୍ୟାସରେ ପରିଣତ କରି ଦେଇପାରିଛନ୍ତି । ଦେବତାମାନଙ୍କୁ ମନୁଷ୍ୟର ଇହସ୍ତରକୁ ଓହ୍ଲାଇ ଆଣି ସେହିମାନଙ୍କର ମାଧ୍ୟମରେହିଁ ମଣିଷର ଯାବତୀୟ କଥା କହିପାରିଛନ୍ତି । ଓଡ଼ିଆ ନାଥ ସାହିତ୍ୟରେ ମଧ୍ୟ ଆମେ ପ୍ରାୟ ସେହି ସମାନ ପ୍ରବୃତ୍ତିଟିକୁ ଦେଖିବାକୁ ପାଇବା । ସମାଜର ଉଚ୍ଚ ବର୍ଗ ଓ ପଣ୍ଡିତ ଶ୍ରେଣୀ ଯେତେବେଳେ ବ୍ରାହ୍ମଣ୍ୟ ଏବଂ ବୌଦ୍ଧ ନାନା ଦାର୍ଶନିକତାର ବୌଦ୍ଧିକ ବ୍ୟୂହ ମଧ୍ୟରେ ଅଲଗାଅଲଗା ବାସ କରୁଥିଲେ ଏବଂ କିଳି ହୋଇ ରହିଥିଲେ, ଠିକ୍ ସେତିକିବେଳେ ଲୋକ-ସାଧାରଣଙ୍କର ଏକ ଧର୍ମରୂପେ ସହଜ ଓ ନାନା ଧର୍ମମାର୍ଗର ଆବିର୍ଭାବ ହୋଇଥିଲା । ଯୋଗ, ତନ୍ତ୍ର ତଥା ବଜ୍ରଯାନରୁ କେତେ ଉପାଦାନ ଏବଂ ଉପଚାରକୁ ଏକାଠି କରି ତାହା ତତ୍କାଳୀନ ଶିଷ୍ଟଧର୍ମଗୁଡ଼ିକ ଲାଗି ନିଷିଦ୍ଧ ହୋଇ ରହିଥିବା ଯାବତୀୟ କ୍ଷେତ୍ରରେ ଯାଇ ପ୍ରବେଶ କରିଥିଲା । ଦେବତାମାନେ ସାଧାରଣତଃ ମାନବସ୍ତରକୁ ଟାଣି ହୋଇ ଆସିଲେ ଓ ଏକାନ୍ତ ସାଧାରଣ ମଣିଷମାନଙ୍କର ଭାବନାଲାଗି ସହଜବୋଧ ଖାଦ୍ୟ ଯୋଗାଇ ଦେଇ କେତେ ନା କେତେ ଆଖ୍ୟାନ ଏବଂ ଗୀତରେ ପାତ୍ର ହୋଇ ରହିଲେ । ଓଡ଼ିଆ ନାଥ ସମ୍ପ୍ରଦାୟର ପୋଥି ‘ଗୋରେଖ ସଂହିତା’ରେ ଆମକୁ ସେହି ପ୍ରବୃତ୍ତିଟିର ଏକ ପରିଚୟ ଅବଶ୍ୟ ମିଳିଯିବ । ଶିବଙ୍କର ଘରଣୀ ପାର୍ବତୀ ଚଉରାଅଶୀ ସିଦ୍ଧଙ୍କୁ ଅନ୍ନବ୍ୟଞ୍ଜନ ପରିବେଷଣ କରୁଥିବା ସମୟରେ ସେହି ପାର୍ବତୀଙ୍କର ଶରୀରସୌନ୍ଦର୍ଯ୍ୟ ବର୍ଣ୍ଣନା କଲାବେଳେ କବି ଆମକୁ ଉକ୍ତ ପରମ୍ପରାଟିର ଏକ ଦୃଷ୍ଟାନ୍ତ ଆଣି ଦେଇଛନ୍ତି । ପୋଥିରେ ବର୍ଣ୍ଣନା ଅନୁସାରେ, ପାର୍ବତୀଙ୍କର ଅପୂର୍ଣ୍ଣ ରୂପଲାବଣ୍ୟ ଦେଖି ପଥରଖଣ୍ଡେ ମଧ୍ୟ ଅସ୍ଥିର ଓ ଜରଜର ହୋଇ ପଡ଼ିବ । ଯେଉଁ ଋଷି ଓ ତପୀମାନେ ପଂକ୍ତିରେ ବସି ପାର୍ବତୀ ଠାକୁରାଣୀଙ୍କର ପରଷା ଅନ୍ନକୁ ଭୋଜନ କରୁଛନ୍ତି, ସେମାନେ ତ ଛାର ଜଣେ ଜଣେ ମନୁଷ୍ୟ । ତେଣୁ ସେମାନଙ୍କୁ ମଧ୍ୟ ଅନଙ୍ଗ ଅବଶ୍ୟ ଦହନ କରି ପକାଇଥିବ । ଠାକୁରାଣୀଙ୍କର ଅନିନ୍ଦ୍ୟ ରୂପକୁ ବର୍ଣ୍ଣନା କରିବାର ସୁଯୋଗରେ କବି ଏଠାରେ ସାଧାରଣ ମନୁଷ୍ୟମାନଙ୍କର କାମାତୁରତାକୁ କେତେ ଚମତ୍କାର ଓ ଚାତୁର୍ଯ୍ୟପୂର୍ଣ୍ଣ ଭାବରେ ଆଣି ଉପସ୍ଥାପିତ କରିପାରିଛନ୍ତି; ସେଥିରୁ କେତେ ପରିତୃପ୍ତି ମିଳୁଛି, ତଥାପି କୌଣସିଠାରେ କିଛି ଅଶୁଦ୍ଧ ହୋଇଗଲା ପରି ମୋଟେ ଲାଗୁନାହିଁ ବା ମନକୁ ଆଦୌ କୌଣସି ପାପ ଆସି ଛୁଇଁ ପକାଉ ନାହିଁ ।

 

ବତ୍ସା ଦାସଙ୍କର ‘କଳସା ଚଉତିଶା’ରେ ଶିବଙ୍କର ବିବାହୋତ୍ସବ କାହାଣୀକୁ ଅତ୍ୟନ୍ତ ମନୋରମ ଭାବରେ ବର୍ଣ୍ଣନା କରାଯାଇଛି । ନିଜେ ଲେଖକ ଶିବଙ୍କର ଉପାସକ ଥିଲେ କି ନାହିଁ, ସେକଥା ଜାଣିବାର ଆଦୌ କୌଣସି ଉପାୟ ନାହିଁ । ‘କଳସା ଚଉତିଶା’ରେ ଏକାନ୍ତ ବ୍ୟଙ୍ଗପୂର୍ଣ୍ଣ ଭାବରେ ଶିବବିବାହ କାଳୀନ କଥାଗୁଡ଼ିକୁ କୁହାଯାଇଛି । ଶିବଙ୍କ ପରି ଏକ ପ୍ରଥମଶ୍ରେଣୀୟ ଦେବତାଙ୍କୁ ବେଦୀ ଉପରେ ବୁଢ଼ାବର କରି ବସାଇ ଏତେବେଶୀ ଆନନ୍ଦ ଓ ଆମୋଦର ଯେ ସୃଷ୍ଟି କରାଯାଇପାରେ ଓ ତାହାରି ମାଧ୍ୟମରେ ଏଡ଼େ ସହଜରେ ଶିବଙ୍କ ସହିତ ଏପରି ଏକ ନିର୍ମଳ ନୈକଟ୍ୟ ଯେ ଉପଭୋଗ କରାଯାଇପାରେ, ଓଡ଼ିଆ ସାହିତ୍ୟରେ ‘କଳସା ଚଉତିଶା’ ତାହାର ଏକ ଅନନ୍ୟ ଉଦାହରଣ ହୋଇ ରହିଛି । ଉପାସନାଦ୍ଵାରା ଉପାସକ ଉପାସ୍ୟ ଦେବତାଙ୍କର ସାନ୍ନିଧ୍ୟରେ ଆସି ପହଞ୍ଚିଥାଏ । ଶିବଙ୍କର ଆରାଧନା କରି ଶିବତ୍ଵ ଅର୍ଜନ କରାଯାଏ ବୋଲି ଶାସ୍ତ୍ରମାନଙ୍କରେ କେଡ଼େ ଗମ୍ଭୀର ଭାବରେ କୁହାଯାଇଛି । ମାତ୍ର, କାବ୍ୟସୃଷ୍ଟିର ମାଧ୍ୟମରେ ମଧ୍ୟ ଯେ ଏକ ଅଭିନବ ନୈକଟ୍ୟ ସମ୍ଭବ ହୋଇପାରେ, ବତ୍ସା ଦାସ ଆପଣାର ଚଉତିଶାରେ ଆମ ଲାଗି ସେହିପରି ଏକ ଉଦାହରଣକୁ ଆଣି ଖଞ୍ଜି ଦେଇଛନ୍ତି । ବତ୍ସା ଦାସ ସବା ଆଗ ଜଣେ କବି ଥିଲେ ଓ ସମ୍ଭବତଃ କବି ହୋଇଥିବାର ଅଧିକାରରେ ଜଣେ ଭକ୍ତ ମଧ୍ୟ ଥିଲେ । କଳସା ଚଉତିଶା ସମୟରେ ଓଡ଼ିଆ ଭାଷାରେ ନିଶ୍ଚୟ ଆହୁରି ଏକାଧିକ ଚଉତିଶା ଅବଶ୍ୟ ରହିଥିବ । ତଥାପି କଳସା ଚଉତିଶା ଏକାବେଳକେ ସେହି କାଳରୁ ପାଠକ ଏବଂ ଉପାସକମାନଙ୍କ ପାଖରେ ଏପରି ପ୍ରିୟ ହୋଇ ରହିଥିଲା ଯେ, ଚଉତିଶାଟି ଲେଖା ହୋଇଥିବା ଛାନ୍ଦଟି ବା ବାଣୀଟି ଓଡ଼ିଆ ଛାନ୍ଦ ଭିତରେ ସବୁଦିନକୁ ଏକ ଛାନ୍ଦ ବା ବାଣୀରୂପେ ପ୍ରଖ୍ୟାତ ହୋଇରହିଲା ।

 

ଆମର ଉପାସ୍ୟ ଦେବତା ଶିବ ଆମ ଆଗରେ, ଆମ ଆଖି ଆଗରେ ହୁଏତ ବୁଢ଼ାବର ହୋଇ ବେଦୀରେ ବସିଛନ୍ତି, ଶରୀରକଷ୍ଟରେ ଖଁ ଖଁ ହୋଇ କାଶୁଛନ୍ତି; ତଥାପି ଆପଣାର ବୃହତ୍ତାରେ ସେ ଆମକୁ ଆଦୌ ଊଣା ହୋଇ ଦିଶୁନାହାନ୍ତି, ଆମର ମନରେ ତାଙ୍କ ପ୍ରତି ଆଦୌ କୌଣସି ତାଚ୍ଛଲ୍ୟଭାବ ଜାତ ହେଉ ନାହିଁ, ବରଂ ଏକ ସହଜ ନିକଟତାରହିଁ ଅନୁଭବ ହେଉଛି, ଆମ ହୃଦୟର ରଜ୍ଜୁଗୁଡ଼ିକ ସତେଅବା ଅତ୍ୟନ୍ତ ହାଲୁକା ହୋଇ ଖୋଲି ଖୋଲି ଗଲା ପରି ମନେ ହେଉଛି-। ସତେଅବା ଜଣେ ଅତ୍ୟନ୍ତ ପ୍ରିୟଜନଙ୍କ ପାଖରେ ଆସି ପହଞ୍ଚିଯିବା ପରି ବଳେ ବଳେ ବଶ ହୋଇଯାଉଛି-କଳସା ଚଉତିଶାରୁ ପ୍ରତ୍ୟେକ ପାଠକକୁ ସର୍ବଦା ଏହିପରି ଏକ ଅନୁଭବ ଉପଲବ୍ଧ ହୋଇଥାଏ । କଳସା ଚଉତିଶା ପ୍ରକୃତରେ ଏତେ ପ୍ରାଚୀନ କାଳରେ ଲେଖା ହୋଇଛି ଅଥବା ଆହୁରି କେତେ ଶତାବ୍ଦୀ ପରେ ଲେଖା ହୋଇଛି, ଗବେଷକମାନେ ସେହି ବିଷୟ ସନ୍ଦେହ ପ୍ରକାଶ କରି ଆସିଛନ୍ତି । ମାତ୍ର ତାହା ଯେକୌଣସି ସମୟରେ ଲେଖା ହୋଇଥାଉ ପଛକେ, ଓଡ଼ିଆ ସାହିତ୍ୟରେ ପ୍ରକୃତରେ ଏକ ରତ୍ନ ପରି ହୋଇରହିଛି । ବତ୍ସା ଦାସ କ’ଣ କେବଳ ଗୋଟିଏ ମାତ୍ର ଚଉତିଶା ଲେଖିଥିବେ ? ଏପରି ଏକ ସିଦ୍ଧହସ୍ତ ହୁଏତ ଆହୁରି ଅନେକ ଚଉତିଶା ଲେଖିଥିବେ ଏବଂ ଚଉତିଶା ବ୍ୟତୀତ ଆହୁରି ଅନେକ କିଛି ମଧ୍ୟ ଲେଖିଥିବେ । ଓଡ଼ିଆ ସାହିତ୍ୟରେ ପ୍ରାୟ ସର୍ବମୂଳ ପାହାଚଟିରେ ଆମକୁ ଯେ କଳସା ଚଉତିଶା ପରି ରତ୍ନଟିଏ ମିଳିପାରୁଛି, ଓଡ଼ିଆ ସାହିତ୍ୟ ପକ୍ଷରେ ତାହା ଅତ୍ୟନ୍ତ ଗୌରବର ବିଷୟ । ଭକ୍ତି ଅନେକ ସମୟରେ ଆର୍ତ୍ତ ଭକ୍ତିର ଏକ ନମୁନା ହୋଇ ରହିପାରେ । ମାତ୍ର ବତ୍ସା ଦାସଙ୍କର ଲେଖାରେ ଆର୍ତ୍ତ ଭକ୍ତିର ଆଦୌ କୌଣସି ଗନ୍ଧବି ନାହିଁ; ସଂସାରଯାତନା ବିଷୟରେ କୌଣସି ଅଭିଯୋଗ ନାହିଁ, ଠାକୁରଙ୍କୁ କିଛି ମାଗିବାର ଉଚ୍ଛନ୍ନପଣିଆ ମଧ୍ୟ ନାହିଁ ।

 

ସେହି ଆଦିକାଳରୁ ଓଡ଼ିଆ ସାହିତ୍ୟରେ ଅଜସ୍ର ଲୋକଗୀତ ଏବଂ ଲୋକକାହାଣୀ ଖଣି ପରି ଭର୍ତ୍ତି ହୋଇ ରହିଛି । ବିଶ୍ଵ-ସାହିତ୍ୟରେ ଲୋକଗୀତ ଓ ଲୋକକାହାଣୀଗୁଡ଼ିକର କୌଣସି ବୟସ ନାହିଁ । ଆମ ଆଧୁନିକ ଯୁଗରେ ସାହିତ୍ୟକ୍ଷେତ୍ରରେ ପଣ୍ଡିତମାନେ ଲୋକଗୀତ ଓ ଲୋକକାହାଣୀର ଅଧ୍ୟୟନ କଲେଣି, ତାହାଙ୍କୁ ଆମ ସାହିତ୍ୟର ଏକ ଔପଚାରିକ ଅଂଶ ବୋଲି କେତେ ବିଦଗ୍ଧ ଭାବରେ କେତେକେତେ କଥା କହିଲେଣି । ଲୋକଜୀବନରୁ ଲୋକଗୀତ ଏବଂ ଲୋକକାହାଣୀଗୁଡ଼ିକୁ କ୍ରମଶଃ ଲୁପ୍ତ ହୋଇଯାଉଥିବା ସମୟରେ ଏବେ ସେଗୁଡ଼ିକ ଆମ ସଂଗ୍ରହାଳୟରେ ସାଇତା ହୋଇ ରହିଲେଣି ଏବଂ ଏହାକୁ ଏକ ସାହିତ୍ୟିକ କର୍ତ୍ତବ୍ୟ ବୋଲି କୁହାଗଲାଣି । ଯେତେବେଳେ ଲୋକଜୀବନରୁ ସମସ୍ତ ସଙ୍ଗୀତ ଶୁଷ୍କ ହୋଇଆସେ, ସଚରାଚର ସମ୍ଭବତଃ ସେତିକିବେଳେ ପଣ୍ଡିତମାନେ ସେଗୁଡ଼ିକୁ ସଂଗ୍ରହ କରିବାରେ ଲାଗିଯାଆନ୍ତି, ବୈଜ୍ଞାନିକ ପଦ୍ଧତିରେ ସେଗୁଡ଼ିକର ଅଧ୍ୟୟନ କରନ୍ତି, ଗ୍ରନ୍ଥ ଏବଂ ସଂଗ୍ରହାଳୟରେ ସେଗୁଡ଼ିକୁ ଠୁଳ କରି ରଖିବାଲାଗି ଅତ୍ୟନ୍ତ ଆଗ୍ରହୀ ହୁଅନ୍ତି । ଆମ ଓଡ଼ିଶାରେ ମଧ୍ୟ ଏବେ ଏଗୁଡ଼ିକର ସଂଗ୍ରହ ହେଲାଣି-। ଲୋକମୁଖରୁ ସେଗୁଡ଼ିକ ବିଶ୍ୱବିଦ୍ୟାଳୟରେ ଆସିଲାଣି । ଏକଦା ଇଉରୋପୀୟ ଜୀବନ ଯାନ୍ତ୍ରିକ, ବୁଦ୍ଧିପୀଡ଼ିତ, ଅଧିକରୁ ଅଧିକ ଚତୁରତାପୂର୍ଣ୍ଣ ଓ ତେଣୁ କୃତ୍ରିମ ହୋଇ ଆସିବା ସଙ୍ଗେ ସଙ୍ଗେ ସେଠାରେ ଏହିପରି ଭାବରେ ଲୋକଗୀତ ଓ ଲୋକକାହାଣୀଗୁଡ଼ିକୁ ସଂଗ୍ରହ କରିବାର ପ୍ରକ୍ରିୟାଟି ଆରମ୍ଭ ହୋଇଥିଲା । ଏବେ ଭାରତବର୍ଷରେ ମଧ୍ୟ ସେହିଭଳି ଏକ ଉତ୍ସାହରେ ପଣ୍ଡିତମାନେ ତାହା କରୁଛନ୍ତି, ଆପଣାର ଅଧ୍ୟୟନରେ ପ୍ରାୟ ସେହି ପଦ୍ଧତିଗୁଡ଼ିକୁ ଅନୁସରଣ କରୁଛନ୍ତି ।

 

ପାରମ୍ପରିକ ପ୍ରାଚୀନ ସମାଜରେ କର୍ମର କ୍ଷେତ୍ର ଏବଂ ବିନୋଦନର କ୍ଷେତ୍ର ଆଦୌ ଅଲଗାଅଲଗା ଦୁଇଟା କ୍ଷେତ୍ର ହୋଇ ରହି ନଥିଲେ । ଲୋକେ କର୍ମ କରୁଥିଲେ, କର୍ମ କରିବା ସଙ୍ଗେ ସଙ୍ଗେ ଗୀତ ଗାଉଥିଲେ । ଗୋଟାଏ ବା କେତେଟା ପ୍ରହର କର୍ମ କରି ସେହିସବୁ ପ୍ରହରର ଅବସାଦକୁ ଭୁଲିବା ଲାଗି ସେମାନେ ବିନୋଦର ଆଉ ଏକ ସ୍ଵତନ୍ତ୍ର ପ୍ରହରର ବରାଦ କରିବାକୁ ମୋଟେ ବିକଳ ହୋଇପଡ଼ୁ ନଥିଲେ । ଜୀବନକୁ ସମଗ୍ର ଭାବରେ ବଞ୍ଚୁଥିଲେ ଏହିସବୁ ବିଭାଜନ ଅଥବା ପଳାୟନର ଆଦୌ କୌଣସି ପ୍ରୟୋଜନ ନଥାଏ । ପ୍ରାଚୀନ କାଳର ପାରମ୍ପରିକ ଜୀବନ ଯଥାସମ୍ଭବ ଅଧିକ ସରଳ ଥିଲା, ତେଣୁ ଅଧିକ ସମଗ୍ରବି ଥିଲା । ତେଣୁ, ସେହି ସମାଜରେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଗୀତବି ବୋଲା ହେଉଥିଲା, କାହାଣୀ ମଧ୍ୟ କୁହାହେଉଥିଲା । ସେଗୁଡ଼ିକୁ କିଏ କାହିଁକି ରଚନା କରିଛି ବା କରୁଥିଲା; କେହି ତାହାର ହିସାବ ରଖୁ ନଥିଲେ । ମାତ୍ର ସମ୍ପୃକ୍ତ ସମସ୍ତେ ତାହାକୁ ଉପଭୋଗ କରୁଥିଲେ ଏବଂ ତଦ୍ଦ୍ଵାରା ଗୋଷ୍ଠୀଜୀବନର ସ୍ଵାଭାବିକ ଏକତାଟିକୁ ଅନୁଭବ କରୁଥିଲେ । ଆମେ ଏବେ ଯେଉଁମାନେ ଏକ ଆଧୁନିକ ଓ ନାନା ବିଭାଜିତ ସମାଜରୁ ବାହାରୁ ଯାଇ ସେଗୁଡ଼ିକୁ ସଂଗ୍ରହ କରିବାକୁ ମନ କରୁଛୁ ଏବଂ ସେଗୁଡ଼ିକୁ ତରତର କରି ସାଉଁଟି ଆଣି ଆମ ସଂସ୍କୃତି ଭଣ୍ଡାରଗୁଡ଼ିକରେ ସଞ୍ଚି ରଖିବାକୁ ଏତେ ଆଗ୍ରହ ଦେଖାଉଛୁ, ଏହାଦ୍ଵାରା କେବଳ ଆମର ଭାବପ୍ରବଣତାଟିହିଁ ସର୍ବାଧିକ ପରିମାଣରେ ପ୍ରକାଶ ପାଇଥାଏ, ଆମର ଡୋର ଛିଡ଼ି ଯାଇଥିବା ଏକ ପରିତ୍ୟକ୍ତ ଅତୀତ ପ୍ରତି ତଦ୍ଦ୍ଵାରା ଆମର ପ୍ରଧାନତଃ ଏକ ବ୍ୟାକୁଳତା ଓ ଆତୁରତାହିଁ ଭାରି ବ୍ୟକ୍ତ ହେବାରେ ଲାଗିଥାଏ । କେଡ଼େ ଭାବପ୍ରବଣତା ଭାବରେ ଆମେ ସେହି ଗୀତ ଏବଂ କାହାଣୀଗୁଡ଼ିକୁ ଲୋକଜୀବନର ପ୍ରକୃତ ମର୍ମ ଓ ପ୍ରକୃତ ଦର୍ପଣ କହୁ ଏବଂ ଆତ୍ମପ୍ରସାଦ ଲାଭ କରିଥାଉ ।

 

ଆମର ଏହି ଆଧୁନିକ ଯୁଗରେ ଏହିସବୁ ଲୋକଗୀତ ଏବଂ ଲୋକକାହାଣୀଗୁଡ଼ିକର ଅଧିକତର ପରିମାଣରେ ନୃତତ୍ତ୍ଵବିତ୍‍ମାନଙ୍କ ଲାଗି ଏକ ମୂଲ୍ୟ ରହିଛି, ସାମାଜିକ ମନୋବିଜ୍ଞାନ ଲାଗି ଏକ ମୂଲ୍ୟ ରହିଛି । ଓଡ଼ିଶାର ଲୋକକାହାଣୀଗୁଡ଼ିକ ଓଡ଼ିଶାରେ ଲୋକମୁଖରେ ରହିଆସିଛି ସତ, ମାତ୍ର ସେହି କାହାଣୀଗୁଡ଼ିକୁ ଆମେ ତଥାପି ଓଡ଼ିଶାର କାହାଣୀ ବୋଲି କହିପାରିବା ନାହିଁ । ଲୋକକାହାଣୀମାନେ କିପରି ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ସଂକ୍ରମିତ ହୋଇଛନ୍ତି ଓ ଏହିପରି ଭାବରେ ସମଗ୍ର ପୃଥିବୀରେ ଖେଳାଇ ହୋଇଯାଇଛନ୍ତି, ସେକଥା ସେହି କାହାଣୀଗୁଡ଼ିକର ଅଧ୍ୟୟନଦ୍ଵାରା ପ୍ରମାଣିତ ହୋଇ ସାରିଲାଣି । ଆମ ଓଡ଼ିଶାର ଅଥବା ଭାରତବର୍ଷର ଲୋକକାହାଣୀଗୁଡ଼ିକ ସେହି ନ୍ୟାୟରେ ସମ୍ଭବତଃ ଏହି ଦେଶରୁ କେତେକେତେ ଦେଶକୁ ଯାଇଛନ୍ତି ଏବଂ କେତେକେତେ ଦେଶରୁ ଏହି ଦେଶକୁ ଆସିଛନ୍ତି । ସେଗୁଡ଼ିକ ଗୋଟିଏ ଗୋଟିଏ ଦେଶରେ ଏକାବେଳକେ ସେହି ଦେଶର ବୋଲି ପ୍ରତୀତ ହେବାପାଇଁ ସେହି ଦେଶର ପରିଚ୍ଛଦକୁ ମଧ୍ୟ ପିନ୍ଧି ପକାଇଛନ୍ତି ।

 

ଯେଉଁ ଲୋକମାନେ ଲୋକସଙ୍ଗୀତକୁ ଗାଆନ୍ତି, ସେମାନେ କଦାପି ଲୋକସଙ୍ଗୀତ ସଂଗ୍ରହ କରନ୍ତି ନାହିଁ । ଲୋକସଙ୍ଗୀତ ଲୋକଜୀବନ ସହିତ ଏକଯୁକ୍ତ ହୋଇ ରହିଥାଏ । ଲୋକସଙ୍ଗୀତର ସଂଗ୍ରାହକମାନେ ଲୋକଜୀବନରୁ ଖିଅ ଛିଣ୍ଡିଯାଇ ବିଚ୍ଛିନ୍ନ ହୋଇ ରହିଥିବା ଅନ୍ୟମାନଙ୍କର ଆନନ୍ଦ ଲାଗି ସେଗୁଡ଼ିକୁ ସଂଗ୍ରହ କରୁଥାନ୍ତି । ଲୋକସଙ୍ଗୀତରୁ ଏହି ଅନ୍ୟମାନେ କେତେ ସାନ୍ତ୍ଵନା ପାଆନ୍ତି; ପଛରୁ ଅନାଇ, ପଛକୁ ଝୁରି ସତେଅବା ପଛକୁ ପାଇ ଯାଉଥିବା ପରି ଅନୁଭବ କରନ୍ତି । ଯେଉଁ ସ୍ଥିତିଟିକୁ ବଦଳାଇବା ନିମନ୍ତେ ବିଶ୍ଵାସ ନଥାଏ, ତାହାକୁ ମାନି ନେଉଥିବା ମନୁଷ୍ୟ ଆପଣାର ସେହି ଅସମର୍ଥପଣିଆକୁ ଭୁଲିବା ନିମନ୍ତେ ଗୀତ ଗାଏ, ଆପଣାର ଦୁଃଖକୁ ନେଇ ଗୀତ ଗାଏ ଓ ତଦ୍ଦ୍ଵାରା ଦୁଃଖକୁ ସହିଯିବା ଲାଗି ଚେଷ୍ଟା କରେ । ଆମ ସମାଜରେ ଯେଉଁ ପାରମ୍ପରିକ କାଳରୁ ଯେଉଁସବୁ କାନ୍ଦଣା, ବିଳାପ, ଜଣାଣ ପ୍ରଭୃତି ଲୋକଗୀତରୂପେ ରହି ଆସିଛି, ସେଗୁଡ଼ିକ କାଳେକାଳେ ମଣିଷମାନଙ୍କ ପାଇଁ ପ୍ରାୟ ଏହିପରି ଏକ ଉଦ୍ଦେଶ୍ୟ ସାଧନ କରି ଆସିଛି । ଯେଉଁ ସମାଜରେ ଯଥେଷ୍ଟ ପରିମାଣରେ ଗତିଶୀଳତା ନଥାଏ, ଧର୍ମ, ନୀତି ଓ ବିଧିର ପାଚେରୀଗୁଡ଼ିକ ଏପରି ଦମ୍ଭ ଓ ଦୃଢ଼ ହୋଇ ଛିଡ଼ା ହୋଇଥାଆନ୍ତି ଯେ ସେଗୁଡ଼ିକ କେବେ ପ୍ରକୃତରେ ଟଳିପାରିବ ବୋଲି ମନୁଷ୍ୟମାନଙ୍କର ବିଶ୍ଵାସ ପାଉ ନଥାଏ, ସତେଅବା ଏକ ଉର୍ବର ମୃତ୍ତିକା ପାଇଥିବା ପରି ଲୋକସଙ୍ଗୀତ ସେହିସବୁ ସମାଜରେ ଭରପୂର ହୋଇ ରହିଥାଏ । ସେହିସବୁ ସମାଜରେହିଁ ବାର ପର୍ବ, ତେର ଓଷା ଓ ଚଉଦ ଯାତ ଲାଗି ରହିଥାଏ । ସେହି ସମାଜରେ ଥିବା କତିପୟ ସମ୍ପନ୍ନ ଓ ଶିକ୍ଷିତମାନେ ସେହିଗୁଡ଼ିକୁ ଲୋକସଂସ୍କୃତି ବୋଲି କହି କେତେ ପୁଲକ ଅନୁଭବ କରନ୍ତି, ଆପଣାକୁ କେତେ ମୁଗ୍ଧ କରି ରଖିଥାନ୍ତି ।

 

ଜୀବନ ଯେଉଁପରି ଅଛି, ଦୁର୍ଭାଗ୍ୟଗୁଡ଼ିକ ଯେଉଁଭଳି ମାଡ଼ି ବସିଛି, ସେଗୁଡ଼ିକୁ ସେହିଭଳି ମାନିନେବା ଓ ଆଦରି ନେବା ନିମନ୍ତେ ଲୋକଗୀତ କାଳେକାଳେ ବହୁଭାବେ ଦରିଦ୍ର ଓ ବହୁଭାବେ ବଞ୍ଚିତ ମନୁଷ୍ୟମାନଙ୍କୁ ପ୍ରାୟ ଏକ ସମ୍ମୋହକ ଯୋଗାଇ ଦେଇ ଆସିଛି । ଓଡ଼ିଶାରେ ତଥା ଭାରତବର୍ଷରେ ଯେଉଁଠି ଏବେ ମଧ୍ୟ ଲୋକଗୀତ ସମ୍ପୃକ୍ତ ଲୋକମାନଙ୍କର କ୍ଳାନ୍ତି-ଅପନୋଦନ କରୁଛି, ସେଠାରେ ଜୀବନ ଅତ୍ୟନ୍ତ କ୍ଷୁଦ୍ରପରିସର ହୋଇରହିଛି । ସମ୍ଭାବନାର ଆକାଶ ମଧ୍ୟ ସେଠାରେ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇ ରହିଛି । ଏବେ ସହରର ଚତୁରମାନେ ଲୋକସଙ୍ଗୀତକୁ ସାଉଁଟି ସହର ଭିତରକୁ ଆଣିଲେଣି, ବିଶେଷ ଅବସରମାନଙ୍କରେ ସେମାନେ ମଧ୍ୟ ଲୋକନୃତ୍ୟ ନାଚିଲେଣି, ତଦ୍ଦ୍ଵାରା ଅନ୍ତତଃ କିଛି ସମୟପାଇଁ ଏକ ମିଛ ଏକାତ୍ମତା ମଧ୍ୟ ଅନୁଭବ କଲେଣି । ଆମ ସମାଜରେ ଅଳ୍ପସଂଖ୍ୟକ ସମ୍ପନ୍ନମାନେ କିପରି ସମାଜସ୍ଥ ଅନେକଙ୍କୁ ଆପଣାଠାରୁ ଦୂରରେ ଅବହେଳିତ କରି ରଖିଛନ୍ତି, ସୁସଜ୍ଜିତ ମଞ୍ଚମାନଙ୍କରେ ଲୋକନୃତ୍ୟର ଅଭିନୟ କରାଯାଉଥିବା ସମୟରେ ସେହି କଥାଟିହିଁ ଆମ ବିବେକର ଦେହ ଉପରେ କଣ୍ଟା ପରି ଫୋଡ଼ି ହୋଇଯିବାରେ ଲାଗିଥାଏ । ଆମ ଭାଷାର କ୍ରମବିବର୍ତ୍ତନ ଏବଂ କ୍ରମଗଠନଗୁଡ଼ିକୁ ଅଧ୍ୟୟନ କରିବାରେ ପ୍ରାଚୀନ ଲୋକଗୀତଗୁଡ଼ିକର ସର୍ବଦା ଏକ ପ୍ରୟୋଜନୀୟତା ରହିଛି । ମାତ୍ର, ଆମ ସମାଜର ଅସୁମାରି ମଣିଷ ବାରହଜାର ବିଧିରେ ବଞ୍ଚିତ ଓ ଅସମର୍ଥ ହୋଇ ରହିଥିବେ, ଆମ ଭାଷାରେ ଏକ ସରଳ ଜୀବନଯାପନ କରୁଥିବେ, ଅର୍ଥାତ୍‍ ମଣିଷପରି ସ୍ଵପ୍ନ ଦେଖୁ ନଥିବେ, ନିଜ ଭିତରେ ସତତ ଏକ ଅସନ୍ତୋଷ ଅନୁଭବ କରି ଆଗକୁ ଗୋଡ଼ ପକାଇବା ଲାଗି ମନ କରୁ ନଥିବେ ଏବଂ ଆମେ ସେମାନଙ୍କର ଗୀତଗୁଡ଼ିକୁ ସଂଗ୍ରହ କରି, ନୃତ୍ୟଗୁଡ଼ିକୁ ନାଚି ଆନନ୍ଦଲାଭ କରୁଥିବା, ଏହାକୁ କେବଳ ଏକ ଚରମ ହୃଦୟହୀନତା ବୋଲି କୁହାଯାଇପାରିବ । ଲୋକଗୀତ ଭିତରେ ସାଧାରଣତଃ ଜୀବନର ଏପରି ଏକ ବିଷାଦପୂର୍ଣ୍ଣ ଓ କରୁଣ ଚିତ୍ର ପ୍ରତିବିମ୍ବତ ହୋଇ ରହିଥାଏ, ଯାହାକୁ କି ଆମର ଏହି ଆଧୁନିକ ପୃଥିବୀରେ ପ୍ରକୃତରେ ପ୍ରାୟ ଅନାବଶ୍ୟକ ବୋଲିହିଁ କୁହାଯିବ ।

 

ଓଷା ଆଉ ପର୍ବ ସମ୍ଭବତଃ ସେହି ପୁରାକାଳରୁହିଁ ପ୍ରଚଳିତ ଓ ପାଳିତ ହୋଇ ଆସିଛି । ପ୍ରତ୍ୟେକ ଓଷା ଓ ବ୍ରତ ପଛରେ ଯେଉଁସବୁ ବ୍ରତକଥା ରହିଛି; ସେଗୁଡ଼ିକ ମଧ୍ୟ ସେହି ପୁରାକାଳର । ଅବଶ୍ୟ, ଯୁଗଗୁଡ଼ିକର ନୂଆ ନୂଆ ପ୍ରୟୋଜନ ଅନୁସାରେ କଥାଗୁଡ଼ିକରେ ମଧ୍ୟ କେତେ ଅଦଳବଦଳ ହୋଇଛି । ଏହି ଦୃଷ୍ଟିରୁ ସେହି କଥାଗୁଡ଼ିକୁ ଓଷା ଓ ବ୍ରତଗୁଡ଼ିକ ପରି ସେହି ପ୍ରାଚୀନ କାଳର ସାହିତ୍ୟ ବୋଲି କହିବା ସମ୍ଭବତଃ ଆଦୌ ସମୀଚୀନ ହେବ ନାହିଁ । ବ୍ରତକଥାଗୁଡ଼ିକ ତ ଏବେ ଆମର ଏକାଳରେ ଛପା ବହି ହୋଇ ମିଳିଲାଣି । ବ୍ରତ ଓ ଓଷା ମୂଳତଃ ଅଷ୍ଟ୍ରିକ୍ ସଭ୍ୟତାର ଗୋଟିଏ ଗୋଟିଏ ଅବଶେଷ; ଆର୍ଯ୍ୟମାନେ ସେଗୁଡ଼ିକୁ ନିଜର ସାମାଜିକ ଧର୍ମାଚାର ଭିତରେ ଗ୍ରହଣ କରି ନେଇଛନ୍ତି ଏବଂ ପରବର୍ତ୍ତୀ କାଳମାନଙ୍କରେ ବିଶୁଦ୍ଧ ଆର୍ଯ୍ୟ ଦେବାଦେବୀମାନଙ୍କୁ କେନ୍ଦ୍ରକରି ମଧ୍ୟ ନୂଆ ନୂଆ ଓଷା ଓ ବ୍ରତର ଉଦ୍‍ଭବ ହୋଇଆସିଛି । ଆଗେ ବସୁନ୍ଧରାକୁ ଗାଧୋଇ ଦିଆଯାଉଥିଲା, ହତିଆରର ପୂଜା ହେଉଥିଲା, ବିଲକୁ ବିହନ ଯିବା ଦିନ ଗଉଣିର ପୂଜା ହେଉଥିଲା, ଅଗି ଜଳା ହେଉଥିଲା, ଏବେ ଶାମ୍ବଦଶମୀ ହେଉଛି, ଶିବରାତ୍ରି ପାଳିତ ହେଉଛି, ଦୁର୍ଗାପୂଜା ହେଉଛି, ମହାଦେବଙ୍କ ମନ୍ଦିରରେ ବଡ଼ଓଷା ମଧ୍ୟ ଅନୁଷ୍ଠିତ ହେଉଛି । ଏହି କ୍ଷେତ୍ରରେ ଏକ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ବିଷୟ ହେଉଛି ଯେ, ଏକଦା ଆଦିବାସୀମାନଙ୍କଠାରୁ ଆତ୍ମସାତ୍ କରାଯାଇଥିବା ଏହି କିସମର ଅନେକ ବ୍ରତ ଓ ଓଷାକୁ ଏବେ ଆଦିବାସୀମାନେ ପାଳନ କରୁନାହାନ୍ତି, ତାହାକୁ ଅଣଆଦିବାସୀମାନେହିଁ ପାଳନ କରୁଛନ୍ତି । ଆହୁରି ନିର୍ଭୁଲ ଭାବରେ କହିଲେ, ଉଚ୍ଚତର ବର୍ଗର ଅଣଆଦିବାସୀମାନେହିଁ ଏଗୁଡ଼ିକୁ ପାଳନ କରୁଛନ୍ତି । ଆଦିବାସୀ ସମାଜ ସେହି ବେଜୁଯାତ ଓ ଉଡ଼ାପର୍ବର ସ୍ତରରେ ପଡ଼ିରହିଛି । ଅର୍ଥାତ୍‍ ଆମ ସମାଜ ଭିତରେ ରହିଥିବା ଓ ଏବେ ମଧ୍ୟ ସ୍ଵୀକୃତ ହେଉଥିବା ସାମାଜିକ ଦୂରତାଗୁଡ଼ିକ ଅନୁସାରେ ଆମ ଓଷା ଓ ପର୍ବ ତଥା ଉତ୍ସବଗୁଡ଼ିକରେ ଆନନ୍ଦ ମଧ୍ୟ ଅତ୍ୟନ୍ତ ଦୃଶ୍ୟମାନ ଭାବରେ ଭେଦାଚାରଗ୍ରସ୍ତ ହୋଇ ରହିଛି । ଆମ ସମାଜର ସଂସ୍କୃତି ବୃଦ୍ଧି କରିବାରେ ଯେତେ ସାହାଯ୍ୟ ନ କରୁଛି, ଆମ ସମାଜରେ ଶ୍ରେଣୀ ଶ୍ରେଣୀ ମଧ୍ୟରେ ରହିଥିବା ଦୂରତାଗୁଡ଼ିକୁ ତା’ଠାରୁ ଅଧିକ ପରିମାଣରେ ଦେଖାଇ ଦେଉଛି । ଆମ ସଂସ୍କୃତିକୁ ସତେଅବା ଥାକଥାକ କରିରଖିଛି ।

 

ଆମ ଓଡ଼ିଶାରେ ଏହି ଓଷା ଓ ବ୍ରତଗୁଡ଼ିକୁ ନେଇ ଲେଖାଯାଇଥିବା ବହିଗୁଡ଼ିକର କାଟତି ସମ୍ଭବତଃ ସବୁଠାରୁ ଅଧିକ । ସେଗୁଡ଼ିକ ପଦ୍ୟରେ ଲେଖା ହୋଇଛି, ଗଦ୍ୟରେ ମଧ୍ୟ ଲେଖା ହୋଇଛି । ଧର୍ମ ଓ ଧର୍ମଜୀବନ କହିଲେ ଓଡ଼ିଶାର ଭୂମିରେ ଅଧିକାଂଶ ଲୋକ ପ୍ରଧାନତଃ ଏହି ଓଷାବ୍ରତଗୁଡ଼ିକର ପାଳନ କରିବାକୁହିଁ ବୁଝନ୍ତି । ପୁରୁଷମାନଙ୍କର ତୁଳନାରେ ନାରୀମାନେହିଁ ଅଧିକତର ସଂଖ୍ୟାରେ ଓଷାବ୍ରତମାନ କରନ୍ତି ଏବଂ ପ୍ରାୟ ସର୍ବତ୍ର ପୁରୁଷମାନଙ୍କର ମଙ୍ଗଳମନାସ କରି ନାରୀମାନେ ବ୍ରତ କରନ୍ତି, ଓଷେଇତୀ ହୁଅନ୍ତି । ଏହାକୁ ଆମ ଗାର୍ହସ୍ଥ୍ୟ-ଧର୍ମାଚରଣର ଏକ ପ୍ରଧାନ ଅଙ୍ଗ ବୋଲି ବିଚାର କରାଯାଏ । ବ୍ରତଗୁଡ଼ିକ ପଛରେ ଯେଉଁସବୁ କଥା ଓ କଥନିକା ରହିଛି, ସେଥିରୁ ଆମ ସମାଜ ବିଷୟରେ ଏକ ଗୁଣାତ୍ମକ ଚିତ୍ର ଭାରି ସ୍ପଷ୍ଟ ଭାବରେ ମିଳି ଯାଇଥାଏ । ସମାଜର ଗୋଟିଏ ଗୋଟିଏ ଜୀବ ହିସାବରେ ଆମମାନଙ୍କୁ ଯେ ମୂଳତଃ ନାନା ଭୟ ସବୁଠାରୁ ଅଧିକ ଜବର ହୋଇ କାମୁଡ଼ି ଧରିଛି ଏବଂ ସେହି ଭୟଗୁଡ଼ିକରୁ ପରିତ୍ରାଣ ଲାଭ କରିବା ସକାଶେ ଯେ ଆମେ ଓଷା ଓ ବ୍ରତପାଳନର ମାଧ୍ୟମରେ ଆମ ଠାକୁରମାନଙ୍କୁ ପରିତୁଷ୍ଟ କରିବା ନିମନ୍ତେ ଚେଷ୍ଟା କରୁଛୁ, ଆମର ବ୍ରତକଥାଗୁଡ଼ିକ ତାହାର ଦ୍ୟୋତକ ହୋଇ ରହିଛି । ମୃତ୍ୟୁର ଭୟ, ଗ୍ରହମାନଙ୍କର ଭୟ, ଭୂତ ଓ ପ୍ରେତମାନଙ୍କର ଭୟ-ଏହିପରି ନାନାବିଧ ଭୟ ଏହି କ୍ଷେତ୍ରରେ ଉତ୍‍ପ୍ରେରିତ ହୋଇ ରହିଥାଏ । ଭଗବାନଙ୍କ ସହିତ ଅଧିକାଂଶ ମନୁଷ୍ୟଙ୍କର ସମ୍ପର୍କ ସତେଯେପରି ଏକ ହାଟ ସଉଦାରେ ପରିଣତ ହୋଇଛି । ଆମ ଦେବତାମାନଙ୍କୁ ଆମେ ଭୋଗରାଗ ଏବଂ ସ୍ତବସ୍ତୁତିଦ୍ଵାରା ତୁଷ୍ଟ କରି ରଖିପାରିବା ଏବଂ ତାହାହେଲେ ସେମାନେ ମଧ୍ୟ ଆମକୁ ଉତ୍ତମ ଭାଗ୍ୟ ଦେବେ, ଉତ୍ତମ ଭୋଗ ଦେବେ ଏବଂ ଆମର ରିଷ୍ଟଗୁଡ଼ିକର ଖଣ୍ଡନ କରିଦେବେ, ଏହି ବିଶ୍ଵାସଟାହିଁ ଆମ ଧର୍ମବଣିଜରେ ସତେଅବା ସର୍ବପ୍ରଧାନ ହିସାବ ଏବଂ ଗଣିତ ହୋଇରହିଛି । ଆମେ ତାଙ୍କୁ ନ ଲୋଡ଼ିଲେ, ଅର୍ଥାତ୍‍ ପୂଜା, ଓଷା ଓ ବ୍ରତ ଉପାସନାଦ୍ଵାରା ସେମାନଙ୍କୁ ଆପ୍ୟାୟିତ ନ କଲେ ସେମାନେ ମଧ୍ୟ ଯେ ମୁହଁ ବୁଲାଇ ନେବେ ଓ ଆମକୁ ସଙ୍କଟସାଗର ଭିତରେ ଅତ୍ୟନ୍ତ ଅସହାୟ ଭାବରେ ପଡ଼ି ରହିବାକୁ ହେବ, ଅପର ପାର୍ଶ୍ଵରେ ଏହି ଅନ୍ୟ ଭାବନାଟି ମଧ୍ୟ ଆମକୁ ସତତ ଦୂଷିତ କରି ରଖିଛି ।

 

ଭାରତୀୟ ଅଧ୍ୟାତ୍ମର ବୃହତ୍ ପରମ୍ପରାଟି ଆମ ବ୍ରତ ଓ ଓଷାଗୁଡ଼ିକର ତଥାକଥିତ ସଂସ୍କୃତି ମଧ୍ୟରେ ଯେପରି ଅତ୍ୟନ୍ତ ଅବମାନିତ ଓ ପରିତ୍ୟକ୍ତ ହୋଇ ରହିଥାଏ । ପରମସତ୍ୟ ଓ ପରମେଶ୍ଵର ଆମ ଭିତରେ ରହିଛନ୍ତି, ଆମର ଚେତନାକୁ ଭୂମି କରି ଅବସ୍ଥାନ କରୁଛନ୍ତି, ସେହିଠାରେ ତାଙ୍କୁ ସାକ୍ଷାତ କରିପାରିଲେ ପରମ ବନ୍ଧୁରୂପେ ସେ ଆମର ସାଥେ ସାଥେ ରହିଥିବେ; ଆମକୁ ସତତ ସାହସ ଦେଉଥିବେ ଓ ଅଗ୍ରସର କରାଇ ନେଉଥିବେ, ଜ୍ଞାନ, ଭକ୍ତି ଏବଂ କର୍ମରେ ଆମକୁ ସେ ଅଧିକରୁ ଅଧିକ ପ୍ରଶସ୍ତ ବଳୟକୁ ନେଉଥିବେ । ଭାରତବର୍ଷରେ ମଣିଷଠାରୁ ସେହି ଅଧ୍ୟାତ୍ମ ସତ୍ୟଟିକୁ ଅପହରଣ କରି ନେଇଯିବାରେ ଆମର ବ୍ରତ, ଓଷା ଏବଂ ଉପାସନାଗୁଡ଼ିକ ସତେଅବା ସର୍ବଦା ସହାୟତା କରି ଆସିଛନ୍ତି । ଆମ ଆଖିରେ ଆମ ଭଗବାନମାନଙ୍କୁ ଏକ ଅତ୍ୟନ୍ତ ନିମ୍ନସ୍ତରକୁ ଓହ୍ଲାଇ ନେଇ ଆସିଛନ୍ତି । ମନୁଷ୍ୟ ଅସଲ ବାଟରେ ଯାଉଥିଲେ ହୁଏତ ତା’ ଦେବତାମାନଙ୍କ ପରି ହେଉଥାନ୍ତା; ମାତ୍ର ଧର୍ମ କହିଲେ କାଳକ୍ରମେ ଭାରତବର୍ଷରେ ଯେଉଁ ବାହ୍ୟ ଉପଚାର ଏବଂ ଆନୁଷ୍ଠାନିକ ଆଚରଣଗୁଡ଼ିକୁ ବୁଝାଇ ଆସିଛି, ସେଗୁଡ଼ିକ ଆମ ଦେବତାମାନଙ୍କୁ ସତେଅବା ଆମର ଏହି ନିକୃଷ୍ଟ ଲାଳସା ଏବଂ ମୋହଗୁଡ଼ିକର ସ୍ତରକୁହିଁ ଟାଣି ନେଇ ଆସିଛି, ମନୁଷ୍ୟର ଅସଲ ଉଦୟଗୁଡ଼ିକୁ ଭାରି ବିଭ୍ରାନ୍ତ କରିରଖିଛି । ତାହା ଆମକୁ ଭାଗ୍ୟ ଉପରେ, ଅଦୃଷ୍ଟ ଉପରେ ଅତିରିକ୍ତ ନିର୍ଭରଶୀଳ କରି ରଖିଛି । ଭାରତୀୟ ସଂସ୍କୃତି ତଥା ଜୀବନବୋଧକୁ ପ୍ରଧାନତଃ ଏକ ନିଷ୍କ୍ରିୟ ଏବଂ ନକାରାତ୍ମକ ସ୍ତରରେ ଆଣି ବାନ୍ଧି ରଖିଛି । ଆମ ସମାଜର ଯଥାର୍ଥ ଏବଂ ଅସଲ ପାରସ୍ପରିକତାଗୁଡ଼ିକୁ ତାହା ଅତି ଶୋଚନୀୟ ଭାବରେ ଭଣ୍ଡୁର କରିରଖିଛି ।

 

ମଣିଷ ପ୍ରକୃତରେ ନିଜ ଭିତରୁହିଁ କିଛି ନା କିଛି ହେବାକୁ ମନ କରନ୍ତା, ନିଜ ଭିତରେହିଁ ସେ ନିଜର ସୂର୍ଯ୍ୟଟିକୁ ଆବିଷ୍କାର କରିବାର ସ୍ଵପ୍ନ ଦେଖନ୍ତା, ଆପଣାର ଅସଲ ଅନ୍ତର୍ନିହିତ ସମ୍ଭାବନା ଏବଂ ସମ୍ମାନଗୁଡ଼ିକୁ ସେ ଅନୁଭବ କରିପାରନ୍ତା ଓ ସେହିଗୁଡ଼ିକୁ ବଞ୍ଚିବା ଲାଗି ଚେଷ୍ଟିତ ହୋଇ ରହିବାକୁହିଁ ସେ ଅସଲ ଜୀବନ ବୋଲି ବୁଝିନ୍ତା–ଭାରତୀୟ ଶାସ୍ତ୍ରମାନଙ୍କରେ ଏସବୁ କେତେକେତେ ଔଜଲ୍ୟ ସହିତ ଲେଖାହୋଇ ରହିଥିଲେ ମଧ୍ୟ ବାହ୍ୟିକ ବିଧିପାଳନ ଏବଂ ନାନା ବ୍ରତାଚରଣର ଜାଲ ଘେରାଇ ଦେଇ ଭାରତର ମଣିଷକୁ ସତେଅବା ଭାରି ଅକିଞ୍ଚନ ଏବଂ ଅଳ୍ପସନ୍ତୁଷ୍ଟ କରିରଖାଯାଇଛି । ଏବର ଆଧୁନିକ ଶିକ୍ଷାର ପ୍ରଚଳତ ସତ୍ତ୍ୱେ ଶିକ୍ଷିତ ଅଶିକ୍ଷିତ ସମସ୍ତେ ସେହି ଜାଲ ଭିତରେ ପଡ଼ି ରହିଛନ୍ତି । ମଣିଷ କେବଳ କେତେଟା ଓଷା ଓ ବ୍ରତ ପାଳନ କରିବ, କେତେଟା ବିଧିର ଅନୁସରଣ କରିବ ଓ ତାହାରିଦ୍ଵାରାହିଁ ତା’ର ମୁକ୍ତିକୁ ଲାଭ କରିବ, ଏହିପରି ଏକ ପରମ୍ପରାର କୁହୁଡ଼ିକୁ ସୃଷ୍ଟି କରି ଆମ ସମାଜରେ ଅଧିକାଂଶ ମଣିଷଙ୍କୁ କେତେ ପ୍ରକାରେ ସାନ ସାନ ବୃତ୍ତ ଭିତରେ ବାନ୍ଧି ରଖିଦିଆଯାଇଛି । ଓଷା ଓ ବ୍ରତର ପାଳନ ହେଉଛି ସେହିପରି ଅଳପ ଭିତରେ, ଅନ୍ଧତା ଭିତରେ ଏବଂ ବହୁବିଧ ଭୟ ଭିତରେ ଅତ୍ୟନ୍ତ ନିର୍ଭରଶୀଳ ଭାବରେ ବାନ୍ଧି ହୋଇ ରହିବା ଲାଗି ମଣିଷକୁ ପ୍ରବର୍ତ୍ତାଇ ରଖିଥିବାର ଏକ ପରମ୍ପରା । ନାନା ନିୟମ ଓ ନିଷେଧ ଭିତରେ ମଣିଷର ମନକୁ ଅର୍ଥାତ୍‍ ବିଚାରକୁ ବାନ୍ଧି ଦିଆଗଲା । ଅନେକ ମଣିଷ ଏହିପରି ଭାବରେ ବାନ୍ଧି ହୋଇ ରହିଲେ, ତେଣୁ ଉପରର ବର୍ଗମାନଙ୍କୁ ଆହୁରି ଉଗ୍ର ହେବାଲାଗି ଛାଡ଼ିଦେଲେ । ଭଗବାନଙ୍କର ଦୟାପରି ସମାଜରେ ଉପରିସ୍ଥ ବର୍ଗମାନଙ୍କର ଦୟା ବ୍ୟତୀତ ଆଉ କେହି ଆମର ଭାଗ୍ୟକୁ ବଦଳାଇ ଦେଇପାରିବ ନାହିଁ, ଭାରତର ମନୁଷ୍ୟମାନଙ୍କୁ ଏହିପରି ଏକ ତାମସିକତା ଗ୍ରାସ କରି ପକାଇଲା, ଏବେ ମଧ୍ୟ ଗ୍ରାସ କରି ରହିଛି । ଭାରତୀୟ ପୁରାଣମାନେ ମଣିଷର ଏହି ଗ୍ରସ୍ତ ହୋଇ ରହିବାରେ ସବୁଠାରୁ ଅଧିକ ଚକ୍ରାନ୍ତକାରୀରୂପେ କାର୍ଯ୍ୟ କଲେ । ଏବେ ମଧ୍ୟ ଓଡ଼ିଶାରେ ସବୁଠାରୁ ଅଧିକ ଲୋକଙ୍କଦ୍ଵାରା ଆଦୃତ ହେଉଥିବା ସାହିତ୍ୟ ହେଉଛି ଏହି ପୁରାଣସାହିତ୍ୟ, ମନୁଷ୍ୟର ଅନ୍ତର୍ବିବେକକୁ ନାନାବିଧ କୁହୁଡ଼ି ଭିତରେ ଆଚ୍ଛନ୍ନ କରି ରଖିବାରେ ସବୁଠାରୁ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟସାଧନ କରୁଥିବା ଏକ ସାହିତ୍ୟ ।

 

ଚର୍ଯ୍ୟାପଦ, ରୁଦ୍ରସୁଧାନିଧି, କଳସା ଏବଂ ଆଉ କେତୋଟି ଚଉତିଶା ଓ ଆଉ କେତୋଟି ଅତି ପୁରାତନ ବ୍ରତକଥା ପରେ ଓଡ଼ିଆ ସାହିତ୍ୟର ଆବିଷ୍କୃତ ଭଣ୍ଡାରରେ ଆମେ ସାରଳା ଦାସଙ୍କ ପାଖରେ ଆସି ହାବୁଡ଼ିଯାଉ । ହଁ, ସେତେବେଳେ ଓଡ଼ିଶା ନାମକ ଭୂମିରେ ଅସୁମାରି ଲୋକଗୀତ ରହିଥିବ, ଲୋକକାହାଣୀ ମଧ୍ୟ ରହିଥିବ । ଲିଖିତ ଆକାରରେ ନୁହେଁ, ଲୋକମାନଙ୍କର ମୁହଁରେ ରହିଥିବ । ସାରଳା ଦାସ କଦାପି ଏକାନ୍ତ ଆକସ୍ମିକ ଭାବରେ ଆମ ସାହିତ୍ୟର ଘରେ ଆସି ପହଞ୍ଚିଯାଇ ନଥିବେ । ତାଙ୍କର ଓଡ଼ିଆ ମହାଭାରତ, ଚଣ୍ଡୀପୁରାଣ ପ୍ରଭୃତି ଗ୍ରନ୍ଥ ପାଠ କଲେ ତାଙ୍କ ସହିତ କଳ୍ପନା ଓ କଳନାର ବନସ୍ତ ଭିତରେ ବୁଲି ବାହାରିଲେ ଆମର ବାରବାର ଏକ ଦୃଢ଼ ପ୍ରତ୍ୟୟ ହୋଇଯାଉଥିବ ଯେ ଉଭୟ ଓଡ଼ିଆ ଭାଷା ଏବଂ ଓଡ଼ିଆ ଗ୍ରନ୍ଥଲେଖା ଅନେକ ପୋଖତ ହେଲାପରେ ଓଡ଼ିଆ ସାହିତ୍ୟରେ ସାରଳା ଦାସଙ୍କ ପରି ଜଣେ କାବ୍ୟକାର ଓ ତାଙ୍କ ଓଡ଼ିଆ ମହାଭାରତ ପରି ଗୋଟିଏ ମହାସିନ୍ଧୁ ସଦୃଶ ଗ୍ରନ୍ଥ ସମ୍ଭବ ହୋଇଥିବ ।

 

ଆପଣାର ମହାଭାରତ ପୁସ୍ତକରେ ସାରଳା ଦାସ ବହୁବାର ଓଡ଼ିଶାର ତତ୍କାଳୀନ ରାଜା କପିଳେନ୍ଦ୍ର ଦେବଙ୍କର ଉଲ୍ଲେଖ କରିଛନ୍ତି । କବି ସାରଳା ଦାସ ଏବଂ ଓଡ଼ିଶାର ରାଜା କପିଳେନ୍ଦ୍ର ଦେବ ପରସ୍ପରର ସମସାମୟିକ । କପିଳେନ୍ଦ୍ର ଦେବ ଓଡ଼ିଶାରେ ଗଙ୍ଗ ବଂଶ ପରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା । ଗଙ୍ଗମାନେ ଓଡ଼ିଶାର ବାହାରୁ ସୁଦୂର ଚୋଳ ବା ବର୍ତ୍ତମାନର କର୍ଣ୍ଣାଟକ ପ୍ରଦେଶରୁ ଆସିଥିଲେ । ମାତ୍ର କପିଳେନ୍ଦ୍ର ଦେବ ଏହି ଓଡ଼ିଶାର ଥିଲେ ଓଡ଼ିଆ ଜାତୀୟତାର ଏକ ଭାବରେ ଉଦ୍‍ବୁଦ୍ଧ ହୋଇ ଓଡ଼ିଆ ସାହିତ୍ୟର କେତେକ ଆଲୋଚକ ତାଙ୍କୁ ଏକ ବିଶେଷ ଅନୁରାଗପୂର୍ଣ୍ଣ ଚକ୍ଷୁରେ ଦେଖିବାକୁ ଚେଷ୍ଟା କରିଥାନ୍ତି ଏବଂ କବି ସାରଳା ଦାସଙ୍କ ସହିତ ତାଙ୍କୁ ଆଣି ଯୋଡ଼ି ମଧ୍ୟ ଦେଇଥାନ୍ତି । କପିଳେନ୍ଦ୍ର ଦେବ ଜଣେ ପ୍ରତାପଶାଳୀ ରାଜା ଥିଲେ, ସମର–ଅଭିଯାନରେ ଅନେକ ରାଜାଙ୍କୁ ପରାଜିତ କରିଥିଲେ; ହୁଏତ ଏକଥା ମଧ୍ୟ ହୋଇପାରେ ଯେ ତାଙ୍କର ରାଜତ୍ଵ ସମୟରେ ଓଡ଼ିଶାରେ ସୁଖସମୃଦ୍ଧି ବିରାଜମାନ କରୁଥିଲା । ମାତ୍ର, ସେହିସବୁ ପରିସ୍ଥିତି ମଧ୍ୟରୁ ଯେ ସାରଳା ଦାସ ସମ୍ଭବ ହେଲେ, ଏପରି ଅନୁମାନ କରିବା ପଛରେ ସମ୍ଭବତଃ ଆଦୌ କୌଣସି ସାହିତ୍ୟିକ ବିବେକ ରହିଛି ବୋଲି କୁହାଯାଇପାରିବ ନାହିଁ । ରାଜା ପ୍ରତାପୀ ହେଲେ ଏବଂ ସାଧାରଣ ପ୍ରଜା ସୁଖରେ ରହିଲେ ଯେ ସାହିତ୍ୟ ମଧ୍ୟ ସମୃଦ୍ଧ ପୁଷ୍ପିତ ହେବାକୁ ସେଥିରୁ ଉତ୍ସାହ ବା ପ୍ରେରଣା ପାଏ, ସେକଥା କଦାପି ସୂତ୍ର ପକାଇ କହିହେବ ନାହିଁ । ଅନେକ ସମୟରେ ଏପରି ମଧ୍ୟ ହୋଇଥାଏ ଯେ ତଥାକଥିତ ସୁଖ, ଭୋଗ ଏବଂ ସମୃଦ୍ଧି ସମୟରେ ଏକ ମିଛ-ପରିତୃପ୍ତିର ଭାବ ଅଧିକାଂଶ ମନୁଷ୍ୟଙ୍କର ଚେତନାକୁ ଗୋଟାସୁଦ୍ଧା ଗିଳି ପକାଇଥାଏ ଓ ତଦ୍ଦ୍ଵାରା ସର୍ଜନାତ୍ମକତାର କ୍ଷେତ୍ରରେ ଏକ ଘୋର ନିଦ୍ରା ଘାରି ରହିଥାଏ । କାହାରି ଭିତରେ ହୁଏତ ଅସଲ ତୃଷ୍ଣା ନଥାଏ । ସାମୂହିକ ଜୀବନର ଦୁର୍ଦ୍ଦିନରେ ହୁଏତ ମଣିଷ ଭିତରର କବି, ଲେଖକ ଏବଂ ସର୍ଜନାତ୍ମକ ବ୍ୟକ୍ତିତ୍ଵଟି ସକାଶେ ଅପେକ୍ଷାକୃତ ଅଧିକ ଆହ୍ଵାନ ଆସି ପହଞ୍ଚେ ଓ ସିଏ ସେହି ଆହ୍ଵାନଗୁଡ଼ିକର ଜବାବ ଦେବାଲାଗି ଅଧିକ କ୍ରିୟାଶୀଳ ହୁଏ ।

 

ଆପଣାର ରଚିତ ଓଡ଼ିଆ ମହାଭାରତରେ ସାରଳା ଦାସ ନିଜକୁ ଅତ୍ୟନ୍ତ ନ୍ୟୂନ ଓ କ୍ଷୁଦ୍ର କରି ବର୍ଣ୍ଣନା କରିଛନ୍ତି । ସିଏ ଅକ୍ଷର ଅର୍ଥାତ୍‍ ବିଦ୍ୟା ପଢ଼ିନାହାନ୍ତି ବୋଲି କହିଛନ୍ତି, ଶାସ୍ତ୍ରରେ ଅବଗାହୀ ନାହାନ୍ତି, ଅଧିକନ୍ତୁ, କୁସ୍ଥାନରେ ବସିଛନ୍ତି, ବିପ୍ରଗୋଷ୍ଠୀରେ କେବେହେଲେ ଯାଇ ବସିନାହାନ୍ତି, ତାଙ୍କର ଶିଶୁବୁଦ୍ଧିବି ଯାଇନାହିଁ ଓ ତାଙ୍କର ବୟସ ମଧ୍ୟ ଯଥେଷ୍ଟ ପରିମାଣରେ ପୋଖତ ହୋଇନାହିଁ । ସେ କୌଣସି ଗୁରୁଙ୍କଠାରୁ ପଦମନ୍ତ୍ର ନେଇନାହାନ୍ତି, ତୀର୍ଥ ଯାଇ ନାହାନ୍ତି, ଯାଗଯଜ୍ଞାଦି କୌଣସି ଅନୁଷ୍ଠାନରେ ଅଂଶଗ୍ରହଣ କରିନାହାନ୍ତି ଅଥବା କୌଣସି ମନ୍ତ୍ରର ମନନବି କରିନାହାନ୍ତି । ସାରଳା ଦାସଙ୍କର ମହାଭାରତ ପାଠ କଲେ ଅତ୍ୟନ୍ତ ସ୍ପଷ୍ଟ ଭାବରେ କହିଦେବ ଯେ ଏହିସବୁ କଥା ଆଦୌ ସତ୍ୟ ନୁହେଁ । ସାରଳା ଦାସ ହୁଏତ ବିନୟ କରି ମଧ୍ୟ ଏସବୁ ଭଣିମା କରିନାହାନ୍ତି । ତାଙ୍କ କାଳରେ ଶାସ୍ତ୍ରଟିଏ ଲେଖିବା ସକାଶେ ଯେଉଁସବୁ ଔପଚାରିକ ନିଷେଧ ସବୁ ରହିଥିଲା, ସେଗୁଡ଼ାକ ଆଦୌ ଅପରିହାର୍ଯ୍ୟ ନୁହେଁ ବୋଲି ଘୋଷଣା କରିବାପାଇଁ ସେ ଏପରି କଥାମାନ କହିଛନ୍ତି । ସେତେବେଳର ଓଡ଼ିଶାରେ ଯୋଗ, ତନ୍ତ୍ର ଏବଂ କାମଶାସ୍ତ୍ର ପରସ୍ପର ସହିତ ଅତ୍ୟନ୍ତ ଘନିଷ୍ଠ ଭାବରେ ଘଣ୍ଟାଘଣ୍ଟି ହୋଇ ରହିଥିଲେ । ବାତ୍ସାୟନଙ୍କର କାମଶାସ୍ତ୍ର ମଧ୍ୟକୁ ସାରଳା ଦାସଙ୍କର ବିସ୍ତୃତ ପ୍ରବେଶ ମଧ୍ୟ ଘଟିଥିଲା । ସାରଳା ଦାସ କୌଣସି ରାଜସଭାରେ କବି ହୋଇ ଆସି ନଥିଲେ; ସିଏ ଗାଁରେ ଜନ୍ମ ହୋଇଥିଲେ, ରାଜସଭାର ବହୁଦୂରରେ ତାଙ୍କର ପ୍ରତିଭାମାନ ଫୁଲ ପାଣି ପାଇ ସଂଜୀବିତ ହୋଇଥିଲା । ନିଜ ଗାଁରେ ଚିହ୍ନା ଦେବୀଙ୍କର ପାଖରେ ତାଙ୍କର ଯାବତୀୟ ସାଧନା ପରିଣତି ଲାଭ କରିଥିଲା ଓ ସେହି ଗାଁରେ ରହିହିଁ ସେ ନିଜର ଗ୍ରନ୍ଥଗୁଡ଼ିକୁ ରଚନା କରିଥିଲେ । ଆପଣାର ଲେଖାଗୁଡ଼ିକରେ ସାରଳା ଦାସ ନିଜକୁ ଶୂଦ୍ରମୁନି ବୋଲି ଘୋଷଣା କରିଛନ୍ତି । ତାଙ୍କୁ ଜଗନ୍ମାତା ପ୍ରସନ୍ନ ହେବା ସମୟରେ ସେ ତାଙ୍କରିଠାରୁ ଏହି ନାମଟିକୁ ପାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ସତ, ମାତ୍ର ତତ୍କାଳୀନ କାବ୍ୟକାରିତାର ସମସ୍ତ ପରମ୍ପରାକୁ ଭାଙ୍ଗି ରାଜସଭା ଅର୍ଥାତ୍‍ ରାଜଛାୟାର ଏତେ ଦୂରରେ ରହି କବିତ୍ଵ କରିବା, ସମସାମୟିକ ସମାଜରେ ଆପଣାର କୃତିଗୁଡ଼ିକୁ ଗୃହୀତ କରାଇ ନେଇପାରିବା ଏବଂ ଏହିସବୁ କୃତିତ୍ଵ ନିମନ୍ତେ ନିଜକୁ ଶୂଦ୍ରମୁନି ବୋଲି ଘୋଷଣା କରିବା ସକାଶେ ସେତେବେଳେ କମ୍ ସାହସ କରିବାକୁ ପଡ଼ି ନଥିବ । ଏକ ଶୂଦ୍ର ପରିବାରରେ ଜନ୍ମ ହୋଇଥିବାରୁ ଯେ ସାରଳା ଦାସ ନିଜକୁ ଶୂଦ୍ରମୁନିର ଆଖ୍ୟା ଦେବାକୁ ମନ କଲେ, ସେକଥା ମଧ୍ୟ ଆଦୌ ସତ ନୁହେଁ । ସେତେବେଳେ ପଣ୍ଡିତମାନେ ସମସ୍ତେ ବ୍ରାହ୍ମଣ ଥିଲେ ଏବଂ ପାଣ୍ଡିତ୍ୟ ଓ କାବ୍ୟରଚନାର କ୍ଷେତ୍ରରେ ସେମାନେ ବ୍ରାହ୍ମଣେତର ଆଉ ସବୁ ମଣିଷଙ୍କୁ ଶୂଦ୍ରଜ୍ଞାନରେହିଁ ଦେଖୁଥିଲେ । ସେହି ପରମ୍ପରା ଏବଂ ସେହି ରୀତିଟି ବିରୋଧରେ ନିଜର ପ୍ରତିବାଦକୁ ବ୍ୟକ୍ତ କରି ସାରଳା ଦାସ ନିଜକୁ ଶୂଦ୍ରମୁନି ବୋଲି କହିଲେ; ଶୂଦ୍ର ଜଣେ ଯେ ଅବଶ୍ୟ ସାହିତ୍ୟ ରଚନାରେ ଅଧିକାରୀ ହୋଇପାରିବ, ସେ ସେହି କଥାଟିକୁ ସାବ୍ୟସ୍ତ କଲେ ଏବଂ ଏକ ଅସାମାଜିକ ଦୃଷ୍ଟିକୋଣର ଖଣ୍ଡନ କରିଥିଲେ । ବ୍ରାହ୍ମଣକୁଳରେ ଜନ୍ମ ନ ହୋଇଥିଲେ ମଧ୍ୟ ଯେ ଜଣେ ମୁନି ହୋଇପାରେ, ଅର୍ଥାତ୍‍ ସାଧନାମାର୍ଗରେ ଯାଇପାରେ, ଦେବୀପ୍ରସାଦ ଲାଭ କରିପାରେ ଏବଂ ଶାସ୍ତ୍ର ଲେଖିପାରେ, ତାଙ୍କର ସମସାମୟିକ ଅବିବେକ ପାଖରେ ସେ ସେହି କଥାଟିକୁ ଘୋଷଣା କରିଥିଲେ । ଦେବୀ ସାରଳା କବିଙ୍କ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଥିଲେ । ସାରଳା ଦାସ ତାଙ୍କୁ ମହିଷମର୍ଦ୍ଦିନୀ ବୋଲି କହିଛନ୍ତି, ତାଙ୍କୁ ବାଗ୍‍ଦେବୀ ବୋଲି ମଧ୍ୟ ମାନିଛନ୍ତି । ସାଧନା ମାର୍ଗପ୍ରଧାନ ହୋଇ ରହିଥିବା ପର୍ଯ୍ୟନ୍ତ ସାଧକ ଏପରି କଦାପି କରିପାରେ ନାହିଁ । ମାତ୍ର, ସାଧନା ମୂଳତଃ ସାଧନାପ୍ରଧାନ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସେ ଗୋଟିଏ ମୂର୍ତ୍ତି ମଧ୍ୟରେ ସବୁ ମୂର୍ତ୍ତିଙ୍କୁ ମଧ୍ୟ ଘ୍ରାଣ କରିବାରେ ସମର୍ଥ ହୋଇଯାଏ । ପ୍ରତିମାମାନଙ୍କର ବାଡ଼କୁ ଡେଇଁଯାଏ ଏବଂ ଯଦି ସାଧକ କବି ମଧ୍ୟ ହୋଇଥାଏ, ଅର୍ଥାତ୍ ଯଦି ତା’ଠାରୁ କବିତ୍ୱର ବାସନା ସତକୁସତ ପୁରୋଭାଗରେ ଆସି ରହିଥାଏ, ତେବେ ତାହାର ଅନୁରାଗ ଭିତରେ ଏହି ସମନ୍ୱୟଟି ଆହୁରି ଅଧିକ ସହଜ ହୋଇଥାଏ । କବିର ହୃଦୟ ପଣ୍ଡିତମାନଙ୍କର ସବୁ ପ୍ରତିମାଭେଦକୁ ଅତିକ୍ରମ କରିଯାଏ ।

 

କିମ୍ବଦନ୍ତୀର ବ୍ୟାସଦେବ ଏକ ମହାପୁରାଣ ହିସାବରେ ସଂସ୍କୃତ ମହାଭାରତରେ ରଚନା କରିଥିଲେ । ସଂସ୍କୃତ ମହାଭାରତକୁ ଭାରତୀୟ ପ୍ରାଚୀନ ଜୀବନର ଏକ ମହାକାବ୍ୟ ବୋଲି କୁହାଯାଏ । ସେଥିରୁ ଆମକୁ ସମକାଳୀନ ଭାରତୀୟ ସମାଜ ଏବଂ ସାମାଜିକତା ବିଷୟରେ ଅନେକ ପରିଚୟ ମଧ୍ୟ ମିଳିଯାଉଛି । ରାଜାର ଧର୍ମ, ନାରୀର ଧର୍ମ, ଯୁଦ୍ଧକ୍ଷେତ୍ରର ଧର୍ମ ଏବଂ ଗୋଷ୍ଠୀଜୀବନର ଧର୍ମ ବିଷୟରେ ମହାଭାରତର ଗବେଷକମାଙ୍କୁ ସେଥିରୁ ଅନେକ ତଥ୍ୟ ଉପଲବ୍ଧ ହୋଇପାରୁଛି । ସେହି ମହାଭାରତକୁ ମୂଳକରିହିଁ ତାହାର ଭାରତୀୟ ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ମଧ୍ୟଯୁଗରେହିଁ ସେହି ସର୍ବପ୍ରଥମ ଭାଷାନୁବାଦଗୁଡ଼ିକ କରାଯାଇଛି । ମାତ୍ର ସେଗୁଡ଼ିକୁ ପ୍ରାୟ ସବୁଗୁଡ଼ିକୁ ଆମେ ଅନୁବାଦ ବୋଲି ନ କହି ଗୋଟିଏ ଗୋଟିଏ ଅନୁସୃଜନ ବୋଲି କହିପାରିବା । ଭାଷାର ମହାଭାରତକାରମାନେ ମୂଳ ସଂସ୍କୃତ ମହାଭାରତଠାରୁ କେଡ଼େ ଅବଲୀଳା ସହିତ କେତେ କୁଆଡ଼କୁ ହୁଡ଼ି ଯାଇଛନ୍ତି ଏବଂ ଏହିପରି ହୁଡ଼ିଯିବାଦ୍ଵାରାହିଁ ଆପଣାର ଗ୍ରନ୍ଥଟିକୁ ଏକ ସ୍ଵତନ୍ତ୍ର ମହିମା ଆଣି ଦେଇଛନ୍ତି । ସାରଳା ଦାସଙ୍କର ମହାଭାରତ ଏହି କ୍ଷେତ୍ରରେ ଅନ୍ୟାନ୍ୟ ଭାଷା-ମହାଭାରତଗୁଡ଼ିକର ତୁଳନାରେ ସମ୍ଭବତଃ ସର୍ବାଗ୍ରରେ ରହିଛି । ସାରଳା ଦାସ ବ୍ୟାସଦେବଙ୍କୁ ମୋଟେ ମାନି ନାହାନ୍ତି । କେବଳ ସଂସ୍କୃତ ମହାଭାରତର ଦୃଷ୍ଟିଗତ ଆଧାରର କ୍ଷେତ୍ରରେ ନୁହେଁ, ମୂଳ କାହାଣୀଟିଏ କ୍ଷେତ୍ରରେ ମଧ୍ୟ ସେ କେତେକେତେ ପରିବର୍ତ୍ତନ କରି ଦେଇଛନ୍ତି । ସଂସ୍କୃତ ମହାଭାରତରେ ମଧ୍ୟ ହସ୍ତିନାପୁରର ଅସଲ କାହାଣୀଟି ସହିତ ଆହୁରି କେତେ କାହାଣୀ ଓ ଉପାଖ୍ୟାନକୁ ଆଣି ଯୋଡ଼ି ଦିଆଯାଇଛି । ସେହି ଅନ୍ୟ ଉପାଖ୍ୟାନଗୁଡ଼ିକୁ ଆଧାର କରି ମଧ୍ୟ ସଂସ୍କୃତ ଭାଷାରେ ଅନ୍ୟ ଶାସ୍ତ୍ରମାନ ଲେଖାଯାଇଛି । ମାତ୍ର ସାରଳା ଦାସ ତାଙ୍କ ମହାଭାରତରେ କାହାଣୀ ସହିତ ଯେଉଁସବୁ ଉପକାହାଣୀକୁ ଆଣି ଗୁନ୍ଥି ଦେଇଛନ୍ତି, ସେଗୁଡ଼ିକୁ ଆମେ କୌଣସି ଶାସ୍ତ୍ର ଭିତରେ କଦାପି ଖୋଜି ପାଇବା ନାହିଁ । ଏହିସବୁ ଆଖ୍ୟାନ ଓ ଉପାଖ୍ୟାନଗୁଡ଼ିକୁ ସେ ନିଜର ସାହସୀ କଳ୍ପନା ଭିତରୁ ବାହାର କରିଛନ୍ତି ।

 

ସଂସ୍କୃତ ମହାଭାରତକୁ ସବାଆଗ ସମସ୍ତେ ଏକ ଧର୍ମଗ୍ରନ୍ଥ ବୋଲି ମାନିଥାନ୍ତି । ଓଡ଼ିଆ ମହାଭାରତକୁ ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ସମସ୍ତ ସନ୍ତର୍ପଣ ସହିତ ଏକ ଧର୍ମଗ୍ରନ୍ଥର ଜ୍ଞାନରେ ପାଠ ଓ ପାରାୟଣ କରାଯାଇଥାଏ । ମାତ୍ର, ଗୋଟିଏ ଧର୍ମଗ୍ରନ୍ଥ କହିଲେ ସାଧାରଣତଃ ଯାହା ବୁଝାଏ, ଓଡ଼ିଆ ମହାଭାରତ ଭିତରେ ଆମକୁ ସେହି ଉପାଦାନଟି ଖୁବ୍ ବେଶୀ ଉପଲବ୍ଧ ହୋଇ ନଥାଏ । ଓଡ଼ିଆ ମହାଭାରତରେ ଦେବତାମାନେ ସମସ୍ତେ ରହିଛନ୍ତି, ମାତ୍ର ଜଣେ ଅନୁରାଗୀ କବିର କଳ୍ପନା ଭିତରେ ମଜାହୋଇ ସେମାନେ ସମସ୍ତେ କାବ୍ୟରୂପୀ ମଞ୍ଚ ଉପରେ ସତେଅବା ଗୋଟିଏ ଗୋଟିଏ କ୍ରୀଡ଼ନକ ପରି ନାଚିବାରେହିଁ ଲାଗିଛନ୍ତି । କବି ସାରଳା ଦାସ କୌଣସି ଦେବାଦେବୀଙ୍କୁ ଆଦୌ କୌଣସି ପ୍ରକାରର ଅବଜ୍ଞା ପ୍ରଦର୍ଶନ କରିନାହାନ୍ତି । ତଥାପି ଲୋକମାନସର ମାଧୁର୍ଯ୍ୟସ୍ତରକୁ ଆସି ଦେବତାର କଳ୍ପନାଗୁଡ଼ିକ ଯେପରି ଏକାବେଳକେ ଆମର ଏହି ଜୀବନରୂପୀ ଇହଭୂମିର ସ୍ତରକୁ ଓହ୍ଲାଇ ଆସିଛନ୍ତି, ସାରଳା ଦାସ ନିଜର ପାତ୍ରପାତ୍ରୀଙ୍କୁ ସେହିପରି ଆଣି ଉପସ୍ଥାପିତ କରିପାରିଛନ୍ତି । ହସ୍ତିନାପୁର ଓଡ଼ିଶାଠାରୁ ଏବପରି ସେତେବେଳେ ମଧ୍ୟ ବହୁଦୂରରେ ଅବସ୍ଥିତ ରହିଥିଲା । ମାତ୍ର ସାରଳା ଦାସ ସେମାନଙ୍କୁ ଏକାବେଳକେ ତାଙ୍କ ନିଜ ଓଡ଼ିଶାର ଏକ ସ୍ଥାନୀୟ ମଞ୍ଚ ଉପରେ ଆଣି ଅବତୀର୍ଣ୍ଣ କରାଇଛନ୍ତି ଓ ଓଡ଼ିଆ ମହାଭାରତ ସତେଅବା ତାଙ୍କ ସମସାମୟିକ ଓଡ଼ିଶାର ଏକ ମହାକାବ୍ୟ ବୋଲି ଆମ ଆଗରେ ଏକ ପ୍ରତୀତିର ଜାଲକୁ ବିସ୍ତୃତ କରିରଖିଛି । ଏଭଳି ଏକ ପ୍ରତୀତି ଆମକୁ ଭଲ ଲାଗୁଛି-ମୂଳ ମହାଭାରତଟିକୁ ସାରଳା ଦାସ ଏପରି ଭାବରେ ବିକୃତ ଏବଂ ବିଘଟିତ କରି ଦେଇଛନ୍ତି ବୋଲି ଭାବି ଆମ ମନରେ ଆଦୌ କୌଣସି କ୍ଷୋଭ ଜାତବି ହେଉ ନାହିଁ । ସମ୍ଭବତଃ ଜଣେ କବିର ସର୍ବଶ୍ରେଷ୍ଠ କରାମତି ହେଉଛି ଏହିଠାରେ । ଦୂରକୁ ଏକାନ୍ତ ନିକଟ କରି ଆଣିବା, ଦେବତାମାନଙ୍କୁ ଏକାନ୍ତ ଗୋଟିଏ ଗୋଟିଏ ମନୁଷ୍ୟ-ଚରିତ୍ରରେ ପରିଣତ କରି ଆମର କଳ୍ପନାନୁରାଗକୁ ଏକ ଅଭୂତପୂର୍ବ ଆତ୍ମୀୟତା ଭିତରକୁ ସଞ୍ଚାଳିତ କରିନେବା, ଏହି କୃତିତ୍ୱଟି ସକାଶେ ସାରଳା ଦାସ ଏବେ ମଧ୍ୟ ଆପଣାକୁ ଆମର ଏତବେଶୀ ପ୍ରିୟ କରିରଖିଛନ୍ତି ।

 

ସାରଳା ସାହିତ୍ୟ ମୂଳତଃ ଏକ ପ୍ରତିବାଦ ସାହିତ୍ୟ । ରାଜସଭାର ପଣ୍ଡିତମାନଙ୍କୁ ଉଦ୍ଦେଶ୍ୟ କରି ଏକ ପ୍ରତିବାଦ, ରାଜାଙ୍କର ପୃଷ୍ଠପୋଷକତା ଲାଭ କରି ଗୋଟିଏ ଗୋଟିଏ ସମ୍ପ୍ରଦାୟରୂପେ ସ୍ପର୍ଶକାତର ହୋଇ ରହିଥିବା ଧର୍ମୀୟ ଆସକ୍ତିଗୁଡ଼ିକର ଉଦ୍ଦେଶ୍ୟରେ ଏକ ପ୍ରତିବାଦ ଏବଂ ସର୍ବୋପରି ସେହି ରାଜାଙ୍କଦ୍ଵାରା ପୋଷା ହୋଇ ରହିଥିବା ସଂସ୍କୃତ ସାହିତ୍ୟର କୃପଣ ପରମ୍ପରାଟିକୁ ଉଦ୍ଦେଶ୍ୟ କରି ମଧ୍ୟ ଏକ ପ୍ରତିବାଦ । ରାଜସଭାର ବହୁଦୂରରେ ବୃହତ୍ତର ଲୋକଜୀବନରେ ସେତେବେଳେ ଯେଉଁସବୁ ଦୃଶ୍ୟ ଓ ଚିତ୍ର ଅଭିନୀତ ହେବାରେ ଲାଗିଥିଲା, ସମ୍ପ୍ରଦାୟଗୁଡ଼ିକୁ ପରସ୍ପରଠାରୁ ବିଚ୍ଛିନ୍ନ କରି ସୂଚାଇ ଦେଉଥିବା ଧର୍ମଶାସ୍ତ୍ରଗୁଡ଼ିକର ବହୁଦୂରରେ ସବୁ ଧର୍ମ ଓ ତଦ୍‍ଗତ ଆଚାରଚୟକୁ ଏକାଠି ମିଶାଇ ତାହାକୁ ନାନା ପ୍ରତିମା ଏବଂ ପ୍ରତୀକରୂପେ ବଳି ଯେଉଁସବୁ ବିଶ୍ଵାସ ଏବଂ ଅତିବିଶ୍ଵାସ ବହୁ କାଳରୁ ଉଦ୍‍ଭୂତ ହୋଇ ଆସିଥିଲା, ଆଗରୁ ସେଗୁଡ଼ିକର ଅଭିବ୍ୟକ୍ତି ନିମନ୍ତେ ଆଦୌ କୌଣସି ଅନୁକୂଳତା ନଥିଲା । ବ୍ରାହ୍ମଣମାନେ ଶାସ୍ତ୍ରଗୁଡ଼ିକର ଅଧିକାରୀ ଥିଲେ । ତେଣୁ କେବଳ ତଥାକଥିତ ଶୁଦ୍ଧ ଓ ଅନୁମୋଦିତ ସାମଗ୍ରୀମାନହିଁ ଶାସ୍ତ୍ର ଭିତରକୁ ପ୍ରବେଶ କରିପାରୁଥିଲା । ସତେଅବା ସାରଳା ଦାସ ସେହି ଅନୁକୂଳତାଟି ଲାଗି ବାଟ ଫିଟାଇ ଦେବା ଲାଗି ଆପଣାର ଲେଖନୀ ଧାରଣ କରିଥିଲେ । ସିଏ ବୃହତ୍ତର ସମାଜକୁ କାବ୍ୟ ଭିତରକୁ ପ୍ରବିଷ୍ଟ କରାଇ ଆଣିଥିଲେ । ପାତ୍ର ଓ ପାତ୍ରୀମାନଙ୍କର ନାମଗୁଡ଼ିକୁ ଓ ସଂସ୍କୃତଗ୍ରନ୍ଥର ପୃଷ୍ଠଭୂମିଟିକୁ ସେ ନିଜର ମୂଳପୁଞ୍ଜିରୂପେ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ଓ ତାହାକୁ ତତ୍କାଳୀନ ଲୋକଜୀବନର କେତେକେତେ କ୍ଷେତ୍ର ଏବଂ ଉପକ୍ଷେତ୍ର ମଧ୍ୟକୁ ଲଟାଇ ନେଇଗଲେ । ସେ ଠାକୁରମାନଙ୍କୁ ଜୀବନ୍ୟାସ ଦେଇ ମଣିଷ କଲେ, ସେମାନଙ୍କୁ ନିଜ କାଳର ଅଧିକ ନିକଟବର୍ତ୍ତୀ କରାଇ ଆଣିଲେ । ତାଙ୍କର କୁରୁକ୍ଷେତ୍ର ପ୍ରକୃତରେ ତାଙ୍କ ଚତୁର୍ଦ୍ଦିଗରେହିଁ ବିସ୍ତୃତ ହୋଇ ରହିଗଲା ଏବଂ ତାଙ୍କ ନିଜ ଅନୁଭବ ତଥା ଅନୁରାଗହିଁ ତାଙ୍କର ବଳିଷ୍ଠତମ କାବ୍ୟନୟନରୂପେ କାର୍ଯ୍ୟ କରିଥିଲା । ସାରଳା ଦାସ କେଉଁ କିସମର ଦେବୀଭକ୍ତ ଥିଲେ ଓ ଦେବୀ-ଆରାଧନା କରି କେଉଁ ପ୍ରକାରର ସିଦ୍ଧିଗୁଡ଼ିକୁ ହାସଲ କରିଥିଲେ, ସେସବୁ ବିଷୟରେ ଆମର ଅନୁମାନ ଯେପରି ହେଉ କିମ୍ବା ନ ହେଉ ପଛକେ, ସିଏ ଯେ ଅତ୍ୟନ୍ତ ଉଦାର ଓ ଅତ୍ୟନ୍ତ ଉନ୍ମୁକ୍ତ ଭାବରେ ସର୍ବପ୍ରଥମେ ଜୀବନର ଜଣେ ପରମ ଭକ୍ତ ଓ ପରମ ଅନୁରାଗୀ ଥିଲେ, ତାଙ୍କର ରଚନାଗୁଡ଼ିକରୁ ଆମକୁ ତାହାର ଭୂରି ଭୂରି ପ୍ରମାଣ ଅବଶ୍ୟ ମିଳିଯିବ । ଜୀବନର ଜଣେ ଭକ୍ତ ହିସାବବେ ସେ ସ୍ଵୀକୃତ କେତେକେତେ ବାଡ଼କୁ ଡେଇଁଯାଇ ପାରିଥିଲେ ।

 

ସାରଳା ଦାସଙ୍କର ସାହିତ୍ୟରେ ଜୀବନ ସାହିତ୍ୟର ପଂକ୍ତି ଭିତରକୁ ଆସିଲା । ଆଗେ ସ୍ଵର୍ଗବାସୀ ଦେବତାମାନେହିଁ ସାହିତ୍ୟର ସମଗ୍ର ଇଲାକାଟିକୁ ଅଧିକାର କରିରହିଥିଲେ । ଅର୍ଥାତ୍‍ କାବ୍ୟକାରମାନେ ମନୁଷ୍ୟଜୀବନର ଆବେଗ ଓ ଆକୃତିଗୁଡ଼ିକୁ ସାହିତ୍ୟ ମଧ୍ୟରେ ଆଣି ପ୍ରବିଷ୍ଟ କରାଇବାକୁ ସତେଅବା ଏକ ଅପରାଧ ବୋଲି ମନେ କରୁଥିଲେ । ଏହି ମନୁଷ୍ୟହିଁ ତା’ର ଦେବତାମାନଙ୍କୁ ସୃଷ୍ଟି କରିଥାଏ, ଆପଣା ଜୀବନର ପ୍ରାଚୁର୍ଯ୍ୟ ଏବଂ ମାଧୁର୍ଯ୍ୟଗୁଡ଼ିକୁ ଜୀବନ୍ୟାସ ଦେଇହିଁ ସେ ଦେବତାମାନଙ୍କୁ ଗଢ଼ିଥାଏ-ସାରଳା ସାହିତ୍ୟ ତାହାରି ଏକ ଦୃଷ୍ଟାନ୍ତ ହୋଇ ରହିଛି । ସାରଳା ଦାସ ଶିଷ୍ଟ ଅଶିଷ୍ଟ ମାନି ନାହାନ୍ତି, ଶ୍ଳୀଳ ଅଶ୍ଳୀଳ ମାନି ନାହାନ୍ତି, ସିଦ୍ଧ ଓ ଅସିଦ୍ଧ ମଧ୍ୟ ମାନି ନାହାନ୍ତି । ନିଜର କଳ୍ପନାରେ ଦେବତା, ନର ଓ ଦାନବମାନଙ୍କୁ ସର୍ଜିଲାବେଳେ ସେ କେତେ କୁଆଡ଼େ ଉଡ଼ି ଚାଲି ଯାଇଛନ୍ତି, କେତେକେତେ ଅକଳ୍ପନୀୟ ଭିତରକୁ ପଶି ଯାଇଛନ୍ତି । ସାରଳା ଦାସଙ୍କର ଅସଲ ଚକ୍ଷୁ ହେଉଛି କବିର ଚକ୍ଷୁ । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମାର୍ଗ ବା ସମ୍ପ୍ରଦାୟର ଗାର ଭିତରେ ଆବଦ୍ଧ ରହିବାକୁ ଯଦି ଭକ୍ତି ବୋଲି କୁହାଯାଏ, ତେବେ ସାରଳା ଦାସ ହୁଏତ ଆଦୌ ଜଣେ ଭକ୍ତ ନଥିଲେ । ଓଡ଼ିଆ ଭାଷାଦ୍ଵାରା ଯେ ବହୁତ କିଛି ସମ୍ଭବ ହୋଇପାରିବ, ଆପଣାର ଭାବଗୁଡ଼ିକୁ ପ୍ରକାଶ କରିବାର କ୍ଷେତ୍ରରେ ଓଡ଼ିଆ ଯେ କଦାପି ସଂସ୍କୃତର ପଛରେ ପଡ଼ିଯିବ ନାହିଁ, ଅତ୍ୟନ୍ତ ବିଚକ୍ଷଣ ଭାବରେ କବି ସାରଳା ଦାସ ତାହା ପ୍ରମାଣ କରିଦେଇଥିଲେ । ସେତେବେଳର ମାପକାଠି ଉପରେ ସେ ଅସମ୍ଭବକୁ ସମ୍ଭବ କରିଥିଲେ ।

 

ସାରଳା ଦାସଙ୍କର କୃତିଗୁଡ଼ିକରେ କଳ୍ପନା ଅଧିକ ରହିଛି, ଇତିହାସ କମ୍ ଅଛି । ଯେକୌଣସି ମହାପୁରାଣ ପରି ତାଙ୍କର ମହାଭାରତକୁ ଏକ ଭାବୋଚ୍ଛଳ କାବ୍ୟୋପନ୍ୟାସ ବୋଲି କୁହାଯାଇପାରିବ । ଆପଣାର ରଚନାପାଇଁ ପ୍ରାସଙ୍ଗିକ ଯାବତୀୟ ଶାସ୍ତ୍ରଗ୍ରନ୍ଥରୁ ସେ ଅନେକ ସାମଗ୍ରୀ ସଂଗ୍ରହ କରି ଆଣିଥିଲେ ସତ, ମାତ୍ର ସମସାମୟିକ ଲୋକଚଳଣି ମଧ୍ୟରୁ ତାହାଠାରୁ ଅନେକ ଗୁଣ ଅଧିକ ସଂଗ୍ରହ କରିଥିଲେ । ସେହି ଚଳଣିଗୁଡ଼ିକ ସହିତ ଆପଣାର କଳ୍ପନାକୁ ଯୋଡ଼ି ସିଏ ସବୁକିଛିକୁ ଅତ୍ୟନ୍ତ ସରସ କରିଦେଇ ପାରିଥିଲେ । ଏହିସବୁ ସୌଧ ଗଢ଼ିବାରେ ସେ ଦେବାଦେବୀଙ୍କୁ ମାନି ନଥିଲେ, ଧର୍ମଶାସ୍ତ୍ରଗୁଡ଼ିକର ସିଦ୍ଧାନ୍ତକୁ ମାନି ନଥିଲେ, ଠାକୁରମାନଙ୍କୁ କେତେ ପ୍ରକାରର କାଳ୍ପନିକତା ଓ କାହାଣୀର ଦଉଡ଼ିରେ ବାନ୍ଧି ସତେଅବା ଦାଣ୍ଡରେ ଆଣି ନଚାଇଥିଲେ ଏବଂ ଯେକୌଣସି ସଫଳ କାବ୍ୟକାର ପରି ସେ ଏସବୁ ଜାଣିଶୁଣି କରିଥିଲେ । ଦେବତା ଏବଂ ଦେବତାମାନଙ୍କର ଉପାସନା ବିଷୟରେ ସେତେବେଳେ ବିଭିନ୍ନ ସମ୍ପ୍ରଦାୟର ପୁରାଣମାନଙ୍କରେ ଯେପରି ବହୁସଂଖ୍ୟାରେ ନାନା ଉପାଖ୍ୟାନ ରହିଥିଲା, ଲୋକମାନଙ୍କର ଚଳଣିରେ ମଧ୍ୟ ପ୍ରାୟ ସମାନ୍ତର ଭାବରେ ସେହିପରି କେତେକେତେ କଥା ଓ ଉପକଥା ରହି ଆସିଥିଲା । ସାରଳା ଦାସ ଅତ୍ୟନ୍ତ ନିପୁଣତା ସହକାରେ ସେଗୁଡ଼ିକୁ ଶାସ୍ତ୍ର ଭିତରକୁ ଆଣିଲେ । ଏହିପରି ଭାବରେ କେତେ ଅଲେଖାକୁ ଲେଖାରେ ପରିଣତ କରାଇଥିଲେ ।

 

ତତ୍କାଳୀନ ସମାଜ ବିଷୟରେ କବି ସାରଳା ଦାସ ଯାହାସବୁ ଲେଖିଛନ୍ତି, ସେତେବେଳର ସମାଜ ପ୍ରକୃତରେ ସେହିଭଳି ଥିଲା ବୋଲି ବିଶ୍ଵାସ କରିବାକୁ ଆରମ୍ଭ କଲେ ଆମେ ହୁଏତ ନାନା ଭ୍ରାନ୍ତି ଭିତରେ ଆସି ପଡ଼ିଯିବା । ଆମ ଆଧୁନିକ କାଳରେ ମଧ୍ୟ ସାହିତ୍ୟ ଭିତରେ ସମାଜକୁ ନେଇ ଫନ୍ଦା ହୋଇଥିବା ନାନା କିସମର ଚିତ୍ର ରହିଥାଏ । ମାତ୍ର ତା’ ବୋଲି ସମାଜରେ ବାସ୍ତବତଃ ସେହିସବୁ କଥା ରହିଛି ବୋଲି ସବୁବେଳେ ବିଶ୍ଵାସ ହେବ କି ? ତଥାପି, ନାରୀମାନଙ୍କ ବିଷୟରେ ସାରଳା ଦାସ ଯାହାସବୁ ବର୍ଣ୍ଣନା ଦେଇଛନ୍ତି, ନାରୀ ବିଷୟରେ ତତ୍କାଳୀନ ସମାଜର ଦୃଷ୍ଟି ଅଳ୍ପବହୁତେ ସେହିପରି ଥିଲା ବୋଲି ହୁଏତ ଅନୁମାନ କରିହେବ । ଏକ ସାମନ୍ତବାଦ ସମାଜରେ ଗୃହ ନାମକ ସାମ୍ରାଜ୍ୟରେ ପୁରୁଷ ହେଉଛି ଅଧୀଶ୍ଵର ସାମନ୍ତ, ସ୍ତ୍ରୀ ହେଉଛି ତା’ର ପରିଚାରିକା ଏବଂ ସେହି ସାମନ୍ତବାଦୀ ଯୁଗରେ ମଧ୍ୟ ନାରୀ ହେଉଛି ଦେବୀ, ସାକ୍ଷାତ ଠାକୁରାଣୀ ଓ ସେହିପରି ଆଉ ସବୁକିଛି । ନିଜର ଲିଖିତ ‘ଚଣ୍ଡୀପୁରାଣ’ରେ ସାରଳା ଦାସ ନାରୀମାତ୍ରକେ ସମସ୍ତଙ୍କୁ ସ୍ଵୟଂ ଦେବୀଙ୍କର ଅଂଶ ବୋଲି ଘୋଷଣା କରିଛନ୍ତି । ପୃଥିବୀରେ ଯେତେ ନାରୀ ଜନ୍ମଗ୍ରହଣ କରନ୍ତି, ସେମାନେ କୁଆଡ଼େ ସମସ୍ତେ ଦେବୀଙ୍କର କଳା ଏବଂ ଅଂଶ ନେଇ ସଂସାରକୁ ଆସନ୍ତି । ସଂସାରରେ ଯେତେ ଯୁବତୀ ଅଛନ୍ତି, ସମସ୍ତେ ସେହି ଦେବୀଙ୍କରହିଁ ପ୍ରତୀକ । ଆହୁରି ପାଦେ ଆଗକୁ ଯାଇ ସାରଳା ଦାସ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ବିପଦରେ ପଡ଼ିଥିବା ସମୟରେ ମୁଖରେ ନାରୀର ଉଚ୍ଚାରଣ କଲେ ପୁରୁଷ ସକଳ ପ୍ରକାରର ସଙ୍କଟରୁ ଅବଶ୍ୟ ଉଦ୍ଧାର ପାଇବ ।

 

ମାତ୍ର, ମହାଭାରତର ଲେଖକ ଏକଥା ମଧ୍ୟ ଲେଖିଛନ୍ତି ଯେ, ଦ୍ରୌପଦୀ ବିବାହ କରି ପାଣ୍ଡବମାନଙ୍କ ସହିତ ଯିବାବେଳେ ରାଜା ଦ୍ରୁପଦ ତାଙ୍କ ସହିତ ବିବିଧ ଅଳଙ୍କାରଦ୍ଵାରା ଭୂଷିତ ହୋଇଥିବା ଏକଲକ୍ଷ ଦାସୀ ଯୌତୁକସ୍ୱରୂପ ଦେଇଥିଲେ । ଠିକ୍ ସେହିପରି ଉତ୍ତରାଙ୍କର ବିବାହ ସମୟରେ ଏକସହସ୍ର ଦାସୀ, ଭାନୁମତୀଙ୍କ ସହିତ ନୃତ୍ୟରେ ନିପୁଣା ଗଣିକା ଏବଂ ଦୁଃଶୀଳାଙ୍କର ବିବାହ ସମୟରେ ବହୁସଂଖ୍ୟକ ଦାସୀ ଯୌତୁକରେ ଆସିଥିଲେ । ବୀର କର୍ଣ୍ଣ ଶଲ୍ୟଙ୍କୁ ଲୋଭ ଦେଖାଇ କହିଥିଲେ ଯେ, ସିଏ ତାଙ୍କର ରଥରେ ସାରଥି ହୋଇ କାର୍ଯ୍ୟ କଲେ ଉପହାରସ୍ୱରୂପ ଏକ ସହସ୍ର ପଦ୍ମିନୀ ନାରୀ ପାଇବେ । ଆପଣାର ଏକ ସାନ ପୋଥି ‘ଲକ୍ଷ୍ମୀନାରାଣ ବଚନିକା’ରେ ସାରଳା ଦାସ ସ୍ଵୟଂ ଲକ୍ଷ୍ମୀ ଠାକୁରାଣୀଙ୍କ ମୁହଁରେ ନାରାୟଣଙ୍କ ଆଗରେ କୁହାଇଛନ୍ତି ଯେ, ସିଏ ଭାର୍ଯ୍ୟା ହୋଇ ମଧ୍ୟ ନିଜ ଗୃହସ୍ଥର ସେବା ନ କରେ, ତାକୁ ସ୍ତ୍ରୀମାନଙ୍କର ସଂସାରରେ ଜଣେ ବୋଲି ଆଦୌ ଗଣନା କରିବା ଉଚିତ ନୁହେଁ ଏବଂ ଅନ୍ୟ କଥାଟି ମଧ୍ୟ ସେହିପରି ସମାନ ଭାବରେ ସତ୍ୟ; ଅର୍ଥାତ୍ ଗୃହସ୍ଥ ହୋଇ ମଧ୍ୟ ଜଣେ ପୁରୁଷ ଯଦି ଭାର୍ଯ୍ୟାର ସେବା ନ କଲା, ତେବେ ତାହାକୁ ବହୁତ କଷ୍ଟ ଭୋଗିବାକୁ ପଡ଼ିବ । ସ୍ତ୍ରୀମାନଙ୍କ ବିଷୟରେ ସାରଳା ଦାସଙ୍କ ମନରେ କେଉଁ ପ୍ରକାରର ଧାରଣା ରହିଥିଲା, ସାରଳା ମହାଭାରତରେ ଦ୍ରୌପଦୀଙ୍କର ଗୋଟିଏ ଉକ୍ତିରୁ ଆମେ ତାହାର କୌଣସି ଇଙ୍ଗିତ ପାଇପାରିବା କି ? ସେହି ଉକ୍ତିରେ ଦ୍ରୌପଦୀ କହିଛନ୍ତି ଯେ, ସୁବେଶ ପୁରୁଷ ଦେଖିଲେ ତା’ ଆଡ଼କୁ ଆକୃଷ୍ଟ ହୋଇପଡ଼ିବା ହେଉଛି ସ୍ତ୍ରୀମାନଙ୍କର ପ୍ରକୃତି । ସେହି ପୁରୁଷ ନିଜର ଭାଇ ହୋଇଥାଉ, ପୁଅ ହୋଇଥାଉ ପଛକେ, ଏଥିରେ ଆଦୌ କୌଣସି ବ୍ୟତିକ୍ରମ ଘଟିବ ନାହିଁ ଏବଂ ସତେଅବା ସେହି କାରଣରୁହିଁ ଆପଣାର ପାଞ୍ଚ ପାଞ୍ଚଟା ସ୍ଵାମୀ ଥାଉଁଥାଉଁ ଦ୍ରୌପଦୀ ତଥାପି କର୍ଣ୍ଣଙ୍କ ଆଡ଼କୁ ଆକୃଷ୍ଟ ହୋଇ ପଡ଼ୁଥିଲେ । ନିଜ କାଳର ଯେକୌଣସି ପୁରୁଷ ପରି ସାରଳା ଦାସ ହୁଏତ ସ୍ତ୍ରୀମନର କଳ୍ପନା କରିଛନ୍ତି ।

 

ଓଡ଼ିଆ ମହାଭାରତରେ ସାରଳା ଦାସ ପାଣ୍ଡବ ଓ କୌରବମାନଙ୍କର କଥା ଯେତେ କହିଛନ୍ତି, ତାଙ୍କର ସମକାଳୀନ ଓଡ଼ିଶାର କଥାଗୁଡ଼ିକୁହିଁ ତାହାଠାରୁ ଅନେକ ଅଧିକ ପରିମାଣରେ କହିଛନ୍ତି । ଏତେ ଟିକିଏ ସୁଯୋଗ ପାଇବାମାତ୍ରକେ କବି ହସ୍ତିନାପୁର ଛାଡ଼ି ସିଧା ତାଙ୍କ ଓଡ଼ିଶାକୁ ବାହାରି ଆସିଛନ୍ତି ଓ ଏହି ଭୂମିର ନାନା ବ୍ୟାପାର ଓ ପ୍ରସଙ୍ଗର ସତେଅବା ଏକ ଚାକ୍ଷୁଷ ବର୍ଣ୍ଣନା ପ୍ରଦାନ କରିଛନ୍ତି । ଓଡ଼ିଶାରେ ସେତେବେଳେ ଯେତେଯେତେ ସାଧନାମାର୍ଗ ପ୍ରଚଳିତ ରହିଥିଲା, ଓଡ଼ିଆ ମହାଭାରତରେ ସେହି ସବୁଗୁଡ଼ିକର ଆଲୋଚନା ରହିଛି । ସେଥିରୁ ସାରଳା ଦାସ ଅମୁକ ମାର୍ଗ ଅପେକ୍ଷା ଅମୁକ ମାର୍ଗକୁ ଅଧିକ ସମର୍ଥନ କରୁଥିଲେ ଅଥବା ସେ ଅମୁକ ମାର୍ଗର ଥିଲେ ବୋଲି କେତେଭଳି ଅନୁମାନ କରାଯାଉଛି । ସାରଳା ଦାସ ସମ୍ଭବତଃ ସବୁ ଥିଲେ, ଅଥଚ କିଛି ନଥିଲେ । ଅର୍ଥାତ୍‍ ସେ ସବୁ ମାର୍ଗର ଥିଲେ ଓ ନିର୍ଦ୍ଦିଷ୍ଟ ଭାବରେ ଆଦୌ କୌଣସି ମାର୍ଗର ନଥିଲେ-। କବି ଆପଣାର ଶ୍ରଦ୍ଧାଦ୍ଵାରା କେତେକେତେ ଥାନରେ ନିଜକୁ ଏକାତ୍ମ କରି ରଖିଥାଏ ଏବଂ ତଥାପି କେଉଁଟିକୁ ହେଲେ ଏକମାତ୍ର ଶୁଦ୍ଧ ମାର୍ଗ ବୋଲି ଗ୍ରହଣ କରି ନଥାଏ । କବି ସବୁଟି ଭିତରେ ଥାଏ, ସବୁରି ଲାଗି ଏକାନ୍ତ ସହାନୁଭୂତି ରଖିଥାଏ, ତଥାପି କେଉଁଠି ବନ୍ଧା ହୋଇ ରହି ନଥାଏ । ସେହି ଦୃଷ୍ଟିରୁ ବିଚାର କଲେ ସେ ସେହି ସବୁଗୁଡ଼ିକର ସ୍ତରରୁ ଊର୍ଦ୍ଧ୍ଵରେ ରହିଥାଏ । କବି ସାରଳା ଦାସ ଆପଣାର ଧର୍ମଭାବନାରେ ସେହିପରି ଊର୍ଦ୍ଧ୍ଵରେ ରହିଥିଲେ; ସେଥିଲାଗି ସହାନୁଭୂତି ସହିତ ସବୁଗୁଡ଼ିକର ଆଲୋଚନା କରିପାରିଲେ, ପ୍ରାୟ ପ୍ରତ୍ୟେକଟି ସହିତ ଆପଣାର ଫନ୍ଦା କାହାଣୀମାନ ଯୋଡ଼ି ଦେଇପାରିଲେ ଓ ତଥାପି କୌଣସି ବିଶେଷ ପକ୍ଷାଗ୍ରହ ଦେଖାଇ ଗୋଟିକୁ ଆଉ ଗୋଟିଏଠାରୁ ହୀନ ବା ନ୍ୟୂନ ବୋଲି କହିଲେ ନାହିଁ ।

 

ସେତେବେଳର ଓଡ଼ିଶାର ସମାଜ, ସେହି ସମାଜର ରୀତି-ନୀତି, ନାନା ବିଶ୍ଵାସ ଓ ଅବିଶ୍ଵାସ–ଏହି ସବୁଗୁଡ଼ିକର ମନୋରମ ସମଗ୍ର ଚିତ୍ରଗୁଡ଼ିକ ଆମପାଇଁ ସାରଳା ଦାସଙ୍କର ଓଡ଼ିଆ ମହାଭାରତ ମଧ୍ୟରେ ସତେଅବା ଠୁଳ କରି ରଖାଯାଇଛି । ବୃହତ୍ ପରମ୍ପରାଗୁଡ଼ିକର ଉଲ୍ଲେଖ ଏବଂ ଇଙ୍ଗିତ ଅବଶ୍ୟ ରହିଛି, ତଥାପି କ୍ଷୁଦ୍ର ପରମ୍ପରାଗୁଡ଼ିକୁ ଅଧିକରୁ ଅଧିକ ବିଷଦ ଭାବରେ ବର୍ଣ୍ଣନା କରି ଦେଖାଇ ଦେବାରେ ସାରଳା ଦାସ ସତେଅବା ଅଧିକ ଆନନ୍ଦ ଲାଭ କରିଛନ୍ତି । ବୃହତ୍ ପରମ୍ପରାଟି ତୁଳନାରେ କ୍ଷୁଦ୍ର ପରମ୍ପରା ଅର୍ଥାତ୍‍ ସ୍ଥାନୀୟ ପରମ୍ପରାଗୁଡ଼ିକ ମଧ୍ୟରେ ସଚରାଚର ଅଧିକ ଚିତ୍ରମୟତା ରହିଥାଏ, ସେଗୁଡ଼ିକହିଁ ସର୍ବଦା ଅଧିକ ବିଚିତ୍ର ମନେହୁଏ । କ୍ଷୁଦ୍ର ପରମ୍ପରାମାନେ ବୃହତ୍ ପରମ୍ପରାଟିକୁ ଯେ ବହୁ ବାଟରେ ଅଧିକ ସମୃଦ୍ଧ ଓ ଅଧିକ ବର୍ଣ୍ଣାଢ଼୍ୟ କରି ରଖିବାରେ ସାହାଯ୍ୟ କରନ୍ତି, ସାରଳା ଦାସଙ୍କର ଓଡ଼ିଆ ମହାଭାରତକୁ ଆମେ ତାହାର ଗୋଟିଏ ପ୍ରାଞ୍ଜଳ ଦୃଷ୍ଟାନ୍ତରୂପେ ଗ୍ରହଣ କରିପାରିବା । ଅର୍ଥାତ୍‍ କ୍ଷୁଦ୍ର ପରମ୍ପରାଗୁଡ଼ିକ ଯେ କେବଳ ବୃହତ୍ ପରମ୍ପରାଟି ଭିତରୁ ନିଷ୍ପନ୍ନ ହୋଇ ଆସିଥାନ୍ତି, ସେକଥା ଆଦୌ ନୁହେଁ । କ୍ଷୁଦ୍ର ପରମ୍ପରାମାନେ ବୃହତ୍ ପରମ୍ପରାଟିର ସମୃଦ୍ଧିଲାଗି ନିରନ୍ତର ନାନା ସମ୍ଭାବନା ଆଣି ଯୋଗାଇ ମଧ୍ୟ ଦେଇଥାନ୍ତି । ଭାରତୀୟ ଭାଷାମାନଙ୍କରେ ଯଦି ସଂସ୍କୃତ ମହାଭାରତର କେବଳ ଏକ ନିର୍ମଳ ଅନୁବାଦ କରାଯାଉଥାନ୍ତା, ତେବେ ତଦ୍ଦ୍ୱାରା ଭାରତବର୍ଷରେ ଏହି ମହାକାବ୍ୟର ପରମ୍ପରାଟି ପ୍ରକୃତରେ କେତେ ନା କେତେ ଐଶ୍ଵର୍ଯ୍ୟକୁ ବଞ୍ଚିତ ହୋଇ ରହିଥାନ୍ତା । ଅତ୍ୟନ୍ତ ଭଲ ହୋଇଛି ଯେ ନିର୍ମଳ ଓ ସତର୍କ ତଥା ବିଶ୍ଵସ୍ତ ମାର୍ଗୀମାନେ ମହାଭାରତର ବିଭିନ୍ନ ଭାଷାନୁବାଦରେ ହାତ ଦେଇନାହାନ୍ତି । ସବୁ ଭାଷାରେ କବିମାନେହିଁ ସେଥିଲାଗି ସାହସ କରିଛନ୍ତି, ସ୍ପର୍ଦ୍ଧା କରିଛନ୍ତି । ମହାଭାରତକୁ ସେମାନେ ତାହାର ସଂକୀର୍ଣ୍ଣ କୂଅଟି ଭିତରୁ ବାହାର କରି ସତେଅବା ଗୋଟିଏ ନଦୀରୂପେ ବୁହାଇ ଆଣିଛନ୍ତି, ତାହାକୁ ସମଗ୍ର ଭାରତବର୍ଷର ବ୍ୟାପ୍ତି ଓ ବୃହତ୍ତା ଆଣି ଦେଇଛନ୍ତି । ମୂଳ ସଂସ୍କୃତ ମହାଭାରତ ସହିତ ଭାରତୀୟ ଭାଷାନୁବାଦଗୁଡ଼ିକୁ ଏକତ୍ର ପାଠ କଲେ ଆମକୁ ପ୍ରକୃତରେ ସମଗ୍ର ଭାରତର ସେହି ବହୁ ବୈଚିତ୍ର୍ୟମୟ ଏକତ୍ଵଟିର ଅନୁଭୂତି ଉପଲବ୍ଧ ହୋଇଥାଏ । ଏଥିଲାଗି ଆମେ ଓଡ଼ିଶାରେ ତଥା ଓଡ଼ିଆ ଭାଷାରେ କବି ସାରଳା ଦାସଙ୍କ ପାଖରେ ଚିରକୃତଜ୍ଞ ହୋଇ ରହିଥିବା ।

 

ଓଡ଼ିଆ ଭାଷାରେ ସାରଳା ଦାସଙ୍କର ମହାଭାରତ ରହିଛି, ମୂଳ ସଂସ୍କୃତରୁ ନିର୍ମଳ ଭାବରେ ଅନୁବାଦ ହୋଇ ଆସିଥିବା ଅନ୍ୟ ମହାଭାରତ ମଧ୍ୟ ରହିଛି । ରାଜା କୃଷ୍ଣ ସିଂହ ସଂସ୍କୃତ ମହାଭାରତର ଓଡ଼ିଆ ଅନୁବାଦ କରିଛନ୍ତି । ସାରଳାଙ୍କର ମହାଭାରତ ଗ୍ରନ୍ଥ ତାଙ୍କୁ ପ୍ରକ୍ଷିପ୍ତ ଅଥବା ପଙ୍କିଳ ଲାଗିଲା ବୋଲି ଯେ ସେ ଏକ ଶୁଦ୍ଧ ଅନୁବାଦ ସମ୍ଭବ କରିବାରେ ପ୍ରୟାସୀ ହୋଇଥିଲେ, ସେକଥା କହିବା ଲାଗି ଆମ ପାଖରେ କୌଣସି ସ୍ପଷ୍ଟ ପ୍ରମାଣ ନାହିଁ । ତଥାପି ଏକଥା ହୁଏତ ସମ୍ଭବ ଯେ, ସଂସ୍କୃତ ମହାଭାରତର ଗୋଟିଏ ସିଧା ଅନୁବାଦ କରିବାପାଇଁ ମନ ବଳାଉଥିବା ଜଣେ ବ୍ୟକ୍ତିଙ୍କୁ ସାରଳାଙ୍କଦ୍ଵାରା ପୁନଃସର୍ଜିତ ଓଡ଼ିଆ ମହାଭାରତ ଏକାଧିକ ଦୃଷ୍ଟିରୁ ସତେଅବା ଗୋଟିଏ ଅରଣ୍ୟ ପରି ଲାଗିବ । ସେହି କାରଣରୁ ହୁଏତ ସିଏ ସଂସ୍କୃତ ମହାଭାରତର ଅନୁକୃତିରେ ଓଡ଼ିଆ ଭାଷାରେ ମଧ୍ୟ ମହାଭାରତର ଗୋଟିଏ ଉପବନ ଗଢ଼ି ସମ୍ପୃକ୍ତ ସମସ୍ତଙ୍କ ଲାଗି ଆଣିଦେବା ନିମନ୍ତେ ଇଚ୍ଛା ବଳାଇବେ । କଥିତ ଅଛି, ଗତ ଶତାବ୍ଦୀରେ କବି ଫକୀରମୋହନ ସେନାପତି ମଧ୍ୟ ତାଙ୍କ ସହଧର୍ମିଣୀଙ୍କ ପ୍ରୀତ୍ୟର୍ଥେ ସଂସ୍କୃତ ମହାଭାରତର ଓଡ଼ିଆ ଅନୁବାଦ କରିଦେଇଥିଲେ । ଫକୀରମୋହନ ସାରଳା ମହାଭାରତ ସହିତ ଅବଶ୍ୟ ପରିଚିତ ହୋଇ ସାରିଥିବେ । ତଥାପି ସେ ସେଥିରୁ ଗୋଟିଏ ପୋଥି ଆଣି ସହଧର୍ମିଣୀଙ୍କୁ ପଢ଼ି ଶୁଣାଇଲେ ନାହିଁ କାହିଁକି ? କବି ଫକୀରମୋହନବି କ’ଣ ତାହାକୁ ଗୋଟାଏ ଅରଣ୍ୟ ଅର୍ଥାତ୍‍ ବହୁ ପ୍ରକ୍ଷେପର ଏକ ସମାହାର ବୋଲି ଭାବି ସଂସ୍କୃତ ମହାଭାରତକୁହିଁ ଏକ ଶୁଦ୍ଧ ଧର୍ମଗ୍ରନ୍ଥ ସଦୃଶ ବିଚାର କରୁଥିଲେ କି ? ସଂସ୍କୃତ ମହାଭାରତର ଓଡ଼ିଆ ଅନୁବାଦ ଏବେ ଏହି ବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ମଧ୍ୟ କରାଯାଇଛି । ଏହି କ୍ଷେତ୍ରରେ ମଧ୍ୟ ଅନୁବାଦକ ସାରଳା ମହାଭାରତକୁ ଏକ ବିଶୁଦ୍ଧ ଗ୍ରନ୍ଥ ବୋଲି ଧରିନାହାନ୍ତି କି-? ଧର୍ମଗ୍ରନ୍ଥ ଏକାନ୍ତ ଭାବରେ ଏକ ଶୁଦ୍ଧ ଗ୍ରନ୍ଥ ହୋଇଥିବ, କୌଣସି ଏକ ସାହିତ୍ୟଗ୍ରନ୍ଥ ପରି ଏପାଖକୁ ସେପାଖକୁ ଆଦୌ ଟଳି ଯାଇ ନଥିବ-ସମ୍ଭବତଃ ଏହିପରି ଏକ ବିଚାରଦ୍ଵାରା ପ୍ରେରିତ ହୋଇ ଏବେ ମଧ୍ୟ ଅନେକ ସଂସ୍କୃତ ମହାଭାରତ ଆଡ଼କୁ ଆଗ ଆଖି ପକାଇଛନ୍ତି । ସାରଳା ମହାଭାରତକୁ ସେମାନେ ଏକ ଅମୂଲ୍ୟ ସାହିତ୍ୟଗ୍ରନ୍ଥ ଭାବରେ ଗ୍ରହଣ କରୁଛନ୍ତି ଓ ସେଥିପାଇଁ ତାହାର ଭୂରିଭୂରି ପ୍ରଶଂସା କରୁଛନ୍ତି ସତ, ମାତ୍ର ଅଶୁଦ୍ଧରୁ ଶୁଦ୍ଧକୁ ଅଲଗା କରି ଦେଖିବାର ପ୍ରୟାସୀ ସେମାନଙ୍କର ଅନ୍ୟ ମନଟି ହୁଏତ ମହାଭାରତ ନାମକ ଧର୍ମଗ୍ରନ୍ଥ କହିଲେ କେବଳ ସଂସ୍କୃତ ମହାଭାରତକୁହିଁ ବୁଝୁଛି । ତଥାପି, ଏକ ଧର୍ମଗ୍ରନ୍ଥ ଓ ଏକ ସାହିତ୍ୟ-ଗ୍ରନ୍ଥ ମଧ୍ୟରେ ଯେତେଭଳି ଭେଦ ଯିଏ ଦେଖୁଥାଉ ପଛକେ, ଓଡ଼ିଶାର ଗ୍ରାମମାନଙ୍କରେ ପ୍ରାୟ ସବୁଥାନରେ ମହାଭାରତର ପାରାୟଣ କହିଲେ ସାରଳା ମହାଭାରତର ପାରାୟଣକୁହିଁ ବୁଝାଉଛି । ସାରଳା ଦାସଙ୍କର ଭାରତହିଁ ସଂସ୍କୃତରୁ ନିର୍ମଳ ଭାବରେ ଅନୁବାଦ କରାହୋଇ ଆସିଥିବା ଭାରତଠାରୁ ଅଧିକତର ସଂଖ୍ୟାରେ ବିକ୍ରି ହେଉଛି, ତେଣୁ ଅଧିକ ସ୍ୱୀକୃତି ପାଉଛି । ପଣ୍ଡିତ ଓ ସମ୍ଭ୍ରାନ୍ତମାନଙ୍କର ସକଳ ସଂଶୟ ସତ୍ତ୍ୱେ ସାରଳା ଦାସହିଁ ଓଡ଼ିଶାର ବ୍ୟାସଦେବ ହୋଇ ରହିଛନ୍ତି ।

Image

 

Unknown

ଷଷ୍ଠ ପରିଚ୍ଛେଦ

ଓଡ଼ିଶାର ପଞ୍ଚସଖା

 

ପଞ୍ଚଦଶ ଶତାବ୍ଦୀର ସାରଳା ଦାସଙ୍କଠାରୁ ଷୋଡ଼ଶ ଶତାବ୍ଦୀର ପଞ୍ଚସଖାଙ୍କ ପାଖକୁ ଓଡ଼ିଆ ସାହିତ୍ୟର ଏହି ଆଲୋଚନାଟିକୁ ଅଗ୍ରସର କରାଇନେବା ପୂର୍ବରୁ ଆମକୁ ଓଡ଼ିଶାର ଆଦି ଦୁଇ ଜଣ ପ୍ରଖ୍ୟାତ ବ୍ୟକ୍ତିଙ୍କୁ ଅବଶ୍ୟ ସ୍ମରଣ କରିବାକୁ ହେବ । ଜଣେ ହେଉଛନ୍ତି ‘ସାହିତ୍ୟ ଦର୍ପଣ’ର ରଚୟିତା ଶ୍ରୀ ବିଶ୍ଵନାଥ ମହାପାତ୍ର ବା ବିଶ୍ଵନାଥ କବିରାଜ । ଆଉ ଜଣେ ହେଉଛନ୍ତି ପ୍ରଖ୍ୟାତ ‘ଗୀତଗୋବିନ୍ଦ’ର ରଚୟିତା ଶ୍ରୀ ଜୟଦେବ । ଏହି ଦୁଇଜଣଯାକ ଓଡ଼ିଆ ଭାଷାରେ ଆଦୌ କିଛିହେଲେ ଲେଖିନାହାନ୍ତି । ଏମାନେ ଯାହାକିଛି ଲେଖିଛନ୍ତି, ସବୁ ସଂସ୍କୃତରେ ଲେଖିଛନ୍ତି । ସେମାନଙ୍କ ସମୟରେ ଓଡ଼ିଶାରେ ଓଡ଼ିଆହିଁ ପ୍ରଚଳିତ ଅର୍ଥାତ୍‍ କଥିତ ଭାଷା ଥିଲା ସତ, ମାତ୍ର ଶାସ୍ତ୍ର ଲେଖିବାର ଭାଷାରୂପେ ସ୍ୱୀକୃତ ହୋଇ ନଥିଲା । ଏବେ ମଧ୍ୟ, ବରକନ୍ୟା, ବରଯାତ୍ରୀ ଓ ସମ୍ପୃକ୍ତ ଆଉ ସମସ୍ତେ ବିଶୁଦ୍ଧ ଓଡ଼ିଆ ଭାଷୀ ହୋଇଥିଲେ ମଧ୍ୟ ଏବଂ ସେମାନଙ୍କ ଭିତରୁ ପ୍ରାୟ ଜଣେ କେହି ସଂସ୍କୃତ ଭାଷାକୁ ବୁଝୁ ନଥିଲେ ମଧ୍ୟ ଯେପରି ବିବାହ, ହୋମ, ଦେବାର୍ଚ୍ଚନା ପ୍ରଭୃତି କାର୍ଯ୍ୟ ସଂସ୍କୃତ ଭାଷାରେହିଁ ଚାଲୁଛି, ସେହିପରି ଏକଦା ଏଭଳି ଏକ ପର୍ଯ୍ୟାୟ ଥିଲା, ଯେତେବେଳେ କି ଜନପଦଗୁଡ଼ିକର ଅଧିକାଂଶ ମନୁଷ୍ୟ ସଂସ୍କୃତ ବୁଝୁ ନଥିଲେ ମଧ୍ୟ ସଂସ୍କୃତ ଭାଷାହିଁ ଯାବତୀୟ ସାହିତ୍ୟକାରିତାକୁ କାମୁଡ଼ି ଧରିଥିଲା । ବୃହତ୍ ପରମ୍ପରାଟିର ପରିପୂରକରୂପେ କ୍ଷୁଦ୍ର ପରମ୍ପରାଗୁଡ଼ିକ ରହିଥିଲେ ସତ, ମାତ୍ର ବୃହତ୍ ପରମ୍ପରାର ସ୍ଵତନ୍ତ୍ର ଅଧିକାରୀମାନେ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କ୍ଷୁଦ୍ର ପରମ୍ପରାକୁ ବାଟ ଛାଡ଼ି ଦେଉ ନଥିଲେ । ସାହିତ୍ୟ ସେହିଭଳି ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ର ବା ଅବସର ହୋଇ ରହିଗଲା । ଭାରତବର୍ଷରେ ଜାତିଭେଦ-ପ୍ରଥାକୁ ପ୍ରାୟ ପରମେଶ୍ଵରଙ୍କ ଏକ ବ୍ୟବସ୍ଥା ବୋଲି ମାନୁଥିବା ତଥାକଥିତ ଉତ୍ତମମାନେ ସାହିତ୍ୟରେ ସଂସ୍କୃତ ଭାଷା ଓ କଥିତ ଭାଷା ମଧ୍ୟରେ ସେହିପରି ଏକ ଶିଷ୍ଟ ଅଶିଷ୍ଟ ନ୍ୟାୟ ସୃଷ୍ଟି କରି ରଖିଥିଲେ ଏବଂ କଥିତ ଭାଷାରେ ଦୈନନ୍ଦିନ ଜୀବନ ବଞ୍ଚୁଥିଲେ ମଧ୍ୟ ସାହିତ୍ୟ ଲାଗି ତାହାକୁ ବାଟ ଛାଡ଼ୁ ନଥିଲେ ।

 

ଶ୍ରୀ ବିଶ୍ଵନାଥ କବିରାଜ ଅଠରଗୋଟି ଭାଷାରେ ବ୍ୟୁତ୍ପତ୍ତି ଲାଭ କରିଥିଲେ ବୋଲି ସ୍ଵୟଂ ଘୋଷଣା କରିଛନ୍ତି । ମାତ୍ର ମନେହୁଏ, ତତ୍କାଳୀନ ଓଡ଼ିଆ ଭାଷାଟି ତାଙ୍କ ଲାଗି ସତେଅବା ଊନବିଂଶ ଭାଷାଟିଏ ପରି ହୋଇ ରହିଥିଲା । ସେତେବେଳେ ମନୁଷ୍ୟମାନେ ଘରେ କହୁଥିବା ଓ ବଞ୍ଚୁଥିବା ଭାଷାଟିକୁ ନିଜର ମାତୃଭାଷା ବୋଲି କହିବାର ରିବାଜଟି ଜନ୍ମଲାଭ କରି ନଥିଲା-। ଶାସ୍ତ୍ରରେ ବ୍ୟବହୃତ ଭାଷାଟିହିଁ ସର୍ବଶ୍ରେଷ୍ଠ ଭାଷା ବୋଲି ବିବେଚିତ ହେଉଥିଲା । କାରଣ ସଭାରେ ବସିବା ଲୋକମାନେ ସଭା ବାହାରର ମଣିଷମାନଙ୍କୁ ଏକାଧିକ ଦୃଷ୍ଟିରୁ ଅପାଂକ୍ତେୟ ଜ୍ଞାନରେ ଦେଖୁଥିଲେ । ଚାରିପାଖରେ ଓଡ଼ିଆ ଭାଷାର ଚହଳ ଲାଗି ରହିଥିବା ସମୟରେ ଉଭୟେ ବିଶ୍ଵନାଥ କବିରାଜ ଏବଂ କବି ଶ୍ରୀ ଜୟଦେବ କିପରି ସେହି ଭାଷାରେ ପଦେ ହେଲେ ଲେଖିବାକୁ ମନ କଲେ ନାହିଁ, ପଛର ସେହି ସଂସ୍କୃତ ପ୍ରପୀଡ଼ିତ ଯୁଗଟି ଆଡ଼କୁ ଅନାଇ ପ୍ରକୃତରେ ଅତୀବ ବିସ୍ମୟ ଜାତ ହୁଏ । ଯେଉଁମାନେ ଅଧିକ ସାହସ କରନ୍ତି, ଅନୁରାଗଦ୍ଵାରା ପ୍ରତିଷ୍ଠିତ ଗାରଗୁଡ଼ିକୁ ଅତିକ୍ରମ କରିଯାଆନ୍ତି, ଜାତି ହରାନ୍ତି, ସେହିମାନେହିଁ ଯାବତୀୟ ନୂତନ ସୃଜନର ଦାୟାଦ ହୁଅନ୍ତି-। ବିଶ୍ଵନାଥ କବିରାଜ ଓ ଜୟଦେବ ଗୁଳା ଡେଇଁବାକୁ ମନ କରି ନଥିଲେ ଏବଂ ସଭାନୁମୋଦିତ ସଂସ୍କୃତ ଭାଷାରେହିଁ ନିଜ ନିଜ ମନୀଷା ଏବଂ ପ୍ରତିଭାର ପରିଚୟ ଦେଇଥିଲେ । ତଥାପି, ଓଡ଼ିଶାର ସାହିତ୍ୟ ପରମ୍ପରାକୁ ଦୁହେଁଯାକ ପ୍ରଭୂତ ଭାବରେ ପ୍ରଭାବିତ କରିଯାଇଛନ୍ତି । ସାହିତ୍ୟ ଦର୍ପଣର ଓଡ଼ିଆ ଅନୁବାଦ ସିନା ଏବେ ଚାଳିଶ ପଚାଶବର୍ଷ ମଧ୍ୟରେ କରାଗଲା, ମାତ୍ର ସେହି ଜୟଦେବଙ୍କର ନିଜ ସମୟରୁହିଁ ତାଙ୍କ ସଂସ୍କୃତ ‘ଗୀତଗୋବିନ୍ଦ’ର ଏକାଧିକ ଅନୁବାଦ ହୋଇଥିଲା । ଭଳିଭଳି ଅନୁବାଦ ହୋଇଥିଲା, ତାଳପତ୍ରପୋଥି ଉପରେ ସଚିତ୍ର ଅନୁବାଦମାନ ମଧ୍ୟ ହୋଇଥିଲା, କେତେକ ସ୍ଥଳରେ ସମାନ୍ତର ତତ୍ତ୍ଵର ପ୍ରବେଶ ଘଟାଇ ଟୀକା ମଧ୍ୟ ଲେଖା ଯାଇଥିଲା ।

 

କବି ଜୟଦେବ ଶୃଙ୍ଗାରିକ ଥିଲେ । ଶ୍ରୀକୃଷ୍ଣଙ୍କର ଲୀଳାକୁ ବର୍ଣ୍ଣନା କରିବାର ମାଧ୍ୟମରେ ସେ ଅପୂର୍ବ ଲାଳିତ୍ୟର ଧାରା ବୁହାଇଦେଇ ଶୃଙ୍ଗାରର ଲୀଳାକୁହିଁ ବର୍ଣ୍ଣନା କରିଥିଲେ । ଆଦୌ ସଂସ୍କୃତ ନ ଜାଣିଥିବା ଜଣେ ଓଡ଼ିଆ ‘ଗୀତଗୋବିନ୍ଦ’ର ପଦଗୁଡ଼ିକୁ ଆବୃତ୍ତି କଲାବେଳେ ସତେଅବା ସବୁଯାକ ଅର୍ଥଦ୍ୟୋତନାକୁ ବୁଝିପାରୁଥିବା ପରି ଯେଉଁ ପୁଲକଟିକୁ ଅନୁଭବ କରିଥାଏ, ସେଇଥିରୁହିଁ ‘ଗୀତଗୋବିନ୍ଦ’ର ମୁଗ୍ଧକାରୀ ଶବ୍ଦ ଶୃଙ୍ଗାରିକତାର ପ୍ରମାଣ ସ୍ପଷ୍ଟ ଭାବରେ ମିଳିଯାଇଥାଏ । ସମ୍ଭବତଃ ତାହାହିଁ ଏକ ପ୍ରଧାନ କାରଣ, ଯେଉଁଥିପାଇଁ କି ‘ଗୀତଗୋବିନ୍ଦ’ର ଓଡ଼ିଆ ଅନୁବାଦଗୁଡ଼ିକର ତୁଳନାରେ ମୂଳ ସଂସ୍କୃତର ‘ଗୀତଗୋବିନ୍ଦ’ ଓଡ଼ିଆ ଗୀତାମୋଦୀମାନଙ୍କର କାନଲାଗି ଏବେ ମଧ୍ୟ ଏତେ ଅଧିକ ପରିମାଣରେ ପ୍ରିୟ ହୋଇ ରହିଛି । ପ୍ରାଚୀନ ଭାରତୀୟ କାବ୍ୟତତ୍ତ୍ଵରେ ଯେଉଁ ବୃହତ୍ ପରମ୍ପରାଟି ଆମର ଏହି ଭୂମିରେ ପ୍ରାୟ ପ୍ରାଚୀନ ଋଷିମୁନିଙ୍କର ସମୟରୁ ରହିଆସିଛି, ବିଶ୍ଵନାଥ କବିରାଜ ଓଡ଼ିଶାର ସ୍ଥାନୀୟ ଅଳିନ୍ଦଟିରେ ତାହାରି ଜଣେ ଶକ୍ତିଶାଳୀ ପ୍ରତିଭୂ ହୋଇ ରହିଛନ୍ତି । ସାହିତ୍ୟ-ତତ୍ତ୍ଵର ହିସାବ ଭିତରେ ସେ ସମଗ୍ର ଭାରତବର୍ଷରେ ଆଲୋଚିତ ହେଉଛନ୍ତି । ବିଶ୍ଵନାଥଙ୍କ ପରେ ଏହି କ୍ଷେତ୍ରରେ ଓଡ଼ିଶାର ଏକାଧିକ ତତ୍ତ୍ଵକାର ରହିଛନ୍ତି ସତ, ମାତ୍ର ବିଶ୍ଵନାଥଙ୍କର ସ୍ଥାନ ତଥାପି ଆପଣାର ସ୍ଵତନ୍ତ୍ରତାକୁ ଅକ୍ଷୁଣ୍ଣ ରଖିଛି ଏବଂ କବି ଜୟଦେବଙ୍କର କବିତ୍ଵ-ପ୍ରଖ୍ୟାତି ଭାରତର କାବ୍ୟାମୋଦୀମାନଙ୍କୁ ସେହି କାଳରୁ ଆଜିଯାଏ ଏପରି ସ୍ଵବଶ କରି ରଖିଛି ଯେ, ଭାରତବର୍ଷର କେତେକେତେ ଅଞ୍ଚଳରେ ତାଙ୍କ ଗୀତଗୋବିନ୍ଦକୁ ନକଲ କରି ପୋଥି ତିଆରି ହୋଇଛି ଏବଂ ସେଗୁଡ଼ିକରେ ସ୍ଥାନୀୟ କଳାରେ ଲେଖନୀ-ଚିତ୍ରମାନ ଫୁଟାଇ ଦିଆଯାଇଛି ।

 

ଓଡ଼ିଆ ସାହିତ୍ୟର ଯେଉଁ ଯୁଗଟିକୁ ପଞ୍ଚସଖାଙ୍କର ଯୁଗ ବୋଲି କୁହାଯାଏ, ସେଥିରେ ଉଭୟେ ଜୟଦେବ ଓ ବିଶ୍ଵନାଥ ସତେଅବା ଗୌଣ ହୋଇ ରହିଯାଇଥିବା ପରି ମନେହୁଏ । ତାହାର ଅର୍ଥ ନୁହେଁ ଯେ ସେତେବେଳେ ଓଡ଼ିଶାରେ ସାହିତ୍ୟତତ୍ତ୍ଵର ଆଲୋଚନା ହେଉ ନଥିଲା କିମ୍ବା ଶୃଙ୍ଗାରକୁ ସବୁକିଛିର ଦର୍ପଣରୂପେ ବ୍ୟବହାର କରି ସାହିତ୍ୟ ଲେଖା ଯାଉ ନଥିଲା । କେତେକ କାରଣରୁ ତାହା ଗୌଣ ହୋଇ ଯାଇଥିଲା । ପଞ୍ଚସଖାଙ୍କ ପରେ ଓଡ଼ିଶାର ସନ୍ଥପରମ୍ପରାଟି ଯେତେବେଳେ କ୍ରମେ ଓଡ଼ିଆ ସାହିତ୍ୟର କ୍ଷେତ୍ରରେ ଗୌଣ ହୋଇ ଆସିଲା ଏବଂ ରୀତିଯୁଗୀ ପଦ୍ୟକାରମାନେ ସତେଅବା ସମସ୍ତଙ୍କଠାରୁ ପ୍ରବୀଣ ହୋଇ ଦିଶିବାକୁ ଆରମ୍ଭ କଲେ, ସେତେବେଳେ ବିଶ୍ଵନାଥ ଓ ଜୟଦେବ ଉଭୟେ ପୁନର୍ବାର ନିମନ୍ତ୍ରିତ ହୋଇ ସାହିତ୍ୟଘରକୁ ଆସିଥିଲେ, କାବ୍ୟକାରିତାର ଯାବତୀୟ ହିସାବରେ ସେହିମାନେ ସବାଆଗ ଲୋଡ଼ା ହେଲେ । ସେତେବେଳେ କାବ୍ୟଗୁଡ଼ିକ ଓଡ଼ିଆ ଭାଷାରେ ଲିଖିତ ହେଉଥିଲା ସତ, ମାତ୍ର କାବ୍ୟରୀତିର ସୌଧଗୁଡ଼ିକ ସାହିତ୍ୟତତ୍ତ୍ଵର ଗଣିତଦ୍ଵାରା ତିଆରି ହେଲା ଏବଂ ସତେ ଯେପରି ଶୃଙ୍ଗାରହିଁ କାବ୍ୟସଭାର ଏକମାତ୍ର ବ୍ୟଞ୍ଜନରୂପେ ବଢ଼ାହେବାକୁ ଆରମ୍ଭ କଲା । ସେତେବେଳେ ତତ୍କାଳୀନ ଯୋଦ୍ଧାମାନଙ୍କୁ କବି ଜୟଦେବ ଅନେକ ପ୍ରେରଣା ଅବଶ୍ୟ ଦେଇଥିବେ, ବିଶ୍ଵନାଥ କବିରାଜ ମଧ୍ୟ ମାର୍ଗଦର୍ଶନ ପରି କାର୍ଯ୍ୟ କରିଥିବେ ।

 

ଓଡ଼ିଶାର ପଞ୍ଚସଖା, ଅର୍ଥାତ୍‍ ଷୋଡ଼ଶ ଶତାବ୍ଦୀ ଓଡ଼ିଶାକୁ ସାହିତ୍ୟ ତଥା ଧର୍ମପ୍ରେରଣାର ମାଧ୍ୟମରେ ଏକ ଅଭୂତପୂର୍ବ ଉଦ୍‍ବେଳନ ମଧ୍ୟରେ ଆଣି ପ୍ରବିଷ୍ଟ କରାଇଥିବା ପାଞ୍ଚଜଣ ସନ୍ଥ । ସନ୍ଥ ହେଉଛି ଏପରି ଜଣେ ଭକ୍ତ, ଯିଏକି ଆପଣାର ଅଧ୍ୟାତ୍ମଚାରଣାଦ୍ଵାରା ଉଦ୍‍ବୁଦ୍ଧ ହୋଇ ଲୋକହିତ ସାଧନ କରିବାରେ ରତ ରହିଥାଏ । ଗୋଟିଏ ପ୍ରକାରର ଧର୍ମଜୀବନ ରହିଛି, ଯେଉଁଥିରେ କି ଧର୍ମସ୍ଥ ବ୍ୟକ୍ତି ପ୍ରଧାନତଃ ନିଜର ମୁକ୍ତି ନିମନ୍ତେହିଁ ଭଗବାନଙ୍କୁ ଲୋଡ଼ୁଥାଏ ବା ଭଗବାନଙ୍କୁ ଆଶ୍ରା କରିଥାଏ-। ସେ ସଂସାର ପ୍ରତି ମୂଳତଃ ଉଦାସୀନ ହୋଇ ରହିଥାଏ । ସଂସାରକୁ ମାୟା ବୋଲି କହୁଥାଏ ଓ ସଂସାର ତ୍ୟାଗ କରିବାକୁହିଁ ଭଗବାନଙ୍କର ନିକଟବର୍ତ୍ତୀ ହୋଇ ରହିବା ବୋଲି ବୁଝୁଥାଏ । ସନ୍ଥ ଏକ ଅନ୍ୟ ଧାତୁର ଧର୍ମସ୍ଥ ବ୍ୟକ୍ତିକୁ ବୁଝାଏ । ଭଗବତ୍–ଉପଲବ୍ଧିଦ୍ଵାରା ସେ ପ୍ରକୃତରେ କିଭଳି ଗୋଟିଏ ଭିନ୍ନ ସମ୍ପଦ ଲାଭ କରେ କେଜାଣି, ସେ ସଂସାର ଭିତରୁ ପଳାଇ ନଯାଇ ସଂସାର ଭିତରକୁ ଫେରିଆସେ । ସଂସାରକୁ ସେ ସତେଅବା ଏକ ନୂତନ ଆଖିରେ ଦେଖେ, ଆପଣାର ଆଲୋକଟିର ମାଧ୍ୟମରେ ସଂସାରକୁ ଦେଖେ । ସେହି ଆଲୋକଟିଦ୍ଵାରା ସେ ସତେଅବା ସଂସାରକୁ ଅନ୍ୟ ଏକ ସମ୍ଭାବ୍ୟ ସ୍ଥିତି ଆଡ଼କୁ ଉତ୍ତୋଳିତ କରିନେବାକୁ ଇଚ୍ଛା କରୁଥାଏ । ସିଏ ସତେ ଯେପରି କେବଳ ନିଜର ମୁକ୍ତି ନ ଚାହିଁ ସମଗ୍ର ପୃଥିବୀରହିଁ ମୁକ୍ତି କାମନା କରୁଥାଏ । ସନ୍ଥର ଜୀବନ ଓ ସନ୍ଦେଶ ଆମର ଏହି ପୃଥିବୀରେ, ମନୁଷ୍ୟମାନେ ବାସ କରୁଥିବା ବୃହତ୍ତର ସମାଜଟିରେ ମଧ୍ୟ ଅଭୂତପୂର୍ବ ଜାଗରଣ ଆଣିଦିଏ । ପୁରୁଣା ମୂଲ୍ୟଗୁଡ଼ିକ ଭାଙ୍ଗିଭାଙ୍ଗି ଯାଏଁ, ନୂତନ ମୂଲ୍ୟଗୁଡ଼ିକର ପ୍ରତିଷ୍ଠା ହୁଏ । ମନୁଷ୍ୟମାନଙ୍କ ମଧ୍ୟରେ ଏକ ନୂତନ ବିଶ୍ଵାସ ସଞ୍ଚାରିତ ହୋଇଆସେ-

 

ଏହି ପାଞ୍ଚଜଣ ସଖା ହେଉଛନ୍ତି ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଅନନ୍ତ ଦାସ । ସେମାନେ ଓଡ଼ିଶାର କଟକ ଓ ପୁରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଏବଂ ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ବଙ୍ଗଦେଶରୁ ଶ୍ରୀଚୈତନ୍ୟଙ୍କର ଓଡ଼ିଶା ଆଗମନ ପରେ ଶ୍ରୀକ୍ଷେତ୍ର ପୁରୀରେ ପରସ୍ପରର ପରିଚୟରେ ଆସିଥିଲେ-। ସେମାନେ ପ୍ରତ୍ୟେକ ଶ୍ରୀଚୈତନ୍ୟଙ୍କୁ ଆପଣାର ଦୀକ୍ଷାଗୁରୁରୂପେ ଗ୍ରହଣ କରିଥିଲେ । ମାତ୍ର, ଆପଣା ଭିତରର ବାସନା ଅନୁସାରେ ସେମାନେ ସେହି ପ୍ରଥମ ଦୀକ୍ଷାର ଯାବତୀୟ ପରିଧିକୁ ଅତିକ୍ରମ କରିଯାଇଥିଲେ । ଶଙ୍କରାଚାର୍ଯ୍ୟ ଯେପରି ଅଦ୍ଵୈତ ବେଦାନ୍ତର ପ୍ରଚାର କରିଥିଲେ, ରାମାନୁଜ, ନିମ୍ବାର୍କ କିମ୍ବା ବଲ୍ଲଭାଚାର୍ଯ୍ୟ ଯେପରି ବିଶିଷ୍ଟାଦ୍ଵୈତ, ଦ୍ୱୈତ ବା ଆଉ କେଉଁ ଦାର୍ଶନିକବାଦର ପ୍ରଚାର କରିଥିଲେ, ଏପରିକି ବଙ୍ଗଦେଶରୁ ଶ୍ରୀଚୈତନ୍ୟ ଓଡ଼ିଶା ଆସି ଯେପରି ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରଚାର କରିଥିଲେ, ପଞ୍ଚସଖା ସେହିପରି କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରଚାର କରିଥିଲେ ବୋଲି କୁହାଯାଇପାରିବ ନାହିଁ । ସମଗ୍ର ଭାରତରେ ପଞ୍ଚଦଶ ଏବଂ ଷୋଡ଼ଶ ଶତାବ୍ଦୀରେ ସନ୍ଥମାନେ ଯାହା କରିଥିଲେ, ଓଡ଼ିଶାରେ ପଞ୍ଚସଖା ମୂଳତଃ ସେହି କଥାଟିକୁ କରିଥିଲେ । ସବୁଧର୍ମ, ସବୁ ମାର୍ଗ ଓ ସବୁ ଦୀକ୍ଷା ମନୁଷ୍ୟକୁ ଯେଉଁ ଅସଲ ଉପଲବ୍ଧିଟି ପାଖକୁ ବାଟ କଢ଼ାଇ ନେଇଯାଏ, ଆପେ ହୁଏତ ପଛରେ ରହିଯାଏ, ମାତ୍ର ଯେଉଁ ଅସଲ ପରିଚୟଟିକୁ ଆଣି ଦେବାଲାଗି ମନୁଷ୍ୟର ଅଧ୍ୟାତ୍ମ ବାସନାକୁ ଗାର ଡିଆଁଇ ନେଇଯାଏ, ଭାରତୀୟ ସନ୍ଥମାନେ ମଧ୍ୟଯୁଗରେ ପ୍ରାୟ ଏକ ସାମୂହିକ ଆଧ୍ୟାତ୍ମିକ ଆନ୍ଦୋଳନର ମାଧ୍ୟମରେ ମନୁଷ୍ୟମାନଙ୍କ ଭିତରେ ସେହି ବାସନାଟିକୁ ଜାଗୃତ କରାଇ ଆଣିବାକୁ ଚେଷ୍ଟା କରିଥିଲେ । ସେମାନେ ସମସ୍ତେ କବି ଥିଲେ, ଭାରତୀୟ ସାହିତ୍ୟକୁ ଏକ ଅଭିନବ ସତ୍ୟସମୃଦ୍ଧି ଆଣି ଦେଇଥିଲେ । ଭାରତୀୟ ଅଧ୍ୟାତ୍ମର ଏକ ଅଭିନବ ଦିଗର ଉନ୍ମୋଚନ କରାଇଥିଲେ ।

 

ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀରେ ଆମେ ଉତ୍ତର ଭାରତରେ କବୀର, ଦାଦୂ, ରଜ୍ଜବ, ରବିଦାସଙ୍କୁ ଦେଖିବାକୁ ପାଇବା, ପଞ୍ଜାବରେ ଗୁରୁନାନକଙ୍କୁ ଦେଖିବାକୁ ପାଇବା । ସେହି ଧାଡ଼ିରେ ଆମକୁ ଗୁଜୁରାଟରେ ନର୍ସୀ ମେହେଟା ଦିଶିଯିବେ, ମହାରାଷ୍ଟ୍ରରେ ତୁକାରାମ, ଜ୍ଞାନଦେବ, ଏକନାଥ ଦୃଷ୍ଟିଗୋଚର ହେବେ ଏବଂ କର୍ଣ୍ଣାଟକରେ ପୁରନ୍ଦର ଦାସ, କନକ ଦାସ ଓ ଜଗନ୍ନାଥ ଦାସ ଝଲଝଲ ହୋଇ ଦିଶିବାକୁ ଆରମ୍ଭ କରିବେ । ଆସାମରେ ଶଙ୍କରଦେବ ଓ ବଙ୍ଗପ୍ରଦେଶରେ ଶ୍ରୀଚୈତନ୍ୟ ଦେବ ମଧ୍ୟ ସେହି ସମୟର । ଏହି ସନ୍ଥମାନେ ଭିନ୍ନ ଭିନ୍ନ ଜାତିର ପରିବାରରେ ଜନ୍ମଗ୍ରହଣ କରିଥିଲେ, ସେମାନେ ବେଶୀ କିଛି ଶାସ୍ତ୍ର ପଢ଼ି ନଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ ହୁଏତ ନିରକ୍ଷର ଥିଲେ । ହିନ୍ଦୁ ସମାଜରେ ଯେଉଁ ଜାତିଗୁଡ଼ିକୁ ଶୁଦ୍ଧ ବର୍ଣ୍ଣବିଚାର ଅନୁସାରେ ଅସ୍ପୃଶ୍ୟ ଜାତି ବୋଲି କୁହାଯାଏ, କେତେକ ସନ୍ଥ ସେହିସବୁ ଜାତିରେ ଜନ୍ମଗ୍ରହଣବି କରିଥିଲେ । ସେମାନେ ସମସ୍ତେ ଆଦୌ ସଂସାରତ୍ୟାଗ କରି ନଥିଲେ । ଅସଲ ବୈରାଗ୍ୟକୁ ଯେ ସକଳ ସକାରାତ୍ମକତା ସହିତ ଜୀବନ ପ୍ରତି, ଭଗବାନଙ୍କର ଏହି ସଂସାର ପ୍ରତି ଏକ ଗଭୀର ଶ୍ରଦ୍ଧା ବୋଲି କୁହାଯିବ, ମଧ୍ୟଯୁଗରେ ସନ୍ଥମାନେ ନିଜ ନିଜର ଜୀବନଦ୍ଵାରା ସେହି ଅନ୍ୟ ସତ୍ୟଟିକୁ ପ୍ରତିପାଦିତ କରିଦେଇଥିଲେ । ଭାରତୀୟ ମାୟାବାଦ ଶତାବ୍ଦୀ ଶତାବ୍ଦୀ ପରି ଏଠି ମନୁଷ୍ୟମାନଙ୍କୁ ଜୀବନ ପ୍ରତି ବୀତଶ୍ରଦ୍ଧ କରି ରଖିଥିଲା, ସଂସାର ପ୍ରତି ଅତ୍ୟନ୍ତ ଉଦାସୀନ କରି ରଖିଥିଲା ଓ ଚେତନାରେ ଅତ୍ୟନ୍ତ କୃପଣ କରି ରଖିଥିଲା । ସାମାଜିକ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ସେହି ଉଦାସୀନତା ମନୁଷ୍ୟକୁ ଅତ୍ୟନ୍ତ ନିଦାରୁଣ ଓ ନୃଶଂସ କରି ରଖିଥିଲା, ଭାଗ୍ୟବାଦର ତୁଣ୍ଡି ପକାଇ ଅତ୍ୟନ୍ତ ଅସମର୍ଥ କରି ରଖିଥିଲା । ସନ୍ଥମାନେ ଆସି ସେହି ସ୍ଥିତିରେ ଏକ ବ୍ୟତିକ୍ରମ ଘଟାଇଲେ ।

 

ମୂଳ ଭାରତୀୟ ଅଧ୍ୟାତ୍ମ ଆଦୌ ମାୟାବାଦୀ ନଥିଲା । ଜଗତଯାକ ବ୍ରହ୍ମରେ ପୂର୍ଣ୍ଣ ହୋଇ ରହିଛି, ଏହାଠାରୁ ଅଧ୍ୟାତ୍ମ ଦର୍ଶନରେ ଅଧିକ ସକାରାତ୍ମକ କଥା ଆଉ କ’ଣ ହୋଇପାରେ ? ଭାରତୀୟ ଉପନିଷଦ ମନୁଷ୍ୟମାତ୍ରକେ ସବୁରି ମଧ୍ୟରେ ବ୍ରହ୍ମର ନିବାସ ରହିଛି ବୋଲି ଘୋଷଣା କରିଥିଲା । ଭାରତବର୍ଷର ସାଧକ ସେହି ସତ୍ୟର ପ୍ରେରଣାଟିଦ୍ଵାରା ନିଜ ଭିତରକୁ ଅନାଇ ‘ଅହଂ ବ୍ରହ୍ମାସ୍ମି’ ବୋଲି ଉଚ୍ଚାରଣ କରିଥିଲା ଏବଂ ପୃଥିବୀ ଆଡ଼କୁ ଦୃଷ୍ଟିପାତ କରି ‘ସର୍ବଂ ଖଳୁ ଇଦଂ ବ୍ରହ୍ମ’ ବୋଲି କହିପାରିଥିଲା । ମାତ୍ର, ବ୍ରାହ୍ମଣ୍ୟ ଧର୍ମର ପରବର୍ତ୍ତୀ ଉପଦ୍ରବଟି ଆସି ନିଜକୁ ପ୍ରତିଷ୍ଠିତ କରିବା ଫଳରେ ସ୍ଥିତି ବଦଳିଗଲା । ସେତେବେଳେ ସାହିତ୍ୟଗୁଡ଼ିକଦ୍ଵାରା ସମାଜ ଚାଲିଲା । ଉପନିଷଦଗୁଡ଼ିକୁ ଅତି ପବିତ୍ର ବୋଲି କହି ପୂଜା କରାଗଲା ସିନା, ମାତ୍ର ଉପନିଷଦ ଅନୁସାରେ ଜୀବନର ପରିଚାଳନା ହେଲାନାହିଁ । ଅଧ୍ୟାତ୍ମ ଭାଙ୍ଗି ଧର୍ମୋପାସନାଗୁଡ଼ିକର ପ୍ରବର୍ତ୍ତନ ହେଲା, ସେଥିରୁ ଭଳିଭଳି ସମ୍ପ୍ରଦାୟ ବାହାରିଲେ, ସମ୍ପ୍ରଦାୟଗୁଡ଼ିକୁ ଏକମାତ୍ର ମାର୍ଗ ବୋଲି ଘୋଷଣା କରି ଭଳିଭଳି ପୁରାଣ ଲେଖାଗଲା ଏବଂ ପୁରାଣଗୁଡ଼ିକଦ୍ଵାରା ମନୁଷ୍ୟମାନେ ମଣ ହୋଇରହିଲେ । ଅସଲ ସତ୍ୟକୁ ଭାଗ ବାଣ୍ଟି ନେଲାପରି ଭଳିଭଳି ଦେବତା ତିଆରି ହେଲେ, ଠାକୁର ହୋଇ ଅତ୍ୟନ୍ତ ତାମସିକ ଭାବରେ ପୂଜା ପାଇଲେ ।

 

ସତ୍ୟଗୁଡ଼ିକ ଯେତେବେଳେ ଠାକୁର ହୁଅନ୍ତି, ମନୁଷ୍ୟର ଚେତନା ସମ୍ଭବତଃ ସେତିକିବେଳେ ସତ୍ୟରୁ ଛାଡ଼ିଯାଏ । ସେତେବେଳେ ବିଧିମାନେ ପ୍ରବଳ ହୁଅନ୍ତି, ମଣିଷ ପାଖରୁ ତା’ର ଅସଲ ଉଦୟର ଲକ୍ଷ୍ମୀ ତାକୁ ଛାଡ଼ି ଚାଲିଯାଆନ୍ତି । ସନ୍ଥମାନେ ସବୁଠାରେ ମଣିଷ ପଟେ ରହି ତାକୁ ତା’ର ଏହି ସ୍ଖଳନଟି ବିଷୟରେ ଚେତାଇ ଦେଇ ଆସିଛନ୍ତି । ଯାବତୀୟ ବାହ୍ୟିକତା ମଧ୍ୟରୁ ସେମାନେ ମନୁଷ୍ୟକୁ ତା’ର ଅସଲ ଘରକୁ, ଅସଲ ସମ୍ପଦଟି ପାଖକୁ ଓ ଅସଲ ଶକ୍ତିଟି ପାଖକୁ ଫେରି ଆସିବାର ଉଦ୍‍ବୋଧନ ଦେଇଛନ୍ତି । ଓଡ଼ିଶାର ପରମ ସୌଭାଗ୍ୟ ଯେ, ମଧ୍ୟଯୁଗରେ ସେହି ସତ୍ୟ ପାଖକୁ ଫେରି ଆସିବାର ଉଦ୍‍ବେଳନଟିରେ ଆମର ଏହି ଭୂମିରେ ମଧ୍ୟ କେତେ ଜଣ ସନ୍ଥଙ୍କର ଆବିର୍ଭାବ ଘଟିଥିଲା । ଓଡ଼ିଆ ସାହିତ୍ୟର ପରମ ଭାଗ୍ୟ ଯେ ସେହି ସନ୍ଥମାନେ ସେହି ଉଦ୍‍ବେଳନର ଏକ ପ୍ରଧାନ ଅଙ୍ଗସ୍ୱରୂପ ଅଜସ୍ର ସାହିତ୍ୟ ଲେଖି ଯାଇଥିଲେ । ସେହି ସାହିତ୍ୟକୁ ପଞ୍ଚସଖା ସାହିତ୍ୟ ବୋଲି କୁହାଯାଉଛି । ପଞ୍ଚସଖା ତତ୍କାଳୀନ କୌଣସି ଧର୍ମକୁ, କୌଣସି ମାର୍ଗକୁ ଅଥବା କୌଣସି ସମ୍ପ୍ରଦାୟକୁ ଆଦୌ ଅସ୍ଵୀକାର କରି ନାହାନ୍ତି, ମାତ୍ର ଯାବତୀୟ ଧର୍ମ, ମାର୍ଗ ଏବଂ ସାମ୍ପ୍ରଦାୟିକତାକୁ ଗ୍ରାସ କରି ରହିଥିବା ଶୂନ୍ୟମର୍ମ ବାହ୍ୟିକତାଗୁଡ଼ିକୁହିଁ ଛାଡ଼ି ଅନ୍ତର ଭିତରେ ଅନୁସନ୍ଧାନ କରିବାଲାଗି ଉଦ୍‍ବୋଧନ ଦେଇଛନ୍ତି । ସେମାନେ କୌଣସି ନାମ ବା ରୂପର ନିନ୍ଦା କରିନାହାନ୍ତି, ମାତ୍ର କୌଣସି ଏକ ନାମ ବା ରୂପକୁ ପିତୁଳାରେ ପରିଣତ କରିଦେଇ ତାହାରି ଭିତରେ ଅଟକି ଯିବାକୁହିଁ ଯାବତୀୟ ଉଦୟ ଲାଗି ପରମ ପ୍ରମାଦ ବୋଲି କହିଛନ୍ତି ଏବଂ ସମ୍ପୃକ୍ତ ସମସ୍ତଙ୍କୁ ସେହି ବିଷୟରେ ସତର୍କ କରିଦେଇଛନ୍ତି । ସଗୁଣ ଉପାସନା କିମ୍ବା ନିର୍ଗୁଣ ଉପାସନା-ଦୁଇଟି ମଧ୍ୟରୁ କୌଣସିଟିକୁ ସେମାନେ ଭୁଲ ବୋଲି ଆଦୌ କହିନାହାନ୍ତି । ମାତ୍ର, ଉଚିତ ବାସନା ଏବଂ ଉଚିତ ଆଧ୍ୟାତ୍ମ-ଦୃଷ୍ଟି ନଥିଲେ ସାଧନାରେ ଯେ ସଗୁଣ ତଥା ନିର୍ଗୁଣ ଦୁଇଟିର ଜାଲରେ ଛନ୍ଦି ହୋଇ ସବୁକିଛି ବ୍ୟର୍ଥ ହୋଇଯାଏ, ସେହି ବିଷୟରେ ସେମାନେ ବାରବାର ସାବଧାନ କରିଦେଇଛନ୍ତି ।

 

ଓଡ଼ିଆ ସାହିତ୍ୟରେ ପଞ୍ଚସଖାଙ୍କର ଯେକୌଣସି ଆଲୋଚନା ଆରମ୍ଭ କରିବାକୁ ବାହାରିଲେ ସବାଆଗ ସେମାନେ ବ୍ୟବହାର କରିଥିବା ଓଡ଼ିଆ ଭାଷାଟି ସବାଆଗ ଆଖିରେ ଆସି ପଡ଼ିଯାଏ । ଧର୍ମ ଯଦି ମନୁଷ୍ୟର ପ୍ରଭାବ ଅର୍ଥାତ୍‍ ଉଦୟ ନିମନ୍ତେ ହୋଇଥାଏ, ତେବେ ମନୁଷ୍ୟ ବୁଝୁଥିବା ଭାଷାରେହିଁ ତାହାର ଯାବତୀୟ ପ୍ରବଚନ ହୋଇପାରିବା ଉଚିତ । ଧର୍ମ କହିଲେ ଯଦି ସମାଜରେ ବିଶେଷ କେତୋଟି ଶ୍ରେଣୀ ଏବଂ କେତେଜଣ ସଂସାରତ୍ୟାଗୀଙ୍କୁ ନ ବୁଝାଇ ସବୁ ମଣିଷଙ୍କର ଉନ୍ନୟନକୁ ବୁଝାଉଥାଏ, ତେବେ ଧର୍ମର ପ୍ରବଚନ ଓ ପ୍ରସାର ଏପରି ଏକ ଭାଷାର ମାଧ୍ୟମରେ ହେବା ଉଚିତ ଯାହାକୁ ସମାଜରେ ସମସ୍ତେ ବୁଝିପାରିବେ । ଅର୍ଥାତ୍‍ ଲୋକମାନଙ୍କର ନିଜ ଭାଷାରେହିଁ ଧର୍ମଶାସ୍ତ୍ରଗୁଡ଼ିକର ରଚନା ହେବା ଉଚିତ । ଭାରତବର୍ଷର ଇତିହାସରେ ସମ୍ଭବତଃ ଗୌତମ ବୁଦ୍ଧହିଁ ସର୍ବପ୍ରଥମେ ସେହି ଦାବିଟିକୁ କରିଥିଲେ । ସେ ଲୋକମାନେ ବୁଝିପାରୁଥିବା ଭାଷାରେ ଆପଣାର ପ୍ରବଚନଗୁଡ଼ିକୁ ଦେଉଥିଲେ ଏବଂ ସେଗୁଡ଼ିକ ସେହି ଭାଷାରେ ଲିପିବଦ୍ଧ ହୋଇହିଁ କାଳକାଳକୁ ତ୍ରିପିଟକ ନାମରେ ପ୍ରଖ୍ୟାତ ହୋଇ ରହିଲା । ମାତ୍ର, ତା’ପରେ ମହାଯାନୀମାନେ ଅନ୍ୟ ଆକର୍ଷଣରେ ପଶି ପୁନର୍ବାର ସଂସ୍କୃତ ଭାଷାର ଆଶ୍ରୟ ନେଲେ ଓ ସଂସ୍କୃତରେ ବୌଦ୍ଧଧର୍ମର ଶାସ୍ତ୍ରମାନ ଲେଖା ହୋଇଥିଲା । ମଧ୍ୟଯୁଗର ସନ୍ଥମାନେହିଁ ପୁନର୍ବାର ଲୋକଭାଷାର ସପକ୍ଷରେ ଧ୍ୱନି ଉତ୍ତୋଳନ କରିଥିଲେ । ସେମାନଙ୍କୁ ସେଥିଲାଗି ବ୍ରାହ୍ମଣ ପଣ୍ଡିତମାନଙ୍କଠାରୁ ଅପବାଦ ସହ୍ୟ କରିବାକୁ ପଡ଼ିଥିଲା ସତ, ମାତ୍ର ସଂସ୍କୃତର ଲୁହାବାଡ଼ ଭିତରୁ ମୁକୁଳି ଭାରତୀୟ ଭାଷାଗୁଡ଼ିକ ଆପଣା ଆପଣାର ପ୍ରତିଷ୍ଠା ଏବଂ ପରିପକ୍ଵତା ଲାଭ କରିବାର କ୍ଷେତ୍ରରେ ସନ୍ଥସାହିତ୍ୟର ଏକ ବହୁମୂଲ୍ୟ ଅବଦାନ ରହିଗଲା ।

 

ଓଡ଼ିଶାରେ ପଞ୍ଚସଖାଙ୍କୁ ମଧ୍ୟ ଆମେ ଠିକ୍ ଏହି କ୍ଷେତ୍ରରେ ସେମାନଙ୍କର ମହାନ୍ ଅବଦାନଟି ସକାଶେ ସବାଆଗ ମନେପକାଇବା । ସେମାନେ ଭାରତୀୟ ଧର୍ମଗ୍ରନ୍ଥଗୁଡ଼ିକର ଭାଷାନୁବାଦକୁ ସତେଅବା ନିଜର ସର୍ବପ୍ରଥମ କାର୍ଯ୍ୟରୂପେ ଗ୍ରହଣ କରିଥିଲେ । ସାରଳା ଦାସ ପୁରୋଗାମୀରୂପେ ଓଡ଼ିଆରେ ମହାଭାରତ ଲେଖି ଯେଉଁ ନୂଆ ବାଟଟିକୁ ଫିଟାଇ ଦେଇଥିଲେ, ପଞ୍ଚସଖା ସେହି କାର୍ଯ୍ୟଟିକୁ ପୂର୍ଣ୍ଣତା ଆଣି ଦେଇଥିଲେ । ଅଚ୍ୟୁତାନନ୍ଦ ଦାସ ହରିବଂଶର ଓଡ଼ିଆ ଅନୁବାଦ କଲେ, ବଳରାମ ଦାସ ରାମାୟଣର ଅନୁବାଦ କଲେ ଏବଂ ଜଗନ୍ନାଥ ଦାସ ସଂସ୍କୃତ ଭାଗବତର ଅନୁବାଦ କରିଥିଲେ । ମାତ୍ର, ଠିକ୍‍ ସାରଳା ଦାସଙ୍କର ଓଡ଼ିଆ ମହାଭାରତ ପରି, ଏଗୁଡ଼ିକ ମଧ୍ୟରୁ କୌଣସିଟି ମୂଳ ସଂସ୍କୃତ ଗ୍ରନ୍ଥର ଆକ୍ଷରିକ ଅନୁବାଦ ଆଦୌ ନଥିଲା । ମୂଳ ସଂସ୍କୃତ ରାମାୟଣ ଏବଂ ବଳରାମ ଦାସଙ୍କର ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ ମଧ୍ୟରେ ଯେତିକି ଫରକ, ମୂଳ ସଂସ୍କୃତ ଭାଗବତ ଏବଂ ଜଗନ୍ନାଥ ଦାସଙ୍କର ବିରଚିତ ଓଡ଼ିଆ ଭାଗବତ ମଧ୍ୟରେବି ଆମେ ଠିକ୍ ସେତିକି ଫରକ ରହିଥିବାର ଦେଖିବାକୁ ପାଇବା । ଜଗନ୍ନାଥଙ୍କର ଭାଗବତ ତ ଆପଣାର ସକ୍ରିୟ ଗୁଣ ଏବଂ ସକ୍ରିୟ ମର୍ଯ୍ୟାଦାର ସତେଅବା ସବୁକାଳ ଲାଗି ଓଡ଼ିଆ ଜୀବନ-ସଂସ୍କୃତିର ଏକ ଅଚ୍ଛେଦ୍ୟ ଅଂଶ ହୋଇ ରହିଗଲା । ଓଡ଼ିଆ ଭାଗବତକୁ ଓଡ଼ିଆ ଭାଷାଭାଷୀମାନେ ଯେତେ ପରିମାଣରେ ଆପଣାର କରିନେଇ ପାରିଛନ୍ତି, ସଂସ୍କୃତ ମୂଳ ଭାଗବତକୁ କୌଣସି ସମୟରେ କୌଣସି ପଣ୍ଡିତ ଶ୍ରେଣୀ ଆଦୌ ସେହିପରି ଭାବରେ କଦାପି ଆପଣାର କରିନେଇ ନଥିବେ । ଯଦି ସାରଳା ଦାସ ଏବଂ ପଞ୍ଚସଖାଙ୍କ ମଧ୍ୟରେ ସମୟର ବ୍ୟବଧାନକୁ ଦେଢ଼ କିମ୍ବା ଦୁଇ ଶତାବ୍ଦୀ ବୋଲି ଅନୁମାନ କରାଯାଏ, ତେବେ ଏହି ଅବଧିଟି ଭିତରେ ଓଡ଼ିଆ ଭାଷା ଆପଣାର ପ୍ରତିଷ୍ଠାରେ ଏକାବେଳକେ କେତେ ଅଧିକ ସୋପାନ ଯେ ଅତିକ୍ରମ କରି ଚାଲିଆସି ପାରିଲା, ସେକଥା ଭାବିଲେ ପ୍ରକୃତରେ ବିସ୍ମିତ ହେବାକୁ ହୁଏ । ସାରଳା ମହାଭାରତରେ ଭାଷା ତଥାପି କ୍ଳିଷ୍ଟ । ତାହାକୁ ଆଦୌ ଏକ ସାବଲୀଳ ଭାଷା ବୋଲି କୁହାଯାଇପାରିବ ନାହିଁ । ଦାଣ୍ଡିବୃତ୍ତ ପରି ଏକ ମୁକ୍ତ ବୃତ୍ତରେ ରଚିତ ହୋଇଥିଲେ ମଧ୍ୟ ତଥାପି ପାଠକକୁ ମଝିରେ ମଝିରେ ଝୁଣ୍ଟିଲା ପରି ମନେ ହେବ । ସମ୍ଭବତଃ ସେହି କାରଣରୁ ଅର୍ଥାତ୍‍ ପଠନ ପାରାୟଣ ସମୟରେ ଅଧିକ ସୁଖକର ଲାଗିବ ବୋଲି ପୋଥିକୁ ଉତରା ହେବାର ପ୍ରତିକ୍ରିୟାରେ ତାହାକୁ କ୍ରମେ ଚଉଦ ଅକ୍ଷରର ପାଦବିଶିଷ୍ଟ ଯତିପାତ ପଡ଼ୁଥିବା ଧାଡ଼ିରେହିଁ ପରିଣତ କରି ଦିଆଯାଇଥିଲା । ମାତ୍ର, ନବାକ୍ଷରି ଭାଗବତ କ୍ଷେତ୍ରରେ ସେପରି ଘଟିବାର ଅବକାଶ ଆସିନାହିଁ । ଓଡ଼ିଶାର ନିରକ୍ଷରଙ୍କ ତୁଣ୍ଡରେ ମଧ୍ୟ ଭାଗବତର ଅଧିକ ଆକର୍ଷକ ଅଂଶଗୁଡ଼ିକ ଯେ ଶୁଣି ଶୁଣି ମନେ ରହିଯାଉଥିଲା, ସେହି ଗ୍ରନ୍ଥଟିର ପ୍ରଶଂସା କରି ତାହାଠାରୁ ଅଧିକ କଥା ଆଉ କ’ଣ କୁହାଯାଇପାରିବ ? ଅନେକ ଓଡ଼ିଆ ଘରେ ଜଗନ୍ନାଥ ଦାସଙ୍କର ଭାଗବତ ଦୈନନ୍ଦିନ ସଂସ୍କୃତିର ଯେ ଏକ ଅତ୍ୟନ୍ତ ଶ୍ରଦ୍ଧାମୟ ଅଂଶ ହୋଇ ରହିଛି, ଏଥିରେ ଆଶ୍ଚର୍ଯ୍ୟ ହେବାର ଆଦୌ କୌଣସି କାରଣ ନାହିଁ ।

 

ଭାରତୀୟ ଧର୍ମ-ମହାଗ୍ରନ୍ଥଗୁଡ଼ିକ ସଂସ୍କୃତ ଭାଷାରେ ଲେଖା ହୋଇଥିବାରୁ ଲୋକସାଧାରଣ ସେଗୁଡ଼ିକର ପରିଧି ଭିତରକୁ ଆସିପାରୁ ନଥିଲେ । ସେଗୁଡ଼ିକର ଓଡ଼ିଆ ଅନୁବାଦ କରିବାଦ୍ଵାରା ପଞ୍ଚସଖା ଓଡ଼ିଶାର ଜନସାଧାରଣଙ୍କର ହୃଦୟ ଭିତରକୁ ପ୍ରବେଶ କରିପାରିଥିଲେ । ଜଗମୋହନ ରାମାୟଣ ଓ ଓଡ଼ିଆ ଭାଗବତର ଭାଷା ହେଉଛି ହୃଦୟର ଭାଷା, ତାହା ପାଣ୍ଡିତ୍ୟର ଭାଷା ଆଦୌ ନୁହେଁ । ବଳରାମ ଦାସ ଓ ଜଗନ୍ନାଥ ଦାସ ଉଭୟେ ଶ୍ରୀମଦ୍ ଭଗବତ୍ ଗୀତାର ମଧ୍ୟ ସରଳ ଓଡ଼ିଆ ଅନୁବାଦ କରିଥିଲେ । ବଳରାମ ଦାସ ତାହାର ଅନୁବାଦକୁ ବିଭିନ୍ନ ଓଡ଼ିଆ ଛାନ୍ଦରେ କରିଥିଲେ ଏବଂ ଜଗନ୍ନାଥ ଦାସ ନବାକ୍ଷରୀ ପଦରେ କରିଥିଲେ । ଭାରତର ଅଧ୍ୟାତ୍ମଭାବନା ସମ୍ଭବତଃ ପ୍ରଥମଥର ପାଇଁ ଓଡ଼ିଶାର ସାଧାରଣ ଲୋକଙ୍କର ପହୁଞ୍ଚ ଭିତରକୁ ଆସିଥିଲା । କହିବା ବାହୁଲ୍ୟ, ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତକୁ ସେତେବେଳର ବ୍ରାହ୍ମଣ ଉଚ୍ଚବର୍ଗମାନେ ଆଦୌ ଶ୍ରଦ୍ଧାର ସହିତ ଗ୍ରହଣ କରି ନଥିଲେ । ଭାଗବତର ଗୂଢ଼ ଅଥଚ ଜୀବନ-ଆଲୋକନକାରୀ ତତ୍ତ୍ଵଗୁଡ଼ିକ ଲୋକଙ୍କର ନିଜ ଭାଷାରେ ଏବଂ ଏପରି ହୃଦୟଗ୍ରାହୀ ହୋଇ ଲୋକଙ୍କ ପାଖରେ ପହଞ୍ଚିଗଲେ ମଝିରେ ବାଡ଼ଟିଏ ହୋଇ ରହିଥିବା ବ୍ରାହ୍ମଣ ପରମ୍ପରାଟି ଯେ କ୍ରମେ ଅନାବଶ୍ୟକ ହୋଇପଡ଼ିବ, ଏହି ଅସଲ କାରଣଟି ସକାଶେହିଁ ସେମାନେ ଓଡ଼ିଆ ଭାଗବତକୁ ସହ୍ୟ କରିପାରି ନଥିଲେ । ହସରେ ଉଡ଼ାଇ ଦେଇ ସେମାନେ ତାହାକୁ ତେଲୀ ଭାଗବତ ବୋଲି କହୁଥିଲେ, ତାହାକୁ ଅପାଠ୍ୟ ବୋଲି କହି ତାହାର ନିନ୍ଦା କରିଥିଲେ । ରାଜା ପ୍ରତାପରୁଦ୍ରଙ୍କ ସଭାରେ ଜଗନ୍ନାଥ ଦାସଙ୍କ ନାମରେ ସେମାନେ ନାନାଭଳି ଅଭିଯୋଗ ଆଣିଥିଲେ, ତଥାପି ତାଙ୍କ ରଚିତ ଓଡ଼ିଆ ଭାଗବତର ପ୍ରତିଷ୍ଠାକୁ କୌଣସି ପ୍ରକାରେ ଊଣା କରିପାରି ନଥିଲେ । ଶ୍ରୀକ୍ଷେତ୍ରକୁ ଆସିବା ପରେ ସ୍ଵୟଂ ଶ୍ରୀଚୈତନ୍ୟ ଓଡ଼ିଆ ଭାଗବତର ଭୂରିଭୂରି ପ୍ରଶଂସା କରିଥିଲେ ଏବଂ ତାହାର ଲେଖକଙ୍କୁ ବିଶେଷ ସ୍ଵୀକୃତି ମଧ୍ୟ ଦେଇଥିଲେ । ସମ୍ଭବତଃ ସେହି କାରଣରୁହିଁ ନିନ୍ଦୁକମାନେ ରାଜାଙ୍କୁ ଜଗନ୍ନାଥ ଦାସ ଓ ଓଡ଼ିଆ ଭାଗବତର ବିରୋଧରେ ପ୍ରରୋଚିତ କରିପାରି ନଥିଲେ ।

 

ପ୍ରାୟ ସେହି ସମୟରେ ଆସାମୀ ଭାଷାରେ ଭାଗବତ ରଚନା କରିଥିବା ଶଙ୍କର ଦେବଙ୍କୁ ମଧ୍ୟ ଆସାମରେ ଅନେକ ତାଡ଼ନା ସହ୍ୟ କରିବାକୁ ହୋଇଥିଲା । ଆସାମର କୁଳୀନ ବ୍ରାହ୍ମଣମାନେ ଶଙ୍କରଦେବ ଲେଖିଥିବା ଅହମୀୟା ଭାଷା-ଭାଗବତରେ ଅନେକ ଅବୈଦିକ ଓ ତେଣୁ ଅଗ୍ରହଣୀୟ ଉପାଦାନ ରହିଛି ବୋଲି ରାଜାଙ୍କ ପାଖରେ ଯାଇ ଅଭିଯୋଗ କରିଥିଲେ । ରାଜା ଶଙ୍କରଦେବଙ୍କୁ ରାଜସଭାକୁ ଡକାଇ ଆଣିଲେ ଏବଂ ବ୍ରାହ୍ମଣ ପଣ୍ଡିତମାନଙ୍କର ଉପସ୍ଥିତିରେ ସେଠାରେ ତାଙ୍କୁ ଆପଣା ପକ୍ଷର ସମର୍ଥନ କରିବାକୁ ହୋଇଥିଲା । ସେହି ତତ୍ତ୍ଵତର୍କରେ ବ୍ରାହ୍ମଣମାନେ ପରାଜିତ ହେଲେ । ଅର୍ଥାତ୍‍ ପ୍ରମାଣିତ ହୋଇ ଯାଇଥିଲା ଯେ, ମୂଳତତ୍ତ୍ଵଟି ବିଷୟରେ ଅନବଗାହିତ ରହିଥିବାରୁ ଶଙ୍କରଦେବ ଯେ ଅହମୀୟା ଭାଷାରେ ଭାଗବତ ଲେଖିଥିଲେ, ସେକଥା ଆଦୌ ନୁହେଁ, ସଂସ୍କୃତ ଭାଗବତ ଭିତରେ ସେ ଗଭୀର ଭାବରେ ପ୍ରବେଶ ଅବଶ୍ୟ କରିଥିଲେ, ମାତ୍ର ଭାଗବତର ସତ୍ୟ ଏବଂ ତତ୍ତ୍ଵଗୁଡ଼ିକୁ ଲୋକମାନଙ୍କର ବୋଧ ଭିତରକୁ ଆଣିବା ଉଦ୍ଦେଶ୍ୟରେହିଁ ମୂଳ ଭାଗବତକୁ ଲୋକଭାଷାରେ ରଚନା କରିଥିଲେ । ଓଡ଼ିଶାରେ ଭାଗବତକାର ଜଗନ୍ନାଥ ଦାସଙ୍କ ବିଷୟରେ ମଧ୍ୟ ଠିକ୍ ସେହି କଥା କୁହାଯାଇପାରିବ । ଓଡ଼ିଆ ଭାଗବତ ଆପଣାର ପ୍ରତିଷ୍ଠା ବଳରେ ଓଡ଼ିଆ ବାହାରେ ବଙ୍ଗଦେଶରେ ମଧ୍ୟ ପ୍ରଭୂତ ଆଦର ଲାଭ କରିଥିଲା । ପ୍ରାୟ ଦେଢ଼ଶହବର୍ଷ ପରେ ଭାଗବତର ବଙ୍ଗଳାଭାଷାରେ ଅନୁବାଦକାର ଆପଣାର ସେହି କାର୍ଯ୍ୟଟିକୁ ସମ୍ପନ୍ନ କରିବାରେ ଓଡ଼ିଆ ଭାଗବତକୁ ସହାୟକ ଭାବରେ ବ୍ୟବହାର କରିଥିଲେ । ସେତେବେଳେ ଓଡ଼ିଶାରେ ପାଣ୍ଡିତ୍ୟର ତଥା ଉଚ୍ଚବର୍ଗଗୁଡ଼ିକର ଯେଉଁ ପ୍ରାଦୁର୍ଭାବ ରହିଥିଲା, ସେଥିରେ ଜଗନ୍ନାଥ ଦାସଙ୍କୁ ମଧ୍ୟ କମ୍ ସଙ୍କୋଚର ସହିତ ଆପଣାର ସେହି ଅନୁବାଦ କାର୍ଯ୍ୟରେ ହାତ ଦେବାକୁ ପଡ଼ି ନଥିବ । ତାଙ୍କ ନିଜ କଥାଗୁଡ଼ିକରୁ ମଧ୍ୟ ବେଳେବେଳେ ସେକଥା ଅତ୍ୟନ୍ତ ସ୍ପଷ୍ଟ ହୋଇଯାଏ । ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ଏକାଧିକ ଅବସରରେ ଆଶା ପୋଷଣ କରିଛନ୍ତି ଯେ, ସିଏ ପ୍ରାକୃତ ବନ୍ଧରେ ଅର୍ଥାତ୍‍ ଲୋକଙ୍କର ପ୍ରଚଳିତ ଭାଷାରେ ଭାଗବତ ଭଳି ଗୋଟିଏ ପବିତ୍ର ଗ୍ରନ୍ଥର ରଚନା କଲେ ବୋଲି ତାହା ଯେପରି କାହାର ଘୃଣାର ପାତ୍ର ନହୁଏ । ଭାଗବତରେ କୃଷ୍ଣଚରିତର ବର୍ଣ୍ଣନା ରହିଛି ଏବଂ ତାହାକୁ କଥିତ ଭାଷାରେ ବର୍ଣ୍ଣନା କଲେ ତାହା ଯେ ଅନେକ ମନୁଷ୍ୟଙ୍କୁ ଅବିହିତ ପରି ଲାଗିବ, ସେକଥା ସେ ଭଲ କରି ଜାଣିଥିଲେ ।

 

ସେତେବେଳେ ଓଡ଼ିଶାରେ ଯେତେଗୁଡ଼ିଏ ଧର୍ମମାର୍ଗ ଲୋକଜୀବନରେ ଆପଣାର ଆସ୍ଥାନ ତିଆରି କରି ସାରିଥିଲା, ପଞ୍ଚସଖା ସେଗୁଡ଼ିକର ଆଦୌ କୌଣସି ନିନ୍ଦା କରି ନଥିଲେ । ସେମାନେ ତଦନ୍ତଗତ କୌଣସି ଧର୍ମାଚରଣର ନିନ୍ଦା ମଧ୍ୟ କରି ନଥିଲେ । ତୁମେ ଯେଉଁ ମାର୍ଗର ହୁଅ ପଛକେ, ତୁମର ସେହି ମାର୍ଗରେ ନିଷ୍ଠା ରହିଥିବା ଉଚିତ । ଅର୍ଥାତ୍‍ ତାହା ତୁମର ଅନ୍ତର୍ଜୀବନକୁ ପ୍ରକୃତରେ ସ୍ପର୍ଶ କରିପାରିଥିବା ଉଚିତ । ମାର୍ଗ ବା ଆଚରଣକୁ ଯେଉଁମାନେ କେତେଟା ବାହ୍ୟ ଭେଦ ଏବଂ ଆଚାରରୂପେ ବୁଝନ୍ତି ଓ ସେହି ଭେଦ ଓ ଆଚାରଗୁଡ଼ିକ ଭିତରେ ଲିପ୍ତ ହୋଇ ରହିଥାନ୍ତି, ପଞ୍ଚସଖା ସେହିମାନଙ୍କର ଆନ୍ତରିକତା ବିଷୟରେ ସଂଶୟ ପ୍ରକାଶ କରିଥିଲେ ଓ ତାହାକୁ ଏକ ଅରୀତି ବୋଲି କହିଥିଲେ । ଅନ୍ତର ଭିତରେ ଯଥାର୍ଥ ନିଷ୍ଠାଟି ରହିଥିଲେ ତୁମେ ଏ ଯେଉଁ ମାର୍ଗଟିକୁ ଗ୍ରହଣ କଲେ ମଧ୍ୟ ତାହା ତୁମକୁ ଅବଶ୍ୟ ଅଧ୍ୟାତ୍ମମାର୍ଗରେ ଅଗ୍ରସର କରାଇନେବ, ଏକ ମୂଳଭୂତ ସର୍ବସ୍ଵୀକାରୀ ଦୃଷ୍ଟିରେ ପଞ୍ଚସଖା ତାହାରି ଉପରେହିଁ ସବୁଠାରୁ ଅଧିକ ଗୁରୁତ୍ଵ ଦେଇଥିଲେ-। ସେହି ଦୃଷ୍ଟିକୁହିଁ ଆମେ ପଞ୍ଚସଖା ସାହିତ୍ୟର ମୂଳସୂତ୍ର ବୋଲି ଗ୍ରହଣ କରିବା ଏବଂ ସେହି ମୂଳସୂତ୍ରଟିକୁ ଧରି ତାହାର ଯଥାର୍ଥ ଆବେଦନଟିକୁ ବୁଝିବା ଲାଗି ସମର୍ଥ ହେବା । କେବଳ ମାର୍ଗଆଡ଼ୁ ବିଚାର କଲେ, ପଞ୍ଚସଖାଙ୍କୁ ବୈଷ୍ଣବ କୁହାଯାଇପାରିବ, କାୟାସାଧକ ବୋଲି କୁହାଯାଇପାରିବ, ବୌଦ୍ଧବି କୁହାଯାଇପାରିବ । ସେମାନେ ଏହି ସବୁକିଛି ଥିଲେ, ମାତ୍ର ତଥାପି ଏଗୁଡ଼ିକର ଖାସ୍ କୌଣସିଟି ନଥିଲେ । ମାର୍ଗଗୁଡ଼ିକର ଖୋଳକୁ ଭେଦି ସେମାନେ ଭିତରକୁ ପ୍ରବେଶ କରିପାରିଥିଲେ; ଆପଣାର ଗଭୀରତମ ଆଗ୍ରହଗୁଡ଼ିକର କ୍ଷେତ୍ରରେ ସେମାନେ ବ୍ରହ୍ମବାଦୀ ଥିଲେ, ତଥାପି କଠୋର ଓ ଶୁଷ୍କପ୍ରାୟ ଅଦ୍ୱୈତବାଦୀ ନଥିଲେ; ସେମାନେ ମଧ୍ୟ ସଂସାରକୁ ମାୟା ବୋଲି କହୁଥିଲେ, ତଥାପି ନିରାଟ ଓ ନିର୍ମଳ ମାୟାବାଦୀବି ନଥିଲେ । ସେମାନେ ଜୀବନବାଦୀ ଥିଲେ । ଜୀବନର ଉନ୍ମୋଚନରେ ବିଶ୍ଵାସ କରୁଥିଲେ ଓ ତାହାକୁହିଁ ଯଥାର୍ଥ ମୁକ୍ତି ବୋଲି ମାନୁଥିଲେ-। ସେମାନଙ୍କର ଏହି ଜୀବନଦୃଷ୍ଟି ମଧ୍ୟକୁ ଆସି ସଗୁଣ ଓ ନିର୍ଗୁଣ ଏକ ଉଚ୍ଚତର ସମଗ୍ରତାର ସହଜ ଗ୍ରନ୍ଥିରେ ଏକାଠି ବାନ୍ଧି ହୋଇ ରହିଥିଲା । ସେମାନେ ପିଣ୍ଡ ଭିତରେ ବ୍ରହ୍ମାଣ୍ଡକୁ ଦେଖୁଥିଲେ ଏବଂ ବ୍ରହ୍ମାଣ୍ଡକୁ ମଧ୍ୟ ପିଣ୍ଡର ବିଶ୍ଵବାଚୀ ଅଭିବ୍ୟକ୍ତି ବୋଲି ଅନୁଭବ କରୁଥିଲେ । ଏକ ଅଭିନବ ଭାବାର୍ଥକୁ ତଥା ସକାରାତ୍ମକ ଚେତନା-ଭୂମିରେ ପଞ୍ଚସଖା ବ୍ରହ୍ମ ଅର୍ଥାତ୍‍ ପରମ ସତ୍ୟକୁ ଶୂନ୍ୟ ବୋଲି କହିଛନ୍ତି ଏବଂ ତାହାକୁ ଏକ ଠୁଳ କଳ୍ପନା ଦେଇ ଶୂନ୍ୟପୁରୁଷରୂପେ ବର୍ଣ୍ଣନା କରିଛନ୍ତି-। ମାର୍କା ବା ଛାଞ୍ଚଗୁଡ଼ାକର ମାଧ୍ୟମରେ ସବୁକଥା ବୁଝିବାକୁ ଚେଷ୍ଟା କରୁଥିବା ସାଧନାର ଓ ସାହିତ୍ୟର ଗବେଷକମାନଙ୍କୁ ସେମାନେ ତଦ୍ଦ୍ଵାରା ଅନେକ ଭ୍ରମରେ ପକାଇ ଦେଇଛନ୍ତି-

 

ପ୍ରକୃତ କଥା ହେଉଛି, ପଞ୍ଚସଖା ବୌଦ୍ଧ ନଥିଲେ କି ଶୂନ୍ୟବାଦୀ ନଥିଲେ । ସେମାନେ ବିବାଦୀ ନଥିଲେ; ଅର୍ଥାତ୍‍ ଗୋଟିଏ ମାର୍ଗକୁ ମୋହମୁକ୍ତ ଭାବରେ ଆବୋରି ଧରି ସେମାନେ ଅନ୍ୟ ମାର୍ଗଗୁଡ଼ିକୁ ନୀରସ କିମ୍ବା ଭ୍ରାନ୍ତ ବୋଲି କଦାପି କହୁ ନଥିଲେ । ସେମାନେ ସାଧକ ଥିଲେ, ଅଧ୍ୟାତ୍ମ ପଥରେ ଚାଲୁଥିଲେ; ଅର୍ଥାତ୍‍ ମାର୍ଗ ଚାଲୁଥିଲେ, ମାର୍ଗ ବାରୁ ନଥିଲେ । ସେମାନେ ଭକ୍ତ ଥିଲେ, ଜ୍ଞାନୀ ମଧ୍ୟ ଥିଲେ; ତେଣୁ ଜ୍ଞାନ ଓ ଭକ୍ତି ମଧ୍ୟରେ ଆଦୌ କୌଣସି ଭେଦ ଦେଖୁ ନଥିଲେ । ଭକ୍ତି ବ୍ୟତୀତ କୌଣସି ଜ୍ଞାନ ଜ୍ଞାନ ନୁହେଁ ଏବଂ ଜ୍ଞାନ ବ୍ୟତୀତ କୌଣସି ଭକ୍ତି ଭକ୍ତି ନୁହେଁ ବୋଲି ସେମାନେ ଅନୁଭବରୁ ଉପଲବ୍ଧି କରିଥିଲେ ଓ ଖାଲି ଭକ୍ତି ଓ ଖାଲି ଜ୍ଞାନ ଉଭୟର ଉପରକୁ ଉଠିଯାଇ ଭକ୍ତି ଓ ଜ୍ଞାନ ଭିତରେ ଏକ ସମନ୍ୱୟ ସ୍ଥାପନ କରିଥିଲେ । ଅଚ୍ୟୁତାନନ୍ଦଙ୍କର ଭାଷାରେ ପକ୍ଷୀର ଦୁଇ ଡେଣା ପରି ଜ୍ଞାନ ଓ ଭକ୍ତି ହେଉଛନ୍ତି ସାଧନା ପଥର ଦୁଇଟି ଡେଣା । ଯେକୌଣସି ଗୋଟିଏ ଡେଣାର ଅଭାବରେ ଉଡ଼ିବା କଦାପି ସମ୍ଭବ ହେବ ନାହିଁ । ତେଣୁ ସର୍ବଦା ଦୁଇଟିଯାକ ମହଜୁଦ୍ ହୋଇ ରହିଥିବା ଆବଶ୍ୟକ ।

 

ବଳରାମ ଦାସ ତାଙ୍କର ‘ବ୍ରହ୍ମାଣ୍ଡ ଭୂଗୋଳ’ ପୁସ୍ତକରେ ମନୁଷ୍ୟର ଶରୀରକୁହିଁ ସକଳ ମହିମା ଏବଂ ସକଳ ଐଶ୍ଵର୍ଯ୍ୟର ଭଣ୍ଡାର ବୋଲି କହିଛନ୍ତି । ଏହି ଶରୀର ମଧ୍ୟରେହିଁ ସକଳ ସମ୍ଭାବନା ନିହିତ ହୋଇ ରହିଛି । ଶରୀର ଭିତରେ ସ୍ଵର୍ଗ ରହିଛି, ମର୍ତ୍ତ୍ୟ ରହିଛି, ପାତାଳ ମଧ୍ୟ ରହିଛି-। ଶ୍ରୀକ୍ଷେତ୍ରରେ ବାଇଶି ପାହାଚଠାରୁ ଆରମ୍ଭ କରି ମହାପ୍ରଭୁଙ୍କର ଆସ୍ଥାନ ପର୍ଯ୍ୟନ୍ତ ସବୁକିଛି ଶରୀର ଭିତରେ ରହିଛି । ଆଗରୁ ଗୋରଖପନ୍ଥୀ କାୟାସାଧକମାନେ ମଧ୍ୟ ସେକଥା କହିଥିଲେ । ତଥାପି ଆମେ ପଞ୍ଚସଖାଙ୍କୁ କାୟାବାଦୀ ବୋଲି କହିପାରିବା ନାହିଁ । ଆମ ଆତ୍ମ-ଉପଲବ୍ଧିରେ ଶରୀରର ପୂର୍ଣ୍ଣତା ମଧ୍ୟ ଗୋଟିଏ ପାହାଚ ପରି ଗୋଟିଏ ଗୋଟିଏ ସାଧନା । ଅଚ୍ୟୁତାନନ୍ଦଙ୍କର ଭାଷାରେ ଅସଲ ଜ୍ଞାନ ଆମ ଭିତରେ ରହିଛି, ଆମର ହୃଦୟରେ ଅଛି, ତେଣୁ ବାହାରେ ନ ଖୋଜି, ବାହାର ନ ଭ୍ରମି ଭିତରେ ଖୋଜିବାକୁ ପଡ଼ିବ, ସେହି ଭିତରେ ଠାବ କରିବାକୁ ହେବ । ବାହ୍ୟିକତା ଉପରେ ନିର୍ଭର କରି ସବୁକାଳ ପରି ସେତେବେଳେ ମଧ୍ୟ କେତେକେତେ ମାର୍ଗ ରହିଥିଲା ଓ ସେହି ଅନୁସାରେ କେତେଭଳି ଭକ୍ତି ରହିଥିଲା । କିଏ ଖାଲି କଥା କହୁଥିଲେ, ବଚନିକା କରୁଥିଲେ; କିଏ ଏଣେତେଣେ ଧାଇଁବାରେ ଲାଗିଥିଲେ, ଆଉ କିଏ ବାନା ଧରିଥିଲେ ଓ ବିଭୂତି ମାଖି ବୁଲୁଥିଲେ । ଅଚ୍ୟୁତାନନ୍ଦ ଦେଖିବା ଭକତକୁହିଁ ଟାଣ ବା ଯଥାର୍ଥ ଭକ୍ତ ବୋଲି କହିଛନ୍ତି ।

 

ତେଣୁ ଦେଖିବାକୁ ବାସନା ରଖିଥିବା ଭକ୍ତ ଅନେକ ଗୁରୁଙ୍କ ମଧ୍ୟରୁ ଆପଣାର ଗୁରୁଙ୍କୁ ମଧ୍ୟ ବାଛିନେବ । ସବୁକାଳ ପରି ସେକାଳରେ ମଧ୍ୟ ଅଶେଷ ପ୍ରକାରର ଗୁରୁ ରହିଥିଲେ । ସେମାନେ ମନୁଷ୍ୟମାନଙ୍କୁ ଲକ୍ଷ୍ୟ ସ୍ଥାନରେ ନେଇ ପହଞ୍ଚାଇ ଦେବେ ବୋଲି କେଡ଼େ ପାଟି କରି କହୁଥିଲେ । କିଏ ଜିହ୍ଵାରେ ଅକ୍ଷରବସାଣ କରି ଦେଉଥିଲା, କିଏ ଷଡ଼ଚତ୍ର ଟାଣି ଯନ୍ତ୍ର ବସାଉଥିଲା, ଜ୍ୟୋତି, ଅବାଡ଼, ଛାୟାମନ୍ତ୍ର ଓ ହଂସଦୀକ୍ଷା ପ୍ରଭୃତି କେତେକଅଣ ପରାମର୍ଶ ଦିଆଯାଉଥିଲା । ସେମାନେ ପ୍ରାୟ ସମସ୍ତେ ମନୁଷ୍ୟର ଉଦୟପଥକୁ ବଣା କରିଦେଉଥିଲେ ବୋଲି ଅଚ୍ୟୁତାନନ୍ଦ ସାବଧାନ କରି ଦେଇଛନ୍ତି । ପଞ୍ଚସଖାଙ୍କର ଦୃଷ୍ଟି ଅନୁସାରେ ମାର୍ଗ ଆଦୌ ଅସଲ ନୁହେଁ, ଅସଲ ମାନଦଣ୍ଡରେ ପରୀକ୍ଷା କରି ଦେଖିଲେ, ହୁଏତ ଗୁରୁ ମଧ୍ୟ ଅସଲ ନୁହଁନ୍ତି । ନିଜର ମନ ହେଉଛି ଅସଲ, ବାସନା ହେଉଛି ଅସଲ । ଗୁରୁ ହୁଏତ ବାଟଟିଏ ବତାଇ ଦେବେ, ମାତ୍ର ନିଜେ ବାଟଟିକୁ ଚାଲି ଅସଲ ସାକ୍ଷାତକରଟିକୁ ଲାଭ କରିବ । ଆମର ଯଥାର୍ଥ ଉତ୍ପତ୍ତିସ୍ଥଳ ହେଉଛି ଜ୍ୟୋତି, ସେହି ଜ୍ୟୋତିହିଁ ଆମର ଲକ୍ଷ୍ୟସ୍ଥଳ । ସୋପାନ ପରେ ସୋପାନ ଆରୋହଣ କରି ସାଧକ ସେହି ଜ୍ୟୋତି ପାଖରେ ଯାଇ ପହଞ୍ଚିବ, ସେହି ଜ୍ୟୋତିକୁ ସ୍ପର୍ଶ କରିବ ଏବଂ ନିଜକୁ ସେହି ଜ୍ୟୋତିଠାରୁ ଅଭେଦ ବୋଲି ଉପଲବ୍ଧି କରିବ । ପଞ୍ଚସଖାଙ୍କର ନିର୍ଦ୍ଦେଶ ହେଉଛି ବାହାରୁ ଭିତରକୁ, ଯାବତୀୟ ବାହ୍ୟିକତାକୁ ଅତିକ୍ରମ କରି ଆନ୍ତରିକତା ମଧ୍ୟକୁ । ଅନ୍ତର ଭିତରେ ଅସଲ ଆସ୍ଥାନଟିକୁ ପ୍ରସ୍ତୁତ କରିବା, ତାହାହିଁ ଅସଲ; ସେଇଟି ସାଧ୍ୟ ହୋଇ ନଥିଲେ କୌଣସି ମାର୍ଗ, କୌଣସି ସୂତ୍ର ବା କୌଣସି ଶାସ୍ତ୍ର ଆମକୁ କଦାପି ଯଥାର୍ଥ ଉପଲବ୍ଧିରେ ନେଇ ପହଞ୍ଚାଇ ଦେଇପାରିବ ନାହିଁ । ସମ୍ଭବତଃ ସେହି କାରଣରୁହିଁ ଅଚ୍ୟୁତାନନ୍ଦ ଏହି ମନକୁ ଭାଗବତ ଓ ଗୀତା ବୋଲି କହିଛନ୍ତି; ମନ ନ ବୁଝିଥିଲା ପର୍ଯ୍ୟନ୍ତ ସବୁକିଛିକୁ ପିତା ବୋଲି କହିଛନ୍ତି ।

 

ଭିତରେ ଅସଲ ଆସ୍ଥାନଟି ତିଆରି ହୋଇଗଲେ ସାଧକ ସତେଅବା ସମଗ୍ର ବିଶ୍ଵ ମଧ୍ୟକୁ ସମ୍ପ୍ରସାରିତ ହୋଇଥାଏ । ଏହି ସବୁକିଛି ସହିତ ସେ ଏକାତ୍ମତାର ସୂତ୍ରରେ ବାନ୍ଧି ହୋଇଥାଏ । ତା’ର ଭିତର ବାହାର ପରସ୍ପରଠାରୁ ଅଲଗା ହୋଇ ରହନ୍ତି ନାହିଁ । ତେଣୁ ସାଧକ ଏହି ସଂସାରକୁ ମାୟା ବୋଲି ମଣି ଏଠୁ ପଳାଇଯିବାର କୌଣସି ଆବଶ୍ୟକତା ମଧ୍ୟ ଅନୁଭବ କରେନାହିଁ । ପଞ୍ଚସଖା ସଂସାର ଛାଡ଼ି ପଳାଇଯାଇ ନଥିଲେ ସେମାନେ ସତେଅବା ଏକ ନୂଆ ଆଖିରେ ମନୁଷ୍ୟକୁ ଦେଖିଥିଲେ ଏବଂ ସେହି ଆଖିଟିକୁ ଲାଭ କଲେ ମଣିଷ ତା’ର ଯାବତୀୟ ସମ୍ବନ୍ଧକୁ ନୂଆ ପ୍ରକାରେ ଗଢ଼ିପାରିବ ବୋଲି ବିଶ୍ଵାସ କରୁଥିଲେ । ସେହି ଆଖି ହେଉଛି ସମତାର ଆଖି, ଶ୍ରଦ୍ଧାର ଆଖି । ତେଣୁ ପ୍ରଚଳିତ ସମାଜର ଅନେକ କଥା ସେମାନଙ୍କୁ ଭାରି ଅସୁନ୍ଦର ଦେଖାଯାଉଥିଲା । ସମତା, ଅର୍ଥାତ୍‍ ଯେଉଁଠାରେ ଉଚ୍ଚନୀଚର ଭେଦନାହିଁ, ଯେଉଁଠାରେ ଅହଂକାର ନାହିଁ, କୌଣସି ଦୂରତା ନାହିଁ, ମଣିଷ ମଣିଷ ସହିତ ଏକ ଅଧ୍ୟାତ୍ମିକ ସୂତ୍ରରେ ବାନ୍ଧି ହୋଇ ରହିଛି ବୋଲି ଉପଲବ୍ଧି କଲେ ଆମେ ଆଉ କାହିଁକି କୌଣସି ଦୂରତା ଭିତରେ ରହିବାକୁ ଇଚ୍ଛା କରିବା ? ସେତେବେଳେ ସମସାମୟିକ ଧର୍ମ ଓ ସମସାମୟିକ ସମାଜରେ କେତେକେତେ ଦୂରତା ଓ ଅସମାନତା ଆସନ ଜମାଇ ରହିଥିଲା । ଅସମାନତାକୁ ଆଦର୍ଶ ବୋଲି ପ୍ରଚାର କରି ମୁନିମାନେ ଯୁଗଯୁଗରୁ ଶାସ୍ତ୍ରମାନ ଲେଖି ଆସିଥିଲେ । ହୁଏତ ସେହି ଆଦିକାଳରୁ ସେଗୁଡ଼ିକର ଏକ ପ୍ରତିବାଦ ମଧ୍ୟ ହୋଇଥିଲା, ତଥାପି ସମାଜ ଅସମାନତାଗୁଡ଼ିକୁ ମୂଳ କରିହିଁ ଚଳୁଥିଲା । ସିଦ୍ଧାଚାର୍ଯ୍ୟମାନଙ୍କର ପଦଗୁଡ଼ିକରେ ଆମେ ସେହି ପ୍ରତିବାଦର କିଞ୍ଚିତ୍‍ ଆଭାସ ରହିଥିବାର ଦେଖିବାକୁ ପାଉ । ଆପଣା କାଳରେ ଓଡ଼ିଶାର ପଞ୍ଚସଖା ସେହି ପ୍ରତିବାଦର ପ୍ରତିନିଧିତ୍ଵ କରିଥିଲେ । ଅଧ୍ୟାତ୍ମର ଦୃଷ୍ଟିରେ ମଣିଷ ହେଉଛି ଏକ । ସମାଜହିଁ କେତେ ମଣିଷଙ୍କୁ ବଡ଼ କରି ରଖିବ ବୋଲି ଆଉ କେତେ ମଣିଷଙ୍କୁ ଛୋଟ କରି ରଖିଛି । ଭାରତୀୟ ଅଧ୍ୟାତ୍ମ ଓ ଭାରତୀୟ ସମାଜ-ବ୍ୟବସ୍ଥା ମଧ୍ୟରେ ପ୍ରାୟ ଆବହମାନ କାଳରୁ ଏହି ଯେଉଁ ବିରୋଧ ରହି ଆସିଛି, ଭାରତର ସନ୍ଥମାନେ ତାହାକୁ ଆଦୌ ସ୍ଵୀକାର କରିନାହାନ୍ତି ଏବଂ ସୁସ୍ଥ ବୋଲି ମାନି ନାହାନ୍ତି । ଏହି ବିଷୟଟିର କ୍ଷେତ୍ରରେ ଧର୍ମ ସର୍ବଦା ଏକ ସାଲିସ୍ କରିଆସିଛି ଏବଂ ଅଧିକତର ଅବସରରେ ସତେ ଯେପରି ସାମାଜିକ ବ୍ୟବସ୍ଥାର ପଟେ ରହିଛି । ସନ୍ଥମାନେ ଅଧ୍ୟାତ୍ମ ଦୃଷ୍ଟିରୁ ମଣିଷକୁ ଦେଖିବାର ଚେଷ୍ଟା କରିଛନ୍ତି ଏବଂ ସେଥିଲାଗି ସମାଜରେ ପ୍ରଚଳିତ ରହି ଆସିଥିବା ଭେଦଗୁଡ଼ିକର ପ୍ରତିବାଦ କରିଛନ୍ତି । ପ୍ରଚଳିତ ସମାଜରେ ବ୍ରାହ୍ମଣ ହେଉଛି ସବୁଠାରୁ ବଡ଼ ଜାତି, ଶୂଦ୍ର ସବୁଠାରୁ ଛୋଟ । ବ୍ରାହ୍ମଣମାନେହିଁ ଉଚ୍ଚନୀଚର ନିର୍ଣ୍ଣୟ କରି ନିଜକୁ ସର୍ବୋଚ୍ଚ ବା ସର୍ବୋତ୍ତମ ଜାତି ବୋଲି ପ୍ରତିପାଦିତ କରି ଆସିଥିଲେ । ପଞ୍ଚସଖା ସେହି ଭେଦକୁ ମାନି ନଥିଲେ । ନିଜର ସେହି ନ ମାନିବାକୁ ସେମାନେ ଏକ ଅଭିନବ ରୀତିରେ ଘୋଷଣା କରିଛନ୍ତି-। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଜାତି ବଦଳରେ ସେମାନେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର–ଏହିପରି ଚାରି ଭାବର ଅବତାରଣା କରିଛନ୍ତି ଓ ଶୂଦ୍ର ଭାବକୁ ସବୁଠାରୁ ଶାଳୀନ ଏବଂ ପ୍ରଶସ୍ତ ବୋଲି କହିଛନ୍ତି । ସେମାନେ ନିଜକୁ ଶୂଦ୍ର ବୋଲି ଘୋଷଣା କରିଛନ୍ତି ।

 

ଚାରିଜାତିର ଉତ୍ପତ୍ତି ସମ୍ବନ୍ଧରେ ଅଚ୍ୟୁତାନନ୍ଦ ଦେଇଥିବା ବ୍ୟାଖ୍ୟାଟି ହେଉଛି ଶାସ୍ତ୍ରୋକ୍ତ ବୋଲି କୁହାହୋଇ ଆସିଥିବା ଓ ସମସ୍ତେ ବିଶ୍ଵାସ କରି ଆସିଥିବା ବ୍ୟାଖ୍ୟାଟିଠାରୁ ଏକାନ୍ତ ଭିନ୍ନ । ଅଚ୍ୟୁତାନନ୍ଦଙ୍କର ‘ଗୁପ୍ତ ଗୀତା’ରେ ଥିବା କେତୋଟି ପଦ ଅନୁସାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଚାରି ଜାତି ପରମେଶ୍ଵରଙ୍କର ଜ୍ୟୋତିରୁହିଁ ଜନ୍ମ ହୋଇଛନ୍ତି । ନିଜ ସମୟରେ ଏହି କଥାଟି କହିବାକୁ ଅଚ୍ୟୁତାନନ୍ଦଙ୍କୁ ଭିତରେ କେତେ ବିଶ୍ଵାସ ଏବଂ ବାହାରେ କେତେ ସାହସର ଯୋଗ୍ୟ ହେବାକୁ ପଡ଼ିଥିବ । ଏହି ନୂତନ ବ୍ୟାଖ୍ୟାଟି ଅନୁସାରେ ବୈଶ୍ୟ ହେଉଛି ପରମେଶ୍ଵରଙ୍କର ନୟନ, କ୍ଷତ୍ରିୟ ହେଉଛି ତାଙ୍କର କର୍ଣ୍ଣ, ବ୍ରାହ୍ମଣ ନାସିକାର ପବନ ଏବଂ ଶୂଦ୍ର ହେଉଛି ମୁଖ । ସମାଜରେ ନିରୂପିତ ହେଇ ଆସିଥିବା ବର୍ଣ୍ଣବିଭାଗର ଗୁଣ କର୍ମ ସହିତ କିପରି ଆଉ ଆଦୌ କୌଣସି ସଙ୍ଗତି ନାହିଁ; ‘ବର୍ଣ୍ଣଟୀକା’ ନାମକ ଆଉ ଗୋଟିଏ ପୁସ୍ତିକାରେ ଅଚ୍ୟୁତାନନ୍ଦ ସେହି କଥାଟିକୁ ସୂଚିତ କରାଇ ଦେଇଛନ୍ତି । ଅତ୍ୟନ୍ତ ସହଜ ଯୁକ୍ତି ଦର୍ଶାଇ ସେ କହିଛନ୍ତି ଯେ, ତାଙ୍କର ବାପା କରଣକୁଳରେ ଓ ମାଆ କ୍ଷତ୍ରିୟକୁଳରେ ଜନ୍ମ ହୋଇଥିଲେ ମଧ୍ୟ ସିଏ ନିଜେ କରଣ ନୁହଁନ୍ତି କିମ୍ବା କ୍ଷତ୍ରିୟ ନୁହଁନ୍ତି । କାରଣ ସେ କରଣର କର୍ମ କରୁନାହାନ୍ତି ବା କ୍ଷତ୍ରିୟର କର୍ମବି କରୁନାହାନ୍ତି । ଏହିସବୁ ଜାତିର କୁଳକର୍ମ ସେ କରୁନାହାନ୍ତି ବୋଲି ତାଙ୍କୁ ସେହି ଜାତିର ବୋଲି କୁହାଯିବା ଆଦୌ ଉଚିତ ହେବ ନାହିଁ । ତାଙ୍କ କରିଥିବା କର୍ମଟି ଅନୁସାରେ ତାଙ୍କର ଜାତି ନିର୍ଣ୍ଣିତ ହେବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି ।

 

ସେହି ଅନ୍ୟ ଯୁକ୍ତିଟି ଅନୁସାରେ, ଯୁଗଯୁଗ ଧରି ଅନ୍ୟ ତିନି ବର୍ଣ୍ଣର ସେବା କରିବାପାଇଁ ପୃଥିବୀରେ ଶୂଦ୍ର ଜାତି ହୋଇଆସିଛି । ସ୍ଵୟଂ ଜଗନ୍ନାଥ ମଧ୍ୟ ତିନିଯୁଗରେ ତିନି ବର୍ଣ୍ଣର ପ୍ରଚ୍ଛନ୍ନ ମୁରତି ହୋଇ ରହିଛନ୍ତି ଏବଂ ପଞ୍ଚସଖା ଯେହେତୁ ତିନି ଯୁଗଯାକ ତାଙ୍କର ପଦସେବା କରିଆସିଛନ୍ତି, ତେଣୁ ସେମାନେ ହେଉଛନ୍ତି ଶୂଦ୍ର ଓ ଶୂଦ୍ର ବ୍ୟତୀତ ଆଉ ଆଦୌ କିଛି ନୁହଁନ୍ତି, ସତେଅବା କେଡ଼େ ଗୌରବର ସହିତ ଅଚ୍ୟୁତାନନ୍ଦ ସେକଥା ଘୋଷଣା କରିଛନ୍ତି । ଆପଣାର ଶୂଦ୍ର ଭାବଟିକୁ ସେ ତାଙ୍କ ଜାତି-ନିରୂପଣର ଅସଲ ନିର୍ଣ୍ଣାୟକ ବୋଲି କହିଛନ୍ତି । ଅର୍ଥାତ୍‍ ଭାବ ଅନୁସାରେ ମଣିଷର ଜାତି । ଏହି ସବୁଯାକ ଭାବ ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଛି; ତଥାପି ଯେଉଁ ଭାବଟି ଜଣେ ମଣିଷଠାରେ ବିଶେଷ ଭାବରେ ରହିଛି, ସେହି ଅନୁସାରେ ତାକୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଅଥବା ଶୂଦ୍ର ବୋଲି କୁହାଯାଇପାରିବ । ଶୂଦ୍ର ଭାବ ଅର୍ଥାତ୍‍ ସେବାର ଭାବ, ଜଗତ ମଧ୍ୟରେ ବାସ କରୁଥିବା ସମସ୍ତଙ୍କର କଲ୍ୟାଣ ନିମନ୍ତେ ଉତ୍ସର୍ଗୀକୃତ ହୋଇ ରହିଥିବାର ଭାବ । ସମ୍ଭବତଃ ସେହି କାରଣରୁ ବୃହଦାରଣ୍ୟକ ଉପନିଷଦରେ ଜଗତକଲ୍ୟାଣକାରୀ ସୂର୍ଯ୍ୟଙ୍କୁ ଜଗତଯାକର ପ୍ରଥମ ଶୂଦ୍ର ବୋଲି କୁହାଯାଇଛି । ଅଚ୍ୟୁତାନନ୍ଦଙ୍କର ଲେଖାରୁ ଦୁଇଟି ପଦ ଉଦ୍ଧାର କରି କହିଲେ, “ନାହିଁ ମୋହର ବିପ୍ରବର୍ଣ୍ଣେ ଆଶା, କ୍ଷତ୍ରିୟ ବୈଶ୍ୟରେ ନାହିଁ ଭରସା । ସାନ ହେଲେ ମନ ସରୁଆ ହୋଇ, ତହୁଁ ଅଚ୍ୟୁତ ଯେ ଶୂଦ୍ରବର୍ଣ୍ଣହିଁ ।’’ ଶୂଦ୍ର ହେବାର, ଅର୍ଥାତ୍‍ ଜନ୍ମ ଓ କୁଳଦ୍ଵାରା ବାଧ୍ୟ ହୋଇ ନୁହେଁ, ମାତ୍ର ଏହିପରି ସ୍ଵନିର୍ବାଚିତ ଭାବରେ ଶୂଦ୍ର ହେବାର ପ୍ରଶଂସା କରି ଅଚ୍ୟୁତାନନ୍ଦ ଶୂଦ୍ରଠାରେ କୌଣସି ଅହଂକାର ନଥାଏ ଓ ସେବାଦ୍ଵାରାହିଁ ଗୋଲୋକ ପ୍ରାପ୍ତି ହୁଏ ବୋଲି କହିଛନ୍ତି ।

 

‘ବର୍ଣ୍ଣଟୀକା’ ପରି ‘ଅବତାର ମାଳିକା’ ହେଉଛି ଅଚ୍ୟୁତାନନ୍ଦଙ୍କର ଆଉ ଗୋଟିଏ ସାନ ବହି । ସେଥିରୁ ଜଣାଯାଉଛି ଯେ, ତତ୍କାଳୀନ ଉଚ୍ଚଜାତିମାନେ ପଞ୍ଚସଖାଙ୍କୁ ବହୁତ ବିଦ୍ଵେଷ କରୁଥିଲେ । ପ୍ରତିଷ୍ଠିତ ବ୍ୟବସ୍ଥା ବିରୋଧରେ ବିଦ୍ରୋହ ବା ପ୍ରତିବାଦ କଲେ ପ୍ରତିଷ୍ଠିତ ବର୍ଗଙ୍କଠାରୁ ଏହିପରି ଭାବରେ ଉତ୍ପୀଡ଼ନ ଭୋଗିବାକୁ ହୋଇଥାଏ । ବେଦପାଠ ପ୍ରଭୃତି ଶାସ୍ତ୍ରୀୟ ଯୋଗ୍ୟତା ନଥିବାରୁହିଁ ପଞ୍ଚସଖା ନିଜକୁ ଶୂଦ୍ର ବୋଲି କହୁଛନ୍ତି ବୋଲି ବ୍ରାହ୍ମଣମାନେ ସେମାନଙ୍କୁ ବିଦ୍ରୂପ କରି କହୁଥିଲେ ଏବଂ ଅଚ୍ୟୁତାନନ୍ଦ ସେହି ଆରୋପଟିର ମଧ୍ୟ ଉତ୍ତର ଦେଇଥିଲେ । ସେ ସମ୍ପୂର୍ଣ୍ଣ ବିନୟର ସହିତ କହିଛନ୍ତି ଯେ, ସମସ୍ତ ପ୍ରକାରର ଶାସ୍ତ୍ରମତ ଏବଂ ଯୋଗସାଧନା ମଧ୍ୟରେ ଯଥାରୀତି ଅବଗାହନ କରିଥିଲେ ମଧ୍ୟ ଆପଣାର ସେବାଶ୍ରିତ ଅନ୍ତର୍ଭାଗଟି ସକାଶେହିଁ ସେମାନେ ଆପଣାକୁ ଶୂଦ୍ର ବୋଲି ଘୋଷଣା କରିଥିଲେ । ତାଙ୍କରି ଭାଷାରେ ଆଉଥରେ କହିଲେ; “ସାନ ହେବାକୁ ଆମ୍ଭରି ମନ; ତହୁଁ ଶୂଦ୍ରକୁ ଯେ ନ ମଣୁ ଆନ । ଶୁଣ ରାମଚନ୍ଦ୍ର ଗୋପ କୁମର, ସେବା ଆମ୍ଭର ଶ୍ରୀକୃଷ୍ଣ ପୟର । ତହୁଁ ପଞ୍ଚସଖା ଶୂଦ୍ର ହୋଇଲୁ, ଜ୍ୟେଷ୍ଠ କନିଷ୍ଠ ବାରି ନ ପାରିଲୁ । ପଞ୍ଚସଖାମାନେ ବ୍ରାହ୍ମଣ ନୋହୁ, ବୈଶ୍ୟ କ୍ଷତ୍ରିୟ ଅବା ହେବୁ କାହୁଁ ।’’

 

ପିତା ଓ ମାତାଙ୍କ ଅନୁସାରେ ଅଚ୍ୟୁତାନନ୍ଦ କରଣ ଏବଂ କ୍ଷତ୍ରିୟ ଥିଲେ । ଜଗନ୍ନାଥ ଦାସ ବ୍ରାହ୍ମଣ ଥିଲେ, ଯଶୋବନ୍ତ ଦାସ କ୍ଷତ୍ରିୟ ଘରେ ଜନ୍ମ ହୋଇଥିଲେ, ବଳରାମ ଦାସ ବଳରାମ ମହାପାତ୍ର ଥିଲେ ଏବଂ ଅନନ୍ତ ଦାସ ଅନନ୍ତ ମହାନ୍ତି ଥିଲେ । ଭାରତବର୍ଷର ସନ୍ଥ-ପରମ୍ପରା ଆପଣା ଆଧ୍ୟାତ୍ମର ଏକ ଅବଶ୍ୟ କର୍ତ୍ତବ୍ୟରୂପେ ସବୁଠାରେ ଜାତି-ବ୍ୟବସ୍ଥାକୁ ଭାଙ୍ଗିଛନ୍ତି, ମନୁଷ୍ୟମାନଙ୍କୁ ସେମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ପରିଚୟରେହିଁ ଏକତ୍ର କରିବାକୁ ପ୍ରୟାସ କରିଛନ୍ତି । ଏହି ଦୃଷ୍ଟିରୁ ବିଚାର କଲେ ଓଡ଼ିଶାର ସାମାଜିକ ଇତିହାସରେ ତଥା ଅଧ୍ୟାୟ ପରମ୍ପରାରେ ପଞ୍ଚସଖା ଗୋଟିଏ ଗୋଟିଏ ଉଜ୍ଜ୍ଵଳ ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଓଡ଼ିଆ ସାହିତ୍ୟକୁ ମଧ୍ୟ ନୂତନ ଉଚ୍ଚତା ପ୍ରଦାନ କରିଛନ୍ତି ।

 

ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର–ଏଗୁଡ଼ିକ କେବଳ ଜଣେ ମନୁଷ୍ୟର ସ୍ଵଭାବରେ ଚାରିଗୋଟି ଭାବ ନୁହଁନ୍ତି, ନିଜ ଜୀବନକୁ ସାଧନାର ଏକ ମାଧ୍ୟମରୂପେ ଗ୍ରହଣ କରିଥିବା ଯେକୌଣସି ମନୁଷ୍ୟପାଇଁ ଏଗୁଡ଼ିକ ହେଉଛନ୍ତି ଚାରିଗୋଟି ସ୍ତର ବା ସୋପାନ । ‘ବର୍ଣ୍ଣଟୀକା’ରେ ଅଚ୍ୟୁତାନନ୍ଦ ସେହି ଅଭିନବ କ୍ରମଟିର ନିରୂପଣ କରି ଦେଇଛନ୍ତି । ନିରୂପଣର ସେହି ସୂତ୍ରଟି ଧରି ପ୍ରତ୍ୟେକ ସାଧକ ତଥା ପ୍ରତ୍ୟେକ ମନୁଷ୍ୟ ଜୀବନ ବଞ୍ଚିବାର କ୍ଷେତ୍ରରେ ଆପଣାର ଯଥାର୍ଥ ସୋପାନଟିକୁ ଇଚ୍ଛା କଲେ ଅବଶ୍ୟ ଠଉରାଇ ନେଇପାରିବ । ସାଧନାରେ ସାଧକ ଅଚ୍ୟୁତାନନ୍ଦ ତାହାକୁହିଁ ଭକତ ବୋଲି କହିଛନ୍ତି । ସାଧନାର ସର୍ବପ୍ରଥମ ପର୍ଯ୍ୟାୟରେ ଭକତ ହେଉଛି କ୍ଷତ୍ରିୟ, ତା’ର ଭାବଟି ହେଉଛି କ୍ଷତ୍ରିୟର ଭାବ । ସେତେବେଳେ ତାକୁ କେବଳ ଯୁଝିବାକୁ ପଡ଼ିଥାଏ, ରିପୁମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ନାଶ କରିବାକୁ ପଡ଼େ । ପାଞ୍ଚମନ ଓ ପଚାଶ ପ୍ରକାରର ପ୍ରକୃତି ଉପରେ ବିଜୟ ହାସଲ କରେ, ଛଅଟିଯାକ ରିପୁଙ୍କୁ ସଂହାର କରେ । ତା’ପରେ ବୈଶ୍ୟ ଭାବ ଆସେ । ସେତେବେଳେ ଭକ୍ତ ଏକାଗ୍ରଚିତ୍ତରେ ବାଣିଜ୍ୟ କରେ, କୃଷ୍ଣନାମର ବଣିଜ କରୁଥାଏ, ନାମ ଭଜନଦ୍ଵାରା ଆପଣାର ପୁଞ୍ଜିରେ ବୃଦ୍ଧି ସାଧନ କରୁଥାଏ । ତୃତୀୟ ସୋପାନଟି ହେଉଛି ବ୍ରାହ୍ମଣ ଭାବର ସୋପାନ । ସେତେବେଳେ କ୍ରିୟାକର୍ମରେ ସମୟ ବିତେ, ମନ୍ତ୍ର ଓ ମୂର୍ତ୍ତିକୁ ନେଇ ଉପାସନା ଲାଗି ରହିଥାଏ । ଏସବୁ ଫଳରେ ବ୍ରହ୍ମଜ୍ଞାନ ପ୍ରାପ୍ତ ହୁଏ, ଭକ୍ତର ବ୍ରହ୍ମପ୍ରାପ୍ତି ହୁଏ । ଏକ ନିଶ୍ଚଳତାହିଁ ଅଧିକାର କରି ରହିଥାଏ ଏବଂ ସେବାଭାବର ଉଦ୍ରେକ ହୁଏ । ଶୂଦ୍ର ଭକ୍ତ ସେତେବେଳେ ବ୍ରହ୍ମପଦରେ ସେବାରତ ହୋଇ ରହିଥାଏ । ଅର୍ଥାତ୍‍ ସାଧନାରେ ସର୍ବଶ୍ରେଷ୍ଠ ପ୍ରାପ୍ତି ହେଉଛି ଶୂଦ୍ର ଭାବର ପ୍ରାପ୍ତି । ପ୍ରଥମ ତିନୋଟି ସ୍ତରକୁ ଆମେ ହୁଏତ ଧର୍ମର ଭିନ୍ନ ଭିନ୍ନ ସ୍ତର ବୋଲି କହିପାରିବା ଏବଂ ଶେଷଟିକୁ ଅଧ୍ୟାତ୍ମ ବୋଲି କହିବା । ଅଧ୍ୟାତ୍ମ ସ୍ତରକୁ ଆସି ସାଧକ ଭଗବାନଙ୍କର ଦାସ ହୋଇ ରହେ । ପୂର୍ଣ୍ଣ ସମର୍ପିତ ହୋଇ ରହେ । ଭଗବାନଙ୍କର ଏହି ଜଗତରେ ସେ ଭଗବାନଙ୍କରହିଁ କାର୍ଯ୍ୟ କରେ ।

 

ଏବେ ମଧ୍ୟ ଭାରତୀୟ ସମାଜରେ ଜାତିପ୍ରଥା ରହିଛି । କେବଳ ତଥାକଥିତ ହିନ୍ଦୁମାନଙ୍କର ସମାଜରେ ନୁହେଁ, ଭାରତର ଅନ୍ୟାନ୍ୟ ଧର୍ମଗୋଷ୍ଠୀର ସମାଜ ଭିତରକୁ ମଧ୍ୟ ତାହାର ସଂକ୍ରମଣ ହୋଇଯାଇଛି । ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ତାହାର ନୂତନ ସମ୍ବିଧାନରେ ଭାରତରେ ସବୁଲୋକ ସମାନ ଓ ଜାତି ଅନୁସାରେ ସେମାନଙ୍କୁ ଆଉ ଉଚ୍ଚ ବା ନୀଚ ବୋଲି ବିଚାର କରାଯିବ ନାହିଁ ବୋଲି ବିଧାନଗତ ଘୋଷଣା ମଧ୍ୟ ହୋଇସାରିଛି । ଆଧୁନିକ ଭାରତୀୟ ସାହିତ୍ୟରେ ଜାତିପ୍ରଥାକୁ ଅସ୍ଵାସ୍ଥ୍ୟକର ବୋଲି ଘୋଷଣା କରି କେତେ କବିତା, ନାଟକ, ଗଳ୍ପ ଓ ଉପନ୍ୟାସମାନ ଲେଖାଯାଇଛି । ଆଧୁନିକ ସଭ୍ୟତାର ନୂତନ ମୂଲ୍ୟଗୁଡ଼ିକ ଭାରତୀୟ ଜୀବନରେ ଆସି ପ୍ରବେଶ କରିବାପରେ ଆମର କେତେଟା ବାହ୍ୟ ସାମୂହିକ ଜୀବନକ୍ଷେତ୍ରରୁ ଜାତିଗତ ଉଚ୍ଚନୀଚ ଭାବ ଛାଡ଼ି ଚାଲି ଯାଇଥିବା ପରି ବୋଧ ହେଉଛି ସତ, ମାତ୍ର ତଥାପି ଅନ୍ତ୍ରଭିତରେ, ଅଧିକାଂଶ ଭାରତୀୟଙ୍କର ଦୃଷ୍ଟିରେ ସେହି ବିଷ ଘର କରି ରହିଛି । ସଚେତନ ଓ ଅବଚେତନ ଉଭୟ ମଧ୍ୟରେ ରହିଛି । ଜାତିଗତ ଭାବ ଅର୍ଥାତ୍‍ ଦୂରତାଗୁଡ଼ିକୁ ସତେଅବା ଧର୍ମ ବୋଲି ସ୍ଵୀକାର କରି ନେଇଥିବାର ଭାବ । ଭାରତର ଧର୍ମ ସେହି ଦୂରତାକୁ ପରୋକ୍ଷ ତଥା ପ୍ରତ୍ୟକ୍ଷରେ ଅନେକ ସମର୍ଥନ ଚିରଦିନ ଦେଇଆସିଛି, ଏବେ ମଧ୍ୟ ଦେଉଛି । ଜାତି ଜାତି ଭିତରେ ଭେଦଗୁଡ଼ିକୁ ବାରିବାର ପୁରୁଣା ସନ୍ତକ ସବୁ ହୁଏତ ଏବେ କ୍ରମେ ଅପ୍ରାସଙ୍ଗିକ ହେବାରେ ଲାଗିଛି, ତଥାପି ନୂଆ ନୂଆ ଅନ୍ୟ ସନ୍ତକମାନେ ଜନ୍ମ ନେଉଛନ୍ତି । ତେଣୁ, ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ସନ୍ଥମାନେ ସାଧନା ଓ ଧର୍ମଚାରଣର ଯାବତୀୟ ପ୍ରସଙ୍ଗରେ ଜାତିଭେଦ ଓ ସାମାଜିକ ଅନ୍ୟ ଯାବତୀୟ ଦୂରତା ଜ୍ଞାନର ବିରୋଧରେ ପ୍ରାୟ ଅନମନୀୟ ଭାବରେ ଯେଉଁ ସ୍ଵର ଉତ୍ତୋଳନ କରି ଆସିଛନ୍ତି, ତାହାକୁ ଖାଲି ସାହିତ୍ୟ ଭିତରେ ରହିଥିବା ଏକ ମହତ୍‍ଭାବନା ବୋଲି କହି ପ୍ରଶଂସା କରିଦେଲେ ତାହା କଦାପି ଯଥେଷ୍ଟ ହେବ ନାହିଁ । ବର୍ତ୍ତମାନ ସମାଜର ପରିପ୍ରେକ୍ଷୀରେ ମଧ୍ୟ ତାହା ଆମ ସମସ୍ତଙ୍କ ଲାଗି ଏକ ପ୍ରାସଙ୍ଗିକ ଆହ୍ଵାନ ହୋଇ ରହିଛି । ସନ୍ଥମାନେ କେବଳ ସାହିତ୍ୟର ମାଧ୍ୟମରେହିଁ ପ୍ରଚଳିତ ସମାଜର ଅବିବେକିତା ବିରୋଧରେ ପ୍ରତିବାଦ କରି ନଥିଲେ । ସେମାନେ ସେହି ପ୍ରତିବାଦଟିକୁ ନିଜ ଜୀବନରେ ବଞ୍ଚିଥିଲେ ।

 

ପଞ୍ଚସଖା ‘ଶୂଦ୍ର’ ଶବ୍ଦଟିର ଅର୍ଥରେ ଏକ ନୂତନ ସଂଜ୍ଞା ଆଣି ଦେଇଥିଲେ । ଆଗରୁ ଚଳି ଆସୁଥିବା ସମାଜର ରୀତିକୁ ଭାଙ୍ଗି ବ୍ରାହ୍ମଣ ଉପରେ ଶୂଦ୍ରକୁ ପ୍ରତିଷ୍ଠିତ କରାଇବା ଅଭିପ୍ରାୟରେ ସେମାନେ ସେକଥା ଆଦୌ କରି ନଥିଲେ । ଶୂଦ୍ର ଜାତିର ସ୍ଥାନରେ ସେମାନେ ଶୂଦ୍ର ଭାବର ବିକଳ୍ପଟି ଆଣି ରଖିଥିଲେ ଏବଂ ପ୍ରତ୍ୟେକ ପୂର୍ଣ୍ଣତାକାଙ୍‍କ୍ଷୀ ମନୁଷ୍ୟକୁ ସ୍ଵାଧୀନତାଦ୍ଵାରା ପାହାଚ ପରେ ପାହାଚ ଉଠି ଶୂଦ୍ରତ୍ଵର ଅଧିକାରୀ ହେବାଲାଗି ଉଦ୍‍ବୋଧନ ଦେଇଥିଲେ । ସେତେବେଳେ ପୁରୀ ଶ୍ରୀକ୍ଷେତ୍ରରେ ଚୈତନ୍ୟଦେବଙ୍କର ବୈଷ୍ଣବ ଧର୍ମ ଗଜପତି ରାଜାଙ୍କର ବିଶେଷ ପୃଷ୍ଠପୋଷକତା ଲାଭ କରି ପ୍ରାୟ ରାଜଧର୍ମର ପରାକ୍ରମରେ ପ୍ରତିଷ୍ଠିତ ହୋଇ ରହିଥିଲା । ଶ୍ରୀଚୈତନ୍ୟ ଜାତି ମାନୁଥିଲେ । ଅନ୍ତତଃ ଶ୍ରୀକ୍ଷେତ୍ରରେ ଜାତିଗତ ବାରଣକୁ ସେ ପୂର୍ଣ୍ଣ ସମ୍ମାନ ଦେଉଥିଲେ । ପୁରୀ ମନ୍ଦିରର ଯାବତୀୟ ରୀତି ଓ ପରମ୍ପରା ଉପରେ ମାଲିକ ହୋଇ ବସିଥିବା ପଣ୍ଡାମାନଙ୍କର କୋପଦୃଷ୍ଟିରେ ପଡ଼ିବାକୁ ସେ ଆଦୌ କିଛି କରୁ ନଥିଲେ । ଚୈତନ୍ୟଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଯେଉଁମାନେ ଦୀକ୍ଷା ଗ୍ରହଣ କରିବା ପୂର୍ବରୁ ମୁସଲମାନ ଥିଲେ, ସେମାନଙ୍କୁ ସ୍ଵୟଂ ଗୁରୁଙ୍କର ପରାମର୍ଶରେ ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କରିବା ମନା ହୋଇ ରହିଥିଲା । ତାଙ୍କର ଜଣେ ଭକ୍ତ ଯବନ ହରିଦାସ ବୈଷ୍ଣବ ହୋଇ ସାରିବା ପରେ ମଧ୍ୟ ଯବନବତ୍ ଚୈତନ୍ୟଙ୍କର ଅନ୍ୟ ଶିଷ୍ୟମାନଙ୍କଠାରୁ ଅଲଗା ହୋଇ ଏକ ଅଲଗା ସ୍ଥାନରେ ବାସ କରୁଥିଲେ । ଗୌଡ଼ୀୟ ବୈଷ୍ଣବ ଧର୍ମର ଆଉ ଦୁଇଜଣ ପ୍ରଖ୍ୟାତ ଅନୁଗାମୀ ରୂପ ଓ ସନାତନ ମଧ୍ୟ ପୁରୀରେ ଯବନ ହରି ଦାସଙ୍କ ସହିତ ରହିବା ନିମନ୍ତେ ଆଦେଶ ପାଇଥିଲେ । ବୈଷ୍ଣବ ଦୀକ୍ଷା ଗ୍ରହଣ କରିବା ପୂର୍ବରୁ ସେମାନେ ଗୌଡ଼ରାଜ୍ୟର ମୁସଲମାନ ଶାସକଙ୍କର ଦରବାରେ ବହୁକାଳ କାର୍ଯ୍ୟ କରୁଥିଲେ ଏବଂ ସେହି କାରଣରୁ ସେମାନଙ୍କର ଗୋତ୍ର ଦୂଷିତ ହୋଇଯାଇଥିଲା ବୋଲି ବିଶ୍ଵାସ କରାଯାଉଥିଲା । ସେମାନଙ୍କ ଲାଗି ଜଗନ୍ନାଥ ମନ୍ଦିରକୁ ଯିବା ନିଷିଦ୍ଧ ଥିଲା । ଓଡ଼ିଶାର ପଞ୍ଚସଖାଙ୍କୁ ଆମେ ଏହି ଦୃଷ୍ଟିରୁ ଏକ ଅନ୍ୟ ଧାତୁର ବୋଲି ବିଚାର କରିପାରିବା । ବଳରାମ ଦାସଙ୍କର ଜୀବନରେ ଏପରି ତିନୋଟି ଘଟଣା ଘଟିଥିବାର କିମ୍ବଦନ୍ତୀ ରହିଛି, ଯେଉଁଥିରେ କି ସେ ବ୍ରାହ୍ମଣ ନ ହୋଇଥିଲେ ମଧ୍ୟ ମନ୍ଦିରବେଢ଼ା ଭିତରେ ବ୍ରାହ୍ମଣ ପଣ୍ଡିତମାନଙ୍କର ଗହଣରେ ବସି ଶାସ୍ତ୍ର-ଆଲୋଚନାରେ ଭାଗ ନେଇଥିବା ଏବଂ ଆଉଥରେ ବଡ଼ଦାଣ୍ଡରେ ରଥ ଉପରକୁ ଉଠି ଯାଇଥିବାର ଓ ସେଥିଲାଗି ବିହିତ ଶାସ୍ତି ଭୋଗ କରିଥିବାର ଅପବାଦ ରହିଛି । ରଥଯାତ୍ରା ସମୟରେ କେବଳ ବ୍ରାହ୍ମଣମାନେହିଁ ଠାକୁରମାନଙ୍କର ରଥ ଉପରକୁ ଯିବାର ବିଧାନ ରହିଛି । ବଳରାମ ଦାସ ବ୍ରାହ୍ମଣ ନ ହୋଇ ମଧ୍ୟ ବ୍ରାହ୍ମଣ ପରି ଚିତା ଲଗାଇ ଦେହରେ ଓତା ପକାଇ ରଥ ଉପରକୁ ଉଠି ଯାଇଥିଲେ ଓ ଧରାପଡ଼ିବାମାତ୍ରକେ ତାଙ୍କୁ ପଣ୍ଡାମାନେ ରଥରୁ ଟେକି ତଳକୁ ଫିଙ୍ଗି ଦେଇଥିଲେ । ଏହି ସାହସୀମାନେ ଓ ଅଧ୍ୟାତ୍ମମାନେ ଯେ ଆମ ଓଡ଼ିଆ ସାହିତ୍ୟରେ ଥିଲେ, ତାହା କାଳକାଳକୁ ଓଡ଼ିଆ ସାହିତ୍ୟ ନିମନ୍ତେ ଗର୍ବର ବିଷୟ ହୋଇ ରହିଥିବ ।

 

ଜାତିଭେଦ ବିଷୟରେ ପଞ୍ଚସଖାଙ୍କର ବିରୋଧ ପଛକୁ ପଞ୍ଚସଖାଙ୍କର ଭାଷା । ଓଡ଼ିଶାରେ ଯେଉଁମାନେ ଶ୍ରୀଚୈତନ୍ୟଙ୍କର ଗୋଷ୍ଠୀଦ୍ଵାରା ପ୍ରଚାରିତ ଗୌଡ଼ୀୟ ବୈଷ୍ଣବ ଧର୍ମକୁ ଦୀକ୍ଷିତ ହୋଇଥିଲେ, ସେମାନଙ୍କ ଭିତରୁ ସେତେବେଳେ ଯେତେ ଯିଏ ଯାହାକିଛି ଲେଖିଛନ୍ତି, ତାହାକୁ ବ୍ରଜ ବୋଲି ଅଥବା ବଙ୍ଗଳା ଭାଷାରେ ଲେଖିଛନ୍ତି । ଓଡ଼ିଆ ଭାଷାରେ କେହି କିଛି ଲେଖିନାହାନ୍ତି । ଧର୍ମ ପରି ଧର୍ମଶାସ୍ତ୍ରର ଭାଷାକୁ ମଧ୍ୟ ପବିତ୍ର ବୋଲି ଜ୍ଞାନ କରିବା ଓ ତାହାକୁ ସାଧାରଣ ସଂସାରର କଥିତ ଭାଷାଠାରୁ ଯଥାସମ୍ଭବ ଦୂର କରି ରଖିବା, ତାହାହିଁ ପ୍ରାଚୀନ ଧର୍ମଗୁଡ଼ିକର ପରମ୍ପରାରେ ପ୍ରାୟ ସର୍ବତ୍ର ଏକ ନିୟମ ପରି ହୋଇ ରହିଥିଲା । ଆର୍ଯ୍ୟମାନେ ସଂସ୍କୃତ ଭାଷାକୁ ଦେବଭାଷା ବୋଲି କହୁଥିଲେ । ଓଡ଼ିଶାର କେତେ ଭକ୍ତ ଏବଂ କବି ତାହାକୁ ଦିବ୍ୟ ଭାଷା ବୋଲି କହିଛନ୍ତି । ଏବେ ମଧ୍ୟ ଭାରତୀୟ ସ୍ଥାନୀୟ ଭାଷାମାନଙ୍କରେ ସଂସ୍କୃତରୁ ଆସି ପଶିଥିବା ତତ୍‍ସମ ଶବ୍ଦଗୁଡ଼ିକୁ ସାଧୁଶବ୍ଦ ବୋଲି କୁହାଯାଏ । କର୍ଣ୍ଣାଟକର ମଧ୍ୟଯୁଗୀୟ ସନ୍ଥମାନେ ସଂସ୍କୃତକୁ ଗୀର୍ବାଣ ଭାଷା ଅର୍ଥାତ୍‍ ସ୍ଵର୍ଗରେ ପ୍ରଚଳିତ ଭାଷା ବୋଲି କହୁଥିଲେ । ସମ୍ଭବତଃ ସେହିଭଳି ଏକ ଭାବନାର ବଶବର୍ତ୍ତୀ ହୋଇ ବଙ୍ଗଦେଶରୁ ଆସି ପ୍ରଚାରିତ ହୋଇଥିବା ବୈଷ୍ଣବ ଭାବରେ ଦୀକ୍ଷିତ ଓଡ଼ିଆ ଭକ୍ତ ଏବଂ କବିମାନେ ବଙ୍ଗଳା ଭାଷାକୁ ଗୀର୍ବାଣ ଭାଷାର ସମତୁଲ କରି ଗ୍ରହଣ କରିଥିଲେ । ସେତେବେଳେ ପୁରୀ ବଡ଼ଦାଣ୍ଡରେ ବଙ୍ଗଳା କୀର୍ତ୍ତନମାନ ବୋଲା ହେଉଥିବା ସମୟରେ ସମ୍ପୃକ୍ତ ଭକ୍ତମାନେ ଭଗବାନଙ୍କର ହୁଏତ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ମନେ କରିଥିବେ । ସେତେବେଳେ ମାଧବୀ ଦାସ, ମାଧବ ପଟ୍ଟନାୟକ ଓ ସାଲବେଗଙ୍କ ସମେତ ଓଡ଼ିଆ ଗୌଡ଼ୀୟ ବୈଷ୍ଣବମାନେ ଓଡ଼ିଆ, ବଙ୍ଗଳା ଓ ବ୍ରଜ ବୋଲି ଏହିପରି ତିନି ଭାଷାରେ ପଦମାନ ରଚନା କରିଛନ୍ତି । ଗଜପତି ରାଜାମାନଙ୍କର ସମର୍ଥନ ଲାଭ କରି ଗୌଡ଼ୀୟ ବୈଷ୍ଣବ ଧର୍ମର ବଙ୍ଗଳା ଭାଷା ସେତେବେଳେ ସେପରି ପ୍ରାୟ ସମ୍ପୂର୍ଣ୍ଣ ସାମ୍ରାଜ୍ୟଟିର ଅଧିକାର ଲାଭ କରିଥିଲା, ପଞ୍ଚସଖା ଏକ କନିଷ୍ଠ ପ୍ରତିନିଧିତ୍ଵ କରି ଓଡ଼ିଆ ଭାଷାରେ ସାହିତ୍ୟ ଲେଖି ନଥିଲେ ସମ୍ଭବତଃ ଭାଷାର କ୍ଷେତ୍ରରେ ଓଡ଼ିଶାକୁ ଏକ ଚରମ ଦୁର୍ଗତି ଭୋଗ କରିବାକୁ ପଡ଼ିଥାନ୍ତା ।

 

ପଞ୍ଚସଖା ବହୁସଂଖ୍ୟକ ପୁସ୍ତକ ଲେଖି ଯାଇଛନ୍ତି । କେବଳ ଅଚ୍ୟୁତାନନ୍ଦହିଁ ନିଜର ଗୋଟିଏ ପୋଥିରେ ସହସ୍ର ସଂଖ୍ୟାରେ ସ୍ଵଲିଖିତ ଗ୍ରନ୍ଥଗୁଡ଼ିକର ସୁମାରି କରିଛନ୍ତି । ଭାରତୀୟ ସନ୍ଥ ସାହିତ୍ୟରେ ପଞ୍ଚସଖା-ସାହିତ୍ୟର ଏକ ବଳିଷ୍ଠ ସ୍ଥାନ ରହିଛି । ଭାରତୀୟ ତତ୍ତ୍ଵ ଓ ଦର୍ଶନକୁ ଓଡ଼ିଆ ଭାଷାରେ ଫୁଟାଇ ଆଣି ପଞ୍ଚସଖା ଓଡ଼ିଆ ସାହିତ୍ୟର ତଥା ଭାରତୀୟ ପରମ୍ପରାର ଏକ ଅପଟାନ୍ତର ଉପକାର ସାଧନ କରିଛନ୍ତି । ଭାରତୀୟ ତତ୍ତ୍ଵ ଓ ଦର୍ଶନ ସବୁକିଛି ସଂସ୍କୃତ ଭାଷାରେ ରହିଥିଲା । ତାହା ନିରବଧି କାଳରୁ ରହିଥିଲା, ପଣ୍ଡିତମାନଙ୍କର ପେଟରା ଭିତରେ କୃପଣର ଲୁଚାଧନ ହୋଇ ରହିଥିଲା । ଅନ୍ତତଃ ଓଡ଼ିଶାରେ ପଞ୍ଚସଖା ପୁରୋଗାମୀ ଭଳି ସେଗୁଡ଼ିକୁ ସରଳ କବିତ୍ଵଦ୍ଵାରା ଓଡ଼ିଆ ଭାଷାକୁ ବହିଆଣି ନଥିଲେ ସେଗୁଡ଼ିକ ହୁଏତ କାଳକ୍ରମେ ଅଳପ କେତେକଙ୍କ ପାଇଁ ଏକ ବୌଦ୍ଧିକ ସାମଗ୍ରୀ ହୋଇ ରହିଯାଇଥାନ୍ତା । ଅଥବା କେତୋଟି ବିଶିଷ୍ଟ ସାଧନା-ସମ୍ପ୍ରଦାୟର ଗୁପ୍ତ ସମ୍ପତ୍ତି ଭଳି ହୋଇ ରହିଯାଇଥାନ୍ତା । ପଞ୍ଚସଖା ଏକାଧାରରେ ସାଧକ ଥିଲେ, ଶାସ୍ତ୍ରଜ୍ଞ ଥିଲେ ଏବଂ ସର୍ବୋପରି ଅଧ୍ୟାତ୍ମ ସଂସ୍କୃତିର ବହୁମୂଲ୍ୟ ସମ୍ପଦଗୁଡ଼ିକୁ ଭାଷାରେ ଲେଖି ଲୋକଜୀବନ ମଧ୍ୟରେ ବିତରଣ କରିଦେବାକୁ ମଧ୍ୟ ଆପଣାର କର୍ତ୍ତବ୍ୟ ବୋଲି ମନେ କରୁଥିଲେ । ଓଡ଼ିଶାର ଅଧ୍ୟାତ୍ମ ବିଷୟରେ ଲୋକସାଧାରଣଙ୍କର ଦୃଷ୍ଟିକୁ ଅବଗତ କରାଇ ରଖିବାରେ ପଞ୍ଚସଖାଙ୍କର ଅବଦାନକୁ ପ୍ରକୃତରେ ଅତୁଳନୀୟ ବୋଲି କହିବାକୁ ହେବ । ଆମର ଏହି ଆଧୁନିକ ଯୁଗରେ ମଧ୍ୟ ପଞ୍ଚସଖାଙ୍କର କୃତିଗୁଡ଼ିକ ଏହି ଭୂମିର ଅଧିକାଂଶ ମନୁଷ୍ୟଙ୍କ ପାଖରେ ଅତ୍ୟନ୍ତ ଆଦରର ସମ୍ପଦ ହୋଇରହିଛି । ଭାରତୀୟ ଲୋକଦୃଷ୍ଟିକୁ ଏକ ବିମୋଚନକାରୀ ଅଧ୍ୟାତ୍ମଦ୍ୱାରା ଅନୁସେଚିତ କରିରଖିଛି ।

 

ଶାସ୍ତ୍ରୀୟମାନେ କାଳେ କାଳେ ସାହିତ୍ୟକୁ ଏକ ବିଶେଷ କ୍ଷେତ୍ରରୂପେ ଗ୍ରହଣ କରି ଆସିଛନ୍ତି । ମନୁଷ୍ୟର ଜୀବନକୁ ଯେତେବେଳେ ତା’ର ବିଭିନ୍ନ ପ୍ରୟୋଜନ ଅନୁସାରେ ଭାଗ ଭାଗ କରି ଦିଆଯାଏ, ସେତେବେଳେ ଜୀବନ କହିଲେ ସତେଅବା କେତେଗୁଡ଼ିଏ ଖୋପକୁ ଏକାଠି ବାନ୍ଧି ରଖି ଦିଆଯାଇଥିବା ଏକ ସମଷ୍ଟି ବୋଲି ଧରି ନିଆଯାଏ । ଏକ ବିଶେଷ ପ୍ରକାରର ବିନୋଦନ ଲାଗି ସାହିତ୍ୟର ମନୁଷ୍ୟ-ଜୀବନରେ ପ୍ରୟୋଜନ ରହିଛି ବୋଲି ସେତେବେଳେ ବିଶ୍ଵାସ କରାଯାଏ-। କାବ୍ୟତତ୍ତ୍ଵର ବହିମାନଙ୍କର ପଣ୍ଡିତମାନେ ‘ରସ’ ବୋଲି ଯେଉଁ ବିଶେଷ ସାମଗ୍ରୀଟିର ଚର୍ଚ୍ଚା କରିଛନ୍ତି, ତାହାକୁହିଁ ସାହିତ୍ୟର ଏକ ତୁଙ୍ଗତମ ଧ୍ୟେୟ ବୋଲି କୁହାଯାଇଛି । ଜୀବନର ଅନ୍ୟ ଅଂଶଗୁଡ଼ିକୁ ସତେଅବା ରସଶୂନ୍ୟ ବା ରସବର୍ଜିତ ବୋଲି ସୂଚନା ଦେଇ ସେହି ଅଭାବର ଏକ ସାମୟିକ ପୂରଣ ନିମନ୍ତେ ସାହିତ୍ୟରସର ଆସ୍ଵାଦନ ଲାଗି ପରାମର୍ଶ ଦିଆଯାଇଛି । ଏହିପରି ଏକ ସଂଜ୍ଞା ଦେଇ ସାହିତ୍ୟକୁ ବୁଝୁଥିବା ପର୍ଯ୍ୟନ୍ତ ପଞ୍ଚସଖା ସାହିତ୍ୟ ଆମକୁ ଆଦୌ କୌଣସି ରସ ରହିଥିବା ଭଳି ମନେ ହେବ ନାହିଁ । ମାତ୍ର ଯଦି, ଅନ୍ୟପକ୍ଷରେ, ସାହିତ୍ୟ ମଧ୍ୟରେ ମନୁଷ୍ୟକୁ ତା’ର ଚେତନାରେ, ତା’ର ସମ୍ବେଦନାରେ ଓ ତା’ର ଏକାତ୍ମତାର କ୍ଷେତ୍ରରେ ସୋପାନ ସୋପାନ କରି ଉଠାଇ ନେବାର ଏକ ଶକ୍ତି ରହିଛି ବୋଲି ସ୍ଵୀକାର କରାଯାଏ, ତେବେ ପଞ୍ଚସଖାଙ୍କର ସାହିତ୍ୟକୁ ପ୍ରକୃତରେ ଅମିତ ଶକ୍ତିର ଏକ ଉତ୍ସାହ ଭଣ୍ଡାର ବୋଲି ଅବଶ୍ୟ କୁହାଯାଇପାରିବ । ଆମ ତତ୍କାଳୀନ ଓଡ଼ିଶାର ସ୍ଥାନୀୟ ଭୂମି ଓ ସ୍ଥାନୀୟ ପ୍ରେରଣାଗୁଡ଼ିକୁ ପଞ୍ଚସଖା ସାହିତ୍ୟ ଭାରତୀୟ ବୃହତ୍ ପରମ୍ପରାଟି ସହିତ କେଡ଼େ ସୁଦୃଢ଼ ଖିଅ ଲଗାଇ ସମ୍ମିଳିତ କରି ରଖିଥିଲା । ଭାରତୀୟ ଅଧ୍ୟାତ୍ମ ସଂସ୍କୃତିର ପ୍ରାଣଧାରାଗୁଡ଼ିକ କେଡ଼େ ସହଜ ଭାବରେ ପଞ୍ଚସଖାଙ୍କର ସାହିତ୍ୟ ମଧ୍ୟରେ ଆପଣାକୁ ଉକୁଟାଇ ଦେଇପାରିଥିଲା । ଅଧିକାଂଶ ମଣିଷଙ୍କର ହୃଦୟକୁ ସ୍ପର୍ଶ କରୁଥିବା ଏକ ଭାଷାରେ ତଥା ଆବେଦନ-ଶୈଳୀରେ ସେହି ସାହିତ୍ୟ ଆପଣାକୁ ବ୍ୟକ୍ତ କରିପାରୁଥିଲା ଏବଂ ଆପଣାର ସେହି ଅସଲ କର୍ତ୍ତବ୍ୟଟିର ସମ୍ପାଦନ କରିପାରୁଥିଲା । ସମ୍ଭବତଃ ଆଦୌ କୌଣସି ଅତିରଞ୍ଜନ ନ କରି ଏପରି କୁହାଯାଇପାରିବ ଯେ, ଏହି ପଞ୍ଚସଖା ଯୁଗରେହିଁ ମଣିଷର ଅନ୍ତରଙ୍ଗ କଥା ଏବଂ ଆକାଂକ୍ଷାଗୁଡ଼ିକ ସବୁଠାରୁ ଅଧିକ ପରିମାଣରେ ଏବଂ ଅତ୍ୟନ୍ତ ଅକୃତ୍ରିମ ଓ ନିରଭିମାନ ଭାବରେ ପ୍ରଥମ କରି କୁହାଯାଇପାରିଥିଲା । ସାରଳା ଦାସ ଗଳ୍ପକାରିତାର କବି ଥିଲେ, ପାଠକମାନଙ୍କୁ କୁଆଡ଼େ ମନ କୁଆଡ଼େ ଉଡ଼ାଇ ନେଇ ଚମତ୍କୃତ କରିଦେଉଥିଲେ; ମାତ୍ର ପଞ୍ଚସଖାହିଁ ଓଡ଼ିଆ ସାହିତ୍ୟରେ ସତେଅବା ପ୍ରଥମଥର ପାଇଁ ମଣିଷକୁ ତା’ ଭିତରକୁ ଯିବାଲାଗି ବାଟ ବତାଇ ଦେଇଥିଲେ, ତାକୁ ତା’ ଦିବ୍ୟତାର ପରିଚୟ ଆଣି ଦେଇଥିଲେ । ସେହି ପରିଚୟଟି ଆଣି ଦେବାଲାଗି ସେମାନେ ସାହିତ୍ୟକୁ ଏକ ଶକ୍ତିଶାଳୀ ବାହନରୂପେ ବ୍ୟବହାର କରିପାରିଥିଲେ ।

 

ପଞ୍ଚସଖା କେତେକେତେ କଠିନ କଥାକୁ ଓ ଗହନ ତତ୍ତ୍ଵକୁ ଅକିଞ୍ଚନରୁ ଆହୁରି ଅକିଞ୍ଚନ ଅତ୍ୟନ୍ତ ସାଧାରଣ ମନୁଷ୍ୟମାନେ ମଧ୍ୟ ସହଜରେ ବୁଝିପାରିବାର ଭାଷାରେ ଯେ ବ୍ୟକ୍ତ କରିଛନ୍ତି; ସେମାନଙ୍କର ରଚନାଗୁଡ଼ିକୁ ପାଠକଲେ ପ୍ରକୃତରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେବାକୁ ହୋଇଯାଏ । ପ୍ରକୃତ କଥା ହେଉଛି, କୌଣସି ଲେଖକ ଜାଣିଶୁଣି ନିଜର ଭାଷାକୁ ସହଜ କିମ୍ବା କଠିନ କଦାପି କରେ ନାହିଁ । କେତେବେଳେ କଠିନ ଶବ୍ଦମାନ ଖୋଜି ନିଜର ଲେଖାକୁ କଠିନ କରିବାକୁ କିମ୍ବା ଆଉ କେତେବେଳେ ସହଜ ଶବ୍ଦଗୁଡ଼ିକୁ ଅଣ୍ଡାଳି ଆଣି ସହଜ ବୋଲି ପ୍ରତୀତ ହେବାକୁ ଜାଣିଶୁଣି ଚେଷ୍ଟା କରୁଥିଲେ ଲେଖୁଥିବା ସାହିତ୍ୟ ଭାରି ଭଣ୍ଡୁର ହୋଇଯାଏ । ଜଣେ ଲେଖକ ଯାହା ଲେଖିବାକୁ ଯାଉଛି, ସେଗୁଡ଼ିକୁ ସେ ନିଜେ ଯେତିକି ଅଳପ ବା ଅଧିକ ପରିମାଣରେ ବୁଝିଥାଏ ବା ହଜମ କରିଥାଏ, ସେହି ଅନୁସାରେ ତା’ର ଭାଷା କଠିନ ବା ସହଜ ହୁଏ । ଖାଲି ମାନସିକ ସ୍ତରରେ ରହିଥିଲେ ମଣିଷ ଅଳପ ବୁଝେ, ଅଳପ ବୁଝିବାକୁ ଅଧିକ ଓ କଠିନ ଶବ୍ଦଫନ୍ଦାଣଦ୍ଵାରା ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥାଏ । ମାତ୍ର, ଭାବଗୁଡ଼ିକର ହୃଦୟ ଭିତରକୁ ପଶିବା ସହଜ ହୋଇଗଲେ ଲେଖୁଥିବା ଭାଷାଟି ମଧ୍ୟ ସତେଅବା ସିଧା ହୃଦୟ ଭିତରୁ ଆସୁଥିବାପରି ଅନୁଭବ ହୋଇଥାଏ । ପଞ୍ଚସଖାଙ୍କର ଭାଷା ହୃଦୟର ଭାଷା, ଅଙ୍ଗେ ନିଭାଇଥିବା ଜୀବନର ଭାଷା, ସାଧନାର ଭାଷା । ତେଣୁ ସହଜ ଭାଷା । ମଣିଷ ନିଜେ ଯାହା ସତକୁସତ ହୋଇଯାଏ, ତାହାକୁ ଭାଷାରେ ପ୍ରକାଶ କରିବାକୁ ବସିଲେ ସେହି ଭାଷା ବିନା ଚେଷ୍ଟାରେହିଁ ସହଜ ହୋଇଯାଏ ।

 

ପଞ୍ଚସଖା ସଂସ୍କୃତ ଭିତରୁ ବହୁ ତଦ୍‍ଭବ ଶବ୍ଦର ଉଦ୍ଭାବନ କରି ଆଣିଛନ୍ତି । ସେଗୁଡ଼ିକ ଏଡ଼େ ଅକୃତ୍ରିମ ଓ ସହଜ ଭାବରେ କରାଯାଇଛି, ପଢ଼ିବାମାତ୍ରକେ ସତେଅବା ପ୍ରାକୃତ ଅଥବା ନିତାନ୍ତ ଦେଶଜ ଶବ୍ଦ ପରି ମନେ ହୋଇଥାନ୍ତି ଓ ଭାରି ଆପଣାର ଲାଗନ୍ତି । ଓଡ଼ିଆ ଭାଷାରେ ଆମେ ଅନେକ ଭାବକୁ କଦାପି ବିକଟ କରିପାରିବା ନାହିଁ ବୋଲି ଅନେକ ଓଡ଼ିଆଙ୍କର ଏବେ ମଧ୍ୟ ଧାରଣା ରହିଛି । ତେଣୁ ସେମାନେ ସେଥିପାଇଁ ତଥାକଥିତ ଉପଯୁକ୍ତ ଶବ୍ଦଗୁଡ଼ିକୁ ଜବରଦସ୍ତ ଆଣି ଓଡ଼ିଆ ଭିତରେ ପୂରାଇ ଦେବାକୁ ଇଚ୍ଛା କରୁଛନ୍ତି । ଏହି କାର୍ଯ୍ୟଟିରେ ମଧ୍ୟ ପଞ୍ଚସଖାଙ୍କର ଶବ୍ଦ-ବ୍ୟବହାର ଶୈଳୀ ଆମରୁ ଅନେକ ସାହାଯ୍ୟ କରିପାରିବ । ଯେତେବେଳେ ପାରିଭାଷିକ ଶବ୍ଦଗୁଡ଼ିକୁ ବାହାରୁ ଜାଲ ପକାଇ ଆଣୁଥିଲେ ମଧ୍ୟ ତଥାପି ଚେରଛିଣ୍ଡା ହେବାପରି ଆଦୌ ମନେ ହୁଏ ନାହିଁ, ସେତିକିବେଳେହିଁ ଯଥାର୍ଥ ଆହରଣ ସମ୍ଭବ ହୁଏ । ଏକଥା କରିପାରିବାକୁ ହେଲେ ଆମକୁ ପଞ୍ଚସଖାଙ୍କର ଶ୍ରଦ୍ଧା, ଅନୁରାଗ ଏବଂ ଅଙ୍ଗୀକାରବଦ୍ଧତାକୁ କେତେକ ପରିଣାମରେ ନିଜସ୍ଵ କରିପାରିବାକୁ ହେବ, ଆପଣାର ଚେରଗୁଡ଼ିକୁ, ଉଭୟ ଏହି ମାଟି ସହିତ ତଥା ଏହି ମନୁଷ୍ୟମାନଙ୍କ ସହିତ ଲାଗିଥିବା ଆମର ଚେରଗୁଡ଼ିକୁ ଅତ୍ୟନ୍ତ ନିବିଡ଼ ଭାବରେ ଅନୁଭବ କରିପାରିବାକୁ ହେବ । ତେବେ, ଅତ୍ୟନ୍ତ ସାବଲୀଳ ହୋଇ ଓଡ଼ିଆ ଭିତରକୁ ସଂସ୍କୃତ ଆସିପାରିବ, ଆହୁରି କେତେ ଭାଷା ମଧ୍ୟ ଆସିପାରିବ । ତଥାପି ଆମରି ଭାଷା ପରି ଲାଗିବ, କସରତ କରି ଅଣାଯାଇଥିବା ଭାଷା ପରି ଖାପଛଡ଼ା ଲାଗିବ ନାହିଁ–ଆମ ହୃଦୟକୁ ସିଧା ସ୍ପର୍ଶ କରିପାରୁଥିବ । ଆମ ଆହରଣ କରି ଆଣୁଥିବା ଯାବତୀୟ ସାଧୁଭାଷା ତଥାପି ଲୋକଭାଷାରେ ରୂପାନ୍ତରିତ ହୋଇଯିବ; ସେଗୁଡ଼ିକ ଯେଉଁଠାରୁ ଆସିଥିଲେ ମଧ୍ୟ ଆମ ନିଜର ଯଥାର୍ଥ କଥାଗୁଡ଼ିକୁ ତାହା ସମ୍ପୂର୍ଣ୍ଣ ସୁସ୍ଥ ଭାବରେ ବ୍ୟକ୍ତ କରିପାରୁଥିବ-। ପଞ୍ଚସଖା ଆପଣାର ପୋଥିଗୁଡ଼ିକରେ କେତେକେତେ ନୂଆ ଶବ୍ଦ ତିଆରି କରିଛନ୍ତି-। ପଞ୍ଚସଖା ସାହିତ୍ୟ ଏବଂ ସମଗ୍ର ଭାବରେ ଓଡ଼ିଆ ସନ୍ଥସାହିତ୍ୟର ଭାଷାତାତ୍ତ୍ଵିକ ଆଲୋଚନା ଏପର୍ଯ୍ୟନ୍ତ ପ୍ରାୟ କରାଯାଇନାହିଁ । ସେହି ଆଲୋଚନା ଆମକୁ ଆମର ବର୍ତ୍ତମାନ ଭାଷାକୁ ମଧ୍ୟ ସାବଲୀଳ କରିବାରେ ବହୁତ ସାହାଯ୍ୟ କରିପାରିବ ।

 

ପଞ୍ଚସଖାଙ୍କର ସାହିତ୍ୟ ସମସାମୟିକ ଓଡ଼ିଶାରେ ଏକ ସାମାଜିକ ଉଦ୍‍ବେଳନ ସୃଷ୍ଟି କରିଥିଲା ବୋଲି ଗବେଷକମାନେ ମତ ଦେଇଥାନ୍ତି । ସନ୍ଥମାନେ ସବୁ ଯୁଗରେ ଓ ସବୁ ଦେଶରେ ଯାହା କରିଛନ୍ତି, ଓଡ଼ିଶାରେ ପଞ୍ଚସଖା ସମ୍ଭବତଃ ତାହାହିଁ କରିଛନ୍ତି । ଭାରତୀୟ ଉପନିଷଦରେ ଅନ୍ନଠାରୁ ଆନନ୍ଦ ପର୍ଯ୍ୟନ୍ତ ପାଞ୍ଚଗୋଟି ସୋପାନରେ ବ୍ରହ୍ମର ବା ପରମ ସତ୍ୟର ବ୍ୟାଖ୍ୟା କରାଯାଇଛି । ପାଞ୍ଚଟିଯାକ ସୋପାନକୁ ଏକତ୍ର ଗୋଟିଏ ସମଗ୍ରରୂପେ ଜାଣିଲେ ଆମେ ବ୍ରହ୍ମକୁ ଜାଣିବା ବୋଲି ଘୋଷଣା କରାଯାଇଛି । ଅନ୍ନ ବା ଜଡ଼ ହେଉଛି ଜୀବନର ପ୍ରଥମ ଭୂମି । ତେଣୁ ପୂର୍ବାବଶ୍ୟକ ଭୂମି । ମନୁଷ୍ୟର ସମାଜ ପ୍ରତ୍ୟେକ ମନୁଷ୍ୟକୁ ସେହି ପ୍ରଥମ ଭୂମିଟିକୁ ଅବଶ୍ୟ ଯୋଗାଇଦେବା । ଗଛକୁ ତା’ର ଉପଯୁକ୍ତ ମାଟି ଯୋଗାଇ ଦେଲେ ତାହାର ଶାଖାପ୍ରଶାଖା ବିସ୍ତାର କରି ଫୁଲ ଓ ଫଳକୁ ସମ୍ଭବ କରି ଆଣିବା ନିମନ୍ତେ ଯେପରି ବାଟ ଫିଟାଇ ଦିଆଯାଏ, ପ୍ରାୟ ସେହିପରି ମନୁଷ୍ୟର ଅର୍ଥାତ୍‍ ପ୍ରତ୍ୟେକ ମଣିଷର ସର୍ବମୂଳ ଆବଶ୍ୟକତାଟିର ପୂରଣ ଲାଗି ଅନୁକୂଳ ଭୂମିଟିଏ ଉପଲବ୍ଧ ହୋଇପାରିଲେ ମନୁଷ୍ୟ ଆପଣାର ଦିବ୍ୟ ସମ୍ଭାବନାଗୁଡ଼ିକୁ ଉନ୍ମୋଚିତ କରି ଆଣିବା ଦିଗରେ ଯଥାର୍ଥ ସାମର୍ଥ୍ୟଟିକୁ ଲାଭ କରିବ–ଏଇଟି ଆମ ସଂସ୍କୃତିର ସର୍ବପ୍ରାଚୀନ କଥା, ଆମ ସର୍ବାଧୁନିକ ସଂସ୍କୃତିର କଥା । ଇତିହାସର ଧର୍ମମାନେ ଅଧିକାଂଶ କ୍ଷେତ୍ରରେ ସେହି କଥାଟିକୁ ଗୌଣ କରି ରଖିଛନ୍ତି । ସେଥିଲାଗି ସେମାନେ ମନୁଷ୍ୟମାନଙ୍କୁ ଯଥାର୍ଥ ପ୍ରେରଣାଗୁଡ଼ିକୁ ଯୋଗାଇଦେବା ପରିବର୍ତ୍ତେ ତାକୁ ଅଫିମ ଖୁଆଇ ଅଳ୍ପ ଓ ଶୀତଳ କରିରଖିଛନ୍ତି । ସନ୍ଥମାନେ ଚିରଦିନ ଏହିପରି ଅଫିମ ଖୁଆଇ ରଖିବାର ପ୍ରତିବାଦ କରିଛନ୍ତି । ସେମାନେ ମନୁଷ୍ୟର ଅସଲ ଜାଗୃତିର କଥାଟିକୁ କହିଛନ୍ତି ।

 

ଠିକ୍‍ ସେହି କାରଣରୁ ପଞ୍ଚସଖା ମଣିଷ ଭିତରେ ଛୋଟ ବଡ଼ ମାନି ନାହାନ୍ତି, ଉଚ୍ଚନୀଚ ମାନି ନାହାନ୍ତି । ଭାରତୀୟ ସମାଜକୁ ପ୍ରାୟ ପଙ୍ଗୁ ଏବଂ ଭୀରୁ କରି ରଖି ଆସିଥିବା ଜାତିଆଣ ଭେଦକୁ ସେମାନେ ପ୍ରାୟ ଏକ ମନୁଷ୍ୟକୃତ ଅଧର୍ମ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣାଟିକୁ କରିବାକୁ ଯାଇ ସେମାନେ ରାଜାର କଟାଳକୁ ମଧ୍ୟ ମାନି ନାହାନ୍ତି, ସମାଜକୁ ଅନ୍ଧାର ଭିତରେ ରଖିଥିବା ଅଭିମାନୀମାନଙ୍କୁ ମଧ୍ୟ ମାନି ନାହାନ୍ତି । ଜଗତରେ ସମସ୍ତେ ସମାନ, କାରଣ ସବୁରି ଭିତରେ ସତ୍ୟ ରହିଛି, ପରମେଶ୍ଵର ମଣିଷମାତ୍ରେ ସମସ୍ତଙ୍କ ଭିତରେ ସମ୍ଭାବନାରୂପେ ରହିଛନ୍ତି । ନିଜ ଭିତରର ସେହି ସମ୍ଭାବନାଟିକୁ ଘ୍ରାଣ କରିପାରିବା ଲାଗି ପ୍ରତ୍ୟେକ ମନୁଷ୍ୟ ସମର୍ଥ ହେବ, ମନୁଷ୍ୟର ସମାଜରେ ସେଥିପାଇଁ ଅନୁକୂଳ ପରିବେଶଟି ଅବଶ୍ୟ ରହିବା ଉଚିତ । ନିଜ ଭିତରେ ସମ୍ଭାବନାର ଅସଲ ବାସନାଟିକୁ ପାଇଲେ ସମାଜର ବ୍ୟବସ୍ଥା ଭିତରେ ରହିଥିବା ଯାବତୀୟ ଭେଦ ଏକାନ୍ତ ଅର୍ଥହୀନ ଓ ଅନାବଶ୍ୟକ ପରି ଅବଶ୍ୟ ଲାଗିବ-ଭାରି ନୃଶଂସ ବୋଲି ମନେ ହେବ । ଅଚ୍ୟୁତାନନ୍ଦ ‘ଗୁରୁଭକ୍ତି ଗୀତା’ରେ ଘୋଷଣା କରି କହିଛନ୍ତି ଯେ, ଜନ୍ମ ଅନୁସାରେ ମଣିଷମାନଙ୍କ ଭିତରେ କେହି ସାନ ନୁହେଁ କି କେହି ବଡ଼ ନୁହେଁ । କେବଳ ଏହି ମର୍ତ୍ତ୍ୟମଣ୍ଡଳର ଭିଆଣ ଅନୁସାରେ କିଏ ବଡ଼ ହୋଇଛି ତ ଆଉ କାହାକୁ ସାନ କରି ରଖାଯାଇଛି । ମନୁଷ୍ୟମାତ୍ରକେ ସମସ୍ତଙ୍କୁ ଗୋଟିଏ ଜାତି ବୋଲି ବୁଝିବା ଲାଗି ତାଙ୍କର ଆଉ ଗୋଟିଏ ପୋଥି ‘କୈବର୍ତ୍ତ ଗୀତା’ରେ କୁହାଯାଇଛି । ସମାଜର ଉଚ୍ଚ ବର୍ଣ୍ଣମାନେ ନିଜର ପୋଥିମାନଙ୍କରେ ନିଜ ଅଭିପ୍ରାୟଗୁଡ଼ିକୁ ସିଦ୍ଧ କରିବା ନିମନ୍ତେ ଶୂଦ୍ର ଭଗବାନଙ୍କର ଚରଣରୁ ଜାତ ବୋଲି କହି ଆସିଛନ୍ତି । ସଂସାରର ଭାବନା ଅନୁସାରେ ମସ୍ତକକୁ ଚରଣଠାରୁ ଉଚ୍ଚରେ ବୋଲି ବିବେଚନା କରାଯାଏ । ମାତ୍ର, ଆଧ୍ୟାତ୍ମିକ ହୃଦୟରେ ଭାବିଲେ ଭଗବାନଙ୍କର ମସ୍ତକ ଏବଂ ଚରଣ ଭିତରେ ଆଦୌ କୌଣସି ଅନ୍ତର କାହିଁକି ବା ରହିବ ? ଅଚ୍ୟୁତାନନ୍ଦ ଦାସ ଶୂଦ୍ରର ଚରଣରୁ ଜାତ ହୋଇଥିବାର ପ୍ରସଙ୍ଗଟିକୁ ସେହି ଆଧ୍ୟାତ୍ମିକ ଅର୍ଥରେହିଁ ଗ୍ରହଣ କରିଛନ୍ତି ।

 

ଶୂଦ୍ର ହେଉଛି ଚରଣରୁ ଜାତ ଚରଣସେବକ । ତେଣୁ ଶୂଦ୍ରର ସ୍ଥିତି ହେଉଛି ଏକ ଅତ୍ୟନ୍ତ ପବିତ୍ର ସ୍ଥିତି; ତାହା କେବଳ ସାଧନାଦ୍ଵାରା ପ୍ରାପ୍ତ ହୋଇପାରେ । ‘କୈବର୍ତ୍ତ ଗୀତା’ରେ ସେହି କଥାଟିକୁ ବାରବାର କୁହାଯାଇଛି ଏବଂ ଶୋଇଥିବା ଜାତିଗୁଡ଼ିକୁ ଭଗବାନଙ୍କର ବିଧାନ ବୋଲି ମାନି ନେଇଥିବା ମନୁଷ୍ୟ ଭିତରେ ତା’ର ଅସଲ ମହିମ୍ନ ଭାବଟିକୁ ଜାଗୃତ କରାଇ ଆଣିବାର ଉଦ୍‍ବୋଧନ ଦିଆଯାଇଛି । ‘ଶୂଦ୍ର ଚରଣରୁ ଜାତ ହୋଇଛି, ଭଗବାନଙ୍କର ପୟରର ସେବା କରୁଛି, ତାଙ୍କର ପଦକୁ ପଖାଳି ପବିତ୍ର କରୁଛି । ବାରିକ, ଭଣ୍ଡାରି, ହାଡ଼ି ଏମାନେ ସ୍ଵୟଂ ଭଗବାନଙ୍କ ବ୍ୟତୀତ ଆଉ କିଛି ନୁହଁନ୍ତି ବୋଲି ଅଚ୍ୟୁତାନନ୍ଦ ସେହି ପୋଥିରେ କୃଷ୍ଣ-ଅର୍ଜୁନ ସମ୍ବାଦରେ ସ୍ଵୟଂ କୃଷ୍ଣଙ୍କର ମୁଖରେ କୁହାଇଛନ୍ତି । ଏକ ନିର୍ଦ୍ଦିଷ୍ଟ ଅଭିପ୍ରାୟର ସାଧନଲାଗି ସମାଜରେ ଜାତିଭେଦର ସୃଷ୍ଟି କରାଯାଇଥିଲା । ଜାତି ଅନୁସାରେ କର୍ମର ଭେଦ କରାଯାଇ ଶାସ୍ତ୍ରର ଅଧ୍ୟୟନ-କ୍ଷେତ୍ରରେ ନୀଚଜାତିମାନଙ୍କଠାରୁ ସମସ୍ତ ଅଧିକାର କାଢ଼ି ନିଆଯାଇଥିଲା । ତଳେ ରହିଥିବା ଜାତିମାନେ ସମାଜ ବରାଦ କରାଇ ଦେଇଥିବା ସେହି ଭେଦଗୁଡ଼ିକୁ ମାନି ଭାଗ୍ୟକୁ ନେଇ ରହିଥିଲେ । ସେହିପରି ଏକ ଅନ୍ଧକାରର ରାଜତ୍ଵ ଭିତରେ ପଞ୍ଚସଖା ବାହାରର ଶୁଦ୍ଧତା ବଦଳରେ ଅନ୍ତରର ଶୁଦ୍ଧତା ବିଷୟରେ କହିଥିଲେ ଏବଂ ପ୍ରତ୍ୟେକ ଜାତିକୁ ତା’ର ଅଧିକାରତ୍ଵ ବିଷୟରେ ସଚେତନ କରାଇ ଦେଇଥିଲେ । ସେମାନେ କେଡ଼େ ଦୃଢ଼ତାର ସହିତ କହିଲେ ଯେ, ଭଗବାନଙ୍କର ଆଖିରେ କେହି କାହାରିଠାରୁ ମୋଟେ ଛୋଟ ନୁହଁନ୍ତି ଅଥବା ବଡ଼ ନୁହଁନ୍ତି । ତେଣୁ ସମାଜ ଓ ସଂହିତାର ଭେଦ ଅନୁସାରେ ମଣିଷ ମଣିଷ ଭିତରେ ଆଦୌ କୌଣସି ପାତ୍ରାନ୍ତର କରାଯାଇପାରିବନାହିଁ ।

 

ପଞ୍ଚସଖାଙ୍କର ବ୍ରହ୍ମସାଧନା ଏହିଭଳି ଏକ ସମଚକ୍ଷୁ ସାମାଜିକ ବିବେକରୁ ଆରମ୍ଭ ହୋଇଛି । ପରମେଶ୍ଵରଙ୍କର ଜ୍ୟୋତିରୁହିଁ ଚରାଚର ବିଶ୍ଵଭୁବନର ସୃଷ୍ଟି ହୋଇଛି ବୋଲି ଗ୍ରହଣ କରିନେଇ ପାରିଲେ ଏବଂ ସେହି ଜ୍ୟୋତିକୁ ନିଜ ଭିତରେ ମଧ୍ୟ ଅନୁଭବ କରିପାରିଲେ ମଣିଷ ଆଉ କଦାପି ସେହି ପୁରୁଣା ଭେଦଗୁଡ଼ିକର ପଙ୍କ ଭିତରେ ଲିପ୍ତ ହୋଇ ରହିବାକୁ ମନ କରିବ ନାହିଁ-। ‘ଗୁରୁଭକ୍ତି ଗୀତା’ରେ ଅଚ୍ୟୁତାନନ୍ଦ ଉଲ୍ଲେଖ କରିଛନ୍ତି ଯେ, ଗୁରୁଙ୍କଠାରୁ ଦୀକ୍ଷାଗ୍ରହଣ କରିବା ପୂର୍ବରୁ ଜଣେ ବ୍ୟକ୍ତିକୁ ଚାରି ଜାତିରୁ ଚାରିଜଣ ବ୍ୟକ୍ତିଙ୍କୁ ଡାକିଆଣି ସେମାନଙ୍କର ପୂଜା କରିବାକୁ ପଡ଼ିବ । ଅର୍ଥାତ୍‍, ବ୍ୟକ୍ତି ବ୍ୟକ୍ତି ଭିତରେ ଜାତିର ଭେଦ ଅନୁସାରେ ଯେଉଁ ଅବିବେକଟି ପରମ୍ପରା ଅନୁସାରେ ରହିଆସିଛି, ସାଧନାର ଜୀବନରେ ପ୍ରବେଶ କରିବା ପୂର୍ବରୁ ସବା ଆଗ ସେହି କଥାଟିକୁ ଅତିକ୍ରମ କରିବାକୁ ହେବ । ଅଧ୍ୟାତ୍ମର ଅର୍ଥ ହେଉଛି ମନୁଷ୍ୟ ସହିତ ଏକାବେଳକେ ଯେ ଏକ ଅନ୍ୟ ସମ୍ବନ୍ଧ, ଏକ ଆଧ୍ୟାତ୍ମିକ ସମ୍ବନ୍ଧ, ସର୍ବପ୍ରଥମେ ତାହାର ପ୍ରମାଣ ଦେବାକୁ ପଡ଼ିବ । ଆପଣାର ‘ଗୀତାବକାଶ’ରେ ବଳରାମ ଦାସ ଓଡ଼ିଶାର ରାଜା ଏବଂ ସମାଜର ଅଧିକାରୀ ବ୍ରାହ୍ମଣମାନଙ୍କ ଆଗରେ ଅଯତ୍ନ ନମ୍ର ଅଥଚ ସ୍ପଷ୍ଟ ଭାବରେ ଘୋଷଣା କରିଛନ୍ତି ଯେ, ଆପଣାର ଜାତି ନିର୍ବିଶେଷରେ ବ୍ରହ୍ମକୁ ଚିହ୍ନିଥିବା ଯେକୌଣସି ମନୁଷ୍ୟ ବ୍ରହ୍ମବିଦ୍ୟାର ଅଧିକାରୀ ହୋଇପାରିବ-। କୌଣସି ଯଥାର୍ଥ ବିଦ୍ୟାରେ କେବଳ ବ୍ରାହ୍ମଣରହିଁ କଦାପି ଅଧିକାର ରହିବା ଉଚିତ ନୁହେଁ ଏବଂ ଜଣେ ଯଥାର୍ଥ ଭକ୍ତ ଲାଗି ସେଗୁଡ଼ିକୁ କଦାପି ଅଗୋଚର ବା ଗୋପ୍ୟ କରି ରଖାଯାଇପାରିବ ନାହିଁ-। ଭାରତବର୍ଷର ଅଧ୍ୟାତ୍ମ ବିଦ୍ୟା ଯେତିକି ପୁରୁଣା, ଜାତି ଜାତି ଭିତରେ ଏହି ଉଚ୍ଚନୀଚ-ବିଚାର ମଧ୍ୟ ହୁଏତ ସେତିକି ପୁରୁଣା । ସେହି ପ୍ରାଚୀନ ଯୁଗରୁ ଲେଖା ହୋଇ ରହିଥିବା ତଥାକଥିତ ଧର୍ମଶାସ୍ତ୍ରମାନଙ୍କରେ ସେହିସବୁ ଭେଦ ବିଷୟରେ କେତେ ବିସ୍ତାରିତ ବର୍ଣ୍ଣନାମାନ ରହିଛି-। ସେତେବେଳେ ଆର୍ଯ୍ୟବର୍ତ୍ତରେ ଦୁଇଟି ନିୟମ ଚଳୁଥିଲା । ଗୋଟିଏ ଆର୍ଯ୍ୟମାନଙ୍କ ପାଇଁ ଏବଂ ଆଉ ଗୋଟିଏ ଆର୍ଯ୍ୟେତରମାନଙ୍କ ପାଇଁ । ଅପରାଧ ଏବଂ ଶାନ୍ତିବିଧାନର କ୍ଷେତ୍ରରେ ମଧ୍ୟ ଉଚ୍ଚ ଜାତି ଏବଂ ନିମ୍ନ ଜାତିର ବିଚାର କରାଯାଉଥିଲା ଏବଂ ସମ୍ଭବତଃ ସେହି ଆଦ୍ୟକାଳରୁହିଁ ସନ୍ଥମାନେ ତାହା ପ୍ରତିବାଦ କରି ଆସିଥିଲେ ।

 

ପ୍ରତ୍ୟେକ ମନୁଷ୍ୟକୁ ମନୁଷ୍ୟରୂପେ ସ୍ଵୀକାର କରିବାର ଆହ୍ଵାନ, ଏଇଟି ସନ୍ଥମାନଙ୍କର ଆହ୍ଵାନ । ଭାରତବର୍ଷର ଅଧ୍ୟାତ୍ମବିଦ୍ୟା ଏବଂ ଭାରତବର୍ଷର ସାମାଜିକ ବାସ୍ତବ ଜୀବନ ମଧ୍ୟରେ ପ୍ରାୟ ସେହି ମୂଳ କାଳରୁ ଯେଉଁ ଦୂରତାଗୁଡ଼ିକ ଉପରର ସମର୍ଥନ ପାଇ ରହିଆସିଛି, ଆପଣାର ବାଣୀ ତଥା ଆଚରଣଦ୍ଵାରା ଭାରତରେ ସନ୍ଥମାନେ ତାହାକୁ ଅସ୍ଵୀକାର କରିଛନ୍ତି । ପ୍ରଧାନତଃ ସନ୍ଥମାନେହିଁ ଭାରତବର୍ଷର ବାଣୀ ଓ ଭାରତବର୍ଷର ଜୀବନକୁ ପରସ୍ପରର ଯଥାସମ୍ଭବ ଅଧିକ ନିକଟବର୍ତ୍ତୀ କରି ରଖିବାର ପ୍ରୟାସ କରିଛନ୍ତି । ଓଡ଼ିଶାର ପଞ୍ଚସଖାଙ୍କୁ ଆମେ ସେହି ପର୍ଯ୍ୟାୟରେହିଁ ଏକତ୍ର କରି ଗଣନା କରିପାରିବା । ସମାଜ ଭିତରେ ସାନ ଓ ପଛ ହୋଇ ରହିଥିବା ସମୂହଗୁଡ଼ିକ ମଧ୍ୟରେ ଏକ ମାନବୋଚିତ ସମ୍ମାନବୋଧ ଆଣି ଦେବାଲାଗି ପଞ୍ଚସଖା ଆପଣାର ସାହିତ୍ୟ ତଥା ଜୀବନଯାପନର ମାଧ୍ୟମରେ ଯେଉଁ ସାହସ ଓ ଉଦ୍ୟମ କରିଥିଲେ, ସେହି ସାହସ ଓଡ଼ିଶାରେ ଏବେ ମଧ୍ୟ ବିରଳ ହୋଇ ରହିଛି । ଉଦାହରଣସ୍ୱରୂପ ଆମେ ଅଚ୍ୟୁତାନନ୍ଦ ଦାସଙ୍କର ‘ଗୋପାଳଙ୍କ ଓଗାଳ’ ଓ ‘କୈବର୍ତ୍ତ ଗୀତା’ ପୋଥି ଦୁଇଟିକୁ ଗ୍ରହଣ କରିପାରିବା । ସାନ ଜାତିମାନଙ୍କର ଚିତ୍ତରେ, ସେହିସବୁ ଜାତିର ପୂଜାପାର୍ବଣଗୁଡ଼ିକର ଜରିଆରେ ସେମାନେ ଏକ ଆତ୍ମବୋଧର ଜାଗରଣ ସମ୍ଭବ କରିବାର ପ୍ରୟାସ କରିଛନ୍ତି । ଯିଏ ଯେଉଁ ଜାତିର ହୋଇଥାଉ ପଛକେ, ଏକ ଅନ୍ତର୍ଗତ ବାସନାର ଯୋଗ୍ୟ ହୋଇପାରିଲେ ସିଏ ଯେ ଭଗବାନଙ୍କର ଅବଶ୍ୟ ଯୋଗ୍ୟ ହୋଇପାରିବ, ପୋଥିଗୁଡ଼ିକରେ ତାହାରି ଘୋଷଣା କରାଯାଇଛି ।

 

ଅଧ୍ୟାତ୍ମର କଳ୍ପନା ହେଉଛି ଏକ ସମଗ୍ର କଳ୍ପନା । ଇତିହାସର ଧର୍ମମାନେ ସମଗ୍ରତାର ସେହି ମେଦିନୀଟିକୁ ଚିରକାଳ ଖଣ୍ଡଖଣ୍ଡ କରିଦେବାର ଅପଚେଷ୍ଟା କରି ଆସିଛନ୍ତି । ଏବେ ମଧ୍ୟ ଧର୍ମାଙ୍ଗନର ଧୁରନ୍ଧରମାନେ ପ୍ରଧାନତଃ ତାହାହିଁ କରୁଛନ୍ତି । ଭାରତୀୟ ଧର୍ମ ଓ ସମାଜ ବ୍ୟବସ୍ଥା ଭାରତୀୟ ମନୁଷ୍ୟ ସମାଜକୁ ଯୁଗେଯୁଗେ ଖଣ୍ଡଖଣ୍ଡ କରି ରଖିବାର ଯେଉଁ ଦୁଷ୍ଟ ପ୍ରରୋଚନା ଦେଇଆସିଛନ୍ତି, ଭାରତୀୟ ସନ୍ଥମାନଙ୍କର ବିଦ୍ରୋହୀ ସନ୍ଦେଶଟିହିଁ ସମ୍ଭବତଃ ସବୁଠାରୁ ଅଧିକ ଶକ୍ତିଶାଳୀ ଭାବରେ ସେଗୁଡ଼ିକର ପ୍ରତ୍ୟୁତ୍ତର ଦେଇଆସିଛି । ଭାରତୀୟ ଅଧ୍ୟାତ୍ମକୁ ସଚଳ ଓ ଜୀବନ୍ତ ରଖିଛି । ଓଡ଼ିଶାରେ ମଧ୍ୟ ପଞ୍ଚସଖା ସେହିକଥା କରିଛନ୍ତି । ଯେଉଁ ସାହିତ୍ୟ ମନୁଷ୍ୟର ଆଖିକୁ ତା’ ଭିତର ଆଡ଼କୁ ମୁହାଁଇ ଦେଇ ତା’ର ଅନ୍ତର୍ନିହିତ ବିରାଟ ଓ ଶକ୍ତିମାନଟି ବିଷୟରେ ମଣିଷକୁ ଜାଗୃତ କରାଇ ଆଣେ, ମନୁଷ୍ୟକୁ ଜଣେ ମନୁଷ୍ୟ ହିସାବରେ ତା’ର ସମ୍ମାନବୋଧ ବିଷୟରେ ସଚେତନ କରି ଜାଣେ, ଜଡ଼ତା ଭାଙ୍ଗିଦିଏ, ଭୀରୁତାକୁ ହରଣ କରିନିଏ, ସାହିତ୍ୟ ନାମରେ ପ୍ରତିଷ୍ଠିତ ଯାବତୀୟ ଅନ୍ୟ ମତଗୁଡ଼ିକ ସତ୍ତ୍ୱେ ଆମେ ତାହାକୁହିଁ ଅସଲ ସାହିତ୍ୟ ବୋଲି କହିବା । ସେହି ସାହିତ୍ୟହିଁ ମଣିଷର ଅସଲ କାମରେ ଆସେ । ସେହି ସାହିତ୍ୟ ଯଥାର୍ଥ ସମ୍ବେଦନଶୀଳତା ଏବଂ ପାରସ୍ପରିକତାର ଉଦ୍ରେକ କରାଏ । ଓଡ଼ିଆ ଭାଷାରେ ପଞ୍ଚସଖା ସାହିତ୍ୟ ହେଉଛି ସେହିପରି କାଟର ଏକ ସାହିତ୍ୟ, ଓଡ଼ିଆ ସାହିତ୍ୟର ବିଭିନ୍ନ ଯୁଗ ମଧ୍ୟରେ ପଞ୍ଚସଖା-ଯୁଗ ହେଉଛି ସେହିଭଳି ଗୋଟିଏ ଯୁଗ । ଏବେ ମଧ୍ୟ ଆମ ସମାଜରେ ବହୁ ମନୁଷ୍ୟ ଅସମ୍ମାନ ଭିତରେ ଅସମ୍ମାନଙ୍କୁ ଆଦରି ରହିଛନ୍ତି । ଏବେ ମଧ୍ୟ ବହୁ ପାଷଣ୍ଡତା ମନୁଷ୍ୟମାନଙ୍କୁ ଯଥାର୍ଥ ମନୁଷ୍ୟପଣରୁ ବିଚ୍ୟୁତ ଓ ବଞ୍ଚିତ କରି ରଖିଛି । ଉଚ୍ଚ ଓ ନୀଚ ଉଭୟ ମଣିଷ ବଞ୍ଚିତ ହୋଇ ରହିଛନ୍ତି । ଏବେ ମଧ୍ୟ ପଞ୍ଚସଖା ଓ ପଞ୍ଚସଖା ସାହିତ୍ୟର ଏକ ବିଶେଷ ପ୍ରାସଙ୍ଗିକତା ରହିଛି ।

Image

 

Unknown

ସପ୍ତମ ପରିଚ୍ଛେଦ

ସାହିତ୍ୟରେ ରୀତିଯୁଗ ଏବଂ...

 

ଜୀବନର ସବୁ କ୍ଷେତ୍ରପରି ସାହିତ୍ୟରେ ମଧ୍ୟ ଏକ ରୀତି ସବୁବେଳେ ରହିଆସିଛି । ଗଦ୍ୟ ସାହିତ୍ୟରେ ରହିଆସିଛି, ପଦ୍ୟ ସାହିତ୍ୟରେ ରହିଆସିଛି । ପ୍ରାଚୀନ ସାହିତ୍ୟରେ ଥିଲା, ଆଧୁନିକ ସାହିତ୍ୟରେ ମଧ୍ୟ ରହିଛି । ରୀତି ଅର୍ଥାତ୍‍ ଏକ ଶୃଙ୍ଗଳ, ଯାହାଦ୍ୱାରା ଜଣେ ଲେଖକ ଆପଣାର ଭାବନାରାଜିକୁ ବ୍ୟକ୍ତ କରିପାରିବ । ସେହି ଶୃଙ୍ଖଳା ବା ରୀତି ବିଭିନ୍ନ କାଳର ନାନା ପରିସ୍ଥିତି ଏବଂ ଆବଶ୍ୟକତାକୁ ମାନି ସର୍ବଦା ବଦଳି ଯାଇଛି । ଜଣେ ବିଶେଷ ମେଧାସମ୍ପନ୍ନ ତଥା ବିଶେଷ ଭାବରେ ସୃଜନସମର୍ଥ ଲେଖକ ମଧ୍ୟ ତା’ କାଳର ପ୍ରଚଳିତ ରୀତିଟି ସତ୍ତ୍ୱେ ଆପଣାଲାଗି ସାହିତ୍ୟ-ରଚନାର ସମ୍ପୂର୍ଣ୍ଣ ଏକ ନୂତନ ରୀତିର ଉଦ୍ଭବ କରିଆସିଛି । ସେ ଏକ ନୂତନ ବାଟ ଫିଟାଇଛି । ଆମେ ରୀତିକୁ ଆଧୁନିକ ଭାଷାରେ ଶୈଳୀ ବୋଲି କହୁଛୁ । ଅନେକ ସମୟରେ ସାହିତ୍ୟର ଶୈଳୀ ଦେଇ ସାହିତ୍ୟିକକୁ ଚିହ୍ନିପାରୁଛୁ, ବିଭିନ୍ନ ସାହିତ୍ୟିକଙ୍କୁ ଗୋଟିଏ ଶ୍ରେଣୀରେ ଅନ୍ତର୍ଗତ କରିପାରୁଛୁ । ଯାବତୀୟ ସାହିତ୍ୟ ବିଚାରରେ ଗୋଟିଏ ହେଉଛି ଆତ୍ମିକ, ଆଉ ଗୋଟିଏ ହେଉଛି ଆଙ୍ଗିକ । ଜଣେ ଲେଖକ କ’ଣ ସବୁ ଲେଖିଛି, ଅର୍ଥାତ୍‍ ଆପଣାର ଲେଖାଗୁଡ଼ିକୁ ଦେଇ ସେ ଆମକୁ କ’ଣ ସବୁ କହିବାକୁ ଇଚ୍ଛା କରିଛି, ସେଇଟି ହେଉଛି ଆତ୍ମିକ । ପ୍ରତ୍ୟେକ ଆତ୍ମିକର ଏକ ଉଚ୍ଚତା ରହିଛି, ଅର୍ଥାତ୍‍ ଏକ ଗଭୀରତା ରହିଛି । ଏହି ଗଭୀରତା ବା ଉଚ୍ଚତା ହେଉଛି ସାହିତ୍ୟିକର ନିଜ ଉପଲବ୍ଧିର ଗଭୀରତା ବା ଉଚ୍ଚତା । ଜଣେ ଲେଖକ ଯାହାକିଛି ଲେଖିଛି ବା ପ୍ରକାଶ କରିଛି, ତାହାକୁ ସେ କିପରି ଭାବରେ ପ୍ରକାଶ କରିଛି, କେଉଁ ଗଢ଼ଣର ସାହାଯ୍ୟ ନେଇଛି, ସେଇଟି ହେଉଛି ତାହାର ଆଙ୍ଗିକ । ମାତ୍ର ଏଥିରୁ ଆମେ କଦାପି ଏଭଳି ବୁଝିବାକୁ ଇଚ୍ଛା କରିବା ନାହିଁ ଯେ, ସାହିତ୍ୟର ଭିତରଟା ବା ଅନ୍ତରଟା ହେଉଛି ତା’ର ଆତ୍ମିକ ଏବଂ ବାହାରଟା ହେଉଛି ଆଙ୍ଗିକ । ଆତ୍ମିକ ଅନୁସାରେ ସର୍ବଦା ଏକ ଆଙ୍ଗିକର ଲୋଡ଼ା ହୋଇଥାଏ, ପୁଣି ଏକ ନିର୍ଦ୍ଦିଷ୍ଟ ଆଙ୍ଗିକଟିଏ ବ୍ୟବହାର କରିବାକୁ ମନ କଲେ ଏକ ଅନୁରୂପ ଆତ୍ମିକର ଅଧିକାରୀ ହେବାକୁ ମଧ୍ୟ ପଡ଼ିଥାଏ ।

 

ଯଦି ସାହିତ୍ୟ ସହିତ ରୀତିଟିଏ ସବୁ ଯୁଗରେ ଥିଲା ଏବଂ ରହିବ, ତେବେ ଓଡ଼ିଆ ସାହିତ୍ୟର ଗୋଟିଏ ଯୁଗକୁ କାହିଁକି ସ୍ଵତନ୍ତ୍ର ନାମଟିଏ ଦେଇ ରୀତିଯୁଗ ବୋଲି କୁହାଯାଇଛି ? ଖାଲି ଓଡ଼ିଆ ସାହିତ୍ୟରେ ନୁହେଁ, ଭାରତୀୟ ଅନ୍ୟାନ୍ୟ ଭାଷାର ସାହିତ୍ୟରେ ମଧ୍ୟ ରୀତିଯୁଗ ରହିଛି-। ଇଂରାଜୀ ପ୍ରଭୃତି କେତେକ ଇଉରୋପୀୟ ସାହିତ୍ୟରେ ଏପରି ଗୋଟିଏ ଗୋଟିଏ ସମୟ ଦେଖିବାକୁ ମିଳିବ, ଯାହାକୁକି ସମ୍ପୂର୍ଣ୍ଣ ଯୁକ୍ତି ସହିତ ରୀତିଯୁଗ ବୋଲି କୁହାଯାଇପାରିବ । ଓଡ଼ିଆ ସାହିତ୍ୟର ରୀତିଯୁଗ ଭିତରେ ପ୍ରବେଶ କରିବା ପୂର୍ବରୁ ଆମେ ସମସାମୟିକ ଓଡ଼ିଶାର ପରିସ୍ଥିତି ସମ୍ବନ୍ଧରେ କିଞ୍ଚିତ୍ ଆଲୋଚନା କରିବା । ଗଜପତି ରାଜାମାନଙ୍କର ଶାସନ ଯାଇ ୧୫୬୮ ଖ୍ରୀଷ୍ଟାବ୍ଦରୁ ଓଡ଼ିଶାକୁ ମୁସଲମାନ ଓ ମୋଗଲ ଶାସନ ଆସିଲା । ତା’ପରେ ପ୍ରାୟ ତିନିଶହବର୍ଷ ପର୍ଯ୍ୟନ୍ତ ଅର୍ଥାତ୍‍ ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଉପରେ ଅଧିକାର ବିସ୍ତାର କରିବା ପର୍ଯ୍ୟନ୍ତ ଓଡ଼ିଶା ପ୍ରାୟ ଏକ ରାଜନୀତିକ ଅରାଜକତାର ରାତ୍ରି ଭିତରେ ରହିଥିଲା-। ଶାସନର ମୂଳ କେନ୍ଦ୍ରଟି ଭାଙ୍ଗିଯିବା ପରେ ଓଡ଼ିଶା ଏକାବେଳକେ କେତେ କେନ୍ଦ୍ରରେ ଛିନ୍‍ଛତର ହୋଇଗଲା । କୁନି କୁନି ଓ କୁଜୀ ରାଜାମାନେ ନିଜ ନିଜର ସାନ ସାନ ଡିହ ଉପରେ ଆପଣାକୁ ସତେଅବା ସପ୍ତଦଶ ପୃଥିବୀଯାକର ଖିଳ-ଅଧୀଶ୍ଵର ବୋଲାଇଲେ । ଏକ ପରବର୍ତ୍ତୀ କାଳରେ ଭାରତ ପରି ମୋଗଲ ସାମ୍ରାଜ୍ୟ ଭାଙ୍ଗିଯିବା ପରେ ଯେପରି ସ୍ଥାନୀୟ କୁଜୀ ନବାବମାନେ ଆପଣାର ସାନ ସାନ ଦ୍ଵୀପବତ୍ ରାଜ୍ୟଗୁଡ଼ିକ ମଧ୍ୟରେ ନିଜକୁ ତଥାପି ପୂର୍ବର ସେହି ପ୍ରତାପଶାଳୀ ଯୁଗର ଦାୟାଦ ବୋଲାଉଥିଲେ, ଓଡ଼ିଶାରେ ପ୍ରାୟ ସେହିପରି ଏକ ସ୍ଥିର ରାଜତ୍ଵ କରିବାକୁ ଆସିଥିଲା । ଓଡ଼ିଶାର ସାଂସ୍କୃତିକ ସଂହତିକୁ ସେହି ସ୍ଥିତି ଛାରଖାର କରିଦେଇଥିଲା ।

 

ମୁସଲମାନ ଏବଂ ମୋଗଲ ସାଙ୍ଗକୁ ମରହଟ୍ଟାମାନେ ଆସି ପହଞ୍ଚିଗଲେ । ଛତ୍ରପତି ଶିବାଜୀଙ୍କର ସମୟରେ ଯଦି ତାଙ୍କର ଶାସନାଞ୍ଚଳଟିକୁ ମରହଟ୍ଟା ସାମ୍ରାଜ୍ୟ କୁହାଯାଏ, ତେବେ କହିବାକୁ ପଡ଼ିବ ଯେ ମରହଟ୍ଟାମାନେ ଏଠି ଓଡ଼ିଶାରେ ଆସି ପହଞ୍ଚିବା ସମୟକୁ ସେହି ସାମ୍ରାଜ୍ୟଟି ମଧ୍ୟ ଛିନ୍‍ଛତର ହୋଇଯାଇଥିଲା । ଗୋଟିଏ କେନ୍ଦ୍ର ପାଞ୍ଚୋଟି କେନ୍ଦ୍ରରେ ବିଭକ୍ତ ହୋଇଯାଇଥିଲା । ନାଗପୁରକୁ ନିଜ ମୂଳ ଛାଉଣି କରି ଯେଉଁ ଭୋଁସଲାମାନେ କେତେ ବର୍ଷପାଇଁ ଶାସନରେ ପ୍ରତିଷ୍ଠିତ ହୋଇ ରହିଥିଲେ, ସେହିମାନେହିଁ ମାଡ଼ୁ ମାଡ଼ୁ ପୂର୍ବଦିଗରେ ଓଡ଼ିଶାଯାଏଁ ମାଡ଼ି ଆସିଥିଲେ । ଓଡ଼ିଶାରେ ସେମାନଙ୍କୁ ଅଧିକ ପରିଚିତ ଭାଷାରେ ବର୍ଗୀ ବୋଲି କୁହାଯାଉଥିଲା । ସ୍ଥାନୀୟ ଅର୍ଥରେ ବର୍ଗୀ କହିଲେ ଲୁଟତରାଜ କରି ଲୋକଙ୍କୁ ଭୟଭୀତ କରାଉଥିବା ତସ୍କରମାନଙ୍କୁ ବୁଝାଉଥିଲା । ସେହି ବର୍ଗୀମାନଙ୍କର ପ୍ରକୋପରେ ତତ୍କାଳୀନ ଓଡ଼ିଶା କିପରି ଗ୍ରସ୍ତ ହୋଇ ରହିଥିଲା, ଫକୀରମୋହନଙ୍କର ‘ଲଛମା’ ଉପନ୍ୟାସରୁ ତାହାର କିଞ୍ଚିତ୍‍ ଆଭାସ ପ୍ରାପ୍ତ ହୋଇଥାଏ । ଏହି ସବୁକିଛିକୁ ରୋକିବା ଲାଗି ସେତେବେଳେ ଓଡ଼ିଶାରେ ଶକ୍ତିର କୌଣସି କେନ୍ଦ୍ର ନଥିଲା । ଯେଝା ଅଞ୍ଚଳକୁ ଯିଏ ଯଥାସମ୍ଭବ ନିରଙ୍କୁଶ ଭାବରେ ଉତ୍ପୀଡ଼ିତ କରିବାରେ ଲାଗିଥିଲେ । ରାଜବଂଶରୁ ଜାତ ହୋଇଥିବାରୁ ସ୍ଥାନୀୟ ସାମନ୍ତ ଓ ଶାସକମାନେ ଆପଣାକୁ ରାଜା ବୋଲି କହୁଥିଲେ । ସେମାନେ ଆପଣାର ଗୋଟିଏ ଗୋଟିଏ ସଭା ମଣ୍ଡାଇ ବସୁଥିଲେ । ସେହି ସଭାରେ କବିମାନେବି ଥିଲେ ଏବଂ ନଷ୍ଟଦର୍ପ ଗଗନର ଏହି କୁନି କୁନି ତାରକାମାନଙ୍କର ପ୍ରୀତ୍ୟର୍ଥେ ସେମାନେ କାବ୍ୟ ଓ କବିତାମାନ ରଚନା କରୁଥିଲେ । ରାଜସଭାମାନଙ୍କରେ ଯେଉଁ ସାହିତ୍ୟ ଜମୁଥିଲା, ପ୍ରଧାନତଃ ସେହିଗୁଡ଼ିକୁ ଗୋଟିଏ ଯୁଗର ଗଣ୍ଠିରେ ବାନ୍ଧି ଓଡ଼ିଆ ସାହିତ୍ୟର ଇତିହାସରେ ରୀତିଯୁଗ ବୋଲି କୁହାଯାଉଛି । ରାଜସଭାମାନଙ୍କରେ ଯାହାର ଆଦର ହେଲା, ସେହି ସାମନ୍ତବାଦୀ ସମାଜରେ ଅନ୍ୟମାନେ ମଧ୍ୟ ତାହାକୁହିଁ ମଡ଼େଲ୍ ବୋଲି ଗ୍ରହଣ କରିନେଲେ ।

 

ଭାରତୀୟ ସାହିତ୍ୟରେ ରୀତିର ପରମ୍ପରା ହେଉଛି ମୂଳତଃ ସଂସ୍କୃତ ସାହିତ୍ୟର ଏକ ପରମ୍ପରା । ସଂସ୍କୃତ ରୀତିକାବ୍ୟର ପରମ୍ପରା ପଛରେ ଏକ ରୀତିଶାସ୍ତ୍ର ରହିଛି । ରୀତିର ସୂତ୍ରଗୁଡ଼ିକୁ ନିର୍ଣ୍ଣୟ କରାଯାଇ ସେହି ରୀତିଶାସ୍ତ୍ର ଲେଖାଯାଇଛି ଏବଂ ସେହି ସୂତ୍ରଗୁଡ଼ିକୁ ଅନୁସରଣ କରି ରୀତିକବିମାନେ ଅକ୍ଷର ଏବଂ ଶବ୍ଦାବଳୀ ସହିତ କସରତ କରି ରୀତିକାବ୍ୟଗୁଡ଼ିକ ରଚନା କରିଛନ୍ତି-। ଓଡ଼ିଆରେ ସଂସ୍କୃତ କବି ଜୟଦେବଙ୍କୁ ଆମେ ସବାଆଗ ସେହି ସଂସ୍କୃତ ପରମ୍ପରାରେ ଜଣେ ରୀତିକବି ବୋଲି ଗଣନା କରିପାରିବା । କାବ୍ୟର ଅନ୍ତର ଉପରେ କାବ୍ୟର ସଜ୍ଜାକୁ ଅଧିକ ପ୍ରାଧାନ୍ୟ ଦେଇ, ଆତ୍ମିକ ଉପରେ ଆଙ୍ଗିକକୁ ଅଧିକ ପ୍ରଧାନ ବୋଲି ମାନି ସମ୍ଭବତଃ ସାହିତ୍ୟ-ଶାସ୍ତ୍ରରେ ରୀତି-ଦିଗଟିକୁ ଠାବ କରାଯାଇଛି ଏବଂ ସୂତ୍ର ସହିତ ସୂତ୍ର ଯୋଡ଼ି ରୀତିଶାସ୍ତ୍ରର ଭିଆଣ ହୋଇଛି । ରୀତିନାମକ ସମଗ୍ର ଦେହଟି ମଧ୍ୟରେ କୌଣସି ବିଶେଷ ଅବୟବକୁ ସ୍ଵତନ୍ତ୍ର ମହତ୍ତ୍ଵ ଦେଇ ରୀତି ସମ୍ପ୍ରଦାୟରେ କେତେକେତେ ଉପସମ୍ପ୍ରଦାୟ ମଧ୍ୟ ଜନ୍ମ ନେଇଛନ୍ତି ଏବଂ ସେହି ଅନୁସାରେ କାବ୍ୟତତ୍ତ୍ଵର ଭିନ୍ନ ଭିନ୍ନ ମତବାଦଗୁଡ଼ିକର ସର୍ଜନା ହୋଇଛି । ଖୁବ୍ ସମ୍ଭବ ବାତ୍ସାୟନ ମୁନିଙ୍କର ‘କାମଶାସ୍ତ୍ର’ ଗ୍ରନ୍ଥଟି ରୀତିନାମକ ଏହି ସବୁକିଛିକୁ ମୂଳ ପ୍ରେରଣା ଯୋଗାଇଛି । ବାତ୍ସାୟନ ମୁନି ଚାର୍ବାକ୍‍ଙ୍କର ଶିଷ୍ୟ ଥିଲେ । ଚାର୍ବାକ୍ ସୁଖବାଦରେ ବିଶ୍ଵାସ କରୁଥିଲେ ଓ ସୁଖବାଦକୁ ନେଇ ଦର୍ଶନରେ ସିଦ୍ଧାନ୍ତ କରିଥିଲେ । ‘କାମଶାସ୍ତ୍ର’ ପ୍ରୀତିର ଶାସ୍ତ୍ର ନୁହେଁ । ତାହା ହେଉଛି କାମର ଶାସ୍ତ୍ର-। କାମରୁହିଁ ପ୍ରୀତିର ସବୁକିଛି ବୋଲି ସ୍ୱୀକାର କରି ନେଉଥିବା ଏକ ମତବାଦକୁ ସାବ୍ୟସ୍ତ କରୁଥିବାର ଶାସ୍ତ୍ର । ପ୍ରୀତିର ହୃଦୟକୁ ନୁହେଁ, ପ୍ରୀତିର ରୀତିଟିକୁହିଁ ଗୋଟାସୁଦ୍ଧା ପ୍ରୀତି ବୋଲି ଧରି ନେଇ ତାହାରି ଏକ ଗଣିତ ଲେଖିବାକୁ ଚେଷ୍ଟା କରି ବାତ୍ସାୟନ ‘କାମଶାସ୍ତ୍ର’ ଲେଖିବାକୁ ମନ କରିଥିବେ-। ସେହିଭଳି ସାହିତ୍ୟର ହୃଦୟଟିକୁ ନୁହେଁ, ସାହିତ୍ୟର ରୀତିଟିକୁହିଁ ଗୋଟାସୁଦ୍ଧା ସାହିତ୍ୟ ବୋଲି ଧରି ନେଇ ପ୍ରାୟ ଯେଉଁ ଗାଣିତିକ ପରାମର୍ଶମାନ ସଂସ୍କୃତ କାବ୍ୟତତ୍ତ୍ଵକାରମାନେ ଦେଇଥିଲେ, ଭାରତୀୟ ସାହିତ୍ୟମାନେ ସେହିଠାରୁହିଁ ଆପଣାର ମୁଖ୍ୟ ଉନ୍ମାଦନାମାନ ପାଇଥିଲେ । ଏକଥା ଏକାନ୍ତ ସତ୍ୟ ଯେ, ଆମର ଦେହଟାଏ ଅଛି ବୋଲି ଆମେ ହୃଦୟ ବୋଲି ସେହି ଅନ୍ୟ ସମ୍ପଦଟିକୁ ଅନୁଭବ କରିପାରୁଛୁ । ସେହି ହୃଦୟ ହେଉଛି ଯାବତୀୟ ସମ୍ଭୂତିସ୍ଥଳ । ସେଥିଲାଗି ଆମେ ଦେହକୁହିଁ ହୃଦୟ ବୋଲି ଗ୍ରହଣ କରିନେଲେ ତାହା ଯେପରି ଅସଲ ସତ୍ୟଟି ପାଖରୁ ପଳାଇ ଗଲାପରି ହୁଅନ୍ତା, ରୀତିବାଦୀମାନେ ସେହିପରି ରୀତିକୁହିଁ ସାହିତ୍ୟର ସବୁକିଛି ବୋଲି ମାନିନେଇ ସାହିତ୍ୟକୁ ସେହିପରି ଏକ ବିଶେଷ ଦଶାରେ ନେଇ ପକାଇ ଦେଇଥିଲେ । ସଂସ୍କୃତ ସାହିତ୍ୟ-ତତ୍ତ୍ଵର ରୀତିପ୍ରକରଣରେ ପ୍ରଧାନତଃ ଦଣ୍ଡୀ ଏବଂ ଭାରବିଙ୍କର ନାମରେ ଉଲ୍ଲେଖ କରାଯାଇଥାଏ । ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀର କବି ଭାରବି ଆପଣାର ସାହିତ୍ୟରଚନାରେ କେତେକେତେ ଚମତ୍କାରିତା ଏବଂ ପ୍ରବୀଣତା ପ୍ରଦର୍ଶନ କରିଛନ୍ତି । ଚାରୋଟି ଲେଖାଏଁ ଧାଡ଼ି ରହିଥିବା ଏଭଳି ପଦମାନ ସେ ରଚନା କରିଛନ୍ତି, ଯେଉଁଥିରେ କି ପ୍ରଥମ ଓ ତୃତୀୟ ପାଦଗୁଡ଼ିକ ଅବିକଳ ଏକାପରି ଏବଂ ଦ୍ଵିତୀୟ ଓ ଚତୁର୍ଥ ପାଦଗୁଡ଼ିକ ମଧ୍ୟ ଅବିକଳ ଏକାପରି ଏବଂ ଶବ୍ଦଗୁଡ଼ିକ ଏକାପରି ହୋଇଥିଲେ ମଧ୍ୟ ତାହା ବିଭିନ୍ନ ଅର୍ଥର ପ୍ରକାଶ କରୁଛି ଏବଂ ଆମକୁ ଶବ୍ଦକାରିଗରୀର କଳନା କରିବାର କ୍ଷେତ୍ରରେ ଏକାବେଳକେ ଅବାକ୍ କରିଦେଇଛି । ସେହି କାରିଗରି ହେଉଛି କୃତିତ୍ଵ ଏବଂ ତାହାହି ଅସଲ କବିତ୍ଵ । ଭାରବି ଏପରି କେତୋଟି ପଦ ମଧ୍ୟ ରଚନା କରିଛନ୍ତି, ଯେଉଁଥିରେ କି ପାଦଗୁଡ଼ିକ ଏକା ଶବ୍ଦରେ ରଚିତ ହୋଇଥିଲେ ମଧ୍ୟ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରିଛନ୍ତି । ପଦମାନଙ୍କରେ ଭାରବି କେତେକ ସ୍ଥାନରେ କେବଳ ‘କ’ ବର୍ଣ୍ଣ, କେବଳ ‘ଚ’, ‘ୟ’ ଅଥବା ‘ଲ’ ବର୍ଣ୍ଣକୁ ବ୍ୟବହାର କରିଛନ୍ତି । କେତେକ କ୍ଷେତ୍ରରେ ପ୍ରଥମ ପାଦର ବାମରୁ ଡାହାଣକୁ ପଢ଼ିଲେ ଯାହା, ଦ୍ଵିତୀୟ ପାଦର ଡାହାଣରୁ ବାମକୁ ପଢ଼ିଲେ ମଧ୍ୟ ଠିକ୍‍ ସେଇଆ । ଦୁଇଟି ଶ୍ଳୋକରେ ପ୍ରଥମଟିକୁ ଶେଷଆଡ଼କୁ ପାଠ କଲେ ଯାହା, ଦ୍ୱିତୀୟ ଶ୍ଳୋକଟି ଅବିକଳ ସେଇଆ । ଏପରି ଶ୍ଳୋକମାନ ମଧ୍ୟ ଭାରବିଙ୍କର କାରିଗରି ଭିତରୁ ବାହାରିଛି, ଯେଉଁଥିରୁ କି ଏକାବେଳକେ ତିନୋଟି ଅର୍ଥ ବାହାର କରାଯାଇପାରିବ । କେତେକ ଶ୍ଳୋକରେ ଆଗରୁ ପଛଆଡ଼କୁ ଏବଂ ପଛଆଡ଼ୁ ଆଗଆଡ଼କୁ ପଢ଼ି ଆସିଲେ ଏକ ଅର୍ଥ ବାହାରୁଛି ଏବଂ ପାଠକଚିତ୍ତକୁ ଆପ୍ୟାୟିତ କରିଦେଉଛି ।

 

ଭାରବିଙ୍କ ସାଙ୍ଗକୁ ଦଣ୍ଡୀ ଆପଣାର କାବ୍ୟରେ ଅଦ୍ଭୁତ ବିଚକ୍ଷଣତାର ପ୍ରୟୋଗ କରି ସେ ଏଭଳି ଶବ୍ଦବସାଣ ସମ୍ଭବ କରିପାରିଛନ୍ତି, ଯାହାକୁ କି ଏଣୁ ପଢ଼ିଗଲେ ତାହା ରାମଙ୍କର କୀର୍ତ୍ତି ବର୍ଣ୍ଣନା କରୁଥିବ ଏବଂ ସେପାଖରୁ ପଢ଼ି ଆସିଲେ ଆମକୁ ମହାଭାରତର କଥା ମଧ୍ୟ ମିଳିଯିବ । ଏଭଳି ପଦମାନ ସମ୍ଭବ କରିବାରେ କବି ଦଣ୍ଡୀଙ୍କୁ କମ୍‍ କସରତ ଓ ଶ୍ରମ କରିବାକୁ ପଡ଼ି ନଥିବ । ଚିତ୍ରବନ୍ଧର ଶୈଳୀ ଅନୁସାରେ କାବ୍ୟ ଲେଖିବାର କ୍ଷେତ୍ରରେ ଦଣ୍ଡୀ ଭାରତବର୍ଷରେ ସର୍ବପ୍ରଥମ ବୋଲି ଆଲୋଚକମାନେ କହନ୍ତି । ଭାରତର ସବୁ କାବ୍ୟତତ୍ତ୍ଵକୁ ଯେ ରୀତିକୁ ସାହିତ୍ୟର ସର୍ବଶ୍ରେଷ୍ଠ ଅଙ୍ଗ ବୋଲି ମାନିଛନ୍ତି, ସେ କଥା ଆଦୌ ନୁହେଁ । ଖ୍ରୀଷ୍ଟ ତ୍ରୟୋଦଶ ଶତାବ୍ଦୀରେ ଓଡ଼ିଶାରେ କାବ୍ୟତତ୍ତ୍ଵର କେତେକ ମୌଳିକ ନିରୂପଣ କରି ଯାଇଥିବା ଶ୍ରୀ ବିଶ୍ଵନାଥ କବିରାଜ ରୀତିକୁ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରିଛନ୍ତି । ଏହି ପ୍ରସଙ୍ଗରେ ଓଡ଼ିଶା ବାହାରର ତତ୍ତ୍ଵକାର ଆନନ୍ଦବର୍ଦ୍ଧନ ଓ କୁନ୍ତକଙ୍କର ଉଦାହରଣ ମଧ୍ୟ ଦିଆଯାଇପାରିବ । ଶ୍ରୀଯୁକ୍ତ କବିରାଜ ତ୍ରୟୋଦଶ ଶତାବ୍ଦୀରେ ସାହିତ୍ୟର ଯେଉଁ ଦିଗଟାକୁ ଅପ୍ରଶସ୍ତ ବୋଲି କହିଛନ୍ତି, ଷୋଡ଼ଶ ଏବଂ ସପ୍ତଦଶ ଶତାବ୍ଦୀବେଳକୁ ତାହା ଯେ ଓଡ଼ିଆ ସାହିତ୍ୟର ଆକାଶଟାକୁ କେଡ଼େ ପରାକ୍ରମ ସହିତ ପ୍ରାୟ ଗ୍ରାସ କରି ପକାଇଥିବା ପରି ମନେହେଉଛି, ତାହାର କାରଣଗୁଡ଼ିକୁ ଅବଶ୍ୟ ଖୋଜି ବାହାର କରିବାକୁ ହେବ ।

 

ଓଡ଼ିଆ ସାହିତ୍ୟରେ ପ୍ରାୟ ତିନିଶହବର୍ଷ ପାଇଁ ରୀତିଯୁଗ ସର୍ବୋଚ୍ଚ ଆସନ ମାଡ଼ି କରି ବସିଛି । ସେତେବେଳେ ଆଉ ଅନ୍ୟ କୌଣସି ପ୍ରକାରର ସାହିତ୍ୟ ଯେ ଆଦୌ ଲେଖାଯାଇ ନାହିଁ ସେକଥା ନୁହେଁ; ମାତ୍ର ସାହିତ୍ୟିକ ପ୍ରଦର୍ଶନର କ୍ଷେତ୍ରରେ ରୀତିହିଁ ପରାକ୍ରମୀ ହୋଇ ରହିଛି । ସମ୍ଭବତଃ ସେହି କାରଣରୁ ସାହିତ୍ୟର ଗବେଷକମାନେ ସେହି ଯୁଗଟିକୁ ରୀତିର ଯୁଗ ବୋଲି କହୁଛନ୍ତି । ରୀତିଯୁଗର ସ୍ତୁତିକାରମାନେ ମଧ୍ୟ ଏବେ ଓଡ଼ିଶାରେ ରହିଛନ୍ତି ଏବଂ ଓଡ଼ିଆ ଆଧୁନିକ କବିତାରେ ରୀତିକୁହିଁ ସର୍ବପ୍ରଧାନ ଅଥବା ସର୍ବମୀମାଂସକ ବୋଲି ମାନୁଥିବା, କବିସମୀକ୍ଷକମାନେ ଏବେ ମଧ୍ୟ ଅଛନ୍ତି । ଓଡ଼ିଶାର ସେକାଳର ସେହି ରୀତିଯୁଗ ଏବଂ ଆମ ଏକାଳର ଏହି ଆଧୁନିକ ଯୁଗର ସାମାଜିକ, ସାଂସ୍କୃତିକ ଜୀବନ ଦୃଷ୍ଟିରେ ହୁଏତ କେଉଁଠାରେ କୌଣସି ସାମଞ୍ଜସ୍ୟ ରହିଥିବାରୁ ଏପରି ସମ୍ଭବ ହୋଇଛି । ସେତେବେଳେ ଓଡ଼ିଆ ଭଳି ଆଉ କେତୋଟି ଭାରତୀୟ ସାହିତ୍ୟରେ ମଧ୍ୟ ରୀତିର ଗୋଟିଏ ପର୍ଯ୍ୟାୟ ରହିଥିଲା । ସେହି ପର୍ଯ୍ୟାୟରେ ତେଲେଗୁ ଭାଷାରେ ଲିଖିତ ‘ନିର୍ଲିପ୍ତ ରାମାୟଣମ୍’ ନାମକ ଏକ ଗ୍ରନ୍ଥରେ କବି କୌଣସିଠାରେ ଆଦୌ ଗୋଟିଏ ହେଲେ ଓଷ୍ଠ୍ୟବର୍ଣ୍ଣ ବ୍ୟବହାର କରିନାହାନ୍ତି । ସପ୍ତଦଶ ଶତାବ୍ଦୀର କେରଳରେ କବି ନାରାୟଣ ଭଟ୍ଟତିରି ତାଙ୍କର ‘ନିରନୁନାସିକ ପ୍ରବନ୍ଧ’ ନାମକ ଏକ କୃତିରେ ଆଦୌ କୌଣସି ଅନୁନାସିକ ଅକ୍ଷର ଅର୍ଥାତ୍ ଧ୍ୱନିର ବ୍ୟବହାର କରିନାହାନ୍ତି । ଲକ୍ଷ୍ମଣଙ୍କଦ୍ଵାରା ଆପଣାର ନାକକୁ ହରାଇ ବସିବା ପରେ ସୂର୍ପଣଖା ଲଙ୍କାକୁ ବାହୁଡ଼ିଯାଇ ଭାଇ ରାବଣ ଆଗରେ ଘଟିଥିବା ଘଟଣାଗୁଡ଼ିକର ଯେଉଁ ବର୍ଣ୍ଣନା କରିଛି, ପୋଥିଟି ସେହିଗୁଡ଼ିକୁ ନେଇ ଲେଖାଯାଇଛି । କବି ଅତ୍ୟନ୍ତ ସମୀଚୀନ ଭାବରେ ଭାବିଛନ୍ତି ଯେ ସେତେବେଳେ ତ ସୂର୍ପଣଖାର ନାକ କଟିଯାଇଥିଲା, ତେଣୁ ସେ ଲଙ୍କାରେ ଯାହାକିଛି କହିଥିବ, ସେଥିରେ କୌଣସି ଅନୁନାସିକ ବର୍ଣ୍ଣକୁ କଦାପି ଉଚ୍ଚାରଣ କରିପାରି ନଥିବ । କବି ପରିସ୍ଥିତିଟି ଏକାନ୍ତ ବାସ୍ତବ ଭାବରେ ବିଚାର କରି ନିଜର ସମ୍ପୂର୍ଣ୍ଣ କାବ୍ୟଟିକୁ କେବଳ ନିରନୁନାସିକ ଅକ୍ଷରମାନ ଦେଇ ଲେଖିଛନ୍ତି । ଅର୍ଥାତ୍‍ ନାସିକା ସାହାଯ୍ୟରେ ଉଚ୍ଚାରିତ ଅକ୍ଷରଗୁଡ଼ିକୁ ବାଦ ଦେଇ ସେ କାବ୍ୟଟିକୁ ଲେଖିଛନ୍ତି । ପ୍ରକୃତ ଘଟଣାଟି ଘଟିଥିବା ସମୟରେ ସୂର୍ପଣଖା ନିଜେ ନିଜର ଅସମର୍ଥତା ହେତୁ କେବେହେଲେ କୌଣସି ଅନୁନାସିକ ବର୍ଣ୍ଣ ଲଗାଇ କଥା କହି ନଥିବ ବୋଲି କବି ଅନୁମାନ କରିନେଇଛନ୍ତି । ବୁଦ୍ଧିର ସୂତା ପକାଇ କବିତ୍ଵ ରୀତିର ଗହୀରରେ କେତେ ଯେ ଦଉଡ଼େ, ଏଇଟି ହେଉଛି ତାହାର ଗୋଟିଏ ଦୃଷ୍ଟାନ୍ତ । ଭାରତ ବାହାରେ ମଧ୍ୟ ମଧ୍ୟଯୁଗର କେତେ ସାହିତ୍ୟରେ ସେହି ଦୃଷ୍ଟାନ୍ତମାନ ରହିଛି ।

 

ତଥାପି ଭାରତୀୟ ଅନ୍ୟାନ୍ୟ ସାହିତ୍ୟରେ ରୀତିଯୁଗର କାବ୍ୟବନ୍ଧଗୁଡ଼ିକ ସମଗ୍ର ସାହିତ୍ୟର ଯେତେ ଜାଗା ମାଡ଼ି ବସିଥିଲା ବା ଯେତେ ଅଧିକ ବର୍ଷଯାଏଁ ବିସ୍ତାରିତ ହୋଇଯାଇଥିଲା, ଓଡ଼ିଆ ସାହିତ୍ୟରେ ତାହା ଅପେକ୍ଷାକୃତ ଅଧିକ ଜାଗା ମାଡ଼ି ବସିଥିଲା ଏବଂ ଅଧିକ ବର୍ଷଯାଏଁ, ବିସ୍ତାରିତ ହୋଇ ରହିଥିଲା । ଓଡ଼ିଶାର ସାଂସ୍କୃତିକ ମାଟିରେ ରୀତି ଲାଗି ଅର୍ଥାତ୍‍ କାବ୍ୟର ଦେହଟାକୁହିଁ କାବ୍ୟର ଏକମାତ୍ର ପରିଚୟ ବୋଲି ଧରିନେଇ ତାହାକୁ ଯଥାସମ୍ଭବ ଅଧିକ ଅଳଙ୍କାରମାନ ଛନ୍ଦି ସଜାଇବା ଲାଗି ସମ୍ଭବତଃ ଅଧିକ ଅନୁକୂଳ ପରିସ୍ଥିତି ମହଜୁଦ୍ ରହିଥିଲା । ତତ୍କାଳୀନ ଓଡ଼ିଶାର ସାମୂହିକ ଓ ରାଜନୀତିକ ଅବକ୍ଷୟ ହୁଏତ ସେଥିଲାଗି ଏକ ବିଶେଷ ଉର୍ବରତା ଆଣି ଯୋଗାଇ ଦେଇଥିଲା । ତଥାକଥିତ ଏହି ରୀତିଯୁଗଟିର ପୂର୍ବରୁ ମଧ୍ୟ ଓଡ଼ିଆ ସାହିତ୍ୟରେ ଆମେ ରୀତିର ଏକାଧିକ ଉଦାହରଣ ଦେଖିବାକୁ ପାଇବା । ଅବଧୂତ ନାରାୟଣାନନ୍ଦ ସ୍ଵାମୀଙ୍କର ‘ରୁଦ୍ରସୁଧାନିଧି’ ଗ୍ରନ୍ଥଟି ଭାଷାର ବନ୍ଧ ଅନୁସାରେ ଗଦ୍ୟ ହୋଇଥିଲେ ମଧ୍ୟ ସେଇଟିରେ ଆମକୁ ପ୍ରଧାନତଃ ରୀତିର ଆସ୍ଵାଦନହିଁ ପ୍ରାପ୍ତ ହୋଇଥାଏ । ତା’ପରେ ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶାର ପଞ୍ଚସଖା ଯୁଗରେ ମଧ୍ୟ କବି ଅର୍ଜୁନ ଦାସଙ୍କର ‘ରାମବିଭା’ ଓ ‘କଳ୍ପଳତା’, ଦେବଦୁର୍ଲଭ ଦାସଙ୍କର ‘ରହସ୍ୟ ମଞ୍ଜରୀ’ ଓ ପ୍ରତାପ ରାୟଙ୍କର ‘ଶଶୀସେଣା’ରେ ରୀତିର ବହୁ ଆମୋଦଦାୟକ ନମୁନା ଆମକୁ ମିଳିଯିବ । ଆହୁରି ଟିକିଏ ଆଗକୁ ଯାଇ ଯାଇ ଆମେ ଶିଶୁ ଶଙ୍କରଙ୍କର ‘ଉଷାଭିଳାଷ’, କାର୍ତ୍ତିକ ଦାସଙ୍କର ‘ରୁକ୍ମିଣୀ ବିଭା’, ବିଷ୍ଣୁ ଦାସଙ୍କର ‘ପ୍ରେମଲୋଚନା’ ଏବଂ ଧନଞ୍ଜୟ ଭଞ୍ଜଙ୍କର ‘ଇଚ୍ଛାବତୀ’ ଓ ଆହୁରି ଅନେକ ରୀତିକାବ୍ୟର ଭେଟ ପାଇବା । ଧନଞ୍ଜୟ ଭଞ୍ଜ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ପିତାମହ ଥିଲେ ଏବଂ ତାଙ୍କର ପ୍ରେରଣାଦାତାରୂପେ କାର୍ଯ୍ୟ କରିଥିଲେ-। ଏମାନଙ୍କ ପରେ ରୀତିର ଅସଲ ଗହଳଟି ଭିତରେ ଆମେ ସତେଅବା ପଞ୍ଚଶର ସଦୃଶ ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, କବିସୂର୍ଯ୍ୟ ବଳଦେବ ରଥ ଏବଂ ଗୋପାଳକୃଷ୍ଣ ପଟ୍ଟନାୟକଙ୍କୁ ଦେଖିବାକୁ ପାଇବା । ଏମାନଙ୍କ ପରେ ବ୍ରଜନାଥ ବଡ଼ଜେନା ।

 

ଓଡ଼ିଶାକୁ ଗୋଟିଏ କରି ଅନ୍ତତଃ ଲୋକଚିତ୍ତରେ ମଧ୍ୟ ଧରି ରଖିବାକୁ ସପ୍ତଦଶ ଶତାବ୍ଦୀରେ ସତେଅବା କେଉଁଠି କିଛି ଦିଶୁ ନଥିଲା । ମୁସଲମାନ, ମୋଗଲ ଅଥବା ମରହଟ୍ଟା–ଏହି ଆକ୍ରମଣକାରୀମାନଙ୍କ ଭିତରେ କେହି ହେଲେ ଓଡ଼ିଶା ଭୂମିକୁ ଏକ ଯଥାର୍ଥ ଶାସନର ପ୍ରତ୍ୟୟ ଦେଇପାରୁ ନଥିଲେ । ଅସଲ ରାଜ୍ୟଟା ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଥିଲା ଏବଂ ସମ୍ପୂର୍ଣ୍ଣ ଭାବରେ ଖଣ୍ଡିଆ ଦେଖାଯାଉଥିବା କୁନି କୁନି ରାଜାମାନେ ଆପଣାର ଦ୍ଵୀପଗୁଡ଼ିକରେ ନିଜକୁ କେଡ଼େ ପ୍ରତାପୀ ବୋଲି ମଣୁଥିଲେ ଏବଂ ନିଜକୁ ସତେଅବା ଅଖିଳ ବ୍ରହ୍ମାଣ୍ଡର ଚକ୍ରବର୍ତ୍ତୀ ପରି ବିଚାର କରୁଥିଲେ । ସେମାନେ ମଧ୍ୟ ସଭାରେ କବିମାନଙ୍କୁ ପାଳୁଥିଲେ । କବିମାନେ ତୋଷାମଦକାରୀ ଥିଲେ, ରୀତିକାବ୍ୟମାନ ଲେଖିବାକୁହିଁ ସତେଅବା ତୋଷାମଦର ପରମ ରୀତି ସଦୃଶ ମଣୁଥିଲେ । ସେମାନେ ମୂଷିକପ୍ରାୟ ରାଜାମାନଙ୍କୁ ସତେଅବା ପୃଥିବୀର ସବୁଠାରୁ ବଡ଼ ସିଂହ ବୋଲି ବର୍ଣ୍ଣନା କରିବାରେ ଧୁରନ୍ଧର ଥିଲେ । ରାଜାମାନେ ସେଥିରେ ପରମ ଆପ୍ୟାୟିତ ହେଉଥିଲେ । ସେହି ଯୁଗର କବିସୂର୍ଯ୍ୟ ବଳଦେବ ରଥ ସେହି ଅନୁସାରେ ତାଙ୍କ ଆଶ୍ରୟଦାତା ରାଜାଙ୍କୁ ସିଧା ନେଇ ଇନ୍ଦ୍ରପଦରେ ଥୋଇ ଦେଇଛନ୍ତି ଓ ତାଙ୍କ ସଭାକୁ ସୁଧର୍ମା ସଭା ବୋଲି କହିଛନ୍ତି । କୁନି ରାଜାଙ୍କୁ ସେ କୋଟି କନ୍ଦର୍ପଙ୍କଠାରୁ ଅଧିକ ସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି । ଓଡ଼ିଶାର ଜଣେ ଇତିହାସ–ଲେଖକ ଓଡ଼ିଆ ରୀତିଯୁଗର ଏହି ସାହିତ୍ୟକୁ ସାମନ୍ତ-ସାହିତ୍ୟ ଓ ଅନ୍ତଃପୁରର ସାହିତ୍ୟ ବୋଲି କହିଛନ୍ତି । ସେହି ସାହିତ୍ୟର କବିମାନଙ୍କୁ ସାମନ୍ତ-ଶ୍ରେଣୀୟ ବା ସାମନ୍ତାଶ୍ରିତ ବୋଲି କହିଛନ୍ତି ।

 

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜପରିବାରର ଥିଲେ । କବି ଅଭିମନ୍ୟୁ ସାମନ୍ତସିଂହାର ଏପରି ଗୋଟିଏ ଜମିଦାର ବା ସାମନ୍ତ ପରିବାରର ଥିଲେ, ଯିଏକି ଆପଣାକୁ ଯେକୌଣସି ରାଜାଠାରୁ କୌଣସି ଗୁଣରେ ଆଦୌ କମ୍ ବୋଲି ବିଚାର କରୁ ନଥିଲେ । କବିସୂର୍ଯ୍ୟ ବଳଦେବ ରଥ ରାଜାଶ୍ରିତ ଥିଲେ । ରୀତିକାବ୍ୟମାନେ ପ୍ରାୟ ସମସ୍ତେ କାବ୍ୟରଚନାରେ ବିଚରଣ ସାମର୍ଥ୍ୟ ଲାଭ କରିବାକୁ ଦେବତାମାନଙ୍କର ଉପାସନା କରୁଥିଲେ । ରୀତିର ଅରଣ୍ୟ ଭିତରେ ପଶି କୃତିତ୍ଵ ଦେଖାଇବା ଲାଗି ସେମାନଙ୍କୁ ବହୁ ପାଣ୍ଡିତ୍ୟର ଅଧିକାରୀ ହେବାକୁ ପଡ଼ୁଥିଲା । ଧୀଷଣା ଅର୍ଥାତ୍‍ ବୁଦ୍ଧିମତ୍ତାର ଏଷଣା ଅର୍ଥାତ୍‍ ଶାସ୍ତ୍ରର କର୍ଷଣ କରିବାକୁ ପଡ଼ୁଥିଲା । ‘ରସକଲ୍ଲୋଳ’ର କବି ଦୀନକୃଷ୍ଣ ‘ଧୀଷଣାକୁ ମନ୍ଦିର ପର୍ବତ ସଦୃଶ’ ବ୍ୟବହାର କରି କାବ୍ୟର, ସିନ୍ଧୁକୁ ମନ୍ଥନ କରି ରସ ଜାତ କରିବାର କଥା କହିଛନ୍ତି । ‘ରସକଲ୍ଲୋଳ’ ଗ୍ରନ୍ଥରେ କବି ଆପଣାର କାବ୍ୟଟିକୁ କେବଳ ‘କ’ ଅକ୍ଷରରେ ଗୁନ୍ଥିଛନ୍ତି ଏବଂ ବହୁତ ଶ୍ରମ କରି ସିଏ ଏକଥା କରିପାରିଛନ୍ତି ବୋଲି ସ୍ଵୟଂ ସ୍ଵୀକାର କରିଛନ୍ତି । କୁଞ୍ଜବିହାରୀ ଭ୍ରମରବର ରାୟ ତାଙ୍କର ‘ପ୍ରେମଶୀଳା’ କାବ୍ୟରେ ସାର୍ଥକ କବିଟିଏ ହେବାଲାଗି କିପରି ଅମରକୋଷ, ବ୍ୟାକରଣ, ଅଳଙ୍କାରଶାସ୍ତ୍ର, ଜ୍ୟୋତିଷ, ସଙ୍ଗୀତ, ଧର୍ମପୁରାଣ, ନୀତିଶାସ୍ତ୍ର, ବୈଦ୍ୟବିଦ୍ୟା, ପିଙ୍ଗଳ ଏବଂ ବୈଷ୍ଣବ ଶାସ୍ତ୍ର ଭାଗବତକୁ ସାଧ୍ୟ କରିବାକୁ ପଡ଼ିଥାଏ, ତାହାର ସୂଚନା ଦେଇଛନ୍ତି । ଶବ୍ଦ କାରିଗରି ଦେଖାଇ କବିତ୍ଵ କରିବାର ଏହି ରୀତି ସାଧନାରେ ‘ ଅମରକୋଷ’ ଗ୍ରନ୍ଥ ଆଦୌ ଯଥେଷ୍ଟ ହେଉ ନଥିଲା । ଅକ୍ଷର ବସାଣ, ଯମକ ଓ ଅନୁପ୍ରାସଗୁଡ଼ିକୁ ଋଦ୍ଧିମନ୍ତ କରିବାପାଇଁ କବିମାନଙ୍କୁ ଅନେକ ସମୟରେ ଶବ୍ଦଗୁଡ଼ିକ ଲାଗି ନିଜ ମଥାରୁ ନୂଆ ନୂଆ ଅର୍ଥ ଫାନ୍ଦିବାକୁ ପଡ଼ୁଥିଲା । ଏହି ପ୍ରୟୋଜନଟିକୁ ମେଣ୍ଟାଇବା ନିମନ୍ତେ ଉପେନ୍ଦ୍ର ଭଞ୍ଜ ସଂସ୍କୃତ ଅମରକୋଷ ଢଙ୍ଗରେ ଏକ ‘ଗୀତାଭିଧାନ’ ରଚନା କରି ଥୋଇ ଦେଇଥିଲେ । କେଉଁ କେଉଁ ଶବ୍ଦକୁ କେଉଁ କେଉଁ ସ୍ଵତନ୍ତ୍ର ଅର୍ଥରେ ବୁଝିଲେ ଯାଇ ତାଙ୍କ ବାକ୍ୟ ଭିତରେ ପ୍ରବେଶ କରିହେବ, ଏହି ପୁସ୍ତକଟି ଆମକୁ ତାହାରି ତାଲିକାଟିଏ ଯୋଗାଇ ଦେଇପାରିବ । ଓଡ଼ିଆ ଭାଷାରେ ରୀତିର କବିମାନେ ଯେତିକି ତତ୍ସମ ଅର୍ଥାତ୍‍ ସଂସ୍କୃତ ଶବ୍ଦ ବ୍ୟବହାର କରିଛନ୍ତି, ସେଗୁଡ଼ିକ ସବୁଯାକ ସେତେବେଳେ ଓଡ଼ିଆ ଭାଷାରେ ଆଦୌ ଚଳୁ ନଥିଲା । ସେମାନେ ବେଳେବେଳେ ନିଜ ମୁଣ୍ଡରୁ ମଧ୍ୟ ଅନେକ ତତ୍ସମ ତିଆରି କରି ଦେଉଥିଲେ ଏବଂ ସେଗୁଡ଼ିକୁ ନିଜ ନିଜର ରଚନାରେ ବ୍ୟବହାର କରୁଥିଲେ । ଶବ୍ଦମାନଙ୍କୁ ନେଇ ରୀତିମତ ବଳତ୍କାର କରିବାଟା ସତେଅବା କାବ୍ୟଧର୍ମରେ ପରିଣତ ହୋଇଥିଲା । ସାରଳା ଦାସ ଏବଂ ପଞ୍ଚସଖାଙ୍କ ସମୟରେ ଲୋକମୁହଁର ଚଳନ୍ତି ଭାଷାଟି ଯେପରି ସାହିତ୍ୟର ପରିସର ଭିତରକୁ ଆସିଲା, ତଦ୍ଦ୍ଵାରା କଥିତ ଭାଷା ଏବଂ ଶାସ୍ତ୍ରର ଭାଷା ମଧ୍ୟରେ ରହି ଆସିଥିବା ବ୍ୟବଧାନ କ୍ରମେ ହ୍ରାସ ହୋଇ ଆସୁଥିଲା । ରୀତିକବିମାନେ ପୁନର୍ବାର ସାହିତ୍ୟକୁ ନେଇ ସଂସ୍କୃତ ଶାସ୍ତ୍ରଭାଷାର ଗହନରେ ପୂରାଇ ଦେଇଥିଲେ ଓ ବ୍ୟବଧାନଗୁଡ଼ିକୁ ପୁନଃପ୍ରତିଷ୍ଠିତ କଲେ । ପୁନର୍ବାର ଏକ ତଥାକଥିତ ସାଧୁଭାଷା ଆସି କଥିତ ଭାଷାର ମୁହଁ ମାଡ଼ି ବସିଲା ଏବଂ ସାହିତ୍ୟକୁ ସତେଅବା ଏକ କର୍କଶ ଅଟ୍ଟାଳିକାରେ ପରିଣତ କରିଦେଇଥିଲା ।

 

ରୀତିଯୁଗର କାବ୍ୟଗୁଡ଼ିକ ପଛରେ କାବ୍ୟର ପ୍ରେରଣା ଯେତେ ରହିଛି, କାବ୍ୟ ସୂତ୍ରଗୁଡ଼ିକୁ ଅନୁସରଣ କରିବାର ଉତ୍ସାହ ତା’ଠାରୁ ଅନେକ ଅଧିକ ପରିମାଣରେ ରହିଛି । ସ୍ଵୟଂ ରୀତିକବିମାନେ ମଧ୍ୟ ଏକଥାକୁ ସ୍ଵୀକାର କରିଛନ୍ତି ଓ ସେଥିରେ ଆହ୍ଲାଦ ଅନୁଭବ କରିଛନ୍ତି । ଆପଣାର କୃତିଟି ନିମନ୍ତେ ସେମାନେ ନିଜକୁ ବୀରବର ବୋଲି କହି ଭଣିତା ମଧ୍ୟ କରିଛନ୍ତି । ରୀତିକାବ୍ୟର ଯଥାର୍ଥ ରସଟି କେବଳ ‘କାମଶାସ୍ତ୍ର’ର ପ୍ରଣେତା ବାତ୍ସାୟନ ଋଷିଙ୍କୁ ଗୋଚର ବିଭିନ୍ନ ଉପେନ୍ଦ୍ର ଭଞ୍ଜ ‘ରସିକ ହାରାବଳୀ’ କାବ୍ୟରେ ସ୍ଵୀକାର କରିଛନ୍ତି । ଦେହରେ ବିଭିନ୍ନ ଅଳଙ୍କାରର ମଣ୍ଡନ କରାଇ କାମିନୀ ବା ନାରୀ ନିଜର ଶୋଭା ବୃଦ୍ଧି କରେ । ଅନ୍ତତଃ ସୁନାରୁପାକୁ ମହାର୍ଘ ଧନ ବୋଲି ଜ୍ଞାନ କରୁଥିବା ଏକ ସମାଜରେ ଅଧିକାଂଶ ମନୁଷ୍ୟ ସେହିପରି ଭାବିଥାନ୍ତି ଏବଂ ବିଭିନ୍ନ ଅଳଙ୍କାରଦ୍ଵାରା ମଣ୍ଡିତ ହୋଇଥିବା ଏକ କାବ୍ୟକୁ କାମିନୀ ବୋଲି କାହିଁକି କୁହା ନ ଯିବ ? ରୀତିକବିମାନଙ୍କ ତଉଲରେ ଆମେ କାବ୍ୟ ଏବଂ କାମିନୀ ଭିତରେ ସତେଅବା ଆଦୌ କୌଣସି ପ୍ରଭେଦ ରହିଥିବାର ଦେଖିବାକୁ ପାଇବା ନାହିଁ । ଗୋଟିଏ କାବ୍ୟକୁ ସୁନ୍ଦର ଓ ଆହୁରି ଅଧିକ ସୁନ୍ଦର କରି ଗଢ଼ିବା ଅର୍ଥାତ୍‍ ତାହାକୁ ଅବିକଳ ଗୋଟିଏ କାମିନୀ ପରିହିଁ ଗଢ଼ିବା, ରୀତିଯୁଗର ଯାବତୀୟ କାବ୍ୟାନୁଶୀଳନରେ ସତେଅବା ତାହାହିଁ ସର୍ବପ୍ରଧାନ କାବ୍ୟାଦର୍ଶ ହୋଇ ରହିଥିଲା । ତାଙ୍କର ପ୍ରସ୍ତାବିତ କାବ୍ୟଟି କାମିନୀପ୍ରାୟେ ହେବ, କାମଜଳଧିକୁ ଉଛୁଳାଇ ଦେଇପାରିବ, ରସିକଜନଙ୍କର ମନ କିଣି ନେବ, ଆପଣାର ‘ଯୁଗଳରସାବୃତ ଲହରୀ’ରେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଏହିପରି ଏକ ଇଚ୍ଛା ପ୍ରକଟ କରିଛନ୍ତି ଏବଂ ଆପଣାର ସେହି କାର୍ଯ୍ୟରେ କବିମାନଙ୍କର କରୁଣା ପାଇବେ ବୋଲି କାମନା କରିଛନ୍ତି । ଏହାଠାରୁ ଅଧିକ ବଡ଼ କୀର୍ତ୍ତିଟିଏ ପୃଥିବୀରେ ଆଉ କ’ଣ ହୋଇପାରେ ବୋଲି ସେ ସାଧୁମାନଙ୍କୁ ପ୍ରଶ୍ନ ପଚାରିଛନ୍ତି । କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ସୁଲକ୍ଷଣା’ କାବ୍ୟରେ ମଧ୍ୟ ସେହିଭଳି ଗୋଟିଏ ଅଭିଳାଷ ବ୍ୟକ୍ତ କରାଯାଇଛି; ସୁଲକ୍ଷଣା କାବ୍ୟ ସରସ ଲକ୍ଷଣାଳଙ୍କାରରେ ବିରାଜିତ ହେବ ଏବଂ ସମସ୍ତ ରମ୍ୟରେ ରାମାପ୍ରାୟ ସୁଖ ମଧ୍ୟ ଦେବ । ଅନୁରୂପ ସୁଜନ ଅର୍ଥାତ୍‍ ରସିକଜନମାନେହିଁ ସେହି କାବ୍ୟରେ ଅବଗାହୀ ପାରିବେ ।

 

ରୀତିଯୁଗର କବିତା ହେଉଛି ଶୃଙ୍ଗାରପ୍ରଧାନ କବିତା । କବିସମ୍ରାଟଙ୍କର ଭାଷାରେ ଏଥିରେ ‘ରସସାର ଶୃଙ୍ଗାର’ହିଁ ବ୍ୟକ୍ତ ହୋଇଥାଏ । ଖିଅଗୁଡ଼ିକୁ ଏକତ୍ର କରି କହିବାକୁ ଗଲେ, ରସ ମଧ୍ୟରେ ସାର ରସ ହେଉଛି ଶୃଙ୍ଗାର, କାବ୍ୟ ମଧ୍ୟରେ ଶ୍ରେଷ୍ଠ କାବ୍ୟ ହେଉଛି ରୀତିକାବ୍ୟ, ରୀତିକବି ହେଉଛି କବିମାନଙ୍କ ମଧ୍ୟରେ ନୃପତି ଏବଂ ପାଠକମାନଙ୍କ ମଧ୍ୟରେ ସୁରସିକ ହେଉଛନ୍ତି ସାର ପାଠକ । ଶୃଙ୍ଗାରକୁ ଏଠାରେ ସମଗ୍ର ଅର୍ଥରେ ଆଦୌ ନିଆଯାଇ ନାହିଁ । ଶୃଙ୍ଗାର କହିଲେ ରୀତିକାବ୍ୟରେ ତୁଚ୍ଛା କାମନା ଓ କାମୁକତାକୁ ବୁଝାଉଛି, ଦେହଗତ ଏବଂ ଦେହସର୍ବସ୍ଵ ସମ୍ଭୋଗକୁ ବୁଝାଉଛି । “ମୁଁ ସଂସାରୀ ପାସୋରି ପାରିବି କି କିଶୋରୀ ଅଛି ମୋ” କେଉଁ ଦମ୍ଭପଣ’ ବୋଲି କବି ଉପେନ୍ଦ୍ର ଭଞ୍ଜ ‘ରସଲେଖା’ କାବ୍ୟରେ ଆପଣାର ଏକ ସବେଦନ ପରିଚୟ ହେଇଛନ୍ତି । ଧର୍ମରେ ବର୍ଣ୍ଣିତ ଠାକୁରମାନଙ୍କୁ ନେଇ ମଧ୍ୟ କେତେକ ରୀତିକାବ୍ୟ ରଚିତ ହୋଇଛି । ଏଥିରେ ରାମ ଆସିଛନ୍ତି, କୃଷ୍ଣ ମଧ୍ୟ ଆସିଛନ୍ତି । ମାତ୍ର କବିମାନଙ୍କର ଶୃଙ୍ଗାରାତ୍ମକ ଉତ୍ତାପ ଭିତରେ ପଡ଼ି ସେମାନେ ମଧ୍ୟ ସତେଅବା କାମୁକ ପାଲଟି ଯାଇଛନ୍ତି । ରୀତିଯୁଗର ତଥାକଥିତ ରାମକାବ୍ୟ ଏବଂ କୃଷ୍ଣକାବ୍ୟଗୁଡ଼ିକରେ ଆମେ ତାହାର ଅସୁମାରି ଉଦାହରଣ ପାଇପାରିବା । ଯେହେତୁ ରସ ମଧ୍ୟରେ ଶୃଙ୍ଗାର ହେଉଛି ସର୍ବସାର, ତେଣୁ ରାମ, କୃଷ୍ଣ ଅଥବା କୈଳାସପତି ଶିବ ଯିଏ ହୁଅନ୍ତୁ ପଛକେ, ତାଙ୍କୁ ଆଗ ଶୃଙ୍ଗାର କୁଣ୍ଡରେ ନେଇ ପକାଇବାକୁହିଁ ପଡ଼ିବ । ତେବେ ଯାଇ ରୀତିର ସଭାମଧ୍ୟକୁ ଆସିବାର ପାତ୍ରତା ଅର୍ଜନ କରିପାରିବେ । ଓଡ଼ିଆ ରୀତିକାବ୍ୟର ଆଦ୍ୟରୁ ପ୍ରାନ୍ତଯାଏଁ ସେହି କଥାଟିକୁ ସୂଚାଇ ଦିଆଯାଇଛି ।

 

‘ଲାବଣ୍ୟବତୀ’ କାବ୍ୟରେ କାବ୍ୟକାର ‘ନବରସରେ ସାର, ଆଦ୍ୟେ ଲେଖି ଶୃଙ୍ଗାର’ ବୋଲି କହିଛନ୍ତି । ଯିଏ ଶୃଙ୍ଗାର ରସକୁ ଘେନା କରି ପାରୁ ନଥିବ, କବି ସମ୍ରାଟ ତାହାକୁ ନରପଶୁ ଅର୍ଥାତ୍‍ ନରମାନଙ୍କ ମଧ୍ୟରେ ପଶୁ ବୋଲି ଆଖ୍ୟା ଦେଇଛନ୍ତି । ସଂସାରପାଇଁ ଅନୁସୂଚିତ ହୋଇଥିବା ଯାବତୀୟ ସୁଖ ମଧ୍ୟରୁ ସେ ଶୃଙ୍ଗାର ଏବଂ କାମସମ୍ଭୋଗକୁହିଁ ସର୍ବଶ୍ରେଷ୍ଠ ସୁଖ ବୋଲି ମାନିଛନ୍ତି । ତାଙ୍କ ଭାଷାରେ, ନୃପତି ହେବା ବଡ଼ ନୁହେଁ; ଇନ୍ଦ୍ରସମ୍ପତ୍ତି ମଧ୍ୟ ବଡ଼ ନୁହେଁ, ଦମ୍ପତିହିଁ ହେଉଛି ସବୁ ସୁଖର ଉତ୍ପତ୍ତିସ୍ଥାନ । କାରଣ ତାହା ବିରହରୂପକ ତପତି ଅର୍ଥାତ୍‍ ତାପକୁ ବିନାଶ କରିପାରିବ, ଇତ୍ୟାଦି ଇତ୍ୟାଦି । ଭଞ୍ଜଙ୍କର ‘ପ୍ରେମସୁଧାନିଧି’ରେ ମଧ୍ୟ ସମାନ ଉଚ୍ଚାଟ ସହିତ ଅବିକଳ ସେହି କଥା–ପରମ ଦ୍ରବ୍ୟ ପୀରତି, ପରମ ସୁଖ ସୁରତି, ରତିରୁ ଜାତ ପୀରତି, ପ୍ରୀତିରୁ ରୀତି ଏବଂ ‘ମହାସୁଖ ନାହିଁ ଦମ୍ପତିରୁ, କି କାର୍ଯ୍ୟ କୁବେର ସମ୍ପତ୍ତିରୁ’ । ପୁନଶ୍ଚ, ଆପଣାର ସେହି ଏକାଚାରୀ ଉକ୍ତିଟି ମୁଣ୍ଡି ମାରିଲା ପରି, ‘ରାଜାଙ୍କୁ ହେବାର ରାଜ୍ୟଭ୍ରଷ୍ଟ, ଯୁବାକୁ ହେବାର ପତ୍ନୀକଷ୍ଟ, ବୋଲେ ଉପେନ୍ଦ୍ର ଭଞ୍ଜ ବୀରବର ଏଥୁଁ ବଳି ନାହିଁ ଆନ କଷ୍ଟ ।’

 

ଗବେଷକମାନେ କହନ୍ତି ଯେ କବି ଉପେନ୍ଦ୍ର ରାମତାରକ ମନ୍ତ୍ରର ସାଧନା କରିଥିଲେ ଓ ସେହି ସାଧନାରେ ସିଦ୍ଧିଲାଭ କରିଥିଲେ । ସେ ହରି ଏବଂ ହର ଉଭୟଙ୍କର କୃପାପ୍ରସାଦ କାମନା କରିଥିଲେ । ‘ସୁଭଦ୍ରା ପରିଣୟ’ ଗ୍ରନ୍ଥରେ ରାମଚନ୍ଦ୍ରଙ୍କୁ ଶ୍ରୀକ୍ଷେତ୍ର ପୁରୀର ଦାରୁବ୍ରହ୍ମ ସହିତ ସମତୁଲ କରି ସ୍ତୁତି କରିଥିଲେ । ଉପେନ୍ଦ୍ର ଭଞ୍ଜ ନିଜ ଜୀବନର କେତୋଟି ବର୍ଷ ନୀଳାଚଳରେ ମଧ୍ୟ ଅତିବାହିତ କରିଥିଲେ ଏବଂ ଜଗନ୍ନାଥଙ୍କ ନାମରେ ଗୋଟିଏ ସ୍ଵତନ୍ତ୍ର ଚଉତିଶା ରଚନା କରିଥିଲେ । ତଥାପି ଆଦୌ କୌଣସି ସଂଶୟ ନ ରଖି କୁହାଯାଇପାରିବ ଯେ; ତାଙ୍କର ରଚିତ କାବ୍ୟଗୁଡ଼ିକରେ ଶୃଙ୍ଗାର ହେଉଛି ପ୍ରଧାନତମ ଚେତନା, ତାହାହିଁ ତାଙ୍କର ସ୍ଥାୟୀଭାବ, ରାମଭକ୍ତି କୃଷ୍ଣଭକ୍ତି ବା ଜଗନ୍ନାଥ ଭକ୍ତି ହେଉଛନ୍ତି ଗୋଟିଏ ଗୋଟିଏ ଉପଚେତନା । ରୀତିକାବ୍ୟଗୁଡ଼ିକରେ ରାମ, କୃଷ୍ଣ ପ୍ରଭୃତି ଦେବତାମାନେ ସତେଯେପରି ଉପଜୀବ୍ୟରୂପେ କେବଳ ଯୋଡ଼ା ହୋଇ ରହିଛନ୍ତି । ରୀତିକାବ୍ୟ ସହିତ ଭାରତୀୟ ପ୍ରାୟ ସାହିତ୍ୟ ଭିତରେ ଦେହକାମନାଟା କିପରି ପରମ ଘନିଷ୍ଠ ଭାବରେ ଯୋଡ଼ା ହୋଇ ରହିଲା, ସେକଥା ଭାବିଲେ ଅତୀବ ଆଶ୍ଚର୍ଯ୍ୟ ହେବାକୁ ହୁଏ । ରୀତି ହେଉଛି ସାହିତ୍ୟର ବାହ୍ୟ ଅଙ୍ଗ; ସେହିପରି କାମୁକତା ମଧ୍ୟ ପ୍ରୀତିର ସମଗ୍ର ଭୁବନଟି ମଧ୍ୟରେ ଏକ ଅତ୍ୟଳ୍ପ ଅଂଶ ମାତ୍ର । ଅଥବା, ଯେଉଁଠି ଅସଲ ପ୍ରୀତି ସମ୍ଭବ ନହୁଏ, ସେଠାରେ ଅସମର୍ଥ ମଣିଷମାନେ କେବଳ ଏକ ଆତୁରତା ବା କାମୁକତାରେହିଁ ଆନନ୍ଦ ଅନୁଭବ କରନ୍ତି । ସେହିପରି ଅସଲ ସାହିତ୍ୟ ବିଷୟରେ ଏକ ଅସମର୍ଥତା ରହିଥିଲେ ଜଣେ ସାହିତ୍ୟକାର ସମ୍ଭବତଃ ରୀତିଟା ଆଡ଼କୁ ଅତିରିକ୍ତ ଭାବରେ ଆସକ୍ତ ହୋଇପଡ଼େ ।

 

ସାହିତ୍ୟରେ ପ୍ରୀତି ଓ ରୀତି ଚିରକାଳ ରହିଆସିଛନ୍ତି, ଏମାନେ ଚିରକାଳ ଲାଗି ଅବଶ୍ୟ ରହିଥିବେ । ମାତ୍ର, ସେତେବେଳେ ରୀତି ଅତିକାୟ ଏବଂ ଅତି ସ୍ଥୂଳ ହୋଇ ଯାବତୀୟ ପ୍ରୀତିକୁ ପ୍ରକୃତରେ ଗିଳି ପକାଇବ ବୋଲି ବାହାରେ, ସେତେବେଳେ କେବଳ ସାହିତ୍ୟ ଉପରକୁ ନୁହେଁ, ଜୀବନ ଉପରକୁ ପ୍ରମାଦ ମାଡ଼ିଆସେ । ପୂର୍ବରୁ ସଂସ୍କୃତ ଭାଷା ସାହିତ୍ୟକୁ ଏକ ଗୋଷ୍ଠୀସାହିତ୍ୟ କରି ରଖିଥିଲା, ଓଡ଼ିଆ ସାହିତ୍ୟର ଏହି ରୀତିଯୁଗଟି ମଧ୍ୟ ଓଡ଼ିଆ ଭାଷା ଏବଂ ଓଡ଼ିଆ ସାହିତ୍ୟକୁ ପ୍ରଧାନତଃ ଗୋଷ୍ଠୀର ଭାଷା ଏବଂ ସାହିତ୍ୟ କରି ରଖିବାର ଚକ୍ରାନ୍ତ ଲାଗି ଭୂମିରୂପେ କାର୍ଯ୍ୟ କରିଥିଲା । ରୀତି-ସାହିତ୍ୟରେ ପ୍ରାୟ ଏକ ନିୟମ ସଦୃଶ ଛାନ୍ଦ ଏବଂ ସଙ୍ଗୀତକୁ ପୂରାଇ ଦିଆଯାଇଥିଲା ଏବଂ ତାହାରି ବଳରେ ତାହା ଅତ୍ୟନ୍ତ ଜନପ୍ରିୟ ଏବଂ ଜନାଦୃତ ମଧ୍ୟ ହେଲା । ଜଣେ ରୀତିକବିକୁ ପ୍ରାୟ ଏକ ନିୟମ ମାନିଲା ପରି ସଙ୍ଗୀତଶାସ୍ତ୍ରରେ ମଧ୍ୟ ପ୍ରବୀଣ ହେବାକୁ ପଡ଼ୁଥିଲା । ସଙ୍ଗୀତ ଏବଂ ଛାନ୍ଦଗୁଡ଼ିକ ରାଜସଭାମାନଙ୍କରେ ରାଜା ସମେତ ସେଠାରେ ଥିବା ସମସ୍ତଙ୍କୁ ଆମୋଦ ଦାନ କରୁଥିଲା, ରାଜାଶ୍ରିତ ଠାକୁରମାନଙ୍କୁ ମଧ୍ୟ ଆମୋଦ ଦେଉଥିଲା । ଜନସାଧାରଣ ତାହାର କେବଳ ସଙ୍ଗୀତ ପକ୍ଷକୁହିଁ ଗ୍ରହଣ କରିପାରିଥିଲେ ଏବଂ ଆପ୍ୟାୟିତ ହେଉଥିଲେ । ଅବଶ୍ୟ ଏକଥା ସତ୍ୟ ଯେ, କାବ୍ୟଗୁଡ଼ିକ ଭିତରେ ରହିଥିବା ଶୃଙ୍ଗାରସୂଚକ ଯେତିକି ଶବ୍ଦ ବା ଯେତିକି କାବ୍ୟ ସେମାନଙ୍କର ବୋଧଗମ୍ୟ ହେଉଥିଲା, ସେତିକିଦ୍ଵାରା ସେମାନେ ମଧ୍ୟ କମ୍ ଆମୋଦିତ ହେଉ ନଥିଲେ । ସାରଳା ଦାସ ଏବଂ ପଞ୍ଚସଖାଙ୍କ ସମୟରେ ଓଡ଼ିଆ ସାହିତ୍ୟ ସଭାକୁ ଛାଡ଼ି ଜନଜୀବନ ମଧ୍ୟରେ ଯେତିକି ପ୍ରବେଶ କରିପାରିଥିଲା, ରୀତିଯୁଗର ଅନ୍ୟ ପ୍ରଭାବଟି ଫଳରେ ତାହା ସତେଅବା ପୁନରାୟ ଜନଜୀବନକୁ ଛାଡ଼ି ସଭାକୁ ଫେରି ଆସିଥିଲା । ଜନମାନଙ୍କୁ ଛାଡ଼ି ସୁଜନ ଅର୍ଥାତ୍‍ ଶାସ୍ତ୍ର ପଢ଼ିଥିବା ଜନମାନଙ୍କ ପାଖକୁ ଫେରି ଆସିଲା । ଏକ କ୍ଷୁଦ୍ର ପରିଧି ଭିତରେ ତାହାର ଆବେଦନ ପାଚେରୀଘେରା ହେଇ ରହିଗଲା ।

 

ରୀତିସାହିତ୍ୟ ସମ୍ଭବତଃ ଅତ୍ୟନ୍ତ ସହଜରେ ରାଜାମାନଙ୍କର ପୃଷ୍ଠପୋଷକତା ଲାଭ କରିଥିଲା, କାରଣ ତାହା ଯାବତୀୟ ଦୃଷ୍ଟିରୁ ଏକ ନିରାପଦ ସାହିତ୍ୟ ହୋଇ ରହିଥିଲା । ମନୁଷ୍ୟକୁ ଭାରି ଚମତ୍କାର ଭାବରେ ଶୁଆଇ ବା ଶୀତଳ କରି ରଖୁଥିଲା, ତା’ର ଚେତନା ଲାଗି ସତେଅବା ଏକ ଅଫିମ ପରି କାର୍ଯ୍ୟ କରୁଥିଲା । ପୁନଶ୍ଚ ଠାକୁରମାନଙ୍କ ନାମରେ ସବୁକିଛି ବର୍ଣ୍ଣନା କରିପାରିବାର ସେହିପରି ଏକ ରାଜକୀୟ ଗେହ୍ଲାପଣରେ ମଧ୍ୟ ତାହା ଠାକୁରମାନଙ୍କୁ ପ୍ରାୟ ଗୋଟାସୁଦ୍ଧା ଲୋସଡ଼ା କରି ପକାଉଥିଲା । ଆମ ଠାକୁରମାନେ ଆମ ଲାଗି କୌଣସି ଆରୋହଣ ବା ଉତ୍‍କ୍ରମଣ ଲାଗି ପ୍ରେରଣା ଦେବା ପରିବର୍ତ୍ତେ ହୁଏତ ଆମକୁ ଲୋସଡ଼ା ହୋଇ ରହିବା ଲାଗିହିଁ ଅଧିକ ଖୋରାକ ଆଣି ଯୋଗାଇ ଦେଉଥିଲେ ।

 

ଖାସ୍ ଏହି ସମୟଟାରେ ରୀତିର ଏହି ଅତିରିକ୍ତତାଟା ଆସି ଏପରି ଭାବରେ ଓଡ଼ିଆ ସାହିତ୍ୟକୁ କାହିଁକି ମାଡ଼ି ବସିଲା, ସେହି ପ୍ରଶ୍ନଟିର ଏକ ଉତ୍ତର ଖୋଜିବାକୁ ହୁଏତ ଏକ ଚେଷ୍ଟା କରାଯାଇପାରେ । ସେତେବେଳେ ବାହ୍ୟ ସମାଜରେ ରାଜନୀତିକ ଅନିଶ୍ଚୟତା ରହିଥିଲା । କବିମାନେ ରାଜାମାନଙ୍କ ପାଇଁ କାବ୍ୟ ଲେଖୁଥିଲେ, ରାଜାଙ୍କୁ ରସିକ କରି ଥାପି ଓ ତାଙ୍କୁ ଶୃଙ୍ଗାରାଧିପତିର ସ୍ଥାନରେ ବସାଇ ତାଙ୍କଠାରୁ ଅନୁକମ୍ପା ଲାଭ କରୁଥିଲେ ପୁରୁଷପ୍ରଧାନ ସମାଜରେ ନାରୀ ସତେଅବା ଏକ କ୍ରୀଡ଼ାପୁତ୍ତଳି ହୋଇ ରହିଥିଲା । ପୁରୁଷପାଇଁ ତାହା ଭୋଗର ଏକ ଅନ୍ୟତମ ପଣ୍ୟ ପରି ଦିଶୁଥିଲା । କଳାକୁ କେବଳ କାବ୍ୟରଚନାର ଏକ କୌଶଳ ମଧ୍ୟକୁ ସୀମାବଦ୍ଧ କରି ଆଣିବାର ଏହି ଉତ୍ସାହରେ କେତେକ ରୀତିକବିଙ୍କ ଜୀବନରେ ବେଳେବେଳେ ଅବସାଦ ମଧ୍ୟ ଆସୁଥିଲା । କବିସୂର୍ଯ୍ୟ ବଳଦେବ ରଥଙ୍କୁ ଆମେ ଏହାର ଏକ ଦୃଷ୍ଟାନ୍ତ ବୋଲି ଗ୍ରହଣ କରିପାରିବା । ଧନ ଅର୍ଜନର ମୋହରେ ପଡ଼ି ଛାର ଜନମାନଙ୍କର ଅର୍ଚ୍ଚନାରେ ରତ ରହି ସେ କିପରି ‘ଅମାପ ଦୋଷ’ କରିଥିଲେ, ସେଥିଲାଗି ‘ରମାପତି’ଙ୍କ ପାଖରେ ସେ କ୍ଷମାଭିକ୍ଷା କରିଛନ୍ତି । ତା’ପରେ ତାଙ୍କ କାବ୍ୟ ରଚନାରୁ ତତ୍ସମ କଟୁ ଶବ୍ଦଗୁଡ଼ିକର ପ୍ରାଦୁର୍ଭାବ କମ୍ ହୋଇ ଆସିଲା, ଦେଶଜ ଏବଂ ପାରସିକ କେତେ ଶବ୍ଦର ପ୍ରବେଶ ଘଟିଥିଲା । କବି ଗୋପାଳକୃଷ୍ଣଙ୍କର ପଦଗୁଡ଼ିକରେ ମଧ୍ୟ ରୀତି ତୁଳନାରେ ପ୍ରୀତିକୁ କ୍ରମେ ଅଧିକ ସ୍ଥାନ ଛାଡ଼ି ଦିଆଯାଇଥିବା ପରି ଆମକୁ ସୂଚନା ମିଳିଥାଏ । କବି ବନମାଳୀ ସେହି ବାଟରେ ପାଦେ ଆଗକୁବି ପକାଇଥିଲେ । ତଥାପି ରୀତି କମ୍ ବଳବାନ ହୋଇ ରହି ନଥିଲା । ଅଷ୍ଟାଦଶ ଶତାବ୍ଦୀର କବି ବ୍ରଜନାଥ ବଡ଼ଜେନା ମଧ୍ୟ ତାଙ୍କ ସାହିତ୍ୟକାରିତାର ପ୍ରଥମ କାଳରେ ରାଜାଙ୍କର ଅନୁଗ୍ରହ ପାଇବାପାଇଁ ‘ଅମ୍ଵିକା-ବିଳାସ ଓ ‘କେଳି କଳାନିଧି’ ପ୍ରଭୃତି କାବ୍ୟ ରଚନା କରିଥିଲେ । ସେହି ରୀତିରେ ‘ବିଚକ୍ଷଣା’ ନାମକ ଆଉ ଗୋଟିଏ କାବ୍ୟ ଲେଖିବାକୁ ଯାଇ ସେ ଶବ୍ଦବନ୍ଧର ସୀମାବନ୍ଧନଟିକୁ ଉପଲବ୍ଧି କରିଥିଲେ ଓ ନିଜ ଭାଷା ଅର୍ଥାତ୍‍ ଦେଶ-ବୋଲିରେ ଲେଖିବାକୁ ସାହସ କଲେ ।

 

ଓଡ଼ିଆ ରୀତିଯୁଗର ସାହିତ୍ୟ ପ୍ରଧାନତଃ ଏକ ମେରୁଦଣ୍ଡହୀନ ସାହିତ୍ୟ, ଅଳପଟାକୁ ନେଇ ଅଧିକ ଫୁଲାଇ ହେବାକୁ ଉଦ୍ୟମ କରୁଥିବା ଏକ ସାହିତ୍ୟ । ତଥାପି ତାହାରି ଭିତରେ କବି ଦୀନକୃଷ୍ଣ ଦାସ ବେଳେବେଳେ ଏକ ବ୍ୟତିକ୍ରମ ବୋଲି ମନେ ହୋଇଥାନ୍ତି । ତତ୍କାଳୀନ ରାଜା ଦିବ୍ୟସିଂହ ଦେବଙ୍କୁ ଦେଇଥିବା ଆପଣାର ଉତ୍ତରରେ ସେ ନିଜ କବିତ୍ଵର ଏକ ସମ୍ମାନିତ ପରିଚୟ ଦେଇଛନ୍ତି । ଦୀନକୃଷ୍ଣଙ୍କର ‘ରସକଲ୍ଲୋଳ’ରେ ମୁଗ୍ଧ ହୋଇ ରାଜା କବିଙ୍କର ଆଉ ଗୋଟିଏ କାବ୍ୟକୁ ରାଜାଙ୍କ ନାମରେ ଭଣିତା କରିବାର ପ୍ରସ୍ତାବ ଦେଇଥିଲେ । ଦୀନକୃଷ୍ଣ ସେହି ପ୍ରସ୍ତାବକୁ ଗ୍ରହଣ କରି ନଥିଲେ । ରାଜକୋପର ଶରବ୍ୟ ହୋଇ କାରାବରଣ କରିଥିଲେ । ତଥାପି ସ୍ଵକବିତ୍ୱର ମହତ ରଖିଥିଲେ । ‘କୃଷ୍ଣ ଆଶ୍ରେ କରି ସୁବିଦ୍ୟା ଆଚାର ପାଷଣ୍ଡକୁ ଯାହା ସ୍ତୁତି, କୃଷ୍ଣ ଦାସ କହେ କିଛି ଭଲ ନୋହେ କେବଳ ଛାତିକି କାତି’ ଏବଂ କବି ଯା’ କରେ ମୂର୍ଖକୁ ସ୍ତୁତି, ଏଥିରୁ ନାହିଁ ବଡ଼ ବିପତ୍ତି; ଏଥିକି ପ୍ରତି ଛାତିରେ କାତି ମାରିବା ଭଲହେ ।’ –ଏହି ପଦଗୁଡ଼ିକ ଆମକୁ ଦୀନକୃଷ୍ଣଙ୍କର ‘ରସକଲ୍ଲୋଳ’ରେ ପାଠ କରିବାକୁ ମିଳିଥାଏ ଏବଂ ସେଗୁଡ଼ିକୁ ପାଠ କରି ଛାତି ଫୁଲି ଉଠିଥାଏ ।

 

ପଞ୍ଚସଖାଙ୍କ ସମୟରେ ଓଡ଼ିଆ ସାହିତ୍ୟରେ ଯେପରି ଆମକୁ ରୀତିକାବ୍ୟର ନମୁନାମାନ ଦେଖିବାକୁ ମିଳେ, ରୀତିକାବ୍ୟର ପ୍ରାଧାନ୍ୟ ସମୟରେ ମଧ୍ୟ ସେହିପରି ସନ୍ଥସାହିତ୍ୟର ଗୋଟିଏ ପରମ୍ପରା ତଥାପି ଗଡ଼ି ଚାଲିଥିବାର ତଥାପି ଦୃଷ୍ଟିଗୋଚର ହୋଇଥାଏ । ପଞ୍ଚସଖାଙ୍କର ବଞ୍ଚି ଥାଉଁଥାଉଁହିଁ ଓଡ଼ିଆର ବୈଷ୍ଣବପଥ ଦୁଇଭାଗ ହୋଇଯାଇଥିଲା ଏବଂ ଏହି ଦୁଇଭାଗ ମଧ୍ୟରେ ରହିଥିବା ଦୂରତା କ୍ରମଶଃ ବଢ଼ିବାରେ ଲାଗିଥିଲା । ମହାପ୍ରଭୁ ଚୈତନ୍ୟଙ୍କୁ ଓଡ଼ିଶାର ଗଜପତି ରାଜା ନିଜର ଗୁରୁ ବୋଲି ଗ୍ରହଣ କରି ନେବାପରେ ଗୌଡ଼ୀୟ ବୈଷ୍ଣବଧର୍ମ ଯାବତୀୟ ଅର୍ଥରେ ଓଡ଼ିଶାରେ ରାଜଧର୍ମରେ ପରିଣତ ହୋଇଗଲା । ମଣିଷର ବାହାର ମନ ଓ ବାହାର ଉତ୍ସାହକୁ ଟାଣିନେଇ ପାରିବା ନିମନ୍ତେ ଗୌଡ଼ୀୟ ବୈଷ୍ଣବଧର୍ମରେ ସମ୍ଭବତଃ ଅଧିକ ଆକର୍ଷଣକାରୀ ଉପାଦାନ ରହିଥିଲା । ଶ୍ରୀଚୈତନ୍ୟ ତାଙ୍କର ଦେହ ଛାଡ଼ିବା ପର୍ଯ୍ୟନ୍ତ ପୁରୀଧାମରେହିଁ ରହିଥିଲେ । ତାଙ୍କ ସହିତ ଗୌଡ଼ ଦେଶରୁ ଆସିଥିବା ତାଙ୍କର ଅନୁଗାମୀ ସମ୍ପ୍ରଦାୟଟି ଓଡ଼ିଶା ଛାଡ଼ି ବୃନ୍ଦାବନକୁ ଚାଲିଗଲେ । ତାଙ୍କର ଓଡ଼ିଆ ଭକ୍ତ ଯେତିକି ଥିଲେ, ସେମାନେ ମଧ୍ୟ ଓଡ଼ିଶାର ବୈଷ୍ଣବ ପରମ୍ପରାଟିଠାରୁ ଆନୁଷ୍ଠାନିକ ଭାବରେ ନିଜକୁ ଅଲଗା କରିରଖିଲେ । ସେହିମାନଙ୍କର ସମ୍ପ୍ରଦାୟକୁହିଁ ରାଜା ପୃଷ୍ଠପୋଷକତା କରୁଥିଲେ । ପଞ୍ଚସଖାଙ୍କର ତିରୋଧାନ ଘଟିବା ପରେ ଓଡ଼ିଆ ବୈଷ୍ଣବ ଗୋଷ୍ଠୀଟିରେ ସେମାନଙ୍କ ପରି ଆଉ କେହି ସେପରି ବଳିଷ୍ଠ ନେତୃତ୍ଵ ଦେଇପାରି ନଥିଲେ । ସେତେବେଳେ ପରବର୍ତ୍ତୀ କାଳରେ ଯେଉଁମାନେ ଆସିଲେ, ସେମାନେ ନିଜ ନିଜର ଗାଦିରେ ଅଲଗା ହୋଇ ରହିଗଲେ । ରାଜାଙ୍କର କୋପକୁ ଡରି ଅନେକେ ଗିରିକନ୍ଦରକୁ ମଧ୍ୟ ଆଶ୍ରୟ କରିଥିଲେ । ସେମାନଙ୍କୁ ଏକାଠି ଧରି ରଖିବା ନିମନ୍ତେ କୌଣସି ନେତୃତ୍ଵ ଆଉ ମିଳିଲା ନହିଁ ।

 

ଗଜପତି ରାଜାଙ୍କର କେନ୍ଦ୍ର ଆସ୍ଥାନଟି ଭାଙ୍ଗିଯିବା ଫଳରେ ଯେତେବେଳେ ଓଡ଼ିଶା ସାନ ସାନ ଶାସନରେ ବିଭକ୍ତ ହୋଇଗଲା, ସେତେବେଳେ ସେମାନଙ୍କଠାରୁ ଅନୁକୂଳତା ଓ ପୃଷ୍ଠପୋଷକତା ପାଇ ଗୌଡ଼ୀୟ ଧର୍ମ ମଧ୍ୟ କେତେକେତେ ଆଡ଼କୁ ଖେଳାଇ ହୋଇଗଲା । ଗୌଡ଼ୀୟ ଉପଚାରରେ ରହିଥିବା ରାଧାକୃଷ୍ଣଲୀଳାରୁ ମଧ୍ୟ ସେହି ସମୟର ରୀତିସାହିତ୍ୟ କମ୍ ପ୍ରେରଣା ପାଇ ନଥିବ । ରୀତିସାହିତ୍ୟ ରାଜସଭା ଓ ଶିଷ୍ଟ ସଭାମାନଙ୍କରେ ରହିଲା ଏବଂ ବୃହତ୍ତର ଲୋକାୟତନ ତାହାର ସଙ୍ଗୀତାଂଶଟିକୁ ଅଧିକ ପରିମାଣରେ ଉପଭୋଗ କରୁଥିଲା । ଏଗୁଡ଼ିକ ଅର୍ଥାତ୍‍ ସଙ୍ଗୀତ ତଥା ପ୍ରଦର୍ଶନର ଦିଗଗୁଡ଼ିକ କ୍ରମେ ଗୋଟିପୁଅ ନାଚ, ଠିଆପାଲା ଓ ଦାସକାଠିଆ ପ୍ରଭୃତି ନାନା ମାଧ୍ୟମରେ ଲୋକମାନଙ୍କର ମନୋରଞ୍ଜନ କରିବାକୁ ଆରମ୍ଭ କରିଥିଲା । ସହଜ ଦୀକ୍ଷା ଏବଂ ସଂକୀର୍ତ୍ତନ ମଧ୍ୟ ଲୋକସାଧାରଣଙ୍କୁ କମ୍ ମୁଗ୍ଧ କରୁ ନଥିଲା । ପୁରପଲ୍ଲୀରେ ସେହି ସଂକୀର୍ତ୍ତନର ପ୍ରସାର ଲୋକମାନଙ୍କୁ ଅନ୍ୟ ଉତ୍ସାହରେ ମତାଇ ନେଇଗଲା । ସେହି ଉତ୍ସାହ ଆଗରେ ଲୋକମାନଙ୍କର ଆଖିରେ ଓଡ଼ିଶାର ସନ୍ଥପରମ୍ପରା କ୍ରମେ ଭାରି ମଳିନ ଦିଶିଥିବ । ଚୈତନ୍ୟ ଠାକୁର ହୋଇଗଲେ ଏବଂ ଏଣେ ଅନ୍ୟ ପକ୍ଷରେ ସନ୍ଥ ପରମ୍ପରାଟି ଆପଣାକୁ ପ୍ରତ୍ୟାହୃତ କରିନେଇ ସତେଅବା ଅନ୍ତରାଳକୁ ଚାଲିଗଲା । ଗୋଟିଏ ପରମ୍ପରା କ୍ରମେ ଅନେକ ଶାଖାରେ ବିଭକ୍ତ ହୋଇଗଲା । ଜଣେ ଜଣେ ଗୁରୁଙ୍କୁ କେନ୍ଦ୍ର କରି ପ୍ରାୟ ଅଲଗାଅଲଗା ହୋଇ ରହିଲା । ଏପରିକି ପଞ୍ଚସଖାଙ୍କର ପାଞ୍ଚ ଗାଦି ବା ପାଞ୍ଚଟି ପୀଠ ଭିତରେ ମଧ୍ୟ ନିକଟତା ରହିଲା ନାହିଁ । ସେହି ସମୟର ଏକ ଅବଶେଷରୂପେ ଏବେ ମଧ୍ୟ ଓଡ଼ିଶାର ନାନା ସ୍ଥାନରେ ବହୁସଂଖ୍ୟକ ଗାଦି ଦେଖିବାକୁ ମିଳିଥାଏ । ସେହି ଗାଦିଗୁଡ଼ିକୁ ସତେଅବା ଏକ ଆଶ୍ରୟରୂପେ ବ୍ୟବହାର କରି ସେଠାରେ କେତେଜଣ ଭକ୍ତ ବା ବାବାଜି ମାଟି କାମୁଡ଼ି ପଡ଼ି ରହିଲେ । ଗାଦିରେ ପୋଥିଗୁଡ଼ିକ ସାଇତା ହୋଇ ରହିଲା ଏବଂ ସେହି ଗାଦିକୁ ଗାଦିବ୍ରହ୍ମ କୁହାଗଲା ।

 

ସନ୍ଥ-ମାର୍ଗ ଓ ନିର୍ଗୁଣ-ଉପାସନାର ଏହି ପ୍ରତ୍ୟାହାର–ପର୍ଯ୍ୟାୟରେ ଓଡ଼ିଆ ସାହିତ୍ୟରେ ଆମେ ଯେଉଁମାନଙ୍କୁ ସ୍ମରଣ ରଖିବା, ସେମାନଙ୍କ ମଧ୍ୟରେ ଚୈତନ୍ୟ ଦାସ, ହାଡ଼ି ଦାସ, ସାରଳା ଦାସ, ‘ରସବିନୋଦ’ର ରଚୟିତା ଦୀନକୃଷ୍ଣ ଦାସ, ଦେବାନନ୍ଦ ଦାସ ଓ ଅରକ୍ଷିତ ଦାସ ପ୍ରଭୃତି କେତେଜଣ ସବାଆଗ ଧାଡ଼ିରେ ରହିଛନ୍ତି । ଚୈତନ୍ୟ ଦାସ ପଞ୍ଚସଖାଙ୍କର ପ୍ରାୟ ସମକାଳୀନ ଥିଲେ ଅଥବା ଠିକ୍‍ ଅବ୍ୟବହିତ ପରେ ଆବିର୍ଭୂତ ହୋଇଥିଲେ । ସେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଅଞ୍ଚଳର ଖଡ଼ିଆଳଠାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ପଶ୍ଚିମ ଏବଂ ପୂର୍ବାଞ୍ଚଳ ମଧ୍ୟରେ ସେତେବେଳେ ଭୌଗୋଳିକ ଦୂରତାଟି ପ୍ରକୃତରେ ଏତେ ଅଧିକ ଦୂର ବୋଲି ଲାଗୁଥିଲା ଯେ ଖୁବ୍ ସମ୍ଭବ ସେହି କାରଣରୁ ଚୈତନ୍ୟ ଦାସ ପଞ୍ଚସଖାଙ୍କର କୌଣସି ସମ୍ପର୍କରେ ଆସି ନଥିଲେ । ତାଙ୍କଦ୍ଵାରା ଲିଖିତ ପୋଥିମାନଙ୍କରେ ଆମେ ପଞ୍ଚସଖାଙ୍କର ନାମୋଲ୍ଲେକ ମଧ୍ୟ ଦେଖିବାକୁ ପାଇବା ନାହିଁ । ଚୈତନ୍ୟ ଦାସ ଏକ ମାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦୁଇଟି ଗ୍ରନ୍ଥ ‘ନିର୍ଗୁଣ ମହାତ୍ମ୍ୟ’ ଏବଂ ‘ବିଷ୍ଣୁଗର୍ଭ ପୁରାଣ’ ଇତିମଧ୍ୟରେ ପ୍ରକାଶିତ ହୋଇଛି । ଓଡ଼ିଆ ସାହିତ୍ୟର ଇତିହାସରେ ଜ୍ଞାତସାରକୁ ଆସିଥିବା ଲେଖକମାନଙ୍କ ମଧ୍ୟରେ ଚୈତନ୍ୟ ଦାସ ହେଉଛନ୍ତି ସର୍ବପ୍ରଥମ ବ୍ୟକ୍ତି, ଯିଏକି ପଶ୍ଚିମ ଓଡ଼ିଶାର ଥିଲେ । ସିଏ ଆଦୌ ଉପକୂଳ ଓଡ଼ିଶାକୁ ଆସିଥିଲେ କି ନାହିଁ ଏବଂ ଏହି ପାଖଟିର ଧର୍ମ ଓ ସାହିତ୍ୟଦ୍ଵାରା ପ୍ରଭାବିତ ହୋଇଥିଲେ କି ନାହିଁ, ତାଙ୍କର ଲେଖାଗୁଡ଼ିକରୁ ତାହାର କୌଣସି ସୁରାଖ ମିଳେ ନାହିଁ । ତାଙ୍କର ଲେଖାମାନଙ୍କରେ ଯେଉଁ ଭାଷା ବ୍ୟବହୃତ ହୋଇଛି, ସେଥିରେ ପଶ୍ଚିମାଞ୍ଚଳର ସ୍ଵତନ୍ତ୍ର ମାଧୁର୍ଯ୍ୟଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ିଥାଏ । ଚୈତନ୍ୟ ଦାସଙ୍କର ଜୀବନୀ, ତାଙ୍କର ସାହିତ୍ୟ-କୃତି ଏବଂ ତାଙ୍କ ପ୍ରେରଣାର ଉତ୍ସଗୁଡ଼ିକ ବିଷୟରେ ଆହୁରି ଅଧିକ ଆଲୋଚନା ଓ ଅନୁସନ୍ଧାନ ହୋଇପାରିବା ଉଚିତ ।

 

‘ବିଷ୍ଣୁଗର୍ଭ ପୁରାଣ’କୁ ଚୈତନ୍ୟ ଦାସ ମୁକ୍ତ ଦାଣ୍ଡିବୃତ୍ତରେ ଲେଖିଛନ୍ତି । ପଞ୍ଚସଖା ସାହିତ୍ୟ ପରି ସେଥିରେ ମଧ୍ୟ ବାହ୍ୟଗୁଡ଼ିକୁ ଛାଡ଼ି ମୂଳକୁ ଓ ଅନ୍ତର ଭିତରକୁ ଫେରି ଆସିବାର ଆହ୍ଵାନ ସର୍ବପ୍ରଧାନ ହୋଇ ରହିଛି । ସର୍ବୋଚ୍ଚ ଭଗବାନଙ୍କୁ ଏଥିରେ ଅଗୋଚର ପୁରୁଷ ବୋଲି କୁହାଯାଇଛି । ଚୈତନ୍ୟ ଦାସ ତାଙ୍କୁ ଅଲେଖ ବୋଲି ମଧ୍ୟ କହିଛନ୍ତି । ସେହି ଅଲେଖଙ୍କୁ ଶୂନ୍ୟର ଆଖ୍ୟା ଦିଆଯାଇଛି । ‘ଶୂନ୍ୟଗର୍ଭେ ଅଲେଖ, ଅଲେଖ ଗର୍ଭେ ଶୂନ୍ୟ’ ଏବଂ ‘ଅଲେଖ ପୁରୁଷ ଶୂନ୍ୟ ଦୁହେଁ ଏକଇ ସମାନ’ ବୋଲି ବର୍ଣ୍ଣନା ହୋଇଛି । ସେହି ଅଲେଖଙ୍କୁ ଯିଏ ଲୋଡ଼େ ବୈକୁଣ୍ଠ ସମ୍ପଦକୁ ମଧ୍ୟ ତାହାର ଇଚ୍ଛା ବଳେ ନାହିଁ ଓ ସିଏ ବ୍ରହ୍ମ ଓ ଶିବଙ୍କର ପାଦକୁ ମଧ୍ୟ ତୁଚ୍ଛ ବୋଲି ମଣୁଥାଏ । ତେଣୁ ଅସଲ ଭକ୍ତି ହେଉଛି ଅଲେଖ ଭକ୍ତି । ଏହି ଭକ୍ତିକୁ ଚୈତନ୍ୟ ଦାସ ଗୋଟିଏ ବୃକ୍ଷ ସହିତ ତୁଳନା କରିଛନ୍ତି ଏବଂ କୌଣସି ପ୍ରକାରର ବାହ୍ୟ ମାଧ୍ୟମଦ୍ଵାରା ନୁହେଁ, କେବଳ ଅନୁଭବଦ୍ଵାରାହିଁ ସେହି ବୃକ୍ଷରେ ଚଢ଼ି ହୁଏ ବୋଲି କହିଛନ୍ତି । ଚକ୍ରଗୁଡ଼ିକର ସାଧନାଦ୍ଵାରା କ୍ରମଶଃ ଅଗ୍ରସର ହୋଇ ପରମସତ୍ୟର ଉପଲବ୍ଧି କରିବାର ନିର୍ଦ୍ଦେଶ ଦିଆଯାଇଛି । ‘ବ୍ରହ୍ମବିଦ୍ୟା ସାଧି ବ୍ରହ୍ମକୁ ଉଦେ କର’ ବୋଲି ବତାଇ ଦିଆଯାଇଛି । ଏହିସବୁ ତତ୍ତ୍ଵକୁ ଚୈତନ୍ୟ ଦାସ ନିଜସ୍ଵ ଏକ ସରଳ ଭାଷାରେ କେଡ଼େ ସରଳ ଭାବରେ କରିପାରିଛନ୍ତି । ସ୍ଥାନୀୟ ଶବ୍ଦଗୁଡ଼ିକୁ ସେ କେତେକେତେ ଭାବୋତ୍ତରଣର ଯୋଗ୍ୟ କରିପାରିଛନ୍ତି । ଯେଉଁ ଭାଷା ଛଞ୍ଚାଣ ପରି ଉପରୁ ଆସି ପଡ଼େ ଓ ପାଣ୍ଡିତ୍ୟର ପରାକ୍ରମଦ୍ଵାରା ସବୁକିଛି କହିଦେଇପାରିବ ବୋଲି ଦମ୍ଭ କରୁଥାଏ, ସେହି ଭାଷାକୁ ଶିଷ୍ଟଭାଷା ବୋଲି କୁହାଯାଏ ସତ, ମାତ୍ର ସେଇଟିଦ୍ଵାରା ପ୍ରକୃତରେ ବେଶୀ କିଛି ଆଦୌ ସାଧ୍ୟ ହୁଏ ନାହିଁ । ତାହା ଆମ ହୃଦୟର ବାହାରେ ବାହାରେ ରହିଯାଏ, ଅସଲ ପ୍ରତିସ୍ପନ୍ଦନଟିକୁ ମୋଟେ ଜାଗୃତ କରି ଆଣିପାରେ ନାହିଁ । ଯେଉଁ ଭାଷା ତଳୁ ଉପର ଆଡ଼କୁ ଅଭିଳାଷ କରି ବାହାରେ, ଅନୁଭବକୁ ସମ୍ଵଳ କରି ବାହାରେ, ସେହି ଭାଷା ଯଥାର୍ଥ ପରିଚୟ କରାଇଦିଏ, ଦ୍ଵାରଗୁଡ଼ିକର ଉନ୍ମୋଚନ କରାଏ । ଚୈତନ୍ୟ ଦାସଙ୍କର ପୋଥିଗୁଡ଼ିକୁ ପଢ଼ିବା ସମୟରେ ସେହି କଥାଟି ବାରବାର ସ୍ପଷ୍ଟ ହୋଇଆସେ ।

 

ଚୈତନ୍ୟ ଦାସଙ୍କର ‘ବିଷ୍ଣୁଗର୍ଭ ପୁରାଣ’ରେ ଜଗନ୍ନାଥଙ୍କର ଅଥବା ପୁରୀ ଶ୍ରୀକ୍ଷେତ୍ରର ନାମ କେଉଁଠାରେ ହେଲେ ଦେଖିବାକୁ ମିଳେ ନାହିଁ । ପଞ୍ଚସଖା ସାହିତ୍ୟରେ ଜଗନ୍ନାଥଙ୍କୁ ପରଂବ୍ରହ୍ମର ସ୍ଥାନକୁ ଉନ୍ନୀତ କରି ନିଆଯାଇଥିଲା, ତାଙ୍କୁ ଅବତାରୀ ବୋଲି କୁହାଯାଇଥିଲା । ଦିବାକର ଦାସ ତାଙ୍କର ‘ଜଗନ୍ନାଥ ଚରିତାମୃତ’ ପୁସ୍ତକରେ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ଷୋଳକଳା ବୋଲି କହି ଶ୍ରୀକୃଷ୍ଣ ବା ନନ୍ଦବଳାଙ୍କୁ ତହିଁରୁ ଗୋଟିଏ ମାତ୍ର କଳାରୂପେ ଦେଖିଥିଲେ । ଚୈତନ୍ୟ ଦାସ ପଶ୍ଚିମ ଓଡ଼ିଶାର ବାସିନ୍ଦା ଥିଲେ । ତାଙ୍କ ସମୟରେ ଉପକୂଳାଞ୍ଚଳ ଓଡ଼ିଶାରେ ଜଗନ୍ନାଥଙ୍କୁ ମଝିରେ ବସାଇ ଶୃଙ୍ଗାର ଓ ଭଜନର କୋଳାହଳ ଲାଗିଥିଲା । ଜଗନ୍ନାଥଙ୍କୁ ଅବଲମ୍ଵନ କରି କବିମାନେ ତାଙ୍କରି ଭକ୍ତ ବୋଲି ପରିଚୟ ଦେଉଥିଲେ ଏବଂ ତା'ପରେ ପ୍ରାୟ ସବୁ ଦଉଡ଼ି କାଟି ଦେଇ ଶୃଙ୍ଗାରୀ ହେଉଥିଲେ । ମାତ୍ର, ପଶ୍ଚିମ ଓଡ଼ିଶାରେ ସେତେବେଳେ ଜଗନ୍ନାଥଙ୍କୁ ସମ୍ଭବତଃ ସେତେ ପ୍ରଶସ୍ତି ଓ ସ୍ୱୀକୃତି ମିଳି ନଥିଲା । ଚୈତନ୍ୟ-ପ୍ରଚାରିତ ଗୌଡ଼ୀୟ ବୈଷ୍ଣବଧର୍ମର କଲ୍ଲୋଳଗୁଡ଼ିକ ମଧ୍ୟ ଏତେ ବାଟ ଅତିକ୍ରମ କରି ପଶ୍ଚିମ ଓଡ଼ିଶାରେ ପହଞ୍ଚିପାରି ନଥିଲା । ଗୋଟିଏ ଅଧ୍ୟୟନରୁ ସୂଚନା ମିଳୁଛି ଯେ, ଓଡ଼ିଶାର ଉପକୂଳ ଅଞ୍ଚଳଟି ମୁସଲମାନମାନଙ୍କର ଦଖଲକୁ ଆସିଯିବା ପରେ ଯାଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଗନ୍ନାଥ-ମୂର୍ତ୍ତିର ସ୍ଥାପନ ହୋଇଥିଲା । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଯାଇ ସମ୍ଵଲପୁରଠାରେ ଦଧିବାମନଙ୍କର ବିଗ୍ରହ ସହିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ହେଲା । ସମ୍ଭବତଃ ଏଭଳି ଏକ ଗୋଟିଏ ଅନୁମାନ କରାଯାଇପାରିବ ଯେ, ଓଡ଼ିଶାରେ ମୁସଲମାନ ଆଧିପତ୍ୟ ପ୍ରତିଷ୍ଠିତ ହେବାପରେ ସେତେବେଳେ ଗଜପତିଙ୍କର କେନ୍ଦ୍ର ଆସ୍ଥାନଟି ଭାଜିଗଲା ଓ ତାଙ୍କର ବଂଶଜମାନେ ଓଡ଼ିଶାର ବିଭିନ୍ନ ଉପରାଜ୍ୟକୁ ଆସି ସ୍ଥାନାଧିପତି ହେଲେ, ହୁଏତ ତାହାରି ସହିତ ସେମାନଙ୍କର ପରମ୍ପରାଗତ ପ୍ରୟୋଜନଟିକୁ ମେଣ୍ଟାଇବା ପାଇଁ ଜଗନ୍ନାଥ ବିଗ୍ରହ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ହୋଇଛନ୍ତି । ପଶ୍ଚିମ ଓଡ଼ିଶାର ନିର୍ଗୁଣ ସାହିତ୍ୟରେ ଯେ ଜଗନ୍ନାଥଙ୍କର ପ୍ରାୟ କୌଣସି ଉଲ୍ଲେଖ ନାହିଁ, ଏହି କଥାଟିକୁ ମଧ୍ୟ ତାହାରି ପରିପ୍ରେକ୍ଷୀରେ ବିଚାର କରାଯାଇପାରିବ ।

 

ମଧ୍ୟବର୍ତ୍ତୀ କେତେଜଣ ଲେଖକଙ୍କୁ ଡେଇଁ ଆମେ ଏକାବେଳକେ ଅରକ୍ଷିତ ଦାସଙ୍କ ପାଖରେ ଯାଇ ପହଞ୍ଚିଯିବା । ଅରକ୍ଷିତ ଦାସ (୧୭୭୨-୧୮୦୩) ଓଡ଼ିଶାର ସନ୍ଥ ସାହିତ୍ୟରେ ଏକ ଅନନ୍ୟ ଦୃଷ୍ଟାନ୍ତ । ଦକ୍ଷିଣ ଓଡ଼ିଶାର ଗୋଟିଏ ରାଜପରିବାରରେ ତାଙ୍କର ଜନ୍ମ ହୋଇଥିଲା ଏବଂ ଦିବ୍ୟ ସତ୍ୟର ଅନ୍ଵେଷଣରେ ଗୃହତ୍ୟାଗ କରି ସେ ସକଳ ଦାରିଦ୍ର୍ୟ ଓ ସକଳ କଷ୍ଟକୁ ସ୍ଵେଚ୍ଛାରେ ବରଣ କରି ନେଇଥିଲେ । ତାଙ୍କ ସମୟରେ ସଗୁଣ ବୈଷ୍ଣବ ହାଉଆର ପ୍ରତିକୂଳ ପରିବେଷଟିକୁ ପହଁରି ପହଁରି ସେ ଓଡ଼ିଶାର ସନ୍ଥପରମ୍ପରାରେ ଏକ ନିଜସ୍ଵ ଉଚ୍ଚତାରେ ଯାଇ ପହଞ୍ଚି ପାରିଛନ୍ତି ଏବଂ ତଥାପି ସଂସାରରେ ବାସ କରୁଥିବା ମନୁଷ୍ୟପ୍ରତି ଆପଣାର ଶ୍ରଦ୍ଧାରେ ଆଦୌ କୌଣସି କାର୍ପଣ୍ୟ ଦେଖାଇନାହାନ୍ତି । ଆପଣାର ସତ୍ୟାନ୍ୱେଷଣରେ ଅରକ୍ଷିତ ଦାସ ପ୍ରଥମେ ପୁରୀରେ ଆସି ପହଞ୍ଚିଲେ । ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସେ ସମସ୍ତଙ୍କ ଘରେ ଖାଇଥିଲେ ଏବଂ ବାହ୍ୟ ଯାବତୀୟ ଭେଦକୁ କାଟି ସତେଯେପରି ଏକ ସର୍ବାନୁଭବର ସ୍ତରରେ ଯାଇ ପହଞ୍ଚି ପାରିଥିଲେ । ଅଠରବର୍ଷ ବୟସରେ ଘର ଛାଡ଼ିଥିବା ଏହି ସତ୍ୟାନ୍ଵେଷୀ ସାଧନାର ଯାବତୀୟ ଗାରପକା ସୀମାଗୁଡ଼ିକୁ ଡେଇଁ ଏକ ସମତାମୟ ଭାବଦୃଷ୍ଟି ଅର୍ଜନ କରିଥିଲେ । ସେ ପାଦରେ ନାନା ସ୍ଥାନ ବୁଲି ଶେଷରେ କଟକ ଜିଲ୍ଲାର ଓଳାସୁଣୀ ପାହାଡ଼ରେ ଥିବା ଗୋଟିଏ ଗୁମ୍ଫାକୁ ନିଜର ସ୍ଥାନରୂପେ ବାଛି ନେଇଥିଲେ । ଶେଷରେ ସେହିଠାରେହିଁ ଦେହରକ୍ଷା କରିଥିଲେ । ଏବେ ମଧ୍ୟ ଓଳାସୁଣୀ ଗୁମ୍ଫାରେ ଅରକ୍ଷିତ ଦାସଙ୍କର ଗାଦି ରହିଛି । ମାତ୍ର, ଗାଦିର ତତ୍ତ୍ଵାବଧାନରେ ରହିଥିବା ବାବାଜିମାନେ ଅରକ୍ଷିତ ଦାସଙ୍କର ଶିଷ୍ୟ ନୁହଁନ୍ତି । ତାଙ୍କର ନିଜ ଶିଷ୍ୟମାନେ କାହିଁକି ଓ କିପରି ନିଜ ଗୁରୁଙ୍କର ଗାଦିସ୍ଥାନରୁ ବିଲୁପ୍ତ ହୋଇଯାଇଛନ୍ତି, ସେହି ବିଷୟରେ କୌଣସି ସ୍ପଷ୍ଟ ସତ୍ୟ ମିଳି ନାହିଁ ।

 

ଅରକ୍ଷିତ ଦାସଙ୍କର ଯେଉଁ ପୋଥିଟି ପ୍ରକାଶିତ ହୋଇ ଏପର୍ଯ୍ୟନ୍ତ ଲୋକ ଗୋଚରକୁ ଆସିଛି, ସେଇଟି ହେଉଛି ‘ମହୀମଣ୍ଡଳ ଗୀତା’ । ସେ ନିଶ୍ଚୟ ଆହୁରି କେତେକ ଗ୍ରନ୍ଥ ଲେଖିଥିବେ । ସେଗୁଡ଼ିକ ହୁଏତ କ୍ରମେ ଆବିଷ୍କୃତ ତଥା ପ୍ରକାଶିତ ହେବ । ମହୀମଣ୍ଡଳ ଗୀତାରେ ମନ ପ୍ରଶ୍ନ ପଚାରୁଛି ଓ ଚୈତନ୍ୟ ତାହାର ଉତ୍ତର ଦେଉଛନ୍ତି । ଗ୍ରନ୍ଥଟିରେ ସୃଷ୍ଟିର ଆଦିକାରଣରୂପେ ମହାଶୂନ୍ୟ ଓ ବ୍ରହ୍ମଙ୍କୁ ସ୍ଵୀକାର କରାଯାଇଛି । ଏହାର ଗୋଟିଏ ଅଧ୍ୟାୟରେ ସର୍ବୋଚ୍ଚ ପରମସତ୍ତାଙ୍କୁ ସତେଅବା ଏକାଧାରରେ ବ୍ରହ୍ମା, ଶିବ, ବିଷ୍ଣୁ, ଓ ଶୂନ୍ୟଦେହୀ ବୋଲି କୁହାଯାଇଛି । ମହାଶୂନ୍ୟରେହିଁ ପରଂବ୍ରହ୍ମଙ୍କର ଆଶ୍ରମ ରହିଛି ବୋଲି କୁହାଯାଇଛି ଏବଂ ସଂସାରରେ ଜୀବମାନେ ତାଙ୍କର ଆଜ୍ଞାରୁ ଜାତ ହୋଇଛନ୍ତି ବୋଲି ବର୍ଣ୍ଣନା କରାଯାଇଛି । ସେହି ଆଜ୍ଞାରୁହିଁ ଅବତାରମାନେ ନିଷ୍ପନ୍ନ ହୋଇଛନ୍ତି । ଜଗନ୍ନାଥଙ୍କର ଜନ୍ମ ମଧ୍ୟ ସେହି ପରଂବ୍ରହ୍ମଙ୍କର ଆଜ୍ଞାରୁ । ଓଡ଼ିଶାର ସାଧନା-ପରମ୍ପରାରେ ଯେପରି କୌଣସି ଜଣେ ଆରାଧ୍ୟଙ୍କୁ ଅବତାରୀ ବୋଲି ମାନି ନେଇ ଅନ୍ୟ ଯାବତୀୟ ଅବତାରଙ୍କୁ ତାଙ୍କରିଠାରୁ ଜାତ ବୋଲି ଘୋଷଣା କରାଯାଇଛି, ଅରକ୍ଷିତ ଦାସ ତାହାକୁ ମାନି ନାହାନ୍ତି । ଅର୍ଥାତ୍, ଆପଣାର ଉପଲବ୍ଧିରେ ସେ ଅନ୍ୟମାନଙ୍କର ତୁଳନାରେ ପାଦେ ଉପରକୁ ଉଠି ଯାଇଛନ୍ତି । ଅବତାରୀ ସଂସ୍କାରଟି ଏବେ ମଧ୍ୟ ସମ୍ପ୍ରଦାୟମାନଙ୍କ ମଧ୍ୟରେ ପ୍ରଚଳିତ ରହିଛି । ପଞ୍ଚସଖା ମଧ୍ୟ ଭାଗବତରେ ବର୍ଣ୍ଣିତ ଦଶୋଟିଯାକ ଅବତାର ମୂଳ-ଅବତାର ଜଗନ୍ନାଥଙ୍କଠାରୁ ନିଷ୍ପନ୍ନ ହୋଇ ଆସିଛନ୍ତି ବୋଲି ଯେପରି କଳ୍ପନା କରିଥିଲେ, ଅରକ୍ଷିତ ଦାସ ସେପରି କରି ନାହାନ୍ତି-। ସମ୍ପ୍ରଦାୟଟିଏ କରି ତାହାରି ଭିତରେ ଅନନ୍ୟ ହୋଇ ରହିବାକୁ ମନ କରିଥିବା ଧର୍ମଚାରୀମାନେହିଁ ସମ୍ଭବତଃ ଅବତାରୀତତ୍ତ୍ଵଦ୍ଵାରା ଆକୃଷ୍ଟ ହୋଇଛନ୍ତି ।

 

ସନ୍ଥସାହିତ୍ୟ ସବୁକାଳେ ସବୁଠାରେ ଯାବତୀୟ ବାହ୍ୟତାର ନିନ୍ଦା କରିଆସିଛି । ଅନ୍ତର ଭିତରେ ଯଥାର୍ଥ ଦିବ୍ୟତାର ପରିଚୟ ଲାଭ କରିବା ନିମନ୍ତେ ବାହ୍ୟିକତାଗୁଡ଼ିକର ପ୍ରକୃତରେ ଆଦୌ କୌଣସି ପ୍ରୟୋଜନ ରହିଛି କି ନାହିଁ, ସେଥିରେ ସନ୍ଥସାହିତ୍ୟ ଚିରଦିନ ସଂଶୟ ପ୍ରକାଶ କରିଆସିଛି । ଅନ୍ୟପକ୍ଷରେ ଧର୍ମ ଓ ଧର୍ମ-ସମ୍ପ୍ରଦାୟମାନେ ସବୁବେଳେ ଭେକ ଓ ବେଶ, ଉପଚାର ଏବଂ ଉପାସନାଗୁଡ଼ିକ ଉପରେ ସର୍ବାଧିକ ଗୁରୁତ୍ଵ ଦେଇ ଆସିଛନ୍ତି । ଅରକ୍ଷିତ ଦାସ ଅତ୍ୟନ୍ତ କଠୋର ଭାବରେ ସେଗୁଡ଼ିକର ଅନାବଶ୍ୟକତାକୁ ଘୋଷଣା କରିଥିଲେ । ମହୀମଣ୍ଡଳ ଗୀତାରୁ ଉଦ୍ଧାର କରି କହିଲେ, କେହି କେହି ଈଶ୍ଵର ପୂଜା କରନ୍ତି, ଆଉ କେହି ମୁଣ୍ଡରେ ଜଟା ଧାରଣ କରିଥାଏ, କିଏ ଆପଣାକୁ ସଖୀରୂପରେ ସଜାଇବାରେ ଲାଗିଥାଏ, ଆଉ କିଏ ଦୁର୍ଗାଙ୍କର ଉପାସନା କରେ । ଏମାନେ କେହି ହେଲେ ଯଥାର୍ଥ ଭକ୍ତିକୁ ଜାଣି ନଥାନ୍ତି କିମ୍ବା ଯଥାର୍ଥ ଭକ୍ତି ସହିତ ଜୀବନ ବଞ୍ଚୁ ନଥାନ୍ତି । ତତ୍କାଳୀନ ଯାବତୀୟ ବାହ୍ୟ ଉପଚାରକୁ ଲକ୍ଷ୍ୟ କରି ଅରକ୍ଷିତ ଦାସ ଏସବୁ କଥା କହିଛନ୍ତି । ସିଏ ଯଥାସମ୍ଭବ ଏକ ମୋହଯୁକ୍ତ ବିବେକ ସହିତ ନିଜପାଇଁ ସାର ବାଟଟିଏ ଗ୍ରହଣ କରିବେ ବୋଲି ବାସନା ରଖିଛନ୍ତି ଏବଂ ଅସାରଗୁଡ଼ିକ ବିଷୟରେ ସାବଧାନ ରହିଛନ୍ତି । ଏପରିକି, ସେ କୌଣସି ଜଣେ ନିର୍ଦ୍ଦିଷ୍ଟ ଗୁରୁଙ୍କର ଦଉଡ଼ିରେ ବାନ୍ଧି ହୋଇ ଦଉଡ଼ିବାକୁ ମଧ୍ୟ ଇଚ୍ଛା କରିନାହାନ୍ତି । ଗୁରୁ ହେଉଛନ୍ତି ସାଧନ, ସାଧନାପଥରେ ସହାୟକ, ସିଏ ଆଦୌ ସାଧ୍ୟ ନୁହନ୍ତି । ଜଣେ ଗୁରୁ କରି ପକାଇଲେ ଯେ ତାହାରିଦ୍ଵାରା ଭକ୍ତି ସମ୍ଭବ ହୋଇଯିବ, ସେ ତାହା ଆଦୌ ସ୍ଵୀକାର କରିନାହାନ୍ତି । ‘ଗୁରୁଙ୍କ ହାତେ ଭକ୍ତି ନାହିଁ’ ବୋଲି ଘୋଷଣା କରିଛନ୍ତି । ‘ଏ ଘେନି ଗୁରୁ ନ ସେବିଲେ; ଏକା ପ୍ରଭୁ ଭରସା କଲି’ ବୋଲି କହିଛନ୍ତି ।

 

ଭକ୍ତିଯୋଗକୁ ଅରକ୍ଷିତ ଦାସ ଏକ ଅଥଳ ଯୋଗ ବୋଲି ବର୍ଣ୍ଣନା କରିଛନ୍ତି । ସମ୍ପ୍ରଦାୟମାନେ ସର୍ବଦା କେଡ଼େ ସହଜରେ ତଥାକଥିତ ଏକ ଥଳରେ ନେଇ ପହଞ୍ଚାଇ ଦିଅନ୍ତି । ଜଣେ ଗୁରୁଙ୍କ ପାଖରେ ନେଇ ହାବୁଡ଼ାଇ ଦିଅନ୍ତି ଅଥବା ଏକ ନିର୍ଦ୍ଦିଷ୍ଟ ଆଚାରରେ ବାନ୍ଧି ଦିଅନ୍ତି । ଅରକ୍ଷିତ ଦାସ ସେଗୁଡ଼ିକୁ ଅତିକ୍ରମ କରିଯାଇଛନ୍ତି । ଅସଲ ଭକ୍ତି କହିଲେ, ସେ ଏକ ନିବିଡ଼ ଏକାତ୍ମକତା ଅର୍ଜନ କରିବାକୁ ବୁଝିଛନ୍ତି । ସର୍ବୋଚ୍ଚ ପରମସତ୍ତା ବିଶ୍ଵମୟ ହୋଇ ରହିଥିବାରୁ ଏହି ଏକାତ୍ମକତା ବିଶ୍ଵର ଉପାଦାନଗୁଡ଼ିକ ସହିତ ମଧ୍ୟ ଏକାତ୍ମକତା ଅର୍ଜନ କରିବାକୁ ବୁଝାଇବ । ଅରକ୍ଷିତ ଦାସ କେଡ଼େ ସରଳ ଓଡ଼ିଆ ଭାଷାରେ ସେହି ଏକାତ୍ମକତାର ଅନୁଭବଗୁଡ଼ିକୁ ବୁଝାଇ କହିଦେଇଛନ୍ତି; ‘ପୃଥ୍ଵୀ ସହିତ ପୃଥ୍ଵୀ ହେବୁ, ସକଳ ସମାନ ଦେଖିବୁ ।’ ପୁନଶ୍ଚ, ‘‘ଜଳ ସଙ୍ଗତେ ଜଳ ହେବୁ; ସକଳ ସମାନ ଦେଖିବୁ’ ଏବଂ ‘ଆକାଶ ସଙ୍ଗତେ ତୁହି, ମିଶି ଆକାଶେ ଥିବୁ ରହି ।’’ ସେହିପରି, ଆଉ କେତେକ ସ୍ଥାନରେ, ସକଳ ସମାନ ଦେଖିବୁ, ଭୟ ତୁ କାହୁଁ ନ ରଖିବୁ ।’ ଏବଂ ‘‘ଦେଖ ଆକାଶ ଶୂନ୍ୟେ ଥାଇ, ସେ ଭାବେ ରହି ମୁଁ କହଇ, ଦେଖ ଏ ସୂର୍ଯ୍ୟ ଘୋଟିଅଛି, ତା’ ତେଜ ନାହିଁ କାହିଁ ନ ଛାଡ଼ୁଛି । ତୁହିଟି ସେହିଭାବେ ରହ, ତେବେ ରହିବ ସିନା ଦେହ ।’’

 

ଭାରତୀୟ ଆଧ୍ୟାତ୍ମରେ ଏହି ସମତା ଓ ଏକାତ୍ମକତା ମୂଳରେ ଅବଶ୍ୟ ରହିଥିଲା ମାତ୍ର, ମାୟାବାଦ ତାହାକୁ ଗ୍ରାସ କରିବା ଲାଗି ଉଦ୍ୟତ ହେବା ଦିନଠାରୁ ସେଇଟି ସତେଅବା ଅନ୍ତରାଳ ହୋଇ ରହିଗଲା । ଶ୍ରଦ୍ଧା ହଟିଗଲା, ବୈରାଗ୍ୟ ଭାରତୀୟ ଜୀବନଦୃଷ୍ଟିକୁ ଆଚ୍ଛନ୍ନ କରି ପକାଇଲା । ଏକ ଉଦାସୀନତା ବା ଉପେକ୍ଷାଭାବ ଭାରତୀୟ ଜୀବନକୁ ମାଡ଼ି ବସିଲା । ସନ୍ଥମାନେ ସେହି ମାୟାବାଦର ବିରୋଧରେ ସ୍ଵର ଉତ୍ତୋଳନ କରି ଆସିଛନ୍ତି । ସେମାନେ ସମତା କଥା କହିଛନ୍ତି । ସମତାରୁ ଶ୍ରଦ୍ଧା । ଶ୍ରଦ୍ଧାରୁ ଏକାତ୍ମକତା । ଓଡ଼ିଆ ସାହିତ୍ୟରେ ଅରକ୍ଷିତ ଦାସଙ୍କର ରଚନାରେ ଏହି ଦୃଷ୍ଟିଟି ସମ୍ଭବତଃ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ବ୍ୟକ୍ତ ହୋଇପାରିଛି ।

 

ମହୀମଣ୍ଡଳ ଗୀତାର ବୟାନବେ ଅଧ୍ୟାୟରେ ମଝିରେ ଗୋଟିଏ ଅଧ୍ୟାୟ ଗଦ୍ୟରେ ଲେଖାଯାଇଛି । ସେତିକିବେଳର ଯେତିକି ଗଦ୍ୟର ନମୁନା ଓଡ଼ିଆ ସାହିତ୍ୟ ଓ ରାଜାମାନଙ୍କଦ୍ଵାରା ପ୍ରଦତ୍ତ ସନନ୍ଦଗୁଡ଼ିକରୁ ମିଳୁଛି, ସେଗୁଡ଼ିକ ତୁଳନାରେ ଅରକ୍ଷିତ ଦାସଙ୍କର ଗଦ୍ୟ ଅନେକ ଅଧିକ ପ୍ରାଣବନ୍ତ । ସେହି ଗଦ୍ୟରେ ଏକ କାବ୍ୟିକତା ଭରପୂର ହୋଇ ରହିଛି । ଏକାତ୍ମକତା ଅର୍ଜନ କରିବାର ଉପାୟଗୁଡ଼ିକୁ ବତାଇ ଅରକ୍ଷିତ ଅପୂର୍ବ ବ୍ୟଞ୍ଜନାଯୁକ୍ତ ଗଦ୍ୟରେ ଯାହାସବୁ କହିଛନ୍ତି, ଆମେ ଏଠାରେ ତାହାର କିୟଦଂଶ ପାଠ କରି ଦେଖିବା—“ଅଦେଖା ଦେଖିବ; ଅତୋଳା ତୋଳିବ, ଅମପା ମାପିବ, ଅସାଧ୍ୟ ସାଧିବ, ଅଭକ୍ଷ ଭକ୍ଷିବ, ଅଜପା ଜପିବ, ଅକର୍ମ କରିବ । ଏତେ କର୍ମ କରିପାରିଲେ ବ୍ରହ୍ମକୁ ଚିହ୍ନିବ । ବ୍ରହ୍ମକୁ ଚିହ୍ନି ଆହାରକୁ ନ ଜଗଇ, ନିଦ୍ରାକୁ ନ ଜଗଇ, ମୈଥୁନକୁ ନ ଜଗଇ, ବାୟୁକୁ ନ ଜଗଇ, ତୃଷାକୁ ନ ଜଗଇ, ଖରା ବରଷା ଶୀତକୁ ନ ଜଗଇ, ପାଞ୍ଚ ମନକୁ ନ ଜଗଇ, ପଚିଶ ପ୍ରକୃତିକୁ ନ ଜଗଇ, ଏକାଦଶ ଇନ୍ଦ୍ରିୟକୁ ନ ଜଗଇ, ଷଡ଼ରିପୁକୁ ନ ଜଗଇ, ତ୍ରିଗୁଣକୁ ନ ଜଗଇ, ରୋଗମାନଙ୍କୁ ନ ଜଗଇ, ପାପ ପୁଣ୍ୟ ଧର୍ମ ଅଧର୍ମକୁ ନ ଜଗଇ, ଭଲମନ୍ଦକୁ ନ ଜଗଇ, ଜାତି ଅଜାତିକୁ ନ ଜଗଇ ।...ଚାରି ବେଦ, ଯୋଗାନ୍ତ, ବେଦାନ୍ତ, ସିଦ୍ଧାନ୍ତ, ନାଗାନ୍ତ, ଏମାନଙ୍କୁ କେବେ ନ ସାଧଇ । ବ୍ରହ୍ମକୁ ଯେବେ ଚିହ୍ନିଥାଇ, ଭଜନ ସ୍ମରଣ, ଅର୍ଚ୍ଚନ, ବନ୍ଧନ, ଧ୍ୟାନ, ଜ୍ଞାନ, ତପ, ମନ୍ତ୍ର, ଯୋଗ, ସୂତ୍ର, ଲୟ, ତୀର୍ଥ, ବ୍ରତ, ଉପାସ, ଏମାନଙ୍କୁ କେବେ ନ ଜଗଇ । ନାନାଦି ନାମ, ନାନାଦି ଭକ୍ତି, ନାନାଦି ସ୍ମରଣ, ନାନାଦି ଜପ, ନାନାଦି କୀର୍ତ୍ତନ, ନାନାଦି ତିଳକ, ମନ୍ତ୍ର, ଯନ୍ତ୍ର, ମଉଷଧି, ଦେବତା, ଚଣ୍ଡୀ, ଚାମୁଣ୍ଡା ଭୂତପ୍ରେତ, ଡାହାଣୀ, ଚିରଗୁଣୀ ଏମାନଙ୍କୁ କେବେ ନ ଜଗଇ, କେବେ ନ ଜଗଇ, କେବେ ଭୟ ନ କରଇ, ମନେ ନ ଗଣଇ । ଶୁଣହୋ ମନ ଭକ୍ତିର ମହିମା, କିଛି ମନେ ନ ଜାଣଇ, କେବଳ ବ୍ରହ୍ମାକୁ ଜାଣଇ, ବ୍ରହ୍ମ ବ୍ୟତିରେକେ କାହାକୁ ନ ଜାଣଇ, ଜଗତଯାକ ବ୍ରହ୍ମ ମଣଇ ଏକ ବ୍ରହ୍ମକୁ ଭାବଇ...ବ୍ରହ୍ମକୁ ସାଙ୍ଗ କରିଥାଇ... ସେ ବ୍ରହ୍ମକୁ ଜାଣଇ, ବ୍ରହ୍ମକୁ ଧ୍ୟାନ, ବ୍ରହ୍ମରେ ସ୍ମରଣ, ବ୍ରହ୍ମରେ ଉପାସନା, ବ୍ରହ୍ମରେ ରଚନା, ବ୍ରହ୍ମରେ ଗାୟନ, ବ୍ରହ୍ମରେ ଲୀନ ।’’ ଅସଲ ଜ୍ଞାନ ଓ ଭକ୍ତି ଏହିପରି ସବୁ ଭାଙ୍ଗିଦିଏ, ସବୁ ଗାରକୁ ଟପି ଚାଲିଯାଏ । ଅରକ୍ଷିତ ଦାସ ଉପଲବ୍ଧିର ସେହି ସ୍ତରଟିକୁ ଚିହ୍ନାଇ ଦେବାକୁ ଇଚ୍ଛା କରିଛନ୍ତି ।

 

ଅରକ୍ଷିତ ଦାସ ସଂସାର ଛାଡ଼ିବାର ମୋଟେ ପଚାଶବର୍ଷ ପରେ ଓଡ଼ିଆ ସାହିତ୍ୟରେ ଆମେ କବି ଭୀମ ଭୋଇଙ୍କୁ ଆସି ଭେଟିବା । ଅରକ୍ଷିତ ଦାସ କଟକ ଜିଲ୍ଲାର, ପୂର୍ବ ଓଡ଼ିଶାର । ଭୀମ ଭୋଇ ଏକାବେଳକେ ପଶ୍ଚିମ ଓଡ଼ିଶାର । ବର୍ଣ୍ଣ ଓ ଜାତି ଅନୁସାରେ ସମାଜରେ ମଣିଷମାନେ ଯେମିତି ଥାକଥାକ ହୋଇ ରହି ଆସିଛନ୍ତି, ସେହି ଦୃଷ୍ଟିରୁ ବିଚାର କଲେ ଭୀମ ଭୋଇ ଏକାବେଳକେ ତଳୁ ଆସିଥିଲେ । ସେ କନ୍ଧକୁଳରେ ଜନ୍ମ ହୋଇଥିଲେ, ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାବେଳରେ ସେ କୌଣସି ଔପଚାରିକ ଶିକ୍ଷା ଲାଭ କରି ନଥିଲେ-। ଅନୁକୂଳ ପରିବେଶରେହିଁ ମନୁଷ୍ୟ ପ୍ରତିଭାର ଯଥାର୍ଥ ବିକାଶ ହୋଇଥାଏ ବୋଲି ଯେଉଁ ସାଧାରଣ ବିଶ୍ଵାସଟି ସର୍ବଦା ରହିଆସିଛି, ଭୀମ ଭୋଇଙ୍କ ଜୀବନରେ ସେପରି କୌଣସି ପରିବେଶର ସୁଯୋଗ ଆସି ଯୁଟି ନଥିଲା । ପ୍ରଧାନତଃ ଏହିସବୁ କାରଣରୁ ଭୀମ ଭୋଇ ଓଡ଼ିଆ ସାହିତ୍ୟରେ ସତକୁସତ ଏକ ବିସ୍ମୟ ହୋଇ ରହିଛନ୍ତି । ସାହିତ୍ୟ ବା କବିତ୍ଵର ଉନ୍ମେଷଣା ବିଷୟରେ ଆମ ମନ ଭିତରେ ରହିଥିବା ଯାବତୀୟ ସିଦ୍ଧାନ୍ତର ଧାରଣାକୁ ସେ ମିଛ ପ୍ରମାଣ କରି ଦେଇଛନ୍ତି । ଯେଉଁଠାରେ ସଭ୍ୟତା ଓ ସମ୍ପନ୍ନତାର ଆଲୋକ ଆଦୌ ପ୍ରବେଶ କରିନାହିଁ ବୋଲି ବାହାରୁ ଦେଖାଯାଉଛି, ସେଠାରେ ମଧ୍ୟ ସଂସ୍କୃତିର ଓ ସୃଜନତାର ଏପରି ଏକ ପ୍ରାୟ ଚିରବହମାନ ଧାରା ରହିଛି ଓ ତାହା ଯେ ମଝିରେ ମଝିରେ ଜଣେ ଜଣେ ପ୍ରତିଭାଙ୍କୁ ମାଧ୍ୟମରୂପେ ବ୍ୟବହାର କରି ଆପଣାକୁ ପ୍ରସ୍ଫୁଟିତ କରି ଆଣିପାରୁଛି, ଓଡ଼ିଶାରେ ଏବଂ ବିଶେଷକରି ଓଡ଼ିଆ ସାହିତ୍ୟରେ ଭୀମ ଭୋଇ ତାହାରି ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ରହିଛନ୍ତି, ଚିରଦିନ ରହିଥିବେ ।

 

ଭୀମ ଭୋଇ ମହିମାଧର୍ମର କବି ଥିଲେ । ମହିମାଧର୍ମ ସନାତନ ଭାରତୀୟ ସମାଜରେ ରହି ଆସିଥିବା ଯାବତୀୟ ଅସମାନତାର ବିରୋଧରେ ଏକ ପ୍ରଦିବାଦରୂପେ ଓଡ଼ିଶାରେ ଆତ୍ମପ୍ରକାଶ କରିଥିଲା । ଏକ ଅସମାନ ସମାଜରେ ଯେଉଁମାନେ ହେୟ ହୋଇ ତଳେ ରହିଥାନ୍ତି, ସମାନତାର ଯାବତୀୟ ଆହ୍ଵାନ ସର୍ବପ୍ରଥମେ ସେହିମାନଙ୍କୁହିଁ ଆକର୍ଷିତ କରି ଆଣେ, ସେମାନଙ୍କ ଭିତରେ ଏକ ବିମୋଚନର ଆଶାକୁ ଜାଗୃତ କରିଆଣେ । ଊନବିଂଶ ଶତାବ୍ଦୀର ଓଡ଼ିଶାରେ ମହିମାଧର୍ମ ମୂଳତଃ ତାହାହିଁ କରିଥିଲା । ମହିମାଧର୍ମ ରାଜାଙ୍କୁ ମାନୁ ନଥିଲା, ବ୍ରାହ୍ମଣର ସର୍ବାଧିକାରିତ୍ଵକୁ ମାନୁ ନଥିଲା, ଜାତିବେଦ ମାନୁ ନଥିଲା । ସର୍ବୋପରି, ଓଡ଼ିଶାର ବରିଷ୍ଠ ଠାକୁର ଜଗନ୍ନାଥଙ୍କୁ ମଧ୍ୟ ତାହା ସ୍ୱୀକାର କରୁ ନଥିଲା । ମହିମା ଗୋସାଇଁ ଏହି ଧର୍ମର ପ୍ରଚାର କରିଥିଲେ । ଓଡ଼ିଶାର ଉପକୂଳ ଅଞ୍ଚଳରେ ବହୁ ବର୍ଷ ବୁଲିବା ପରେ ସେ ଢେଙ୍କାନାଳର ଯୋରନ୍ଦାଠାରେ ଆପଣାକୁ ପ୍ରକାଶିତ କରିଥିଲେ ଏବଂ ସେହିଠାରୁହିଁ ଓଡ଼ିଶାର ସମାଜ ଉପରେ ବହୁ ଅର୍ଥରେ ଏକ ଆଲୋଡ଼ନକାରୀ ଆଘାତ ଆଣି ଦେଇଥିବା ମହିମାଧର୍ମ ପ୍ରଚାର କରିଥିଲେ । ସେହି ମହିମା ଗୋସ୍ଵାମୀଙ୍କର ପ୍ରତ୍ୟକ୍ଷ ପ୍ରେରଣାରୁ ଭୀମ ଭୋଇଙ୍କର କବିତ୍ଵ ପ୍ରକାଶ ଲାଭ କରିଥିଲା । ତାଙ୍କର ଆଦେଶରେ ଭୀମ ଭୋଇ କବି ହେଲେ, ଆମ ସାହିତ୍ୟକୁ ପ୍ରକୃତରେ ଧନୀ କରିଦେଇଗଲେ ।

 

ଭୀମ ଭୋଇଙ୍କର ଚଉତିଶା ଓ ଭଜନଗୁଡ଼ିକ ଓଡ଼ିଶାରେ ଏକ ଯଥାର୍ଥ ସାଂସ୍କୃତିକ ପ୍ରେରଣାର ଗନ୍ତାଘରେ ବହୁକାଳ ଲାଗି ଗୋଟିଏ ଗୋଟିଏ ରତ୍ନ ପରି ହୋଇ ରହିଥିବ । ତାଙ୍କର ସର୍ବପ୍ରଧାନ ଗ୍ରନ୍ଥ ହେଉଛି ‘ସ୍ତୁତି ଚିନ୍ତାମଣି’ । ସେଇଟି ବ୍ୟତୀତ ସେ ଆହୁରି ଅନେକ ପୋଥି ଲେଖିଛନ୍ତି, ସେଥିମଧ୍ୟରୁ ଆମେ ‘ଶ୍ରୁତି ନିଷେଧ ଗୀତା’ ଓ ‘ନିର୍ବେଦ ସାଧନ’କୁ ପ୍ରଧାନ ବୋଲି କହିବା । ଅଧା ଓଡ଼ିଆ ଓ ଅଧା ବଙ୍ଗଳା ଭାଷାରେ ଲେଖା ‘ମହିମା ବିନୋଦ’ ବୋଲି ତାଙ୍କର ଆଉ ଗୋଟିଏ ପୋଥି ଏବେ ମଧ୍ୟ ଅପ୍ରକାଶିତ ରହିଛି । ମାତ୍ର ଶହେ ବା ଦେଢ଼ଶହବର୍ଷ ତଳେ ତାଙ୍କର ଜନ୍ମ ହୋଇଥିଲେ ମଧ୍ୟ କବିଙ୍କର ଜନ୍ମସ୍ଥାନ ଓ ବାଲ୍ୟଜୀବନ ବିଷୟରେ ସମ୍ପୂର୍ଣ୍ଣ ସ୍ପଷ୍ଟ କୌଣସି ତଥ୍ୟ ନାହିଁ । ଅତି ଅଳ୍ପ ବୟସରେ ସେ ଅନ୍ଧ ହୋଇଯାଇଥିଲେ ବୋଲି ନିଜର ରଚନାରେ ଭୀମ ଭୋଇ ସ୍ଵୟଂ ସ୍ଵୀକାର କରିଛନ୍ତି । ଏବେ ମଧ୍ୟ ସୋନପୁରର ଖଲିଆପାଲି ଗ୍ରାମରେ ତାଙ୍କର ପୀଠ ରହିଛି, ଯେଉଁ ଦୁଇଜଣ ପଣ୍ଡାଙ୍କୁ କବି ପଦମାନ ଡାକି ଦେଉଥିଲେ ଓ ଯେଉଁମାନେ ସେଗୁଡ଼ିକୁ ତାଳପତ୍ର ଉପରେ ଲେଖି ରଖୁଥିଲେ, ସେମାନଙ୍କ ନାମରେ ନିର୍ମିତ ଦୁଇଟି ମନ୍ଦିର ସେଠାରେ ରହିଛି ।

 

ଭୀମ ଭୋଇ କହନ୍ତି ଯେ ଏକଦା କୂଅଭିତରେ ପଡ଼ି ଯାଇଥିବା ସମୟରେ ସ୍ଵୟଂ ମଣିମା ଗୋସ୍ଵାମୀ ଆସି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଏବଂ ତାଙ୍କୁ ଜ୍ଞାନଆଖି ପ୍ରଦାନ କରିଥିଲେ । ତାହାରି ବଳରେହିଁ ସେ କବି ହେଲେ ଏବଂ ଶାସ୍ତ୍ର ଲେଖିଲେ । କବିଙ୍କ ନାମରେ ଯେଉଁସବୁ ଡାଲଖାଇ ଆଦି ଗୀତ ରହିଛି, ସେଗୁଡ଼ିକୁ ସେ ମହିମା ସ୍ଵାମୀଙ୍କ ପାଖରୁ ଆଦେଶ ପାଇବା ପୂର୍ବରୁ ନିଶ୍ଚୟ ଲେଖିଥିବେ । ଶୁଣାଯାଏ ଯେ ରେଢ଼ାଖୋଲ ଗଡ଼ଜାତର ରାଜା ଭୀମ ଭୋଇଙ୍କର ଏହି ଧର୍ମପ୍ରଚାର ଓ ସାହିତ୍ୟରେ ପ୍ରମାଦ ଗଣିଥିଲେ ଏବଂ ତାଙ୍କୁ ନାନାପ୍ରକାରେ ଉତ୍ପୀଡ଼ନ ଦେଇ ତାଙ୍କୁ ଅନ୍ୟତ୍ର ଯିବାଲାଗି ବାଧ୍ୟ କରିଥିଲେ । ତା’ପରେ ଭୀମ ଭୋଇ ସୋନପୁର ଗଡ଼ଜାତକୁ ଚାଲି ଆସିଥିଲେ । ତାଙ୍କର ଗୁଣ ଓ କବିତ୍ଵ ବଳରେ ସେ ସୋନପୁରରେ ମଧ୍ୟ ପ୍ରକଟ ହୋଇ ଆସିବା ସଙ୍ଗେ ସଙ୍ଗେ ସୋନପୁରର ରାଜା ମଧ୍ୟ ତାଙ୍କ ଉପରେ ରୁଷ୍ଟ ହେଲେ । ବାହାରକୁ ଯାହା ଧର୍ମ ବୋଲି ଦେଖାଯାଉଥାଏ, ଯଦି ତାହା ଅସଲ ଧର୍ମ ହୋଇଥାଏ, ତେବେ ସମାଜର ପୁରାତନ ବିକୃତିଗୁଡ଼ାକୁ ମଧ୍ୟ ତାହା ଖୋଳି ତାଡ଼ି ବାହାରେ ଦେଖାଇଦେବାକୁ ଆରମ୍ଭ କରେ ଏବଂ ପ୍ରତିଷ୍ଠିତ ଅନେକ ସ୍ଵାର୍ଥରେ ବାଧା ପହୁଞ୍ଚାଏ । ସୋନପୁରର ରାଜା ଭୀମ ଭୋଇଙ୍କର ପ୍ରଖ୍ୟାତିକୁ ସହିପାରି ନଥିଲେ ଏବଂ କନ୍ଧ ଅର୍ଥାତ୍‍ ଛୋଟ ଜାତିର ହୋଇ ମଧ୍ୟ ଯେ ସେ ଆବ୍ରାହ୍ମଣ ସମସ୍ତଙ୍କଠାରୁ ଏପରି ଆଦର ପାଇବେ, ଏକଥା ତାଙ୍କୁ ଅତ୍ୟନ୍ତ ବିଚଳିତ କରି ପକାଇଲା । କବିଙ୍କର ଧର୍ମପରୀକ୍ଷା ଲାଗି ରାଜା ନିଜ ଲୋକଙ୍କୁ ଖଲିଆପାଲି ପଠାଇଥିଲେ । ଅବଶ୍ୟ କୌଣସି କାରଣରୁ ପରୀକ୍ଷା ହୋଇ ନଥିଲା ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଭୀମ ଭୋଇ ସେହି ଖଲିଆପାଲିରେହିଁ ଆପଣାର ଗୃହସ୍ଥ ଜୀବନଯାପନ କରିଥିଲେ । ଭୀମ ଭୋଇ ମହିମାଧର୍ମର ବ୍ୟାଖ୍ୟା କରି ଯାହାକିଛି ଲେଖିଛନ୍ତି ସତ, ମାତ୍ର ତାଙ୍କ ଚିତ୍ତରେ ରହିଥିବା କବିସୁଲଭ ସମ୍ବେଦନଶୀଳତା ସତେଅବା ସେହି ନିର୍ଦ୍ଦିଷ୍ଟ ଧର୍ମ ଗଣ୍ଡିଟିକୁ କେଡ଼େ ସହଜରେ ଅତିକ୍ରମ କରିଯାଇଛି ଏବଂ ଆମ ଲାଗି ଏଡ଼େ ବଡ଼ କବିସାନ୍ନିଧ୍ୟକୁ ସମ୍ଭବ କରାଇପାରିଛି ।

 

ଭୀମ ଭୋଇ ଶୈଶବକାଳରୁହିଁ ଜୀବନର ଯାବତୀୟ କଷଣରେ ମଣ ହୋଇ ଜୀବନକୁ ଅତ୍ୟନ୍ତ ପ୍ରଗାଢ଼ ଭାବରେ ଅଙ୍ଗେ ନିଭାଇଥିଲେ । ତାଙ୍କର ସମ୍ବେଦନଶୀଳତାର ଉତ୍ସରୂପେ ଆମେ ସେହି କଥାଟିକୁହିଁ ସର୍ବଦା ସ୍ମରଣ ରଖିଥିବା । ସେ ଅଧ୍ୟାତ୍ମ ଦୀକ୍ଷା ଗ୍ରହଣ କରିବା ପରେ ତାଙ୍କ ସମ୍ବେଦନଶୀଳତା ଏକ ଆଧ୍ୟାତ୍ମିକ ସ୍ତରକୁ ଉତ୍ତୋଳିତ ହୋଇଯାଇଥିଲା । ସେହି ସମ୍ବେଦନଶୀଳତାହିଁ ତାଙ୍କୁ ସନ୍ଥ କରିଥିଲା, କବି ମଧ୍ୟ କରିଥିଲା ଏବଂ ସର୍ବୋପରି, ସେହି ସମ୍ବେଦନଶୀଳତା ଭୀମ ଭୋଇଙ୍କର ଭାଷାକୁ ମଧ୍ୟ ଅନୁରୂପ ଭାବରେ ବିବର୍ତ୍ତିତ କରି ଆଣିଥିଲା । ଅଥବା ଓଲଟାଇ କରି କହିଲେ, ଚିତ୍ତ ଭିତରେ ସେହିପରି ଏକ ସମ୍ବେଦନଶୀଳତା ଅର୍ଜନ କରିପାରିଲେ ତାହାର ଅଭିବ୍ୟକ୍ତି ନିମନ୍ତେ ଗୋଟିଏ ମାଧ୍ୟମ ଅନ୍ଵେଷଣ କରୁ କରୁ କବି ଯେଉଁ ଭାଷାଟିକୁ ବିକଶିତ କରି ନେଇଆସେ, ଭୀମ ଭୋଇଙ୍କର ଭାଷା ତାହାରି ସମତୁଲ ହୋଇ ରହିଗଲା । କିମ୍ବଦନ୍ତୀ କହୁଛି, ଭୀମ ଭୋଇ ମୂର୍ଖ ଥିଲେ, ଶାସ୍ତ୍ର ପୁରାଣ ପଢ଼ି ନଥିଲେ । କବିତ୍ଵର ଯାବତୀୟ କୁଳୀନ ସଂସ୍କାର ଦୃଷ୍ଟିରୁ ବିଚାର କଲେ ସେ ନିରକ୍ଷରପ୍ରାୟ ଥିଲେ । ତଥାପି ତାଙ୍କର ଅଧ୍ୟାତ୍ମ-ବାସନା ତାଙ୍କୁ ସୃଜନଶୀଳତାର କେଡ଼େ ଉଚ୍ଚସ୍ତରକୁ ଉନ୍ନୀତ କରି ଆଣିଥିଲା । ଭୀମ ଭୋଇଙ୍କର ଶୈଳୀ ବୁଦ୍ଧିଦ୍ଵାରା କର୍ଷିତ ଆଦୌ କୌଣସି ଶୈଳୀ ନୁହେଁ, ତାହା ସନ୍ଥର ଶୈଳୀ । ନିଜେ ଉନ୍ମୋଚିତ ଏବଂ ସମର୍ପିତ ହୋଇପାରିଲେ ଯେ ଭିତରର ଯାବତୀୟ ଅବ୍ୟକ୍ତ ଅତ୍ୟନ୍ତ ସହଜରେ ବ୍ୟକ୍ତ ହୋଇ ଆସେ ଏବଂ ଏକ ଅନୁରୂପ ଭାଷା ମଧ୍ୟ ପାଇଯାଏ, ଭୀମ ଭୋଇ ଓଡ଼ିଆ ସାହିତ୍ୟରେ ତଥା ସକଳ ସାହିତ୍ୟରେ ତାହାରି ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଭୀମ ଭୋଇ ଯାହାକିଛି ଲେଖିଛନ୍ତି, ତାହା ଏକ ମୂଳଭୂତ ସହଜାତ ଏବଂ ମୂଳଭୂତ ପରିଚୟ ମଧ୍ୟରୁ ଉତ୍ସାରିତ ହୋଇ ଆସିଛି ଏବଂ ପାଠକ ଭାବରେ ଆମ ସମସ୍ତଙ୍କୁ ଏତେ ନିବିଡ଼ ଭାବରେ ସ୍ପର୍ଶ କରିପାରୁଛି ।

 

ଆପଣାର ଗୋଟିଏ ଅତ୍ୟନ୍ତ ପରିଚିତ ଭଜନରେ ଭୀମ ଭୋଇ ‘ଅକ୍ଷର ନ ବସେ ତାଙ୍କ କରୁଣା ନୋହିଲେହେ, ବୋଲି କହିଛନ୍ତି । ଆଉ ଗୋଟିଏ ଚଉତିଶାରେ ସେ କେଡ଼େ ନିଶ୍ଚଳ ଭାବରେ ସ୍ଵୀକାର କରିଛନ୍ତି–‘ତରତର କରି ମୁଁ ଯେ ତିୟାରୁଛି ପଦ, ତାକି ନାହିଁ ଆଗପଛ, ବେଦ କି ନିର୍ବେଦ; ତିନି ତ୍ରୈଲୋକ୍ୟ ଦେବତା, ତାଳପତ୍ରେ ଲେଖୁଅଛି ବୁଝିବ ବାରତା ।’ ପୁନଶ୍ଚ, ଆଉ ଗୋଟିଏ ଭଜନରେ ‘ସର୍ବେ ଥାଅହୋ ଶୁଣି, କବିପସରା ମୋତେ ଶିରେ ବୁହାଇ ଦେଲେ, ଅତିଥିରୂପେ ସ୍ଵାମୀ ବ୍ରହ୍ମାଣ୍ଡରେ ବୁଲିଲେ, ଭଣେ ଭୀମ ଅର୍କ୍ଷିତ ନୁହେଁ ମୁରୁଛିହେ ।’ ଏସବୁ କଥାରେ ଭାବପ୍ରବଣତା ଆଦୌ ନାହିଁ, ଏଥିରେ ଆମ ଆଧୁନିକ ସାହିତ୍ୟକାଳ ପାଇଁ ମଧ୍ୟ ଏକ ପ୍ରାସଙ୍ଗିକତା ରହିଛି । ଏକ ସମର୍ପିତ ଜୀବନ ସାହିତ୍ୟ ଲାଗି ଅଧିକରୁ ଅଧିକ ସମଗ୍ର ଭାବରେ ପ୍ରେରଣା ଯୋଗାଇ ଦେଉଥିବ ଏବଂ ସାହିତ୍ୟ ଅଧିକରୁ ଅଧିକ ନିବିଡ଼ ଭାବରେ ଏକ ଆହୁରି ଅଧିକ ସମର୍ପିତ ଜୀବନ ଲାଗି ସତେଅବା ଦିହୁଡ଼ି ଦେଖାଇ ଦେଉଥିବ । ଏହା ହେଉଛି ଏକାବେଳକେ ଏକ ଅନ୍ୟ ସ୍ତରର ଅନୁଭବ । ସାହିତ୍ୟ ଜୀବନକୁ ସତତ ଅଧିକରୁ ଅଧିକ ପୂର୍ଣ୍ଣତା ଆଣି ଦେଉଥିବ ଏବଂ ପୂର୍ଣ୍ଣରୁ ପୂର୍ଣ୍ଣତର ହେବାର ଆକାଂକ୍ଷା ରଖିଥିବା ଏକ ଜୀବନ ସାହିତ୍ୟଲାଗି ନୂଆ ନୂଆ ଉନ୍ମୋଚିତ କରି ଦେବାରେ ଲାଗିଥିବ ।

 

ଗୋଟିଏ ପାଖରେ ଭାବସିନ୍ଧୁ, ଆଉ ଗୋଟିଏ ପାଖରେ ଭବସିନ୍ଧୁ । ‘ସ୍ତୁତି ଚିନ୍ତାମଣି’ ଗ୍ରନ୍ଥରେ ଭୀମ ଭୋଇ ଭଗବାନ ତାଙ୍କୁ ଏହି ଦୁଇଟି ଭିତରେ ଆଣି ଛାଡ଼ିଦେଇ ଯାଇଛନ୍ତି ବୋଲି କହିଛନ୍ତି (୩୪ଶ ବୋଲି) । ଭବସିନ୍ଧୁ ମାୟାରେ ପୂର୍ଣ୍ଣ ହୋଇ ରହିଛି । ଏଠାରେ ପାପ ଓ ଅନାଚାର ପରାକ୍ରମ ଦେଖାଉଛନ୍ତି । ତଥାପି ସନ୍ଥ ମାୟାବାଦୀ ପରି କଦାପି ସଂସାର ଭିତରୁ ଛାଡ଼ି ପଳାଏ ନାହିଁ । ସିଏ ଭବସିନ୍ଧୁ ଭିତରେ ଭାବସିନ୍ଧୁରୁ ସନ୍ଧାନ କରି ବାହାରେ । ଏକ ଅନ୍ତର୍ଗତ ଚକ୍ଷୁରେ ତାହାର ସନ୍ଧାନ କରି ବାହାରେ । ଭୀମ ଭୋଇ ମଧ୍ୟ ସେହି କଥା କରିଛନ୍ତି । ସିଏ ଏହି ସଂସାରର ପକ୍ଷ ନେଇ ପରମ ସମ୍ବେଦନଶୀଳତା ସହିତ ଆପଣା କବିତ୍ଵର ନିବେଦନ କରିଛନ୍ତି । ପରମ ଭଗବାନଙ୍କୁ ସେ ଅକଳଣା ବାରନିଧି ବୋଲି କହିଛନ୍ତି ଓ ତାଙ୍କର ସ୍ଥାନଟିକୁ ମହାନିତ୍ୟ ଭୁବନ ବୋଲି କହିଛନ୍ତି । ସେଠାରେ ଚାରିଦ୍ଵାରେ ମନୁଷ୍ୟର କଳ୍ପିତ ଦେବତାସକଳ–ରାମ, ହରି, ଜଗନ୍ନାଥ ସମସ୍ତେ, ତାଙ୍କରି ସ୍ତୁତି କରିବାରେ ଲାଗିଛନ୍ତି । ‘ବ୍ରହ୍ମନିରୂପଣ ଗୀତା’ରେ ପରମମହିମାଙ୍କର ଅଙ୍ଗରେ ହର କୌପୁନି ହୋଇଛନ୍ତି ଓ ବିଷ୍ଣୁ ତାଙ୍କ ଅଙ୍ଗରେ ବିଭୂତି । ସେଠାରେ ରାତିଦିନ ଗୋଟିଏ ହୋଇ ରହିଛି, ଚନ୍ଦ୍ର ଓ ସୂର୍ଯ୍ୟ ଦୀପ ହୋଇ ଜଳୁଛନ୍ତି, ଯୋଗର ଚାରିମାର୍ଗ ସେଠାରେ ଏକଠୁଳ ହୋଇଛନ୍ତି, ସେଠାରେ ଶୁଭ ବା ଅଶୁଭ ବୋଲି ଆଦୌ କୌଣସି ଲଗ୍ନ ନାହିଁ । କାରଣ ସର୍ବଦା ମଙ୍ଗଳହିଁ ବିରାଜିତ ରହିଛି ଏବଂ ସବାଶେଷକୁ କବି ଆମ ସମସ୍ତଙ୍କୁ ଉଦ୍‍ବୋଧନ ଦେଇ କହିଛନ୍ତି ଯେ, ସେହି ମହାନିତ୍ୟ ମଣ୍ଡଳରେ ପ୍ରବେଶ କରିପାରିଲେ ଯାଇ ଜଣେ ମଣିଷ ନିଜ ମହିମାର ମଧ୍ୟ ଦର୍ଶନ ଲାଭ କରିପାରିବ । ଭାରତୀୟ ବୃହତ୍ ପରମ୍ପରାର ଅଧ୍ୟାତ୍ମ ଉଦ୍‍ବୋଧନଟିକୁ କେବଳ ଭାରତର ସନ୍ଥମାନେହିଁ ଏତେ ଅଧିକ ମାଧୁର୍ଯ୍ୟର ସହିତ ବ୍ୟକ୍ତ କରିପାରିଛନ୍ତି ।

 

ତେଣୁ ଭୀମ ଭୋଇଙ୍କର ଭାଷାରେ, ତାହା ‘ପାଶେ ଅଛିହେ, ନ ଦିଶୁଚି, ଆବୋରି ରହିଛି’ । ତାଙ୍କୁ ପାଇଲେ ନିଜକୁ ପାଇବ, ତାଙ୍କରି ଦର୍ଶନରେ ନିଜର ଦର୍ଶନ ମଧ୍ୟ ହୋଇଯିବ । ସେଥିଲାଗି ଭିତରେ ଯଥାର୍ଥ ଭକ୍ତି ରହିଥିବା ଉଚିତ । ତେଣୁ ତାଙ୍କର ଆଉ ଗୋଟିଏ ଭଜନରେ, ‘ସେହି ଭକ୍ତିଦ୍ଵାରା ପାଷାଣ ହୁଅଇ ପାଣି, କୁସୁମ ଫୁଟନ୍ତି ଗୋ, କାଷ୍ଠ ପଲ୍ଲବନ୍ତି ।’ ଭକ୍ତି ତ କେତେ ପ୍ରକାରର ରହିଛି । ଭକ୍ତିର ଭଜନ ହେବାଲାଗି ପରାମର୍ଶ ଦିଆଯାଇଥିବା ଯାବତୀୟ ବାହ୍ୟ ବିଧିକୁ ସେ କାଟି ଚାଲି ଯାଇଛନ୍ତି । ଉପାୟ ହେଉଛି, ଆମେ ଯେଡ଼େ ପ୍ରଭୁଙ୍କୁ ଭଜିବା, ନିଜର ବୃଦ୍ଧିକୁ ମଧ୍ୟ ସେହି ଅନୁସାରେ ତେଡ଼େ କରି ତିଆରି କରିବାକୁ ରାଜି ହୋଇଯିବା । ଭୀମ ଭୋଇଙ୍କ ଭାଷାରେ ଏହି ମାର୍ଗଟି ହେଉଛି ବ୍ରହ୍ମଜ୍ଞାନ ଭକ୍ତିଯୋଗ । ଏଥିପାଇଁ ଉପାସନାର ଯାବତୀୟ ଗାରକୁ ଅତିକ୍ରମ କରି ବାହାରି ଯିବାକୁ ହେବ । ଅନ୍ତର୍ଗତ ଅନୁଭବରେ ଯାଇ ଥାନ ପାଇବ, ସ୍ଥିର ହେବ । ଅନୁଭବରେ ଖୋଜିବ, ଅନ୍ତର୍ଗତରେ ହେଜିବ । ଅନ୍ତର୍ଗତ ଅନୁଭବରୁ ସମତା ସମ୍ଭବ ହେବ । ସେହି ସମତାକୁ ଅର୍ଜନ କରିପାରିବାର ପ୍ରକରଣରେ ଭୀମ ଭୋଇ ଅରକ୍ଷିତ ଦାସଙ୍କ ପରି ପୃଥ୍ଵୀ ସହିତ ପୃଥ୍ଵୀ ହେବା ଏବଂ ଜଳ ସହିତ ଜଳ ହେବା ବିଷୟରେ କହିଛନ୍ତି । ସନ୍ଥ ସବାଆଗ ଆପଣା ଭିତରେ ଚିହ୍ନେ; ଅନୁଭବଦ୍ଵାରା ଚିହ୍ନେ, ତାହାରିଦ୍ଵାରା ପାଏ । ତା’ପରେ ସେହି ନୂତନ ଉପଲବ୍ଧିର ନୟନଟିକୁ ସାଙ୍ଗରେ ଧରି ସେ ନିଜକୁ ବାହାରକୁ ସମ୍ପ୍ରସାରିତ କରିଆଣେ । ଭିତରେ ପରମ ସତ୍ୟଟି ସହିତ ଯୁକ୍ତ ହୋଇଥିବାରୁ ସେ ବାହାରେ ସେହି ସତ୍ୟଦ୍ଵାରା ଆତଯାତ ହେଉଥିବା ଏହି ସଂସାରଟି ସହିତ ମଧ୍ୟ ଯୁକ୍ତ ହୁଏ । ସେ ଶ୍ରଦ୍ଧାଦ୍ଵାରା ମାୟାକୁ କାଟେ, ଭାବଦ୍ଵାରା ସକଳ ଅଭାବକୁ କାଟି ଦେଇଥାଏ ।

 

ଏହିପରି ଭାବରେ ଭୀମ ଭୋଇ ହେଉଛନ୍ତି ବ୍ରହ୍ମାନୁଭବର କବି, ତେଣୁ ସେହି ବ୍ରହ୍ମଦ୍ଵାରା ପରିପୂର୍ଣ୍ଣ ହୋଇ ରହିଥିବା ଏହି ସଂସାରର କବି । ଓଡ଼ିଆ ସାହିତ୍ୟରେ ତାଙ୍କ ସମ୍ବେଦନଶୀଳତାର କୌଣସି ପଟାନ୍ତର ନାହିଁ । ସମ୍ଭବତଃ ସମଗ୍ର ବିଶ୍ଵସାହିତ୍ୟରେ ମଧ୍ୟ ତାହା ବିରଳ ହୋଇ ରହିଛି । କେଡ଼େ ଅନ୍ତରଙ୍ଗ ବ୍ୟାକୁଳତାରେ ସେ ପ୍ରାଣୀମାନଙ୍କର ଉଦ୍ଧାର କାମନା କରିଛନ୍ତି ଏବଂ ସଂସାରର ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି । ସେହି ବ୍ରହ୍ମାଣ୍ଡ ନିମନ୍ତେ ସେ ବ୍ରହ୍ମାଣ୍ଡକର୍ତ୍ତାଙ୍କ ନିକଟରେ ଦୁଃଖ ଜଣାଇଛନ୍ତି । ଆମ ଏଯୁଗରେ କବିମାନେ ନିଜର ତଥାକଥିତ ବିଷାଦ, ଅବସାଦ ଏବଂ ଦୁଃଖ ଓ ତଜ୍ଜନିତ ନିଃସଙ୍ଗତାକୁ ନେଇ କେତେ ରୋଦନ କରୁଛନ୍ତି ଓ କେତେ ଅଭିଯୋଗ କରିବାରେ ଲାଗିଛନ୍ତି । ଭୀମ ଭୋଇ ତ ପୃଥିବୀରେ ପ୍ରାୟ ସବୁଯାକ ଦୁଃଖକୁ ଅଙ୍ଗେ ନିଭାଇଛନ୍ତି, ମାତ୍ର ଭଗବାନଙ୍କ ପାଖରେ ବ୍ରହ୍ମାଣ୍ଡର ଦୁଃଖ ମୋଚନ ନିମନ୍ତେ ବିକଳ ହୋଇ ପ୍ରାର୍ଥନା କରିଛନ୍ତି । ଏପରି କବି କେବେ ନିଃସଙ୍ଗ ହୁଏ ନାହିଁ । ବ୍ରହ୍ମାଣ୍ଡ ଡୁବିଯାଉ ପଛକେ, ସେମାନେ ନିଜେ ଆପଦଶୂନ୍ୟ ହୋଇ ରହିଥାନ୍ତୁ ବୋଲି ଅନେକ ମଣିଷ କେତେ କୃଚ୍ଛ୍ର କରି ଭଗବାନଙ୍କର ପିଛା କରୁଥାନ୍ତି । ଭୀମ ଭୋଇ ‘ଅଶେଷ ବ୍ରହ୍ମାଣ୍ଡ ଡୁବିଯିବ ଯେବେ କାହିଁରେ ରହିବି ମୁହିଁ’ ବୋଲି ଦଇନି କରିଛନ୍ତି ଏବଂ ନିଜର ସେହି ବିଶ୍ୱବିଶ୍ରୁତ ପଦଟିରେ, ପ୍ରାଣୀଙ୍କର ଆରତ ଏବଂ ଅପ୍ରମିତ ଦୁଃଖ ଦେଖି ସେ କିପରି ସହିବେ ବୋଲି ଗୁହାରି କରିଛନ୍ତି ଏବଂ ନିଜ ଜୀବନ ନର୍କରେ ପଡ଼ିଥିଲେ ମଧ୍ୟ ଆଗେ ଜଗତର ଉଦ୍ଧାର ହେଉ ବୋଲି ବାଜି ବସାଇ ଦେଇଛନ୍ତି । କବି ଓ ଭକ୍ତର ଅନ୍ତର୍ଗତତମ କଥାକୁ କହିଛନ୍ତି ।

 

ଭିତରେ ବ୍ରହ୍ମାଣ୍ଡକର୍ତ୍ତାଙ୍କ ସହିତ ଯୁକ୍ତ ହୋଇ ରହିଥିବା ବ୍ୟକ୍ତି ବାହାରେ ମଧ୍ୟ ସେହି ସମତାକୁ ଦେଖିବାର ବାସନା ରଖିଥାଏ । କବି ଭୀମ ଭୋଇ ଆଶ୍ରୟ କରିଥିବା ମହିମାଧର୍ମରେ ଉଚ୍ଚ ଓ ନୀଚର ବାରଣ ନାହିଁ, ଜାତି ଓ ଅଜାତିର ବାରଣ ନାହିଁ । ସମସ୍ତେ ଯଦି ଗୋଟିଏ ଥାନରୁ ନିଷ୍ପନ୍ନ ହୋଇ ଆସିଛନ୍ତି, ତେବେ ସେମାନଙ୍କ ଭିତରେ ଆଉ ସାନବଡ଼ ଭେଦ କାହିଁକି ରହିବ ? ତେଣୁ ଭୀମ ଭୋଇଙ୍କ ଭାଷାରେ, ‘ତିନି ବ୍ରହ୍ମାଣ୍ଡରେ ଲୋଡ଼ିଆସ ତୁଣ୍ଡେ ଏକ ଜଣ ଏକ ଜାତି, ସେହିସବୁଙ୍କୁ ଶତ ଜାତି କରିଛି ତାହାର ରଞ୍ଚିଲା ପୃଥ୍ଵୀ ।’ କବି ଏହି ଜଗତକୁ ‘ମୋହର ପିତାର ଜଗତ’ ବୋଲି କହିଛନ୍ତି । ଅନାଦି ଠାକୁରଙ୍କୁ ପିତା ଓ ଆଦିଶକ୍ତି ନାରୀକୁ ମାତା ବୋଲି କହିଛନ୍ତି । ଭଗବାନଙ୍କୁ ପିତା ବୋଲି କହିବା ଖ୍ରୀଷ୍ଟିଆନ ଧର୍ମର ଏକ ମୁଖ୍ୟ ପ୍ରସଙ୍ଗ । ଏହି ପ୍ରେରଣାଟିକୁ ସେ ଖୁବ୍ ସମ୍ଭବ ସେହିଠାରୁ ଆଣିଛନ୍ତି ଏବଂ ସେଥିଲାଗି ମଧ୍ୟ ତାଙ୍କୁ ଅନେକ ଗଞ୍ଜଣା ସହିବାକୁ ପଡ଼ିଛି, ତାଙ୍କୁ ଲୋକମାନେ କିରସ୍ତାନ ବୋଲି କହି ନିନ୍ଦା ଓ ଗାଳି କରୁଛନ୍ତି ବୋଲି ସେ ଏକାଧିକ ଅବସରରେ ଉଲ୍ଲେଖ କରିଛନ୍ତି । ସାତପୁରୁଷ ଯେଉଁ ବାଟରେ ଯାଉଛନ୍ତି, ଆମେ ମଧ୍ୟ ସେହି ବାଟରେ ଯିବୁ, ମହିମା ମାର୍ଗରେ ଯାଇ କଦାପି ଜାତିଗୋତ୍ରକୁ ବୁଡ଼ାଇବୁ ନାହିଁ ବୋଲି ସେତେବେଳେ ବାହାରୁ କେତେ ବିରୋଧ ହୋଇଛି । ନୂଆକୁ ନିରନ୍ତର ସେହିପରି ବିରୋଧମାନ ସହିବାକୁ ହୋଇଥାଏ । ରାଜା ଓ ବିପ୍ରମାନେ ମେଳି ହୋଇ ତାଙ୍କର ପରୀକ୍ଷା ନେବାଲାଗି ଆହ୍ଵାନ ଦେଇଥିଲେ ଏବଂ ତାଙ୍କୁ ମନ୍ଦ ଜାତି ଓ କନ୍ଧ କହି ଝିଙ୍ଗାସି ଥିଲେ ବୋଲି ଭୀମ ଭୋଇ ନିଜେ ସ୍ଵୀକାର କରିଛନ୍ତି । ଭୀମ ଭୋଇ ତଥାପି ମୁଣ୍ଡ ନୂଆଁଇ ନଥିଲେ ।

 

କବି ଜାତି ମାନି ନଥିଲେ, ସମାଜକୁ ମାନିଲେ ନାହିଁ, ଧର୍ମ ଭିତରେ ପ୍ରତିଷ୍ଠିତ ହୋଇ ରହିଥିବା ଦେବାଦେବୀଙ୍କୁ ମଧ୍ୟ ମାନିଲେ ନାହିଁ । ନୂଆ ପାଖରେ ଅଙ୍ଗୀକାରବଦ୍ଧ ହୋଇ ରହିଥିବା କବି ଏହିପରି ଭାବରେ ସବୁ ମାୟାକୁ କାଟି ବାହାରି ଆସେ ଏବଂ ନିଜର ନୂତନ ଅଙ୍ଗୀକାରଟିକୁ ଘୋଷଣା କରିଥାଏ । ସବୁଯାକ ଅବତାରଙ୍କ ସମେତ ଜଗନ୍ନାଥ ମଧ୍ୟ ବ୍ରହ୍ମରେ ବିଲୀନ ହୋଇ ଆପଣାର ଅବତାରଗୁଡ଼ିକୁ ହରାଇଛନ୍ତି ବୋଲି ଭୀମ ଭୋଇ କେଡ଼େ ସାହସର ସହିତ କହିଛନ୍ତି, କେଡ଼େ ବିଶ୍ଵାସର ସହିତ ମଧ୍ୟ କହିଛନ୍ତି । ‘ରାଜାର ପରଜା ନୋହୁ ସିନା ଆମ୍ଭେ ନୋହୁ ସାହୁର ଖାତକ’ ବୋଲି ସେ କେଡ଼େ ସାହସ ଓ ବିଶ୍ଵାସର ସହିତ ଘୋଷଣା କରିଛନ୍ତି । ଆପଣାର ଜୀବନରେ ଅଗ୍ରସର ହୋଇ କବି ଯାହା ପାଇଥାଏ, ସେ ତାହାକୁ ସତ୍ୟ ବୋଲି ଗ୍ରହଣ କରିଥାଏ । ସେ ସେହି ସତ୍ୟକୁ ନେଇ ବଞ୍ଚେ । ସେଥିଲାଗି ଭିତରୁ ବଳ ପାଏ । ତତ୍କାଳୀନ ସମାଜର ଆଖିରେ ଏତେ ତଳେ ରହିଥିବା ଜଣେ ମଣିଷ ଯେ ହାତରେ ନିଖିଳ ବ୍ରହ୍ମାଣ୍ଡର ଈଶ୍ଵରଙ୍କର ଆଜ୍ଞାପତ୍ରକୁ ଧରି କଥା କହୁଥିବା ପରି ଏଡ଼େ ଭୟମୁକ୍ତ ଅଥଚ ଶ୍ରଦ୍ଧାଯୁକ୍ତ ଭାବରେ ଏତେ କଥା କହିପାରେ ଏବଂ ସବୁ ମଣିଷଙ୍କର ଜଣେ ପରମ ସୁହୃତ୍‍ପରି ଏତେ ସମ୍ବେଦନଶୀଳ ଭାବରେ ଏତେ ଏତେ ଉଦ୍‍ବୋଧନ ଦେଇପାରେ, ଓଡ଼ିଆ ସାହିତ୍ୟରେ ହୁଏତ ତାହାର କେବଳ ଗୋଟିଏ ମାତ୍ର ଦୃଷ୍ଟାନ୍ତ ରହିଛି । ସେଥିପାଇଁ ସେହି ଭୀମ ଭୋଇଙ୍କର କଥା ପଡ଼ିବାମାତ୍ରକେ ଓ ତାଙ୍କୁ ଜଣେ ଅନ୍ତରଙ୍ଗ ସଙ୍ଗୀ ବୋଲି ଅନୁଭବ କରିବାମାତ୍ରକେ ଆମ ଛାତି ସତେଅବା କୁଣ୍ଢେମୋଟ ହୋଇଯାଏ, ଆଗରେ ଥିବା କୌଣସି ଶିଖରକୁ ଲୟ କରି ତାଙ୍କ ସହିତ ବାଟ ଚାଲିଯାଉଥିବା ପରି ଅନୁଭବ ହୁଏ ।

 

‘ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମୋତେ ହେଉ, କହେ ଭୀମ ଭୋଇ ଏ ମୃତ୍ୟୁମଣ୍ଡଳେ ଯଶ ଅପଯଶ ଥାଉ’ । ସ୍ତୁତି ଚିନ୍ତାମଣିର ଗୋଟିଏ ପଦରେ କବି ଆପଣାର ବାସନାକୁ ଏହିପରି ଭାବରେ ପ୍ରକଟ କରିଛନ୍ତି । ଭୀମ ଭୋଇଙ୍କୁହିଁ ଆମେ ଓଡ଼ିଶା ଲାଗି ମହିମାଧର୍ମର ସର୍ବଶ୍ରେଷ୍ଠ ଦାନ ବୋଲି କହିପାରିବା । ଭୂମିର ଏତେ ନିକଟରେ ରହି ସମ୍ଭବତଃ ଏତେ ଏତେ ସମ୍ଭାବନା ଏବଂ ଶ୍ରଦ୍ଧାର କଥା ତାଙ୍କ ବ୍ୟତୀତ ଓଡ଼ିଆ ସାହିତ୍ୟରେ ଆଉ କେହି ହେଲେ କହି ନାହାନ୍ତି ଏବଂ ଏକ ଅନନୁକରଣୀୟ ଭାଷାରେ ସେ ଏସବୁ କଥା କହିଛନ୍ତି । ତାଙ୍କର ଭାଷା ମସ୍ତିଷ୍କର ଭାଷା ନୁହେଁ, ତାହା ହୃଦୟର ଭାଷା, ଆହୁରି ନିର୍ଭୁଲ ଭାବରେ କହିଲେ, ତାହା ହେଉଛି ଉପଲବ୍ଧିର ଭାଷା । ଜୀବନରେ ସତକୁସତ ଶିଖରଟିଏ ରହିଥିଲେ ମଣିଷ ନିରତ ବାଟ ଚାଲିବାରେ ଲାଗିଥାଏ । ସେହିଭଳି ଜୀବନରେ ସତକୁସତ ଉପଲବ୍ଧିଟିଏ ରହିଥିଲେ ଜଣେ କବି ଏକ ଅନନ୍ୟ ସହଜତା ଲାଭ କରିଥାଏ । ତା’ର ଭାଷା ପ୍ରକୃତରେ ଭଲ ଲାଗେ, ଆମକୁ ଉତ୍ତୋଳିତ କରିନେବାର ସାମର୍ଥ୍ୟ ସେହି ଭାଷାରେ ରହିଥାଏ । କବିଙ୍କର ପ୍ରାୟ ସମସାମୟିକ କେରଳର ଶ୍ରୀ ନାରାୟଣ ଗୁରୁଙ୍କ ସହିତ ହୁଏତ ଭୀମ ଭୋଇଙ୍କର ଏକାଧିକ ଦୃଷ୍ଟିରୁ ତୁଳନା ହୋଇପାରିବ । ସାନକୁଳରେ ଜନ୍ମ ହୋଇଥିଲେ ମଧ୍ୟ କେରଳର ସେହି କାଳର ସମାଜରେ ଏକ ଆଧ୍ୟାତ୍ମିକ ଉଦ୍‍ବେଳନ ଏବଂ ଉତ୍ତୋଳନ ଆଣି ଦେବାରେ ନାରାୟଣ ଗୁରୁଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଓଡ଼ିଶାର ସମାଜ ଓ ସାହିତ୍ୟରେ ଏକ ଉତ୍ତୋଳନ ନିମନ୍ତେ ମନ କରିବାମାତ୍ରକେ କବି ଭୀମ ଭୋଇ ମଧ୍ୟ ଆମ ଲାଗି ଏକ ମୁଖ୍ୟ ପ୍ରେରଣାର ଭୂମିକାରେ ଅବତୀର୍ଣ୍ଣ ହୋଇ ଆସୁଥିବା ପରି ଅବଶ୍ୟ ମନେହେବ ।

Image

 

Unknown

ଅଷ୍ଟମ ପରିଚ୍ଛେଦ

ଆଧୁନିକ ସାହିତ୍ୟର ପ୍ରଥମ ଶହେବର୍ଷ

(୧୮୫୦-୧୯୫୦)

(୧)

 

ଇଉରୋପର ଇତିହାସରେ ଆଧୁନିକ ଯୁଗ କହିଲେ ପ୍ରାୟ ଚତୁର୍ଦ୍ଦଶ ଶତାବ୍ଦୀରୁ ସେଠାରେ ଆରମ୍ଭ ହୋଇଥିବା ଏକ ବିଶେଷ ଉଦ୍‍ବେଳନକୁ ବୁଝାଉଛି । ଆଧୁନିକ ବିଜ୍ଞାନ, ରେନେସାଁସ୍, ଶିଳ୍ପବିପ୍ଳବ–ଏହି ସବୁକିଛିର ସମୟ ହେଉଛି ସେହି ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀ । ଆଗରୁ ରାଜାମାନେ ସର୍ବେସର୍ବା ଥିଲେ ଧର୍ମ ମଧ୍ୟ ତା’ ନିଜ ସାମ୍ରାଜ୍ୟରେ ସର୍ବେସର୍ବା ହୋଇ ବସିଥିଲା । ଆଧୁନିକ କାଳରେ ମନୁଷ୍ୟ କେନ୍ଦ୍ରକୁ ଆସିଲା । ମନୁଷ୍ୟର ଭାବନାରୁ ପ୍ରତ୍ୟେକ ମନୁଷ୍ୟର ଭାବନା ଜନ୍ମଲାଭ କଲା । ଅର୍ଥାତ୍‍, ମନୁଷ୍ୟ କହିଲେ ସମାଜରେ ବିଶେଷ ଭାବରେ ସମ୍ପନ୍ନ ଓ ଭାଗ୍ୟବାନ କେତେକ ଶ୍ରେଣୀ ବା କେତେକ ବ୍ୟକ୍ତିଙ୍କୁ ବୁଝାଇବ ନାହିଁ । ମଣିଷମାତ୍ରକେ ସମସ୍ତଙ୍କୁ ବୁଝାଇବ—ସେଇଥିରୁହିଁ ଗଣତନ୍ତ୍ରର ଭାବନା ଆସିଲା, ବ୍ୟକ୍ତି-ସ୍ଵାଧୀନତାର ଭାବନା ଆସିଲା । କୌଣସି ଭଗବାନ ପୃଥିବୀର ବାହାରେ ଥାଇ ରଜ୍ଜୁ ପକାଇ ଏଠାରେ ମନୁଷ୍ୟମାନଙ୍କର ଭାଗ୍ୟର ନିୟନ୍ତ୍ରଣ କରୁନାହାନ୍ତି, ମନୁଷ୍ୟ ହାତରେହିଁ ତା’ ଭାଗ୍ୟର ମୂଳ ଡୋରିଟି ରହିଛି । ପ୍ରତ୍ୟେକ ମନୁଷ୍ୟ ଭିତରେ ଅମିତ ସମ୍ଭାବନା ବିକାଶ ଲାଗି ନିହିତ ହୋଇ ରହିଛି, ଉପଯୁକ୍ତ ପରିବେଶ ମିଳିଲେ ମନୁଷ୍ୟ ଯେ କେତେକଅଣ ହୋଇପାରିବ ଏବଂ ସମ୍ଭବ କରିପାରିବ, ତା’ର କୌଣସି ସୀମା ନାହିଁ, ଗତ ଚାରିଶହ ପାଞ୍ଚଶହବର୍ଷ ଭିତରେ ଇଉରୋପ ବୃହତ୍ତର ପୃଥିବୀରେ ପ୍ରଧାନତଃ ସେହି ସନ୍ଦେଶଟିକୁ ଶୁଣାଇ ଆସିଛି । ମନୁଷ୍ୟର ଦୃଷ୍ଟିକୋଣରେ ସେଠି ତାହାରିଦ୍ଵାରା ଯାବତୀୟ ପରିବର୍ତ୍ତନ ହୋଇଛି । ଇଉରୋପୀୟ ସଭ୍ୟତାର ସେହି ଦିଗଟି କ୍ରମେ ସମଗ୍ର ପୃଥିବୀକୁ ମଧ୍ୟ ଆଲୋଡ଼ିତ କରିଛି ଏବଂ ବିଭିନ୍ନ ମହାଦେଶରେ ବାସ କରୁଥିବା ମନୁଷ୍ୟମାନେ ଗତ ଦୁଇ ତିନି ଶତାବ୍ଦୀ ମଧ୍ୟରେ ତାହାରିଦ୍ଵାରା ଅଧିକରୁ ଅଧିକ ସଂକ୍ରମିତ ହେବାକୁ ମନ କରିଛନ୍ତି ।

 

ଭାରତବର୍ଷରେ ଆଧୁନିକ ଯୁଗର ଆରମ୍ଭ ଊନବିଂଶ ଶତାବ୍ଦୀରୁ । ପ୍ରାୟ ପାଞ୍ଚଶହବର୍ଷ ହେଲା ଇଉରୋପୀୟମାନେ ଭାରତବର୍ଷକୁ ଆସିଲେଣି । ପ୍ରଥମେ ଏକାଧିକ ଇଉରୋପୀୟ ଦେଶକୁ ଆସିଥିଲେ, ସେମାନେ ମୂଳତଃ ବାଣିଜ୍ୟ କରିବାପାଇଁ ଏଠାକୁ ଆସିଥିଲେ । ବାଣିଜ୍ୟ କରୁ କରୁ ଗୋଟିଏ ସାମ୍ରାଜ୍ୟର ସ୍ଥାପନା ହେଲା । ବଣିକମାନଙ୍କର ପଛେ ପଛେ ପାଦ୍ରୀମାନେ ଆସିଥିଲେ । ଯିଶୁଖ୍ରୀଷ୍ଟଙ୍କର ବାର୍ତ୍ତାକୁ ପୃଥିବୀର ସବୁ ଲୋକଙ୍କ ପାଖକୁ ବହନ କରି ନେବାଲାଗି ଓ ତଦ୍ଦ୍ଵାରା ସେମାନଙ୍କୁ ଗ୍ରାସ କରି ରହିଥିବା ଧର୍ମାନ୍ଧକାରକୁ ଦୂର କରି ପରିତ୍ରାଣର ଯୋଗ୍ୟ କରିବାଲାଗି ଖ୍ରୀଷ୍ଟୀୟ ଧର୍ମଶାସ୍ତ୍ରରେ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ପ୍ରଧାନତଃ ତାହାରିଦ୍ଵାରା ପ୍ରେରିତ ହୋଇ ପାଦ୍ରୀମାନେ ଭାରତବର୍ଷ ଆସିଥିଲେ । ଇଂରେଜମାନେ ଇଉରୋପୀୟଙ୍କୁ ହଟାଇ କ୍ରମେ ଏକା ଏହି ଦେଶର ମାଲିକ ହୋଇ ରହିଲେ, ଆପଣାର ସମୃଦ୍ଧି ଲାଗି ଭାରତବର୍ଷକୁ ଶାସନ କଲେ । ଶାସନ ସହିତ ସଂସ୍କୃତିବି ଆସିଲା, ଇଉରୋପୀୟ ଜୀବନଦୃଷ୍ଟି ଭାରତୀୟ ପ୍ରାଚୀନ ସୌଧଟିକୁ ସ୍ପର୍ଶ କଲା । ଆଦାନପ୍ରଦାନ ବଢ଼ିଲା । ଇଉରୋପୀୟ ଗବେଷକମାନେ ଭାରତବର୍ଷକୁ ଆସି ଭାରତର ଇତିହାସକୁ ମାଟିତଳୁ ଖୋଳି ବାହାର କଲେ, ଭାରତୀୟ ଭାଷାଗୁଡ଼ିକୁ ଛାପାବହି ଭିତରକୁ ଆଣିଲେ; ଭାରତୀୟମାନଙ୍କୁ ସେମାନଙ୍କର ନିଜ ଜୀବନ-ଐତିହ୍ୟଟି ବିଷୟରେ ଏକ ସମ୍ୟକ୍ ଅନୁଭବ ଆଣିଦେଲେ, ନିଜ ସଂସ୍କୃତିକୁ ନେଇ ଗର୍ବ ଅନୁଭବ କରି ଶିଖାଇଲେ । ସେଇଥିରୁ ଜାତୀୟତାବୋଧ ଜନ୍ମଲାଭ କଲା । ଭାରତବର୍ଷ ପ୍ରଥମ କରି ଗୋଟିଏ ହେଲା । ଗୋଟିଏ ଏକକରୂପେ ଶାସିତ ହେଉ ହେଉ ଗୋଟିଏ ଏକକରୂପେ ବିଦେଶୀ ଶାସନ ବିରୋଧରେ ସଂଗ୍ରାମ କରି ଶିଖିଲା । ଆଧୁନିକ ଆଖିରେ ଆପଣାର ଅତୀତକୁ ଦେଖି ଶିଖିଲା, ଘାଣ୍ଟି ଶିଖିଲା–ଅତୀତରୁ ପୁଞ୍ଜି ଓ ପ୍ରେରଣା ନେଇ ଭବିଷ୍ୟତ ଆଡ଼କୁ ଆପଣାକୁ ପ୍ରକ୍ଷେପିତବି କରି ଶିଖିଲା, ଭବିଷ୍ୟକୁ ନେଇ ଚିତ୍ର ଆଙ୍କି ପାରିଲା । ସ୍ଵାଧୀନ ହେବାକୁ ମନ କଲା ଏବଂ ସଂଗ୍ରାମଟିଏ କରି ସ୍ଵାଧୀନ ହେଲା । ସ୍ଵାଧୀନ ହେଲା, ଅର୍ଥାତ୍‍ ଆପଣାର ମାପକାଠିଗୁଡ଼ିକୁ ଦେଇ ଆପଣାକୁ ଚିହ୍ନି ଶିଖିଲା ।

 

ଆଧୁନିକ ପୃଥିବୀ ଅର୍ଥାତ୍‍ ଆପଣାକୁ କ୍ରମେ ଅଧିକରୁ ଅଧିକ ପରିମାଣରେ ଗୋଟିଏ ବୋଲି ଅନୁଭବ କରି ଶିଖୁଥିବା ପୃଥିବୀ । ପୃଥିବୀଟିକୁ ଗୋଟିଏ ବୋଲି ଅନୁଭବ କରିପାରିବା ଲାଗି ସ୍ଥାନୀୟତାଗୁଡ଼ିକର ଦ୍ଵାରକୁ ନାନାଭାବେ ଉନ୍ମୋଚିତ କରାଇ ଆଣୁଥିବା ପୃଥିବୀ । ଆଗେ ଯେଝା ଧର୍ମରେ ଯିଏ ଥିଲେ, ଅର୍ଥାତ୍‍ ଆପଣାର ତଥାକଥିତ ଧର୍ମ ଭିତରେ ପ୍ରତ୍ୟେକ କିଳି ହୋଇ ରହିଥିଲେ ଏବଂ ଆପଣାର ଧର୍ମଶାସ୍ତ୍ରଗୁଡ଼ିକର ବୋଲଣା ଅନୁସାରେ ଠାକୁରମାନଙ୍କର, ସ୍ଵର୍ଗର ଓ ନର୍କର ଅର୍ଥାତ୍‍ ପାପପୁଣ୍ୟ, ଭଲମନ୍ଦ ଏବଂ ନୀତି ଅନୀତିର କଳ୍ପନା କରିପାରୁଥିଲେ । ଆଧୁନିକ ଯୁଗ ଆସି ସେହି ରୀତିଟିକୁ ଭାଙ୍ଗିଦେଲା । ପୃଥିବୀରେ ଅନେକ ଧର୍ମ ରହିଛି ବୋଲି ମଣିଷମାନଙ୍କୁ ଦେଖାଇ ଦେଲା ଏବଂ ସେହି ଅନୁସାରେ ସେମାନଙ୍କର ପାରମ୍ପରିକ ସକଳ ଆକଳନକୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଲା । ଧର୍ମର ସଂଜ୍ଞାକୁ ତାହା ଅଧିକ ବ୍ୟାପ୍ତ କଲା, ଏକ ନୂଆ ଆଖିରେ ଅନେକ ନୂତନ ମୂଲ୍ୟକୁ ଆବିଷ୍କାର କରି ଶିଖାଇଲା । ଆଧୁନିକ ବିଜ୍ଞାନ ମନୁଷ୍ୟର ସମ୍ମୁଖରେ କେତେକେତେ ନୂଆ ସମ୍ଭାବନାପଟକୁ ଖୋଲି ଦେଇଗଲା; କେବଳ ମନୁଷ୍ୟର ଭାବନା ଓ ବିଚାରକୁ ନୁହେଁ, ମଣିଷର ହୃଦୟ ଲାଗି ମଧ୍ୟ କେତେ ବିସ୍ତାର ଆଣି ଦେଇଗଲା । ଆଗେ ରାଜାମାନେ ରାଜ୍ୟର ଶାସନ କରୁଥିଲେ, ଲୋକମାନେ ତାଙ୍କୁ ଦେବତା ଭଳି ଦେଖୁଥିଲେ । ଆଧୁନିକ ଯୁଗରେ ରାଜାମାନେ ବିଦା ହୋଇଗଲେ । ସେହି ପ୍ରକ୍ରିୟାରେ କେତେ ରାଜନୀତିକ ଓ ସାମାଜିକ ବିପ୍ଳବ ମଧ୍ୟ ହେଲା । କେବଳ ଫରାସୀ ବିପ୍ଳବହିଁ ଇଉରୋପୀୟ ବ୍ୟବସ୍ଥାର ଚିନ୍ତାର ମାନଦଣ୍ଡରେ କେତେ ଓଲଟପାଲଟ ଘଟାଇଥିଲା । ଆଧୁନିକ ଯୁଗ ଇଉରୋପରେ ଆଧୁନିକ ଭାଷାଗୁଡ଼ିକୁ ମଧ୍ୟ ବିକଶିତ କରାଇଆଣିଥିଲା । ଭାଷାର ବିକାଶ ହେଲା; ସାହିତ୍ୟ କେତେକେତେ ନୂଆ ଆକାଶକୁ ମନ କଲା, କେତେକେତେ ନୂଆ ପରିବର୍ତ୍ତନରେ ସହଯୋଗ କଲା । ପ୍ରାଚୀନ ଓ ମଧ୍ୟଯୁଗରେ ମଣିଷମାନେ ପଲରେ ବାସ କରୁଥିଲେ, ପଲ ହୋଇ ବଞ୍ଚୁଥିଲେ ଓ ପଲ ପରି ଚିନ୍ତା କରୁଥିଲେ । ଆଧୁନିକ ପୃଥିବୀ ସେହି ସଂସାରଟିକୁ ବଦଳାଇ ଦେଲା । ବ୍ୟକ୍ତିର ସମ୍ମାନ ଦିଆଗଲା, ବ୍ୟକ୍ତିକୁ ସ୍ଵୀକାର କରିହିଁ ସମୂହ ଆପଣାର ଯାବତୀୟ ଔଚିତ୍ୟକୁ ପ୍ରମାଣ କଲା ।

 

ଊନବିଂଶ ଶତାବ୍ଦୀର କେତୋଟି ଦଶକକୁ କେତେକ ସମୀକ୍ଷକ ଭାରତୀୟ ରେନେସାଁସ୍ ବା ପୁନର୍ଜାଗରଣର ଯୁଗ ବୋଲି କହିଥାନ୍ତି । ଏକାଧିକ ଦୃଷ୍ଟିରୁ ବିଚାର କରି ଆମେ ଏହି ଅବଧିଟିକୁ ଏକ ନୂତନ ଜାଗରଣର ବା ନୂତନ ଜନ୍ମର ଯୁଗ ବୋଲିହିଁ କହିବା । ଇଉରୋପୀୟ ସଂସ୍ପର୍ଶରେ ଆସି ଏଠାରେ ମଧ୍ୟ ଏକ ନୂତନ ଜାଗରଣ ସମ୍ଭବ ହୋଇଥିଲା । ସତେ ଯେପରି ଆପଣାର ପୁରୁଣାଗୁଡ଼ିକୁ ନେଇ କିଏ ଶୋଇ ରହିଥିଲା ଏବଂ ଏକ ନୂତନ ସଂସ୍ପର୍ଶରେ ଆଘାତ ତା’ର ଦିନକୁ ଭାଙ୍ଗି ଦେଇଗଲା । ପୁରୁଣା ଛାଞ୍ଚଗୁଡ଼ିକ ଆଉ ଆଦୌ ଗ୍ରହଣୀୟ ବୋଲି ମନେ ହେଲା ନାହିଁ । ପାଶ୍ଚାତ୍ୟ ପୃଥିବୀର ଛାଞ୍ଚଗୁଡ଼ିକୁ ତେଣୁ ଉଠାଇ ଆଣି ଏଠି ମାଡ଼ି ଦେବା ମଧ୍ୟ ଆଦୌ ସମ୍ଭବ ନଥିଲା । ଅସଲ ଆହ୍ଵାନଟି ସେହି ଦ୍ଵନ୍ଦ୍ୱକୁ ନେଇ ଅନୁଭୂତ ହୋଇଥିଲା । ସେତେବେଳେ ଭାରତୀୟ ସମାଜରେ ସତେଅବା ଗୋଟିଏ ଗୋଟିଏ ବିଶେଷ ଆଖି ନେଇ ଏପରି ନେତାମାନେ ବାହାରିଲେ, ଯେଉଁମାନେ କି ନୂତନକୁ, ସେହି ନୂଆ ସଂକ୍ରମଣକୁ ସ୍ଵାଗତ କରିନେବାକୁହିଁ କଲ୍ୟାଣକାରୀ ବୋଲି ଭାବିଥିଲେ, ମାତ୍ର ସେହି ଅନୁସାରେ ନିଜର ପରମ୍ପରାଟିକୁ ମଧ୍ୟ ଅନୁରୂପ ଭାବରେ ଗ୍ରହଣକ୍ଷମ କରି ଆଣିବାରେ ଉଦ୍ୟମ କରିଥିଲେ । ଏହାକୁ ଅନେକ ଅର୍ଥରେ ସମନ୍ଵୟ ବୋଲି ଅବଶ୍ୟ କୁହାଯାଇପାରିବ । ଭାରତବର୍ଷ ଆପଣାର ଇତିହାସରେ ଆଗରୁ ମଧ୍ୟ ବହିରାଗତ ସମୁଦାୟ ଓ ବହିରାଗତ ନାନା ସଂସ୍କୃତିର ସମ୍ମୁଖୀନ ହୋଇଥିଲା । ଯେଉଁମାନେ ପୂର୍ବରୁ ଥିଲେ ଓ ଯେଉଁମାନେ କାଳାନୁକ୍ରମରେ ବାହାରୁ ଆସିଥିଲେ, ସବୁଟି ମିଶି ପ୍ରଧାନତଃ ଏକ ସମନ୍ଵୟର ପ୍ରକ୍ରିୟାରେହିଁ ଭାରତୀୟ ସଂସ୍କୃତି ଆପଣାକୁ ଗଠିତ କରି ଆଣିଥିଲା । ଯୁଗଯୁଗର ସେହି ଅଭିଜ୍ଞତା ବର୍ତ୍ତମାନର ଏହି ଅଭିଜ୍ଞତାଟିକୁ ଘରକୁ ଡାକି ଆଣିବାରେ ଓ ସେଥିରୁ ଲାଭବାନ ହେବାରେ ନିଶ୍ଚୟ ବହୁ ପରିମାଣରେ ସାହାଯ୍ୟ କରିଥିବ ।

 

ଇଉରୋପୀୟ ଖ୍ରୀଷ୍ଟିଆନ ଧର୍ମ ଭାରତର ଧର୍ମୀୟ ରକ୍ଷଣଶୀଳତା ଆଗରେ ଏକ ବୃହତ୍ ଆହ୍ଵାନରୂପେ ଆସି ଛିଡ଼ା ହୋଇଥିଲା । ଫରାସୀ ବିପ୍ଳବର କାହାଣୀ ଭାରତବର୍ଷର ସାମାଜିକ ଭାଗ୍ୟବାଦର ଖୁଣ୍ଟଗୁଡ଼ିକୁ ସତେଅବା ଦୋହଲାଇ ଦେବାପରି ମନେ ହେଲା । ଇଉରୋପୀୟ ବୁଦ୍ଧିବାଦ, ବ୍ୟକ୍ତି ଉପରେ ଅଧିକ ଗୁରୁତ୍ଵ ଦେବା, ଇଉରୋପର ଭବିଷ୍ୟତ ଦୃଷ୍ଟି, ନୂତନ ଲାଗି ଆଗ୍ରହ, ଏହି ପୃଥିବୀର ଜୀବନକୁ ଅଧିକ ସମ୍ପନ୍ନ ଏବଂ ସୁନ୍ଦର କରି ଗଢ଼ିବାଲାଗି ଇଉରୋପର ଆକାଂକ୍ଷା ଏବଂ ଗୋଟିଏ କଥାରେ କହିଲେ, ଇଉରୋପୀୟ ପ୍ରାଣଶକ୍ତିର ଆକର୍ଷଣ–ସବୁ ମିଶି ଭାରତର ଆଖିଗୁଡ଼ିକୁ ସତେଅବା କେତେ କୁଆଡ଼େ ବିସ୍ତାରିତ କରି ନେଇଥିଲେ । ଭାରତୀୟ ମାୟାବାଦ ଏବଂ ଭାଗ୍ୟବାଦ ଉପରେ କଠୋର ପ୍ରହାର କରିଥିଲେ । ଏହି ନୂତନ ସଂକ୍ରମଣଟି ବଙ୍ଗଳାକୁ କେନ୍ଦ୍ର କରି କ୍ରମେ ସମଗ୍ର ଭାରତବର୍ଷକୁ ବ୍ୟାପ୍ତ ହୋଇଯାଇଥିଲା । ଶ୍ରୀ ରାମ ମୋହନ ରାୟ, କେଶବ ଚନ୍ଦ୍ର ସେନ୍, ସ୍ଵାମୀ ଦୟାନନ୍ଦ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ପ୍ରଭୃତି ତତ୍କାଳୀନ ପ୍ରଖ୍ୟାତ ବ୍ୟକ୍ତିମାନଙ୍କର ଜୀବନକୁ ଆମେ ସେହି ପୃଷ୍ଠଭୂମି ଉପରେ ଅଧ୍ୟୟନ କରିପାରିବା । ସେହି ପ୍ରକ୍ରିୟାଟି ଅନେକ ଦୃଷ୍ଟିରୁ ଏପର୍ଯ୍ୟନ୍ତ ମଧ୍ୟ ଚାଲିଛି ଓ ଭାରତବର୍ଷକୁ ପ୍ରାୟ ଅବିଚ୍ଛିନ୍ନ ଭାବରେ ନାନା ନୂତନ ଆହ୍ଵାନର ସମ୍ମୁଖୀନ କରାଉଛି । ତାହା ଭାରତର ସାହିତ୍ୟକୁ ମଧ୍ୟ ସେହିଦିନୁ ଆଜି ପର୍ଯ୍ୟନ୍ତ ନାନାଭାବେ ପ୍ରଭାବିତ ଓ ସଂକ୍ରମିତ କରିବାରେ ଲାଗିଛି । ସେହି କେତୋଟି ଦଶନ୍ଧିରେ ସାଧାରଣ ଭାରତବର୍ଷ ଯେ ଏକାବେଳକେ କେତେ ଚକ୍ଷୁଷ୍ମାନ୍ ପୁରୁଷଙ୍କୁ ଭାରତୀୟ ଜୀବନର ସାଧାରଣ ମଞ୍ଚଟି ଉପରେ ଅବତୀର୍ଣ୍ଣ କରାଇଛି, ତାହା ଉପରେ ଦୃଷ୍ଟି ପକାଇଲେ ପ୍ରକୃତରେ ଅତ୍ୟନ୍ତ ବିସ୍ମିତ ହେବାକୁ ପଡ଼ିଥାଏ । ରବୀନ୍ଦ୍ରନାଥ, ମହାତ୍ମାଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କୁ ଆମେ ସେହି ସମୟଟିର ସର୍ବଶ୍ରେଷ୍ଠ ଅବଦାନ ବୋଲି ଅବଶ୍ୟ କହିବା । ଭାରତ ଏବଂ ଇଉରୋପ ମଧ୍ୟରେ ଏହି ଯେଉଁ ବହୁଭୂମି ସମ୍ପର୍କ ସ୍ଥାପିତ ହେଲା ଏବଂ ସେଥିରୁ ଯେଉଁ ସମନ୍ଵୟ ସମ୍ଭବ ହେଲା, ତାହା କେବଳ ଭାରତବର୍ଷ ପାଇଁ ନୁହେଁ, ସମଗ୍ର ମାନବ-ସମାଜପାଇଁ ମଧ୍ୟ ଅତ୍ୟନ୍ତ କଲ୍ୟାଣକାରୀ ହୋଇ ରହିଲା-

 

ସେହି ଯୁଗମୁହୂର୍ତ୍ତଟି ସମୟରେ ଓଡ଼ିଶା କେଉଁଠାରେ ଥିଲା ? ସେତେବେଳେ ଓଡ଼ିଶାରେ ରାତି ହୋଇଥିଲା । ଗଜପତି ରାଜା କେଉଁଦିନୁ ବିଦା ହୋଇଯାଇଥିଲେ । ସ୍ଥାନୀୟ ରାଜାମାନେ ଆପଣାକୁ ଜଣେ ଜଣେ ଗଜପତି ସଦୃଶ ଭାବୁଥିଲେ ଓ ସେହି ଆତ୍ମସ୍ଫୀତି ମଧ୍ୟରେ ଆପଣାକୁ ବୁଡ଼ାଇ ରଖିଥିଲେ । ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଯେଉଁ ଓଡ଼ିଶାକୁ ଅଧିକାର କଲେ ତାହା ତିନି ଭାଗ ହୋଇ ତିନୋଟି ପ୍ରାନ୍ତ ସହିତ ଯୋଡ଼ା ହୋଇ ରହିଥିଲା । ଊନବିଂଶ ଶତାବ୍ଦୀରେ ଏତେ ପାଖରେ କଲିକତାରେ ଯାହା ଘଟୁଥିଲା, ଓଡ଼ିଶାରେ ତାହାର ପ୍ରାୟ କୌଣସି ଅନୁସ୍ପନ୍ଦନ ନଥିଲା । ଏକମାତ୍ର ଓଡ଼ିଆ ଭାଷାହିଁ ଏକମାତ୍ର ଉପାଦାନରୂପେ ଓଡ଼ିଶାକୁ ଏକାଠି କରି ଧରି ରଖିଥିଲା । ଇଂରେଜମାନେ ଓଡ଼ିଶାକୁ ଆସିବା ପରେ ସେହିମାନଙ୍କ ଗହଣରେ ଆସିଥିବା ବଙ୍ଗଦେଶୀମାନେ ଯେ ସର୍ବପ୍ରଥମେ ଓଡ଼ିଶାର ଜମିଦାରୀଗୁଡ଼ିକୁ ଆତ୍ମସାତ୍ କରିନେଲେ, ସେକଥା ମୋଟେ ନୁହେଁ । ସେହି ପ୍ରକ୍ରିୟାଟି ଅନେକ ଆଗରୁ ଆରମ୍ଭ ହୋଇଯାଇଥିଲା । ବ୍ରିଟିଶ ରାଜତ୍ଵ ପୂର୍ବରୁ ମଧ୍ୟ ଏହିପରି ଜମିଦାର ପାଲଟିଥିବା ବହୁ ଅଣଓଡ଼ିଆ ବଂଶ ଏବେବି ଓଡ଼ିଶାରେ ରହିଛନ୍ତି । ପ୍ରଶାସନଗତ କେତେକ କାରଣରୁ ମୋଗଲବନ୍ଦିରୁ ଅଲଗା ହୋଇ ଓଡ଼ିଶାରେ ଯେଉଁ ଗଡ଼ଜାତଗୁଡ଼ିକରେ ସୃଷ୍ଟି ହେଲା, ସେଗୁଡ଼ିକ ଏକ ସ୍ଵତନ୍ତ୍ର ଅନ୍ଧାରମଣ୍ଡଳପରି ହୋଇ ରହିଥିଲେ । ଗଡ଼ଜାତରେ ରାଜାମାନେ ଥିଲେ ଓ ବ୍ରିଟିଶ ସରକାରଙ୍କର ରଇତ ହୋଇ ରାଜ୍ୟଭୋଗ କରୁଥିଲେ-। ପ୍ରଜାମାନେ ଧର୍ଷିତ ହେଉଥିଲେ ।

 

ଇଂରେଜ କମ୍ପାନୀ ଶାସନ ଓଡ଼ିଶାକୁ ଆସିବା ପରେ ମିସନାରୀମାନେ ମଧ୍ୟ ଏଠାକୁ ଆସିଲେ । ସେହିମାନେ ୧୮୨୩ ମସିହାରେ କଟକରେ ପ୍ରଥମ କରି ନୂଆ ସ୍କୁଲ୍‍ଟିଏ ବସାଇଲେ । ୧୮୫୭-୫୮ ବେଳକୁ ଓଡ଼ିଶାର ଉପକୂଳ ଅଞ୍ଚଳରେ ମୋଟେ ତିନୋଟି ହାଇସ୍କୁଲ୍ ଥିଲା ଓ ସେଥିରେ ସର୍ବମୋଟ ତିନିଶହରୁ କମ୍ ଛାତ୍ର ପାଠ ପଢ଼ୁଥିଲେ । ଗଡ଼ଜାତ ଅଞ୍ଚଳରେ କୌଣସି ସ୍କୁଲ୍ ନଥିଲା, କୌଣସି ଡାକଘର ନଥିଲା । କମ୍ପାନୀ ଶାସନ ସିଧା ଇଂଲଣ୍ଡ ସରକାରଙ୍କ ହାତକୁ ଗଲାପରେ କଲିକତାରୁ ଓଡ଼ିଶାର ଶାସନ କାର୍ଯ୍ୟ ଚଳୁଥିଲା । କଲିକତାର ଇଂରାଜୀ ପଢ଼ିଥିବା ବଙ୍ଗଦେଶୀ ଅମଲାମାନଙ୍କର ଜରିଆରେ ସେହି ଶାସନ ଚଳୁଥିଲା । ସମ୍ଭବତଃ ସେହିମାନଙ୍କ ମାଧ୍ୟମରେହିଁ ଓଡ଼ିଶାର ଉପକୂଳବର୍ତ୍ତୀ ତିନୋଟି ଜିଲ୍ଲା ବଙ୍ଗପ୍ରଦେଶ ଓ ବଙ୍ଗସାହିତ୍ୟର ସିଧା ସମ୍ପର୍କରେ ଆସିଲା । ସେହି ଅମଲାଙ୍କ ମଧ୍ୟରୁ କେତେଜଣ କ୍ରମେ ପ୍ରତିପତ୍ତିଶାଳୀ ହୋଇ ଏପରି ମଙ୍ଗ ମୋଡ଼ୁଥିଲେ ଯେ, ଓଡ଼ିଆକୁ ବଙ୍ଗଳାଭାଷାର ଏକ ଉପଭାଷା ବୋଲି କହି ଓଡ଼ିଶାର ସ୍କୁଲ୍‍ମାନଙ୍କରେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଭାଷାରେ ପାଠ ପଢ଼ାଯାଉ ବୋଲି କଲିକତାରେ ବେଶ୍ ଏକ ଉଷ୍ମତା ପ୍ରକାଶ ପାଇଥିଲା । ୧୮୬୮ ମସିହା ଡିସେମ୍ବର ମାସରେ କଟକରେ ଡକା ହୋଇଥିବା ଗୋଟିଏ ସଭାରେ କେତେଜଣ ବଙ୍ଗବାସୀ ଓଡ଼ିଆ ଆଦୌ ଏକ ସ୍ଵତନ୍ତ୍ର ଭାଷା ନ ହୋଇଥିବାରୁ ଓଡ଼ିଶାର ହିତଦୃଷ୍ଟିରୁ ଓଡ଼ିଆମାନେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ପଢ଼ନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । କଲିକତାର ଏସିଆଟିକ୍ ସୋସାଇଟିରେ ମଧ୍ୟ ସେହି ମର୍ମରେ ଗୋଟିଏ ପ୍ରବନ୍ଧ ପାଠ କରାଯାଇଥିଲା । କୌଣସି ଓଡ଼ିଆ ଏସବୁର ପ୍ରତିବାଦ କରି ନଥିଲେ । ଓଡ଼ିଆ ଏକ ସମ୍ପୂର୍ଣ୍ଣ ଭାଷାରୂପେ ପ୍ରତିଷ୍ଠିତ ହୋଇ ସାରିଥିବା ସମୟରେ ବଙ୍ଗଳାର ଲୋକେ ହିନ୍ଦୀଭାଷାର ଏକ ପୂର୍ବାଞ୍ଚଳୀୟ ଅପଭ୍ରଂଶରେ କଥାବାର୍ତ୍ତା ହେଉଥିଲା ବୋଲି ଓଡ଼ିଶାରେ ଜଣେ ଅଫିସର ଭାବରେ କାର୍ଯ୍ୟ କରୁଥିବା ଜନ୍ ବୀମ୍‍ସ୍ ଆପଣାର ପ୍ରତିଯୁକ୍ତି ଉପସ୍ଥାପିତ କରିଥିଲେ ଓ ହାଉଆଟିକୁ ବଦଳାଇ ଦେଇଥିଲେ । ଏହି କାର୍ଯ୍ୟଟିପାଇଁ ଓ ଆହୁରି ଅନେକ କିଛିପାଇଁ ଓଡ଼ିଶାବାସୀ ତାଙ୍କ ପାଖରେ ଚିରଦିନ କୃତଜ୍ଞ ହୋଇ ରହିଥିବେ ।

 

ସେତେବେଳେ ଓଡ଼ିଶା ନାନା ଭାଗରେ ଓ ନାନା ଖଣ୍ଡରେ ବିଭକ୍ତ ହୋଇ ପଡ଼ି ନଥିଲେ ଓଡ଼ିଆମାନଙ୍କୁ ନିଜ ଭାଷାର ରକ୍ଷାପାଇଁ ସତେଅବା ଦୈବ ଆଣି ପହଞ୍ଚାଇ ଦେଇଥିବା ବୀମ୍‍ସ୍ ସାହେବଙ୍କ ଉପରେ କଦାପି ନିର୍ଭର କରିବାକୁ ପଡ଼ି ନଥାନ୍ତା । ଗୋଟିଏ ଦୃଷ୍ଟାନ୍ତରୁ ଆମେ ସେହି ସମୟର ଦୂରତାଗୁଡ଼ିକ ବିଷୟରେ ନିଶ୍ଚୟ କିଞ୍ଚିତ୍ ପରିଚୟ ପାଇପାରିବା । ଉତ୍ତର ଓଡ଼ିଶାର ଫକୀର ମୋହନ ସେନାପତି, ପଶ୍ଚିମ ଓଡ଼ିଶାର ଭୀମ ଭୋଇ ଏବଂ ଦକ୍ଷିଣ ଓଡ଼ିଶାର ଗୋପାଳକୃଷ୍ଣ ପଟ୍ଟନାୟକ ପରସ୍ପରର ସମସାମୟିକ ହୋଇଥିଲେ ମଧ୍ୟ ତଥାପି ପରସ୍ପରକୁ ଜାଣି ନଥିଲେ । ତେଣୁ ଭାଷା ଓ ସାହିତ୍ୟ ବିଷୟରେ ସମଗ୍ର ଭୂମିଟିକୁ ଏକତ୍ର କରି ଧରାଇ ଦେଇପାରିବା ଲାଗି ଓଡ଼ିଶାରେ ସେତେବେଳେ ହୁଏତ ନାମମାତ୍ର ସଚେତନତା ମଧ୍ୟ ନଥିଲା । ଏବେ ଓଡ଼ିଆ ସାହିତ୍ୟରେ ସର୍ବପ୍ରଥମ ନାଟକରୂପେ ଚିହ୍ନିତ ହେଉଥିବା ଶ୍ରୀ ଜଗମୋହନ ଲାଲାଙ୍କର ସେତେବେଳର ‘ବାବାଜି’ ନାଟକରେ ଓଡ଼ିଆଭାଷୀ ପାତ୍ରମାନେ ବଙ୍ଗଭାଷୀ ପାତ୍ରଙ୍କ ସହିତ ବଙ୍ଗଳାରେ ଏବଂ ଇଂରାଜୀଭାଷା ପାତ୍ରଙ୍କ ସହିତ ଇଂରାଜୀରେ କଥାବାର୍ତ୍ତା କରିଛନ୍ତି । ସେହି ସମୟରେ ସମ୍ଭବତଃ ଶ୍ରୀଯୁକ୍ତ ପ୍ୟାରୀମୋହନ ଆଚାର୍ଯ୍ୟହିଁ ଏକମାତ୍ର ବ୍ୟକ୍ତି ଥିଲେ, ଯିଏ ଅନ୍ୟମାନଙ୍କର ତୁଳନାର ଅଧିକ ଦୂରକୁ ଦେଖିପାରୁଥିଲେ । ଭାରତର ତତ୍କାଳୀନ ନବଜାଗରଣଟିକୁ ସମ୍ଭବତଃ ସେଇ ତାହାର ପୂର୍ଣ୍ଣତର ପ୍ରସ୍ଥଗୁଡ଼ିକୁ ଦେଇ ଅନ୍ଦାଜ କରିପାରୁଥିଲେ ଓ ଓଡ଼ିଶାକୁ ମଧ୍ୟ ସେହି ସଂକ୍ରମଣଟି ଅବଶ୍ୟ ଆସୁଛି ବୋଲି ଘ୍ରାଣ କରିପାରୁଥିଲେ । ତାଙ୍କଦ୍ଵାରା ପ୍ରଣୀତ ‘ଓଡ଼ିଶା ଇତିହାସ’ରେ ସେ ଲେଖିଥିଲେ–“ଚାରିଆଡ଼କୁ ଅନାଇଲେ ବର୍ତ୍ତମାନ ଆଶାର ଚିହ୍ନ ଦେଖାଯାଏ । ଆମ୍ଭମାନଙ୍କର ଯେ ଉନ୍ନତି ହେବ ଏବଂ ଏହି ପ୍ରକାର ବଙ୍ଗ, ପଞ୍ଜାବ, ବମ୍ବେ, ମାନ୍ଦ୍ରାଜ ପ୍ରଭୃତିରେ ଯେ ଉନ୍ନତି ହେବ ଓ ସମସ୍ତ ଭାରତବର୍ଷ ଏକ ଜାଗୃତି ଲାଭ କରିବ ଏହା ସ୍ଵପ୍ନର କଥା ନୁହେଁ; ଈଶ୍ଵରଙ୍କର କୃପା ହେଲେ ଆମ୍ଭମାନଙ୍କର ଉନ୍ନତି ହେବ, ଆର୍ଯ୍ୟଭ୍ରାତା ଇଂରେଜଙ୍କ ସାହାଯ୍ୟରେ ଆମ୍ଭମାନଙ୍କ ଦେଶରେ ମୁଖଶ୍ରୀ ସମୁଜ୍ଜ୍ୱଳ ହେବ । ଉନ୍ନତିର ପରାକାଷ୍ଠାରେ ଭାରତବାସୀଏ ଉପସ୍ଥିତ ହେବେ ଏବଂ କରୁଣାମୟ ପରମେଶ୍ଵରଙ୍କର ମଙ୍ଗଳମୟ ଇଚ୍ଛା ପୂର୍ଣ୍ଣ ହେବ ।’’

 

ଓଡ଼ିଶା ଯେ ବୃହତ୍ତର ଭାରତବର୍ଷ ମଧ୍ୟରେ ଅବସ୍ଥିତ ଥିଲା ଓ ପ୍ୟାରୀମୋହନ ଯେପରି ଓଡ଼ିଶାକୁ ଭାରତୀୟ ମହାସ୍ରୋତ ମଧ୍ୟରେ ଏକ ଅଙ୍ଗରୂପେ ଦେଖିପାରୁଥିଲେ ସେହି ବିଚାର ସେତେବେଳେ ଓଡ଼ିଶାରେ ଏକାନ୍ତ ବିରଳ ଥିଲା । ମୁସଲମାନ ଓ ମରହଟ୍ଟା ଶାସନ ପରେ ଓଡ଼ିଶାର ଅଧିବାସୀ ଇଂରେଜ ଶାସନକୁ ସତେଅବା ଈଶ୍ଵରଙ୍କଦ୍ଵାରା ପ୍ରେରିତ ଏକ ଆଶୀର୍ବାଦ ବୋଲି ମନେ କରୁଥିଲେ । ଏପରିକି ବିଂଶ ଶତାବ୍ଦୀର ଆରମ୍ଭକାଳ ପର୍ଯ୍ୟନ୍ତ ଆମେ ଏହି ଦୃଷ୍ଟିଟିକୁ ପ୍ରାୟ ସବୁଠାରେ ଦେଖିବାକୁ ପାଇବା । ୧୯୦୪ ଖ୍ରୀଷ୍ଟାବ୍ଦ ଖଡ଼ିଆଳର ରାଜା ବୀର ବିକ୍ରମଦେବ ‘ଉତ୍କଳ ଦୁର୍ଦ୍ଦଶା’ ନାମରେ ଯେଉଁ ନାଟକ ଲେଖିଥିଲେ, ସେଥିରେ ସବାଶେଷ ଦୃଶ୍ୟଟିରେ ଉତ୍କଳଭାଷା ଚରମ ହତାଶରେ ମ୍ରିୟମାଣ ହୋଇ ନିଜ ଦେହରେ ଛୁରିକାଘାତ କଲାବେଳେ ଜଣେ ଇଂରେଜ ଆସି ତାଙ୍କୁ କ୍ଷାନ୍ତ କରିବା ସଙ୍ଗେ ସଙ୍ଗେ “ଗଭର୍ଣ୍ଣମେଣ୍ଟ କା ହୁକୁମ ହୋଗୟା । ଅବ୍‍ ଉଟ୍‍କଲ୍‍ ମାଟିକା ଡୁଖ୍ ନ ରହେଗା” ବୋଲି କହୁଥିବାର ଦୃଶ୍ୟଟି ଦିଆଯାଇଛି । ପ୍ୟାରୀମୋହନ ମଧ୍ୟ ସେହିପରି ବିଶ୍ଵାସ କରୁଥିଲେ । ତାଙ୍କଦ୍ଵାରା ସମ୍ପାଦିତ ‘ଉତ୍କଳପତ୍ର’ରେ ତଥାପି ‘‘ଯାହା ମନୁଷ୍ୟ କରିଅଛି, ତାହା ଅବଶ୍ୟ ମନୁଷ୍ୟ କରିପାରିବ । ଦିନକେ ନ ହେବ, ସହସ୍ରଦିନେ ହେବ; ସହସ୍ର ଦିନେ ନ ହେବ ସହସ୍ରବର୍ଷରେ ହେବ, ଯତ୍ନ କଲେ ଅବଶ୍ୟ ହେବ ।’’ ଭଳି ବାଣୀମାନ ଶୁଣିବାକୁ ମିଳୁଥିଲା । ତତ୍କାଳୀନ ଓଡ଼ିଆ ସାହିତ୍ୟର ଅବସ୍ଥାକୁ ସିଏ ଶୋଚନୀୟ ବୋଲି ବର୍ଣ୍ଣନା କରିଛନ୍ତି । ତଥାପି, ଲୋକମାନଙ୍କର ରୁଚି ପରିବର୍ତ୍ତିତ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି, ପରିବର୍ତ୍ତନର ସମୟ ନିକଟ ହୋଇ ଆସିଲାଣି ବୋଲି ଅନୁଭବ କରିଛନ୍ତି, ଏହି ନୂତନ ରୁଚିକୁ ଅନୁସରି ଭାରତରେ ଏକ ନୂତନ ସାହିତ୍ୟ-ଭଣ୍ଡାର ସଙ୍ଗଠିତ ହେଉଅଛି । ଓଡ଼ିଶାରେ ମଧ୍ୟ ଏହିପରି ହେବାର ଉଚିତ ହେବ ଓ ହେବାର ସମୟ ମଧ୍ୟ ଆସି ଉପସ୍ଥିତ ହେଲାଣି ।’’

 

ପୁରାତନ ବିରୋଧରେ ଓଡ଼ିଶାରେ ଏହି ସମୟରେ ସବୁଠାରୁ ବଡ଼ ପ୍ରତିବାଦଟି ଧର୍ମର କ୍ଷେତ୍ରରେ, ଓଡ଼ିଶାର ମହିମାଧର୍ମରେ ବ୍ୟକ୍ତ ହୋଇଥିଲା । ରାଜଦରବାରରେ ଗୌଡ଼ୀୟ ବୈଷ୍ଣବ ଧର୍ମର କୋଳାହଳଦ୍ଵାରା ପ୍ରାୟ ବିତାଡ଼ିତ ହୋଇ ଓଡ଼ିଶାର ଯେଉଁ ସନ୍ଥ ପରମ୍ପରା ଅନେକ ଦିନରୁ ଅରଣ୍ୟ ଓ ପର୍ବତ ମଧ୍ୟରେ ଆପଣାକୁ ତଥାପି ବଞ୍ଚାଇ ରଖିଥିଲା, ମହିମାଧର୍ମରେ ତାହା ଅତେଅବା ପୁନର୍ବାର ପ୍ରଜ୍ଜ୍ୱଳିତ ହୋଇ ଉଠିଲା । ସମାଜରେ ଯେଉଁମାନେ ପ୍ରାୟ ସବାତଳେ ରହିଥିଲେ, ମହିମାଧର୍ମ ସେହିମାନଙ୍କୁହିଁ ମନୁଷ୍ୟ ପରି ଅନୁଭବ କରିବାର ଓ ସିଧା ହୋଇ ଠିଆହେବାର ଆହ୍ଵାନ ଦେବାଲାଗି ଆବିର୍ଭୂତ ହୋଇଥିଲା । ରାଜା, ବ୍ରାହ୍ମଣ, ଜାତିପ୍ରଥା—ଏହିସବୁ କିଛି ବିରୋଧରେ ତାହା ଆପଣାର ପ୍ରତିବାଦ ବ୍ୟକ୍ତ କଲା ଓ ଭଗବାନଙ୍କୁହିଁ ସମସ୍ତଙ୍କଠାରୁ ବଡ଼ ବୋଲି ଘୋଷଣା କଲା । ଭଗବାନଙ୍କର ଆଖିରେ କେହି ବଡ଼ କିମ୍ବା କେହି ସାନ ନୁହଁନ୍ତି, ପାରମ୍ପରିକ ସମାଜର ଚକ୍ରାନ୍ତରେହିଁ ବଡ଼ ସାନର ଭେଦ କରାଯାଇଛି ବୋଲି ତାହା କେଡ଼େ ସାହସର ସହିତ କହିପାରିଲା । ସେତେବେଳେ ଓଡ଼ିଶାରେ ଖ୍ରୀଷ୍ଟିଆନ ମିସନାରୀମାନେ ମଧ୍ୟ ଧର୍ମପ୍ରଚାର ଆରମ୍ଭ କରି ଦେଇଥିଲେ । ସମାଜରେ ଯେଉଁମାନେ କାଳକାଳରୁ ତଳେ ରହିଆସିଛନ୍ତି, ନିନ୍ଦାର ପାତ୍ର ହୋଇଛନ୍ତି ଏବଂ ଉଚ୍ଚମାନଙ୍କର ସେବା ଖଟୁଛନ୍ତି, ଧର୍ମାନ୍ତର ଗ୍ରହଣ କରି ଖ୍ରୀଷ୍ଟିଆନ ହୋଇଯିବାକୁ ସେମାନେ ସେତେବେଳେ ଏକ ବୃହତ୍ ଆକର୍ଷଣ ଅନୁଭବ କରିଥିବେ । ବଙ୍ଗପ୍ରଦେଶରେ ବ୍ରାହ୍ମଧର୍ମ ସେତେବେଳେ ସେହି ଆକର୍ଷଣକୁ ପ୍ରତିହତ କରିବାଲାଗି ଏକ ପ୍ରୟାସ କରିଥିଲା । ମାତ୍ର କେତେକ କାରଣରୁ ବ୍ରାହ୍ମଧର୍ମ ଭଦ୍ରଲୋକଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିଥିଲା, ପାରମ୍ପରିକ ସମାଜ ବିରୋଧରେ ନିଜର ପ୍ରତିବାଦରେ ତାହା ଆଦୌ ସ୍ପଷ୍ଟ ନଥିଲା ଏବଂ ପ୍ରଧାନତଃ ବୁଦ୍ଧିଦ୍ଵାରା ପରିଚାଳିତ ହେଉଥିବାରୁ ତାହା ଖ୍ରୀଷ୍ଟିଆନ ଧର୍ମ ପରି ଖୁବ୍ ଶୀଘ୍ର ନାନା ଶାଖାରେ ବିଭକ୍ତ ହୋଇ ପଡ଼ିଲା ଏବଂ ଆପଣାର ଜ୍ୟୋତିକୁ ହରାଇ ବସିଲା ।

 

ମହିମାଧର୍ମ ସମାଜର ଉଚ୍ଚବର୍ଗମାନଙ୍କୁ ସ୍ପର୍ଶହିଁ କରି ନଥିଲା, ନିମ୍ନ ଓ ଅବହେଳିତ ବର୍ଗଗୁଡ଼ିକୁ ମନୁଷ୍ୟ ହିସାବରେ ସଚେତନ କରାଇ ଆଣିବା ଲାଗି ସେଥିରେ ସେତେଅବା ଏକ ସୁକଳ୍ପିତ ଯୋଜନା ରହିଥିଲା । ଓଡ଼ିଶାର ଉପକୂଳ ଇଲାକାରେହିଁ ସେତେବେଳେ ଭଦ୍ରଲୋକ ଏବଂ ଶିକ୍ଷିତମାନଙ୍କର ଯାବତୀୟ କ୍ରିୟାଶୀଳତା ସୀମାବଦ୍ଧ ହୋଇ ରହିଥିଲା ଏବଂ ଉପକୂଳଠାରୁ ବହୁଦୂରରେ ମହିମାଧର୍ମ ଆପଣାର ପୀଠଟିକୁ ସ୍ଥାପନା କରିଥିଲା ଏବଂ ଆହୁରି ଅନେକ ଦୂରରେ ନିଜର କବିଙ୍କୁ ମଧ୍ୟ ଠାବ କରିଥିଲା । ଈଶ୍ଵରଭକ୍ତିର ଯେ ଏକ ଅନ୍ତର୍ଗତ ଶକ୍ତି ରହିଛି ଓ ତାହା ସେହି ଶକ୍ତିବଳରେ ଯେ ସମାଜର ବହୁ ପୁରାତନ ବିଶ୍ଵାସ ଓ ବ୍ୟବସ୍ଥାକୁ ଦୋହଲାଇ ଦେଇପାରେ, ଉଭୟେ ମହିମାଧର୍ମ ଏବଂ ଭୀମ ଭୋଇ ତାହା ପ୍ରମାଣ କରିଦେଲେ । ଏପର୍ଯ୍ୟନ୍ତ ପ୍ରଧାନତଃ ଏକ ଧର୍ମଆନ୍ଦୋଳନରୂପେ ମହିମାଧର୍ମର ପ୍ରାୟ ସବୁଯାକ ଆଲୋଚନା କରାଯାଇଛି । ମାତ୍ର, ତତ୍କାଳୀନ ସମାଜ ସମ୍ମୁଖରେ ଉପସ୍ଥିତ ହୋଇଥିବା ଆହ୍ଵାନଗୁଡ଼ିକର ଏକ ଜବାବ ଦେଇପାରିବାରେ ମହିମାଧର୍ମରେ କେତେ ଦୂର ଏକ ସମ୍ଭାବନା ପ୍ରଚ୍ଛନ୍ନ ହୋଇ ରହିଥିଲା, ସେହି ବିଷୟରେ ସାହିତ୍ୟରେ ଓ ସାହିତ୍ୟ ବାହାରେ ଆହୁରି ଅଧିକ ଆଲୋଚନା ହୋଇପାରିବା ଉଚିତ । ଓଡ଼ିଶାର ମହିମାଧର୍ମ ପଛରେ ପ୍ରାୟ ଏକଶହବର୍ଷର ଇତିହାସ ରହିଛି । ଓଡ଼ିଶାରେ ଏବଂ ପ୍ରତିବେଶୀ ଅନ୍ୟାନ୍ୟ ରାଜ୍ୟରେ ଏକ ଉପାସନାମାର୍ଗରୂପେ ତାହା ଏବେ ମଧ୍ୟ ସଚଳ ଏବଂ ଜୀବନ୍ତ ହୋଇ ରହିଛି । ମହିମାଧର୍ମର ମୂଳ ପ୍ରଚାରକ ପ୍ରକୃତରେ ଖ୍ରୀଷ୍ଟିଆନ ମିସନାରୀମାନଙ୍କର ସମ୍ପର୍କରେ ଆସିଥିଲେ ବା ସେହି ମିସନାରୀମାନେ ଓଡ଼ିଶାକୁ ଆସିବା ପୂର୍ବରୁ ବାଇବେଲ ଗ୍ରନ୍ଥ ବଙ୍ଗଳା ଅନୁବାଦର ପରିଚୟରେ ଆସି ତଦ୍ଦ୍ଵାରା ପ୍ରଭାବିତ ହୋଇଥିଲେ ବୋଲି କେତେ ଗବେଷକ ଯେଉଁ ଅନୁମାନଟି କରିଛନ୍ତି, ସେହି ଅନୁମାନ ବିଷୟରେ ମଧ୍ୟ ଅଧିକ ସମୀକ୍ଷା ହେବା ଉଚିତ । ଏବେ ମହିମାଧର୍ମକୁ ଭାରତୀୟ ତଥାକଥିତ ସନାତମ ଧର୍ମଧାରାଟି ସହିତ ଆଣି ଯୋଡ଼ି ଦେବାର ଏକ ଶିଷ୍ଟ ପ୍ରୟାସ ମଧ୍ୟ ହେଉଛି । ସମ୍ଭବତଃ ଏକଦା ବୌଦ୍ଧଧର୍ମକୁ ମଧ୍ୟ ହିନ୍ଦୁ ଧର୍ମର ଗୁଳା ଭିତରେ ଆଣି ପକାଇବା ଲାଗି ଏହିଭଳି ପ୍ରୟାସ ହୋଇଥିଲା ଏବଂ ବୁଦ୍ଧବାଣୀର ଔଜଲ୍ୟକୁ ନଷ୍ଟ କରି ଦିଆଯାଇଥିଲା । ପ୍ରଧାନତଃ ଅନୁରାଗୀର ମନ ନେଇ ଉଚିତ ଜିଜ୍ଞାସା ସହିତ ଏହି ସବୁକିଛିର ମୂଲ୍ୟାୟନ କରାଯିବା ଉଚିତ ।

 

କବିବର ରାଧାନାଥ, ଭକ୍ତକବି ମଧୁସୂଦନ ଏବଂ ସେନାପତି ଫକୀରମୋହନ, ଆଧୁନିକ ସାହିତ୍ୟର ସେହି ପ୍ରଥମୋଦ୍ୟମ କାଳରେ ଆମେ ଓଡ଼ିଶାରେ ସବାଆଗ ଏହି ତିନିଜଣ ରଥୀଙ୍କୁ ଯାଇ ଭେଟିବା । ଏମାନେ ସମସ୍ତେ ଗଦ୍ୟ ଲେଖିଛନ୍ତି, ପଦ୍ୟ ମଧ୍ୟ ଲେଖିଛନ୍ତି । ଶ୍ରୀ ରାଧାନାଥ ରାୟ ପ୍ରଥମେ ବଙ୍ଗଭାଷାରେ ପଦ୍ୟ ଲେଖୁଥିଲେ । ଓଡ଼ିଶାର ପ୍ରାଚୀନ କବିମାନଙ୍କର ପ୍ରଶଂସା କରି ଲେଖା ହୋଇଥିବା ତାଙ୍କ କବିତାଗୁଡ଼ିକ ବଙ୍ଗଳା ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା । ଫକୀରମୋହନ ମଧ୍ୟ ବଙ୍ଗଳା ଭାଷାର ପତ୍ରିକାମାନଙ୍କୁ ‘ସମ୍ପାଦକଙ୍କୁ ପତ୍ର’ର ସ୍ତମ୍ଭରେ କେତେଥର ଚିଠି ଲେଖିବାର ପ୍ରମାଣ ରହିଛି । ସମ୍ଭବତଃ ସେଇଥିରୁହିଁ ସିଏ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ କରିବାଲାଗି ପ୍ରୟାସୀ ହୋଇଥିଲେ । ତା’ପରେ ସେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଜୀବନଚରିତାକୁ ମଧ୍ୟ ଓଡ଼ିଆରେ ଅନୁବାଦ କରିଥିଲେ । ଓଡ଼ିଶାରେ ସେତେବେଳେ ପିଲାମାନଙ୍କ ପାଇଁ ପାଠ୍ୟପୁସ୍ତକର ନିତାନ୍ତ ଅଭାବ ରହିଥିବାରୁ ସିଏ ଏବଂ ରାଧାନାଥ ଉଭୟେ ସେଥିରେ ମଧ୍ୟ ମନ ଦେଇଥିଲେ । ରାଧାନାଥ ଗଦ୍ୟ ଲେଖୁ ଲେଖୁ ତା’ପରେ ପଦ୍ୟ ଲେଖିଲେ । ଫକୀରମୋହନ ପଦ୍ୟ ଲେଖୁ ଲେଖୁ ଗଦ୍ୟକୁ କ୍ରମେ ଅଧିକ ମନ କଲେ । ଭକ୍ତକବି ମଧୁସୂଦନ ରାଓ ମୂଳରୁହିଁ ଗଦ୍ୟ ଓ ପଦ୍ୟ ଲେଖୁଥିଲେ ।

 

ଓଡ଼ିଆ ଆଧୁନିକ ସାହିତ୍ୟରେ ସେହି ପର୍ଯ୍ୟାୟଟିର ସବୁଠାରୁ ବଡ଼ ଘଟଣା ହେଉଛି ସେ ଗଦ୍ୟ ପ୍ରଥମ କରି ସାହିତ୍ୟ ଭିତରକୁ ପ୍ରବେଶ କଲା । ଆଗରୁ ପ୍ରଧାନତଃ ପଦ୍ୟହିଁ ରହିଥିଲା । ସେହି ପ୍ରାଚୀନ କାଳରୁ ସାହିତ୍ୟ କହିଲେ କେବଳ କାବ୍ୟ ଓ କବିତାକୁ ବୁଝାଉଥିଲା । ଅବଶ୍ୟ, ସାଧାରଣ ଜୀବନରେ ଲୋକମାନେ ଗଦ୍ୟରେହିଁ କଥାବାର୍ତ୍ତା କରୁଥିଲେ, ଗଦ୍ୟରେ ଚିନ୍ତା କରୁଥିଲେ ଓ ଗଦ୍ୟରେ ସ୍ଵପ୍ନ ଦେଖୁଥିଲେ । ତଥାପି ସାହିତ୍ୟକୁ ସତେଅବା ସାଧାରଣ ଜୀବନର ବାହାରେ ଥିବା ଏକ ଅନ୍ୟ ବ୍ୟାପାର ବୋଲି ଗ୍ରହଣ କରାଯାଉଥିଲା ଏବଂ ସେହି କାରଣରୁ କେବଳ ପଦ୍ୟହିଁ ସାହିତ୍ୟ ଭିତରକୁ ଅନୁମତିପତ୍ର ପାଇଥିଲା । ପୃଥିବୀର ସବୁ ସାହିତ୍ୟରେ ପଦ୍ୟ ଆଗ, ତା’ପରେ ଯାଇ ଗଦ୍ୟ । ସାହିତ୍ୟକୁ ଆଗେ ସମ୍ପୃକ୍ତମାନେ ସମ୍ଭବତଃ ଗୋଟିଏ ସରଗ କିମ୍ବା ବିଳାସ ବୋଲି ଭାବୁଥିଲେ, ଜୀବନ ସହିତ ତାହାର କୌଣସି ନିବିଡ଼ ସମ୍ପର୍କ ରହିଛି ବୋଲି ହୁଏତ ହୃଦୟଙ୍ଗମ କରି ନଥିଲେ । ସେଥିଲାଗି ସାହିତ୍ୟର ସଭାମାନଙ୍କରେ କେବଳ ପଦ୍ୟ ରହିଥିଲା । ଅର୍ଥାତ୍‍ ମୁଖ୍ୟତଃ ପଳାୟନ ଥିଲା, କଳ୍ପନା ରହି ନଥିଲା, ଜୀବନ ନଥିଲା, ଭୂଇଁ ନଥିଲା । ଆଧୁନିକ ଯୁଗରେ ସାଧାରଣ ମନୁଷ୍ୟମାନେ ଯହୁଁ ଯହୁଁ ଆମ ସାମୂହିକ ଜୀବନରେ ବିଚାରକୁ ଆସିଲେ, ତହୁଁ ତହୁଁ ଗଦ୍ୟ ମଧ୍ୟ ସାହିତ୍ୟ ଭିତରକୁ ଆସିଲା, ସ୍ଵୀକୃତ ହେଲା ।

 

ସେହି ପାରମ୍ପରିକ ସାହିତ୍ୟକାଳରେ ପଦ୍ୟ ଗଦ୍ୟକୁ ସର୍ବଦା ହେୟ ଓ ଅପାଂକ୍ତେୟ ବୋଲି ମନେ କରୁଥିଲା । ଖାଲି ପଦକୁ ପଦ ମିଳାଇ ଲେଖିଦେଲେ ଯେପରି ତାହା ପଦ୍ୟ ସାହିତ୍ୟ ହୋଇଯାଏ ନାହିଁ, ସେହିପରି ଗଦ୍ୟଗୁଡ଼ିକୁ ଯେମିତି ସେମିତି ସାହିତ୍ୟ ଭିତରେ ଆଣି ଥୋଇଦେଲେ ତାହା କଦାପି ଗଦ୍ୟ ସାହିତ୍ୟ ହୋଇଯାଏ ନାହିଁ । ସାହିତ୍ୟ ଭିତରକୁ ଆସିବାକୁ ହେଲେ ପଦ୍ୟ ଓ ଗଦ୍ୟ ଉଭୟକୁ ଏକ ନିର୍ଦ୍ଦିଷ୍ଟ ଉପନୟନ ମଧ୍ୟ ଦେଇ ଆସିବାକୁ ହୁଏ । ଓଡ଼ିଆ ପ୍ରାଚୀନ ସାହିତ୍ୟରେ ‘ରୁଦ୍ରସୁଧାନିଧି’ର ସମୟଠାରୁ ଆମକୁ ଗଦ୍ୟର କେତେକ ନମୁନା ଦେଖିବାକୁ ମିଳିଥାଏ । ଜଗନ୍ନାଥ ଦାସଙ୍କର ‘ଅର୍ଥ କୋଇଲି’ରେ ମଧ୍ୟ ଗଦ୍ୟ ରହିଛି । ସମ୍ଭବତଃ ଓଡ଼ିଆ ଭାଷାତତ୍ତ୍ଵର ଗତି ନିରୂପଣ ନିମନ୍ତେ ସେହିସବୁ ଗଦ୍ୟର ଏକ ମହତ୍ତ୍ଵ ରହିଛି, ମାତ୍ର ସାହିତ୍ୟ ଦୃଷ୍ଟିରୁ ସେଗୁଡ଼ିକୁ କେହି ଆଦୌ କୌଣସି ମହତ୍ତ୍ଵ ଦେବାକୁ ମୋଟେ ଇଚ୍ଛା କରିବ ନାହିଁ । ଆମେ ଅରକ୍ଷିତ ଦାସ ଏବଂ ବ୍ରଜନାଥ ବଡ଼ଜେନାଙ୍କର ଗଦ୍ୟ ଲେଖାରେ ଯେଉଁ ଗଦ୍ୟର ସାକ୍ଷାତ କରିଥାଉ, ତାହାକୁ ଏବେ ମଧ୍ୟ ସାହିତ୍ୟିକ ଗଦ୍ୟର ନମୁନାରୂପେ ଗ୍ରହଣ କରାଯାଇପାରିବ । ଗଦ୍ୟର ଆବିର୍ଭାବ ପୃଥିବୀରେ କୌଣସି ସାହିତ୍ୟର ପଦ୍ୟକୁ ସ୍ଥାନଚ୍ୟୁତ କରିବାଲାଗି ଆଦୌ କୌଣସି ଷଡ଼ଯନ୍ତ୍ର କରିନାହିଁ । ବରଂ, ଗଦ୍ୟ ପଦ୍ୟକୁ ମଧ୍ୟ ଅଧିକ ସମୃଦ୍ଧ ହେବାରେ ସାହାଯ୍ୟ କରିଛି, ପଦ୍ୟର ବୃତ୍ତଟିକୁ ଅଧିକ ପରିସର ଓ ଅଧିକ ବ୍ୟାପ୍ତି ଆଣି ଯୋଗାଇ ଦେଇଛି । ଅପରପକ୍ଷରେ; ଗଦ୍ୟ ମଧ୍ୟ ପଦ୍ୟଠାରୁ ଆପଣାର ସ୍ଵକୀୟ କାବ୍ୟିକତାଟିକୁ ଶିକ୍ଷା କରିଛି ଏବଂ ସେଥିପାଇଁ ଆଧୁନିକ ସାହିତ୍ୟରେ କ୍ରମେ ଏକ ଗଦ୍ୟାତ୍ମକ ଛନ୍ଦର ମଧ୍ୟ ବିକାଶ ସମ୍ଭବ ହୋଇଛି । କେବଳ ପଦ୍ୟ ଲେଖା ହେଉଥିବା ସମୟରେ ଆମ ସାହିତ୍ୟ ସତେଅବା ଏକ କ୍ଷୁଦ୍ର ବାଟିକାପରି ହୋଇ ରହିଥିଲା, ଗଦ୍ୟ ତାହାକୁ କ୍ରମେ ଏକ ପ୍ରଶସ୍ତ ଜୀବନାଙ୍ଗନରେ ପରିଣତ କରିଦେଇଛି । ଅତୀତର ଯେଉଁ କାଳରେ ପଦ୍ୟ ଗଦ୍ୟକୁ ସାହିତ୍ୟ ସଭାରେ ପୂରାଇ ଦେଉ ନଥିଲା, ସେତେବେଳେ କେବଳ ଉଚ୍ଚ ଏବଂ ତଥାକଥିତ ଶିଷ୍ଟମାନେହିଁ ସାହିତ୍ୟକୁ ନେଇ ରମଣ କରୁଥିଲେ ଏବଂ ଆପ୍ୟାୟିତ ହେଉଥିଲେ; ଏବଂ ସେହିଭଳି ଏକ ଅସୂୟାର ବଶବର୍ତ୍ତୀ ହୋଇଥିବାରୁ ସେମାନେ ବୃହତ୍ତର ଜୀବନ, ବୃହତ୍ତର ସମାଜ ଏବଂ ସାଧାରଣ ମନୁଷ୍ୟମାନଙ୍କୁ ନିଜ ଚଉପାଢ଼ିଟି ଉପରେ ସ୍ଥାନ ଛାଡ଼ିଦେବାକୁ ମୋଟେ ଇଚ୍ଛା କରୁ ନଥିଲେ । ଯୁଗ ବଦଳିଗଲା, ଜୀବନର ବ୍ୟାସଗୁଡ଼ିକ ଅଧିକ ସଚେତନ ହେଲେ । ଗଦ୍ୟ ସାହିତ୍ୟ ମଧ୍ୟକୁ ପ୍ରବେଶ କଲା; ପଦ୍ୟ ରହିଲା, ତଥାପି ଗଦ୍ୟର ଯୁଗ ଆସିଲା ।

 

ଭାରତ ପାଶ୍ଚାତ୍ୟ ପୃଥିବୀ ସହିତ ସମ୍ପର୍କରେ ଆସିବା ଫଳରେ ଭାରତବର୍ଷରେ ସାହିତ୍ୟ ମଧ୍ୟକୁ ଗଦ୍ୟର ପ୍ରବେଶ ସମ୍ଭବ ହେଲା । ପାଶ୍ଚାତ୍ୟ ସାହିତ୍ୟରେ ଗଦ୍ୟ କୋଉକାଳରୁ ପ୍ରବେଶ କରି ସାରିଥିଲା, ପ୍ରତିଷ୍ଠିତ ହୋଇ ସାରିଥିଲା । କଳ୍ପିତ କାବ୍ୟନାୟକମାନଙ୍କୁ ସିଂହାସନଚ୍ୟୂତ କରି ମଣିଷ ସାହିତ୍ୟ ଭିତରକୁ ଆସି ସାରିଥିଲା । ପାଶ୍ଚାତ୍ୟ ଜଗତ, ପାଶ୍ଚାତ୍ୟ ଚିନ୍ତାଜଗତ ଏବଂ ପାଶ୍ଚାତ୍ୟ ସାହିତ୍ୟର ସମ୍ପର୍କରେ ଆସି ଭାରତୀୟ ସାହିତ୍ୟରେ ଗଦ୍ୟ ପ୍ରତିଷ୍ଠିତ ହେବାପାଇଁ ଏକ ଅନୁକୂଳ ପରିବେଶ ଲାଭ କରିଥିଲା । ଆମ ଓଡ଼ିଆ ସାହିତ୍ୟରେ ମଧ୍ୟ ତାହାହିଁ ଘଟିଲା । ଗଦ୍ୟ ସାହିତ ଓଡ଼ିଆ ସାହିତ୍ୟକୁ ନାଟକ ଆସିଲା, ଗଳ୍ପ ଓ ଉପନ୍ୟାସ ଆସିଲା, ପ୍ରବନ୍ଧ, ସମାଲୋଚନା ଓ ଆହୁରି କେତେକଅଣ ଆସି ପହଞ୍ଚିଲା, ସ୍ଵୀକୃତ ହେଲା, ଆଦୃତ ହେଲା । ଆମ ସାହିତ୍ୟିକ ଉତ୍ସାହରେ କେତେକେତେ ନୂଆ ଡେଣା ଲଗାଇ ଦେଲା । ସାହିତ୍ୟର ମାଧ୍ୟମରେ ଆଗରୁ ବ୍ୟକ୍ତ ହୋଇପାରୁ ନଥିବା ଜୀବନର କେତେକେତେ କ୍ଷେତ୍ର ସାହିତ୍ୟ ଭିତରକୁ ଆସିଲା । ଓଡ଼ିଶାରେ ପ୍ରଥମ କରି ସମ୍ବାଦପତ୍ର ବାହାରିଲା । ସମ୍ବାଦପତ୍ର ପରେ ପତ୍ରିକାଗୁଡ଼ିକ ବାହାରିଲା । ଏଗୁଡ଼ିକ ସମ୍ବାଦ ସହିତ ସାହିତ୍ୟରବି ପରିବେଷଣ କଲେ । କର୍ମବୀର ଗୌରୀଶଙ୍କର ‘ଉତ୍କଳ ଦୀପିକା’ ଏହି ସମୟର ଘଟଣା । ସେତେବେଳେ ସେହି ନୂତନ ଉତ୍ସାହରେ ଓଡ଼ିଆରେ କେତେ ପତ୍ରିକା ପ୍ରକାଶ ପାଇଥିଲା-। ସେହି ପତ୍ରିକାମାନେ ଓଡ଼ିଆ ସାହିତ୍ୟକୁ ଏବଂ ଓଡ଼ିଶାର ଚିନ୍ତାକୁ ଏକ ବୃହତ୍ତର ପ୍ରସାର ଆଣି ଦେବାରେ କମ୍ ସାହାଯ୍ୟ କରିନାହାନ୍ତି । ପତ୍ରିକାର ମାଧ୍ୟମରେ ସାଧାରଣ ମଣିଷମାନେ ମଧ୍ୟ ବିଚାରର ପଂକ୍ତିଗୁଡ଼ିକ ମଧ୍ୟରେ ଆସି ସ୍ଥାନ ପାଇପାରିଲେ । ଜନମତ, ଜନପ୍ରତିକ୍ରିୟା ପ୍ରଭୃତି ନୂଆ ବଳୟମାନଙ୍କର ସୃଷ୍ଟି ହେଲା ।

 

ରାଧାନାଥ ରାୟ ଶିକ୍ଷାବିଭାଗର ହାକିମ ଥିଲେ । ସେତେବେଳେ ଓଡ଼ିଶା ବଙ୍ଗଳା ସାହିତ୍ୟ ଏକାଠି ଗୁନ୍ଥା ହୋଇ ରହିଥିଲା । ରାଧାନାଥ କଲିକତାରେ ପାଠ ପଢ଼ିଥିଲେ । ଶିକ୍ଷାବିଭାଗର ମୂଳ ଓ ବଡ଼ ମହକୁମାଗୁଡ଼ିକ ସେତେବେଳେ ସେହି କଲିକତାରେ ଥିଲେ । ରାଧାନାଥଙ୍କର ଉପରିସ୍ଥ ବିଭାଗୀୟ ପଦଧାରୀମାନେ ସମସ୍ତେ ବଙ୍ଗଦେଶୀ ଓ ବାଙ୍ଗାଭାଷୀ ଥିଲେ ଏବଂ ସେହି ସୁବିଧାଟି ହେତୁ ସେ ତତ୍କାଳୀନ ବଙ୍ଗ ସାହିତ୍ୟ ସହିତ ନିକଟ ପରିଚୟରେ ମଧ୍ୟ ଆସିଥିଲେ । ନିଜ ସାହିତ୍ୟିକ ଜୀବନର ଆରମ୍ଭସ୍ୱରୂପ ସେ ତତ୍କାଳୀନ ବଙ୍ଗଳା କାବ୍ୟର ପ୍ରଖ୍ୟାତ ରଥୀ ମାଇକେଲ ମଧୁସୂଦନଙ୍କର ଶୈଳୀରେ ବଙ୍ଗଳାରେ କବିତା ଲେଖୁଥିଲେ ଓ ବଙ୍ଗଳାର ସୁଧୀ ତଥା ଗୁଣୀମାନଙ୍କୁ ମୁଗ୍ଧ କରୁଥିଲେ । କଥିତ ଅଛି ଯେ ସେଇ ଗୁଣୀମାନେହିଁ ରାଧାନାଥଙ୍କୁ ବଙ୍ଗଳାରେ ନ ଲେଖି ଓଡ଼ିଆରେ ଲେଖିବା ନିମନ୍ତେ ପ୍ରବର୍ତ୍ତାଇ ଥିଲେ । ଏଭଳି ପ୍ରବର୍ତ୍ତାଇବାର ପଛରେ ପ୍ରକୃତରେ କେଉଁ କାରଣ ରହିଥିଲା, ସେକଥା କହିହେବ ନାହିଁ । ମାତ୍ର ରାଧାନାଥ ଯେ ଓଡ଼ିଆରେ ଲେଖିଲେ, ତାହା ଓଡ଼ିଆ ସାହିତ୍ୟର ସ୍ମୃତିଭଣ୍ଡାରରେ ଏକ ସ୍ମରଣୀୟ ସମ୍ପଦ ହୋଇ ରହିଲା ।

 

ରାଧାନାଥ ରାୟ ଗଦ୍ୟରେ ଅତି ଅଳ୍ପ ଲେଖିଛନ୍ତି । ଓଡ଼ିଆ କାବ୍ୟକୁ ଏତେ ଏତେ ଉଚ୍ଚତା ଆଣି ଦେଇଥିବାବେଳେ ସେ କାହିଁକି ଏଭଳି ଗଦ୍ୟ ଲେଖିଛନ୍ତି, ତାହାର କାରଣ ଖୋଜିବାକୁ ଭାରି ଇଚ୍ଛା ହୁଏ । ସେହି ଗଦ୍ୟକୁ ସାହିତ୍ୟିକ ଗଦ୍ୟ ବୋଲି ଆଦୌ କୁହାହେବ ନାହିଁ । ସମ୍ଭବତଃ, ତାଙ୍କ ପୂର୍ବରୁ ଲେଖା ହୋଇଥିବା ଓଡ଼ିଆ ଗଦ୍ୟ ସହିତ ତାଙ୍କର ଆଦୌ କୌଣସି ପରିଚୟ ନଥିଲା-। ବ୍ରଜନାଥ ବଡ଼ଜେନାଙ୍କର ‘ଚତୁର ବିନୋଦ’ ସେ କଦାପି ପଢ଼ି ନଥିବେ । ଅରକ୍ଷିତ ଦାସଙ୍କର ଗଦ୍ୟକୁ ସେ ପାଠ କରିଥିବାର ତ କୌଣସି ପ୍ରଶ୍ନହିଁ ଉଠୁ ନାହିଁ । ରାଧାନାଥଙ୍କର ଗଦ୍ୟଲେଖା ଭାରି ନୀରସ, ଛନ୍ଦହୀନ ଏବଂ ଶୁଷ୍କ । ସେହି ଗଦ୍ୟରେ କବି ରାଧାନାଥଙ୍କର କଳ୍ପନାସାମର୍ଥ୍ୟର ଆଦୌ କୌଣସି ପରିଚୟ ମିଳେ ନାହିଁ । ପଦ୍ୟରେ ମଧ୍ୟ ରାଧାନାଥ ପ୍ରାୟ ତାଙ୍କର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଭାରି ଅଳଙ୍କାରପ୍ରଧାନ ହୋଇ ରହିଯାଇଛନ୍ତି, ଭାରି ବର୍ଣ୍ଣନାପ୍ରଧାନ ହୋଇ ରହିଛନ୍ତି । ବ୍ୟଞ୍ଜନା ଯାହା ଅଛି, ତାହା ଅତ୍ୟନ୍ତ ବିରଳ, ଅତ୍ୟନ୍ତ ଅଗଭୀର । କାବ୍ୟ ବର୍ଣ୍ଣନାପ୍ରଧାନ ହେଲେ ଓ ଶବ୍ଦର ସଜ୍ଜାରେ ଅତିଶୟ ପରିମାଣରେ ଜଡ଼ିତ ହୋଇ ରହିଗଲେ ତାହା ଅତ୍ୟନ୍ତ କୃତ୍ରିମ ଲାଗେ, ସେଥିରେ ବ୍ୟବହୃତ ହୋଇଥିବା ଉପମାଗୁଡ଼ିକ ସତେଅବା ଅଳଙ୍କାର ପରିହିଁ ଲାଗେ । ସାହିତ୍ୟ ପ୍ରାୟ ଏକ ଚମତ୍କାରିତା ଓ ଶବ୍ଦଘନତାର ସ୍ତରରେ ରହିଯାଏ । ଭାବ ଅତ୍ୟନ୍ତ ଗୌଣ ହୋଇ ରହିଥାଏ ଏବଂ ଅନୁଭୂତିସକଳ ସତେଅବା ଅତିବର୍ଣ୍ଣନଦ୍ଵାରା ପଦାରେ ପଡ଼ି ଯାଆନ୍ତି ଓ ଭାରି ଭେସରା ଦିଶୁଥାନ୍ତି ।

 

କବିବର ରାଧାନାଥ ରାୟ ତାଙ୍କ କାବ୍ୟଗୁଡ଼ିକରେ ପାଶ୍ଚାତ୍ୟ କାବ୍ୟଗୁଡ଼ିକର କଥାବସ୍ତୁଗୁଡ଼ିକୁ ଆଣି ବ୍ୟବହାର କରିଛନ୍ତି । ସେହି କଥାବସ୍ତୁକୁ ଭାରତୀୟ ଅଥବା ଉତ୍କଳୀୟ ପରିଚ୍ଛଦ ପିନ୍ଧାଇ ସେଗୁଡ଼ିକୁ ଏକ ପ୍ରଶଂସନୀୟ ସ୍ତରର ମୌଳିକତା ମଧ୍ୟ ପ୍ରଦାନ କରିଛନ୍ତି । ତଥାପି ରାଧାନାଥଙ୍କର କାବ୍ୟାରଣ୍ୟ ମଧ୍ୟରେ ପଶିଥିବାବେଳେ ଓ ସେହି କାହାଣୀଗୁଡ଼ିକର ଉତ୍ସଗୁଡ଼ିକୁ ଠାବ କରୁଥିବାବେଳେ ନିଜକୁ ପଚାରିବାକୁ ଭାରି ଇଚ୍ଛା ହୁଏ, ରାଧାନାଥ କ’ଣ ପ୍ରକୃତରେ ଯଥେଷ୍ଟ ଅନୁଧ୍ୟାନ ସହିତ ମୂଳ ପାଶ୍ଚାତ୍ୟ କାବ୍ୟଗୁଡ଼ିକୁ ପାଠ କରିଥିଲେ ନା ଆପଣାର ପ୍ରୟୋଜନରେ ଲଗାଇବେ ବୋଲି ସେଗୁଡ଼ିକର କେବଳ କାହାଣୀ ଅଂଶଗୁଡ଼ିକହିଁ ସଂଗ୍ରହ କରି ଆଣିଥିଲେ ? ପାଶ୍ଚାତ୍ୟ କାବ୍ୟ ଏବଂ ସମଗ୍ରତାର ଭାବରେ ଦେଖିଲେ ପାଶ୍ଚାତ୍ୟ ସାହିତ୍ୟର ଜୀବନବାଚୀ ଆବେଦନମାନ ରାଧାନାଥଙ୍କୁ ସତେଅବା ଆଦୌ ସ୍ପର୍ଶ କରି ନଥିଲା । ଇଉରୋପୀୟ ଚେତନା, ଇଉରୋପୀୟ ସମାଜ ଏବଂ ଇଉରୋପର ମନୁଷ୍ୟ ସେହି ସମୟକୁ ଭାବ ତଥା ସ୍ଵପ୍ନର ସ୍ତରରେ ଯେଉଁଠାରେ ଆସି ପହଞ୍ଚି ସାରିଥିଲେ, ରାଧାନାଥ ସମ୍ଭବତଃ ତାହାର କୌଣସି ପତ୍ତା ମଧ୍ୟ ପାଇ ନଥିଲେ । ପାଶ୍ଚାତ୍ୟ ପୃଥିବୀର ପରିଚୟରେ ଆସି ପ୍ରତିବେଶୀ ବଙ୍ଗଦେଶରେ ମଧ୍ୟ ସାହିତ୍ୟ ଓ ସମାଜର କ୍ଷେତ୍ରରେ ଯେଉଁ ଜାଗରଣମାନ ଆସିଥିଲା, ରାଧାନାଥ ସମ୍ଭବତଃ ସେଗୁଡ଼ିକୁ ଦେଖି ମଧ୍ୟ ନିଜସ୍ଵ କରିପାରି ନଥିଲେ । ତେଣୁ ମନେହୁଏ, ରାଧାନାଥ ସତେ ଯେପରି ମୁଖ୍ୟତଃ ପ୍ଲଟ୍ ଖୋଜିବା ନିମନ୍ତେହିଁ ପାଶ୍ଚାତ୍ୟ ସାହିତ୍ୟ ଭିତରକୁ ଯାଇଥିଲେ ଏବଂ କେବଳ ସେତିକି ସଂଗ୍ରହ କରି ଘରକୁ ଚାଲି ଆସିଥିଲେ । ରାଧାନାଥଙ୍କର ପୂର୍ବବର୍ତ୍ତୀ ତରୁଣ ପ୍ୟାରୀମୋହନଙ୍କର ଦେହରେ ମଧ୍ୟ ଯେତିକି ପରିମାଣରେ ପାଶ୍ଚାତ୍ୟର ପବନ ଓ ସଂକ୍ରମଣ ଆସି ବାଜିଥିଲା, ରାଧାନାଥଙ୍କଠାରେ ଆମେ ସେତିକି ମଧ୍ୟ ଦେଖିବାକୁ ପାଇବା ନାହିଁ । ସେ କ’ଣ ଉପେନ୍ଦ୍ର ଭଞ୍ଜଙ୍କ ପରେ ଓଡ଼ିଆ ସାହିତ୍ୟରୁ ଆଉ କିଛିହେଲେ ଗ୍ରହଣ କରିବାକୁ ମନ କରି ନଥିଲେ ?

 

କବିବର ରାଧାନାଥଙ୍କର କାବ୍ୟଗୁଡ଼ିକରେ ଅତ୍ୟନ୍ତ ପ୍ରମୁଖ ଭାବରେ ପ୍ରକୃତିର ଚିତ୍ରଣ କରାଯାଇଛି । ତାଙ୍କର ‘ଚିଲିକା’ କାବ୍ୟ ହେଉଛି ତାହାର ଏକ ଅନବଦ୍ୟ ଉଦାହରଣ । ତଥାପି, ରାଧାନାଥଙ୍କର ପ୍ରକୃତିବର୍ଣ୍ଣନା ଅଧିକତର ପରିମାଣରେ ବର୍ଣ୍ଣନାଧର୍ମୀ ହୋଇ ରହିଯାଇଛି,, ଆଉ ଅଧିକ ଗଭୀରକୁ ପ୍ରବେଶ କରିବାଲାଗି ମନ କରିନାହିଁ । କୁହାଯାଇଥାଏ ଯେ ଶ୍ରୀଯୁକ୍ତ ରାଧାନାଥ ରାୟ ସେତେବେଳେ ଶିକ୍ଷାବିଭାଗର ଉଚ୍ଚ ପଦାସୀନ ହିସାବରେ ଗସ୍ତକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଉଥିଲେ । ସେତେବେଳେ ସେ ଦୃଷ୍ଟ ପ୍ରତ୍ୟେକ ସ୍ଥାନର ବିବରଣୀ ସଂଗ୍ରହ କରୁଥିଲେ ଓ ଗୋଟିଏ ଟିପାଖାତାରେ ସେଗୁଡ଼ିକୁ ଲେଖି ରଖୁଥିଲେ । କାବ୍ୟ ଲେଖିବା ସମୟରେ ସେହି ବିବରଣୀଗୁଡ଼ିକ ତାଙ୍କର ପ୍ରକୃତରେ ଭାରି କାମରେ ଆସିଥିବ । ଓଡ଼ିଶାର ସାନବଡ଼ କେତେକେତେ ସ୍ଥାନ ତାଙ୍କ କାବ୍ୟସାହିତ୍ୟ ମଧ୍ୟରେ ଆସି ସ୍ଥାନ ପାଇଛି । କିନ୍ତୁ ପ୍ରକୃତି ଓ ପ୍ରାକୃତିକ ଦୃଶ୍ୟର ବିବରଣୀ ସଂଗ୍ରହ କରି ସେହି ଅନୁସାରେ ପ୍ରକୃତିସୌନ୍ଦର୍ଯ୍ୟର ବର୍ଣ୍ଣନା କରିବା ଗୋଟିଏ କଥା ଏବଂ ପ୍ରକୃତି ସହିତ ଯୋଡ଼ି ହୋଇଯିବା, ଅନ୍ତରଙ୍ଗତା ଅନୁଭବ କରିବା ଏବଂ ତେଣୁ ଏକ ଏକାତ୍ମକତା ମଧ୍ୟରେ ଯାବତୀୟ ଦୂରତାକୁ ପାସୋରି ଦେବା, ଇଏ ଆଉ ଗୋଟିଏ କଥା । ଦୁଇଟିଯାକ ଦୁଇ ଅଲଗାଅଲଗା ସ୍ତରର ଉପଲବ୍ଧିର କଥା । ଏକାତ୍ମକତାର ପରିଧି ଭିତରକୁ ଆସିଗଲେ ବର୍ଣ୍ଣନାତ୍ମକତାର କୌଣସି ପ୍ରଦର୍ଶନ ମଧ୍ୟରେ ଛନ୍ଦି ହୋଇ ରହିବା ଲାଗି ଆଉ କୌଣସି ଆଗ୍ରହ ରହେ ନାହିଁ । ରାଧାନାଥଙ୍କର କବିତାରେ ଏକାତ୍ମକତାର ସେହି ଅନ୍ୟ ପଦାର୍ଥଟି ବର୍ଣ୍ଣନାତ୍ମକ ହେବାର ଆଡ଼ମ୍ଵର ଭିତରେ ସତେଅବା କୁଆଡ଼େ ପୋତିହୋଇ ରହିଯାଇଛି । ସତେ ଯେପରି କବି ସର୍ବଦା ପ୍ରକୃତିର ବାହାରେ ରହିଛନ୍ତି, ବାହାରୁ ପ୍ରକୃତିକୁ ଦେଖୁଛନ୍ତି, ବାହାରୁ ଆସ୍ଵାଦନ କରୁଛନ୍ତି ଏବଂ ଆପଣାର ସନ୍ତାପିତ ପ୍ରାଣକୁ ଶୀତଳ କରୁଛନ୍ତି । ସତେ ଯେପରି ତାହାରିଦ୍ଵାରା ଆପଣା ଭିତରେ ରହିଥିବା କୌଣସି ଦାହକୁ ଭୁଲିବାପାଇଁ ଚେଷ୍ଟା କରୁଛନ୍ତି ।

 

ରାଧାନାଥ ଯାହା ଦେଖିଛନ୍ତି, ଏହି ଓଡ଼ିଶା ଭିତରେ ଦେଖିଛନ୍ତି । ଓଡ଼ିଶା ଭିତରେ ରହିଥିବା ହ୍ରଦ, ପାହାଡ଼, ଅରଣ୍ୟ, ସାଗର ଏବଂ ପ୍ରପାତ ତାଙ୍କୁ ଭାରି ସୁନ୍ଦର ଦେଖାଯାଉଛି । ସମ୍ଭବତଃ ଏହିସବୁ ସୁନ୍ଦର ବସ୍ତୁ ଓଡ଼ିଶା ଭିତରେ ଅବସ୍ଥିତ ବୋଲି ତାଙ୍କ ଆଖିକୁ ଏଡ଼େ ସୁନ୍ଦର ଦେଖାଯାଇଛନ୍ତି । ମୋ ନିଜ ଘରେ ଯାହା ରହିଛି, ମୋ ନିଜ ଘରର ସମ୍ପଦ ବୋଲି ମୋତେ ସେଗୁଡ଼ିକ ସୁନ୍ଦର ଦିଶିବ ଏବଂ ମୁଗ୍ଧ କରିବ-ଏଇଟି ହେଉଛି ଏକ ନିର୍ଦ୍ଦିଷ୍ଟ ପ୍ରକାରର ସୌନ୍ଦର୍ଯ୍ୟାନୁଭବ । ସୌନ୍ଦର୍ଯ୍ୟର ସ୍ପର୍ଶ ଭିତରେ ପ୍ରବେଶ କରିବାର ଆଉ ଏକ ପ୍ରକାର ବା ସ୍ତର ମଧ୍ୟ ରହିଛି, ଯେଉଁଠାରେ ବିନ୍ଦୁ ଭିତରେ ସିନ୍ଧୁକୁ ଅନୁଭବ କରିହେବ, ସନ୍ଥମାନେ ପିଣ୍ଡ ମଧ୍ୟରେ ସମଗ୍ର ବ୍ରହ୍ମାଣର ପ୍ରତ୍ୟକ୍ଷ କଲାପରି ଗୋଟିଏ ଦେଖୁଦେଖୁ ସବୁଟି ସହିତ, ସମଗ୍ରଟି ସହିତ, ବିଶ୍ଵମୟଙ୍କ ସହିତ ମଧ୍ୟ ଖିଅ ଯୋଡ଼ି ଦିଆଯାଇପାରିବ । କବିବର ରାଧାନାଥ ଜାତୀୟବାଦୀ ଥିଲେ, ତେଣୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ସେ ସତେଅବା ଭୂଗୋଳ ଦେଇ ଦେଖୁଥିଲେ, ଆପଣା ପରର ଭେଦ ଦେଇ ଦେଖୁଥିଲେ, ଜାତି ବାରି ଦେଖୁଥିଲେ । ତେଣୁ ଏପରି ଏକ ସଂଶୟ ହୁଏ ଯେ, ରାଧାନାଥ ଓଡ଼ିଶାଯାକ ବୁଲି ସୌନ୍ଦର୍ଯ୍ୟକୁ ଖୋଜି ନାହାନ୍ତି, ବରଂ ସୌନ୍ଦର୍ଯ୍ୟର ଯାବତୀୟ ଅଙ୍ଗନରେ ସେ ଓଡ଼ିଶାକୁହିଁ ଖୋଜି ବୁଲିଛନ୍ତି । ଏବଂ ଯେତିକି ପାଇବାକୁ ଇଚ୍ଛା କରିଛନ୍ତି, କେବଳ ସେତିକିମାତ୍ର ପାଇଛନ୍ତି । ଭାରତବର୍ଷର ସାହିତ୍ୟରେ ଓଡ଼ିଶାର ସୁନ୍ଦର ସ୍ଥାନଗୁଡ଼ିକୁ ଯଥେଷ୍ଟ ସ୍ୱୀକୃତି ମିଳି ନାହିଁ ବୋଲି କବି ତାହାକୁ ଦେବୀ ବୀଣାପାଣିଙ୍କର ଉତ୍କଳ ପ୍ରତି କରୁଣା ଊଣା ରହିଥିବାର ଏକ ନିଦର୍ଶନ ବୋଲି ଅନୁଭବ କରିଛନ୍ତି । ଉତ୍କଳ ଭୂମି ଶୋଭାର ଗନ୍ତାଘର ହୋଇଥିଲେ ମଧ୍ୟ ତାହା ଅରଣ୍ୟପ୍ରସୂନ ପରି ଅବହେଳିତ ହୋଇ ରହିଯାଇଛି ବୋଲି ସେ ଖେଦ ପ୍ରକାଶ କରିଛନ୍ତି । ମହାନଦୀକୁ ମନେପକାଇ ସେ ସିପ୍ରା ନଦୀକୁ ଖେଦ କରିଛନ୍ତି, ଅଂଶୁପାର ପକ୍ଷ ନେବାକୁ ଯାଇ ଯେ ଗୋଷ୍ଠଦତୁଲ୍ୟ ପୁଷ୍କରହ୍ରଦ ଖେଦ କରିଛନ୍ତି । ଓଡ଼ିଶାର ମେଘାସନ ପର୍ବତର କଥା କହିବା ସମୟରେ କ୍ଷୁଦ୍ରକାୟ ଗୋବର୍ଦ୍ଧନ କାହିଁକି ଗିରୀନ୍ଦ୍ର ବୋଲାଇଲା, ସେଥିପାଇଁ ଅତ୍ୟନ୍ତ ଦୁଃଖିତ ହୋଇଛନ୍ତି । ଏକାବେଳକେ ସାଂପ୍ରତିକ କାଳଯାଏ ମଧ୍ୟ ଆମେ ଅନେକ କବିଙ୍କର କ୍ଷେତ୍ରରେ ପ୍ରକୃତି ବିଷୟରେ ଏହି ଅପପରମ୍ପରାଟି ରହି ଆସିଥିବାର ଦେଖିବାକୁ ପାଇବା । ତାହା ଆମର ଅସୂୟାକୁହିଁ ଅଧିକ ସ୍ପର୍ଦ୍ଧିତ କରିଛି, ଆମ ଆଖିଗୁଡ଼ିକୁ ଭାରି ସାନ କରି ରଖିଛି, ବହୁ ଅନ୍ତଃପ୍ରବେଶ ଲାଗି ଆମକୁ ଅଯୋଗ୍ୟ କରି ରଖିଛି ।

 

ପ୍ରକୃତି ମନୁଷ୍ୟକୁ ଶାନ୍ତି ଦିଏ । ସଂସାରର ଅଶାନ୍ତି ମଧ୍ୟରୁ ତାକୁ ଅନ୍ତତଃ ଘଡ଼ିକ ଲାଗି ଫୁରୁସତ୍ ପ୍ରଦାନ କରିଥାଏ । ରାଧାନାଥ ପ୍ରକୃତିର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କଲାବେଳେ ଯେଉଁ ଦୃଷ୍ଟିକୋଣଟିର ପରିଚୟ ଦେଇଛନ୍ତି, ସେଥିରୁ ଏପରି ଅନୁମାନ କରିବାପାଇଁ ଯଥେଷ୍ଟ କାରଣ ରହିଛି ଯେ ସିଏ ଖୁବ୍ ସମ୍ଭବ ସଂସାର ଭିତରୁ ପଳାୟନ କରିବାଲାଗିହିଁ ପ୍ରକୃତିର ଆଶ୍ରୟ ନେଉଥିଲେ । ରାଧାନାଥଙ୍କର କବିତାର ଆତ୍ମିକ ଅନେକ ସମୟରେ ଭାରି ପଳାୟନଧର୍ମୀ ହୋଇ ପଡ଼ିଥିଲା ପରି ମନେ ହୁଏ । ଆଧୁନିକ ଓଡ଼ିଆ ସାହିତ୍ୟରେ ସେ ଅନେକ ନୂତନ ଉପାଦାନର ପ୍ରବେଶ ଘଟାଇଥିଲେ ମଧ୍ୟ ରାଧାନାଥ ସର୍ବପ୍ରଥମେ ପଳାୟନବାଦୀ ଓ ତା’ପରେ ଯାଇ ଆଉ କିଛି-। ଆପଣାର କ୍ଷୁଦ୍ର ଦୁଃଖ ଓ ସୁଖଗୁଡ଼ାକୁ ଅତ୍ୟନ୍ତ କାରଣଶୂନ୍ୟ ଭାବରେ ପ୍ରକୃତି ଉପରେ ଆରୋପିତ କରିଦେଇ ସେ ଅନେକ ସମୟରେ ସୌନ୍ଦର୍ଯ୍ୟମୟ ପ୍ରକୃତିର ସତେଅବା ଅବମାନନା କରିଛନ୍ତି । ଚିହ୍ନିବା ଲାଗି ମୋଟେ ଯେପରି ଆଦୌ କିଛିହେଲେ ଚିହ୍ନିପାରି ନାହାନ୍ତି । ତାଙ୍କର ‘ଚିଲିକା’ କାବ୍ୟ ଏହିପରି ଭାବରେ ତାଙ୍କୁ ନିଜର ଅନେକ ଅବସାଦ ଏବଂ କ୍ଳେଶ ଭୁଲିବାରେ ସାହାଯ୍ୟ କରିଛି ସତ, ମାତ୍ର ସଂସାରର ହୃଦୟହୀନତା ବିଷୟରେ ଅଭିଯୋଗମାନ ବାଢ଼ିବାଲାଗି ତାଙ୍କୁ ଏକ ମାଧ୍ୟମ ଆଣି ଯୋଗାଇ ମଧ୍ୟ ଦେଇଛି । ସେହି ଗ୍ରନ୍ଥରୁ ଗୋଟିଏ ଉଦାହରଣ ଦେଇ କହିଲେ–

 

“ସେ ଛାୟା ଅନ୍ଧାରେ ଦେଖିଲି ଭୀଷଣ, ନୈରାଶ୍ୟ ପ୍ରେତର ନିକଟ ନର୍ତ୍ତନ ।

ଚାରୁ ଛବି ତୋ’ର ସେହି ବିଭୀଷିକା, ତଡ଼ିଦେଲା ମନୁଁ ନିମିଷେ ଚିଲିକା ।”

 

ରାଧାନାଥଙ୍କର କାବ୍ୟରେ ପ୍ରକୃତି ଲାଗି ଯେପରି ମୋହ, ଅତୀତ ଲାଗି ମଧ୍ୟ ସେହିପରି ମୋହ । ଆମର ଆଖି ଭବିଷ୍ୟମୁଖୀ ହୋଇଥିଲେ ଆମେ ଅତୀତକୁ ମଧ୍ୟ ନୂତନ ପ୍ରେରଣାରେ ଦେଖିବାକୁ ସମର୍ଥ ହୋଇଥାଉ । ମାତ୍ର, ଆମ ସମ୍ମୁଖରେ ଆହ୍ଵାନଗୁଡ଼ିକୁ ଏଡ଼ିବା ସକାଶେ ଯେତେବେଳେ ଆମେ ଅତୀତକୁ ଏକ ଆଶ୍ରୟରୂପେ ଗ୍ରହଣ କରିନେଉ, ଯେତେବେଳେ ଆମର ସେହି ଶ୍ରଦ୍ଧାରେ ସତେ ଯେପରି ଅନେକ ବ୍ୟାଧି ରହି ଯାଇଥାଏ । ଯେକୌଣସି ଜାଗରଣ ଆମର ନିଦ ଭାଙ୍ଗିଦେବାକୁହିଁ ଆସିଥାଏ, ଆମକୁ ଶୁଆଇ ପକାଇବା ନିମନ୍ତେ କଦାପି ଆସି ନଥାଏ । ସେତେବେଳେ କେତେ ଆହ୍ଵାନ ଏବଂ ସମ୍ଭାବନା ଓଡ଼ିଶାର ଦ୍ଵାରଦେଶରେ ଆସି ଉପସ୍ଥିତ ହୋଇଥିବାବେଳେ କବିବର ରାଧାନାଥଙ୍କର ଆତ୍ମା ଅତୀତ ଭିତରେ ବିଚରଣ କରି ସତେଅବା ଅଶେଷ ଶାନ୍ତି ଲାଭ କରୁଥିଲା । ଅତୀତକୁ ସେ ବର୍ତ୍ତମାନ ବୋଲି ମନେ କରୁଥିଲେ ଏବଂ ତଦ୍ଦ୍ଵାରା କେତେ ନା କେତେ ଉଶ୍ଵାସ ଅନୁଭବ କରୁଥିଲେ–

 

“ଅତୀତର ଲୀଳାଖେଳା ଦେଖି ରଙ୍ଗେ, ଏକୀଭୂତ ହୋଇଯାଏ ତହିଁ ସଙ୍ଗେ ।

ଅତୀତର ଧ୍ୟାନେ ହୋଇ ଏକତାନ, ଅତୀତକୁ ମଣେ ଯେହ୍ନେ ବର୍ତ୍ତମାନ ।”

 

ରାଧାନାଥଙ୍କର ବିଭିନ୍ନ କାବ୍ୟ ଭିତରେ ‘ଦରବାର’ ହେଉଛି ଏକ ବ୍ୟତିକ୍ରମ, ସତେଅବା ଏକାବେଳକେ ଏକ ଅନ୍ୟ ଆକାଶ । ଆପଣାର ଶେଷ ଜୀବନରେ ସେ ଏହି କାବ୍ୟଟିକୁ ଲେଖିଥିଲେ । ତାଙ୍କର ‘ମହାଯାତ୍ରା’ କାବ୍ୟ ପରେ ମଧ୍ୟ ‘ଦରବାର’ ଲେଖା ହୋଇଛି । ‘ମହାଯାତ୍ରା’ର ପ୍ରଥମ ସାତୋଟି ସର୍ଗ ପ୍ରକାଶ ପାଇବା ପରେ ତାହାର କଟୁ ସମାଲୋଚନା ହୋଇଥିଲା । ବ୍ରିଟିଶ ଶାସନକୁ ଟୀକା କରି କିଛି କହିଦେଲେ ସତେଅବା ଜୀବନ ବିପନ୍ନ ହୋଇଯିବ ବୋଲି ସେତେବେଳେ ଆଶଙ୍କା କରୁଥିବା ଶିକ୍ଷିତ ବ୍ୟକ୍ତି ଓଡ଼ିଶାରେ ଆଦୌ କମ୍ ନଥିଲେ । ସ୍ଵୟଂ ରାଧାନାଥ ମଧ୍ୟ ସେହି ଭୟରୁ ଆଦୌ ମୁକ୍ତ ନଥିଲେ ଏବଂ ରାଜକୋଷ ବାହାରେ ରହିବା ଲାଗି ସେ ନିଜ କାବ୍ୟଟିର କେତେକ ଅଦଳବଦଳ କରି ଓ କିୟଦଂଶକୁ ବାଦ୍ ଦେଇ କାବ୍ୟଟିର ଏକ ଦ୍ଵିତୀୟ ସଂସ୍କରଣ ପ୍ରକାଶ କରିଥିଲେ । ମାତ୍ର ତାଙ୍କର ବିବେକ ତଦ୍ଦ୍ଵାରା ବହୁତ ଆଘାତ ପାଇଥିଲା ଏବଂ ଅତ୍ୟନ୍ତ ବ୍ୟଥିତ ହୋଇ ସେ ଅବଶିଷ୍ଟ ପାଞ୍ଚ ସର୍ଗର ପାଣ୍ଡୁଲିପି ଏବଂ ପରବର୍ତ୍ତୀ ଛଅଟି ସର୍ଗର ପ୍ରଥମ ଚିଠାକୁ ନିଆଁରେ ପକାଇ ନଷ୍ଟ କରି ଦେଇଥିଲେ । ମନେ ହେଉଛି, ‘ଦରବାର’ ଲେଖିବାବେଳକୁ ସେ ପୂର୍ବର ସେହି ଅବସ୍ଥାକୁ ପାରହୋଇ ସାରିଥିଲେ ଓ ତାଙ୍କର ଦୃଷ୍ଟି ଅଧିକ ପରିପକ୍ଵ ହୋଇ ସାରିଥିଲା । ‘ଦରବାର’ କାବ୍ୟରେ ତତ୍କାଳୀନ ସମାଜରେ ଯେତିକି ସମୀକ୍ଷା ରହିଛି, ସେତିକିପାଇଁ ମଧ୍ୟ କମ୍ ସାହସ ଆବଶ୍ୟକ ହୋଇ ନଥିବ । ସେହି କାବ୍ୟର ଏକାଧିକ ପଂକ୍ତିରେ ଏବେ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକତା ରହିଛି । ଏହିସବୁ ପଂକ୍ତିରେ ଏକ ଶକ୍ତି ରହିଛି, ଏକ ନିର୍ଭୀକ ସତ୍ୟନିଷ୍ଠତା ରହିଛି, ଯାହାକି ରାଧାନାଥଙ୍କ ରଚନାରେ ଅନ୍ୟତ୍ର ପ୍ରାୟ ଦେଖିବାକୁହିଁ ମିଳେ ନାହିଁ ।

 

ଉପାଧି ଜଡ଼ିତେ ଉପାଧି ଜଡ଼ିତ, ଉପାଧିରେ ଆଜି କରିବେ ଜଡ଼ିତ...

ପଦପାଇଁ ଲୋକେ ହୋଇ ଲାଳାୟିତ, ତୋଷିବାକୁ ବ୍ୟସ୍ତ ମଣିଷର ଚିତ୍ତ

ମନୁଷ୍ୟପୂଜାରେ ଯେତେ କାଳ ଯାଏଁ, ଆତ୍ମତତ୍ତ୍ୱେ ଯେବେ ସେହିଥିରୁ ପାଏ

ସାରାସାରା ବୁଝି ଦେଉଥାନ୍ତେ ଲୋକେ, ଓହ୍ଲାଇ ଆସନ୍ତା ସ୍ଵର୍ଗ ମର୍ତ୍ତ୍ୟଲୋକେ...ଆସନ

ସକାଶେ ବୃଦ୍ଧେ ଏତେ ବାଇ, ବାଳକ ଯେସନେ କ୍ରୀଡ଼ନକ ପାଇଁ...

ଭାଳ ତୁମେ ତିମି, ସଫାରୀ ସରବେ...

 

କବିବର ରାଧାନାଥ ଏବଂ ଭକ୍ତକବି ମଧୁସୂଦନ ଦୁହେଁଯାକ ବ୍ରିଟିଶ ଶାସନର ଭୂରିଭୂରି ପ୍ରଶଂସା କରିଛନ୍ତି । ତତ୍କାଳୀନ ମହାରାଣୀ ଭିକ୍ଟୋରିଆଙ୍କର ସ୍ତୁତିରେ ସେମାନେ ସ୍ଵରଚିତ ପଦଗୁଡ଼ିକୁ ପ୍ରାୟ ଏକ ହାସ୍ୟକର ସ୍ତରକୁ ଖସାଇ ଆଣିଛନ୍ତି । ଶ୍ଵେତ ଦ୍ଵୀପବାସୀମାନଙ୍କୁ ରାଧାନାଥ ‘ଶମନ ସମାନ ନିରପେକ୍ଷ ରୋଷେ ବୈଶ୍ଵାନର, ନ୍ୟାୟେ ବୃହସ୍ପତି, ପାଳନେ ଏବଂ ଦୟାର ଆଧାର’ ବୋଲି କହିଛନ୍ତି । ସାମ୍ରାଜ୍ଞୀ ଭିକ୍ଟୋରିଆଙ୍କୁ ସେ ନିଜର ମାତା ବୋଲି ସମ୍ବୋଧନ କରିଛନ୍ତି ଓ ବିଶ୍ଵପତି ତାଙ୍କୁ ଆୟୁଷ୍ମତୀ କରି ରଖନ୍ତୁ ବୋଲି କାମନା କରିଛନ୍ତି । ବ୍ରିଟିଶ ସମ୍ବିଧାନରେ ସେତେବେଳେ ରାଣୀ ଭିକ୍ଟୋରିଆଙ୍କର କ୍ଷମତାକୁ ଗୋଟି ଗୋଟି କରି କାଢ଼ି ନିଆଯାଉଥିଲା । ସମସାମୟିକ ବଙ୍ଗ ସାହିତ୍ୟରେ କୌଣସି ପ୍ରତିନିଧିସ୍ଥାନୀୟ ଲେଖକ ଶାସକମାନଙ୍କର ପ୍ରଶଂସାରେ ଏତେ ଅଧିକ ଚାଟୁଳତା ପ୍ରକାଶ କରିଛନ୍ତି କି ନାହିଁ କେଜାଣି ? ମଧୁସୂଦନ ମଧ୍ୟ ଭିକ୍ଟୋରିଆଙ୍କୁ ସର୍ବମନୁଜବନ୍ଦିତା ଏବଂ ସତୀ ଶିରୋମଣି ବୋଲି କହିଛନ୍ତି । ସମଗ୍ର ଭାରତବର୍ଷରେ ସେତେବେଳେ ଯେଉଁ ନୂତନ ପ୍ରାଣଚେତନା ଜୀବନର ଦିଗ୍‍ବଳୟଗୁଡ଼ିକୁ ଆଲୋଡ଼ିତ କରୁଥିଲା, ଓଡ଼ିଶାରେ ତାହାର ପ୍ରାୟ କୌଣସି ଖବର ରଖୁ ନଥିବା ଆମର ତୁଙ୍ଗ କବିମାନଙ୍କୁ ଆମେ କିପରି ଆଧୁନିକ ବୋଲି କହିପାରିବା ?

 

ବାହ୍ୟ ଜୀବନରେ ଅନେକ ସଫଳତା ଅର୍ଜନ କରିଥିଲେ ମଧ୍ୟ କବି ରାଧାନାଥ ରାୟ ନିଜ ଭିତରେ ସତେଅବା ଭାରି ଦୁଃଖୀଟିଏ ହୋଇ ରହିଥିଲେ । ତାଙ୍କ ଭିତରେ କେତେ ଅତୃପ୍ତି ଓ ଅଶାନ୍ତି ତାଙ୍କୁ ସର୍ବଦା ସନ୍ତାପିତ କରି ରଖିଥିଲା । ସେହି ଅତୃପ୍ତି ପ୍ରଧାନତଃ ନିଜକୁ ନେଉ ଅତୃପ୍ତି, ଓଡ଼ିଶା ପରି ଗୋଟିଏ ସାନ କ୍ଷେତ୍ରରେ ରହିଗଲେ ବୋଲି ଅତୃପ୍ତି ଏବଂ ହୁଏତ ସେ କ’ଣ ହୋଇଥାନ୍ତେ ମାତ୍ର ତାହା ହୋଇପାରିଲେ ନାହିଁ ବୋଲି ଅତୃପ୍ତି । ତାଙ୍କର ସମସାମୟିକ ଆଉ ଜଣେ କବି ଶ୍ରୀ ଗଙ୍ଗାଧର ମେହେରଙ୍କ ପାଖକୁ ଲେଖିଥିବା ଦୁଇଟି ଚିଠିରେ ଆମେ ସେହି ଅତୃପ୍ତିର କିଞ୍ଚିତ୍ ପରିଚୟ ପାଇଥାଉ । ପ୍ରଥମ ଚିଠିଟିରେ-“ଇଉରୋପର ରାଜା ଏବଂ ଧନବନ୍ତ ବ୍ୟକ୍ତିମାନେ ଯେପରି ବିଦ୍ୟୋତ୍ସାହୀ ଓ ସାହିତ୍ୟରସିକ, ଓଡ଼ିଶାରେ ଯଦି ସେହିପରି ଦୁଇ ଚାରିଟି ରାଜା ଥାନ୍ତେ, ତାହାହେଲେ ୫୦/୬୦ ବର୍ଷ ମଧ୍ୟରେ ଏହି ଦରିଦ୍ର ଉତ୍କଳ ଭାଷା ମଧ୍ୟ ପୃଥିବୀରେ ଗୋଟିଏ ଗଣନୀୟ ଭାଷା ହୋଇପାରନ୍ତା ।” ପୁନଶ୍ଚ, ନିଜ ଭିତରେ ପୋତି ହୋଇ ରହିଥିବା ଆଉ ଗୋଟିଏ ଦୁଃଖକୁ ପ୍ରକାଶ କରି–“ସାହିତ୍ୟ ଚର୍ଚ୍ଚାରେ ମୁଁ ଯେତେ ସମୟ ନଷ୍ଟ କରିଛି, ସେହି ସମୟ ପାଠ୍ୟପୁସ୍ତକ ରଚନାରେ ଦେଇଥିଲେ, ଆଜିସରିକି ମୋହୋର ଆର୍ଥିକ ଅବସ୍ଥା ଅନେକ ଗୁଣ ଭଲ ହୋଇଥାନ୍ତା । ଏତେଦିନେ ଚୈତନ୍ୟଲାଭ ହେଲା, ମାତ୍ର ଶରୀରରେ ପୂର୍ବର ପରାକ୍ରମ ନାହିଁ ।” ଏବଂ ‘‘ମୋହ ପକ୍ଷରେ ଓଡ଼ିଆ ଏବଂ ବଙ୍ଗଳା ଉଭୟ ଭାଷା ସମାନ । ବଙ୍ଗଳାରେ ମୋହୋର ରଚନା ବଙ୍କିମ, ଭୂଦେବ, ନବୀନଚନ୍ଦ୍ର, ରାଜକୃଷ୍ଣ ପ୍ରଭୃତି ମହତ୍ମାଙ୍କର ପ୍ରଶଂସା ଏବଂ ଆଶୀର୍ବାଦ ଆକର୍ଷଣ କରିଥିଲା । ବଙ୍ଗଳାରେ ମୁଁ ପାଠ୍ୟପୁସ୍ତକ ଲେଖିଥିଲେ ମୋହୋର ଆର୍ଥିକ ଅବସ୍ଥା ଭିନ୍ନ ପ୍ରକାର ହୋଇଥାନ୍ତା ।”

 

ଓଡ଼ିଆ ସାହିତ୍ୟରେ ଏହି ଦୁଃଖଦ ପ୍ରବୃତ୍ତିଟି ଏକାବେଳକେ ଆଜି ପର୍ଯ୍ୟନ୍ତ ରହି ଆସିଛି-। ଏହି ଶତାବ୍ଦୀର ତୃତୀୟ ଦଶକରେ ‘ମାଟିର ମଣିଷ’ ଭଳି ଏକ ସମ୍ବେଦନାପୂର୍ଣ୍ଣ ଉପନ୍ୟାସରେ ଲେଖକ “ଓଡ଼ିଆରେ ଲେଖିବି କାହିଁକି’’ ବୋଲି ଗୋଟିଏ ପ୍ରବନ୍ଧ ଲେଖିଥିଲେ । ଅବଶ୍ୟ ନିଜ ତରୁଣ ବୟସରେ ସେ ଏପରି ଏକ ଅବସାଦ ଭିତରେ ସମ୍ଭବତଃ ସାମୟିକ ଭାବରେ ଯାଇ ପଡ଼ି ଯାଇଥିଲେ, ମାତ୍ର ପରେ ଆପଣାର ପରାକ୍ରମ ବଳରେ ବହୁତ କିଛି ଲେଖିଲେ ଏବଂ ଓଡ଼ିଆ ସାହିତ୍ୟର ଆମ ସମସ୍ତଙ୍କୁ ଧନୀ କରାଇଥିଲେ । ଓଡ଼ିଶା ଯଦି ଇଂଲଣ୍ଡ ହୋଇଥାନ୍ତା, ଯଦି ସେମାନେ ଇଂରାଜୀରେ ସାହିତ୍ୟ କରୁଥାନ୍ତେ, ତେବେ ଯଶ ଏବଂ ଅର୍ଥରେ ସେମାନେ କେତେ କୁଆଡ଼େ ଖେଦିଯାଇ ପାରନ୍ତେ, ଏହି ଏକାନ୍ତ ଆଧୁନିକ ଯୁଗରେ ମଧ୍ୟ ଏପରି ଭାବୁଥିବା ଏବଂ ସଭାମାନଙ୍କରେ ଖେଦ ପ୍ରକାଶ କରୁଥିବା ଓଡ଼ିଆ ଲେଖକ ଓଡ଼ିଶାରେ ମହଜୁଦ୍ ରହିଛନ୍ତି । ରାଧାନାଥ ଓଡ଼ିଆରେ ଲେଖି ଏବଂ ଓଡ଼ିଶାରେ ସାହିତ୍ୟର ଚର୍ଚ୍ଚା କରି କ’ଣ ପ୍ରକୃତରେ ସମୟ ନଷ୍ଟ କରୁଛନ୍ତି ବୋଲି ଅନୁଭବ କରୁଥିଲେ ? ପାଠ୍ୟପୁସ୍ତକ ଲେଖି ସାହିତ୍ୟ ଲେଖିବାର ତୁଳନାରେ ସେ ତୃପ୍ତି ପାଇଥାନ୍ତେ ବୋଲି ସତରେ ବିଶ୍ଵାସ କରୁଥିଲେ ? ଏବଂ ଗଙ୍ଗାଧର ମେହେରଙ୍କ ପରି ଜଣେ ସାହିତ୍ୟସ୍ଥ ବ୍ୟକ୍ତିଙ୍କ ପାଖକୁ ଏସବୁ ଲେଖିବାକୁ ସେ ସତରେ ଉଚିତ ମନେ କଲେ ? କବି ମେହେରଙ୍କ ପ୍ରସଙ୍ଗରେ ଆମେ ଟିକିଏ ପରେ ଆଲୋଚନା କରିବା ।

 

ଭକ୍ତକବି ମଧୁସୂଦନ ଋଷିପ୍ରାଣ ଥିଲେ । ଓଡ଼ିଶାରେ ଶିକ୍ଷାବିଭାଗରେ କର୍ମ କରୁଥିଲେ ମଧ୍ୟ ତାଙ୍କର ଅସଲ ଚେତନାଟି ସତେଅବା କେଉଁ ପରମପଦ ସହିତ ଯୋଡ଼ି ହୋଇ ରହିଥିଲା । ଋଷି ଉଦାସୀନ ହୋଇପାରେ, ଅନୁରାଗୀବି ହୋଇପାରେ ମଧୁସୂଦନ ସଂସାର ଛାଡ଼ି ନଥିଲେ ସତ, ତଥାପି ସଂସାର ଭିତରେ ଥାଇ ମଧ୍ୟ ସିଏ ସଂସାରକୁ ଛାଡ଼ିକରି ରହିଥିଲେ । ତାଙ୍କ କବିତାର ପଦ୍ମଟି ପରି ତାଙ୍କ ଦେହରେ ସଂସାର-ସରୋବରର ବିନ୍ଦୁଏ ପାଣି ମଧ୍ୟ ଲାଗୁ ନଥିଲା । ମଧୁସୂଦନ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ସେତେବେଳେ ବଙ୍ଗପ୍ରଦେଶରେ ବ୍ରାହ୍ମଭାବନା ଏବଂ ବ୍ରାହ୍ମସାହିତ୍ୟର ଯେଉଁ ଉତ୍ସାହପୂର୍ଣ୍ଣ ପବନ ବୋହିବାରେ ଲାଗିଥିଲା, ମଧୁସୂଦନ ସେହି ପବନକୁ ଓଡ଼ିଶା ଆଡ଼କୁ ମୁହାଁଇ ଆଣିଥିଲେ । ପ୍ରଧାନତଃ ସାହିତ୍ୟ ମାଧ୍ୟମରେହିଁ ସେ ସେହି କାର୍ଯ୍ୟଟିକୁ କରିଥିଲେ । ବ୍ରାହ୍ମଧର୍ମ ହିନ୍ଦୁଧର୍ମର ସନାତନ ଆବର୍ଜନାକୁ ଦୂର କରି ଏକ ଶୁଦ୍ଧୀକରଣର ବାସନା ରଖିଥିଲା । ବ୍ରାହ୍ମଧର୍ମ ପ୍ରଧାନତଃ ସମ୍ଭ୍ରାନ୍ତମାନଙ୍କର ଧର୍ମ ଥିଲା । ସେହି ଧର୍ମର ମନୀଷୀମାନେ ଭକ୍ତି ଅପେକ୍ଷା ସମ୍ଭବତଃ ବୁଦ୍ଧିକୁହିଁ ପ୍ରଶସ୍ତତର ବୋଲି ଗ୍ରହଣ କରିଥିଲେ । ହୁଏତ ସେହି କାରଣରୁ ଏହି ନୂତନ ମାର୍ଗଟି ମଧ୍ୟରେ ହିନ୍ଦୁ ସମାଜରେ ଏକ ପ୍ରକୃତ ଉଦ୍‍ବେଳନ ସୃଷ୍ଟି କରିବାର ଅନେକ ସମ୍ଭାବନା ନିହିତ ହୋଇ ରହିଥିଲେ ମଧ୍ୟ ଏହା କ୍ରମେ ନାନା ଦ୍ଵୀପରେ ଅର୍ଥାତ୍ ନାନା ଶାଖାରେ ବିଭକ୍ତ ହୋଇଯାଇଥିଲା ଏବଂ ଅବଶେଷରେ ମାତ୍ର କେତେକଙ୍କ ନିମନ୍ତେ ପ୍ରାୟ ଏକ କୁଳଧର୍ମ ହୋଇ ରହିଗଲା । ବେଳାଭୂମିକୁ ସ୍ପର୍ଶ କରିପାରିଲା ନାହିଁ ।

 

ମଧୁସୂଦନଙ୍କର କବିତାବଳୀରେ ପଦ୍ମ ଅଛି, ଆକାଶ ଅଛି, ବର୍ଷର ଛଅଟିଯାକ ଋତୁ ଅଛନ୍ତି ଏବଂ ଜୀବନ ବିଷୟରେ ଚିନ୍ତା ମଧ୍ୟ ରହିଛି, ମାତ୍ର ମଣିଷମାନେ କେଉଁଠି ହେଲେ ନାହାନ୍ତି । ସେତେବେଳର ନବଜାଗରଣ କହିଲେ, ପ୍ରକୃତରେ ସବାଆଗ ଯେଉଁସବୁ ଉଦ୍‍ବେଳନକୁ ବୁଝାଉଥିଲା, ମଧୁସୂଦନଙ୍କର ସାହିତ୍ୟରେ ତାହାର ସଙ୍କେତ ମଧ୍ୟ ସତେଅବା ଅଦୃଶ୍ୟ ହୋଇ ରହିଥିଲା । ବ୍ରହ୍ମର ବିଶ୍ଵମୟ ତୁଙ୍ଗ କଳ୍ପନା ପରି ସେ ଏକ ବିଶ୍ଵମୟ ମାନବିକତାର କଳ୍ପନା କରିଥିଲେ । କ୍ଷୁଦ୍ରକୁ ଛାଡ଼ି ବୃହତ୍‍କୁ ଆଶା କରିବାଦ୍ଵାରାହିଁ ଆମର ଯାବତୀୟ ଗ୍ଳାନି ଓ ଦୁଃଖ ଦୂର ହୋଇପାରିବ ବୋଲି ସେ ତାଙ୍କ ସାହିତ୍ୟ ମାଧ୍ୟମରେ ସ୍ଵପ୍ନ ଦେଖୁଥିଲେ । ‘ଉତ୍କଳ ପ୍ରତି’ କବିତାଟି ଲେଖିଥିଲେ ମଧ୍ୟ ଆଉ ଗୋଟିଏ କବିତାରେ ଉତ୍କଳଜନନୀଙ୍କୁ ଉଦ୍‍ବୋଧନ ଦେଇ ମଧୁସୂଦନ ଲେଖିଛନ୍ତି –

 

“ଶୁଣ ମା’ ଶୁଣ ମା’ ବାରେ ଡେରିଣ ଶ୍ରବଣ,

ବିପୁଳ ବିଶ୍ଵର ମଧୁମୟ ଆମନ୍ତ୍ରଣ ।

‘ଓଡ଼ିଆ’ ‘ଓଡ଼ିଆ’ କ୍ଷୁଦ୍ର ହୁରି ଛାଡ଼ି କ୍ଷଣେ,

ପଶନ୍ତୁ ମା’ ତୋ’ ସନ୍ତାନେ ବିଶ୍ଵସଭାଙ୍ଗନେ ।

ନିଖିଳ ମାନବହୃଦେ ମିଶାଇ ହୃଦୟ,

ଗାଆନ୍ତୁ ବିଶ୍ଵସଭାରେ-ଜୟ ସତ୍ୟ ଜୟ ।’’

 

ଜାତୀୟତାର ସେହି ଉନ୍ମେଷଣାର ଯୁଗରେ ଅଧିକାଂଶ ଭାବନା ବେଳେବେଳେ ଅତି ସଂକୀର୍ଣ୍ଣ ଭାବରେ କେବଳ ନିଜର ତଥାକଥିତ ଭୂମିଟି ଆଡ଼କୁ ନିବେଶିତ ହୋଇ ରହିଥିବା ସମୟରେ ମଧୁସୂଦନ ଯେ ଆମର ଚେତନାକୁ ତଥାପି ବୃହତ୍ତର ବିଶ୍ଵଟି ଆଡ଼କୁ ଉଦ୍‍ଧାବିତ କରି ରଖିବାକୁ ଚେଷ୍ଟା କରୁଥିଲେ, ଆଧୁନିକ ସାହିତ୍ୟକାଳର ସେହି ପ୍ରଥମ ଯୁଗରେ ଆମେ ତାହାକୁହିଁ ତାଙ୍କର ବିଶିଷ୍ଟ ଅବଦାନ ବୋଲି ଜାଣିରଖିବା । ସମସ୍ତେ ଅତ୍ୟନ୍ତ ଗୃହନିଷ୍ଠ ଭାବରେ ନିଜ ଭାଷା, ନିଜ ଜାତି ଏବଂ ନିଜର ମାତୃଭୂମି କଥା କହିବାକୁହିଁ ଯୁଗଧର୍ମ ବୋଲି ଘୋଷଣା କରୁଥିବା ସମୟରେ ମଧୁସୂଦନ ତଥାପି ଆମର ଅନୁରକ୍ତିଗୁଡ଼ିକୁ ବିଶ୍ଵତୋମୁଖ କରି ରଖିବାକୁ ଅଧିକ ସ୍ୱାସ୍ଥ୍ୟକର ମନେ କରୁଥିଲେ । ସେଇଟିର ମଧ୍ୟ ସମାନ ଆବଶ୍ୟକତା ରହିଥିଲା । ପୁନଶ୍ଚ, ‘ନବଯୁଗ’ ନାମକ ତାଙ୍କର ଆଉ ଗୋଟିଏ କବିତାରେ–

 

“ପୃଥିବୀ ଡକାଇ ସକଳେ ଶୁଣ ଭାରତବାସୀ

ମୋ’ ଜନନୀ ତୁମ୍ଭ ଜନନୀ ହୁଅ ପ୍ରେମେ ବିଶ୍ଵାସୀ ।

କୋଟି କୋଟି କଣ୍ଠ ମିଳାଇ ଗାଅ ଆନନ୍ଦେ ମାତି,

ଏକମାତ୍ର ବିଶ୍ଵବିଧାତା ଏକ ମାନବଜାତି ।”

 

ତଥାପି, ମାନବଜାତି ଯେ ଜିଅନ୍ତା ମାନବମାନଙ୍କୁ ନେଇ ଗଠିତ, ସେହି ଭାବନାଟି ମଧୁସୂଦନଙ୍କର ଲେଖାରେ ଆମେ ସ୍ପଷ୍ଟ ଭାବରେ ଆଦୌ ଦେଖିବାକୁ ପାଇବା ନାହିଁ । ଆଧୁନିକ ସାହିତ୍ୟ ପୃଥିବୀଯାକ ମନୁଷ୍ୟର ଚେତନାକୁ ସେହି ଜିଅନ୍ତା ମଣିଷମାନଙ୍କର ସୁଖ, ଦୁଃଖ, ସ୍ଵପ୍ନ, ଆକାଂକ୍ଷା, ସମାଜ ଏବଂ ଭାଗ୍ୟର ନିକଟବର୍ତ୍ତୀ କରି ଆଣିବାକୁ ଚେଷ୍ଟା କରିଛି । ସମ୍ଭବତଃ ସେଇଥିଲାଗି ଆଧୁନିକ ପର୍ଯ୍ୟାୟକୁ ଆସି ସାହିତ୍ୟ ସବୁଠାରେ କେବଳ ପଦ୍ୟର ରକ୍ଷାପ୍ରାଚୀରଗୁଡ଼ିକୁ ତ୍ୟାଗ କରି ଗଦ୍ୟ ଭିତରକୁ ଓହ୍ଲାଇ ଆସିଛି । ପ୍ରାଚୀନ ସାହିତ୍ୟରେ ମଧ୍ୟ ସବୁଠାରେ ଈଶ୍ଵର ଥିଲେ, ବିଶ୍ଵବ୍ରହ୍ମାଣ୍ଡ ରହିଥିଲା, ବିଶ୍ଵକୁ ପରିଚାଳିତ କରୁଥିବା ବିଧାନଗୁଡ଼ିକ ଥିଲା; ସେତେବେଳେ ମୁନିଋଷି ଓ ମହାମନାମାନେ ଏକାବେଳକେ ସମସ୍ତ ବିଶ୍ଵର କଲ୍ୟାଣ ନିମନ୍ତେ କାମନା ଓ ପ୍ରାର୍ଥନା କରୁଥିଲେ, ସମସ୍ତେ ସୁଖୀ ହୋଇ ରହନ୍ତୁ, ଏବଂ କେବଳ ଉତ୍ତମ ଓ ଭଦ୍ରହିଁ ଦେଖନ୍ତୁ ବୋଲି ଭଗବାନଙ୍କଠାରେ ଇଚ୍ଛା ବ୍ୟକ୍ତ କରୁଥିଲେ । ମାତ୍ର, ଗୋଟି ଗୋଟିକୁ ନେଇ ଯେ ତଥାକଥିତ ଯାବତୀୟ ସମଗ୍ରଟି ଗଠିତ ହୋଇଛି ଏବଂ ମଣିଷମାନଙ୍କୁ ନେଇ ଯେ ବିଶ୍ଵର ମାନବସମୂହ ସାକାରତା ଲାଭ କରିଛି, ପାରମ୍ପରିକ ସାହିତ୍ୟରେ ସେହି ଆଡ଼କୁ ବେଶୀ ବିଚାର କରାଯାଉ ନଥିଲା । ତେଣୁ, ସକଳ ଭାବରେ ସମସ୍ତଙ୍କର ମଙ୍ଗଳ ବାଞ୍ଛା କରାଯାଉଥିଲେ ମଧ୍ୟ ପୃଥିବୀରେ ବହୁ ଅମଙ୍ଗଳ ରହିଥିଲା, ବହୁ ଦୈନ୍ୟ ରହିଥିଲା ଓ ଦୀନ ମନୁଷ୍ୟମାନେ ରହିଥିଲେ । ସେହି ଅନୁରାଗ ଓ ଅନ୍ୟ କାମନାଟି ଆଧୁନିକ କାଳରେ ଯାଇ ଆସିଲା । ତେଣୁ ଆଧୁନିକ ସାହିତ୍ୟ ଭିତରକୁ ମଧ୍ୟ ପ୍ରବେଶ କଲା ।

 

ଓଡ଼ିଆ କବିତାର ଭାଷା ଭକ୍ତକବି ମଧୁସୂଦନଙ୍କ ହାତକୁ ଆସି ଏକ ଅଭୂତପୂର୍ବ ଲାବଣ୍ୟ ଲାଭ କଲା । ମଧୁସୂଦନ ଓଡ଼ିଆ କବିତାକୁ ଏକ ନୂତନ ଛନ୍ଦୋମୟତା ଆଣି ଦେଇଥିଲା । ଓଡ଼ିଆରେ ରହି ଆସିଥିବା ପୁରୁଣା ରାଗମାନଙ୍କରେ ସେ ନିଜେ କବିତାଗୁଡ଼ିକୁ ଲେଖିଥିଲେ ମଧ୍ୟ ସେଥିରେ ସର୍ବତ୍ର ଏକ ଆଧୁନିକ ପ୍ରାଣବନ୍ତତା ଭାରି ରହିଥିଲା । ମଧୁସୂଦନଙ୍କର ‘ସାହିତ୍ୟ କୁସୁମ’ ଏବଂ ‘ସାହିତ୍ୟ ପ୍ରସଙ୍ଗ’ ଓଡ଼ିଆରେ ସାହିତ୍ୟ-ପାଠ୍ୟପୁସ୍ତକ ବିଷୟରେ ତତ୍କାଳୀନ ଧାରଣାକୁ ଏକ ପ୍ରସ୍ଥ ମଧ୍ୟ ଯୋଗାଇ ଦେଇଥିଲା । ସେତେବେଳେ ସେ ଯେଉଁ ‘ବର୍ଣ୍ଣବୋଧ’ ଲେଖିଥିଲେ, ଏବେ ମଧ୍ୟ ତାହାର ପ୍ରଭୂତ ଆଦର ରହିଛି । ଆଧୁନିକ ରୁଚିକୁ ଅଧିକ ସୁନ୍ଦର ଦିଶିବ ବୋଲି ତାହାକୁ ଇତିମଧ୍ୟରେ ଛବିଳ କରି ଦିଆଗଲାଣି ସିନା, ମାତ୍ର ତାହାର ପାଠରେ ଆଦୌ କୌଣସି ପରିବର୍ତ୍ତନ କରାଯାଇନାହିଁ । ଓଡ଼ିଆ ଅକ୍ଷର ଶିଖିବା ନିମନ୍ତେ ପିଲାମାନଙ୍କ ଲାଗି ନୂଆ ନୂଆ ଠାଣିରେ ନାନାଭଳି ବହି ପ୍ରକାଶ ପାଇଗଲାଣି ସିନା, ତଥାପି ମଧୁସୂଦନଙ୍କର ‘ବର୍ଣ୍ଣବୋଧ’ର ସେହି ସମ୍ମାନସ୍ଥାନଟି ପୂର୍ବବତ୍ ବଳବତ୍ତର ରହିଛି । ଓଡ଼ିଆ ସାହିତ୍ୟର ଗବେଷକମାନେ ମଧୁସୂଦନଙ୍କର ଅନ୍ୟ ଦୁଇ ସମସାମୟିକ–ରାଧାନାଥ ଓ ଫକୀରମୋହନଙ୍କ ବିଷୟରେ ଯେତେ ବିସ୍ତୃତ ଭାବରେ ଗବେଷଣା କରିବାକୁ ମନ ଦେଇଛନ୍ତି, ମଧୁସୂଦନଙ୍କ ଲାଗି କୌଣସି କାରଣରୁ ସେତେ ମନ ଦେଇ ନାହାନ୍ତି । ତଥାପି ବିଶ୍ଵକବି ରବୀନ୍ଦ୍ରନାଥଙ୍କ ସହିତ ତାଙ୍କୁ କେହି କେହି ତୁଳନା କରିବାକୁ ମନ କରିଛନ୍ତି । ରାଧାନାଥ ଓ ଫକୀରମୋହନଙ୍କର ମଝିରେ ମଧୁସୂଦନଙ୍କୁ ରଖି ଏକ ଚମତ୍କାର ତୁଳନାରେ ଅଧ୍ୟୟନ ହୁଏତ କରାଯାଇପାରନ୍ତା । ତେବେ ମଧୁସୂଦନଙ୍କର ସାହିତ୍ୟକାରିତାକୁ ଆହୁରି ନାନା ଗବାକ୍ଷ ଦେଇ ଦେଖିବା ଲାଗି ଆମକୁ ସମ୍ଭବତଃ ବହୁ ଅବକାଶ ମଧ୍ୟ ମିଳନ୍ତା ।

 

ଫକୀରମୋହନ ସେନାପତି ଅକଳ୍ପନୀୟ ଶକ୍ତିର ବାହକ ହୋଇ ଆସିଥିଲେ, ଅତ୍ୟନ୍ତ ଅଳପ ଭିତରେ ପରିପାଳିତ ହୋଇଥିଲେ ମଧ୍ୟ ସିଏ ଯେ ତାଙ୍କର ଜୀବନରେ ଏତେ ବେଶୀ ସାଧ୍ୟ କରିପାରିଲେ, ସେକଥା ଭାବିଲେ ଅନେକ ସମୟରେ ଭାରି ବିସ୍ମିତ ହେବାକୁ ହୋଇଥାଏ । ସାହିତ୍ୟ ଭିତରେ ସାଧ୍ୟ କରିପାରିଲେ, ସାହିତ୍ୟ ବାହାରେ ମଧ୍ୟ ସାଧ୍ୟ କରିପାରିଲେ । ରାଧାନାଥ ଓ ମଧୁସୂଦନ ସତେଅବା ଊର୍ଦ୍ଧ୍ଵରୁ ଆସି ଓଡ଼ିଆ ସାହିତ୍ୟରେ ଆବିର୍ଭୂତ ହୋଇଥିଲେ, ମାତ୍ର ଫକୀରମୋହନ ଏକାବେଳକେ ତଳୁ ସମ୍ଭବ ହୋଇଥିଲେ ଓ ସୋପାନ ସୋପାନ ଉଠି ଉପରକୁ ଯାଇଥିଲେ । ସତେଅବା ଆମ ସମସ୍ତକୁ ମଧ୍ୟ ସାଙ୍ଗରେ ଧରି ସେହି ପାହାଚଗୁଡ଼ିକୁ ଉଠିଥିଲେ । ଯାବତୀୟ ପ୍ରତିକୂଳତାକୁ ଏକ ଆହ୍ୱାନରୂପେ ଗ୍ରହର କରି ତାହାକୁ ଯଥାସମ୍ଭବ ଏକ ଅନୁକୂଳତାରେ ପରିଣତ କରିବା–ଏହା ଯେପରି ଫକୀରମୋହନଙ୍କର ଜୀବନଧର୍ମରେ ପରିଣତ ହୋଇଯାଇଥିଲା-। ଫକୀରମୋହନଙ୍କର ଅନୁଭବ ଏବଂ ଅମିତ ଗ୍ରହଣଶୀଳତାହିଁ ତାଙ୍କ ଜୀବନର ଅଙ୍ଗନରେ ଏକ ଦୁର୍ଦ୍ଧର୍ଷ ସେନାପତିରୂପେ ତିଆରି କରି ଆଣିଥିଲା । ରାଧାନାଥ ଓ ମଧୁସୂଦନ ତ କେବଳ ସାହିତ୍ୟ ଭିତରେ ରହିଲେ, ମାତ୍ର ସାହିତ୍ୟକୁହିଁ ଆପଣାର ପରିଚୟଟିକୁ ପ୍ରଦାନ କରିବାର କ୍ଷେତ୍ରରେ ସର୍ବପ୍ରଧାନ ମାଧ୍ୟମରୂପେ ବ୍ୟବହାର କରିଥିଲେ ମଧ୍ୟ ଫକୀରମୋହନ ବହୁବିଧ କ୍ଷେତ୍ରରେ ଆମକୁ ଏକ ଆଦର୍ଶ ହୋଇ ଦିଶିପାରିଲେ, ଏବେ ମଧ୍ୟ ସେହିଭଳି ଦିଶୁଛନ୍ତି । ଆପଣାର ସମସାମୟିକମାନଙ୍କ ମଧ୍ୟରେ ଫକୀରମୋହନ ପ୍ରକୃତରେ ଅନନ୍ୟ ହୋଇ ରହିଗଲେ ।

 

ଫକୀରମୋହନଙ୍କର ପରିବାର ପ୍ରଥମରୁ ଦରିଦ୍ର ନଥିଲେ, ମାତ୍ର କାଳକ୍ରମେ ଦରିଦ୍ର ହୋଇଯାଇଥିଲେ । ସେ ବାଲ୍ୟକାଳରୁ ବାପାମାଆଙ୍କୁ ହରାଇଥିଲେ । ସତେଅବା ଏକୁଟିଆ ଠିଆ ହେବାକୁ ଏବଂ ଏକୁଟିଆ ଆପଣା ଆକାଶର ସୂର୍ଯ୍ୟଟିକୁ ଆବିଷ୍କାର କରିବାହିଁ ତାଙ୍କ ଲାଗି ନିୟତିନିର୍ଦ୍ଦିଷ୍ଟ ହୋଇ ରହିଥିଲା । ଯାବତୀୟ ପ୍ରକାରେ ବଞ୍ଚିତ ହୋଇ ରହିବାହିଁ ସମ୍ଭବତଃ ତାଙ୍କୁ ପ୍ରାୟ ଜୀବନଯାକ ପୂର୍ଣ୍ଣ ବିଶ୍ଵାସ ଏବଂ ସଂକଳ୍ପର ସହିତ ପରିସ୍ଥିତି ସହିତ ଲଢ଼ି ମନୋମତ ସବୁକିଛି ହେବାଲାଗି ଅମିତ ବଳ ଯୋଗାଇ ଆସିଥିଲା । ସେତେବେଳେ ମଧ୍ୟ ପାଠ କହିଲେ ଶିକ୍ଷିତମାନଙ୍କର ଆଖିରେ ଯେତିକି ବୁଝାଉଥିଲା, ସେତିକି ପାଠ ପଢ଼ିବାବି ଫକୀରମୋହନଙ୍କର ଜୀବନରେ ସମ୍ଭବ ହୋଇ ନଥିଲା । ନିମ୍ନତମ ଶିକ୍ଷା ସମାପ୍ତ କରିବାର ପୂର୍ବରୁ ସେ ପାଠ ଛାଡ଼ିଲେ ଏବଂ ଚାକିରି କରିଥିଲେ । ପ୍ରଥମେ ଶିକ୍ଷକ ହେଲେ, ତା’ପରେ ବନ୍ଦର ମହକୁମାରେ ପଶିଲେ । ଔପଚାରିକ ପାଠଶାଳାର ପାଠରୁ ବଞ୍ଚିତ ହୋଇ ସେ ଜୀବନର ପାଠଶାଳାରୁ ପାଠ ପଢ଼ିଲେ, ମଣ ହେଲେ, ଦୃଢ଼ ହେଲେ । ଅତି ଅଳ୍ପ ବୟସରୁ ସେ ଜୀବନର ବୋଝକୁ ନିଜେ ବୋହିବାକୁ ବାଧ୍ୟ ହେଲେ, ତଥାପି ଅଳପଟିକୁ ମାନି ନେଇ କଦାପି ଅଟକି ଯାଇ ନଥିଲେ । ସର୍ବଦା ଅଧିକ ଓ ଆହୁରି ଅଧିକ ଲାଗି ଆପଣାକୁ ଉନ୍ମୁକ୍ତ ଏବଂ ଗ୍ରହଣଶୀଳ କରି ରଖିପାରୁଥିଲେ । ତାହାହିଁ ତାଙ୍କ ଜୀବନରେ ସବୁଠାରୁ ବଡ଼ ବରଦାନ ପରି କାର୍ଯ୍ୟ କରିଥିଲା । ସାଧାରଣ ଅବସ୍ଥାଟିକୁ ମାନି ନେଇଥିଲେ ସେ ହୁଏତ ସୈନିକଟିଏବି ହୋଇପାରିଥାନ୍ତେ, ଅନ୍ୟ ଅନେକଙ୍କ ପରି କୁଆଡ଼େ ମରି ହଜି ଯାଇଥାନ୍ତେ, ମାତ୍ର ସେନାପତି ହେବା ଯେପରି ତାଙ୍କପାଇଁ ଲେଖା ହୋଇ ରହିଥିଲା ।

 

ଶିକ୍ଷକତା କରୁଥିବା ସମୟରେ ସମ୍ପୂର୍ଣ୍ଣ ଭାବରେ ନିଜ ଚେଷ୍ଟାରେ ଫକୀରମୋହନ କେତୋଟି ଅନ୍ୟାନ୍ୟ ଭାରତୀୟ ଭାଷା ଶିକ୍ଷା କରିଥିଲେ । ସେଥିମଧ୍ୟରୁ ସଂସ୍କୃତ ପ୍ରଧାନ ଥିଲା । ସତେଅବା ଜଣେ ସମଧର୍ମୀର ଅପେକ୍ଷା ରଖିଥିବା ସମୟରେ ସେ ଜନ୍ ବିମ୍‍ସ୍‍ଙ୍କ ପରି ଜଣେ ଗୁଣୀ ପଣ୍ଡିତ ଉଚ୍ଚ ଅଫିସରଙ୍କର ଘନିଷ୍ଠ ପରିଚୟରେ ଆସିଥିଲେ । ତାଙ୍କ ଲେଖକଜୀବନରେ ଇତିହାସରେ ଏହି ପରିଚୟର ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅବଶ୍ୟ ରହିଛି । ସମ୍ଭବତଃ ଜନ୍ ବୀମ୍‍ସ୍‍ଙ୍କ ମାଧ୍ୟମରେ ପାଶ୍ଚାତ୍ୟ ଜ୍ଞାନସଂସ୍କୃତି ସହିତ ମଧ୍ୟ ଫକୀରମୋହନଙ୍କର ପରିଚୟ ହୋଇଯାଇଥିଲା । ପାଶ୍ଚାତ୍ୟ ସଂସ୍କୃତିର ପ୍ରତିନିଧି ହିସାବରେ ବିମ୍‍ସ୍‍ଙ୍କ ସହିତ ପରିଚିତ ହୋଇ ସେହି ବ୍ୟକ୍ତିତ୍ଵଟିର ଦର୍ପଣ ଉପରେ ସେ ପାଶ୍ଚାତ୍ୟ ସଂସ୍କୃତିର ବିଶେଷତାଗୁଡ଼ିକୁ ମଧ୍ୟ ହୃଦୟଙ୍ଗମ କରିବାର ସୁଯୋଗ ପାଇଥିବେ । ସେତେବେଳେ କାହିଁକି, ଏବେ ଆମ ସ୍ଵାଧୀନ ଭାରତରେ ଜିଲ୍ଲାର ସର୍ବୋଚ୍ଚ ହାକିମ ପ୍ରାଥମିକ ସ୍କୁଲ୍‍ର ଜଣେ ଶିକ୍ଷକଙ୍କର ନିକଟ ସମ୍ପର୍କରେ ଆସିବାକୁ ଏକ ଅସାମାନ୍ୟ ଘଟଣା ବୋଲି ନିଶ୍ଚୟ କୁହାଯାଇପାରିବ । ଜନ୍ ବୀମ୍‍ସ୍‍ଙ୍କ ଭିତରେ ଏପରି କିଛି ରହିଥିଲା, ଯାହାକି ସକଳ ଦୂରତା ସତ୍ତ୍ୱେ ଫକୀରମୋହନଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରି ନେଇଥିଲା ଏବଂ ଫକୀରମୋହନଙ୍କ ଭିତରେବି ଏପରି କିଛି ଥିଲା, ଯାହାକି ସ୍ଥାନ, କାଳ ଓ ପାତ୍ରର ଅପେକ୍ଷା ନ ରଖି ବିମ୍‍ସ୍‍ଙ୍କୁ ମଧ୍ୟ ତାଙ୍କର ଏତେ ଅଧିକ ନିକଟ କରି ଆଣିଥିଲା । ଏହାକୁ ଓଡ଼ିଶାର ଏବଂ ଓଡ଼ିଆ ସାହିତ୍ୟର ଭାଗ୍ୟ ବୋଲି କୁହାଯାଇପାରିବ ।

 

ଓଡ଼ିଆରେ ଆଧୁନିକ ଲେଖା ବୋଲି ସେତେବେଳେ ପ୍ରାୟ କିଛି ନଥିଲା । ମାତ୍ର ପଡ଼ୋଶୀ ବଙ୍ଗଳା ଭାଷାରେ ଆଖିଦୃଶିଆ ହୋଇ ବେଶ୍ କିଛି ଲେଖା ହୋଇ ସାରିଥିଲା । ଫକୀରମୋହନ ବଙ୍ଗଳା ସାହିତ୍ୟର ଆଧୁନିକ ଲେଖାମାନ ଅବଶ୍ୟ ପଢ଼ିଥିବେ । ତାଙ୍କର ଆଖି ସବାଆଗ ଯାଇ ପଣ୍ଡିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଉପରେ ପଡ଼ିଥିଲା । ବିଦ୍ୟାସାଗର ଇଉରୋପର ବୈଜ୍ଞାନିକମାନଙ୍କର ଜୀବନକୁ ଏକାଠି କରି ‘ଜୀବନଚରିତ୍ର’ ବୋଲି ଖଣ୍ଡେ ବହି ଲେଖିଥିଲେ । ଫକୀରମୋହନ ସେହି ପୁସ୍ତକଟିର ଓଡ଼ିଆ ଅନୁବାଦ କଲେ । ବୃହତ୍ତର ତଥା ଆଧୁନିକ ପୃଥିବୀ ଆଡ଼କୁ ଓଡ଼ିଶାର ଦୁଆରଟିକୁ ଖୋଲିଦେବା ଲାଗି ସେ ସତେଅବା ସେହି ଆରମ୍ଭରୁହିଁ ସଂକଳ୍ପ କରିସାରିଥିଲେ । ତା’ପରେ ନିଜେ ବାଲେଶ୍ଵରରୁ ପତ୍ରିକା ଓ ସମ୍ବାଦପତ୍ର ବାହାର କଲେ । କଲିକତା ଯାଇ ଗୋରୁଗାଡ଼ିରେ ଲଦି ଛାପାଯନ୍ତ୍ରଟିଏ ବାଲେଶ୍ୱରକୁ ଆଣିଲେ । ସେତେବେଳେ ମିସନାରୀମାନଙ୍କ ବ୍ୟତୀତ ଛାପାକଳ ଓଡ଼ିଶାରେ କାହାରି ପାଖରେ ନଥିଲା । ଛାପାଯନ୍ତ୍ରରୁ ଛାପା କାଗଜ ବାହାରିବ, ଏହା ଦେଖିବା ବାଲେଶ୍ଵରବାସୀଙ୍କ ନିମନ୍ତେ ନିଶ୍ଚୟ ଏକ ଅଭିନବ ଅଭିଜ୍ଞତା ହୋଇଥିବ । ତା’ପରେ ଫକୀରମୋହନ ଓଡ଼ିଆରେ ପାଠ୍ୟପୁସ୍ତକ ଲେଖିଲେ । ଶିକ୍ଷକର ଚାକିରି ଛାଡ଼ି ସେ ତା’ପରେ ଓଡ଼ିଶାର ନାନା ଗଡ଼ଜାତକୁ ଜୀବିକା ଅର୍ଜନ କରିବାକୁ ଯାଇଥିଲେ । ସେତିକିବେଳେ ସେ ରାମାୟଣ, ଭଗବତ୍ ଗୀତା, ମହାଭାରତ, ହରିବଂଶ ଓ କେତୋଟି ଉପନିଷଦର ଓଡ଼ିଆ ଅନୁବାଦ କରୁଥିଲେ ଏବଂ କବିତା ଲେଖୁଥିଲେ ।

 

ନିଜର ସର୍ବପ୍ରଥମ ଛାପା ବହି ‘ଜୀବନଚରିତ୍ର’ର ଓଡ଼ିଆ ଅନୁବାଦରେ ପ୍ରଦତ୍ତ ମୁଖ୍ୟବନ୍ଧଟିର ଫକୀରମୋହନ ପ୍ରସଙ୍ଗକ୍ରମେ ଲେଖିଥିଲେ ଯେ, ଓଡ଼ିଆ ଏବଂ ବଙ୍ଗଳା ଦୁଇ ଭାଷା ମଧ୍ୟରେ ସେପରି କୌଣସି ପ୍ରଭେଦ ଦେଖିବାକୁ ମିଳେ ନାହିଁ । ମାତ୍ର କେତୋଟି ବିଭକ୍ତି ଏବଂ ପ୍ରତ୍ୟୟକୁ ବଦଳାଇ ଦେଲେ ଓଡ଼ିଆକୁ ବଙ୍ଗଳା କରିଦେଇ ହେବ ଓ ବଙ୍ଗଳାକୁ ଓଡ଼ିଆ ମଧ୍ୟ କରିଦେଇ ହେବ । ତାଙ୍କର ସେହି ମନ୍ତବ୍ୟଟି ତାଙ୍କପାଇଁ କାଳ ପରି ହୋଇଥିଲା । ସେହି ମନ୍ତବ୍ୟଟି ଉଦ୍ଧାରକରି ବାଲେଶ୍ଵରର ଜଣେ ବଙ୍ଗପ୍ରଦେଶୀ ଶିକ୍ଷକ ଓଡ଼ିଆ ଗୋଟିଏ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି ଯେତେବେଳେ ସିଦ୍ଧାନ୍ତ ବାଢ଼ି ଲେଖାଟିଏ ଲେଖିଥିଲେ, ସେତେବେଳେ ତାହା ଆପଣାକୁ ଓଡ଼ିଆ ବୋଲି ଅନୁଭବ କରୁଥିବା ସମ୍ପୃକ୍ତ ସମସ୍ତଙ୍କ ଲାଗି ଏକ ଆହ୍ଵାନ ପରି ଆସି ଛିଡ଼ା ହୋଇଥିଲା । ଓଡ଼ିଆ ଭାଷାକୁ ଏହି ଆହ୍ୱାନର ସମ୍ମୁଖୀନ ବଞ୍ଚାଇ ରଖିବାପାଇଁ ଫକୀରମୋହନ ସଂଗ୍ରାମ କରି ବାହାରିଲେ । ଓଡ଼ିଶା ଭାଷାର ସେହି ପର୍ଯ୍ୟାୟଟିରେ ସେ ସେନାପତିର କାର୍ଯ୍ୟ କରିଥିଲେ । ସେହି ବାଲେଶ୍ଵରରେ ରାଧାନାଥ ଓ ଫକୀରମୋହନଙ୍କର ପରସ୍ପର ମଧ୍ୟରେ ପରିଚୟ ହୋଇଥିଲା ଏବଂ ସେହି ପରିଚୟ କ୍ରମେ ଘନିଷ୍ଠ ସମ୍ପର୍କରେ ପରିଣତ ହୋଇଥିଲା । ଦୁହେଁ ବହୁତ ସମୟରେ ଏକତ୍ର ସାହିତ୍ୟଚର୍ଚ୍ଚା କରୁଥିଲେ । ବିମ୍‍ସ୍ ସାହେବ ମଧ୍ୟ ହାତପାଆନ୍ତାରେ ଥିଲେ । ଓଡ଼ିଆ ଭାଷାର ଯେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏକ ସ୍ଵାତନ୍ତ୍ର୍ୟ ରହିଛି ଏବଂ ତାହାକୁ ଯେ କଦାପି ବଙ୍ଗଳାର ଏକ ଉପଭାଷା କହି ଉଡ଼ାଇ ଦେଇହେବ ନାହିଁ, ସେହି ସତ୍ୟର ପ୍ରତିଷ୍ଠା କରି ଜନ୍ ବିମ୍‍ସ୍ କଲିକତାର ଏସିଆଟିକ୍ ସୋସାଇଟିରେ ଏକ ଭାଷାତାତ୍ତ୍ଵିକ ସମୀକ୍ଷାଗତ ପ୍ରବନ୍ଧ ଉପସ୍ଥାପିତ କରିଥିଲେ ଓ ସମସ୍ତଙ୍କର ହୃଦ୍‍ବୋଧ କରାଇପାରିଥିଲେ । ଓଡ଼ିଆ ଭାଷା ରହିଲା । ଶାସକମାନେ ତାହାକୁ ସ୍ଵୀକୃତି ଦେଇଥିଲେ ।

 

ରାଧାନାଥ ଓ ଫକୀରମୋହନ ଏକତ୍ର ଜୀବନଚର୍ଚ୍ଚାବି କରୁଥିଲେ । ସେମାନଙ୍କୁ ବେଷ୍ଟନ କରି ଓଡ଼ିଶାରୁ ବଙ୍ଗଳା ପର୍ଯ୍ୟନ୍ତ ଯାହାସବୁ ଘଟୁଥିଲା ଏବଂ ସମସାମୟିକ ବିବର୍ତ୍ତନର ଯେଉଁସବୁ ତରଙ୍ଗ ଆସି ସେମାନଙ୍କୁ ସ୍ପର୍ଶ କରୁଥିଲା, ସେମାନେ ପରସ୍ପର ପାଖରେ ଅତ୍ୟନ୍ତ ବିଶ୍ଵସ୍ତ ପରି ସେଗୁଡ଼ିକର ଆଲୋଚନା କରୁଥିଲେ । ସେତେବେଳେ ଓଡ଼ିଶାରେ ଖ୍ରୀଷ୍ଟିଆନମାନଙ୍କର ଧର୍ମପ୍ରଚାର ଆରମ୍ଭ ହୋଇଗଲାଣି । ମିସନାରୀମାନେ ହିନ୍ଦୁ ଧର୍ମାଚାରଗୁଡ଼ିକୁ କିପରି ନିରାଟ ଅନ୍ଧବିଶ୍ଵାସ ବୋଲି କହି ନିନ୍ଦା କରୁଥିଲେ, ଫକୀରମୋହନ ତାଙ୍କ ‘ଆତ୍ମଜୀବନ ଚରିତ’ରେ ତାହାର ସୂଚନା ଦେଇଛନ୍ତି-। ତଥାପି, ନିଜର ଧର୍ମରେ ଯେ ଅନେକ ଅଜ୍ଞାନ ଓ ଆବର୍ଜନା ପଶିଯାଇଛି ଓ ମଣିଷର ଗୋଡ଼ହାତକୁ ବାନ୍ଧି ରଖିଛି ଏବଂ ଅପରପକ୍ଷରେ, ଖ୍ରୀଷ୍ଟିଆନ ଧର୍ମସନ୍ଦେଶରେ ଯେ ଜାଗରଣକାରୀ ଅନେକ ଉପାଦାନ ରହିଛି, ସେହି କଥାଗୁଡ଼ିକୁ ଦୁଇଜଣଯାକ ଖୁବ୍ ଭଲଭାବରେ ହୃଦୟଙ୍ଗମ କରିପାରୁଥିଲେ । ଥରେ କୌଳିକ ହିନ୍ଦୁଧର୍ମ ପରିତ୍ୟାଗ କରି ଦୁହିଁଙ୍କର ଖ୍ରୀଷ୍ଟିଆନ ହେବାକୁ ମନ ହେଲା । ଏକଥା ଅନ୍ୟମାନଙ୍କର ଗୋଚରକୁ ଆସିଲେ ପରିବାର ତଥା ପରିଚିତମାନଙ୍କଠାରୁ ନିଶ୍ଚୟ ଅନେକ ବିରୋଧ ସହିବାକୁ ପଡ଼ିବ; ତେଣୁ ହୁଏତ କମ୍ ଭୟ ଲାଗିବ ବୋଲି ଆଶା କରି ଉଭୟେ ଏକାଦିନକେ ଧର୍ମାନ୍ତର ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ପରେ ଚିନ୍ତା କରି ରାଧାନାଥ ତାଙ୍କୁ ତା’ପରେ ଆସି ଜଣାଇଲେ ଯେ ସେ କଦାପି ହିନ୍ଦୁଧର୍ମ ଛାଡ଼ି ପାରିବେ ନାହିଁ ଏବଂ ଏକଥା ଶୁଣି ଏକୁଟିଆ ଖ୍ରୀଷ୍ଟିଆନ ହେବାଲାଗି ଫକୀରମୋହନଙ୍କରବି ଆଉ ସାହସ ହେଲା ନାହିଁ ।

 

ପରବର୍ତ୍ତୀ କାଳରେ ଫକୀରମୋହନ ଖ୍ରୀଷ୍ଟିଆନ ଧର୍ମଶାସ୍ତ୍ର ବାଇବେଲକୁ ‘ସରକାରୀ ମହାପୁରାଣ’ ବୋଲି କହିଛନ୍ତି । ଅନୁମାନ କରାଯାଇପାରେ, ଖ୍ରୀଷ୍ଟପ୍ରଚାରିତ ଧର୍ମସନ୍ଦେଶର କେତୋଟି ପ୍ରସଙ୍ଗ ଓ ଉପାଦାନ ତାଙ୍କୁ ଅବଶ୍ୟ ପ୍ରେରଣା ଦେଇଥିବ । ମାତ୍ର ମିସନାରୀମାନଙ୍କର ଧର୍ମପ୍ରଚାରର ପ୍ରଣାଳୀ ତାଙ୍କୁ ମୋଟେ ଯଥାର୍ଥ ବୋଲି ଲାଗି ନଥିବ । ୧୯୦୯ ମସିହାରେ ପ୍ରକାଶିତ ହୋଇଥିବା ଆପଣାର ‘ବୌଦ୍ଧାବତାର କାବ୍ୟର’ ଭୂମିକାରେ ଫକୀରମୋହନ ‘’ଭାରତର ସମସ୍ତ ଦୁର୍ଦ୍ଦଶାର କାରଣ ହିନ୍ଦୁଧର୍ମ ଅଟେ’’ ବୋଲି ଉଲ୍ଲେଖ କରିଛନ୍ତି । ହିନ୍ଦୁଧର୍ମ ନାମରେ ଯେଉଁସବୁ ଜଡ଼ତା ଏବଂ ଗ୍ରହଣକାତରତା ହିନ୍ଦୁଧର୍ମକୁ ପ୍ରାୟ ପାରମ୍ପରିକ ଭାବରେ ଅନ୍ଧାରଜର୍ଜର କରି ରଖିଥିଲା, ଫକୀରମୋହନ ସର୍ବଦା ସେଗୁଡ଼ିକୁ ବର୍ଜନୀୟ ବୋଲି ବିଚାର କରୁଥିଲେ । ତାଙ୍କର ଏକାଧିକ କ୍ଷୁଦ୍ରଗଳ୍ଳ୍ପ ଅଳ୍ପବହୁତ ସେହି ମର୍ମରେ ରଚିତ ହୋଇଛି । ଆଧୁନିକ ଶିକ୍ଷା, ଆଧୁନିକ ସଂସ୍କାର–ଏଗୁଡ଼ିକ ଲାଗି ସମାଜରେ ବାଟ ଛାଡ଼ି ଦିଆଯାଉଛି ବୋଲି ସେ ତାଙ୍କର ଉପନ୍ୟାସ ଓ କବିତାଗୁଡ଼ିକରେ କୌଣସି ସଙ୍କୋଚ ନ ରଖି ଘୋଷଣା କରିଥିଲେ । ଧର୍ମ ଓ ଆଚାର ନାମରେ ସମାଜରେ ମନୁଷ୍ୟମାନଙ୍କୁ କେଡ଼େ ଅସହାୟ ଭାବରେ ଗଧ କରି ରଖାଯାଇଥିଲା, ଫକୀରମୋହନ ସେହି ବିଷୟରେ ଅତ୍ୟନ୍ତ ସଚେତନ ଥିଲେ ଏବଂ ଆପଣାର ଶାଣିତ ଅଥଚ ବିନୋଦପୂର୍ଣ୍ଣ ଶୈଳୀରେ ତଥା ତଦନୁରୂପ ଏକ ଭାଷାରେ ଆପଣାର କଥାଗୁଡ଼ିକୁ କହିବାକୁ ସେ ଆଦୌ କୌଣସି କାର୍ପଣ୍ୟ କରୁ ନଥିଲେ । ମନୁଷ୍ୟ ବିଷୟରେ ତାଙ୍କର ଚେତନାର ଯେଉଁ ଚିତ୍ରଟି ସବୁବେଳେ ରହିଥିଲା, ତାହାହିଁ ତାଙ୍କର ଗଦ୍ୟ ଏବଂ ପଦ୍ୟକୁ ଅନୁରୂପ ଭାବରେ ପରିଚାଳିତ କରି ନେଇଥିଲା । ଆପଣାର କବିତା ଲେଖାରେ ଫକୀରମୋହନ, ଦୀନକୃଷ୍ଣ ଓ ଜଗନ୍ନାଥ ଦାସଙ୍କର ପଦାଙ୍କ ଅନୁସରଣ କରୁଥିଲେ ବୋଲି ସ୍ଵୟଂ ସ୍ଵୀକାର କରିଛନ୍ତି । ଚାକିରି କାଳରେ ସିଏ କେବଳ ପଦ୍ୟହିଁ ଲେଖିଛନ୍ତି, ଚାକିରିରୁ ଅବସର ଗ୍ରହଣ କରିବା ପରେ ଯାଇ ଯାହାକିଛି ଗଦ୍ୟ ଲେଖିଛନ୍ତି । ଫକୀରମୋହନଙ୍କର ଗଳ୍ପ ଏବଂ ଉପନ୍ୟାସଗୁଡ଼ିକର ଯେତେ ଆଲୋଚନା ହୁଏ, କୌଣସି କାରଣରୁ ତାଙ୍କର କବିତାଗୁଡ଼ିକର ସେତେ ଆଲୋଚନା ହୁଏ ନାହିଁ । ଓଡ଼ିଶା ବାହାରେ ଯେ ବୃହତ୍ତର ପୃଥିବୀଟିଏ ରହିଛି, ସମ୍ଭବତଃ ଫକୀରମୋହନହିଁ ପ୍ରଥମ ଥରପାଇଁ ଓଡ଼ିଆ ସାହିତ୍ୟରେ, ବିଶେଷତଃ, ଓଡ଼ିଆ କବିତାରେ ସେହି ଅନୁଭବଟିକୁ ଆଣି ଦେଇଥିଲେ । ତାଙ୍କ କବିତାରେ ସାମଗ୍ରୀ ସତେଅବା ସମଗ୍ର ପୃଥିବୀଯାକରୁ ଚୟନ ହୋଇ ଆସିଥିଲା । ବଙ୍ଗଳାର ତତ୍କାଳୀନ ଗଦ୍ୟରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ‘ଆଖ୍ୟାନ-ମଞ୍ଜରି’ ଯେମିତି, ଫକୀରମୋହନଙ୍କର କବିତାଗୁଡ଼ିକ ପ୍ରାୟ ସେମିତି, ଆମକୁ ପୃଥିବୀର କେତେକେତେ ଆଡ଼କୁ ଉଡ଼ାଇ ନେଇଯାଏ । ତାଙ୍କ କବିତାରେ ସନ୍ଥ ତୁକାରାମ ଅଛନ୍ତି, ଯିଶୁଖ୍ରୀଷ୍ଟ ଓ ଜୋସେଫାଇନ୍ ଅଛନ୍ତି କ୍ଳିଓପେଟ୍ରା ଅଛନ୍ତି, ଋଷ୍-ଜାପାନ ଯୁଦ୍ଧ ମଧ୍ୟ ରହିଛି । ‘‘ଚାରିଆଡ଼େ ପଡ଼ିଅଛି ଉନ୍ନତି ଚହଳ, ନିଦ୍ରିତ କି ରହିଥିବ ଉତ୍କଳ କେବଳ’’ ବୋଲି ସେ ଆମ କାନପାଖରେ ଆସି ସତେଅବା କେଡ଼େ ପାଟି କରି କହିବାକୁ ଇଚ୍ଛା କରିଛନ୍ତି । ସମ୍ଭବତଃ ପ୍ରଥମ କରି ସେ ଧର୍ମର ମାଧ୍ୟମରେ ସାମାଜିକ ସ୍ଥିତିଗୁଡ଼ିକର ମୂଲ୍ୟସମୀକ୍ଷା କରିବା ନିମନ୍ତେ ଚେଷ୍ଟା କରିଛନ୍ତି, ରାଧାନାଥ ବା ମଧୁସୂଦନଙ୍କ ପରି କୁଆଡ଼େ ପଳାଇଯାଇ ନାହାନ୍ତି । ଧର୍ମ ଧର୍ମର ସନ୍ଦେଶ ବିଷୟରେ ତାଙ୍କର ସମନ୍ଵଯ-କଳ୍ପନା-ତାହା ସେହି ସମୟରେ ପ୍ରକୃତରେ ଏକ ସାହସିକତାର କାର୍ଯ୍ୟ ହୋଇଥିବ । ଆମର ଏହି କାଳରେ ମଧ୍ୟ ତାହାର ଏକ ପ୍ରାସଙ୍ଗିକତା ରହିଛି । ତାହା ଆମର ସାଂପ୍ରତିକ ପୌତ୍ତଳିକତା ଉପରେ କଠୋର ଆଘାତ କରୁଛି ।

 

ଇସ୍‍ଲାମର ବିଶ୍ଵାସ, ଯିଶୁଖ୍ରୀଷ୍ଟ ପ୍ରଚାର କରିଥିବା ପ୍ରେମ, ଗୌତମଙ୍କର ବୈରାଗ୍ୟ ଓ ଶ୍ରୀଚୈତନ୍ୟଙ୍କର ଭକ୍ତି ଏକାଧାରେ ନିଜର ଜୀବନ ମଧ୍ୟରେ ଏହି ଚାରୋଟିର ଯୋଗ୍ୟ ହେଲେ ଆମକୁ ସ୍ଵର୍ଗର ଅଧିକାର ମିଳିପାରିବ ବୋଲି ସେ ଘୋଷଣା କରିଛନ୍ତି । ଆଧ୍ୟାତ୍ମିକତାର ଆକାଶରେ ସେ ଗୌତମ, ଯିଶୁ, ମହମ୍ମତ, ନାନକ, ଶଙ୍କରାଚାର୍ଯ୍ୟ, ରାମମୋହନ ଏବଂ ଚୈତନ୍ୟଙ୍କୁ ସପ୍ତର୍ଷିରୂପେ ମାନିଛନ୍ତି । କୃଷ୍ଣ ଏବଂ ଯିଶୁଙ୍କୁ ଗୋଟିଏ ବୃନ୍ତରେ ଦୁଇଟି ଫୁଲ ବୋଲି କହିଛନ୍ତି । ବିଶ୍ଵାସ, ବୈରାଗ୍ୟ, ପ୍ରେମ ଓ ଭକ୍ତିକୁ ସେ ଧର୍ମର ଚାରୋଟି ପଦ ବୋଲି ଘୋଷଣା କରିଛନ୍ତି । ଏହି ଧର୍ମ, ଏ ଧର୍ମ କିମ୍ବା ସେ ଧର୍ମ ମୋଟେ ନୁହେଁ; ଏହା ହେଉଛି ଯଥାର୍ଥ ଧର୍ମ, ପୃଥିବୀକୁ ଆଖି ଯୋଗାଇଦେବା ଭଳି ଏକ ଧର୍ମଦୃଷ୍ଟି । ଏହି ସମନ୍ଵୟଟି ସକାଶେ ସେ ଇସ୍‍ଲାମରୁ ବିଶ୍ଵାସ ଆଣିଛନ୍ତି, ବୌଦ୍ଧଧର୍ମରୁ ବୈରାଗ୍ୟ ଆଣିଛନ୍ତି, ଚୈତନ୍ୟମାର୍ଗରୁ ଭକ୍ତି ଏବଂ ଖ୍ରୀଷ୍ଟଧର୍ମରୁ ପ୍ରୀତିକୁ ଆଣି ଏକାଠି ଗୋଳିଛନ୍ତି । ଯିଏ ଦେହକୁ ଚିତ୍ର କରେ, ଜଟା, ମୃଗଚର୍ମ, କମଣ୍ଡଳୁ, ଦଣ୍ଡ ବା ବିଭୂତି ଧାରଣ କରିଥାଏ ଏବଂ ‘ଧନୀଦତ୍ତ ବିତ୍ତଅର୍ଥେ ଜୀବିକା ପୋଷଣ’ କରୁଥାଏ, ଫକୀରମୋହାନ ତାକୁ ପ୍ରକୃତ ଯୋଗୀ ବୋଲି କହିବାକୁ ଇଚ୍ଛା କରି ନାହାନ୍ତି । ତାଙ୍କର ‘ଯମ ଦରବାର’ କବିତାରେ ସମସ୍ତଙ୍କୁ ଗାଳି ଦେଉଥିବା ବଦରାଗୀ, ଖବରକାଗଜ ପଢ଼ି ପଇସା ଦେଉ ନଥିବା ଜମିଦାର, ପିଲାଙ୍କୁ ମାଡ଼ ମାରୁଥିବା ଇସ୍କୁଲ୍ ମାଷ୍ଟର, ମାଆକୁ ଅବହେଳା ଦେଖାଇ ଶ୍ଵଶୁରଘରେ ଯାଇ ରହୁଥିବା ଇଂରେଜୀ ପାଠ ପଢ଼ିଥିବା ଯୁବକ ଏବଂ ଅଶ୍ଳୀଳ କବିତା ଲେଖୁଥିବା କବି ଯମରାଜା ଦରବାରରେ ଦଣ୍ଡ ପାଇଛନ୍ତି । ମାତ୍ର, ପେଟ ବିକଳରେ ଚୋରି କରୁଥିବା ଚୋର ‘ନଟ୍ ଗିଲ୍‍ଟି’ ବୋଲି ଘୋଷିତ ହୋଇଛି । ଆଉ ଗୋଟିଏ କବିତାରେ ଅନ୍ୟମାନଙ୍କୁ କାଫେର୍ ବୋଲି କହୁଥିବା ମୁସଲମାନ, ଭେକ ଗଳାଇଥିବା ବୈଷ୍ଣବ, ଖାଲି ଯିଶୁଖ୍ରୀଷ୍ଟଙ୍କର ଉପାସନା କରୁଥିବା ଖ୍ରୀଷ୍ଟିଆନ-ଏମାନେ କେହିହେଲେ ସ୍ଵର୍ଗରାଜ୍ୟକୁ ଯିବାର ଅଧିକାର ଲାଭ କରି ନାହାନ୍ତି ।

 

ଆପଣାର କବିତାରେ ସେ ସମାଜର ନିମ୍ନତମ ମଣିଷର କଥା ମଧ୍ୟ କହିଥିଲେ । ତାଙ୍କର ‘ଉତ୍କଳ କୃଷକ’ ନାମକ କବିତା ତାହାର ଉଦାହରଣ । “କୃଷକ ତ କରେ ନାହିଁ ବକ୍ତୃତା ରଚନା, କେ କରିବ ତାହା କଥା କିପାଇଁ ଭାବନା ? -ଏଇଟି ହେଉଛି ସେହି କବିତାରେ ଥିବା ତାଙ୍କର ଗୋଟିଏ ଶ୍ଳେଷୋକ୍ତି । ସେତେବେଳର ନୂଆ ଇଂରାଜୀ ପାଠ, ନୂଆ ଉପରମୁହାଁ ସଭ୍ୟତା ଆସି ମଣିଷମାନଙ୍କୁ ଯେପରି ଅନ୍ୟ ମଣିଷମାନଙ୍କ ବିଷୟରେ ଉଦାସୀନ ଓ ନିର୍ମମ କରି ପକାଉଥିଲା, ଫକୀରମୋହନ ତାହାର ପ୍ରତିବାଦ କରିଛନ୍ତି, ଜୀବନର ଅସଲ ମୂଲ୍ୟଗୁଡ଼ିକୁ ପାସୋରି ଦେବାର ଦୁର୍ବୁଦ୍ଧି ଦେଉଥିବା ସେହି ସଭ୍ୟତା ଆଦୌ ଲୋଡ଼ା ନାହିଁ ବୋଲି କେତେ ଦୃଢ଼ତାର ସହିତ କହିଛନ୍ତି–

 

“ବିଳାସ ବାସନା ଅନ୍ନପାଇଁ ହାହାକାର,

ପ୍ରବଞ୍ଚନା ପ୍ରତାରଣା ଅଳୀକ ବେଭାର

ସ୍ଵାର୍ଥ ଆସେ ପରାର୍ଥକୁ ଦେବା ବଳିଦାନ

ନିତ୍ୟ ବ୍ୟସ୍ତ ଲଭିବାକୁ ଗୌରବ ସମ୍ମାନ

ନାହିଁ ଲୋଡ଼ା ସେ ସଭ୍ୟତା, କି ହେବ ସେ ଜ୍ଞାନେ

ଦେବାକୁ ଯଦ୍ୟପି ହେବ କଷ୍ଟ ପରପ୍ରାଣେ ।

ଯେ ବିଦ୍ୟା ସଭ୍ୟତା କ୍ଷଣଭଙ୍ଗୁର ଜୀବନ,

କଳୁଷିତ କରେ, ତହିଁ କିବା ପ୍ରୟୋଜନ ?”

 

ମଣିଷକୁ ପାସୋରି ବଡ଼ଲୋକ ବୋଲାଉଥିବା ଲୋକମାନଙ୍କୁ ଫକୀରମୋହନ ବେଙ୍ଗ ସହିତ ତୁଳନା କରିଛନ୍ତି । ତାଙ୍କର ଚାରିଗୋଟି ଉପନ୍ୟାସ ଏବଂ ବହୁସଂଖ୍ୟକ ଗଳ୍ପ ଏହିପରି ଭାବରେ ସାମାଜିକ ବିଶ୍ଳେଷଣ ଏବଂ ମନୁଷ୍ୟ ପ୍ରତି ତାଙ୍କର ଅଗାଧ ସମ୍ବେଦନଶୀଳତାରେ ପୂର୍ଣ୍ଣ ହୋଇ ରହିଛି । ସମାଜକୁ ଗିଳି କରି ରହିଥିବା ବିଷମତା ଓ ହୃଦୟହୀନତାର ସାଧନାରୂପେ ଫକୀରମୋହନ ଆମକୁ ଯାହା କହିଛନ୍ତି, ସେଥିରୁ ସେ ଏକାନ୍ତ ଭାବରେ ଭାଗ୍ୟବାଦୀ ଥିଲେ ବୋଲି ଅନୁମାନ କରିବାଲାଗି ଯଥେଷ୍ଟ କାରଣ ରହିଛି । ତତ୍କାଳୀନ ଓଡ଼ିଶାର ଅମୁହାଁ ଘରଭିତରେ ସମ୍ଭବତଃ ଏତିକି ବ୍ୟତୀତ ଆଉ ଅଧିକକୁ ଆଦୌ ଆଖି ପାଉ ନଥିଲା । ତଥାପି ତାଙ୍କୁ ଆମେ ତତ୍କାଳୀନ ଓଡ଼ିଶାରେ ଆମଲାଗି ଏକାବେଳକେ ଅନେକ ଝରକା ଖୋଲିଦେଇ ଯାଇଥିବା ଜଣେ ବନ୍ଧୁ ଏବଂ ସହଚରରୂପେ ସବୁଦିନ ଲାଗି ଅବଶ୍ୟ ମନେରଖିବା । ଏହି ଓଡ଼ିଶାରେ ତଥା ଓଡ଼ିଆ ସାହିତ୍ୟ ଭିତରେ ଯେ ଏତେ ସମ୍ଭାବନା ରହିଛି, ଆମର ସର୍ବପ୍ରଥମ ବନ୍ଧୁ ଭଳି ଫକୀରମୋହନହିଁ ଅମିତ ବିଶ୍ଵାସ, ସଂକଳ୍ପ ଏବଂ ପ୍ରତ୍ୟୟ ସହିତ ଆମକୁ ସେହି କଥାଟିକୁ କହିଯାଇଛନ୍ତି, ଏକ ନୂତନ ଆକାଂକ୍ଷା ସହିତ ଆମର ଉପନୟନ କରାଇଛନ୍ତି । ତାଙ୍କର ସାହିତ୍ୟ ଯଥାର୍ଥରେ ଆପଣାକୁ ଭବିଷ୍ୟ ଆଡ଼କୁ ପ୍ରକ୍ଷେପିତ କରି ରଖିଥିବା ଏକ ସାହିତ୍ୟ, ଯଥାର୍ଥରେ ଆଧୁନିକ ବୋଲି ଦାବି କରିପାରିବାର ଏକ ସାହିତ୍ୟ । ଯେଉଁ ସେନାପତି ପ୍ରାୟ ଏକାଏକା ସେକାଳରେ ଏକାବେଳକେ ଏତେ କିଛି ସମ୍ଭବ କରିପାରିଲେ, ସିଏ ଆମ୍ଭମାନଙ୍କୁ ଚିରଦିନ ସକାଶେ ଅନେକ ପ୍ରେରଣା ଦେଉଥିବେ । ଜୀବନର ଶେଷ ଚରଣରେ ‘ଜୀର୍ଣ୍ଣ ଫୁଲର ଆଶୀର୍ବାଦ’ ନାମକ ନିଜର ଗୋଟିଏ କବିତାରେ ସିଏ ସତେଅବା ପରବର୍ତ୍ତୀ କାଳର ଆମ ସମସ୍ତଙ୍କୁ ଏକ ଅଭିନବ ଆତ୍ମୀୟତାର ଡୋରରେ ଏକାଠି ବାନ୍ଧି ଭବିଷ୍ୟ ଆଡ଼କୁ ହାତ ବଢ଼ାଇ ଦେଖାଇ ଦେଇଛନ୍ତି ଏବଂ “ଆଶୀର୍ବାଦ ! ଆଶୀର୍ବାଦ ! ନବ ପତ୍ରଦଳ’’ ବୋଲି ଆମ କାନପାଖରେ ଆସି ଶୁଣାଇଛନ୍ତି । ଓଡ଼ିଆ ସାହିତ୍ୟର ଆମ ସାଂପ୍ରତିକ ଅତୀତ ମଧ୍ୟରେ ଫକୀରମୋହନ ନିଃସନ୍ଦେହ ଭାବରେ ଗୌରବ ବଢ଼ାଇ ଥିବାର ଜଣେ ପ୍ରିୟଜନ ହୋଇ ଅବଶ୍ୟ ରହିଥିବେ, ମାତ୍ର ଆମେ ତାଙ୍କୁ ଭବିଷ୍ୟ ବିଷୟରେ ଆମର ଯାବତୀୟ ଉଦ୍ୟମ ଓ ଆକାଂକ୍ଷାରେ ମଧ୍ୟ ସ୍ମରଣ କରିବାର ଯୋଗ୍ୟ ହେବାକୁ ଚେଷ୍ଟା କରିବା, ଏବଂ ବିଶେଷକରି ଏହି ଦୃଷ୍ଟିରୁ ଫକୀରମୋହନଙ୍କ ସାହିତ୍ୟର ଅନେକ ଅଧିକ ଗବେଷଣା ହେବା ଉଚିତ ।

 

ଗଙ୍ଗାଧର ମେହେରଙ୍କର ‘ତପସ୍ଵିନୀ’ କାବ୍ୟ ପାଠକଲେ ଅତ୍ୟନ୍ତ ସ୍ପଷ୍ଟ ହୋଇଯାଏ ଯେ ସାହିତ୍ୟ ତାଙ୍କ ଲାଗି ଏକ ତପସ୍ୟା ପରି ଥିଲା । କବିବର ରାଧାନାଥଙ୍କ ପରି ସିଏ ମଧ୍ୟ ନିଜର କବିତାଗୁଡ଼ିକ ମଧ୍ୟରୁ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉକୁଟାଇ ଆଣିଥିଲେ, ସେନାପତି ଫକୀରମୋହନଙ୍କ ପରି ସିଏ ମଧ୍ୟ ମାତୃଭାଷାର ଉନ୍ନତିପାଇଁ ମସୀ ଧରି ସଂଗ୍ରାମ କରୁଥିଲେ, ତଥାପି ସିଏ ମୂଳତଃ ଜଣେ ତପସ୍ଵୀ ଥିଲେ । ତାଙ୍କର ସାହିତ୍ୟ ସାଧନାର ଏକ ଅଙ୍ଗ ହୋଇ ରହିଥିଲା; ତାଙ୍କ ଅଧ୍ୟାତ୍ମ ଜୀବନର ଅଙ୍ଗ ଥିଲା । ସେଥିଲାଗି ତତ୍କାଳୀନ ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ପ୍ରକୃତରେ ଅନନ୍ୟ ହୋଇ ରହିଛନ୍ତି । ଗଙ୍ଗାଧରଙ୍କର ନିଜ ମାହାଲ ସମ୍ବଲପୁର ସେତେବେଳେ ଓଡ଼ିଶା ଭିତରେ ନଥିଲା । ତାହା ମଧ୍ୟପ୍ରଦେଶ ଭିତରେ ରହିଥିଲା ଓ ସୁଦୂର ନାଗପୁରରୁ ଶାସିତ ହେଉଥିଲା । କଲିକତାରୁ ଆଧୁନିକ ସଂକ୍ରମଣଟି ଯେପରି ସିଧା ଓଡ଼ିଶାର ଉପକୂଳ ଅଞ୍ଚଳକୁ ସ୍ପର୍ଶ କରିଥିଲା, ପଶ୍ଚିମ ଓଡ଼ିଶା ଯାଏଁ ତାହା କେତେଦୂର କିପରି ଯାଇ ପହଞ୍ଚି ପାରିଥିଲା କେଜାଣି ? ପଶ୍ଚିମ ଓ ପୂର୍ବ ଓଡ଼ିଶା ମଧ୍ୟରେ ଗଡ଼ଜାତି ଅନ୍ଧାର ଏକ ଅଭୟାରଣ୍ୟ ପରି ବିସ୍ତାରିତ ହୋଇ ରହିଥିଲା, ଯାହା ଭିତରେ କି କୌଣସି ନୂତନ ଉଦ୍‍ବେଳନ ଆଦୌ ପ୍ରବେଶ କରିପାରୁ ନଥିଲା । ତଥାପି, ନିପଟ ଗାଁର ଜଣେ ଭୁଲିଆ ଘରର ପିଲା ନିଜ ହାତରେ ଯେ ନିଜକୁ ଗଢ଼ି ସମ୍ପୂର୍ଣ୍ଣ ଭାବରେ ନିଜ ଉତ୍ସାହ ଏବଂ ଉଦ୍ୟମଦ୍ଵାରା ସାହିତ୍ୟ ଭିତରେ ପ୍ରବେଶ କରି ନିଜ ଆଖିରେ ଏପରି ଗଭୀର ସରସ ଏବଂ ଅନୁରାଗଯୁକ୍ତ ଭାବରେ ଜୀବନକୁ ଓ ସଂସାରକୁ ଦେଖିପାରିଲା, ତାହାହିଁ ଓଡ଼ିଆ ସାହିତ୍ୟରେ ଆମ ସମସ୍ତଙ୍କ ନିମନ୍ତେ ଗଙ୍ଗାଧର ମେହେରଙ୍କ ଜୀବନର ସର୍ବପ୍ରଧାନ ସନ୍ଦେଶ ହୋଇ ରହିଥିବ ।

 

ଗଙ୍ଗାଧର ପ୍ରାଚୀନ ଥିଲେ, ନବୀନ ମଧ୍ୟ ଥିଲେ । ସେ ଭଞ୍ଜସାହିତ୍ୟ ପଢ଼ିଥିଲେ, କାଳିଦାସ ପଢ଼ିଥିଲେ, ସେମାନଙ୍କଠାରେ ଯଥେଷ୍ଟ ସାମଗ୍ରୀ ଓ ଶୈଳୀକୁ ନିଜପାଇଁ ସଂଗ୍ରହ କରି ଆଣିଥିଲେ ଏବଂ ଆପଣାର ଏକ ଏକାନ୍ତ ସ୍ଵକୀୟ ମଧୁରତାରେ ନିଜର ସୃଜନଗୁଡ଼ିକରେ ନବୀନତାର ପରିଚୟ ଦେଇପାରିଥିଲେ । ଗଙ୍ଗାଧର ସାହିତ୍ୟ ପାଖରେ ଅତ୍ୟନ୍ତ ସ୍ଵାଭାବିକ ଥିଲେ, କସରତ କରି ସେ ଆଦୌ କିଛି ଲେଖି ନଥିଲେ । ପ୍ରାଚୀନ ଧାରାରେ ସିଏ ଆପଣା ସାହିତ୍ୟିକ ଜୀବନର ପ୍ରଥମ ସୋପାନରେ ‘ରସ ରତ୍ନାକର’ ବୋଲି ଗ୍ରନ୍ଥଟିଏ ଲେଖିବା ଆରମ୍ଭ କରି ଦେଇଥିଲେ, ମାତ୍ର ତାହା ଅସମ୍ପୂର୍ଣ୍ଣ ହୋଇ ରହିଗଲା । ତାହାକୁ ସମ୍ପୂର୍ଣ୍ଣ କରିବା ସକାଶେ ଯେତେବେଳେ କେହି ତାଙ୍କୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ସିଏ ଉତ୍ତର ଦେଇ କହିଥିଲେ–“ବର୍ତ୍ତମାନ ଯୁଗରୁଚି ଅନେକ ପରିମାଣରେ ମାର୍ଜିତ ହୋଇଯାଇଥିବାରୁ ଏହା ତହିଁର ବିରୋଧୀ, ତେଣୁ ପ୍ରକାଶଯୋଗ୍ୟ ନୁହେଁ ।’’ ସେହି ସମୟରେ ଓଡ଼ିଆ ସାହିତ୍ୟର ପ୍ରାଚୀନ ଏବଂ ଆଧୁନିକ ରୀତିର ସମର୍ଥକମାନଙ୍କ ମଧ୍ୟରେ ‘ଇନ୍ଦ୍ରଧନୁ’ ଏବଂ ‘ବିଜୁଳି’ ନାମକ ଦୁଇଟି ପତ୍ରିକାର ମାଧ୍ୟମରେ ଯେଉଁ ତର୍କଯୁଦ୍ଧ ଚାଲିଥିଲା ଏବଂ ଯାହାକୁ ‘ଆଦି ରସିଆ’ ଏବଂ ‘ଅନାଦି ରସିଆ’ଙ୍କ ଦୁଇ ଶିବିର ଭିତରେ ଏକ ଯୁଦ୍ଧ ବୋଲି କୁହାଯାଇଛି, ଗଙ୍ଗାଧର ମେହେର ପ୍ରାଚୀନ ତଥା ନବୀନ ଦୁଇଟିଯାକର ହୃଦୟକୁ ଚିହ୍ନି ପାରୁଥିବାରୁ ସେହି ଯୁଦ୍ଧର ବାହାରେହିଁ ରହିଥିଲେ ।

 

କବି ମେହେରଙ୍କ ଭାଷା, ପ୍ରକାଶଭଙ୍ଗୀ ଏବଂ କାବ୍ୟଦୃଷ୍ଟି ଏକାନ୍ତ ସ୍ଵକୀୟ ଥିଲା । ବରପାଲିର ତତ୍କାଳୀନ ରାଜାଙ୍କ ନାମରେ ସେ ଦୁଇଟି କବିତା ଭଣିତା କରି ବାହାର କରିବାପରେ ସୁଦୂର ପୂର୍ବ ଓଡ଼ିଶାରେ ଥାଇ ମଧ୍ୟ କବିବର ରାଧାନାଥ ତାହାକୁ ମେହେରଙ୍କର କବିତା ବୋଲି ଚିହ୍ନିନେଇ ପାରିଥିଲେ । ବରପାଲି ରାଜା ତାଙ୍କ ନାମରେ କବିତା ଲେଖିବାକୁ ବାଧ୍ୟ କରିଥିଲେ, ସେକଥା ଆଦୌ ନୁହେଁ । ବାମଣ୍ଡା, କଳାହାଣ୍ଡି, ସୋନପୁର ଓ ଟିକିଲି ପ୍ରଭୃତି ରାଜ୍ୟର ରାଜା ଓ ଜମିଦାରମାନେ ସର୍ବବିଧ ସମ୍ମାନର ସହିତ କବିଙ୍କୁ ନିଜ ଗହଣରେ ରଖିବା ସକାଶେ ବିଭିନ୍ନ ସମୟରେ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ କବି ମେହେର ସେଥିରେ ସମ୍ମତ ହୋଇପାରି ନଥିଲେ । ଏହିସବୁ ସୁଯୋଗକୁ ସେ ସତେଅବା ନିଜ ସ୍ଵଭାବ ଏବଂ ଅଭିରୁଚିର ବିରୋଧୀ ବୋଲି ହୃଦୟଙ୍ଗମ କରୁଥିଲେ । ସେତେବେଳେ ରାଜାଙ୍କୁ ଆଶ୍ରା କରି କବିତା ବହି ଛପାଇବା ସତେଅବା ଦାଣ୍ଡର ରୀତି ହୋଇ ରହିଥିଲା । ରାଜା କେତେ ଜଣଙ୍କର ପୃଷ୍ଠପୋଷକତା ଲାଭ କଲେ ଓଡ଼ିଆ ସାହିତ୍ୟ କେତେକଅଣ ହୋଇଯାଇପାରନ୍ତା ବୋଲି ଖେଦ କରି କବି ରାଧାନାଥ ଗଙ୍ଗାଧରଙ୍କ ପାଖକୁ ଚିଠି ମଧ୍ୟ ଲେଖିଛନ୍ତି । ଗଙ୍ଗାଧର ସେହି ଜାଲରେ ପଡ଼ି ନାହାନ୍ତି, ଜାଲରେ ପଡ଼ିବାକୁ ଯାଉଥିବା ଆଉ କାହାରି ବିରୋଧରେ ସେ କୌଣସି ଅଭିଯୋଗ ମଧ୍ୟ କେବେହେଲେ କରି ନାହାନ୍ତି ।

 

ରାଧାନାଥ ଓ ଫକୀରମୋହନ ଆପଣାର ସାହିତ୍ୟିକ ଜୀବନରେ ପ୍ରଥମେ ଅନୁରାଗୀ ଥିଲେ, ମାତ୍ର ଜୀବନରେ ଅନ୍ତିମ ସୋପାନରେ ସତେଅବା ବୈରାଗୀ ହୋଇଗଲେ, ଉଦାସୀନ ହୋଇଗଲେ । କବି ଗଙ୍ଗାଧର ମେହେର ସମ୍ଭବତଃ ସମ୍ପୂର୍ଣ୍ଣ ଏକ ଅନ୍ୟ ଧାତୁରେ ଗଠିତ ହୋଇଥିଲେ । ତେଣୁ, ଜୀବନରେ ଆପଣାର ସୃଜନଶୀଳତାକୁ ସେ କ୍ରମେ ଅଧିକରୁ ଅଧିକ ପ୍ରଶସ୍ତ କରି ଦେଇପାରିଥିଲେ ଓ ନିଜ ଭିତରେ ପାହାଚ ପାହାଚ ହୋଇ ଉଠିଯାଇ ପାରୁଥିଲେ । ତାଙ୍କଦ୍ଵାରା ଲିଖିତ ଅନେକଗୁଡ଼ିଏ କ୍ଷୁଦ୍ର କବିତା ରହିଛି, ଯେଉଁଥିରେ କି ଏକାଧାରରେ ତଥ୍ୟପ୍ରଧାନତା, ସରସତା ଏବଂ ଶ୍ଳେଷ ଭରି ରହିଛି । ‘ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର’ କବିତାଟିର ଆମ ଆଧୁନିକ କାଳରେ ମଧ୍ୟ ଏକାନ୍ତ ପ୍ରାସଙ୍ଗିକତା ରହିଛି । ଚେତନାରେ, ଶ୍ରଦ୍ଧାରେ ଏବଂ ଏକାତ୍ମକତାରେ କେତେ ଉପରକୁ ଚାଲି ଯାଇଥିଲେ ମଧ୍ୟ ସେ କେତେବେଳେ ହେଲେ ଭୂଇଁ ଛାଡ଼ି ନାହାନ୍ତି । ତାଙ୍କର ସମସାମୟିକ ଅନ୍ୟ କୌଣସି କବିଙ୍କର ଚେରଗୁଡ଼ିକ ଏତେ ଗଭୀର ଭାବରେ ଭୂଇଁଟିକୁ ଭେଦ କରି ରହିପାରି ନଥିଲା ଏବଂ ତଥାପି ଏତେ ସହଜ ଓ ସ୍ଵାଭାବିକ ଭାବରେ ଆକାଶକୁ ହାତ ବଢ଼ାଇ ନଥିଲା । ତେଣୁ, ଗଙ୍ଗାଧରଙ୍କ କବିତା ପାଠ କଲା ସମୟରେ ସେ ଆମର ଏତେ ଆପଣାର ବୋଲି ମନେହୁଅନ୍ତି, ଏତେ ନିକଟରେ ରହିଥିବା ପରି ଲାଗନ୍ତି । ତାଙ୍କର ପ୍ରାଚୀନଟା ମଧ୍ୟ ଆମେ ଆଦୌ ପ୍ରାଚୀନ ପରି ଲାଗେ ନାହିଁ ଏବଂ ଆଦୌ କିଛି ଲେଖୁଥିବା ସମୟରେ କବି ମେହେର କେବେ ସଚେତନ ଭାବରେ ଆଧୁନିକ ହେବାକୁ ଉଦ୍ୟମ କରିଛନ୍ତି ବୋଲି ମୋଟେ ମନେହୁଏ ନାହିଁ । ବିଦେଶୀ ସାହିତ୍ୟରୁ ସାମଗ୍ରୀ ଆଣି ତାକୁ ଓଡ଼ିଆ ସାହିତ୍ୟ ହାଣ୍ଡିରେ ରାନ୍ଧି କିଛି କିଛି ବାଢ଼ି ଦେବାଲାଗି ସେ ସମ୍ଭବତଃ ଆଦୌ କେବେହେଲେ ମନ କରିନାହାନ୍ତି । ‘ତପସ୍ଵିନୀ’ କାବ୍ୟଟି ପ୍ରାଚୀନ ରାମାୟଣର କଥାବସ୍ତୁରୁ ପ୍ରେରଣା ପାଇଥିଲା, ସତ, ମାତ୍ର ତଥାପି ସେଥିରେ ରହିଥିବା କାବ୍ୟଦୃଷ୍ଟି ଏବଂ ଚରିତ୍ର-ଚିତ୍ରଣଟି ଅନେକ କ୍ଷେତ୍ରରେ ସତେଅବା ଏକ ଆଧୁନିକ ଅନୁରାଗପୂର୍ଣ୍ଣ ଦୃଷ୍ଟିରେ ଉଚ୍ଛଳ ହୋଇ ରହିଥିବା ପରି ଅନୁଭବ ହୋଇଥାଏ । ମାତ୍ର ଶହେବର୍ଷତଳେ ଓଡ଼ିଶାର ଜଣେ କବି ଯେତିକି ଅନୁରାଗ ସହିତ କବିତା ଲେଖି ବସୁଥିଲେ, ଠିକ୍‍ ସେତିକି ଅନୁରାଗ ସହିତ ତନ୍ତରେ ବସି ଲୁଗା ମଧ୍ୟ ବୁଣି ପାରୁଥିଲେ । ଏବେ ଆଧୁନିକ କାଳରେ ତ ସାହିତ୍ୟ ଏକ ବିଶେଷ ବେଉସା ବା ଧନ୍ଦାରେ ପରିଣତ ହୋଇଗଲାଣି । ଜୀବନଠାରୁ ତଥାକଥିତ କଳା ଓ ସାହିତ୍ୟର ବେଉସା ଅଲଗା ହୋଇ ରହିଲାଣି । କବିଜୀବନର ବୃହତ୍ତର ବା ସମଗ୍ର ଭୂମିଟି ଉପରେ ତା’ର କାବ୍ୟଜଗତର ମଧ୍ୟ ବିଚାର କରିବାର ରୀତିକୁ ଏବେ ସାହିତ୍ୟରେ ସତେଅବା ଏକ ପ୍ରମାଦ କରି ମଣି ଆଉ କେହି ସେଥିଲାଗି ମନ କରୁନାହାନ୍ତି । କବି ଗଙ୍ଗାଧର ମେହେର ଏବେ ମଧ୍ୟ ଆମର ସମୀକ୍ଷାଆଖିରେ ଯଥାସମ୍ଭବ ଅଧିକ ସମଗ୍ର ହୋଇ ସାହିତ୍ୟର ବିଚାର କରିବାକୁ ପ୍ରେରଣା ଓ ସାହସ ଦିଅନ୍ତି । ସେହି ସାହସକୁ ପୁଞ୍ଜି କରି ଗଙ୍ଗାଧରଙ୍କ ସାହିତ୍ୟର ଏକ ସମଗ୍ରତର ସମୀକ୍ଷା ମଧ୍ୟ ଅବଶ୍ୟ କରାଯାଇପାରନ୍ତା ।

 

ଉତ୍କଳ ଗୌରବ ମଧୁସୂଦନ ଯଥାର୍ଥରେ ଉତ୍କଳର ଗୌରବ ଥିଲେ । କୌଣସି ମାଆର ଗୋଟିଏ ମାତ୍ର ପୁଅ ଯେପରି ବ୍ୟାକୁଳ ଭାବରେ ମାଆକୁ ଲୋଡ଼େ, ଉତ୍କଳଗୌରବ ଠିକ୍‍ ସେହିପରି ବ୍ୟାକୁଳ ହୋଇ ଉତ୍କଳକୁ ଲୋଡ଼ୁଥିଲେ । ଓଡ଼ିଶା କହିଲେ ଯେ ଏକ ଜନସମୂହକୁ ବୁଝାଏ, ଏହି ଜନସମୂହର ଯେ ଏକ ଭାଗ୍ୟ ଏବଂ ଏକ ଭବିଷ୍ୟ ମଧ୍ୟ ରହିଛି, ଓଡ଼ିଶାବାସୀଙ୍କର ସମ୍ମୁଖରେ ମଧୁସୂଦନହିଁ ସର୍ବପ୍ରଥମେ ସେହି କଥାଟିକୁ ଯଥେଷ୍ଟ ଗୁରୁତ୍ଵ ଦେଇ କହିଥିଲେ ଏବଂ ସେମାନଙ୍କର ହୃଦ୍‍ବୋଧ କରାଇବାକୁ ଚେଷ୍ଟା କରିଥିଲେ । ଇଂରେଜ ସରକାରଙ୍କ ଦରବାର ଏବଂ ଓଡ଼ିଶାକୁ ଘେରି ରହିଥିବା ପ୍ରତିବେଶୀମାନଙ୍କର କାନଯାଏଁ ସେ ସେହି କଥାଟିକୁ ପହୁଞ୍ଚାଇ ପାରିଥିଲେ । ମଧୁସୂଦନ ଓଡ଼ିଆ ଭାଷା ଜାଣିଥିଲେ ଓ ବୁଝୁଥିଲେ, ସେହି ଭାଷାରେ ସେ କେତେଗୋଟି କବିତା ଲେଖିଥିଲେ, ମାତ୍ର ଓଡ଼ିଆମାନଙ୍କ ସହିତ ଓଡ଼ିଆ ଭାଷାରେ କଥା କହିବାକୁ ସେ ନିଜକୁ ସମର୍ଥ ବୋଲି ବିଚାରୁ ନଥିଲେ । ସିଏ ଇଂରାଜୀ ପଢ଼ିଥିଲେ, ବିଲାତ ଯାଇ ବାରିଷ୍ଟରି ବିଦ୍ୟା ପଢ଼ିଥିଲେ, ବଙ୍ଗପ୍ରଦେଶର ଶିକ୍ଷିତ ସଂସ୍କୃତି ତଥା ସଂସ୍କାରଗୁଡ଼ିକ ସହିତ ନିକଟ ପରିଚୟରେ ଆସିଥିଲେ ଏବଂ ନିଜର ବୁଦ୍ଧିବଳରେ ନିଜ ଓଡ଼ିଶାକୁ ମଧ୍ୟ ବଙ୍ଗଳା ବା ଅନ୍ୟ ଯେକୌଣସି ପ୍ରଦେଶ ପରି ପ୍ରବୀଣ ଏବଂ ଉନ୍ନତ କରି ଗଢ଼ିଆଣିବାଲାଗି ସତେଅବା ଆବଶ୍ୟକ ଉଦ୍ୟମ କରିବେ ବୋଲି ନିଜପାଖରେ ସଂକଳ୍ପବଦ୍ଧ ହୋଇଥିଲେ । ବଙ୍ଗପ୍ରଦେଶ ଏବଂ ତାହାର ଅଧିବାସୀମାନେ ଭାରତରେ ପ୍ରାୟ ସର୍ବପ୍ରଥମେ ଇଂରାଜୀ ଶାସନର ସମ୍ପର୍କରେ ଆସିଥିଲେ, ଆଧୁନିକ ଇଉରୋପର ପରିଚୟରେ ଆସି ସବାଆଗ କେତେ ଲାଭବାନ ହୋଇ ସାରିଥିଲେ । ଶିକ୍ଷିତ ବଙ୍ଗପ୍ରଦେଶୀମାନେ ଆପଣାର ଉପଯୁକ୍ତତା ଦେଖାଇ ବ୍ରିଟିଶ ଶାସନଠାରୁ କେତେକଅଣ ହାସଲ କରି ନେଇଥିଲେ ଏବଂ ତତ୍କାଳୀନ ଭାରତରେ ଆଣି ପ୍ରଦେଶୀୟମାନଙ୍କଠାରୁ ସବାଆଗରେ ରହିଥିଲେ । ମଧୁବାବୁ ଓଡ଼ିଶା ଲାଗି ମଧ୍ୟ ସେହିସବୁ ସମ୍ପନ୍ନତା ହାସଲ କରିବାର ଅଭିପ୍ରାୟରେ ଆପଣାକୁ ଜଣେ ମଙ୍ଗୁଆଳ ପରି ବ୍ୟବହାର କରିଥିଲେ ।

 

ବ୍ରିଟିଶ ଜାତିର ପ୍ରଶଂସାରେ ସେ ସର୍ବଦା ଶତମୁଖ ଥିଲେ । ଗୋଟିଏ ସାନ ଦେଶର ଏତେ ଅଳପ ଅଧିବାସୀ ମୂଳତଃ ଆପଣାର ଉଦ୍ୟମ ବଳରେ ସେତେବେଳେ ଅଧେ ପୃଥିବୀ ଉପରେ ମାଲିକ ହୋଇ ରହିଥିଲେ, ସେହି କଥାଟି ତାଙ୍କୁ ସବୁବେଳେ ଆଚମ୍ବିତ କରି ରଖିଥିଲା । ବ୍ରିଟିଶ ଜାତିର ଉଦ୍ୟମକୁହିଁ ସେ ଏହି ନିପୁଣତାର ପ୍ରାୟ ଏକମାତ୍ର କାରଣ ବୋଲି ବୁଝୁଥିଲେ । ସେହି ଉଦ୍ୟମଶୀଳତାର ମନ୍ତ୍ର ନେଇ ମଧୁସୂଦନ ଓଡ଼ିଶାକୁ ଆସିଥିଲେ ଏବଂ ଓଡ଼ିଶାବାସୀଙ୍କର ନିଦକୁ ଭଙ୍ଗାଇ ସେମାନଙ୍କୁ ଡେଙ୍ଗା କରି ଛିଡ଼ା କରାଇବାର ଉଦ୍ୟମ କରିଥିଲେ । ସେ ଉପରକୁ ସେତିକି ବିଚକ୍ଷଣ ଏବଂ ମେଧାସମ୍ପନ୍ନ ଥିଲେ, ଭିତରେ ସମ୍ଭବତଃ ସେତିକି ଭାବପ୍ରବଣ ଥିଲେ । ତାହାରି ଫଳରେ ସେ ଓଡ଼ିଶାରେ ଆପଣାକୁ ଓଡ଼ିଶାର ଅତି ଆପଣାର କରି ଆଣିପାରିଥିଲେ । ତତ୍କାଳୀନ ଓଡ଼ିଶାରେ ସତେଅବା ଜଣେ କିମ୍ବଦନ୍ତୀ ପୁରୁଷରୂପେ ପରିଚିତ ହୋଇଥିଲେ । ମାତ୍ର, ତତ୍କାଳୀନ ଓଡ଼ିଶାର ସାମାଜିକ ଏବଂ ମାନସିକ ସ୍ଥିତିଟିକୁ ସେ ପ୍ରକୃତରେ କେତେ ଅଳପ ବୁଝିପାରୁଥିଲେ ! ଗୋଟିଏ ଘର ତିଆରି କରିବାବେଳକୁ ଯେମିତି, ଗୋଟିଏ ଜାତି ବା ସମୂହକୁ ତିଆରି କରିବାର କ୍ଷେତ୍ରରେ ମଧ୍ୟ ମୂଳଦୁଆଟିକୁ ତଳୁ ପକାଇ ଆଣିବାକୁ ପଡ଼େ । ତେବେ ଯାଇ ସ୍ଥାୟୀ ଓ ମଜବୁତ କରି କିଛି ତିଆରି ହେବା ସମ୍ଭବ ହୋଇଥାଏ । ମଧୁସୂଦନ ଆପଣାର ଭାବଗତ ଦୃଷ୍ଟିର କ୍ଷେତ୍ରରେ ଏଭଳି ତିଆରି ହୋଇଥିଲେ ଯେ, ସେ ସବୁକିଛିକୁ ଉପରୁହିଁ କରାଇ ଆଣିବାକୁ ଅର୍ଥାତ୍‍ ମଡ଼ାଇ ଦେବାକୁ ସବୁବେଳେ ଇଚ୍ଛା କରୁଥିଲେ । ଓଡ଼ିଶାର ଭାଗ୍ୟକୁ ନିର୍ମାଣ କରିବାର ଅର୍ଥାତ୍‍ ସେହି ଭାଗ୍ୟରେ ଏକ ପରିବର୍ତ୍ତନ ସମ୍ଭବ କରିବାର କ୍ଷେତ୍ରରେ ଯେ ଓଡ଼ିଶାବାସୀଙ୍କ ଅପେକ୍ଷା ଇଂରେଜ ଶାସକମାନଙ୍କ ଉପରେ ଅଧିକ ବିଶ୍ଵାସ ରଖିଥିଲେ । ବ୍ରିଟିଶ ସରକାରଙ୍କର ପ୍ରସନ୍ନତାଭାଜନ ହୋଇ ଓଡ଼ିଶାର ଅଧିବାସୀ ଆପଣା ଭାଗ୍ୟବୃକ୍ଷଟିକୁ ରୋପଣ କରି ଯଥାସମୟରେ ତାହାର ଫଳକୁ ଭୁଞ୍ଜିବାଲାଗି ସମର୍ଥ ହେବେ ବୋଲି ମଧୁସୂଦନ ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ଵାସ କରୁଥିଲେ ।

 

ଗୋଟିଏ ପାଖରେ ବ୍ରିଟିଶ ସରକାର ଓ ସରକାରୀ ସାମନ୍ତମାନେ ଓ ଏପାଖରେ ସେତେବେଳେ ଓଡ଼ିଶାର ପ୍ରତିନିଧିତ୍ଵ କରୁଥିବା ପ୍ରାୟ ଏକମାତ୍ର ସଙ୍ଗଠନ ଉତ୍କଳ ସମ୍ମିଳନୀ-ଏବଂ ମଧୁସୂଦନ ମଝିରେ ଛିଡ଼ା ହୋଇ ରହିଥିଲେ । ଉତ୍କଳ ସମ୍ମିଳନୀରେ ଗଡ଼ଜାତର ରାଜାମାନେ ରହିଥିଲେ, ମୋଗଲବନ୍ଦିର ବଡ଼ ଜମିଦାର କେତେଜଣ ମଧ୍ୟ ରହିଥିଲେ । ସେମାନଙ୍କ ସଭାରେ ଯେଉଁଭଳି ଏକ ନେତୃତ୍ଵ ଓଡ଼ିଶାର ସମସ୍ୟା ତଥା ଆବଶ୍ୟକତାଗୁଡ଼ିକୁ ବୁଝିବାଲାଗି ଚେଷ୍ଟା କରୁଥିଲା ଏବଂ ସେହି ଅନୁସାରେ ନିଷ୍ପତ୍ତିମାନ ନେଉଥିଲା, ଓଡ଼ିଶାର ଅନେଶତ ଭାଗ ମଣିଷଙ୍କ ସହିତ ତାହାର କୌଣସି ସଂଯୋଗ ନଥିଲା । ମଧୁସୂଦନ କିପରି ଯେ ସେହିମାନଙ୍କଦ୍ଵାରା ଯଥାର୍ଥ କୂଳଗୁଡ଼ିକରେ ଯାଇ ପହଞ୍ଚି ହେବ ବୋଲି ଏତେ ବିଶ୍ଵାସ ରଖିଥିଲେ, ଏପର୍ଯ୍ୟନ୍ତ ମଧ୍ୟ ସେକଥା ଏକ ସଂଶୟ ହୋଇ ରହିଛି । ମଧୁବାବୁଙ୍କର ପାଣ୍ଡିତ୍ୟ ଥିଲା, ଏକ ହୃଦୟ ମଧ୍ୟ ରହିଥିଲା, ରାଜା ଓ ଜମିଦାରମାନଙ୍କର ସମ୍ଭବତଃ ଦୁଇଟା ମଧ୍ୟରୁ କୌଣସିଟି ନଥିଲା । ଓଡ଼ିଶା କହିଲେ ଯେ ବହୁ ପ୍ରକାରର ଅରଣ୍ୟ ଭିତରେ ଅବଶପ୍ରାୟ ପଡ଼ି ରହିଥିବା ଲକ୍ଷ ଲକ୍ଷ ମନୁଷ୍ୟଙ୍କୁ ବୁଝାଏ, ଉତ୍କଳ ସମ୍ମିଳନୀ ପାଖରେ ସେହି ଅନୁଭବ କିମ୍ବା ଅକଲଟି ଆଦୌ ନଥିଲା ।

 

ସେତେବେଳେ ଭାରତବର୍ଷରେ ଜାତୀୟକଂଗ୍ରେସର ଯୁଗ । କଂଗ୍ରେସର ତତ୍କାଳୀନ ନେତାମାନେ ଯେତେ ମାନ୍ଦା ହୋଇଥିଲେ ମଧ୍ୟ ଏକମାତ୍ର ସେହି ସଙ୍ଗଠନଟିହିଁ ଯେ ସମଗ୍ର ଭାରତର ହୋଇ ଆଗାମୀ ବିଷୟରେ ଚିନ୍ତା କରୁଥିଲା, ସେଥିରେ ଆଦୌ କୌଣସି ସଂଶୟର ଅବକାଶ ନାହିଁ । ଉପସ୍ଥିତ ଆହ୍ଵାନଗୁଡ଼ିକ ବଦଳି ଯାଉଥିବା ସଙ୍ଗେ ସଙ୍ଗେ କଂଗ୍ରେସ ମଧ୍ୟ ବଦଳି ଯାଉଥିଲା । ପୁରୁଣାମାନେ ହଟି ଯାଉଥିଲେ ଏବଂ ନୂଆମାନେ ନେତୃତ୍ଵ ନେବାକୁ ଆସୁଥିଲେ । ଓଡ଼ିଶା ପ୍ରଦେଶରେ ଜାତୀୟକଂଗ୍ରେସର ବିଚାରକୁ ଆଣି ପ୍ରବେଶ କରାଇବାରେ ମଧୁସୂଦନ ଅଗ୍ରଣୀ ଥିଲେ । ମାତ୍ର, ଅତ୍ୟନ୍ତ ସତକଥା କହିବାକୁ ଗଲେ, ସେ ଓଡ଼ିଶାପାଇଁହିଁ ଭାରତକୁ ମନ କରୁଥିଲେ । ସମଗ୍ର ଭାରତବର୍ଷକୁ ଏକତ୍ର ଗୋଟିଏ ରାଜନୀତିକ ଆକାଂକ୍ଷା ଭିତରେ ବାନ୍ଧି ସେତେବେଳେ ଯେଉଁ ଜାତୀୟତା ତିରିଶି କୋଟି ଭାରତବାସୀଙ୍କୁ ଗୋଟିଏ ମତିରୂପେ ସଚେତନ, ସଂବଦ୍ଧ ଏବଂ ସଂଗ୍ରାମୋଦ୍ୟତ କରାଇ ଆଣୁଥିଲା, ପ୍ରଥମେ ଓଡ଼ିଶାକୁ ଦେଖି ତା’ପରେ ଯାଇ ଭାରତବର୍ଷକୁ ଦେଖୁଥିବାରୁ ଅର୍ଥାତ୍‍ ଓଡ଼ିଶାର ଯାବତୀୟ ଭାଗ୍ୟ ଭାରତବର୍ଷର ଭାଗ୍ୟ ସହିତ ଏକତ୍ର ବନ୍ଧାହୋଇ ରହିଛି ବୋଲି ଅନୁଭବ ନ କରୁଥିବାରୁ ମଧୁସୂଦନ ସେହି ଜାତୀୟତାକୁ ବୁଝିପାରିଲେ ନାହିଁ ଓ କଂଗ୍ରେସ ଭିତରୁ ପରାଙ୍‍ମୁଖ ହୋଇ ବାହାରି ଆସିଥିଲେ । ଫଳରେ କଂଗ୍ରେସ ଅର୍ଥାତ୍‍ ଆଗାମୀ ଭାରତବର୍ଷର ତତ୍କାଳୀନ ଏକମାତ୍ର ମୁଖପାତ୍ର ସହିତ ଓଡ଼ିଶାର ଆଉ ସଂଯୋଗ ରହିପାରିଲା ନାହିଁ । ୧୮୯୮ ମସିହାରେ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନରେ ଓଡ଼ିଆକୁ ଜଣେ ଅନ୍ୟତମ ପ୍ରତିନିଧିରୂପେ ଯୋଗଦେବାକୁ ଯାଇଥିବା ଫକୀରମୋହନଙ୍କର ଆତ୍ମଜୀବନଚରିତରୁ ସେହି ଉଦାସୀନତାର ଆଭାସ ମଧ୍ୟ ମିଳିଯାଉଛି । କଂଗ୍ରେସର ମଞ୍ଚରେ ଓଡ଼ିଶାର କଥା ବିଶେଷ କିଛି ପଡ଼ିଲା ନାହିଁ ବୋଲି ଫକୀରମୋହନ ଓ ତାଙ୍କର ସଙ୍ଗୀମାନେ ସମ୍ପୂର୍ଣ୍ଣ ଅଧିବେଶନକାଳଟି ଆଉ ସେଠାରେ ନ ରହି ରାମେଶ୍ଵର ଚାଲି ଯାଇଥିଲେ ଓ ଆଉ କେତେକ ତୀର୍ଥ ଦର୍ଶନ କରି ସିଧା ଓଡ଼ିଶା ଫେରି ଆସିଥିଲେ । ଓଡ଼ିଶା ଓ ତାହାର ନେତୃତ୍ଵ ସେତେବେଳେ ଅତ୍ୟନ୍ତ କ୍ଷୁଦ୍ରଚକ୍ଷୁ ହୋଇ ରହିଥିଲା ।

 

ଉତ୍କଳ ସମ୍ମିଳନୀରେ ମଧୁସୂଦନଙ୍କ ସହିତ ଅନ୍ୟମାନେ ଯେଉଁମାନେ ରହିଥିଲେ, ସେମାନେ ପ୍ରଧାନତଃ ରାଜା ଥିଲେ, ଜମିଦାର ଥିଲେ । ମୟୂରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ ଥିଲେ, ପାରଳାର ମହାରାଜା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଗଜପତି ମଧ୍ୟ ରହିଥିଲେ । ଓଡ଼ିଶା ବିଷୟରେ ସେମାନଙ୍କ ମନରେ ଅପାର ଶୁଭଚିନ୍ତା ଯେ ରହିଥିଲା, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ, ମାତ୍ର ଯେଉଁ ରାଜନୀତି ଏବଂ ଯେଉଁ ସାମାଜିକ ସ୍ଵପ୍ନଗୁଡ଼ିକ ସେତେବେଳେ ସମଗ୍ର ଭାରତକୁ ଆଲୋଡ଼ିତ କରିବାକୁ ଆସୁଥିଲା ଏବଂ ଭାରତବର୍ଷ ଯେଉଁ ସଂଗ୍ରାମଟି ଲାଗି ପ୍ରସ୍ତୁତ ହେବାକୁ ଆରମ୍ଭ କରିଥିଲା, ସେଗୁଡ଼ିକ ବିଷୟରେ ସେମାନେ ସତେଅବା ଆଦୌ ଅବହିତ ନଥିଲେ-। ସେମାନଙ୍କର ନେତୃତ୍ଵ ସତେ ଯେପରି ଓଡ଼ିଶାକୁ ବୃହତ୍ତର ଭାରତବର୍ଷରୁ ଅଲଗା କରି ରଖିବାକୁ ଇଚ୍ଛା କରୁଥିଲା । ସମଗ୍ର ଦେଶ ବିଂଶ ଶତାବ୍ଦୀର ସ୍ଵପ୍ନଗୁଡ଼ିକ ମଧ୍ୟକୁ ପ୍ରବେଶ କରୁଥିବା ସମୟରେ ଓଡ଼ିଶାରେ ଉତ୍କଳ ସମ୍ମିଳନୀ ହୁଏତ ସପ୍ତଦଶ ଶତାବ୍ଦୀ ଭିତରକୁ ଫେରି ସେହିଠାରେହିଁ ବାନ୍ଧିହୋଇ ରହିବାକୁ ମନ କରୁଥିଲା । ଓଡ଼ିଶାର ରାଜାମାନେ ସେତେବେଳେ ଆଦର୍ଶର ଏବଂ ଭବିଷ୍ୟଚିନ୍ତାର କେଉଁ ସ୍ତରରେ ରହିଥିଲେ, କବିବର ରାଧାନାଥଙ୍କର ‘ଦରବାର’ କାବ୍ୟଟିକୁ ଆମକୁ ତାହାର ଅବଶ୍ୟ କିଞ୍ଚିତ୍‍ ଆଭାସ ମିଳିଯାଇ ପାରିବ । ସେହି ରାଜାମାନେ ଓଡ଼ିଶା କହିଲେ ସମ୍ଭବତଃ ଆପଣାକୁ ବୁଝୁଥିଲେ ଏବଂ ଭାରତବର୍ଷ କହିଲେ ବ୍ରିଟିଶ ସରକାରଙ୍କୁହିଁ ବୁଝୁଥିଲେ । ଭାରତବାସୀ କହିଲେ ହୁଏତ ସେମାନଙ୍କୁ ମଣିଷ ଦିଶୁ ନଥିଲେ, ପ୍ରଜାମାନେହିଁ ଦେଖାଯାଉଥିଲେ । ସେତେବେଳେ ଓଡ଼ିଶାର ଗଡ଼ଜାତମାନଙ୍କରେ ଯେଉଁ ଅନ୍ଧାରି ହୁଣ୍ଡା ଶାସନ ଚାଲିଥିଲା, ରାଜାମାନଙ୍କର ରାଜନୀତିକ ଅକଲଗୁଡ଼ିକର କିଞ୍ଚିତ୍‍ ଅନୁମାନ ସେଇଥିରୁହିଁ କରାଯାଇପାରିବ ।

 

ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକ ଏକାଠି ହେବ, ତାହା ଗୋଟିଏ ଶାସନର ଏକକ ଭିତରକୁ ଆସିବ, ଏହି ଦାବିଗୁଡ଼ିକ ଯେ ଏକାନ୍ତ ଯଥାର୍ଥ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ମାତ୍ର ଏକ ପରାଧୀନ ଭାରତବର୍ଷରେ ଯେ ପ୍ରାଦେଶିକ ଓଡ଼ିଶା ଖୁବ୍ ବେଶୀ କିଛି ହାସଲ କରିପାରିବ ନାହିଁ, ସେକଥା ଉତ୍କଳ ସମ୍ମିଳନୀର ଜମିଦାର ଓ ରାଜାମାନେ ଯେ ବୁଝିପାରୁ ନଥିଲେ ଏବଂ ବୁଝୁଥିଲେ ମଧ୍ୟ ତାହା ପ୍ରକୃତରେ ଘଟୁ ବୋଲି ଯେ ମୋଟେ ଇଚ୍ଛା କରୁ ନଥିଲେ, ସେକଥା ଖୁବ୍ ଭଲ ଭାବରେ ହୃଦୟଙ୍ଗମ କରି ହେଉଛି । ମାତ୍ର ମଧୁସୂଦନ ମଧ୍ୟ ସେହି ସ୍ଥିତିଟିକୁ ଅନ୍ଦାଜ କରିପାରୁ ନଥିଲେ କିପରି କେଜାଣି ? ଏହିସବୁ ପୃଷ୍ଠଭୂମି ଉପରେ ଗୋପବନ୍ଧୁ ଦାସଙ୍କର ଆବିର୍ଭାବକୁ ଓଡ଼ିଶାର ସାଧାରଣ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ଘଟଣା ବୋଲି ଅବଶ୍ୟ କୁହାଯିବ । ଶ୍ରୀଯୁକ୍ତ ଗୋପବନ୍ଧୁ ମଧ୍ୟ ଓଡ଼ିଶା ପୂର୍ଣ୍ଣାଙ୍ଗ ହେଉ ବୋଲି ଚାହୁଁଥିଲେ; ଓଡ଼ିଶାର ଦାରିଦ୍ର୍ୟ ଓ ଦୁଃଖ ତାଙ୍କୁ ଅତ୍ୟନ୍ତ ବ୍ୟାକୁଳ କରି ରଖିଥିଲା । ମାତ୍ର ସେ ଭାରତବର୍ଷର ରାଜନୀତିକ ସ୍ଵାଧୀନତା ଲାଭ କରିବା ବିଷୟରେ ମଧ୍ୟ ସଚେତନ ଥିଲେ । ମଧୁସୂଦନଙ୍କୁ ନିଜର ଅଭିଭାବକ ଭାବରେ ଗ୍ରହଣ କରି ସେ ଉତ୍କଳ ସମ୍ମିଳନୀରେ ପ୍ରବେଶ କରିଥିଲେ ସତ, ମାତ୍ର ଓଡ଼ିଶା ନିମନ୍ତେ ସେ ଯେ କେତେକେତେ ପରିବର୍ତ୍ତନର ଚିନ୍ତା କରି ସାଧାରଣ ଜୀବନରେ ନେତୃତ୍ଵ ଦେବାକୁ ଆସିଥିଲେ ସେକଥା ଏକାବେଳକେ ମୂଳରୁହିଁ ଅତ୍ୟନ୍ତ ସ୍ପଷ୍ଟ ହୋଇଯାଇଥିଲା । ଗୋପବନ୍ଧୁଙ୍କର ପାଦ ଦୁଇଟି ଗୋଟାସୁଦ୍ଧା ଓଡ଼ିଶା ଭିତରେ ରହିଥିଲା ସତ, ମାତ୍ର ସେହି ଓଡ଼ିଶାରେ ସେ ସବାଆଗ ଏହି ଭୂମିରେ ବାସ କରୁଥିବା ମନୁଷ୍ୟମାନଙ୍କୁହିଁ ଦେଖୁଥିଲେ । ସେତେବେଳେ ଓଡ଼ିଶାରେ ସମ୍ଭବତଃ ସେଇ ଏକମାତ୍ର ଚକ୍ଷୁସମ୍ପନ୍ନ ବ୍ୟକ୍ତି ଥିଲେ ଯିଏକି ଭାରତବର୍ଷର ବୃହତ୍ତର ଭୂମିଟିର ଏକ ଅଂଶରୂପେ ଓଡ଼ିଶାକୁ ଦେଖୁଥିଲେ ।

 

ଗୋପବନ୍ଧୁ ଦାସ ସାହିତ୍ୟରେ ଥିଲେ, ସାମ୍ବାଦିକତାରେ ମଧ୍ୟ ରହିଥିଲେ । ସାହିତ୍ୟ ହିସାବରେ ସେ ଯେତିକି ଲେଖିଛନ୍ତି, ସାମ୍ବାଦିକ ହିସାବରେ ସେ ସମ୍ଭବତଃ ତାହାଠାରୁ ଅନେକ ଅଧିକ ଲେଖି ଯାଇଛନ୍ତି । ସାନ ଓଡ଼ିଶା ଭିତରେ ଥାଇ ମଧ୍ୟ ତାଙ୍କର ଆଖି କିପରି ସେତେବେଳେ ବୃହତ୍ତର ପୃଥିବୀରେ ନୂତନ ନାନାବିଧ ଉଦ୍‍ବେଳନ ଏବଂ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇ ଘଟୁଥିବା ବିଭିନ୍ନ ଘଟଣା ଏବଂ ପ୍ରବୃତ୍ତିଗୁଡ଼ିକ ପର୍ଯ୍ୟନ୍ତ ପ୍ରସାରିତ ହୋଇ ଯାଇପାରୁଥିଲା; ‘ସମାଜ’ ସମ୍ବାଦପତ୍ରରେ ତାଙ୍କର ସମ୍ପାଦକୀୟ ଲେଖାଗୁଡ଼ିକ ତାହାର ସୂଚନା ଦେଉଛନ୍ତି । ସେହି ସ୍ତମ୍ଭରେ ସେ ଋଷ୍ ବିପ୍ଳବର ଆଲୋଚନା କରିଥିଲେ ଏବଂ ଗାନ୍ଧୀ ଲେନିନ୍ ଉଭୟଙ୍କୁ ଭବିଷ୍ୟତ ମାନବ-ନିୟତିର ଦୁଇ ମାର୍ଗରୂପେ ଅନୁଭବ କରିପାରିଥିଲେ । ଉତ୍କଳ ସମ୍ମିଳନୀର ନେତୃତ୍ୱରେ ସତେଅବା ଏକ ଅତ୍ୟନ୍ତ ଦୁଃସାହସିକ ପରିବର୍ତ୍ତନର ସୂଚନା ଦେଇ ୧୯୧୯ ମସିହାରେ ଅନୁଷ୍ଠିତ ତାହାର କଟକ ଅଧିବେଶନରେ ସେ ଏହି କଥାଗୁଡ଼ିକୁ କହିପାରିଥିଲେ-“ମନେରଖିବାକୁ ହେବ, ଆମ୍ଭେମାନେ ପ୍ରଥମେ ମନୁଷ୍ୟ, ପରେ ଭାରତୀୟ ଏବଂ ସର୍ବ ଶେଷରେ ଓଡ଼ିଆ । ଏହି ଭାବ ମନରେ ନ ରଖିଲେ ଜାତୀୟକ୍ରମବିକାଶ ଅସମ୍ଭବ । ପ୍ରତ୍ୟେକ ବ୍ୟକ୍ତିର ସ୍ଵାତନ୍ତ୍ର୍ୟ ଅଛି, ମାତ୍ର ସାମାଜିକ ଭିତ୍ତି ବିନା ସେ ସ୍ଵାତନ୍ତ୍ର୍ୟ ପ୍ରକଟିତ ହୁଏ ନାହିଁ । ସେହିପରି, ଓଡ଼ିଶାର ଜାତୀୟସ୍ଵାତନ୍ତ୍ର୍ୟ ଫୁଟିବା ପ୍ରଶସ୍ତତର ଭାରତୀୟ ଜାତୀୟତା କ୍ଷେତ୍ରରେ ଓ ସାର୍ବଜନୀନ ଉଦାର ମାନବିକତାରେ ।’’ ଓଡ଼ିଶାରେ ତଥା ଭାରତରେ ଆଭିଜାତ୍ୟର ପ୍ରଭାବ ଆମ ଜାତୀୟଶକ୍ତିକୁ ଅତ୍ୟନ୍ତ ହୀନବଳ କରି ରଖିଛି ବୋଲି ସେ ଅନୁଭବ କରୁଥିଲେ ଏବଂ ଉତ୍କଳ ସମ୍ମିଳନୀ ପରି ଜାତୀୟତାଗଠନ ଉଦ୍ୟମରେ ସେହି ଆଭିଜାତ୍ୟ ନିମନ୍ତେ କୌଣସି ପ୍ରକାର ଅବକାଶ ରହିବା ବାଞ୍ଛନୀୟ ନୁହେଁ ବୋଲି ସେ ଘୋଷଣା କରିଥିଲେ–“କେବଳ ଓଡ଼ିଆ ବୋଲି ଅହଂକାର କଲେ କିମ୍ବା ପୂର୍ବପୁରୁଷର ଗୌରବ ଗାଇଲେ ଜାତି ଉଠିବ ନାହିଁ ।’’ ଏକଥା ଗୋପବନ୍ଧୁ କହିଥିଲେ ।

 

ସାହିତ୍ୟ ବୋଲି ଗୋପବନ୍ଧୁ ଅତ୍ୟନ୍ତ ଅଳପ ଲେଖିଥିଲେ ମଧ୍ୟ ତାହା ଯେ ଓଡ଼ିଆ ସାହିତ୍ୟରେ ଏକ ଅଲଗା ଯୁଗଟିଏ ଆଣି ପ୍ରବିଷ୍ଟ କରାଇଥିଲା ଏବଂ ତତ୍କାଳୀନ ଆଧୁନିକତାବୋଧକୁ କେତେ ଅଧିକ ଉଚ୍ଚତା ଏବଂ ସଂପ୍ରସାରଣ ଆଣି ଦେଇଥିଲା, ସେହି କଥାଟି ଅତ୍ୟନ୍ତ ସ୍ପଷ୍ଟ ହୋଇଯାଉଥିବା ଗୋପବନ୍ଧୁଙ୍କର ସାହିତ୍ୟକୁ ମୂଳତଃ ଆଧ୍ୟାତ୍ମିକ ସାହିତ୍ୟ ବୋଲିହିଁ କୁହାଯିବ । ଜୀବନର ସମଗ୍ର ଭୂମିଟିକୁହିଁ ସେ ସାହିତ୍ୟର ବିଚରଣଭୂମି ବୋଲି ପ୍ରତ୍ୟକ୍ଷ କରିଥିଲେ-। ସେଥିରେ ମନୁଷ୍ୟର ସର୍ବମୂଳ ମହିମାଟି ବିଷୟରେହିଁ ସର୍ବୋଚ୍ଚ ଭାବଗୁଡ଼ିକର ଉଚ୍ଚାରଣ କରାଯାଇଥିଲା । ଯେଉଁଭଳି ଏକ ସମାଜରେ ସବୁ ମଣିଷଙ୍କର ସେହି ମହିମାଟି ବିକଶିତ ହୋଇ ଆସିପାରିବ, ଗୋପବନ୍ଧୁ ସେହିଭଳି ଏକ ସ୍ଵପ୍ନ ଆଣି ଓଡ଼ିଶାକୁ ଦେଖାଇଥିଲେ ଏବଂ ସବୁଠାରୁ ବଡ଼କଥା ହେଉଛି, ସାହିତ୍ୟର ସବାଆଗ ଯେ ଏକ ଅଙ୍ଗୀକାରବଦ୍ଧତା ରହିଛି, ଶ୍ରୀ ଗୋପବନ୍ଧୁ ଦାସ ସେତେବେଳେ ଓଡ଼ିଆ ସାହିତ୍ୟରେ ଆପଣାର ସମକାଳୀନମାନଙ୍କୁ ସେହି ବିଷୟରେ ସଚେତନ ଓ ଉଦ୍‍ବୁଦ୍ଧ କରାଇପାରିଥିଲେ । ତାଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ କର୍ମକେନ୍ଦ୍ରଟି ଓଡ଼ିଶାର ସାହିତ୍ୟ ଏବଂ ଶିକ୍ଷାର କ୍ଷେତ୍ରରେ ଯେଉଁସବୁ ଶ୍ରଦ୍ଧାର ପଥ ଉନ୍ମୋଚନ କରାଇଥିଲା, ସମ୍ଭବତଃ ଏବେ ମଧ୍ୟ ସେଗୁଡ଼ିକର ସମ୍ୟକ୍ ଆଲୋଚନା ଓଡ଼ିଶାର ସମ୍ୟକ୍ ଭାବରେ କରାଯାଇ ନାହିଁ । ଓଡ଼ିଶାର ରାଜନୀତି ମଧ୍ୟ ଗୋପବନ୍ଧୁଙ୍କ ପରେ ତାଙ୍କର ମୂଳ ଦୃଷ୍ଟିଗୁଡ଼ିକଦ୍ଵାରା ଯଥେଷ୍ଟ ପରିମାଣରେ ପରିଚାଳିତ ହେବାକୁ ମନ କରି ନାହିଁ । ମୋଟେ ପଚାଶବର୍ଷ ବୟସରେ ଗୋପବନ୍ଧୁ ଯେ ଇହଧାମ ତ୍ୟାଗ କରିଥିଲେ, ତାହାହିଁ ଓଡ଼ିଶାର ବଡ଼ ଦୁର୍ଭାଗ୍ୟ ହୋଇ ରହିଲା । ଜଣେ ଜନନାୟକକୁ ପ୍ରାୟ ନିୟମତଃ ଆହୁରି ଅନେକ ଅଧିକ ବର୍ଷ ବଞ୍ଚିବାକୁ ହୁଏ । ତଥାପି ଗୋପବନ୍ଧୁ ଯେତିକି ସାଧ୍ୟ କରି ଯାଇଛନ୍ତି, ମନୁଷ୍ୟର ଉଦ୍ୟମଦ୍ୱାରା ଗୋଟିଏ ଭୂମିରେ ଯେତିକି ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଓ ସାହିତ୍ୟ ବୋଲି ଯେତିକି ଲେଖିଛନ୍ତି, ଆଧୁନିକ ଓଡ଼ିଶାରେ ସାମୂହିକ ଜୀବନର ଯଥାର୍ଥ ଦୃଢ଼ ଭୂମିଟିଏ ପ୍ରକୃତରେ ନିର୍ମିତ ହୋଇପାରିବା ପର୍ଯ୍ୟନ୍ତ ତାହା ଆମ ସମସ୍ତଙ୍କ ଲାଗି ଅନ୍ତତଃ ପ୍ରେରଣାର ଉତ୍ସ ହୋଇ ରହିଥିବ । ସ୍ଵାଧୀନ ଭାରତବର୍ଷରେ ଓଡ଼ିଶାରେ ନେତୃତ୍ଵ ଓ ଘଟଣାମାନ ଯେପରି ଅସମର୍ଥ ଭାବରେ ଆପଣାର ପରିଚୟ ଦେଲେ ବା ଦେଉଛନ୍ତି, ଗୋପବନ୍ଧୁ ସତେଅବା ଏଠାରେ ସେତିକି ଅଧିକ ଆବଶ୍ୟକ ବୋଲି ଅନୁଭୂତ ହେବାରେ ଲାଗିଛି । ଗୋପବନ୍ଧୁ ଓଡ଼ିଆ ସାହିତ୍ୟରେ ଓ ଓଡ଼ିଶାର ରାଜନୀତିରେ ହୃଦୟର ପ୍ରତୀକ ଓ ଦୃଷ୍ଟାନ୍ତ ହୋଇ ରହିଥିଲେ ।

 

ଗୋପବନ୍ଧୁଙ୍କର ପ୍ରେରଣାରେ ସେତେବେଳେ ଆଉ ଯେଉଁ ତରୁଣମାନେ ତାଙ୍କ ସହିତ କାର୍ଯ୍ୟ କରିବା ନିମନ୍ତେ ସତ୍ୟବାଦୀରେ ଆସି ଏକତ୍ର ହୋଇଥିଲେ, ସେମାନଙ୍କ ମଧ୍ୟରୁ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ଓଡ଼ିଆ ସାହିତ୍ୟରେ ମଧ୍ୟ ଆପଣାଲାଗି ସ୍ଵତନ୍ତ୍ର ସ୍ଥାନମାନ ଅର୍ଜନ କରି ଯାଇଛନ୍ତି । ଏମାନେ ଦୁହେଁଯାକ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକତା କରିବାରୁହିଁ ଆପଣାର ସାଧାରଣ ଜୀବନ ଆରମ୍ଭ କରିଥିଲେ । ମାତ୍ର, ଗୋପବନ୍ଧୁଙ୍କର ତିରୋଧାନ ପରେ ଏମାନେ ଆଉ ସତ୍ୟବଦୀକୁ ଆଦୌ ମନ କରି ନାହାନ୍ତି । ଏବେ ଆମେ ସେମାନଙ୍କୁ ପ୍ରଧାନତଃ ସାହିତ୍ୟରେ ସ୍ମରଣ କରୁଛୁ, ସେମାନଙ୍କ ସମୟର ରାଜନୀତିରେ ମଧ୍ୟ ସ୍ମରଣ କରୁଛୁ । ଗୋଦାବରୀଶ ଏବଂ ନୀଳକଣ୍ଠ ଉଭୟେ ଗଦ୍ୟ ଲେଖିଛନ୍ତି, ପଦ୍ୟବି ଲେଖିଛନ୍ତି । ଗୋଦାବରୀଶଙ୍କର ପଦ୍ୟକୁ ତା’ର ସ୍ଵତନ୍ତ୍ର ଲାଳିତ୍ୟ ଏବଂ କାରୁଣ୍ୟ ନିମନ୍ତେ ଆମେ ସର୍ବଦା ଏକ ଅଲଗା ଧରଣର ବୋଲି ବାରିନେବାକୁ ସମର୍ଥ ହୋଇଯାଉ । ନୀଳକଣ୍ଠଙ୍କର କବିତାରେ କାବ୍ୟତ୍ଵ ଅପେକ୍ଷା ପାଣ୍ଡିତ୍ୟ ସତେଅବା ଅଧିକ ପ୍ରଧାନ ହୋଇ ରହିଛି । ଗୋଦାବରୀଶ ଉପନ୍ୟାସ ଲେଖିଛନ୍ତି, ନାଟକ ମଧ୍ୟ ଲେଖିଛନ୍ତି, ନୀଳକଣ୍ଠ ତାଙ୍କର ବୃହତ୍ କାବ୍ୟ ‘କୋଣାର୍କେ’ ବ୍ୟତୀତ ଏକାଧିକ ପ୍ରବନ୍ଧ ରଚନା କରିଛନ୍ତି, ଶ୍ରୀମଦ୍ଭାଗବତ ଗୀତାର ଗବେଷଣା କରିଛନ୍ତି, ଓଡ଼ିଆ ସାହିତ୍ୟର ଇତିହାସ ମଧ୍ୟ ଆଲୋଚନା କରିଛନ୍ତି । ଏଗୁଡ଼ିକର ପର୍ଯ୍ୟାଲୋଚନା କଲେ ଗୋପବନ୍ଧୁଙ୍କଦ୍ଵାରା ରଚିତ ସାହିତ୍ୟ ସହିତ ଏମାନଙ୍କ ସାହିତ୍ୟର ଆବେଦନଗତ ଆଦୌ କୌଣସି ସାମଞ୍ଜସ୍ୟ ନଥିଲା ଭଳି ଅନେକ ସମୟରେ ମନେ ହୋଇଥାଏ ।

 

ନୀଳକଣ୍ଠଙ୍କର ‘କୋଣାର୍କେ’ ଏବଂ ଗୋଦାବରୀଶ ଲେଖିଥିବା ଦୁଇଟି ନାଟକ ’ପୁରୁଷୋତ୍ତମ ଦେବ’ ଓ ‘ମୁକୁନ୍ଦ ଦେବ’ର ମୂଳ ଆବେଦନଟି ହେଉଛି ଜାତୀୟତା । ମାତ୍ର ଏହି ଜାତୀୟତାର ଭାବପରିଧିଟି ସତେଯେପରି ସେମାନଙ୍କୁ ଏତେ ପ୍ରେରଣା ଦେଇଥିଲା ଗୋପବନ୍ଧୁଙ୍କର ଜାତୀୟତାଠାରୁ ଏକାବେଳକେ ଅଲଗା । ଗୋପବନ୍ଧୁଙ୍କର ଜାତୀୟତା ଆମକୁ ଯେତିକି ଗାର ପରେ ଗାର ଡିଆଁଇ ସତେଅବା ସମଗ୍ର ବିଶ୍ୱପାଖରେ ନେଇ ହାବୁଡ଼ାଇ ଦିଏ ଏବଂ ବିଶ୍ଵର ମାଧ୍ୟମରେ ବିଶ୍ଵନିୟନ୍ତାଙ୍କର ଚରଣସ୍ପର୍ଶ କରାଇ ଆଣେ, ନୀଳକଣ୍ଠ ଓ ଗୋଦାବରୀଶଙ୍କର ଜାତୀୟତା ସତେଅବା ସେତିକି ସେତିକି ସଙ୍କୁଚିତ କରି ଆଣୁଥିବା ପରି ମନେ ହୋଇଥାଏ । ଇତିହାସର ଯେଉଁ ପର୍ଯ୍ୟାୟରେ କୋଣାର୍କ ଗଢ଼ା ହୋଇଥିଲା ଅଥବା ପୁରୁଷୋତ୍ତମ ଦେବ ତଥା ମୁକୁନ୍ଦ ଦେବ ରାଜତ୍ଵ କରୁଥିଲେ, ସେତେବେଳେ ଜାତୀୟତା ନାମକ ଏବର ଆଧୁନିକ ବୋଧଟି କେଉଁଠି ହେଲେ ନଥିଲା । ତେଣୁ ସେହିସବୁ ସମୟର କରଣିଗୁଡ଼ିକ ସହିତ ଜାତୀୟତା ଭାବଟିକୁ ନେଇ ଯୋଡ଼ିବା ପ୍ରକୃତରେ କେତେଦୂର ପ୍ରାସଙ୍ଗିକ ହୋଇପାରେ, ସେହି ବିଷୟରେ ମଧ୍ୟ ଏକ ଆଲୋଚନା କରାଯାଇପାରିବ । ପୁରୁଷୋତ୍ତମ ଦେବ କିମ୍ବା ମୁକୁନ୍ଦଦେବ ଯେଉଁସବୁ ଯୁଦ୍ଧ ଲଢ଼ିଥିଲେ ସେସବୁ ଓଡ଼ିଆ ଜାତିର ଯୁଦ୍ଧ ନୁହେଁ, ସେଗୁଡ଼ିକ ହେଉଛି ରାଜା ରାଜା ମଧ୍ୟରେ ହୋଇଥିବା ଯୁଦ୍ଧ । ଜାତୀୟତା ନାମକ ପ୍ରେରଣା ଏବଂ ସମ୍ବେଦନାଟି ସେହିସବୁ ରାଜାଙ୍କ ରାଜୁତିରେ କେତେ ଶହବର୍ଷ ପରେ ଯାଇ ଭାରତବର୍ଷକୁ ଓ ଓଡ଼ିଶାକୁ ଆସିଲା । ତାହା ଇଉରୋପରୁ ଆସିଥିଲା । ତାହାରିଦ୍ଵାରା ଉତ୍ସାହିତ ଏବଂ ଉଦ୍‍ବୁଦ୍ଧ ହୋଇ ଭାରତୀୟ ସାହିତ୍ୟରେ ମଧ୍ୟ ତା’ପରେ ଯାଇ ଜାତୀୟତାକୁ ଏକ ମୁଖ୍ୟ ଆବେଦନରୂପେ ସ୍ଵୀକାର କରାଗଲା । ଭାରତର ସ୍ଵାଧୀନତା-ସଂଗ୍ରାମରେ ତାହା ଅନେକ ଉତ୍ସାହ ଯୋଗାଇଲା । ତଥାପି, ନାନା କାରଣରୁ ଜାତୀୟତାକୁ ଆମେ ଭାରତରେ ହୁଏତ ଏବେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବ୍ୟଞ୍ଜନା ଏବଂ ପ୍ରସ୍ଥଗୁଡ଼ିକ ଦେଇ ଗ୍ରହଣ କରିପାରି ନାହୁଁ । ଏବେ ମଧ୍ୟ ଜାତୀୟତା ଭାରତବର୍ଷର ଅପେକ୍ଷାକୃତ ଉଚ୍ଚତର ବର୍ଗଙ୍କ ଲାଗି ପ୍ରଧାନତଃ ଏକ ଭାବପ୍ରବଣତାପୂର୍ଣ୍ଣ ମାଦକଦ୍ରବ୍ୟ ହୋଇ ରହିଛି ଏବଂ ମୁଖ୍ୟତଃ ସେହି କାରଣରୁ ଏକ ସମୂହ ହିସାବରେ ଆମେ ଏବେ ମଧ୍ୟ ଅତ୍ୟନ୍ତ କୁତ୍ସିତ, ବିକାରଗ୍ରସ୍ତ ଏବଂ କ୍ଷତବିକ୍ଷତ ହୋଇ ରହିଛୁ ।

Unknown

 

ଗୋପବନ୍ଧୁ ଓଡ଼ିଆ ସାହିତ୍ୟର କ୍ଷେତ୍ରରେ ଆପଣାର ତଥାକଥିତ ସଖା କିମ୍ବା ଅନୁଗାମୀମାନଙ୍କୁ ଯେତେ ଅନୁପ୍ରେରିତ କରିପାରି ନଥିଲେ, ସମ୍ଭବତଃ ଅନ୍ୟମାନଙ୍କୁ ତା’ଠାରୁ ଅଧିକ ପ୍ରଭାବିତ କରିଥିଲେ । ଏହି ପ୍ରସଙ୍ଗରେ ଆମେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କୁ ସମ୍ଭବତଃ ଅଧିକ ସଙ୍ଗତି ସହିତ ସ୍ମରଣ କରିପାରିବା । ନିଜର ସାହିତ୍ୟିକ ଉନ୍ମେଷ ସମ୍ବନ୍ଧରେ ସେ ଗୋଟିଏ ସ୍ଥାନରେ କହିଛନ୍ତି–“ବାଲେଶ୍ଵର ସହରର କୁଳୀନ ପରିବାର ମଧ୍ୟରେ ପିଲାକାଳ କଟାଇଥିବାରୁ ଓଡ଼ିଆ ଜାତି ଓ ଭାଷାକୁ ବେପସନ୍ଦ କରିବାଟା ଶିକ୍ଷା କରିଥିଲି । କଟକ ଆସି ପ୍ରଥମେ ମୋ’ ଆଖିରେ ପଡ଼ିଲା ‘ଅବକାଶ ଚିନ୍ତା’ । କ୍ଷୁଦ୍ର ପୁସ୍ତିକାଟିର ପ୍ରତ୍ୟେକ କବିତା ମୋର କିଶୋର ପ୍ରାଣରେ ଏପରି ଗୋଟିଏ ଦ୍ୟୋତନା ଯୋଗାଇ ଦେଲା ଯେ, ମୁଁ ଆଉ ଥୟ ଧରି ରହିପାରିଲି ନାହିଁ । ଲେଖିଲି ବସି ଲୁଚି ଲୁଚି କବିତା । ‘ଅବକାଶ ଚିନ୍ତା’ ଗୋପବନ୍ଧୁଙ୍କର ଏକାବେଳକେ ପ୍ରଥମକାଳର ରଚନା । ୧୯୫୦ ମସିହା ପର୍ଯ୍ୟନ୍ତ ଓଡ଼ିଆ କବିତାର ଏକ ମୁଖ୍ୟ ଭାଗ ପଣ୍ଡିତ ଗୋପବନ୍ଧୁଙ୍କର କାବ୍ୟଦୃଷ୍ଟିଦ୍ଵାରା ନାନାଭାବେ ଅନୁସେଚିତ ହୋଇ ଆସିଛି । ଜାତି ଓ ଜାତୀୟତାର କ୍ଷେତ୍ରରେ ଗୋପବନ୍ଧୁଙ୍କର ଯେଉଁ ଅଧ୍ୟାତ୍ମମୂଳ ଭବିଷ୍ୟମୁଖୀ ଦୃଷ୍ଟି ରହିଥିଲା, ସେହି ପରିଧିଟି ମଧ୍ୟରେ ପରବର୍ତ୍ତୀ କାଳର କାନ୍ତକବି ଲକ୍ଷ୍ମୀକାନ୍ତ ଓ ଆହୁରି ଏକାଧିକଙ୍କର କବିତାର ସମୀକ୍ଷା କରାଯାଇପାରିବ । ଏଠାରେ ଲକ୍ଷ୍ମୀକାନ୍ତଙ୍କର ଗୋଟିଏ କବିତାରୁ ଆମେ କେତୋଟି ଧାଡ଼ି ଦୃଷ୍ଟାନ୍ତରୂପେ ଉଦ୍ଧାର କରିପାରିବା –

 

ସେ ଦେଶକୁ ଯାଅ ଚାଲି ଯେ ଦେଶ ପ୍ରଧାନ,

ଯେ ଦେଶ ଗୌରବମୟ ଉଦାର ମହାନ୍ ।

ଯହିଁ ଅଛି ସ୍ଫୂର୍ତ୍ତି ତେଜ ଶକତି ଉଦ୍ୟମ,

ଯେ ଦେଶେ ଅସୀମ ଲକ୍ଷ୍ୟ ଅନନ୍ତ କରମ ।

ଯହିଁ କେବେ ପଡ଼ି ନାହିଁ ବିସ୍ମୃତିର ଛାୟା,

ଯହିଁ ପୂର୍ଣ୍ଣ ପ୍ରେମ ଦୟା ସ୍ନେହପ୍ରୀତି ମାୟା ।

ସମବେଦନାର ସୂତ୍ରେ ଗ୍ରଥିତ ସରବେ

କମ୍ପୁ ନାହିଁ ବସୁନ୍ଧରା ହା-ହୁତାଶ ରବେ ।

 

ଆଧୁନିକ କାଳରେ ଓଡ଼ିଆ କବିତା ସମ୍ଭବତଃ ଅତ୍ୟନ୍ତ ପରିମାଣରେ କୁଳୀନତା ଭିତରେ ଗୁଡ଼ାଇ ହୋଇ ରହିଛି ଓ ଅତ୍ୟନ୍ତ ଅଲଗା ହୋଇଯାଇଛି । ଏପରି କାହିଁକି ହେଲା, ତାହାର ଏକ ସମ୍ପୂର୍ଣ୍ଣ ଆଲୋଚନା ସର୍ବଦା କରାଯାଇପାରେ । ଗୋପବନ୍ଧୁ ଯୁଗର ଓଡ଼ିଆ କବିତା ଓଡ଼ିଆ ସାହିତ୍ୟରେ ସମ୍ଭବତଃ ଏକାଧିକ କବି ଏବଂ ସାହିତ୍ୟିକଙ୍କୁ ସେହି କୁଳୀନତା ନାମକ କଳୁଷ ଭିତରୁ ବାହାରି ଆସିବା ନିମନ୍ତେ ଦୃଷ୍ଟି ଯୋଗାଇ ଦେଇଥିଲା ଓ ସାହସୀ କରିଥିଲା । ଗୋପବନ୍ଧୁ କେବଳ ସାହିତ୍ୟ କେବେ କରୁ ନଥିଲେ । ସେ ଏକ ବୃହତ୍ତର ଜୀବନର ଆକାଶକୁ ପୃଥିବୀ ଉପରକୁ ଓହ୍ଲାଇ ଆଣିବାର ଆକାଂକ୍ଷା ରଖିଥିଲେ । ମନୁଷ୍ୟର ଭାଗ୍ୟ ଉପରେ ତାଙ୍କର ଅଟଳ ବିଶ୍ଵାସ ରହିଥିଲା । ଭାରତୀୟ ସଂସ୍କୃତିର ଅନ୍ତର୍ନାଡ଼ି ଏବଂ ଅନ୍ତର୍ବଳଗୁଡ଼ିକ ସେ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଚିହ୍ନିଥିଲେ । ତେଣୁ ସେ ଓଡ଼ିଶାର ଜଗନ୍ନାଥଙ୍କଠାରୁ ଯଥାର୍ଥ ପ୍ରେରଣାଟିକୁ ଲାଭ କରିପାରିଥିଲେ । ତାଙ୍କ ହାତରେ ଜାତି ଏବଂ ଜାତୀୟତା ଉଭୟେ ନିରାପଦ ହୋଇ ରହିଥିଲେ । ଏହିସବୁ ଦୃଷ୍ଟିରୁ ଗୋପବନ୍ଧୁଙ୍କର ସାହିତ୍ୟରେ ଏପରି ଗୋଟିଏ ଉତ୍ତୋଳନକାରୀ ସାମର୍ଥ୍ୟ ରହିଛି, ଯାହାକି ତାଙ୍କର ପାଠକ ହିସାବରେ ଆମ ସମସ୍ତଙ୍କୁ ଆମ ନିଜର ଶକ୍ତି ବିଷୟରେ ସଚେତନ କରି ଦେଇଯାଏ, ଆମକୁ ମଧ୍ୟ ଉତ୍ତୋଳିତ କରିନିଏ ଓ ଶୁଦ୍ଧ କରିନିଏ । ଲେଖକର ଜୀବନ ଏକ ସମଗ୍ର ଆକାଂକ୍ଷାର ଭୂମି ଉପରେ ଦୃଢ଼ ଓ ପ୍ରତ୍ୟୟପୂର୍ଣ୍ଣ ଭାବରେ ପ୍ରତିଷ୍ଠିତ ହୋଇ ରହିଥିଲେ ତା’ର ସାହିତ୍ୟ ମଧ୍ୟ କିପରି ଏକ ସମଗ୍ର ପ୍ରେରଣାର ମେଦନୀକୁ ଆମ ଆଗରେ ଉତ୍ତୋଳିତ କରି ଧରିପାରେ, ଓଡ଼ିଆ ସାହିତ୍ୟରେ ଗୋପବନ୍ଧୁ ତାହାର ଏକ ଗୌରବମୟ ଦୃଷ୍ଟାନ୍ତ ହୋଇ ରହିଥିବେ । ଗୋପବନ୍ଧୁ ରାଜନୀତିରେ ଯାହା ଥିଲେ, ସମାଜରେ ଦୁର୍ଗତମାନଙ୍କର ସେବାରେ ମଧ୍ୟ ଠିକ୍‍ ତାହାହିଁ ଥିଲେ, ଶିକ୍ଷାର କ୍ଷେତ୍ରରେ ତାଙ୍କର ଯାବତୀୟ ଉଦ୍ୟମରେ ଆମେ ଯେଉଁ ସମ୍ବେଦନାମୟ ସବଳ ବ୍ୟକ୍ତିତ୍ୱର ପରିଚୟ ପାଇବା, ତାଙ୍କର ସାହିତ୍ୟରେ ମଧ୍ୟ ସେହି ବ୍ୟକ୍ତିତ୍ୱଟି ଆମକୁ ଆହ୍ଵାନ ଦେଉଥିବା ଆମର ସଖାଟିଏ ପରି ଆମ ଆଗରେ ଆସି ଦଣ୍ଡାୟମାନ ହୋଇଥିବା ପରି ଅନୁଭବ କରିପାରୁଥିବା । ଜୀବନ ପରି ସାହିତ୍ୟ ମଧ୍ୟ ଏକ ସମଗ୍ର ଅନୁଭୂତି । ସାହିତ୍ୟ ଜୀବନକୁ ଅଧିକ ସମଗ୍ର ହେବାର ତଥା ଆମ ଜୀବନ ମଧ୍ୟ ଆମ ସାହିତ୍ୟକୁ ଅଧିକ ସମଗ୍ର ଭାବରେ ଦେଖିପାରିବାର ଏକ ଆଦର୍ଶରୂପେ ବିକଶିତ ହୋଇ ଆସିବାରେ ଯେ ସାହାଯ୍ୟ କରେ, ଗୋପବନ୍ଧୁ କାଳକାଳକୁ ଆମକୁ ସେହିକଥା ସ୍ମରଣ କରାଇ ଦେଉଥିବେ ।

 

ଓଡ଼ିଆ ସାହିତ୍ୟର ସତ୍ୟବାଦୀ ଯୁଗ ବା ଗୋପବନ୍ଧୁ ଯୁଗ ସହିତ ସବୁଜ ଯୁଗଟି ଠିକ୍‍ ଲଗାଲଗି ହୋଇ ରହିଛି । ଏହି ଯୁଗର ପ୍ରତିନିଧିମାନେ ପ୍ରଧାନତଃ କବି; ଅବଶ୍ୟ ସେମାନେ ଗଦ୍ୟ ମଧ୍ୟ ପ୍ରଚୁର ଲେଖିଛନ୍ତି । ଗୋପବନ୍ଧୁ ଯେପରି ପ୍ରଧାନତଃ ଉତ୍କଳଗୌରବଙ୍କଠାରୁ ପ୍ରେରଣା ନେଇଥିଲେ ଓ ସେହି ପ୍ରେରଣା-କେନ୍ଦ୍ରଟିକୁ ସଂପ୍ରସାରିତ କରି ଆପଣାର ଜୀବନ ଓ ସାହିତ୍ୟକୁ କେତେ କୁଆଡ଼େ ଲମ୍ବାଇ ନେଇଥିଲେ, ସବୁଜମାନଙ୍କର କ୍ଷେତ୍ରରେ ଆମେ ସେକଥାଟିକୁ ଆଦୌ ଦେଖିବାକୁ ପାଇବା ନାହିଁ । ମଧୁସୂଦନ ସବୁଜମାନଙ୍କୁ କୌଣସି ପ୍ରେରଣା ଦେଇ ନଥିଲେ । ମଧୁସୂଦନଙ୍କର ପ୍ରେରଣା ଯେ ସମସାମୟିକ ଯଥାର୍ଥ ଚକ୍ଷୁଟିଏ ଲାଭ କରିବାକୁ ଆଦୌ ଯଥେଷ୍ଟ ନୁହେଁ, ସମ୍ଭବତଃ ଗୋପବନ୍ଧୁଙ୍କର ଜୀବଦ୍ଦଶାରୁ ମଧ୍ୟ ତାହା ସୂଚିତ ହୋଇ ଆସିବାକୁ ଆରମ୍ଭ କରିଥିଲା । ଗୋପବନ୍ଧୁ ଓ ତାଙ୍କର ସାଥୀମାନେ ଓଡ଼ିଶାକୁ ଆପଣାର ଆଦର୍ଶ ଓ ଉପଜୀବ୍ୟ କରି ରଖିଥିଲେ । ସେମାନେ ଉତ୍କଳ ଜନନୀଙ୍କର ମାଧ୍ୟମରେ ଓଡ଼ିଆ ସାହିତ୍ୟ ଭିତରକୁ ଆସିଥିଲେ । ସେମାନେ ଶିକ୍ଷାରେ ଥିଲେ, ସମାଜସେବାରେ ଥିଲେ, ସଂସ୍କାରରେ ଥିଲେ । ଗୋପବନ୍ଧୁ ଓ ନୀଳକଣ୍ଠ ଇଂରେଜମାନଙ୍କ ସମୟର କାଉନ୍‍ସିଲ୍‍ରେ ସଭ୍ୟ ହୋଇଯାଇଥିଲେ । ସେମାନେ ସମସ୍ତେ ସଚେତନ ଭାବରେ ରାଜନୀତି ଭିତରେ ରହିଥିଲେ । ସବୁଜମାନଙ୍କ ବେଳକୁ ଆମେ ଏସବୁ କୌଣସି କଥା ଦେଖିବାକୁ ପାଇବା ନାହିଁ ।

 

ସବୁଜମାନେ ଗୋଟାସୁଦ୍ଧା ସାହିତ୍ୟ ଭିତରେ ଥିଲେ । ତା’ ବୋଲି ଯେ ସେମାନେ ସାହିତ୍ୟକୁ ଗୋଟିଏ ସ୍ଵତନ୍ତ୍ର ପେଶା ବୋଲି ଗ୍ରହଣ କରି ନେଇଥିଲେ, ତାହା ଆଦୌ ନୁହେଁ; ମାତ୍ର ସେମାନେ ସାହିତ୍ୟର ବୃତ୍ତ ଭିତରେ ରହିହିଁ ବ୍ୟକ୍ତି ତଥା ସମୂହକୁ ନେଇ ଆଉ ଯାବତୀୟ ବୃତ୍ତର ସ୍ଵପ୍ନ ଦେଖୁଥିଲେ । ଗୋପବନ୍ଧୁ, ନୀଳକଣ୍ଠ ଓ ଗୋଦାବରୀଶଙ୍କୁ ଆମେ ସାହିତ୍ୟ ବ୍ୟତୀତ ଓଡ଼ିଶାର ଆହୁରି ଅନ୍ୟ ଅନେକ କ୍ଷେତ୍ରରେ ସେମାନଙ୍କର ବହୁ କୃତିତ୍ଵଯୁକ୍ତ ଅବଦାନଗୁଡ଼ିକ ନିମନ୍ତେ ସବୁବେଳେ ମନେ କରୁଥିବା, ସମ୍ଭବତଃ ସାହିତ୍ୟ ବାହାରେ ରହିଥିବା ଅନ୍ୟ କ୍ଷେତ୍ରଗୁଡ଼ିକରେ ସେମାନଙ୍କର ଭୂମିକା ବିଷୟରେ ଅଧିକ ଦୃଷ୍ଟିପାତ କରିବାକୁ ଇଚ୍ଛା କରିବା-ମାତ୍ର ସବୁଜମାନେ ସବାଆଗ ସବୁବେଳେ ଓଡ଼ିଆ ସାହିତ୍ୟ ମଧ୍ୟରେ ସେମାନଙ୍କର ଅବଦାନ ଏବଂ ଭୂମିକାଗୁଡ଼ିକ ଲାଗିହିଁ ଅଧିକତର ପରିମାଣରେ ଆମର ମନେ ପଡ଼ୁଥିବେ । ଗୋପବନ୍ଧୁ, ନୀଳକଣ୍ଠ ଓ ଗୋଦାବରୀଶଙ୍କ ଭଳି ସବୁଜମାନେ ବଡ଼ ହୋଇ ଓଡ଼ିଶାର ସେବା କରିବେ ବୋଲି ଆପଣାର ତରୁଣ ବୟସରେ ଆଦୌ କୌଣସି ଶପଥ ଗ୍ରହଣ କରି ନଥିଲେ । ଏମାନେ ପ୍ରତ୍ୟେକେ ନିଜ ନିଜର ଜୀବନରେ ପ୍ରତିଷ୍ଠିତ ହେବାପାଇଁହିଁ ପାଠ ପଢ଼ିଥିଲେ । କଲେଜକୁ ଆସି ପାଠ ପଢ଼ିବା ସହିତ ସାହିତ୍ୟକୁ ମନ କଲେ । ପଡ଼ୋଶୀ ବଙ୍ଗଳା ସାହିତ୍ୟ ଭିତରକୁ ମନ ବଳାଇଲେ, ସଉଦା କରି ବାହାରିଲେ । ବଙ୍ଗଳା ସାହିତ୍ୟଦ୍ଵାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ସେତେବେଳେ ବଙ୍ଗଳା ସାହିତ୍ୟ ଓ ଓଡ଼ିଆ ସାହିତ୍ୟର ଦୁଇ ପ୍ରସାରଭୂମିର ଯଦି ଏକ ତୁଳନାତ୍ମକ ଅଧ୍ୟୟନ କରାଯାଏ, ତେବେ ଓଡ଼ିଶାରେ ଆଖିଥିବା ଓ ସାହିତ୍ୟରେ ମନରଖିଥିବା ଯେକୌଣସି ବ୍ୟକ୍ତି ଯେ ବଙ୍ଗଳା ସାହିତ୍ୟଦ୍ଵାରା ନିଶ୍ଚୟ ବହୁ ପରିମାଣରେ ଉଦ୍‍ବୁଦ୍ଧ ହୋଇଥାନ୍ତା, ସେହି ବିଷୟରେ ଆମର ଆଦୌ କୌଣସି ସନ୍ଦେହ ରହିବ ନାହିଁ ।

 

ସେତେବେଳେ ବଙ୍ଗଳା ସାହିତ୍ୟରେ ବିଶ୍ଵକବି ରବିନ୍ଦ୍ରନାଥଙ୍କର ଯୁଗ, ପ୍ରଥମ ଚୌଧୁରୀଙ୍କର ଯୁଗ । ବଙ୍ଗଳା ଗଦ୍ୟକୁ ଏକ ଯୁଗାନୁଗତ ଆଭିମୁଖ୍ୟ ଏବଂ ଆଧୁନିକତା ଆଣି ଦେବାରେ ସମ୍ଭବତଃ ଏକାଧିକ କାରଣରୁ ରବୀନ୍ଦ୍ରନାଥଙ୍କ ଅପେକ୍ଷା ଶ୍ରୀଯୁକ୍ତ ପ୍ରଥମ ଚୌଧୁରୀଙ୍କୁହିଁ ଅଧିକ ଶ୍ରେୟଃ ଦିଆଯାଇପାରିବ । ତାଙ୍କଦ୍ଵାରା ସମ୍ପାଦିତ ‘ସବୁଜପତ୍ର’ ପତ୍ରିକାଟି ଅତ୍ୟନ୍ତ ସଚେତନ ଭାବରେ ଊନବିଂଶ ଶତାବ୍ଦୀରୁ ବଙ୍ଗଳାରେ ଗଡ଼ି ଆସୁଥିବା ପାରମ୍ପରିକ ଗଦ୍ୟରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ସମ୍ଭବ କରିବାଲାଗି ଆପଣାର ଉଦ୍ୟମ କରିବାରେ ଲାଗିଥିଲା । ଓଡ଼ିଶାର ସବୁଜଗୋଷ୍ଠୀ ତାହାରିଦ୍ଵାରାହିଁ ସବୁଠାରୁ ଅଧିକ ପରିମାଣରେ ଆକୃଷ୍ଟ ହୋଇଥିଲେ । ଏହି ଗୋଷ୍ଠୀଟି କହିଲେ ପ୍ରଧାନତଃ ପାଞ୍ଚଜଣ ସାହିତ୍ୟିକଙ୍କୁ ବୁଝାଏ । ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତଚନ୍ଦ୍ର ମୁଖାର୍ଜୀ ଓ ହରିହର ମହାପାତ୍ର । କିଞ୍ଚିତ୍‍ ନିର୍ଦ୍ଦିଷ୍ଟ ଭାବରେ ବିଚାର କରି ଦେଖିଲେ ଏହି ପାଞ୍ଚଜଣଙ୍କ ମଧ୍ୟରୁ ପ୍ରଥମ ତିନିଜଣହିଁ ସତକୁସତ ଓଡ଼ିଆ ସାହିତ୍ୟ ଭିତରେ ସକ୍ରିୟ ଭାବରେ ଥିଲେ ଓ ନିଜ ଜୀବନରେ ଉଲ୍ଲେଖଯୋଗ୍ୟ ପରିମାଣରେ ସାହିତ୍ୟ ସୃଷ୍ଟି କରିଥିଲେ । ନିଜ ଗୋଷ୍ଠୀଟିର ପ୍ରଥମ କବିତାସଂଗ୍ରହକୁ ଏମାନେ ଯେ ‘ସବୁଜ କବିତା’ ବୋଲି ନାମକରଣ କଲେ ଏବଂ ଓଡ଼ିଶାର ତତ୍କାଳୀନ ସାହିତ୍ୟଅନୁରାଗୀ ସେମାନଙ୍କୁ ଯେ ‘ସବୁଜଗୋଷ୍ଠୀ’ ବୋଲି କହିଲେ, ସେଥିଲାଗି ବଙ୍ଗ ସାହିତ୍ୟରେ ପ୍ରଥମ ଚୌଧୁରୀ ଓ ତାଙ୍କଦ୍ଵାରା ସମ୍ପାଦିତ ‘ସବୁଜପତ୍ରିକା’ ସହିତ କୌଣସି ଖିଅ ଯୋଡ଼ାଯାଇପାରିବ କି ? ମାତ୍ର, ସେକଥା ଯାହା ହୋଇଥାଉ ପଛକେ, ସବୁଜଗୋଷ୍ଠୀ ଓଡ଼ିଶାରେ ସାହିତ୍ୟଘରର ଦ୍ଵାରଗୁଡ଼ିକୁ ଆହୁରି କେତେ ନୂତନ ସମ୍ଭାବନା ଆଡ଼କୁ ଯେ ଉନ୍ମୋଚିତ କରି ଦେଇଥିଲେ, ସେଥିରେ ଆଦୌ ସନ୍ଦେହ ନାହିଁ ଏବଂ ଏହି ସବୁଜଗୋଷ୍ଠୀଙ୍କଠାରୁହିଁ ଓଡ଼ିଆ ସାହିତ୍ୟ ଏବଂ ସମଗ୍ରତର ଅର୍ଥରେ ପ୍ରକୃତରେ ଆପଣାର ଆଧୁନିକ ପର୍ଯ୍ୟାୟଟିରେ ପ୍ରବେଶ କରୁଥିବା ପରି ମନେ ହେଲା । ସେହି କାଳର ପ୍ରେରଣାରୁହିଁ ଓଡ଼ିଆ ସାହିତ୍ୟର ଏକାନ୍ତ ଆଧୁନିକ ଯୁଗଟି ନିମନ୍ତେ ବସ୍ତୁତଃ ଏକାଧିକ ମୂଳଦୁଆ ପଡ଼ିବାକୁ ଆରମ୍ଭ କଲା ।

 

ସତ୍ୟବାଦୀ ଯୁଗରେ ଏକ ମାନବବାଦୀ ସମ୍ବେଦନଶୀଳତା ଏବଂ ଭାବୋଚ୍ଛଳ ଜାତୀୟତାବୋଧ ପରସ୍ପର ସହିତ ପ୍ରାୟ ଅବିଚ୍ଛିନ୍ନ ଭାବରେ ଯୋଡ଼ା ହୋଇ ରହିଥିଲା । ତଥାପି ଜଣଜଣଙ୍କର ଲେଖା ଭିତରକୁ ଆସି ଜାତୀୟତାବୋଧ ଆପଣାର ସୁସ୍ଥ ସୀମାଗୁଡ଼ିକୁ ଲଙ୍ଘନ କରି ସତେଅବା ଅତିରିକ୍ତ ପରିମାଣରେ ମିଛଟାରେ ଜାତୀୟତାବାଦୀ ହୋଇ ପଡ଼ୁଥିଲା ଏବଂ ତେଣୁ ଭାରି ଆବର୍ଜିଆ ଲାଗୁଥିଲା । ପୁନଶ୍ଚ, ଆହୁରି ଆଗକୁ ଭାରତବର୍ଷର ଭାବାକାଶ ମଧ୍ୟକୁ ଯେଉଁ ଯୁଗ ଅର୍ଥାତ୍‍ ଯେଉଁ ଆଗ୍ରହଟି ଆସି ପ୍ରବେଶ କରିବାକୁ ଯାଉଛି ବୋଲି ମନେ ହେଉଥିଲା ସେଇଟି ସହିତ ସତେଅବା କେବଳ ଓଡ଼ିଶା, ଓଡ଼ିଶାର ଅଭିଯୋଗ, ଓଡ଼ିଶାର ଦୈନ୍ୟ ଏବଂ ଓଡ଼ିଆପଣର ଉଗ୍ରତା ଭିତରେ ଆପଣାକୁ କିଳିରଖି ତାହାରି ବଳରେ ଅଧିକ ଉଜ୍ଜ୍ଵଳ ଏବଂ ଅଧିକ ବହଳ ହୋଇ ଦିଶୁଥିବା ଜାତୀୟତାବାଦର ପ୍ରବୃତ୍ତିଟି ଆଦୌ ଖାପଖାଇ ପାରୁ ନଥିଲା । ସେହି ଅତିରିକ୍ତତାକୁ ବର୍ଜନ କରି ମାନବବାଦୀ ସମ୍ବେଦନଶୀଳତାକୁ କିଞ୍ଚିତ୍‍ ଅଧିକ ପ୍ରାଧାନ୍ୟ ଦେଇ ପ୍ରଧାନତଃ ଏକ ବ୍ୟକ୍ତିବାଦୀ ଦୃଷ୍ଟିର ସ୍ପଷ୍ଟ ପରଖ ଦେଇ ସତ୍ୟବାଦୀ ଯୁଗର ପ୍ରାୟ ସମସାମୟିକ ଭାବରେ ଆଗକୁ ଆହୁରି ଗୋଟିଏ ବିକଳ୍ପର ପ୍ରତୀତି ବାଢ଼ି ଦେଇ ଓଡ଼ିଆ ସାହିତ୍ୟରେ ଯେଉଁ ନୂତନ ଅନ୍ୟ ଆଭିମୁଖ୍ୟଟିର ସୃଷ୍ଟି ହେଲା, ପରମ୍ପରା କ୍ରମେ ସେଇଟିହିଁ ଓଡ଼ିଆ ସାହିତ୍ୟରେ ସବୁଜଯୁଗ ବୋଲି ପରିଣତ ହୋଇ ରହିଲା ।

 

ଏହି ସବୁଜ ଯୁଗକୁ ତରୁଣମାନେ ଆରମ୍ଭ କରିଥିଲେ । ସେମାନେ ସେତେବେଳେ କଲେଜରେ ପାଠ ପଢ଼ୁଥିଲେ । ସମସ୍ତେ ସହରରେ ରହୁଥିଲେ ଏବଂ ସହରକୁହିଁ ଆଧୁନିକ ଜୀବନର ପ୍ରତୀକ ବୋଲି ଅନୁଭବ କରୁଥିଲେ । ଓଡ଼ିଶା କହିଲେ ସେମାନେ ଗୋଟିଏ ବୃହତ୍ତର ଦେଶ ବା ପରମ୍ପରାର ଏକ ଅଂଶ ବୋଲି ବୁଝୁଥିଲେ । ତେଣୁ, ସତ୍ୟବାଦୀ ଯୁଗରେ କିମ୍ବା ତାହାର ଆହୁରି ପୂର୍ବରୁ ଓଡ଼ିଆ ଜାତୀୟତାର ସେହି ପ୍ରଥମ ନବୋଦ୍ୟମର ଯୁଗରେ ଲୋକ ବା ନେତାମାନଙ୍କର ପ୍ରାଣ ଯେପରି ବିଶେଷ ଭାବରେ ଓଡ଼ିଶା ଲାଗି କାନ୍ଦୁଥିଲା, ସବୁଜଯୁଗରେ ଆମକୁ ସେପରି କୌଣସି ଦୃଷ୍ଟାନ୍ତ ଆଦୌ ଦେଖିବାକୁ ମିଳିବ ନାହିଁ । ଓଡ଼ିଶାରେ ସେମାନେ ଓଡ଼ିଶା ପୂର୍ବରୁ ମଣିଷମାନଙ୍କୁ ଆଗ ଦେଖୁଥିଲେ ଓ ତା’ପରେ ଯାଇ ସେମାନଙ୍କୁ ହୁଏତ ଓଡ଼ିଆ ବୋଲି ଠାବ କରୁଥିଲେ । ସାହିତ୍ୟ କହିଲେ ଯେ ଏକ ବିଶେଷ ବିଳାସ ଅଥବା ସ୍ଵତନ୍ତ୍ର ବେଉସାକୁ ଆଦୌ ବୁଝାଏ ନାହିଁ, ସେମାନେ ସେହି ସତ୍ୟଟିକୁ ଅଧିକ ପରିମାଣରେ ଉପଲବ୍ଧି କରୁଥିଲେ । ସାଧାରଣ ଜୀବନର ଯାବତୀୟ ନିତ୍ୟନୈମିତ୍ତିକ ଭିତରୁ ସାହିତ୍ୟ ମନୁଷ୍ୟକୁ ଅନ୍ତତଃ ଘଡ଼ିକଲାଗି ଶାନ୍ତି ଦିଏ, ବିରାମ ଦିଏ, ତାକୁ ମହାନ୍ କରେ ଏବଂ ମହାନତାପୂର୍ଣ୍ଣ ରାଜ୍ୟଗୁଡ଼ିକ ଆଡ଼କୁ ଉଡ଼ାଇନିଏ, ଏଇଟି ହେଉଛି ପୁରାତନ ସାହିତ୍ୟବୃତ୍ତିର ବିଷୟ । ଗୋଟିଏ ଦେଶର ବା ଭାଷାର ସାହିତ୍ୟ ଯହୁଁ ଯହୁଁ ଅଧିକ ପରିମାଣରେ ଆଧୁନିକତାର ଯୋଗ୍ୟ ହେବାକୁ ଆରମ୍ଭ କରେ, ତାହାକୁ ଉକ୍ତ ବିଶ୍ଵାସଟିକୁ କ୍ରମଶଃ ଛାଡ଼ି ଆସିବାକୁ ପଡ଼ୁଥାଏ । ଓଡ଼ିଶାର ସବୁଜମାନେ ସାହିତ୍ୟକୁ ଜୀବନ ସହିତ ଯୋଡ଼ି ଶିଖିଲେ, ଜୀବନକୁ ମଧ୍ୟ ଏକ ଭବିଷ୍ୟମୁଖୀ ପାରସ୍ପରିକତା ସହିତ ଯୋଡ଼ି ଶିଖିଲେ, ଜୀବନ ତଥା ମନୁଷ୍ୟକୁ ସେଗୁଡ଼ିକର ସର୍ବମୂଳ ଭୂମିରୁହିଁ ଠାବ କରିବାକୁ ଆରମ୍ଭ କଲେ । ଜୀବନ ପାଖରୁ ପଳାଇବାଦ୍ଵାରା ଯେ ଜୀବନର କଦାପି ଉପଲବ୍ଧି ହୁଏ ନାହିଁ, ସେମାନେ ସେହି ସତ୍ୟଟିକୁ ଜୀବନସତ୍ୟରେ ପରିଣତ କରିବାର ମାର୍ଗ ଅନ୍ଵେଷଣ କରୁଥିଲେ ଏବଂ ସାହିତ୍ୟକୁ ସେହି ଅନ୍ଵେଷଣର ମାଧ୍ୟମରୂପେ ଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟରେ ଦିଗ୍‍ବଳୟ ଉନ୍ମୋଚନର ଧାରାରେ ସେମାନେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

 

ପାଶ୍ଚାତ୍ୟର ସଂକ୍ରମଣ ତ ଓଡ଼ିଆ ସାହିତ୍ୟରେ କବିବର ରାଧାନାଥଙ୍କ ସମୟରୁହିଁ ଲାଗି ସାରିଥିଲା । ରାଧାନାଥ ପାଶ୍ଚାତ୍ୟ କାବ୍ୟମାନଙ୍କରୁ କଥାସାମଗ୍ରୀର ସଂଗ୍ରହ କରିଥିଲେ, ମାତ୍ର ପାଶ୍ଚାତ୍ୟ ସଂସ୍କୃତି ଓ ଆଧୁନିକ ଜୀବନଦୃଷ୍ଟିରୁ ସେ ପ୍ରାୟ କୌଣସି ଖାଦ୍ୟ ଆହରଣ କରି ନଥିଲେ । ପାଶ୍ଚାତ୍ୟ ଜଗତର Humanism ବା ମାନବବାଦ ହେଉଛି ପାଶ୍ଚାତ୍ୟ ଯାବତୀୟ ଆବେଦନର ସମ୍ଭବତଃ ସବୁଠାରୁ ଅଧିକ ମୂଳଭୂତ କଥା । ମଣିଷ, ପ୍ରତ୍ୟେକ ମଣିଷର ଏକ ମର୍ଯ୍ୟାଦା ରହିଛି, ବିଚାର କରିବାର ସ୍ଵାଧୀନତା ରହିଛି ଏବଂ ଯାବତୀୟ ଯଥାର୍ଥ ସମାଜ ତାହାକୁ ସେହି ମର୍ଯ୍ୟାଦା ଓ ସ୍ଵାଧୀନତାକୁ ବଞ୍ଚିବା ଲାଗି ଏକ ଅନୁକୂଳ ପରିବେଶ ଯୋଗାଇ ଦେବାଦ୍ଵାରାହିଁ ଆପଣାର ଅସଲ କର୍ତ୍ତବ୍ୟଟିକୁ କରିପାରିବ, ଏହିପରି ଏକ ନୂତନ ଆହ୍ଵାନର ଘୋଷଣା ଦେଇ ଇଉରୋପରେ Humanismର ଆବିର୍ଭାବ ଘଟିଥିଲା ଏବଂ ଉଇରୋପୀୟ ମାନସ ତଥା ମୂଲ୍ୟଗୁଡ଼ିକୁ ତାହା ଅନୁରୂପ ଭାବରେ ସାକାର କରି ଆଣିଥିଲା । ପଶ୍ଚିମ ଜଗତରୁ ଭାରତକୁ ଆସିଛି ବୋଲି ଭାରତବର୍ଷର ଯେ ଆମେ ତା’ ଆଡ଼କୁ ନାକ ଟେକିବା, ସେହି ପ୍ରବୃତ୍ତିଟିକୁ ଏକ ଅସୁସ୍ଥ ବୃତ୍ତି ବୋଲି ଘୋଷଣା କରି ସବୁଜଯୁଗର ଜଣେ ତତ୍କାଳୀନ ପ୍ରତିନିଧି ଶ୍ରୀ ଅନ୍ନଦାଶଙ୍କର ରାୟ କହିଛନ୍ତି–‘‘ସେ ତରଙ୍ଗ ପଶ୍ଚିମ ସମୁଦ୍ରକୂଳରୁ ପୂର୍ବ ସମୁଦ୍ରକୂଳକୁ ମାଡ଼ି ଆସିଛି ବୋଲି ତାକୁ ପାଶ୍ଚାତ୍ୟ ମନେ କରି ବର୍ଜନ କରିବା ଉଚିତ ନୁହେଁ । ତାହା ବିଶ୍ଵଜନୀନ । ଯେଉଁ ଦିନଠାରୁ Humanism, ସେହି ଦିନଠାରୁ ଆଧୁନିକ ଯୁଗ ।’’ ଓଡ଼ିଶାର ତତ୍କାଳୀନ ଗ୍ରହଣକାତରତା ଓ ଭାବପ୍ରବଣତା ଉପରେ ଏହି ଉକ୍ତି ଏକ କଠୋର ଆଘାତ ଅବଶ୍ୟ ଦେଇଥିବ ।

 

ସବୁଜମାନଙ୍କର ମତରେ ସାହିତ୍ୟ ତାହାର ଯାବତୀୟ ଆଙ୍ଗିକର ମଧ୍ୟଦେଇ ସେହି ସ୍ଵାଧୀନତାର ବାର୍ତ୍ତାବହ ହେବ । ଶ୍ରୀ ଅନ୍ନଦା ରାୟଙ୍କର ଭାଷାରେ କହିବାକୁ ଗଲେ, “ପ୍ରଥମେ ଦରକାର ଚିନ୍ତା ସ୍ଵାଧୀନତା, ଦ୍ଵିତୀୟତଃ ଆର୍ଥିକ ସ୍ଵାଧୀନତା, ତୃତୀୟତଃ ରାଜନୈତିକ ସ୍ଵାଧୀନତା ।’’ ସାହିତ୍ୟର ଧର୍ମକୁ ଆର୍ଥିକ ଜୀବନ ଓ ଆର୍ଥିକ ଆଦର୍ଶ ସହିତ ଆଣି ଏପରି ସଚେତନ ଭାବରେ ଯୋଡ଼ିବାର ଏଇଟି ହେଉଛି ସମ୍ଭବତଃ ସର୍ବପ୍ରଥମ ଦୃଷ୍ଟାନ୍ତ । କେବଳ ଏକ ଅଙ୍ଗୀକାରବଦ୍ଧ ସାହିତ୍ୟହିଁ ଏହା କରିପାରିବ, ମନୁଷ୍ୟ ପାଖରେ ପ୍ରତିଶ୍ରୁତିବଦ୍ଧ ହୋଇ ରହିଥିବା ସାହିତ୍ୟ ତାହା କରିପାରିବ । ଆଧୁନିକ ଯୁଗ ଆସିବା ପରେ ଇଉରୋପ ମହାଦେଶରେ ଯେଉଁସବୁ ଆଲୋଡ଼ନ, ଅସନ୍ତୋଷ ଏବଂ ସ୍ଵପ୍ନ ସେଠାରେ ମନୁଷ୍ୟର ସମାଜକୁ କ୍ରମଶଃ ଅଗ୍ରସର କରାଇ ଆଣିଥିଲା, ସବୁଜଗୋଷ୍ଠୀ ସେଗୁଡ଼ିକର ଠାବ କରିଥିଲେ ଏବଂ ଓଡ଼ିଆ ସାହିତ୍ୟ ମଧ୍ୟକୁ ସେଗୁଡ଼ିକର ପ୍ରବର୍ତ୍ତନ କରାଇ ଆଣିଥିଲେ । ସବୁଜଗୋଷ୍ଠୀର ଆଉ ଜଣେ ଶ୍ରୀ ବୈକୁଣ୍ଠନାଥ ପଟ୍ଟନାୟକ ଇଂରେଜ କବି ଶେଲୀ, ୱାର୍ଡ଼ସ୍‍ୱାର୍ଥ୍ ଏବଂ ଇଏଟ୍‍ସ୍‍ଙ୍କଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ସ୍ଵୟଂ ସ୍ଵୀକାର କରିଛନ୍ତି-। ସେ ରୋମାଁ, ରୋଲାଁ, ମାକ୍‍ସିମ୍ ଗର୍କୀ ଏବଂ ମହାକବି ଦାନ୍ତେଙ୍କର ମାନସପ୍ରଣୟିନୀ ବିଏଟ୍ରିସ୍‍ଙ୍କ ଉପରେ ମଧ୍ୟ କବିତା ଲେଖିଛନ୍ତି । ପ୍ରାଚୀନ ଉପରେ ଓଡ଼ିଶାର ସାହିତ୍ୟରେ ଓ ଦୃଷ୍ଟିରେ ରହି ଆସିଥିବା ସକଳ ମୋହ-ଭାବନାକୁ ତୁଟାଇ ସବୁଜମାନେ ଯଥାସମ୍ଭବ ଭବିଷ୍ୟବାଚୀ ଏକ ସମଗ୍ରତର ବିକଳ୍ପ ଆଡ଼କୁ ଚାହିଁ ଦେଖିବାକୁ ପ୍ରୟାସ କରିଛନ୍ତି । ଶ୍ରୀଯୁକ୍ତ ରାୟଙ୍କର ଭାଷାରେ “ପରିବର୍ତ୍ତନଶୀଳ ଜଗତରେ ପ୍ରାଚୀନକୁ ସନାତନ ବୋଲି ଭାବିବା ଆଦୌ ସତ୍ୟ ହୋଇ ନ ପାରେ-। ସନାତନ ବୋଲି ଯଦି କିଛି ଥାଏ ତେବେ ତାହା ପ୍ରାଚୀନ ବୋଲି ନୁହେଁ, ନିତ୍ୟ ବୋଲି ବରଣୀୟ-। ତେବେ ତାହା ସ୍ଵଦେଶିକ ନୁହେଁ, ତାହା ବିଶ୍ଵଜନୀନ ।’’

 

ପ୍ରାଚୀନକୁ ସନାତନ ଏବଂ ସୁବର୍ଣ୍ଣ ସଦୃଶ ଭାବିବାର ପ୍ରବୃତ୍ତିଟି ଓଡ଼ିଶାରେ ଏବେ ମଧ୍ୟ କମ୍ ଦେଖିବାକୁ ମିଳେ ନାହିଁ । ପ୍ରାଚୀନ ସାହିତ୍ୟରେହିଁ ଓଡ଼ିଆ ସାହିତ୍ୟର ସବୁଯାକ ରତ୍ନ ଗଚ୍ଛିତ ହୋଇ ରହିଛି, ଏହି କଥାଟିକୁ ଆପଣାର ଏକମାତ୍ର ବିଶ୍ଵାସରୂପେ ଗ୍ରହଣ କରି ଓଡ଼ିଶାରେ ବିଶେଷ ସାହିତ୍ୟିକ ସଙ୍ଗଠନମାନ ଏବେ ମଧ୍ୟ ସକ୍ରିୟ ଏବଂ ସୋଚ୍ଚାର ହୋଇ ରହିଛନ୍ତି । ସବୁଜଯୁଗର ଲେଖକମାନେ ଆଦୌ ପ୍ରାଚୀନବିରୋଧୀ ନଥିଲେ । ପ୍ରାଚୀନ ମଧ୍ୟରେ କୌଣସି ରତ୍ନ ନାହିଁ ବୋଲି ସେମାନେ କଦାପି କହୁ ନଥିଲେ । ମାତ୍ର, ପ୍ରାଚୀନ ବୋଲି ଯେକୌଣସି ସାହିତ୍ୟ-ସାମଗ୍ରୀକୁ ସେମାନେ ରତ୍ନ ବୋଲି କହିବାକୁ ରାଜି ହେଉ ନଥିଲେ । ବରଂ ନିତ୍ୟମୂଲ୍ୟର ପରିପ୍ରେକ୍ଷୀରେ ପ୍ରାଚୀନ ତଥା ନବୀନ ଉଭୟର ସମ୍ମୁଖୀନ ହେବାକୁ ସେମାନେ ଅଧିକ ସମୀଚୀନ ବୋଲି ବିବେଚନା କରୁଥିଲେ । ସେମାନେ ଏକାବେଳକେ ବ୍ୟକ୍ତିସଚେତନ ଥିଲେ, ସମାଜ-ସଚେତନ ମଧ୍ୟ ଥିଲେ । ଅର୍ଥାତ୍‍ ବ୍ୟକ୍ତି ଓ ସମାଜ ପରସ୍ପରଠାରୁ ଅଲଗା ଦୁଇଟା ପଦାର୍ଥ ବା ଏକକ ବୋଲି ସେମାନେ ଆଦୌ ଭାବୁ ନଥିଲେ । ବ୍ୟକ୍ତି ଓ ସମାଜକୁ ପରସ୍ପରର ପରିପୂରକ ବୋଲି ଭାବିବା, ଏଇଟି ମଧ୍ୟ ଏକ ଆଧୁନିକ ଦୃଷ୍ଟିଭଙ୍ଗୀ । ଯଥାର୍ଥ ବ୍ୟକ୍ତିର ଉଦୟ ଲାଗି ଯଥାର୍ଥ ସମାଜଟିଏ ଯେପରି ଅତ୍ୟାବଶ୍ୟକ ହୋଇ ରହିଥାଏ, ଏକ ଯଥାର୍ଥ ସମାଜ ମଧ୍ୟ ତା’ର ବ୍ୟକ୍ତିମାନଙ୍କୁହିଁ ଅବଲମ୍ବନ କରି କ୍ରିୟାଶୀଳ ହେବାକୁ ବାଧ୍ୟ ହୁଏ । ଯେଉଁ ପରିବେଶରେ ବ୍ୟକ୍ତି ଓ ସମାଜ ପରସ୍ପରର ପରିପନ୍ଥୀ ବୋଲି ବିଚାର କରାଯାଉଥାଏ ସେହି ପରିବେଶ ବ୍ୟକ୍ତି ଏବଂ ସମାଜ ଉଭୟଙ୍କ ପାଇଁ କେବଳ ଅସୁସ୍ଥ ହୋଇହିଁ ରହିଥାନ୍ତି । ମାତ୍ର, ଅସଲ କଥା ହେଉଛି, ସମାଜ-ସଚେତନତା ଏବଂ ବ୍ୟକ୍ତି ସଚେତନତା ଦୁଇଟିଯାକକୁ ଯଥାର୍ଥ ସଙ୍ଗତି ସହିତ ଗ୍ରହଣ କରି ଜୀବନରେ ଚାଲିବା ଆଦୌ ସହଜ ବ୍ୟାପାର ନୁହେଁ । ପିଣ୍ଡ ଆଉ ବ୍ରହ୍ମାଣ୍ଡ ଦୁଇଟିଯାକକୁ ଏକତ୍ର ପ୍ରତିଫଳିତ କରି ଜୀବନଟିଏ ବଞ୍ଚିବା ଯେପରି ସହଜ ନୁହେଁ, ଏହା ଠିକ୍‍ ସେହିଭଳି ଏକ ବିଷୟ । ବିଶେଷତଃ ଭାରତବର୍ଷରେ ଆମ ସମାଜଟି, ଯାହାକି ସାମନ୍ତବାଦର ପ୍ରାୟ ଏକ ସନାତନ କବଳରୁ ସମ୍ପୂର୍ଣ୍ଣ ଭାବରେ ଏବେ ମଧ୍ୟ କଦାପି ମୁକୁଳି ଆସି ପାରିନାହିଁ, ସେହି ସମାଜରେ ଆଧୁନିକ ଦୃଷ୍ଟି ଏବଂ ଆଧୁନିକ ସମ୍ମାନଚେତନା ସହିତ ବ୍ୟକ୍ତି ଏବଂ ସମାଜ ଉଭୟଟିକୁ ସାଙ୍ଗରେ ଧରି ବାଟ ଚାଲିବା ଆଦୌ ସହଜ ନୁହେଁ, ସାହିତ୍ୟରେ ମଧ୍ୟ ସହଜ ନୁହେଁ ।

 

ମଣିଷମାତ୍ରକେ ସମସ୍ତଙ୍କ ଲାଗି ଅଧିକାର ଓ ମାନବିକ ମର୍ଯ୍ୟାଦା ଦାବି କରୁଥିବା ଲେଖକ ବା କବିକୁ ନିଜ ଭିତରେ ଆଗ ଅନେକ ଗଣ୍ଠି ଭିତରୁ ମୁକ୍ତ ହୋଇ ଆସିବାକୁ ପଡ଼ିଥାଏ; ସିଏ ଯେଉଁ ପୁରାତନ ସମାଜଟିରେ ବାସ କରୁଛି, ସେଇଟି ସହିତ ମଧ୍ୟ ଆପଣାର ଯାବତୀୟ ସମ୍ବନ୍ଧ ଓ ସେହି ସମାଜରେ ଆପଣାର ଭୂମିକାଟି ବିଷୟରେ ତାକୁ ଅତ୍ୟନ୍ତ ସ୍ପଷ୍ଟ ହୋଇଯିବାକୁ ପଡ଼େ । ଅନେକ ଲେଖକ ତାହା ପାରନ୍ତି ନାହିଁ, ତେଣୁ ଅଳପରେ ରହି ସେମାନେ କେବଳ ଶବ୍ଦ ପହଁରନ୍ତି, ଶବ୍ଦରେ ସ୍ଵପ୍ନ ଦେଖନ୍ତି । ଶବ୍ଦରେ ସାହସ କରନ୍ତି, ସାହସୀ ହୋଇପାରନ୍ତି ନାହିଁ । ସମଗ୍ର ପୃଥିବୀପାଇଁ ସମ୍ମାନ ଓ ସ୍ଵାଧୀନତା ମାଗିବାକୁ ଯାଇ ସେମାନେ ସତେଅବା କେଉଁ ଶସ୍ତା ରୋମାଣ୍ଟିକ୍ ନାନା ଭାବପ୍ରବଣତା ମଧ୍ୟରେ ଛନ୍ଦିହୋଇ ଯାଆନ୍ତି । ସେମାନେ ନିଜଲାଗି ଆଗ ସମ୍ମାନ ମାଗନ୍ତି, ଆପଣା ଲାଗି ମୁକ୍ତ ଧାବକ ମାର୍ଗଟିଏ ଉଣ୍ଡାଳି ନେଇ ସେହି ମାର୍ଗ ଦେଇ ପଳାୟନ କରନ୍ତି ଏବଂ ସେହି କାରଣରୁ ବହୁ ଦ୍ଵନ୍ଦ୍ୱରେ ରହିଯାଆନ୍ତି । ଓଡ଼ିଆ ସାହିତ୍ୟର ସବୁଜମାନଙ୍କ ଭିତରେ ଆମକୁ ଏହିପରି ଅନେକ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥାଏ । ସେମାନେ ଘଡ଼ିଏ ବିପ୍ଳବର କଥା କହିଛନ୍ତି ତ ଆରଘଡ଼ିକୁ ସତେଅବା ଆଉ କୁଆଡ଼େ ପଳାଇ ଯିବାକୁ ମନ କରିଛନ୍ତି । ସତେଅବା ଏକାବେଳକେ ପ୍ରଳୟ କରି ସବୁକିଛି ଭାଙ୍ଗି ପକାଇବାକୁ ମନ କରିଛନ୍ତି ତ, ତେଣେ ସ୍ଵପ୍ନର ସଙ୍କଟ ଉପରେ ବସି ଆଉ କେଉଁ ପୁରକୁ ପଳାଇ ଯିବାକୁ ଇଚ୍ଛା କରିଛନ୍ତି । ଶ୍ରୀ ଅନ୍ନଦାଶଙ୍କର ରାୟଙ୍କର ‘ପ୍ରଳୟ ପ୍ରେରଣା’ କବିତାରେ–

 

ଯେତେ ପାପ ଯେତେ ମିଥ୍ୟା ଯେତେ ମୋହ ଯେତେ ପ୍ରବଞ୍ଚନା,

ଧର୍ମନାମେ ନୀତି ନାମେ ଜାତି ନାମେ ଯେତେ ଆବର୍ଜନା ।

ବୈଷମ୍ୟ ଭେଦରେଖା ଭଣ୍ଡତାର ଯେତେ ଆଚ୍ଛାଦନ,

ଦୁର୍ବଳର ହାହାକାର ପୀଡ଼ିତର ମରମବେଦନ ।

ବିଧିପଦେ ଧରିତ୍ରୀର ଦୁଃଖଶୋକେ ଭରା ଅର୍ଘ୍ୟଥାଳି,

ନିଷ୍ଠୁର ନିର୍ମମ ମୁହିଁ ନିର୍ବିକାରେ ସବୁ ଦେବି ଜାଳି ।

 

ଏଗୁଡ଼ିକ କ’ଣ କେବଳ ଶବ୍ଦ, ନା ଏଥିରେ ଏକ ନିଶ୍ଚିତ ଅଙ୍ଗୀକାରବଦ୍ଧତାର କିଛି ପ୍ରତ୍ୟୟ ରହିଥିବା ଉଚିତ ? କାରଣ, ସବୁ ଜାଳିପୋଡ଼ି ଦେବାର ପଣ କଲାବେଳକୁ ତେଣେ ପଳାଇ ଯିବାର ଏକ ଆତୁରତା ମଧ୍ୟ କବିଙ୍କୁ ଘାରି ପକାଉଛି–

 

ଯିବି ପଳାଇ ଦୂରେ ସୁଦୂରେ, ସ୍ଵପନଲୋକେ ଗୋପନପୁରେ,

ଗ୍ରହ ତାରକା ଏଡ଼ାଇ,

ଯଉବନର ଝରଣାକୂଳେ, ମଳୟ ଯହିଁ ନିୟତ ବୁଲେ,

କୁସୁମକେତୁ ଉଡ଼ାଇ ।

 

ଏବଂ ‘ସୃଜନସ୍ଵପ୍ନ’ ଶୀର୍ଷକ ଆଉ ଗୋଟିଏ କବିତାରେ–

 

ନୟନ ପରେ ନୟନ ରଖି, ମରମ ସାଥେ ମରମ ଯୋଖି,

ସ୍ଵପନସୁଖେ ଥିବାଗୋ,

ପ୍ରେମ ପୁରୁଣା ନହୁଏ ଯହିଁ, ଚାଲ ସେପୁରେ ଯିବାଗୋ ସହି,

ଚାଲ ସେପୁରେ ଯିବାଗୋ ।

 

ପୁନଶ୍ଚ,

 

ଚାଲ ସେପୁରେ ଯିବାଗୋ ପ୍ରିୟେ,

ଏ ମର ମରୁ ସହିବ କିଏ ? ...ଇତ୍ୟାଦି ଇତ୍ୟାଦି ।

 

କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ଗୋଟିଏ କବିତାରୁ ପଦେ କହିଲେ–

 

ଯହିଁ ଗଗନେ ପବନେ ଅସୀମ ସ୍ୱପନେ ଭରା,

ଯହିଁ ନାହିଁ କୋଳାହଳ ବ୍ୟଙ୍ଗ ତୀବ୍ର ଖରା,

ଯହିଁ ମୁଗ୍ଧ ନୟନେ ପ୍ରଣୟ ଆତ୍ମହରା,

ଯହିଁ ମଦିରାଗନ୍ଧେ ଯୌବନ ଦିଏ ଧରା ।

ସେ ଦେଶେ ଯିବି ମୁଁ ସେ ଦେଶେ ଉଡ଼ି ।

 

ଏବଂ, ଏତକ ଲେଖିବାର ଦୁଇମାସ ପରେ, ଆଉ ଏକ ତାଡ଼ନାମୟ ମୁହୂର୍ତ୍ତରେ–

 

ସକଳ ଜୀର୍ଣ୍ଣ ସକଳ ଜରା କାହିଁକି ଚାହୁଁ ପଥେ

ଅର୍ଦ୍ଧ ମୃତ କେବେ କି କାହିଁ ସବୁଜ ସୃଷ୍ଟି ରଚେ,

ରୋଧେ ଯେ ପଥେ ଧରେ ଯେ ଟାଣି ନିର୍ବିକାରେ ଯାଆରେ ହାଣି

କହି ନିର୍ଭୀକ ଯାଏଁ ମୁଁ ଯାତ୍ରୀ ସତ୍ୟ ଗୀତ ଗାଇ,

ଯୌବନକୁ ଦଳଇ କିଏ ଏସନ ଶକ୍ତି କାହିଁ ?

 

ସମ୍ଭବତଃ ଗୋଟିଏ ଯୌବନ ଅଛି, ଯାହାକି ଏହିଭଳି ନଚାଏ ଓ କଚାଏ, ଉଡ଼ାଇ ନେଉଥାଏ ଏବଂ ଲୋସଡ଼ାଇ ଦେଉଥାଏ । ଏହି ଯୌବନ ବୟସ ହେଲେ ଆସେ, ବୟସ ଗଲେ ଛାଡ଼ି ଚାଲିଯାଏ । ଆଉ ଏକ ଯୌବନକୁ ଜୀବନରେ ବାଛି ନେବାକୁ ହୁଏ । ତାହା ବୟସ ଅନୁସାରେ ମୋଟେ ଆସେ ନାହିଁ କି ପଳାଇ ଯାଏଁ ନାହିଁ, ତାହା ରହିଥାଏ । ଅସଲ ସାହିତ୍ୟ ଓ ଅସଲ କାବ୍ୟକତା ସେହି ଯୌବନକୁ ଧର୍ମରୂପେ ଗ୍ରହଣ କରି ନେଇଥାଏ । ଏହିଭଳି ଏକ ବିଶ୍ଵାସ ନେଇ ସବୁଜମାନଙ୍କ ପାଖକୁ ଗଲେ ସତେଅବା ନାନାଭାବେ କଚାଡ଼ି ହୋଇ ପଡ଼ିଯାଉଥିବା ପରି ଲାଗୁଥାଏ । କବି କାଳିନ୍ଦୀଚରଣ ଗୋଟିଏ କବିତାରେ କେଡ଼େ ଚମତ୍କାର ଶବ୍ଦବେହରଣ ଦେଇ ଏକ ନୂଆ ସମାଜର କଥା କହିଛନ୍ତି–

 

କବିତା ଗଢ଼େ ଏକ ବିରାଟ ସମାଜର, ସବୁରି ଯହିଁ ଅଛି ବଖୁରେ ହେଲେ ଘର,

ସକାଳେ ଲଭିବାକୁ ମୁଠାଏ ଦୁଧଭାତ, ଯୋଗ୍ୟ ଯେତେ ତହିଁ ବାଳକ ବାଳିକା ତ ।

ଦୁଇଟା ଜାମା ଲୁଗା ପିନ୍ଧିବାପାଇଁ ମିଳେ, ପଢ଼ିବାପାଇଁ ବାଧା କାହାରି ନାହିଁ ତିଳେ ।

କହିବାପାଇଁ କଥା ସବୁରି ଦାବି ଅଛି, ମୁଁ ସେହି ସମାଜର କବିତା ରଚେ ବସି ।

 

କୌଣସି ସମାଜ ଶବ୍ଦରେ ଗଢ଼ି ହୁଏ ନାହିଁ, ଶବ୍ଦରେ ବସି ପଳାଇ ଯାଇହୁଏ । ଭାରତବର୍ଷରେ ଏବେ ମଧ୍ୟ ସେହିଭଳି ଏକ ସର୍ବନିମ୍ନ ଭରସା ଆଣି ଦେଇପାରିବା ଭଳି ସମାଜଟିଏ ଗଢ଼ା ହୋଇ ନାହିଁ । ସାହିତ୍ୟ ପୁଷ୍ପକ ବିମାନରେ ବୁଲୁଛି, ମଣିଷ ଅବାଞ୍ଛିତ ଏବଂ ଅବହେଳିତ ହୋଇ ରହିଛି । ଏହି ବିଡ଼ମ୍ବନାଟି ଭିତରକୁ ସବୁଜମାନେ କେତେ ଅଳପ ଭେଦି ପାରିଥିଲେ ! ଶ୍ରୀଯୁକ୍ତ ଅନ୍ନଦାଶଙ୍କରଙ୍କର ‘ପ୍ରଳୟ ପ୍ରେରଣା’ କବିତାର କେତୋଟି ଧାଡ଼ିକୁ ମନେପକାଇ କହିଲେ, ସବୁଜଗୋଷ୍ଠୀର କବିମାନେ ପୁରୁଣା ସମାଜକୁ ମାନିବେ ନାହିଁ ଓ ଲୋକମତକୁ ପାଦରେ ଦଳି ଦେବେ ବୋଲି ପଣ କରିଥିଲେ, ମର୍ତ୍ତ୍ୟରେ ଅମରାବତୀ ଗଢ଼ିବାକୁ ଓ ଜଡ଼ ଦେହରେ ଜୀବନର ସ୍ପନ୍ଦନ ଆଣିଦେବାକୁ ଜିଗର କରି ବସିଥିଲେ । ଏହି ସବୁକିଛି ସେହି କବିତା ଭିତରେହିଁ ରହିଗଲା ଏବଂ ସବୁଜମାନେ ଅକାଳରେ ହଳଦିଆ ହୋଇଗଲେ । ସେମାନେ ବଡ଼ ହୋଇ ସମାଜକୁ ମାନିଲେ, ସେହି ପୁରୁଣା ସମାଜରୁ କେତେ ମାନ ପାଇଲେ । ଅନ୍ନଦାଶଙ୍କର ପରବର୍ତ୍ତୀ କାଳରେ ସେକଥା ନିଜେ ସ୍ୱୀକାର କରି କେତେ ଖେଦ କରିଛନ୍ତି, “ସେଦିନ ଆମ୍ଭେମାନେ ସବୁଜ ଶକ୍ତିର ସାଧନା କରିଥିଲୁ । ଆଜି ସେ ସାଧନା ଛାଡ଼ି, ମୁଁ ଧରିଛି ସବୁଜ ‘ସୌନ୍ଦର୍ଯ୍ୟର ସାଧନା’ ଏବଂ ଆମ୍ଭେମାନେ ପରା ପଣ କରିଥିଲୁ, ଚିରଜୀବନ ଚିରନବୀନ ରହିବୁ, ଆମମାନଙ୍କର ସାଧନାର ମୂଳମନ୍ତ୍ର ଥିଲା ‘ସବୁଜ ହେବୁ’, ‘ସବୁଜ ଥିବୁ’ ‘ସବୁଜ କରିବୁ’ ? ମନର ତାରୁଣ୍ୟ ଅକ୍ଷୟ ରଖି ପ୍ରାଣରସର ପ୍ରାଚୁର୍ଯ୍ୟରେ ଭସାଇ ନେଇଯିବୁ, ସମାଜର, ଜୀବନର ଯୁଗଯୁଗ-ସଞ୍ଚିତ ଆବର୍ଜନା, ଗତାନୁଗତିକର ଉପାସନା, ଅତୀତର ଅନ୍ଧ ଅନୁସରଣ, ବିଦେଶର ବ୍ୟର୍ଥ ଅନୁକରଣ ?’ ଅନ୍ନଦାଶଙ୍କର ଓଡ଼ିଆ ଛାଡ଼ି ବଙ୍ଗଳା ଚାଲିଗଲେ, ତେଣିକି ସେ ବଙ୍ଗଳାରେ ଲେଖିଲେ ଏବଂ ପ୍ରତିଷ୍ଠିତ ହେଲେ । କାଳିନ୍ଦୀଚରଣ ଓ ବୈକୁଣ୍ଠନାଥ ଓଡ଼ିଆ ଭାଷାରେ ଲେଖିଲେ ଏବଂ ପ୍ରତିଷ୍ଠିତ ହେଲେ । ମାତ୍ର ସେମାନଙ୍କ ସବୁଜସଂହତି ଅବଲୁପ୍ତ ହୋଇ ରହିଗଲା ।

 

ଏମାନଙ୍କ ସହିତ ଏମାନଙ୍କଠାରୁ ଅପେକ୍ଷାକୃତ କିଞ୍ଚିତ୍‍ ଅଧିକ ତରୁଣ ଯେଉଁ କତିପୟ ସବୁଜ ଭିତରେ ରହିଥିଲେ, ସେମାନେ ମୁଖ୍ୟତଃ ପ୍ରବୀଣମାନେ କ୍ରମେ ଛେତା ପଡ଼ି ଆସୁଥିବାର ଅନୁଭବ କରି ତାହାର ପ୍ରତିକ୍ରିୟାସ୍ୱରୂପ ‘ନବଯୁଗ ସାହିତ୍ୟ ସଂସଦ’ ନାମରେ ଗୋଟିଏ ନୂଆ ସାହିତ୍ୟସଂସ୍ଥା ଗଠନ କଲେ । ସେମାନେ ପ୍ରାୟ ସମସ୍ତେ ଭାରତୀୟ ସୋସିଆଲିଷ୍ଟ ଓ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିଲେ । ଭାରତୀୟ ଜାତୀୟକଂଗ୍ରେସ ଇଂରେଜ ଶାସନରୁ ଦେଶକୁ ମୁକ୍ତ କରିବା ଲାଗି ସ୍ଵାଧୀନତା-ସଂଗ୍ରାମ ଲଢ଼ିବାରେ ସର୍ବମୁଖ୍ୟ ସଂସ୍ଥା ହିସାବରେ କାର୍ଯ୍ୟ କରୁଥିଲା । ସେହି ସଂସ୍ଥାର ଏହି ରାଜନୀତିକ ଲକ୍ଷ୍ୟଟି ସହିତ ଅନୁପୂରକ ଭାବରେ ଏକ ଆର୍ଥିକ ଲକ୍ଷ୍ୟ ମଧ୍ୟ ରହିଥିଲା-। ଅର୍ଥାତ୍‍, ଭାରତବର୍ଷ ରାଜନୀତିକ ସ୍ଵାଧୀନତା ହାସଲ କରିବା ପରେ କେଉଁ ଆର୍ଥିକ ଛାଞ୍ଚରେ ଭାରତୀୟ ସମାଜକୁ ନୂତନ ଭାବରେ ଗଠନ କରିବାକୁ ପଡ଼ିବ, ଜାତୀୟକଂଗ୍ରେସ ସେହି ବିଷୟରେ ଆପଣାପାଇଁ କିଛି ଯୋଜନାର ଚିତ୍ର ଅବଶ୍ୟ ରଖିଥିଲା । ମାତ୍ର, ଭାରତବର୍ଷର ବାମପନ୍ଥୀ ତରୁଣମାନେ ଆହୁରି ଅଧିକ କିଛି ଚାହୁଁଥିଲେ ଏବଂ ଜାତୀୟକଂଗ୍ରେସ ଯଥେଷ୍ଟ ସାଧୁତା ସହିତ ଆପଣାର ଆର୍ଥିକ ଘୋଷଣାଗୁଡ଼ିକ ଉପରେ ଆସ୍ଥା ରଖିଛି ବୋଲି ବିଶ୍ଵାସ କରୁ ନଥିଲେ । ୧୯୩୨ ମସିହାରେ ଜାତୀୟକଂଗ୍ରେସ ଓ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ବନ୍ଦ କରିଦେଇ ରଚନାତ୍ମକ କାର୍ଯ୍ୟଗୁଡ଼ିକରେ ଅଧିକ ମନୋନିବେଶ କରିବା ଲାଗି ଯେପରି ଦେଶକୁ ଆହ୍ଵାନ ଦେଲେ, ସେଥିରେ ମଧ୍ୟ ତରୁଣମାନଙ୍କର ମନ ମାନିଲା ନାହିଁ । ସେମାନେ ପ୍ରକାଶ୍ୟ ଭାବରେ ଜାତୀୟକଂଗ୍ରେସରୁ ଅଲଗା ହୋଇଗଲେ । ତଥାପି, ଜାତୀୟକଂଗ୍ରେସର ଜବାହାରଲାଲ ନେହେରୁଙ୍କୁ ସେମାନେ ହୁଏତ କେତେ ପରିମାଣରେ ପ୍ରଗତିଶୀଳ ବୋଲି ବିଚାରୁଥିଲେ ଏବଂ ତାଙ୍କ ଉପରେ ତଥାପି ଆଶା ରଖିଥିଲେ ।

 

ଏହିସବୁ ରାଜନୀତିକ ଦୃଷ୍ଟିବଦଳର ପ୍ରଭାବ ସେତେବେଳର ସାହିତ୍ୟ ଉପରେ ମଧ୍ୟ ପଡ଼ିବା ଅବଶ୍ୟମ୍ଭାବୀ ଥିଲା, ପଡ଼ିଲା । କେବଳ ଓଡ଼ିଶାର ସାହିତ୍ୟ ଉପରେ ନୁହେଁ, ସମଗ୍ର ଭାରତବର୍ଷର ସାହିତ୍ୟ ଉପରେ ପଡ଼ିଥିଲା । ୧୯୩୬ ମସିହାରେ ଲକ୍ଷ୍ନୌଠାରେ ପ୍ରଗତିଶୀଳ ଲୋକେ ସମ୍ମିଳନୀର ଯେଉଁ ପ୍ରଥମ ଅଧିବେଶନ ବସିଲା, ସେଥିରେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କଥାକାର ମୁନ୍‍ସୀ ପ୍ରେମଚାନ୍ଦ ସଭାପତିର ଆସନରୁ ଘୋଷଣା କରିଥିଲେ-“ଯେଉଁ ସାହିତ୍ୟ ଆମ ଭିତରେ ଏକ ସମୀକ୍ଷାତ୍ମକ ଦୃଷ୍ଟିକୋଣ ଜାଗ୍ରତ କରାଇ ଆଣିପାରେ ନାହିଁ ଏବଂ ଆମର ଆଧ୍ୟାତ୍ମିକ ତଥା ବୌଦ୍ଧିକ ଆବଶ୍ୟକତାଗୁଡ଼ିକର ସନ୍ତୋଷ ବିଧାନ କରେ ନାହିଁ, ଯେଉଁ ସାହିତ୍ୟ ଶକ୍ତି ବା ଗତିଶୀଳତା ଆଣି ଦିଏ ନାହିଁ, ଯାହା ଆମ ଭିତରେ ସୌନ୍ଦର୍ଯ୍ୟବୋଧର ଜାଗୃତି ଘଟାଇ ପାରେ ନାହିଁ ଓ ଯଥେଷ୍ଟ ସଂକଳ୍ପର ସହିତ ଯାହା ଆମକୁ ନିରାଟ ବାସ୍ତବତାଗୁଡ଼ିକର ସମ୍ମୁଖୀନ ହେବାରେ ସାହାଯ୍ୟ କରେ ନାହିଁ, ଆଜି ଆମଲାଗି ସେହି ସାହିତ୍ୟର ଆଦୌ କୌଣସି ପ୍ରୟୋଜନ ନାହିଁ । ତାହାକୁ ସାହିତ୍ୟ ବୋଲି କହିବା ମଧ୍ୟ ମୋଟେ ଉଚିତ ହେବ ନାହିଁ ।’’ ସାହିତ୍ୟ ମୂଳତଃ ବିନୋଦ ଏବଂ ଚିତ୍ତ-ଆପ୍ୟାୟନର ସାମଗ୍ରୀ ହୋଇ ରହିବ ବୋଲି ପ୍ରଗତିଶୀଳମାନେ ଆଦୌ ସ୍ଵୀକାର କରୁ ନଥିଲେ । ଭାରତବର୍ଷରେ ଆଧୁନିକ ଯୁଗରେ ମଧ୍ୟ ସାହିତ୍ୟ ଏକାଧିକ ଦୃଷ୍ଟିରୁ ସାମନ୍ତବାଦୀ ହୋଇ ରହିଥିଲା । ସାହିତ୍ୟ ମଧ୍ୟରେ କୌଣସି ଭବିଷ୍ୟଚିତ୍ର ଥିଲା, ପ୍ରଗତିଶୀଳମାନେ ସେହି ଦୃଷ୍ଟିରେ ପରିବର୍ତ୍ତନ ଇଚ୍ଛା କରୁଥିଲେ । ଇଉରୋପୀୟ ମାର୍କ୍‍ସ୍‍ବାଦ ଓ ଋଷିଆ ଦେଶର କମ୍ୟୁନିଷ୍ଟ ଶାସନ ସାହିତ୍ୟ କହିଲେ ଯେଉଁସବୁ ନୂଆ କଥା ଓ ନୂଆ କର୍ତ୍ତବ୍ୟଗୁଡ଼ିକୁ ବୁଝୁଥିଲା, ଭାରତୀୟ ପ୍ରଗତିଶୀଳମାନେ ତାହାକୁହିଁ ସୂତ୍ର ପରି ମାନୁଥିଲେ ଏବଂ ଭାରତବର୍ଷରେ ସେହିଗୁଡ଼ିକର ପ୍ରବର୍ତ୍ତନ ଇଚ୍ଛା କରିଥିଲେ ।

 

୧୯୩୮ ମସିହା ଡିସେମ୍ବର ମାସରେ ସହି ସମ୍ମିଳନୀର କଲିକତା ଅଧିବେଶନରେ ସାହିତ୍ୟକୁ ଭିତ୍ତି କରି ଏକ ନୂତନ ଆଭିମୁଖ୍ୟ ସମ୍ଭବ କରିବାର ସେହି ଅଭିଳାଷଟି ଆହୁରି ସ୍ପଷ୍ଟ ହୋଇ ଆସିଥିଲା–“ଆମେ ବିଶ୍ଵାସ କରୁଛୁ ଯେ, ଭାରତୀୟ ସାହିତ୍ୟରେ ଆମ ସାଂପ୍ରତିକ ଜୀବନର ମୌଳିକ ସମସ୍ୟାଗୁଡ଼ିକର ଆଲୋଚନା ହୋଇପାରିବା ଉଚିତ । ଏଥିରେ କ୍ଷୁଧା, ଦାରିଦ୍ର୍ୟ, ସାମାଜିକ ଅନଗ୍ରସରତା ଏବଂ ରାଜନୀତିକ ପରାଧୀନତାର ଆଲୋଚନା ହୋଇପାରିବା ଉଚିତ । ଆମକୁ ଯାହାକିଛି ନିଷ୍କ୍ରିୟତା, ଉଦାସୀନତା ଏବଂ ମୂର୍ଖତା ଆଡ଼କୁ ଟାଣିନେବାକୁ ଚକ୍ରାନ୍ତ କରୁଛି, ଆମେ ସେଗୁଡ଼ିକୁ ପ୍ରତିକ୍ରିୟାଶୀଳ ବୋଲି କହି ଅବଶ୍ୟ ବର୍ଜନ କରିବୁ ଏବଂ ଅପରପକ୍ଷରେ; ତାହା ଆମ ଭିତରେ ଏକ ସମୀକ୍ଷାତ୍ମକ ମନୋଦୃଷ୍ଟିକୁ ଜାଗ୍ରତ କରାଇ ଆଣିବାରେ ସାହାଯ୍ୟ କରିବ, ବୁଦ୍ଧି ଓ ବିବେକିତାର ଆଲୋକପାତଦ୍ଵାରା ଆମର ଯାବତୀୟ ଅନୁଷ୍ଠାନ ତଥା ରୀତିଗୁଡ଼ିକର ପରୀକ୍ଷା କରିପାରୁଥିବ, ଯାହା ଆମକୁ କର୍ମପ୍ରବୃତ୍ତ କରିପାରିବ, ଆମକୁ ସଙ୍ଗଠିତ ହେବାରେ ତଥା ପରିବର୍ତ୍ତିତ ହେବାରେ ସାହାଯ୍ୟ କରୁଥିବ, ଆମେ ସେହିସବୁକୁହିଁ ପ୍ରଗତିଶୀଳ ବୋଲି ଗ୍ରହଣ କରିବୁ-।’’ ଅର୍ଥାତ୍‍ ସାହିତ୍ୟ ପରିବର୍ତ୍ତନର ଏକ ବାହକ ଏବଂ ମାଧ୍ୟମରୂପେ ସ୍ଵୀକୃତ ହେଲା । ଏପରି ଏକ ସମାଜ, ଯେଉଁଠି ଶୋଷଣ ରହିବ ନାହିଁ, ଅନ୍ୟାୟ ଓ ଅବିଚାର ରହିବ ନାହିଁ, ମଣିଷକୁ ଅସହାୟ ଏବଂ ଅକିଞ୍ଚନ କରି ରହିବାକୁ ପଡ଼ିବ ନାହିଁ, ଯେଉଁଠି ଜାତି, ଧର୍ମ ଓ ଧନର ସାମନ୍ତବାଦୀ ମାନଦଣ୍ଡଗୁଡ଼ିକୁ ଭିତ୍ତି କରି ମଣିଷମାନଙ୍କୁ ବଡ଼ ସାନ କରି ଖଞ୍ଜିଦିଆ ଯିବ ନାହିଁ ଏବଂ ତାହାକୁହିଁ ଭଗବାନଙ୍କର ବରାଦ ବୋଲି ମାନି ନିଆଯିବ ନାହିଁ, ସେହିପରି ଏକ ସମାଜର ଆଗମନୀ ଘୋଷଣା କରିବା ଏବଂ ତାହାଲାଗି ମନୁଷ୍ୟମାନଙ୍କର ହୃଦୟ ଓ ସଂକଳ୍ପଶକ୍ତି ପ୍ରସ୍ତୁତ କରି ଆଣିବା, ତାହାହିଁ ସାହିତ୍ୟର ଆକାଂକ୍ଷା ହୋଇ ରହିବ ।

 

‘ନବଯୁଗ ସାହିତ୍ୟ ସଂସଦ’ର ପ୍ରତିଷ୍ଠା ୧୯୩୫ ମସିହାରେ ହେଲା ଏବଂ ୧୯୩୬ ମସିହାରେ ଏହି ସଂସଦର ମୁଖପତ୍ରରୂପେ ‘ଆଧୁନିକ’ ନାମକ ଏକ ପତ୍ରିକା ପ୍ରକାଶିତ ହେଲା । ପ୍ରଧାନତଃ ରାଜନୀତିରେ ସକ୍ରିୟ ଭାବରେ ରହି ସାହିତ୍ୟକୁ ମନ କରିଥିବା କେତେକ ବ୍ୟକ୍ତି ଏହି ପତ୍ରିକାର ଉଦ୍ୟମ ପଛରେ ରହିଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ପତ୍ରିକାଟି କେବଳ ଏକ ରାଜନୀତିକ ପତ୍ରିକା ହେବାଲାଗି ଆଦୌ ଚେଷ୍ଟା କରି ନଥିଲା । ତାହାର ସର୍ବମୂଳ ଦୃଷ୍ଟି ସାହିତ୍ୟିକ ଥିଲା । ପତ୍ରିକାଟିର ବିଭିନ୍ନ ସଂଖ୍ୟାରେ ଶ୍ରୀ ଜବାହାରଲାଲ ନେହେରୁ, ମାକ୍‍ସିମ୍ ଗର୍କି ଏବଂ ଶିଳ୍ପୀ ଶ୍ରୀ ବିମ୍ବାଧର ବର୍ମାଙ୍କର ଚିତ୍ର ପ୍ରକାଶ ପାଇଥିଲା । ଗୋଟିଏ ସଂଖ୍ୟାରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ, ‘ବୈଜ୍ଞାନିକ ସାମ୍ୟବାଦ’ ବିଷୟରେ ପ୍ରବନ୍ଧଟିଏ ଲେଖିଥିଲେ । ଆଉ ଗୋଟିଏ ସଂଖ୍ୟାରେ ଶ୍ରୀ ଜବାହାରଲାଲଙ୍କର ଏକ ଲେଖାର ଓଡ଼ିଆ ଅନୁବାଦ ପ୍ରକାଶ ପାଇଥିଲା ଓ ସଂସଦ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ୧୯୩୬ ମସିହାରେ ଅନୁଷ୍ଠିତ ହୋଇଥିବା ସଂସଦର ଏକ ସମ୍ମିଳନୀରେ ସଭାପତିତ୍ଵ କରି ଔପନ୍ୟାସିକ ଶ୍ରୀ ରାମପ୍ରସାଦ ସିଂହ କହିଥିଲେ–“ମାନବକୁ ତାହାର ବର୍ତ୍ତମାନ ଅବସ୍ଥାରୁ ମୁକ୍ତି ପାଇବାକୁ ହେଲେ ଏକ ସ୍ଵାଧୀନ ସାହିତ୍ୟ ସର୍ବାଦୌ ଆବଶ୍ୟକ । ଏ ସାହିତ୍ୟରେ ‘ଭଗବାନ’ ସହିତ କୌଣସି ସମ୍ପର୍କ ନଥିବ, ଧର୍ମ ସହିତ କୌଣସି ସମ୍ବନ୍ଧ ନଥିବ, ମନୁଷ୍ୟ ଭାବରେ ମନୁଷ୍ୟର ସମସ୍ୟାକୁ ଧରି ଏହା ଅଗ୍ରସର ହେବ-। ଏହିପରି ଏକ ସାହିତ୍ୟ ଋଷିଆରେ ବର୍ତ୍ତମାନ ସୃଷ୍ଟି ହୋଇଛି । ଓଡ଼ିଆ ସାହିତ୍ୟକୁ ସେହି ଆଦର୍ଶ ଧରିବାକୁ ହେବ ।’’ ନବଯୁଗ ସାହିତ୍ୟ ସଂସଦର ଲେଖକ ଓ ଅନ୍ୟ ସଦସ୍ୟମାନେ ଅତ୍ୟନ୍ତ ନିଷ୍ଠାପର ଭାବରେ ଏହିସବୁ କଥାରେ ବିଶ୍ଵାସ କରୁଥିଲେ ।

 

‘ଆଧୁନିକ’ ପତ୍ରିକାର ମୋଟେ ପାଞ୍ଚ ଛଅଟି ସଂଖ୍ୟା ପ୍ରକାଶ ପାଇଥିଲା, ତା’ପରେ ପତ୍ରିକାଟି ବନ୍ଦ ହୋଇଗଲା । ନବଯୁଗ ସାହିତ୍ୟ ସଂସଦ ଭିତରେ ରହି ଯେଉଁମାନେ ସାହିତ୍ୟର ଅନୁଶୀଳନ କରୁଥିଲେ, ସେମାନେ ସତେଅବା ଆରହାତରେ ରାଜନୀତିକ ଦଳରେ ରହି ଦଳରବି କାର୍ଯ୍ୟ କରୁଥିଲେ । ସମ୍ଭବତଃ ଦୁଇଟିଯାକ କାମପାଇଁ କାହାରି ପାଖରେ ସମୟ ନଥିଲା । ଅତ୍ୟନ୍ତ ସ୍ଵାଭାବିକ କଥା ଯେ ରାଜନୀତିକ କାର୍ଯ୍ୟକୁ ସାହିତ୍ୟର କାର୍ଯ୍ୟ ଅପେକ୍ଷା ସମ୍ପୃକ୍ତ ବ୍ୟକ୍ତିମାନେ ଅଧିକ ଜରୁରୀ ବୋଲି ମନେ କରୁଥିଲେ । ତେଣୁ କ୍ରମଶଃ ରାଜନୀତିର ଆଗ୍ରହଗୁଡ଼ିକ ଆସି ସାହିତ୍ୟିକ ଆଗ୍ରହକୁ ଗ୍ରାସ କରି ପକାଇଥିଲା । ସାହିତ୍ୟିକ ସ୍ପୃହାଟି ଗୌଣ ହୋଇ ରହିଲା । ସେଥିଲାଗି ସମୟ ଅଣ୍ଟିଲା ନାହିଁ ଏବଂ କମ୍ୟୁନିଷ୍ଟମାନେ ଶେଷରେ ସୋସିଆଲିଷ୍ଟମାନଙ୍କଠାରୁ ଅଲଗା ହୋଇଯିବା ପରେ ସଂସଦର ମିଳିତ ମଞ୍ଚଟି ମଧ୍ୟ ତିଷ୍ଠି ରହିପାରିଲା ନାହିଁ । ତଥାପି, ଓଡ଼ିଆ ସାହିତ୍ୟର ବିବର୍ତ୍ତନ-ଧାରାରେ ଆଧୁନିକ ପତ୍ରିକାର ଏକ ନିର୍ଦ୍ଦିଷ୍ଟ ସ୍ଵାକ୍ଷର ରହିଗଲା । ଓଡ଼ିଆ ସାହିତ୍ୟର କ୍ଷେତ୍ରରେ ତାହା ଏକ ନୂତନ ଆଭିମୁଖ୍ୟକୁ ଉନ୍ମୋଚିତ କରି ଦେଇଗଲା । ଓଡ଼ିଆ ସାହିତ୍ୟ ଉପରେ ମାର୍କ୍‍ସ୍‍ବାଦୀ ଜୀବନଦର୍ଶନର ପ୍ରଭାବଟି ନବଯୁଗ ସାହିତ୍ୟ ସଂସଦ ଭାଙ୍ଗିଯିବା ସହିତ ଲୁପ୍ତ ହୋଇଗଲା, ସେ କଥା ଆଦୌ ନୁହେଁ । ସେଇଟି ସ୍ଥାୟୀ ହୋଇ ରହିଲା । ଏବେ ମଧ୍ୟ ରହିଛି । ଏକ ରାଜନୀତିକ ମତବାଦ ଭାବରେ ମାର୍କ୍‍ସ୍‍ବାଦକୁ ଗ୍ରହଣ ନ କରୁଥିବା ଲେଖକମାନଙ୍କ ଭିତରେ ମଧ୍ୟ ରହିଛି । ମାର୍କ୍‍ସୀୟ ଭବିଷ୍ୟ-ଦର୍ଶନ ପୃଥିବୀବ୍ୟାପୀ କେତେକେତେ ମନୁଷ୍ୟଙ୍କ ମଧ୍ୟରେ ଏବେ ମଧ୍ୟ ଆଶାର ସଞ୍ଚାର କରାଉଛି, ଯୁଗଯୁଗର ଅନ୍ୟାୟ ତଥା ଦୂରତାଗୁଡ଼ାକ ସହିତ ସଂଗ୍ରାମ କରିବାରେ ସେମାନଙ୍କୁ ବଳ ଆଣି ଦେଉଛି । ସେହି ଆନ୍ତର୍ଜାତିକ ଉଦ୍‍ବେଳନଟି ସହିତ ନବଯୁଗ ସାହିତ୍ୟ ସଂସଦକୁ ମାଧ୍ୟମ କରି ଓଡ଼ିଆ ସାହିତ୍ୟର ଯେ ଖିଅ ଯୋଡ଼ି ହୋଇଗଲା ପ୍ରଥମତଃ ସେହି କାରଣରୁ ଉକ୍ତ ସଂସଦ ଆମଲାଗି ସ୍ମରଣୀୟ ହୋଇ ରହିଥିବ ।

 

ସାହିତ୍ୟର ମାଧ୍ୟମରେ ସମତା ଲୋଡ଼ିବା, ସାମାଜିକ ନ୍ୟାୟ ଲୋଡ଼ିବା ଏବଂ ଦାରିଦ୍ର୍ୟର ବିଲୋପ କାମନା କରିବା, ଆଦିକାଳରୁହିଁ ମଣିଷର ଏହିପରି ଏକ ଦୃଷ୍ଟି ରହି ଆସିଛି । ସମତା, ଧର୍ମ, ନ୍ୟାୟ, ମାନବିକତା, ଏଗୁଡ଼ିକ କେବଳ କଳ୍ପନା ନୁହେଁ, ମନୁଷ୍ୟର ସମାଜରେ ମଧ୍ୟ ସେହିସବୁ ସାମାଜିକ ମୂଲ୍ୟବୋଧକୁ ଏକ ମୂର୍ତ୍ତରୂପ ଦେବାରେ ସାହିତ୍ୟ ମଣିଷକୁ କାଳେ କାଳେ ଉଦ୍‍ବୋଧନ ଓ ବଳ ଦେଇ ଆସିଛି । ସାହିତ୍ୟ ସହିତ ସମ୍ବେଦନଶୀଳତାର କାଳେ କାଳେ ଯେଉଁ ନିବିଡ଼ ସମ୍ପର୍କ ରହି ଆସିଛି, ସେହି ସମ୍ପର୍କଟିଦ୍ଵାରା ଉଦ୍‍ବୁଦ୍ଧ ହୋଇ ଅନେକ ସାହିତ୍ୟିକ ସମାଜ ଆଡ଼କୁ ଅନାଇଛନ୍ତି, ବାସ୍ତବ ଆଡ଼କୁ ଅନାଇଛନ୍ତି ଏବଂ ସେଠାରେ ଅତ୍ୟନ୍ତ ଦୟନୀୟ ଭାବରେ ସେଗୁଡ଼ିକ ଦେଖିବାକୁ ମିଳୁ ନଥିବାର ଦେଖି ସେମାନେ ଗଭୀର ବେଦନା ଅନୁଭବ କରିଛନ୍ତି ଓ ଏହିଭଳି ଏକ ସ୍ଥିତି ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଦାର୍ଶନିକ କାର୍ଲ୍‍ମାର୍କ୍‍ସ୍ ଏହି ଅସଙ୍ଗତିଟିକୁ ଏକ ସମଗ୍ର ଦର୍ଶନ ଏବଂ କାର୍ଯ୍ୟକ୍ରମର ବ୍ୟାଖ୍ୟା ଦେଇ ବାନ୍ଧିବା ପୂର୍ବରୁ ମଧ୍ୟ ବିଭିନ୍ନ ଦେଶର ସାହିତ୍ୟରେ ଆମକୁ ସ୍ପଷ୍ଟ ନିଦର୍ଶନମାନ ଅବଶ୍ୟ ଦେଖିବାକୁ ମିଳିବ । ଯେକୌଣସି ସାନ ବା ବଡ଼ ନଗର, ତାହା ସର୍ବଦା ଅଲଗାଅଲଗା ଦୁଇଟି ଉପନଗରରେ ବିଭକ୍ତ ହୋଇ ରହିଥାଏ ବୋଲି ଗ୍ରୀକ୍ ଦାର୍ଶନିକ ପ୍ଲେଟୋ ତାଙ୍କର ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ଗୋଟିଏ ଉପନଗରରେ ଧନୀମାନେ ବାସ କରୁଥାନ୍ତି, ଆରଟିରେ ଦରିଦ୍ରମାନେ । ତେଣୁ ଏହିପରି ଭାବରେ ଦୁଇଟି ଜୀବନ, ଦୁଇଟି ନୈତିକତା ଓ ଦୁଇଟି ଦୃଷ୍ଟିକୋଣ ପରସ୍ପରର ପାଖାପାଖି ହୋଇ ରହିଥାନ୍ତି, ପରସ୍ପର ସହିତ ଯୁଦ୍ଧରତ ରହିଥାନ୍ତି । ଏହିପରି ଭାବରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ପ୍ଲେଟୋଙ୍କଠାରୁ ଆରମ୍ଭ କରି ବିଂଶ ଶତାବ୍ଦୀ ଆମେରିକା ଯୁକ୍ତରାଷ୍ଟ୍ରର ଔପନ୍ୟାସିକ ଅପ୍‍ଟନ୍ ସିନ୍‍କ୍ଳେଆର୍‍ଙ୍କ ପର୍ଯ୍ୟନ୍ତ ବିଶ୍ୱସାହିତ୍ୟର ସଂଖ୍ୟାତୀତ ଦୃଷ୍ଟାନ୍ତରେ ଆମେ ସେହି ଧ୍ୱନିଟି ଉଚ୍ଚାରିତ ହୋଇଥିବାର ଦେଖିବାକୁ ଅବଶ୍ୟ ପାଇବା ।

 

ତେଣୁ, ଏପରି ଏକ ଅନ୍ୟଭଳି ସମାଜର ପ୍ରତିଷ୍ଠା ହେବା ଉଚିତ, ଯେଉଁଠାରେ ମଣିଷ ମଣିଷ ମଧ୍ୟରେ କୌଣସି ପ୍ରକାରର ହୃଦୟହୀନ ବ୍ୟବଧାନ ନଥିବ, ଥୋକେ ମଣିଷ ସୁଖ ଉପରେ ଆରୋହଣ କରିବେ ବୋଲି, ଆଉ ଥୋକେ ବଳଦ ବା ଘୁଷୁରି ହୋଇ ରହି ନଥିବେ, ପ୍ରତ୍ୟେକ ମନୁଷ୍ୟକୁ ମନୁଷ୍ୟର ସମ୍ମାନ ପ୍ରାପ୍ତ ହେଉଥିବ ଏବଂ ଆପଣାର ଅନ୍ତର୍ନିହିତ ପ୍ରତିଭାଗୁଡ଼ିକୁ ବିକଶିତ କରାଇ ସେଗୁଡ଼ିକୁ ସମସ୍ତଙ୍କର ଉଦୟଲାଗି ନିୟୋଜିତ କରିପାରିବାର ସୁଯୋଗ ଦେବାଭଳି ପୂର୍ଣ୍ଣ ପରିବେଶଟିଏ ମିଳି ପାରୁଥିବ, ପୃଥିବୀର ସାହିତ୍ୟରେ ଯୁଗେଯୁଗେ କବି ଓ ଲେଖକମାନେ ଏହି ସ୍ପପ୍ନ ଦେଖି ଆସିଛନ୍ତି ଏବଂ ସ୍ୱପ୍ନ ଦେଖିବାକୁ ସାହିତ୍ୟର ଅଧିକାର ବୋଲି ଘୋଷଣା କରି ଆସିଛନ୍ତି-। ଏଥିଲାଗି ଜଣେ ଲେଖକକୁ ଯେ କମ୍ୟୁନିଷ୍ଟ ହେବାକୁ ପଡ଼ିବ, ସେକଥା ଆଦୌ ନୁହେଁ । ଋଷିଆର ଲେଓ ଟଲ୍‍ଷ୍ଟୟ ଓ ଫ୍ରାନ୍‍ସର ରୋମାଁ ରୋଲାଁ ଏହି କ୍ଷେତ୍ରରେ ଆମଲାଗି ଚାକ୍ଷୁଷ ଦୃଷ୍ଟାନ୍ତ ହୋଇ ରହିଛନ୍ତି । ବିଶେଷତଃ, ଆମ ଭାରତବର୍ଷ ପରି ଗୋଟିଏ ଦେଶରେ, ଯେଉଁଠି ଶହେରେ ଅଶୀଜଣ ମନୁଷ୍ୟ ନରଖର ହୋଇ ରହିଛନ୍ତି, ନିଃସମ୍ବଳ ଓ ବଞ୍ଚିତ ହୋଇ ରହିଛନ୍ତି, ଯେଉଁଠାରେ ଧୂର୍ତ୍ତମାନେହିଁ ସତେଅବା ସବୁଯାକ ଘୋଡ଼ା ଉପରେ ଚଢ଼ିବେ ବୋଲି ପ୍ରଚଣ୍ଡ ପ୍ରଖରତା ସହିତ ଧାଇଁବାରେ ଲାଗିଛନ୍ତି ଏବଂ ସର୍ବୋପରି ଯେଉଁଠାରେ ଧର୍ମ, ଭାଗ୍ୟବାଦ, ଜାତି ପ୍ରଭୃତି ଅସୁନ୍ଦର ଭିଆଣର ଜାଲ ବିଛାଇ ଦିଆଯାଇ କୋଟି କୋଟି ମନୁଷ୍ୟକୁ ଅଳପ ଭିତରେ, ଅନ୍ଧାର ଭିତରେ ଭଣ୍ଡାର ରଖାଯାଇଛି, ସେଠାରେ ସବୁ ମଣିଷଙ୍କୁ ସମ୍ମାନିତ ଓ ସୁନ୍ଦର କରି ଦେଖିବାର ଏକ ବିକଳ୍ପ ସମାଜର ସ୍ଵପ୍ନ ଦେଖିବା ସାହିତ୍ୟର ସର୍ବପ୍ରଥମ ଆଗ୍ରହ ହୋଇ ରହିପାରୁଥିବା ଉଚିତ । ସାହିତ୍ୟିକ ଯଦି ପଳାୟନପନ୍ଥୀ ହେବାକୁ ମନ କରୁ ନଥିବ, ତେବେ ସେ ଉକ୍ତ ସ୍ଵପ୍ନଟିକୁ ଅବଶ୍ୟ ଦେଖିବ ।

 

ବିଂଶ ଶତାବ୍ଦୀର ପ୍ରଥମ ଚରଣରେ ବଙ୍ଗଳା ଭାଷାରେ ମନୁଷ୍ୟର ବାସ୍ତବ ଜୀବନକୁ ସାହିତ୍ୟର ପ୍ରାଙ୍ଗଣ ଭିତରେ ଆଣି ସମ୍ମାନର ସହିତ ବସାଇଥିବା ଉପନ୍ୟାସକାର ଶରତଚନ୍ଦ୍ରଙ୍କର ସେହି କାଳର ଗୋଟିଏ ଉକ୍ତି ଏହି କ୍ଷେତ୍ରରେ ଏକାନ୍ତ ପ୍ରାସଙ୍ଗିକ ବୋଲି ମନେ ହେବ–“ଯେଉଁ ରାଜ୍ୟରେ ଶାସନତନ୍ତ୍ରଦ୍ଵାରା ସତ୍ୟ ନିନ୍ଦିତ, ଯେଉଁ ଦେଶର ଗ୍ରନ୍ଥକାରକୁ ଜାଣିକରି ମଧ୍ୟ ମିଥ୍ୟା ଲେଖିବାକୁ ପଡ଼ିଥାଏ ଏବଂ ଲେଖିସାରିବା ପରେ ମଧ୍ୟ ଭୟରେ କଣ୍ଟକିତ ହେବାକୁ ପଡ଼ିଥାଏ, ସେହି ଦେଶରେ ଜଣେ ମଣିଷ କାହିଁକି ଲେଖକ ହେବାକୁ ଇଚ୍ଛା କରେ ? ସେହି ଦେଶର ଅସତ୍ୟ ସାହିତ୍ୟ ରସାତଳରେବି ଯାଇ ବୁଡ଼ିଗଲେ କ’ଣ କ୍ଷତି ହୋଇ ଯାଆନ୍ତି ? ସତ୍ୟହୀନ ଦେଶର ସାହିତ୍ୟରେ ଆଜି ସେଥିଲାଗି ଶକ୍ତି ନାହିଁ, ପ୍ରାଣବି ନାହିଁ । ତେଣୁ ଆଜି ସାହିତ୍ୟ ନାମରେ ଦେଶରେ ଟୋକେଇ ଟୋକେଇ ଆବର୍ଜନାରହିଁ ସୃଷ୍ଟି ହେବାରେ ଲାଗିଛି ।’’ ଭାରତବର୍ଷ ପରାଧୀନ ଥିଲାବେଳେ ଶରତଚନ୍ଦ୍ର ଏହି ବାକ୍ୟଗୁଡ଼ିକୁ ଲେଖିଥିଲେ । ଏବର ସ୍ଵାଧୀନ ଭାରତରେ ସେହି ଅବସ୍ଥା ଏବେ ମଧ୍ୟ ପରାକ୍ରମ ବିସ୍ତାର କରି ରହିଛି । ଅନ୍ତତଃ ଜଣେ କବି ଏବଂ ସାହିତ୍ୟକାରର ହୃଦ୍‍ବୋଧ ହେଲାଭଳି ଯଥାର୍ଥ ପରିବର୍ତ୍ତନ ହୋଇନାହିଁ । ପୁରୁଣା ଏବେ ମଧ୍ୟ ସାମ୍ରାଜ୍ୟ ବିସ୍ତାର କରି ବସିଛି, ସାଆନ୍ତ ହୋଇ ବସିଛି । ଏହି ପରିପ୍ରେକ୍ଷୀରେ ବିଚାର କଲେ ଓଡ଼ିଆ ସାହିତ୍ୟରେ ନବଯୁଗ ସାହିତ୍ୟ ସଂସଦର ଭୂମିକା ଆମ ଆଗରେ ଅନେକ ମହତ୍ତ୍ୱପୂର୍ଣ୍ଣ ବୋଲି ଅନୁଭୂତ ହେବ । ସେହି ଭୂମିକାଟିର ସଂକ୍ରମଣ ପ୍ରାକ୍‍ସ୍ଵାଧୀନ ଯୁଗରେ ଆମ ସାହିତ୍ୟରେ ଆହୁରି କେତେ ମାନବବାଦୀ ସମ୍ବେଦନାଶୀଳ କବିଙ୍କୁ ଆବିର୍ଭୂତ କରାଇ ଆଣିବାରେ ମଧ୍ୟ ଉତ୍‍ପ୍ରେରକରୂପେ କାର୍ଯ୍ୟ କରିଛି । ସ୍ଵାଧୀନତା ଆନ୍ଦୋଳନର ମାନସିକ ଓ ସାହିତ୍ୟିକ ପୃଷ୍ଠଭୂମିଟିକୁ ତାହା ନାନାଭାବରେ ପରିପୃଷ୍ଟ କରିଛି । ଆମ ରାଜନୀତିକୁ ମଧ୍ୟ ତାହା କେବଳ ରାଜନୀତିକ ବ୍ୟତୀତ ଅନ୍ୟ ଅନେକ ଚକ୍ଷୁ ଆଣି ଯୋଗାଇଦେବାରେ ସାହାଯ୍ୟ କରିଛି । ସମାଜ ଲାଗି, ଜିଅନ୍ତା ମଣିଷମାନଙ୍କ ଲାଗି ସାହିତ୍ୟର ଯେ ଏକ ଅଙ୍ଗୀକାରବଦ୍ଧତା ଅବଶ୍ୟ ରହିଛି, ଆମକୁ ତାହା ଆମ ଆଖିରେ ଆଙ୍ଗୁଠି ପୂରାଇ ଦେଖାଇଦେଲା ପରି ସଚେତନ କରାଇଛି । ଅନେକ ତଥାକଥିତ ଆଧୁନିକତା ଓ ଉଦାସୀନତା ଭିତରେ ହୁଡ଼ି ନ ଯିବାରୁ ତାହା ଆମକୁ ସାବଧାନ କରାଇ ଦେଇଛି ।

 

ପଦ୍ୟରେ, ଆହୁରି ନିର୍ଦ୍ଦିଷ୍ଟ ଭାବରେ କହିଲେ କାବ୍ୟରେ ଗଳ୍ପ ଭାରତୀୟ ସାହିତ୍ୟରେ କାଳକାଳରୁ ରହି ଆସିଥିଲା । ରାମାୟଣ ଓ ମହାଭାରତକୁ ତ ମୂଳତଃ ଗଳ୍ପ ବୋଲିହିଁ କୁହାଯିବ । ସଂସ୍କୃତ ସାହିତ୍ୟରେ ଯେଉଁସବୁ ପୁରାଣ ଏବଂ ମାହାତ୍ମ୍ୟ ଲେଖାଯାଇଛି, ତାହା ମୁଖ୍ୟତଃ ଗଳ୍ପମାନଙ୍କୁହିଁ ଆଶ୍ରୟ କରି ରଚିତ ହୋଇଛି । ସେଗୁଡ଼ିକର ମାଧ୍ୟମରେ ଯେଉଁସବୁ ନୈତିକ ଅଥବା ଆଧ୍ୟାତ୍ମିକ ମୂଲ୍ୟକୁ କୁହାଯିବାକୁ ଚେଷ୍ଟା କରାଯାଇଛି, ସମାଜରେ ବାସ କରୁଥିବା ମଣିଷମାନେ ସେଗୁଡ଼ିକୁ ନିଜ ନିଜ ଜୀବନରେ କେତେଦୂର ଗ୍ରହଣ କରିପାରିଛନ୍ତି କି ନାହିଁ କେଜାଣି, ମାତ୍ର ଯେଉଁ ଗଳ୍ପଗୁଡ଼ିକର ମାଧ୍ୟମରେ ସେଗୁଡ଼ିକୁ କୁହାଯାଇଛି, ସେମାନେ ଅଧିକତର ପରିମାଣରେ ହୁଏତ ତାହାକୁହିଁ ଉପଭୋଗ କରିଛନ୍ତି ଓ ସେଗୁଡ଼ିକଦ୍ଵାରା ଅଧିକ ଆପ୍ୟାୟିତ ହୋଇଛନ୍ତି । ଆହୁରି ପୂର୍ବକୁ ଯାଇ ଆମେ ବୈଦିକ ସାହିତ୍ୟରେ ମଧ୍ୟ ଏକାଧିକ ଗଳ୍ପ ଦେଖିବାକୁ ପାଇବା । ଯୁଗଯୁଗର ଅନୁକ୍ରମରେ ସଂସ୍କୃତ ସାହିତ୍ୟରେ କଥାସରିତସାଗର, ଦଶକୁମାର ଚରିତ ଏବଂ ବତ୍ରିଶ ସିଂହାସନର କଥା ମଧ୍ୟ ରହିଛି । ପଣ୍ଡିତ ବିଷ୍ଣୁଶର୍ମାଙ୍କର ମୁଖରୁ ମିତ୍ରଲାଭ ଏବଂ ହିତୋପଦେଶର କଥାମାନ ମଧ୍ୟ କୁହାଯାଇଛି । ବୁଦ୍ଧଦେବଙ୍କର ଜୀବନକୁ କାବ୍ୟାତ୍ମକ ନାନା ଆଖ୍ୟାନରେ ପରିଣତ କରି ପାଲି ଗଦ୍ୟରେ ମଧ୍ୟ ଜାତକ କଥାଗୁଡ଼ିକ ରହିଛି । ଏସବୁକୁ ଛାଡ଼ିଦେଲେ ଲୋକମାନଙ୍କର ମୁହଁରେ ମଧ୍ୟ ସହସ୍ର ସହସ୍ର କଥା ରହିଛି । ଏଗୁଡ଼ିକ କାଳାନୁକ୍ରମରେ ପୃଥିବୀରେ କେତେ ଭାଗକୁ ଯାଇଛନ୍ତି, ବିଭିନ୍ନ ସଂସ୍କୃତିରେ ଅନୁରୂପ ପରିଚ୍ଛଦମାନ ଧାରଣ ମଧ୍ୟ କରିଛନ୍ତି । ମଣିଷ ଭିତରେ ଏମିତି କ’ଣ ଗୋଟିଏ ଉପାଦାନ ରହିଛି, ଯାହାକି ଗପ ଶୁଣିବାକୁ ଭାରି ଭଲ ପାଏ; ଯେକୌଣସି କଥାକୁ ସିଧା ନକହି ଗାଳ୍ପିକତାର ପାତ୍ରପାତ୍ରୀଙ୍କର ମାଧ୍ୟମରେ କହିଲେ ସେ ହୁଏତ ଆପ୍ୟାୟିତ ଅନୁଭବ କରେ ।

 

ତଥାପି, ସାହିତ୍ୟରେ ଗଳ୍ପ-ସାହିତ୍ୟର ଏକ ଗଦ୍ୟ ଭାଗ୍ୟରୂପେ ଏକାବେଳକେ ଅନେକ ପରେ ଆସିଛି । ଦେବତାମାନଙ୍କୁ ନେଇ ଗପ ଫାନ୍ଦି ଆନନ୍ଦ ଆସ୍ଵାଦନ କରୁ କରୁ ଓ ଗଳ୍ପର ଆବେଦନଗୁଡ଼ିକ ସହିତ ନିଜ ଜୀବନର ଘଟଣାଗୁଡ଼ିକୁ ମିଳାଇ ଦେଖୁଦେଖୁ ଗୋଟିଏ ଯୁଗରେ ହୁଏତ ତା’ର ସିଧା ଆପଣା ଜୀବନକୁ ଭିତ୍ତି କରି କାହାଣୀ ରଚନା କରିବାର ଆଗ୍ରହ ଜନ୍ମଲାଭ କରିଥିଲା । ସେତେବେଳକୁ ଗଦ୍ୟ ମଧ୍ୟ ସାହିତ୍ୟ ଭିତରକୁ ସ୍ଵୀକୃତ ହୋଇ ଆସିଲାଣି । ଶ୍ରୀ ନାରାୟଣ ଅବଧୂତ ସ୍ଵାମୀଙ୍କର ରଚିତ ‘ରୁଦ୍ରସୁଧାନିଧି’ ପରେ ଆମେ ସମାନ୍ତରଟିଏ ଖୋଜି ସମ୍ଭବତଃ ଏକାବେଳକେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଶ୍ରୀଯୁକ୍ତ ବ୍ରଜନାଥ ବଡ଼ଜେନାଙ୍କ ପାଖରେ ଆସି ପହଞ୍ଚିଯିବା । ବଡ଼ଜେନା ପଦ୍ୟରେ ‘ସମର ତରଙ୍ଗ’ ଲେଖିଛନ୍ତି,-‘ଅମ୍ବିକା-ବିଳାସ’ କାବ୍ୟରେ ମହାଦେବଙ୍କଦ୍ଵାରା ତାଙ୍କ ବିବାହୋତ୍ସବର ଉପଲକ୍ଷରେ ଆମନ୍ତ୍ରିତ ଦେବତାମାନଙ୍କର ସମ୍ମୁଖରେ ତାଣ୍ଡବଲୀଳା ନଚାଇ ଗଳ୍ପକାରିତାର ଏକ ଚମତ୍କାର ପ୍ରଦର୍ଶନଟିଏ ଜମାଇ ପାରିଛନ୍ତି । ତେଣୁ ‘ଚତୁର ବିନୋଦ’ ପରି ଏକ ରସମୟ ଗଦ୍ୟୋପନ୍ୟାସ କେବଳ ବଡ଼ଜେନାହିଁ ଲେଖି ପାରିଥାନ୍ତେ । ଇଂରାଜୀ ସାହିତ୍ୟରେ ଏବେ ଯାହାକୁ Satire ବୋଲି କହୁଛନ୍ତି, ‘ଚତୁର ବିନୋଦ’ରେ ତାହା ଭରପୂର ହୋଇ ରହିଛି । ସମ୍ଭବତଃ ତାହାହିଁ ହେଉଛି ସେହି ଗ୍ରନ୍ଥଟିର ସର୍ବପ୍ରଧାନ ଆଧୁନିକତା ।

 

ଓଡ଼ିଆ ସାହିତ୍ୟର ସତକୁସତ ଆଧୁନିକ ଯୁଗକୁ ଆସି ସର୍ବପ୍ରଥମେ କବି ଫକୀରମୋହନଙ୍କୁ ଭେଟିବା । ଶ୍ରୀ ଫକୀରମୋହନ ସେନାପତି ପଦ୍ୟ ଲେଖିବା ସଙ୍ଗେ ସଙ୍ଗେ କେତେଗୁଡ଼ିଏ ଗଳ୍ପ ଲେଖିବାରେ ମଧ୍ୟ ହାତ ଦେଇଛନ୍ତି । ସେତେବେଳେ ନୂଆ ବିଶ୍ଵାସ ଓ ନୂଆ ଜୀବନମୂଲ୍ୟଗୁଡ଼ିକର ସିନ୍ଦୁରା ଫାଟି ଆସୁଥିବା ସମୟରେ ପୁରାତନ ଜୀବନାଚାରଗୁଡ଼ିକ ଯେଉଁଭଳି ତାହାର ପ୍ରତିରୋଧ କରି ବାହାରିଥିଲେ, ଏକ ଅଭୂତପୂର୍ବ ମାନବିକ ସମ୍ବେଦନଶୀଳତା ସହିତ ଫକୀରମୋହନ ନିଜ ଗଳ୍ପଗୁଡ଼ିକର ମାଧ୍ୟମରେ ସେହି ପ୍ରତିରୋଧକୁହିଁ ବ୍ୟକ୍ତ କରିଛନ୍ତି । ସେଗୁଡ଼ିକର ଉପରିଭାଗରେ ରହିଥିବା ବିଦ୍ରୂପ ଓ ପରିହାସ ଭିତରେ ତଥାପି ଏପରି ଏକ କାରୁଣ୍ୟର ବ୍ୟଞ୍ଜନା ପ୍ରାୟ ପ୍ରତ୍ୟେକ ଗଳ୍ପରେ ଫୁଟି ଉଠିଛି, ଯାହାକି ଆମର ହୃଦୟକୁ ସିଧା ଯାଇ ସ୍ପର୍ଶ କରିପାରୁଛି । ଚାକିରିରୁ ଅବସର ଗ୍ରହଣ କରିବା ପରେ ଫକୀରମୋହନ ତତ୍କାଳୀନ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସମ୍ପାଦକଙ୍କ ଅନୁରୋଧରେ ଚାରିଗୋଟି ଉପନ୍ୟାସ ମଧ୍ୟ ଲେଖିଛନ୍ତି । ଗଳ୍ପ ପରି ଏହି ଉପନ୍ୟାସଗୁଡ଼ିକୁ ମଧ୍ୟ ଅନେକ ଦୃଷ୍ଟିରୁ ବ୍ରଜନାଥ ବଡ଼ଜେନାଙ୍କର ଶୈଳୀର ଅନୁରୂପ ବୋଲି ଗ୍ରହଣ କରାଯାଇପାରିବ । ଦୁହିଁଙ୍କ ଭିତରେ ରହିଥିବା ପାର୍ଥକ୍ୟ ସମ୍ଭବତଃ ପ୍ରଧାନତଃ କାଳର ପାର୍ଥକ୍ୟ, ଚେତନାଗତ ଦିଗ୍‍ବଳୟଗୁଡ଼ିକର ପାର୍ଥକ୍ୟ । ଦୁହିଁଙ୍କ ମଧ୍ୟରେ ଶହେବର୍ଷର ଏକ ବ୍ୟବଧାନ ରହିଥିଲା । ବଡ଼ଜେନା ସମ୍ଭବତଃ ଦୁଇଟା ଗଡ଼ଜାତର ସୀମା ଡେଇଁ ବୃହତ୍ତର ପୃଥିବୀ ଓ ବୃହତ୍ତର ଆକାଶ ଭିତରକୁ ଗୋଡ଼ ପକାଇ ନଥିଲେ । ଫକୀରମୋହନ ମୋଗଲବନ୍ଦି ଓ ଗଡ଼ଜାତ ଚାରିଆଡ଼େ ଯାଇଥିଲେ, ଜୀବନକୁ ବହୁଳ ଭାବରେ ଚାଖିଥିଲେ ଏବଂ ସର୍ବୋପରି ଗୁଣୀ ଇଂରେଜ ହାକିମ ଜନ୍ ବୀମ୍‍୍‍ସ୍‍ଙ୍କ ନିକଟ ସଂସର୍ଗରେ ଆସିଥିଲେ । ସମାଜର କ୍ରୂର ଅନ୍ତଃନାଡ଼ିଗୁଡ଼ିକୁ ସେ ନିଜର ଅନନ୍ୟ ଭାଷାରେ ଓ ଅନନୁକରଣୀୟ ଠାଣିରେ ପ୍ରାୟ ଏକ ବ୍ୟବଚ୍ଛେଦଦ୍ଵାରା ଦେଖାଇ ଦେଇଥିଲେ ସତ, ମାତ୍ର ତଥାପି କର୍ମବାଦୀ ଥିଲେ, ଅନ୍ୟାୟକାରୀମାନଙ୍କୁ ବିଧାତାଙ୍କର ଦଣ୍ଡ ଦେଇ ସେ ହୁଏତ ତାହାରିଦ୍ଵାରା ଏକ ସମାଧାନ ହୋଇଗଲା ବୋଲି ବିଶ୍ଵାସ କରୁଥିଲେ । ସମାଜରେ ମନୁଷ୍ୟମାନଙ୍କୁ ଅତ୍ୟନ୍ତ ଅସହାୟ ଓ ବିମୂଢ଼ ଭାବରେ ଗିଳିକରି ରହିଥିବା ଅନ୍ୟାୟ ଏବଂ ଅସଙ୍ଗତିଗୁଡ଼ିକୁ ସେହି ବିଧାତାହିଁ ବରାଦ କରି ଜଗତକୁ ପଠାଇଛନ୍ତି ବୋଲି ସରସ୍ଵତୀ ଫକୀରମୋହନ ଆଉ ବିଶ୍ଵାସ କରୁଥିଲେ କି ?

 

ଫକୀରମୋହନଙ୍କର ସମସାମୟିକ ସୂରୀମାନେ କେହି ଗଳ୍ପ ଲେଖି ନାହାନ୍ତି । ଗଦ୍ୟ ଲେଖିଛନ୍ତି, କିନ୍ତୁ ଗଳ୍ପ ଲେଖି ନାହାନ୍ତି । ସତ୍ୟବାଦୀ ଯୁଗରେ ମଧ୍ୟ ଗଳ୍ପ ଦେଖିବାକୁ ମିଳେ ନାହିଁ । ମାତ୍ର ସେହି ସତ୍ୟବାଦୀ ଯୁଗରୁହିଁ ସିଧା ପ୍ରେରଣା ଲାଭ କରିଥିବା ଶ୍ରୀ ଗୋଦାବରୀଶ ମହାପାତ୍ର ଗଳ୍ପ ରଚନାରେ ଯେଉଁ ଉଚ୍ଚତା ଓ ପ୍ରସାରକୁ ଛୁଇଁ ପାରିଛନ୍ତି, ଗାଳ୍ପିକତାର ହୃଦୟ ଓଡ଼ିଶାରେ ହୁଏତ ଏବେ ମଧ୍ୟ ସେହି ଉଚ୍ଚତା ଓ ପ୍ରସାର ପାଖରେ ପହଞ୍ଚି ପାରିନାହିଁ । ନୀଳକଣ୍ଠ ଦାଶ ଏବଂ ଗୋଦାବରୀଶ ମିଶ୍ର ଏକାଧିକ ଉପନ୍ୟାସ ରଚନା କରିଛନ୍ତି । ଏମାନେ ପ୍ରଧାନତଃ ଇଂରାଜୀ ଉପନ୍ୟାସର ତଡ଼ାଗରୁ ସାମଗ୍ରୀ ଓ ଚିନ୍ତନ ସଂଗ୍ରହ କରି ତାହାକୁ ଓଡ଼ିଆ ଛାଞ୍ଚରେ ଉକୁଟାଇବାକୁ ଚେଷ୍ଟା କରିଛନ୍ତି ଏବଂ ସେହି ପ୍ରୟାସରେ ଅନେକ ସଫଳ ମଧ୍ୟ ହୋଇଛନ୍ତି । ଗୋଦାବରୀଶ ମହାପାତ୍ର ମଧ୍ୟ କେତୋଟି ଉପନ୍ୟାସରେ ଠିକ୍‍ ସେହି ପ୍ରୟୋଗଟିକୁ କରିଛନ୍ତି । ସେତେବେଳେ ବଙ୍ଗଭାଷାରେ ବଙ୍କିମ ଏବଂ ଶରତଚନ୍ଦ୍ରଙ୍କୁ କେନ୍ଦ୍ର କରି ଉପନ୍ୟାସର ଡିଣ୍ଡିମ ବାଜୁଛି । ଆପଣାର ନିଜସ୍ଵ ଭଳି ରାସ୍ତାଟିଏ ବାଛି ନେଇ କବି ରବୀନ୍ଦ୍ରନାଥ ମଧ୍ୟ ଉଭୟ ଗଳ୍ପ ଏବଂ ଉପନ୍ୟାସ ଲେଖିଛନ୍ତି । ଏଗୁଡ଼ିକର ତରଙ୍ଗ ଓଡ଼ିଶାରେ ଅବଶ୍ୟ ଆସି ବାଜିଥିବ । ହିନ୍ଦୀ ସମେତ ଭାରତୀୟ ଅନେକ ଭାଷାରେ ସେତେବେଳେ ଗଳ୍ପ ଓ ଉପନ୍ୟାସର କୁସୁମପର୍ବ ଆରମ୍ଭ ହୋଇଗଲାଣି । ତଥାପି ଓଡ଼ିଶାର ଗଳ୍ପ ଓ ଉପନ୍ୟାସକାରମାନେ ତେଣିକି କୌଣସି କାରଣରୁ ଅଧିକ ମନ କରିନାହାନ୍ତି । ଆମର ତତ୍କାଳୀନ ଔପନ୍ୟାସିକମାନେ ମୁନ୍‍ସୀ ପ୍ରେମଚାନ୍ଦଙ୍କର ଗଳ୍ପ ଓ ଉପନ୍ୟାସର ନିକଟ ପରିଚୟରେ ଆସିଥିଲେ କି ନାହିଁ କେଜାଣି ? ୧୯୧୧ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଧାନ ଖଣ୍ଡଟି ବଙ୍ଗଳା ସହିତ ଗୁନ୍ଥା ହୋଇ ରହିଥିଲା । ତା’ପରେ ଯାଇ ତାହା ବିହାର ସହିତ ଯୋଡ଼ା ହେଲା ଏବଂ ହିନ୍ଦୀ ସାହିତ୍ୟର କୌଣସି ଉଲ୍ଲେଖଯୋଗ୍ୟ ସମ୍ପର୍କରେ ଆସିଥିଲା ।

 

୧୯୨୦-୨୧ ମସିହା ପରେ ଭାରତୀୟ ଜାତୀୟଆକାଂକ୍ଷାରେ ଏକ ତୁମୂଳ ଉତ୍ତୋଳନ ଘଟିଥିଲା । ମହାତ୍ମା ଗାନ୍ଧୀ ମୁକ୍ତି ସଂଗ୍ରାମରେ ନେତୃତ୍ଵ ଗ୍ରହଣ କଲେ । ବ୍ରିଟିଶ ଶାସନ ଯେ ଏହି ଦେଶରୁ ଦିନେ ଅବଶ୍ୟ ହଟିଯିବ, ସେହି ପ୍ରତ୍ୟୟ ଭାରତୀୟ ଭାବନା ଓ ଭବିଷ୍ୟକଳନାକୁ ସତେଅବା ଏକ ନୂଆ ଉଦ୍‍ବେଳନ ଆଣି ଯୋଗାଇଦେଲା । ସେତିକିବେଳେ ପଣ୍ଡିତ ଗୋପବନ୍ଧୁ ଉତ୍କଳ ସମ୍ମିଳନୀକୁ ମଧ୍ୟ ତା’ର ଆଞ୍ଚଳିକ ଆଭିମୁଖ୍ୟଟିକୁ ତ୍ୟାଗ କରି ଭାରତୀୟ ବୃହତ୍ତର ଧାରାରେ ମିଳିତ ହୋଇଯିବା ଲାଗି ଆହ୍ଵାନ ଦେଲେ । ପୃଥିବୀରେ ଯେଉଁଠି ଯିଏ ଅତ୍ୟାଚାରିତ ହେଉଛନ୍ତି ଏବଂ ଅତ୍ୟାଚାର ବିରୋଧରେ ସଂଗ୍ରାମ କରୁଛନ୍ତି, ଓଡ଼ିଶାର ଆଖି ମଧ୍ୟ ସେଯାଏଁ ପ୍ରଲମ୍ବିତ ହୋଇଗଲା । ତାହାର ପ୍ରଭାବ ଓଡ଼ିଆ ଉପନ୍ୟାସ ଉପରେ ପଡ଼ିଥିଲା । ଆମେରିକାର ଦୁଇଟି ଗ୍ରନ୍ଥର ଛାୟାରେ ସେହି ପର୍ଯ୍ୟାୟରେ ଓଡ଼ିଆ ଭାଷାରେ ଲେଖା ହୋଇଥିବା ଦୁଇଟି ଉପନ୍ୟାସ ହେଉଛି ‘ଦାସତ୍ୱ ମୋଚନ’ ଏବଂ ‘ଟମକକାଙ୍କ କୁଟୀର’ । ତା’ପରେ ଗାନ୍ଧୀଜୀଙ୍କର ଅସହଯୋଗ ଆନ୍ଦୋଳନ ଦେଶର ଚେତନାକୁ ଉନ୍ମୀଳିତ କରି ଆଣୁଥିବା ସମୟରେ ଏହି ଶତାବ୍ଦୀର ତୃତୀୟ ଦଶକରେ ଓଡ଼ିଶାର ଉପନ୍ୟାସ ସାହିତ୍ୟରେ ସତେଅବା ବନ୍ୟା ଆସି ପହଞ୍ଚିଗଲା । କାଳିନ୍ଦୀଚରଣ, କାହ୍ନୁଚରଣ, ରାମପ୍ରସାଦ ସିଂହ, କମଳାକାନ୍ତ ଓ ଆହୁରି ଅନେକ ରଥୀ ଠିକ୍‍ ଏହି ସମୟରେ ଆବିର୍ଭୂତ ହେଲେ । ଓଡ଼ିଆ ଉପନ୍ୟାସ ଓ ଗଳ୍ପକାରିତା ସତେଅବା ସାବାଳକତା ଲାଭ କରିଥିଲା । ଜୀବନର କେତେ ଅଳିନ୍ଦକୁ ସ୍ପର୍ଶ କରିଥିଲା । ପଛକୁ ପଛ ଗୋପୀନାଥ ମହାନ୍ତି, ଲକ୍ଷ୍ମୀଧର ନାୟକ ଏବଂ ବୈଷ୍ଣବ ଚରଣ ଦାସ ପ୍ରଭୃତି ଲାଗି ଆସିଲେ । ଏସବୁର କିଞ୍ଚିତ୍‍ ପୂର୍ବରୁ ଶ୍ରୀମତୀ କୁନ୍ତଳା କୁମାରୀ ସାବତ ଉପନ୍ୟାସର ମାଧ୍ୟମରେ ଓଡ଼ିଆ ନାରୀଜୀବନକୁ ଆଣି କଳାତ୍ମକ ସକଳ ସୌଷ୍ଠବରେ ପାଠକମାନଙ୍କ ନିମନ୍ତେ ବାଢ଼ି ଦେଇ ପାରିଥିଲେ । ଚତୁର୍ଥ ଦଶକରେ ଭାରତବର୍ଷ ରାଜନୀତିକ ସ୍ଵାଧୀନତାର ଦ୍ଵାରଦେଶରେ ଆସି ପହଞ୍ଚିବା ସମୟକୁ ଓଡ଼ିଆ ଉପନ୍ୟାସ ଶ୍ରୀ ସଚ୍ଚି ରାଉତରାୟଙ୍କର ‘ଚିତ୍ରଗ୍ରୀବ’ ପାଖରେ ଆସି ପହଞ୍ଚି ଯାଇଥିଲା ଏବଂ ତୃତୀୟ ଦଶକରେ ଓଡ଼ିଶାର ରାଜନୀତିକୁ ମାର୍କ୍‍ସୀୟ ସାମାଜିକ ବିପ୍ଳବ ଆଡ଼କୁ ଅନୁପ୍ରେରିତ କରି ନେଇଥିବା ଶ୍ରୀ ଭଗବତୀ ଚରଣ ପାଣିଗ୍ରାହୀ ତାଙ୍କର ବହୁଚର୍ଚ୍ଚିତ ଦୁଇଟି ଗଳ୍ପରେ ଉଭୟ କାର୍ଲ୍‍ମାର୍କ୍‍ସ୍ ଏବଂ ସିଗ୍‍ମଣ୍ଡ୍ ଫ୍ରଏଡ଼୍‍ଙ୍କୁ ଓଡ଼ିଆ ସାହିତ୍ୟକଳ୍ପନା ଭିତରକୁ ଆଣି ସାରିଥିଲେ ।

 

ଫକୀରମୋହନ ଯେତିକି ଗଦ୍ୟ ଲେଖିଥିଲେ, ପ୍ରାୟ ସେତିକି ପଦ୍ୟ ଲେଖିଥିଲେ । କ’ଣ ପାଇଁ ଯେ ତାଙ୍କର ପଦ୍ୟ ସମସାମୟିକ ସାହିତ୍ୟର ପ୍ରସଙ୍ଗରେ ତାଙ୍କ ଗଦ୍ୟ ପରି ଲୋକଦୃଷ୍ଟିକୁ ଆସିପାରିଲା ନାହିଁ, ତାହା ବିଷୟରେ ନାନା ଅନୁମାନ କରାଯାଇପାରେ । ସେତେବେଳେ ରାଧାନାଥ, ମଧୁସୂଦନ ଏବଂ ଗଙ୍ଗାଧର ପଦ୍ୟର କ୍ଷେତ୍ରରେ ଏତେ ଏତେ ଅଭିନବତ୍ଵ ପ୍ରଦର୍ଶନ କରିବାରେ ଲାଗିଥିଲେ ଯେ, ସମ୍ଭବତଃ ଫକୀରମୋହନଙ୍କର କାବ୍ୟ ବା କବିତାଗୁଡ଼ିକ ଆଡ଼କୁ ଆଉ କାହାରି ନଜର ପଡ଼ିଲା ନାହିଁ । ଗଙ୍ଗାଧର ମେହେରବି ତାଙ୍କର ‘ତପସ୍ଵିନୀ’ ଓ ସେହି କାଟର ଅନ୍ୟାନ୍ୟ କାବ୍ୟପୁସ୍ତକ ସକାଶେ ଯେତେ ସ୍ଵୀକୃତି ପାଇଲେ, ତାଙ୍କର ଛୋଟ କବିତାଗୁଡ଼ିକ ପାଇଁ ସେତେ ସ୍ଵୀକୃତି ପାଇ ନଥିଲେ । ଅନେକ ପରେ ହୁଏତ ତାଙ୍କର ଗ୍ରନ୍ଥାବଳି ଛପା ହେବାପରେ ଯାଇ ସେଗୁଡ଼ିକ ଲୋକଲୋଚନକୁ ଆସିଥିଲା । ପୁରୁଣା ରୀତିରେ ଲିଖିତ ତାଙ୍କର କ୍ଷୁଦ୍ର କବିତାଗୁଡ଼ିକ ମଧ୍ୟରେ କିପରି ଯେ ଆଧୁନିକ ଶ୍ଳେଷ ଏବଂ ସ୍ନିଗ୍‍ଧତା ଭରି ରହିଥିଲା, ସମ୍ଭବତଃ ଏବେ ମଧ୍ୟ ତାହା ଯଥାର୍ଥ ଆଲୋଚନା ହୋଇନାହିଁ । ମଧୁସୂଦନ ରାଓଙ୍କର ଅଧିକାଂଶ କବିତା ବହୁକାଳ ପର୍ଯ୍ୟନ୍ତ ଓଡ଼ିଶାର ସ୍କୁଲ୍‍ମାନଙ୍କର ସାହିତ୍ୟ-ପାଠ୍ୟରେ ଥାନ ପାଉଥିଲା-। ପ୍ରଧାନତଃ ସେହି କାରଣରୁ ଓଡ଼ିଶାର ସାହିତ୍ୟାମୋଦୀମାନେ ତାଙ୍କୁ ଭକ୍ତକବି ବୋଲି ଆଖ୍ୟାତ କରିପାରିଲେ । ବେଶ୍ ବଡ଼ ଆୟତନକୁ ଆପଣା କାବ୍ୟଦୃଷ୍ଟିର ଆକାଶରେ ପରିଣତ କରି ଶ୍ରୀ ରାଧାନାଥ ରାୟ ନିଜ କାବ୍ୟଗୁଡ଼ିକର ଯୋଜନା କରୁଥିଲେ, ସେହି କାରଣରୁ ତାଙ୍କୁ ଯଥାର୍ଥହିଁ କବିବର ବୋଲି କୁହାଯାଇଛି ।

 

ସତ୍ୟବାଦୀ-ଯୁଗରେ ପଣ୍ଡିତ ନୀଳକଣ୍ଠ ସେହି କବିବରଙ୍କର ଅନୁକରଣ କରିଥିବା ପରି ମନେ ହୋଇଥାଏ । ଗୋଦାବରୀଶ ଏବଂ ଗୋପବନ୍ଧୁ ସତେଅବା ଆପଣାର ହୃଦୟ ଭିତରେ ଭକ୍ତକବି ମଧୁସୂଦନଙ୍କୁ ଅନୁସରଣ କରୁଥିଲେ । ଜାତୀୟତାହିଁ ନୀଳକଣ୍ଠଙ୍କର ‘କୋଣାର୍କେ’ କାବ୍ୟଗ୍ରନ୍ଥର ସର୍ବମୂଳ ଆବେଦନ ଥିଲା ସତ, ମାତ୍ର ଶୈଳୀରେ, ସଜ୍ଜାରେ ଏବଂ ସମ୍ବୋଧନରେ ତାହା ସତେଅବା ଗୋଟିଏ ବୀରକାବ୍ୟ ପରିହିଁ ମନେ ହୋଇଥାଏ । ଯାବତୀୟ ବୀରକାବ୍ୟ ପରି ତାହା ପ୍ରଧାନତଃ ପାଣ୍ଡିତ୍ୟର ପରିଚୟ ପ୍ରଦାନ କରୁଥିବା ଏକ ରଚନା ପରି ବୋଧ ହୁଏ । ଗୋଦାବରୀଶ ଓ ଗୋପବନ୍ଧୁଙ୍କର ଆବେଦନ ଆମ ହୃଦୟ ଲାଗି ସେହି ଅନୁସାରେ ସେମାନଙ୍କର ଭାଷା ଅଲଗା, ଛନ୍ଦ ଅଲଗା, ଗଢ଼ଣଗୁଡ଼ିକ ମଧ୍ୟ ଅଲଗା । କାନ୍ତକବି ଲକ୍ଷ୍ମୀକାନ୍ତ କବିତାରେ ଶେଷୋକ୍ତ ଦୁଇଜଣଙ୍କର ଦାୟାଦ ବୋଲି ମନେ ହୁଅନ୍ତି । ମଝିରେ କେତେ ତୁଠ ଓ ଘାଟ ପାରିହୋଇ ଆମେ ଯେତେବେଳେ ସବୁଜମାନଙ୍କ ପାଖରେ ଆସି ପହଞ୍ଚିବା, ସେତେବେଳେ ଓଡ଼ିଆ କବିତା ସତେଅବା ତା’ର ଆଧୁନିକ ପର୍ଯ୍ୟାୟରେ ଆସି ଗୋଡ଼ ଦେଉଥିବା ପରି ମନେହେବ-। ସତ୍ୟବାଦୀ ଯୁଗର କବିତ୍ରୟ ମୂଳତଃ ସାହିତ୍ୟ ଲେଖିବାକୁହିଁ ଜୀବନର ଧନ୍ଦା ବୋଲି ଗ୍ରହଣ କରି ନଥିଲେ । ସେମାନେ ପ୍ରଥମତଃ ଏକ ଆଦର୍ଶଠାରେ ଆପଣାର ଜୀବନ ଓ ଧ୍ୟାନକୁ ଉତ୍ସର୍ଗୀକୃତ କରି ରଖିଥିଲେ । ସେହି ଆଦର୍ଶ ହେଉଛି ଜାତୀୟତା ଆଧ୍ୟାତ୍ମିକତା । ସେଥିରେ ରାଜନୀତି ମଧ୍ୟ ଥିଲା, ମାତ୍ର ଅତ୍ୟନ୍ତ ଗୌଣ ହୋଇ ରହିଥିଲା । ମୂଳତଃ ଏକ ଉତ୍ସର୍ଗୀକୃତ ଜୀବନର ସଂକଳ୍ପ ଗ୍ରହଣ କରି ସେମାନେ ଆପଣା ଆପଣାର ସ୍ଵଭାବ ଅନୁସାରେ ଆପଣାର ମାର୍ଗଗୁଡ଼ିକୁ ବାଛି ନେଇଥିଲେ-। ସେମାନେ ଗୋଟିଏ ଆସ୍ଥାନରେ ରହୁଥିଲେ ମଧ୍ୟ ଏବଂ ସତେଅବା ଗୋଟିଏ ଯୋଜନାରେ ଯାବତୀୟ କାର୍ଯ୍ୟ କରୁଥିଲେ ମଧ୍ୟ, ସେମାନେ ଯେ ନିଜ ନିଜ ସ୍ଵଭାବ ଅନୁସାରେ ନିଜକୁ କ୍ରିୟାଶୀଳ କରି ରଖିଥିଲେ, ସବାଆଗ ସେମାନେ ଲେଖିଥିବା ସାହିତ୍ୟରୁହିଁ ତାହାର ପରିଚୟ ମିଳି ଯାଇଥାଏ-

 

ସବୁଜ ଯୁଗର କବିମାନଙ୍କୁ ଆମେ ପ୍ରାୟ ଏକାବେଳକେ ଏକ ଅନ୍ୟ ମଣ୍ଡଳରେ ଦେଖିବାକୁ ପାଇବା । ସତ୍ୟବାଦୀର ସାଥୀମାନଙ୍କ ଭଳି ଏମାନଙ୍କର ମଧ୍ୟ ସ୍ଵପ୍ନ ରହିଥିଲା, ମାତ୍ର ସେହି ସ୍ଵପ୍ନ ବାସ୍ତବାୟନ ଲାଗି ସେମାନେ ନିଜର ଜୀବନକୁ ଉତ୍ସର୍ଗ କରି ନଥିଲେ । ସେମାନେ ସମସ୍ତେ ସାଧାରଣ ସମାଜରେ ଥିଲେ, ସାଧାରଣ ସମାଜ ଲାଗିହିଁ ତିଆରି ହେଉଥିଲେ । ଜୀବିକାନିର୍ବାହ ନିମନ୍ତେ ସେମାନେ ନାନା ଅନ୍ୟ ଧନ୍ଦା ଭିତରେ ରହିଥିଲେ, ସେଇଠି ବ୍ୟକ୍ତିଗତ ପ୍ରତିଷ୍ଠା ଓ ସାଫଲ୍ୟ ପାଇବାର ପ୍ରୟାସରେ ଆଦୌ କୌଣସି ତ୍ରୁଟି କରି ନଥିଲେ । ଏବଂ ସାହିତ୍ୟ କରୁଥିଲେ, ସାହିତ୍ୟରେ ନିଜର ସବୁଯାକ ସ୍ୱପ୍ନ ଦେଖିଥିଲେ । ସାହିତ୍ୟକୁ ସେମାନେ ସତେ ଯେପରି ଆପଣାର ଭାବଜୀବନର ଗୋଟିଏ ଧନ୍ଦାରୂପେ ଗ୍ରହଣ କରିଥିଲେ । ଭାବଜୀବଙ୍କୁ ମଧ୍ୟ ଜୀବନର ଅନ୍ୟାନ୍ୟ ଅନେକ ଭାଗ ପରି ଏକ ଅନ୍ୟତମ ଭାଗ ବୋଲି ଗ୍ରହଣ କରିଥିଲେ । ଏହିପରି ଏକ ମୂଳଭୂତ ପାର୍ଥକ୍ୟର ମାନଦଣ୍ଡ ଉପରେହିଁ ଆମକୁ ସତ୍ୟବାଦୀ ଯୁଗ ଏବଂ ସବୁଜ ଯୁଗର ସାହିତ୍ୟ ତଥା ସାହିତ୍ୟିମାନଙ୍କର ମୂଲ୍ୟାୟନ କରିବାକୁ ପଡ଼ିବ । ଓଡ଼ିଆ କ୍ରମଶଃ ଆଧୁନିକତାର ହାଟ ଭିତରେ ପ୍ରବେଶ କରୁଥିବା ସଙ୍ଗେ ସଙ୍ଗେ ଓଡ଼ିଶାର ସାହିତ୍ୟ ମଧ୍ୟ ସତେଅବା ଏକ ବିଶେଷ ଉପଚାରରେ ପରିଣତ ହୋଇ ଆସୁଥିଲା । ଲେଖକ ଏବଂ ସାହିତ୍ୟିକର ଯେ ଏକ ସମଗ୍ର ଧର୍ମ ରହିଛି ଓ ସେ ଜୀବନରେ ଆଉ ଯାହାକିଛି କରୁ ବା ଯାହାକିଛି ହେଉ ପଛକେ, ସେଗୁଡ଼ିକ ଯେ ମୂଳତଃ ତା’ର ସେହି ମୂଳ ଧର୍ମଟିଦ୍ଵାରା ଅବଶ୍ୟ ଅଭିଷିକ୍ତ ତଥା ପରିଚାଳିତ ହେଉଥିବ, ସବୁଜ ଯୁଗକୁ ଆସି ଏହି କଥାଟିକୁ ଆମେ ସମ୍ଭବତଃ ଆଉ ମୋଟେ ଦେଖିବାକୁ ପାଇବା ନାହିଁ । ସବୁଜମାନଙ୍କ ଭିତରୁ ଶ୍ରୀ ବୈକୁଣ୍ଠନାଥ ପଟ୍ଟନାୟକଙ୍କ କବିତାରେ ହୁଏତ ତାଙ୍କ ଜୀବନର ସକଳ କେନ୍ଦ୍ରକୁ ତାଙ୍କର ସାହିତ୍ୟନାମକ ହୃଦୟଟି ପରିଚାଳିତ କରୁଥିବା ପରି କିଞ୍ଚିତ୍ ଆଭାସ ମିଳିଥାଏ । ସାହିତ୍ୟ ଯେ ଆଧ୍ୟାତ୍ମିକ ସ୍ତରକୁ ଉତ୍ତୋଳିତ ହୋଇଯାଇପାରିବ ଏବଂ ସାହିତ୍ୟିକକୁ ତା’ର ଅସଲ କେନ୍ଦ୍ରଟି ପାଖରେ ଉତ୍ସର୍ଗୀକୃତ କରି ରଖିଥିବ, ଆଧୁନିକ ସାହିତ୍ୟରେ ଆଗକୁ ଆଗକୁ ଆସି ଆମେ ସେହି ପ୍ରବୃତ୍ତିଟିକୁ ହୁଏତ ଆଉ ମୋଟେ ଦେଖିବାକୁ ପାଇବା ନାହିଁ । ଆଧ୍ୟାତ୍ମିକ ମଣିଷ ଜୀବନରେ କ’ଣ ଗୋଟିଏ ପାଇଥାଏ, ଅଥବା କ’ଣ ଗୋଟିଏର ବାସନା ପାଇଥାଏ, ତା’ ଜୀବନର ସବୁକିଛି ସତେଅବା ସେହି ଅନୁସାରେ ତାହାରି ଉପଲବ୍ଧି ଲାଗି ଏକ ନୈବେଦ୍ୟରେ ପରିଣତ ହୋଇରହେ । ତାହାର ଯାବତୀୟ ସାହିତ୍ୟକରଣା ସତେଅବା ଏକ ତପଶ୍ଚାରଣାରେ ପରିଣତ ହୋଇଯାଏ । ସେ ନିଜେ ହୁଏତ ସେ ସମୟରେ ସଚେତନ ନଥାଏ । ସମସ୍ତେ, ସବୁ କବି ସେଯାଏଁ ଯାଆନ୍ତା ନାହିଁ, ସେଯାଏଁ ଯିବାକୁ ମନ କରନ୍ତି ନାହିଁ ।

 

ଓଡ଼ିଆ କବିତା ଅଧିକରୁ ଅଧିକ ପରିମାଣରେ ବାସ୍ତବ ଜୀବନ ବିଷୟରେ ସଚେତନ ହୋଇ ଆସୁଥିଲା, ଅର୍ଥାତ୍‍ ବାସ୍ତବ ନାମରେ ଯେଉଁ ଅଳପଟା ଏବଂ ଅକିଞ୍ଚନତାଗୁଡ଼ିକ ରହିଛି, ତାହାକୁ ବଦଳାଇ ଦେବା ବିଷୟରେ ସଚେତନ ହୋଇ ଆସୁଥିଲା । ସବୁଜ ଯୁଗରୁ ଆମେ ସେହି କଥାଟିର ଅଧିକ ପରିଚୟ ଲାଭ କରିଥାଉ । ଆଗେ କବିତା ସମେତ ସାହିତ୍ୟର ଆଉ ସବୁଯାକ ଶାଖା ଧର୍ମକୁ ଆଶ୍ରୟ କରି ଛିଡ଼ା ହୋଇପାରୁଥିଲା । ଧର୍ମ ଅର୍ଥାତ୍‍ ଇତିହାସର ଧର୍ମଗୁଡ଼ିକ, ଯାହା ପଛରେ ଶାସ୍ତ୍ର ରହିଥିଲା, ବିଧିମାନେ ରହିଥିଲେ, ଦେଉଳଗୁଡ଼ିକ ଯାହାର ସନ୍ତକ ହୋଇ ରହିଥିଲେ-। ଆଧୁନିକ ସାହିତ୍ୟ ଓ ଆଧୁନିକ କବିତାରେ ସେହି ଧର୍ମ ସତେଅବା ବିଦାୟ ନେଇ ଚାଲିଯିବାକୁ ବସିଲା । କେହି ଆଉ ସ୍ଵର୍ଗ ପାଇବାକୁ ଭଗବାନଙ୍କର ସ୍ତୁତି କଲେ ନାହିଁ; ସେହି ପ୍ରବୃତ୍ତିଟି ଆମ ବାସନାଗୁଡ଼ିକର ଏକ ସ୍ଵତନ୍ତ୍ର ଉପଜୀବ୍ୟ ହୋଇ ରହିଲା, ଏବେ ମଧ୍ୟ ରହିଛି ଓ ତଥାକଥିତ ଧର୍ମଭୀରୁମାନଙ୍କ ପାଇଁ ଏକ ସମ୍ପତ୍ତି ହୋଇ ରହିଛି । ଠାକୁରମାନଙ୍କୁ ଏଣିକି ମନୁଷ୍ୟର ହୃଦୟ ଭିତରେ ଠାବ କରାଗଲା । ନୈତିକତା ଏକ ଈପ୍‍ସିତ ସାମାଜିକ ସୁସ୍ଥ ସମ୍ବନ୍ଧିତତାର ନୂଆ ସ୍ଵପ୍ନ ନେଇ ଆପଣାକୁ ଅଭିବ୍ୟକ୍ତ କଲା । ଏହି ସଂସାର ଭିତରେହିଁ ସ୍ଵର୍ଗର ସନ୍ଧାନ କରାଗଲା । ଏହି ସଂସାରକୁ ମଣିଷମାନେ ଚାହିଁଲେ ବଦଳାଇ ଦେଇପାରିବେ । ମଣିଷ ମନକଲେ ଆପଣାକୁ ଏକ ଅନ୍ୟ ଚେତନାର ଯୋଗ୍ୟ କରି ଦିବ୍ୟତାର ଉତ୍ତରାଧିକାରୀ ହୋଇପାରିବ, ସେହି ନୂଆ ପ୍ରତ୍ୟୟଟି ଜନ୍ମଲାଭ କଲା । ସାହିତ୍ୟ ଅଫିମଗୁଡ଼ାକୁ ଅଫିମ ବୋଲି ଘୋଷଣା କଲା । ଅଫିମଗୁଡ଼ାକର ମୋହ ପରିତ୍ୟାଗ କଲେ ମନୁଷ୍ୟକୁ ଯେ ସଂସାର ଭିତରେ ପରମମୂଲ୍ୟଗୁଡ଼ିକର ପ୍ରତ୍ୟକ୍ଷ ଦର୍ଶନ ମିଳିବ, କବି ଏଣିକି ଅଧିକରୁ ଅଧିକ ବିଶ୍ଵାସର ସହିତ ସେହି କଥା ଘୋଷଣା କଲେ । ଭାରତବର୍ଷର ଅଧ୍ୟାତ୍ମବାଦ ପ୍ରାୟ ପାରମ୍ପରିକ ଭାବରେ ଏକ ବ୍ୟକ୍ତିବାଦ ହୋଇ ରହିଯାଇଥିଲା । ଭାରତୀୟ ଧର୍ମ ଓ ଧର୍ମଚାରଣାଗୁଡ଼ିକ ପ୍ରଧାନତଃ ବ୍ୟକ୍ତିଗତ ପାପସଚେତନତା ଓ ବ୍ୟକ୍ତିଗତ ମୋକ୍ଷଲାଭର ଗୋଟିଏ ଗୋଟିଏ ମାର୍ଗ ହୋଇ ରହିଥିଲେ; ଆଧୁନିକ ଚେତନାର ପ୍ରାଙ୍ଗଣକୁ ଆସି ସେହି ପ୍ରତ୍ୟୟଗୁଡ଼ିକ ଗୋଟାସୁଦ୍ଧା ବଦଳିଗଲା । ଓଡ଼ିଆ କବିତାର ସବୁଜ ଯୁଗକୁ ଆସି ଆମେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ତାହାର ପରିଚୟ ପାଇଥାଉ । ସେତିକିବେଳେ ଜାତୀୟସ୍ଵାଧୀନତା ସଂଗ୍ରାମର ଯୁଗ, ସାମ୍ୟବାଦୀ ସଂକ୍ରମଣର ଯୁଗ । ମହାତ୍ମା ଗାନ୍ଧୀ ପୂର୍ଣ୍ଣ ସ୍ଵାଧୀନତାକୁ ଜାତୀୟସଂଗ୍ରାମର ଲକ୍ଷ୍ୟରୂପେ ଘୋଷଣା କରିବାପରେ ଭାରତୀୟ ରାଜନୀତି ଆଗରେ କ୍ରମେ ଏକ ନୂତନ ପ୍ରତିଶ୍ରୁତିର ସିନ୍ଦୂରା ଫାଟି ଆସୁଥିବା ପରି ପ୍ରତୀତ ହେବାକୁ ଲାଗିଲା । ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଯିବାପରେ ଭାରତବାସୀ ଏହାକୁ ସତେଅବା ଏକାବେଳକେ ଏହି ପ୍ରତିଶ୍ରୁତିମୟ ବର୍ତ୍ତମାନରୂପେ ଅଙ୍ଗେ ନିଭାଇବାକୁ ଆରମ୍ଭ କଲେ । ଜାତୀୟତାବାଦୀ ସାହିତ୍ୟରେ ସ୍ଵପ୍ନସଙ୍ଗୀତଗୁଡ଼ିକ କ୍ରମେ ସଂଗ୍ରାମ ସଙ୍ଗୀତରେ ପରିଣତ ହେଲା । ଗାନ୍ଧୀ-ରାଜନୀତି କେବଳ ତୁଚ୍ଛା ରାଜନୀତି ନଥିଲା । ସେଥିରେ ସର୍ବଦା ଏକ ଆଧ୍ୟାତ୍ମିକ ଆବେଦନ ମଧ୍ୟ ରହିଥିଲା, ପୁରୁଷାର୍ଥ ଏବଂ କର୍ମ ଲାଗି ଏକ ଆହ୍ଵାନ ରହିଥିଲା । ସମ୍ଭବତଃ ସେହି କାରଣରୁହିଁ ସେହି ରାଜନୀତି ଭାରତୀୟ ସାହିତ୍ୟକୁ ଏଡ଼େ ଶକ୍ତିଶାଳୀ ଭାବରେ ଆଲୋଡ଼ିତ କରିପାରିଲା । କବିଚିତ୍ତରୁ ଏକ ଅନ୍ତରଙ୍ଗ ବନ୍ଧୁରୂପେ ପାଇଲା । ଏହି ପର୍ଯ୍ୟାୟରେ ଓଡ଼ିଶାରେ ଆମେ କବି ବୀରକିଶୋର ଦାସ ଏବଂ ବାଞ୍ଛାନିଧି ମହାନ୍ତିଙ୍କୁ ପାଇବା । ଏମାନଙ୍କର ସଂଗ୍ରାମ-ସଙ୍ଗୀତଗୁଡ଼ିକ କେବଳ ଏକ ରାଜନୀତିକ ଲଢ଼ାଇର ତାତ୍କାଳିକ ପ୍ରୟୋଜନ ଭିତରେ ହଜି ନ ଯାଇ ସାହିତ୍ୟର ସ୍ତରକୁ ମଧ୍ୟ ଉତ୍ତୀର୍ଣ୍ଣ ହୋଇଆସିଛି । ଏକ ପୃଥ୍ଵୀସତ୍ୟର ସଂସ୍ଥାପନା ଲାଗି ଯେ ଭାରତୀୟ ମୁକ୍ତିସଂଗ୍ରାମ ଲଢ଼ା ଯାଉଥିଲା, ତାହା ସେ ମଣିଷ ଭିତରେ ଥିବା ସର୍ବଶ୍ରେଷ୍ଠ ସମର୍ପଣ-ବୃତ୍ତିଗୁଡ଼ିକୁ ଉଦ୍‍ବୋଧିତ କରି ଆଣିପାରୁଥିଲା, ଏକ ସାମୂହିକ ଉଦ୍‍ବେଳନର ମାଧ୍ୟମରେ ବ୍ୟକ୍ତିସଂକଳ୍ପର ଉନ୍ମୋଚନ ଘଟାଇ ପାରୁଥିଲା, ବୀରକିଶୋର ଏବଂ ବାଞ୍ଛାନିଧି ଆମଲାଗି ଓଡ଼ିଆ କବିତା ସାହିତ୍ୟରେ ତାହାରି ଦୃଷ୍ଟାନ୍ତ ହୋଇ ରହିଛନ୍ତି ।

 

ସେତିକିବେଳେ ବିଦେଶରୁ ସାମ୍ୟବାଦୀ ବିଚାର ଆସି ସାହିତ୍ୟକୁ ପ୍ରଭାବିତ କରିଥିଲା । ମାର୍କ୍‍ସ୍‍ବାଦ କେବଳ ଏକ ରାଜନୀତିକ କ୍ଷମତା-ଦଖଲର ଚିଠାମାତ୍ର ନୁହେଁ । ଏଥିରେ ମନୁଷ୍ୟ–ଉଦୟର ଏକ ପ୍ରେରଣାମୟ ଚିତ୍ର ମଧ୍ୟ ରହିଛି, ଧରଣୀ ଉପରେ ଏକ ଚାକ୍ଷୁଷ ମାନବିକତାକୁ ସମ୍ଭବ କରାଇ ଆଣିବାକୁ ମାର୍କ୍‍ସ୍‍ଙ୍କର ଆହ୍ଵାନ ମଧ୍ୟରେ କେତେକେତେ ଭାବମୟତା ଭରି ରହିଛି । ଗାନ୍ଧୀବାଦ ଏବଂ ମାର୍କ୍‍ସ୍‍ବାଦକୁ ସତେଅବା ଗୋଟିଏ ଧର୍ମ ବା ମଠ ପରି ବିଚାର କରୁଥିବା ସାଂପ୍ରଦାୟିକମାନଙ୍କର ବିଚାର ହୁଏତ ଅନ୍ୟ ପ୍ରକାରର ହୋଇପାରେ, ମାତ୍ର ପୃଥ୍ଵୀସମ୍ଭାବନାକୁ ନେଇ ଗଭୀର ବିଶ୍ଳେଷଣ ଏବଂ ଅବଲୋକନଗୁଡ଼ିକର କ୍ଷେତ୍ରରେ ଉଭୟ ମନୀଷୀଙ୍କର ବିଚାରରେ ତଥାପି ଯେ ଏକ ଅତି ନିକଟ ସମଧର୍ମିତା ରହିଛି, ସେକଥାଟି ଏବେ କ୍ରମଶଃ ଅଧିକରୁ ଅଧିକ ସ୍ଵୀକୃତ ଏବଂ ଅନୁଭୂତ ହେବାକୁ ଆରମ୍ଭ କଲାଣି । ଓଡ଼ିଆ କବିତାର ଗାନ୍ଧୀଯୁଗ ସହିତ ମାର୍କ୍‍ସୀୟ ଯୁଗଟି ଅତ୍ୟନ୍ତ ନିବିଡ଼ ଭାବରେ ଲେସାଲେସି ହୋଇ ରହିଛି । ଉଭୟେ ଆମର ଜାତୀୟସ୍ଵାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଛନ୍ତି ଓଡ଼ିଆ କବିତାରେ ଏହି ଅବସରରେ ଆମେ ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ଏବଂ ଅନନ୍ତ ପଟ୍ଟନାୟକଙ୍କୁ ସବାଆଗ ସ୍ମରଣ କରିବା । ସେମାନେ ଓ ସେମାନଙ୍କର ସରିସା ଅନ୍ୟମାନେ ଉଭୟ ଗାନ୍ଧୀ ଏବଂ କାର୍ଲ୍‍ମାର୍କ୍‍ସ୍‍ଙ୍କୁ ସମ୍ମୁଖରେ ଧରି କବିତା ଲେଖିଛନ୍ତି, ସେତେବେଳେ ଓଡ଼ିଶା ସମେତ ଭାରତବର୍ଷରେ ହେଉଥିବା ମୁକ୍ତିସଂଗ୍ରାମ ଭିତରେ ଉଭୟଙ୍କୁହିଁ ଦେଖିଛନ୍ତି । ମନୁଷ୍ୟର ଉଦୟପର୍ବରେ ସେମାନେ ଦୁହିଁଙ୍କୁ ସ୍ଵାଗତ ଜଣାଇଛନ୍ତି । ମନୁଷ୍ୟର ଉଦୟକୁ ମୂଳ କରି ଦେଖୁଥିବା ପର୍ଯ୍ୟନ୍ତ କୌଣସି କବି ତଥା ସାହିତ୍ୟିକ ଯେ କଦାପି ଗାନ୍ଧୀ ଏବଂ ମାର୍କ୍‍ସ୍‍ଙ୍କୁ ପରସ୍ପରଠାରୁ ଅଲଗା କରି ଦେଖିବ ନାହିଁ ଓ ଏକାବେଳକେ ଦୁହିଁଙ୍କଦ୍ଵାରା ଅନୁପ୍ରାଣିତ ହୋଇପାରିବ, ଏହି ଶତାବ୍ଦୀରେ ଇଉରୋପୀୟ ସାହିତ୍ୟର ଜଣେ ଯଶସ୍ଵୀ ପ୍ରତିନିଧି ଶ୍ରୀଯୁକ୍ତ ରୋମାଁ ରୋଲାଁ ସେହି କଥାଟିକୁ ଅତ୍ୟନ୍ତ ସ୍ପଷ୍ଟ କରି ଦେଇଛନ୍ତି । ଆମର ଏହି କାଳର ଅନେକ ସଂଗ୍ରାମରେ ମଧ୍ୟ ଦୁହେଁଯାକ ମୂଳ ପ୍ରେରଣା ହୋଇ କାର୍ଯ୍ୟ କରୁଛନ୍ତି ।

 

ନାଟକରେ ପଛକୁ ପଛକୁ ଯାଇ ଭାରତବର୍ଷରେ ଆମେ ଏକାବେଳକେ ଭରତ ମୁନିଙ୍କ ପାଖରେ ଯାଇ ପହଞ୍ଚିଯିବା । ସେହି ପୁରାତନ କାଳରୁ ଆମ ଦେଶର ସାହିତ୍ୟରେ ନାଟକମାନ ରଚିତ ହୋଇଛି, ନାଟ୍ୟଶୈଳୀର ଏକ ପରମ୍ପରା ବିକଶିତ ହୋଇ ଆସିଛି । ଦେଶର ବିଭିନ୍ନ ପ୍ରାନ୍ତରେ ଲୋକନାଟକର ଏକ ପ୍ରାଣବନ୍ତ ପରମ୍ପରା ଯୁଗେଯୁଗେ ଅବିଚ୍ଛିନ୍ନ ଏବଂ ଜୀବନ୍ତ ହୋଇ ରହିଛି । ଶାସ୍ତ୍ରୀୟ ନାଟକଗୁଡ଼ିକ ସେହି ପରମ୍ପରାରୁ କ୍ରମେ ବିବର୍ତ୍ତିତ ହୋଇ ଆସିଛି ଅଥବା ଶାସ୍ତ୍ରୀୟ ଏକାଧିକ ପରମ୍ପରା କ୍ରମେ ଭାଙ୍ଗି ଭାଙ୍ଗି ଯାଇ ଲୋକପରମ୍ପରାର ନାନା ଅବଶେଷରେ ପରିଣତ ହୋଇଛି, ଆମ ଏ ଯୁଗରେ ମଧ୍ୟ ଗବେଷକମାନେ ତାହାର ନିର୍ଣ୍ଣୟ କରିବାରେ ଲାଗିଛନ୍ତି । ଓଡ଼ିଶାରେ ଆଧୁନିକ ରଙ୍ଗମଞ୍ଚମାନ ଉଦ୍‍ବୃତ ହୋଇ ଆସିବା ପରେ ସେକାଳର ରୀତିରେ ଏବେବି ଅତ୍ୟନ୍ତ ଆକର୍ଷକ ଭାବରେ ନାଟକମାନ ଅଭିନୀତ ହେଉଛି । ପ୍ରଥମେ, ଅର୍ଥାତ୍‍ ଆଦ୍ୟ ପର୍ଯ୍ୟାୟରେ ଖୋଲା ଆକାଶତଳେ ନାଟକଗୁଡ଼ିକର ଅଭିନୟ ହେଉଥିଲା । ତା’ପରେ ଖୁବ୍ ସମ୍ଭବ ଇଉରୋପର ଅନୁକରଣରେ ଆଧୁନିକ ରଙ୍ଗମଞ୍ଚର ଅବଧାରଣା କରାଗଲା, ଏବେ ପୁନର୍ବାର ଖୋଲା ଆକାଶଟିକୁ ଫେରିଯାଇ ନାଟକର କଳାଟି ସତେଅବା ଅତ୍ୟାଧୁନିକ କିଛି କରୁଥିବା ପରି ଅନୁଭବ କଲାଣି । ଓଡ଼ିଶାର ଯାତ୍ରା ଧାରାଟି କେଉଁ କାଳରୁ ଓଡ଼ିଶାରେ ରହିଛି । ଏବେ ଆଧୁନିକ ନାଟକ ଲେଖକମାନେ ସତେଅବା ଘରକୁ ଫେରି ଆସିବାକୁ ମନେ କରି ପୁନର୍ବାର ଯାତ୍ରାର ଛାଞ୍ଚାରେ ନାଟକ ଲେଖିଲେଣି । ପୁରାତନ ଛାଞ୍ଚଗୁଡ଼ିକୁ ନାନା ନୂତନ ବ୍ୟଞ୍ଜନାରେ ସମୃଦ୍ଧ କରି ନାଟକ ଲେଖିବା ଏବଂ ରଙ୍ଗମଞ୍ଚର ନୂଆ ଫାନ୍ଦମାନ ଫାନ୍ଦିବା; ସମ୍ଭବତଃ ଏଇଟିକୁ ମଧ୍ୟ ଆଧୁନିକ ପ୍ରବୃତ୍ତି ଓ ରୁଚିର ଏକ ଅଙ୍ଗ ବୋଲି କୁହାଯାଇପାରିବ ।

 

ଆଗେ ପୁରୀର ଜଗନ୍ନାଥ ମନ୍ଦିରରେ ସଂସ୍କୃତ ନାଟକମାନ ଅଭିନୀତ ହେଉଥିଲା । ଓଡ଼ିଶାର ଗଜପତି ରାଜାମାନେ ସ୍ଵୟଂ ନାଟକ ରଚନା କରିଛନ୍ତି ବୋଲି ଏକ ଅପବାଦ ମଧ୍ୟ ରହିଛି-। ଆମେ ‘ଗୀତଗୋବିନ୍ଦ’ ଏବଂ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ’କୁ ଗୋଟିଏ ଗୋଟିଏ ନାଟକ ନ କହି ଆଉ କ’ଣ କହିପାରିବା ? କଥାକଳି ନୃତ୍ୟ ଯେପରି କେରଳର ପୁରାତନ ନାଟ୍ୟପରମ୍ପରାର ଗୋଟିଏ ଅଙ୍ଗ ହୋଇ ରହିଥିଲା ଏବଂ ଏବେ ମଧ୍ୟ ଆଧୁନିକ କେତେ ନାଟକର ପ୍ରଦର୍ଶନରେ ତାହା ଅତ୍ୟନ୍ତ ସ୍ଵାଭାବିକ ଭାବରେ କାମରେ ଲାଗିପାରୁଛି, ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ମଧ୍ୟ ସେହିପରି ଓଡ଼ିଶାରେ ନାଟକର ଅଙ୍ଗ ହୋଇ ରହିଥିଲା କି ? ଓଡ଼ିଶାର ରାସ ପରମ୍ପରା ମଧ୍ୟ ଓଡ଼ିଶା ସାହିତ୍ୟର ସେହି ନାଟକ-ଅଙ୍ଗଟିର ସମ୍ୟକ୍ ସୂଚନା ଦେଇଯାଉଛି । ଅବଶ୍ୟ ଏକଥା ସତ ଯେ, ସମ୍ଭବତଃ ଊନବିଂଶ ଶତାବ୍ଦୀରୁହିଁ ଓଡ଼ିଆ ନାଟକାଭିନୟରୁ ଦେବତାମାନେ ବିଦାୟ ହୋଇଛନ୍ତି ଓ ରାଜାମାନଙ୍କ ସଂସାରର କଥାବସ୍ତୁଗୁଡ଼ିକ ନାଟକ ଭିତରକୁ ପ୍ରବେଶ କରିଛି । ଓଡ଼ିଶାର ଜଣେ ନାଟକ ଲେଖକ ପଡ଼ିଶା ବଙ୍ଗଳାରେ ଯାଇ ‘ଗୋପାଳ-ଉଡ଼େ’ ନାମରେ ପ୍ରସିଦ୍ଧ ହେବା ସମୟକୁ ଓଡ଼ିଶାରେ ଯେ ନାଟକରଚନା ଓ ନାଟକ-ଅଭିନୟର ପରମ୍ପରାଟି ସୁପ୍ରତିଷ୍ଠିତ ହୋଇସାରିଥିଲା-। ସେଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ । ଭଦ୍ରକର ‘ମୋଗଲ ତାମସା’ ମଧ୍ୟ ଏହି ପରମ୍ପରାର ଏକ ସାକ୍ଷୀରୂପେ ଏବେ ମଧ୍ୟ ଅବଶେଷ ଭାବରେ ବଞ୍ଚି ରହିଛି । ସେହି ପର୍ଯ୍ୟାୟରେ ଏହି ଶତାବ୍ଦୀ ଭିତରକୁ ପଶି ଆସିଲେ ଆମେ ନାଟ୍ୟକାର ଶ୍ରୀ ବୈଷ୍ଣବ ପାଣିଙ୍କୁ ଭେଟିବା, ଜଗନ୍ନାଥ ପାଣି ଓ ବାଳକୃଷ୍ଣ ମହାନ୍ତିଙ୍କୁ ଭେଟିବା । ଏମାନେ କେହି ସହରରେ ନଥିଲେ ଏବଂ ଗାଁରେ ଥାଇ ଆଧୁନିକ ଜୀବନ ଉପରେ ଦୃଷ୍ଟିପାତ କରିଥିଲେ । କେବଳ ପୌରାଣିକ ନୁହେଁ, ଆଧୁନିକ ଜୀବନ ଉପରେ ମଧ୍ୟ ନାଟକ ଲେଖିଥିଲେ । ଏବେ ଏହି ପରମ୍ପରାଟିରେ ଅଧିକ ଫଳପୁଷ୍ପ ଲାଗିଲାଣି । ଏଗୁଡ଼ିକର ଅଭିନୟ ଏବେ ସହରମାନଙ୍କରେ ମଧ୍ୟ ହେଉଛି । ମାତ୍ର ଏଗୁଡ଼ିକର ଲେଖକ ଓ ଗୀତକାରମାନେ ଗାଁ ଛାଡ଼ି ନାହାନ୍ତି ।

 

ଗବେଷକମାନେ ଆମକୁ ନାଟକ ବିଷୟରେ କହିବାକୁ ଯାଇ ଶ୍ରୀ ଜଗମୋହନ ଲାଲାଙ୍କ ପର୍ଯ୍ୟନ୍ତ ନେଇ ଯାଇଥାନ୍ତି ସତ, ମାତ୍ର ଆଧୁନିକ ସମୟର ଆଦ୍ୟଭାଗରେ ଆମେ ଆମ ନାଟକ ଚିହ୍ନଟରେ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଘୋଷଙ୍କଠାରୁହିଁ ଆରମ୍ଭ କରିପାରିବା । ଅଶ୍ଵିନୀ କୁମାର ବଙ୍ଗଳାର ଶ୍ରୀ ଦ୍ଵିଜେନ୍ଦ୍ରଲାଲ ରାୟଙ୍କଦ୍ଵାରା ବହୁପରିମାଣରେ ପ୍ରଭାବିତ ହୋଇଥିଲେ । ଦୁଇ ନାଟ୍ୟକାରଙ୍କ ଶୈଳୀ ସତେଅବା ଗୋଟାସୁଦ୍ଧା ମିଳି ଯାଉଥିବା ପରି ମନେହୁଏ । ମଝିରେ ଆଉ କେତେଜଣକୁ ପାହାଚ ପରି ବ୍ୟବହାର କରି ଆମେ ସିଧା ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକଙ୍କ ପାଖକୁ ଚାଲିଆସି ପାରିବା । ଏହି ଶତାବ୍ଦୀର ତୃତୀୟ ଓ ଚତୁର୍ଥ ଦଶକରେ ସେ ଆଧୁନିକ ଧାରାରେ ମଧ୍ୟ ନାଟକ ଲେଖିଥିଲେ । ଓଡ଼ିଆ ସାହିତ୍ୟର ଜାତୀୟତା ଯୁଗରେ ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଳ ‘ଦେଶର ଡାକ’ ବୋଲି ନାଟକଟିଏ ଲେଖିଥିଲେ । କାଳୀଚରଣ ପଟ୍ଟନାୟକଙ୍କ ସାଙ୍ଗକୁ ଶ୍ରୀ ଗୋପାଳ ଛୋଟରାୟ । ଏବେ ଯାହାକୁ ନାଟକମାନଙ୍କରେ ପରୀକ୍ଷା ବା ନିରୀକ୍ଷା ବୋଲି କୁହାଯାଉଛି, ସେତେବେଳେ ସେଗୁଡ଼ିକ ରୀତିରୂପେ ଆଦୌ ପ୍ରବେଶ କରି ନଥିଲା । ଏପରିକି ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ପ୍ରଥମ ଚରଣରେ ଯେଉଁ କେତୋଟି ନାଟକ ଲେଖିଛନ୍ତି, ସେଥିରେ ମଧ୍ୟ ସେ ସେହିସବୁ ପ୍ରୟୋଗର କୌଣସି କାରିଗରୀ ଦେଖାଇବାକୁ ମନ କରିନାହାନ୍ତି । ସେ ଓ ଆହୁରି ଅନ୍ୟମାନେ ୧୯୫୦ ପରେ ମଧ୍ୟ ଅନେକ ନାଟକ ଲେଖିଛନ୍ତି ଓ ଲେଖୁଛନ୍ତି । ଏବର ନାଟକଗୁଡ଼ିକ ମଧ୍ୟରେ ସତେଅବା ନାଟକ ବ୍ୟତୀତ ଆଉ ବିଶେଷ କିଛି ଦେଖିବାକୁ ମିଳୁନାହିଁ । ଆଗରୁ ନାଟକଗୁଡ଼ିକରେ ସବାଆଗ ସାହିତ୍ୟର ସ୍ଵାଦ ମିଳୁଥିଲା । ଏବେ ସେଗୁଡ଼ିକ ଅଧିକରୁ ଅଧିକ ପରିମାଣରେ ପ୍ରୟୋଗଘନ ହେଲାଣି । ତେଣୁ, ଆପଣାର ଆବେଦନରେ ମଧ୍ୟ ଏଗୁଡ଼ିକ ଅଲଗା ପ୍ରକାରର ହୋଇଗଲାଣି ।

 

ସାହିତ୍ୟର ଏକ ବିଭାଗ ହିସାବରେ ପ୍ରବନ୍ଧ ହେଉଛି ଏକାବେଳକେ ଏବର କଥା । ସଂସ୍କୃତ ସାହିତ୍ୟର ଆୟତନ ଭିତରେ ପ୍ରବନ୍ଧ ବୋଲି ଗୋଟିଏ ପଂକ୍ତି ରହି ଆସିଥିଲା ସତ, ମାତ୍ର ବର୍ତ୍ତମାନ ଆମେ ପ୍ରବନ୍ଧ କହିଲେ ଯାହା ବୁଝୁଛୁ, ତାହା ସେକଥାକୁ ଆଦୌ ବୁଝାଉ ନଥିଲା । ପ୍ରଥମେ ଗଦ୍ୟକୁ ସାହିତ୍ୟରେ ପୂର୍ଣ୍ଣ ସ୍ୱୀକୃତି ମିଳିଲା, ତା’ପରେ ଯାଇ ପ୍ରବନ୍ଧର ଆଗମନ ଘଟିଲା ଏବଂ ଇଉରୋପୀୟ ସାହିତ୍ୟରୁହିଁ ପ୍ରବନ୍ଧ ଲେଖିବାର ସର୍ବପ୍ରଥମ ପ୍ରେରଣାଟି ଭାରତବର୍ଷକୁ ଆସିଲା । ଓଡ଼ିଆ ସାହିତ୍ୟରେ ରାଧାନାଥ, ଫକୀରମୋହନ, ଗଙ୍ଗାଧର ଏବଂ ମଧୁସୂଦନଙ୍କ ଯୁଗରୁ ମଧ୍ୟ ଆମେ ପ୍ରବନ୍ଧ ଲେଖାର ନମୁନାମାନ ଦେଖିବାକୁ ପାଇବା । ପଲ୍ଲୀକବି ନନ୍ଦକିଶୋର ମଧ୍ୟ କେତୋଟି ପ୍ରବନ୍ଧର ରଚୟିତାରୂପେ ପରିଚିତ ହୋଇଛନ୍ତି । ମାତ୍ର ସେମାନେ ମୂଳତଃ ସତେଯେପରି ଆଉ କ’ଣ ଥିଲେ ଓ ଲେଖୁ ଲେଖୁ କେତୋଟି ପ୍ରବନ୍ଧ ଲେଖି ପକାଇଲେ, ସେମାନଙ୍କର ପ୍ରବନ୍ଧଗୁଡ଼ିକୁ ପାଠ କରିବା ସମୟରେ ପ୍ରାୟ ସେହିପରି ଅନୁଭବ ହୋଇଥାଏ । ଖୁବ୍ ସମ୍ଭବ ସେତେବେଳେ କାବ୍ୟ କବିତା ଓ ଗଳ୍ପ ବା ଉପନ୍ୟାସ ଲେଖିବାକୁହିଁ ସାହିତ୍ୟରେ ଏକ ସର୍ଜନାତ୍ମକ କାର୍ଯ୍ୟ ବୋଲି ଗଣନା କରାହେଉଥିଲା । ଆପଣା ସର୍ଜନାତ୍ମକତାର ସମ୍ଭବତଃ ତଥାକଥିତ ବିରତିକାଳମାନଙ୍କରେ ସେମାନେ କ’ଣ ଗୋଟାଏ ଲେଖିବାକୁ ଯାଇ ପ୍ରବନ୍ଧ ଲେଖି ପକାଉଥିଲେ, ଅନେକ ସମୟରେ ଭାରି ୟାଡ଼ୁସାଡ଼ୁ କରି ଲେଖି ଦେଉଥିଲେ । ଆମର ଏହି ସାଂପ୍ରତିକ କାଳରେ ମଧ୍ୟ ଅନେକ କବି ଓ କଥାକାର ଅଛନ୍ତି, ଯେଉଁମାନେ କି ପ୍ରବନ୍ଧକୁ ଏକ ସର୍ଜନାତ୍ମକ ସାହିତ୍ୟକର୍ମ ବୋଲି ତଥାପି ସ୍ଵୀକାର କରିବେ ନାହିଁ । ଶ୍ରୀମଦ୍ ଭଗବତ୍‍ଗୀତା ଯିଏ ଲେଖିଥିବେ, ତାଙ୍କର ଏହି କାର୍ଯ୍ୟଟିକୁ ସର୍ଜନାତ୍ମକ ଓ ପ୍ରଜ୍ଞାରୁ ପ୍ରସୂତ ବୋଲି କହିବା ସକାଶେ କଦାପି କାହାରି ଆପତ୍ତି ରହିବ ନାହିଁ । ମାତ୍ର, ପରବର୍ତ୍ତୀ କାଳରେ ଶଙ୍କରାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ ଓ ରାମାନୁଜ ଆଦି ଯେଉଁ ବ୍ୟକ୍ତିମାନେ ଭଗବତ୍‍ଗୀତାର ଭାଷ୍ୟମାନ ଲେଖିଛନ୍ତି, ଯଦି ସେମାନଙ୍କର ସେହି କାର୍ଯ୍ୟଟିକୁ ସର୍ଜନାତ୍ମକ ବୋଲି କହିହେବ, ତେବେ ବର୍ତ୍ତମାନର ସାହିତ୍ୟରେ ପ୍ରବନ୍ଧକୁ ସେହି ଶ୍ରେଣୀର ଅନ୍ତର୍ଭୁକ୍ତ କରି ବିଚାର କରିବା ଲାଗି ହୁଏତ ଆମକୁ କେତେକେତେ ଅଧିକ କାରଣ ମିଳିଯିବ । ଗୋଟିଏ ସାହିତ୍ୟରେ ତାହାର ପ୍ରବନ୍ଧ ଭାଗଟି କେତେ କମ୍ ବା ଅଧିକ ବଳିଷ୍ଠ ବା ଦୁର୍ବଳ, ତାହାକୁ ଭିତ୍ତି କରି ସେହି ସାହିତ୍ୟକୁ ମଧ୍ୟ ବଳିଷ୍ଠ ବା ଦୁର୍ବଳ ବୋଲି ଅନୁମାନ କରିବା ଲାଗି ମଧ୍ୟ ହୁଏତ ଏକାଧିକ କାରଣ ରହିଛି ।

 

ତଥାପି, ସେହି ଆରମ୍ଭକାଳରୁ ମଧ୍ୟ ପ୍ରବନ୍ଧର କ୍ଷେତ୍ରଟିଏ ରହି ଆସିଛି ଏବଂ ଆପଣାକୁ କ୍ରମବିକଶିତ କରି ଆଣିଛି । ଏହି ଧାଡ଼ିରେ ଶ୍ରୀଯୁକ୍ତ ବିଶ୍ଵନାଥ କରଙ୍କୁ ଆମେ ସବାଆଗ ମନେପକାଇବା । ଶ୍ରୀଯୁକ୍ତ ପ୍ୟାରୀମୋହନ ଆଚାର୍ଯ୍ୟ ଏବଂ କର୍ମବୀର ଗୌରୀଶଙ୍କରଙ୍କର ସେମାନେ ସମ୍ପାଦନା କରୁଥିବା ସମ୍ବାଦପତ୍ରରେ ବେଳେବେଳେ ଯାହା ଲେଖିଛନ୍ତି, ସେଗୁଡ଼ିକ ମଧ୍ୟ ଅତ୍ୟନ୍ତ ମନନସମୃଦ୍ଧ ହୋଇପାରିଛି ଓ ପାଠକକୁ ସେହି ଦିଗରେ ଆହୁରି ଆଗକୁ ଅଧିକ ଚିନ୍ତନ ଲାଗି ଖାଦ୍ୟ ଯୋଗାଇ ଦେଉଛି । ଶ୍ରୀ ବିଶ୍ଵନାଥ କରଙ୍କ ପ୍ରବନ୍ଧରେ ତତ୍କାଳୀନ ନୂତନ ଭାବଧାରାଗୁଡ଼ିକ ଓଡ଼ିଶାର ମାଟି ଭିତରକୁ ଭେଦି ପାରିବାଲାଗି ଯେଉଁସବୁ ଦ୍ଵନ୍ଦ୍ୱ ଏବଂ ପ୍ରତିରୋଧର ସମ୍ମୁଖୀନ ହେଉଥିଲା, ତାହାର ଏକ ଆଭାସଚିତ୍ର ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥାଏ । ଆମକୁ ଆସି ସେହି ପର୍ଯ୍ୟାୟରେ ଆମେ କବିବର ରାଧାନାଥଙ୍କର ପୁତ୍ର ଶଶିଭୂଷଣ ରାୟଙ୍କୁ ଏବଂ ବ୍ୟାସକବି ଫକୀରମୋହନଙ୍କର ପୁତ୍ର ଶ୍ରୀଯୁକ୍ତ ମୋହିନୀ ମୋହନଙ୍କୁ ଭେଟିବା । ଓଡ଼ିଆ ତତ୍କାଳୀନ ପ୍ରବନ୍ଧକୁ ମୋହିନୀ ମୋହନଙ୍କର ଅବଦାନ ବିଷୟରେ ଏପର୍ଯ୍ୟନ୍ତ ସମ୍ୟକ୍ ଆଲୋଚନା ହୋଇନାହିଁ । ସାହିତ୍ୟକାରିତାର ମୁଖ୍ୟ ଧାରାରୁ ଦୂରରେ ରହି ସେ ଅତ୍ୟନ୍ତ ନିର୍ଭୀକ ଭାବରେ ଆପଣାର ବିଚାରଗୁଡ଼ିକୁ ଯେ ବ୍ୟକ୍ତ କରିଛନ୍ତି, ତାଙ୍କର ଅବହେଳିତ ପ୍ରାୟ ହୋଇ ରହିଯିବାର ତାହା ଏକ କାରଣ ହୋଇପାରେ । ଶଶୀଭୂଷଣଙ୍କର ପ୍ରବନ୍ଧ ଏକାବେଳକେ ଆରମ୍ଭରୁହିଁ ଯେଉଁ ଗୁଳାଟିକୁ ବାଛିନେଇଛି, ତାହାକୁ ଡେଇଁଯିବାକୁ କୌଣସି କାରଣରୁ ମୋଟେ ସାହସ କରିପାରିନାହିଁ । ତାଙ୍କର ପ୍ରବନ୍ଧଗୁଡ଼ିକରେ ସେଥିଲାଗି ସେପରି କୌଣସି ଉତ୍ତରଣର ଅନୁଭବ ହୁଏନାହିଁ । ଏମାନଙ୍କ ପରେ ଶ୍ରୀଯୁକ୍ତ ରତ୍ନାକର ପତି ଓ ବିପିନ ବିହାରୀ ରାୟ । ଏମାନେ ଉଭୟେ ଦର୍ଶନଶାସ୍ତ୍ରରେ ଅଧ୍ୟାପକ ଥିଲେ । ସେମାନଙ୍କର ପ୍ରବନ୍ଧଗୁଡ଼ିକ ସମ୍ଭବତଃ ସେହି କାରଣରୁ ଅତ୍ୟନ୍ତ ଦର୍ଶନଘନ ହୋଇଛି ଏବଂ ତେଣୁ ଶବ୍ଦଘନ ମଧ୍ୟ ହୋଇଛି । ଶବ୍ଦଗୁଡ଼ିକର ଆଘାତରେ ଭାବ ଭିତରକୁ ପ୍ରବେଶ କରିବା ବେଳେବେଳେ ଭାରି କଠିନ ହୋଇଯାଉଛି । କବି ନୀଳକଣ୍ଠଙ୍କର ପ୍ରବନ୍ଧଗୁଡ଼ିକରେ ପ୍ରଗଳ୍‍ଭତା ବେଶୀ । ଅତିରଞ୍ଜନ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ତାହା ପାଠକମାନଙ୍କୁ ଅଧିକ ଗ୍ରହଣଶୀଳ କରିବା ପରିବର୍ତ୍ତେ ସତେଅବା କ୍ରମସଙ୍କୁଚିତ କରି ଆଣୁଥିବା ପରି ବୋଧ ହୋଇଥାଏ । ଶ୍ରୀ ଗୋବିନ୍ଦ ତ୍ରିପାଠୀଙ୍କର ପ୍ରବନ୍ଧଗୁଡ଼ିକ ଆପଣାର କଥନଶୈଳୀରେ ଅନେକ ସମୟରେ ରାମ୍ୟରଚନାର ଗାରଗୁଡ଼ିକୁ ଯାଇ ସ୍ପର୍ଶ କରୁଥିବା ପରି ମନେହୁଏ । ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ମଧ୍ୟ ପ୍ରବନ୍ଧ ଲେଖିଛନ୍ତି । ଭାରତୀୟ ସ୍ଵାଧୀନତା-ସଂଗ୍ରାମ ଭାରତବର୍ଷର ଚିନ୍ତାକୁ କ୍ରମେ ଅଧିକରୁ ଅଧିକ ପୃଥିବୀ-ସଚେତନ କରି ଆସୁଥିବା ସଙ୍ଗେ ସଙ୍ଗେ ଏବଂ ବୃହତ୍ତର ପୃଥିବୀ ଆଡ଼କୁ ଓଡ଼ିଶାର ଗବାକ୍ଷଗୁଡ଼ିକ ଅଧିକ ଅକାତର ଭାବରେ ଉନ୍ମୋଚିତ ହୋଇଯାଉଥିବା ସଙ୍ଗେ ସଙ୍ଗେ ଓଡ଼ିଆ ପ୍ରବନ୍ଧ ମଧ୍ୟ ଅଧିକ ସମୃଦ୍ଧ ହୋଇଛି ଏବଂ ସାହିତ୍ୟର ଏକ ସର୍ଜନାତ୍ମକ ବିଭାଗରୂପେ ଆପଣାକୁ ପ୍ରତିଷ୍ଠିତ କରିଆସିଛି ।

 

ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ସାହିତ୍ୟ ପଛରେ ପଡ଼ିରହିଛି ବୋଲି ଅନେକ ସମୟରେ ଏକ ମନ୍ତବ୍ୟ ଭାରି ଶୁଣିବାକୁ ମିଳିଥାଏ । ଭାରତୀୟ ଯେକୌଣସି ସାହିତ୍ୟର କବିତା ଅଗ୍ରଗତି କରି ପାରିଲାଣି ବୋଲି ଓଡ଼ିଶାରେ କବିମାନେ କହିଥାନ୍ତି । ଠିକ୍‍ ସେହିଭଳି, ଭାରତର ଯେକୌଣସି ସାହିତ୍ୟର ଗଳ୍ପ ଓ ଉପନ୍ୟାସ ପରି ଓଡ଼ିଆରେ ଗଳ୍ପ ଓ ଉପନ୍ୟାସ ସେମାନଙ୍କର ସମତୁଲ ହେବାଭଳି ଅଗ୍ରଗତି କରିପାରିଛି ବୋଲି ଓଡ଼ିଶାରେ ଗଳ୍ପ ଓ ଉପନ୍ୟାସର ଲେଖକମାନେ ମତ ଦେଇଥାନ୍ତି । ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ସେଭଳି ଦାବି କରିବାକୁ ପ୍ରବନ୍ଧକାରମାନେ ଏପର୍ଯ୍ୟନ୍ତ ସାହସ କରିନାହାନ୍ତି । ସେପରି ସାହସ କରୁଥିଲେ ସେମାନେ ହୁଏତ ପ୍ରବନ୍ଧ ଲେଖି ପାରୁ ନଥାନ୍ତେ-। ପ୍ରବନ୍ଧ ଲେଖିବାକୁ ହେଲେ ଏକାବେଳକେ ଅନେକଆଖି ହେବାକୁ ହୋଇଥାଏ, ଭାବପ୍ରବଣତା ଅପେକ୍ଷା ଭାବଗୁଡ଼ିକରହିଁ ଅଧିକ ଯୋଗ୍ୟ ହେବାକୁ ହୁଏ, ଆପଣାର ଅଧ୍ୟୟନ ଓ ଅନ୍ତଃପ୍ରବେଶରେ ଏକାବେଳକେ ଶତାୟୁଧ ହେବାକୁ ହୁଏ । ତଥାପି ଯେତେ ଗପିପାରିଲେ ମଧ୍ୟ ଯଥେଷ୍ଟ ଗମି ପାରିହେଲା ପରି ମୋତେ ପ୍ରତ୍ୟୟ ଆସେ ନାହିଁ । ନିଜ ଭିତରେ ଏକାବେଳେକେ ଅନେକ ସହାନୁଭୂତି ଓ ଅନେକ ଅସନ୍ତୋଷ ତଥା ଅନେକ ଭବିଷ୍ୟଦୃଷ୍ଟି ରଖି ତଥାପି ଗୋଟିଏ ହୋଇ ଦେଖିପାରିଲେ ଯାଇ ପ୍ରବନ୍ଧ ଲେଖିବା ସାମର୍ଥ୍ୟ ଆସିବାପରି ଲାଗେ । କାହାର ନିନ୍ଦା ବା ପ୍ରଶଂସା କରିଦେଲେ, କାହା ଉପରେ ନିଜର ମତଟାଏ ବ୍ୟକ୍ତ କରିଦେଲେ ପ୍ରବନ୍ଧର କାମ ଆଦୌ ସରିଯାଏ ନାହିଁ, ବରଂ ପ୍ରବନ୍ଧକାର ହାସ୍ୟାସ୍ପଦ ହେବାହିଁ ସାରହୁଏ । ବାହାରେ ବାହା ବାହା ପାଇଲେ ମଧ୍ୟ ନିଜ ପାଖରେ ଯେ ଭାରି ହାସ୍ୟାସ୍ପଦ ହେବାପରି ଅନୁଭବ କରୁଥାଏ ।

 

ଆଗେ ରାଜାମାନେ ନିଜ ସଭାରେ କବି ପାଳୁଥିଲେ । କବିମାନେ କବିତା ଲେଖି ରାଜା ଏବଂ ସଭାସଦବର୍ଗଙ୍କୁ ଆମୋଦିତ କରୁଥିଲେ । ଏବେ ସେହି ରାଜାମାନେ ନାହାନ୍ତି ସତ, ମାତ୍ର ଆପ୍ୟାୟିତ ହେବାପାଇଁ ବହୁ ସଂଖ୍ୟାରେ ରହିଛନ୍ତି । ବିଶେଷକରି ଆମର ଏହି କଥାକଥିତ ଜାତୀୟତାବାଦର ଯୁଗରେ ଅର୍ଥାତ୍‍ ଆପଣାର ଜାତି, ଆପଣାର ଭାଷା ଏବଂ ଆପଣାର ସାହିତ୍ୟକୁ ନେଇ ଏକାଠି ମଣ୍ଡଳୀରେ ବସି ଗର୍ବ ଅନୁଭବ କରିବାପାଇଁ ଓ ତଦ୍ଦ୍ୱାରା ଆପ୍ୟାୟିତ ଅନୁଭବ କରିବାପାଇଁ ସାମୂହିକତାର ଏହି ଯୁଗରେ ବହୁ ମନୁଷ୍ୟ ରହିଛନ୍ତି । ପଦ୍ୟରେ କବିତାମାନେ ଯେପରି ଆପ୍ୟାୟିତ କରିଥାନ୍ତି, ଗଦ୍ୟରେ ଗଳ୍ପ ଓ ଉପନ୍ୟାସ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଠିକ୍‍ ସେହିପରି ଆପ୍ୟାୟିତ କରିଥାନ୍ତି । ଆମ ସମାଜରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ପ୍ରଧାନତଃ ଆପ୍ୟାୟିତ ହେବା ନିମନ୍ତେହିଁ କବିତାକୁ ଲୋଡ଼ିଥାନ୍ତି ଏବଂ ଗଳ୍ପ କିମ୍ବା ଉପନ୍ୟାସଟିଏ ଲୋଡ଼ିଥାନ୍ତି । ଆପ୍ୟାୟିତ ହେବାଲାଗି କେହି କଦାପି ପ୍ରବନ୍ଧକୁ ଲୋଡ଼ି ଯିବାକୁ ମନ କରିବ ନାହିଁ । କୌଣସି ସଭାଲାଗି ଯୋଗ୍ୟ ହେବାଲାଗି ପ୍ରବନ୍ଧଟିଏ ଆଦୌ ଲେଖାଯାଏ ନାହିଁ । ରାଜାମାନେ ଅର୍ଥାତ୍‍ ପ୍ରଧାନତଃ ଆପ୍ୟାୟିତ ହେବାଲାଗି ସାହିତ୍ୟକୁ ଲୋଡ଼ୁଥିବା ବ୍ୟକ୍ତିମାନେ କେବେହେଲେ ପ୍ରବନ୍ଧକୁ ମନ କରିବେ ନାହିଁ । ଏକାଧିକ କାରଣରୁ ଆମ ସାଂପ୍ରତିକ କାଳଟି ଏପରି ହୋଇଛି ଯେ, ଏଥିରେ ପ୍ରାୟ ଏକ ସାଧାରଣ ରୀତିକୁ ମାନିବା ପରି ଅଧିକାଂଶ ମଣିଷ ସଂସ୍କୃତିକୁ କହିଲେ ମୂଳତଃ ଆପ୍ୟାୟିତ ହେବାରେ ଏକ ସାଧନକୁହିଁ ବୁଝୁଛନ୍ତି, ମନୋରଞ୍ଜନକୁହିଁ ସଂସ୍କୃତି ବୋଲି କହୁଛନ୍ତି । ତେଣୁ ପ୍ରବନ୍ଧଟିଏ ସତକୁସତ କ’ଣ କଲା କି ନ କଲା, ସେମାନେ ସେହି କଥାର ପ୍ରକୃତରେ ଆଉ କାହିଁକି କେଉଁ ସମ୍ବାଦ ରଖିବେ ? ଯେକୌଣସି ସାହିତ୍ୟରେ ହୁଏତ ଚିରଦିନ ଯାବତୀୟ ସଭାର ବାହାରେ ରହିଥିବ, ଅଳପକୁ ନେଇ କେତେ କିଏ ନାଚୁଥିଲେ ମଧ୍ୟ ପ୍ରବନ୍ଧ ତଥାପି ଅଧିକରୁ ଅଧିକ ଗବାକ୍ଷ ଖୋଲି ଦେଇ ପରିଚୟଗୁଡ଼ିକୁ ପୂର୍ଣ୍ଣରୁ ପୂର୍ଣ୍ଣତର କରିବା ନିମନ୍ତେ ପ୍ରୟାସ କରୁଥିବ ।

 

ପ୍ରବନ୍ଧ ସମୀକ୍ଷା କରେ । ସମୀକ୍ଷା ନିମନ୍ତେ ଓ ସମୀକ୍ଷା ଶୁଣିବା ନିମନ୍ତେ ଓ ସମୀକ୍ଷାକୁ ସୁସ୍ଥହୋଇ ଶ୍ରବଣ କରିବା ନିମନ୍ତେ, ସତତ ଯେଉଁ ଗ୍ରହଣଶୀଳତା ଯେଉଁ Humor ସବାଆଗ ଦରକାର ଆମ ସମାଜର ହୁଏତ ସେହି ଗ୍ରହଣଶୀଳତା ଓ ସେହି Humor ଏବେ ମଧ୍ୟ ସମ୍ଭବ ହୋଇ ନାହିଁ । ସାମନ୍ତବାଦୀ ସମାଜରେ ତାହା ସମ୍ଭବ ହେବା କଦାପି ସହଜ ନୁହେଁ । ସାମନ୍ତବାଦୀ ସମାଜରେ ବଡ଼ ସାନ ସମସ୍ତେ ନିଜ ପ୍ରଶଂସା ଶୁଣିବାକୁହିଁ ଶତକର୍ଣ୍ଣ ହୋଇ ରହିଥାନ୍ତି । ନିଜ ପ୍ରଶଂସା ଶୁଣିବାକୁହିଁ ସେମାନେ ଆପ୍ୟାୟିତ ହେବାର ଅସଲ ଉପାୟ ବୋଲି ଧରିନେଇଥାନ୍ତି । ସେମାନଙ୍କର ପ୍ରବନ୍ଧପାଇଁ ବେଳ କାହିଁ, ଧୈର୍ଯ୍ୟ ବା କାହିଁ । ତୁଚ୍ଛା ଅଭିମାନୀଙ୍କର ଆପଣା ଆଡ଼କୁ ହସି ପାରିବାର ବେଳ ମଧ୍ୟ ନାହିଁ ? ଅନ୍ୟ ସମସ୍ତଙ୍କୁ ହସି ଯିଏ ନିଜକୁ ତାହାରିଦ୍ଵାରା ସତେଅବା କେଡ଼େ ବଡ଼ ପରି ମନେ କରୁଥାଏ, ସେ ଆପଣା ଆଡ଼କୁ ଅନାଇ କଦାପି ହସି ପାରିବ ନାହିଁ ବୋଲି ସତେଅବା ଅଭିଶପ୍ତ ହୋଇ ସଂସାରକୁ ଆସିଥାଏ । ଏହି ଦୁରବସ୍ଥା ବୁଝିଲେ ଯାଇ ଯେ ଓଡ଼ିଆ ସାହିତ୍ୟରେ ପ୍ରବନ୍ଧର ବେଳ ଆସି ପହଞ୍ଚିବ, ସେକଥା ମଧ୍ୟ ମୋଟେ ନୁହେଁ । ପ୍ରବନ୍ଧ ସେପର୍ଯ୍ୟନ୍ତ ଅପେକ୍ଷା କରି ରହିବ, ସେକଥା ମଧ୍ୟ ନୁହେଁ । ପ୍ରବନ୍ଧହିଁ ଏହି ଦୁରବସ୍ଥାକୁ ଦୂର କରିବାର ପ୍ରୟାସ କରୁଥିବ । ଅଳ୍ପ ମଣିଷ ପ୍ରବନ୍ଧ ପଢ଼ୁଥିବେ । ଅଧିକ ମଣିଷ ଆପ୍ୟାୟିତ ହେବାକୁହିଁ ସାହିତ୍ୟ ଭିତରେ ରହିଥିବେ । ତଥାପି ପ୍ରବନ୍ଧ ଲେଖା ହେଉଥିବା ପ୍ରତ୍ୟେକ ମନୁଷ୍ୟ ଭିତରେ ପୂର୍ଣ୍ଣତର ଅନ୍ୟ ମଣିଷଟିଏ ରହିଛି ଏବଂ ସେଇଟି ବାହାରକୁ ଆସିଲେ ଆମର ଏହି ସଂସାରକୁ ବହୁ ଦୁଃଖ ଓ ବହୁ ସନ୍ତାପ ଦୂର ହେବ ବୋଲି ପ୍ରବନ୍ଧ ବିଶ୍ୱାସ ରଖିଥିବ ।

 

ଆମର ଏହି ଆଲୋଚନାଟିରେ ଆମେ ଓଡ଼ିଆ ସାହିତ୍ୟକୁ ତା’ର ଉନ୍ମେଷ କାଳରୁ ୧୯୫୦ ମସିହା ଯାଏଁ ଗଡ଼ାଇ ଆଣିଲେ । ଏହି ବିବର୍ତ୍ତନଟିକୁ ଅଧିକ ସମୀଚନତା ସହିତ ବୁଝିପାରିବା ନିମନ୍ତେ ଆମେ ପ୍ରଥମେ ସାହିତ୍ୟ, ସମାଜ ଏବଂ ସଂସ୍କୃତି ବିଷୟରେ କେତେକ ସଂଜ୍ଞାତ୍ମକ ଆଲୋଚନା କଲେ, ସେଗୁଡ଼ିକର ପାରସ୍ପରିକ ସମ୍ବନ୍ଧଗୁଡ଼ିକୁ ଜାଣିବାଲାଗି ପ୍ରୟାସ ମଧ୍ୟ କଲେ । ଓଡ଼ିଆ ସାହିତ୍ୟର ଏକ ବିବରଣାତ୍ମକ ଇତିହାସ ଲେଖିବା ଏହି ପୁସ୍ତକଟିର ଉଦ୍ଦେଶ୍ୟ ନଥିଲା । ନାମ ଅନୁସାରେ ପ୍ରାଚୀନରୁ ଏହି ଆଧୁନିକ କାଳ ପର୍ଯ୍ୟନ୍ତ କବି ଓ ଲେଖକମାନଙ୍କର ଏକ ତାଲିକାକୁ ମୂଳକରି ସେମାନେ କ’ଣ ସବୁ ଲେଖିଛନ୍ତି, ତାହାର ଏକ ବର୍ଣ୍ଣନା ଦେବାର ଅଭିପ୍ରାୟରେ ଏହି ଆଲୋଚନା ଆରମ୍ଭ ହୋଇ ନଥିଲା । ସାହିତ୍ୟ ନିୟମତଃ ସମାଜ ଏବଂ ସଂସ୍କୃତିର ଏକ ପ୍ରତିଫଳନ ହୋଇଥିଲେ ମଧ୍ୟ ତାହାକୁ କେବଳ ସେହିପରି ଏକ ପ୍ରତିଫଳନ ବୋଲି କଦାପି କୁହାଯିବ ନାହିଁ । ତେଣୁ, ସାହିତ୍ୟର ଯେକୌଣସି ଆଲୋଚନା ଅତୀତ ଉପରେ ଅବଲୋକନ କରିବା ସଙ୍ଗେ ସଙ୍ଗେ ଭବିଷ୍ୟ ବିଷୟରେ ଏକ ପ୍ରକ୍ଷେପଣକୁ ମଧ୍ୟ ଆଣି ବାଢ଼ି ଦେଇଥାଏ । ତେଣୁ ସତେଅବା ଏକାବେଳକେ ତିନି ଆଖି ହୋଇ ସାହିତ୍ୟରେ ଯାବତୀୟ ଆଲୋଚନାରେ ହାତଦେବାକୁ ହୁଏ । ଏବେ ଯାହାକୁ ଆମେ ଓଡ଼ିଆ ସାହିତ୍ୟ ବୋଲି କହୁଛୁ ଏବଂ ସେହି କ୍ରମରେ ଯାହାକୁ ଆମର ସାହିତ୍ୟ ବୋଲି କହୁଛୁ, ତାହାର ଯାବତୀୟ ଆଲୋଚନା ସତେଅବା ଆମକୁ ଦେଖିବା ନିମନ୍ତେ ଅଧିକରୁ ଅଧିକ ଆଖି ଯୋଗାଇ ଦେଇପାରୁଥିବା ଉଚିତ । ସାହିତ୍ୟରେ କେଉଁଠି ଠିକ୍‍ ବା କେଉଁଠି ଭୁଲ୍ ବୋଲି ଆଦୌ କୌଣସି କଥା ନାହିଁ । ଗଭୀରତାର ପ୍ରସ୍ଥ ଦେଇ ଆମେ କୌଣସି ସାହିତ୍ୟର ଆଲୋଚନା କରିବାକୁ ବାହାରିଲେ ଆମକୁ ସତେ ନୂଆ ନୂଆ ଉଚ୍ଚତାମାନ ଦିଶିଯିବାରେ ଲାଗିଥିବ । ଓଡ଼ିଆ ସାହିତ୍ୟରେ ଅଲବତ୍ ଆମ ସାହିତ୍ୟ ମାତ୍ର, ତା’ବୋଲି ଆମେ ତାକୁ ଆମର ସମ୍ପତ୍ତି ବୋଲି କଦାପି ଭାବିବା ନାହିଁ । ଆମେ ସେଥିରୁ ପ୍ରେରଣା ପାଇବା, ଆହୁରି ଆଗକୁ ଯିବାର ଖୋରାକ ଏବଂ ଉତ୍ସାହ ପାଇବା । ଆମେ ଅତୀତରୁ ଯେପରି ପ୍ରେରଣା ପାଇଥାଉ, ଇଏ ପ୍ରାୟ ସେହିପରି ଗୋଟିଏ କଥା । ଅଧିକ ସମ୍ପୂର୍ଣ୍ଣ ଏକ ଅବଲୋକନ ଏବଂ ଅନ୍ତପ୍ରବେଶର ଯୋଗ୍ୟ ହୋଇ ଆମେ ଆହୁରି ଆଗକୁ ଯିବା, ଆମ ସାହିତ୍ୟରେ ଆହୁରି ସୃଷ୍ଟି କରିପାରିବା । ଆମ ସାହିତ୍ୟର ଯେକୌଣସି ଆଲୋଚନା ଆମକୁ ସର୍ବଦା ସେହି ପ୍ରେରଣା ଦେଉଥିବ । ସୃଜନାତ୍ମକ ହେବା ନିମନ୍ତେହିଁ ସୃଜନାତ୍ମକତାର ଆଲୋଚନା, ତାହାହିଁ ଆମର ଅସଲ ଲକ୍ଷ୍ୟ ଏବଂ ଅସଲ ଶ୍ରଦ୍ଧା ହୋଇ ରହିଥିବା ଉଚିତ । ତାହାହିଁ ଆମ ସଂସ୍କୃତି ଏବଂ ଆମ ସମାଜକୁ ଅଧିକ ସୁସ୍ଥତା ଆଣିଦେଇ ପାରିବ ।

 

୧୯୫୦ ମସିହା ଅର୍ଥାତ୍‍ ଭାରତବର୍ଷ ରାଜନୀତିକ ସ୍ୱାଧୀନତା ଲାଭ କରିଥିବା ବେଳର ସମୟ । ଭାରତବର୍ଷରୁ ଇଂରେଜ ଶାସନ ହଟିଗଲା, ଭାରତୀୟମାନେ ନିଜେ ନିଜର ଶାସନ କରିବାର ନୂଆ ସୁଯୋଗକୁ ଲାଭ କଲେ । ବିଦେଶୀ ଶାସନ ଭାରତବର୍ଷକୁ ଏକ ଉପନିବେଶ କରି ରଖିଥିଲା, ଏକ ଉପନିବେଶରୂପେ ଭାରତବର୍ଷକୁ ଭୋଗ କରୁଥିଲା ଏବଂ ଭାରତବାସୀ ବହୁ ଦିଗରୁ ପ୍ରଧାନତଃ ବଞ୍ଚିତ ହୋଇ ରହିଥିଲେ । ଆବହମାନ କାଳରୁ ଭାରତବର୍ଷରେ ଜାତିପ୍ରଥା ରହିଥିଲା ଏବଂ ସେହି ଅନୁସାରେ ବହୁ କିସମର ଅସମାନତା ଭାରତବର୍ଷର ସମାଜକୁ କାମୁଡ଼ି ଧରି ଆସିଥିଲା । ସ୍ଵାଧୀନ ଭାରତବର୍ଷ ଭାରତବର୍ଷରେ ବାସ କରୁଥିବା ସବୁ ମଣିଷଙ୍କର ହୋଇ ଗଢ଼ାହେବ ବୋଲି ଅଭିପ୍ରେତ ଥିଲା । ପ୍ରଧାନତଃ ସେଇଥିସକାଶେହିଁ ଏହି ଦେଶରେ ଏକ ସ୍ଵାଧୀନତା-ସଂଗ୍ରାମ ଲଢ଼ା ହେଉଥିଲା । ପ୍ରାୟ ଶହେବର୍ଷର ଏକ ନବଜାଗରଣ ପର୍ବ ଭାରତବର୍ଷର ମାନସକୁ ସେଥିଲାଗି ପ୍ରସ୍ତୁତ କରି ଆଣିଥିଲା । ସେହି ନବଜାଗରଣରୁହିଁ କ୍ରମେ ଏକ ରାଜନୀତିକ ଅଭୀପ୍ସା ଜନ୍ମଲାଭ କଲା, ତାହା କାଳକ୍ରମେ ଏକ ସଂଗ୍ରାମରେ ପରିଣତ ହେଲା ଏବଂ ସେହି ସଂଗ୍ରାମର ପରିଣତିସ୍ଵରୂପ ଭାରତବର୍ଷ ସ୍ଵାଧୀନ ହେଲା । ସ୍ଵାଧୀନତା ପାଇଁ ସଂଗ୍ରାମଟି ଚାଲିଥିବା ସମୟରେ ମଧ୍ୟ ଭାରତୀୟ ସାହିତ୍ୟ ସେଥିରେ ଆପଣାର ଭୂମିକା ବିଷୟରେ ପୂର୍ଣ୍ଣ ସଚେତନ ରହିଥିଲା । ଏହି ସନ୍ଦର୍ଭରେ ଆମେ ରବୀନ୍ଦ୍ରନାଥ, ଶରତଚନ୍ଦ୍ର, ମୁନ୍‍ସୀ ପ୍ରେମଚାନ୍ଦ, ମୈଥିଳୀଶରଣ ଗୁପ୍ତ, ସୁବ୍ରହ୍ମଣ୍ୟମ୍ ଭାରତୀ ଏହିପରି କେତେକେତେ ଉତ୍ସର୍ଗୀକୃତ ନାମର ସ୍ମରଣ କରିପାରିବା । ରାଜନୀତିକ ସ୍ଵାଧୀନତାକୁ ଗୋଟିଏ ଦେଶର ଯାବତୀୟ ଅର୍ଥରେ ଦ୍ଵିଜ ହେବା ବୋଲି କୁହାଯାଇପାରିବ । ଜାତିଟିଏ ବା ଦେଶଟିଏ ଯୋଗ୍ୟ ହେଲେ ଯାଇ ସ୍ଵାଧୀନ ହୁଏ, ତାକୁ କେହି ପରାଧୀନ କରି ରଖିପାରନ୍ତି ନାହିଁ । ସ୍ଵାଧୀନତା କୌଣସି ଦେଶକୁ ଏକ ସମ୍ପତ୍ତିରୂପେ ଆସେ ନାହିଁ, ତାହା ଏକ ଆହ୍ଵାନରୂପେହିଁ ଆସିଥାଏ । ଏକ ପୁନରାବିଷ୍କାରରୂପେ ଆସିଥାଏ, ‘ସ୍ଵସ୍ୱରୂପାନୁସନ୍ଧାନ’ରୂପେ ଆସିଥାଏ, ବହୁତର ପୁନଃନିର୍ମାଣ ପ୍ରସ୍ତାବ ଓ ପ୍ରେରଣା ନେଇ ଆସିଥାଏ-

 

ସେହି ପ୍ରସ୍ତାବ ଓ ସେହି ପ୍ରେରଣା ସମ୍ପୃକ୍ତ ଦେଶରେ ସାହିତ୍ୟ ଲାଗି ମଧ୍ୟ ଆସିଥାଏ । ସାହିତ୍ୟଲାଗି ଏକ ଅଭିନବ ଏବଂ ବିପୁଳ ତାରୁଣ୍ୟର ଆହ୍ଵାନ ନେଇ ଆସିଥାଏ । ୧୯୫୦ ଖ୍ରୀଷ୍ଟାବ୍ଦ ବେଳକୁ ଭାରତୀୟ ସାହିତ୍ୟ ଅବଶ୍ୟ ସେହି ପ୍ରେରଣାର ସମ୍ମୁଖୀନ ହୋଇଥିବ । ସେହି ପର୍ବଟି ଉପରେ ଦୃଷ୍ଟିପାତ କଲାବେଳେ ଆମେ ଓଡ଼ିଆ ସାହିତ୍ୟକୁ ତା’ର ସେହି ବିଶେଷ ସ୍ଥିତିଟିର ଦର୍ପଣ ଉପରେ ବିଚାର କରିବାକୁ ମଧ୍ୟ ଅବଶ୍ୟ ସାମର୍ଥ୍ୟ ହେବା । ସେତେବେଳକୁ ଓଡ଼ିଆ କବିତା, ଓଡ଼ିଆ ଉପନ୍ୟାସ ଓ ଗଳ୍ପ, ଓଡ଼ିଆ ନାଟକ ଏକ ନିର୍ଦ୍ଦିଷ୍ଟ ପରିପକ୍ଵତାର ସ୍ତରକୁ ଆସି ଯାଇଥିଲା । ଓଡ଼ିଆ ସାହିତ୍ୟର ପ୍ରତ୍ୟେକ ବିଭାଗ ସ୍ଵାଧୀନତା ସଂଗ୍ରାମଦ୍ଵାରା ସଂକ୍ରମିତ ହୋଇଥିଲା, ସେହି ଯଜ୍ଞରେ ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା ଏବଂ ହୁଏତ ସ୍ଵପ୍ନଦୃପ୍ତ ଭାବରେ ଭାରତବର୍ଷ ସ୍ଵାଧୀନତା ଲାଭ କରିବ ବୋଲି ଅପେକ୍ଷା କରି ରହିଥିଲା । ସ୍ଵାଧୀନ ଭାରତରେ ତାହା ପ୍ରକୃତରେ କେଉଁଭଳି ଭୂମିକା ଗ୍ରହଣ କଲା ? ରାଜନୀତିକ ସ୍ଵାଧୀନତା ପରେ ଯେଉଁ ଆର୍ଥିକ ଓ ସାମାଜିକ ବିପ୍ଳବଟି ଲାଗି ଦେଶ ଅପେକ୍ଷା କରି ରହିଥିଲା, ଆମ ସାହିତ୍ୟ ପ୍ରକୃତରେ କେଉଁ ଭାବରେ ସେହି ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେଲା ? ସେହି ଆହ୍ୱାନଗୁଡ଼ିକର ଜବାବ ଦେଇପାରିଲା କି ? ଅଧିକାଂଶ କ୍ଷେତ୍ରରେ ଏଭଳି ହୋଇଥାଏ ଯେ, ସଂଗ୍ରାମ ସମୟରେ ସମ୍ପୃକ୍ତ ସଂଗ୍ରାମୀମାନଙ୍କର ଭୂମିକା ମଧ୍ୟରେ ଯେଉଁ ଉଜ୍ଜ୍ଵଳତା ରହିଥାଏ, ସଂଗ୍ରାମ ପରେ ତାହା ମଳିନ ପଡ଼ି ଆସେ, କାଲିର ସଂଗ୍ରାମୀମାନେ କ୍ଷମତାଧୀଶ ହୁଅନ୍ତି । ସେହି କ୍ଷମତା ସେମାନଙ୍କର ଗୋଡ଼ରେ ବେଡ଼ିପରି ହୋଇ ରହେ ଓ ସେମାନଙ୍କୁ ଆଉ ଆଗକୁ ଯିବାକୁ ଦିଏ ନାହିଁ । ଇତିହାସରେ ଏହିଭଳି ଅନେକବାର ହୋଇଛି । ସାହିତ୍ୟ ମଧ୍ୟ ଅନେକ ସମୟରେ କ୍ଷମତା ପଟକୁ ଆଉଜି ଯାଏଁ । ତଥାପି ଆହୁରି ଅନେକ ପଥ ବାକି ବୋଲି ଭାବିବାକୁ ମଧ୍ୟ ଅସମ୍ମତ ହୁଏ, ହାଇ ମାରେ, ନିଦ୍ରା ଯାଏଁ । ସେହି ନିଦ୍ରାବସ୍ଥାଟାର ପ୍ରଶସ୍ତି ଗାଇବାରେ କେତେ ନା କେତେ ଉତ୍ତେଜନା ପ୍ରକାଶ କରିବାରେ ଲାଗିଥାଏ । କ୍ଷମତା ହାତରେ ପରିକର ହୋଇ ରହେ ।

 

ଭାରତବର୍ଷ ସ୍ଵାଧୀନ ହେବାପରେ ଓଡ଼ିଶାରେ ଓଡ଼ିଆ ସାହିତ୍ୟ ପ୍ରକୃତରେ କେଉଁଭଳି ଭୂମିକା ଗ୍ରହଣ କଲା ? ସେହି ପର୍ବରେ ଆମ ସାହିତ୍ୟର ଅଢ଼ାଟି ପ୍ରଧାନତଃ କେଉଁମାନଙ୍କ ହାତରେ ରହିଲା ? ଯେଉଁମାନଙ୍କ ହାତରେ ସେହି ଅଢ଼ା ରହିଲା, ସେମାନେ ଦେଶର ଈପ୍‍ସିତ ପରିବର୍ତ୍ତନଗୁଡ଼ିକୁ ଅଗ୍ରସର କରାଇ ନେବାଲାଗି ପ୍ରକୃତରେ କେତେଦୂର ଇଚ୍ଛା କରୁଥିଲେ ? ଓଡ଼ିଶାରେ ତେଣିକି ଯେଉଁମାନେ କ୍ଷମତାର ଆସନରେ ବସିଲେ, ରାଜନୀତିର ମୁକ୍ତିମଣ୍ଡପରେ ଆସି ବସିଲେ ଏବଂ ଆମ ଭାଗ୍ୟଗୁଡ଼ିକର ନିର୍ଣ୍ଣୟ କଲେ, ଓଡ଼ିଆ ସାହିତ୍ୟ ପ୍ରତି ସେମାନଙ୍କର କେଉଁଭଳି ମନୋଦୃଷ୍ଟି ରହିଲା ? ସେମାନେ ସାହିତ୍ୟକୁ ତା’ର ସ୍ଵଧର୍ମ ପାଳନ କରିବାଲାଗି ବାଟ ଛାଡ଼ିଦେବାକୁ ଇଚ୍ଛା କଲେ ନା ନିଜର ପୋଷ ମନାଇ ରଖିବାକୁ ଚାହିଁଲେ ? ପୋଷା ମନାଇ ନେବାର ଯାବତୀୟ ଅଭିସନ୍ଧି ଆଗରେ ସାହିତ୍ୟିକମାନେ ମଧ୍ୟ କେଉଁଭଳି ଆଚରଣ କଲେ ? ସେମାନେ ନିଜ ଧର୍ମରେ ରହିଲେ ନା ହାଉଆ ଅନୁସାରେ ଆଉଜି ଗଲେ ? ସେମାନେ କ୍ଷମତାର ତୋଷାମଦ କଲେ ନା କ୍ଷମତାକୁ ଚାଲେଞ୍ଜ କଲେ ? ସାହିତ୍ୟ ମଧ୍ୟ ଆପଣାର କ୍ଷେତ୍ରରେ ଏକ ପ୍ରଚଣ୍ଡ କ୍ଷମତା । ଯୁଗେଯୁଗେ ଆସି ଓ ମସୀ ଭିତରେ, ଅର୍ଥାତ୍‍ କ୍ଷମତା ଏବଂ ସାହିତ୍ୟ ମଧ୍ୟରେ ଏକ ଯୁଦ୍ଧ ଲାଗି ଆସିଛି ଏବଂ ଯାବତୀୟ ଅର୍ଥରେ ମସୀହିଁ ସେହି ଯୁଦ୍ଧରେ ଜୟଲାଭ କରିଛି ବୋଲି ଏକଦା ପ୍ରବଳ କ୍ଷମତାରେ ଅଧିଷ୍ଠିତ ହୋଇଥିବା ଫ୍ରାନସ୍‍ର ନେପୋଲିଅନ ସ୍ଵୀକାର କରିଥିଲେ । ସ୍ଵାଧୀନ ଭାରତବର୍ଷରେ ସାହିତ୍ୟ କ୍ଷମତାକୁ ବାଟ ଦେଖାଇଲା ନା କ୍ଷମତାହିଁ ସାହିତ୍ୟକୁ ଖୁଣ୍ଟରେ ବାନ୍ଧି ରଖିଲା ? ‘ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର’ କବିତାଟିକୁ ଲେଖି କବି ଗଙ୍ଗାଧର ମେହେର ଯେଉଁ ସାହସର ପରିଚୟ ଦେଇଥିଲେ, ଏଠି ଓଡ଼ିଶାରେ ସ୍ଵାଧୀନତା ପରେ ଓଡ଼ିଆ ସାହିତ୍ୟରେ ଆମକୁ ତାହାର କେତୋଟି ସମାନ୍ତର ଉଦାହରଣ ପ୍ରକୃତରେ ମିଳିପାରିବ ?

 

ଭାରତ ସ୍ଵାଧୀନ ହେବାପରେ ଏ ଦେଶରେ ଅଧିକ କୋଠା ତିଆରି ହେଲା, ଯେଉଁଠି ରାସ୍ତା ନଥିଲା, ସେଠି ରାସ୍ତା ତିଆରି ହେଲା । ଦେଶରେ ସମ୍ପତ୍ତି ବଢ଼ିଲା, ରାଜପରିକମାନଙ୍କର ସଂଖ୍ୟା ବହୁଗୁଣିତ ହେଲା । ଇସ୍କୁଲ୍ କଲେଜମାନ ସଂଖ୍ୟାରେ ବଢ଼ିଲେ, ଛାତ୍ରମାନେ ହାଟପରି ଭିଡ଼ ଜମାଇ ସେଠାକୁ ପଢ଼ିବାକୁ ଆସିଲେ । କ୍ରୀଡ଼ା ବଢ଼ିଲା, ଉପଭୋଗ ବଢ଼ିଲା, ଉପଭୋଗର ସାମଗ୍ରୀ ଓ ଅବସରମାନବି ବହୁଗୁଣିତ ହେଲା । ଠିକ୍‍ ସେହିପରି ସାହିତ୍ୟରେ ଘଟିଲା, ଓଡ଼ିଆ ସାହିତ୍ୟରେ ମଧ୍ୟ ଘଟିଲା । ଅଧିକ ବହି ଲେଖା ହେଲା, କବି ଗଳ୍ପକାର ଉପନ୍ୟାସକାର ସଂଖ୍ୟାରେ ଆଗର ସମସ୍ତ ଗାରକୁ ଟପିଗଲେ । ସାହିତ୍ୟକୁ ସଉଦାକରି ସରକାରୀ ଓ ବେସରକାରୀ ଅଧିକସଂଖ୍ୟକ ବିପଣୀମାନ ବସିଲା । କେତେ ନୂଆ ନୂଆ ଶୈଳୀମାନ ବାହାରିଲା, କେତେକେତେ ଅଧିକ କିସମର ମଣିଷ କେତେକେତେ ଅଭିନବ ଅଭିପ୍ରାୟ ସହିତ ସାହିତ୍ୟ ଭିତରକୁ ଆସିଲେ, ସେମାନେ ସାହିତ୍ୟ କଲେ, ସାହିତ୍ୟକୁ ନେଇ ସଭା ମଣ୍ଡାଇଲେ । ସାହିତ୍ୟର ଏହି ବହୁଗୁଣିତ ଏବଂ ବହୁମଣ୍ଡିତ ହେବା ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟର ଔଜଲ୍ୟ ମଧ୍ୟ ଅଧିକ ହୋଇପାରିଲା କି ? ଓଡ଼ିଶାବାସୀଙ୍କର ଜୀବନରେ ତାହା ସଂକଳ୍ପଶକ୍ତିର ଅଭିବୃଦ୍ଧି ଆଣିଦେଲା କି ? ଏଣିକି ଓଡ଼ିଆ ସାହିତ୍ୟ ଏଠି ମନୁଷ୍ୟମାନଙ୍କୁ ଅଧିକ ନିର୍ଭୀକ ଏବଂ ଅନ୍ତତଃ ନିଜ ପ୍ରତି ଅଧିକ ସାଧୁ ହେବାର ପ୍ରେରଣା ଦେଇପାରିଲା କି ? ମଣିଷମାନଙ୍କୁ ମେରୁଦଣ୍ଡ ସିଧାକରି ଛିଡ଼ା ହେବାର ବଳ ଆଣିଦେଇ ପାରିଲା କି ? ସ୍ଵାଧୀନ ଭାରତରେ ସାହିତ୍ୟର ଯାବତୀୟ ସମୀକ୍ଷା ଏବଂ ଆଲୋଚନା କହିଲେ ସବାଆଗ ସେହି କଥାକୁହିଁ ବୁଝାଇବା ଉଚିତ । ଗୋଟିଏ ସାହିତ୍ୟ ଅଛି, ଯାହାକି ସକଳ ସନ୍ତର୍ପଣ ସହିତ ଯାହା ଯେପରି ଅଛି, ତାହାରି ସହିତ ଖାପ ଖାଇଯାଏ, କୁତ୍ସିତ କଳା ଦେହଟା ଉପରେ ସତେଅବା ସୁବର୍ଣ୍ଣ କଙ୍କଣରୂପେ ଶୋଭା ପାଉଥାଏ । ଆଉ ଗୋଟିଏ ପ୍ରକାରର ସାହିତ୍ୟ, ଯାହାକି ଗୁହାଳକୁ ଗୁହାଳ ବୋଲି କହେ, ଲଜ୍ଜାକୁ ଲଜ୍ଜା ବୋଲି ଘୋଷଣା କରେ, କୁତ୍ସିତକୁ କୁତ୍ସିତ ବୋଲି କହେ । ଅନ୍ଧାର ଭିତରେ ଆଲୋକର କଥା କହେ, ଭୀରୁମାନେ ପଲପଲ ହୋଇ ଡେଉଁଥିଲେ ମଧ୍ୟ ସେ ତଥାପି ସାହସର କଥା କହେ । ସମ୍ଭାବନାର କଥା କହେ, ବିଶ୍ଵାସ ଆଣିଦିଏ । ଓଡ଼ିଶାର ସାହିତ୍ୟରେ ସ୍ଵାଧୀନତା ପରେ କେଉଁ ପକ୍ଷଟିକୁ କେତେ ଥାନ ମିଳିଲା, କେତେ ସମ୍ମାନ ମିଳିଲା, ସେହି ଦୃଷ୍ଟିରୁହିଁ ଓଡ଼ିଆ ସାହିତ୍ୟରେ ପରବର୍ତ୍ତୀ ଯୁଗଟିର ସମୀକ୍ଷା ହେବା ଉଚିତ । କେବଳ ଜଣେ ସାହସୀ ସମୀକ୍ଷକହିଁ ସେହି ସମୀକ୍ଷା ଲାଗି ଶ୍ରଦ୍ଧା କରିପାରିବ ।

 

...ସେତେବେଳେ ଓଡ଼ିଆ ଭାଷା ଲୋକମୁଖରେ ଥିଲା ଏବଂ ଲୋକସାହିତ୍ୟର ମାଧ୍ୟମରେ ବିକଶିତ ହୋଇ ଆସୁଥିଲା । ସେହି ଭାଷା ସଭାଠାରୁ ଦୂରରେ ରହିଥିଲା, ପଣ୍ଡିତମାନେ ଅର୍ଥାତ୍ ଶାସ୍ତ୍ରର ଭାଷା ସଂସ୍କୃତକୁ ଏକମାତ୍ର ଯୋଗ୍ୟ ଭାଷା ବୋଲି ଗଣନା କରୁଥିବା ପଣ୍ଡିତମାନେ ଓଡ଼ିଆ ଭାଷା ପ୍ରତି ଯାବତୀୟ ବିରାଗ ବା ବୈରଭାବ ଦେଖାଉଥିଲେ ମଧ୍ୟ ତାହା ଏକାଧିକ ଶଦାବ୍ଦୀରୁ କ୍ରମପରିଣତ ହୋଇ ଆସୁଥିଲା । ଏଥିରେ ଆଦୌ କୌଣସି ସନ୍ଦେହ ଯେ ପଣ୍ଡିତମାନେ ଘରେ ନିଜ ଗୃହିଣୀମାନଙ୍କ ସହିତ ଓଡ଼ିଆ ଭାଷାରେହିଁ କଥାବାର୍ତ୍ତା କରୁଥିଲେ, ଓଡ଼ିଆ ଭାଷାରେହିଁ ସମସାମୟିକ ବୃହତ୍ତର ସମାଜର ଯାବତୀୟ ବେଭାର ଚଳୁଥିଲା । ତଥାପି ବ୍ରାହ୍ମଣମାନେ ଓଡ଼ିଆକୁ ଏକ ଅଶୁଦ୍ଧ ଭାଷା ବୋଲି କହୁଥିଲେ ଏବଂ ତାହାକୁ ଧର୍ମାୟତନ ଓ ରାଜଦରବାର ଭିତରକୁ ପୂରାଇ ଦେଉ ନଥିଲେ । ସମାଜରେ ଶ୍ରେଣୀ ଶ୍ରେଣୀ ମଧ୍ୟରେ ଯେଉଁ ଦୂରତା ରହିଥିଲା, ସମ୍ଭବତଃ ସେହି କାରଣରୁହିଁ କଥିତ ଭାଷାଟିକୁ ସଭାରୁ ଏବଂ ସାହିତ୍ୟ ଭିତରୁ ବାସନ୍ଦ କରି ରଖାଯାଇଥିଲା । ଏହି ରୀତିଟି ସେହି ଆଦିକାଳରୁ ଏବେଯାଏଁ ମଧ୍ୟ ଓଡ଼ିଶାର ସମାଜରେ ପ୍ରଚଳିତ ହୋଇ ରହିଛି । ସାମ୍ପ୍ରତିକ କାଳରେ ଯେଉଁମାନେ ସମାଜର ଉଚ୍ଚ ଧାଡ଼ିମାନଙ୍କରେ ରହିଛନ୍ତି, ସେମାନେ ମଧ୍ୟ ନିଜ ଘରେ ଓଡ଼ିଆ ଭାଷାକୁ ବ୍ୟବହାର କରୁଛନ୍ତି, ଆପଣାର ଭାବନାଗୁଡ଼ିକୁ ଓଡ଼ିଆରେ ଭାବୁଛନ୍ତି, ଓଡ଼ିଆରେ ସ୍ୱପ୍ନ ଦେଖୁଛନ୍ତି ଓ ଆପଣାର ଯାବତୀୟ ଆବେଗଗୁଡ଼ିକୁ ଅନୁଭବ କରୁଛନ୍ତି, ମାତ୍ର ସେମାନେ ସେହି ଭାଷାଟିକୁ ଦରବାର ଯାଏଁ ନେବାକୁ ଭାରି ଭୟ କରୁଛନ୍ତି; ଶିକ୍ଷା, ଶାସନ ଏବଂ ସଭ୍ୟତାର ଏକ ଉଚ୍ଚ ଦରବାର ବସାଇ ନିଜ ଚାରିପାଖେ ଉଚ୍ଚ ପାଚେରୀମାନ ଘେରାଇ ରଖି ସେମାନେ ସେଠି ଆଉ ଗୋଟିଏ ଭାଷାର ବ୍ୟବହାର କରୁଛନ୍ତି । ଏହି ଆଉ ଗୋଟାଏଟାକୁ ସେମାନେ ଶିକ୍ଷିତମାନଙ୍କର ଭାଷା ବୋଲି କହୁଛନ୍ତି, ସଂସ୍କୃତିର ଭାଷା ଏବଂ ତେଣୁ ଅସଲ ଭାଷା ବୋଲି କହୁଛନ୍ତି ।....

Image